ପୃଷ୍ଠା:Galpa swalpa.djvu/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ନଡ଼ିଆବୁରେଇ ତଳେ ଧାଁ ଦଉଡ଼ ହୋ ହୋ ପାଟି କରି ଖେଳୁଥାନ୍ତି, ହେଲେ ଆଜି ସେମାନଙ୍କ ପାଟିରେ କଥା ନାହିଁ । ଯୋଡ଼ିକୁ ଯୋଡ଼ି, ପୁଞ୍ଜାକୁ ପୁଞ୍ଜା ପିଲା ଖୁବ୍ ଦୂରରେ ବୁରେଇ ଭିତରେ ବୁଲି ବୁଲି ଗୋସାଇଁମାନଙ୍କ ସଭା ଦେଖୁଛନ୍ତି । ସେମାନେ ବି ମନ ମଧ୍ୟରେ ଯେମନ୍ତ ବୁଝିଛନ୍ତି, ଆଜି ଗାଁରେ ଭାରି ଗୋଟାଏ କଣ ହେବ । ଶାସନ ଗୋସାଇଁମାନଙ୍କୁ ଛାଡ଼ି ଆହୁରି ବି ଆଠ ଦଶ ଜଣ ଦୂରଦୂରାନ୍ତର ଗାଁରୁ ଗୋସାଇଁମାନେ ଆସି ଉପସ୍ଥିତ, ବିପଦଗ୍ରସ୍ତ ବନ୍ଧୁମାନଙ୍କୁ ସଙ୍ଖୁଳିବା ପାଇଁ ଆସିଛନ୍ତି । ଭେଣ୍ଡିଆ ଜଗୁ ପତିଏ ଦୁଇ ଗୋଡ଼ ପାପୁଲିରେ ଗୋଟିଏ ପଥର କୁଣ୍ଡି ଯାକି ଧରି ମୁଣ୍ଡ ପୋତି ଗୋଟାଏ ନାସଘୋଟା ବାଡିରେ ଘଡ଼ର ଘଡ଼ର କରି ନାସ ଘୋଟୁଥିଲେ। ଘୋଟା ହୋଇଗଲା । ଆଗେ ମୁରବି ଭଳିଆ ଲୋକଙ୍କ ଆଗରେ, ପଛନ୍ତେ ଆଉ ଆଉ ମହାଜନଙ୍କ ଆଗରେ କୁଣ୍ଡି ଦେଖାଇଲେ । ସମସ୍ତେ ଟିପେ ଟିପେ ନାସ ନେଇ ସୁଁ-ସୁଁ କରି ନାକ ଦୁଇ ପୁଡ଼ାରେ ଗୁଞ୍ଜିଦେଲେ ।

ନାସ ସୁଙ୍ଗାସୁଙ୍ଗି ବାଦେ ପ୍ରଥମେ ଲକ୍ଷ୍ମଣ ମିଶ୍ରେ ପଚାରିଲେ, "ମାମୁ! କର୍ଜାଟା ତୁମ ଅଙ୍ଗିତା, ନା ଅଜାଙ୍କ ଦେହକର?" (ଲକ୍ଷ୍ମଣ ମିଶ୍ର ଦିବାକର ଦ୍ୱିବେଦୀଙ୍କ ଭଣଜା, ଏଣ୍ଟ୍ରାନ୍ସ ପାସ, ଗୋଟାଏ ମାଇନର ସ୍କୁଲର ହେଡ଼ମାଷ୍ଟର । ମାମୁଙ୍କ ବିପଦ କଥା ଶୁଣି ଆଉ ଆଉ ବନ୍ଧୁଙ୍କ ପରି ସଙ୍କୁଳି ଆସିଛନ୍ତି ।)

ଦ୍ୱିବେଦୀଏ କହିଲେ, "ନାହିଁ ନାହିଁ ବାପା । ମୋ ଅଙ୍ଗିତା ଯୋଡ଼ାଏ ପଇସା ବି ନୁହେଁ । ବାପା ତାଙ୍କ ମଝିଆଁ ଝିଅ ତାରା ନାନୀ ମଙ୍ଗଳକୃତ୍ୟକୁ ସାହୁ ପାଖରୁ ଶହେ ଟଙ୍କା ଖଣ୍ଡେ ତାଳପତ୍ର ଗୁଜା ଲେଖି ଦେଇ ଆଣିଥିଲେ । ତହିଁ ଆର ବରଷ ପଞ୍ଚାଶଟି ଟଙ୍କା ଘେନି ସାହୁ ପାଖକୁ ଗଲେ, ମନରେ କରିଥିଲେ, କଳନ୍ତର ଛିଡାଇ ଦେଇ ମୂଳକୁ ବାକି ପଏଠ କରି ଦେବେ। ମହାଜନ ଟଙ୍କା ଦେଖି ଜିଭ କାମୁଡି ପକାଇ କହିଲା, 'ଏ - ଏ କଣ ଗଦେଇ କକେଇ? ଶୁଣିଲି, ତୁମେ ପରା ଧାନ ବିକି ବିକି ଏ ଟଙ୍କା ରଖିଛ! ରାମ - ରାମ - ରାମ! ଏଟା କି କଥା? କୁଟୁମ୍ବଦାରିଆ ଘର, ଧାନ ହେଉଛି ଜୀବନ, ଧାନ ହେଉଛି ଲକ୍ଷ୍ମୀ, ତାକୁ କଣ ବିକନ୍ତି? କେତେ ବା ଧାନ ପାଇଛ - ଉଠାଅ, ଉଠାଅ - ଟଙ୍କା ଉଠାଅ। ତୁମେ ମୋ କୁଳପୁରୋହିତ, ସହଜରେ ଧର୍ମର କକେଇ, ଟଙ୍କାଟା ତୁମ ପାଖରେ ଥିଲେ ଯେ, ମୋ ପାଖରେ ଥିଲେ ସେ। ଯାଅ ଯାଅ, ଏହି ଟଙ୍କାରେ ଧାନ କିଣି ପକାଅ। ନାହିଁ ନାହିଁ, ଗାଁରେ ଦଶ ଯଜମାନ ଘରେ ବାହାନହଣା ପଡିଗଲା ତ ଏକାଦିନକରେ ଟଙ୍କା ପୈଠ।' ବାପା ତ ଥିଲେ ମରହଟିଆ ସାଦାସିଧା ଲୋକ, ସାହୁର ମିଠା କଥାରେ ଏକାବେଳକେ ତରଳି ଗଲେ। ବାପା କ୍ୟାଁ, ତୁମେ ଯାଅ ନା, ଶୁଣିବ, କେଡେ ମିଠା କଥା କେତେ ନିର୍ମାୟା କଥା - ମନରେ କରିବ ଏହାପରି ସରଳ, ପରୋପକାରୀ, ଧାର୍ମିକ ଲୋକ ଜଗତରେ ନାହିଁ। ଏଇ ଯେ ତୁମ ଆଗରେ ବସିଛନ୍ତି ରାମ ମହାପାତ୍ରେ, ସଦାଶିବ ମିଶ୍ରେ, ବିଶ୍ୱନାଥ ଶତପଥୀଏ, ଭୀମ ପାଢୀଏ, ସମସ୍ତଙ୍କର ଠିକ୍ ଏହିପରି ହାଲ। ଝିଅ ପୁଅ ବିଭାକୁ ଟଙ୍କା ଆଣିଥିଲେ, ସମସ୍ତଙ୍କର ତିରିଶ ତିରିଶ ମାଣ ଶାସନ ଭାଗ ଜମି ଆମ ଜମି ସହିତ ଏକା ତାରିଖରେ କଟକ ଜଜ କୋର୍ଟରେ ନିଲାମ ହୋଇ ଯାଇଛି, ଗୋରୁ ଖୋଜରେ ଖୋଜେ ବି ଜମି କାହାରି ନାହିଁ। ଆହୁରି ବି ଛ ଜଣ ମହାଜନଠାରୁ କରଜା ଖାଇଥିଲେ, ମୂଳକଳନ୍ତରରେ ବୁଡି ରହିଲେଣି। ସେମାନଙ୍କର ବି ଆଉ ବର୍ଷେ ଛ ମାସ ବାଦେ ଜମିବାଡି ଗଲା ପରି। ତୁଚ୍ଛା ଏହି ଶାସନରେ? ଏ ଅଞ୍ଚଳ ଦଶ ଖଣ୍ଡ ଗାଁରେ ଯାହାର ଭଲ ଜମି ଖଣ୍ଡେ ଦେଖିଲା ତ, ଶୁଙ୍ଗି ଶୁଙ୍ଗି ବୁଲୁଥିବ। କାହାରି ଦରକାର ପଡିଲେ ରାତି ଅଧରେ ଟଙ୍କା ଗଣି ଦେବ। ଥରେ ଯଦି ଟଙ୍କା ତା ଘରୁ ଉଠାଇଲ ତ, ତିନି ପୁରୁଷରେ କଣ ଶୁଝୁଛି? କଳନ୍ତର