ପୃଷ୍ଠା:Galpa swalpa.djvu/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ଆଉ କିଛି ଜାଣେ ନାହିଁ। କେତେବେଳେ ଡିଗ୍ରି ହେଲା, କେତେ ଟଙ୍କା ଡିଗ୍ରି ହେଲା, ଆଉ କଣ ହେଲା ମୋତେ କିଛି ଜଣା ନାହିଁ। ଶୁଣିଲି, ଗଲା ମକର ମାସ ସାତ ଦିନରେ ମୋର ଚାରି ପାଞ୍ଚ ହଜାର ଟଙ୍କାର ସମ୍ପତ୍ତି ସାତଶହ ଟଙ୍କାରେ ନିଲାମ ହୋଇଗଲା। ମହାଜନ ଆପେ ନିଲାମ ଧରିଛି। ତା ଗୁମାସ୍ତା କହେ, ମୋ ଉପରେ ଆହୁରି ଛ ଶହ ଟଙ୍କା ପାଉଣା। ଆମର ଶାସନ ପାଣିଗ୍ରାହୀ ଭାଗ ପଚାଶ ମାଣ, ତା ମଧ୍ୟରେ ଏହି ଯେ ଦକ୍ଷିଣ ଦିଗରେ କିଆ ବଣଟା ଦେଖୁଛ, ସେହିଟା ଏକଚକିଆ ପନ୍ଦରମାଣ ମାଳ ଜମି - ଭାରି କଳିନ୍ଦ। ମୁଁ ବୁଝୁଛି, ଏ ଜମିଟା ଉପରେ ତାର ଦଶ ପନ୍ଦର ବରଷ ହେଲା ନଜର ପଡିଲାଣି। ଯେବେ ଏ ଗାଁକୁ ଆସେ, ସେ ଜମିଟା ପାଖକୁ ଯାଇ ଚାରିପାଖ ବୁଲି ବୁଲି ଦେଖେ - 'କେତେ ଧାନ ଫଳେ, କି ଧାନ ଦିଅ', ଦଶ ଥର କରି ପଚାରିବ। ମୋ ମନ ହେଲେ ଛିକଉଥାଏ। ବିଚାର କରେଁ - କହ, ଭଲାରେ ଭଲା କହ, ଏ ଜମିଟା କଥା ତୁହାଇ ତୁହାଇ ପଚାରୁଛି କ୍ୟାଁ? ଆଉ ପାଞ୍ଚ ଜଣ ମହାଜନଙ୍କର ଠିକ୍ ଆମ ମାମଲା ପରି ଡିଗ୍ରି କରି ଜମିବାଡି ସବୁ ନିଲାମ କରି ନେଇଛି।"

ଲକ୍ଷ୍ମଣ ମିଶ୍ରେ କହିଲେ, "ମୁଁ ଦେଖୁଛି, ଏଇଟା ସାଇଲକ୍।" ଭାଗବତ ପତିଏ କହିଲେ, "ନା ନା, ସେଇଟା ଏ ସାଇ ଲୋକ ନୁହେଁ, ତା ଘର ମକ୍ରାମପୁର - ଏ ଗାଁକୁ ଦେଢକୋଶ ଦୂର ନଈକୂଳରେ।" ଲକ୍ଷ୍ମଣ ମିଶ୍ରେ କହିଲେ, "ନାହିଁ ନାହିଁ, ମୁଁ ସେ କଥା କହୁ ନାହିଁ; ବିଲାତରେ ଗୋଟାଏ ଏହି ରକମ କଳନ୍ତରଖିଆ ଲୋକ ଥିଲା, ତା ନାମ ସାଇଲକ୍।" ତିରେଇ ତିହାଡିଏ କହିଲେ, 'ସେ ଯାହା ହେଉ, ଏବେ ଉପାୟ କଣ?" ଲକ୍ଷ୍ମଣ ମିଶ୍ରେ ମହାଜନମାନଙ୍କୁ ଅନାଇ ହାତ ଯୋଡି ଭୂଇଁରେ ମୁଣ୍ଡ ଲଗାଇ କେହିଲେ, "ଗୋସାଇଁ ମହାପ୍ରଭୁମାନେ! ମୁଁ ପିଲାଟା, ମୋ ଅପରାଧ ଘେନିବେ ନାହିଁ; ଗୋଟାଏ କଥା କହିବି, ଏଥିରେ ସାହୁର କିଛି ଦୋଷ ନାହିଁ, ଆପଣମାନଙ୍କ ମୂର୍ଖପଣ। ଆପଣମାନଙ୍କ ପାପରୁ ସବୁ ସାରି ଦରିଦ୍ର ହୋଇ ବସୁଛନ୍ତି।" ବୁଢା ଅନନ୍ତ ପାଢୀଏ ଟିକିଏ ଉଷ୍ଣ ଭାବରେ କହିଲେ, "ହୋଇ ହେ ଲକ୍ଷ୍ମଣ! ଆମ୍ଭମାନଙ୍କର ପାପ କଣ? ମୂର୍ଖପଣ କଣ ଦେଖିଲ?"

ଲକ୍ଷ୍ମଣ ମିଶ୍ରେ ପୁଣି ଦଣ୍ଡବତଟାଏ କରି କହିଲେ, "ଅଜା ସାଆନ୍ତେ! ମୋ ଉପରେ ଖପା ହେଲେ ପରା? ଦେଖନ୍ତୁ, କେଉଁ ମହାତ୍ମା ଶାସନ ବସାଇ ଏତେ ନିଷ୍କର ଜମି ଖଞ୍ଜି ଦେଇ କହିଥିଲେ, 'ଆପଣମାନେ ଶାସ୍ତ୍ର ଅଧ୍ୟୟନ ଅଧ୍ୟାପନା କରିବେ, ଦାତାକୁ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରିବେ।' ତାହା କରୁଛନ୍ତିଟି କି? ବୋଲନ୍ତୁ ଭଲା ଏଡ଼େ ବଡ଼ ଶାସନଟାରେ ଗୋଟାଏ ବୋଲି ଚୌପାଢ଼ୀ ନାହିଁ। ତୁଚ୍ଛା ନାସ ଶୁଙ୍ଗି ଭାଙ୍ଗ ପିଇ ଚୌପଟ ଖେଳି ଦିନ କାଟିବେ! ଦାତାଙ୍କୁ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ ଥାଉ, ପବିତ୍ର ବ୍ରାହ୍ମଣ କୁଳରେ ଜାତ ହୋଇ କେତେ ଜଣ ତ୍ରିକାଳ ସନ୍ଧ୍ୟାରେ ଗାୟତ୍ରୀ ଜପ ସନ୍ଧ୍ୟାବନ୍ଦନାଦି ନିତ୍ୟକର୍ମ କରନ୍ତି? ଏଇଟା କଣ ପାପ ନୁହେଁ? ଆଉ ଗୋଟାଏ କଥା, କୁଆଡ଼ୁ ଶୁଝିବେ ଭାବନା ନାହିଁ, ଧାଇଁ ଯାଏ ମହାଜନ ଦୁଆରେ ଗୁଜା ଲେଖି ବସିବେ, ପୁଅ ଝିଅ ବିଭାଘରକୁ ଆପଣା ବଡ଼ପଣ ଦେଖାଇବା ଲାଗି ଅକାରଣ ଟଙ୍କାଗୁଡ଼ାଏ ସାରିବେ। ଆପଣା ଅବସ୍ଥାକୁ ଚାହିଁ ଯେ ନ ଚଳେ, ସେ ମୂର୍ଖ ନୁହେ ତ ଆଉ କଣ? ଏହି ଦେଖନ୍ତୁ, ଅତି ପବିତ୍ର ଶାସନଭାଗ ଭୂମିରେ ବାର ଜାତି ତେର ଗୋଲା ଅଧିକାରୀ ହୋଇ ବସିଲେଣି। ଏହା ଆପଣମାନଙ୍କ ପାପ ଆଉ ମୂର୍ଖତାର ଫଳ ନୁହେଁ କି? ଆପଣମାନେ ତ ଦୁଃଖ ଦୁର୍ଦ୍ଦଶାକୁ ଲୋଡ଼ି ଆଣିଛନ୍ତି, ଏଥିପାଇଁ ଲଗା ହେବ କିଏ?"

ମାଧ ପାଣିଏ କହିଲେ, "ଲକ୍ଷ୍ମଣ ଯାହା କହିଲେ ସତ, ଷୋଳପଣି ସତ। ହେଲେ ଏଣିକି ଯାହା