ପୃଷ୍ଠା:Galpa swalpa.djvu/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ସଢ଼େଇ ଚହ୍ଲା ଢାଳି ଦେଇଯାଏ ତେତିକି ଲୋଭରେ ଅନ୍ତାକୁ କିଛି କହୁଥିଲେ ନାହିଁ। ମଣିଷ ଡର ଓ ଲୋଭରେ ଢେର କାର୍ଯ୍ୟରୁ ନିବୃତ୍ତ ହୁଏ। ଆଉ ସମ୍ଭାଳି ପାରିଲେ ନାହିଁ। ଧରିଲେ ବେତ। ପହିଲେ ଦି ପାହାର ଚାରି ପାହାର, ଛ ପାହାର ପଟାପଟ୍ କରି ପିଟିଲେ। ହେଲେ ଅନ୍ତାର ସେଥିକି ଅନାଇବାକୁ ନାହିଁ। ଅବଧାନେ ପିଟିବାବେଳେ ବଉଳକୋଳିକୁ ଅନାଇଥାଏ, କେହି କେହି ଦିନ ହେଲେ ମାଡ଼ ଜାଗାଟା ଆଉଁସି ଦିଏ। ଆଉ ଚାଟଟୋକାଏ କହନ୍ତି, “ମହାଦେବର ବେଲପତ୍ରୀ ଊଣା, ଅନ୍ତାର ମାଡ଼ର ଊଣା ନାହିଁ।” ଚାଟଶାଳୀରେ ଏତେ ଯେ ମାଡ଼ ତା’ ମା’ ହେଲେ କିଛି ଜାଣିପାରେ ନାହିଁ। ଅନ୍ତା ସବୁ ଭୁଲିଯାଏ। ଚାଟଶାଳୀରୁ ବାହାରିବା ବେଳେ ସେ ମାଡ଼ କଥା ତାର ମନେ ଥାଏ ନାହିଁ। ଏଇ ରକମ ଚାରି ମାସ ଗଲା, ପାଞ୍ଚ ମାସ ବି ଗଲା, ଅନ୍ତା ଅ ଅକ୍ଷରଟା ଲେଖି ସାରି ଆ ମଡ଼ାଉଛି। କେତେ ଖଣ୍ଡ ବେତ ଛିଡ଼ି ଗଲାଣି, ଅବଧାନେ ଆଉ ପାରୁ ନାହାନ୍ତି। ତାକୁ ବାହାର ବି କରିଦେଇ ପାରୁ ନାହାନ୍ତି, ଚହ୍ଲା ମନ୍ଦାକ ବନ୍ଦ ହୋଇଯିବ ଯେ ! ଦିନେ ଅବଧାନେ ଆଉ ପାରିଲେ ନାହିଁ। ବେତ ଫୋପାଡ଼ି ଦେଇ ଦି ଚାରିଖଣ୍ଡ ବିଛୁଆତି ଛିଡ଼ି ଆଣିଲେ – ଗୋଡ଼ରେ ହାତରେ ପିଠିରେ ଦଶ କୋଡ଼ିଏ ପାହାର କଷି ଦେଲେ। ସେହିଦିନ ଅନ୍ତାକୁ ଟିକିଏ ବାଧିଲା। ହେଲେ ଆଖିରୁ ପାଣି ପଡ଼ି ନାହିଁ। ଚାଟଟୋକାଙ୍କ ଆଗରେ କହିଲା, “ଶଳା ମାହାନ୍ତିକୁ ମୁଁ ଦେଖିବି।” ତହିଁ ଆରଦିନ କ’ଣ ହେଲାକି ଅନ୍ତା ଏକଧ୍ୟାନରେ ବସି ଅକ୍ଷର ମଡ଼ାଉଛି, କାହାକୁ ଅନାଇବାକୁ ନାହିଁ। ଭାରି ଭଲ ପିଲାଟିଏ। ଅବଧାନେ ଟେରେଇ ଟେରେଇ ଦୁଇ ଚାରିଥର ତାକୁ ଅନାଇଲେଣି। ଭାରି ଖୁସି। ମନର କଲେ, ‘ଏଡ଼େ ସୁନ୍ଦର ଉପାୟ ଥିଲା – ହାୟ ! ହାୟ ! ଆଗରୁ କ୍ୟାଁ ନ କଲି?’

ଦିନ ପହରକ ସମୟରେ ଅବଧାନଙ୍କୁ ପଦା ଆଡ଼େ ତଲବ ହେଲା। ଡାକି ଦେଲେ, “ଆରେ ! ନିଆଁ ଆଣରେ, ଧୂଆଁପତ୍ର ଆଣରେ, ନୋଟା ଆଣରେ।” ପୁଞ୍ଜାଏ କି ଛ’ଟା ଚାଟଟୋକା ଧାଇଁ ଯାଇ ସବୁ ଠିକ କରିଦେଲେ। ଅବଧାନଙ୍କର ସବୁ କାମ ପିଲାମାନେ କରନ୍ତି। ଅବଧାନଙ୍କର ଗୋଡ଼ଘଷା, ପାଲଟା ଲୁଗା କଚା, ସଙ୍କୁଡ଼ି ଧୁଆ ବିଲକୁଲ କାମ ପିଲାମାନେ କରନ୍ତି। ଯେଡ଼େ ଲୋକ ପୁଅ ହେଉ ପଛକେ ଅବଧାନଙ୍କ ଗୋଡ଼ ଘଶିବ। ଗୁରୁଙ୍କ ଗୋଡ଼ ଘଷିଲେ ପାଠ ଆସେ। ଅବଧାନେ ପିକାଟିଏ ଭଲ କରି ମୋଡ଼ିଲେ – ନିଆଁଖୁଣ୍ଟାରେ ପକାଟି ଲଗାଇଦେଇ ଦି’କଳ ଭିଡ଼ିଲେ। ଫୁ କରି ଧୂଆଁ ଛାଡ଼ି କହିଲେ, “କି ବେ ମୁକୁନ୍ଦା। ଧୂଆଁ ଲାଗୁ ନାହିଁ ଯେ?”

ମୁକୁନ୍ଦା କହିଲା – ମୁଁ କ’ଣ କରିବି ଅବଧାନେ? ବାବା ତ କାଲି ହାଟରୁ ଏଇ ଧୂଆଁ ଆଣିଛି।

ଅବଧାନେ – ବେ ବିନ୍ଦିଆ! ତୋ’ ବାପ କଟକରୁ ଯେ ବାଲେଶ୍ବରୀ ଧୂଆଁପତ୍ର ଆଣିଥିଲା, ତାକୁ ଆଉ ଆଣିଲୁ ନାହିଁ ତ!

ବିନୋଦ – ମୁଁ କଅଣ କରିବି ଅବଧାନେ, ମା’ ତାକୁ ବିଡ଼ା ବାନ୍ଧି ସିକା ଉପରେ ରଖି ଦେଇଛି; ମୋ’ ହାତ ପାଇଲା ନାହିଁ।

ଅବଧାନେ – ଆଚ୍ଛା ତୁ ଗୋଟାଏ କାମ କରିବୁ। ତୋ’ ମା’ ଯେତେବେଳେ ଗାଧୋଇ ଯାଇଥିବ ତୁ ଗୋଟାଏ ବଡ଼ ପାଛିଆ ଉଗାଡ଼ି ପକାଇବୁ, ତା’ ଉପରେ ଚଢ଼ି ସିକାରୁ ଧୂଆଁପତ୍ର କାଢ଼ିବୁ। ସେଥିରୁ ଦୁଇ ଚାରି ଖଣ୍ଡ କାଢ଼ି ନେଇ ବିଡ଼ା ବାନ୍ଧି ସିକାରେ ଥୋଇ ଦେବୁ। ଖବରଦାର! ବେଶିଗୁଡ଼ାଏ ଆଣିବୁ ନାହିଁ। କାଲି ସକାଳେ ଯଦି ନ ଆଣିବୁ, ଅନାଇଥା’ ଏ ବେତକୁ।