ଭଜନ ମାଳା/ଏକା ତୋ ଭକତ ଜୀବନ

ଉଇକିପାଠାଗାର‌ରୁ
ଭଜନ ମାଳା ଲେଖକ/କବି: ସାଲବେଗ
ଏକା ତୋ ଭକତ ଜୀବନ

ଏକା ତୋ ଭକତ ଜୀବନ ,
ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ।।

ଭକତ ତୋ ମାତାପିତା ଭକତ ତୋ ବନ୍ଧୁ,
ଭକତ ହିତରେ ତୋର ନାମ କୃପାସିନ୍ଧୁ।।

ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ,
ଭକତ ପଛରେ ତୁହି ଥାଉ ସେହି ଭାବେ।।

ବାପା ମୋ ମୋଗଲପୁଅ ମାତେ ମୋ ବ୍ରାହ୍ମଣୀ,
ଏ କୁଳେ ଜନ୍ମିଲି ହିନ୍ଦୁ ନ ଖାଏ ମୋ ପାଣି।।

କହେ ସାଲବେଗ ହୀନ ଜାତିରେ ଯବନ,
ଶ୍ରୀରଙ୍ଗାଚରଣ ବିନୁ ନ ଜାଣଇ ଆନ।।