Jump to content

ପୃଷ୍ଠା:Galpa swalpa.djvu/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗଳ୍ପ ସ୍ୱଳ୍ପ

ଜମିଦାରୀ ଦୁଇ କାର୍ଯ୍ୟ ତୁଲେଇ ପାରିବେ । 'ଏଣକି ସୁନ୍ଦର କାର୍ଯ୍ୟ ଚଳିଲା, ଟଙ୍କାର ଅଭାବ ନାହିଁ,ବାଧା ଦେବାକୁ କେହି ନାହଁ । ଅମଲା ପଧାନମାନଙ୍କ ପ୍ରତି ସାଫ ହୁକୁମ,ଟଙ୍କା ଦାଖଲ । ପ୍ରଥମ ପ୍ରଥମ ସେମାନଙ୍କୁ ଅଡୁଆ ଲଗୁଥିଲା, ଏଣିକି ସାଫ ବୁଝିଲେଣି । ଦଶ ଖମାର ଧାନ,ଛ ସାତଟା ଗୋରୁ ମଇଁଷି ପଲ, ପଞ୍ଚବାଟୀ ହାତଚାଷ, ଯେଣିକି ଅନାଇଲେ ଟଙ୍କା; ରୋଜଗାରର ଦାଁଓ କିଏ ଛାଡେ ?

ବାବୁ ଗୋପାଳଚନ୍ଦ୍ର ମହାପାତ୍ରେ ଉଆସ ଆଗରେ ଗୋଟିଏ ପକା ମନ୍ଦିର ତୟାର କରାଇ ରାଧାକୃଷ୍ନ ଯୁଗଳ ମୂର୍ତ୍ତି ପ୍ରତିଷ୍ଠା କରାଇଥିଲେ । ମା ସାନ୍ତାଣୀ ବର୍ତ୍ତମାନ ଘରୁ ବାହାରି ଯାଇ ସେହି ମନ୍ଦିରରେ ଅଛନ୍ତି,ପ୍ରତିଦିନ ସନ୍ଧ୍ୟା ସମୟରେ ବକତେ ଠାକୁର ପ୍ରସାଦ ହବିଷ୍ୟାନ୍ନ । ବୁଢା ଛାମୁକରଣ ବି ସେହିଠାରେ ଥାନ୍ତି । ପ୍ରତିଦିନ ସନ୍ଧ୍ୟାଠାରୁ ଅଧରାତି ଯାଏଁ ଭାଗବତ ପାଠ ହୁଏ । ମା ସାନ୍ତାଣୀ ଦିନଯାକ ଠାକୁର ଆଗରେ ଆଖିବୁଜି ବସି ମାଳି ଗଡାଉଥାନ୍ତି । ଦିନେ ପଟ୍ଟନାୟକେ ସାନ୍ତାଣୀଙ୍କୁ କହିଲେ,"ଆଜ୍ଞା,ଶୁଣିଛନ୍ତି, ବାବୁଙ୍କ ମଙ୍ଗଳକୃତ୍ୟ ବଢିବାର ସଭାରେ ସ୍ଥିର ହେଲା । ମୁଁ କହୁଛି, ହେଉ ବୋହୁ ସାନ୍ତାଣୀ ଆସିଲେ ଅବା ଘରକରଣାଟା ସମ୍ଭଳାସମ୍ଭଳି କରିବେ ।" ମା ସାନ୍ତାଣୀ ଆଁ ଟା କରି ପଟ୍ଟନାୟକ ମୁହଁକୁ ଘଡିଏଯାଏ ଚାହିଁଲେ, ତହିଁ ଉତ୍ତାରେ ପଚାରିଲେ, "-ଆ -କନ୍ୟା, ?" ପଟ୍ଟନାୟକେ କହିଲେ, "ଆଜ୍ଞା,ମୁଁ ନିଜେ ସେ କଥା ବୁଝିବାକୁ ଯାଇଥିଲି, ବାବୁ ଜବାବ ଦେଲେ,ଦେଶୀ କନ୍ୟାଗୁଡିକ ଅଶିକ୍ଷିତା,କୁସଂସ୍କାର ଅସଭ୍ୟତାରେ ବୁଡିଛନ୍ତି, ଲୁଗା ଖଣ୍ଡେ ପିନ୍ଧି ଜାଣନ୍ତି ନାହିଁ,ଅଧାଲଙ୍ଗଳା ହୋଇଥାନ୍ତି, ମୁହଁ ଢାଙ୍କି ମୂଷା ପରି ଗାତରେ ଲୁଚିଥାନ୍ତି ! କଲିକତାରେ ପରା କନ୍ୟା ଠିକ୍ ହେଲାଣି ।" ମା ସାନ୍ତାଣୀ ପାଟି କରି 'ରାଧେକୃଷ୍ଣ,ରାଧେକୃଷ୍ଣ' କହି ତୁନି ହେଲେ। ହାତ ଯୋଡି ଠାକୁରଙ୍କୁ ଅନାଇଥାନ୍ତି, ଦୁଇ ଆଖିରୁ ଯୋଡାଏ ଧାର ବହି ଯାଉଛି । ପଟ୍ଟନାୟକେ ପୁନର୍ବାର କହିଲେ, "କଲିକତାକୁ ବରଯାତ୍ରୀ କିଏ କିଏ ଯିବେ, କି କି ରୋଷନି କେତେ ତୟାର ହେବ ପଚାରିଥିଲି । ବାବୁ ଠୋ ଠୋ ହସି ଉଠି କହିଲେ,'ଅସଭ୍ୟତା, ଅସଭ୍ୟତା, କୁସଂସ୍କାର !ତୁମେ ତ ଇଂରାଜୀ ଜାଣନା, ଦେଖି ବି ନାହଁ,ସଭ୍ୟ ବିବାହ କଥା କିପରି ଜାଣିବ ? ରୋଷନି ଆଉ ଆଉ ଖରଚ କଥା ଯେ କହିଲ, ତୁମ୍ଭମାନଙ୍କ ପରି ଅଶିକ୍ଷିତଲୋକେ କେତେ ଜମିଦାର ଘର ବୁଡାଇଲେଣି । ବିହାର ବିବାହ-ବ୍ୟୟ-ସଂକ୍ଷେପଣୀ ସଭାକୁ ଇଂରାହୀ ଅଫିସିଏଲ ଚିଠି ଯାଇଛି,ସେଠାରୁ ଯେପରି ବ୍ୟବସ୍ଥା ଆସିବ,ସେହିପରି ବିଭା ହେବ ।' ମୁଁ ଆଉ କିଛି କହିଲି ନାହିଁ, ସବୁବେଳେ ମିଜାଜଟା ଚଢି ରହିଛି, କାଚ କୁମ୍ପାଗୁଡାକ ଓଳି ତଳେ ଗଣ୍ଡା ଗଣ୍ଡା ଗଡୁଛି ।"

ସଭାର ସଭ୍ୟମାନଙ୍କୁ ସାଙ୍ଗରେ ଧରି ବାବୁ କଲିକତା ଚାଲି ଗଲେଣି । କଲିକତା ଗୋଟିଏ ବିଚିତ୍ର ଜାଗା । ଟଙ୍କା କାଢ,ମା ବାପା ଛଡା ସବୁ ମିଳିବ । ଖିଦିରପୁର ଗାଡନରିଚରେ ଗୋଟାଏ ବଡ ଦୋତଲା ଘରେ ଝାଡ ଲଣ୍ଠନ ଦେବାଲଗିରି ଶହେଖଣ୍ଡ ଦିନ ଆଲୁଅ ପରି ଜଳୁଛି,ତଳେ ଗାଲିଚା,ଶତରଞ୍ଜି ବିଛଣା । ରାତିରେ ଦୁଇ ତରଫା ଖେମଟା ନାଚ । ଦୀୟତାଂ-ପୀୟତାଂ ଲାଗିଛି । ଆଖପାଖ ବଜାର ଲୋକେ ଜାଣିଲେ,ଓଡିଶାର ଗୋଟିଏ ରଜାପୁଅର ବିଭାଘର ।

କନ୍ୟାଟିର ନାମ ନୟନତାରା-ଦୁଃଖପାସୋରା । ବାବୁ ଶୁଣିଥଲେ, ମଧ୍ୟ ପ୍ରତ୍ୟକ୍ଷ ଦେଖିଲେ । କନ୍ୟା ସୁନ୍ଦରୀ,ସଭ୍ୟା,ସ୍ୱାଧୀନ,ଶିକ୍ଷିତା । ଜମିଦାର ବାବୁ ବିମୋହିତ ହୋଇ ଗଲେଣି । ମନେ କଲେ