ପୁଛନ୍ତି ଦିନନାଥ ସାରଥି ଚାହିଁ ।
କିପାଁଇ ଶୂନ୍ୟେ ରଥ ଚଳଇ ନାହିଁ ହେ ।
କେଉଁ ପାପିଷ୍ଠ ମୋର ଛୁଇଁଲା ଯାନ ।
କିପାଁଇ ରଥ ନ କରଇ ଗମନ ହେ ।
ସାରଥି ବୋଲେ ଦେବ ଶୁଣ ଏମନ୍ତ ।
ଦ୍ରୌପଦୀ ଡ଼ାକୁଛନ୍ତି ହୋଇ ଆରତ ହେ ।
ସତୀକି ଆଣି କୁରୁସଭା ମଧ୍ୟର ।
ଉଲଗ୍ନ କରୁଅଛି ଦୁଃଶା ପାମର ହେ ।
ଦ୍ୱାରକା ତେଜି ଆସିଛନ୍ତି ଶ୍ରୀପତି ।
ବସନ ପାଇଁ ଦେବୀ କରନ୍ତି ସ୍ତୁତି ।
ଶୁଣି ତା ଦିନନାଥ ହୋଇ ସନ୍ତୋଷ ।
ଛାୟା ମାୟା ଦୁହିଁଙ୍କି ରାଇଲେ ପାଶ ଯେ ।
ବୋଇଲେ ବେନିଜନେ ଯାଅ ବହନ ।
ଆମ୍ଭ ଭଣ୍ତାରୁ ନେଇ ଦିଅ ବସନ ଯେ ।
ପାଟପତନୀ ଝୀନବସନ ଶାଢ଼ୀ ।
ଛପନକୋଟି ବସ୍ତ୍ର ନିଅ ସଜାଡ଼ି ଗୋ ।
ଦ୍ରୌପଦୀ-ସନ୍ନିଧାନେ ବହନ ଚଳ ।
ଉଲଗ୍ନ କରୁଅଛି ଦୁଃଶା ପାମର ଯେ ।
ଅଦୃଶ୍ୟ ହୋଇ ଦେବୀ-ପାଶେ ରହିବ ।
ବିବସ୍ତ୍ର କାଳେ ବସ୍ତ୍ର ଖଞ୍ଜାଇଦେବ ଗୋ ।
ଯେତେ ବସନ ଦୁଃଶାସନ କାଢ଼ିବ ।
ଖଣ୍ତକୁ ଖଣ୍ତେ ଅଙ୍ଗେ ବେଢ଼ାଇ ଦେବ ଗୋ ।
ଶୁଣି ସେ ଛାୟା ମାୟା ବହନ ଗଲେ ।
ଭଣ୍ତାରୁ ବସ୍ତ୍ର ଘେନି ବାହାର ହେଲେ ଯେ ।
ପ୍ରବେଶ ହେଲେ ଯାଇଁ ଦ୍ରୌପଦୀ-ପାଶ ।
କହଇ ଭୀମା କୃଷ୍ଣ-ଚରଣେ ଆଶ ଗୋ ।
ରାଗ-ପାହାଡିୟାକେଦାର
ସଭାରେ ଦୁର୍ଯ୍ୟୋଧନ ରାଜନ । ଡ଼ାକିଲା ଆରେ ରେ ଦୁଃଶାସନ !
କର ଗମନ ଫେଡ଼ ଦ୍ରୌପଦୀ-ଅଙ୍ଗୁ ବସନ ରେ ।
କେମନ୍ତ କରି ଆଜ ରଖିବେ ଶ୍ରୀ ଭଗବାନ ରେ ।
ଏମନ୍ତ ଆଜ୍ଞା ଯହୁଁ ଦେଲା ରାଜନ ହେ । ଶୁଣି ଉଠିଲା ଦୁଃଶା ପାମର ହୀନ ଯେ ।