ପୃଷ୍ଠା:Galpa swalpa.djvu/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫକୀରମୋହନ ଗ୍ରନ୍ଥାବଳୀ

ଏହି ସମୟରେ ଗାଁ’ଟାରେ ବଡ଼ ଜାରି ହୁଏ। ଷଷ୍ଠୀ ବେଲବରଣ। ସକାଳିଆ ଉତ୍ତର ଦିଗରୁ ଖଣ୍ଡେ ମେଘ ଦେଖାଗଲା। ସୂର୍ଯ୍ୟ ଉଇଁ ମେଘରେ ଡୁବିଗଲେ। ମେଘଟା ଦେଖୁଁ ଦେଖୁଁ ଆକାଶଯାକ ଘୋଟିଗଲା। ସଙ୍ଗେ ସଙ୍ଗେ ପବନ। ବୁଢ଼ା ଗୋବିନ୍ଦ ପଣ୍ଡେ କହିଲେ, “ଆରେ ବାପା! ଡାକଋଷି କହିଛନ୍ତି

“ହସି ପଶେ – ଉଇଁ ନ ଦିଶେ,

ବାପ ବୋଲେ ପୁତା, ନିଶ୍ଚେ ବରଷେ।

ଆଜି ଜାଗ୍ରତ ଥାଅ, ନିଶ୍ଚେ ବରଷା ହେବ।” ପଣ୍ଡାଙ୍କ ମୁହଁ କଥା ମୁହଁରେ ଅଛି – ଟପ୍ ଟପ୍ ଟପ୍ର ଟପ୍ର କରି ପକାଇଲା ପାଣି; ଯେ ବର୍ଷୁଛି ସେହି ବର୍ଷୁଛି। ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ ସଞ୍ଜ ହେଲା, ପାଣି ଛାଡ଼ିବାକୁ ନାହିଁ, ଯେଉଁଠିକା ମଣିଷ ସେଇଠି ବସିଛନ୍ତି। ଶଏବର୍ଷର ବୁଢ଼ାମାନେ କହୁଛନ୍ତି, ଏପରି ବର୍ଷା କେବେ ଦେଖା ନ ଥିଲା। ଗାଁ’ରୁ ପା ଭାଗ ଘର କାନ୍ଥ ଧୁପ୍ ଧାପ୍ କରି ପଡ଼ି ଗଲାଣି, ଦିନରାତି ପାଣି ପବନ ଖାଉଛନ୍ତି। ଦଶରା ଦିନ ଯେମିତି ରାତି ପାହିଛି ‘ଗାଁ’ ଗଲା, ଗାଁ’ ଗଲା, ଗାଁ’ ଗଲା’ ଚହଳ ପଡ଼ିଗଲା। ଆଉ କ’ଣ ଲୋକେ ଘରେ ରହିବେ? ପାଛିଆ କୋଡ଼ି ଘେନି ବନ୍ଧକୁ ଧାଇଁଛନ୍ତି। ବଡ଼ ସାନ ବିଚାର ନାହିଁ। ବ୍ରାହ୍ମଣ ପାଣ ଛୁଆଁ ଛୁଇଁ ହେଉଛନ୍ତି। ପାଛିଆ କୋଡ଼ି ଧରି ସମସ୍ତେ ବନ୍ଧ ଉପରେ ହାଜର। ନଈ ଦକ୍ଷିଣକୂଳକୁ ଅନାଇବା ବେଳେ ଗୋଟା ସମୁଦ୍ର, ଆଉ କିଛି ନାହିଁ। ବଢ଼ି ପାଣି ବନ୍ଧ କାନେକାନ। ନଈ ଭିତରୁ ପାଞ୍ଚ ହାତ ଉଚ୍ଚ ଗୋଟାଏ ଗୋଟା ଲହରୀ ଆସି ଝଲକେ ଝଲକେ ପାଣି ବନ୍ଧ ଟପି ପଡ଼ୁଛି। ଯେଉଁଠି ଝଲକେ ପାଣି ଟପି ପଡ଼ୁଛି, କେହି କାହାକୁ କହିବାକୁ ନାହିଁ – ଶଏ ବୋଝ ମାଟି ପଡ଼ି ଯାଉଛି। ବନ୍ଧ ମୂଳଟା କୋରି ଗୋଟାଏ ଗୋଟାଏ ପୋଖରୀ କରି ପକାଇଲାଣି। ଆଉ ଏଣେ କ’ଣ ହେଲାକି ଚାରିକୋଶ ତଳେ ରାମପୁର ମୁହାଣ ବାଟେ ପାଣି ବୁଡ଼ିଆସି ଗାଁ’ ମୂଳକୁ ଲାଗିଲାଣି। ଗାଁ’ ଗହୀରଗୁଡ଼ାକ ସମୁଦ୍ର ପରି ଜଳମୟ। ବନ୍ଧର ପାଣି ନ ଟପିଲେ ବି ତଳ ପାଣି ଆସି ଗାଁ’କୁ ଭସାଇ ନେବ। ପାଣିଟା ଯେମିତି ହୁ ହୁ କରି ବଢ଼ୁଛି ଗାଁ’ ଭିତରେ ପାଣି ପଶିଲା ବୋଲି! ଘରେ ଆଉ ରନ୍ଧାବଢ଼ା କ’ଣ ହେବ? ତୀର୍ଲାଗୁଡ଼ାକ ଘରୁ ବାହାରି ଆସି ଶଙ୍ଖ ହୁଳହୁଳି ପକାଉଛନ୍ତି। ଗୁଡ଼ାଏ ତୀର୍ଲା କଅଁଳା ଛୁଆଙ୍କୁ କାଖେଇ ରଡ଼ି କରୁଛନ୍ତି। ଶଙ୍ଖ, ହୁଳହୁଳି, ହରିବୋଲ, କାନ୍ଦଣାରେ ଗାଁ’ଟା ଉଛୁଳି ପଡ଼ୁଛି। ସୂର୍ଯ୍ୟ ଡୁବେ ଡୁବେ। ଗାଧୁଆ ତୁଠ ବାଟେ ଗାଁ’କୁ ପଶିଲା ପାଣି। ଦେଖୁ ଦେଖୁ ପାଞ୍ଚ ହାତ ଗହୀର ହୋଇଗଲା। ଚଉଡ଼ାଟା ବି ବେଳକୁବେଳ ବଡ଼ି ଯାଉଛି। ପିଚକାରୀ ମୁହଁରୁ ପାଣି ବାହାରିଲା ପରି ବେଗରେ ପାଣି ଗାଁ’କୁ ଧାଉଁଛି। “ହରିବୋଲ, ହରିବୋଲ – ଗଲା, ଗଲା।” ଆଉ କିଛି କଥା ନାହିଁ। ଉଛୁଣି ସମୁଦ୍ରରେ ସମସ୍ତଙ୍କୁ ଯାକିଦେବ। ପାଣିସୁଅ ବନ୍ଦ ପାଇଁ ଶ’କୁ ଶ’ ବୋଝ ମାଟି ପଡ଼ୁଛି; ମାତ୍ର ମୁଠାଏ ବି ରହୁନାହିଁ, ସୁଅ ଭସାଇ ନେଉଛି। ଏତେ ଯେ କାଣ୍ଡ – ଅନ୍ତାର କାହିଁରେ ଚିନ୍ତା ନାହିଁ। ସକାଳୁ ଭିଜି ଭିଜି ଗାଁ’ର ଚାରିପିଠ ବୁଲୁଛି। ଲୋକମାନଙ୍କ ବାଡ଼ିରୁ ଗଛମିଶା ମକା କାକୁଡ଼ି ଭାସି ଆସୁଛି, ତାହା ସବୁ କେବଳ ଅଣ୍ଟାରେ ପୁରାଉଛି। ଯେତେବେଳେ ଗାଧୁଆ ତୁଠ କତିରେ ଭାରି ହୁରି ପଡ଼ିଲା, ତେତେବେଳେ ହସି ହସି କ’ଣ ହେଉଛି ମଜା ଦେଖିବା ପାଇଁ ଧାଇଁଲା। ଦେଖିଲା ଯେ ଗାଁ’କୁ ଗୋଟାଏ ଭାରି ପାଣିଶୁଅ ଧାଇଁଛି। ଶୁଣିଲା ଯେ ଗାଁ’ ଭାସିଯିବ। ଭଲ କରି ଅନାଇ ଧାଇଁଲା ଗାଁ’ ଭିତରକୁ। ବିନୋଦ ବିହାରୀ ଠାକୁର ସିଂହଦୁଆର କବାଟଟା ପାଞ୍ଚହାତ ଉଞ୍ଚା, ଚାରି ହାତ ଚଉଡ଼ା। ତାକୁ କାଢ଼ି ପକାଇ ମୁଣ୍ଡାଇ ଧାଇଁଛି। ଦାଣ୍ଡ ପାଖରେ ପାର୍ବତୀମା’ର ମେଲାରେ ଗୋଟାଏ ଢେଙ୍କ ପଡ଼ିଛି ତାକୁ ଜଣା। ଢେଙ୍କ କାଢ଼ି କାଖେଇଲା। ମୁହାଣରେ କବାଟଟାକୁ ଆଡ଼ କରି ଠିଆ କରି ଦେଇ ଢେଙ୍କଟା ଠେକେଇ ଦେଲା। ଆଉ ପିଠି ଭିଡ଼ି ଦେଇ କବାଟଟାକୁ ପେଲି ଧରିଲା। ତାହା ବାଦ