Jump to content

ପୃଷ୍ଠା:Galpa swalpa.djvu/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ଗୋଟିଏ ଝିଅ, ପରମା ସୁନ୍ଦରୀ, ଖୁବ୍ ଗୁଣବତୀ – ଜମିଦାର ବାବୁ ତାକୁ ବୋହୂ କରି ଆଣିଲେ । ତେବେ ବି ପୁଅ ସୁଧୁରିଲା ନାହିଁ, ଘରୁ ମାଲମତା ନଗଦ ଟଙ୍କା ଚୋରି କରି ଉଡ଼ାଏ, ଦେଣା ପାଞ୍ଚ ଟଙ୍କା ନେଇ କୋଡ଼ିଏ ଟଙ୍କାର ହେଣ୍ଡ୍ ନୋଟ୍ ଲେଖିଦିଏ । ଏଣେ ଘର କଥା, ଜମିଦାରୀ କଥା କିଛି ବୁଝିବାକୁ ନାହିଁ । ଜମିଦାର ବାବୁ ଦେଖିଲେ, ଆଉ ହେବ ନାହିଁ, କୁଳାଙ୍ଗାରଟା ବିଷୟ ସମ୍ପତ୍ତି ସବୁ ଉଡ଼େଇ ଦେବ । ବୋହୂ ଶ୍ରୀମତୀ ସୁଲୋଚନା ଦେଈ ନାମରେ ଚଳାଚଳ ସମସ୍ତ ସମ୍ପତ୍ତି ଲେଖିଦେଇ ଯାଇଛନ୍ତି । ବାପା ଯେତେ ବୁଝାଇଥିଲେ, ଶ୍ୱଶୁରେ ଆସି ଯେତେ ବୁଝାଇଥିଲେ, କାହିଁରେ କିଛି ହୋଇ ନଥିଲା । ହଠାତ୍ ରାତିକ ଭିତରେ ଏତେ ଭଲ ଲୋକ ପାଲଟି ଗଲେ କିପରି ? ଗୋପୀ ବାବୁ ଜଣ ମସ୍କରିଆ ଭଳିଆ ଲୋକ, ହସି ହସି କହିଲେ “ସେ ଦିନ ରାତିରେ ସାନ୍ତାଣୀ ଯେ ଅର୍ଦ୍ଦାଳିଆ ଛାଞ୍ଚୁଣି ବୃଷ୍ଟି କରିଥିଲେ, ଏଇଟା ତାହାରି ଫଳ । ନିଶା, ବଦଖିଆଲି ଯେତେ ଉତ୍କଟ ରୋଗ, ଛାଞ୍ଚୁଣି ପ୍ରହାର ଔଷଧରେ ସବୁ ଛାଡ଼େ ।”

ଶ୍ୟାମଘନ ବାବୁ ହସି ହସି କହିଲେ, “କାହିଁ ବୈଦ୍ୟଶାସ୍ତ୍ର, ଡାକ୍ତରୀ କିତାବ, କାହିଁରେ ଏ ରୋଗକୁ ଏ ଔଷଧର ତ ବ୍ୟବସ୍ଥା ନାହିଁ ?”

ଗୋପୀ ବାବୁ କହିଲେ, “ଆରେ ତୁମେ ବୁଝିଲ ନାହିଁ, ଏଇଟା ସା’ନ୍ତାଣୀଙ୍କର ଆବିଷ୍କାର –

“ପେଟେଣ୍ଟ ମେଡିଶିନ୍”

ପୂର୍ବ ଦୁଷ୍କୃତି ହେତୁରୁ ଯଦି କୌଣସି ସୁନ୍ଦରୀଙ୍କ ସେ – ଅର୍ଥାତ୍ ସେମାନେ ଯଦି ଏପରି ରୋଗଗ୍ରସ୍ତ ହୋଇଥା’ନ୍ତି, ଲେଖକର ବିନୟ ପୁରଃସର ନିବେଦନମିଦଂ, ଏହି ପେଟେଣ୍ଟ୍ ମେଡିଶିନ୍‌ଟା ଥରେ ପ୍ରୟୋଗ ପୂର୍ବକ ପରୀକ୍ଷା କରି ଦେଖିବେ ।

-----
ରାଣ୍ଡୀପୁଅ ଅନନ୍ତା

ସୁବଳ ମହାକୁଡ଼ ଓରଫେ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷି ପଲ ଥିଲା । ମହାକୁଡ଼ ହରିଶପୁରର ବଣ ଭିତରେ ପଲରେ ସବୁବେଳେ ଥାଏ । ଘରକୁ ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା’ ପକ୍ଷରେ ସମାନ । ହେଲେ ବର୍ଷା ଦିନଟା ବଡ଼ ଆନନ୍ଦର ଦିନ । ଚରା ଢେର ମିଳେ, ମଇଁଷିଗୁଡ଼ାକ ବଡ଼ ଦୁଧିଆଳୀ ହୁଅନ୍ତି । ତାଳପତ୍ର ଟୋପରଟିଏ ମୁଣ୍ଡରେ ଦେଇ ଚିତେ ଉଞ୍ଚା ବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ ଦିନ ଯାକ ମଇଁଷିଙ୍କ ପଛେ ପଛେ ଧାଇଁ ଥାଏ । କାହିଁ ଆଣ୍ଠୁଏ, କାହିଁ ଅଣ୍ଟେ ପାଣି, ଦେହ ଯାକ କାଦୁଅ ଲଟପଟ, ଏଟା ତା’ର ଭାରି ଆନନ୍ଦ । ମହାକୁଡ଼ର ଆଉ ଦିନେ ଘର ଦରକାର ନାହିଁ । ରନ୍ଧାବଢ଼ା ଲାଗି ବର୍ଷା ଦିନେ ଗୋଟିଏ ପଲା ଦରକାର । କେତେଟା ଡାଳ ପୋତି ତାହା ଉପରେ ବିଡ଼ାକାତେ ବେଣାଘାସ ପକାଇ ଦେଇ ଗୋଟିଏ ପଲା ତିଆରି କରେ । ପଲାଟା ନିହାତି ନୁଆଁଣ । ବସି ବସି ଭିତରକୁ ଯାଏ । ବସି ବସି ଭାତ ରାନ୍ଧେ । ଠିଆ ହେଲେ ପଲା ମୁଣ୍ଡରେ ବାଜିବ । ପଲା ଚାରି ପାଖେ ବାଡ଼ ନାହିଁ, କାରଣ ରାତିରେ ପଲା ଭିତରେ ଶୋଇଥିଲେ ବାହାରୁ ଯଦି କେନ୍ଦୁଆ ଆସି ମଇଁଷି ବାଛୁରୀ ଘେନିଯାଏ; ଦିଶିବ ନାହିଁ । ରାତିରେ ପଲା ଭିତରେ ଡେମ୍ଫେ ଉଞ୍ଚା କଠୋଉ ଯୋଡ଼ାକ ମୁଣ୍ଡତଳେ ଦେଇ ଟୋପରଟାରେ ମୁହଁ ଢାଙ୍କି ଦିଏ । ମୁହଁଟାରେ ପାଣି ନ ପଡ଼ିଲେ ହେଲା । ତା’ ଚାରିପାଖେ ମଇଁଷି ଛୁଆଗୁଡ଼ିଙ୍କୁ ଗୋଡ଼ରେ ଦଉଡ଼ି ଲଗାଇ ଖଟାଇ ପକାଏ । ବର୍ଷା ହେଲେ ମଇଁଷି ଛୁଆର ମଇଳା ଓ ମୂତ ଧୋଇ ଆସି ପଲା ଭିତରେ ଲହଡ଼ି ଖେଳୁଥାଏ । ମହାକୁଡ଼ ତାହାରି ଉପରେ ଚେଙ୍ଗ ମାଛ ପରି ଲଟପଟ ହେଉଥାଏ । ମଇଁଷିଗୁଡ଼ା ବସା ଚାରିପାଖେ ବଣ ଆଡ଼କୁ ମୁହଁ କରି ଶୋଇଥା’ନ୍ତି । ରାତି ତିନି ପହର ସରିକି ମଇଁଷିଗୁଡ଼ାକ ଉଠି ବଣକୁ ଯାଆନ୍ତି, ତେତେବେଳୁଁ ମହାକୁଡ଼ ଜାଗ୍ରତ ଥାଏ । ଠେଙ୍ଗା