Jump to content

ଓଡ଼ିଆ ଭାଗବତ/୩

ଉଇକିପାଠାଗାର‌ରୁ
ଓଡ଼ିଆ ଭାଗବତ ଲେଖକ/କବି: ଜଗନ୍ନାଥ ଦାସ
ତୃତୀୟ ସ୍କନ୍ଧ

ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍ ।

ପ୍ରଥମ ଅଧ୍ୟାୟ

[ସମ୍ପାଦନା]

ଶୌନକ ଆଦି ମୁନିଜନେ । ଆନନ୍ଦେ ସୂତ ସନ୍ନିଧାନେ ॥ ୧
ବିଦୁର କଥା ମନେ ଚିନ୍ତି । ବିଶ୍ୱାସଭାବେ ପଚାରନ୍ତି ॥ ୨

ଶୌନକ ଉବାଚ

ହେ ସୂତ ତୁମ୍ଭର ବଚନ । ଶୁଣି ସନ୍ତୋଷ ଆମ୍ଭମନ ॥ ୩
ମହାତ୍ମା ବିଦୁରର ବାଣୀ । ଆମ୍ଭେ ତୁମ୍ଭର ମୁଖୁଁ ଶୁଣି ॥ ୪
ହେଳେ ଛାଡ଼ିବୁ ଭବବ୍ୟଥା । ବିସ୍ତାରି କହ ତାର କଥା ॥ ୫
ସର୍ବସମ୍ପଦ ଛାଡ଼ି ବନେ । କିପାଁ ପଶିଲା ଦୁଃଖ ମନେ ॥ ୬
ଅନେକତୀର୍ଥେ ଦେଇ ମନ । ପୃଥିବୀ କଲା ପର୍ଯ୍ୟଟନ ॥ ୭
ମୈତ୍ରେୟ ମୁନି ସଙ୍ଗେ ତାର । ଏକାନ୍ତେ ଅଧ୍ୟାତ୍ମ-ବିଚାର ॥ ୮
କାହିଁ ବା ନଦୀ-ତୀର ବନେ । ସାନନ୍ଦେ ବସି ବେନିଜନେ ॥ ୯
ସନ୍ତୋଷେ ବିଦୁରର ଆଗେ । ମୈତ୍ରେୟ ମୁନି ଅନୁରାଗେ ॥ ୧୦
କହିଲେ ତତ୍ତ୍ୱସାର ବାଣୀ । ଯା ଶୁଣି ଭବୁ ତରେ ପ୍ରାଣୀ ॥ ୧୧
ସେ କଥା କହ ମୁନିବର । ବିଦୁର ବିଷ୍ଣୁ ଭକ୍ତସାର ॥ ୧୨
ସେ ବନ୍ଧୁତ୍ୟାଗୀ କିବା ଅର୍ଥେ । ପୁଣି ମିଳିଲା ଇନ୍ଦ୍ରପ୍ରସ୍ଥେ ॥ ୧୩
ଏମନ୍ତ ମୁନିଙ୍କର ବାଣୀ । ସୂତ ସନ୍ତୋଷମନେ ଶୁଣି ॥ ୧୪
କହନ୍ତି ଶୌନକଙ୍କ ଆଗେ । କୃଷ୍ଣର ଭାବ ଅନୁରାଗେ ॥ ୧୫

ସୂତ ଉବାଚ

ଶୁଣ ହେ ମୁନିଗଣ ତୋଷେ । ଏ କଥା ଶୁକମୁନି ପାଶେ ॥ ୧୬
ଆନନ୍ଦେ ଅଭିମନ୍ୟୁ-ସୁତ । ପୁଚ୍ଛିଲା ବିଦୁରଚରିତ ॥ ୧୭
ସେ ମୁନି କହିଲେ ଯେମନ୍ତେ । ସେ କଥା ଶୁଣ ଏକଚିତ୍ତେ ॥ ୧୮

ଶୁକ ଉବାଚ

ଶୁକ ବୋଲନ୍ତି ଭାବଭରି । ଶୁଣ ପରୀକ୍ଷ ଦଣ୍ଡଧାରୀ ॥ ୧୯
ସେ ଧୃତରାଷ୍ଟ୍ର ଯେତେବେଳେ । ନିଷ୍ଠୁର ହୀନ ବୁଦ୍ଧିବଳେ ॥ ୨୦
ଅଧର୍ମେ ଧନ ସେ ସଞ୍ଚଇ । ନିଜ ସୁତଙ୍କୁ ଭୋଗ ଦେଇ ॥ ୨୧
ପଣ୍ତୁସୁତଙ୍କୁ ଦେଖେ ଭିନ୍ନେ । ନିନ୍ଦଇ ନିଷ୍ଠୁର-ବଚନେ ॥ ୨୨
ବାଳକେ ପିତୃହୀନ ହୋଇ । ମାତାର ସଙ୍ଗେ ଦୁଃଖ ସହି ॥ ୨୩
ହସ୍ତିନାପୁରେ ତା’ଙ୍କ ଘରେ । ବଞ୍ଚନ୍ତି ଅତି ଅବେଭାରେ ॥ ୨୪
ତାହାଙ୍କ ମରଣ ଇଚ୍ଛଇ । ଭୀମକୁ ବିଷଲଡ଼ୁ ଦେଇ ॥ ୨୫
ଜତୁର ଘରେ ଅଗ୍ନି ଦେଲା । ସେବେଳେ ଗୋବିନ୍ଦ ରଖିଲା ॥ ୨୬
ପୁଣି ସଭାର ତଳେ ଆଣି । ପଞ୍ଚପାଣ୍ତବଙ୍କ ରମଣୀ ॥ ୨୭
କେଶ ଆକର୍ଷି ବାହୁବଳେ । ବିବସ୍ତ୍ର କଲେ ସଭାତଳେ ॥ ୨୮
କୁଚ କୁଙ୍କୁମ ବହେ ଉରେ । ଅଧୋବଦନ ଅଶ୍ରୁଧାରେ ॥ ୨୯
ବଧୂର ଦୁଃଖ ସେ ଶୁଣିଲା । ପୁତ୍ରଙ୍କୁ ବାରଣ ନ କଲା ॥ ୩୦
ମାୟା କପଟପାଶା କରି । ଦ୍ୟୁତଖେଳାଇ ଧନହରି ॥ ୩୧
ଛଳେ ହରିଲା ତା’ଙ୍କ ଦେଶ । କାନନେ ଦ୍ୱାଦଶବରଷ ॥ ୩୨
ଅଜ୍ଞାତେ ଅଧିକ ବରଷେ । ବିରାଟ ରାଜ୍ୟେ ମ›ତ୍ସ୍ୟଦେଶେ ॥ ୩୩
ତହିଁ ବଞ୍ଚିଲେ ଦୁଃଖ-ସୁଖେ । ବନକଷଣ ଅତିରେକେ ॥ ୩୪
ପୁଣି ମିଳିଲେ ରାଜ୍ୟେ ଆସି । ବିଶ୍ୱାସେ ରାଜା ପାଶେ ବସି ॥ ୩୫
ଜୀବିକା ଅର୍ଥେ କିଛି ଧନ । ମାଗିଲେ ନ ଦେଲା ରାଜନ ॥ ୩୬
ପୁଣି କୃଷ୍ଣଙ୍କୁ କରି ଦୂତ । ଗ୍ରାମ ମାଗିଲେ ପଣ୍ତୁସୁତ ॥ ୩୭
କୃଷ୍ଣର ବୋଲ ସେ ନ କଲା । ସୂଚୀ ଅଗ୍ରତେ ସେ ନ ଦେଲା ॥ ୩୮
କୃଷ୍ଣଙ୍କୁ କରି ଅପମାନ । ଲୋଭେ ହୋଇଲା ହତଜ୍ଞାନ ॥ ୩୯
ବିଦୁର ଆଣି ଏକାନ୍ତରେ । ବିଚାର କଲା ଅନ୍ତଃପୁରେ ॥ ୪୦
ପାଣ୍ତବ ମାରି ନାନାମତେ । ରାଜା ହୋଇବ ସେ ନିଶ୍ଚିନ୍ତେ ॥ ୪୧
ଶୁଣି ବିଦୁର କରଯୋଡ଼ି । ବୋଲଇ ରାଜାପାଦେ ପଡ଼ି ॥ ୪୨

ବିଦୁର ଉବାଚ

ଅସହ୍ୟ ଅପରାଧ ତୋ’ର । କେତେ ସହିଛି ଯୁଧିଷ୍ଠିର ॥ ୪୩
ତାହାଙ୍କୁ ଅର୍ଦ୍ଧରାଜ୍ୟ ଦେଇ । ପୁତ୍ରଙ୍କ ତୁଲେ ଭୁଞ୍ଜ ମହୀ ॥ ୪୪
ନୋହିଲେ ସୁଖ ନାହିଁ ତୋର । ସେ ବିଷ୍ଣୁତେଜେ ବଳୀୟାର ॥ ୪୫
ଶ୍ରୀହରି ତାଙ୍କୁ ସଙ୍ଗେ ଘେନି । ଉଶ୍ୱାସ କରିବେ ମେଦିନୀ ॥ ୪୬
ସେ ହରି ଥାଇ ନିଜପୁରେ । ପାଣ୍ତବବଂଶ ପକ୍ଷ ଧରେ ॥ ୪୭
ସେ ଭଗବାନ ଦଇତ୍ୟାରୀ । ଦେବ ବ୍ରାହ୍ମଣ ସଙ୍ଗେ ଧରି ॥ ୪୮
ସେ କୃଷ୍ଣ ଆସି ତୋର ପୁରେ । ମିଳିଲେ ବାନ୍ଧବ-ବେଭାରେ ॥ ୪୯
ତାଙ୍କୁ ଇତର ପ୍ରାୟ ମଣି । ଜ୍ଞାନ ହାରିଲୁ ନୃପମଣି ॥ ୫୦
ତାର ମହିମା ତୁ ନ ଜାଣୁ । ମନୁଷ୍ୟ ପ୍ରାୟ ପରିମାଣୁ ॥ ୫୧
ଏ ପୁତ୍ର ଆସି ତୋର ପୁରୀ । ବସିଲା ଦୋଷରୂପ ଧରି ॥ ୫୨
ତାକୁ ତୁ ପୁତ୍ରପ୍ରାୟ ମଣୁ । କୁଳ କୁଶଳ ନ ପ୍ରମାଣୁ ॥ ୫୩
ଶ୍ରୀକୃଷ୍ଣେ ଭକତି ନ କରି । ତୁହି ହୋଇଲୁ ହତଶିରୀ ॥ ୫୪
କୁଳ-କୁଶଳେ ଯେବେ ମନ । ତେଜ ଅଶୁଭ ଦୁର୍ଯ୍ୟୋଧନ ॥ ୫୫
ଏମନ୍ତ ବିଦୁରର ବାଣୀ । ସକ୍ରୋଧ ଦୁର୍ଯ୍ୟୋଧନ ଶୁଣି ॥ ୫୬
ସଙ୍ଗେ ଅଛନ୍ତି ତିନିଜଣ । କର୍ଣ୍ଣ ଶକୁନି ଦୁଃଶାସନ ॥ ୫୭
ବୋଲଇ ସ୍ଫୁରିତ ଅଧରେ । ଆକର୍ଷି ଦୁଃଶାସନ କରେ ॥ ୫୮
ଏ ଦାସୀପୁତ୍ର ମୋର ଘରେ । ବସଇ ବାନ୍ଧବ-ବେଭାରେ ॥ ୫୯
ଏ ମୋର ନିତ୍ୟେ ଅନ୍ନ ଖାଇ । ପଣ୍ତୁପୁତ୍ରଙ୍କ ହିତେ ଥାଇ ॥ ୬୦
କୃଷ୍ଣଙ୍କୁ ଘେନି ଭାଳେ ନିତ୍ୟେ । ମୋର ବିନାଶ ଚିତ୍ତେ ଚିନ୍ତେ ॥ ୬୧
ଏମନ୍ତ କୁଟିଳ ଲୋକକୁ । କେ ଅବା ଡାକିଲା ଏଠାକୁ ॥ ୬୨
ଏମନ୍ତ ବୋଲି ବିଚାରିଲା । କୋପେ ଅନେକ ଗାଳିଦେଲା ॥ ୬୩
ଦଶନେ କାମୋଡ଼ି ଅଧର । ବୋଲେ ଭଣ୍ତାର କର ଜୂର ॥ ୬୪
ଏହାକୁ ଦଣ୍ତେ ହେଁ ନ ଥୁଅ । ରାଜ୍ୟୁ ବାହାର କରିଦିଅ ॥ ୬୫
ଏମନ୍ତ ତାର ବାକ୍ୟ ଶୁଣି । ବଜ୍ର ପଡ଼ିଲା ପ୍ରାୟ ମଣି ॥ ୬୬
ମରମ-ଉଚ୍ଚାଟ ବଚନ । ଶୁଣି ହୋଇଲା ହତଜ୍ଞାନ ॥ ୬୭
ଜ୍ୟେଷ୍ଠଭ୍ରାତାର ତୁଲେ ଥିଲା । ରାଜା ହିଁ ଆଶ୍ୱାସ ନ କଲା ॥ ୬୮
ତକ୍ଷଣେ ଉଠି ସେ ବିଦୁର । ଚିତ୍ତେ ଚିନ୍ତଇ ଚକ୍ରଧର ॥ ୬୯
ବିଷ୍ଣୁର ମାୟା ବିଚାରିଲା । ତକ୍ଷଣେ ବନସ୍ତେ ପଶିଲା ॥ ୭୦
ସମ୍ପଦ ତୁଚ୍ଛପ୍ରାୟ ମଣି । ମନେ ଚିନ୍ତଇ ଚକ୍ରପାଣି ॥ ୭୧
ହସ୍ତିନା ନଗରୁ ବାହାର । ତୀର୍ଥଗମନେ ଆଗୁସାର ॥ ୭୨
ମିଳିଲା ଯାଇ ଘୋରବନେ । ଭ୍ରମଇ ଋଷି-ବିପ୍ରସ୍ଥାନେ ॥ ୭୩
ମନେ ଚିନ୍ତଇ ତୀର୍ଥଗତି । ହରିଭକତ ଯହିଁ ଥାନ୍ତି ॥ ୭୪
ନିରାଶ କରି ଆତ୍ମମନ । ଗ୍ରାମ ପାଟଣା ଉପବନ ॥ ୭୫
ସୁପୁଣ୍ୟଗିରି-କୁଞ୍ଜଦେଶେ । ଭ୍ରମଇ ତୀର୍ଥ ଅଭିଳାଷେ ॥ ୭୬
ପୁଣ୍ୟସରିତ ପୁଣ୍ୟସର । ନିରତେ ଭ୍ରମଇ ବିଦୁର ॥ ୭୭
ଅନନ୍ତ ସିଦ୍ଧଲିଙ୍ଗେ ଯହିଁ । ଶୁଦ୍ଧ ପବିତ୍ର ପୁଣ୍ୟଭୂଇଁ ॥ ୭୮
ଏମନ୍ତେ ଅବଧୂତ ବେଶେ । ବିଦୁର ଭ୍ରମେ ପୁଣ୍ୟଦେଶେ ॥ ୭୯
ହରିତୋଷଣ ବ୍ରତ ଯେତେ । ତୀର୍ଥେ ସେବଇ ଅବିରତେ ॥ ୮୦
ଏମନ୍ତେ ଭାରତବରଷେ । କାଳେ ମିଳିଲା ସେ ପ୍ରଭାସେ ॥ ୮୧
ତହିଁ ଶୁଣିଲା ସାଧୁବାଣୀ । ପାଣ୍ତବେ କୁରୁବଳ ଜିଣି ॥ ୮୨
କୃଷ୍ଣ ସାରଥିପଣେ ବରି । ଅନେକ ଅକ୍ଷୌହିଣୀ ମାରି ॥ ୮୩
ଗୋବିନ୍ଦ ଘେନି ତୀର୍ଥଜଳେ । ମଙ୍ଗଳ ଶୁଭ ଅନୁକୂଳେ ॥ ୮୪
କରାଇ ଅଭିଷେକ ପୂଜା । ଏକାଙ୍ଗଚକ୍ରେ କଲେ ରାଜା ॥ ୮୫
ସର୍ବେ ନଶିଲେ କୁରୁବଳେ । ଯେସନେ ବେଣୁ ଦାବାନଳେ ॥ ୮୬
କୁଟୁମ୍ବବଧେ ଶୋକକରି । ସ୍ୱଜନ ବାନ୍ଧବ ସୁମରି ॥ ୮୭
ମଉନ ହୋଇ ଅଶ୍ରୁକଣ୍ଠେ । ମିଳିଲା ସରସ୍ୱତୀତଟେ ॥ ୮୮
ଯାହାର ତୀରେ ଏକାଦଶ । ତୀର୍ଥେ ବସନ୍ତି ପୁଣ୍ୟଯଶ ॥ ୮୯
ତ୍ରିତ ଉଶନା ମନୁ ନାମ । ପୃଥୁ ଅନଳ ଯେ ପବନ ॥ ୯୦
ସୁଦାସ ଗାବ ଗୁହ ଯମ । ଅସିତ ଏକାଦଶ ନାମ ॥ ୯୧
ଏତେ ମନ୍ଦିର ବିଷ୍ଣୁ ଅର୍ଥେ । ତୀରେ ସଞ୍ଚିଲେ ଯେଝାମତେ ॥ ୯୨
ଋଷି ଦେବତା ଆଦି ଯେତେ । ତୀର୍ଥେ ସେବନ୍ତି ଦୃଢ଼ଚିତ୍ତେ ॥ ୯୩
ପ୍ରତ୍ୟଙ୍ଗମୁଖ୍ୟାଙ୍କିତ ଘର । ଦିଶନ୍ତି ଅତି ମନୋହର ॥ ୯୪
ଯେ ପୁର ଦରଶନ ମାତ୍ରେ । ବିଷ୍ଣୁସ୍ମରଣ ପଶେ ଗାତ୍ରେ ॥ ୯୫
ଏମନ୍ତ ସରସ୍ୱତୀତୀର୍ଥ । ଦେଖି ବିଦୁର କୃତକୃତ୍ୟ ॥ ୯୬
ତହୁଁ ଚଳିଲା ତୋଷମନେ । ସୌରାଷ୍ଟ୍ର ସୌବୀର ବିପିନେ ॥ ୯୭
କୁରୁ ଜାଙ୍ଗଳ ମତ୍ସ୍ୟଦେଶ । ଜିଣି ଯମୁନା ପରବେଶ ॥ ୯୮
କାଳିନ୍ଦୀତୀରେ ବୃନ୍ଦାବନ । ଯହିଁ ବିରାଜେ ଗୋବର୍ଦ୍ଧନ ॥ ୯୮
ସେ ବନେ ବୁଲେ ଏକେ ଏକେ । ନିଶ୍ଚଳେ ଉଦ୍ଧବଙ୍କୁ ଦେଖେ ॥ ୯୯
ହରି-ଭକତଙ୍କର ସାର । ତପ ଆଚରି ମହାଘୋର ॥ ୧୦୦
ଆସନ ନିଶ୍ଚଳ ସମାଧି । ଶ୍ରୀକୃଷ୍ଣ-ଚରଣେ ଆରାଧି ॥ ୧୦୧
ଏକାନ୍ତେ ଅଛି ବୃକ୍ଷମୂଳେ । ବିଦୁର ଦେଖେ ବେନିଡୋଳେ ॥ ୧୦୨
ସେ ବାସୁଦେବ ଅନୁଚର । କି ଅବା ଦେବା ପଟାନ୍ତର ॥ ୧୦୩
ଦେବଗୁରୁଙ୍କ ଶିଷ୍ୟ ସ୍ନେହେ । ସ୍ୱଭାବେ ମନ୍ତ୍ରୀବୁଦ୍ଧି ବହେ ॥ ୧୦୪
ଏମନ୍ତେ ମିଳି ବେନିଜନ । ନିବିଡେ଼ କଲେ ଆଲିଙ୍ଗନ ॥ ୧୦୫
ବିଦୁର ଉଦ୍ଧବକୁ ଚାହିଁ । ବନ୍ଧୁବାନ୍ଧବ ସ୍ନେହ ବହି ॥ ୧୦୬
ରୋମହରଷେ ଶୁଦ୍ଧଚେତା । ପୁଚ୍ଛଇ କୃଷ୍ଣର ବାରତା ॥ ୧୦୭
କୃଷ୍ଣପୁତ୍ରଙ୍କୁ ଆଦି କରି । ଏକ ଆରେକ ନାମ ଧରି ॥ ୧୦୮

ବିଦୁର ଉବାଚ

ଶୁଣ ଉଦ୍ଧବ ମୋ ବଚନ । ମୁଁ ଯେ ପୁଚ୍ଛଇ ବନ୍ଧୁଜନ ॥ ୧୦୯
ଯେ ହରି ପୁରୁଷ-ପୁରାଣ । ଅନାଦି-ପରମ-କାରଣ ॥ ୧୧୦
ଧରଣୀଭାରା ନାଶ ଅର୍ଥେ । ମନୁଷ୍ୟ ଦେହେ ଏ ଜଗତେ ॥ ୧୧୧
ରାମ ଗୋବିନ୍ଦ ରୂପ ଧରି । ଯାଦବବଂଶେ ଅବତରି ॥ ୧୧୨
ଅଛନ୍ତି ବସୁଦେବ ଘରେ । ଆନନ୍ଦେ ବେନି ସହୋଦରେ ॥ ୧୧୩
ଆମ୍ଭର ବଂଶେ ଅଧିଦେବ । ଦେବକୀ ତୁଲେ ବସୁଦେବ ॥ ୧୧୪
ସୁଖେ କି ଛନ୍ତି ନିଜପୁରେ । ବନ୍ଧୁ-ସୁହୃଦ-ଭାବଭରେ ॥ ୧୧୫
ପ୍ରଦ୍ୟୁମ୍ନ ଅଛଇ ନା ଭଲେ । ଆନନ୍ଦେ ଜନନୀର ତୁଲେ ॥ ୧୧୬
ରୁକ୍ମିଣୀ ପୂର୍ବ-ତପଫଳେ । ପୁତ୍ର ପ୍ରଦ୍ୟୁମ୍ନ କଲା କୋଳେ ॥ ୧୧୭
ଭୋଜାଦି ସାତବଂଶ ରାଜା । ଗୋବିନ୍ଦ ଯାକୁ କଲେ ପୂଜା ॥ ୧୧୮
ଛାଡ଼ି ଆପଣା ନୃପାସନ । ରାଜ୍ୟେ ସ୍ଥାପିଲେ ଉଗ୍ରସେନ ॥ ୧୧୯
ତୀର୍ଥଉଦକ ସିଞ୍ଚି ଶିରେ । ସେ ସୁଖେ ଅଛିଟି କି ପୁରେ ॥ ୧୨୦
ଭଲେ କି ଜାମ୍ବବତୀସୁତ । ଯେ ରଥୀ ମଧ୍ୟେ ମହାରଥ ॥ ୧୨୧
କୃଷ୍ଣର ସଦୃଶ ଯେ ହୋଇ । ପୂର୍ବେ ଅମ୍ବିକା ଗର୍ଭେ ଥାଇ ॥ ୧୨୨
ଯାହାକୁ ଜାମ୍ବବତୀ ଦେବୀ । ପାଇଲା ନାନାବ୍ରତ ସେବି ॥ ୧୨୩
କ୍ଷେମେ କି ଅଛି ଯୁଯୁଧାନ । ଯାହାକୁ ସନ୍ତୋଷ ଅର୍ଜୁନ ॥ ୧୨୪
ରହସ୍ୟ-ଧନୁର୍ବେଦ ଦେଲା । ଯେ ପୁଣି ହୃଷ୍ଣ ଆରାଧିଲା ॥ ୧୨୫
ସୁଖେ ହୋଇଲା ଗତି ତାର । ଯେ ଯୋଗୀଜନେ ଅଗୋଚର ॥ ୧୨୬
ଶ୍ୱଫଳ୍‌କ ସୁତ ଯଶସ୍କର । ଶୁଭେ କି ଅଛଇ ଅକ୍ରୂର ॥ ୧୨୭
କଂସ ଆଦେଶେ ଗୋପପୁରେ । ଲଭିଲା କୃଷ୍ଣରେଣୁ ଶିରେ ॥ ୧୨୮
ଭଲେ କି ଅଛଇ ଦେବକୀ । ଯେ ଗର୍ଭେ ଧଇଲା ହରିଙ୍କି ॥ ୧୨୯
ଅଶେଷ ମନୋରଥ ବୋଧ । ଭଲେ କି ଅଛି ଅନିରୁଦ୍ଧ ॥ ୧୩୦
ଯାର ମହିମା ଶବ୍ଦଯୋନି । ତୁରୀୟତତ୍ତ୍ୱ ସଙ୍ଗେ ମାନି ॥ ୧୩୧
ସତ୍ୟଭାମାର ସୁତ ଯେତେ । ଭଲେ କି ଅଛନ୍ତି ସମସ୍ତେ ॥ ୧୩୨
ଗଦର କହ ଭଲ କଥା । ଯେ ଅନ୍ୟ ଯାଦବ ବାରତା ॥ ୧୩୩
ଏକାନ୍ତେ କୃଷ୍ଣର ପୟରେ । ସେବନ୍ତି ସବୁ ପରକାରେ ॥ ୧୩୪
ଧର୍ମେ କି ଅଛି ଯୁଧିଷ୍ଠିର । ଯେ ଧର୍ମେ ରଖିଲା ସଂସାର ॥ ୧୩୫
ଯାହାର ବାହୁପ୍ରାୟ ହୋଇ । କୃଷ୍ଣ ଅର୍ଜୁନ ବେନି ଥାଇ ॥ ୧୩୬
ଭୀମର କହ ଭଲ କଥା । ଯେ ଭୀମ ଅତି ବଳବନ୍ତା ॥ ୧୩୭
ଯାର ଚରଣ-ଘାତ କୋପେ । ଦୁର୍ଜୟ-ରଣଭୂମି କମ୍ପେ ॥ ୧୩୮
ଅର୍ଜୁନ ଅଛିଟି କି ଭଲେ । ନିରତେ ଗୋବିନ୍ଦର ତୁଲେ ॥ ୧୩୯
ଗାଣ୍ତୀବଧନୁ କରେ ଧରି । ରଣେ ତୋଷିଲା ଶୂଳଧାରୀ ॥ ୧୪୦
ନକୁଳ ସହଦେବ ବେନି । କୁଶଳ କହ ପରିମାଣି ॥ ୧୪୧
ଅଶ୍ୱିନୀ ନାସିକା-ବିବରେ । ଜନ୍ମ ହୋଇଲେ ଯେ ଶରୀରେ ॥ ୧୪୨
କେ କହୁ ତାଙ୍କ ଗୁଣଗ୍ରାମ । ଦେବଙ୍କ ବ୍ୟାଧି ହରେ ନାମ ॥ ୧୪୩
ତାହାଙ୍କ ବୀର୍ଯ୍ୟୁ ଜାତ ହୋଇ । ସୁନ୍ଦର ରୂପେ ଜନ ମୋହି ॥ ୧୪୪
ପାବ-ଚକ୍ଷୁ ସେ ବୋଲାନ୍ତି । କହ କୁଶଳେ କି ଅଛନ୍ତି ॥ ୧୪୫
ଦେଖ ଏ କୁନ୍ତୀ ଗର୍ଭଅର୍ଥେ । ସ୍ୱାମୀକୁ ଚିନ୍ତେ ଅବିରତେ ॥ ୧୪୬
ସ୍ୱ-ସ୍ୱାମୀ ବିନୁ ସୁତ ଲଭେ । ଯା ନାମ ଚଉଦିଗେ ଶୁଭେ ॥ ୧୪୭
ତାହାଙ୍କୁ ଛାଡ଼ି ଭୋଗ ବିନେ । ରହିଲା ପୁତ୍ରସ୍ନେହ ମନେ ॥ ୧୪୮
ଶୁଣ ଉଦ୍ଧବ ସାଧୁ ଧୀର । ଧୃତରାଷ୍ଟ୍ରର ଯେ ବେଭାର ॥ ୧୪୯
ସେ ପିତୃହୀନ ପଞ୍ଚପୁତ୍ରେ । ତାଙ୍କ ମରଣ ଚିତ୍ତେ ଚିନ୍ତେ ॥ ୧୫୦
ପୁତ୍ରଙ୍କ ତୁଲେ ତା’ ବିଚାର । ମୁଁ ପ୍ରିୟ ସୁହୃଦ ତାହାର ॥ ୧୫୧
ପୁରୁ ବାହାର କରିଦେଲା । ଚିତ୍ତେ ତା ଦୟା ନ ବସିଲା ॥ ୧୫୨
ଏଣୁ ପଡ଼ିବ ତମଘୋର । ଜୀବନେ ଚିନ୍ତା ତାକୁ ମୋର ॥ ୧୫୩
ଯେ କୃଷ୍ଣ ପରମ-ମଙ୍ଗଳ । ଆନନ୍ଦମାନଙ୍କର ମୂଳ ॥ ୧୫୪
ସେ ହରି ମନୁଷ୍ୟ-ଶରୀରେ । ସାକ୍ଷାତେ ସଂସାରେ ବିହରେ ॥ ୧୫୫
ତାର ପ୍ରସାଦୁ ତା ମାହାତ୍ମ୍ୟ । ଜାଣି ଛାଡ଼ିଲି ସର୍ବ ଭ୍ରମ ॥ ୧୫୬
ତାର ଚରଣ ଧ୍ୟାନ କରି । ମୁଁ ଏବେ କାନନେ ବିହରି ॥ ୧୫୭
ଦେଖ ଉଦ୍ଧବ ତା ମହିମା । କେ କହିପାରେ ଗୁଣସୀମା ॥ ୧୫୮
ଯେ ଯେତେ ଥିଲେ ମହୀପାଳେ । ଅନେକ ଅକ୍ଷୌହିଣୀ ମେଳେ ॥ ୧୫୯
ତାହାଙ୍କୁ ମାୟାରେ ସଂହାରି । ହେଳେ ତ୍ରିଭୁବନ ଉଦ୍ଧରି ॥ ୧୬୦
ପ୍ରପନ୍ନଜନ ଦୁଃଖ ନାଶ । ଅର୍ଥେ କ୍ଷଣକେ ପୀତବାସ ॥ ୧୬୧
ପାରନ୍ତି କୁରୁଙ୍କୁ ସଂହାରି । ସହିଲେ ଦୋଷ କ୍ଷମା କରି ॥ ୧୬୨
ସେ ଗୁଣାତୀତ ଅଜ ହରି । ଖଳନାଶନେ ଅବତରି ॥ ୧୬୩
ଅଖିଳଲୋକଙ୍କୁ କୁଶଳେ । ଯେ ଦେହବନ୍ତ ଯଦୁକୁଳେ ॥ ୧୬୪
ଯାହାର ଆଜ୍ଞାରେ ସଂସାର । ତୀର୍ଥର ପ୍ରାୟେ କୀର୍ତ୍ତି ଯାର ॥ ୧୬୫
ସେ ହରି ଶୁଭକଥା ମୋତେ । କହ ଉଦ୍ଧବ ଶୁଦ୍ଧଚିତ୍ତେ ॥ ୧୬୬
ଏମନ୍ତେ ବିଦୁରର ବାଣୀ । ଉଦ୍ଧବ ମନେ ପରିମାଣି ॥ ୧୬୭
ଚିତ୍ତେ ଚିନ୍ତିଲା ନାରାୟଣ । ସୁଜନେ ଏକମନେ ଶୁଣ ॥ ୧୬୮
ହରିଚରିତ ସୁଧାରସ । କହିଲା ଜଗନ୍ନାଥ ଦାସ ॥ ୧୬୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ପ୍ରଥମୋଽଧ୍ୟାୟଃ

ଦ୍ୱିତୀୟ ଅଧ୍ୟାୟ

[ସମ୍ପାଦନା]
ଶୁକ ଉବାଚ

ଏମନ୍ତେ ବିଦୁର ବଚନ । ଶୁଣି ଉଦ୍ଧବ ହତଜ୍ଞାନ ॥ ୧
କୃଷ୍ଣ-ଚରଣେ ଚିତ୍ତ ଦେଇ । ଉତ୍କଣ୍ଠେ ନ ପାରଇ କହି ॥ ୨
ପାଞ୍ଚବରଷେ ତାର ମାତ । ପ୍ରାତଃ ଭୋଜନେ ଡାକେ ସୁତ ॥ ୩
କୃଷ୍ଣସେବାରେ ଦେଇମନ । ଉଦ୍ଧବ ନ କରେ ଭୋଜନ ॥ ୪
କୃଷ୍ଣସେବାରେ ଦିନ ଗଲା । ସ୍ୱଭାବେ ବୟସ ସରିଲା ॥ ୫
ବିଦୁରବାକ୍ୟ ଶୁଣି କର୍ଣ୍ଣେ । ବଚନ ନ ସ୍ଫୁରେ ବଦନେ ॥ ୬
କୃଷ୍ଣଚରଣେ ଦେଇ ମନ । ମୁହୁର୍ତ୍ତେ ରହିଲା ମଉନ ॥ ୭
ତକ୍ଷଣେ ଦେହଭାବ ଛାଡ଼ି । କୃଷ୍ଣଭକତି ଜଳେ ବୁଡ଼ି ॥ ୮
କୃଷ୍ଣଚରଣ-ସୁଧା-ପାନ । କରି ପାଇଲା ଦିବ୍ୟଜ୍ଞାନ ॥ ୯
ପୁଲକ ହେଲା ରୋମରାଜି । ଅଶ୍ରୁ ମୁଞ୍ଚଇ ଚକ୍ଷୁବୁଜି ॥ ୧୦
ଧ୍ୟାନେ ହୋଇଲା ପୂର୍ଣ୍ଣକାମ । ସ୍ନେହ-ସଲିଳେ କଲା ସ୍ନାନ ॥ ୧୧
ଧ୍ୟାନ ଛଡ଼ାଇ କୃଷ୍ଣପାଦେ । ପୁଣି ମିଳିଲା ଦେହମଧ୍ୟେ ॥ ୧୨
ବେନିଲୋଚନ ଘଷି କରେ । ନିଃଶ୍ୱାସ ଛାଡ଼ି ଖରତରେ ॥ ୧୩
ବିଦୁର ମୁଖ ଚାହିଁ ଦୁଃଖେ । ଉଦ୍ଧବ କହେ ଅଶ୍ରୁମୁଖେ ॥ ୧୪

ଉଦ୍ଧବ ଉବାଚ

ଯାଦବ ମଧ୍ୟେ କୃଷ୍ଣ ଥାଇ । ସୂର୍ଯ୍ୟର ପ୍ରାୟ ପ୍ରକାଶଇ ॥ ୧୫
ସେ ସୂର୍ଯ୍ୟ ଅସ୍ତାଚଳେ ଗଲା । ନିବିଡ଼ତମ ପ୍ରକାଶିଲା ॥ ୧୬
ମୁଁ ଏବେ ଅତିଦୁଃଖ-ଶୋକେ । ପଡ଼ିଛି ଅଜଗର-ମୁଖେ ॥ ୧୭
ଆମ୍ଭ କୁଶଳ କାହିଁ ଆର । କହିବି ଶୁଣ ହେ ବିଦୁର ॥ ୧୮
ସଂସାର ମଧ୍ୟେ ଯେତେଜନ । ସର୍ବେ ହୋଇଲେ ଭାଗ୍ୟହୀନ ॥ ୧୯
ଦେଖ ଅଭାଗ୍ୟ ଯଦୁବଂଶ । ବାଳକ ପ୍ରାୟ ବୁଦ୍ଧିଭ୍ରଂଶ ॥ ୨୦
ବସନ୍ତି କୃଷ୍ଣ ଅଙ୍ଗସେଙ୍ଗ । ରାତ୍ରଦିବସ ଅନୁରାଗେ ॥ ୨୧
ତାହାଙ୍କୁ କେହି ନ ଜାଣିଲେ । ଚନ୍ଦ୍ରକୁ ମୀନ ଯେହ୍ନେ ଜଳେ ॥ ୨୨
ଯାଦବେ କୃଷ୍ଣ ସଙ୍ଗମେଳେ । ଦିନ ହରନ୍ତି କୁତୂହଳେ ॥ ୨୩
ସଙ୍ଗତେ ପାଇ ନରହରି । ଦେଖନ୍ତି ଅନାଦର କରି ॥ ୨୪
ଅତି ନିପୁଣ ସେ ଅଟନ୍ତି । ଜ୍ଞାନୀ ହେଲେହେଁ ନ ଜାଣନ୍ତି ॥ ୨୫
ଯା’ର ମାୟାରେ ଅନ୍ୟଜନେ । ବଇରୀଭାବ ଚିନ୍ତିମନେ ॥ ୨୬
କୃଷ୍ଣର ମାୟାବଳେ ଗ୍ରନ୍ଥି । ମନୁଷ୍ୟ ପ୍ରାୟ ସେ ମଣନ୍ତି ॥ ୨୭
ପ୍ରାଣୀଙ୍କ ତପୋବଳ ଚାହିଁ । ନୟନେ ଶରୀର ଦେଖାଇ ॥ ୨୮
ପୁଣି ହରିଲେ ନିଜ ଅଙ୍ଗ । ପ୍ରାଣୀଙ୍କ ଚକ୍ଷୁ ଘେନି ସଙ୍ଗ ॥ ୨୯
ମାୟା ମନୁଷ୍ୟ ରୂପେ ହରି । ଅନନ୍ତ ଲୀଳାଏ ବିହରି ॥ ୩୦
ସର୍ବସମ୍ପଦ ଆତ୍ମାତୁଲେ । ନିଜ ଭୁବନେ ବିଜେକଲେ ॥ ୩୧
ଧର୍ମକୁମର ଯଜ୍ଞକାଳେ । ଦେବ-ମନୁଷ୍ୟ-ଋଷିମେଳେ ॥ ୩୨
ଯେ ରୂପ ଦେଖି ତୋଷମନେ । କୈବଲ୍ୟ ଲଭିଲେ ଲୋଚନେ ॥ ୩୩
ବ୍ରହ୍ମା ସର୍ଜନା ଯେଣୁ ନୋହି । ତେଣୁ ସକଳ ମନମୋହି ॥ ୩୪
ଯେ କୃଷ୍ଣ-ଅନୁରାଗ-ମୁଖ । ସୁନ୍ଦର-ହାସ-ରଙ୍ଗରେଖ ॥ ୩୫
ତେଣେ ମୋହିତ ଚି ଧରି । ମୋକ୍ଷ ଲଭିଲେ ବ୍ରଜନାରୀ ॥ ୩୬
ସେ ଶାନ୍ତରୂପ ଏକରୂପୀ । ବସଇ ସର୍ବଭୂତେ ବ୍ୟାପୀ ॥ ୩୭
ତା’ର ବିଭୂତି ଦେବଗଣ । ପୂଜନ୍ତି ତାହାର ଚରଣ ॥ ୩୮
ଦେବଙ୍କ ଅର୍ଥେ ସେ ମୁରାରି । ଜନ୍ମଇ ନାନାରୂପ ଧରି ॥ ୩୯
ସ୍ୱଭାବେ ଜନ୍ମ ଯା’ର ନାହିଁ । ନିମି ଅର୍ଥେ କଳ୍ପେ ଦେହୀ ॥ ୪୦
ଅଗ୍ନି ଯେସନେ ନାନାମତେ । ଯତନେ ଜଳଇ ଜଗତେ ॥ ୪୧
ଏ କଥା ମୋରେ ଖେଦକରେ । ସେ ଜନ୍ମି ବସୁଦେବ ଘରେ ॥ ୪୨
କଂସର ଡରେ ଗୋପମେଳେ । ଲୁଚି ଯେ ଥିଲେ ବାଳକାଳେ ॥ ୪୩
ତହୁଁ ମଥୁରାପୁରେ ଆସି । ଗଜ ଚାଣୂର କଂସ ନାଶି ॥ ୪୪
ଯାଇଣ ମାତାପିତା ପାଶ । ବୋଇଲେ କ୍ଷମା କରଦୋଷ ॥ ୪୫
ତୁମ୍ଭଙ୍କୁ ନିଶ୍ଚିନ୍ତ ନ କରି । ବିଅର୍ଥେ ବେ ଦେହଧରି ॥ ୪୬
ସେ କଥା ବିଡ଼ମ୍ବନ ମୋତେ । ହୃଦୟ ଦହେ ଅବିରତେ ॥ ୪୭
ତା’ର ଚରଣରେଣୁ ଗନ୍ଧ । ଆଘ୍ରାଣ କରି ନାସାରନ୍ଧ୍ର ॥ ୪୮
କେ ତା’ ପାଶୋରିପାରେ ଚିେ । ସୁଦୃଢ଼-ଯୋଗାଭ୍ୟାସେ ନିତ୍ୟେ ॥ ୪୯
ଭୂମିର ଭାର ନାଶ ଅର୍ଥେ । ତାହାର ଜନ୍ମ ଏ ଜଗତେ ॥ ୫୦
ତୁମ୍ଭେ ତ ଦେଖିଅଛ ଡୋଳେ । ଧର୍ମନନ୍ଦନ-ଯଜ୍ଞକାଳେ ॥ ୫୧
ଯାହାକୁ ଶିଶୁପାଳ ନିନ୍ଦି । ତକ୍ଷଣେ ତା’ର ଦେହେ ଭେଦି ॥ ୫୨
ଲୁଚିଲା ଅଭୟ-ଚରଣେ । ରହିଲା ଅଜରାମରଣେ ॥ ୫୩
ଯେ ଗତି ଯୋଗୀଜନେ ଚିନ୍ତି । ଜନ୍ମମରଣୁ ନିସ୍ତରନ୍ତି ॥ ୫୪
ତା’ର ବିଯୋଗ କେବା ସହେ । ଯେ ବା ଜଗତେ ଦେହବହେ ॥ ୫୫
ଦେଖ ଭାରତଯୁଦ୍ଧେ ଯେତେ । ରଥୀ ପଦାତି ଅପ୍ରମିତେ ॥ ୫୬
ଭୂଲୋକେ ଯେତେ ବୀର ଥିଲେ । ମରଣେ ତା’ ମୁଖ ଦେଖିଲେ ॥ ୫୭
ଅର୍ଜୁନ-ବାଣେ କ୍ଷୀଣ ହୋଇ । ପଶିଲେ ତା’ର ଦେହେ ଯାଇ ॥ ୫୮
ତ୍ରୈଲୋକ୍ୟନାଥ ସେ ଅନନ୍ତ । ସ୍ୱଭାବେ କମଳାର କାନ୍ତ ॥ ୫୯
ତ୍ରିଦଶ-ଦେବେ ତା’ ଚରଣେ । ସେବା କରନ୍ତି ଅନୁକ୍ଷଣେ ॥ ୬୦
ଯା’ର ସମାନ ବା ଅଧିକ । ନାହିଁ ଏ ଚତୁŸର୍ଶଲୋକ ॥ ୬୧
ସେ ପୁଣି ସ୍ଥାପି ରାଜପଦେ । ପୂଜିଲା ଉଗ୍ରସେନ ପାଦେ ॥ ୬୨
ଭୃତ୍ୟର ଭୃତ୍ୟ ଅଟେ ଯେହୁ । ତାହାକୁ ଆଜ୍ଞାମାଗେ ସେହୁ ॥ ୬୩
ଏ କଥା ଦେଖି ହେ ବିଦୁର । ଅତି ଦୁଃଖିତ ଚିତ୍ତ ମୋର ॥ ୬୪
ଦେଖ ପୂତନା ଧାତ୍ରୀ ରୂପେ । ସ୍ତନ ନିବେଶି ତା’ର ମୁଖେ ॥ ୬୫
କ୍ଷୀର ଗରଳ ସେଙ୍ଗ ଦେଇ । ପଶିଲା ତା’ର ଦେହେ ଯାଇ ॥ ୬୬
ସେ ଦୟାନିଧିର ଚରଣ । କେବା ନ ପଶିଲା ଶରଣ ॥ ୬୭
ଯେତେ ଅସୁର ଏ ଜଗତେ । ନଶିଲେ ଗୋବିନ୍ଦର ହସ୍ତେ ॥ ୬୮
ଗରୁଡ଼କନ୍ଧେ ତାକୁ ଚାହିଁ । ପଶିଲେ ତା’ର ଦେହେ ଯାଇ ॥ ୬୯
ସେ ଭାଗବତ ମଧ୍ୟେ ସାର । କି ଅବା ଦେବା ପଟାନ୍ତର ॥ ୭୦
କଂସରାଜାର ବନ୍ଦୀଘରେ । ଜନ୍ମିଲା ଦେବକୀ ଉଦରେ ॥ ୭୧
ବ୍ରହ୍ମାଙ୍କ ବୋଲେ ହୃଷୀକେଶ । ଧରଣୀଭାର କଲେ ନାଶ ॥ ୭୨
ସେ ବସୁଦେବ କଂସ ଡରେ । ନେଇ ଥୋଇଲା ନନ୍ଦଘରେ ॥ ୭୩
ଗୁପତେ ସେଙ୍ଗ ହଳଧର । ବଢ଼ିଲେ ଏଗାରବ›ର ॥ ୭୪
ଗୋପବାଳକ ସେଙ୍ଗ ଥାଇ । ବନେ ଚରାନ୍ତି ନିତ୍ୟେ ଗାଈ ॥ ୭୫
ବେଣୁଶବଦ ଶିଙ୍ଗାନାଦେ । ବନେ ବୁଲନ୍ତି ଅପ୍ରମାତେ ॥ ୭୬
ଯମୁନାକୂଳେ ଥାଇ ନିତ୍ୟେ । ଭୃଙ୍ଗ-କୋକିଳ-ନାଦ-ଗୀତେ ॥ ୭୭
ବରଜବାସୀଙ୍କ ଲୋଚନେ । କୁମାରଲୀଳା ଅନୁଦିନେ ॥ ୭୮
ରୋଦନ ହସନ ଖେଳନେ । ନିରତେ ବସେ ତା’ଙ୍କମନେ ॥ ୭୯
ବାଳସିଂହର ପ୍ରାୟେ ଚାହେଁ । ଯେ କାଳେ ଯେ ଲୀଳା ଦେଖାଏ ॥ ୮୦
ଦିନକୁଦିନ ଶୋଭାବନ୍ତ । ବନେ ବୁଲଇ ନନ୍ଦସୁତ ॥ ୮୧
ଗୋଧନ ଘେନି ଗୋପସେଙ୍ଗ । ବେଣୁ ବଜାଇ ନାନାରେଙ୍ଗ ॥ ୮୨
କଂସର ଆଜ୍ଞାରେ ଅସୁରେ । ଯେତେ ମିଳିଲେ ଗୋପପୁରେ ॥ ୮୩
ପୂତନା ଆଦି ମାୟାରୂପୀ । ମିଳିଲେ ବନଗିରି ବ୍ୟାପୀ ॥ ୮୪
ତାହାଙ୍କୁ କରି ବାଳଖେଳା । ହେଳେ ମାଇଲେ ନନ୍ଦବଳା ॥ ୮୫
ଯମୁନା ବିଷଜଳ ଖାଇ । ମରୁ ଯେ ଥିଲେ ଗୋପଗାଈ ॥ ୮୬
ତା’ଙ୍କୁ ଜୀଆଇ ନନ୍ଦବାଳ । ଅମୃତ କଲା ବିଷଜଳ ॥ ୮୭
ଇନ୍ଦ୍ରଉ›ବ ଭଙ୍ଗ କରି । ଗୋପଙ୍କୁ ପୂଜାଇଲେ ଗିରି ॥ ୮୮
ଯଜ୍ଞବିଭେଙ୍ଗ କୋପକରି । ଇନ୍ଦ୍ର ବରଷେ ଘୋର ବାରି ॥ ୮୯
ଗୋରୁ ଗୋପାଳଙ୍କ ବିକଳ । ତକ୍ଷଣେ ଦେଖି ନନ୍ଦବାଳ ॥ ୯୦
ଛତ୍ର ଆକାରେ ଗିରି ଧରି । ରଖିଲେ ଗୋପପୁର ଶିରୀ ॥ ୯୧
ଶରଦ-ଚନ୍ଦ୍ରନିଶି ଚାହିଁ । କାନନେ ବେଣୁନାଦ ବାଇ ॥ ୯୨
ସେ ଗୋପୀମଳ-ମନ । ରାସ-ଉ›ବେ ଭଗବାନ ॥ ୯୩
ଷୋଳସହସ୍ର ଗୋପନାରୀ । ରମିଲେ ନାନାରୂପ ଧରି ॥ ୯୪
ତା’ର ମହିମା କେ କହିବ । ଯାହା ନ ଜାଣେ ବ୍ରହ୍ମା-ଶିବ ॥ ୯୫
ସେ ହରିଚରଣକମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୯୬
ବିଦୁର-ଉଦ୍ଧବ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୯୭
ଏଣେ ଗୋବିନ୍ଦପାଦେ ରସ । କହଇ ଜଗନ୍ନାଥ ଦାସ ॥ ୯୮
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ଦ୍ୱିତୀୟୋଽଧ୍ୟାୟଃ

ତୃତୀୟ ଅଧ୍ୟାୟ

[ସମ୍ପାଦନା]
ଉଦ୍ଧବ ଉବାଚ

ଶୁଣ ବିଦୁର ମୋ ବଚନ । ଧରି ନ ପାରେ ଖେଦମନ ॥ ୧
ସେ ରାମକୃଷ୍ଣ ଏକାରଥେ । ଗମିଲେ ଅକ୍ରୂର ସଙ୍ଗତେ ॥ ୨
ମାତାପିତାଙ୍କର କୁଶଳ । ପୁଚ୍ଛନ୍ତି ରାମ-ଆଦିମୂଳ ॥ ୩
କଂସକୁ ଦୃଷ୍ଟିରେ ସଂହାରି । ମଞ୍ଚାଉପରୁ କେଶଧରି ॥ ୪
ତଳେ ପକାଇ ରୋଷଭରେ । ମୃତପିଣ୍ତକୁ ଆକର୍ଷିଲେ ॥ ୫
ସାନ୍ଦୀପନିର ଘରେ ଯାଇ । ସକଳବିଦ୍ୟା ଶିକ୍ଷା ପାଇ ॥ ୬
ସେ ଦୈତ୍ୟ ନାମ ପଞ୍ଚଜନ । କରି ତା ଉଦର ବିଦୀର୍ଣ୍ଣ ॥ ୭
ଗୁରୁଦକ୍ଷିଣା ଅର୍ଥେ ପୁଣି । ଯମପୁରରୁ ପୁତ୍ର ଆଣି ॥ ୮
ଗୁରୁକାମିନୀ ଦୁଃଖ ହରି । ପୁଣି ମିଳିଲେ ନିଜପୁରୀ ॥ ୯
ଭୀଷ୍ମକ କନ୍ୟା ଅର୍ଥେ ହରି । କୁଣ୍ତୀନଗରେ ବିଜେକରି ॥ ୧୦
ଗନ୍ଧର୍ବବୃତ୍ତି ଆଚରିଲେ । ବଳେ ସେ କନ୍ୟାକୁ ହରିଲେ ॥ ୧୧
ଶୃଗାଳ ମଧ୍ୟୁ ସିଂହ ଯେହ୍ନେ । ସ୍ୱଭାଗ ହରଇ ତେସନେ ॥ ୧୨
ଯେହ୍ନେ ସୁପର୍ଣ୍ଣ ନିଜ ଭାଗ । ଅମୃତ ହରି କଲା ଭୋଗ ॥ ୧୩
କୋଶଳପୁରେ ନରହରି । ସପତଷଣ୍ଢ ବନ୍ଦୀ କରି ॥ ୧୪
କନ୍ୟା ଲଭିଲେ ନନ୍ଦବାଳ । ଜିଣି ସକଳ ଶତ୍ରୁବଳ ॥ ୧୫
ସତ୍ୟଭାମାର ବୋଲେ ପୁଣି । ନନ୍ଦନବନୁ ଚକ୍ରପାଣି ॥ ୧୬
ବଳେ ହରିଲେ ପାରିଜାତ । ଲୀଳାୟେ ଜିଣି ଶଚୀନାଥ ॥ ୧୭
ପୁରେ ରୋପିଲେ ବୃକ୍ଷ ନେଇ । ପତ୍ନୀର ପ୍ରିୟଭାବ ବହି ॥ ୧୮
ଗରୁଡେ଼ ବସି ଭାବଗ୍ରାହୀ । ନାରକାସୁରପୁରେ ଯାଇ ॥ ୧୯
ଦେଖିଲେ ତାହାର ଭବନ । ଶରୀରେ ବ୍ୟାପିଛି ଗଗନ ॥ ୨୦
ଚକ୍ରେ ତାହାର ମୁଣ୍ତାହାଣି । ଦେଖି ପ୍ରଣମିଲା ଧରଣୀ ॥ ୨୧
ବୋଲଇ କଲୁ ପୁତ୍ର ନାଶ । ଧରଣୀ ବଚନେ ବିଶ୍ୱାସ ॥ ୨୨
ନାରକାପୁତ୍ରକୁ ମୁରାରି । ତା’ ରାଜ୍ୟେ ଅଭିଷେକ କରି ॥ ୨୩
ନାରକା ଅନ୍ତଃପୁରେ ହରି । କୋଟିକନ୍ଦର୍ପ ରୂପ ଧରି ॥ ୨୪
ଯୁଦ୍ଧେ ସକଳ ରାଜା ଜିଣି । ଯେ କନ୍ୟା ଥିଲା ଦୈତ୍ୟ ଆଣି ॥ ୨୫
ସେ ସର୍ବ ଦେଖି କାମଭୋଳେ । ଚାହାଁନ୍ତି ନୟନ-ନିଶ୍ଚଳେ ॥ ୨୬
ଷୋଳସହସ୍ର ଶତାଧିକେ । ତୁଲ୍ୟବୟସୀ ଏକେ ଏକେ ॥ ୨୭
ହରିଙ୍କି ବରିଲେ ସକଳେ । ମଙ୍ଗଳ-ଶୁଭଲଗ୍ନ ବେଳେ ॥ ୨୮
ତାହାଙ୍କୁ ନିଜପୁରେ ଆଣି । ଏକମୁହୂର୍ତ୍ତେ ଚକ୍ରପାଣି ॥ ୨୯
ବିବାହ କଲେ ବେଦମତେ । ଶୁଣ ତାହାଙ୍କ ପୁତ୍ର ଯେତେ ॥ ୩୦
ଦଶକୁମର କନ୍ୟା ଏକ । ଆତ୍ମାସଦୃଶ ରୂପରେଖ ॥ ୩୧
କାଳଯବନ ଜରାସନ୍ଧେ । ଶାଲ୍ୱ ସହିତେ ପୁର ରୁନ୍ଧେ ॥ ୩୨
ତାହାଙ୍କୁ ନିଜତେଜେ ନାଶି । ସ୍ୱଜନ-ବାନ୍ଧବ ଆଶ୍ୱାସି ॥ ୩୩
ଶମ୍ବର ଦ୍ୱିବିନ୍ଦବାନର । ମୁର ବଲ୍ୱଳ ବାଣାସୁର ॥ ୩୪
ଯେ ଦନ୍ତବକ୍ର ଆଦି କରି । ତାହାଙ୍କୁ ସଂଗ୍ରାମେ ସଂହାରି ॥ ୩୫
ଏବେ ତୋ ଜ୍ୟେଷ୍ଠଭ୍ରାତସୁତେ । ଅନେକ ନୃପତି ସହିତେ ॥ ୩୬
ସଙ୍ଗତେ ନିଜବଳ ଘେନି । ଚରଣେ କମ୍ପାଇ ମେଦିନୀ ॥ ୩୭
ମିଳିଲେ କୁରୁକ୍ଷେତ୍ର ମଧ୍ୟେ । ଜିଣି ଭୁଞ୍ଜିବେ ମହୀ ସାଧ୍ୟେ ॥ ୩୮
କର୍ଣ୍ଣ ଶକୁନି ଦୁଃଶାସନ । ସ୍ୱଭାବେ ଦୁଷ୍ଟ ତିନିଜଣ ॥ ୩୯
ତାହାଙ୍କୁ ହୋଇଲେ ବିଶ୍ୱାସ । ଏଣୁ ହୋଇଲେ ଅଳ୍ପାୟୁଷ ॥ ୪୦
ଦେଖ ପଡ଼ିଲେ ରଣମଧ୍ୟେ । ମୂଢ଼ ଅଧର୍ମ-ଦୋଷବାଦେ ॥ ୪୧
ଶୁଣ ବିଦୁର କହୁଁ ତୋତେ । ଶ୍ରୀକୃଷ୍ଣ ଭାଳେ ଅନ୍ତର୍ଗତେ ॥ ୪୨
ଯେ ଭୀଷ୍ମ ଦ୍ରୋଣ ଭୀମାର୍ଜୁନ । ମାରିଲେ ଅନେକ ରାଜନ ॥ ୪୩
ଭାରା-ନିବାର-ଅର୍ଥେ ମହୀ । ସଂହାର ଅଳପ ମଣଇ ॥ ୪୪
ଏ ଯେ ମୋହର ଯଦୁବଂଶ । ଏ ମଲେ ଭାରା ହୋଏ ଶେଷ ॥ ୪୫
ମଦ୍ୟେ ଅରୁଣଚକ୍ଷୁ କୋପେ । ସର୍ବେ ମରିବେ ବିପ୍ରଶାପେ ॥ ୪୬
ଏ ଯେ ନ ମଲେ ନୋହେ ଶାନ୍ତି । ଏମନ୍ତ ଯୋଗମାୟା ଚିନ୍ତି ॥ ୪୭
ଏମନ୍ତେ ମନେ ଚିନ୍ତାକରି । ଧର୍ମସୁତଙ୍କୁ ନରହରି ॥ ୪୮
ବନ୍ଧୁ-ସୁହୃଦଜନ ମଧ୍ୟେ । କୃଷ୍ଣ ସ୍ଥାପିଲେ ରାଜପଦେ ॥ ୪୯
ଉତ୍ତରାଗର୍ଭେ କୁରୁବଂଶ । କୃଷ୍ଣ ରଖିଲେ ଅବଶେଷ ॥ ୫୦
ପରୀକ୍ଷିତଙ୍କୁ କରି ରକ୍ଷା । ଧର୍ମନନ୍ଦନେ ଦେଲେ ଦୀକ୍ଷା ॥ ୫୧
ଜ୍ଞାତିମାରଣ ଦୋଷ ନାଶେ । ଧର୍ମନନ୍ଦନଙ୍କୁ ବିଶ୍ୱାସେ ॥ ୫୨
ସର୍ବସମ୍ପଦେ ସୁସମ୍ପାଦି । କରାଇ ତିନି-ଅଶ୍ୱମେଧି ॥ ୫୩
ଯୁଧିଷ୍ଠି କୃଷ୍ଣେ ଅନୁଗତ । ପାଳିଲେ ମହୀ ଘେନି ଭ୍ରାତ ॥ ୫୪
ଆପଣେ ନିଜପୁରେ ଯାଇ । ନାରୀଗଣଙ୍କ ମଧ୍ୟେ ଥାଇ ॥ ୫୫
ଗୃହସ୍ଥଧର୍ମ ବେଦମତେ । କୃଷ୍ଣ ଆଚରିଲେ ଜଗତେ ॥ ୫୬
ସ୍ମିତ-ନୟନେ ସ୍ନେହ ବହି । ପୀୟୂଷ ସମ କଥା କହି ॥ ୫୭
ନାରୀଗଣଙ୍କ ମନ ମୋହି । ଗୃହଚରିତେ ଗୃହେ ଥାଇ ॥ ୫୮
ଯେ ଧର୍ମ ଇହ ପରଲୋକେ । କୃଷ୍ଣ ସାଧିଲେ ସୁବିବେକେ ॥ ୫୯
ଏମନ୍ତେ ବହୁତ ବରଷେ । ରମନ୍ତେ ଗୃହମେଧ ଆଶେ ॥ ୬୦
ବିଷୟେ ବଇରାଗ୍ୟ ଜାତ । ହୋଇଲା ଯୋଗେ ହୃଦଗତ ॥ ୬୧
କର୍ମ ଅଧୀନେ କାମେ ଜଡ଼ି । ଦେବମାୟାରେ ସୁଖ ଲୋଡ଼ି ॥ ୬୨
ପୁରୁଷ କର୍ମର ଅଧୀନ । ଯୋଗେଶ୍ୱରଙ୍କୁ ଯେ ଗହନ ॥ ୬୩
ସେ ହରି ବିଷ୍ଣୁମାୟା କରି । ନିଜପୁତ୍ରଙ୍କ ମନ ହରି ॥ ୬୪
ସେ ପୁତ୍ରେ କ୍ରୀଡ଼ାରସେ ଦିନେ । କୋପ ସଞ୍ଚିଲେ ବିପ୍ରମନେ ॥ ୬୫
ହରିର ମତ ଜାଣି ଭଲେ । ବ୍ରାହ୍ମଣେ ଶାପ ଦେଇଗଲେ ॥ ୬୬
ବ୍ରାହ୍ମଣ-ଶାପ ପାଇ ପୁରେ । ଅଦ୍ଭୁତ ଦେଖିଲେ ବିସ୍ତାରେ ॥ ୬୭
କୃଷ୍ଣବଚନେ ଶାନ୍ତି ଅର୍ଥେ । ପ୍ରଭାସେ ମିଳିଲେ ସମସ୍ତେ ॥ ୬୮
ସେ ପୁଣ୍ୟଜଳେ କରି ସ୍ନାନ । ପିତୃତର୍ପଣ ପିଣ୍ତଦାନ ॥ ୬୯
ପୂଜିଲେ ଋଷି ଦେବଗଣେ । ଗୋଦାନେ ତୋଷିଲେ ବ୍ରାହ୍ମଣେ ॥ ୭୦
ସୁବର୍ଣ୍ଣ ରଜତ ଶୟନ । ବସନ କମ୍ବଳ ଅଜିନ ॥ ୭୧
ରଥକୁଞ୍ଜର ଅଶ୍ୱମାନ । ଧରଣୀତୁଲେ କନ୍ୟାଦାନ ॥ ୭୨
ଅନ୍ନ ସହିତେ ନାନାରସେ । ବିପ୍ରଙ୍କୁ ଭୁଞ୍ଜାଇ ହରଷେ ॥ ୭୩
ଏମନ୍ତେ ଯଦୁ-ଭୋଜଗଣ । ଗୋ-ବିପ୍ରସେବା ତା’ଙ୍କ ପ୍ରାଣ ॥ ୭୪
ବିପ୍ରଙ୍କ ପାଦେ ପ୍ରଣମିତେ । ଦିବସ ବଞ୍ଚିଲେ ଏମନ୍ତେ ॥ ୭୫
ସ୍ୱଭାବେ କରି ଉପବାସେ । ରାତ୍ର ବଞ୍ଚିଲେ ସେ ନିରାଶେ ॥ ୭୬
ସେ ଯଦୁବଂଶର ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥ ୭୭
ହୋଇବ କୃଷ୍ଣରେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୭୮
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ତୃତୀୟୋଽଧ୍ୟାୟଃ

ଚତୁର୍ଥ ଅଧ୍ୟାୟ

[ସମ୍ପାଦନା]
ଉଦ୍ଧବ ଉବାଚ

ଉଦ୍ଧବ କହେ ଅଶ୍ରୁମୁଖେ । ସେ ଯଦୁବଂଶ ରାତ୍ରିମୁଖେ ॥ ୧
ବାରୁଣୀମଦ୍ୟ କଲେ ପାନ । ତେଣୁ ହୋଇଲେ ହତଜ୍ଞାନ ॥ ୨
ମର୍ମଭେଦନ କଟୁବାକ୍ୟେ । କନ୍ଦଳ କଲେ ଏକେ ଏକେ ॥ ୩
ମନ ହରିଲା ମଦ୍ୟଦୋଷ । ଭୋଳେ ହୋଇଲେ ବୁଦ୍ଧିଭ୍ରଂଶ ॥ ୪
ରଜନୀ ମଧ୍ୟେ ଯଦୁବଳେ । କନ୍ଦଳଯୁଦ୍ଧେ ନାଶ ଗଲେ ॥ ୫
ତକ୍ଷଣେ ଆତ୍ମମାୟାଗତି । ବିଚାରି ପ୍ରଭୁ ଯଦୁପତି ॥ ୬
ମିଳିଲେ ସରସ୍ୱତୀକୂଳେ । ବନେ ଅଶ୍ୱତଥ୍‌-ତରୁମୂଳେ ॥ ୭
ସ୍ୱକୁଳ ନାଶ ଇଚ୍ଛା କରି । ଦ୍ୱାରକା ଥିଲାବେଳେ ହରି ॥ ୮
ମୋତେ ବୋଇଲେ ଶିଷ୍ୟଧର୍ମେ । ଚଳ ତୁ ବଦରିକାଶ୍ରମେ ॥ ୯
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ପଦକମଳେ ମନ ଥୋଇ ॥ ୧୦
ନ କରି ତୀର୍ଥକୁ ଗମନ । ଚାହିଁଲି ଶ୍ରୀକୃଷ୍ଣ-ବଦନ ॥ ୧୧
ତା’ର ଗମନ ପଛେ ମୁହିଁ । ଗଲି ତାହାର ଭାବ ବହି ॥ ୧୨
ସେ ପ୍ରିୟମତି ନରହରି । ଖୋଜନ୍ତେ ତା’କୁ ଅନୁସରି ॥ ୧୩
ଦେଖିଲି ସରସ୍ୱତୀତୀରେ । ଏକାନ୍ତ-ଆସନ ସଧୀରେ ॥ ୧୪
ଶ୍ୟାମସୁନ୍ଦର ତନୁ ବର୍ଣ୍ଣ । ପ୍ରଶାନ୍ତ-ଅରୁଣଲୋଚନ ॥ ୧୫
ଚତୁରଭୁଜେ ଶସ୍ତ୍ର ଶୋହେ । ପୀତବସନ ମନମୋହେ ॥ ୧୬
ଦକ୍ଷିଣପାଦ ବାମଜଙ୍ଘେ । ବାଳ-ଅଶ୍ୱତଥ୍‌ ପୃଷ୍ଠଭାଗେ ॥ ୧୭
ଏବେ ହୋ କୁରୁବୀର ଶୁଣ । ମୈତ୍ରେୟ ମିଳିଲେ ସେ ସ୍ଥାନ ॥ ୧୮
ବ୍ୟାସମୁନିଙ୍କ ସଖା ହୋ’ନ୍ତି । ଆନନ୍ଦେ ଭୁବନେ ଭ୍ରମନ୍ତି ॥ ୧୯
ତକ୍ଷଣେ କୃଷ୍ଣପାଶେ ଯାଇ । ପଦେ ନମିଲେ ଶିରଦେଇ ॥ ୨୦
ମୁହିଁ ଶୁଣଇ ଅନୁରାଗେ । ଯେବା ବୋଇଲେ କୃଷ୍ଣଭାବେ ॥ ୨୧

ଭଗବାନ ଉବାଚ

ଉଦ୍ଧବ ଶୁଣ ମୋ’ ବଚନ । ମୁହିଁ ଜାଣିଲି ତୋ’ର ମନ ॥ ୨୨
ଦୁର୍ଲ୍ଲଭ-ଜ୍ଞାନ ଦେବି ତୋତେ । ସଂସାରୁ ତରିବୁ ଯେମନ୍ତେ ॥ ୨୩
ପୂର୍ବେ ବ୍ରହ୍ମାର ଯଜ୍ଞକାଳେ । ସକଳ-ବସୁଙ୍କର ମେଳେ ॥ ୨୪
କଳ୍ପିଲୁ ଯୋଗେ ଇଷ୍ଟସିଦ୍ଧି । ମୋ’ର ଚରଣ ଧ୍ୟାନେ ବନ୍ଦି ॥ ୨୫
ଏ ଯୋଗ ସର୍ବ ପୂର୍ବେସିଦ୍ଧି । ଯେଣୁ ମୋ’ ଅନୁଗ୍ରହ-ବିଧି ॥ ୨୬
ତେଣୁ ଲଭିଲୁ ମୋତେ ହେଳେ । ନିଜ ଭୁବନେ ଯିବାବେଳେ ॥ ୨୭
ବିଷୟରସ ଭୋଗଚିନ୍ତି । ଯେ ପ୍ରାଣୀ ସ୍ୱଧର୍ମ ଛାଡ଼ନ୍ତି ॥ ୨୮
ଭକ୍ତିବୈରାଗ୍ୟ ଯା’ର ନାହିଁ । ସେ ବା ଲଭିବ ମୋତେ କାହିଁ ॥ ୨୯
ଯେ ଜ୍ଞାନ ବ୍ରହ୍ମାର ସମୀପେ । ମୁହିଁ କହିଲି ପଦ୍ମକଳ୍ପେ ॥ ୩୦
ପରମ-ଜ୍ଞାନର ମହିମା । କେ ଚିନ୍ତିପାରେ ଆଦିସୀମା ॥ ୩୧
ଏଣୁ ପଣ୍ତିତେ ମୁନିଜନେ । ଦୃଢେ଼ ବିଚାରି ଅନୁମାନେ ॥ ୩୨
ଏ ଭାଗବତ-ଧର୍ମ ଚିନ୍ତି । ଏ ଭବଜଳୁ ତରିଯା’ନ୍ତି ॥ ୩୩

ଉଦ୍ଧବ ଉବାଚ

ସେ ଆଦିପୁରୁଷ ବଚନ । ଶୁଣି ଆନନ୍ଦ ମୋର ମନ ॥ ୩୪
ତା’ ଅନୁଗ୍ରହ ପ୍ରତିକ୍ଷଣେ । କଳ୍ପିଲି ତାହାର ସ୍ମରଣେ ॥ ୩୫
କୃଷ୍ଣସ୍ନେହରେ ମୋରଦେହୀ । ରୋମପୁଲକେ ଅଶ୍ରୁ ବହି ॥ ୩୬
କରଯୁଗଳ ଶିରେ ଦେଇ । କହିଲି ତାହାଙ୍କୁ ବିନୋୟି ॥ ୩୭
ଭୋ ନାଥ ତୋ’ର ପଦ୍ମପାଦେ । ଯେ ପ୍ରାଣୀ ଭଜନ୍ତି ଆନନ୍ଦେ ॥ ୩୮
ତାହାଙ୍କୁ ସର୍ବ-ପୁରୁଷାର୍ଥ । ଯେ ଧର୍ମ-କାମ-ମୋକ୍ଷ-ଅର୍ଥ ॥ ୩୯
ଦୁର୍ଲଭ ନୋହେ ଲଭିବାରେ । ନିଶ୍ଚୟ ମୋହର ବିଚାରେ ॥ ୪୦
ମୋହର ତେଣେ ଆଶାନାହିଁ । କେବଳ ତୋ’ ପାଦ ଭଜଇ ॥ ୪୧
ସ୍ୱଭାବେ ଜନ୍ମ ଯା’ର ନାହିଁ । କର୍ମର ଚେଷ୍ଟା ତା’ର କାହିଁ ॥ ୪୨
ସ୍ୱଭାବେ କାଳରୂପ ତୋ’ର । ଜ୍ଞାନବିଜ୍ଞାନେ ଅଗୋଚର ॥ ୪୩
ତୋ’ର ମହିମା ଆତ୍ମାରତି । ଯୋଗୀଏ ନ ପାରନ୍ତି ଚିନ୍ତି ॥ ୪୪
ତୁ ପୁଣି ଶତ୍ରୁଭୟ ପାଇ । ସମୁଦ୍ରେ ଦୁର୍ଗକୁ ଭିଆଇ ॥ ୪୫
ପଳାଇ ରହିଲୁ ଆନନ୍ଦେ । ଅନେକ ନାରୀଗଣ ମଧ୍ୟେ ॥ ୪୬
ମନ୍ତ୍ରଣା ଅର୍ଥେ ମୋତେ ରାଇ । ଆଦରେ ସମୀପେ ବସାଇ ॥ ୪୭
ସ୍ୱଭାବେ ଅକୁଣ୍ଠିତ-ବୁଦ୍ଧି । ଅଖଣ୍ତ-ଆତ୍ମଜ୍ଞାନନିଧି ॥ ୪୮
ସଂଶୟେ ବୁଦ୍ଧି ହୁଏ କ୍ଷୀଣ । ଦେଖିଣ ତୋ’ର ଆଚରଣ ॥ ୪୯
ସର୍ବଜ୍ଞପଣ ଯା’ର ତହିଁ । ସେ କିପାଁ ମୋତେ ପଚାରଇ ॥ ୫୦
ଏଣୁ ମୋ ମନ ଖେଦ ପାଇ । ତୋ’ ମାୟା ଗହନେ ଭ୍ରମଇଁ ॥ ୫୧
ଯେ ଆତ୍ମାଜ୍ଞାନ ତୁ ଏକାନ୍ତେ । କହିଲୁ ବ୍ରହ୍ମାର ଅଗ୍ରତେ ॥ ୫୨
ମୁଁ ଯେବେ ଶୁଣିବାରେ କ୍ଷମ । କହ ହେ ପୁରୁଷଉତ୍ତମ ॥ ୫୩
ଯେ ଜ୍ଞାନମାର୍ଗେ ତୋତେ ସେବି । ଏ ମାୟାସଂସାରୁ ତରିବି ॥ ୫୪
ଏମନ୍ତ ପଚାରନ୍ତେ ମୁହିଁ । ସେ କୃଷ୍ଣ ମୋତେ ଦୟାବହି ॥ ୫୫
ଆତ୍ମାର ତତ୍ତ୍ବ ନିତ୍ୟଜ୍ଞାନ । କହିଲେ କମଳଲୋଚନ ॥ ୫୬
ସେ ତୀର୍ଥପାଦ ଜଗନ୍ନାଥ । ମୋହର ଭାବେ ଆରାଧିତ ॥ ୫୭
ସେ ହରିମୁଖୁ ଜ୍ଞାନ ପାଇ । ତା’ ପାଦପଦ୍ମେ ଶିରଦେଇ ॥ ୫୮
ସେ ଦେବଦେବ ଭଗବାନ । ତାହାଙ୍କୁ କରି ପ୍ରଦକ୍ଷିଣ ॥ ୫୯
ତା’ର ବିଚ୍ଛେଦେ ଆତ୍ମା ମୋ’ର । କ୍ଷଣେ ଏ ଦେହେ ନୋହେ ସ୍ଥିର ॥ ୬୦
ତା’ର ବିରହ ଆତ୍ମାତୁଲେ । ତକ୍ଷଣେ ଅଇଲି ଏ ସ୍ଥଳେ ॥ ୬୧
ତା’ର ବିଯୋଗ ଆର୍ତ୍ତିଯୁତେ । ଯିବି ମୁଁ ତା’ର ପ୍ରିୟତୀର୍ଥେ ॥ ୬୨
ନାମ ତା’ ବଦରିକାଶ୍ରମ । ଯହିଁରେ ନରନାରାୟଣ ॥ ୬୩
ଏ ନରଲୋକେ ଶୁଭ ଅର୍ଥେ । ତପ ଆରାଧି ଦୃଢ଼ଚିତ୍ତେ ॥ ୬୪
ଅଛନ୍ତି ନରନାରାୟଣ । ଶୁକ ବୋଲନ୍ତି ରାୟ ଶୁଣ ॥ ୬୫

ଶୁକ ଉବାଚ

ସୁହୃଦ-ବନ୍ଧୁ-ବଧ ବାଣୀ । ଉଦ୍ଧବ ମୁଖୁ ତାହା ଶୁଣି ॥ ୬୬
ଦୁଃସହ-ଦୁଃଖ ତା’ ମନର । ଜ୍ଞାନେ ସଂହରିଲା ବିଦୁର ॥ ୬୭
କହି ଉଦ୍ଧବ ଚଳିଯା’ନ୍ତେ । ବିଦୁର ପଡେ଼ ପାଦଗତେ ॥ ୬୮
ପୁଣି ବିଶ୍ୱାସ ତା’ଙ୍କୁ କରି । ବୋଲେ ଚରଣ ଶିରେ ଧରି ॥ ୬୯

ବିଦୁର ଉବାଚ

ଉଦ୍ଧବ ଶୁଣ ମୋ’ ବଚନ । ତୋ’ର ଠାକୁର ଭଗବାନ ॥ ୭୦
ସେ ଜ୍ଞାନ କହିଛନ୍ତି ଯେତେ । ଉଦ୍ଧବ କହ ମୋ’ ଅଗ୍ରତେ ॥ ୭୧
ଯେ ଜ୍ଞାନ ଧ୍ୟାନ ସୁଖ ଭୋଳେ । ପଶିବି ତା’ ପାଦକମଳେ ॥ ୭୨
ଏମନ୍ତେ ବିଦୁରର ବାଣୀ । ଉଦ୍ଧବ ବୋଲେ ତାହା ଶୁଣି ॥ ୭୩

ଉଦ୍ଧବ ଉବାଚ

ଶୁଣ ବିଦୁର ମୋ’ ବଚନ । ସେ ଯୋଗେଶ୍ୱର ଭଗବାନ ॥ ୭୪
ଜୀବନ ଛାଡ଼ିବାର କାଳେ । ମୈତ୍ରେୟ ମୁନିଙ୍କି ନିଶ୍ଚଳେ ॥ ୭୫
ସମ୍ପୂର୍ଣ୍ଣ-ଜ୍ଞାନ ତା’ଙ୍କୁ ଦେଲେ । ନିଜ ଭୁବନେ ବିଜେ କଲେ ॥ ୭୬
ତୁ ଏବେ ଚଳ ତା’ଙ୍କ ପାଶ । ନିର୍ମଳ-ଭକ୍ତି-ଉପଦେଶ ॥ ୭୭
ସେ ତୋତେ ଦେବେ ଦିବ୍ୟଜ୍ଞାନ । ଏମନ୍ତ କହି ବେନିଜନ ॥ ୭୮
ପୁଲିନେ ବଞ୍ଚିଲେ ରଜନୀ । ନିଶ୍ଚଳେ କୃଷ୍ଣଭାବଘେନି ॥ ୭୯
କୃଷ୍ଣ-ଚରଣ-ଧ୍ୟାନ ବଳେ । ବନ୍ଧୁ-ବିଯୋଗ ପାଶୋରିଲେ ॥ ୮୦
ଏମନ୍ତେ ପାହିଲା ରଜନୀ । କୃଷ୍ଣଭକତିଭାବ ଘେନି ॥ ୮୧
ଉଦ୍ଧବ ଗଲା ତୋଷମନେ । ମିଳିଲା ବଦରିକାଶ୍ରମେ ॥ ୮୨
ପରୀକ୍ଷ କହେ ଶୁକେ ଚାହିଁ । ଭାବେ ଚରଣେ ଶିର ଦେଇ ॥ ୮୩

ପରୀକ୍ଷିତ ଉବାଚ

ଭୋ ମୁନି ଅସମ୍ଭବ ବାଣୀ । ମୁହିଁ ତୁମ୍ଭର ମୁଖୁ ଶୁଣି ॥ ୮୪
ସଂଶୟ ରହିଲା ମୋ’ ମନେ । ପୁଚ୍ଛଇ ତୁମ୍ଭ ସନ୍ନିଧାନେ ॥ ୮୫
ବ୍ରାହ୍ମଣଶାପେ ଯଦୁବଳେ । ନଶିଲେ ରଣେ ମଦ୍ୟଭୋଳେ ॥ ୮୬
ରଥ କୁଞ୍ଜର ଯୂଥପତି । କେବେ ହେଁ ରଣେ ନ ଘୁଞ୍ଚନ୍ତି ॥ ୮୭
ଯୂଥପତିଙ୍କ ମଧ୍ୟେ ମୁଖ୍ୟ । ଉଦ୍ଧବ ଅଟଇ ପ୍ରତ୍ୟକ୍ଷ ॥ ୮୮
ଏ ବଡ଼ ସଂଶୟ ମୋ’ ଚିତ୍ତେ । ଉଦ୍ଧବ ବଞ୍ଚିଲା କେମନ୍ତେ ॥ ୮୯
ଯହିଁ ଗୋବିନ୍ଦ ଦେହ ଗଲା । ଏ ବା କେମନ୍ତେ ଉବୁରିଲା ॥ ୯୦
ଶୁଣି କହନ୍ତି ଶୁକମୁନି । ଆନନ୍ଦେ କୃଷ୍ଣଭାବ ଘେନି ॥ ୯୧

ଶୁକ ଉବାଚ

ବ୍ରାହ୍ମଣ-ଶାପ ବଡ଼ଦୋଷ । ନିଶ୍ଚେ ଦହିବ ଯଦୁବଂଶ ॥ ୯୨
ଏମନ୍ତ ଜାଣି ଭାବଗ୍ରାହୀ । ନିକଟେ ଉଦ୍ଧବ ବସାଇ ॥ ୯୩
ଆତ୍ମମରଣ ପରିମାଣି । ମନେ ଚିନ୍ତିଲେ ଚକ୍ରପାଣି ॥ ୯୪
ଏ ମୋର ତତ୍ତ୍ବଜ୍ଞାନ ଯେତେ । ମୁଁ ଗଲେ ଯିବ ମୋ’ ସଙ୍ଗତେ ॥ ୯୫
ଏ ଜ୍ଞାନ ଦେଲେ ମୁଁ ଉଦ୍ଧବେ । ପ୍ରାଣୀ ତରିବେ ଏହିଭାବେ ॥ ୯୬
ଏମନ୍ତେ ମନେ ବିଚାରିଲେ । ଉଦ୍ଧବେ ତତ୍ତ୍ବଜ୍ଞାନ ଦେଲେ ॥ ୯୭
ବୋଇଲେ ସାଧ ଜ୍ଞାନବ୍ରହ୍ମ । ଏ ଯେ ଉଦ୍ଧବ ମୋର ସମ ॥ ୯୮
ଏ ଜ୍ଞାନ ପ୍ରାଣୀଙ୍କି ବୁଝାଉ । ଏଣୁ ଏ ନରଲୋକେ ରହୁ ॥ ୯୯
ଉଦ୍ଧବ କହିବ ଯେମନ୍ତେ । ପ୍ରାଣୀଏ ଯିବେ ସେହିପଥେ ॥ ୧୦୦
ଏଣୁ ତ୍ରିଲୋକଗୁରୁ-ହରି । ଜ୍ଞାନେ ଉଦ୍ଧବକୁ ଉଦ୍ଧରି ॥ ୧୦୧
ତେଣୁ ଗୋବିନ୍ଦ ବୋଲେ ଗଲା । ବଦ୍ରିକାଆଶ୍ରମେ ମିଳିଲା ॥ ୧୦୨
ସମାଧି କରି ଘୋରବନେ । ପୂଜିଲା ଗୋବିନ୍ଦ-ଚରଣେ ॥ ୧୦୩
ଏମନ୍ତେ ଉଦ୍ଧବର ବାଣୀ । ବିଦୁର ସାବଧାନେ ଶୁଣି ॥ ୧୦୪
କୃଷ୍ଣର ଲୀଳା ଅବତାର । ଯେ ଗୁଣଗାଥା କର୍ମ ତା’ର ॥ ୧୦୫
ଶରୀର ଛାଡ଼ିଲେ ଯେମନ୍ତେ । ଏ ସର୍ବକଥା ସ୍ମରି ଚିତ୍ତେ ॥ ୧୦୬
କୃଷ୍ଣର ସ୍ନେହେ ଦେଇମନ । ଚଳନ୍ତେ କରଇ ରୋଦନ ॥ ୧୦୭
କେତେ ହେଁ ଦିନ ବନେ ଗଲା । କାଳିନ୍ଦୀତଟରେ ମିଳିଲା ॥ ୧୦୮
ତହୁଁ ଚଳିଲା ଗଙ୍ଗାତୀରେ । ମୈତ୍ରେୟ-ମୁନି-ଅନୁସରେ ॥ ୧୦୯
କହଇ ବିପ୍ର ଜଗନ୍ନାଥ । ତୃତୀୟସ୍କନ୍ଧେ ଭାଗବତ ॥ ୧୧୦
ବିଦୁର-ଉଦ୍ଧବ-ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୧୧୧
ସୁଜନେ ଏଣେ ଦିନ ବଞ୍ଚ । କୃଷ୍ଣ-ଭକତି ହୃଦେ ସଞ୍ଚ ॥ ୧୧୨
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ଚତୁର୍ଥଽଧ୍ୟାୟଃ

ପଞ୍ଚମ ଅଧ୍ୟାୟ

[ସମ୍ପାଦନା]
ଶୁକ ଉବାଚ

ଶୁଣ ହେ କୁରୁ ନୃପବର । ଗଙ୍ଗାରତୀରେ ସେ ବିଦୁର ॥ ୧
ସେ ଗଙ୍ଗାତୀରେ ଉପବନେ । ଦୃଢ଼ ନିଶ୍ଚଳେ ଯେଗାସନେ ॥ ୨
ଅଗାଧବୋଧ ବ୍ରହ୍ମଋଷି । ବୃକ୍ଷର ମୂଳେ ଛନ୍ତି ବସି ॥ ୩
ମୈତ୍ରେୟ ନାମ ତାହାଙ୍କର । ତେଜେ କି ବିରାଜେ ଭାସ୍କର ॥ ୪
ତାଙ୍କ ସମୀପେ ବେଗେ ଯାଇ । କପୋଳେ ବେନିକର ଦେଇ ॥ ୫
ଗୋବିନ୍ଦଭାବ ଘେନି ହୃଦେ । ବିଦୁର ପୁଚ୍ଛିଲା ଆନନ୍ଦେ ॥ ୬

ବିଦୁର ଉବାଚ

ଭୋ ବ୍ରହ୍ମମୁନି ମୋତେ କହ । ଏ ମୋର ମନରେ ସନ୍ଦେହ ॥ ୭
ଏ ଜୀବଲୋକ ସୁଖଅର୍ଥେ । କର୍ମ ସମ୍ପାଦୁଥାଇ ନିତ୍ୟେ ॥ ୮
କେବେହେଁ ଦୁଃଖ ନ ଚିନ୍ତଇ । ନିଷ୍କାମମାର୍ଗେ ନ ରହଇ ॥ ୯
ସୁଖ ଚିନ୍ତନ୍ତେ ଦୁଃଖଲଭେ । କହ ଏ କେବଣ ପ୍ରସ୍ତାବେ ॥ ୧୦
କୃଷ୍ଣ-ବିମୁଖ ଯେତେ ନର । କର୍ମ ଅଭାଗ୍ୟ ତାହାଙ୍କର ॥ ୧୧
ବଞ୍ଚିତ ଗୁରୁଧର୍ମଦୀକ୍ଷା । କାହୁଁ ପାଇବେ ସୁଖବାଞ୍ଛା ॥ ୧୨
କୃଷ୍ଣର ଅନୁଗ୍ରହୀ ଜନେ । ଭୂତ-ଭବିଷ୍ୟ-ବର୍ତ୍ତମାନେ ॥ ୧୩
ତାଙ୍କ କୁଶଳ ଆଚରନ୍ତି । କ୍ଷେମେଣ ସଂସାରେ ଭ୍ରମନ୍ତି ॥ ୧୪
ହେ ସାଧୁଜନଙ୍କର ସାର । କହ ସାଧୁମାର୍ଗ ବିଚାର ॥ ୧୫
ଯେ ମାର୍ଗେ କୃଷ୍ଣଙ୍କୁ ଆରାଧି । ପ୍ରାଣୀ ଲଭନ୍ତି ସର୍ବସିଦ୍ଧି ॥ ୧୬
ସେ ହରି ଭକ୍ତି ଅନୁଗତେ । ବସନ୍ତି ଭକ୍ତ-ହୃଦଗତେ ॥ ୧୭
ନିର୍ମଳଚିତ୍ତେ ଜ୍ଞାନ କହେ । ଜନ୍ମମରଣ ତାପ ଦହେ ॥ ୧୮
ସେ ହରି ନାନା-ଅବତାରେ । ସଂସାରେ ଯେତେ କର୍ମକରେ ॥ ୧୯
ସ୍ୱଭାବେ ତ୍ରୈଲୋକ୍ୟଈଶ୍ୱର । ବ୍ରହ୍ମା-ଶଙ୍କରେ ଅଗୋଚର ॥ ୨୦
ସ୍ୱଭାବେ ଚେଷ୍ଟା ଯାର ନାହିଁ । ସେ କିପାଁ ସଂସାର ସର୍ଜଇ ॥ ୨୧
ବ୍ରହ୍ମାଣ୍ତେ କରେ ନାନାମୂର୍ତ୍ତି । ଯେ ଜୀବ ଯେମନ୍ତେ ଜୀଅନ୍ତି ॥ ୨୨
ଜୀବଙ୍କୁ ହୃଦେ ଭରି ଶୋଏ । କେବଳ ଆତ୍ମମାୟା-ମୋହେ ॥ ୨୩
ଯୋଗେଶ୍ୱରଙ୍କ ଅଧୀଶ୍ୱର । ଯେମନ୍ତେ ବହୁତ ପ୍ରକାର ॥ ୨୪
ବହୁପ୍ରକାରେ ପ୍ରକାଶଇ । ରବି ଯେସନେ ଶୂନ୍ୟେଥାଇ ॥ ୨୫
କ୍ରୀଡ଼ାବିହାରେ ଏ ଜଗତେ । ଗୋ-ବିପ୍ର-ଦେବ-ରକ୍ଷାଅର୍ଥେ ॥ ୨୬
କର୍ମ କରଇ ସେ ଯେମନ୍ତେ । ରୂପ ପ୍ରଭେଦ ବହୁମତେ ॥ ୨୭
ସେ ହରି-ଚରିତ-ଅମୃତ । ଶୁଣି ସନ୍ତୋଷ ନୋହେ ଚିତ୍ତ ॥ ୨୮
ସେ ଆଦିଲୋକନାଥ ହରି । ଯେ ଅବା ତତ୍ତ୍ବ ଆଶ୍ରେକରି ॥ ୨୯
ଲୋକ-ଅଲୋକ-ଲୋକପାଳ । ଅନେକ ଭୁବନମଣ୍ତଳ ॥ ୩୦
ନାନାପ୍ରକାରେ ଭେଦକରି । ପ୍ରାଣୀଙ୍କ କର୍ମସୂତ୍ର ଧରି ॥ ୩୧
ସେ ନାରାୟଣ ଆତ୍ମଯୋନି । ବିଶ୍ୱସର୍ଜଇ ଯାକୁ ଘେନି ॥ ୩୨
ଯେମନ୍ତେ ଜୀବମାନଙ୍କର । ସ୍ୱଭାବକର୍ମ ଯେ ଯାହାର ॥ ୩୩
ସେ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ ॥ ୩୪
ପରଅପର କଥା ଯେତେ । ଗୋବିନ୍ଦ-ଚରିତ ସମେତେ ॥ ୩୫
ବ୍ୟାସଙ୍କ ମୁଖୁ ଅନୁକ୍ଷଣେ । ଶୁଣିଛି ତୃଷିତ-ଶ୍ରବଣେ ॥ ୩୬
ଅଳପ ସୁଖ ଯା ଲକ୍ଷଣ । ସେ କାହିଁ ହରିବ ମୋ ମନ ॥ ୩୭
ଶ୍ରୀକୃଷ୍ଣ-କଥାମୃତରସ । ପାନରେ ସର୍ବଦା ମୋ ଆଶ ॥ ୩୮
କୃଷ୍ଣଚରିତ ତୀର୍ଥପଦ । ହରଇ ବିଷୟା-ବିଷାଦ ॥ ୩୯
ସକଳତୀର୍ଥେ ମୁନିଗଣେ । ଯାର ଚରିତ ଅନୁକ୍ଷଣେ ॥ ୪୦
ସ୍ତୁତି କରନ୍ତି ଆତ୍ମାଲାଭେ । କେବଳ ଆତ୍ମଜ୍ଞାନଲୋଭେ ॥ ୪୧
ସେ କଥା ପଶି କର୍ଣ୍ଣଦ୍ବାରେ । ସୁତୀକ୍ଷ୍‌ଣ-ଚକ୍ର ଘେନି କରେ ॥ ୪୨
ଯେ କର୍ମ ଗୃହ-ଧନ୍ଦେ ଥାଇ । ତ୍ରିଗୁଣ-ରଜ୍ଜୁ ଗଳେ ଦେଇ ॥ ୪୩
ଜନ୍ମମରଣ-ମାର୍ଗେ ଟାଣେ । ସେ କର୍ମ ଛେଦେ ତତକ୍ଷଣେ ॥ ୪୪
ଏମନ୍ତ କୃଷ୍ଣଗୁଣ ଯେତେ । କେ ତୃପ୍ତ ଶୁଣି କର୍ଣ୍ଣପଥେ ॥ ୪୫
ତୁମ୍ଭର ସଖା ମୁନିବ୍ୟାସ । ଭାରତେ କୃଷ୍ଣ ଗୁଣ-ଯଶ ॥ ୪୬
ଅର୍ଥକାମାଦିଦ୍ୱାରେ କହି । ଯେଣେ ଶ୍ରୀକୃଷ୍ଣେ ମତିହୋଇ ॥ ୪୭
ଯାହା ଶୁଣନ୍ତେ କର୍ଣ୍ଣେ ସୁଖ । ମନେ ନ ରହେ କିଛି ଦୁଃଖ ॥ ୪୮
ଯାହା ଶୁଣନ୍ତେ ନିତିନିତି । ନିବିଡେ଼ ବଢ଼ଇ ବିରକ୍ତି ॥ ୪୯
ସେ ହରି କଥନ ଶ୍ରବଣେ । ଯେ ପ୍ରାଣୀ ବାଞ୍ଛେ ଅନୁକ୍ଷଣେ ॥ ୫୦
ସକଳଦୁଃଖ ହରେ ତାର । ରବି ଯେସନେ ଅନ୍ଧକାର ॥ ୫୧
ଯେ ହରି-କଥନେ ବିମୁଖୀ । ତାର ଜୀବନ ସଦା ଦୁଃଖୀ ॥ ୫୨
ତାର ଆୟୁଷ ଗତି-ସ୍ମୃତି । କାଳର ବଳେ ନାଶ ଯାନ୍ତି ॥ ୫୩
ତାହା ନ ଜାଣି ମୂଢ଼ପଣେ । ବିଅର୍ଥବାଦ ଅନୁକ୍ଷଣେ ॥ ୫୪
ଏଣୁ ଗୋବିନ୍ଦ କଥା ଯେତେ । ଆଗମ ନିଗମ ଭକତେ ॥ ୫୫
ସକଳ କଥା ମଧ୍ୟେ ସାର । ସର୍ବକଲ୍ୟାଣ ସୁଖଘର ॥ ୫୬
ଉଧରି କହ ବିପ୍ର ମୋତେ । ଏ ଜୀବଆତ୍ମା ମୋକ୍ଷଅର୍ଥେ ॥ ୫୭
ପୁଷ୍ପରୁ ସାର ମଧୁ ଯେହ୍ନେ । ଉଦ୍ଧରି ମଧୁକର ଆଣେ ॥ ୫୮
ଚିତ୍ତ-ସନ୍ତୋଷେ ପାନ କରେ । ନିର୍ମଳଭାବେ ଦିନ ହରେ ॥ ୫୯
ସୃଷ୍ଟି-ପାଳନ-ସଂହାରଣେ । ଯେ ହରି ଆତ୍ମାମାୟା-ଗୁଣେ ॥ ୬୦
ଅଶେଷ ଶରୀରେ ବିହରେ । ଅତିମାନୁଷ କର୍ମକରେ ॥ ୬୧
ନାନା ପ୍ରକାର ଶକ୍ତି ଧରେ । ଯେମନ୍ତେ ସଂସାରେ ବିହରେ ॥ ୬୨
ସେ ହରି ଗୁଣକର୍ମ ଯେତେ । ଭୋ ମୁନି କହ ମୋ ଅଗ୍ରତେ ॥ ୬୩

ଶୁକ ଉବାଚ

ଏମନ୍ତ ବିଦୁରର ବାଣୀ । ଆନନ୍ଦେ ମଇତ୍ରେୟ ଶୁଣି ॥ ୬୪
ଏ ଜୀବ ନିସ୍ତରେ ଯେମନ୍ତେ । କହନ୍ତି ବିଦୁର ଅଗ୍ରତେ ॥ ୬୫

ମୈତ୍ରେୟ ଉବାଚ

ବିଦୁର ସାଧୁ ତୋ ବଚନ । ଯେଣେ ତରିବେ ଦୁଃଖୀଜନ ॥ ୬୬
ଯେ କଥା ହରି-ପାରାୟଣ । ବିସ୍ତାରି ପୁଚ୍ଛୁ ତୁ କାରଣ ॥ ୬୭
ବ୍ୟାସଙ୍କ ବୀର୍ଯ୍ୟେ ତୁ ସ୍ୱଭାବେ । ଜନ୍ମ ଲଭିଲୁ ହରିଭାବେ ॥ ୬୮
ମାଣ୍ତବ୍ୟ ତହୁଁ ଶାପ ପାଇ । ତୁ ଯମ ଶୂଦ୍ରରୂପ ବହି ॥ ୬୯
ବ୍ୟାସ କନିଷ୍ଠଭ୍ରାତା କ୍ଷେତ୍ରେ । ଯୋଜନଗନ୍ଧା ଅନୁମତେ ॥ ୭୦
ଶୁଦ୍ରାର ଗର୍ଭେ ତୋର ଜାତ । ତେଣୁ ତୁ ବ୍ୟାସଙ୍କର ସୁତ ॥ ୭୧
ସେ ବିପ୍ରଶାପ ମୋକ୍ଷଅର୍ଥେ । ହରି ଭଜିଲୁ ଅବିରତେ ॥ ୭୨
ସେ ହରି ପ୍ରାଣତ୍ୟାଗ କାଳେ । ବନେ ପିପ୍‌ପଳ ବୃକ୍ଷମୂଳେ ॥ ୭୩
ତୋହର ଅର୍ଥେ ମୋତେ ଜ୍ଞାନ । କହିଲେ ଦେବକୀନନ୍ଦନ ॥ ୭୪
ସେ ଜ୍ଞାନ ତୋତେ ମୁଁ କହିବି । ଶୁଣନ୍ତା-ପ୍ରାଣୀ ନିସ୍ତାରିବି ॥ ୭୫
ସେ ହରି ଯୋଗମାୟା ବଳେ । ଲୀଲାବିହାର ଏ ଶୟଳେ ॥ ୭୬
ବିଶ୍ୱ ସର୍ଜଇ ପାଳି ହରେ । ଯେ ଯୁଗେ ଯେବା କର୍ମକରେ ॥ ୭୭
ନାନାପ୍ରକାର ଲୀଳା କରେ । ଇଚ୍ଛା ଏ ସଂସାରେ ବିହରେ ॥ ୭୮
ସୃଷ୍ଟିର କାଳେ ଭଗବାନ । ଆତ୍ମାକୁ ଆତ୍ମାଜ୍ଞାନେ ଧ୍ୟାନ ॥ ୭୯
କରିଣ ଦେଖେ ଏତଜ୍ୟୋତି । ସେ ପୁଣି ଆତ୍ମଜ୍ଞାନେ ସ୍ଥିତି ॥ ୮୦
ଅଶେଷ ଶକ୍ତି ତାର ଦେହେ । ନିଦ୍ରିତ ପ୍ରାୟେ ସୁଖେ ରହେ ॥ ୮୧
ସେ ଶକ୍ତି ଜ୍ଞାନବଳେ ସ୍ମରି । ତକ୍ଷଣେ ମାୟାରୂପ ଧରି ॥ ୮୨
ସତ-ଅସତ-ଆତ୍ମା ତାର । ଯେ ଭାବେ ନିର୍ମିତ ସଂସାର ॥ ୮୩
ସେ ମାୟାମଧ୍ୟେ କାଳ ରୂପେ । ତ୍ରିଗୁଣ ଗୁଣମୟେ କଳ୍ପେ ॥ ୮୪
ପୁରୁଷରୂପେ ବୀର୍ଯ୍ୟ ଥୋଇ । ସେ ବୀର୍ଯ୍ୟେ ସ୍ୱୟଂ ପ୍ରକାଶଇ ॥ ୮୫
ଅବ୍ୟକ୍ତ ମଧ୍ୟୁ କାଳବଳେ । ମହତ ଉଦୟ ନିଶ୍ଚଳେ ॥ ୮୬
ବିଲୀନଆତ୍ମା ଦେହଗତ । ଯେ ବୀର୍ଯ୍ୟେ ଏ ବିଶ୍ୱ ବ୍ୟକତ ॥ ୮୭
ଯହୁଁ ସକଳ ପରକାଶେ । ଅନ୍ଧାର ଯେହ୍ନେ ରବି-ତ୍ରାସେ ॥ ୮୮
ସେ ଅଂଶ ଗୁଣ କାଳବଶେ । ଆତ୍ମାରୁ ସଂସାର ପ୍ରକାଶେ ॥ ୮୯
ଆତ୍ମାରୁ ଆତ୍ମାଗୁଣ ବଳେ । ଲହରୀ ଯେହ୍ନେ ସିନ୍ଧୁଜଳେ ॥ ୯୦
ସେ ପୁଣି ଈଶ୍ୱରର ଇଚ୍ଛା । ଯହୁଁ ଉପୁଜେ ସୃଷ୍ଟିଦୀକ୍ଷା ॥ ୯୧
ଯେସନେ ରୋପିତ ଅଙ୍କୁର । ଧରଇ ବୃକ୍ଷର ଆକାର ॥ ୯୨
ସେ ରୂପେ ବିଶ୍ୱର ପ୍ରକାଶ । ନିଜଦେହରୁ କରେ ଈଶ ॥ ୯୩
ସେ ଅଂଶ-ଗୁଣ-କାଳ-ଆତ୍ମା । ବିକୃତ କରି ନିଜ ଆତ୍ମା ॥ ୯୪
ତାର ବିକାରୁ ଅହଙ୍କାର । ତକ୍ଷଣେ ହୋଇଲା ବାହାର ॥ ୯୫
କାର୍ଯ୍ୟ କାରଣ କର୍ତ୍ତା ଦେହ । ଭୂତ ଇନ୍ଦ୍ରିୟ ମନୋମୟ ॥ ୯୬
ସାତ୍ତ୍ବିକ ରାଜସ ତାମସ । ଏ ତିନିରୂପେ ତା ପ୍ରକାଶ ॥ ୯୭
ସେ ପୁଣି ବିଷ୍ଣୁ-ମାୟାବଳେ । ଜଳବୁଦ୍‌ବୁଦ ଯେହ୍ନେ ଜଳେ ॥ ୯୮
ମନ ଉପୁଜିଲା ତକ୍ଷଣ । ଇନ୍ଦ୍ରିୟ ଦେବତାଏ ପୁଣ ॥ ୯୯
ତୈଜସୁ ହେଲେ ଇନ୍ଦ୍ରିଗଣେ । ଯେ ଜ୍ଞାନ ପରମ କାରଣେ ॥ ୧୦୦
ତମୁ ଉପୁଜିଲା ଶବଦ । ସ୍ପରଶ ରୂପ-ରସ-ଗନ୍ଧ ॥ ୧୦୧
ଏ ପଞ୍ଚ ସୂକ୍ଷ୍ମଗୁଣେ ମିଶି । ଶବଦୁ ଗଗନ ପ୍ରକାଶି ॥ ୧୦୨
ସେ କାଳମାୟା ଅଂଶଯୋଗେ । ବିଷ୍ଣୁର ଦୃଷ୍ଟିର ସଂଯୋଗେ ॥ ୧୦୩
ତହୁଁ ସ୍ପରଶ-ଗୁଣ ହୋଇ । ସ୍ପର୍ଶୁ ପବନ ପ୍ରକାଶଇ ॥ ୧୦୪
ତାହାର ତହିଁ ବେନିଗୁଣ । ଶବଦ ସ୍ପରଶ ଲକ୍ଷଣ ॥ ୧୦୫
ସେ ପୁଣି କାଳେ ବିକାରିତ । ଜ୍ୟୋତି ତାହାର ତହୁଁ ଜାତ ॥ ୧୦୬
ସେ ଜ୍ୟୋତି ମଧ୍ୟେ ରୂପ ଥୋଇ । ଶବ୍ଦ-ସ୍ପରଶ-ରୂପମୟୀ ॥ ୧୦୭
ଜ୍ୟୋତିବିକାରେ ରସୁଁ ଆପ । ଶବ୍ଦ-ସ୍ପରଶ-ରସ-ରୂପ ॥ ୧୦୮
ଏ ଚାରିଗୁଣ ଜଳେ ଥୋଇ । ଭୂମି ଉପୁଜେ ଗନ୍ଧ ଲଇ ॥ ୧୦୯
ଏମନ୍ତେ ସୃଷ୍ଟିର ସଞ୍ଚାର । ମହତଆଦିତତ୍ତ୍ବଙ୍କର ॥ ୧୧୦
ଅଧିଦେବତା ଅଧିକାର । ଯେ ଅଂଶ ଅଟନ୍ତି ବିଷ୍ଣୁର ॥ ୧୧୧
ସେ ତତ୍ତ୍ବମାନଙ୍କ ଈଶ୍ୱର । ଚେତନା-ବିକ୍ଷେପ-ବିଚାର ॥ ୧୧୨
ଏ ତିନିଗୁଣଙ୍କୁ ସେ ଧରି । ବ୍ରହ୍ମାଣ୍ତ ସୃଜିଣ ନ ପାରି ॥ ୧୧୩
କରଅଞ୍ଜଳି ଶିରେ ଦେଇ । ଭାବେ ବୋଲନ୍ତି ବିଷ୍ଣୁ ଚାହିଁ ॥ ୧୧୪

ଦେବଗଣ ଉବାଚ

ଭୋ ଦେବ ନମୁଁ ତୋ ପୟର । ପ୍ରପନ୍ନଜନ ଦୁଃଖ ହର ॥ ୧୧୫
ଯେ ପାଦପଦ୍ମ ଆଶ୍ରେ କରି । ସଂସାରୁ ତରନ୍ତି ସଂସାରୀ ॥ ୧୧୬
ହେ ଧାତା ତୋର ମାୟାବଳେ । ଅଶେଷଜନ୍ତୁ ଏ ଶୟଳେ ॥ ୧୧୭
କରନ୍ତି ତାପତ୍ରୟେ ଭ୍ରମ । ଏଣୁ ଲଭନ୍ତି ପ୍ରାଣୀ ଶ୍ରମ ॥ ୧୧୮
ତୋ ପାଦପଦ୍ମ ଛାୟାତଳେ । ଯେ ପ୍ରାଣୀ ରହନ୍ତି ନିଶ୍ଚଳେ ॥ ୧୧୯
ସେ ପ୍ରାଣୀ ସଂସାରୁ ତରନ୍ତି । କେବେ ହେଁ ଭ୍ରମେ ନ ପଡ଼ନ୍ତି ॥ ୧୨୦
ଏଣୁ ତୋ ପାଦ ସେବାଅର୍ଥେ । ଆମ୍ଭେ ରହିବୁ ଏ ଜଗତେ ॥ ୧୨୧
ତୋ ମୁଖପଦ୍ମ ଛାୟା ପ୍ରାୟ । ଯେମନ୍ତେ ପକ୍ଷୀଙ୍କ ଆଶ୍ରୟ ॥ ୧୨୨
ନିଶ୍ଚିନ୍ତ ପ୍ରାୟେ ଘୋରବନେ । ଆଶ୍ରେ କରନ୍ତି ମୁନିଜନେ ॥ ୧୨୩
ସେ ପାଦ ଛୁଇଁ ତୀର୍ଥବର । ଗଙ୍ଗା ଯେ ସ୍ୱଭାବେ ନିର୍ମଳ ॥ ୧୨୪
ସମ୍ପୂର୍ଣ୍ଣ ଅଘମରଷଣ । ସେ ପାଦେ ପଶିଲୁ ଶରଣ ॥ ୧୨୫
ଏଣୁ ଯେ ତୋହର ଚରଣେ । ହୃଦେ ଭାବନ୍ତି ଅନୁକ୍ଷଣେ ॥ ୧୨୬
ଜ୍ଞାନ-ବୈରାଗ୍ୟବଳେ ଚିନ୍ତି । ଯେ ପାଦ ହୃଦେ ଆରୋପନ୍ତି ॥ ୧୨୭
ସେ ପାଦେ ପଶିଲୁ ଶରଣ । ପ୍ରସନ୍ନ ହୁଅ ନାରାୟଣ ॥ ୧୨୮
ସୃଷ୍ଟି-ସ୍ଥିତି-ସଂହାର ଅର୍ଥେ । ତୋ ଅବତାର ଏ ଜଗତେ ॥ ୧୨୯
ସେ ରୂପ ଗୁଣ ଯେ ଚିନ୍ତନ୍ତି । ଏ ଘୋରସଂସାରୁ ତରନ୍ତି ॥ ୧୩୦
ଭୋ ନାଥ ଗୃହ-ଅନ୍ଧକୂପେ । ପ୍ରାଣୀ ପଡ଼ନ୍ତି ମୋହକଳ୍ପେ ॥ ୧୩୧
ମୁହିଁ ମୋହର ବୋଲି ଭାଷି । ହୃଦେ ବାନ୍ଧନ୍ତି ମୋହଫାଶି ॥ ୧୩୨
ସେ ଦୃଢ଼-ବନ୍ଧନ ବିଷାଦ । ହେଳେ ଖଣ୍ତଇ ତୋର ପାଦ ॥ ୧୩୩
ତୋ ପାଦପଦ୍ମେ ଜଗନ୍ନାଥ । ନିରତେ ରହୁ ଆମ୍ଭ ଚିତ୍ତ ॥ ୧୩୪
ଅଶାନ୍ତ ଇନ୍ଦ୍ରିଗଣ ମେଳେ । ହୃଦୟ ନ ରହେ ନିଶ୍ଚଳେ ॥ ୧୩୫
ଆତ୍ମାର ପଥ ନ ଦେଖନ୍ତି । ଯେ କଳ୍ପେ ସମ୍ପଦ-ବିଭୂତି ॥ ୧୩୬
ତୋ କଥା ସୁଧା ରସପାନ । ପ୍ରବୋଧ-ଭକ୍ତି-ଦିବ୍ୟଜ୍ଞାନ ॥ ୧୩୭
ବୈରାଗ୍ୟସାର ସେ ଲଭନ୍ତି । ନିର୍ଭୟେ ବିଷ୍ଣୁ ଲୋକେ ଯାନ୍ତି ॥ ୧୩୮
ଅପରେ ଯେତେ ମୁନିକୁଳେ । ଆତ୍ମା-ସମାଧି-ଯୋଗବଳେ ॥ ୧୩୯
ଘୋର ପ୍ରକୃତି-ମୁଖୁ ତରି । ତୋ ପଦ-କମଳ ଆବୋରି ॥ ୧୪୦
ତୋର ସେବାରେ ଭ୍ରମ ତୁଟେ । ଅଶେଷ-ବାୟାବନ୍ଧ ଫିଟେ ॥ ୧୪୧
ଲୋକ ସର୍ଜିବା ଅର୍ଥେ ତୁହି । ଆମ୍ଭଙ୍କୁ ଆପଣେ ଭିଆଇ ॥ ୧୪୨
ତ୍ରିଗୁଣ-ଭେଦଭାବ ଦେଇ । ଆମ୍ଭଙ୍କୁ ସର୍ଜୁ ନାଥ ତୁହି ॥ ୧୪୩
ଆମ୍ଭେ ବିଯୁକ୍ତଭାବେ ଥାନ୍ତେ । ତୋ ସୃଷ୍ଟି କରିବୁ କେମନ୍ତେ ॥ ୧୪୪
ଯେମନ୍ତେ ଯଥାକାଳେ ବଳି । ତୋ ପାଦେ ଦେଇ ବନମାଳୀ ॥ ୧୪୫
ଥୋକାଏ ପାଇ ତୋଷଚିତ୍ତେ । ତୋ ପାଦେ ସେବୁଁ ଅବିରତେ ॥ ୧୪୬
ତୁ କୂଟସ୍ଥିତ ଆଦି ହରି । ମାୟା-ପୁରୁଷ ରୂପ ଧରି ॥ ୧୪୭
ଅବିଦ୍ୟା ଗୁଣ-କର୍ମ-ବଳେ । ତୋ ଶକ୍ତିଗର୍ଭେ ତୁ ନିଶ୍ଚଳେ ॥ ୧୪୮
ଅମୋଘ-ବୀର୍ଯ୍ୟ ନାଥ ଥୋଇ । ସୃଷ୍ଟି ସର୍ଜନା କରୁ ତୁହି ॥ ୧୪୯
ତୋହର ତହୁଁ ଆମ୍ଭେ ଜାତ । ସତ୍ୟ ପ୍ରମୁଖ ଜଗନ୍ନାଥ ॥ ୧୫୦
ତୋ ଆଜ୍ଞା ଶିରେ ଘେନି ଭାବେ । କହ କି କରିବଇଁ ଏବେ ॥ ୧୫୧
ଆମ୍ଭଙ୍କୁ ଦିବ୍ୟଚକ୍ଷୁ ଦେଇ । ତୋର ବ୍ୟାପାରେ ରଖ ତୁହି ॥ ୧୫୨
ଏମନ୍ତ ଦେବଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧୫୩
ସେ ହରିଚରଣେ ବିଶ୍ୱାସ । ଭଣଇ ଜଗନ୍ନାଥ ଦାସ ॥ ୧୫୪
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ପଞ୍ଚମୋଽଧ୍ୟାୟଃ

ଷଷ୍ଠ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ଏମନ୍ତ ଦେବଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧
ନିଦ୍ରିତ ପ୍ରାୟ ଲୋକତନ୍ତ୍ର । ଈଶ୍ୱର ଇଚ୍ଛାର ଆୟତ୍ତ ॥ ୨
ସେ କାଳଶକ୍ତି ରୂପ ଧରି । ତ୍ରୟୋବିଂଶଶତିତତ୍ତ୍ବେ ପୂରି ॥ ୩
ଚେଷ୍ଟା-ସ୍ୱରୂପେ ତାଙ୍କ ମଧ୍ୟେ । ନିଦ୍ରିତ-କର୍ମକୁ ପ୍ରବୋଧେ ॥ ୪
ସଂଯୋଗ କରି ଭିନ୍ନଭିନ୍ନ । ଯାହାର ଯହିଁ ପ୍ରୟୋଜନ ॥ ୫
ସେ ତ୍ରୟୋବିଂଶତତ୍ତ୍ବଗଣେ । ଈଶ୍ୱର-ଆଜ୍ଞା ପରମାଣେ ॥ ୬
ଯେ ଯାହା ମାତ୍ରା ବଳ ଦେଇ । ଅଧିପୁରୁଷ ରୂପ ବହି ॥ ୭
ଏମନ୍ତେ ପରମପୁରୁଷ । ମାତ୍ରାଙ୍କ ମଧ୍ୟେ ପରକାଶ ॥ ୮
ଏକ ଆରକେ କ୍ଷୋଭ ପାଇ । ଚରଅଚର ଲୋକ ଯହିଁ ॥ ୯
ସୁବର୍ଣ୍ଣମୟ ସେ ପୁରୁଷ । ରହିଲା ସହସ୍ରବରଷ ॥ ୧୦
ଜଳେ ଶୟନ ନାରାୟଣ । ଅନାଦି-ପରମ-କାରଣ ॥ ୧୧
ସକଳ ଜୀବ ଆତ୍ମା ସେହି । ସର୍ବଶରୀରେ ସଞ୍ଚରଇ ॥ ୧୨
ସଂସାରେ ଯେତେ ପ୍ରଜାପତି । ବିଶ୍ୱସଂସାରକୁ ସର୍ଜନ୍ତି ॥ ୧୩
ତାହାଙ୍କ ରୂପହେତୁ ସେହି । ତୃତୀୟଶକ୍ତି କି ସେ ବହି ॥ ୧୪
ଦଇବ ଆତ୍ମା କର୍ମମୟ । ବିଭାଗ କରି ଆତ୍ମାଦେହ ॥ ୧୫
ସର୍ଜିଲା ଏକ ଦଶ ତିନି । ସୃଷ୍ଟିବ୍ୟାପାରେ କର୍ମ ଘେନି ॥ ୧୬
ଜ୍ଞାନେ ଚୈତନ୍ୟରୂପ ଧରି । କ୍ରିୟାଶକ୍ତିରେ ପ୍ରାଣଭରି ॥ ୧୭
ଯେ ପ୍ରାଣ ଅପାନ ସମାନ । ଉଦାନ ବ୍ୟାନଟି ପ୍ରମାଣ ॥ ୧୮
କୃକର କୂର୍ମ ନାଗ ଖ୍ୟାତ । ଯେ ଧନଞ୍ଜୟ ଦେବଦତ୍ତ ॥ ୧୯
ଏମନ୍ତେ ଦଶପ୍ରାଣ କରି । ଏହାଙ୍କ ବୃତ୍ତିଭେଦେ ହରି ॥ ୨୦
ଅଶେଷ ପ୍ରାଣୀ ଆତ୍ମା ଏହି । ଖେଳଇ ଅଂଶରୂପ ହୋଇ ॥ ୨୧
ଆଦି ଅବତାର ସର୍ଜନ । ଏ ଭୂତଗ୍ରାମ ଭିନ୍ନ ଭିନ୍ନ ॥ ୨୨
ଅଧ୍ୟାତ୍ମ ଅଧିଭୂତ ଭାବ । ପୁଣି କଳ୍ପିଲା ଅଧିଦେବ ॥ ୨୩
ବିରାଟରୂପେ ଦଶପ୍ରାଣ । ଏକା ସେ ହୃଦୟ କାରଣ ॥ ୨୪
ବିଶ୍ୱ-ସର୍ଜନ ଅର୍ଥେ ହରି । ତତ୍ତ୍ବଙ୍କ କଥାକୁ ସୁମରି ॥ ୨୫
ପ୍ରଜାପତିଙ୍କ ଜନ୍ମ ଜାଣି । ବିରାଜଦେହେ ଚକ୍ରପାଣି ॥ ୨୬
ତକ୍ଷଣେ ପଶି ନିଜ ତେଜେ । ଯେବା ଯେ ପ୍ରୟାଜନ କାର୍ଯ୍ୟୋ ॥ ୨୭
ସ୍ଥାନ ଭିଆଇ ଦଶମତେ । ଶୁଣ ତୁ ସ୍ଥାପିଲେ ଯେମନ୍ତେ ॥ ୨୮
ବିରାଜମୁଣ୍ତେ ତୁଣ୍ତ କରି । ବଚନ ଅର୍ଥେ ଅଧିକାରୀ ॥ ୨୯
ଅଗ୍ନି ସ୍ଥାପିଲେ ଶବ୍ଦ ଅର୍ଥେ । ଏତେ ତୁ ଶୁଣ ଏକଚିତ୍ତେ ॥ ୩୦
ସେ ମୁଖ ମଧ୍ୟେ ତାଳୁ ଭେଦି । ବରୁଣ ରସନା ସମ୍ପାଦି ॥ ୩୧
ଜିହ୍ୱା ଆବୋରି ଷଡ଼ରସେ । ଥାପିଲେ ଆସ୍ୱାଦନ ବଶେ ॥ ୩୨
ତୁଣ୍ତ ଉପରେ ନାସାଦ୍ୱାରେ । ବସିଲେ ଅଶ୍ୱିନୀକୁମାରେ ॥ ୩୩
ଘ୍ରାଣ ଆବୋରି ଗନ୍ଧ ଅର୍ଥେ । ସୁଗନ୍ଧ ଦୁର୍ଗନ୍ଧ ସହିତେ ॥ ୩୪
ସେ ନାସାମୂଳେ ଚକ୍ଷୁଦ୍ୱାର । ସମେ ବସଇ ଦିବାକର ॥ ୩୫
ଜ୍ୟୋତିସ୍ୱରୂପେ ସେ ଲୋଚନେ । ରହିଲେ ରୂପ-ସମ୍ପାଦନେ ॥ ୩୬
ପବନ ବହେ ଦେହେ ପଶି । କେବେହେଁ କାହିଁରେ ନ ମିଶି ॥ ୩୭
ଶୀତ-ତପତ ଜାଣିବାରେ । ଚର୍ମେ ବସିଲେ ଅଧିକାରେ ॥ ୩୮
ସେ ବେନିଚକ୍ଷୁର ଉପରେ । ବାମ-ଦକ୍ଷିଣ କର୍ଣ୍ଣଦ୍ବାରେ ॥ ୩୯
ଶବଦ ଅର୍ଥେ ଦିଗ ବସେ । ଯେବା ଶବଦ ଯେଣେ ଭାଷେ ॥ ୪୦
ତ୍ୱକ ଯେ ଚର୍ମୁ ଭିନ୍ନ ହେଲା । ଔଷଧି ଲୋମେ ଯେ ବସିଲା ॥ ୪୧
ସେହି ଲୋମରୁ କଣ୍ତୁ ଆଦି । ହୁଅଇ ସ୍ପରଶ ସୁଖାଦି ॥ ୪୨
ମେଢ୍ର ଆବୋରି ଲିଙ୍ଗବୃତ୍ତି । ତହିଁ ବସିଲେ ପ୍ରଜାପତି ॥ ୪୩
ଶୁକ୍ର ରେତସ ଅନୁବନ୍ଧେ । ମୈଥୁନ ସ୍ପରଶ ଆନନ୍ଦେ ॥ ୪୪
ସନ୍ତତି ଉପୁଜିବା ଅର୍ଥେ । ଲିଙ୍ଗେ ରହିଲେ ଦୃଢ଼ଚିତ୍ତେ ॥ ୪୫
ତା ଅଧେ ଅଷ୍ଟମଅଙ୍ଗୁଳେ । ଯେ ମଳଦ୍ୱାର ପାୟୁମୂଳେ ॥ ୪୬
ମିତ୍ର ବସିଲା ତା ଆବୋରି । ମୃତ୍ୟୁଦେବତା ସଙ୍ଗେ କରି ॥ ୪୭
ମଳ ଉର୍ତ୍ସଗ ଦୃଢ଼ବନ୍ଧେ । ବ୍ୟାପାର ଆବୋରି ଆନନ୍ଦେ ॥ ୪୮
ହୃଦ ଉପରେ ବେନିଭୁଜେ । ଇନ୍ଦ୍ର ବସିଲା ନିଜ ତେଜେ ॥ ୪୯
ବୃତ୍ତିବ୍ୟାପାର କର୍ମ ଅର୍ଥେ । ଜୀବର ଜୀବିକା ଯେମନ୍ତେ ॥ ୫୦
କଟୀ ସନ୍ଧାନ ପାଦ କରି । ତହିଁ ବସିଲେ ନରହରି ॥ ୫୧
ଏ ପିଣ୍ତ ଚଳିବ ଯେମନ୍ତେ । ଗମନ ପ୍ରାପ୍ୟସ୍ଥାନ ଅର୍ଥେ ॥ ୫୨
ବାଗୀଶ ବସେ ବୁଦ୍ଧି ମଧ୍ୟେ । ସୁବୁଦ୍ଧି ପ୍ରବୋଧ ଆନନ୍ଦେ ॥ ୫୩
ହୃଦୟଭେଦେ ନିଶାକର । ଯେ ମନବ୍ୟାପାର-ଗୋଚର ॥ ୫୪
ଚନ୍ଦ୍ରମା ତହିଁ ଦୃଢ଼ମତେ । ଆବୋରି ରହିଲା ନିଶ୍ଚିନ୍ତେ ॥ ୫୫
ଆତ୍ମାରେ ବସେ ଅଭିମାନ । ଯେଣୁ କର୍ତ୍ତବ୍ୟେ ବହେ ଜ୍ଞାନ ॥ ୫୬
ଚିତ୍ତକୁ ଭେଦି ସ୍ରଷ୍ଟା ବସେ । ଯେଣେ ସେ ବିଜ୍ଞାନ ପ୍ରକାଶେ ॥ ୫୭
ମୂର୍ଦ୍ଧନି ଦେଶେ ସ୍ୱର୍ଗରହେ । ପାଦଯୁଗଳେ ମହୀ ବହେ ॥ ୫୮
ନାଭିରୁ ପ୍ରକାଶେ ଗଗନ । ଗୁଣଙ୍କ ବୃତ୍ତି ଘେନି ଶୂନ୍ୟ ॥ ୫୯
ଏମନ୍ତେ ଆତ୍ମା ତାଙ୍କ ମତେ । ଦେହ ଆବୋରିଲେ ନିଶ୍ଚିନ୍ତେ ॥ ୬୦
ସୁର-ଈଶ୍ୱରଗଣ ଜନ । ଦେହେ କଳ୍ପିଲେ ଭଗବାନ ॥ ୬୧
ଅତ୍ୟନ୍ତ ସତ୍ତ୍ବଗୁଣ କରି । ଦେବେ ରହିଲେ ସ୍ୱର୍ଗପୁରୀ ॥ ୬୨
ରଜ-ସ୍ୱଭାବ ନରଗଣ । ଭୂମିରେ କଲେ ଅଧିଷ୍ଠାନ ॥ ୬୩
ରୁଦ୍ରପାର୍ଷଦ ଭୂତଗଣ । ତାଙ୍କ ସ୍ୱଭାବ ତମୋଗୁଣ ॥ ୬୪
ତାହାଙ୍କ ଅନ୍ତରୀକ୍ଷଲୋକ । ଯାହାକୁ ବୋଲି ଭୂବଲୋକ ॥ ୬୫
ବ୍ରାହ୍ମଣ ଜନ୍ମିଲା ମୁଖରୁ । ଯେ ଚାରିବର୍ଣ୍ଣଙ୍କର ଗୁରୁ ॥ ୬୬
ବିରାଜ ତେଜଗୁଣେ ହରି । ଭୁଜୁଁ କ୍ଷତ୍ରିୟ ଜନ୍ମ କରି ॥ ୬୭
ବୈଶ୍ୟ ଜନ୍ମିଲେ ଜାନୁଯୁଗେ । ଜୀବର ଜୀବିକା ସ୍ୱଭାବେ ॥ ୬୮
ଏ ତିନିବର୍ଣ୍ଣ ସେବାଅର୍ଥେ । ଶୂଦ୍ର ଜନ୍ମିଲା ପାଦଗତେ ॥ ୬୯
ଯାହାର ସେବାବୃତ୍ତି ଫଳେ । ହରି ସନ୍ତୋଷ ଏ ଶୟଳେ ॥ ୭୦
ଏ ଚାରିବର୍ଣ୍ଣ ଏ ଜଗତେ । ସ୍ୱଭାବଧର୍ମ ଅନୁମତେ ॥ ୭୧
ଜଗତଗୁରୁ ହରିପାଦେ । ଭଜିବେ ଯୁଗ ଅନୁବାଦେ ॥ ୭୨
ଶୁଦ୍ଧ ସୁବୃତ୍ତି ଘେନି ସୁଖେ । ବିଷ୍ଣୁ ପୂଜିବେ ଯଜ୍ଞମୁଖେ ॥ ୭୩
ତାହାର ଗୁଣ ବର୍ଣ୍ଣିବାରେ । କେବା ସମର୍ଥ ଏ ସଂସାରେ ॥ ୭୪
ଏମନ୍ତେ ଶୁଣ ହେ ବିଦୂର । ଯାହା କହିଲେ ଗଦାଧର ॥ ୭୫
ମୁଁ ତୋତେ କହିଲଇଁ ଭାବେ । ଯାହା ପଚାରିଲୁ ପ୍ରସ୍ତାବେ ॥ ୭୬
ସେ ହରି ଗୁଣ-ମାୟା-ଅର୍ଥ । କେ ମୁଖେ କହି ସାମରଥ ॥ ୭୭
ତଥାପି ଜ୍ଞାନ ମୋର ଯେତେ । ସବୁ କହିବି ତୋ’ ଅଗ୍ରତେ ॥ ୭୮
ଯେଣୁ ସେ କୃଷ୍ଣର ଚରିତ । କରଇ ବଚନ ପବିତ୍ର ॥ ୭୯
ଯା’ର ମହିମା ଅବଧାନେ । ଜ୍ଞାନ-ଅମୃତ-ରସ-ପାନେ ॥ ୮୦
ଜନ୍ମ-ମରଣୁ ପ୍ରାଣୀତରେ । ନ ବୁଡେ଼ ସଂସାରସାଗରେ ॥ ୮୧
ତା’ର ମହିମା ଏ ସଂସାରେ । କେ କହୁ ଶତ ସମ୍ବ›ତ୍ସରେ ॥ ୮୨
ଯା’ର ମହିମା ଯୋଗେ ଚିନ୍ତି । ବ୍ରହ୍ମାଶଙ୍କରେ ମୋହ ଯା’ନ୍ତି ॥ ୮୩
ସେ ହରି ଏ ମାୟା ସଂସାରେ । ମୋହିନୀ ରୂପରେ ପ୍ରଚରେ ॥ ୮୪
ସେ ହରି ସ୍ୱୟଂ ଆତ୍ମାଗତି । ସେହି ନ ଜାଣେ ମାୟାଗତି ॥ ୮୫
ଅପରେ କେବା ତାହା ଜାଣେ । ବ୍ରହ୍ମାଦି ଯେତେ ଦେବଗଣେ ॥ ୮୬
ଯା’ର ଚରଣ ଖୋଜିଗଲେ । ମନ-ବଚନ ନ ପାଇଲେ ॥ ୮୭
ଅପରେ କେ ତାହା ଜାଣିବ । କେ ମୁଖେ ରେଣୁକୁ ଗଣିବ ॥ ୮୮
ସେ ହରିପାଦେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୮୯
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଷ‌ଷ୍ଠୋଽଧ୍ୟାୟଃ

ସପ୍ତମ ଅଧ୍ୟାୟ

[ସମ୍ପାଦନା]
ଶୁକ ଉବାଚ

ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ଦୃଢ଼ଚିତ୍ତେ ଶୁଣି ॥ ୧
ଆନନ୍ଦମନେ ବ୍ୟାସସୁତ । କପୋଳେ ଦେଇ ବେନିହସ୍ତ ॥ ୨
ରୋମପୁଲକ ତା’ର ଦେହୀ । ପୁଚ୍ଛେ ମୈତ୍ରେୟ ମୁଖ ଚାହିଁ ॥ ୩

ବିଦୁର ଉବାଚ

ଭୋ ମୁନି ଏ ତ ବିପରୀତ । ଭ୍ରମେ ଭ୍ରମଇ ମୋ’ର ଚିତ୍ତ ॥ ୪
ସେ ହରି ସ୍ୱଭାବେ ନିର୍ଗୁଣ । ଚିନ୍ମାତ୍ର ପରମ-କାରଣ ॥ ୫
ଲୀଳା-ବିହାରେ-ଗୁଣ କ୍ରିୟା । କି ରୂପେ ସର୍ଜେ ତାରମାୟା ॥ ୬
ବାଳକ କ୍ରୀଡ଼ାଭାବ ଯେହ୍ନେ । ଏ ତ ନ ଘଟେ ଅନୁମାନେ ॥ ୭
ଇଚ୍ଛା-ସ୍ୱଭାବେ ଖେଳତା’ର । ଏ ନୋହେ ମୋହର ଗୋଚର ॥ ୮
ଯେ ନିଦ୍ରାଗତ ନିଜ ସୁଖେ । ସେ କିପାଁ ମିଶେ ଏତେ ଦୁଃଖେ ॥ ୯
ଯେ ଗୁଣମୟୀ ମାୟାବଳେ । ବିଶ୍ୱସର୍ଜଇ ଅବହେଳେ ॥ ୧୦
ପୁଣି ପାଳିଣ କରେ ଅନ୍ତ । ବ୍ୟାପାରୀ ପୁରୁଷ ଯେମନ୍ତ ॥ ୧୧
ଯେ ଜୀବଆତ୍ମା ବ୍ରହ୍ମମୟେ । କିପାଁ ଅବିଦ୍ୟା ସଙ୍ଗହୋଏ ॥ ୧୨
କର୍ମ କରଇ ନାନାମତେ । ଯେ ଦେଶକାଳପାତ୍ର ଅର୍ଥେ ॥ ୧୩
କେମନ୍ତେ ସୃଷ୍ଟି ସେ କରଇ । ସେ କର୍ମ ତା’କୁ ନ ଲାଗଇ ॥ ୧୪
ମାୟା ସଂଯୋଗେ ନିପାତଇ । ଅନ୍ୟ ପୁରୁଷ ପ୍ରାୟ ହୋଇ ॥ ୧୫
ସେ ଏକ ସର୍ବ ଆତ୍ମାଗତି । ସକଳ କ୍ଷେତ୍ରେ ତା’ର ସ୍ଥିତି ॥ ୧୬
କର୍ମରୁ ସୁଖ-କ୍ଳେଶ ସ୍ଫୁରେ । ସେ କିପାଁ ଏ କର୍ମେ ବିହରେ ॥ ୧୭
ଅଜ୍ଞାନ-ସଙ୍କଟେ ମୋ’ ମନ । ପଡ଼ି ଭାଳଇ ଛନ୍ନଛନ୍ନ ॥ ୧୮
ଏଣୁ ମୋ’ ମନେ ଯେତେ ଖେଦ । ଜ୍ଞାନ-ଖଡ଼ଗେ ମୁନି ଛେଦ ॥ ୧୯

ଶୁକ ଉବାଚ

କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ଦଣ୍ତଧର ॥ ୨୦
ଏମନ୍ତେ ବିଦୁରର ବାଣୀ । ସାନନ୍ଦେ ମଇତ୍ରେୟ ଶୁଣି ॥ ୨୧
ବିଷ୍ଣୁ-ଚିନ୍ତନ ଅନୁରାଗେ । ହସି କହନ୍ତି ତା’ର ଆଗେ ॥ ୨୨

ମୈତ୍ରେୟ ଉବାଚ

ସେ ବିଷ୍ଣୁ ମାୟାମୟ ଦେହୀ । ଏମନ୍ତେ ମନକୁ ମୋହଇ ॥ ୨୩
ଈଶ୍ୱର ସ୍ୱଭାବେ ବିମୁକ୍ତ । ତା’ର ବନ୍ଧନ ମାୟା ମାତ୍ର ॥ ୨୪
ଯେସନେ ସ୍ୱପ୍ନେ ଅନୁମାନ । ହୁଅଇ ମସ୍ତକ ଛେଦନ ॥ ୨୫
ସେ ରୂପେ ଆତ୍ମାର ବନ୍ଧନ । ଅସତ୍ୟ ସତ୍ୟ ପ୍ରାୟେ ଜାଣ ॥ ୨୬
ଆତ୍ମାର ବିପରୀତ ଭାବେ । ଈଶ୍ୱର ଈଶ୍ୱର ସ୍ୱଭାବେ ॥ ୨୭
ଶରୀର ଭେଦେ ଇଚ୍ଛାକରେ । ଯେସନେ ଦର୍ପଣ ଭିତରେ ॥ ୨୮
ଦେଖନ୍ତା ପୁରୁଷକୁ ମୋହେ । ତା’ର ବିକାର ଦେହେ ବହେ ॥ ୨୯
କର୍ମ କରନ୍ତେ ସେ କରଇ । ସେ ଯେହ୍ନେ ତା’କୁ ନ ଲାଗଇ ॥ ୩୦
ଏମନ୍ତେ କୃଷ୍ଣ-ମାୟାବଳେ । ଚନ୍ଦ୍ରର ଛାୟା ଯେହ୍ନେ ଜଳେ ॥ ୩୧
ଜଳ କମ୍ପନେ ସେ କମ୍ପଇ । ସେ ଯେହ୍ନେ ତା’କୁ ନ ଲାଗଇ ॥ ୩୨
ତେମନ୍ତେ ଜୀବ ମାୟାବଳେ । ଆତ୍ମାରେ ନ ରହେ ନିଶ୍ଚଳେ ॥ ୩୩
ଯୋଗୀଏ ଯୋଗଧ୍ୟାନ ବଳେ । ଆତ୍ମାରେ ରହନ୍ତି ନିଶ୍ଚଳେ ॥ ୩୪
ଇନ୍ଦ୍ରିୟ ତା’ଙ୍କୁ ନ ଲାଗନ୍ତି । ଅନ୍ତରେ ନିଶ୍ଚଳେ ରହନ୍ତି ॥ ୩୫
ବିଷ୍ଣୁର ପାଦ ସେହି ମତେ । ଯେବା ଚିନ୍ତନ୍ତି ଅବିରତେ ॥ ୩୬
ତାହାଙ୍କ ଦେହେ କ୍ଳେଶ ଯେତେ । ଦହନ ହୁଅନ୍ତି ସମସ୍ତେ ॥ ୩୭
ଏଣୁ କୃଷ୍ଣର ଗୁଣଗାଥା । ଯେ ଶୁଣେ ଯେ ଅବା ବକତା ॥ ୩୮
ଅଶେଷ-କ୍ଳେଶ ତା’ଙ୍କ ଦେହେ । ଦହନ ହୋନ୍ତି ତୃଣପ୍ରାୟେ ॥ ୩୯
ସେ ହରି-ପାଦପଦ୍ମ-ଗନ୍ଧେ । ଚିତ୍ତ ଲୋଭିତ ମକରନ୍ଦେ ॥ ୪୦
ନିତ୍ୟେ ପିବନ୍ତି ଭୃଙ୍ଗ ପ୍ରାୟ । ତା’ଙ୍କୁ ନ ଲାଗେ ଯମଭୟ ॥ ୪୧

ବିଦୁର ଉବାଚ

ଭୋ ମୁନି ତୁମ୍ଭ ବାକ୍ୟ-ଅସି । ମୋ’ ମନ-ସଂଶୟ ବିନାଶି ॥ ୪୨
ଜୀବ-ପରମ ବେନିଭାବେ । ଚିତ୍ତ ମୋ’ ପ୍ରବେଶିଲା ଏବେ ॥ ୪୩
ଅବିଦ୍ୟାମୂଳ ଏ ସଂସାର । ସତ୍ୟ ଏ ବଚନ ତୋହର ॥ ୪୪
ବିଷ୍ଣୁ-ମାୟାରେ ଜୀବ ଭ୍ରମେ । ଅସତ୍ୟ ସତ୍ୟ ପ୍ରାୟ ମଣେ ॥ ୪୫
ସଂସାରେ ମୂଢ଼ ଯେଉଁ ଜନ । ଯେବା ଈଶ୍ୱରେ ଦୃଢ଼ମନ ॥ ୪୬
ଏ ବେନି ସଂସାରୁ ତରନ୍ତି । ମଝିମଝିକା ନାଶ ଯା’ନ୍ତି ॥ ୪୭
ଅନର୍ଥ ଅସତ୍ୟ ସଂସାର । ସତ୍ୟ ପ୍ରତୀତି ଯେ ମୋହର ॥ ୪୮
ତା’ ତୁମ୍ଭ ଚରଣ-ସେବାରେ । ନାଶିବି ତୁମ୍ଭର କୃପାରେ ॥ ୪୯
ସାଧୁଙ୍କ ସେବାଫଳ ଏହି । କୃଷ୍ଣ-ଚରଣେ ପ୍ରୀତି ହୋଇ ॥ ୫୦
ସେ ହରି ଚରଣ ପ୍ରସାଦେ । ସଂସାରୁ ତରେ ଅପ୍ରମାଦେ ॥ ୫୧
ବୈକୁଣ୍ଠ-ମାର୍ଗ ସାଧୁଜନେ । ତାହାଙ୍କ ସେବା ଅଳ୍ପପୁଣ୍ୟେ ॥ ୫୨
ଦୁର୍ଲ୍ଲଭ ଅଟଇ ଜଗତେ । ହରି କୀର୍ତ୍ତନ ଯହିଁ ନିତ୍ୟେ ॥ ୫୩
ଇନ୍ଦ୍ରିୟ ମହଦାଦିତତ୍ତ୍ବ । ବିରାଟ-ପୁରୁଷ ସହିତ ॥ ୫୪
ଏହାଙ୍କୁ ସର୍ଜି ନାରାୟଣ । ଅଂଶେ ପ୍ରବେଶ ତହିଁ ପୁଣ ॥ ୫୫
ସହସ୍ରପାଦ ଉରୁ ହସ୍ତ । ଯା’ ଦେହେ ବ୍ରହ୍ମାଣ୍ତ ସମସ୍ତ ॥ ୫୬
ବ୍ରାହ୍ମଣ ଆଦି ଚାରି ଜାତି । ବିଶେଷେ ତାହାର ବିଭୂତି ॥ ୫୭
ବିସ୍ତାରି କହ ତୁ କାରଣେ । କ୍ଷୀଣ-ସଂଶୟ ହୋଏ ଯେଣେ ॥ ୫୮
ଏ ସୃଷ୍ଟି ବିସ୍ତାର କାରଣେ । ଯେମନ୍ତେ ପ୍ରଜାପତିଗଣେ ॥ ୫୯
ସର୍ଗ ସମେତେ ପ୍ରତିସର୍ଗ । ମନୁ ମନୁଅନ୍ତର ଭୋଗ ॥ ୬୦
ଏହାଙ୍କ ତହୁଁ ବଂଶ ଯେତେ । ବଂଶାନୁଚରିତ ସହିତେ ॥ ୬୧
ବିରାଜ ରୂପ ଦେହ ମଧ୍ୟେ । ଯେବା ବସନ୍ତି ଅଧଊଦ୍ଧ୍ୱେର୍ ॥ ୬୨
ଚତୁରଦଶ ଲୋକ ସ୍ଥିତି । କେ କେତେ ଅନ୍ତରେ ବସନ୍ତି ॥ ୬୩
ଦେବ ମନୁଷ୍ୟ ପଶୁଗଣ । ପକ୍ଷୀ ପତଙ୍ଗ ଭୂମି ତୃଣ ॥ ୬୪
ସ୍ୱେଦଜ ଅଜ ଉଦ୍‌ଭିଜ । ଯେ ଅବା ପୁଣି ଜରାୟୁଜ ॥ ୬୫
ଏହାଙ୍କ ସର୍ଗର ବିଭାଗ । ଭୋ ମୁନି କହ ମୋର ଆଗ ॥ ୬୬
ଯେ ଗୁଣେ ଯେବା ଅବତାରେ । ସୃଷ୍ଟି ପାଳନ ଅନ୍ତକରେ ॥ ୬୭
ଯେମନ୍ତେ ସୃଜେ ଶ୍ରୀନିବାସ । ତା’ର ମହିମା ତୁ ପ୍ରକାଶ ॥ ୬୮
ଯେ ବର୍ଣ୍ଣାଶ୍ରମଙ୍କ ବିଭାଗ । ସୁଶୀଳ ସ୍ୱରୂପ ସ୍ୱଭାବ ॥ ୬୯
ଋଷିଙ୍କ ଜନ୍ମକର୍ମ ଯେତେ । ବେଦବୃକ୍ଷର ଶାଖା କେତେ ॥ ୭୦
ଯଜ୍ଞବିଧାନେ ବେଦବିଧି । ଯୋଗସାଧନେ ଯେତେ ସିଦ୍ଧି ॥ ୭୧
ନିଷ୍କାମ ସାଂଖ୍ୟ-ବିଦ୍ୟା ସାର । ଯେ ତନ୍ତ୍ର-ମନ୍ତ୍ରର ବିଚାର ॥ ୭୨
ପାଷ-ପଥର ବୈଷମ୍ୟ । ଯେ ଅନୁଲୋମ ପ୍ରତିଲୋମ ॥ ୭୩
ଜୀବର ଗତି ଯେତେ ମାର୍ଗେ । ଯେ ରୂପ ଗୁଣ କର୍ମ ଯୋଗେ ॥ ୭୪
ଧର୍ମାର୍ଥ-କାମ-ମୋକ୍ଷ ଆଦି । ଯେ ମାର୍ଗେ ଯେମନ୍ତ ସମ୍ପାଦି ॥ ୭୫
ଯେ ବାର୍ତ୍ତା ଦଣ୍ତନୀତି ବେନି । ଯେ ବେଦବିଧି ଅନୁମାନି ॥ ୭୬
ଶ୍ରାଦ୍ଧର ଯେବା ନୀତି ବିଧି । ପିତୃଗଣଙ୍କ ସ୍ଥାନ ସିଦ୍ଧି ॥ ୭୭
ଗ୍ରହ ନକ୍ଷତ୍ର ତାରାଗଣ । ଯେ କାଳଚକ୍ରର ପ୍ରମାଣ ॥ ୭୮
ଦାନ ତପସ୍ୟା ଫଳ ଯେତେ । ଯେ ଅବା ଲାଭ ଇଷ୍ଟାପୂର୍ତ୍ତେ ॥ ୭୯
ପ୍ରବାସ ସ୍ଥିତି ଯେବା ଧର୍ମ । ଆପଦ କାଳେ ଯେବା କର୍ମ ॥ ୮୦
ଯେଣେ ଗୋବିନ୍ଦ ତୋଷ ହୋଇ । ଯେ ଧର୍ମଜନକ ବୋଲାଇ ॥ ୮୧
ସେ ହରି ପ୍ରସନ୍ନ ଯେମନ୍ତେ । ଭୋ ମୁନି କହ ଦୟାଚିତ୍ତେ ॥ ୮୨
ସେବକ-ଶିଷ୍ୟେ ଋଷିଗଣେ । ଜ୍ଞାନ କହନ୍ତି ସାଧୁପଣେ ॥ ୮୩
ଯେ ପୁତ୍ରେ ପିତା ତୋଷ ହୋଇ । ସ୍ୱଧର୍ମ ମାର୍ଗେ ଶିକ୍ଷା ଦେଇ ॥ ୮୪
ଦୀନବ›ଳ ଯେଣୁ ଗୁରୁ । ପଚାରୁ ଅବା ନ ପଚାରୁ ॥ ୮୫
ତ‌ତ୍ତ୍ବ-ପ୍ରଳୟ କେତେ ମତେ । ସୃଷ୍ଟିରେ ସଞ୍ଚରନ୍ତି ଯେତେ ॥ ୮୬
ବିରାଜ ରୂପେ ଦେହେ ଥା’ନ୍ତି । ପୁଣି କେମନ୍ତେ ଲୀନ ହୋନ୍ତି ॥ ୮୭
ଆତ୍ମାର ସ୍ଥିତି ଅବା କାହିଁ । କିବା ସ୍ୱରୂପେ ପ୍ରକାଶଇ ॥ ୮୮
ଯେ ଗୁରୁ-ଶିଷ୍ୟଙ୍କ ସମ୍ବାଦେ । ଜ୍ଞାନ ସାଧନ୍ତି ମୋକ୍ଷ ସଧେ ॥ ୮୯
ଏ ଆଦି ଯେତେ ପ୍ରଶ୍ନ ମୋର । ପଣ୍ତିତଜନେ ଯେ ଗୋଚର ॥ ୯୦
କେମନ୍ତେ ପୁରୁଷଙ୍କ ଦେହେ । ଜ୍ଞାନ-ବୈରାଗ୍ୟ-ଭକ୍ତି ହୋଏ ॥ ୯୧
ଏ ଯେତେ ପ୍ରଶନ ମୋହରି । ହରି ମହିମା ଇଚ୍ଛାକରି ॥ ୯୨
ପୁଚ୍ଛିଲି ତୁମ୍ଭର ଅଗ୍ରତେ । ଭୋ ମୁନି କହ ସର୍ବ ମୋତେ ॥ ୯୩
ଯେଣୁ ମାୟାରେ ପଡ଼ି ମୁହିଁ । ଜ୍ଞାନ-ବିହୀନେ ଅନ୍ଧ ହୋଇ ॥ ୯୪
ତୁମ୍ଭ କୃପାରେ ଚକ୍ଷୁ ପାଇ । ନିର୍ଭୟେ ବିହରିବି ମୁହିଁ ॥ ୯୫
ଜୀବର ଯେବା ଭୟ ଦହେ । ହରି ଦେଖାଏ ସର୍ବ ଦେହେ ॥ ୯୬
ଯେତେ ଏ ବେଦ-ଯଜ୍ଞ-ମନ୍ତ୍ର । ତପ ସମାଧି ଦାନ ତୀର୍ଥ ॥ ୯୭
ଏ ପୁଣ୍ୟ କଳାମାତ୍ରେ ସମ । ନୁହନ୍ତି ବେଦ ଆଦି କର୍ମ ॥ ୯୮
ଶୁକ ଉବାଚ
ଏମନ୍ତେ ପୁରାଣ-ସଙ୍କଳ୍ପେ । ବିଦୁର ମୈତ୍ରେୟ ସମୀପେ ॥ ୯୯
ଆନନ୍ଦେ ଯେତେ ପଚାରିଲା । ସୃଷ୍ଟି-ସମ୍ବନ୍ଧେ ବିଷ୍ଣୁଲୀଳା ॥ ୧୦୦
ଶୁଣି ହରଷ ମୁନିବର । ବୋଲନ୍ତି ଶୁଣ ହେ ବିଦୁର ॥ ୧୦୧
ଏ ଭାଗବତ ପ୍ରଶ୍ନ ବାଣୀ । କେର୍ ଶୁଣନ୍ତି ଯେତେ ପ୍ରାଣୀ ॥ ୧୦୨
ଯେ ଅବା ବଦନେ ଉଚ୍ଚାରି । ବିଷ୍ଣୁ ମାୟାରୁ ଯା’ନ୍ତି ତରି ॥ ୧୦୩
ତୃତୀୟସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୦୪
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ସପ୍ତମୋଽଧ୍ୟାୟଃ ।

ଅଷ୍ଟମ ଅଧ୍ୟାୟ

[ସମ୍ପାଦନା]
ଶୁକ ଉବାଚ

ବିଦୁର ବାକ୍ୟ ଶୁଣି କର୍ଣ୍ଣେ । ମୈତ୍ରେୟ ଆନନ୍ଦିତ ମନେ ॥ ୧
କୃଷ୍ଣ-ଚରଣ-ଯୁଗ ଧ୍ୟାୟି । କହନ୍ତି ବିଦୁରକୁ ଚାହିଁ ॥ ୨
ମୈତ୍ରେୟ ଉବାଚ
ଶୁଣ ବିଦୁର ଶୁଦ୍ଧଚେତା । ସୁପୁଣ୍ୟ ପରୀକ୍ଷିତ-ଗାଥା ॥ ୩
ତୋହର ଜନ୍ମ ପୁରୁବଂଶେ । ପରମ-ଭାଗବତ-ଅଂଶେ ॥ ୪
ଯାହା ମହିମା ଶୁଣି କର୍ଣ୍ଣେ । ସେବା କରନ୍ତି ସାଧୁଜନେ ॥ ୫
ଯହିଁ ତୁ ଲୋକପାଳ ଯମ । ସାକ୍ଷାତେ ହୋଇଲୁ ଜନମ ॥ ୬
ଭକ୍ତଜନଙ୍କ ଶିରୋମଣି । ତୋ’ର ସକାଶୁ ଜନ ଶୁଣି ॥ ୭
କହ ସଂସାରେ କୃଷ୍ଣଲୀଳା । ବିଶ୍ୱମଙ୍ଗଳ କୀର୍ତ୍ତିମାଳା ॥ ୮
ନିରତେ ନବ ନବ ମଣେ । ତୋଷ ନ ଲଭେ ପ୍ରତିକ୍ଷଣେ ॥ ୯
ତା’ର ମହିମା ତୋ’ ସମ୍ମୁଖେ । କହିବି ଭକ୍ତଜନ-ସୁଖେ ॥ ୧୦
ଦୁଃଖ-ସମୁଦ୍ରେ ସୁଖ ପ୍ରାୟେ । ନିରତେ ମନ ଯା’ର ଧାଏଁ ॥ ୧୧
ତାହାଙ୍କ ନିସ୍ତାରଣ ଅର୍ଥେ । ଶୁଣ କହିବା ତୋ’ ଅଗ୍ରତେ ॥ ୧୨
ଶ୍ରୀଭାଗବତ ରସସାର । ଋଷିଙ୍କି ଦେଲେ ଚକ୍ରଧର ॥ ୧୩
ଶୁଣ ବିଦୁର ସାବଧାନେ । ବ୍ରହ୍ମାର ପୁତ୍ରେ ଏକଦିନେ ॥ ୧୪
ସନକ ଆଦି ସପ୍ତଭ୍ରାତେ । ମିଳିଲେ ଅନନ୍ତ ଅଗ୍ରତେ ॥ ୧୫
ରତ୍ନଆସନେ ଭୂମିଗତେ । ବସି ଅଛନ୍ତି ଶୁଦ୍ଧ ଚିତ୍ତେ ॥ ୧୬
ଆଦି ଅନନ୍ତ ରୂପସାର । ଅକୁଣ୍ଠ-ମହିମା ଯାହାର ॥ ୧୭
ତା’ଙ୍କ ସମୀପେ ସପ୍ତଭ୍ରାତେ । ମିଳିଲେ ଜ୍ଞାନ-ପ୍ରଶ୍ନ ଅର୍ଥେ ॥ ୧୮
ପରମପଦେ କରି ଇଚ୍ଛା । ଏକୁ ଅନେକ କଲେ ପୁଚ୍ଛା ॥ ୧୯
ସ୍ୱଭାବେ ସ୍ଥିର ଯା’ ଶରୀର । ଦେବମାନବେ ଅଗୋଚର ॥ ୨୦
ସର୍ବେ କରନ୍ତି ବହୁ ମାନ୍ୟ । ଧ୍ୟାନେ ତରନ୍ତି ସଙ୍କର୍ଷଣ ॥ ୨୧
ମୃଣାଳ-କୋଷ ପ୍ରାୟ ଦେହୀ । ଉନ୍ମୀଳ ଚକ୍ଷୁଯୁଗ ବହି ॥ ୨୨
ବିବୁଧଜନଙ୍କ ଆନନ୍ଦେ । ସୁଖେ ନିଶ୍ଚଳ ଯୋଗାନନ୍ଦେ ॥ ୨୩
ନିର୍ମଳ ଭୋଗବତୀ ନୀରେ । ଧୌତ କବରୀଭାର ଶିରେ ॥ ୨୪
ସେ ଜଟାକଳାପେ ଚରଣ । ପଦ୍ମେ ନମନ୍ତି ମୁନିଗଣ ॥ ୨୫
ଯେ ପାଦେ ନାଗଙ୍କ କାମିନୀ । ବିବିଧ-ଉପାୟନ ଘେନି ॥ ୨୬
ସେବନ୍ତି ଯେଉଁ ପାଦଗତେ । ଉମ-ବର-ପ୍ରାପ୍ତି ଅର୍ଥେ ॥ ୨୭
ସୁସ୍ୱର-ରୀତନାଦ-ଧ୍ୱନି । ସ୍ୱଭାବେ ଅନୁରାଗ ଘେନି ॥ ୨୮
ଯାହାର କର୍ମ ଦୃଢ଼ଚିତ୍ତେ । ଗାୟନ କରନ୍ତି ନିରତେ ॥ ୨୯
ଜାଣନ୍ତି ଲୀଳା-ତତ୍ତ୍ବଜ୍ଞାନ । ନିର୍ମଳ ମନେ ନିତ୍ୟେ ଧ୍ୟାନ ॥ ୩୦
ସେ ଦେବ ସହସ୍ରଶୀରଷ । କିରୀଟ ମଣିମୟ ତ୍ରାସ ॥ ୩୧
ଫଣାସହସ୍ରେ ଶୋଭା କରେ । ଆଦିତ୍ୟ ଯେସନେ ଅମ୍ବରେ ॥ ୩୨
ତା’ର ଚରଣ-ରଜ ଶିରେ । ସନକ୍ରୁମାର ଧରି କରେ ॥ ୩୩
ପୁଚ୍ଛିଲେ ସାର-ତତ୍ତ୍ବଜ୍ଞାନ । ଯା’ ଶୁଣି ନିସ୍ତରିବେ ଜନ ॥ ୩୪
ନିବୃତ୍ତି-ଧର୍ମେ ଦେଖି ଚିତ୍ତ । ଏହାଙ୍କୁ କହିଲେ ଅନନ୍ତ ॥ ୩୫
ସେ ପୁଣି ପ୍ରଶ୍ନ ଅନୁରାଗେ । କହିଲେ ସାଂଖ୍ୟାୟନ ଆଗେ ॥ ୩୬
ସେ ସାଂଖ୍ୟାୟନ ଯୋଗ ଧ୍ୟାୟେ । ପରମହଂସ-ଦୀକ୍ଷା ବହେ ॥ ୩୭
ସେ ପୁଣି ଦୟା-ଶୁଦ୍ଧଚିତ୍ତେ । ସଂସାରେ ନିସ୍ତାରଣ ଅର୍ଥେ ॥ ୩୮
କୃଷ୍ଣ-ମହିମା ପରିମାଣି । ନିର୍ମଳ-ଭାଗବତ-ବାଣୀ ॥ ୩୯
କୃଷ୍ଣ-ଭକତି ଅନୁରାଗେ । କହିଲେ ମୋ’ର ଗୁରୁ ଆଗେ ॥ ୪୦
ଆବର ବୃହସ୍ପତି ଆଗେ । ଦେବସମୂହ ପ୍ରିୟଭାବେ ॥ ୪୧
ସେ ପରାଶର ମହାମୁନି । ପୌଲସ୍ତ୍ୟ ମୁନି ଆଜ୍ଞା ଘେନି ॥ ୪୨
ଦୟାଳୁ ମୁନି ପରାଶର । କହିଲେ ମୋହର ଆଗର ॥ ୪୩
ବ୍ରହ୍ମ-ଗୁପତ-ବାଣୀ ଏବେ । ଶୁଣ କହିବା ତୋତେ ଭାବେ ॥ ୪୪
ତୁ ଶ୍ରଦ୍ଧାଯୁତ ଅନୁଗତ । ଶୁଣ କହିବି ଭାଗବତ ॥ ୪୫
ତୁ ଶୁଦ୍ଧଚିତ୍ତେ ବତ୍ସ› ଶୁଣ । ଏ ଆଦି ପରମ-ପୁରାଣ ॥ ୪୬
ଯେ ବିଶ୍ୱସୃଷ୍ଟି ପୂର୍ବେ ଥିଲା । ପ୍ରଳୟ-ଜଳେ ନାଶ ଗଲା ॥ ୪୭
ପରମସୁଖେ ଭଗବାନ । ନିଦ୍ରାରେ ମୁଦ୍ରିତ ନୟନ ॥ ୪୮
ପ୍ରଳୟ-ଜଳନିଧି ମଧ୍ୟେ । ଅନନ୍ତ-ଶୟନେ ଆନନ୍ଦେ ॥ ୪୯
ଶୋଇଲେ ଏକରୂପ ହୋଇ । ସଙ୍ଗେ ସଙ୍ଗତି ନାହିଁ କେହି ॥ ୫୦
ନିଶ୍ଚେଷ୍ଟ-ଆତ୍ମସୁଖେ ରତ । ଭୂତେ ନିବେଶି ପଞ୍ଚଭୂତ ॥ ୫୧
ଆତ୍ମା ଆଶ୍ରିତ ସୂକ୍ଷ୍ମଭୂତେ । କାଳାତ୍ମା ଶକ୍ତିର ଆୟତ୍ତେ ॥ ୫୨
ଚେଷ୍ଟା ରହିତ ଭଗବାନ । ଦାରୁରେ ଯେହ୍ନେ ହୁତାଶନ ॥ ୫୩
ସେ ରୂପ ବାହ୍ୟବୃତ୍ତି ଶୂନ୍ୟ । ଜଳରେ କଲେ ସେ ଶୟନ ॥ ୫୪
ବିଷ୍ଣୁ-ରଜନୀ ପ୍ରକାଶିଲା । ଚାରିସହସ୍ର ଯୁଗ ଗଲା ॥ ୫୫
ଜଳେ ଶୟନ ଭଗବାନ । ଯେ ଆତ୍ମଶକ୍ତିର ନିଦାନ ॥ ୫୬
ତା’ର ଆୟତ୍ତ କାଳବଳେ । ସୃଷ୍ଟିସମୟ ସୁମରିଲେ ॥ ୫୭
ପୂର୍ବ-ଜୀବଙ୍କୁ ଦେହେ ଚାହିଁ । ସେ ପୁଣି କର୍ମତନ୍ତ୍ର ହୋଇ ॥ ୫୮
ତାହାଙ୍କ ଅବତାର ଅର୍ଥ । ସୂକ୍ଷ୍ମେ ନିବେଶି ଦୃଷ୍ଟିପଥ ॥ ୫୯
କ୍ଷୋଭିତ-ସୃଷ୍ଟିର କାରଣେ । ସ୍ୱୟଂ ପ୍ରବେଶି ରଜୋଗୁଣେ ॥ ୬୦
ସେ କାଳବଳର ବିଶ୍ୱାସେ । ମିଳିଲେ ବିଷ୍ଣୁ-ନାଭିଦେଶେ ॥ ୬୧
ସେ ନାଭିମଧ୍ୟୁ ପଦ୍ମକୋଷ । ତକ୍ଷଣେ ହୋଇଲା ପ୍ରକାଶ ॥ ୬୨
ସେ ପଦ୍ମ କାଳକର୍ମ ବଳେ । ରୂପ ବିରାଜେ ମହାଜଳେ ॥ ୬୩
ଉଦିତ-ରବି ପ୍ରାୟେ ମାନି । ଜଳେ ପ୍ରକାଶ ଆତ୍ମଯୋନି ॥ ୬୪
ସେ ଲୋକପଦ୍ମେ ନାରାୟଣ । ସ୍ୱୟଂପ୍ରବେଶ ରଜୋଗୁଣ ॥ ୬୫
ସକଳଗୁଣେ ସେ ପ୍ରକାଶ । ସହସ୍ରରବି ଜିଣି ତ୍ରାସ ॥ ୬୬
ସେ ପଦ୍ମକର୍ଣ୍ଣିକାର ମଧ୍ୟେ । ବ୍ରହ୍ମା ପ୍ରକାଶ ବେଦପଦେ ॥ ୬୭
ବିଧାତା ନାମ ସେ ବୋଲାଇ । ଯା’ର ଶରୀର କର୍ମମୟୀ ॥ ୬୮
ସ୍ୱୟମ୍ଭୁ ନାମ ସେ ସ୍ୱଭାବେ । ଉଦୟ ନିଜ କର୍ମଲାଭେ ॥ ୬୯
ସେ ପଦ୍ମମଧ୍ୟେ ବ୍ରହ୍ମା ରହେ । ବସି ସକଳଦିଗେ ଚାହେଁ ॥ ୭୦
ନ ଦେଖି ଲୋକଙ୍କ ଉଦ୍ଦେଶ୍ୟ । ତକ୍ଷଣେ ଚାହିଁଲା ଆକାଶ ॥ ୭୧
ହୋଇଲା ତା’ର ଚାରିମୁଖ । କେବେହେଁ ନ ଲଭଇ ସୁଖ ॥ ୭୨
ପ୍ରଳୟ-ପବନର ବଳେ । ଲହରୀ ଭ୍ରମ ମହାଜଳେ ॥ ୭୩
ଆତ୍ମାକୁ ନ ଜାଣଇ ଭଲେ । ଯେ ଲୋକତତ୍ତ୍ବ ପଦ୍ମତୁଲେ ॥ ୭୪
କାହୁଁ ଅଇଲି କେଉଁ ଦେଶ । ନ ଜାଣି ଆତ୍ମାର ବିଶେଷ ॥ ୭୫
ଏ ପଦ୍ମ କାହୁଁ ଉପୁଜିଲା । କିବା ଏ ଜଳମଧ୍ୟେ ଥିଲା ॥ ୭୬
ସ୍ଥଳ ନ ଥିଲେ ଜଳ କାହିଁ । ଏମନ୍ତ ମନେ ବିଚାରଇ ॥ ୭୭
କିବା ଏ ପଦ୍ମମୂଳେ ଅଛି । ଏମନ୍ତ ମନେମନେ ଲକ୍ଷି ॥ ୭୮
କେବେହେଁ ହେଜି ନ ପାରିଲା । ଏମନ୍ତେ କେତେକାଳ ଗଲା ॥ ୭୯
ପୁଣି ଚାହିଁଲା ମନଦୁଃଖେ । ନିଜ ଆସନେ ଅଧୋମୁଖେ ॥ ୮୦
ତଳେ ଦେଖିଲା ପଦ୍ମନାଳ । ତା’ ମଧ୍ୟେ ଅନ୍ଧକାର ବିଳ ॥ ୮୧
ବିଚାରେ ଏହିମାର୍ଗେ ଯିବି । କାହୁଁ ଅଇଲି ତା’ ଦେଖିବି ॥ ୮୨
ଏମନ୍ତେ ବିଚାରି ସଂଶୟେ । ବିଳେ ପଶିଲା ମହାଭୟେ ॥ ୮୩
ସେ ବିଳମାର୍ଗେ ନାଭିପଥେ । ପଶିଲା ବିଷ୍ଣୁ-ଗର୍ଭଗତେ ॥ ୮୪
ଅନେକ କାଳ ଗର୍ଭେ ଭ୍ରମି । ଫୁଟି ହୋଇଲା ପଥଶ୍ରମୀ ॥ ୮୫
ଯେ କାଳ ଜନ୍ତୁଙ୍କର ପ୍ରାଣ । ବଳେ ହରଇ ଅନୁକ୍ଷଣ ॥ ୮୬
ସେ କାଳବଳ-କରଷଣେ । ବାହାର ହୋଇଲା ତକ୍ଷଣେ ॥ ୮୭
ମନ-କଳ୍ପିତ ନ ପାଇଲା । ନିଜ ଆସନେ ବିଜେ କଲା ॥ ୮୮
ସ୍ଥିର-ନିଃଶ୍ୱାସ ଦୃଢେ଼ ଧରି । ମନ-ପବନ ହୃଦେ ଭରି ॥ ୮୯
ନିବୃତ୍ତଚିତ୍ତେ ପ୍ରଜାପତି । ଯୋଗ ଅଭ୍ୟାସେ କଲା ମତି ॥ ୯୦
ସେ ଶତେବର୍ଷ କାଳଭୋଗେ । ଲଭିଲା ବୋଧ ନିଷ୍ଠାଯୋଗେ ॥ ୯୧
ତା’ର ହୃଦୟେ ବିଷ୍ଣୁଭାବେ । ପ୍ରକାଶେ ସୃଷ୍ଟିଅର୍ଥ ଲାଭେ ॥ ୯୨
ପୂର୍ବେ ଯାହାକୁ ମହାଜଳେ । ଖୋଜି ନ ଦେଖିଲା ନିଶ୍ଚଳେ ॥ ୯୩
ତାହାକୁ ଆପଣା ହୃଦୟେ । ଦେଖେ ସମାଧିଯୋଗଧ୍ୟାୟେ ॥ ୯୪
ମୃଣାଣ-ଗୌର ଦେହକାନ୍ତି । ଅନନ୍ତ-ଶୟନେ ଶ୍ରୀପତି ॥ ୯୫
ଏକା ଅଛନ୍ତି ନାହିଁ କେହି । ଦେଖେ ନିଶ୍ଚଳ-ନେତ୍ରେ ଚାହିଁ ॥ ୯୬
ଫଣାସହସ୍ର ଊର୍ଦ୍ଧ୍ୱ ଜ୍ୟୋତି । ରତ୍ନସମୂହେ ଝଟକନ୍ତି ॥ ୯୭
ଯୁଗାନ୍ତ-ଜଳ-ଅନ୍ଧକାର । ସେ ରତ୍ନଜ୍ୟୋତି କରେ ଦୂର ॥ ୯୮
ମର୍କତଗିରି ନିନ୍ଦେ ରୂପ । ସନ୍ଧ୍ୟାଭ୍ର ଜିଣି ପୀତାଂଶୁକ ॥ ୯୯
ସୁବର୍ଣ୍ଣ-ଶୃଙ୍ଗ ତିରସ୍କାର । କରେ ମୁକୁଟ ଶିରପର ॥ ୧୦୦
ପର୍ବତ ବେଣୁବୃକ୍ଷ ଶୋଭା । ନିନ୍ଦଇ ଭୁଜପାଦ ପ୍ରଭା ॥ ୧୦୧
ରତ୍ନଔଷଧି ଜଳ ପୁଷ୍ପେ । ଗିରିଭୂଷଣ ମାଳ ରୂପେ ॥ ୧୦୨
ତାହାକୁ ବଳି ହରିଗଳେ । ରତ୍ନତୁଳସୀ ମୁକ୍ତାଫଳେ ॥ ୧୦୩
ମହାପୁରୁଷ ବିଷ୍ଣୁରୂପେ । ସ୍ୱୟଂ ପ୍ରକାଶ ମହାକଳ୍ପେ ॥ ୧୦୪
ପ୍ରକାଶ ଅଛଇ ବିସ୍ତାରେ । ତ୍ରିଲୋକ ପ୍ରକାଶ ଶରୀରେ ॥ ୧୦୫
ଦିବ୍ୟ ବିଚିତ୍ର ଆଭରଣେ । ପ୍ରକାଶେ ବସ୍ତ୍ର ଆଚ୍ଛାଦନେ ॥ ୧୦୬
ସର୍ବସୁନ୍ଦରର ସମୂହେ । ତେଜ ପ୍ରକାଶେ ବିଶ୍ୱଦେହେ ॥ ୧୦୭
ମିଳି ସକଳ ମହାଜନେ । ନିଜ ବା‚ଞ୍ଛିତ ଆତ୍ମାଧ୍ୟାନେ ॥ ୧୦୮
ଯେ କାମ ଯେ କରନ୍ତି ଧ୍ୟାୟେ । ତାହାଙ୍କୁ କାମଧେନୁ ପ୍ରାୟେ ॥ ୧୦୯
ଦୟାସାଗର ଭଗବାନ । ବ୍ରହ୍ମାଙ୍କୁ ଦେଲେ ଦରଶନ ॥ ୧୧୦
ଅଙ୍ଗୁଳି ଅଗ୍ରେ ନଖକାନ୍ତି । ଶଶାଙ୍କପ୍ରାୟ ଝଟକନ୍ତି ॥ ୧୧୧
ସ୍ଫୁରିତ ଦିଶେ ହାସ୍ୟମୁଖ । ଦେଖନ୍ତେ ହରେ ପ୍ରାଣୀଦୁଃଖ ॥ ୧୧୨
କର୍ଣ୍ଣେ କୁଣ୍ତଳବେନି ଶୋହେ । ଚନ୍ଦ୍ର-ତପନ ସମ ନୋହେ ॥ ୧୧୩
ଶୋଣ-ଅରୁଣ ଓଷ୍ଠବେନି । ବିରାଜେ ଦନ୍ତପନ୍ତି ଘେନି ॥ ୧୧୪
ପଦମ୍ବପୁଷ୍ପ ତେଜ ପ୍ରାୟେ । ପୀତବସନ କଟୀ ଶୋହେ ॥ ୧୧୫
ରତ୍ନମେଖଳା ତେଜ ଦମ୍ଭେ । ସୁନ୍ଦର ବିରାଜେ ନିତମ୍ବେ ॥ ୧୧୬
ଅଷ୍ଟରତନ ବନମାଳ । ଲମ୍ବେ ଶ୍ରୀବତ୍ସ›-ବକ୍ଷସ୍ଥଳ ॥ ୧୧୭
ହାରକେୟୂର ରତ୍ନମାଳ । ସୁନ୍ଦର ଅଳକା କପୋଳ ॥ ୧୧୮
ଭୁଜସହସ୍ର ଜାନୁଯାଏ । ଲମ୍ବେ ଶ୍ରୀବଟ ରୁହ ପ୍ରାୟେ ॥ ୧୧୯
ସର୍ବ-ଭୁବନ ତା’ର ଦେହେ । ବିରାଜେ ପୁଷ୍ପକଣା ପ୍ରାୟେ ॥ ୧୨୦
ଅଦୃଶ୍ୟ ମୂଳ ତା’ ସ୍ୱଭାବ । କେ ଅବା ଲୋଚନେ ଦେଖିବ ॥ ୧୨୧
ମନ୍ଦରଗିରି ଯେହ୍ନେ ଜଳେ । କ୍ଷୀରୋଦ-ମନ୍ଥନର କାଳେ ॥ ୧୨୨
ସହସ୍ରଶୃଙ୍ଗ ପ୍ରାୟ ସାଜେ । ସୁରତ୍ନ କିରୀଟ ବିରାଜେ ॥ ୧୨୩
କଣ୍ଠେ କୌସ୍ତୁଭମଣି ଶୋହେ । ରତ୍ନପ୍ରଭାରେ ମନ ମୋହେ ॥ ୧୨୪
ସୁକୀର୍ତ୍ତିମୟି ବନମାଳ । ଲମ୍ବେ ସୁନ୍ଦର-ବକ୍ଷସ୍ଥଳ ॥ ୧୨୫
ଗନ୍ଧେ ଆବୃତ୍ତ ଭୃଙ୍ଗପନ୍ତି । ସୂର୍ଯ୍ୟ-ଶଶାଙ୍କ-ଅଗ୍ନିଜ୍ୟୋତି ॥ ୧୨୬
ସେ ପୁଣି ଚାହାଁନ୍ତେ ନିରୋଳେ । ଆତ୍ମାକୁ ତା’ ନାଭି କମଳେ ॥ ୧୨୭
ପବନ ଗଗନ ସଲିଳ । ବିଧାତା ଦେଖେ ଦେହେ ତା’ର ॥ ୧୨୮
ରଜୋଗୁଣରେ ଯୁକ୍ତ ହୋଇ । ପ୍ରଜା-ସୃଜନେ ମନଦେଇ ॥ ୧୨୯
ଲୋକ-ବିସୃଷ୍ଟି ଦେହେ ଦେଖି । ବିଧାତା ଆସନ ଉପେକ୍ଷି ॥ ୧୩୦
କରଯୁଗଳ ଦେଇ ମୁଣ୍ତେ । ସ୍ତୁତି କରଇ ଚାରିତୁଣ୍ତେ ॥ ୧୩୧
ସେ ହରି-ଚରଣେ ବିଶ୍ୱାସ । ନମଇଁ ଜଗନ୍ନାଥ ଦାସ ॥ ୧୩୨
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଅଷ୍ଟମୋଽଧ୍ୟାୟଃ ।

ନବମ ଅଧ୍ୟାୟ

[ସମ୍ପାଦନା]
ବ୍ରହ୍ମା ଉବାଚ

ଭୋ ନାଥ ତୋ’ର ଗତି ମୁହିଁ । ଜାଣିଲି ତୋ’ର ଭାବ ବହି ॥ ୧
ଏ ଜୀବ ତୋ’ର ମାୟାବର୍ତ୍ତୀ । କାହୁଁ ଜାଣିବେ ତୋ’ର ଗତି ॥ ୨
ଦୃଶ୍ୟ ଅଦୃଶ୍ୟ ତୋ’ର ଭାବ । ଏ ଘେନି ତୋତେ କେ ଜାଣିବ ॥ ୩
ମାୟାର ପରେ ତୋ’ର ବାସ । ନିତ୍ୟ ନିରଞ୍ଜନ ପ୍ରକାଶ ॥ ୪
ସଦନୁଗ୍ରହେ ବନମାଳୀ । ତୁ ନାଥ ମାୟା ସଙ୍ଗେ ମିଳି ॥ ୫
ତୋ’ର ଏ ରୂପ ନାରାୟଣ । ଶତ-ଅବତାର କାରଣ ॥ ୬
ତୋ’ ନାଭିକମଳୁ ମୁଁ ଜାତ । ସ୍ୱଭାବେ ଅବିକାର-ତତ୍ତ୍ବ ॥ ୭
ତୋ’ ରୂପ ଦେଖିଲି ଲୋଚନେ । ଏ ଲାଭୁଁ ଲାଭ ନାହିଁ ଅନ୍ୟେ ॥ ୮
ଆନନ୍ଦରୂପ ତୋ’ ଶରୀର । ଅବିଦ୍ଧତେଜ ରୂପ ତୋ’ର ॥ ୯
ତୁ ବିଶ୍ୱସୃଷ୍ଟି-ମୂଳ ଏକ । ତୋ’ ତହୁଁ ପ୍ରକାଶ ଅନେକ ॥ ୧୦
ଭୂତ ଇନ୍ଦ୍ରିୟ ଆତ୍ମା ତୁହି । ତୋ’ ପାଦେ ଆଶ୍ରେ କଲି ମୁହିଁ ॥ ୧୧
ତୁ ସେ ସଂସାର ଆଦିମୂଳ । ତୋ’ ରୂପ ଭୁବନମଙ୍ଗଳ ॥ ୧୨
ଧାରଣା ଧ୍ୟାନେ ମନ ଦେଇ । ପ୍ରାଣୀ ତରନ୍ତି ଯାହା ଧ୍ୟାୟି ॥ ୧୩
ତୋ ଅନୁଭାବେ ଭବ-ତମ । ହରଇ ପୁରୁଷଉତ୍ତମ ॥ ୧୪
ଶ୍ରୀବାସୁଦେବ ନମୋସ୍ତୁତେ । ମନବଚନ ଜ୍ଞାନମତେ ॥ ୧୫
ଯେ ତୋତେ ଅନାଦର କରେ । ନରକମାର୍ଗେ ସେ ସଞ୍ଚରେ ॥ ୧୬
ଅନିତ୍ୟ ସଙ୍ଗେ ତା’ର ବାସ । ତୋ’ ଭାବେ ହୋନ୍ତି ସେ ନିରାଶ ॥ ୧୭
ତୋ’ ପାଦପଦ୍ମ-ଗନ୍ଧ ଯା’ର । ଆଘ୍ରାଣ କରେ ନାସାଦ୍ୱାର ॥ ୧୮
ଶ୍ରୁତିଯୁଗଳେ ନାମ ଶୁଣେ । ଯେ ଅବା ଜିହ୍ୱାଗ୍ରତେ ଗୁଣେ ॥ ୧୯
ପରମଭକ୍ତି ଯୋଗବଳେ । ଯେ ନମେ ତୋ’ ପାଦକମଳେ ॥ ୨୦
ତା ହୃଦପଦ୍ମ ମଧ୍ୟେ ଥାଉ । କେବେହେଁ କେଣିକି ନ ଯାଉ ॥ ୨୧
ଏ ଭବଭୟ-ଧନ-ମୋହ । ସୁହୃଦ-ଶୋକ-ବନ୍ଧୁସ୍ନେହ ॥ ୨୨
ସନ୍ତତି ଜାୟା ଜାତିକୁଳ । ଏ ସର୍ବ ଆପଦର ମୂଳ ॥ ୨୩
ଯାବତ ତୋ’ ପାଦକମଳେ । ଯେ ପ୍ରାଣୀ ନ ରହେ ନିଶ୍ଚଳେ ॥ ୨୪
ସେ କାହିଁ ଏ ଭୟ ତରିବ । ଯେବେ ନ ଜାଣେ ତୋ’ର ଭାବ ॥ ୨୫
ଏ ଭବଭୟ ତେବେ ନାଶେ । ତୋ’ ସଙ୍ଗୀସଙ୍ଗେ ଯେବେ ମିଶେ ॥ ୨୬
ତା’ ଛାଡ଼ି ଇନ୍ଦ୍ରିୟ-ଲାଳସେ । କ୍ଷଣିକ ସୁଖଲେଶ ଆଶେ ॥ ୨୭
ଯତ୍ନ କରନ୍ତି ଅବିରତେ । ତୋ’ ମାୟା ତରିବେ କେମନ୍ତେ ॥ ୨୮
କ୍ଷୁଧା ପିପାସା ମାର୍ଗେ ଭ୍ରମି । ଆଶା ବନ୍ଧନେ ପଥଶ୍ରମି ॥ ୨୯
ଶୀତ ନିଦାଘ ବାତ ବୃଷ୍ଟି । ଏଣେ ଭ୍ରମନ୍ତି ପ୍ରାଣୀ ଫୁଟି ॥ ୩୦
ଦୁର୍ଜୟ-କାମାନଳ ଦହେ । କେବେହେଁ ତୋ’ପାଦେ ନ ରହେ ॥ ୩୧
ଏ ଦୁଃଖ ଦେଖି ମୋର ମନ । ଭୟେ କମ୍ପଇ ଭଗବାନ ॥ ୩୨
ଯାବତ ଏ ମାୟା ଗହନେ । ମନ କଳ୍ପଇ ଭିନ୍ନେଭିନ୍ନେ ॥ ୩୩
ଇନ୍ଦ୍ରିୟ ଅର୍ଥେ ଚିତ୍ତ ଜଡେ଼ । ଘୋର ସଙ୍କଟ ଦୁଃଖେ ପଡେ଼ ॥ ୩୪
ତାବତ ସଂସାର ନ ତୁଟେ । ସଞ୍ଚରି ପୁଣି ପୁଣି ଫୁଟେ ॥ ୩୫
ଏ ବେନିଲୋକ ସୁଖ ଅର୍ଥେ । ପୁଣି ଭ୍ରମନ୍ତି ସୃଷ୍ଟି ପଥେ ॥ ୩୬
ଦୁଃଖ-ସମୁଦ୍ରେ ପୁଣି ଭାସେ । ଯତ୍ନ ନ କରେ ସୁଖଲେଶେ ॥ ୩୭
ଭୂତ ଭବିଷ୍ୟେ ଆଶା କରି । ସର୍ବବିଷୟ ଚିତ୍ତେ ଭରି ॥ ୩୮
ରାତ୍ରେ ନିଦ୍ରିତ ହୋଇ ଯେବେ । ସ୍ୱପ୍ନେ କଳ୍ପିତ ନାନାଭାବେ ॥ ୩୯
ତେଣୁ ପ୍ରାଣୀଙ୍କ ସୁଖଲେଶ । ନ ଥାଇ କ୍ଳେଶ ମାତ୍ରଶେଷ ॥ ୪୦
ଭ୍ରମଇଁ ମୁନିଙ୍କର ମନ । ତୋ’ ମାୟାବଳେ ଭଗବାନ ॥ ୪୧
ଏଣୁ ତୋ’ ପାଦେ ଯେ ବିମୁଖ । ଇହ ସଂସାରେ ଲଭେ ଦୁଃଖ ॥ ୪୨
ଶ୍ରବଣ ତୋ’ ନାମ ଯାହାର । ତୁ ପୁଣି ତାହାର ଗୋଚର ॥ ୪୩
ତୋ’ ଭକ୍ତିଭାବେ ଯେ ଭାବିତ । ତା’ ହୃଦପଦ୍ମେ ତୁ ଉଦିତ ॥ ୪୪
ସକଳ ଜୀବେ ତୋ’ ବିହାର । ତୁ ପୁଣି ତୋତେ ଅଗୋଚର ॥ ୪୫
ଯେ ଯେତେଭାବେ ତୋତେ ଭାବେ । ତୋ’ ଅନୁଗ୍ରହେ ସୁଖଲଭେ ॥ ୪୬
ନାନା ପ୍ରକାରେ ଉପଚାରେ । ତୋ’ ଆରାଧନା ଯେବା କରେ ॥ ୪୭
ତୁ ପୁଣି ତେଣେ ବଶ ନୋହୁ । ସକଳ ହୃଦୟରେ ଥାଉ ॥ ୪୮
ନିଷ୍କାମ ଯୋଗେ ତୁ ସୁଲଭ । ସକାମ-ଭକ୍ତିରେ ଦୁର୍ଲଭ ॥ ୪୯
ଯେ ସର୍ବଭୂତେ ଦୟା ଚିନ୍ତି । ତା’ ସମ ତ୍ରିଦଶେ ନୁହଁନ୍ତି ॥ ୫୦
ଯେ ତୋତେ ଶୁଦ୍ଧଭାବେ ଚିନ୍ତି । ନିଶ୍ଚିନ୍ତେ ତୋ’ ପାଦେ ପଶନ୍ତି ॥ ୫୧
ତୁ ପୁଣି ସର୍ବଜନ୍ତୁ ଦେହେ । ପ୍ରକାଶୁ ଆଦିତ୍ୟର ପ୍ରାୟେ ॥ ୫୨
ଏକୁ ଅନେକ ତୋ’ ପ୍ରକାଶ । ପ୍ରସନ୍ନ ଯେସନେ ଆକାଶ ॥ ୫୩
ସର୍ବ ସୁହୃଦ ଅନ୍ତରାତ୍ମା । କେ ଲକ୍ଷିପାରେ ତୋ’ ମହିମା ॥ ୫୪
ପ୍ରାଣୀଙ୍କ ମନ-କର୍ମବଳେ । ଦଣ୍ତେହେଁ ନ ରହେ ନିଶ୍ଚଳେ ॥ ୫୫
ଆରାଧି ନାନା ତପ ବ୍ରତେ । ସୁକୃତ-ଫଳ ଦେଇ ତୋତେ ॥ ୫୬
ବେଗେ ହୁଅନ୍ତି ଭବୁ ପାର । ନୋହିଲେ ଭ୍ରମନ୍ତି ସଂସାର ॥ ୫୭
ତୋ’ର ସ୍ୱରୂପ ନିତ୍ୟେ ଚିନ୍ତି । ଘୋର ସଂସାରୁ ତରିଯା’ନ୍ତି ॥ ୫୮
ବିଶ୍ୱ ଉତ୍ପତ୍ତି-ସ୍ଥିତି-ନାଶ । ତୋ’ ମାୟା-ଲୀଳାରୁ ପ୍ରକାଶ ॥ ୫୯
ଏମନ୍ତ ମହିମା ତୋହର । ଭୋ ଦେବ ତୋତେ ନମସ୍କାର ॥ ୬୦
ତୋ’ ଅବତାର ଗୁଣ କର୍ମ । ସେ ଅନୁରୂପେ ଯେବା ନାମ ॥ ୬୧
ମରଣେ ଗୁଣନ୍ତି ଯେ ମୁଖେ । ବେଗେ ତରନ୍ତି ମହାସୁଖେ ॥ ୬୨
ଅନେକ ଜନ୍ମ ଜରା ଭ୍ରାନ୍ତି । ନିର୍ଭୟେ ବେଗେ ସେ ତରନ୍ତି ॥ ୬୩
ଅମୃତ ଲଭି ଅପ୍ରମାଦେ । ସୁଖେ ଲଭନ୍ତି ମୋକ୍ଷପଦେ ॥ ୬୪
ଏମନ୍ତ ପ୍ରଭୁ ପାଦତଳେ । ଶରଣ ପଶିଲି ନିଶ୍ଚଳେ ॥ ୬୫
ତୁ ନାଥ ପରମମଙ୍ଗଳ । ଉଦ୍ଭବ-ସ୍ଥିତି-ଅନ୍ତଃମୂଳ ॥ ୬୬
ଭୁବନଦ୍ରୁମ ତୋ’ ମହିମା । କେ ଜାଣିପାରେ ଅନ୍ତଃସୀମା ॥ ୬୭
ମୁଁ ଆଦିଭବ ବିଷ୍ଣୁ ତିନି । ତାଳ ସ୍ୱରୂପେ ଯହିଁ ମାନି ॥ ୬୮
ମରୀଚି ମନୁ ଆଦି ଯେତେ । ଏ ସର୍ବଶାଖା ଅପ୍ରମିତେ ॥ ୬୯
ଏମନ୍ତ ବୃକ୍ଷରୂପ ତୋ’ର । ତୋ’ ପାଦେ ମୋ’ର ନମସ୍କାର ॥ ୭୦
ଏ ଜୀବଲୋକ ଅବିରତ । ବିକାର-ମାର୍ଗେ ସୁଜଡ଼ିତ ॥ ୭୧
ଭାବଇ ଅକୁଶଳ କର୍ମ । ନିତ୍ୟେ କଳ୍ପଇ ନିଜଭ୍ରମ ॥ ୭୨
ପ୍ରମତ୍ତ ନାନା ଫଳ ଲାଭେ । ତୋହର ଭଜନ ପ୍ରସ୍ତାବେ ॥ ୭୩
ତା’ର ଜୀବନ ଆଶା ତୁହି । କ୍ଷଣକେ ଛେଦୁ ଭାବଗ୍ରାହୀ ॥ ୭୪
ଏମନ୍ତ ପ୍ରଭୁ ପାଦଗତେ । ମୋ’ ନମସ୍କାର ଅବିରତେ ॥ ୭୫
ଭୋ ନାଥ ଜୀବନ ମୋହର । ବେନିପରାର୍ଦ୍ଧ ଅଧିକାର ॥ ୭୬
ସକଳ ଲୋକ ନମସ୍କୃତ । ସପ୍ତମଣ୍ତଳ ପରେସ୍ଥିତ ॥ ୭୭
ଅନେକ ତପେ ଅଧିକାରୀ । ତୋ’ କାଳରୂପେ ତେବେ ଡରି ॥ ୭୮
ତୁ ଅଧିଯଜ୍ଞ ଦାମୋଦର । ତୋ’ ପାଦେ ମୋର ନମସ୍କାର ॥ ୭୯
ପଶୁ ମନୁଷ୍ୟ ଦେବଦେହେ । ସମ୍ଭବି ତୁ ଲୋକ ସଂଗ୍ରହେ ॥ ୮୦
ଇଚ୍ଛାୟେ କରୁ ନାନାକର୍ମ । ନମସ୍ତେ ପୁରୁଷଉତ୍ତମ ॥ ୮୧
ଯେ ନିଦ୍ରାଗତି ପଞ୍ଚବୃତ୍ତି । ତୁରୀୟ ସ୍ୱପ୍ନ ଯେ ସୁଷୁପ୍ତି ॥ ୮୨
ଅବିଦ୍ୟା-ନିଦ୍ରାର କାରଣ । ତୁ ନୋହୁ ତାହାର ଅଧୀନ ॥ ୮୩
ତଥାପି ନିଦ୍ରାଗଲା ପରି । ଲୋକ ସଂସାର ପେଟେ ଭରି ॥ ୮୪
ଜୀବଙ୍କୁ ଦେବାକୁ ବିଶ୍ରାମ । ପ୍ରଳୟ ଜଳେ ତୋ’ ଶୟନ ॥ ୮୫
ତ୍ରିଲୋକ-ଉପକାର ସଧେ । ମୋ’ ଜନ୍ମ ତୋ’ର ନାଭିପଦ୍ମେ ॥ ୮୬
ଏ ଯୋଗମାୟା ଅବସାନ । ନମସ୍ତେ ନଳିନ ନୟନ ॥ ୮୭
ଜୟତୁ ପ୍ରଭୁ ଭଗବାନ । ଅଶେଷ ଜନ୍ତୁଙ୍କ ଜୀବନ ॥ ୮୮
ତୋ’ର ଆଦେଶ ଶିରେ ଧରି । ମୁଁ ଏ ସଂସାରେ ଅଧିକାରୀ ॥ ୮୯
ଯେ ଜ୍ଞାନ-ଅଇଶ୍ୱର୍ଯ୍ୟ ବଳୁ । ତୁହି ସଂସାର ସୃଜି ପାଳୁ ॥ ୯୦
ଯେ ଜ୍ଞାନ ଦିଅ ଅନୁଗ୍ରହେ । ସୃଷ୍ଟି କରିବି ପୂର୍ବ ପ୍ରାୟେ ॥ ୯୧
ଭୋ ନାଥ ପରମପୁରୁଷ । ଏ ଆତ୍ମାଶକ୍ତି ତୋ’ ବିଶ୍ୱାସ ॥ ୯୨
ଗୁଣ-ଗୃହୀତ ଅବତାରେ । ଯେ ଅବା କରୁ ତୁ ସଂସାରେ ॥ ୯୩
ସେ ଗୁଣ ଘେନି ସୃଷ୍ଟିଅର୍ଥେ । ଯେ ଅବା ହୋଇବ ଯେମନ୍ତେ ॥ ୯୪
ସର୍ଜିବି ଆତ୍ମା ଯୋଗବଳେ । ମୋ’ ଚିତ୍ତ ଯେମନ୍ତେ ନିଶ୍ଚଳେ ॥ ୯୫
ତୋ’ର ଚରଣେ ଦୃଢ଼ ହୋଏ । ଭୋ ନାଥ କର ଏ ଉପାୟେ ॥ ୯୬
ଦୁର୍ଗମ ଏ ପ୍ରଳୟ ଜଳେ । ମୁଁ ଜାତ ତୋ’ ନାଭିକମଳେ ॥ ୯୭
ବିଜ୍ଞାନ ଶକ୍ତି ଯେଣୁ ବହୁ । ତେଣୁ ଅନନ୍ତ ତୁ ବୋଲାଉ ॥ ୯୮
ସଂଭ୍ରମେ ପଦ୍ମନାଳେ ମୁହିଁ । ଭ୍ରମନ୍ତେ ତୋ’ର ମାୟାବହି ॥ ୯୯
ଦେଖିଲି ତୋ’ ପରମରୂପ । ଯେ ରୂପ ନିଗମ-ସଙ୍କଳ୍ପ ॥ ୧୦୦
ସର୍ଜୁ ବିଚିତ୍ର ବିଶ୍ୱରୂପ । ମୋ’ ବ୍ରହ୍ମତେଜ ନୋହୁ ଲୋପ ॥ ୧୦୧
ଅଶେଷ କରୁଣାସାଗର । ଭୋ ନାଥ ମହିମା ତୋହର ॥ ୧୦୨
ରଙ୍ଗ ଅଧରେ ମନ୍ଦହାସ । ଦେଖାଇ ମୋର ମନ ତୋଷ ॥ ୧୦୩
ଏ ବିଶ୍ୱସଂସାର କୁଶଳେ । ମୁଁ ଯେଣୁ ଅଛି ମହାଜଳେ ॥ ୧୦୪
ସୃଷ୍ଟି କଳ୍ପନା ଚିନ୍ତା ଅର୍ଥେ । ମୁହିଁ ଭାଳଇ ଅବିରତେ ॥ ୧୦୫
ତୁ ନାଥ ମଧୁର-ବଚନେ । ଚିନ୍ତା ନିବାର ମୋର ମନେ ॥ ୧୦୬
ମୈତ୍ରେୟ ଉବାଚ

ଏମନ୍ତେ ସଂଭ୍ରମ-ବଚନେ । ତପ ସମାଧି ଯୋଗଧ୍ୟାନେ ॥ ୧୦୭
ନିର୍ମଳ ଦିବ୍ୟ-ଅନୁଭବେ । ନିଗମ ବଚନ ପ୍ରସ୍ତାବେ ॥ ୧୦୮
ନାନା ପ୍ରକାରେ କରି ସ୍ତୁତି । ମନ-ବଚନେ ଯେତେ ଶକ୍ତି ॥ ୧୦୯
ଅନ୍ତେ ଗୋବିନ୍ଦ-ଭାବ ଘେନି । ସେ ପଦ୍ମ ମଧ୍ୟେ ହେଲା ତୁନି ॥ ୧୧୦
ଏମନ୍ତେ ବ୍ରହ୍ମା ମନ ଜାଣି । ଦୟାସାଗର ଚକ୍ରପାଣି ॥ ୧୧୧
ବିଷାଦ ଚିତ୍ତେ ସେ ଭାଳଇ । ପ୍ରଳୟ ଜଳ ମଧ୍ୟେ ଥାଇ ॥ ୧୧୨
ଲୋକ ସଂସ୍ଥାନ ଚିନ୍ତାକରି । ଭାଳଇ ଖେଦ ମନେ ଧରି ॥ ୧୧୩
ସେ ଚିତ୍ତ ଜାଣି ଭଗବାନ । କୋମଳ ଗଭୀର ବଚନ ॥ ୧୧୪
ବ୍ରହ୍ମାର ମନ ଖେଦ ହରି । କହନ୍ତି ପ୍ରଭୁ ଦଇତାରି ॥ ୧୧୫
ଭଗବାନ ଉବାଚ

ହେ ବେଦଗର୍ଭ ସୃଷ୍ଟିମୁଖ । ବେଗେ ତୁ ଛାଡ଼ ମନଦୁଃଖ ॥ ୧୧୬
ତୁ ଯେ କଳ୍ପିତେ ମାଗୁ ଯାହା । ଆଗେ ମୁଁ କରିଅଛି ତାହା ॥ ୧୧୭
ତୁ ଏବେ ତପେ କର ଆଶା । ମୋ’ ବିଦ୍ୟାବଳ ତୋ’ ଭରସା ॥ ୧୧୮
ଏ ତପ-ଯୋଗବିଦ୍ୟା ବଳେ । ସୃଷ୍ଟି ତୁ କର ମହାଜଳେ ॥ ୧୧୯
ଆତ୍ମା ନିଯୋଗେ ଭକ୍ତି କର । ଯେ ରୂପେ ହୋଇବ ସଂସାର ॥ ୧୨୦
ସର୍ବ ଦେଖିବୁ ମୋର ଦେହେ । ମୋତେ ଦେଖିବୁ ସର୍ବମୟେ ॥ ୧୨୧
ମୁଁ ବସେ ସର୍ବପ୍ରାଣୀ ମନେ । ଇନ୍ଧନ ମଧ୍ୟେ ଅଗ୍ନି ଯେହ୍ନେ ॥ ୧୨୨
ମୋତେ ଯେ ଦେଖେ ବେଦବର । ତା’ର ସଂଶୟ ଯାଇ ଦୂର ॥ ୧୨୩
ଭୂତ-ଇନ୍ଦ୍ରିୟ-ଗୁଣ ମେଳେ । ଅନ୍ତଃକରଣ ସୁନିଶ୍ଚଳେ ॥ ୧୨୪
ଯେବେ ଦେଖଇ ଦେହେ ମୋତେ ।ସ୍ୱରାଜ୍ୟେ ରହଇ ନିଶ୍ଚିନ୍ତେ ॥ ୧୨୫
କର୍ମ ବିଭାଗେ ନାନାମତେ । ଏ ସୃଷ୍ଟି ସର୍ଜିବୁ ଯେମନ୍ତେ ॥ ୧୨୬
ମୋ’ ଅନୁଗ୍ରହେ ତୋ’ର ମନ । କେବେହେଁ ନୋହିବଟି ଛନ୍ନ ॥ ୧୨୭
ତୁ ଯେବେ ମୋ’ର ଦେହେ ମନ । ଦେଇ ସର୍ଜିବୁ ପ୍ରଜାଜନ ॥ ୧୨୮
ଏ ରଜଗୁଣେ ଯେତେ ଭାବ । କେବେହେଁ ତୋତେ ନ ଲାଗିବ ॥ ୧୨୯
ପ୍ରାଣୀଙ୍କ ଦୁର୍ଲ୍ଲଭ ଯୁଗତେ । ତୁ ଯେ ଜାଣିଲୁ ଏବେ ମୋତେ ॥ ୧୩୦
ଭୂତ-ଇନ୍ଦ୍ରିୟଗଣ ଗ୍ରସ୍ତେ । କେ ହେଜି ସମ୍ପାଦିବ ମୋତେ ॥ ୧୩୧
ତୁ ଯେ ସଂଶୟ ଚିତ୍ତେ ବହି । କମଳନାଳ ମଧ୍ୟେ ଯାଇ ॥ ୧୩୨
ତାହାର ମୂଳ ଇଚ୍ଛା କଲୁ । ଅନେକ କାଳ ତୁ ଭ୍ରମିଲୁ ॥ ୧୩୩
ଦୟା ବସିଲା ମୋର ଚିତ୍ତେ । ବାହାରେ ଦେଖାଇଲି ତୋତେ ॥ ୧୩୪
ତୁ ଯେତେ କଲୁ ମୋତେ ସ୍ତୁତି । କହଇ ଶୁଣ ବେଦପତି ॥ ୧୩୫
ଯେ ତପନିଷ୍ଠା ତୋ’ର ଦେହେ । ଲଭିଲୁ ମୋ’ର ଅନୁଗ୍ରହେ ॥ ୧୩୬
ସୁପ୍ରୀତ ହୋଇଲି ମୁଁ ତୋତେ । କଲ୍ୟାଣ ଲଭ ତୁ ଜଗତେ ॥ ୧୩୭
ଲୋକମଙ୍ଗଳ ଅର୍ଥେ ତୋ’ର । ମହିମା ବର୍ଣ୍ଣିଲୁ ମୋହର ॥ ୧୩୮
ଏ ସ୍ତୋତ୍ରେ ମୋତେ ଯେ ଭଜିବ । ସଂସାର ଭୟରୁ ତରିବ ॥ ୧୩୯
ମୁଁ ବରଦାତା ଭଗବାନ । ତାହାକୁ ହୁଅଇ ପ୍ରସନ୍ନ ॥ ୧୪୦
ସମାଧି ତପ ଯଜ୍ଞମତେ । ଜ୍ଞାନ ବୈରାଗ୍ୟ ଉପଗତେ ॥ ୧୪୧
ମୋରେ ନିଶ୍ଚଳ ପ୍ରୀତିଭାବ । ଏ ସର୍ବ କର୍ମଫଳ ଲାଭ ॥ ୧୪୨
ମୁଁ ଆତ୍ମା ଜଗତ ଜୀବର । ସଂଶୟଚିତ୍ତେ ଅଗୋଚର ॥ ୧୪୩
ଏଣୁ ଯେ ମୋ’ ବିଷୟ ଭଜେ । ସ୍ୱଭାବେ ସର୍ବମାୟା ତେଜେ ॥ ୧୪୪
ଆତ୍ମାରେ ଆତ୍ମମାୟା ତରେ । ନ ବୁଡେ଼ ସଂସାର-ସାଗରେ ॥ ୧୪୫
ମାୟାରେ ଆତ୍ମାବୁଦ୍ଧି ଧର । ପୂର୍ବର ପ୍ରାୟେ ସୃଷ୍ଟି କର ॥ ୧୪୬
ସକଳ ବେଦଭାବେ କରି । ମୋହର ଭାବ ହୃଦେ ଧରି ॥ ୧୪୭
ଯେ ପ୍ରାଣୀ ମୋ’ର ଦେହେ ଥିଲେ । ପ୍ରଳୟ ଜଳେ ନାଶ କାଳେ ॥ ୧୪୮
ତାହାଙ୍କୁ କର୍ମର ଆୟତ୍ତେ । ପୁଣି ପ୍ରକାଶ ଏ ଜଗତେ ॥ ୧୪୯
ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମା ଆଗେ କହି । ଅନ୍ତର ହେଲେ ଭାବଗ୍ରାହୀ ॥ ୧୫୦
ସେ ହରିଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୫୧
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ନବମୋଽଧ୍ୟାୟଃ ।

ଦଶମ ଅଧ୍ୟାୟ

[ସମ୍ପାଦନା]
ବିଦୁର ଉବାଚ

ମୈତ୍ରେୟ ପାଦେ ଦେଇ ଶିର । ଆନନ୍ଦେ ପଚାରେ ବିଦୁର ॥ ୧
ଭୋ ମୁନି କହ ଶୁଦ୍ଧମନେ । ବିଷ୍ଣୁ ଯେ ଗଲେ ଅନ୍ତର୍ଦ୍ଧାନେ ॥ ୨
ସେ ବେଦପତି ଜ୍ଞାନମତେ । ପ୍ରଜା ସର୍ଜିଲା ସେ କେମନ୍ତେ ॥ ୩
ତା’ର କି ଦେହେ ପ୍ରଜା ଥିଲା । କେତେ ପ୍ରକାରେ ଭିଆଇଲା ॥ ୪
ମନ କଳ୍ପିତ ଦେହଗତେ । କହ ସଂଶୟ ଯାଉ ଚିତ୍ତେ ॥ ୫
ସୂତ ଉବାଚ
ବିଦୁର ବାକ୍ୟ କର୍ଣ୍ଣେ ଶୁଣି । ଯେ ପୂର୍ବପ୍ରଶ୍ନ ମନେ ଗୁଣି ॥ ୬
ବିଦୁର ପ୍ରୀତିଭାବ ଘେନି । କହନ୍ତି ମଇତ୍ରେୟ ମୁନି ॥ ୭
ମୈତ୍ରେୟ ଉବାଚ
ଶୁଣ ବିଦୁର ଏକଚିତ୍ତେ । ଜଗତ ସର୍ଜିଲା ଯେମନ୍ତେ ॥ ୮
ଗୋବିନ୍ଦ ବାକ୍ୟେ ବେଦପତି । ତପ ସାଧନେ କଲା ମତି ॥ ୯
ଶତେବରଷ ବେଦମତେ । ତପ ସାଧିଲା ଦୃଢ଼ଚିତ୍ତେ ॥ ୧୦
ଆତ୍ମାରେ ଆତ୍ମା ଲୀନ କରି । ଗୋବିନ୍ଦ-ବଚନ ସୁମରି ॥ ୧୧
ଦେଖଇ ନୟନ ନିଶ୍ଚଳେ । ଉର୍ମ୍ମି-ସଙ୍କୁଳ ମହାଜଳେ ॥ ୧୨
ପବନ ଯୋଗେ ଅତି ଖର । ସ୍ୱଭାବେ ଦିଶେ ଭୟଙ୍କର ॥ ୧୩
ପଦ୍ମ ସହିତେ ଳଜ କମ୍ପେ । ଉର୍ମ୍ମି-ସଙ୍କୁଳ ଅତିରେକେ ॥ ୧୪
କାଳର ବଳେ କମ୍ପମାନ । ଦେଖି ଉଷତ ବ୍ରହ୍ମା ମନ ॥ ୧୫
ତକ୍ଷଣେ ତପ-ବିଦ୍ୟାବଳେ । ସୁସ୍ଥିର ବିଜ୍ଞାନ ନିଶ୍ଚଳେ ॥ ୧୬
ବାୟୁ ସହିତେ ଜଳରାଶି । ସେ ବ୍ରହ୍ମା ଯୋଗବଳେ ଗ୍ରାସି ॥ ୧୭
ପ୍ରଳୟ ଜଳ ଯହୁଁ ଗଲା । ନିଶ୍ଚଳେ ପଦ୍ମ ବିକାଶିଲା ॥ ୧୮
ସେ ପଦ୍ମେ ବସି ବେଦବର । ମନରେ କରଇ ବିଚାର ॥ ୧୯
ପୂର୍ବେ କମଳ-ଗର୍ଭଗତେ । ଜନ୍ତୁଏ ପଶିଛନ୍ତି ଯେତେ ॥ ୨୦
ତାହାଙ୍କୁ କରିବି ପ୍ରକାଶ । ସେ ଯେଣୁ ସ୍ୱକର୍ମେ ପ୍ରବେଶ ॥ ୨୧
ଏକୁ ଅନେକ ରୂପ ଚିନ୍ତେ । ସ୍ୱକର୍ମ ବଳେ ନାନା ମତେ ॥ ୨୨
ଦ୍ୱିସପ୍ତଲୋକ ସ୍ଥାନ ଯେହି । ତିନି ଭୁବନ କଲେ ତହିଁ ॥ ୨୩
ଯହିଁରେ ଯେବା ନିଜ କର୍ମ । ସର୍ଜିଲେ ପ୍ରଜା ଭିନ୍ନ ଭିନ୍ନ ॥ ୨୪
ଯେ ଯାହା ମତେ ଧର୍ମ ଚିନ୍ତି । ନିଶ୍ଚଳଯୋଗେ ପ୍ରଜାପତି ॥ ୨୫
ବିଦୁର ଉବାଚ
ଭୋ ମୁନି ହରିର ମହିମା । ଅଦ୍ଭୁତ କର୍ମ ଗୁଣସୀମା ॥ ୨୬
ସୃଷ୍ଟି ପାଳନ ସଂହାରଣ । କାଳ ସ୍ୱରୂପ ନାରାୟଣ ॥ ୨୭
ଖେଳଇ ନିଜ ମାୟାବଳେ । କେ ତା ଦେଖିବ ଚର୍ମଡୋଳେ ॥ ୨୮
ତା’ର ଲକ୍ଷଣ କହ ମୋତେ । ଅଣୁ ବା ପରମାଣୁ ଯେତେ ॥ ୨୯
ମୈତ୍ରେୟ ଉବାଚ
ସ୍ୱଭାବେ ନିର୍ଗୁଣ ଅଚ୍ୟୁତ । ନିର୍ଲେପ ନିର୍ବିକଳ୍ପେସ୍ଥିତ ॥ ୩୦
ତା’ର ଶରୀରୁ ଆତ୍ମା ଜାତ । ଲୀଳାରେ ସୃଜଇ ଜଗତ ॥ ୩୧
ଏ ବିଶ୍ୱ ବ୍ରହ୍ମମୟ-ରୂପୀ । ନିଜ ମାୟାର ବଳେ ବ୍ୟାପି ॥ ୩୨
କାଳ ପ୍ରଭାବେ ପରିଚ୍ଛିନ୍ନ । ଯେ କାଳ ସ୍ୱୟଂ ଭଗବାନ ॥ ୩୩
ଯେମନ୍ତ ସୃଷ୍ଟି ଥିଲା ପୂର୍ବେ । ତେମନ୍ତ ପୁଣି ହେବ ଏବେ ॥ ୩୪
ପ୍ରକୃତି ବିକୃତି ବିକାରେ । ଯେ ସର୍ଗ ନବ ପରକାରେ ॥ ୩୫
ଯେ କାଳ ଦ୍ରବ୍ୟ ଗୁଣମୟ । ଏହାର ତିନିଟି ପ୍ରଳୟ ॥ ୩୬
ଯେବା ପ୍ରଳୟ ହୁଏ କାଳେ । ତା’ ନିତ୍ୟ ବୋଲନ୍ତି ସକଳେ ॥ ୩୭
ଯେ ସଙ୍କର୍ଷଣ ମୁଖାଗ୍ନିରେ । ପ୍ରଳୟ ଘଟଇ ସଂସାରେ ॥ ୩୮
ସେ ଦ୍ରବ୍ୟ ହେତୁ ନୈମିତ୍ତିକ । ସ୍ୱକାର୍ଯ୍ୟ ଗ୍ରାସେ ପ୍ରାକୃତିକ ॥ ୩୯
ଗୁଣର ବଶେ ତା’ ଉତ୍ପତ୍ତି । ଏ ରୂପେ ତ୍ରିବିଧ ବୋଲନ୍ତି ॥ ୪୦
ଯେ କାଳେ ବ୍ରହ୍ମ ଉଦେ ହୋନ୍ତି । ମହତ ଆଦି ତତ୍ତ୍ବ ଚିନ୍ତି ॥ ୪୧
ଗୁଣ-ବୈଷମ୍ୟେ ଆତ୍ମା ବସେ । ସ୍ୱଗୁଣ ସ୍ୱଭାବେ ପ୍ରକାଶେ ॥ ୪୨
ମହତ ତତ୍ତ୍ବ ଆଦ୍ୟ ଚିନ୍ତି । ପ୍ରଥମ ସର୍ଗ ଉତପତ୍ତି ॥ ୪୩
ଦ୍ୱିତୀୟ ଅହଙ୍କାରୋଦୟ । ଯେ ଦ୍ରବ୍ୟଜ୍ଞାନ-କ୍ରିୟାଶ୍ରୟ ॥ ୪୪
ତୃତୀୟ ଭୂତସର୍ଗ ହୋଏ । ଯେ ମାତ୍ରା ଦିବ୍ୟଶକ୍ତି ବହେ ॥ ୪୫
ଚତୁର୍ଥେ ଇନ୍ଦ୍ରିୟଙ୍କ ଜନ୍ମ । ଯେ ଜ୍ଞାନ-କ୍ରିୟାତ୍ମକ ନାମ ॥ ୪୬
ଇନ୍ଦ୍ରି ରକ୍ଷକ ଦେବଗଣ । ଆବର ପଞ୍ଚମରେ ମନ ॥ ୪୭
ଷଷ୍ଠରେ ତାମସ ଯେ ହୋଏ । ଅବିଦ୍ୟା ମହାଶକ୍ତି ବହେ ॥ ୪୮
ଏ ଷଟ ପ୍ରକୃତି ଗୋଚର । ବିକୃତି ଶୁଣ ହେ ବିଦୁର ॥ ୪୯
ଏ ସୃଷ୍ଟି ଜାତ ରଜୋଗୁଣେ । ହରିର ଲୀଳା ଏ ପ୍ରମାଣେ ॥ ୫୦
ସ୍ଥାବର ସୃଜନ ସପ୍ତମ । ଅନ୍ୟାନ୍ୟ ସୃଷ୍ଟି ମୁଖ୍ୟତମ ॥ ୫୧
ଏବେ ହୋ ମୁଖ୍ୟସର୍ଗ କହି । ସ୍ଥାବର ଷଡ଼ବିଧ ହୋଇ ॥ ୫୨
ବନସ୍ପତି ଲତା ଔଷଧି । ବୀରୁଧ ଦ୍ରୁମ ବେଣୁ ଆଦି ॥ ୫୩
ଏହାଙ୍କ ନାମ ଉର୍ଦ୍ଧ୍ୱ-ସ୍ରୋତ । ଅନ୍ତରେ ସ୍ପର୍ଶଜ୍ଞାନ ମାତ୍ର ॥ ୫୪
ଅଷ୍ଟମସର୍ଗେ ପଶୁଗଣ । ସେ ଅଷ୍ଟବିଂଶ ପରମାଣ ॥ ୫୫
ଅଜ୍ଞାନ ତମଗୁଣେ ଥା’ନ୍ତି । କେବଳ ଘ୍ରାଣେ ସେ ଜାଣନ୍ତି ॥ ୫୬
ଗୋରୁ ମହିଷ ଛାଗ ତିନି । ଗବୟ ଶୂକର ହରିଣୀ ॥ ୫୭
ଏହାଙ୍କ ପାଦେ ବେନିଖୁର । ମେଷ ଶରଭ ଉଷ୍ଟ୍ରଖର ॥ ୫୮
ସମ୍ବର ମୃଗ ଆଦି ଯେତେ । ଯେ ଏକଖୁର କହୁଁ ତୋତେ ॥ ୫୯
ଏବେ କହିବା ବୀର ଶୁଣ । ଯେ ପଞ୍ଚନଖୀ ପଶୁଗଣ ॥ ୬୦
ଶ୍ୱା ବୃକ ବ୍ୟାଘ୍ର ଯେ ଶୃଗାଳ । ଶଶକ ଭଲ୍ଲୁକ ବିଡାଳ ॥ ୬୧
ସିଂହ ବାନର କୂର୍ମ ହସ୍ତୀ । ଏ ପଞ୍ଚନଖ ବୋଲି ଥା’ନ୍ତି ॥ ୬୨
ମକର ଆଦି ଜଳ ଜୀବେ । ଭାବେ କହିବା ଶୁଣ ଏବେ ॥ ୬୩
ଯେ କଙ୍କ ଶାଗୁଣା ସଞ୍ଚାଣ । ଭାସ ଶଲ୍ଲକ ବରହିଣ ॥ ୬୪
ହଂସ ସାରସ ଚକ୍ରବାକ । ଉଲ୍ଲୁକ ଆଦି ଚିଲ କାକ ॥ ୬୫
ଏବେ ନବମସର୍ଗ କହି । ବିଦୁର ଶୁଣ ମନଦେଇ ॥ ୬୬
ମନୁଷ୍ୟ ମଧ୍ୟେ ତାକୁ ଗଣି । ଦୁଃଖକୁ ସୁଖପ୍ରାୟ ମଣି ॥ ୬୭
ରଜ ଅଧିକ କର୍ମ ପର । ବିକୃତ ଏ ତିନି ପ୍ରକାର ॥ ୬୮
ଏବେ ଅପର କହୁଁ ତୋତେ । ଉଭୟ ମଧ୍ୟେ ସୃଷ୍ଟି ଯେତେ ॥ ୬୯
କୁମାରସର୍ଗ ଯେ ବୋଲାଇ । ଉଭୟ ମତେ ଦେହ ବହି ॥ ୭୦
ଦେବଙ୍କ ସୃଷ୍ଟି ଅଷ୍ଟବିଧ । ପିତର ଅସୁର ବିବୁଧ ॥ ୭୧
ଗନ୍ଧର୍ବ ଅପ୍‌ସରା ସିଦ୍ଧ । ଚାରଣ ଯକ୍ଷ ରକ୍ଷ ଭେଦ ॥ ୭୨
ଭୂତ ପିଶାଚ ପ୍ରେତଗଣ । କିନ୍ନର ବିଦ୍ୟାଧର ପୁଣ ॥ ୭୩
ଏ ଅଷ୍ଟବିଧ ଉତପତ୍ତି । ସ୍ୱଭାବେ ଦେବତା ବୋଲନ୍ତି ॥ ୭୪
ଏ ଦଶସର୍ଗ ହେ ବିଦୁର । କ୍ରମେ ସର୍ଜିଲା ବେଦବର ॥ ୭୫
ଏବେ କହିବା କୁରୁବୀର । ଯେ ବଂଶ ମନୁ ମନ୍ୱନ୍ତର ॥ ୭୬
ଏମନ୍ତେ ରଜଗୁଣେ ମିଶି । ସୃଷ୍ଟି ଆଗମେ ବ୍ରହ୍ମରାଶି ॥ ୭୭
ଅମୋଘ-ସଙ୍କଳ୍ପ ସ୍ୱଭାବ । ଆତ୍ମାରେ ଆତ୍ମା ପଦ୍ମନାଭ ॥ ୭୮
ତ୍ରିଗୁଣେ ନୋହେ ସେ ଗୃହୀତ । ଈଶ୍ୱର ମାୟା ମହୁମତ ॥ ୭୯
ନଦୀଙ୍କ ଜଳ ଯେହ୍ନେ ଭ୍ରମେ । ଜଳଧି ଯା’ନ୍ତି ଯଥାକ୍ରମେ ॥ ୮୦
ଏ ଯେତେ ଦେବାସୁର ଆଦି । ଯେତେ ମୁଁ କହିଲି ସମ୍ପାଦି ॥ ୮୧
ସେ ନାନାବିଧ ରୂପ ହୋନ୍ତି । କ୍ରମେ ତାହାର ଦେହେ ଯା’ନ୍ତି ॥ ୮୨
ଏମନ୍ତେ ବିଦୁର ସମୀପେ । ମୁନି କହିଲେ ପଦ୍ମକଳ୍ପେ ॥ ୮୩
ଏ ଭାଗବତ ଜ୍ଞାନରସ । କହିଲା ଜଗନ୍ନାଥ ଦାସ ॥ ୮୪
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଦଶମୋଽଧ୍ୟାୟଃ ।

ଏକାଦଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ଶୁଣ ବିଦୁର ଏକଚିତ୍ତେ । ସେ କାଳରୂପ ସଂଖ୍ୟା ଯେତେ ॥ ୧
ନିମିଷ ଆଦି ରୂପ ତା’ର । ଯେମନ୍ତେ ପୂରଇ ବ›ତ୍ସର ॥ ୨
ନିମିଷ ଚକ୍ଷୁ ପକ୍ଷ୍ମ ଭ୍ରମ । ଅଣୁ ତହିଁରୁ ଅଟେ ସାନ ॥ ୩
ହେ କୁରୁବୀର ଶୁଣ ତୁହି । କହିବି ପରମାଣୁ ମୁହିଁ ॥ ୪
ଯାହା ବିଭାଗ ନ ଲଭଇ । ସଂଯୋଗେ ଭାବ ଯା’ର ନାହିଁ ॥ ୫
ଯାହା ସର୍ବଦା ବର୍ତ୍ତମାନ । ତାହାର ପରମାଣୁ ନାମ ॥ ୬
ଅଣୁର ଅର୍ଦ୍ଧ ପରମାଣୁ । ତ୍ରିଭାଗେ ହୋଏ ତ୍ରସରେଣୁ ॥ ୭
ତୃତୀୟ ତ୍ରସରେଣୁ ଯେହି । ତାହାକୁ ତ୍ରୁଟି ବୋଲି କହି ॥ ୮
ଶଏ ତ୍ରୁଟିରେ ବେଧ ହୋଏ । ତ୍ରିବେଧେ ଲବ ନାମ ବହେ ॥ ୯
ତ୍ରିଲବ କାଳ ଅଟେ ଯେହି । ନିମିଷ ବୋଲି ତା’କୁ କହି ॥ ୧୦
ତିନି ନିମିଷେ ଏକ କ୍ଷଣ । ପଞ୍ଚ କ୍ଷଣରେ କାଷ୍ଠା ପୁଣ ॥ ୧୧
କାଷ୍ଠା ପନ୍ଦର ଯେବେ ହୋଇ । ତାହାକୁ ଲଘୁ ବୋଲି କହି ॥ ୧୨
ଏ ପଞ୍ଚଦଶ ଲଘୁ ଘେନ । ନାଡ଼ି ବୋଲିଣ ତା’କୁ ଜାଣ ॥ ୧୩
ବେନି ନାଡ଼ିରେ ଯେ ମୁହୂର୍ତ୍ତ । ପ୍ରହର ଷଟ ଅବା ସପ୍ତ ॥ ୧୪
ତାହାକୁ ଯାମ ବୋଲି କହି । ଅଷ୍ଟମେ ଅହୋରାତ୍ର ହୋଇ ॥ ୧୫
ତାମ୍ର ଦ୍ୱାଦଶପଳ ଅର୍ଦ୍ଧେ । ପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟେ ॥ ୧୬
ଚାରି ଅଙ୍ଗୁଳି ଦୀର୍ଘ କରି । ଚତୁରମସେ ଚୂତୀ ଗଢ଼ି ॥ ୧୭
ସ୍ୱର୍ଣ୍ଣସୂଚୀରେ ଛିଦ୍ର କରି । କରିବ ଆୟାମ ବିସ୍ତାରି ॥ ୧୮
ଜଳେ ବୁଡ଼ନ୍ତେ ଦଣ୍ତେ ହୁଏ । ଏମନ୍ତେ କାଳର ନିର୍ଣ୍ଣୟେ ॥ ୧୯
ଅଷ୍ଟପ୍ରହରେ ଦିବା-ରାତ୍ରି । କାଳଜ୍ଞେ ଏମନ୍ତ ଗଣନ୍ତି ॥ ୨୦
ପନ୍ଦର ଅହୋରାତ୍ରେ ପକ୍ଷ । ସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ ॥ ୨୧
ଏ ବେନିପକ୍ଷେ ହୁଏ ମାସ । ପିତୃଙ୍କ ରାତ୍ରି ଯେ ଦିବସ ॥ ୨୨
ଦ୍ୱିମାସେ ଋତୁ ଏକ ହୋଇ । ବସନ୍ତ ଆଦି ଷଟ ସେହି ॥ ୨୩
ଏକ ଅୟନେ ଋତୁ ତିନି । ଉତ୍ତର ଦକ୍ଷିଣ ଯେ ବେନି ॥ ୨୪
ବେନି ଅୟନେ ସମ୍ବ›ତ୍ସର । ଏମନ୍ତେ ଗଣନା କାଳର ॥ ୨୫
ଦେବଙ୍କୁ ଅହୋରାତ୍ର ହୁଏ । ମନୁଷ୍ୟ-ବରାଷ ବୋଲାଏ ॥ ୨୬
ଏମନ୍ତେ ଶତେକ ବରଷ । ମନୁଷ୍ୟ ପରମାୟୁ ଶେଷ ॥ ୨୭
ଗ୍ରହ ନକ୍ଷତ୍ର ତାରା ଚକ୍ରେ । ସେ କାଳରୂପୀ ବିଭୁ ଏକେ ॥ ୨୮
ଏମନ୍ତେ ସମ୍ବତ୍ସ›ର ଅନ୍ତେ । ବିହରେ ଆତ୍ମାର ଆୟତେ ॥ ୨୯
ଅଣୁ ପ୍ରମାଣୁ ପରିମାଣେ । ପ୍ରାଣୀଙ୍କି ନାଶେ ଅନୁକ୍ଷଣେ ॥ ୩୦
ଏ ପଞ୍ଚବିଧ-ସମ୍ବ›ତ୍ସର । ସୁମନେ ଶୁଣ ହେ ବିଦୁର ॥ ୩୧
ପ୍ରଥମେ ସମ୍ବ›ତ୍ସର ହୋଏ । ପରିବତ୍ସ›ର ଯେ ଦ୍ୱିତୀୟେ ॥ ୩୨
ଇଦାବତ୍ସ›ର ତୃତୀୟର । ଚତୁର୍ଥେ ଅନୁ ଯେ ବତ୍ସ›ର ॥ ୩୩
ପଞ୍ଚମେ ବତ୍ସ›ର ବୋଲାଇ । କାଳ ସ୍ୱରୂପ ଗୁଣମୟୀ ॥ ୩୪
ସେ ସୂର୍ଯ୍ୟ କାଳ ରୂପ ଧରି । ସଂସାର-ବୀଜକୁ ବିସ୍ତାରି ॥ ୩୫
ସକାମ-ଫଳ ବିସ୍ତାରଣେ । ଯାହାର ଉଦୟ ଗଗନେ ॥ ୩୬
ସେ ତେଜୋମୟ କାଳାନ୍ତକ । ପଞ୍ଚବତ୍ସ›ର ପ୍ରବର୍ତ୍ତକ ॥ ୩୭
ସେ ମହାଭୂତ ମହାତେଜ । ବହୁ ପ୍ରକାରେ କରି କାର୍ଯ୍ୟ ॥ ୩୮
ଧାଏଁ ଆକାଶେ ଅନୁକ୍ଷଣେ । ପୁରୁଷ ମୋହ ନିବାରଣେ ॥ ୩୯
ନିତ୍ୟେ ତାହାଙ୍କ ପୂଜା କର । ତରିବ ଏ ଭବ-ସଂସାର ॥ ୪୦
ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ବୋଲେ ତାହା ଶୁଣି ॥ ୪୧
ବିଦୁର ଉବାଚ
ପିତୃ ଦେବତା ନର ଆଦି । ପରମାୟୁଷ ଯଥାବିଧି ॥ ୪୨
ଶୁଣିଲି ତୁମ୍ଭ ମୁଖୁ ଏବେ । ସନ୍ତୋଷ କହ ମୁନି ଭାବେ ॥ ୪୩
ଏପରେ କଳ୍ପ ବାହ୍ୟେ ଯେତେ । ନାନା ପ୍ରକାରେ ଏ ଜଗତେ ॥ ୪୪
ସନକ ଆଦି ମହାମୁନି । ତୈଲୋକ୍ୟ ବାହ୍ୟେ ଯେତେ ଜ୍ଞାନୀ ॥ ୪୫
ଅଛନ୍ତି କାଳର ଆୟତ୍ତେ । ତା’ଙ୍କ ଆୟୁଷ କହ ମୋତେ ॥ ୪୬
ତୁମ୍ଭେ ସେ କାଳଗତି ଜାଣ । ଯେ ଯୁଗେ ଯେ ଅବା ପ୍ରମାଣ ॥ ୪୭
ଯେଣୁ ସେ ବିଚକ୍ଷଣ ଧୀର । ସୁବୁଦ୍ଧି ସୁଗୁଣ ଗମ୍ଭୀର ॥ ୪୮
ଯେତେ ବିଷୟ ଏ ଶୟଳେ । ଜାଣନ୍ତି ଜ୍ଞାନଚକ୍ଷୁ ବଳେ ॥ ୪୯
ମୈତ୍ରେୟ ଉବାଚ
ବୋଲନ୍ତି ଶୁଣ ହେ ବିଦୁର । ଯେ ବ୍ରହ୍ମା ସୃଷ୍ଟିର ବିଚାର ॥ ୫୦
ସତ୍ୟ ତ୍ରେତୟା ଦ୍ୱାପରାଦି । କଳି ଏ ଚତୁର୍ଯୁଗ ବିଧି ॥ ୫୧
ଦେବଙ୍କ ଦ୍ୱାଦଶ ସହସ୍ରେ । ଏ ଚାରିଯୁଗ କାଳ ଅଂଶେ ॥ ୫୨
ଚାରିସହସ୍ର ଯୁଗ ସତ୍ୟ । ତିନିସହସ୍ର ତ୍ରେତା ମତ ॥ ୫୩
ଦ୍ୱାପର ଦ୍ୱିସହସ୍ର ଜାଣ । କଳି ସହସ୍ରେ ପରିମାଣ ॥ ୫୪
ଏହି ପ୍ରମାଣେ ଶତ ଦେଇ । ଦ୍ୱିଗୁଣେ ଏହାକୁ ମିଶାଇ ॥ ୫୫
ଯୁଗଙ୍କ ସନ୍ଧ୍ୟା ସନ୍ଧ୍ୟାଅଂଶ । ଅୟୁତେ ଯେ କାଳ ପ୍ରକାଶ ॥ ୫୬
ଏମନ୍ତେ ଦେବବର୍ଷ ମତେ । ଦ୍ୱାଦଶସହସ୍ର ସମେତେ ॥ ୫୭
ଏ ରୂପ ଯୁଗସଂଖ୍ୟା ଜାଣି । ଜ୍ଞାନୀଙ୍କ ଗୋଚରେ ପ୍ରମାଣି ॥ ୫୮
ଯେ ଯୁଗେ ଯେବା ଧର୍ମବିଧି । ଆଗମ ନିଗମ ପ୍ରସିଦ୍ଧି ॥ ୫୯
ଧର୍ମ ସତ୍ୟରେ ଚତୁଷ୍ପଦ । ଅଧର୍ମ କ୍ରମେ ହୀନପଦ ॥ ୬୦
ତ୍ରେତାରେ ତିନିପଦ ଥିଲା । ଦ୍ୱାପରେ ଦ୍ୱିପାଦ ହୋଇଲା ॥ ୬୧
କଳିର ଏକପଦ ରହେ । ଯେଣୁ ଅଧର୍ମ ବୃଦ୍ଧି ବହେ ॥ ୬୨
ଦେବଙ୍କ ସହସ୍ର ଯୁଗରେ । ବ୍ରହ୍ମା ଦିବସ ବୋଲି ତାରେ ॥ ୬୩
ଏହି ପ୍ରମାଣେ ରାତ୍ର ହୁଏ । ନିଶି ଆଗମେ ବ୍ରହ୍ମା ଶୁଏ ॥ ୬୪
ରାତ୍ରର ଅନ୍ତେ ପୁଣି ଉଠି । ବେଦ ପ୍ରମାଣେ କରେ ସୃଷ୍ଟି ॥ ୬୫
ଏମନ୍ତ ବ୍ରହ୍ମାର ଦିବସେ । ଭୁଞ୍ଜନ୍ତି ମନୁ-ଚତୁŸର୍ଦ୍ଦଶେ ॥ ୬୬
ମନୁ ଅନ୍ତର କାଳ ଭୋଗ । ଏକସ୍ତରି ଯେ ଚତୁର୍ଯୁଗ ॥ ୬୭
କିଛି ଅଧିକେ ହୁଏ ଶେଷ । ଏମନ୍ତେ ବ୍ରହ୍ମାଙ୍କ ଦିବସ ॥ ୬୮
ମନୁଙ୍କ ବଂଶେ ମନୁସୂତେ । ଋଷି ଦେବତା ସୁରନାଥେ ॥ ୬୯
ତିନିଭୁବନେ ପ୍ରାଣୀ ଯେତେ । ଭୁଞ୍ଜନ୍ତି କଳ୍ପ ପରିଯନ୍ତେ ॥ ୭୦
ଏ ମୃଷ୍ଟି ଦୈନନ୍ଦିନ କାମ । ତୀର୍ଯ୍ୟକ ପିତୃ ଦେବ ଜନ ॥ ୭୧
ଏମନ୍ତେ କଳ୍ପ ପରିଯନ୍ତେ । କର୍ମ ଭୁଞ୍ଜନ୍ତି ପ୍ରାଣୀ ଏଥେ ॥ ୭୨
ମନ୍ୱନ୍ତରମାନଙ୍କେ ହରି । ବିଶୁଦ୍ଧ ସତ୍ତ୍ବମୂର୍ତ୍ତି ଧରି ॥ ୭୩
ମନୁ ଶରୀରେ ଏ ସଂସାରେ । ପାଳି କ୍ରୀଡ଼େ ପୁରୁଷକାରେ ॥ ୭୪
ମାୟାର ବଳେ ସେ ବିହରେ । ବ୍ରହ୍ମାଦିବସ ଅନ୍ତଃକାଳେ ॥ ୭୫
ନିଶା ଆଗମେ ବିଶ୍ୱଦେହୀ । ମଉନ ବ୍ରତେ ସେ ବସଇ ॥ ୭୬
ତ୍ରୈଲୋକ୍ୟ କମ୍ପେ ତାହା ଦେଖି । ସ୍ୱଜ୍ଞାନ ଜୀବନ ଉପେକ୍ଷି ॥ ୭୭
ରବି ଶଶାଙ୍କ ଶୂନ୍ୟେ ଗଲା । ପ୍ରଳୟ ଅଗ୍ନି ପ୍ରକାଶିଲା ॥ ୭୮
ସଙ୍କରଷଣ ମୁଖୁ ଆସି । ଅନଳ ତିନିଲୋକେ ଗ୍ରାସି ॥ ୭୯
ପ୍ରଚଣ୍ତ-ବହ୍ନି ତେଜ ତ୍ରାସେ । ଋଷିଏ ଥାନ୍ତି ଯେ ଆକାଶେ ॥ ୮୦
ସେ ମହର୍ଲୋକ ଛାଡ଼ି ବେଗେ । ପଶନ୍ତି ଜନଲୋକ-ମାର୍ଗେ ॥ ୮୧
ତକ୍ଷଣେ ସପ୍ତସିନ୍ଧୁ-ଜଳେ । ତ୍ରିଲୋକ ଆଚ୍ଛାଦନ୍ତି ହେଳେ ॥ ୮୨
ପବନ ଅଣଚାଶ ବଳେ । ବହନ୍ତେ ଗର୍ଜେ ଉର୍ମିମାଳେ ॥ ୮୩
ଜଳ ତରଙ୍ଗ ମଧ୍ୟେ ପୁଣି । ନାଗଆସନେ ଚକ୍ରପାଣି ॥ ୮୪
ନିଶ୍ଚିନ୍ତେ ନିଦ୍ରିତ-ନୟନେ । ଶୟନ ଅନନ୍ତ-ଶୟନେ ॥ ୮୫
ସଙ୍ଗତେ ସଙ୍ଗ ନାହିଁ ଏକେ । ସ୍ତୁତି କରନ୍ତି ଜନଲୋକେ ॥ ୮୬
ଏମନ୍ତେ ଅହୋରାତ୍ର ଗଣି । ଆଗମ-ନିଗମେ ପ୍ରମାଣି ॥ ୮୭
ଏ ଭାବେ ଶତେକ ବରଷ । ବ୍ରହ୍ମାର ପରମ ଆୟୁଷ ॥ ୮୮
ସେ ଆୟୁ କାଳବଣେ ପୁଣ । ହୁଅଇ ଦିନୁଦିନ କ୍ଷୀଣ ॥ ୮୯
ସେ ବ୍ରହ୍ମା କାଳଭୟେ ଭୀତ । ବିଷୟାଶକ୍ତି ବିରହିତ ॥ ୯୦
କରନ୍ତି ହରି-ଉପାସନ । କି ଏ ମାନବ ଅକିଞ୍ଚନ ॥ ୯୧
ବ୍ରହ୍ମାର ଆୟୁଷ ଯେ ହୋଇ । ଅର୍ଦ୍ଧକେ ପରାର୍ଦ୍ଧ ବୋଲାଇ ॥ ୯୨
ସେ ପୂର୍ବଅର୍ଦ୍ଧ ଭୋଗ ଯାଇ । ଅପରଅର୍ଦ୍ଧ ଏବେ ହୋଇ ॥ ୯୩
ପୂର୍ବପରାର୍ଦ୍ଧେ ବ୍ରହ୍ମା ନାମ । ଶବଦବ୍ରହ୍ମ ଯେ ମହାନ ॥ ୯୪
ପରାର୍ଦ୍ଧକଳ୍ପ ଯେବା ହୋଏ । ସେ ପଦ୍ମକଳ୍ପ ନାମ ବହେ ॥ ୯୫
ବିଷ୍ଣୁ ନାଭିରୁ ପଦ୍ମଜାତ । ଯହୁଁ ଉପୁଜେ ବେଦନାଥ ॥ ୯୬
ଦ୍ୱିତୀୟକଳ୍ପ ଏବେ କହି । ଶ୍ୱେତବରାହ ସେ ବୋଲାଇ ॥ ୯୭
ଯେବଣ କଳ୍ପେ ନରହରି । ଶ୍ୱେତବରାହ ରୂପ ଧରି ॥ ୯୮
ବେନି-ପରାର୍ଦ୍ଧ-ରୂପୀ କାଳ । ନିମିଷ ଆଦି-ଅନ୍ତ ଯା’ର ॥ ୯୯
ଅନାଦି ଅବ୍ୟକ୍ତର ସୀମା । ଅନନ୍ତ ଈଶ୍ୱର ମହିମା ॥ ୧୦୦
କେବଳ ପରିପୂର୍ଣ୍ଣ ବିଭୁ । ସେ ସର୍ବେଶ୍ୱର ସର୍ବ ପ୍ରଭୁ ॥ ୧୦୧
ତାହାଙ୍କ ପରେ ପ୍ରଭୁପଣ । ସମର୍ଥ ନୋହେ କାଳ ଜାଣ ॥ ୧୦୨
ଷୋଡ଼ଶ-ବିକାରେ ସଞ୍ଚରେ । ନାନା ବିଷୟେ ରୂପ ଧରେ ॥ ୧୦୩
ଏ ଅଣ୍ତକୋଷ ଆଦ୍ୟ ପ୍ରାନ୍ତେ । ପଞ୍ଚାଶକୋଟି ପରିମିତେ ॥ ୧୦୪
ବିସ୍ତୃତ ସପ୍ତଆବରଣେ । ଉତ୍ତରୋତ୍ତର ଦଶଗୁଣେ ॥ ୧୦୫
କୋଟି ବ୍ରହ୍ମାଣ୍ତ ଯାର ଦେହେ । ଦିଶନ୍ତି ପରମାଣୁ ପ୍ରାୟେ ॥ ୧୦୬
ଅକ୍ଷରବ୍ରହ୍ମ ତାର ନାମ । ସେ ସର୍ବକାରଣ-କାରଣ ॥ ୧୦୭
ତାର ଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୦୮
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଏକାଦଶୋଽଧ୍ୟାୟଃ ।

ଦ୍ୱାଦଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ଏମନ୍ତେ କାଳସଂଖ୍ୟା ଯେତେ । ବର୍ଣ୍ଣିଲି ତୋହର ଅଗ୍ରତେ ॥ ୧
ଏବେ ବିଦୁର କହୁଁ ତୋତେ । ସେ ବ୍ରହ୍ମା-ସର୍ଜନା ଯେମନ୍ତେ ॥ ୨
ବେଦ ବିଚାରେ କଲା ସୃଷ୍ଟି । ଯେଣୁ ଅମୋଘ ତାର ଦୃଷ୍ଟି ॥ ୩
ଅନ୍ଧତାମିସ୍ର ମହାମୋହ । ତାମିସ୍ର ପୁଣି ତମ ମୋହ ॥ ୪
ଅବିଦ୍ୟା ପଞ୍ଚପର୍ବ ସୃଷ୍ଟି । ଆଗେ କଳ୍ପିଲା ପରମେଷ୍ଟି ॥ ୫
ପାପ-ବହୁଳ-ସୃଷ୍ଟି ସେହି । ତା ଦେଖି ବ୍ରହ୍ମା ବିଚାରଇ ॥ ୬
ଏ ସୃଷ୍ଟି ନୋହିଲା ଉଚିତ । ଦୃଢ଼େ ଗୋବିନ୍ଦେ ଦେଲା ଚିତ୍ତ ॥ ୭
ଗୋବିନ୍ଦପାଦ ଧ୍ୟାନ ବଳେ । ସଂଯୁକ୍ତ-ଭକତି ନିଶ୍ଚଳେ ॥ ୮
ବିଷ୍ଣୁର ଅଂଶେ ଚାରିଭ୍ରାତ । ବ୍ରହ୍ମାର ମନମଧ୍ୟୁ ଜାତ ॥ ୯
ସନକ ସନନ୍ଦ ଏ ବେନି । କୁମାର ସନାତନ ଘେନି ॥ ୧୦
ସ୍ୱଭାବେ ଉର୍ଦ୍ଧ୍ୱରେତା ହୋନ୍ତି । ବିଷ୍ଣୁହୁଁ ଆନ ନ ଜାଣନ୍ତି ॥ ୧୧
ତାହାଙ୍କୁ ଚାହିଁ ବେଦବର । ସ୍ୱଭାବେ କହଇ ମଧୁର ॥ ୧୨
ବ୍ରହ୍ମା ଉବାଚ
ତୁମ୍ଭେ ଚତୁରପୁତ୍ରେ ମୋର । ବେଦପ୍ରମାଣେ ସୃଷ୍ଟି କର ॥ ୧୩
ଏ ସୃଷ୍ଟି ହୋଇବ ତୁମ୍ଭର । ଯାଅ ଯା ମୋର ବୋଲ କର ॥ ୧୪
ମୈତ୍ରେୟ ଉବାଚ
ଏମନ୍ତେ ପିତା ବାକ୍ୟ ଶୁଣି । ପୁତ୍ରେ କହନ୍ତି ମନେ ଗୁଣି ॥ ୧୫
ଆମ୍ଭର ତେଣେ କାର୍ଯ୍ୟ ନାହିଁ । ଏମନ୍ତ ଆଜ୍ଞା ଦିଅ ତୁହି ॥ ୧୬
ଗୋବିନ୍ଦ-ଚରଣାରବିନ୍ଦେ । ଭକ୍ତି କରିବୁ ମୋକ୍ଷ-ସଧେ ॥ ୧୭
ଏମନ୍ତେ ଶୁଣି ତାଙ୍କ ବାଣୀ । କ୍ରୋଧେ କମ୍ପିଲା କୁଶପାଣି ॥ ୧୮
ପୁଣି ବୁଦ୍ଧିରେ ଚିତ୍ତ ଧରି । ଧ୍ୟାନେ ସୁମରି ନରହରି ॥ ୧୯
କୋପେ ଭ୍ରୂକୁଟୀ ତା କୁଟୀଳ । ବଦନ ଦିଶିଲା ପିଙ୍ଗଳ ॥ ୨୦
ଭ୍ରୂକୁଟୀ ମଧ୍ୟୁ ପୁତ୍ର ଜାତ । ଦିଶଇ ସୁନୀଳ-ଲୋହିତ ॥ ୨୧
ଦେବଙ୍କ ପୂର୍ବେ ଜାତ ସେହି । କାନ୍ଦଇ ବ୍ରହ୍ମା ମୁଖ ଚାହିଁ ॥ ୨୨
ବୋଲଇ ଶୁଣ ବେଦବର । ମୋହର ନାମ ଆଗେ କର ॥ ୨୩
ନିର୍ଭୟ ସ୍ଥାନେ ସ୍ଥାପ ମୋତେ । ଯେମନ୍ତେ ରହିବି ନିଶ୍ଚିନ୍ତେ ॥ ୨୪
ଶୁଣି ସାନନ୍ଦ ପ୍ରଜାପତି । ଚିନ୍ତିଲା ଯେବା ନାମ ସ୍ଥିତି ॥ ୨୫
ହେ ପୁତ୍ର ରୋଦନ ନ କର । କରିବି ବଚନ ତୋହର ॥ ୨୬
ରୋଦନ କଲୁ ଆଗେ ଯେଣୁ । ତୋ’ ନାମ ରୁଦ୍ର ହେଉ ତେଣୁ ॥ ୨୭
ଏମନ୍ତ କହି ତାର ଆଗେ । ସ୍ଥାନ କଳ୍ପିଲା ଯଥାଭାଗେ ॥ ୨୮
ମନ ଇନ୍ଦ୍ରିୟ ପ୍ରାଣ ବ୍ୟୋମ । ବାୟୁ ଅନଳ ଜଳସ୍ଥାନ ॥ ୨୯
ମହୀ ମିହିର ଚନ୍ଦ୍ର ତପ । ଏମନ୍ତେ ଏକାଦଶ ରୂପ ॥ ୩୦
ଯେ ସ୍ଥାନେ ଯେ ନାମ ତୋହର । ହୋଇବ ଶୁଣ ହେ କୁମର ॥ ୩୧
ମନ ଉପରେ ମନ୍ୟୁ ନାମ । ଇନ୍ଦ୍ରିୟ ପଦେ ମନୁ ଜାଣ ॥ ୩୨
ପ୍ରାଣରେ ବସେ ମହୀନସ । ଆକାଶେ ମହାନ ପ୍ରକାଶ ॥ ୩୩
ପବନେ ଶିବରୂପ ବସେ । ଅନଳେ ଋତଧ୍ୱଜ ମିଶେ ॥ ୩୪
ଉର୍ଦ୍ଧ୍ୱରେତସ ଜଳ ଯୋଗେ । ଭବ ବସିବ ଭୂମିଭାଗେ ॥ ୩୫
ରବିର ସ୍ଥାନେ କଳାଭାବ । ଚନ୍ଦ୍ରେ ବସିବ ବାମଦେବ ॥ ୩୬
ତପେ ବସିବ ଧୃତବ୍ରତ । ଏମନ୍ତେ ଏକାଦଶ ମତ ॥ ୩୭
ତୁମ୍ଭର ପତ୍ନୀ ନାମ ଯେତେ । ଶୁଣ କହିବା ତୋ ଅଗ୍ରତେ ॥ ୩୮
ଧୀ ବୃତ୍ତି ଉଶନା ଯେ ଉମା । ଅପରେ ଶୁଣ ଯେତେ ବାମା ॥ ୩୯
ନିୟତ୍ସର୍ପୀ ଇଳା ଅମ୍ବିକା । ଇରାବତୀ ଯେ ସୁଧା ଦୀକ୍ଷା ॥ ୪୦
ଏ କନ୍ୟା ରୁଦ୍ରାଣୀ ବୋଲାନ୍ତି । ଏହାଙ୍କ ତୁମ୍ଭେ ହୁଅ ପତି ॥ ୪୧
ଏ ଯେତେ ନାମ ଆଦି ସ୍ଥାନ । ସ୍ତିରୀ ସହିତେ ତୁହି ଘେନ ॥ ୪୨
ଏହି ପ୍ରମାଣେ ସୃଷ୍ଟି କର । ହୁଅ ତୁ ପ୍ରଜାପତି-ବର ॥ ୪୩
ଏମନ୍ତେ ଗୁରୁ ଆଜ୍ଞା ପାଇ । ନୀଳ ଲୋହିତ ତୋଷ ହୋଇ ॥ ୪୪
ସତ୍ତ୍ବ ଆକୃତି ଆତ୍ମସମ । ନିର୍ମାଣ କଲା ପ୍ରଜାଗଣ ॥ ୪୫
ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ । ସଂଶୟ ମନେ ବିଚାରଇ ॥ ୪୬
ଏ ସୃଷ୍ଟି ମହା ଭୟଙ୍କର । ଦେଖି କମ୍ପିଲା ଚିତ୍ତ ମୋର ॥ ୪୭
ବୋଲନ୍ତି ରୁଦ୍ର ମୁଖ ଚାହିଁ । ଭୋ ପୁତ୍ର ଏଣେ କାର୍ଯ୍ୟନାହିଁ ॥ ୪୮
ଏ ସୃଷ୍ଟି ଦଶଦିଗ ତୁଲେ । ମୋହର ମନେ ତାପ କଲେ ॥ ୪୯
ଏବେ ତୁ ତପ ସାଧ୍ୟକର । ସର୍ବଜୀବଙ୍କ ସୁଖଘର ॥ ୫୦
ତପର ବଳେ ଏ ଜଗତେ । ପ୍ରଜା ତୁ କର ପୂର୍ବମତେ ॥ ୫୧
ତପେ ତୁ ବିଷ୍ଣୁଙ୍କୁ ପାଇବୁ । ଯେ ଭାବେ ସର୍ବକାଳେ ଥିବୁ ॥ ୫୨
ମୈତ୍ରେୟ ଉବାଚ
ଏମନ୍ତ ବ୍ରହ୍ମା-ଆଜ୍ଞା ପାଇ । ନୀଳଲୋହିତ ତୋଷ ହୋଇ ॥ ୫୩
ବ୍ରହ୍ମାର ଚରଣେ ନମିଲା । ତପ ସାଧନେ ବନେ ଗଲା ॥ ୫୪
ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ । ସେ ବ୍ରହ୍ମା ମନେ ବିଚାରଇ ॥ ୫୫
ଏ ତ ଅସଂଖ୍ୟ ରୁଦ୍ରଗଣ । ନୁହଁନ୍ତି ସୃଷ୍ଟିର କାରଣ ॥ ୫୬
ତାହାଙ୍କୁ ଶିବଲୋକେ ଥୋଇ । ପୁଣି ସଂଶୟେ ବିଚାରଇ ॥ ୫୭
ଏବେ କି କରିବି ଉପାୟ । ନ ପୁଣ କୋପେ ଦେବରାୟ ॥ ୫୮
ଏମନ୍ତେ ବିଷ୍ଣୁପାଦ ଚିନ୍ତି । ଧ୍ୟାନେ ବସିଲା ପ୍ରଜାପତି ॥ ୫୯
ତାର ଶରୀରୁ ଦଶସୁତ । ତକ୍ଷଣେ ହୋଇଲେ ସମ୍ଭୂତ ॥ ୬୦
ଲୋକବର୍ଦ୍ଧନ ହେତୁ ଅର୍ଥେ । ନମିଲେ ବ୍ରହ୍ମା-ପାଦଗତେ ॥ ୬୧
ମରୀଚି ଅତ୍ରି ଅଙ୍ଗିରସ । ପୌଲସ୍ତ୍ୟ ପୁଲହ ପ୍ରକାଶ ॥ ୬୨
କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ । ଦଶମେ ନାରଦ ପ୍ରତ୍ୟକ୍ଷ ॥ ୬୩
ଶୁଣ ବିଦୁର କହୁଁ ଭଲେ । ଯେ ଅଙ୍ଗୁ ଯେବା ଉପୁଜିଲେ ॥ ୬୪
ନାରଦ ଉପୁଜିଲେ କୋଳୁ । ଦକ୍ଷ ଦକ୍ଷିଣାଙ୍ଗୁଷ୍ଠ ମୂଳୁ ॥ ୬୫
ପ୍ରାଣୁ ବଶିଷ୍ଠମୁନି ଜାତ । ଭୃଗୁ ଯେ ତ୍ୱକରୁ ସମ୍ଭୂତ ॥ ୬୬
କ୍ରତୁ ଉପୁଜେ ଭୁଜମୂଳୁ । ପୁଲହ ନାଭିର ମଣ୍ତଳୁ ॥ ୬୭
ପୌଲସ୍ତ୍ୟ କର୍ଣ୍ଣମୂଳୁ ଜାତ । ଅଙ୍ଗିରା ବଦନୁ ସମ୍ଭୂତ ॥ ୬୮
ଅତ୍ରି ଉପୁଜେ ଚକ୍ଷୁଯୁଗେ । ମରୀଚି ମନର ସଂଯୋଗେ ॥ ୬୯
ଦକ୍ଷିଣସ୍ତନୁ ଧର୍ମ ଜାତ । ଯେ ଧର୍ମ ଧରଇ ଜଗତ ॥ ୭୦
ଯେ ସ୍ଥାନେ ସ୍ୱୟଂ ନାରାୟଣ । ଅଛନ୍ତି ସଦା ବିଦ୍ୟମାନ ॥ ୭୧
ଅଧର୍ମ ପୃଷ୍ଠଦେଶୁ ହୋଇ । ମୃତ୍ୟୁ ଯହିଁରୁ ସଞ୍ଚରଇ ॥ ୭୨
କାମ ତା ହୃଦରୁ ସମ୍ଭୂତ । ଭୂରୁ ମଣ୍ତଳୁ କ୍ରୋଧ ଜାତ ॥ ୭୩
ଲୋଭ ହୋଇଲା ଓଷ୍ଠଦେଶେ । ବଚନ ବଦନୁ ପ୍ରକାଶେ ॥ ୭୪
ସପତସିନ୍ଧୁ ମେଢ୍ର ଦେଶୁ । ମୃତ୍ୟୁ ଦେବତା ଗୁହ୍ୟଦେଶୁ ॥ ୭୫
କର୍ଦ୍ଦମ ଛାୟାରୁ ସମ୍ଭୂତି । ଯାହାର ପତ୍ନୀ ଦେବହୂତି ॥ ୭୬
ଏମନ୍ତେ ଅଶେଷ ଜଗତ । ବ୍ରହ୍ମାର ମନ-ଦେହୁ ଜାତ ॥ ୭୭
ଯେ କନ୍ୟା ବଚନୁ ଜନ୍ମିଲା । ବ୍ରହ୍ମାର ମନ ସେ ମୋହିଲା ॥ ୭୮
ସକାମେ ବ୍ରହ୍ମା ତାର ହସ୍ତ । ଧଇଲେ ରତିରଙ୍ଗ ଅର୍ଥ ॥ ୭୯
ଅଧର୍ମ ଦେଖି ବ୍ରହ୍ମା ଚିତ୍ତେ । ପୁତ୍ରେ ମିଳିଲେ ତା ଅଗ୍ରତେ ॥ ୮୦
ମରୀଚି ଆଦି ଯେତେ ଭାଇ । ବୋଲନ୍ତି ପିତା ମୁଖ ଚାହିଁ ॥ ୮୧
ଭୋ ତାତ ସ୍ଥିରକର ଚିତ୍ତ । ଏ ତ ତୁମ୍ଭର ବିପରୀତ ॥ ୮୨
ଯେ କର୍ମ ପୂର୍ବାପରେ ନାହିଁ । ଏବେ ସେ ସମ୍ଭବିବ କାହିଁ ॥ ୮୩
କାହିଁ ଦୁହିତା ରମେ ପିତା । ଏଣୁ ଆମ୍ଭର ମନେ ଚିନ୍ତା ॥ ୮୪
ପୂର୍ବେ ତେଜସ୍ୱୀ ଯେତେ ଥିଲେ । ସତ୍ୟେ ସେ ଧର୍ମ ଆଚରିଲେ ॥ ୮୫
ସେ ନ କରନ୍ତି ଏଡ଼େ କର୍ମ । ସ୍ୱଭାବେ ନୁହଁଇ ଏ ଧର୍ମ ॥ ୮୬
ଯେ ଧର୍ମ ଲୋକକ୍ଷେମ କରେ । ଆନନ୍ଦେ ଆତ୍ମାକୁ ଉଦ୍ଧାରେ ॥ ୮୭
ଏଣୁ ସେ ବିଷ୍ଣୁସମ ନର । ଆମ୍ଭର ତାଙ୍କୁ ନମସ୍କାର ॥ ୮୮
ତୁ ଦେବ ଆତ୍ମାକୁ ସୁମର । ଅଧର୍ମୁ ମନ ସ୍ଥିରକର ॥ ୮୯
ଭୋ ତାତ ଧର୍ମେ କର ଚିତ୍ତ । ଅଧର୍ମେ ନ ବୁଡୁ ଜଗତ ॥ ୯୦
ତୁ ଏବେ ପାପ ଆଚରିଲେ । ସଂସାରେ ଥିବ କେବା ଭଲେ ॥ ୯୧
ଅନ୍ୟେ ତୋ କର୍ମ ଅନୁସାରେ । କୁଶଳୀ ହୋଇବେ ସଂସାରେ ॥ ୯୨
ଏମନ୍ତେ ଶିରେ କର ଦେଇ । ପାଦେ ନମିଲେ ସର୍ବଭାଇ ॥ ୯୩
ଏମନ୍ତ ବ୍ରହ୍ମାଙ୍କୁ ଜଣାଇ । ପୁଣି ବୋଲନ୍ତି ବିଷ୍ଣୁ ଚାହିଁ ॥ ୯୪
ହେ ବିଷ୍ଣୁ ଜଗତ-ଈଶ୍ୱର । ଆମ୍ଭର ତୋତେ ନମସ୍କାର ॥ ୯୫
ତୁ ଦେବ ଧର୍ମ ରକ୍ଷା କର । ଅଧର୍ମେ ନ ବୁଡୁ ପିଅର ॥ ୯୬
ଏମନ୍ତେ ପୁତ୍ରଙ୍କୁ ଅନାଇ । ବ୍ରହ୍ମା ରହିଲେ ଲଜ୍ଜାପାଇ ॥ ୯୭
ତକ୍ଷଣେ ଛାଡ଼ି ତାର ହସ୍ତ । ବିଷ୍ଣୁ ସୁମରେ ଚଉମାଥ ॥ ୯୮
ଅତି ଲଜ୍ଜିତ ଯେଣୁ ହେଲେ । ଲୀଳାରେ ତନୁ ତ୍ୟାଗ କଲେ ॥ ୯୯
ସେ ବ୍ରହ୍ମା ଯେଣୁ ଲଜ୍ଜା କଲା । ତା ତନୁ ଅଷ୍ଟଦିଗେ ଗଲା ॥ ୧୦୦
ସେ ଘୋର-ଅନ୍ଧକାର ରେଖା । ନାମ ବହିଲା କୁଜ୍ଝଟିକା ॥ ୧୦୧
ଅଧର୍ମେ ଅନ୍ଧକାର ହୋଇ । ସୂର୍ଯ୍ୟ ସମ୍ମୁଖେ ପ୍ରକାଶଇ ॥ ୧୦୨
ପୁଣି ଚଳଇ ଅଷ୍ଟଦିଶେ । ସଞ୍ଚରେ ସମ୍ଭବି ଆକାଶେ ॥ ୧୦୩
ମେଘର ପ୍ରାୟେ ତାର ଦେହୀ । ଶୁଣ ବିଦୁର ଏବେ କହି ॥ ୧୦୪
ଚିନ୍ତା ଆକୁଳେ ପ୍ରଜାପତି । ସୃଷ୍ଟି-ବିଷୟେ କଲା ମତି ॥ ୧୦୫
ଧ୍ୟାନ କରନ୍ତେ ମନେ ଖେଦ । ମୁଖୁ ଜନ୍ମିଲେ ଚାରିବେଦ ॥ ୧୦୬
ଶବଦବ୍ରହ୍ମ ପରିମାଣେ । ଧର୍ମ ଅଧର୍ମ ଯେ ବଖାଣେ ॥ ୧୦୭
ମନେ ବିଚାରେ ପଦ୍ମଯୋନି । ମୁଁ ଏବେ ବେଦତତ୍ତ୍ବ ଘେନି ॥ ୧୦୮
କରିବି ବିଷୟ-ଗୋଚର । ଯେମନ୍ତେ ପୂର୍ବେ ଏ ସଂସାର ॥ ୧୦୯
ବେଦବିଚାରେ ନାନାମତେ । କର୍ମ ବିସ୍ତାରି ଏ ଜଗତେ ॥ ୧୧୦
ଏ ଚାରିହୋତ୍ର କର୍ମତନ୍ତ୍ର । ଯେ ଉପବେଦ ନ୍ୟାୟଶାସ୍ତ୍ର ॥ ୧୧୧
ଏ ଭାବେ ଚାରିପାଦ-ଧର୍ମ । ଆଶ୍ରମ ବୃତ୍ତି ଯଥାକ୍ରମ ॥ ୧୧୨
ଯେ ଯୁଗେ ପ୍ରସରିବ ଯେତେ । ବ୍ରହ୍ମା ବିଚାରେ ଅନ୍ତର୍ଗତେ ॥ ୧୧୩
ମୈତ୍ରେୟ ମୁନି ପାଦେ ପଡ଼ି । ବିଦୁର ବୋଲେ କର ଯୋଡ଼ି ॥ ୧୧୪
ବିଦୁର ଉବାଚ
ଭୋ ମୁନି କହିବା ପ୍ରସନ୍ନେ । ସନ୍ଦେହ ଅଛି ମୋର ମନେ ॥ ୧୧୫
ସେ ବିଶ୍ୱ ସର୍ଜନ-ଈଶ୍ୱର । ଅଶେଷ ଶକ୍ତି ଶ୍ରୁତିଧର ॥ ୧୧୬
ଯେ ମୁଖେ ଯେ ବେଦ ସର୍ଜିଲେ । ଯହୁଁ ଯେ ଧର୍ମ ପ୍ରକାଶିଲେ ॥ ୧୧୭
ସେ କଥା କହ ମୁନି ମୋତେ । ସଂଶୟ ନ ରହୁ ମୋ ଚିତ୍ତେ ॥ ୧୧୮
ବିଦୁର-ବାକ୍ୟ ଶୁଣି କର୍ଣ୍ଣେ । ମୈତ୍ରେୟ କହନ୍ତି ପ୍ରସନ୍ନେ ॥ ୧୧୯
ମୈତ୍ରେୟ ଉବାଚ
ଶୁଣ ହୋ ବିଧାତାର ଲୀଳା । ଯେ ମୁଖୁ ଯେ ବେଦ ସର୍ଜିଲା ॥ ୧୨୦
ଋଗ୍ ବେଦ ପୂର୍ବମୁଖୁ କଲା । ଦକ୍ଷିଣେ ଯଜୁଃ ପ୍ରକାଶିଲା ॥ ୧୨୧
ସାମ ପଶ୍ଚିମମୁଖୁ ଜାତ । ଅଥର୍ବ ଉତ୍ତରୁ ସମ୍ଭୂତ ॥ ୧୨୨
ବେଦାଦିଶାସ୍ତ୍ର ସ୍ମୃତି ସ୍ତୋତ୍ର । ଯଜ୍ଞାଦିକୃତ ଅଗ୍ନିହୋତ୍ର ॥ ୧୨୩
ଦେବଙ୍କ ମନ୍ତ୍ର ସ୍ତୁତି ଯେତେ । ପୂର୍ବାଦି ଯଥାକ୍ରମ ମତେ ॥ ୧୨୪
ଆୟୁର୍ବେଦ ଯେ ଧନୁର୍ବେଦ । ଗାନ୍ଧର୍ବବେଦ ଶିଳ୍ପବେଦ ॥ ୧୨୫
ଏ ଆଦି ଉପବେଦ ଯେତେ । ପୂର୍ବାଦିମୁଖୁ କ୍ରମାଗତେ ॥ ୧୨୬
ପଞ୍ଚମ ବେଦ ଇତିହାସ । ସକଳ ବଦନୁ ପ୍ରକାଶ ॥ ୧୨୭
ଷୋଡ଼ଶୀ ଛନ୍ଦ ପୂର୍ବମୁଖେ । ପୁରିଷୀ ଅଗ୍ନିଷ୍ଫୁତ ଦକ୍ଷେ ॥ ୧୨୮
ଆପ୍ତ ଉର୍ଯ୍ୟାମ ଅତିରାତ୍ର । ଗୋସବ ବାଜପେୟ ଜାତ ॥ ୧୨୯
ଧର୍ମାଚରଣ ଚାରିବେଦେ । ବ୍ରହ୍ମା କଳ୍ପିଲା ଜ୍ଞାନଭେଦେ ॥ ୧୩୦
ଯେ ବିଦ୍ୟା ଦାନ ତପ ସତ୍ୟ । ଏ ଧର୍ମ ଚତୁଷ୍ପାଦ ମତ ॥ ୧୩୧
ଚତୁରାଶ୍ରମ ବୃତ୍ତିଭାବେ । ଯେ ଧର୍ମେ ଯେବା ନିସ୍ତରିବେ ॥ ୧୩୨
ସାବିତ୍ରୀ ପ୍ରାଜାପତ୍ୟ ବ୍ରାହ୍ମ । ବୃହତ ଆଦି ଚାରିକର୍ମ ॥ ୧୩୩
କୃଷି ଯାଜନ ଯେ ଶାଳୀନ । ଶୀଳୋଞ୍ଛବୃତ୍ତି ଆଦି ଧର୍ମ ॥ ୧୩୪
ବୈଖାନ ବାଳଖିଲ୍ୟା ଦୀକ୍ଷା । ଉଡୁମ୍ବର ଫେନପା ଶିକ୍ଷା ॥ ୧୩୫
ସନ୍ନ୍ୟାସେ କୁଟୀଚକ୍ର ଆଦି । ଆଶ୍ରମ ଧର୍ମ ଯେଣେ ସାଧି ॥ ୧୩୬
ଅପର ଆନ୍ୱିକ୍ଷିକୀ ତ୍ରୟୀ । ବାର୍ତ୍ତା ଦଣ୍ତନୀତି ଯେ ହୋଇ ॥ ୧୩୭
ବ୍ୟାହୃତି ସୃଷ୍ଟି ଏହିମତେ । ପ୍ରଣବ ଜନ୍ମ ହୃଦଗତେ ॥ ୧୩୮
ଗାୟତ୍ରୀ ଆଦି ସପ୍ତଛନ୍ଦ । ମନ୍ତ୍ରଦେବତା ଅନୁବନ୍ଧ ॥ ୧୩୯
ଉଷ୍ଣକଛନ୍ଦ ଲୋମୁ ଜାତ । ଗାୟତ୍ରୀ ଚର୍ମୁ ଉଦଭୁତ ॥ ୧୪୦
ମାଂସୁ ଉପୁଜେ ତ୍ରିଷ୍ଟୁପ୍ ଛନ୍ଦ । ସ୍ନାୟୁରୁ ଅନୁଷ୍ଠୁପ ଛନ୍ଦ ॥ ୧୪୧
ଜଗତି ଅସ୍ଥିଦେଶୁ ହୁଏ । ମଜ୍ଜାରେ ପଙ୍କ୍ତି ଛନ୍ଦ ରହେ ॥ ୧୪୨
ବୃହତୀଛନ୍ଦ ଦଶପ୍ରାଣ । ଜୀବ ତାହାର ସ୍ପର୍ଶ ବର୍ଣ୍ଣ ॥ ୧୪୩
ସ୍ୱର ବ୍ରହ୍ମା-ଶରୀରୁ ଜାତ । ଉଷ୍ମାଣ ଇନ୍ଦ୍ରିୟ ସମ୍ଭୂତ ॥ ୧୪୪
ଅନ୍ତ୍ୟସ୍ଥବର୍ଣ୍ଣ ବଳେ ବସେ । ଯେ ବଳେ ଶରୀର ପ୍ରକାଶେ ॥ ୧୪୫
ବ୍ରହ୍ମ-ବିହାର ସପ୍ତସ୍ୱର । ସୁଚିତ୍ତେ ଶୁଣ ହେ ବିଦୁର ॥ ୧୪୬
ଶବଦବ୍ରହ୍ମ ତା ଶରୀର । ସ୍ୱଭାବେ ବ୍ୟକ୍ତାବ୍ୟକ୍ତ ପର ॥ ୧୪୭
ଏଣୁ ସଂସାର ବ୍ରହ୍ମମୟେ । ଯେ ବ୍ରହ୍ମ ନାନା-ଶକ୍ତିବହେ ॥ ୧୪୮
ଏମନ୍ତେ ଶବ୍ଦବ୍ରହ୍ମ କରି । ଅପର ସୃଷ୍ଟି ମନେ ସ୍ମରି ॥ ୧୪୯
ଯେ ଋଷି ସୃଷ୍ଟି ପୂର୍ବେ କଲା । ତାଙ୍କ ବିସ୍ତାର ନ ଦେଖିଲା ॥ ୧୫୦
ସ୍ୱଭାବେ ତେଜୋବନ୍ତ ହୋନ୍ତି । ପ୍ରଜା ସୃଜନ ନ କରନ୍ତି ॥ ୧୫୧
ଏମନ୍ତ ବିଚାରି ବିଧାତା । ମନେ ପାଇଲା ଗୁରୁଚିନ୍ତା ॥ ୧୫୨
ଦେଖ ମୋହର କର୍ମ ମନ୍ଦ । ମୁଁ ଯେ ସୃଜିଲି ଋଷିବୃନ୍ଦ ॥ ୧୫୩
କେହି ନୋହିଲେ ସୃଷ୍ଟିଯୋଗ୍ୟେ । ସର୍ବେ ପଶିଲେ ତପଯୋଗେ ॥ ୧୫୪
ଏଥିରେ ଦୈବ ପ୍ରତିକୂଳ । ଏଣୁ ମୋ ମାନସ ଆକୁଳ ॥ ୧୫୫
ଏମନ୍ତେ ମନେ କରି ଚିନ୍ତା । ମଉନେ ବସିଲା ବିଧାତା ॥ ୧୫୬
ତକ୍ଷଣେ ବ୍ରହ୍ମା ନିଜ ପିଣ୍ତ । ତାପେ ହୋଇଲା ବେନିଖଣ୍ତ ॥ ୧୫୭
ସେ ବେନିଖଣ୍ତ ବ୍ରହ୍ମା ଦେହେ । ନାରୀ ପୁରୁଷ ବେନି ହୁଏ ॥ ୧୫୮
ପୁରୁଷଖଣ୍ତ ତାହା ତନୁ । ସେ ହେଲା ସ୍ୱୟମ୍ଭୁବ ମନୁ ॥ ୧୫୯
ସଂସାରେ ରାଜା ସେ ବୋଲାଇ । ଶୁଣ ବିଦୁର ଏବେ କହି ॥ ୧୬୦
ଅପରଖଣ୍ତ ନାରୀ ଜନ୍ମ । ହୋଇଲା ଶତରୂପା ନାମ ॥ ୧୬୧
ମନୁର ପତ୍ନୀ ସେ ହୋଇଲା । ମୈଥୁନେ ସୃଷ୍ଟି ଉପୁଜିଲା ॥ ୧୬୨
ପଞ୍ଚସନ୍ତତି ତାର ତହୁଁ । ହୋଇଲେ ଶୁଣ ନାମ କହୁ ॥ ୧୬୩
ଉତ୍ତାନପାଦ ପ୍ରିୟବ୍ରତ । ଆଗେ ହୋଇଲେ ବେନିସୁତ ॥ ୧୬୪
ଅପରେ ଜାତ ବେନି କନ୍ୟା । ଜଗନ୍ମୋହିନୀ ଅନୁପମା ॥ ୧୬୫
ଆକୂତି ଦେବହୂତି ବେନି । ପ୍ରସୂତି ନାମେ କନ୍ୟା ତିନି ॥ ୧୬୬
ସେ ମନୁ କନ୍ୟାଦାନ କଲା । ଆକୂତି ଋଚିବିପ୍ରେ ଦେଲା ॥ ୧୬୭
ମଧ୍ୟମା ଦେବହୂତି ନାମ । ବିବାହ କଲେ ତା କର୍ଦ୍ଦମ ॥ ୧୬୮
ତୃତୀୟା ନାମ ଯେ ପ୍ରସୂତି । ତାହାକୁ ଦକ୍ଷ ପ୍ରଜାପତି ॥ ୧୬୯
ତାହାଙ୍କ ଗର୍ଭୁ ନାନାମତେ । ସନ୍ତତି ପୂରିଲେ ଜଗତେ ॥ ୧୭୦
ଏମନ୍ତ ଭାଗବତ ବାଣୀ । ମୈତ୍ରେୟ ବିଦୁରେ ବଖାଣି ॥ ୧୭୧
ଶୁଣ ସୁଜନେ ଶୁଦ୍ଧଚିତ୍ତେ । ତୃତୀୟସ୍କନ୍ଧ ଭାଗବତେ ॥ ୧୭୨
ମୈତ୍ରେୟ ବିଦୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୧୭୩
ଏଣେ ହରିଙ୍କି କରି ଲୟେ । ବ୍ରାହ୍ମଣ ଜଗନ୍ନାଥ କହେ ॥ ୧୭୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଦ୍ୱାଦଶୋଽଧ୍ୟାୟଃ ।

ତ୍ରୟୋଦଶ ଅଧ୍ୟାୟ

[ସମ୍ପାଦନା]
ଶୁକ ଉବାଚ

ଏମନ୍ତେ ମୈତ୍ରେୟ ବଚନ । ଶୁଣି ବିଦୁର ତୋଷମନ ॥ ୧
କୃଷ୍ଣଚରିତେ ଭାବ ଭରି । ପୁଣି ପୁଚ୍ଛଇ ପାଦଧରି ॥ ୨

ବିଦୁର ଉବାଚ

ସେ ସ୍ୱାୟମ୍ଭୁବ ବ୍ରହ୍ମାସୁତ । ସଂସାର-ପ୍ରିୟ ପ୍ରିୟବ୍ରତ ॥ ୩
ପ୍ରତ୍ୟକ୍ଷେ ବ୍ରହ୍ମାର ଶରୀର । ସେ ସ୍ୱାୟମ୍ଭୁବ ନୃପବର ॥ ୪
ଯେ ଶତରୂପା ପତ୍ନୀ ତାର । ସ୍ୱଭାବେ ବ୍ରହ୍ମାର ଶରୀର ॥ ୫
ନିର୍ମିତ ନରନାରୀ ରୂପେ । ବିଷ୍ଣୁ ଆଦେଶେ ମହାକଳ୍ପେ ॥ ୬
ମୈଥୁନଭାବେ ସେ ରହିଲେ । କେମନ୍ତେ ସୃଷ୍ଟି ଭିଆଇଲେ ॥ ୭
ସେ ରାଜଋଷିର ଚରିତ । କହି ସନ୍ତୋଷ କର ଚିତ୍ତ ॥ ୮
ଏ କୃଷ୍ଣକଥା ପୁଣ୍ୟଯଶ । ଶ୍ରବଣେ ଚିତ୍ତ କଲା ଆଶ ॥ ୯
ଏମନ୍ତେ ବିଦୁରର ବାଣୀ । ମୈତ୍ରେୟ ବୋଲେ ତାହା ଶୁଣି ॥ ୧୦

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକଚିତ୍ତେ । ତୁ ଯାହା ପଚାରିଲୁ ମୋତେ ॥ ୧୧
ବ୍ରହ୍ମାର ଶରୀରୁ ସମ୍ଭବ । ପତ୍ନୀର ତୁଲେ ସ୍ୱାୟମ୍ଭୁବ ॥ ୧୨
କରଅଞ୍ଜଳି ଶିରେ ଦେଇ । ବୋଲଇ ବ୍ରହ୍ମାମୁଖ ଚାହିଁ ॥ ୧୩
ତୁ ସର୍ବଜନ୍ତୁଙ୍କର ପିତା । ଜନ୍ମସମ୍ପଦ ବୃତ୍ତିଦାତା ॥ ୧୪
ଆମ୍ଭେ ତୋହର ଭୃତ୍ୟପଣେ । ଯେମନ୍ତେ ଖଟୁ ତୋ ଚରଣେ ॥ ୧୫
ସେ ଆଜ୍ଞା ଦିଅ ବେଦବର । ତୋ’ର ଚରଣେ ନମସ୍କାର ॥ ୧୬
ଯେ କର୍ମ ସାଧି ଅତିରେକେ । ସୁ ଯଶ ଇହ ପରଲୋକେ ॥ ୧୭
ଲଭନ୍ତି ପ୍ରାଣୀ ଆତ୍ମସୁଖେ । ସେ ଆଜ୍ଞା କର ତାତ ମୁଖେ ॥ ୧୮
ଏମନ୍ତେ ପୁତ୍ରର ବଚନେ । ବ୍ରହ୍ମା କହିଲେ ତୋଷମନେ ॥ ୧୯

ବ୍ରହ୍ମା ଉବାଚ

ଶୁଣ କୁମର ସାଧୁଧୀର । ତୁ ଏ ସଂସାରେ ନୃପବର ॥ ୨୦
ନିର୍ମଳ ହୃଦେ ତୁ ପଚାରୁ । ଯେହ୍ନେ ସମ୍ବାଦ ଶିଷ୍ୟ ଗୁରୁ ॥ ୨୧
ତୋଠାରେ ହୋଇଲି ପ୍ରସନ୍ନ । ତୋହର ହେଉ ଯେ କଲ୍ୟାଣ ॥ ୨୨
ପିତାର ଆଜ୍ଞା ଶିରେ ଧରି । ସାଦରେ ସର୍ବ ଦୂର କରି ॥ ୨୩
ଏହାର ସଙ୍ଗେ ତୁହି ରମ । ସନ୍ତତି କର ଆତ୍ମସମ ॥ ୨୪
ପୃଥିବୀ ପାଳନ ତୁ କର । ଯଜ୍ଞେ ସନ୍ତୋଷ ଚକ୍ରଧର ॥ ୨୫
ପ୍ରଜା ପାଳନେ କର ଆଶା । ତେଣେ ମୋ ହୋଇ ଶୁଶ୍ରୂଷା ॥ ୨୬
ଯେ ଯଜ୍ଞରୂପ ଜନାର୍ଦ୍ଦନ । ତୋ ପ୍ରତି ହୋଇବେ ପ୍ରସନ୍ନ ॥ ୨୭
ସେ ଯଜ୍ଞ ଅନ୍ତେ ଜନାର୍ଦ୍ଦନ । ଯାହାକୁ ନୁହଁନ୍ତି ପ୍ରସନ୍ନ ॥ ୨୮
ବିଫଳ ଶ୍ରମ ହିଁ ତାହାର । ଯେଣୁ ଆତ୍ମାରେ ଅନାଦର ॥ ୨୯
ଏମନ୍ତେ ପିତାର ବଚନେ । ଶୁଣି ସ୍ୱାୟମ୍ଭୁବ ତୋଷମନେ ॥ ୩୦
ଆନନ୍ଦେ ଶିରେ କର ଦେଇ । ବୋଲଇ ବ୍ରହ୍ମାମୁଖ ଚାହିଁ ॥ ୩୧

ମନୁ ଉବାଚ

ଭୋ ନାଥ ତୋହର ଆଦେଶେ । ସୃଷ୍ଟି ମୁଁ କରିବି ବିଶ୍ୱାସେ ॥ ୩୨
ମୁଁ ସୃଷ୍ଟି ସରଜିବି କାହିଁ । ଏ ଜଳେ ଧରଣୀ ତ ନାହିଁ ॥ ୩୩
ତାର ଉଦ୍ଧାରେ ଯତ୍ନ କର । ଯେମନ୍ତେ ସୃଷ୍ଟିର ସଂଚାର ॥ ୩୪

ମୈତ୍ରେୟ ଉବାଚ

ଏମନ୍ତେ ପୁତ୍ରର ବଚନେ । ବ୍ରହ୍ମା ବିଚାରେ ନିଜମନେ ॥ ୩୫
ମାୟା ପ୍ରଳୟ ଜଳରାଶି । ପବନ ସଙ୍ଗେ ମୁଁ ଯେ ଗ୍ରାସି ॥ ୩୬
ପୃଥିବୀ ନିବେଶିଲି ଜଳେ । ପ୍ରଜା କଳ୍ପିଲି ଯୋଗବଳେ ॥ ୩୭
ଦେବ ଅସୁର ପିତୃ ନର । ପଶୁ ପତଙ୍ଗ ମହୀଧର ॥ ୩୮
ବୃକ୍ଷ ଔଷଧି ଉଚ୍ଚ-ନୀଚେ । ଧରଣୀ ସ୍ଥାପିଲି ଯେ ସଞ୍ଚେ ॥ ୩୯
ଏବେ ତ ଜଳେ ନାହିଁ ମହୀ । ଏମନ୍ତ ବ୍ରହ୍ମା ବିଚାରଇ ॥ ୪୦
ଜଳେ ନ ଦେଖି ବସୁନ୍ଧରୀ । ବିଧାତା ମନେ ଧ୍ୟାନକରି ॥ ୪୧
ମହୀ ବୁଡ଼ିଲା ମହାଜଳେ । କେମନ୍ତେ ଉଦ୍ଧରିବି ବଳେ ॥ ୪୨
ଯାର ଆଦେଶେ ଅବତରି । ମୁଁ ଏ ସଂସାରେ ଅଧିକାରୀ ॥ ୪୩
ସେ ହରି ଯେବେ ଦୟାକରେ । ଧରଣୀ ଆପଣେ ଉଦ୍ଧରେ ॥ ୪୪
ନୋହିଲେ ମୋର ଶକ୍ୟ କାହିଁ । ଏମନ୍ତେ ବିଷ୍ଣୁପାଦ ଧ୍ୟାୟି ॥ ୪୫
ବ୍ରହ୍ମା ରହିଲେ ସ୍ତମ୍ଭୀଭୂତେ । ଶୁଣ ବିଦୁର ଏକଚିତ୍ତେ ॥ ୪୬
ତକ୍ଷଣେ ପ୍ରଭୁ ନରହରି । ବାଳ ଶୂକର ରୂପଧରି ॥ ୪୭
ଅଙ୍ଗୁଷ୍ଠ ପ୍ରମାଣ ଶରୀରେ । ଜନ୍ମିଲେ ବ୍ରହ୍ମା ନାସାଦ୍ୱାରେ ॥ ୪୮
ପୁଣି କ୍ଷଣକେ ଗଜପ୍ରାୟେ । ଅଦ୍ଭୁତେ ବଢ଼େ ତାରକାୟେ ॥ ୪୯
ମରୀଚି ଆଦି ମୁନି ଯେତେ । ସନତକୁମାର ସହିତେ ॥ ୫୦
ଅଦ୍ଭୁତ ବରାହ ଶରୀର । କ୍ଷଣକ୍ଷଣକେ ଅଗୋଚର ॥ ୫୧
ଋଷିଙ୍କି ଚାହିଁ ବେଦବର । କହନ୍ତି ଦେଖି ତା ଶରୀର ॥ ୫୨
ଅଙ୍ଗୁଷ୍ଠ ମାତ୍ରେ ଜାତ ହୋଇ । ପର୍ବତ ସମାନେ ବଢ଼ଇ ॥ ୫୩
ଶୁଣ ସକଳ ମୁନିଜନେ । ଏ ରୂପେ ଖେଦ ମୋରମନେ ॥ ୫୪
ଏମନ୍ତେ ପୁତ୍ରଗଣ ଘେନି । ବିଚାର କରେ ପଦ୍ମଯୋନି ॥ ୫୫
ଏ ବା ଅନାଦି-ଭଗବାନ । ଏ ରୂପେ ବୋଧେ ମୋର ମନ ॥ ୫୬
ଏମନ୍ତ ଜାଣି ବାସୁଦେବ । ଗର୍ଜିଲେ ଗଜେନ୍ଦ୍ର ସ୍ୱଭାବ ॥ ୫୭
ବ୍ରହ୍ମାଦି ଋଷିଙ୍କ ସମେତେ । ହରଷ କଲେ ସର୍ବେ ଚିତ୍ତେ ॥ ୫୮
ଦିଗ ପୂରିଲା ଗରଜନ୍ତେ । ଅଦ୍ଭୁତ ଶବଦ ସହିତେ ॥ ୫୯
ସେ ମାୟାମୟ ରୂପ ହରି । ଛଳେ ଶୂକର ରୂପ ଧରି ॥ ୬୦
ଦେଖି ଚକିତ ମୁନିଜନେ । ଆନନ୍ଦେ ବିଚାରନ୍ତି ମନେ ॥ ୬୧
ଜନ ସତ୍ୟ ତପ ନିବାସୀ । ମିଳି ସକଳ ବ୍ରହ୍ମଋଷି ॥ ୬୨
ସ୍ତୁତି କରନ୍ତି ମନତୋଷେ । ଧରଣୀ ଉଦ୍ଧରିବା ଆଶେ ॥ ୬୩
ଯାହାର ଗୁଣ ଅନୁବାଦେ । କ୍ଷମ ନୁହଁନ୍ତି ଚାରିବେଦେ ॥ ୬୪
ଯା ରୂପ ମନଜ୍ଞାନେ ଚିନ୍ତି । ଅଶେଷ ଶାସ୍ତ୍ରେ ନ ଜାଣନ୍ତି ॥ ୬୫
ମୁନିଙ୍କ ସ୍ତୁତିବାକ୍ୟ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥ ୬୬
ଦେବଙ୍କ ହିତଅର୍ଥେ ହରି । ପୁଣି ଶୂକର ନାଦକରି ॥ ୬୭
ଗଜେନ୍ଦ୍ର ଲୀଳା କରି ହେଳେ । ବିଷ୍ଣୁ ପଶିଲେ ମହାଜଳେ ॥ ୬୮
ଖୁର-ଲାଙ୍ଗୁଡ଼ ମୁଖେ ତାଡ଼ି । ଶବଦ ଶୁଭେ ଘଡ଼ଘଡ଼ି ॥ ୬୯
ଜଳ ପ୍ରବେଶ ପୂର୍ବେ ହରି । ପୁଚ୍ଛ ଉତ୍ କ୍ଷେପ ଉର୍ଦ୍ଧ୍ୱେ କରି ॥ ୭୦
ଲମ୍ଫରେ ଆକାଶେ ଉଠିଲେ । କଠୋର ଶଟା କମ୍ପାଇଲେ ॥ ୭୧
ବରାହ ଦେହ ଜଳକଣେ । ଶୂନ୍ୟେ ତିନ୍ତିଲେ ଦେବଗଣେ ॥ ୭୨
ଲାଙ୍ଗୁଡ଼-ବୃଷ୍ଟି-ଜଳଲାଗି । ଦିଗେ ହୋଇଲେ ସଉଭାଗୀ ॥ ୭୩
ସୁତୀକ୍ଷ୍ଣ ଖୁର କ୍ଷିପ୍ତଜଳେ । ସମୁଦ୍ର ଉଛୁଳେ କଲ୍ଲୋଳେ ॥ ୭୪
ପର୍ବତ ପ୍ରାୟେ ଦେହକାନ୍ତି । ଜ୍ୟୋତି ସମୂହେ ଝଟକନ୍ତି ॥ ୭୫
ମହୀ ଖୋଜନ୍ତି ଘ୍ରାଣବାସେ । ଧରଣୀ ଉଦ୍ଧରିବା ଆଶେ ॥ ୭୬
କରାଳ ଦନ୍ତ ଓଷ୍ଠ ପାଟି । ଉର୍ଦ୍ଧ୍ୱେ ମୁନିଙ୍କି ଦେଇ ଦୃଷ୍ଟି ॥ ୭୭
ଅଙ୍ଗ ନିର୍ଘାତ ବଜ୍ର ପ୍ରାୟେ । ଦେଖି ଜଳଧି କଲା ଭୟେ ॥ ୭୮
ତରଙ୍ଗ-କର ଉଚ୍ଚେ କରି । ଡାକଇ ରଖ ଦଇତାରି ॥ ୭୯
ହେ ଯଜ୍ଞେଶ୍ୱର ତ୍ରାହିକର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୮୦
ସମୁଦ୍ର ମୁଖରାବ ଗୋଳେ । ହରି ପଶିଲେ ରସାତଳେ ॥ ୮୧
ଜଳେ ନିମଗ୍ନା ବସୁନ୍ଧରୀ । ତକ୍ଷଣେ ଦନ୍ତାଗ୍ରେ ଉଦ୍ଧରି ॥ ୮୨
ଜଳୁ ଆସନ୍ତେ ଊଦ୍ଧ୍ୱର୍ମୁଖେ । ଅସୁର ମିଳିଲା ସମ୍ମୁଖେ ॥ ୮୩
ଆଦିଅସୁର ଯେ ପ୍ରତ୍ୟକ୍ଷ । ନାମ ତାହାର ହିରଣାକ୍ଷ ॥ ୮୪
ଗଦା ବୁଲାଇ ଅତିବେଗେ । ମିଳିଲା ଯଜ୍ଞନାଥ ଆଗେ ॥ ୮୫
ମତ୍ତମାତଙ୍ଗ ଯେହ୍ନେ ମହୀ । କର୍କଶ ଦନ୍ତେ ବିଦାରଇ ॥ ୮୬
ଲୀଳାଏ ଅସୁର ସଂହାରି । ଗଜକୁ ଯେସନେ କେଶରୀ ॥ ୮୭
ତା ଦେହ ଦଶନେ ବିଦାରି । ଧରଣୀ ଘେନି ବିଜେକରି ॥ ୮୮
ତମାଳ ନୀଳବର୍ଣ୍ଣ ଦେହୀ । ଶୁଭ୍ର ତୀକ୍ଷ୍ ଣ ଦନ୍ତ ଦୁୁୁଇ ॥ ୮୯
ଦଶନଅଗ୍ରେ ମହୀ ରହେ । ଚନ୍ଦ୍ରେ କଳଙ୍କ ଯେହ୍ନେ ଶୋହେ ॥ ୯୦
ଏମନ୍ତ ରୂପ ଦେଖି ବେଗେ । ବ୍ରହ୍ମା ମିଳିଲେ ବିଷ୍ଣୁ ଆଗେ ॥ ୯୧
ସଙ୍ଗତେ ମୁନିଗଣ ଘେନି । ସ୍ତୁତି କରଇ ପଦ୍ମଯୋନି ॥ ୯୨
ଋଷିଗଣ ଉବାଚ

ହେ ଯଜ୍ଞରୂପୀ ଜନାର୍ଦ୍ଦନ । ତୋର ବିହାର ତ୍ରିଭୁବନ ॥ ୯୩
ଜୟ ତୁ ଜୟ ଭଗବାନ । ତୁ ବେଦମୟ ବିଦ୍ୟମାନ ॥ ୯୪
ଯଜ୍ଞମୂରତି ନିଜ ପିଣ୍ତେ । ଯେ ଯଜ୍ଞଧର୍ମ କର୍ମକାଣ୍ତେ ॥ ୯୫
ତୋର ଶରୀର ରୋମକୂପେ । ସମୁଦ୍ର ଲୁଚିଲା ସ୍ୱରୂପେ ॥ ୯୬
ନମୋ ଗୋବିନ୍ଦ ମହୀଧର । ଅଶେଷ-ମହିମା-ସାଗର ॥ ୯୭
ହେ କାଳରୂପୀ ତୋ ଚରଣେ । ନିର୍ଭୟେ ପଶିଲୁ ଶରଣେ ॥ ୯୮
ଯଜ୍ଞାଦି ଆତ୍ମା ତୋ ଶରୀର । ଦୁଷ୍କୃତଜନେ ଅଗୋଚର ॥ ୯୯
ତୋ ଦେହ ଚର୍ମେ ବେଦ ବସେ । ଅନଳ ରୋମକୂପ ଦେଶେ ॥ ୧୦୦
ଘୃତ ଆହୁତି ନେତ୍ରଯୁଗେ । ଚତୁରହୋତ୍ର ପାଦଭାଗେ ॥ ୧୦୧
ଏ ଯଜ୍ଞ ଶ୍ରୁଚ ତୋର ତୁଣ୍ତେ । ଶ୍ରୁବ ନିର୍ମିତ ନାସାଖଣ୍ତେ ॥ ୧୦୨
ଇଡ଼ା ଉଦର ଅନୁବନ୍ଧେ । ଚମସ ରହେ କର୍ଣ୍ଣରନ୍ଧ୍ରେ ॥ ୧୦୩
ପ୍ରାଶିତ୍ର ବସେ ତୋର ଆସ୍ୟେ । ଗ୍ରହେ ବସନ୍ତି ତୋର ଗ୍ରାସେ ॥ ୧୦୪
ଚର୍ବଣେ ଅଗ୍ନିହୋତ୍ର ରହେ । ଦୀକ୍ଷା ତୋ ଅନୁଜନ୍ମ ବହେ ॥ ୧୦୫
ଯେ ଉପଷଦ ତିନିଈଷ୍ଟେ । ସେ ତୋର ଗ୍ରୀବାଦେଶ ଅଟେ ॥ ୧୦୬
ଦନ୍ତେ ପ୍ରାୟଣୀ ଉଦୟିନୀ । ଜିହ୍ୱାରେ ପ୍ରବର୍ଗ୍ୟକୁ ଘେନି ॥ ୧୦୭
ଶିରେ ହୋମରହିତ ଅଗ୍ନି । ଆବର ଉପାସନା ବହ୍ନି ॥ ୧୦୮
ପ୍ରାଣେ ବସନ୍ତି ଚିତିଗଣ । ସୋମ ତୋ ରେତ ଆଚରଣ ॥ ୧୦୯
ସବନ ତୋହର ଅବସ୍ଥା । ସପ୍ତଧାତୁଏ ତୋର ସଂସ୍ଥା ॥ ୧୧୦
ତୋ ଦେହସନ୍ଧି ସର୍ବ ସତ୍ର । ତୁ ସର୍ବଯଜ୍ଞ କ୍ରତୁ ମାତ୍ର ॥ ୧୧୧
ମନ୍ତ୍ରଦେବତା ରୂପ ତୁହି । ତୁ ଦ୍ରବ୍ୟ କ୍ରତୁ କ୍ରିୟା ହୋଇ ॥ ୧୧୨
ବୈରାଗ୍ୟ ଭକ୍ତି ଆତ୍ମଜୟେ । କରାଉ ଜ୍ଞାନର ଉଦୟେ ॥ ୧୧୩
ତୁ ବିଦ୍ୟାଗୁରୁ ଜ୍ଞାନଦାତା । ସକଳ ଜୀବ ପିତାମାତା ॥ ୧୧୪
ଅଖିଳ ମୂର୍ତ୍ତି ଭଗବାନ । ତୋର ଚରଣେ ନମୋନମ ॥ ୧୧୫
ତୋ ଦନ୍ତଅଗ୍ରେ ବସୁନ୍ଧରୀ । ବିରାଜେ ନିଜ ରୂପ ଧରି ॥ ୧୧୬
କି ଅବା ଦେବା ପଟାନ୍ତର । ଜଳେ ଯେସନେ କରୀବର ॥ ୧୧୭
ପଦ୍ମବନରୁ ସେ ନିର୍ଗତ । ଦନ୍ତାଗ୍ରେ ପଦ୍ମିନୀ ଶୋଭିତ ॥ ୧୧୮
ଏ ଯେ ଶୂକର ତୋର ଦେହ । ଅଶେଷ ଯଜ୍ଞ ବେଦମୟ ॥ ୧୧୯
ଦନ୍ତେ ଧରଣୀ କରେ ଶୋଭା । କିବା ଉପମା ଆମ୍ଭେ ଦେବା ॥ ୧୨୦
ପର୍ବତଶୃେଙ୍ଗ ଜଳଧର । ଯେମନ୍ତେ ଦିଶଇ ସୁନ୍ଦର ॥ ୧୨୧
ତେମନ୍ତେ ଶୋଭିତ ଧରଣୀ । ତୋ ଦନ୍ତଅଗ୍ରେ ଚକ୍ରପାଣି ॥ ୧୨୨
ଏବେ ଧରଣୀ ସ୍ଥାପ ଜଳେ । ଭୋ ନାଥ ତୋର ମାୟାବଳେ ॥ ୧୨୩
ଏ ଭୂମି ଜୀବଲୋକ-ମାତା । ତୁ ନାଥ ଜୀବଲୋକ-ପିତା ॥ ୧୨୪
ତୋ ବିନୁ କେବା ଅନ୍ୟ ବଳେ । ମହୀ ଉଦ୍ଧରେ ମହାଜଳେ ॥ ୧୨୫
ଏଣୁ ବିସ୍ମୟ ଆମ୍ଭ ନାହିଁ । ଅତି ବିସ୍ମୟ ବିଶ୍ୱେ ଯେହି ॥ ୧୨୬
ତାହାକୁ ତୁହି ମାୟାବଳେ । ସର୍ଜନା କଲୁ ଏ ଶୟଳେ ॥ ୧୨୭
ଏ ଯେ ଈଶ୍ୱର ତୋର ଦେହୀ । ସକଳ ବେଦମୟ ଏହି ॥ ୧୨୮
ଜଳେ ପଶନ୍ତେ ତୋ ଶରୀର । ଜଳଧି ଦିଶେ ଭୟଙ୍କର ॥ ୧୨୯
ତୋ ରୋମଅଗ୍ରେ ଜଳରାଶି । ଉଛୁଳି ଶୂନ୍ୟମାର୍ଗେ ଆସି ॥ ୧୩୦
ସେ ଜଳବିନ୍ଦୁ ସ୍ପର୍ଶ ମାତ୍ର । ସକଳେ ହୋଇଲୁ ପବିତ୍ର ॥ ୧୩୧
ଜନ ତପ ସତ୍ୟ ଭୁବନେ । ଆମ୍ଭେ ଯେ ରହୁ ତୋଷମନେ ॥ ୧୩୨
ତୋ ରୋମଜଳେ କରି ସ୍ନାନ । ଆନନ୍ଦେ ତୋଷ କଲୁ ମନ ॥ ୧୩୩
ପବିତ୍ର କଲୁ ପିଣ୍ତ ପ୍ରାଣ । ତୋର ଶରଣ ନାରାୟଣ ॥ ୧୩୪
ତୋ କର୍ମ-ପାର ଜାଣିବାରେ । ଯେ ଜନ ମନେ ବାଞ୍ଛାକରେ ॥ ୧୩୫
ତାହାକୁ ବୋଲି ମନ୍ଦମତି । ଯେଣୁ ଅସାଧ୍ୟ ତୋର ଗତି ॥ ୧୩୬
ତୋ ଯୋଗମାୟା ଗୁଣ ବଳେ । ଆମ୍ଭେ ମୋହିତ ଏ ଶୟଳେ ॥ ୧୩୭
ଏଣୁ ବିଶ୍ୱକୁ ସୁଖ ଦେଇ । ଆମ୍ଭଙ୍କୁ ନାଥ କର ତ୍ରାହି ॥ ୧୩୮

ମୈତ୍ରେୟ ଉବାଚ

ବ୍ରହ୍ମାଦି ମୁନିଙ୍କ ବଚନେ । ବରାହ ରୂପୀ ତୋଷମନେ ॥ ୧୩୯
ଜଳେ ବସାଇ ବସୁନ୍ଧରୀ । ଅଦୃଶ୍ୟ ହୋଇଲେ ମୁରାରି ॥ ୧୪୦
ସେ ହରି ଅଭୟ ଚରଣେ । ବିଦୁର ପଶ ତୁ ଶରଣେ ॥ ୧୪୧
ଏ ମନୋହର କୃଷ୍ଣକଥା । ଯେ ଅବା ହୋନ୍ତି ଶ୍ରୋତା ବକ୍ତା ॥ ୧୪୨
ତା’ର ହୃଦୟେ ଭଗବାନ । ତକ୍ଷଣେ ହୁଅନ୍ତି ପ୍ରସନ୍ନ ॥ ୧୪୩
ସେ ହରି ଅଦ୍ଭୁତ ଚରିତ । ଶୁଣି ବିଦୁର ତୋଷଚିତ୍ତ ॥ ୧୪୪
ଶୁଣ ସୁଜନେ ତୋଷଚିତ୍ତେ । ସଂସାରୁ ତରିବ ଯେମନ୍ତେ ॥ ୧୪୫
ଯାର ପ୍ରସନ୍ନେ ମାୟାଘୋର । ନଳିନୀଦଳେ ଯେହ୍ନେ ନୀର ॥ ୧୪୬
ନ ଲାଗେ ନିରତେ ସିଞ୍ଚନ୍ତେ । ବିଷ୍ଣୁ-ପ୍ରସଙ୍ଗ ଅନୁମତେ ॥ ୧୪୭
କର୍ଣ୍ଣେ ପଶନ୍ତେ ହରିବାଣୀ । ସୁଧା-ସମୁଦ୍ର ପରିମାଣି ॥ ୧୪୮
ଆନନ୍ଦେ କର ସୁଧାପାନ । ଯେଣେ ହୋଇବ ତତ୍ତ୍ବଜ୍ଞାନ ॥ ୧୪୯
ତୃତୀୟସ୍କନ୍ଧେ ଭାଗବତ । ଅଦ୍ଭୁତ ବରାହ ଚରିତ ॥ ୧୫୦
ଏଣେ ନିବେଶି ବୁଦ୍ଧି-ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୫୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ବରାହପ୍ରାଦୁର୍ଭାବ ବର୍ଣ୍ଣନେ ନାମ ତ୍ରୟୋଦଶୋଽଧ୍ୟାୟଃ ।

ଚତୁର୍ଦ୍ଦଶ ଅଧ୍ୟାୟ

[ସମ୍ପାଦନା]
ଶୁକ ଉବାଚ

ମୈତ୍ରେୟ ବାଣି ଶୁଣି କର୍ଣ୍ଣେ । ତୋଷ ନୋହିଲା ତାର ମନେ ॥ ୧
କୃଷ୍ଣ ଶୂକରରୂପ କଥା । ଅମୃତ ରସମୟ ଗାଥା ॥ ୨
ଆନନ୍ଦେ ଶିରେ କର ଦେଇ । ପୁଣି ବିଦୁର ପଚାରଇ ॥ ୩

ବିଦୁର ଉବାଚ

ଯଜ୍ଞବରାହ ରୂପ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥ ୪
ଜଳୁ ଆସନ୍ତେ ଊର୍ଦ୍ଧ୍ୱଗତେ । ଆଦି ଅସୁର ତା’ ଅଗ୍ରତେ ॥ ୫
ମିଳିଲା ଗଦା କରେ ଧରି । ତା’ ଦେହ ଦଶନେ ବିଦାରି ॥ ୬
ଏ କଥା ଶୁଣି ତୁମ୍ଭ ମୁଖେ । ଏବେ ପଚାରେ ମନସୁଖେ ॥ ୭
ସେ ଦୈତ୍ୟ ତେଜେ ଅନର୍ଗଳା । କି ହେତୁ ଗଦାଯୁଦ୍ଧ କଲା ॥ ୮
ତାହାର ଜନ୍ମ କର୍ମ ଯେତେ । ବିସ୍ତାରି କହ ମୁନି ମୋତେ ॥ ୯
ପରମ କୁତୂହଳ ବାଣୀ । ଜୀବ ନିସ୍ତରେ ଯାହା ଶୁଣି ॥ ୧୦

ମୈତ୍ରେୟ ଉବାଚ

ତୁ ଧନ୍ୟ ଧନ୍ୟ କୁରୁବୀର । ଏ ସାଧୁ ପ୍ରଶ୍ନ ଯେ ତୋହର ॥ ୧୧
ହରି-ଚରିତ ଗୁର କଥା । ଅମୃତ ରସମୟ-ଗାଥା ॥ ୧୨
ଯାହା ଶୁଣନ୍ତେ ମୃତ୍ୟୁପାଶ । ସୁତୀକ୍ଷ୍ ଣ ଚକ୍ରେ ହୋଏ ନାଶ ॥ ୧୩
ସେ ସ୍ୱାୟମ୍ଭୁବ ମୁନି ସୁତ । ଉତ୍ତାନପାଦ-ସୁତ ଖ୍ୟାତ ॥ ୧୪
ତପର ବଳେ ସେ ପ୍ରଚଣ୍ତେ । ଚରଣ ଦେଇ ମୃତ୍ୟୁମୁଣ୍ତେ ॥ ୧୫
ସ୍ୱଭାବେ ତେଜେ ଅନର୍ଗଳା । ପରମପଦେ ସେ ପଶିଲା ॥ ୧୬
ତୁ ଯେବେ ପଚାରିଲୁ ମୋତେ । ବିଦୁର ଶୁଣ ଏକଚିତ୍ତେ ॥ ୧୭
ପ୍ରସ୍ତାବେ ଇତିହାସ ବାଣୀ । ଦେବଙ୍କ ସଭାମଧ୍ୟେ ଶୁଣି ॥ ୧୮
ଦେବ ସମୀପେ ଦେବଦେବ । ବ୍ରହ୍ମା କହିଲେ ଯେ ପ୍ରସ୍ତାବ ॥ ୧୯
ଜାଣଇ ଏଥିର କାରଣ । କହିବି ଏକଚିତ୍ତେ ଶୁଣ ॥ ୨୦
ଦକ୍ଷ ଦୁହିତା ଦିତି ନାମା । କଶ୍ୟପ ଋଷିଙ୍କର ବାମା ॥ ୨୧
ସେ ଏକଦିନେ ସନ୍ଧ୍ୟାକାଳେ । ଏକା ପଶିଲା ଯଜ୍ଞଶାଳେ ॥ ୨୨
ମିଳିଲା ନିଜ ପତି ପାଶେ । କାମେ ପୀଡ଼ିତ ରତି ଆଶେ ॥ ୨୩
ସେ ମହାଋଷି ଯଜ୍ଞଘରେ । ମନ୍ତ୍ରେ ଆହୁତି ଘୃତଧାରେ ॥ ୨୪
ଯଜ୍ଞପୁରୁଷ ପ୍ରୀତି ଅର୍ଥେ । ଅସ୍ତ ପର୍ବତେ ସୂର୍ଯ୍ୟ ଯାନ୍ତେ ॥ ୨୫
ହବିରେ ଅଗ୍ନିକି ପୂଜନ । କରନ୍ତି ହୋଇ ତୋଷମନ ॥ ୨୬
ନିବିଡ଼ ସନ୍ଧ୍ୟା ଆଗମନେ । ମିଳିଲା ସ୍ୱାମୀ ସନ୍ନିଧାନେ ॥ ୨୭
ସମାଧିସ୍ଥିତ ସ୍ୱାମୀ ପାଶେ । କାମ ପୀଡ଼ିତା ଦିତି ବସେ ॥ ୨୮
କରଅଞ୍ଜଳି ଶିରେ ଦେଇ । ବୋଲେ କଶ୍ୟପ ମୁଖ ଚାହିଁ ॥ ୨୯

ଦିତି ଉବାଚ

ଭୋ ନାଥ ଶୁଣ ତପୋଧନ । ଅନଙ୍ଗ ଘେନି ଶରାସନ ॥ ୩୦
ତା ପଞ୍ଚବାଣେ ମୋର ମନେ । ଦହଇ ତୁମ୍ଭର ବିହୁନେ ॥ ୩୧
କଦଳୀବନ ଯେହ୍ନେ ଗଜ । ଦନ୍ତେ ବିଦାରେ ମହାତେଜ ॥ ୩୨
ସମୃଦ୍ଧି ଦେଖି ସପତ୍ନୀର । ମୋ ମନ ଦଗ୍ଧ ନିରନ୍ତର ॥ ୩୩
ତୁ ପ୍ରଜାପତିଙ୍କ ଈଶ୍ୱର । ସର୍ବ କଳ୍ପନା ସୁଖଘର ॥ ୩୪
ଏବେ ମୋ’ଠାରେ ଅନୁଗ୍ରହ । କରି ସକଳ ସୁଖ ଦିଅ ॥ ୩୫
ଯାହାକୁ ସ୍ୱାମୀ ହୋଏ ତୋଷ । ସଂସାରେ ରହେ ତାର ଯଶ ॥ ୩୬
ଆପଣା ରୂପେ ପ୍ରତ୍ରଜାତ । ହୁଅଇ ଯାର ଗର୍ଭଗତ ॥ ୩୭
ଆମ୍ଭର ଗର୍ଭେ ପୁତ୍ରହେଲେ । ତୋ ଯଶ ବିସ୍ତାରିବ ଭଲେ ॥ ୩୮
ମୋ ପିତା ଦକ୍ଷ ପ୍ରଜାପତି । ପ୍ରଜା ସର୍ଜନେ ତା’ର ମତି ॥ ୩୯
ଆମ୍ଭର ଗର୍ଭେ ପୁତ୍ର ଯେତେ । ଧର୍ମେ ପାଳିବେ ଏ ଜଗତେ ॥ ୪୦
ଏ କଥା ମନେ ବିଚାରିଲା । ଯତ୍ନେ ଆମ୍ଭଙ୍କୁ ପଚାରିଲା ॥ ୪୧
ସମ୍ମତି ଦେଖିଣ ଆମ୍ଭର । ତେଣୁ ବରିଲା ତୋତେ ବର ॥ ୪୨
ଆମ୍ଭେ ଯେ ଭଗ୍ନୀ ତ୍ରୟୋଦଶ । ତୁମ୍ଭର ଚରଣେ ବିଶ୍ୱାସ ॥ ୪୩
ଆମ୍ଭର ରୂପ ଶୀଳ ଗୁଣ । ତୁମ୍ଭେ ତ ପ୍ରତ୍ୟକ୍ଷ ପ୍ରମାଣ ॥ ୪୪
ଭୋ ନାଥ ନଳିନଲୋଚନ । ଏବେ ତୁ କର ମୋ ବଚନ ॥ ୪୫
ମୋ ସଙ୍ଗେ କର ଏବେ ରତି । ସୌଭାଗ୍ୟେ ହେଉ ମୋ ସନ୍ତତି ॥ ୪୬
ମୈତ୍ରେୟ ଉବାଚ
ଏମନ୍ତେ ଶୁଣି ତା ବଚନ । କଶ୍ୟପ ହୋଇ ଦୁଃଖ ମନ ॥ ୪୭
ଚାହିଁଲେ ଦିତିର ବଦନ । ଅନଙ୍ଗବାଣେ ଛନଛନ ॥ ୪୮
ଦେଖି ତାହାର ଦୁଷ୍ଟଚିତ୍ତ । କହନ୍ତି ମରୀଚିଙ୍କ ସୁତ ॥ ୪୯

କଶ୍ୟପ ଉବାଚ

ଶୁଣ ସୁନ୍ଦରି ମୋ ବଚନ । ମୁହିଁ ଜାଣଇ ତୋର ମନ ॥ ୫୦
ଏ ସନ୍ଧ୍ୟାକାଳେ ମୋର ପାଶେ । ତୁ ଯେ ମିଳିଲୁ ରତି ଆଶେ ॥ ୫୧
ଏ ଧର୍ମ-ପ୍ରମାଣ ସ୍ୱଭାବ । କେ ତାହା ଅନ୍ୟଥା କରିବ ॥ ୫୨
ଏଣୁ ତୋହର ପ୍ରିୟଯେତେ । କରିବି ତୋହର ଆୟତ୍ତେ ॥ ୫୩
ସଂସାର ସ୍ୱଭାବଟି ଏହି । ଯେ ଧର୍ମକର୍ମେ ରହେ ଗୃହୀ ॥ ୫୪
ସର୍ବ ଆଶ୍ରମ ମଧ୍ୟେ ସାର । ପୁତ୍ର କଳତ୍ର ଘେନି ଘର ॥ ୫୫
ଏଣୁ ହୁଅଇ ଦୁଃଖ ପାର । ବୋଇତେ ଯେହ୍ନେ ପାରାବାର ॥ ୫୬
ଆତ୍ମାର ଅର୍ଦ୍ଧସମ ନାରୀ । ଅନ୍ୟଥା କେବା ତାହା କରି ॥ ୫୭
ତାହାର ତହିଁ ଗୃହଭାର । ଦେଇ ନିଶ୍ଚିନ୍ତେ ଥାଇ ନର ॥ ୫୮
ଯାହାର ଆଶ୍ରେ ପ୍ରାଣୀ ଥାଇ । ଇନ୍ଦ୍ରିୟ-ଶତ୍ରୁକୁ ଜିଣଇ ॥ ୫୯
ଏଣୁ ତୁମ୍ଭର ଉପକାର । ଶୁଝା ଯେ ନ ଯିବ ଆମ୍ଭର ॥ ୬୦
ଏ କଥା କେ କରିବ ଆନ । ଯାହା ସଞ୍ଚିଲେ ଭଗବାନ ॥ ୬୧
ଏବେ ତୁ ଧୀର ଆତ୍ମମନେ । ମୁହୂର୍ତ୍ତେ ରହ ମୋ ବଚନେ ॥ ୬୨
ଦେଖ ଏ ଭୟଙ୍କର ବେଳା । ପ୍ରେତ-ପିଶାଚଗଣ ମେଳା ॥ ୬୩
ଭୂତ-ବେତାଳ ଘେନି ସଙ୍ଗେ । ରମନ୍ତି ଭୂତପତି ରଙ୍ଗେ ॥ ୬୪
ଦେଖ ଏ ଘୋର-ସନ୍ଧ୍ୟାକାଳେ । ଘୋର ଶବଦ ଗଣମେଳେ ॥ ୬୫
ଶ୍ମଶାନ-ଧୂଳିରେ ଧୂସର । ଜଟାକଳାପେ ଭୟଙ୍କର ॥ ୬୬
ଭସ୍ମଲେପନ ସର୍ବଅଙ୍ଗେ । ଭୂତାଦିଗଣ ଘେନି ସଙ୍ଗେ ॥ ୬୭
ବୃଷଭେ ବସି ଭୂତପତି । ଦେଖଇ ସର୍ବଜନ ଗତି ॥ ୬୮
ତୋହର ଦେବର ସ୍ୱଭାବେ । ମୁହୂର୍ତ୍ତେ ରହ ସଖି ଏବେ ॥ ୬୯
ପର ଅପର ଯାର ନାହିଁ । ବନ୍ଦନ ନିନ୍ଦନ ବା କାହିଁ ॥ ୭୦
ଆମ୍ଭେ ସକଳେ ଯା ଚରଣେ । ସେବୁ ସୁବ୍ରତ ଆଚରଣେ ॥ ୭୧
ତାର ପ୍ରସାଦ ଶେଷଭୋଗ । ଭୁଞ୍ଜୁ ଅତୁଲ୍ୟ ସଉଭାଗ୍ୟ ॥ ୭୨
ଯାର ନିର୍ମଳ ଗୁଣ ଚିନ୍ତି । ମାୟା-ପଟଳେ ସର୍ବ ଯତି ॥ ୭୩
ଚିନ୍ତନ୍ତି ନିର୍ଲେପ ଶରୀର । ଅଚିନ୍ତ୍ୟ ଗୁଣ ଯେ ଗଭୀର ॥ ୭୪
ନିର୍ମଳଚେତା ମୁନିଗଣେ । ଧ୍ୟାନେ ଚିନ୍ତନ୍ତି ଯା ଚରଣେ ॥ ୭୫
ତପ ସାଧନେ ଯୋଗେ ଚିନ୍ତି । ଅଶେଷ ସମ୍ପଦ ଲଭନ୍ତି ॥ ୭୬
ପିଶାଚ-ମାର୍ଗ ଦେଖି ତା’ର । ସୁଜନେ କରନ୍ତି ବିଚାର ॥ ୭୭
ଊଣା ଅଧିକେ ଯାର ନାହିଁ । ପିଶାଚ-ଚେଷ୍ଟାରେ ଭ୍ରମଇ ॥ ୭୮
ତାଙ୍କୁ ଯେ ଦୁର୍ଭଗା ହସନ୍ତି । ସେ ତା ମହିମା ନ ଜାଣନ୍ତି ॥ ୭୯
ବ୍ରହ୍ମାଦି ଦେବେ ଯା କିଙ୍କର । ଯା ମାୟାବଳେ ଏ ସଂସାର ॥ ୮୦
ସୃଷ୍ଟି ପାଳନ ସଂହାରଣ । ଯେ ବିଶ୍ୱ ପରମ-କାରଣ ॥ ୮୧
ପିଶାଚଚେଷ୍ଟା ତାର ଦେଖି । ସାଧବ ଜନେ ହୋନ୍ତି ଦୁଃଖୀ ॥ ୮୨
ଚରିତ ବିଡ଼ମ୍ବନ ତା’ର । ଦେବ ମାନବେ ଅଗୋଚର ॥ ୮୩

ମୈତ୍ରେୟ ଉବାଚ

ଇନ୍ଦ୍ରିୟଗଣ ସେ ଦିତିର । କାମରେ ହୋଇଲା ଅସ୍ଥିର ॥ ୮୪
ଏମନ୍ତେ ସ୍ୱାମୀ ବାକ୍ୟ ଶୁଣି । ସ୍ୱଭାବେ ଉନ୍ମତ୍ତ ତରୁଣୀ ॥ ୮୫
ମଦନବାଣେ ଭୋଳ ଚିତ୍ତ । ବେଗେ ଧଇଲା ସ୍ୱାମୀ ହସ୍ତ ॥ ୮୬
ବସ୍ତ୍ର କରଷି ବାମକରେ । କଟାକ୍ଷେ ଚାହେଁ କାମଭରେ ॥ ୮୭
ବୃଷଳୀ ପ୍ରାୟେ ଲଜ୍ଜା ଛାଡ଼ି । ରମଣରସେ ଚିତ୍ତ ବଢ଼ି ॥ ୮୮
ପତ୍ନୀ ନିର୍ବନ୍ଧ ମୁନି ଦେଖି । ଧର୍ମ ବିଷୟେ ମନେ ଦୁଃଖୀ ॥ ୮୯
ଦଇବ ରୂପ ଯେ ଈଶ୍ୱର । ତାହାଙ୍କୁ କରି ନମସ୍କାର ॥ ୯୦
ଏକାନ୍ତେ ଯାଇ ତା’ର ସଙ୍ଗେ । ମେଳ ହୋଇଲେ ରତିରଙ୍ଗେ ॥ ୯୧
ପତ୍ନୀ ରମଣରସ ସାରି । ତକ୍ଷଣେ ଆଚମନ କରି ॥ ୯୨
କର ଚରଣ ଧୋଇ ଜଳେ । ଆସନେ ବସିଲେ ନିଶ୍ଚଳେ ॥ ୯୩
ଗାୟତ୍ରୀମନ୍ତ୍ର ପ୍ରାଣାୟାମ । କରି ଚିନ୍ତିଲେ ବିଷ୍ଣୁନାମ ॥ ୯୪
ନିର୍ମଳ ଜ୍ୟୋତିରୂପେ ମନ । ନିବେଶି ହୋଇଲେ ମଉନ ॥ ୯୫
ତକ୍ଷଣେ ଉଠି ଦିତି ବେଗେ । ବସ୍ତ୍ର ଆଚ୍ଛାଦି ସର୍ବଅଙ୍ଗେ ॥ ୯୬
ସଲ୍ଲଜ୍ଜେ ଅଧୋମୁଖେ ରହି । କହେ କଶ୍ୟପ ମୁଖ ଚାହିଁ ॥ ୯୭

ଦିତି ଉବାଚ

ଭୋ ନାଥ ଶୁଣ ମୋ ବଚନ । ମୋହର କର୍ମଫଳ ହୀନ ॥ ୯୮
ଯେ ଗର୍ଭ ହୋଇବ ମୋହର । ଯେମନ୍ତେ ନାଶ ନୋହେ ତା’ର ॥ ୯୯
ଅବଜ୍ଞା କରି ଭୂତପତି । ମୁଁ ଯେ ଆଚରିଲି ଅନୀତି ॥ ୧୦୦
ଭୋ ରୁଦ୍ର ନମୁଁ ତୋ ଚରଣେ । ତୋର ବିହାର ଭୂତଗଣେ ॥ ୧୦୧
ହେ ଶିବ ଶିବ ଦଣ୍ତଧର । ଉŸଦ୍ଦଣ୍ତ ଦଣ୍ତ ତୋର କର ॥ ୧୦୨
ତୁ ଉଗ୍ର ଭୀମ ଉମାପତି । ତୋ ଅନୁଗ୍ରହେ ନାହିଁ ଭୀତି ॥ ୧୦୩
ଅପ୍ରାଧ ନାଶେ ତୋର ଦୟା । ତାକୁ ନ ଲାଗେ ବିଷ୍ଣୁମାୟା ॥ ୧୦୪
ତୁ ଉଗ୍ରରୂପ କ୍ଷମାକର । ନମୋ ନମସ୍ତେ ତୋ ପୟର ॥ ୧୦୫
ସଂହାରେ କ୍ରୋଧ ରୂପ ତୋର । ତୋ ପଦେ ମୋର ନମସ୍କାର ॥ ୧୦୬
ଗର୍ଭ ମୋ ରଖ ହେ ଗୋସାଇଁ । ପ୍ରସନ୍ନ ହୁଅ ଦୟା ବହି ॥ ୧୦୭
ହେ ପ୍ରଭୁ ଦେବ ଭଗବାନ । ଆମ୍ଭଙ୍କୁ ହୋଇବା ପ୍ରସନ୍ନ ॥ ୧୦୮
ମୁଁ ଯେ ସ୍ୱଭାବେ ସ୍ତିରୀଜାତି । ନମୋ ନମସ୍ତେ ସତୀପତି ॥ ୧୦୯
ପତ୍ନୀ-ସ୍ୱଭାବ ଭଲେ ଜାଣ । ବିଚାରି ହୁଅ ତୁ ପ୍ରସନ୍ନ ॥ ୧୧୦

ମୈତ୍ରେୟ ଉବାଚ

ଗର୍ଭ ଆଶିଷେ ମନ ଦେଇ । କମ୍ପେ କଶ୍ୟପ ମୁଖ ଚାହିଁ ॥ ୧୧୧
ତକ୍ଷଣେ ଧ୍ୟାନ ବେଗେ । ମୁନି କହନ୍ତି ପତ୍ନୀ ଆଗେ ॥ ୧୧୨

କଶ୍ୟପ ଉବାଚ

ଭୋ ସଖି ଶୁଣ ଶୁଦ୍ଧଚିତ୍ତେ । ଏ କର୍ମ ତୋହର ଆୟତ୍ତେ ॥ ୧୧୩
ମୁହୂର୍ତ୍ତ ଦୋଷ ଭୟଙ୍କର । ଦେବହେଳନ କର୍ମ ତୋ’ର ॥ ୧୧୪
ଏ ଦୋଷୁ ତୋ’ର ଗର୍ଭଗତେ । ଜନ୍ମ ହୋଇବେ ବେନିସୁତେ ॥ ୧୧୫
ଦୁଷ୍ଟ ହୋଇବେ ଏ ଶୟଳେ । ତପ ସାଧନ କର୍ମଫଳେ ॥ ୧୧୬
ଏ ତିନିପୁର ରାଜାଗଣେ । ବିକଳେ ଖଟିବେ ଚରଣେ ॥୧୧୭
ଧନଜୀବନ ସେ ହରିବେ । ପ୍ରାଣୀଙ୍କି ଦୁଃଖଶୋକ ଦେବେ ॥ ୧୧୮
ନିର୍ଦ୍ଦୋଷ ପ୍ରାଣୀଙ୍କି ମାରଣେ । ପର ରମଣୀ କରଷଣେ ॥ ୧୧୯
ଏ ଆଦି ଯେତେ ପାପକର୍ମେ । ବଳେ କରିବେ ମତିଭ୍ରମେ ॥ ୧୨୦
ମହତଜନେ କୋପ ଜାତ । କରିବେ ସେହି ବେନିଭ୍ରାତ ॥ ୧୨୧
ତାହାଙ୍କ ଦେଖି ଦୁଷ୍ଟକର୍ମ । କୋପିବେ ଶ୍ରୀପୁରୁଷୋତ୍ତମ ॥ ୧୨୨
ଏ ମହୀତଳେ ଦେହ ବହି । ବିଷ୍ଣୁ ମାରିବେ ବେନିଭାଇ ॥ ୧୨୩
ଇନ୍ଦ୍ର ଯେସନେ ଦେହ ଧରି । ଘୋର ପର୍ବତ ଦର୍ପ ହରି ॥ ୧୨୪
ଏମନ୍ତେ କଶ୍ୟପ ବଚନ । ବିଷାଦ ଶୁଣି ଦିତି ମନ ॥ ୧୨୫
ସ୍ୱାମୀ ଚରଣ ତଳେ ପଡ଼ି । ବୋଲଇ ବେନିକର ଯୋଡ଼ି ॥ ୧୨୬

ଦିତି ଉବାଚ

ଭୋ ନାଥ ମୋ’ର ପୁତ୍ର ଯେବେ । ସଂସାରେ ଦୁଷ୍ଟକର୍ମ ଭାବେ ॥ ୧୨୭
ବିଷ୍ଣୁର ହସ୍ତେ ଯିବେ ନାଶ । ଏଣେ ମୋହର ନାହିଁ ତ୍ରାସ ॥ ୧୨୮
ତହିଁକି ମୋ’ର ଭୟ ନାହିଁ । ବ୍ରାହ୍ମଣ କୋପେ ମୁଁ ଡରଇ ॥ ୧୨୯
ବ୍ରାହ୍ମଣ କୋପେ ଯେ ମରନ୍ତି । ପ୍ରାଣୀଙ୍କ ବଧ ଆଚରନ୍ତି ॥ ୧୩୦
ତାହାଙ୍କ ନାହିଁ ସୁଖ ଲେଶ । ନରକେ ହୁଅନ୍ତି ପ୍ରବେଶ ॥ ୧୩୧
କର୍ମର ବଳେ ଯେତେ ଯୋନି । ଜନ୍ମ ଲଭନ୍ତି ଦେହ ଘେନି ॥ ୧୩୨
ଅଶେଷ ଦୁଃଖ ଫଳ ଭୋଗେ । ଭୁଞ୍ଜନ୍ତି ଜୀବନ ସଂଯୋଗେ ॥ ୧୩୩
ଏମନ୍ତେ ଦିତିର ବଚନ । ଶୁଣି କଶ୍ୟପ ତପୋଧନ ॥ ୧୩୪
ବୋଲନ୍ତି ଦିତି ମୁଖ ଚାହିଁ । ଭୋ ସଖି ଶୁଣ ମନଦେଇ ॥ ୧୩୫
ଯେ ଅପରାଧ ତୋର କୃତ । ତେଣୁ ଯେ ଶୋକ ଅନୁତାପ ॥ ୧୩୬
ଯେ ଭଲମନ୍ଦର ବିଚାର । ତକ୍ଷଣେ ହୋଇଲା ତୋହର ॥ ୧୩୭
ଯେ ଭାବ ହେଲା ହରିଠାରେ । ଯେବା ଆଦର ତୋର ମୋରେ ॥ ୧୩୮
ଏଣୁ ତୋହର ବେନିପୁତ୍ରେ । ଯନ୍ତ୍ରିତ ନିଜ କର୍ମସୂତ୍ରେ ॥ ୧୩୯
ବିଷ୍ଣୁର ହସ୍ତେ ପ୍ରାଣ ଦେଇ । ଶାପୁ ତରିବେ ବେନିଭାଇ ॥ ୧୪୦
ତାହାଙ୍କ ପୁତ୍ରଙ୍କର ମଧ୍ୟେ । ବିଷ୍ଣୁ ଭକତି ଅନୁବାଦେ ॥ ୧୪୧
ହୋଇବ ବିଷ୍ଣୁଭକ୍ତ ସାର । ଅତୁଲ୍ୟ ଗୁଣ ସୁବିଚାର ॥ ୧୪୨v
ତାହାର ଯଶ ଇହଲୋକେ । ବିଷ୍ଣୁଭକତ ମନସୁଖେ ॥ ୧୪୩
ଶୁଣି ଶ୍ରବଣେ ନିରନ୍ତର । ତରିବେ ଏ ଭବସାଗର ॥ ୧୪୪
ତା’ର ସ୍ୱଭାବ ପାଇବାରେ । ଯୋଗୀଏ ସାଧିବେ ସଂସାରେ ॥ ୧୪୫
ହୋଇବ ହୃଦୟ ନିର୍ମଳ । ଅଗ୍ନିରେ ଯେହ୍ନେ ହେମ-ମଳ ॥ ୧୪୬
ଯେ ହରି ସର୍ବଘଟେ ପୂରି । ସେ ହରି ତା’ରେ ଦୟାକରି ॥ ୧୪୭
ତା’ର ପ୍ରସନ୍ନେ ଏ ସଂସାର । ଯେଣୁ ତା ନାହିଁ ନିଜ ଘର ॥ ୧୪୮
ସେ ମହାଭାଗବତ ପୁଣି । ତା ଯଶ ଗାଇ ତରେ ପ୍ରାଣୀ ॥ ୧୪୯
ମହାତ୍ମା ମହତେ ମହତ । ଭକତି ବଳେ ଶୋଧି ଚିତ୍ତ ॥ ୧୫୦
ବିଷ୍ଣୁ ଭକତି ଅତିରେକେ । ଅନ୍ତେ ମିଳିବ ବିଷ୍ଣୁଲୋକେ ॥ ୧୫୧
ପର ସମ୍ପଦେ ସେ ସୁଖିତ । ଦୁଃଖରେ ହୋଇବ ଦୁଃଖିତ ॥ ୧୫୨
ହରିବ ଜନଶୋକରାଶି । ନିଦାଘ-ତାପ ଯେହ୍ନେ ଶଶୀ ॥ ୧୫୩
ଦେଖିବ ତୋ ପୁତ୍ର ନନ୍ଦନ । ଅନ୍ତର ବାହ୍ୟେ ଭଗବାନ ॥ ୧୫୪
ସୁନ୍ଦର-ବର-ସୁକୁମାର । କର୍ଣ୍ଣେ କୁଣ୍ତଳ ହୃଦେ ହାର ॥ ୧୫୫

ମୈତ୍ରେୟ ଉବାଚ

ପୌତ୍ରର ଗୁଣମାନ ଶୁଣି । ବୈଷ୍ଣବ-ଗୁଣେ ଶିରୋମଣି ॥ ୧୫୬
ସଂସାର କରିବ ପବିତ୍ର । ଶୁଣି ଆନନ୍ଦ ଦିତି ଚିତ୍ତ ॥ ୧୫୭
ଅନ୍ତର ଆତ୍ମା ଅତିତୋଷେ । ସ୍ୱାମୀଙ୍କି ନମିଲା ହରଷେ ॥ ୧୫୮
ଦିତି-କଶ୍ୟପର ସମ୍ବାଦ । ଶୁଣ ସୁଜନେ ଜ୍ଞାନଭେଦ ॥ ୧୫୯
ତୃତୀୟସ୍କନ୍ଧ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଦିତି-କଶ୍ୟପ-ସମ୍ବାଦେ ଚତୁŸର୍ଶୋଽଧ୍ୟାୟଃ ।

ପଞ୍ଚଦଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ସେ ପ୍ରଜାପତି ତେଜବୀର୍ଯ୍ୟ । ଦିତି ଉଦରେ ସେ ଆତ୍ମଜ ॥ ୧
ଶତେବରଷ ବେଦମତେ । ଗର୍ଭେ ଧଇଲା ଭୟଚିତ୍ତେ ॥ ୨
ଦେବଦଳନ ତେଜ ଶୁଣି । ଅନ୍ତରେ ଭାଳଇ ତରୁଣୀ ॥ ୩
ନ ଜାଣି କଲି ଏଡ଼େ କର୍ମ । କାମେ ହୋଇଲି ମତିଭ୍ରମ ॥ ୪
ଦଇବବଳ ବଳୀୟାର । କି କରିପାରେ ସୁରନର ॥ ୫
ଗଭୀର ତେଜ ବଳେ କରି । ଲୋକେ ଦିଶିଲେ ହତଶିରୀ ॥ ୬
ଏବେ ହୋ ଶୁଣ କୁରୁବୀର । ସଂସାର ଦିଶେ ଅନ୍ଧକାର ॥ ୭
ଇନ୍ଦ୍ରାଦି ଦିଗପାଳେ ମିଳି । ସକଳେ ଏକମନେ ଭାଳି ॥ ୮
ବ୍ରହ୍ମାର ନିକଟେ ମିଳିଲେ । ଭୟେ ଅନେକ ସ୍ତୁତି କଲେ ॥ ୯

ଦେବଗଣ ଉବାଚ

ଭୋ ଦେବଦେବ ପ୍ରଜାପତି । ଦିଗେ ଦିଶନ୍ତି ଭୟାକୃତି ॥ ୧୦
ଏ ଘୋର ଅନ୍ଧକାର ଯେଣୁ । ଆମ୍ଭେ ତ ଭଲେ ନ ପ୍ରମାଣୁ ॥ ୧୧
କୁଶଳ ନୋହେ ଏ ସଂସାର । ଅଦ୍ଭୁତ ଘୋର ଅନ୍ଧକାର ॥ ୧୨
ଏ କଥା ତୁମ୍ଭଙ୍କୁ ଗୋଚର । କି ଅଗୋଚର ବା ତୁମ୍ଭର ॥ ୧୩
ଏ କାଳ ମହିମା କେ ଜାଣେ । ଆଗମ ନିଗମ ପ୍ରମାଣେ ॥ ୧୪
ହେ ଦେବଦେବ ଜଗନ୍ନାଥ । ଆମ୍ଭେ ସକଳେ ତୋ’ର ଭୃତ୍ୟ ॥ ୧୫
ତୁ ପରାତ୍ପର ଭାବଗ୍ରାହୀ । ଜଗତ ମାୟାବଳେ ମୋହି ॥ ୧୬
ଗୃହୀତ ରଜୋଗୁଣେ ଦେହୀ । ତୋ ରୂପ ନ ଜାଣନ୍ତି କେହି ॥ ୧୭
ଅନନ୍ୟଭାବେ ଆତ୍ମାଲାଭେ । ଯେ ପ୍ରାଣୀ ତୋ ଚରଣ ସେବେ ॥ ୧୮
ତା'ର ଅଶୁଭ ଲେଶ ନାହିଁ । ସତ ଅସତ ପର ତୁହି ॥ ୧୯
ନିର୍ଜନେ ବସି ଯୋଗୀଜନେ । ନିଶ୍ଚଳ ଚିତ୍ତେ ଯୋଗଧ୍ୟାନେ ॥ ୨୦
ମନ ପବନ ହୃଦେ ରୁନ୍ଧି । ଇନ୍ଦ୍ରିୟ ସମୂହ ନିରୋଧି ॥ ୨୧
ତୋ'ର ପ୍ରସାଦ ଯେ ଲଭନ୍ତି । ତାହାଙ୍କ ନାହିଁ ଭୟଭ୍ରାନ୍ତି ॥ ୨୨
ଯା'ର ବଚନେ ପ୍ରଜାଗଣେ । ଭାବେ ସେବନ୍ତି ଅନୁକ୍ଷଣେ ॥ ୨୩
ତରନ୍ତି ଭବଭୟ ତ୍ରାସ । ତୁ ନାଥ ଅନାଦି-ପୁରୁଷ ॥ ୨୪
ଆମ୍ଭର ସୁଖ ଗଲା କ୍ଷୟ । ଭୋ ନାଥ କର ତୁ ଉପାୟ ॥ ୨୫
ଦେଖ କଶ୍ୟପ ପ୍ରଜାପତି । ଦିତି ସଂଯୋଗେ କଲା ମତି ॥ ୨୬
ଦିତିର ଗର୍ଭେ ବୀର୍ଯ୍ୟ ଦେଲା । ତମେ ଭୁବନ ଆଚ୍ଛାଦିଲା ॥ ୨୭
ବେଳକୁ ବେଳ ବଢ଼େ ତେଜ । ସମିଧେ ଯେହ୍ନେ ଅଗ୍ନିତେଜ ॥ ୨୮

ମୈତ୍ରେୟ ଉବାଚ

ଏମନ୍ତେ ଦେବସ୍ତୁତି ଶୁଣି । ସଂଭ୍ରମ ଚିତ୍ତେ କୁଶପାଣି ॥ ୨୯
ଶବଦବ୍ରହ୍ମେ ବେଦବର । ଦେବଙ୍କୁ କହନ୍ତି ମଧୁର ॥ ୩୦

ବ୍ରହ୍ମା ଉବାଚ

ଶୁଣ ସକଳ ଦେବଗଣ । କହିବା ଏଥିର କାରଣ ॥ ୩୧
ତୁମ୍ଭର ପୂର୍ବସୃଷ୍ଟି ଲାଭେ । ମୁଁ ଯେ ବସିଲି ଧ୍ୟାନଭାବେ ॥ ୩୨
ସନକ ଆଦି ଚାରିଭ୍ରାତେ । ଜନ୍ମିଲେ ମୋର ଶୁଦ୍ଧଚିତ୍ତେ ॥ ୩୩
ଉର୍ଦ୍ଧ୍ୱେ ଜନ୍ମିଲେ ଶୁଦ୍ଧଚେତା । ତେଣୁ ହୋଇଲେ ଊର୍ଦ୍ଧ୍ୱରେତା ॥ ୩୪
ଗଗନମାର୍ଗେ ତାଙ୍କ ଗତି । ସକଳ ଭୁବନେ ଭ୍ରମନ୍ତି ॥ ୩୫
ବିଗତସ୍ପୃହା ତାଙ୍କ ଶିକ୍ଷା । ନିତ୍ୟେ ପରମହଂସ ଦୀକ୍ଷା ॥ ୩୬
ଧୂଳି ଧୂସର ଦିଗମ୍ବର । ନିତ୍ୟ ନିର୍ବିଷୟ ଗୋଚର ॥ ୩୭
ସେ ମୁନିଗଣେ ଏକଦିନେ । ମିଳିଲେ ବିଷ୍ଣୁର ଭୁବନେ ॥ ୩୮
ଯେ ନାମ ବୈକୁଣ୍ଠ ବିଦିତ । ସର୍ବ ଦେବତା ନମସ୍କୃତ ॥ ୩୯
ଯହିଁ ପୁରୁଷେ ମହାସୁଖେ । ବସନ୍ତି ବିଷ୍ଣୁର ସମ୍ମୁଖେ ॥ ୪୦
ସର୍ବେ ଦିଶନ୍ତି ବିଷ୍ଣୁରୂପେ । ବିନାଶ ନାହିଁ କାଳକଳ୍ପେ ॥ ୪୧
ନିମିତ୍ତାନିମିତ୍ତ ଆଚାରେ । ହରିଙ୍କି ଭଜନ୍ତି ବେଭାରେ ॥ ୪୨
ଆଦି ପୁରୁଷ ଯହିଁ ହରି । ବସନ୍ତି ଧର୍ମରୂପ ଧରି ॥ ୪୩
ସର୍ବ ଗୋଚର ଦୃଷ୍ଟିମାତ୍ରେ । ବିଶ୍ୱ ସଂସାରେ ଅବିରତେ ॥ ୪୪
ନିର୍ମଳ ସତ୍ତ୍ବମୂର୍ତ୍ତି ବହି । ସୁଖେ ଅଛନ୍ତି ଯହିଁ ରହି ॥ ୪୫
ଯହିଁ କୈବଲ୍ୟ ନାମେ ବନ । ବିରାଜେ କଳ୍ପଦ୍ରୁମମାନ ॥ ୪୬
ବା‚ଞ୍ଚିତ ଲତା ବୃକ୍ଷବନ । ଯହିଁ ଅଛନ୍ତି ବିଦ୍ୟମାନ ॥ ୪୭
ସକଳ ଋତୁ ଯହିଁ ବସେ । କୈବଲ୍ୟ ମୂର୍ତ୍ତିମନ୍ତ କି ସେ ॥ ୪୮
ଯହିଁ ବିମାନ ଶତ ଶତେ । ଦିବ୍ୟକାମିନୀ ଯୂଥ ଯୂଥେ ॥ ୪୯
ବିଷ୍ଣୁ ମହିମା ଗୁଣ ଗାନ୍ତି । କୋଟି-ଶଶାଙ୍କ ରୂପକାନ୍ତି ॥ ୫୦
ବିକାଶ ପୁଷ୍ପ ଜଳାଶୟେ । ମଧୁ ମାଧବୀ ଗନ୍ଧବହେ ॥ ୫୧
ସେ ଗନ୍ଧ ସର୍ବମନୋହର । ତାହାକୁ କରି ଅନାଦର ॥ ୫୨
ବିଷ୍ଣୁର ପାଦେ ମନ ଦେଇ । ଆନନ୍ଦେ ତୁଣ୍ତେ ନାମ ଗାଇ ॥ ୫୩
କୋକିଳ ପାରାବତ ହଂସ । ଡାହୁକ ତିତ୍ତିର ସାରସ ॥ ୫୪
ଚକ୍ରବାକ ଯେ ବରହିଣ । ସୁସ୍ୱରନାଦେ ଅନୁକ୍ଷଣ ॥ ୫୫
ସର୍ବେ ଗାୟନ୍ତି ହରିକଥା । ଯେ ଭାବେ ଖଣ୍ତେ ଭବବ୍ୟଥା ॥ ୫୬
ମନ୍ଦାର କୁରୁବକ କୁନ୍ଦ । ଉତ୍ପଳ ଚମ୍ପକ କୁମୁଦ ॥ ୫୭
ପୁନ୍ନାଗ ନାଗ ପାରିଜାତ । ତୁଳସୀଦଳ ସୁଲଳିତ ॥ ୫୮
ନାନା କୁସୁମ ପରିମଳ । ସୁଗନ୍ଧ ସମୀର ଶୀତଳ ॥ ୫୯
ମର୍କତ ବଇଡୁର୍ଯ୍ୟ ହେମ । ସହସ୍ର ସହସ୍ର ବିମାନ ॥ ୬୦
ପ୍ରଣାମ କରି ହରିପାଦେ । ଭକତେ ବସନ୍ତି ଆନନ୍ଦେ ॥ ୬୧
ସୁନ୍ଦରୀ ଶତଶତ ଯହିଁ । ବସନ୍ତି ହରିକଥା ଗାଇ ॥ ୬୨
ପରମଲକ୍ଷ୍ମୀ ଯହିଁ ନିତ୍ୟେ । ନୀଳ ଲୋହିତ ପଦ୍ମ ହସ୍ତେ ॥ ୬୩
ସ୍ଫଟିକ ପୁରମଧ୍ୟେ ବସେ । ପଦେ ନୂପୁର ଧ୍ୱନି ଘୋଷେ ॥ ୬୪
ସୁବର୍ଣ୍ଣସ୍ତମ୍ଭ ଗୃହମଧ୍ୟେ । ବିରାଜେ ଭୁବନ ଆନନ୍ଦେ ॥ ୬୫
ପଦ୍ମ କଳ୍ପିତ ସମ୍ମାର୍ଜନୀ । ମାର୍ଜନା କଲା ପ୍ରାୟେ ମାନି ॥ ୬୬
ଯହିଁରେ ଲକ୍ଷ୍ମୀ କୁତୂହଳେ । ସକଳ ପରିଚାରୀ ମେଳେ ॥ ୬୭
ଯଦ୍ୟପି ଧୂଳି ତହିଁ ନାହିଁ । ବିନୟ ଭକ୍ତି ପ୍ରକାଶଇ ॥ ୬୮
ଗୋବିନ୍ଦ ଅନୁଗ୍ରହ ଆଶେ । ସ୍ୱବନେ ତୁଳସୀର ବାସେ ॥ ୬୯
ପୂଜନ୍ତି କୃଷ୍ଣର ଚରଣ । ତେଣେ ସନ୍ତୋଷ ଭଗବାନ ॥ ୭୦
ସେ ବନେ ବାପୀ ପୁଷ୍କରିଣୀ । ତୀରେ ବିଦ୍ରୁମଘାଟ ଶ୍ରେଣୀ ॥ ୭୧
ସେ ଶୁଦ୍ଧଜଳେ ମୁଖ ଚାହିଁ । ବିଷ୍ଣୁ ଚୁମ୍ବନ ମନେ ବହି ॥ ୭୨
ସେ ବିଷ୍ଣୁପୁରେ ପାପୀଜନ । ପ୍ରବେଶେ ନୁହନ୍ତି ଭାଜନ ॥ ୭୩
ଯେ ଅର୍ଥେ କାମେ ରତି କରେ । ଗୋବିନ୍ଦ ଗୁଣ ନ ସୁମରେ ॥ ୭୪
ଦୁଷ୍କୃତ ମାର୍ଗେ ଯେ ରମନ୍ତି । ନରକମାର୍ଗେ ଯାର ଗତି ॥ ୭୫
ସେ କାହିଁ ପଶିବେ ସେ ପୁରେ । ନରକେ ପଡ଼ନ୍ତି ନିର୍ଭରେ ॥ ୭୬
ସେ ଦେହ ପାଇ ଯେଉଁ ଜନ । ନ କରେ ହରିର ସେବନ ॥ ୭୭
ଏ ଅତି ଦୁଃଖ ହିଁ ବିଦିତ । ସେ ବିଷ୍ଣୁମାୟା ବିମୋହିତ ॥ ୭୮
ଯେ ଯୋଗମାର୍ଗେ ଅନୁବାଦେ । କଠୋର ତପକର୍ମ ସାଧେ ॥ ୭୯
ମନ-ପବନ ହୃଦେ ଛନ୍ଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି ॥ ୮୦
ଯେବେ ଗୋବିନ୍ଦଭାବ ନାହିଁ । ସେ ପୁରେ ପଶିବେ ସେ କାହିଁ ॥ ୮୧
ବିଷ୍ଣୁର ମାୟାବଳେ ଜଡ଼ି । ଜନ୍ମ-ମରଣେ ଥାନ୍ତି ପଡ଼ି ॥ ୮୨
ମୋ ଆଦି ଦେବେ ଯା ଚରଣେ । ଭଲେ ଖଟନ୍ତି ଅନୁକ୍ଷଣେ ॥ ୮୩
ନମନ୍ତି ଭୃତ୍ୟପ୍ରାୟ ହୋଇ । ପାଦେ ଖଟନ୍ତି ବଳି ଦେଇ ॥ ୮୪
ବିଷ୍ଣୁର ଯଶ ଗୁଣଗାଥା । ନିତ୍ୟେ କରନ୍ତି ମନେ ଚିନ୍ତା ॥ ୮୫
ଆନନ୍ଦେ ଅଶ୍ରୁବହେ ନେତ୍ରେ । ରୋମହରଷ ସର୍ବଗାତ୍ରେ ॥ ୮୬
ହରିଭକତି ଭାବେ କରି । କାରୁଣ୍ୟ ହିଂସା ପରିହରି ॥ ୮୭
ସେମାନେ ଯାନ୍ତି ଆମ୍ଭ ଊର୍ଦ୍ଧ୍ୱେ । ସୁଖେ ବସନ୍ତି ବିଷ୍ଣୁପଦେ ॥ ୮୮
ଏମନ୍ତ ବିଷ୍ଣୁର ଭୁବନେ । ପଶିଲେ ମୋହର ନନ୍ଦନେ ॥ ୮୯
ଦେଖିଲେ ଅପୂର୍ବ-ଭୁବନ । ଜଗତଗୁରୁର ଯେ ସ୍ଥାନ ॥ ୯୦
ବିବିଧ ଶ୍ରେଷ୍ଠ ଦେବମାନେ । ବିମାନେ ଦୀପ୍ତ ଏ ଭୁବନେ ॥ ୯୧
ଯହିଁ ପୁରାଣ ଇତିହାସ । ଆଗମ ନିଗମ ପ୍ରକାଶ ॥ ୯୨
ତର୍କ ବେଦାନ୍ତ ଯୋଗଶାସ୍ତ୍ରେ । ନ୍ୟାୟ ମୀମାଂସା ଆଦି ଯେତେ ॥ ୯୩
ସ୍ତୁତି କରନ୍ତି ଅବଧାନେ । କୃଷ୍ଣଚରିତ ଗୁଣଗାନେ ॥ ୯୪
ଏମନ୍ତେ ଶାସ୍ତ୍ରେ ମୂର୍ତ୍ତିମନ୍ତେ । ଯହିଁ ସେବନ୍ତି ଅବିରତେ ॥ ୯୫
ସେ ପୁରେ ପଶି ମନସୁଖେ । କୃଷ୍ଣ ମହିମା ଗାଇ ମୁଖେ ॥ ୯୬
ନିରତେ ହରିଗୁଣ ଚିନ୍ତି । କୃଷ୍ଣମାୟାରେ ନ ପଡ଼ନ୍ତି ॥ ୯୭
ଚାରିକୁମରେ ଏକମେଳେ । ଆନନ୍ଦେ ଷଡ଼ଦ୍ୱାରେ ଗଲେ ॥ ୯୮
ସପତଦ୍ୱାରେ ଯାନ୍ତେ ବଳେ । ଆଗେ ମିଳିଲେ ଦ୍ୱାରପାଳେ ॥ ୯୯
କିରୀଟ କୁଣ୍ତଳ କେୟୂର । ଅମୂଲ୍ୟବେଶେ ଶୋଭାକର ॥ ୧୦୦
ଉଚ୍ଚ ସୁନ୍ଦର ବକ୍ଷସ୍ଥଳ । କଣ୍ଠେ ଲମ୍ବଇ ବନମାଳ ॥ ୧୦୧
ଦିଶନ୍ତି କୃଷ୍ଣରୂପ ତେଜେ । ସୁବର୍ଣ୍ଣବେତ ଧରି ଭୁଜେ ॥ ୧୦୨
ଏମନ୍ତେ ବେନି ଦ୍ୱାରପାଳ । ଦେଖିଣ ମୋହର କୁମର ॥ ୧୦୩
ସେ ବ୍ରହ୍ମଋଷି ପ୍ରତିଦ୍ୱାରେ । ଯେମନ୍ତେ ଗଲେ ବିଷ୍ଣୁପୁରେ ॥ ୧୦୪
ତେମନ୍ତେ ତାଙ୍କୁ ନ ପଚାରି । ସପ୍ତମେ ଯାନ୍ତେ ଭାଇଚାରି ॥ ୧୦୫
ଦ୍ୱାରେ କବାଟ ହେମମୟେ । ପ୍ରାଣୀ ନୟନ ମନ ମୋହେ ॥ ୧୦୬
ସେ ଦ୍ୱାରେ ମିଳି ବେନିଭାଇ । ଦ୍ୱାର ରୁନ୍ଧିଲେ ରୋଷବହି ॥ ୧୦୭
ସେ ଚାରିଭାଇ ମୋର ସୁତ । ଦେବଙ୍କ ପୂର୍ବସର୍ଗେ ଜାତ ॥ ୧୦୮
ସ୍ୱଭାବେ ବୃଦ୍ଧ ସେ ଅଟନ୍ତି । ବାଳକ ପ୍ରାୟ ତନୁକାନ୍ତି ॥ ୧୦୯
ପଞ୍ଚବରଷ ପୁତ୍ରପ୍ରାୟେ । ଦିଶନ୍ତି ବସ୍ତ୍ର ନାହିଁ ଦେହେ ॥ ୧୧୦
ଉଲଗ୍ନ ଦେଖି ତାଙ୍କ ବେଶ । ତାହାଙ୍କୁ କଲେ ଉପହାସ ॥ ୧୧୧
ତକ୍ଷଣେ ବେତ୍ର ଧରି କରେ । ନିଷେଧ କଲେ ସପ୍ତଦ୍ୱାରେ ॥ ୧୧୨
ଦେବେ ଦେଖନ୍ତି ଶୂନ୍ୟେ ରହି । ନିରୋଧ କଲେ ବେନିଭାଇ ॥ ୧୧୩
ସେ ଚାରିଋଷି ରହି ଦ୍ୱାରେ । ମନେ ବିଚାରି କୋପଭରେ ॥ ୧୧୪
ବିଷ୍ଣୁର ଅତି ପ୍ରିୟପଣେ । ପାଦେ ଖଟନ୍ତି ଅନୁକ୍ଷଣେ ॥ ୧୧୫
ଦେଖି ନ ପାରି କୃଷ୍ଣରୂପ । ହୃଦେ ବସିଲା ଗରୁତାପ ॥ ୧୧୬
ବୋଲନ୍ତି ଅନ୍ୟୋଅନ୍ୟେ ଚାହିଁ । ଏ ଭାବ ଏ ପୁରେ ତ ନାହିଁ ॥ ୧୧୭
ଏ ଦ୍ୱାରପାଳ ପଣେ ଥାଇ । କୁହୁକ ଜନପ୍ରାୟ ହୋଇ ॥ ୧୧୮
ଯେ ବଇକୁଣ୍ଠପୁରେ ଥାନ୍ତି । ତାଙ୍କୁ ନ ଲାଗେ ରିପୁ ଭ୍ରାନ୍ତି ॥ ୧୧୯
କାମାଦି ଶତ୍ରୁ ଷଡ଼ଭାଇ । ଏ ପୁରେ ସମ୍ଭବିବେ କାହିଁ ॥ ୧୨୦
ସ୍ୱଭାବେ ସର୍ବପ୍ରାଣୀ ହୃଦେ । ହରି ବସନ୍ତି ଆତ୍ମାପଦେ ॥ ୧୨୧
ବାହ୍ୟ ଅନ୍ତରେ ବିଶ୍ୱରୂପୀ । ଘଟ ଆକାଶ ପ୍ରାୟ ବ୍ୟାପି ॥ ୧୨୨
କରନ୍ତି ଆତ୍ମାର ପ୍ରକାଶ । ପଣ୍ତିତେ ଯହିଁରେ ସନ୍ତୋଷ ॥ ୧୨୩
ସମ ବିଷମ ଯହିଁ ନାହିଁ । ଅନ୍ୟାୟ କଲେ ବେନିଭାଇ ॥ ୧୨୪
ବିଷ୍ଣୁର ଦ୍ୱାରପାଳ ଭାବେ । ଦୁଷ୍ଟ ହୋଇଲେ ମତ୍ତଗର୍ବେ ॥ ୧୨୫
କପଟଧର୍ମୀ ବେନିଭାଇ । ଏ ପୁରେ ଥିବା ନ ଯୋଗାଇ ॥ ୧୨୬
ବେଗେ ପଡ଼ନ୍ତୁ ମହୀତଳେ । ଜନ୍ମିବେ ଅସୁରଙ୍କ କୁଳେ ॥ ୧୨୭
ତୃତୀୟ ଜନ୍ମ ଭୋଗ ସାରି । ପୁଣି ଲଭିବେ ବିଷ୍ଣୁପୁରୀ ॥ ୧୨୮
ଏମନ୍ତ ଶାପ ତାଙ୍କୁ ଦ୍ୟନ୍ତେ । ଦ୍ୱାରେ ଶୁଣିଲେ ବେନିଭ୍ରାତେ ॥ ୧୨୯
ଏ ବ୍ରହ୍ମଦଣ୍ତ ଅନିର୍ବାର । କେବେହେଁ ନାହିଁ ପ୍ରତିକାର ॥ ୧୩୦
ମୁନି ବଚନେ ଦ୍ୱାରପାଳ । ମନରେ ହୋଇଲେ ବିକଳ ॥ ୧୩୧
ଏମନ୍ତେ ଅତିଭୟ ମନେ । ପାଦେ ପଡ଼ିଲେ ବେନିଜନେ ॥ ୧୩୨
ଉଠିଣ ଶିରେ କର ଦେଇ । କହନ୍ତି ମୁନିଙ୍କି ଅନାଇଁ ॥ ୧୩୩
ଏ ଦଣ୍ତ ଉଚିତ ଆମ୍ଭର । ଏଥି ବା କି ଦୋଷ ତୁମ୍ଭର ॥ ୧୩୪
ଦେବ ହେଳେନ କର୍ମ କରି । ଅସୁର ଦେହେ ଅବତରି ॥ ୧୩୫
ତହିଁକି ନାହିଁ ଆମ୍ଭ ଡର । କେବଳ କୃପା ଏତେ କର ॥ ୧୩୬
ଅର୍ଜିଲା କର୍ମର ଆୟତ୍ତେ । ଜନ୍ମ ମରଣ ଏ ଜଗତେ ॥ ୧୩୭
ବୋଲନ୍ତି ଶୁଣ ମୁନିବର । କରିବ ପାପୀ ପ୍ରତିକାର ॥ ୧୩୮
କୃଷ୍ଣର ସ୍ମରଣ ଆମ୍ଭର । ଯେମନ୍ତେ ନୋହିବ ବିସ୍ମର ॥ ୧୩୯
ମୁନି ବୋଲନ୍ତି ଦୟାଚିତ୍ତେ । ସ୍ୱଭାବେ ଥିବ ଦୁଷ୍ଟମତେ ॥ ୧୪୦
ତୁମ୍ଭର ଦେହେ ବିଷ୍ଣୁଭାବ । କଳାଏ ଅଂଶମାତ୍ର ଥିବ ॥ ୧୪୧
ଏବେ ହୋ ଶୁଣ ସୁରଗଣ । ତାହା ଜାଣିଲେ ନାରାୟଣ ॥ ୧୪୨
ମୁନିହେଳନ କର୍ମ ଶୁଣି । ପୁରୁ ବାହାର ଚକ୍ରପାଣି ॥ ୧୪୩
ଦ୍ୱାରପାଳଙ୍କୁ ଦୟା ବହି । ଭୃତ୍ୟବତ୍ସ›ଳ ଭାବଗ୍ରାହୀ ॥ ୧୪୪
ଲକ୍ଷ୍ମୀର କରେ ଦେଇ କର । ଗୋବିନ୍ଦ ହୋଇଲେ ବାହାର ॥ ୧୪୫
ଗୋବିନ୍ଦ ଚଳନ୍ତି ଚରଣେ । ଯହିଁ ଅଛନ୍ତି ମୁନିଗଣେ ॥ ୧୪୬
ପରମହଂସ ଦୀକ୍ଷା ବହି । ତେଜେ ପ୍ରଚଣ୍ତ ଚାରିଭାଇ ॥ ୧୪୭
କୋପେ କମ୍ପନ୍ତି ମହାତାପେ । ଗୋବିନ୍ଦ ମିଳିଲେ ସମୀପେ ॥ ୧୪୮
ଯାହାର ଦରଶନ ଅର୍ଥେ । ଯୋଗ ସାଧନ୍ତି ମୁନି-ସନ୍ଥେ ॥ ୧୪୯
ଲକ୍ଷ୍ମୀଦେବୀଙ୍କ ପରିବାରୀ । କରେ ଚାମର ଛନ୍ତି ଧରି ॥ ୧୫୦
କେ ଶୁକ୍ଳ ପାଟଛତ୍ର କରେ । ଘେନି ଚଳନ୍ତି ଧୀରେ ଧୀରେ ॥ ୧୫୧
ଛତ୍ରେ ମୁକୁତାମାଳ ଶୋହେ । ହିମ ଶୀକର କଣା ବହେ ॥ ୧୫୨
ପ୍ରସନ୍ନମୁଖ ଭଗବାନ । କିବା ସୁନ୍ଦର ଅନୁପମ ॥ ୧୫୩
ସ୍ନେହ ଦୟାରେ ସର୍ବଜନ । ମନ ମୋହିଲେ ଭଗବାନ ॥ ୧୫୪
ଶ୍ୟାମସୁନ୍ଦର ବକ୍ଷସ୍ଥଳେ । କମଳା ବସନ୍ତି ନିଶ୍ଚଳେ ॥ ୧୫୫
କୌସ୍ତୁଭମଣି କଣ୍ଠେ ଶୋହେ । ଅଶେଷ ଜନମନ ମୋହେ ॥ ୧୫୬
ପୀତବସନ କଟୀମାଝେ । କନକମେଖଳା ବିରାଜେ ॥ ୧୫୭
ଉରେ ଲମ୍ବଇ ବନମାଳ । ସୁନ୍ଦର ଅଳକ କପୋଳ ॥ ୧୫୮
କେୟୂର କଙ୍କଣ ବିରାଜେ । ରୂପେ କୋଟିଏ କାମଗଞ୍ଜେ ॥ ୧୫୯
ଲୀଳାଅମ୍ବୁଜ ଏକକରେ । ଚଳନ୍ତେ ଭ୍ରମଇ ସେ କରେ ॥ ୧୬୦
ବିଜୁଳି ପ୍ରାୟେ ଗଣ୍ତସ୍ଥଳେ । ଶୋଭଇ ମକରକୁଣ୍ତଳେ ॥ ୧୬୧
ଶିରେ ମୁକୁଟମଣି ଶୋହେ । ଅଧିକେ ଜଗୁଜନ ମୋହେ ॥ ୧୬୨
ଚତୁର ବାହୁର ମଧ୍ୟର । ସୁସଞ୍ଚ ମନୋହର ହାର ॥ ୧୬୩
କଣ୍ଠେ ଲମ୍ବଇ ମଣିହାର । ମଧ୍ୟେ କୌସ୍ତୁଭ ରତ୍ନସାର ॥ ୧୬୪
ଏମନ୍ତେ ନାନାରତ୍ନ ପୁଞ୍ଜେ । ତେଜେ କମଳାରୂପ ଗଞ୍ଜେ ॥ ୧୬୫
ବ୍ରହ୍ମା-ଶଙ୍କର-ଦେବ ମନ । ମୋହନ ରୂପେ ହୋଏ ଛନ୍ନ ॥ ୧୬୬
ସ୍ଥିରଲୋଚନେ ସ୍ତମ୍ଭୀଭୂତେ । ଦେଖି ତୃପତ ନୋହେ ଚିତ୍ତେ ॥ ୧୬୭
ଆନନ୍ଦେ ସର୍ବ ମୁନିବରେ । ନମିଲେ କୃଷ୍ଣଙ୍କ ପୟରେ ॥ ୧୬୮
ସେ ହରି ଚରଣାବହିନ୍ଦ । କିଞ୍ଜଳ୍ କ ତୁଳସୀ ଆମୋଦ ॥ ୧୬୯
ପବନ ନାସାଦ୍ୱାରେ ପୂରେ । ଚିତ୍ତ ଶରୀର କ୍ଷୋଭ କରେ ॥ ୧୭୦
କୃଷ୍ଣ ସୁନ୍ଦର ମୁଖତ୍ରାସ । ଯେହ୍ନେ ସୁନୀଳ ପଦ୍ମକୋଷ ॥ ୧୭୧
ବିମ୍ବଅଧରେ କୁନ୍ଦହାସ । ଅଶେଷ ଜନମନ ତୋଷ ॥ ୧୭୨
ସେ ରୂପ ଦେଖି ପୁଣି ଚିତ୍ତେ । ଧ୍ୟାନ ନିରୋପି ପାଦଗତେ ॥ ୧୭୩
ଅରୁଣ ମଣି ନଖକାନ୍ତି । ନିଶ୍ଚଳ ଲୋଚନେ ଧରନ୍ତି ॥ ୧୭୪
ଯାହାର ଗତି ଯୋଗମାର୍ଗେ । ଧ୍ୟାନେ ଚିନ୍ତନ୍ତି ମୁନିବର୍ଗେ ॥ ୧୭୫
ସେ ରୂପ ନୟନଗୋଚରେ । ଦେଖିଲେ ମୋହର କୁମରେ ॥ ୧୭୬
ଅଷ୍ଟ ଐଶ୍ୱର୍ଯ୍ୟ ମୁକ୍ତକଳ୍ପ । ଦେଖନ୍ତେ ପ୍ରଭୁ ନିଜରୂପ ॥ ୧୭୭
ତକ୍ଷଣେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ ମୁଖ ଚାହିଁ ॥ ୧୭୮
ଯେ ହରି ପ୍ରାଣୀଙ୍କ ଶରୀରେ । ଅନନ୍ତ ହୃଦୟେ ବିହରେ ॥ ୧୭୯
ସାଧୁ ଅସାଧୁ ଯାର ନାହିଁ । ତାର ମହିମା କେବା କହି ॥ ୧୮୦
ସେ ହରି ଆମ୍ଭ ଦୃଷ୍ଟି ପଥେ । ପ୍ରତ୍ୟକ୍ଷେ ମିଳିଲେ ଅଗ୍ରତେ ॥ ୧୮୧
ଯାହାର ଗୁଣ କର୍ମ ଗାଥା । ଏକାନ୍ତେ ବସି ଆମ୍ଭ ପିତା ॥ ୧୮୨
କହିଲେ ପରମ ଆନନ୍ଦେ । ବ୍ରହ୍ମବିଗ୍ରହ ଅନୁବାଦେ ॥ ୧୮୩
ସେ ପଶି ଆମ୍ଭ କର୍ଣ୍ଣଦ୍ବାରେ । ରହିଲା ହୃଦୟ-ବିବରେ ॥ ୧୮୪
ତୁ ନାଥ ପରମାର୍ଥ-ତତ୍ତ୍ବ । ଯୋଗେ ସାଧନ୍ତି ମୁନିସନ୍ଥ ॥ ୧୮୫
ତୋ ଧ୍ୟାନ ରଚି ସତ୍ତ୍ବଗୁଣେ । ଯେବା ଚିନ୍ତନ୍ତି ଅନୁକ୍ଷଣେ ॥ ୧୮୬
ସଂସାର ଅନୁତାପେ ଯନ୍ତ୍ରି । ସୁହୃଦ ଭକ୍ତିଭାବେ ଚିନ୍ତି ॥ ୧୮୭
ହୃଦରେ ସ୍ଥାପି ତୋର ରୂପ । ବେଗେ ଛାଡ଼ନ୍ତି ତିନିତାପ ॥ ୧୮୮
ତୋର ପ୍ରସାଦ ଆତ୍ୟନ୍ତିକେ । ମନେ ଚିନ୍ତନ୍ତି ଯେବା ଲୋକେ ॥ ୧୮୯
କି ଅବା ଅନ୍ୟ ଇଚ୍ଛାତାର । ଅଛି ଏ ସଂସାର ଭିତର ॥ ୧୯୦
ଭୋ ଦେବ ତୋହର ଚରଣେ । ଯେ ପ୍ରାଣୀ ପଶନ୍ତି ଶରଣେ ॥ ୧୯୧
ତୋର କଥାରେ ଯାର ରତି । ଘୋର ସଂସାରୁ ତରିଯା’ନ୍ତି ॥ ୧୯୨
ଆମ୍ଭେ ତୋ ଭକ୍ତେ ଶାପ ଦେଇ । ଯେ ପାପ ଅର୍ଜିଲୁ ଗୋସାଇଁ ॥ ୧୯୩
ସେ ପାପେ ନାନା ଯୋନିଗତେ । ଜନମ ଲଭି ଭୂମିଗତେ ॥ ୧୯୪
ତୋ ଯଶ ଶୁଣି କର୍ଣ୍ଣମାର୍ଗେ । ତୋ ନାମ ଗୁଣି ଜିହ୍ୱାଅଗ୍ରେ ॥ ୧୯୫
ତୋର ଚରଣେ ହେଉ ରତି । ଆମ୍ଭର ଜଡ଼ବୁଦ୍ଧି ମତି ॥ ୧୯୬
ବଚନ ତୋ ଚରଣେ ରହୁ । ତୁଳସୀ ପ୍ରାୟ ଶୋଭା ପାଉ ॥ ୧୯୭
ତୋ ଗୁଣଗଣେ କର୍ଣ୍ଣପଥ । ଶ୍ରବଣେ ପୂରୁ ଜଗନ୍ନାଥ ॥ ୧୯୮
ତୁ ରୂପ ଦେଖାଇ ପବିତ୍ର । କୃତାର୍ଥ କଲୁ ଆମ୍ଭ ନେତ୍ର ॥ ୧୯୯
ଭୋ ନାଥ କମଳାରମଣ । ଅନାଦି ପରମ କାରଣ ॥ ୨୦୦
ଅଜିତ ଇନ୍ଦ୍ରିୟ ଜନର । ତୋ ରୂପ ଅଟେ ଅଗୋଚର ॥ ୨୦୧
ଏମନ୍ତେ କହି ମୋର ସୁତେ । ନମିଲେ ବିଷ୍ଣୁ ପାଦଗତେ ॥ ୨୦୨
ସେ ହରି ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୨୦୩
ତୃତୀୟସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୨୦୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଜୟବିଜୟୟୋଃ ସନକାଦିଶାପୋ ନାମ
ପଞ୍ଚଦଶୋଽଧ୍ୟାୟଃ ।

ଷୋଡ଼ଶ ଅଧ୍ୟାୟ

[ସମ୍ପାଦନା]
ବ୍ରହ୍ମା ଉବାଚ

ଏମନ୍ତେ ମୁନିଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧
ମୁନିଙ୍କ ମୁଖ ଚାହିଁ ଭଣି । ମଞ୍ଜୁ କୋମଳ ଶୁଭବାଣୀ ॥ ୨

ଭଗବାନ ଉବାଚ

ଜୟ ବିଜୟ ବେନିଭ୍ରାତେ । ମୋ ଦ୍ୱାରେ ଥାନ୍ତି ଅବିରତେ ॥ ୩
ମୋ ପାରିଷଦ ବେନିଜନେ । ଦ୍ୱାରେ ଖଟନ୍ତି ମୋ ଭୁବନେ ॥ ୪
କଦର୍ଥ କରି ଯେବେ ମୋତେ । କୋପ ବସାଇ ତୁମ୍ଭ ଚିତ୍ତେ ॥ ୫
ଯେ ବ୍ରହ୍ମଦଣ୍ତ ଏ ପାଇଲେ । ଅନ୍ୟଥା ନୋହେ କାହା ବୋଲେ ॥ ୬
ଅସାଧୁ କାର୍ଯ୍ୟ ଯେ କରନ୍ତି । ସେ ଅପରାଧେ ଦଣ୍ତ ପା’ନ୍ତି ॥ ୭
ମୁହିଁ ସମ୍ମତ କଲି ଚିତ୍ତେ । ଦେବହେଳନ ଅନୁମତେ ॥ ୮
ଯେଣୁ ବ୍ରାହ୍ମଣ ଈଷ୍ଟ ମୋର । ତେଣୁ ସୁଦୟା ତୁମ୍ଭେ କର ॥ ୯
ତୁମ୍ଭେ ପ୍ରସନ୍ନ ହୁଅ ଚିତ୍ତେ । ଏହାଙ୍କ ଦୋଷ କ୍ଷମ ମୋତେ ॥ ୧୦
ଅଯଶ ସଂସାରେ ପ୍ରକାଶେ । ବ୍ୟାଧି ଯେସନେ ରୂପନାଶେ ॥ ୧୧
ଯାହାର ଗୁଣ ଯଶ ସାର । ଯେହ୍ନେ ନିର୍ମଳ ସୁଧାଧାର ॥ ୧୨
ଶ୍ରବଣପୁଟେ କରି ପାନ । ସଂସାରୁ ତରେ ସର୍ବଜନ ॥ ୧୩
ସେ ବଇକୁଣ୍ଠନାଥ ମୁହିଁ । ତୁମ୍ଭର ଭାବ ହୃଦେ ବହି ॥ ୧୪
ତୁମ୍ଭର କୋପ ଅତିରେକେ । ମିଳିଲି ତୁମ୍ଭର ସମୀପେ ॥ ୧୫
ତୁମ୍ଭେ ମୋ’ ଭାବ ଦୂରକରି । ଅତ୍ୟନ୍ତ କୋପ ହୃଦେଧରି ॥ ୧୬
ବହିଲ ଦ୍ୱାରପାଳେ ଦଣ୍ତ । ବ୍ରାହ୍ମଣ ତେଜ ପରଚଣ୍ତ ॥ ୧୭
ଯେଉଁ ବ୍ରାହ୍ମଣ ସେବାକାଳେ । ପବିତ୍ର ରେଣୁ ମୋ’ ପୟରେ ॥ ୧୮
ସଦ୍ୟ ପ୍ରସଙ୍ଗେ ମଳହରେ । ସକଳ ପ୍ରାଣୀଙ୍କି ନିସ୍ତାରେ ॥ ୧୯
ସେ ପାଦ କମଳା ନିରତେ । ପ୍ରେମେ ନ ଛାଡ଼େ କଦାଚିତେ ॥ ୨୦
ଯାର କଟାକ୍ଷ ଲେଶ ପାଇଁ । ବ୍ରହ୍ମାଦି ଦେବ ତପଧ୍ୟାୟି ॥ ୨୧
ମୋତେ ବ୍ରାହ୍ମଣେ ବେଦମାର୍ଗେ । ଯଜ୍ଞେ ପୂଜନ୍ତି ହବିର୍ଭାଗେ ॥ ୨୨
ଦଧି ଓଦନ ଘୃତପ୍ଳୁତେ । ମଧୁ ସଂଯୁକ୍ତ ବେଦମତେ ॥ ୨୩
ଏଣେ ସନ୍ତୋଷ ମୋର ନାହିଁ । ବ୍ରାହ୍ମଣ ଦେହେ ମୁଁ ବସଇ ॥ ୨୪
ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ । ମୁହିଁ ଭୁଞ୍ଜଇ ତା ପ୍ରତ୍ୟକ୍ଷେ ॥ ୨୫
ବ୍ରାହ୍ମଣ ପାଦରଜ ବଳେ । ମୁଁ ଏ ସଂସାର ଜନ ମେଳେ ॥ ୨୬
ମାୟା ବିଭୂତି ଅଇଶ୍ୱର୍ଯ୍ୟେ । ଭୁଞ୍ଜଇ ସର୍ବଦେହ ମାଝେ ॥ ୨୭
ମୋ ପାଦଜଳ ଅଘ ଦହେ । ଚନ୍ଦ୍ରଶେଖର ଶିରେ ବହେ ॥ ୨୮
ପବିତ୍ର ହୋନ୍ତି ତିନିଲୋକେ । ଏମନ୍ତ ହେଲେହେଁ ମସ୍ତକେ ॥ ୨୯
କିରୀଟେ ଯାର ରେଣୁ ବହେ । ବ୍ରାହ୍ମଣ ଦୋଷ କେ ନ ସହେ ॥ ୩୦
ବିପ୍ର-ଶରୀର ମୋର ତନୁ । ଏଣୁ ଦୁଃସହ ବିପ୍ର-ମନ୍ୟୁ ॥ ୩୧
ଯେ ଭେଦବୁଦ୍ଧିଟି ବିଚାରି । ମୋତେ ଚିନ୍ତନ୍ତି ଭିନ୍ନକରି ॥ ୩୨
ସେ ମୋରେ ଅପରାଧ କରେ । କେବେହେଁ ସଂସାରୁ ନ ତରେ ॥ ୩୩
ଯମର ଗୃଧ୍ରରୂପୀ ଦୂତ । ଚଞ୍ଚୁରେ ନାଶେ ଦୃଷ୍ଟିପଥ ॥ ୩୪
ବ୍ରାହ୍ମଣ ଦେହେ ଦ୍ରୋହ ଚିନ୍ତି । ଏ ଭବସିଦ୍ଧୁ ନ ତରନ୍ତି ॥ ୩୫
ବିପ୍ର ଭକତି ତେଜି ନିତ୍ୟେ । ଭ୍ରମନ୍ତି ଘୋର ମାୟା ପଥେ ॥ ୩୬
ସ୍ୱଭାବ କର୍ମ ଦୂର କରି । ବିକର୍ମ ମତ ଅନୁସରି ॥ ୩୭
ପାଷଣ୍ତବାଦ ଅନୁକ୍ଷଣେ । କରନ୍ତି ବିଦ୍ୟାଗର୍ବ ପଣେ ॥ ୩୮
ନୁହଁନ୍ତି ମୋହରେ ବିଶ୍ୱାସ । ଏଣୁ ସଂସାରେ ହୋନ୍ତି ନାଶ ॥ ୩୯
ବ୍ରାହ୍ମଣ କ୍ରୋଧ କଲେ ଚିତ୍ତେ । ଯେ ଶାନ୍ତ କରେ ଯଥୋଚିତେ ॥ ୪୦
କଟୁ ଭାଷଣ ବ୍ରାହ୍ମଣର । ଶୁଣି ସନ୍ତୋଷ ଯେଉଁ ନର ॥ ୪୧
ପୁତ୍ରର ପ୍ରାୟେ କରେ ସ୍ନେହ । ତା ବଶୀଭୂତ ମୋର ଦେହ ॥ ୪୨
ବିପ୍ର ଭକ୍ତିରେ ମୋ ସନ୍ତୋଷ । ମୁହିଁ ନିଶ୍ଚୟ ତାର ବଶ ॥ ୪୩
ସେ ବେଗେ ଭବନଦୀ ତରେ । ଏ ଭାବେ ମୋତେ ବଶ କରେ ॥ ୪୪
ତୁମ୍ଭର ଭାବେ ଯେହୁ ଭାବି । ଶେଷେ ତରନ୍ତି ଭବନଦୀ ॥ ୪୫
ତୁମ୍ଭର ମତ ଯେ ଆଚରି । ମାୟାସମୂହ ପରିହରି ॥ ୪୬
ବ୍ରହ୍ମନିର୍ବାଣେ ପଶେ ଯାଇ । ଉଦୟ ଅସ୍ତ ତାର ନାହିଁ ॥ ୪୭
ଏମନ୍ତ କହି ଭଗବାନ । ମୋହିଲେ ସନକାଦି ମନ ॥ ୪୮
ତୁମ୍ଭର ବ୍ରହ୍ମଶାପ ଫଳେ । ତୃତୀୟ ଜନ୍ମ ରବିତଳେ ॥ ୪୯
ଦୁଷ୍ଟଆଚାର କର୍ମ କରି । ଧର୍ମ ଅଧର୍ମ ନ ବିଚାରି ॥ ୫୦
ଏବେ ଏ ତୁମ୍ଭର ସନ୍ତୋଷେ । ପୁଣି ମିଳିବେ ମୋର ପାଶେ ॥ ୫୧
ମୁଁ ପୁଣି ତାଙ୍କ ଉପକାରେ । ଶରୀର ବହିବି ସଂସାରେ ॥ ୫୨
କରିବି ତାହାଙ୍କୁ ନିସ୍ତାର । କହିଲେ ପ୍ରଭୁ ଚକ୍ରଧର ॥ ୫୩

ବ୍ରହ୍ମା ଉବାଚ

ଏମନ୍ତ କୃଷ୍ଣ ମଞ୍ଜୁବାଣୀ । ସନ୍ତୋଷ ବିପ୍ରବରେ ଶୁଣି ॥ ୫୪
ବିଷ୍ଣୁର ଭକ୍ତି ହୃଦେ ବହି । ବୋଲନ୍ତି ଶିରେ କର ଦେଇ ॥ ୫୫

ଋଷିଗଣ ଉବାଚ

ଭୋ ଦେବଦେବ ଲକ୍ଷ୍ମୀପତି । ଆମ୍ଭେ ନ ଜାଣୁ ତୋର ଗତି ॥ ୫୬
ଆମ୍ଭଙ୍କୁ ଅନୁଗ୍ରହ କରି । ଯାହା ବୋଇଲୁ ନରହରି ॥ ୫୭
ବ୍ରହ୍ମଣ୍ୟଦେବ ତୋ ମହିମା । ତୋ ଗତି ନ ଜାଣନ୍ତି ବ୍ରହ୍ମା ॥ ୫୮
ତୁ ପୁଣି ଦେବ ବିପ୍ରଙ୍କର । ଆତ୍ମା ସୁହୃଦ ଶକ୍ତିଧର ॥ ୫୯
ଧର୍ମ ତୋ ଶରୀରୁ ପ୍ରକାଶେ । ଯେ ଧର୍ମ ସୃଷ୍ଟି ପାପ ନାଶେ ॥ ୬୦
ତୁ ନାଥ ନିର୍ବିକାର ଧର୍ମ । ତାର ରକ୍ଷଣ ତୋର କର୍ମ ॥ ୬୧
ଯାହାର ଅନୁଗ୍ରହେ ଜନ । ଧର୍ମ ସଞ୍ଚୟେ ଦ୍ୟନ୍ତି ମନ ॥ ୬୨
ତୋ ପାଦପଦ୍ମ ସେବାଫଳେ । ମୃତ୍ୟୁ ଜିଣନ୍ତି ଅବହେଳେ ॥ ୬୩
ତୁ ଅଟୁ ଏମନ୍ତ ପୁରୁଷ । ଆମ୍ଭର ଅନୁଗ୍ରହେ ଆଶ ॥ ୬୪
ଏ ତୋର ଗତି ବିପରୀତ । କେ ଅବା ଜାଣିବ କିଞ୍ଚିତ ॥ ୬୫
ଏମନ୍ତ ମୁନିଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୬୬
ବ୍ରାହ୍ମଣ ଭାବ ଚିତ୍ତେ ବହି । କହନ୍ତି ବିପ୍ରଙ୍କୁ ଅନାଇ ॥ ୬୭

ଭଗବାନ ଉବାଚ

ଜୟ ବିଜୟ ବେନିଭାଇ । ତୁମ୍ଭର ଚିତ୍ତେ କ୍ରୋଧ ଦେଇ ॥ ୬୮
ଅସୁରଯୋନି ଏ ପାଇବେ । ଦୁଷ୍କୃତ କର୍ମ ଆଚରିବେ ॥ ୬୯
ପୁଣି ଆସିବେ ମୋର ପୁରେ । ସୁବର୍ଣ୍ଣ ବେତ୍ର ଧରି କରେ ॥ ୭୦
ଏ ବଇକୁଣ୍ଠ ପୁରେ ବାସ । ଯେବେ ତୁମ୍ଭର ମନ ତୋଷ ॥ ୭୧

ବ୍ରହ୍ମା ଉବାଚ

ଏ ଚାରି ମୋହର ନନ୍ଦନେ । ତକ୍ଷଣେ ଆନନ୍ଦ ଲୋଚନେ ॥ ୭୨
ବିଷ୍ଣୁର ମୁଖ ଦେଖି ତୋଷେ । ବେଗେ ମିଳିଲେ କୃଷ୍ଣପାଶେ ॥ ୭୩
ସ୍ୱଭାବେ ବିଷ୍ଣୁର ଭୁବନ । ଯହିଁ ନ ଥାନ୍ତି ଦୁଷ୍ଟଜନ ॥ ୭୪
ବିଷ୍ଣୁଙ୍କୁ କରି ପ୍ରଦକ୍ଷିଣ । ଆଜ୍ଞା ମାଗିଣ ମୁନିଗଣ ॥ ୭୫
ବିଷ୍ଣୁର ପାଦେ ସେ ନମିଲେ । ଆନନ୍ଦେ ନିଜସ୍ଥାନେ ଗଲେ ॥ ୭୬
ଦ୍ୱାରପାଳଙ୍କ ମୁଖ ଚାହିଁ । କହନ୍ତି ପ୍ରଭୁ ଭାବଗ୍ରାହୀ ॥ ୭୭
ତୁମ୍ଭେ ଯେ ଧରଣୀମଣ୍ତଳେ । ଜନ୍ମିବ ଅସୁରଙ୍କ କୁଳେ ॥ ୭୮
ତୁମ୍ଭ କୁଶଳ ମୁଁ କରିବି । ତୃତୀୟ ଜନ୍ମ ଉଦ୍ଧରିବି ॥ ୭୯
ବ୍ରାହ୍ମଣ ଶାପ ନାଶ ପାଇଁ । ମୁଁ ଅବା ସମର୍ଥ ଅଟଇ ॥ ୮୦
ହେଲେହେଁ ସମ୍ମତ ମୋହର । ଭୟ ନ କର ବେନିବୀର ॥ ୮୧
ଏ କଥା କମଳା ସମୀପେ । କହିଁ ମୁଁ ଅଛି ପୂର୍ବକଳ୍ପେ ॥ ୮୨
ମୋର ଏକାନ୍ତେ ଲକ୍ଷ୍ମୀ ଯାନ୍ତେ । ଯେବେ ନିରୋଧ କଲ ପଥେ ॥ ୮୩
ବ୍ରହ୍ମହେଳନ ଯେ କରନ୍ତି । ମୋ ହୃଦେ ଶଲ୍ୟ ସମର୍ପନ୍ତି ॥ ୮୪
ତୁମ୍ଭର ତାରଣ ନିମନ୍ତେ । ମୁଁ ଦେହ ବହିବି ଜଗତେ ॥ ୮୫
ଭୁବନେ ରହିବ ମୋ ଯଶ । ଶୁଣନ୍ତେ ପାପ ଯିବ ନାଶ ॥ ୮୬
ମୋ କଥା ଭୁବନ-ପାବନୀ । ଏ ଭୂମିମଧ୍ୟେ ଦେହ ଘେନି ॥ ୮୭
କରିବେ ଶ୍ରବଣ କୀର୍ତ୍ତନ । ଶୁଣି ତରିବେ ସର୍ବଜନ ॥ ୮୮

ବ୍ରହ୍ମା ଉବାଚ

ଏମନ୍ତେ ଦ୍ୱାରପାଳେ କହି । ନିଜ ଭୁବନେ ଭାବଗ୍ରାହୀ ॥ ୮୯
ବସିଲେ କମଳାର ମେଳେ । ଆବୃତ ବିମାନ ସଙ୍କୁଳେ ॥ ୯୦
ସେ ଦ୍ୱାରପାଳ ବେନିଭାଇ । ଭାଳନ୍ତି ଦଶଦିଗ ଚାହିଁ ॥ ୯୧
ତକ୍ଷଣେ ଅଧର ଶୁଖିଲା । ଆତ୍ମାରୁ ବିଷ୍ଣୁତେଜ ଗଲା ॥ ୯୨
ଦୁସ୍ତର ବ୍ରହ୍ମଶାପୁ କରି । ବେଗେ ହୋଇଲେ ହତଶିରୀ ॥ ୯୩
ତକ୍ଷଣେ ହତଗର୍ବ ହୋଇ । ଅଧୋବଦନେ ବେନିଭାଇ ॥ ୯୪
ବିଷ୍ଣୁର ଭୁବନୁ ପଡ଼ନ୍ତେ । ହାହା ଶବଦ ଶୂନ୍ୟ ପଥେ ॥ ୯୫
ସେ ବେନିବୀର ଏକଭାବେ । ତକ୍ଷଣେ ପଶି ଦିତିଗର୍ଭେ ॥ ୯୬
କଶ୍ୟପବୀର୍ଯ୍ୟ ଆଶ୍ରେ କରି । ଏଣୁ ଭୁବନଲୋକେ ଡରି ॥ ୯୭
ସେ ବେନି ଅସୁରଙ୍କ ତେଜ । ତୁମ୍ଭଙ୍କୁ କରିଛି ନିସ୍ତେଜ ॥ ୯୮
ସେ ବେନିଭାଇଙ୍କର ଦର୍ପେ । ତିନିଭୁବନ ଦିଶ କମ୍ପେ ॥ ୯୯
ଏଥକୁ ନାହିଁ ପ୍ରତିକାର । ତ୍ରାହି କରିବେ ଚକ୍ରଧର ॥ ୧୦୦
ଯେ ବିଶ୍ୱସୃଷ୍ଟିର କାରଣ । ଅନାଦି ପ୍ରଭୁ ନାରାୟଣ ॥ ୧୦୧
ତା ମାୟା ନ ଜାଣନ୍ତି କେହି । ସଂସାରମଧ୍ୟେ ଦେହ ବହି ॥ ୧୦୨
ଆମ୍ଭେ ସକଳେ ତା ଚରଣେ । ଆଶ୍ରୟ କରୁଁ ଭୃତ୍ୟପଣେ ॥ ୧୦୩
ଏ ଘୋରଭୟ ହିଁ ଆମ୍ଭର । ଖଣ୍ତିବେ ପ୍ରଭୁ ଚକ୍ରଧର ॥ ୧୦୪
ଏମନ୍ତେ ଦେବଗଣ ମଧ୍ୟେ । ବିଧାତା କହିଲେ ଆନନ୍ଦେ ॥ ୧୦୫
ସେ ହରି ଚରଣ କମଳେ । ସୁଜନେ ଚିନ୍ତ ହେ ନିଶ୍ଚଳେ ॥ ୧୦୬
ସେ ହରି ବ୍ରାହ୍ମଣ-ବତ୍ସ›ଳ । କରୁଣାସିନ୍ଧୁ ଆଦିମୂଳ ॥ ୧୦୭
ତାହାଙ୍କ ଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୦୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଷୋଡ଼ଶୋଽଧ୍ୟାୟଃ ।

ସପ୍ତଦଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ବ୍ରହ୍ମା ବଚନେ ଦେବଗଣ । ଶୁଣିଲେ ଅଦ୍ଭୁତ କାରଣ ॥ ୧
ବିଧାତା ପାଦେ ପ୍ରଣମିଲେ । ଆନନ୍ଦେ ନିଜପୁରେ ଗଲେ ॥ ୨
ଦିତି କଶ୍ୟପ ଆଜ୍ଞା ପାଇ । ପୁତ୍ରଙ୍କ ଜନ୍ମେ ଶଙ୍କା ବହି ॥ ୩
ଶତେବରଷ ପୂର୍ଣ୍ଣ ହେଲା । ବେନିବାଳକ ପ୍ରସବିଲା ॥ ୪
ସେ ବେନିପୁତ୍ର ଜନ୍ମକାଳେ । ଦିବି ମେଦିନୀ ଅନ୍ତରାଳେ ॥ ୫
ଘୋର ଉତ୍ପାତ ଭୟଙ୍କର । ଦେଖି କମ୍ପିଲେ ସୁରନର ॥ ୬
ଚଳ ଅଚଳ ସଙ୍ଗେ ମହୀ । କମ୍ପିଲେ ମହାଭୟ ପାଇ ॥ ୭
ଦହିଲା ପ୍ରାୟ ଅଷ୍ଟଦିଗେ । ଦିଶନ୍ତି ଅନଳ ସଂଯୋଗେ ॥ ୮
ଉଲ୍କା ସଙ୍କୁଳ ବଜ୍ର ଯୋଗେ । ସମୁଦ୍ର କମ୍ପିଲା ତରଙ୍ଗେ ॥ ୯
କର୍କଶେ ବହଇ ପବନ । ଉଚ୍ଚେ ଶୁଭଇ ଘୋରସ୍ୱନ ॥ ୧୦
ଘୋର ପ୍ରଚଣ୍ତ ବାତ ବଳେ । ବୃକ୍ଷେ ଉଡ଼ିଲେ ଅନ୍ତରାଳେ ॥ ୧୧
ଧୂଳି ପୂରିଲା ଦଶଦିଶେ । ନିବିଡ଼ ଅନ୍ଧାର ପ୍ରକାଶେ ॥ ୧୨
ଉଚ୍ଚେ ହସିଲାପ୍ରାୟ ହୋଇ । ତଡ଼ିତ ମେଘେ ଆଚ୍ଛାଦଇ ॥ ୧୩
ଗଗନେ ଯେତେ ଜ୍ୟୋତି ଥିଲେ । ଘୋର ତିମିରେ ନ ଦିଶିଲେ ॥ ୧୪
ଗଗନେ ନ ଦିଶଇ ପଥ । ତମ ଆକାଶ କଲା ଗ୍ରସ୍ତ ॥ ୧୫
ସମୁଦ୍ର ଗର୍ଜିଲା ତରଙ୍ଗେ । କ୍ଷୁଭିତ ମକରାଦି ସଙ୍ଗେ ॥ ୧୬
ନଦୀରୁ ଜଳ ଶୁଖିଗଲା । ନିବିଡ଼ ପଙ୍କ ପ୍ରକାଶିଲା ॥ ୧୭
ଆକାଶେ ଚନ୍ଦ୍ର ଦିବାକର । ମଣ୍ତଳେ ଦିଶନ୍ତି ଧୂସର ॥ ୧୮
ବିନା ମେଘରେ ଯେ ନିର୍ଘାତ । ହୋଇଲା ଘୋର ବଜ୍ରପାତ ॥ ୧୯
ଫେରବଗଣ ପୂର୍ବମୁଖେ । ନାଦ କରନ୍ତି ଅତିଦୁଃଖେ ॥ ୨୦
କରନ୍ତି ଅତିଘୋର ସ୍ୱନ । ତୁଣ୍ତେ କି ଜଳେ ହୁତାଶନ ॥ ୨୧
ଶୃଗାଳୀ ଉଲ୍ଲୁକ ହୁଙ୍କାରେ । ନାଦ କରନ୍ତି ଅତିଖରେ ॥ ୨୨
ଗର୍ଦ୍ଦŸଭ ସଙ୍ଗେ ଶ୍ୱାନେ ମିଳି । କାନ୍ଦନ୍ତି ଉର୍ଦ୍ଧ୍ୱେ ମୁଖ ତୋଳି ॥ ୨୩
ବୃକ୍ଷୁ ପଡ଼ନ୍ତି ପକ୍ଷୀଗଣେ । ଅରଣ୍ୟ ପଶୁ ଘୋରବନେ ॥ ୨୪
ମୂତ୍ର ପରୀଷ ଉତ୍ସ›ର୍ଗନ୍ତି । ରାସଭସ୍ୱନେ ମହାଭୀତି ॥ ୨୫
ଗାବ ଦୋହନେ ରକ୍ତ ସ୍ରବେ । ଗଗନେ ଘୋରନାଦ ଶୁଭେ ॥ ୨୬
ଆକାଶେ ପୂରି ମେଘମାଳେ । ପୂଜ ବରଷନ୍ତି ଗହଳେ ॥ ୨୭
ଲିଙ୍ଗେ କାନ୍ଦନ୍ତି ଶକ୍ତି ଯୁକ୍ତେ । ବୃକ୍ଷେ ପଡ଼ନ୍ତି ବିନା ବାତେ ॥ ୨୮
ଆକାଶେ ଗ୍ରହଗଣ ମିଳି । ଶୂନ୍ୟେ ନାଚନ୍ତି ତାରାବଳି ॥ ୨୯
ଗ୍ରହେ କରନ୍ତି ଘୋରରଣ । ପ୍ରହାରେ ଦିଶେ ଅଗ୍ନିକଣ ॥ ୩୦
ଉତ୍ପାତ ଦେଖି ଗୁରୁତରେ । ପ୍ରଜାଏ କମ୍ପିଲେ ନିର୍ଭରେ ॥ ୩୧
ସନକ ଆଦି ଚାରିଭାଇ । ଦେଖନ୍ତି ଶୂନ୍ୟମାର୍ଗେ ରହି ॥ ୩୨
ବିଶ୍ୱ-ସଂସାରେ ମହାତ୍ରାସେ । ସୃଷ୍ଟି ପ୍ରଳୟପ୍ରାୟ ଦିଶେ ॥ ୩୩
ଏମନ୍ତେ କଶ୍ୟପ ଭୁବନେ । ପୁତ୍ରେ ବଢ଼ନ୍ତି ଦିନେ ଦିନେ ॥ ୩୪
ସ୍ୱଭାବେ କର୍କଶ ଶରୀର । ଦିଶନ୍ତି ମହାଭୟଙ୍କର ॥ ୩୫
ପର୍ବତପ୍ରାୟ ଦିନେ ଦିନେ । ବଢ଼ିଲେ କଶ୍ୟପ ଭୁବନେ ॥ ୩୬
ଶିରେ କିରୀଟ ହେମମୟେ । ଉଚ୍ଚେ ଗଗନ କିବା ଛୁଏଁ ॥ ୩୭
ରବି କି ଜିଣି କଟୀ ମାଝେ । ସୁବର୍ଣ୍ଣ-ମେଖଳା ବିରାଜେ ॥ ୩୮
ବଜ୍ର ସମାନ ଗଦା ହସ୍ତେ । ନିତ୍ୟେ ଧାବନ୍ତି ନାନାପଥେ ॥ ୩୯
ଗୃହେ ମିଳନ୍ତି ଘୋରନାଦେ । ଭୂମି କମ୍ପଇ ବାଜି ପାଦେ ॥ ୪୦
ଏମନ୍ତେ ପୁତ୍ରଙ୍କର ଗତି । ଦେଖି କଶ୍ୟପ ପ୍ରଜାପତି ॥ ୪୧
ନାମକରଣ ହୋମ କଲା । ବେନିପୁତ୍ରଙ୍କ ନାମ ଦେଲା ॥ ୪୨
ବଜ୍ର-କଠିନ ଦେଖି ବପୁ । ବଡ଼ ଯେ ହିରଣ୍ୟକଶିପୁ ॥ ୪୩
ଅନୁଜ ତାହା ତହୁଁ ଦକ୍ଷ । କଳ୍ପିଲା ନାମ ହିରଣ୍ୟାକ୍ଷ ॥ ୪୪
ଦିନକୁ ଦିନ ମହାବପୁ । ବଢ଼ିଲା ହିରଣ୍ୟକଶିପୁ ॥ ୪୫
ତପେ ବ୍ରହ୍ମାଙ୍କୁ ତୋଷ କଲା । ସ୍ୱଭାବେ ତେଜ ଅନର୍ଗଳା ॥ ୪୬
ଗଦା ବୁଲାଇ ମହାରୋଷେ । ବେଗେ ଧାଇଁଲା ଦଶଦିଶେ ॥ ୪୭
ଦେଖି ତାହାର ଦୁଷ୍ଟପଣ । ଭୟେ କମ୍ପିଲେ ଦେବଗଣ ॥ ୪୮
ବେଗେ ମିଳିଲେ ତାର ପାଶେ । ଖଟିଲେ ଜୀବନର ଆଶେ ॥ ୪୯
ତାର ଅନୁଜ ହିରଣ୍ୟାକ୍ଷ । ଗଦା-ସମରେ ମହାଦକ୍ଷ ॥ ୫୦
ଜ୍ୟେଷ୍ଠ-ଭ୍ରାତାର ପ୍ରିୟକାରୀ । ଯୁଦ୍ଧେ ବୁଲଇ ଗଦା ଧରି ॥ ୫୧
ବଳେ ପଶିଲା ସ୍ୱର୍ଗପୁରେ । ସୁବର୍ଣ୍ଣ ନୂପୁର ପୟରେ ॥ ୫୨
ଚାଲନ୍ତେ ରୁଣୁଝୁଣୁ ବାଜେ । କୁସୁମମାଳା ଗଳେ ସାଜେ ॥ ୫୩
କନ୍ଧେ ପକାଇ ଗଦାବର । କି ଅବା ଦେବା ପଟାନ୍ତର ॥ ୫୪
ତାର ଗମନ ଅତିବେଗେ । ଅତି ଉତ୍କଟ ମତ୍ତଗର୍ବେ ॥ ୫୫
ଦେଖି ପଳାନ୍ତି ରିପୁଯୂଥେ । ନିର୍ଭୟେ ଭ୍ରମଇ ଜଗତେ ॥ ୫୬
ଦେବେ ତାହାର ରୂପ ଦେଖି । ଭାଜିଲେ ତ୍ରିଦିବ ଉପେକ୍ଷି ॥ ୫୭
ଆକାଶ ତେଜି ଦେବଗଣେ । ଭୟେ ଲୁଚିଲେ ଘୋରବଣେ ॥ ୫୮
ବନେ ବୁଲିଲେ ତା’ର ଦର୍ପେ । ଗରୁଡ଼ ଭୟେ ଯେହ୍ନେ ସର୍ପେ ॥ ୫୯
ସ୍ୱର୍ଗେ ପଶିଲା ବେଗେ ଯାଇ । ଦେଖିଲା ସ୍ୱର୍ଗେ ଲୋକ ନାହିଁ ॥ ୬୦
ଦେବତା ଇନ୍ଦ୍ରରାଜ ମେଳେ । ସ୍ୱର୍ଗ ସମ୍ପଦ ଛାଡ଼ି ଗଲେ ॥ ୬୧
ଦେଖିଲା ସ୍ୱର୍ଗେ କେହି ନାହିଁ । ଗର୍ଜନ କଲା ମତ୍ତ ହୋଇ ॥ ୬୨
ଦେଖିଣ ଇନ୍ଦ୍ରର ସମ୍ପଦ । ଅନେକ କଲା ଘୋରନାଦ ॥ ୬୩
ମୁହୂର୍ତ୍ତେ ସ୍ୱର୍ଗପୁରେ ବସି । ପୁଣି ମିଳିଲା ମର୍ତ୍ତ୍ୟେ ଆସି ॥ ୬୪
ଅସୁର ବିଚାରଇ ମନେ । ପଶିବି ବରୁଣ ଭୁବନେ ॥ ୬୫
ମୋହର ପ୍ରାୟ ଗଦା ବଳେ । କେ ଅବା ଅଛଇ ପାତାଳେ ॥ ୬୬
ଏମନ୍ତ ମନେ ବିଚାରିଲା । ଜଳଧି ମଧ୍ୟେ ସେ ପଶିଲା ॥ ୬୭
ସେ ମଦମତ୍ତ-ହସ୍ତୀ ପ୍ରାୟେ । ଜଳଧି ମଧ୍ୟେ ଅବଗାହେ ॥ ୬୮
ଏମନ୍ତେ ହିରଣ୍ୟାକ୍ଷ ବୀର । ଜଳେ ପଶିଲା କ୍ରୋଧଭର ॥ ୬୯
ଜଳେ ପଶନ୍ତେ ମହାସୁର । କମ୍ପିଲା ବରୁଣର ପୁର ॥ ୭୦
ଭାଜିଲେ ଜଳଜନ୍ତୁ ଗଣେ । କେବା ବଳିବ ତାକୁ ରଣେ ॥ ୭୧
ସଭୟେ ସର୍ବେ ପଳାଇଲେ । ଗଭୀର-ଜଳେ ସେ ପଶିଲେ ॥ ୭୨
ଏମନ୍ତ ବରୁଣ-ଭୁବନେ । ବହୁ ବରଷ କୋପମନେ ॥ ୭୩
ସେ ବିଭାବରୀ ନାମ ପୁରୀ । ତା ମଧ୍ୟେ ବିଚରଣ କରି ॥ ୭୪
ଭ୍ରମଇ କରେ ଗଦା ଧରି । କେ ତାକୁ ସମରେ ଉଭାରି ॥ ୭୫
ତାର ନିଃଶ୍ୱାସ-ବାୟୁ ବେଗେ । ବହୁ ତରଙ୍ଗ ଜଳଭାଗେ ॥ ୭୬
ସେ ଲୌହମୟ ଗଦା ନେଇ । ତାହା ଉପରେ ପ୍ରହାରଇ ॥ ୭୭
ରାତ୍ରି ଆଗମେ ଏକଦିନେ । ମିଳି ବରୁଣ ସନ୍ନିଧାନେ ॥ ୭୮
ଅଳପ ହସି ଉପହାସେ । ପ୍ରଣାମ କରି ତାର ପାଶେ ॥ ୭୯
ନୀଚଜନଙ୍କ ପ୍ରାୟେ ହୋଇ । ବୋଲଇ ଶିରେ କର ଦେଇ ॥ ୮୦
ହେ ରାଜା ଶୁଣ ମୋର ବୋଲ । ତୁ ଯୁଦ୍ଧ କର ମୋର ତୁଲ ॥ ୮୧
ବୋଲଇ କରେ ଗଦା ତୋଳି । ଘୋରଶବଦେ ମହାବଳୀ ॥ ୮୨
ମୁଁ ଏବେ ଭୁବନେ ତୋହର । ରହିଲି ବହୁ ସମ୍ବତ୍ସ›ର ॥ ୮୩
ତୁ ମୋତେ ଗଦାଯୁଦ୍ଧ ଦେବୁ । ନ ଦେଲେ ଭୁବନେ ନ ଥିବୁ ॥ ୮୪
ତୁ ଲୋକପାଳ ଅଧିପତି । ଦୁଷ୍ଟ ନାଶନେ ତୋର ଖ୍ୟାତି ॥ ୮୫
ଦୈତ୍ୟ-ଦାନବ ନାଶ କରି । ରାଜସୂୟରେ ଅଧିକାରୀ ॥ ୮୬
ମୋ ସଙ୍ଗେ ଯୁଦ୍ଧ କର ତୁହି । ନ ହେଲେ ସୁଖ ତୋର ନାହିଁ ॥ ୮୭
ତୁ ଲୋକପାଳ ଶିରୋମଣି । ତୋର ମହିମା ମୁହିଁ ଜାଣି ॥ ୮୮
ମିଳିଲି ତୋହର ସମ୍ମୁଖେ । ସମର କର ଆତ୍ମସୁଖେ ॥ ୮୯
ତୁ ଧର୍ମଦାତା ମଧ୍ୟେ ମେରୁ । ବୀରମାନଙ୍କ ଦର୍ପ ହରୁ ॥ ୯୦
ମୋହର ଦର୍ପ ଏବେ ହର । ସୁଖେ ରାଜୁସି ଯାଗ କର ॥ ୯୧
ଏମନ୍ତ ଶୁଣି ତା ବଚନ । ଜଳଧିପତି କୋପେ ଛନ୍ନ ॥ ୯୨
ପୁଣି ସେ କୋପ କରି ସ୍ଥିର । କହଇ ମଚନ ମଧୁର ॥ ୯୩
ବୋଲେ ଶୁଣ ଭୋ ବୀରମଣି । ମୁଁ ତୋର ରିପୁ ନୋହେ ପୁଣି ॥ ୯୪
ତୁ ବୀର କହୁ ମୋର ହିତେ । ମୁଁ ତୋତେ ଯୁଝିବି କେମନ୍ତେ ॥ ୯୫
ତୁ ମହାବୀରଙ୍କର ବୀର । ମୋ ବୋଲେ କୋପ ତୁ ସଂହର ॥ ୯୬
ଭୋ ବୀର ରହ ଦିନାକେତେ । ଇଚ୍ଛା ତୋ ଯେବେ ଯୁଦ୍ଧ ଅର୍ଥେ ॥ ୯୭
ଯେ ତୋର ତୁଲେ ଯୁଦ୍ଧକାରୀ । ମିଳିବେ ମୋତେ ଦୟାକରି ॥ ୯୮
ତୁ ଯୁଦ୍ଧମାର୍ଗରେ ନିପୁଣ । ତୋ ତୁଲେ ସମ ନାରାୟଣ ॥ ୯୯
ତୁ ବୀର ରଣେ ସୁପଣ୍ତିତ । କେ ରଣେ ତୋଷିବ ତୋ ଚିତ୍ତ ॥ ୧୦୦
କେବଳ ପୁରାଣପୁରୁଷ । ସେ ବିଷ୍ଣୁ କରିପାରେ ତୋଷ ॥ ୧୦୧
ତୋତେ ମାରିବେ ସେ ସମରେ । ତୁ ପୁଣି ସଂଗ୍ରାମ ଭୂମିରେ ॥ ୧୦୨
ବୀର ଶୟନେ ତୁ ଆନନ୍ଦେ । ଶୋଇବୁ କୁକୁରଙ୍କ ମଧ୍ୟେ ॥ ୧୦୩
ସେ ରୂପ ବହେ ଏ ଜଗତେ । ତୋହର ପ୍ରାୟ ଦୁଷ୍ଟ ଯେତେ ॥ ୧୦୪
ତାହାଙ୍କ ଗର୍ବ ଚୂର କରେ । ସଂସାର ହିତେ ସେ ବିହରେ ॥ ୧୦୫
ସାଧୁଙ୍କ ଅନୁଗ୍ରହ ଅର୍ଥେ । ତା ଅବତାର ଏ ଜଗତେ ॥ ୧୦୬
ତୋ’ପରି ଅସାଧୁ ବିନାଶେ । ଜଗତେ ସେ ରୂପ ପ୍ରକାଶେ ॥ ୧୦୭
ଏମନ୍ତ ଅସୁରକୁ କହି । ମନେ ଚିନ୍ତଇ ଭାବଗ୍ରାହୀ ॥ ୧୦୮
ସେ ହରି ଚରଣାରବିନ୍ଦେ । ସୁଜନେ ପ୍ରଣମ ଆନନ୍ଦେ ॥ ୧୦୯
ତୃତୀୟସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୧୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ହିରଣ୍ୟାକ୍ଷ-ଦିଗ୍ବିଜୟେ ସପ୍ତଦଶୋଽଧ୍ୟାୟଃ ।

ଅଷ୍ଟାଦଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ବରୁଣ ବାକ୍ୟ ଶୁଣି କର୍ଣ୍ଣେ । ଅସୁର ବିଚାରଇ ମନେ ॥ ୧
ବରୁଣ ତୁଲେ ଯୁଦ୍ଧ ମୋର । ଏ ତ ନୁହଇ ଯଶସ୍କର ॥ ୨
ନାରଦ କହିଛନ୍ତି ମୋତେ । ବିଷ୍ଣୁର ଗତି ଏ ଜଗତେ ॥ ୩
ଶୂକର ରୂପେ ସେ ଧରଣୀ । ସ୍ଥାପିବ ଦନ୍ତଅଗ୍ରେ ଆଣି ॥ ୪
ତାହାର ତୁଲେ ମୋ ସମର । ନାମ ଯାହାର ଗଦାଧର ॥ ୫
ମୋ ଭୁଜକଣ୍ତୁ ସେ ହରିବ । ଦେବଙ୍କୁ ସଙ୍କଟୁ ତାରିବ ॥ ୬
ଏମନ୍ତ ମନେ ବିଚାରିଲା । ତକ୍ଷଣେ ପାତାଳେ ପଶିଲା ॥ ୭
ଦେଖଇ ଗୋବିନ୍ଦର ଗତି । ଦଶନ ଅଗ୍ରେ ବସୁମତୀ ॥ ୮
କୋଟି ଆଦିତ୍ୟ ତେଜ ଦେଖି । ଭୟେ ବୁଜିଲା ବେନିଆଖି ॥ ୯
ପୁଣି କ୍ଷଣକେ ଚକ୍ଷୁଫେଇ । ବିଷ୍ଣୁଙ୍କୁ ଦେଖି ବିଚାରଇ ॥ ୧୦
ନାରଦ ବାକ୍ୟ ଯେବେ ସତ୍ୟ । ମୁହିଁ ଦେଖଇ ବିପରୀତ ॥ ୧୧
ଶୂକର କାନନେ ଗୋଚର । ପଙ୍କେ ଦୂଷିତ କଳେବର ॥ ୧୨
ଏମନ୍ତ ବୋଲିଣ ହସିଲା । ବରାହ ନିକଟକୁ ଗଲା ॥ ୧୩
ବୋଲେ ଶୂକର ମୁଖ ଚାହିଁ । ଦଶନୁ ବେଗେ ଥୁଅ ମହୀ ॥ ୧୪
ପାତାଳ ଲୋକଙ୍କୁ ମେଦିନୀ । ପୂର୍ବେ ଦେଇଛି ପଦ୍ମଯୋନି ॥ ୧୫
ଯେବେ ମେଦିନୀ ନ ଛାଡ଼ିବୁ । ମୋ ମୁଖୁ ଭଲେ ନ ବର୍ତ୍ତିବୁ ॥ ୧୬
ସୁର ଅଧମ ତୁ ବୋଲାଉ । ଯେଣୁ ଶୂକର ରୂପ ବହୁ ॥ ୧୭
ମୋର ରିପୁଙ୍କ ଶୁଭ ଚିନ୍ତି । ତୁ ବହୁ ଶୂକର ଆକୃତି ॥ ୧୮
ରେ ମୂଢ଼ ଶୁଣ ମୋ ଉତ୍ତର । ଆମ୍ଭର ହସ୍ତେ ମୃତ୍ୟୁ ତୋର ॥ ୧୯
ମାୟାରେ ମାରୁ ତୁ ଅସୁର । କପଟ ଧର୍ମ ଏ ତୋହର ॥ ୨୦
ଆଜି ତୋ ସଂହାର କରିବି । ସୁହୃଦ-ଶୋକ ନିବାରିବି ॥ ୨୧
ତୋର ମୋହର ଗଦାଯୁଦ୍ଧେ । ତ୍ରିଦଶେ ଦେଖନ୍ତୁ ଆନନ୍ଦେ ॥ ୨୨
ତୋର ମସ୍ତକ ଗଦାଘାତେ । ବେଗେ ଉଡ଼ିବ ମହାବାତେ ॥ ୨୩
ବଳି ହରନ୍ତି ଯେତେ ଦେବେ । ତୋହର ମରଣ ଦେଖିବେ ॥ ୨୪
ମୂଳ ବିନାଶେ ବୃକ୍ଷ ଯେହ୍ନେ । ତ୍ରିଦଶେ ହୋଇବେ ତେସନେ ॥ ୨୫
ଏମନ୍ତ ଅସୁରର ବାଣୀ । ଶୁଣିଣ କମ୍ପିଲା ଧରଣୀ ॥ ୨୬
ଗୋବିନ୍ଦ ଦେଖି ଭୂମି ଭୟେ । ଜଳେ ବଢ଼ିଲେ ମହାକାୟେ ॥ ୨୭
ବରାହ ରୂପୀ କୋପମନେ । ମର୍ମ ପ୍ରହାରେ ହସ୍ତୀ ଯେହ୍ନେ ॥ ୨୮
ଜଳୁ ଉଠନ୍ତେ ମହାରୋଷେ । ପର୍ବତ ପ୍ରାୟ ଦେହ ଦିଶେ ॥ ୨୯
ସେ ହିରଣ୍ୟାକ୍ଷ ଦେଖି କୋପେ । ମିଳିଲା ବରାହ ସମୀପେ ॥ ୩୦
ସିଂହ ଯେସନେ ହସ୍ତୀ ଆଗେ । ମିଳିଲା ପବନହୁଁ ବେଗେ ॥ ୩୧
କରାଳଦନ୍ତ ଗଦାପାଣି । ବଜ୍ର-ନିଃସ୍ୱନ ପ୍ରାୟ ବାଣୀ ॥ ୩୨
ବୋଲେ ବରାହ ମୁଖ ଚାହିଁ । ତୋ’ର ବଦନେ ଲଜ୍ଜା ନାହିଁ ॥ ୩୩
ଦେବଙ୍କ ଈଶ୍ୱର ବୋଲାଉ । ଶୂକର ରୂପ କିପାଁ ବହୁ ॥ ୩୪
ଏମନ୍ତ ଅସୁର ବଚନେ । କୋପ ବସିଲା ବିଷ୍ଣୁମନେ ॥ ୩୫
ଧରଣୀ ସମୁଦ୍ରର କୋଳେ । ଦନ୍ତୁ ଥୋଇଲେ ବିଷ୍ଣୁତଳେ ॥ ୩୬
ନିଜ ମୂରତି ଗଦାଧର । କି ଅବା ଦେବା ପଟାନ୍ତର ॥ ୩୭
ଦେଖି ସାନନ୍ଦ ଦେବଗଣ । କରନ୍ତି ପୁଷ୍ପ ବରଷଣ ॥ ୩୮
ବ୍ରହ୍ମାଦି ଦେବଗଣେ ମିଳି । ସ୍ତୁତି କରନ୍ତି ଭୁଜ ତୋଳି ॥ ୩୯
ଅସୁର ଦେବସ୍ତୁତି ଶୁଣି । କୋପେ କମ୍ପଇ ଶିର ଝୁଣି ॥ ୪୦
ତାହାର ହସ୍ତେ ଗଦା ସାଜେ । କାଞ୍ଚନ-କବଚ ବିରାଜେ ॥ ୪୧
ଶୁଣି ଅସୁର ଦୁର୍ବଚନ । କୋପେ କମ୍ପିଲେ ଭଗବାନ ॥ ୪୨
ପ୍ରଚଣ୍ତତେଜ ମନ୍ଦହାସେ । ଅସୁର ମୁଖ ଚାହିଁ ରୋଷେ ॥ ୪୩
ତା ଉପହାସ ପ୍ରତ୍ୟୁତ୍ତର । ସହାସ୍ୟେ କଲେ ଗଦାଧର ॥ ୪୪
ଭଗବାନ ଉବାଚ ବୋଲନ୍ତି ପ୍ରଭୁ ଦୟାନିଧି । ଶୁଣ ହୋ ଅସୁର ଦୁର୍ବୁଦ୍ଧି ॥ ୪୫
ବନ ଶୂକର ମୁଁ ସ୍ୱଭାବେ । ମୋର ମହିମା ଶୁଣ ଏବେ ॥ ୪୬
ତୋହର ପ୍ରାୟ ଶ୍ୱାନଗଣ । ମୋ ତୁଲେ କେ କରିବ ରଣ ॥ ୪୭
ତୁ ମୃତ୍ୟୁପାଶେ ବଦ୍ଧ ହୋଇ । ବିଶେଷେ କହୁ ଦମ୍ଭ ବହି ॥ ୪୮
ଯେଣୁ ଅଳପ ବଳ ମୋର । କିବା କହିବି ତୋ ଆଗର ॥ ୪୯
ଯେ ବୀରଗଣ ଏ ସଂସାରେ । ତୋର ପ୍ରଶଂସା କେବା କରେ ॥ ୫୦
ଆସ ମୋ ପରାଭବ କର । ତୁ ଯୂଥପତିଙ୍କ ପ୍ରବର ॥ ୫୧
କରି ତୁ ଆମ୍ଭର ନିଧନ । ତୋ ଯୁଦ୍ଧଆଶା କର ପୂର୍ଣ୍ଣ ॥ ୫୨
ପ୍ରତିଜ୍ଞା ପୂର୍ଣ୍ଣ ଯେ ନ କରେ । ଅସାଧୁ ବୋଲାନ୍ତି ସଂସାରେ ॥ ୫୩
ସ୍ୱର୍ଗରେ ଦେବଗଣ ଯେତେ । ଦେଖି ତୋହର ଗଦାହସ୍ତେ ॥ ୫୪
ଆକାଶ ଛାଡ଼ି ପଳାଇଲେ । ମୋହର ସମୀପେ ମିଳିଲେ ॥ ୫୫
କେମନ୍ତେ ସଂଗ୍ରାମ ନ ଦେବି । ପଳାଇ କାହିଁ ବା ପଶିବି ॥ ୫୬
ତୋତେ ମୁଁ ସଂଗ୍ରାମେ ନାଶିବି । ଦେବଙ୍କୁ ସଙ୍କଟୁ ତାରିବି ॥ ୫୭
ଗଦା ପ୍ରହାରି ତୋର ହୃଦେ । ଦେବେ ସ୍ଥାପିବି ନିଜ ପଦେ ॥ ୫୮

ମୈତ୍ରେୟ ଉବାଚ

ଏମନ୍ତେ ବରାହ ବଚନେ । ସେ ହିରଣ୍ୟାକ୍ଷ କୋପମନେ ॥ ୫୯
ସ୍ୱଭାବେ ଦୁଷ୍ଟ ମହାବଳୀ । ଗର୍ଜଇ ହସ୍ତେ ଗଦା ତୋଳି ॥ ୬୦
ଶବଦେ ବ୍ରହ୍ମାଣ୍ତ କମ୍ପିଲା । ବରାହ ଅଙ୍ଗେ ପ୍ରହାରିଲା ॥ ୬୧
ସେ ହରି ନିଜ ମାୟାବଳେ । ଦୃଢ଼-ପ୍ରହାର ବଞ୍ଚାଇଲେ ॥ ୬୨
ପୁଣି ଅସୁର ଗଦାହସ୍ତେ । ମଣ୍ତଳଗତି ଶୂନ୍ୟପଥେ ॥ ୬୩
ଗଦା ବୁଲାଇ ଅତି ରୋଷେ । ପିଟିଲା ବିଷ୍ଣୁ ପୃଷ୍ଠଦେଶେ ॥ ୬୪
ଶୁଭିଲା ବଜ୍ର ଘଡ଼ଘଡ଼ି । ଅଧର ଦଶନେ କାମୋଡ଼ି ॥ ୬୫
ସେ ଗଦା ବଞ୍ଚାଇ ମୁରାରି । ଦକ୍ଷିଣଭୁଜେ ଗଦାଧରି ॥ ୬୬
ପିଟିଲେ ଅସୁରର ମୁଣ୍ତେ । ବଜ୍ର ଯେସନେ ଗିରିଖଣ୍ତେ ॥ ୬୭
ଏମନ୍ତେ ହରି-ହିରଣ୍ୟାକ୍ଷ । ସମରେ ବେନିଜନ ଦକ୍ଷ ॥ ୬୮
ବେନି ଶରୀରେ ଗଦାଘାତ । ଶୁଭଇ ଯେହ୍ନେ ବଜ୍ରପାତ ॥ ୬୯
ଜିଣିବା ଆଶେ ଅନ୍ୟୋଅନ୍ୟେ । ଯୁଦ୍ଧ କରନ୍ତି କୋପମନେ ॥ ୭୦
ଏମନ୍ତେ ହରି ହିରଣ୍ୟାକ୍ଷେ । ଗଦା ପ୍ରହାରେ ଜାନୁ ବକ୍ଷେ ॥ ୭୧
ଫାଟି ବହଇ ଶୋଣୀ ଧାର । ବିଶେଷେ ଯୁଦ୍ଧ ମହାଘୋର ॥ ୭୨
ଗଦା ବିଚିତ୍ରଗତି କରି । ବେଗେ ପିଟନ୍ତେ କୋପଭରି ॥ ୭୩
ଶବଦ ଶୁଭଇ ପ୍ରଚଣ୍ତ । ଯେହ୍ନେ ଯୁଝନ୍ତି ବେନିଷ‹ଣ୍ଢ ॥ ୭୪
ଏମନ୍ତେ ହରି-ହିରଣ୍ୟାକ୍ଷେ । ଦେବେ ଦେଖନ୍ତି ଅନ୍ତରୀକ୍ଷେ ॥ ୭୫
ମିଳିଲେ ଦେବ ଋଷିମେଳେ । ଅଞ୍ଜଳି ନିବେଶି କପୋଳେ ॥ ୭୬
ବିଧାତା ଶୂନ୍ୟପଥେ ଥାଇ । ସ୍ତୁତି କରନ୍ତି ବିଷ୍ଣୁ ଚାହିଁ ॥ ୭୭

ବ୍ରହ୍ମା ଉବାଚ

ହେ ଦେବଦେବ ତୋ’ ଚରଣ । ଆମ୍ଭେ ଯେ ପଶିଲୁ ଶରଣ ॥ ୭୮
ଆମ୍ଭ ସକାଶୁ ବର ପାଇ । ଏ ଦୈତ୍ୟ ଶତ୍ରୁଶୂନ୍ୟ ହୋଇ ॥ ୭୯
ଗୋରୁ ବ୍ରାହ୍ମଣ ଦେବଙ୍କର । ଅନିଷ୍ଟ କରଇ ଅସୁର ॥ ୮୦
ନିର୍ଭୟେ ଗଦା ଘେନି କରେ । ଯୁଦ୍ଧର ଅର୍ଥେ ତିନିପୁରେ ॥ ୮୧
ଭ୍ରମଇଁ ଏହୁ ମହାରୋଷେ । ବାରଣ ଯେହ୍ନେ ନିରଙ୍କୁଶେ ॥ ୮୨
ସର୍ପର ଲାଞ୍ଜ ଧରି କରେ । ବାଳକ ଯେହ୍ନେ କ୍ରୀଡ଼ାକରେ ॥ ୮୩
ଏହି ମାୟାବୀ ଦୈତ୍ୟ ଘେନି । କ୍ରୀଡ଼ା ନ କର ଗଦାପାଣି ॥ ୮୪
ଦିନକୁ ଦିନ ଏ ବଢ଼ନ୍ତେ । କେ ସୁଖେ ଥିବ ଏ ଜଗତେ ॥ ୮୫
ଆସୁରୀ-ବେଳା ପ୍ରାପ୍ତ ହୋଇ । ଯାବତ ଏହି ନ ବଢ଼ଇ ॥ ୮୬
ତାବତ ନିଜ ମାୟାବଳେ । ଏ ଦୁଷ୍ଟ ନଷ୍ଟକରେ ହେଳେ ॥ ୮୭
ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର । ଏହାର ପ୍ରାଣ ବେଗେ ହର ॥ ୮୮
ଦେଖ ଏ ସନ୍ଧ୍ୟା ବିଭାବରୀ । ଏ ଭୂମି ଅନ୍ଧକାର କରି ॥ ୮୯
ଆସଇ ମହାଘୋର ରୂପେ । ଭୋ ନାଥ ଦେଖ ତୋ’ ସମୀପେ ॥ ୯୦
ଆମ୍ଭ ବିପକ୍ଷ ଦିତିବଳା । କିବା ତୋହର ବିଷ୍ଣୁଲୀଳା ॥ ୯୧
ବେଗେ ଅସୁର ଏବେ ମାର । ଆମ୍ଭର ଜୟ ଉଦେକର ॥ ୯୨
ମୁହୂର୍ତ୍ତ ଅଭିଜିତ ନାମ । ସର୍ବମଙ୍ଗଳ ଶୁଭଧାମ ॥ ୯୩
ଏ ଶୁଭବେଳେ ଚକ୍ରଧର । ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର ॥ ୯୪
ଦୁରନ୍ତ-ଦାନବ ବିନାଶ । ଏ ଋଷି-ଦେବଙ୍କୁ ଉଶ୍ୱାସ ॥ ୯୫
ଏହାଙ୍କ ଅଭିଶାପ କାଳେ । ତୁ ଅନୁଗ୍ରହ କଲୁ ହେଳେ ॥ ୯୬
ଏହାର ମୃତ୍ୟୁ ତୁ ସାକ୍ଷାତେ । ଭାଗ୍ୟେ ମିଳିଲା ତୋ’ ଅଗ୍ରତେ ॥ ୯୭
ଏମନ୍ତେ ଅସୁରର ଲକ୍ଷ୍ୟେ । ଋଷି-ଦେବତା ଅନ୍ତରୀକ୍ଷେ ॥ ୯୮
ଅତି ବିକଳେ ସ୍ତୁତି କଲେ । ବରାହରୂପୀ ପାଦତଳେ ॥ ୯୯
ସେ ଯଜ୍ଞବରାହ ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥ ୧୦୦
ତୃତୀୟସ୍କନ୍ଧେ ହରିବାଣୀ । ସନ୍ତୋଷ ଶ୍ରୁତିପଥେ ଶୁଣି ॥ ୧୦୧
ହରି ଚରଣେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୧୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ହିରଣ୍ୟାକ୍ଷଯୁଦ୍ଧେ ଅଷ୍ଟାଦଶୋଽଧ୍ୟାୟଃ ।

ଉନବିଂଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମାର ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧
ଅମୃତ ପ୍ରାୟ ଶୁଣି କର୍ଣ୍ଣେ । ଅସୁରବଧେ ସାବଧାନେ ॥ ୨
ଦକ୍ଷିଣକରେ ଗଦାଧରି । ହୁଁକାର ନାଦେ ଦଇତ୍ୟାରି ॥ ୩
ନିର୍ଭୟ ଦେଖି ତା ନିକଟେ । ପ୍ରହାର କଲେ କର୍ଣ୍ଣତଟେ ॥ ୪
ତକ୍ଷଣେ ଦୈତ୍ୟ ଗଦାବଳେ । ଗଦା ପଡ଼ିଲା ହସ୍ତୁ ତଳେ ॥ ୫
ବିଷ୍ଣୁଙ୍କୁ ହିରଣ୍ୟାକ୍ଷ ଚାହିଁ । କ୍ଷତ୍ରିୟଧର୍ମ ବିଚାରଇ ॥ ୬
ଆୟୁଧ ନାହିଁ ଏହା ହସ୍ତେ । ଏହାକୁ ମାରିବି କେମନ୍ତେ ॥ ୭
ଏମନ୍ତେ ବିଚାରୁ ଅସୁର । ଶୂନ୍ୟେ ଶୁଭିଲା ହାହାକାର ॥ ୮
ତା ଶୁଣି ପ୍ରଭୁ ଗଦାଧର । ସମ୍ଭ୍ରମେ ତୋଳି ବେନିକର ॥ ୯
ବୋଲନ୍ତି ଦେବଗଣେ ଚାହିଁ । ଭୟ ନ କର ତୁମ୍ଭେ କେହି ॥ ୧୦
ଏମନ୍ତେ କହି ଦେବରାଜ । ଉର୍ଦ୍ଧ୍ୱେ ତୋଳିଲେ ଦକ୍ଷଭୁଜ ॥ ୧୧
ନିଜ ଆୟୁଧେ କଲେ ମନ । ତକ୍ଷଣେ ଜାଣି ସୁଦର୍ଶନ ॥ ୧୨
ବେଗେ ଧାଇଁଲା ଶୂନ୍ୟେ ବ୍ୟାପି । ତେଜ ବିରାଜେ ବିଶ୍ୱରୂପୀ ॥ ୧୩
ମିଳିଲା ବିଷ୍ଣୁକରେ ଯାଇ । ତା ଦିତିପୁତ୍ର ନ ଜାଣଇ ॥ ୧୪
ଦେବେ ଦେଖନ୍ତି ଶୂନ୍ୟପଥେ । ଚକ୍ରକୁ ଚାହିଁ ବିଷ୍ଣୁହସ୍ତେ ॥ ୧୫
କହନ୍ତି ବିଚିତ୍ର ବଚନ । ଭୋ ଦେବ ହେଉ ତୋ କଲ୍ୟାଣ ॥ ୧୬
ଭୋ ନାଥ ତୋ’ର ଦ୍ୱାରପାଳ । ଏ ଦୁଷ୍ଟ ତେଜେ ଅନର୍ଗଳ ॥ ୧୭
ଏହାର ପ୍ରାଣ ବେଗେ ହର । ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର ॥ ୧୮
ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି । କୋପେ ଧାଇଁଲା ବୀରମଣି ॥ ୧୯
ସମୀପେ ଦେଖି ଚକ୍ରପାଣି । ଓଷ୍ଠ କାମୋଡ଼େ ପୁଣପୁଣି ॥ ୨୦
ନିଃଶ୍ୱାସ ଖରତର ବହେ । କୋପେ କମ୍ପଇ ତାର କାୟେ ॥ ୨୧
କରାଳ ଦିଶେ ତା ବଦନ । ନୟନୁ ପ୍ରକାଶେ ଦହନ ॥ ୨୨
ଦହିଲା ପ୍ରାୟ ଦଶଦିଶେ । ବେଗେ ଧାଇଁଲା ମହାରୋଷେ ॥ ୨୩
ଡାକଇ ପୂରିଲା ତୋ କାଳ । ମୋ ଗଦାପ୍ରହାର ସମ୍ଭାଳ ॥ ୨୪
ଏମନ୍ତ ବୋଲି କୋପଭରେ । ପିଟିଲା ବିଷ୍ଣୁର ଉପରେ ॥ ୨୫
ପବନବତ ଜଗନ୍ନାଥ । ପାଦେ ହରିଲେ ଗଦାଘାତ ॥ ୨୬
ଦୈତ୍ୟକୁ ବୋଲନ୍ତି ଉତ୍ତର । ଯେବେ ଜିଣିବା ଇଚ୍ଛା ତୋ’ର ॥ ୨୭
ଉତ୍ତମ ଶସ୍ତ୍ର ଧରି ହସ୍ତେ । ପ୍ରହାର କର ତୁହି ମୋତେ ॥ ୨୮
ଏମନ୍ତ ଶୁଣିଣ ବଚନ । କୋପେ କମ୍ପଇ ଅପଘନ ॥ ୨୯
ଗୋବିନ୍ଦ ଶିରେ ଗଦାଘାତ । ପଡ଼ି ଶୁଭିଲା ବଜ୍ରାଘାତ ॥ ୩୦
ଶବଦେ ଭୁବନ କମ୍ପିଲା । ତକ୍ଷଣେ ଭୂମିରେ ପଡ଼ିଲା ॥ ୩୧
ଭାଜିଲା ଶତେଖଣ୍ତ ହୋଇ । ଦେବେ ଦେଖନ୍ତି ଶୂନ୍ୟେ ରହି ॥ ୩୨
ଗଦା ଯାଚିଲେ ନାରାୟଣ । ଅସୁର ନ ନେଲା ତା ପୁଣ ॥ ୩୩
ଗଦା ବିଭଙ୍ଗେ କୋପଭରେ । ତୀକ୍ଷ୍ଣ ତ୍ରିଶୂଳ ଧରି କରେ ॥ ୩୪
ଅନଳ ପ୍ରାୟ ଶୂଳ ଜଳେ । ଦେଖି କମ୍ପିଲେ ଦିଗପାଳେ ॥ ୩୫
ଯଜ୍ଞ-ସ୍ୱରୂପୀ ବିଷ୍ଣୁ ଦେହେ । ବ୍ରାହ୍ମଣେ ଅଭିଚାର ପ୍ରାୟେ ॥ ୩୬
ଉଚ୍ଚେ ଧଇଲା ଶୂଳ ତୋଳି । ପିଟିଲା ନେଇ ମହାବଳୀ ॥ ୩୭
ତା ଦେଖି ପ୍ରଭୁ ଜଗନ୍ନାଥ । ସୁତୀକ୍ଷ୍ଣ ଚକ୍ର ଘେନି ହସ୍ତ ॥ ୩୮
ସେ ଶୂଳ ଗଗନେ ପ୍ରକାଶେ । ଜ୍ୱଳନ୍ତ ଅଗ୍ନିପ୍ରାୟ ଦିଶେ ॥ ୩୯
ଶୂଳ ଛେଦିଲେ ମହାଶୂନ୍ୟେ । ଗରୁଡ଼ ପକ୍ଷ ଇନ୍ଦ୍ର ଯେହ୍ନେ ॥ ୪୦
ତ୍ରିଶୂଳ ଭଗ୍ନ ଦେଖି ରୋଷେ । ବେଗେ ମିଳିଲା ବିଷ୍ଣୁପାଶେ ॥ ୪୧
ମୁଷ୍ଟି ଉଞ୍ଚାଇ ବଜ୍ର ପ୍ରାୟେ । ପ୍ରହାରେ ଯଜ୍ଞରୂପୀ ଦେହେ ॥ ୪୨
ମାୟାବୀ ହିରଣ୍ୟାକ୍ଷ ବୀର । ଶରୀର କଲା ଯେ ଅନ୍ତର ॥ ୪୩
କେହି ନ ଦେଖେ କେଣେ ଗଲା । ଅଦ୍ଭୁତ ଶବଦ ଶୁଭିଲା ॥ ୪୪
ତା’ର ପ୍ରହାରେ ପଦ୍ମମୁଖ । ସହଜେ ନୋହିଲେ ବିମୁଖ ॥ ୪୫
ଗଜକୁ ପୁଷ୍ପମଣ୍ତା ଯେହ୍ନେ । ପ୍ରହାରେ ଦୁଃଖ ନାହିଁ ମନେ ॥ ୪୬
ପୁଣି କ୍ଷଣକେ ମହାରୋଷେ । ଅସୁର ମିଳି ବିଷ୍ଣୁ ପାଶେ ॥ ୪୭
ମାୟା ସର୍ଜିଲା ଅପ୍ରମିତେ । ଶ୍ରୀମାୟାଧରଙ୍କ ଅଗ୍ରତେ ॥ ୪୮
ସେ ମାୟା ଦେଖି ଦେବଗଣେ । ହସ୍ତ ଆଚ୍ଛାଦିଲେ ନୟନେ ॥ ୪୯
ଶରୀର କମ୍ପେ ମହାଭୟେ । ମଣିଲେ ପ୍ରଳୟର ପ୍ରାୟେ ॥ ୫୦
ପ୍ରଚଣ୍ତ-ବାତ ବହେ ଖରେ । ଶୂନ୍ୟୁ ପାଷାଣ ବୃଷ୍ଟି କରେ ॥ ୫୧
ପାଂଶୁ ପୂରିଲା ଦଶଦିଶେ । ନିଷ୍ଠୁର ତମ ଯେ ପ୍ରକାଶେ ॥ ୫୨
ଘୋର ଗର୍ଜନ ମାୟା ମେଘେ । ବିଜୁଳି ଲୁଚିଲେ ଦଶଦିଗେ ॥ ୫୩
ବିଷମ ମେଘର ଆଚ୍ଛନ୍ନେ । ଶୂନ୍ୟେ ଲୁଚିଲେ ଜ୍ୟୋତିର୍ଗଣେ ॥ ୫୪
ପୂଯ ପୁରୀଷ ମୂତ୍ର ଅସ୍ଥି । ରୁଧିର ସଙ୍ଗେ ବରଷନ୍ତି ॥ ୫୫
ପର୍ବତ ପ୍ରାୟ ଦେହ କରି । ରାକ୍ଷସୀ ନାନା ଶସ୍ତ୍ର ଧରି ॥ ୫୬
ଧାମନ୍ତି ଅତି ମହାରୋଷେ । କଟୀ ବିବସ୍ତ୍ର ମୁକ୍ତ କେଶେ ॥ ୫୭
ହସ୍ତେ ବିରାଜେ ତୀକ୍ଷ୍ଣ ଶୂଳ । ଶୁଭଇ ମୁଖ ରାବ ଗୋଳ ॥ ୫୮
ପ୍ରଳୟ-କାଳ ପ୍ରାୟ ମଣି । ଅଦ୍ଭୁତେ କମ୍ପଇ ଧରଣୀ ॥ ୫୯
ଯକ୍ଷ ରାକ୍ଷସ ପନ୍ତି-ପନ୍ତି । ରଥ ତୁରଙ୍ଗ ନର ହସ୍ତୀ ॥ ୬୦
କୁ›ତ୍ସିତ ବାକ୍ୟେ ରାବ ଶୁଭେ । ଶୂନ୍ୟେ କମ୍ପନ୍ତି ସର୍ବଦେବେ ॥ ୬୧
ଏମନ୍ତ ମାୟା ଦେଖି ହରି । ନିଶ୍ଚୟ ଜାଣିଲେ ଆସୁରୀ ॥ ୬୨
ମାୟାବୀ ଦର୍ପ ବିନାଶନେ । କୋପ ବସିଲା ବିଷ୍ଣୁମନେ ॥ ୬୩
ସୁଦରଶନ ଧରି କରେ । ହରି ଧାଇଁଲେ ଧାତିକାରେ ॥ ୬୪
ତକ୍ଷଣେ କଶ୍ୟପ-ଭୁବନେ । ଭୟ ପଶିଲା ଦିତିମନେ ॥ ୬୫
ହୃଦୟ କମ୍ପଇ କାତରେ । ବାକ୍ୟ ନ ସ୍ଫୁରେ କମ୍ପ-ଜ୍ୱରେ ॥ ୬୬
ସ୍ୱାମୀର ବଚନ ସୁମରେ । ସ୍ତନୁ ରୁଧିର ଧାରା ଝରେ ॥ ୬୭
ଚକ୍ରର ତେଜେ ମାୟା ଗଲା । ରବି କିରଣ ପ୍ରକାଶିଲା ॥ ୬୮
କ୍ଷେପି ଅସୁର ମହାକୋପେ । ମିଳିଲା ବିଷ୍ଣୁର ସମୀପେ ॥ ୬୯
ରୋଷେ ଅରୁଣ ଦିଶେ ଦୃଷ୍ଟି । ଉର୍ଦ୍ଧ୍ୱେ ତୋଳିଲା ବେନି ମୁଷ୍ଟି ॥ ୭୦
ଗୋବିନ୍ଦ ହୃଦେ ପ୍ରହାରିଲା । ଶବଦେ ଭୁବନ କମ୍ପିଲା ॥ ୭୧
ମୁଷ୍ଟି ବାଜିଲା ବଜ୍ର ପ୍ରାୟେ । ଦେଖି କୋପିଲେ ଦେବରାୟେ ॥ ୭୨
କର ପ୍ରସାରି କର୍ଣ୍ଣମୂଳେ । ଗୋବିନ୍ଦ ପ୍ରହାରିଲେ ବଳେ ॥ ୭୩
ପୂର୍ବେ ଯେସନେ ସୁରରାୟେ । ବିଶ୍ୱକର୍ମାର ପୁତ୍ର ଦେହେ ॥ ୭୪
ଯଜ୍ଞ-ବରାହ ଅବହେଳେ । ପାଦ ପ୍ରହାରେ କର୍ଣ୍ଣମୂଳେ ॥ ୭୫
କେବଳ ଏକ ପଦାଘାତେ । ଘୂର୍ଣ୍ଣିତ ଲୋଚନ ସହିତେ ॥ ୭୬
ତା ହସ୍ତପାଦ ହେଲା ଶୀର୍ଣ୍ଣ । ହୋଇଲା ଶରୀର ବିବର୍ଣ୍ଣ ॥ ୭୭
ମୁଷ୍ଟି ପ୍ରହାରେ ମୁଣ୍ତ ଫାଟି । ପଡ଼ିଲା ମହୀତଳେ ଲୋଟି ॥ ୭୮
ବୃକ୍ଷ ଯେସନେ ବାୟୁ ବଳେ । ଉପୁଡ଼ି ପଡ଼ଇ ଭୂତଳେ ॥ ୭୯
ତେସନେ ଭୂମିତଳେ ପଡ଼ି । ଦଶନେ ଅଧର କାମୋଡ଼ି ॥ ୮୦
ସେ ନାଦ କଲା ଘୋରତର । ପ୍ରାଣ ଛାଡ଼ିଲା ମହାବୀର ॥ ୮୧
ଅସୁର ମୃତ୍ୟୁ ଦେବେ ଦେଖି । ମିଳିଲେ ଗଗନ ଉପେକ୍ଷି ॥ ୮୨
ଦେଖିଲେ ଅସୁର ବଦନ । ଭ୍ରୂକୁଟୀ କୁଟୀଳ ନୟନ ॥ ୮୩
ବିଧାତା ଆଦି ସୁରବୃନ୍ଦ । କରନ୍ତି ଜୟ ଜୟ ନାଦ ॥ ୮୪
ବୋଲନ୍ତି ଧନ୍ୟ ଏ ଅସୁର । ବିଷ୍ଣୁର ହସ୍ତେ ଗଲା ମାର ॥ ୮୫
ଏମନ୍ତେ କେ ଲଭେ ମରଣ । ଲଭିଲା ବିଷ୍ଣୁର ଚରଣ ॥ ୮୬
ଯେ ପାଦ ଅର୍ଥେ ଯୋଗୀଜନ । ନିର୍ଜନେ ଯୋଗ କରେ ଧ୍ୟାନ ॥ ୮୭
ସେ ପଦାଘାତେ ଏ ଅସୁର । ତେଜିଲା ନିଜ କଳେବର ॥ ୮୮
ଧନ୍ୟ ଜୀବନଟି ଏହାର । ବ୍ରାହ୍ମଣ ଶାପୁଁ ହେଲା ପାର ॥ ୮୯
ପୁଣି ହୋଇବ ଜନ୍ମଦୁଇ । ଏମନ୍ତ ବୋଲି ବିଷ୍ଣୁ ଚାହିଁ ॥ ୯୦
ବ୍ରହ୍ମାଦିଦେବେ କରଯୋଡ଼ି । ସ୍ତୁତି କରନ୍ତି ପାଦେ ପଡ଼ି ॥ ୯୧

ଦେବଗଣ ଉବାଚ

ନମୋ ଅଖିଳ ଯଜ୍ଞ-ତନ୍ତୁ । ତୋ ଅବତାର ଭକ୍ତ ହେତୁ ॥ ୯୨
ନିର୍ମଳ ସତ୍ତ୍ବ ମୂର୍ତ୍ତି ଧରି । ସଂସାର ପାଳୁ ନରହରି ॥ ୯୩
ଆମ୍ଭର ଭାଗ୍ୟେ ଭଗବାନ । ଏ ଦୁଷ୍ଟ କଲୁ ତୁ ନିଧନ ॥ ୯୪
ତୋର ପ୍ରସନ୍ନେ ଜଗନ୍ନାଥ । ଆମ୍ଭେ ଯେ ହୋଇଲୁ ନିଶ୍ଚିନ୍ତ ॥ ୯୫
ତୋର ସଂସାର ପାଳ ଏବେ । ଏମନ୍ତ କହି ସର୍ବଦେବେ ॥ ୯୬
ଆନନ୍ଦେ ଗଲେ ନିଜ ପୁର । ସୁମନେ ଶୁଣ ହେ ବିଦୁର ॥ ୯୭

ମୈତ୍ରେୟ ଉବାଚ

ଏମନ୍ତେ ହିରଣ୍ୟାକ୍ଷ ମାରି । ଯଜ୍ଞବରାହ ରୂପ ଧରି ॥ ୯୮
ନିଜ ଭୁବନେ ହରି ଗଲେ । ଉତ୍ସ›ବ ପରମ ମଙ୍ଗଳେ ॥ ୯୯
ବ୍ରହ୍ମାଦି ଦେବେ କଲେ ସ୍ତୁତି । ନିଜ ଭୁବନେ ଲକ୍ଷ୍ମୀପତି ॥ ୧୦୦
ଭକ୍ତ ଉଦ୍ଧରି ମହାତୋଷେ । ମିଳିଲେ କମଳିନୀ ପାଶେ ॥ ୧୦୧
ତୁ ଯାହା ପଚାରିଲୁ ମୋତେ । ପ୍ରସନ୍ନେ କହିଲି ମୁଁ ତୋତେ ॥ ୧୦୨
ବିଷ୍ଣୁର ଲୀଳା ଅବତାର । ହିରଣ୍ୟାକ୍ଷର ଯେ ଉଦ୍ଧାର ॥ ୧୦୩

ସୂତ ଉବାଚ

ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ସାବଧାନେ ଶୁଣି ॥ ୧୦୪
ପରମାନନ୍ଦ ସେ ଲଭିଲା । କାନନେ ପରାଶର-ବଳା ॥ ୧୦୫
ଅନ୍ୟ ଯେ ପୁଣ୍ୟଶ୍ଳୋକ ଜନେ । ନାନାପ୍ରକାରେ ଏ ଭୁବନେ ॥ ୧୦୬
ତାହାଙ୍କ ଯଶ କର୍ଣ୍ଣେ ଶୁଣି । ଭବସାଗରୁ ତରେ ପ୍ରାଣୀ ॥ ୧୦୭
କୃଷ୍ଣର ଗୁଣ-ଅବତାର । କର୍ଣ୍ଣେ ଅମୃତ-ରସ-ଧାର ॥ ୧୦୮
ଶୁଣି ସୁଜନେ କର୍ଣ୍ଣଦ୍ବାରେ । କିପାଁ ନ ତରିବେ ସଂସାରେ ॥ ୧୦୯
ବନସ୍ତ ଗଜ ଜଳେ ପଶି । କରିଣୀ-ପଲ ମଧ୍ୟେ ମିଶି ॥ ୧୧୦
ଜଳେ ଚରନ୍ତେ ପଦ୍ମବନେ । କୁମ୍ଭୀର ଗ୍ରାସିଲା ଚରଣେ ॥ ୧୧୧
ଚରଣ ନ ପାରିଲା ଆଣି । ଅନେକ ହସ୍ତୀ ତାକୁ ପୁଣି ॥ ୧୧୨
ଧଇଲେ ଉଦ୍ଧରିବା ବଳେ । ତିଳେ ହେଁ ଟାଲି ନ ପାରିଲ।।

। ୧୧୩
ନ ପାରି ହୋଇଲେ ବିଷାଦ । ଚିତ୍ତେ ଚିନ୍ତିଲେ ବିଷ୍ଣୁପଦ ॥ ୧୧୪
ହସ୍ତୀଗଣଙ୍କ ଆର୍ତ୍ତନାଦ । ଶୁଣି ସଦୟ ସେ ମୁକୁନ୍ଦ ॥ ୧୧୫
ତକ୍ଷଣେ ପ୍ରଭୁ ଚକ୍ରପାଣି । ଗଜ ରଖିଲେ ଗ୍ରାହା ହାଣି ॥ ୧୧୬
ତାର ଚରଣେ ମୁନିବୃନ୍ଦେ । ନାନା ପ୍ରକାର ଯୋଗ ସାଧ୍ୟେ ॥ ୧୧୭
ଅଭୟପଦେ ସେ ପଶନ୍ତି । ସେ ଅନ୍ୟଭାବ ନ ଚିନ୍ତନ୍ତି ॥ ୧୧୮
ଯେ ଜନ ଦେଇ ମନପ୍ରାଣ । ସୁଖେ ଆରାଧେ ତା ଚରଣ ॥ ୧୧୯
ହିରଣ୍ୟାକ୍ଷର ବଧ ତତ୍ତ୍ବ । ଅମୀୟ ରସ ଭାଗବତ ॥ ୧୨୦
ନିଜ ଭକତ ଉଦ୍ଧାରିଣ । ଶୂକର ରୂପେ ନାରାୟଣ ॥ ୧୨୧
ଧରଣୀ ଉଦ୍ଧରିଲେ ଦନ୍ତେ । କ୍ରୀଡ଼ା ବିହାର ଏ ଜଗତେ ॥ ୧୨୨
ଏ କଥା ଶ୍ରବଣ କୀର୍ତ୍ତନ । କରି ବଞ୍ଚନ୍ତି ଯେଉଁ ଜନ ॥ ୧୨୩
ବ୍ରାହ୍ମଣ ବଧ କରିଥିଲେ । ଦୋଷ ନ ଲାଗେ ତା’କୁ ଭଲେ ॥ ୧୨୪
ଏ ପୁଣ୍ୟଯଶ ହରିକଥା । ଧନ ଆୟୁଷ ମୋକ୍ଷଦାତା ॥ ୧୨୫
ପ୍ରାଣ ଇନ୍ଦ୍ରିୟ ସୁଖ ବଢ଼େ । ଦୁର୍ଗତି ରିଷ୍ଟ ବାଧା ଛାଡ଼େ ॥ ୧୨୬
ସୁଜନ ସଙ୍ଗେ ଯେବେ ମିଶେ । ଅନ୍ତେ ଗୋବିନ୍ଦ ପାଦେ ପଶେ ॥ ୧୨୭
ଏ କଥା ଶୁଣି ସାଧୁଜନେ । ବଞ୍ଚିବ ଶ୍ରବଣ କୀର୍ତ୍ତନେ ॥ ୧୨୮
ତୃତୀୟସ୍କନ୍ଧେ ଭାଗବତ । ମୈତ୍ରେୟ ବିଦୁର ଚରିତ ॥ ୧୨୯
ଯେତେ କହିଲେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୩୦
ଭାଷା ପ୍ରବନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୧୩୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ହିରଣ୍ୟାକ୍ଷବଧୋ ନାମ ଉନବିଂଶୋଽଧ୍ୟାୟଃ ।

ବିଂଶ ଅଧ୍ୟାୟ

[ସମ୍ପାଦନା]
ଶୌନକ ଉବାଚ

ବରାହରୂପୀ ଭାବଗ୍ରାହୀ । ଜଳେ ଧରଣୀ ଗଲେ ଥୋଇ ॥ ୧
ସେ ସ୍ୱାୟମ୍ଭୁବ ମନୁବଳା । ଧରଣୀ ପୃଷ୍ଠେ ଯାହା କଲା ॥ ୨
ନାନା ପ୍ରକାରେ ଜନ୍ତୁ ଯେତେ । ତାହାଙ୍କୁ ସାଧିଲା କେମନ୍ତେ ॥ ୩
ଜ୍ୟେଷ୍ଠଭ୍ରାତା ଯେ ଧୃତରାଷ୍ଟ୍ର । ତା ପୁତ୍ର ଦୁର୍ଯେ୍ୟାଧନ ଦୁଷ୍ଟ ॥ ୪
କର୍ ଶକୁନି ଦୁଃଶାସନ । ଏହାଙ୍କ ତୁଲେ ଯେତେ ଜନ ॥ ୫
ପାବ ହିତେ ସେ ବିଶ୍ୱାସେ । ବର୍ଇ ବୋଲି ମହାରୋଷେ ॥ ୬
ରାଜୁ୍ୟ ବାହାର କରିଦେଲା । ଯେଣୁ ସେ ବ୍ୟାସଙ୍କର ବଳା ॥ ୭
କୃଷ୍ଣ ଚରଣେ ଆଶ୍ରେ କରି । ଛାଡ଼ିଲା ହସ୍ତିନା ନଗରୀ ॥ ୮
ତୀର୍ଥ ସାଧନ ପୁଣ୍ୟବଳେ । ଏକାନ୍ତେ ବିଷ୍ଣୁଭକ୍ତି ଫଳେ ॥ ୯
ଗୋବିନ୍ଦ ଭକ୍ତ ସେ ନିଶ୍ଚଳେ । ବର୍ଇ ଭକ୍ତଜନ ମେଳେ ॥ ୧୦
ବିଦୁର ଭ୍ରମୀ ତୀର୍ଥମାର୍ଗେ । କାନନେ ମୈତ୍ରେୟଙ୍କ ଆଗେ ॥ ୧୧
ବନ ଗହନେ ଗଙ୍ଗାକୂଳେ । ସେ ବେନିଜନ ଏକମେଳେ ॥ ୧୨
ବିଦୁର କିବା ପ୍ରଶ୍ନ କଲା । କହିବା ମୋତେ ବିଷ୍ଣୁଲୀଳା ॥ ୧୩
ସେ ବିଷ୍ଣୁକଥା ବାକ୍ୟସାର । ଶ୍ରୁତିଯୁଗଳେ ସୁଧାଧାର ॥ ୧୪
ଯେସନେ ଗଙ୍ଗାସ୍ନାନ କଲେ । ସେ ତିନିତାପରୁ ଉଦ୍ଧରେ ॥ ୧୫
ଗୋବିନ୍ଦ କଥା ସେହି ମତେ । ପାନ ନ ରହେ ଅନ୍ତର୍ଗତେ ॥ ୧୬
କୃଷ୍ଣ ଚେଷ୍ଟିତ ଭାବ ଯେତେ । ଭୋ ମୁନି କହ ମୋ ଅଗ୍ରତେ ॥ ୧୭
କୃଷ୍ଣର ଲୀଳାମୃତ ରସେ । ରସଇ ଯା’ର ଶ୍ରୁତି ଗ୍ରାସେ ॥ ୧୮
ସେ କାହିଁ ଛାଡ଼େ କୃଷ୍ଣକଥା । ଯେଣେ ହରଇ ଭବବ୍ୟଥା ॥ ୧୯
ନୈମିଷ୍ୟାରଣ୍ୟେ ମୁନିଗଣେ । ସେ ଉଗ୍ରଶ୍ରବାର ଚରଣେ ॥ ୨୦
ପ୍ରଣତ ହୋଇଣ କହିଲେ । ବିଷ୍ଣୁର କଥା କହ ଭଲେ ॥ ୨୧
ସେ ଉଗ୍ରଶ୍ରବା ବିଷ୍ଣୁ ପଦେ । ମନକୁ ନିବେଶି ଆନନ୍ଦେ ॥ ୨୨
କହିଲେ ଶୁଣି ମୁନିଗଣ । କହିବି ଶ୍ରୀହରିର ଗୁଣ ॥ ୨୩

ସୂତ ଉବାଚ

ବିଷ୍ଣୁ ଶୂକର ରୂପ ଧରି । ଧରଣୀ ପାତାଳୁ ଉଦ୍ଧରି ॥ ୨୪
ଲୀଳା ବିହାରେ ହିରଣ୍ୟାକ୍ଷ । ଗୋବିନ୍ଦ ମାଇଲେ ପ୍ରତ୍ୟକ୍ଷ ॥ ୨୫
ସେ କଥା ଶୁଣି ତୋଷ ଚିତ୍ତେ । ଅଶ୍ରୁ ପୁଲକ ରୋମ ଗାତ୍ରେ ॥ ୨୬
ମୈତ୍ରେୟ ପାଦେ ଦେଇ ଶିର । ଆନନ୍ଦେ ପୁଚ୍ଛଇ ବିଦୁର ॥ ୨୭

ବିଦୁର ଉବାଚ

ନାଭିରୁ ବ୍ରହ୍ମା ଅବତାର । ସେ ପ୍ରଜାପତିଙ୍କ ଈଶ୍ୱର ॥ ୨୮
ପ୍ରଜାପତିଙ୍କୁ ଜାତ କଲା । ସୃଷ୍ଟି ସର୍ଜନେ ଆଜ୍ଞା ଦେଲା ॥ ୨୯
ମରୀଚି ଆଦି ସପ୍ତତନୁ । ଅପରେ ସ୍ୱାୟମ୍ଭୁବ ମନୁ ॥ ୩୦
ପିତାର ଆଦେଶେ ସମସ୍ତେ । ଏ ସୃଷ୍ଟି ସର୍ଜିଲେ କେମନ୍ତେ ॥ ୩୧
ଭାର୍ଯ୍ୟା ସହିତେ ଯୋଗମତେ । କି ଅବା ସର୍ଜିଲେ ସ୍ୱତନ୍ତ୍ରେ ॥ ୩୨
କିବା ସକଳ ଏକମେଳେ । ସୃଷ୍ଟି ସର୍ଜିଲେ ଅନ୍ତରାଳେ ॥ ୩୩
କିବା ଧରଣୀ ଜଳେ ସ୍ଥାପି । ପ୍ରଜା ସର୍ଜିଲେ ବିଶ୍ୱରୂପୀ ॥ ୩୪
ସେ ପୁଣି କିବା କଲେ ପରେ । ତୋ ବିନୁ କେବା କହିପାରେ ॥ ୩୫
ତୁମ୍ଭେ ଆଗତ ଅନାଗତ । ସକଳ ବିଷୟେ ବିଦିତ ॥ ୩୬
ବ୍ରହ୍ମାଙ୍କ ଆଜ୍ଞା ଘେନି ଶିରେ । ଜଗତ କଲେ କି ପ୍ରକାରେ ॥ ୩୭

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକଚିତ୍ତେ । ଯେ ସୃଷ୍ଟି ପଦ୍ମକଳ୍ପ ଅନ୍ତେ ॥ ୩୮
ଯେ କାଳରୂପୀ ବିଶ୍ୱନାଥ । ଯା ମାୟାବଳେ ଏ ଜଗତ ॥ ୩୯
ସ୍ୱ ମାୟାବଳେ କ୍ଷୋଭ ପାଇ । ମହତ ରୂପ ସେ ଧରଇ ॥ ୪୦
ରଜ ପ୍ରଧାନେ ତିନିଗୁଣେ । କଳ୍ପିଲା ଦଇବ ପ୍ରେରଣେ ॥ ୪୧
ସେ ଭୂତ ଆଦି ଯେ ମହତ । ଅଗ୍ରେ ସର୍ଜିଲା ପଞ୍ଚଭୂତ ॥ ୪୨
ଶବଦ ଆଦି ପଞ୍ଚଗୁଣେ । ମିଳିଲେ ସୃଷ୍ଟିର କାରଣେ ॥ ୪୩
ଯେ ଜ୍ଞାନେନ୍ଦ୍ରିୟ ଚକ୍ଷୁ ଆଦି । ଯେ କର୍ମେନ୍ଦ୍ରିୟ ହିଁ ବାଗାଦି ॥ ୪୪
ଶବ୍ଦାଦି ଯେତେକ ହୋଇଲେ । ସୃଜନେ ଅସମର୍ଥ ହେଲେ ॥ ୪୫
ସେ ପୁଣି ଏକରୁଣ୍ତ ହୋଇ । ଦୈବଶକ୍ତିର ବଳପାଇ ॥ ୪୬
କଳ୍ପିଲା ହେକମୟ ଅଣ୍ତ । ଯାହାକୁ ବୋଲନ୍ତି ବ୍ରହ୍ମାଣ୍ତ ॥ ୪୭
ସେ ଅଣ୍ତକୋଷ ମହାଜଳେ । ପଡ଼ି ଭାସଇ କାଳବଳେ ॥ ୪୮
ସେ ପୁଣି ସହସ୍ର ବରଷେ । ସେ ମହାର୍ଣ୍ଣବ ଜଳେ ଭାସେ ॥ ୪୯
ସେ ଅଣ୍ତକୋଷ ମଧ୍ୟେ ହରି । ଶୋଏ ଅନନ୍ତ ଶଯ୍ୟା କରି ॥ ୫୦
ତା ନାଭିପଦ୍ମୁ ପଦ୍ମକୋଷ । ସଲିଳେ ହୋଇଲା ପ୍ରକାଶ ॥ ୫୧
ସେ ପଦ୍ମ ନିଜ ତେଜ ପୁଞ୍ଜେ । ସହସ୍ରେ ରବିରଶ୍ମି ଗଞ୍ଜେ ॥ ୫୨
ସେ ପଦ୍ମ ମଧ୍ୟେ ସର୍ବଜନ୍ତୁ । ପ୍ରକାଶେ ନିଜ କର୍ମ ହେତୁ ॥ ୫୩
ବିରାଜ ରୂପ ତାର ମଧ୍ୟେ । ଜନ୍ମିଲା ନିଜ କାର୍ଯ୍ୟ ସାଧ୍ୟେ ॥ ୫୪
ସେ ପୁଣି ବିଷ୍ଣୁ ଉପଦେଶେ । ସୃଷ୍ଟି ସର୍ଜିଲା ଅଣ୍ତକୋଷେ ॥ ୫୫
ପୂର୍ବେ ଯେମତେ ସୃଷ୍ଟି ଥିଲା । ସେ ନାନାରୂପେ ସମ୍ପାଦିଲା ॥ ୫୬
କାଳର ବଳେ କୋପମନେ । ନିଃଶ୍ୱାସ ଛାଡ଼େ ଘନଘନେ ॥ ୫୭
ତାର ନିଃଶ୍ୱାସୁ ତତକ୍ଷଣେ । ଅବିଦ୍ୟା ସଙ୍ଗେ ପଞ୍ଚଗଣେ ॥ ୫୮
ତାମିସ୍ର ଅନ୍ଧତମ ତମ । ମୋହ ମହାମୋହ ପଞ୍ଚମ ॥ ୫୯
ଏ ପଞ୍ଚତମ ଏକାବେଳେ । ଜନ୍ମିଲେ ଅନ୍ଧକାର ବଳେ ॥ ୬୦
ଦେଖି ସେ ଛାୟାରୂପ ସୃଷ୍ଟି । ତୁଷ୍ଟ ନୋହିଲା ପରମେଷ୍ଠୀ ॥ ୬୧
ଏ ସୃଷ୍ଟି ଦେଖି ତମୋମୟ । ଧାତା ଛାଡ଼ିଲା ନିଜଦେହ ॥ ୬୨
ସେ ପିଣ୍ତ ଦେଖି ତମୋଗଣେ । ବେଗେ ଧାଇଁଲେ ତତକ୍ଷଣେ ॥ ୬୩
ସେ ଦେହମଧ୍ୟେ ସନ୍ଧ୍ୟା ମିଶି । ତମେ ରଜନୀ ପ୍ରାୟ ଦିଶି ॥ ୬୪
କ୍ଷୁଧା ତୃଷାର ଅତିବଳେ । ସର୍ବେ ମିଳିଲେ ଏକମେଳେ ॥ ୬୫
ଥୋକେ ବୋଲନ୍ତି ରଖ ରଖ । ଥୋକେ ବୋଲନ୍ତି ବେଗେ ଭକ୍ଷ ॥ ୬୬
ତକ୍ଷଣେ ବ୍ରହ୍ମା ଭୟପାଇ । ବୋଲେ ତାହାଙ୍କ ମୁଖଚାହିଁ ॥ ୬୭
ଏ ପିଣ୍ଡ ରଖ ହୋ ନ ଭକ୍ଷ । ଏଣୁ ହୋଇବ ଯକ୍ଷ ରକ୍ଷ ॥ ୬୮
ତୁମ୍ଭେ ଯେ ଯକ୍ଷ-ରକ୍ଷ-ଗଣ । ମୋର ବଚନ ଏବେ ଶୁଣ ॥ ୬୯
ତୁମ୍ଭେ ମୋହର ପ୍ରଜା ହୁଅ । ଏମନ୍ତ କହି ପିତାମହ ॥ ୭୦
ସୃଜିଲା ଅପସରାଗଣ । ଦେବଙ୍କ ଭୋଗ୍ୟ ଯେ ପ୍ରମାଣ ॥ ୭୧
ଦିବସ ରୂପା ସେ ସାକ୍ଷାତେ । ସର୍ଜିଲା କ୍ରୀଡ଼ାର ନିମନ୍ତେ ॥ ୭୨
ବ୍ରହ୍ମା ସା‌ତ୍ତ୍ବିକ ମନୋଭାବ । ତହୁଁ ଦେବଙ୍କ ଆବିର୍ଭାବ ॥ ୭୩
ପୁଣି ଜଘନୁ ବେଦପତି । ଅସୁର କଲା ଉତ୍ପତ୍ତି॥ ୭୪
ସ୍ତିରୀ ଲମ୍ପଟ ସେ ଯୁକତେ । ନାରୀଙ୍କୁ ଦେଖିଲେ ଅଗ୍ରତେ ॥ ୭୫
ତାହାଙ୍କୁ ଦେଖି ତତକ୍ଷଣେ । ଧାଇଁଲେ ସେ ଅସୁରଗଣେ ॥ ୭୬
ମୈଥୁନ ଲୋଭ ବନ୍ଧେ ଧାଇଁ । ବେଗେ ବେଢ଼ିଲେ ଲୋଭବହି ॥ ୭୭
ନିର୍ଲଜ୍ଜପଣ ତାହାଙ୍କର । ଦେଖି ହସିଲେ ବେଦବର ॥ ୭୮
ବ୍ରହ୍ମାର ହାସ୍ୟ ଦେଖି କୋପେ । ମିଳିଲେ ତାଙ୍କର ସମୀପେ ॥ ୭୯
ଚାହାଁନ୍ତେ କୋପିତ ବଦନେ । ଭୟ ପଶିଲା ବ୍ରହ୍ମା ମନେ ॥ ୮୦
ଶୂନ୍ୟେ ଗୋବିନ୍ଦପଦ ଧ୍ୟାୟୀ । ବୋଲଇ ଶିରେ କର ଦେଇ ॥ ୮୧
ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ । ତୁ ନାଥ ଆଜ୍ଞାଦେଲୁ ମୋତେ ॥ ୮୨
ସୃଷ୍ଟି କରଇ ତୋର ବୋଲେ । ତୋ ଅନୁରୂପ ଏ ଶୟଳେ ॥ ୮୩
ତୁ ମୋତେ ରଖ ଚକ୍ରଧର । ଏ ଗଣେ ମହାଭୟଙ୍କର ॥ ୮୪
ଏ ଯେବେ ଭକ୍ଷିବେଟି ମୋତେ । କେମନ୍ତେ ସର୍ଜିବି ଜଗତେ ॥ ୮୫
ବ୍ରହ୍ମା ବିକଳ କର୍ଣ୍ଣେ ଶୁଣି । ବୋଇଲେ ପ୍ରଭୁ ଚକ୍ରପାଣି ॥ ୮୬
ଏ ଦେହ ଘୋର ଭୟଙ୍କର । ବେଗେ ତୁ ଛାଡ଼ ଏ ଶରୀର ॥ ୮୭
ଶୁଣି ଗୋବିନ୍ଦର ବଚନ । ତକ୍ଷଣେ ଛାଡ଼ିଲା ଜୀବନ ॥ ୮୮
ସେ ଦେହ ସନ୍ଧ୍ୟାରୂପ ହୋଇ । ରୂପେ ଅସୁର ମନମୋହି ॥ ୮୯
ଯେ ଅପସରାଗଣ ଥିଲେ । ତା ରୂପ ଦେଖି ମୋହ ଗଲେ ॥ ୯୦
ନାନା ଅଳଙ୍କାର ସାଜେଣୀ । ଚରଣେ ନୂପୁର ବାଜେଣୀ ॥ ୯୧
ମଦ ବିହ୍ୱଳିତ ଲୋଚନ । ଦୁକୂଳେ କଟୀ ଶୋଭାବନ ॥ ୯୨
କଟୀ ମେଖଳା ରତ୍ନସାର । ହୃଦୟେ ତୁଙ୍ଗ ପୟୋଧର ॥ ୯୩
ସୁନ୍ଦର ନାସିକା ବିରାଜେ । ଦନ୍ତ ଡାଳିମ୍ବ ବୀଜ ଗଞ୍ଜେ ॥ ୯୪
ସୁନ୍ଦର ହାସ ମନୋହର । ସଂଭ୍ରମ କଟାକ୍ଷ ସୁନ୍ଦର ॥ ୯୫
ବସ୍ତ୍ରେ ଆଚ୍ଛାଦି କଳେବର । ପଥେ ଚାଲଇ ଲାଜଭର ॥ ୯୬
ତାର କୁନ୍ତଳ ମନୋହର । ଶୁଣ ହେ ଧର୍ମାତ୍ମା ବିଦୁର ॥ ୯୭
ଅସୁରେ ଦେଖି ତା ଗମନ । ସର୍ବେ ହୋଇଲେ ହତଜ୍ଞାନ ॥ ୯୮
କହନ୍ତି ଏକ ଏକେ ଚାହିଁ । ଏମନ୍ତ ଦେଖିଲାତ ନାହିଁ ॥ ୯୯
ନବୀନ ବୟସ ଏହାର । ରୂପ-ଲାବଣ୍ୟ ମନୋହର ॥ ୧୦୦
ଏ ଆମ୍ଭ ମନମଧ୍ୟେ ରମେ । ଅକାମୀଜନ ପ୍ରାୟ ଭ୍ରମେ ॥ ୧୦୧
ଏମନ୍ତେ ସନ୍ଧ୍ୟାରୂପ ଦେଖି । ପ୍ରମଦା ପ୍ରାୟ ଉପଲକ୍ଷି ॥ ୧୦୨
ନୟନ ଦେଇ ତା ବଦନେ । ଭାବେ ପୁଚ୍ଛନ୍ତି ଅନ୍ୟୁଅନ୍ୟେ ॥ ୧୦୩
ଏମନ୍ତ ବହୁତ ବିଚାର । କରିଣ ସକଳ ଅସୁର ॥ ୧୦୪
ପ୍ରଣୟବଶେ ପ୍ରମଦାର । କରିଣ ବହୁତ ସତ୍କାର ॥ ୧୦୫
କୁବୁଦ୍ଧି ପଣରେ ଅସୁର । ପୁଚ୍ଛିଲେ ତାଙ୍କୁ ବାରବାର ॥ ୧୦୬
ଆହେ ରମ୍ଭୋରୁ ସୁକଲ୍ୟାଣି । ପ୍ରମଦାକୂଳ ଶିରୋମଣି ॥ ୧୦୭
କାହାର ପତ୍ନୀ ତୁ ବୋଲାଉ । କହ ତୁ ଉପୁଜିଲୁ କାହୁଁ ॥ ୧୦୮
କହ ତୁ ତୋର କିସ ନାମ । କି ପ୍ରୟୋଜନେ ତୋ ଗମନ ॥ ୧୦୯
ତୋ ରୂପ ଗୁଣେ ହୋଇ ଛନ୍ନ । ଆମ୍ଭର ସ୍ଥଗିତ ଲୋଚନ ॥ ୧୧୦
ତୋହର ରୂପଗୁଣ ରାଶି । ଆମ୍ଭର ପ୍ରଭାକୁ ବିନାଶି ॥ ୧୧୧
ଆମ୍ଭର ପୂର୍ବଭାଗ୍ୟ ଫଳେ । ମିଳିଲୁ ଆମ୍ଭର ଛାମୁରେ ॥ ୧୧୨
କନ୍ଦୁକ କ୍ରୀଡ଼ା ତୋ ନୟନ । ରୂପେ ହରିଲୁ ଆମ୍ଭମନ ॥ ୧୧୩
ତୋର ଚରଣ ପଦ୍ମଯୁଗ । ଗମନ ଚଞ୍ଚଳ ତରଙ୍ଗ ॥ ୧୧୪
ହସ୍ତେ କନ୍ଦୁକ ତୋର ସାଜେ । ତୋ ମଝା ସିଂହମଧ୍ୟ ଗଞ୍ଜେ ॥ ୧୧୫
ସେ ପୁଣି ସ୍ତନଭାର ଖିନ୍ନେ । ଭାଜିଲା ପ୍ରାୟ ଅନୁମାନେ ॥ ୧୧୬
ଏମନ୍ତ ସନ୍ଧ୍ୟା ରୂପ ଚାହିଁ । ଅସୁରଗଣ ଲୋଭ ବହି ॥ ୧୧୭
ସନ୍ଧ୍ୟାକୁ ଧରି ବାହୁବଳେ । ମୋହେ ମଜ୍ଜିଲେ କାମଭୋଳେ ॥ ୧୧୮
ଭାବ ଗମ୍ଭୀର ମଗ୍ନଚିତ୍ତ । ଦେଖି ବିଧାତା ହରଷିତ ॥ ୧୧୯
ବ୍ରହ୍ମାର ଶରୀର ବିରାଜେ । ତକ୍ଷଣେ ନିଜ କାନ୍ତି ତେଜେ ॥ ୧୨୦
ସ୍ୱଭାବେ ବ୍ରହ୍ମା ସେ ଆନନ୍ଦ । ଗନ୍ଧର୍ବ ଅପସରା ବୃନ୍ଦ ॥ ୧୨୧
ବ୍ରହ୍ମାର ଶରୀରୁ ବାହାର । ଯେ ରୂପ ମୋହେ ସୁରନର ॥ ୧୨୨
ଗନ୍ଧର୍ବ ବିଶ୍ୱାବସୁ ଆଦି । ସୁନ୍ଦର ରୂପରେ ପ୍ରସିଦ୍ଧି ॥ ୧୨୩
ଆବୋରି ଅପସରାଗଣେ । ସୁଖେ ରହିଲେ ଜଣେଜଣେ ॥ ୧୨୪
ତଦନ୍ତେ ଆତ୍ମତନ୍ଦ୍ରା ଧରି । ଭୂତ ପିଶାଚଗଣ କରି ॥ ୧୨୫
ସେ ମୁକ୍ତକେଶ ଦିଗମ୍ବର । ଦେଖି କମ୍ପିଲେ ସୁରନର ॥ ୧୨୬
ପଥେ ତାହାଙ୍କ ରୂପ ଦେଖି । ବ୍ରହ୍ମା ବୁଜିଲେ ବେନିଆଖି ॥ ୧୨୭
ଭୟେ ଅଳସ ତାର ମୁଖେ । କ୍ଷଣେ ଶୋଇଲା ନିଦ୍ରାସୁଖେ ॥ ୧୨୮
ସେ ଦେହ ନିଦ୍ରାବଶ ଚାହିଁ । ପୁଣି ଛାଡ଼ିଲା ନିଜ ଦେହୀ ॥ ୧୨୯
ପରୋକ୍ଷ ପୁଣି ସତ୍ତ୍ବ‌ଗୁଣେ । ସର୍ଜିଲା ସାଧ୍ୟ ପିତୃଗଣେ ॥ ୧୩୦
ସେ ସାଧ୍ୟ ପିତୃ ବେନିଗଣ । ସେ ଯହୁଁ ହୋଇଲେ ଜନମ ॥ ୧୩୧
ସେ ଦେହ ପାଇ ତୋଷ ଚିତ୍ତ । କର୍ମକୋବିଦେ ଯେ ବିଦିତ ॥ ୧୩୨
ସେ ସିଦ୍ଧ ବିଦ୍ୟାଧର ଗଣେ । ଜାତ ହୋଇଲେ ତତକ୍ଷଣେ ॥ ୧୩୩
ସ୍ୱଭାବେ ତେଜ ଅନର୍ଗଳା । ତାହାଙ୍କୁ ଅନ୍ତର୍ଦ୍ଧାନ ଦେଲା ୧୩୪
ବିଧାତା ପ୍ରତିବିମ୍ବ ବଳେ । ଦେଖିଣ ମନର ନିଶ୍ଚଳେ ୧୩୫
କିନ୍ନର କିଂପୁରୁଷ ଜାତି । ପୁଣି ସର୍ଜିଲା ପ୍ରଜାପତି ୧୩୬
ମିଥୁନ ଭାବେ ବୀଣା ବାଇ । ଦେବଙ୍କ ତୋଷେ ଗୀତଗାଇ ୧୩୭
ଏବେ ତୁ ଶୁଣ ହେ ବିଦୁର । ବ୍ରହ୍ମାର ସୃଷ୍ଟିର ପ୍ରକାର ୧୩୮
ସେ ସୃଷ୍ଟି ଚାହିଁ ପ୍ରଜାନାଥ । ମନରେ ହୋଇଲା ଚିନ୍ତିତ ୧୩୯
ଏ ସୃଷ୍ଟି ବୃଦ୍ଧି ତ ନୋହିଲା । ଚିନ୍ତାରେ ବହୁତ ଶୋଇଲା ୧୪୦
ତାହାଙ୍କୁ ସର୍ଜି ବେଦବର । ତକ୍ଷଣେ ଛାଡି ସେ ଶରୀର ୧୪୧
ଦେହ ଅନ୍ତରେ ଶୂନ୍ୟେ ରହି । ଶରୀର ଦେଖି ବିଚାରଇ ୧୪୨
ସର୍ଜନେ ଯୋଗ୍ୟ ଏ ନୁହନ୍ତି । ଏମନ୍ତେ କ୍ରୋଧେ ବହୁ ଚିନ୍ତି ୧୪୩
କ୍ରୋଧର ବଶେ ପଦ୍ମଯୋନି । ସେ ଭୋଗଦେହ ତ୍ୟଜେ ପୁଣି ୧୪୪
ତହୁଁ ସେ କେଶ ଗଲା ଖସି । ତହୁଁ ଜନ୍ମିଲେ ସର୍ପରାଶି ୧୪୫
ତକ୍ଷଣେ ତମ ଗୁଣୁ ଜାତ । ଗରଳ ତେଜେ ବଳବନ୍ତ ୧୪୬
ତାହାଙ୍କୁ ଚାହିଁ ପ୍ରଜାନାଥ । ସନ୍ତୋଷେ ହେଲା କୃତକୃତ୍ୟ ୧୪୭
ପୁଣି କଳ୍ପିଲା ମନୋରଥେ । ଆବର ସୃଷ୍ଟିଭାବ ଯେତେ ୧୪୮
ମନୁଙ୍କୁ କଲା ଉତପତ୍ତି । ମନର ତହୁଁ ବେଦପତି ୧୪୯
ନିଜ ପୁରୁଷ ରୂପ ଦେହ । ତାଙ୍କୁ ଅର୍ପିଲା ପିତାମହ ୧୫୦
ସ୍ତିରୀ ପୁରୁଷ କଳ୍ପେ ମନେ । ଯେ ସୃଷ୍ଟି ଉପୁଜେ ମୈଥୁନେ ୧୫୧
ଯେ ଅଗ୍ରେ ଜାତ ହୋଇଥିଲେ । ତାଙ୍କୁ ପ୍ରଶଂସା ବହୁ କଲେ ୧୫୨
ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁ । ବିବୁଧେ ତାର ଗୁଣ ଗାଇ ୧୫୩
ବୋଲନ୍ତି ଧନ୍ୟ ବେଦପତି । ସୃଷ୍ଟି ସର୍ଜନେ ଦୃଢମତି ୧୫୪
ଅନେକ ତପ ଯେଣୁ କଲୁ । ଗୋବିନ୍ଦ ଆଜ୍ଞା ତୁ ଲଭିଲୁ ୧୫୫
ନିଜ ସାଧନା ତପଫଳେ । ଏ ସୃଷ୍ଟି କଲୁ ବୁଦ୍ଧିବଳେ ୧୫୬
ଏଣେ ହୋଇବ ସର୍ବଯୋଗ । ଆମ୍ଭେ ଲଭିବୁ ହବିର୍ଭାଗ ୧୫୭
ତପସ୍ୟା ବିଦ୍ୟା ଆସନାଦି । ଅଷ୍ଟାଙ୍ଗଯୋଗ ସୁସମାଧି ୧୫୮
ପୁଣି ସର୍ଜିଲା ଋଷିଗଣ । ସ୍ୱବଶ କରି ଇନ୍ଦ୍ରଗଣ ୧୫୯
ଏମନ୍ତ ଋଷି ସୃଷ୍ଟି କଲା । ଆପଣା ଦେହ ଅଂଶ ହେଲା ୧୬୦
ଏମନ୍ତେ ସୃଷ୍ଟିର କାରଣ । ବିଧାତା ରୂପେ ନାରାୟଣ ୧୬୧
କରଇ ପୁଣ ପୁଣ ଭାବେ । ତାର ଭକତଜନ ଲାଭେ ୧୬୨
ଏମନ୍ତେ ଭାଗବତ ବାଣୀ । ମୈତ୍ରେୟ ମୁନି ଆଗେ ଭଣି ୧୬୩
ବନେ ପିପ୍ପଳ ବୃକ୍ଷ ମୂଳେ । ଶ୍ରୀକୃଷ୍ଣ ରୂପ ତ୍ୟାଗ କାଳେ ୧୬୪
ସେ କଥା ପରୀକ୍ଷିତ ଆଗେ । ମୁନି କହିଲେ ପ୍ରିୟ ଭାବେ ୧୬୫
ହରି ଚରିତ ଭାଗବତ । କହିଲା ଦାସ ଜଗନ୍ନାଥ ୧୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ ବିଂଶୋଽଧ୍ୟାୟଃ ।

ଏକବିଂଶ ଅଧ୍ୟାୟ

[ସମ୍ପାଦନା]

ମୈତ୍ରେୟ ମୁନି ପାଦେ ପଡି । ବିଦୁର କହେ କରଯୋଡି ୧

ବିଦୁର ଉବାଚ

ବୋଇଲେ ଶୁଣ ହେ ମୈତ୍ରେୟ । ମୋହର ପ୍ରତି ତୁ ସଦୟ ୨
ସେ ସ୍ୱାୟମ୍ଭୂବ-ମନୁବଂଶ । ମୋ ଆଗେ କର ହେ ପ୍ରକାଶ ୩
ଯାର ପ୍ରଶଂସା ସାଧୁଲୋକ । କରନ୍ତି ସଦା ଅତିରେକ ୪
ବ୍ରହ୍ମାର ତହୁଁ ଯାର ତନୁ । ଯେ ପୂର୍ବେ ସ୍ୱାୟମ୍ଭୂବମନୁ ୫
ତାହାର ବଂଶ ଏ ଜଗତେ । କି ରୂପେ ପ୍ରସରିଲେ କେତେ ୬
ମୈଥୁନ ମତେ କଲା ପ୍ରଜା । ଯେ ପୁଣି ମନୁବଂଶେ ରାଜା ୭
ସେ ସ୍ୱାୟମ୍ଭୂବ ମନୁ ସୁତ । ଉତ୍ତାନପାଦ ପ୍ରିୟବ୍ରତ ୮
ତେଜେ ପ୍ରଚଣ୍ତ ସେ ବିରାଜେ । ଏ ସପ୍ତଦ୍ୱୀପା ମହୀ ଭୁଞ୍ଜେ ୯
ଯେମନ୍ତେ ଧର୍ମ ଏ ସଂସାରେ । ରଖିଲେ କହ ମୁନିବରେ ୧୦
ତାର ଦୁହିତା ଅନୁପମ । ଯାହାର ଦେବହୂତି ନାମ ୧୧
କର୍ଦ୍ଦମ ତାର ନିଜ ପତି । ତାର ଭୂବନେ ଦେବହୂତି ୧୨
ସେବା କରଇ ଅନୁବ୍ରତେ । ଯେ ଧର୍ମ ପତିବ୍ରତା ମତେ ୧୩
ସ୍ୱାମୀ ସୁହାଗେ ସଉଭାଗ୍ୟେ । ମୈଥୁନ ଭାବେ ରତିରଙ୍ଗେ ୧୪
ତାହାର ଗର୍ଭେ ପୁତ୍ର କେତେ । ଜନ୍ମିଲେ କହ ମୋ ଅଗ୍ରତେ ୧୫
ତାହା ଶ୍ରବଣେ ଇଚ୍ଛା ମୋର । କହ ସଦୟେ ମୁନିବର ୧୬
ମନୁ ତନୟା ଯେ ଆକୂତି । ତାହାଙ୍କୁ ରୁଚି ପ୍ରଜାପତି ୧୭
ବ୍ରହ୍ମଜ ଦକ୍ଷ ପ୍ରଜାପତି । ସେ ପୁଣ ଲଭିଣ ପ୍ରସୂତି ୧୮
ସୃଷ୍ଟି ସୃଜିଲେ କେଉଁଭାବେ । ଭୋ ମୁନି ତାହା କହ ଏବେ ୧୯
ଏମନ୍ତ ବିଦୁରର ବାଣୀ । ମୈତ୍ରେୟ ବୋଲେ ତାହାଶୁଣି ୨୦

ମୈତ୍ରେୟ ଉବାଚ

କର୍ଦ୍ଦମେ ରାଇ ବେଦବର । ବୋଇଲେ ପ୍ରଜା ସୃଷ୍ଟିକର ୨୧
ବ୍ରହ୍ମାର ଆଜ୍ଞା ଘେନି ଶିରେ । ମିଳିଲେ ସରସ୍ୱତୀ ତୀରେ ୨୨
ଅତି କଠୋର ତପ କଲା । ଶୁଣ ହେ ଯେତେ ଦିନ ଗଲା ୨୩
ଦେବଙ୍କ ଅୟୂତ ବରଷେ । ବସିଲା ଆତ୍ମାର ବିଶ୍ୱାସେ ୨୪
ସମାଧି ଯୋଗରେ କର୍ଦ୍ଦମ । ସେବିଲେ ପୁରୁଷଉତ୍ତମ ୨୫
ତପ ସମାଧି କ୍ରିୟା ଯୋଗେ । ନିଶ୍ଚଳ ଭକ୍ତି ଅନୁରାଗେ ୨୬
ତାର ସମୀପେ ହୃଷୀକେଶ । ତକ୍ଷଣେ ହୋଇଲେ ପ୍ରବେଶ ୨୭
ଶୁକ୍ଳ-କମଳ-ମାଳ ଗଳେ । ବଦନ ଶୋଭିତ କୁଣ୍ତଳେ ୨୮
ଶବଦବ୍ରହ୍ମ ରୂପ ଧରି । ଶତେ ଆଦିତ୍ୟ ନୋହେ ସରି ୨୯
ଲୋଚନ ପୁଣ୍ତରୀକଦଳେ । ସୁନ୍ଦର ଅଳକା କପୋଳେ ୩୦
ନିର୍ମଳ ବସ୍ତ୍ର ପରିଧାନ । ସୁନ୍ଦର ମସ୍ତକ ଭୂଷଣ ୩୧
କିରୀଟ କୁଣ୍ତଳ ବିରାଜେ । ଶଙ୍ଖ କମଳ ଗଦା ସାଜେ ୩୨
ଚକ୍ର ବିରାଜେ ଦକ୍ଷକରେ । ତେଜେଣ ଦଶଦିଗ ପୁରେ ୩୩
ଅଧରେ ସ୍ମିତହାସ୍ୟ ଯାର । ବିରାଜେ ଅତି ମନୋହର ୩୪
ସ୍ମିତ ବାରିକ ଚକ୍ଷୁ ବେନି । ବିରାଜେ ନିଜ ତେଜ ଘେନି ୩୫
ସୁନ୍ଦର ହାସ୍ୟେ ମନ ମୋହେ । କୋଟି କନ୍ଦର୍ପ ସମ ନୋହେ ୩୬
ଗରୁଡ ସ୍କନ୍ଧେ ଆରୋହଣ । ଅମୂଲ୍ୟ ରତ୍ନ ବିଭୂଷଣ ୩୭
ଭ୍ରୂଭଙ୍ଗେ ରୁଚିର ଶ୍ରୀମୁଖ । ଦେଖନ୍ତେ ହରେ ଭବଦୁଃଖ ୩୮
ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ । କୌସ୍ତୁଭମଣି କଣ୍ଠମାଝେ ୩୯
ଶୁକ୍ଳ ଶରୀର ଶୂନ୍ୟମାର୍ଗେ । ଯେ ରୂପ ବହେ ସତ୍ୟଯୁଗେ ୪୦
ଶୂନ୍ୟ-ମଣ୍ତଳେ ବିଷ୍ଣୁ ଦେଖି । ଉଠିଲା ଆସନ ଉପେକ୍ଷି ୪୧
ବହୁ ବରଷ ତପ ଶ୍ରମ । ଦେଖନ୍ତେ ଗଲା ମନ ଭ୍ରମ ୪୨
ରୋମ ହରଷ କଳେବର । ନୟନୁ ବହେ ଅଶ୍ରୁଧାର ୪୩
କର ଅଞ୍ଜଳି ଦେଇ ମାଥେ । ଦଣ୍ତ ପ୍ରଣାମ ଭୂମିଗତେ ୪୪
ଆନନ୍ଦେ ପ୍ରାପ୍ତ ମନୋରଥ । ଅନ୍ତରେ ହୋଇ କୃତକୃତ୍ୟ ୪୫
ଶ୍ରୁତି ବଚନ ମୁଖେ କହି । ବୋଲଇ ବିଷ୍ଣୁ ରୂପ ଚାହିଁ ୪୬

କର୍ଦ୍ଦମ ଉବାଚ

ଭୋ ନାଥ ତବ ଦରଶନ । ସଫଳ କଲା ମୋ ନୟନ ୪୭
ଯେ ରୂପ ଦେଖିବାର ଅର୍ଥେ । ଯୋଗ ସାଧନ୍ତି ମୁନିସନ୍ଥେ ୪୮
ଭୋ ନାଥ ତୋହର ଚରଣ । ଜୀବର ପରମ କାରଣ ୪୯
ତୋ ପାଦପଦ୍ମ ନାବ କରି । ଭବସାଗରୁ ଯାନ୍ତି ତରି ୫୦
ଏ ଭାବ ଛାଡ଼ି ଯେ ସଂସାରେ । ବିଷୟରସ ଆଶ୍ରେ କରେ ୫୧
ତାହାର ମୋକ୍ଷ ଆଉ କାହିଁ । ସଂସାରେ ନିୟତ ଭ୍ରମଇ ୫୨
ନରକେ ଯାନ୍ତି ସେହି ମତେ । ସେ ତୋତେ ପାଇବେ କେମନ୍ତେ । ୫୩
ସେହି ପ୍ରକାରେ ମନ ମୋର । କଳ୍ପଇ ବିଷୟା ଗୋଚର ୫୪
ତୋର ଆଦେଶେ ସୃଷ୍ଟି ଧର୍ମେ । କଳ୍ପଇ ଗୃହସ୍ଥ ଆଶ୍ରମେ ୫୫
ଯେ ଗୃହ କାମଧେନୁ ପ୍ରାୟେ । କୁଟୁମ୍ବ ଜନ ମନ ମୋହେ ୫୬
ତୋର ଚରଣ କଳ୍ପଦ୍ରୁମ । ଆଶ୍ରେ ଲଭିବି ସର୍ବକାମ ୫୭
ତୋ ଅନୁଗ୍ରହେ ମନୁରାଜା । କଳ୍ପିବ ତାହାର ତନୁଜା ୫୮
ମୁଁ ପୁଣି ସର୍ବପ୍ରାଣୀ ହିତେ । ଯେମନ୍ତେ ତୋ ଚରଣାଗତେ ୫୯
ବଳି ନିବେଦି ଗୃହଧର୍ମେ । ଯେମନ୍ତେ ରମିବି ଆଶ୍ରମେ ୬୦
ତୋ ପଦ ବିନୁ ଚକ୍ରଧର । ସେବିବି କାହାର ପୟର ୬୧
ତୋ ପାଦ ତାପତ୍ରୟ-ଛତ୍ର । ଏ କଥା ଜଗତେ ବିଦିତ ୬୨
ତୋ ରୂପ ଗୁଣ ଅବତାର । ନିର୍ମଳ ବହେ ସୁଧାଧାର ୬୩
ତେଣେ ଲୋଭିତ ଯାର ଚିତ୍ତ । ସେ ନୋହେ କାଳଚକ୍ରେ ଗ୍ରସ୍ତ ୬୪
ତୋ କାଳଚକ୍ରର ମହିମା । କେ କରିପାରେ ଗୁଣ ସୀମା ୬୫
ଯାହାର ବ୍ରହ୍ମରୂପୀ ଅକ୍ଷ୍ୟ । ଭ୍ରମଣେ କେବା କରୁ ଲକ୍ଷ୍ୟ ୬୬
ତୃତୀୟ ଦଶ ଥର ହୋଇ । ତ୍ରିଶତଷଷ୍ଠୀ ପର୍ବ ଯହିଁ ୬୭
ଅନନ୍ତ ପତ୍ର ଷଟନେମୀ । ତ୍ରିନାଭି ଯେହୁ ବ୍ୟଗ୍ରଗାମୀ ୬୮
ଏ ରୂପେ ଧାମେ ଅବିରତେ । ପ୍ରାଣୀ ଆୟୁଷ ହରେ ନିତ୍ୟେ ୬୯
ଏମନ୍ତ କାଳ ରୂପ ଯେହି । ତୋ ଭକ୍ତେ ନ ପାରଇ ସେହି ୭୦
ତୁ ଏକରୂପୀ ଛନ୍ନଦେହା । ଜଗନ୍ମୋହିନୀ ତୋର ମାୟା ୭୧
ତେଣେ ଏ ସୃଷ୍ଟି ସ୍ଥିତି ଅନ୍ତ । ଯେସନେ ଉର୍ଣ୍ଣନାଭି ବତ ୭୨
କାମୀ ଅକାମୀ ମନ ପୂର୍ଣ୍ଣ । କରେ ତୋ ପାଦ କଳ୍ପଦ୍ରୁମ ୭୩
ତୋତେ ଜାଣନ୍ତି ଯେତେ ଜୀବେ । କର୍ମର ଭୋଗନାଶ ତେବେ ୭୪
ଆପଣେ ଆପଣା ମାୟାରୁ । ଏ ବିଶ୍ୱ ଆବର୍ତ୍ତିତ କରୁ ୭୫
ତୁହି ସକଳ କାମଦାତା । ନିଷ୍କାମ ଜନ ମୋକ୍ଷଦାତା ୭୬
ଏଣୁ ମୁଁ ନିଷ୍ଠା କାମ ବଳେ । ନମଇ ତୋ ପାଦ କମଳେ ୭୭
ଯେଣୁ ତୁ ଭକ୍ତି-ମୁକ୍ତିଦାତା । ତୋ ପାଦେ ନମୁଁ ଦୁଃଖ ହର୍ତ୍ତା ୭୮
ଭୋ ନାଥ ତୋହର ମହିମା । କେ କହିପାରେ ଗୁଣସୀମା ୭୯

ମୈତ୍ରେୟ ଉବାଚ

ଏମନ୍ତ ମୁନି ବାକ୍ୟ ଶୁଣି । ଗରୁଡ ସ୍କନ୍ଧେ ଚକ୍ରପାଣି ୮୦
ଜ୍ୟୋତି ସ୍ୱରୂପ ଶୂନ୍ୟେ ଥାଇ । କହନ୍ତି ମୁନି ମୁଖ ଚାହିଁ ୮୧

ଭଗବାନ ଉବାଚ

ଶୁଣ ହୋ ପ୍ରଜାପତି ସୁତ । ମୁହିଁ ଜାଣିଲି ତୋର ଚିତ୍ତ । ୮୨
ତୁ ଯେଣୁ ପୂଜି ମୋ ଚରଣ । କଳ୍ପିଲୁ ସୃଷ୍ଟିର କାରଣ । ୮୩
ଯହିଁ ତୋହାର ମନଯୋଗ । ପୂର୍ବେ କରିଛି ତା ସଂଯୋଗ । ୮୪
ଅବଶ୍ୟ ତାହା କରିବଇଁ । ମୋ ପୂଜା ବିଅର୍ଥେ ନ ଯାଇ । ୮୫
ତୁ ଏବେ ସାବଧାନେ ଶୁଣ । କହିବା ତହିଁର କାରଣ । ୮୬
ଯେ ପୂର୍ବେ ପଦ୍ମଯୋନି ତନୁ । ସମ୍ଭୂତ ସ୍ୱାୟମ୍ଭୁବମନୁ । ୮୭
ଯେ ପ୍ରଜାପତିଙ୍କର ପତି । ଯାହାର ସଦାଚାର ଖ୍ୟାତି । ୮୮
ଏ ବ୍ରହ୍ମାବର୍ତ୍ତେ ରାଜା ହୋଇ । ପାଳଇ ସପ୍ତଦ୍ୱୀପା ମହୀ । ୮୯
ସେହି ଧର୍ମଜ୍ଞ ମନୁ ତୋତେ । ଆସିବେ ଦେଖିବା ନିମନ୍ତେ । ୯୦
ତାହାର ଶତରୂପା ନାରୀ । ରୂପେ କମଳା ନୋହେ ସରି । ୯୧
ସେ ବେନିଜନେ ଏକ ରଥେ । ତୋ ରୂପ ଦେଖିବାର ଅର୍ଥେ । ୯୨
ତୋହର ସମୀପେ ସାକ୍ଷତେ । ମିଳିବେ ବେନିଦିନ ଅନ୍ତେ । ୯୩
ତାର ଦୁହିତା ଦେବହୂତି । ରୂପେ ସମାନ ନୋହେ ରତି । ୯୪
ତାର ବୟସ ରୂପ ଗୁଣେ । ଅପରେ କେ ଅଛି ପ୍ରମାଣେ । ୯୫
ତା ରୂପ ଅତି ମନୋହର । ତୁ ତାହା ଅନୁରୂପେ ବର । ୯୬
ସେ କନ୍ୟା ସମର୍ପିବ ତୋତେ । ଯେ ବିଧିବିଧାନ ଉକତେ । ୯୭
ତୁ ମୋ ଚରଣେ ଚିତ୍ତ ଦେଇ । ଯେତେ ବରଷ ତପ ଦାହି । ୯୮
ନିରତେ କଲୁ ଆତ୍ମଯୋଗ । ଏବେ ବିଷୟ ଅନୁଭୋଗ । ୯୯
ମନୁ-ଦୁହିତା ତୋର ସଙ୍ଗେ । ନିରତେ ଭଜୁ ଅନୁରାଗେ । ୧୦୦
ସେ ତୋର ତୁଲେ କରି ଭାବ । ନବଧା-ଗର୍ଭ ପ୍ରସବିବ । ୧୦୧
ତୋହର ବୀର୍ଯ୍ୟେ ଯେତେ କନ୍ୟା । ଜନ୍ମିବେ ରୂପଗୁଣେ ଧନ୍ୟା । ୧୦୨
ତାହାଙ୍କ ଗର୍ଭେ ଋଷିଗଣ । କଳ୍ପିବେ ବହୁତ ସନ୍ତାନ । ୧୦୩
ତୋହର ଗୁଣ ଅନୁପମ । ହୋଇବେ ଅନୁମତ ନାମ । ୧୦୪
ତୁ ଯେ ମୋ ଆଜ୍ଞା ଶିରେ ଧରି ।ମୋତେ ତୁ ତୀର୍ଥପ୍ରାୟ କରି । ୧୦୫
ଅଶେଷ କର୍ମଫଳ ଦେଇ । ମୋତେ ପାଇବୁ ତେଣୁ ତୁହି । ୧୦୬
ଅଶେଷଭୂତେ ତୋର ଦୟା । ତୋତେ ନ ଲାଗୁ ବିଷ୍ଣୁ ମାୟା । ୧୦୭
ଆତ୍ମାରେ ଜଗତ ଆରୋପି । ତୁ ଯେ ମୋହାର ଭାବେ ବ୍ୟାପି । ୧୦୮
ଆତ୍ମା ସହିତେ ସର୍ବଭୂତ । ମୋଠାରେ ହୋଇଛି ମିଳିତ । ୧୦୯
ତପ ସାଧିଲୁ ଚିରକାଳେ । ଏ ଘୋର ସଂସାର ଉଲ୍ଲୋଳେ । ୧୧୦
ତୁ ମୋତେ ଆତ୍ମାରେ ଦେଖିବୁ । ଜୀବନ ସଫଳ ଲଭିବୁ । ୧୧୧
ମୁଁ ପୁଣି ପଶି ତୋର ବୀର୍ଯ୍ୟେ। ସ୍ୱଭାବେ ବିଷ୍ଣୁଅଂଶ ତେଜେ । ୧୧୨
ତୋହାର କ୍ଷେତ୍ରେ ମୁଁ ସମ୍ଭୂତ । ହୋଇବି ଦେବହୂତି ସୁତ । ୧୧୩
ତତ୍ତ୍ବ ସଂହିତା ପ୍ରଣୟନ । କରିବି ହୋଇ ଅବତୀର୍ଣ୍ଣ । ୧୧୪

ମୈତ୍ରେୟ ଉବାଚ

ଏମନ୍ତ କହି ମୁନି ଆଗେ । ହରି ଚଳିଲେ ଶୂନ୍ୟମାର୍ଗେ । ୧୧୫
ଗମିଲେ ବିନ୍ଦୁସରୋବରୁ । ନିର୍ମଳ ସରସ୍ୱତୀ ତୀରୁ । ୧୧୬
ସେ ନଦୀତୀରେ ପୁଷ୍ପବନେ । ଗରୁଡ ପକ୍ଷୀ ନାଦ ସ୍ୱନେ । ୧୧୭
ଭୃଙ୍ଗ ସମୂହେ ବାୟୁ ବହେ । ଶୁଭଇ ସାମଗାନ ପ୍ରାୟେ । ୧୧୮
ଏମନ୍ତେ ଶୁଣ ହୋ ବିଦୁର । ସେ ସ୍ୱାୟମ୍ଭୁବ ମନୁବର । ୧୧୯
ସୁବର୍ଣ୍ଣ ଆଚ୍ଛାଦିତ ରଥେ । ଆରୋହି ପାରିଷଦ ଯେତେ । ୧୨୦
ସଙ୍ଗତେ ଘେନି ଦେବହୂତି । ଭୂମି ପର୍ଯ୍ୟଟନ କରନ୍ତି । ୧୨୧
ମିଳିଲେ କର୍ଦ୍ଦମ ଆଶ୍ରମେ । ବିଷ୍ଣୁର କହିଥିବା ଦିନେ । ୧୨୨
ନିର୍ମଳ ସରସ୍ୱତୀ ତୀରେ । ମିଳିଲେ ବିନ୍ଦୁ ସରୋବରେ । ୧୨୩
ଦେଖିଲେ କର୍ଦ୍ଦମ ଶରୀର । ତପ ସାଧନେ କୃଶତର । ୧୨୪
ପୂର୍ବେ ଯେ ସରସ୍ୱତୀ କୂଳେ । ବିଷ୍ଣୁ ମିଳିଲେ ଋଷିମେଳେ । ୧୨୫
ଦେଖି ତାହାଙ୍କ ଭକ୍ତିଭାବ । ତନୁ ପୁଲକ ପଦ୍ମନାଭ । ୧୨୬
ସ୍ୱଭାବେ ଭକ୍ତଜନବନ୍ଧୁ । ନୟନୁ ଅଶ୍ରୁ ଜଳବିନ୍ଦୁ । ୧୨୭
ପଡିଲା ସରସ୍ୱତୀ ନୀର । ତେଣୁ ବୋଲାଇ ବିନ୍ଦୁସର । ୧୨୮
ସେ ବନ ସାମାନ୍ୟ ନୋହର । ଯହିଁରେ ପ୍ରଭୁ ଭାବଗ୍ରାହୀ । ୧୨୯
କର୍ଦ୍ଦମ ପ୍ରତି ଦୟା କରି । ପତିତ କଲେ ନେତ୍ର ବାରି । ୧୩୦
ପୁଣ୍ୟ ପବିତ୍ର ସୁଧା ଜଳ । ସ୍ୱଭାବେ ନିର୍ମଳ ଶୀତଳ । ୧୩୧
ଯେ ପୁଣ୍ୟଜଳ ମୁନିଗଣେ । ସେବା କରନ୍ତି ଅନୁକ୍ଷଣେ । ୧୩୨
ପବିତ୍ର ଦ୍ରୁମଲତା ଘନେ । ନାଦ କରନ୍ତି ପକ୍ଷୀଗଣେ । ୧୩୩
କ୍ରୀଡନ୍ତି ନାନା ବନଜୀବେ । ଗଭୀର ଶୁଭେ ଭୃଙ୍ଗରବେ । ୧୩୪
ସକଳ ଋତୁ ଫଳ ନାହିଁ । ପୁଷ୍ପ ପଲ୍ଲବ ବିରାଜଇ । ୧୩୫
ମତ୍ତ-ମୟୂର ଯୂଥ ଯୂଥ । କୋକିଳ ରାବ ସୁଲଳିତ । ୧୩୬
ପ୍ରମତ୍ତ ଭ୍ରମର ନିକରେ । ନାନା ପ୍ରକାରେ କ୍ରୀଡ଼ା କରେ । ୧୩୭
କଦମ୍ବ ଚମ୍ପକ ଅଶୋକ । ନାଗକେଶ୍ୱର କୁରୁବକ । ୧୩୮
କରଞ୍ଜ ପନସ ଅସନ । କୁନ୍ଦ ମନ୍ଦାର ଚୂତବନ । ୧୩୯
ହଂସ ସାରସ ବକପନ୍ତି । ଜଳକୁକ୍କୁଟ ରାବ ଦ୍ୟନ୍ତି । ୧୪୦
ଚକୋର ଚକ୍ରବାକ ବାଣୀ । ଅତି ଗଭୀର ପରିମାଣି । ୧୪୧
ଗୟଳ ଶଲ୍ଲକ କୁଞ୍ଜର । କୁରଙ୍ଗ ହରିଣ ଶୂକର । ୧୪୨
ବାନର ଗୋଲାଙ୍ଗୁଳ ସାଜେ । ନକୁଳ କସ୍ତୁରୀ ବିରାଜେ । ୧୪୩
ସେ ତୀର୍ଥବରେ ଆଦିରାଜା । ରଥେ ମିଳିଲେ ମହାତେଜା । ୧୪୪
କଳତ୍ର ଦୁହିତା ସମେତେ । ପ୍ରବେଶ ହେଲା ରତ୍ନପଥେ । ୧୪୫
ଦେଖିଲା ମୁନିଙ୍କ ବଦନ । ସ୍ୱଭାବେ ଦ୍ରୁତ ହୁତାଶନ । ୧୪୬
ସ୍ୱଭାବେ ଘୋରତପ ତେଜେ । ସୁନ୍ଦର ଶରୀର ବିରାଜେ । ୧୪୭
ବିଷ୍ଣୁ ଜନ୍ମିବେ ଯା ଶରୀରେ । ସୁନ୍ଦର କେତେକ ମାତରେ । ୧୪୮
ଅମୃତ ତୁଲ୍ୟ ବିଷ୍ଣୁବାଣୀ । ସେ ମୁନି କର୍ଣ୍ଣପଥେ ଶୁଣି । ୧୪୯
ରୋମ ପୁଲକ କଳେବର । ନେତ୍ରେ ଆନନ୍ଦ ଅଶ୍ରୁଧାର । ୧୫୦
ଶିରେ ସୁନ୍ଦର ଶୋହେ ଜଟା । ବସନ ଚିରାଣି କାଛଟା । ୧୫୧
ସେ ମୁନି ମଳିନ ଯେ ଗାତ୍ର । ରତ୍ନ ଯେସନେ ଅସଂସ୍କୃତ । ୧୫୨
ଏମନ୍ତ ଦେଖି ନୃପମଣି । ସଙ୍ଗତେ ନିଜ ପତ୍ନୀ ଘେନି । ୧୫୩
ରଥୁ ତୁରିତେ ଅବତରି । ମୁନି ସମୀପେ ଦଣ୍ତଧାରୀ । ୧୫୪
ମିଳିଲେ ଯୋଡି ବେନିପାଣି । ପାଦେ ପ୍ରଣାମ କଲେ ପୁଣି । ୧୫୫
ଦେଖି ଉଠିଲେ ମୁନି ବେଗେ । ଆଶିଷ କଲେ ମନ୍ତ୍ରଯୋଗେ । ୧୫୬
ବିଷ୍ଣୁ ଆଦେଶ ଗୁଣି ମନେ । ଆନନ୍ଦ ଉଲ୍ଲୋଳ ଲୋଚନେ । ୧୫୭
ପୂଜିଲେ ବସାଇ ଆସନେ । କହନ୍ତି ଅମୃତ ବଚନେ । ୧୫୮
ରାଜ କୁଶଳ ପ୍ରଶ୍ନବାଣୀ । ସନ୍ତୋଷେ ପୁଚ୍ଛେ ବିପ୍ରମଣି । ୧୫୯

କର୍ଦ୍ଦମ ଉବାଚ

ତୋ ଆଗମନେ ନୃପବର । ଧନ୍ୟ ଏ ଆଶ୍ରମ ମୋହର । ୧୬୦
ତୁମ୍ଭ ଭ୍ରମଣ ଏ ଜଗତେ । ସାଧୁଜନଙ୍କ ରକ୍ଷା ଅର୍ଥେ । ୧୬୧
ଅସାଧୁଜନ ବିନାଶନେ । ନିଶ୍ଚଳେ ଧର୍ମର ସ୍ଥାପନେ । ୧୬୨
ରବି ଶଶାଙ୍କ ଅଗ୍ନି ଯମ । ଇନ୍ଦ୍ର ବରୁଣ ବାତ ଧର୍ମ । ୧୬୩
ଏ ଅଷ୍ଟ-ଦିଗପାଳ ତେଜ । ଏଣୁ କ୍ଷତ୍ରିୟ ଅଷ୍ଟଭୁଜ । ୧୬୪
ଏଣୁ ତୁମ୍ଭଙ୍କୁ ନମସ୍କାର । ତୁ ଧର୍ମମୂର୍ତ୍ତି ନୃପବର । ୧୬୫
ରଥ ଆରୋହି ତୋ ବିହାର । ଅସତଜନ ଗର୍ବ ହର । ୧୬୬
ଘୋର-ଗର୍ଜନ ଧନୁ-ରବେ । ଉଦ୍ଦଣ୍ତ ସଂଗ୍ରାମ ଉତ୍ସବେ । ୧୬୭
ବେଷ୍ଟିତ ଚତୁରଙ୍ଗ ବଳେ । କମ୍ପାଇ ଅବନୀ ମଣ୍ତଳେ । ୧୬୮
ସୂର୍ଯ୍ୟର ପ୍ରାୟେ ତେଜ ଧରି । ଖେଟ ଖର୍ବଟ ବନଗିରି । ୧୬୯
ଶତ୍ରୁ ବିନାଶେ ସାବଧାନେ । କ୍ଷତ୍ରିୟଧର୍ମ ଏ ପ୍ରମାଣେ । ୧୭୦
ଏହା ନ କରି ଯେବେ ଘରେ । ସୁଖଶୟନେ ନିଦ୍ରା କରେ । ୧୭୧
ତେବେ ଅସତ ରିପୁ ବଳ । ନାଶନ୍ତି ଭୁବନ ମଣ୍ତଳ । ୧୭୨
ତଥାପି ଶୁଣ ହେ ରାଜନ । ଯେ ଅର୍ଥେ ତୁମ୍ଭ ଆଗମନ । ୧୭୩
ତୁମ୍ଭର ପ୍ରିୟଭାବ ବହି । ସୁହୃଦ ଭାବେ କରିବଇଁ । ୧୭୪
ଏମନ୍ତ କହି ରାଜା ଆଗେ । କର୍ଦ୍ଦମ ଅତି ସଉଭାଗ୍ୟେ । ୧୭୫
ବିଷ୍ଣୁର ବଚନ ସୁମରି । ଅଧିକ ପ୍ରିୟଭାବ ଭାରି । ୧୭୬
ସେ ମୁନି ଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ୧୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ ଏକବିଂଶୋଽଧ୍ୟାୟଃ ।

ଦ୍ୱାବିଂଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ଏମନ୍ତେ ରାଜା ଗୁଣଗ୍ରାମ । ଆନନ୍ଦେ ବର୍ଣ୍ଣିଲେ କର୍ଦ୍ଦମ । ୧
ଶୁଣିଣ ଆପଣା ସୁଖ୍ୟାତି । ଲଜ୍ଜିତ ହୋଇଲେ ଭୂପତି । ୨
ବୋଇଲେ ମୁନି ମୁଖ ଚାହିଁ । ଶୁଣ କର୍ଦ୍ଦମ ଦୟାବହି । ୩

ମନୁ ଉବାଚ

ସେ ବେଦମୟ ବ୍ରହ୍ମାଆଗେ । ବେଦ ପ୍ରବୃତ୍ତି ଇଚ୍ଛାଯୋଗେ । ୪
ତପସ୍ୟା ବିଦ୍ୟା ଯୋଗଯୁକ୍ତ । ଲମ୍ପଟ ଭାବ ବିରହିତ । ୫
କରି ସୃଜିଲେ ଲୋକଗୁରୁ । ତୁମ୍ଭମାନଙ୍କୁ ସ୍ୱମୁଖରୁ । ୬
ଏଣୁ ପବିତ୍ର ତୁମ୍ଭ ଦେହୀ । ସୁବିଦ୍ୟାତପ ଛନ୍ଦମୟୀ । ୭
ଯୋଗ ସାଧନେ ଅଲମ୍ପଟ । ତୁମ୍ଭ ସାଧନ ସ୍ୱର୍ଗ-ବାଟ । ୮
ଏ ତୁମ୍ଭ ଧର୍ମରକ୍ଷା ଅର୍ଥେ । ସେ ପିତାମହ ଏ ଜଗତେ । ୯
ସହସ୍ରେ ଭୁଜ ତେଜ ଘେନି । ସୃଷ୍ଟି ପାଳନେ ପଦ୍ମଯୋନି । ୧୦
କ୍ଷତ୍ରିୟ ଜାତି ଭିଆଇଲା । ସେ ତେଜ ସୃଷ୍ଟି ଆବୋରିଲା । ୧୧
ଏ ବେନି ତେଜେ ବେନି ରହେ । ଧର୍ମ ପାଳନେ ଦେହ ବହେ । ୧୨
ଏଣୁ ତୁମ୍ଭର ଦରଶନେ । ସଂଶୟ ନରହେ ମୋ ମନେ ୧୩
ଯେଣୁ ଅନେକ ଭାଗ୍ୟ ମୋର । ଦେଖିଲି ତୁମ୍ଭର ଶରୀର ୧୪
ତୁମ୍ଭ ଚରଣରଜ-ନୀର । ପବିତ୍ର କଲା ମୋ ଶରୀର ୧୫
ପ୍ରାକୃତଜନ ମାନଙ୍କର । ଯେ ରୂପ ଅଟେ ଅଗୋଚର ୧୬
ତୁମ୍ଭର ଅନୁଗ୍ରହ ପାଇ । ପବିତ୍ର କଲି ନିଜ ଦେହୀ ୧୭
ତୁମ୍ଭର ବାକ୍ୟେ କର୍ଣ୍ଣପଥ । ନିଶ୍ଚଳ ହୋଏ କୃତକୃତ୍ୟ ୧୮
ମୁଁ ଏ ଦୁହିତା ସ୍ନେହେ ଜଡି । ଏ ମାୟାମୋହ ବନ୍ଧେ ପଡି ୧୯
ଏଣୁ ମୋହର ଦୁଃଖ ମନେ । କହିବି ଶୁଣ ସାବଧାନେ ୨୦
ମୋହର ଜ୍ୟେଷ୍ଠ ବେନିସୁତ । ଉତ୍ତାନପାଦ ପ୍ରିୟବ୍ରତ ୨୧
ତାଙ୍କ ଭଗିନୀ ଏ ସୁମୁଖୀ । ଏ ଦେବହୂତି ଚନ୍ଦ୍ରମୁଖୀ ୨୨
ଏହାର ଗୁଣ ଶୀଳ ସମେ । ପତି ଇଚ୍ଛଇ ନିଜ ଧର୍ମେ ୨୩
ତୁମ୍ଭର ରୂପ ଗୁଣ ଯେତେ । ନାରଦ ଏହାର ଅଗ୍ରତେ ୨୪
କହିଲେ ମୋହର ସାକ୍ଷାତେ । ତେଣୁ କଳ୍ପିଲା ଏହା ଚିତ୍ତେ ୨୫
ମୁଁ ଏବେ ଶ୍ରଦ୍ଧା ପ୍ରୀତି ଚିତ୍ତେ । ଘେନି ମିଳିଲି ତୋ ଅଗ୍ରତେ ୨୬
କନ୍ୟା ଗ୍ରହଣ ତୁମ୍ଭେ କର । ଶ୍ରଦ୍ଧାରେ ଦେଲି ଉପହାର ୨୭
ତୁ ଧର୍ମଜ୍ଞାନୀଙ୍କର ବର । ଗୃହସ୍ଥଧର୍ମ ଏବେ କର ୨୮
ତୋ ଗୃହାଶ୍ରମ କର୍ମମାନ । ସୁନ୍ଦର କରିବ ସାଧନ ୨୯
ଏଣେ ତୋ ପ୍ରତିବାଦ ନାହିଁ । ପୁଷ୍କଳଧର୍ମେ ଏହା କହି ୩୦
ଉଦ୍ୟତଭୋଗ ଯେବେ ଛାଡି । ଯେ ଯାନ୍ତି ଭିକ୍ଷୁପଥ ମାଡି ୩୧
ଯେ ଯଶମାନ ତାର ଥାଇ । ଅବଜ୍ଞା ବଶେ ନ ରହଇ ୩୨
ତୁମ୍ଭର ବ୍ରହ୍ମଚର୍ଯ୍ୟବ୍ରତ । ଅବଧି ହେଲା ସମାପତ ୩୩
ବିବାହ କରିବାର ପାଇଁ । ଶୁଣିଲୁ ଇଚ୍ଛା ବଳିଛଇଁ ୩୪
ଏବେ ତୁ ଗୃହମେଧି ଧର୍ମ । କର ସଫଳ ଏ ଉଦ୍ୟମ ୩୫
ଏ ଦେବହୂତି କନ୍ୟା ମୋର । ବେଦ ପ୍ରମାଣେ ବିଭାକର ୩୬
ଏମନ୍ତ ମନୁବାକ୍ୟ ଶୁଣି । କŸର୍ଦ୍ଦମ ହୃଦେ ପରିମାଣି ୩୭
ବୋଲନ୍ତ ମନୁ ମୁଖ ଚାହିଁ । ଆନନ୍ଦଚିତ୍ତେ ଦେହ ବହି ୩୮

କର୍ଦ୍ଦମ ଉବାଚ

ତୁମ୍ଭର ଆଜ୍ଞା ଶିରୋ ଧରି । ଏ ଦେବହୂତି ବିଭାକରି ୩୯
ରମିବି ସଂସାର ଧାରଣେ । ଆତ୍ମାର ଉତ୍ପତ୍ତି କାରଣେ ୪୦
ଯେ ମନୁରାଜାର ଦୁହିତ । ଉତ୍ତାନପାଦ ଯାର ଭ୍ରାତ ୪୧
ଏ ଗୁଣବତୀ କନ୍ୟାସାର । କି ଅବା ଦେବା ପଟାନ୍ତର ୪୨
ମୋହର କର୍ମେ ଏ ବିଦିତ । ସୁନ୍ଦର ଗୁଣ ବର୍ଣ୍ଣ‌ଯୁକ୍ତ ୪୩
ଏଣୁ ଏ ଲଳନା ଲଲାମ । ଏହାର ଗୁଣ ଅନୁପମ ୪୪
କେ ତାହା ଛାଡି ଅବା ପାରେ । ଶରୀର ବହି ଏ ସଂସାରେ ୪୫
କରିବି ଦାର ପରିଗ୍ରହ । ତୁମ୍ଭେ ମୋହରେ ସ୍ନେହ ବହ ୪୬
କିନ୍ତୁ ଏ ନିୟମ ମୋହର । ଶୁଣ ହେ ଧର୍ମପାଳ ବର ୪୭
ଯାବତ ଏହା କୋଳେ ଜାତ । ସୁନ୍ଦର ଗୁଣବନ୍ତ ପୁତ୍ର ୪୮
ତାବତ ଗୃହାଶ୍ରମ ରହି । ତହୁଁ ସନ୍ନ୍ୟାସ କରିବଇଁ ୪୯
ତୁମ୍ଭ ବଚନ ମାନ୍ୟ ମୋର । ଯେ ଭାବେ ଜନ ଉପକାର ୫୦
ପିତ୍ରାଦି ଋଣ ଶୋଧ କରି । ପରେ ସନ୍ନ୍ୟାସ ଅନୁସରି ୫୧
ଏମନ୍ତ ବିଷ୍ଣୁ ଅନୁମତି । ତୁମ୍ଭଙ୍କୁ କହିଲି ସମ୍ପ୍ରତି ୫୨

ମୈତ୍ରେୟ ଉବାଚ

ଏମନ୍ତେ ବିପ୍ର ବାକ୍ୟ ଶୁଣି । ସନ୍ତୋଷ ଚିତ୍ତେ ରାଜା-ରାଣୀ ୫୩
ମୁନିଙ୍କି ବରବେଶ କରି । ବେଦ-ବିଧାନେ କନ୍ୟା ବରି ୫୪
ତାପସ ଶ୍ରେଷ୍ଠ ମୁନିବରେ । ହରଷେ ପ୍ରଫୁଲ୍ଲ ଅନ୍ତରେ ୫୫
ବିବାହ ଦେଇ ସେ ଉ›ତ୍ସୁକ । ଅନେକ ଦେଲେ ଯଉତୁକ ୫୬
ଅମୂଲ୍ୟ ବସନ ଭୂଷଣ । ଗୃହ ପୁଷ୍କଳ ମହୀ ଧନ ୫୭
ଝିଅ ଜୁଆଇଁ ପ୍ରୀତି ଅର୍ଥେ । ସେ ରାଣୀ ଦେଲେ ବହୁମତେ ୫୮
ସକଳ ଦେଇ ମୁନିଜନେ । ବୋଧିଲେ ଅମୃତ ବଚନେ ୫୯
ଆନନ୍ଦ ଚିତ୍ତେ ଦଣ୍ତଧାରୀ । ମୁନିଙ୍କି ଆଲିଙ୍ଗନ କରି ୬୦
କଣ୍ଠ କୁଣ୍ଠିତ ଅଶ୍ରୁ ମୁଖେ । ଦୁହିତା ସ୍ନେହଭଙ୍ଗ ଦୁଃଖେ ୬୧
ହେ ମାତ ବୋଲି ଅଶ୍ରୁ ମୁଖ । ଦୁହିତା ଦୁଃଖେ ଅତି ଦଃଖ ୬୨
ଦୁହିତା କେଶ ନେତ୍ର ଜଳେ । ଅତି କାତରେ ଆର୍ଦ୍ର କଲେ ୬୩
ମୁନିଙ୍କି କନ୍ୟାଦାନ ଦେଇ । ଆନନ୍ଦେ କୃତକୃତ୍ୟ ହୋଇ ୬୪
ରଥ ଆରୋହୀ ବେନି ଜନେ । ଗଲେ ସେ ଆପଣା ଭୁବନେ ୬୫
ସେ ପୁଣ୍ୟନଦୀ ସରସ୍ୱତୀ । ଅତି ଶୋଭନ ତଟବତୀ ୬୬
ସେ ଋଷିକୂଲ୍ୟା ନଦୀ ତଟେ । ଅନେକ ଋଷି ଯା ନିକଟେ ୬୭
ପର୍ଣ୍ଣ କୁଟୀର ସେ ଭିଆଇ । ସୁଦୃଢେ କୁଶ କାଶ ଛାଇ ୬୮
ସେ ନଦୀତୀରେ ସୁଖେ ରହି । ବିଷ୍ଣୁ ଭଜନେ ଯଜ୍ଞ ଦାହି ୬୯
ତା ତଟେ ମୁନିଙ୍କ ଆଶ୍ରମ । ଦେଖି ତା ଶୋଭା ଅନୁପମ ୭୦
ମନୁର ଚିତ୍ତ ତୃପ୍ତ ହେଲା । ସ୍ୱଗୃହ ମାର୍ଗେ ଚଳିଗଲା ୭୧
ସେ ବ୍ରହ୍ମାବର୍ତ୍ତ ପ୍ରଜାଜନେ । ମନୁ ଆସନ୍ତେ ସ୍ୱଭୁବନେ ୭୨
ହରଷେ ରାଜାର ଅଗ୍ରତେ । ମିଳିଲେ ବାଦ୍ୟ ସ୍ତୁତି ରୀତେ ୭୩
ଯା ନା ବର୍ହିଷୃତି ପୁରୀ । ତହିଁ ବିଜୟେ ଦଣ୍ତଧାରୀ ୭୪
ବରାହ ଅଙ୍ଗର କମ୍ପନେ । ରୋମ ପଡ଼ିଲା ଯେଉଁ ସ୍ଥାନେ ୭୫
ସେ କୁଶ କାଶ ହୋଇ ଯହିଁ । ନିତ୍ୟେ ହରିର ତେଜ ବହି ୭୬
ପୂର୍ବେ ଋଷିଏ ଯେଣେ କରି । ଅସୁରଙ୍କର ଦର୍ପ ହରି ୭୭
ଯେ ଯଜ୍ଞ ବିଷ୍ଣୁ ପାଦତଳେ । ଯଜ୍ଞେ ପୂଜିଲେ ଏକ ମେଳେ ୭୮
ସେ ମନୁ ସ୍ଥାନ ତହିଁ ପାଇ । ଯଜ୍ଞପୁରୁଷ ଯଜ୍ଞେ ଦାହି ୭୯
ପୁର ନିର୍ମିତ କୁଶ କାଶେ । ସେ ସ୍ଥାନେ ତାପତ୍ରୟ ନାଶେ ୮୦
ସେ ଗୃହେ ପତ୍ନୀ ତୁଲେ ରହି । ସନ୍ତତି ସହ ପ୍ରିୟ ବହି ୮୧
କଳ୍ପିତ ସୁଖ ବଇଭୋଗେ । ସେ ପ୍ରଜାଅର୍ଥେ ରତି ରଙ୍ଗେ ୮୨
ସୁସ୍ୱର ଗୀତ ନାଦ ଧ୍ୱନି । ଗନ୍ଧିର୍ବେ ସ୍ତୀରୀବୃନ୍ଦ ଘେନି ୮୩
ସଙ୍ଗୀତ ରସ ବୀଣା ନାଦେ । ଲଳିତ ଗୀତ ଅନୁବାଦେ ୮୪
ପ୍ରତି ଦିବସ ରାତ୍ରି ଅନ୍ତେ । କୃଷ୍ଣଚରିତ ହୃଦଗତେ ୮୫
କର୍ଣ୍ଣେ ଶୁଣନ୍ତି ଧ୍ୟାନ କରି । ଚିତ୍ତେ ଗୋବିନ୍ଦ ଭାବ ଭରି ୮୬
ନିରତେ କୃଷ୍ଣନାମ ଘୋଷେ । ସେ ବେନିଜନେ ଗୃହବାସେ ୮୭
ବିଷ୍ଣୁ ଚରିତ ହୃଦେ ଭରି । ନାମ ଶ୍ରବଣେ ଆଶା କରି ୮୮
ସେ ମନୁ ଯୋଗମାୟା ଭୋଗେ । ଥିଲେ ହେଁ ତାହାଙ୍କୁ ନ ଲାଗେ ୮୯
ଜାଗ୍ରତ ସ୍ୱପ୍ନ ଯେ ସୁଷୁପ୍ତି । ତାହାକୁ କେହି ନ ବାଧନ୍ତି ୯୦
ଯେଣୁ ସେ ହରି ପରାୟଣ । ଅଟଇ ମନୁ ନୃପରାଣ ୯୧
କୃଷ୍ଣର କତା କର୍ଣ୍ଣେ ଶୁଣେ । ତା ରୂପ ଧ୍ୟାନେ ପରିମାଣେ ୯୨
ମୁଖେ ରଟନ୍ତି ନାମ ତାର । ତା କଥା କହି ନିରନ୍ତର ୯୩
ଏମନ୍ତେ ନିଜ ମନ୍ୱନ୍ତର । ଯେ ଯୁଗଗଣନା ବେଭାର ୯୪
ଏକସପ୍ତତି ଚତୁର୍ଯୁଗେ । ହୋଇଲା ମନ୍ୱନ୍ତର ଭୋଗେ ୯୫
ଏମନ୍ତେ ହରିଭାବ କରି । ତୃତୀୟ ତାପୁଁ ଯେ ନିସ୍ତରି ୯୬
ସେ ପୁଣି ମୁନିଙ୍କର ବୋଲେ । ବିବିଧ ଜ୍ଞାନ ହିଁ କହିଲେ ୯୭
ତ୍ରିବିଧ ବାଧା ଲୋକେ ଅଛି । ଭକ୍ତଙ୍କୁ ନ ଲାଗଇ କିଛି ୯୮
ମନୁର ବାଧା ହିଁ ନ ଥିଲା । ଯେଣୁ ହରିଙ୍କି ଆଶ୍ରେ କଲା ୯୯
ଶୁଣ ବିଦୁର ପୁଣ୍ୟଦେହା । କହିଲି ପଚାରିଲୁ ଯାହା ୧୦୦
ସେ ଆଦିରାଜ ମନୁ କଥା । ଶୁଣନ୍ତେ ତୁଟେ ଭବ ବ୍ୟାଥା ୧୦୧
ଏ ସୃଷ୍ଟି ଆଦିର କାରଣ । ଏବେ ହୋଇ ମନୁବଂଶ ଶୁଣ ୧୦୨
ତୃତୀୟ ସ୍କନ୍ଧେ ଭାବବତ । କହିଲା ଦାସ ଜଗନ୍ନାଥ ୧୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ ଦ୍ୱାବିଂଶୋଽଧ୍ୟାୟଃ ।

ତ୍ରୟୋବିଂଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ଏମନ୍ତେ କନ୍ୟା ବିଭା ଦେଇ । ମନୁ ଯେ ଗଲେ ରଥ ବାହି ୧
ଏବେ ହୋ ଶୁଣ କୁରୁନାଥ । କŸର୍ଦ୍ଦମମୁନୀଙ୍କ ଚରିତ ୨
ସେ ନଦୀତୀରେ ପୁଣ୍ୟ ବନେ । ଦୃଢେ ରହିଲେ ତପସ୍ଥାନେ ୩
ତାହାଙ୍କ ପତ୍ନୀ ଦେବହୂତି । ସୁନ୍ଦର ସୁଗୁଣ ସୁମତି ୪
ସ୍ୱାମୀର ମନ ଜାଣି ଚିତ୍ତେ । ସେବା କରଇ ଅନୁବ୍ରତେ ୫
ଇଙ୍ଗିତ ମାତ୍ରେ ଆଜ୍ଞା ବହେ । ଭବାନୀ ଭବସେବା ପ୍ରାୟେ ୬
ବିଶ୍ୱାସ ଆତ୍ମ-ଶୌଚ ଧର୍ମେ । ଧୀର ଗୌରବ ସମ ଦମେ ୭
ଶୁଶୂଷା ସହୃଦୟ ପ୍ରେମେ । ମଧୁରବାକ୍ୟେ ସୁସଂଭ୍ରମେ ୮
ବର୍ଜିତ କାମ ମଦ ହିଂସା । ଦମ୍ଭ ଗର୍ବିତ ମିଥ୍ୟାଭାଷା ୯
ଉଦ୍ୟମ ନିରଳସ ମତି । ସ୍ୱାମୀ ସନ୍ତୋଷେ ମନ ସ୍ଥିତି ୧୦
ମନୁ ତନୟା ଦେବହୂତି । ଦେବ ସମାନେ ମଣେ ପତି ୧୧
ପତିର ଆଶୀର୍ବାଦ ଲାଭ । କରିବା ପାଇଁ ତାର ଲୋଭ ୧୨
ତେଣୁ ପତିର ସେବା ନିତ୍ୟେ । କରଇ ଭକ୍ତିଭାବେ ଚିତ୍ତେ ୧୩
ଏମନ୍ତେ ଦେବହୂତି ଚାହିଁ । ମୁନି ସାନନ୍ଦେ ସ୍ନେହ ବହି ୧୪
ପତି ଦେବତାର ଆଶିଷେ । ନିରତେ ସେବେ ସ୍ୱାମୀ ପାଶେ ୧୫
ତାହାର ପତିବ୍ରତା ଧର୍ମ । ଦେଖି ବିଚାରଇ କŸର୍ଦ୍ଦମ ୧୬
ଏ ପତବ୍ରତାଙ୍କର ସାର । ସୁଶୀଳ ସୁଗୁଣ ଗମ୍ଭୀର ୧୭
ଏମନ୍ତ ଗୁଣ ମନେ ଗୁଣି । ସପ୍ରେମେ ଗଦଗଦ ବାଣୀ ୧୮
ନିଜ କାମିନୀ ସୁଖ ଚାହିଁ । କŸର୍ଦ୍ଦମ କହେ ପ୍ରେମ ବହି ୧୯

କŸର୍ଦ୍ଦମ ଉବାଚ

ଶୁଣ ସୁନ୍ଦରି ମୋ ବଚନ । ମୋର ବିଷୟେ ତୋର ମନ ୨୦
ଦେଖି ସନ୍ତୋଷ ମୋର ଚିତ୍ତ । ତୁ ଅନୁବ୍ରତେ ମୋର ଭକ୍ତ ୨୧
ପ୍ରାଣୀମାନଙ୍କ ନିଜ ଦେହ । ସୁହୃଦ ପ୍ରିୟ ଅତି ସ୍ନେହ ୨୨
ସେ ଦେହେ ତୋର ଯତ୍ନ ନାହିଁ । ମୋହରି ଅର୍ଥେ ମନ ଦେଇ ୨୩
ସ୍ୱଧର୍ମ ରତ ପ୍ରାଣୀଙ୍କର । ତପ ସମାଧି ବିଦ୍ୟାସାର ୨୪
ସୁଦୃଢ କର୍ମ ଆତ୍ମଧ୍ୟାନ । ଜୀବଙ୍କ ହିତ ତତ୍ତ୍ବଜ୍ଞାନ ୨୫
ଏ ସର୍ବ ଗୋବିନ୍ଦ ପ୍ରସାଦେ । ମୁଁ ଯେ ସାଧିଲି ନିରାପଦେ ୨୬
ତୋତେ ମୁଁ ଦିବ୍ୟଚକ୍ଷୁ ଦାନ । କଲି ତୁ ଦେଖ ବିଦ୍ୟମାନ ୨୭
ଏ ସର୍ବ ତୋହର ସୁସାଧ୍ୟ । ତୁ ଏବେ ଭଜ ବିଷ୍ଣୁପାଦ ୨୮
ଗୋବିନ୍ଦୁ ଯେବା ଭୋଗ ପାଇ । ସେ ଭୋଗେ ଭୟ ଶୋକ ନାହିଁ ୨୯
ଅନ୍ୟ ଅନେକ ଅଛି ଭୋଗ । କିନ୍ତୁ ସେ ତୋର ନୋହେ ଯୋଗ୍ୟ ୩୦
ତୁ ସିଦ୍ଧ ହେଲୁ ନିଜ କର୍ମେ । ଆପଣା ପତିବ୍ରତା ଧର୍ମେ ୩୧
ଏଣୁ ତୁ ଦିବ୍ୟଭୋଗ କର । ଯାହା ଦୁଷ୍ପ୍ରାପ୍ୟ ମାନବର ୩୨
ଏ ବିନେ ଅନ୍ୟ ଭୋଗ ଯେହି । କି କାର୍ଯ୍ୟ ତୁଚ୍ଛ ସେ ଅଟଇ ୩୩
ଅଧିକ ଗୁଣ କିବା କହି । ସର୍ବ ସମ୍ପଦ ଯେଣେ ପାଇ ୩୪
ସେ ହରି-ଚରଣପଙ୍କଜ । ନିର୍ମଳଚିତ୍ତେ ଏବେ ଭଜ ୩୫

ମୈତ୍ରେୟ ଉବାଚ

ଏମନ୍ତ କŸର୍ଦ୍ଦମ ବଚନେ । ସେ ଦେବହୂତି ତୋଷମନେ ୩୬
ଭର୍ତ୍ତା ବଦନ ଚାହିଁ କହେ । ଗଭୀର ବାକ୍ୟ ସୁଧାମୟେ ୩୭

ଦେବହୂତି ଉବାଚ

ଭୋ ନାଥ ତୁମ୍ଭର ପ୍ରସାଦେ । ତୁମ୍ଭ ଚରଣେ ଅପ୍ରମାଦେ ୩୮
ନିରତେ ହେଉ ମୋର ସେବା । ପ୍ରସନ୍ନେ ମୋତେ ଆଜ୍ଞା ଦେବା ୩୯
ତୁମ୍ଭେ ମୋହାର ତୁଲେ ଏବେ । ଗୃହସ୍ଥ ଧର୍ମେ ପ୍ରିୟଭାବେ ୪୦
ଅତୁଲ୍ୟ ଧର୍ମ ଭୋଗ କର । ଯେ ଧର୍ମ କାମଧେନୁ ସାର ୪୧

ମୈତ୍ରେୟ ଉବାଚ

ଏମନ୍ତେ ପତ୍ନୀର ବଚନ । କର୍ଦ୍ଦମ ଶୁଣି ତୋଷମନ ୪୨
ପ୍ରିୟା କଳ୍ପିତ ମନ ଜାଣି । ଚିତ୍ତେ ବିଚାରି ବିପ୍ରମଣି ୪୩
ବିଶ୍ୱକର୍ମାଙ୍କୁ ମନେ ସ୍ମରି । ବିମାନ ତପବଳେ କରି ୪୪
ଯହିଁ କଳ୍ପିତ ବସ୍ତୁଯୁତ । ଅଶେଷ ରତ୍ନେ ସେ ନିର୍ମିତ ୪୫
ମଣି ନିର୍ମିତ ସ୍ତମ୍ଭକୂଳେ । ସକଳ ଋତୁ ପୁଷ୍ପ ଫଳେ ୪୬
ଦେବଙ୍କ ଦିବ୍ୟଭୋଗ ଯହିଁ । ସର୍ବଦାକାଳ ସୁଖମୟୀ ୪୭
ବିଚିତ୍ର ଚିତ୍ର ହେମମୟେ । ଚିତ୍ର ପତାକା ଧ୍ୱଜ ଶୋହେ ୪୮
ସୁଗନ୍ଧ ପୁଷ୍ପ ମାଳେମାଳେ । ଯେ ରଥେ ଲମ୍ବଇ ଗହଳେ ୪୯
ଗଭୀର ଭୃଙ୍ଗନାଦ ଶୋହେ । ପାଟବସନ ମନ ମୋହେ ୫୦
ଉପରେ ନୀଳ ରତ୍ନମଣି । ବିରାଜେ ରବିତେଜ ଜିଣି ୫୧
ସେ ରଥେ ସୁବର୍ଣ୍ଣ ପଲଙ୍କେ । କୋମଳ ଶଯ୍ୟା ଶୋହେ ରଙ୍ଗେ ୫୨
ବିଶ୍ୱକର୍ମାର ଶିଳ୍ପୀପଣ । ଯେ ରଥ କରିଛି ଘଟଣ ୫୩
ମହାମର୍କତ ସ୍ତମ୍ଭ ଯହିଁ । ବିଦ୍ରୁମ-ବେଦୀ ବିରାଜଇ ୫୪
ଯେଦ୍ୱାରେ ବିଦ୍ରୁମ ଦେହଳୀ । ହୀରା କବାଟ ଯହିଁ କିଳି ୫୫
ଶିଖରମାନ ସ୍ୱର୍ଣ୍ଣକୁମ୍ଭେ । ବିରାଜେ ଇନ୍ଦ୍ରନୀଳ-ସ୍ତମ୍ଭେ ୫୬
ଜଳନ୍ତି ପଦ୍ମରାଗ-ଦୀପେ । ବିଚିତ୍ରଚିତ୍ରେ ଚନ୍ଦ୍ରାତପେ ୫୭
ହେମତୋରଣେ ହାର ଲମ୍ବେ । ପାଟ-ଦୋଳିକା ରତ୍ନସ୍ତମ୍ଭେ ୫୮
ଶ୍ୱେତ ହଂସକ ପାରାବତ । ରାବ କହନ୍ତି ଉନମତ୍ତ ୫୯
ବିମାନଶିଖେ ଜଳାରନ୍ଧ୍ରେ । ଧୂମ ନିର୍ଗତ ଧୂପ ଗନ୍ଧେ ୬୦
ବିହାର ଶଯ୍ୟା ଆଦି ସ୍ଥାନ । ସୁବର୍ଣ୍ଣ ନିର୍ମିତ ପ୍ରାଙ୍ଗଣ ୬୧
ନାନା ବିଶ୍ରାମ ସ୍ଥାନ ଶୋହେ । ଦେଖି ଦେବଙ୍କ ମନ ମୋହେ ୬୨
ଏମନ୍ତ ଦିବ୍ୟପୁର ଚାହିଁ । ସନ୍ତୋଷ ଲଭେ ନେତ୍ରଦୁଇ ୬୩
ଆପଣା ଦେହ ହୀନ କାନ୍ତି । ତୋଷ ନୋହିଲା ଦେବହୂତି ୬୪
କŸର୍ଦ୍ଦମମୁନି ପତ୍ନୀ ଚାହିଁ । ଅମୃତ ବଚନ ବୋଲଇ ୬୫
ସେ ସର୍ବ ପ୍ରାଣୀ ଚିତ୍ତ ଜାଣେ । ତପ ସମାଧି ବିଦ୍ୟା ଗୁଣେ ୬୬

କର୍ଦ୍ଦମ ଉବାଚ

ସୁନ୍ଦରୀ ଶୁଣ ମୋ ବଚନ । ଏ ତୀର୍ଥେ ତୋଷେ କର ସ୍ନାନ ୬୭
ବିମାନେ ସୁଖେ ବିଜେ କର । ଚିତ୍ତେ ଗୋବିନ୍ଦ ନାମ ସ୍ମର ୬୮
ଶୁକ୍ଳ ନିର୍ମିତ ତୀର୍ଥ ଏହି । ପ୍ରାଣୀଙ୍କି ସୁଖ ଫଳ ଦେଇ ୬୯
ଏମନ୍ତ ସ୍ୱାମୀର ବଚନେ । ସେ ଦେବହୂତି ତୋଷମନେ ୭୦
ମଳିନ ବସ୍ତ୍ର ପରିଧାନ । ହୃଦେ ଆଚ୍ଛାଦି ତୁଙ୍ଗ ସ୍ତନ ୭୧
ଶିରେ ଶୋଭିତ ଜଟାବେଣୀ । ସୁଗନ୍ଧ ଅଙ୍ଗେ ଲେପେ ଆଣି ୭୨
ପଶିଲା ସରସ୍ୱତୀ ନୀରେ । ଯେ ନୀର ସର୍ବପାପ ହରେ ୭୩
ଜଳେ ପ୍ରବେଶ କରି ପୁଣି । ଆଶ୍ଚର୍ଯ୍ୟେ ଦେଖିଲା ତରୁଣୀ ୭୪
ତକ୍ଷଣେ ସରୋବର ଜଳେ । ସହସ୍ରେ କନ୍ୟା ଏକମେଳେ ୭୫
ଉଠିଲେ ଦିବ୍ୟରୂପ ଧରି । ଜୟ ଶବଦ ମୁଖେ କରି ୭୬
ରୂପେ କି ଦେବା ପଟାନ୍ତର । ମୋହନ୍ତି ବ୍ରହ୍ମା ସୁର ନର ୭୭
କିଶୋର ବୟସୀ ଆନନ୍ଦେ । ବାସନ୍ତି ନୀଳୋତ୍ପଳ ଗନ୍ଧେ ୭୮
କନ୍ୟାଏ ଦେଖି ଜଳମଧ୍ୟେ । ସେ ଦେବହୂତିଙ୍କୁ ଆନନ୍ଦେ ୭୯
କପୋଳେ ଦେଇ ବେନିକର । ସ୍ୱଭାବେ କହନ୍ତି ମଧୁର ୮୦
ଆମ୍ଭେ ତୋହର ଦାସୀ ପଣେ । ସେବିବୁ ତୋହର ଚରଣେ ୮୧
ଏ ଯେ ତୋହର ଦିବ୍ୟକାୟ । କିବା କରିବୁ ଆଜ୍ଞା ଦିଅ ୮୨
ଏମନ୍ତ କହି କନ୍ୟାଗଣେ । ସେ ଦେବହୂତିର ଚରଣେ ୮୩
ତକ୍ଷଣେ ନମସ୍କାର କରି । ସର୍ବେ ହୋଇଲେ ପରିଚାରୀ ୮୪
ସୁଗନ୍ଧ ତାର ଅଙ୍ଗେ ବୋଳି । ଆନନ୍ଦେ ଦେଲେ ହୁଳହୁଳୀ ୮୫
ସ୍ନାନ କରାଇ ପୁଣ୍ୟନୀରେ । ମଣ୍ତିଲେ ନାନା ଉପହାରେ ୮୬
ନୂତନ ବସ୍ତ୍ରଯୁଗ ଦେଲେ । ବିବିଧ ଅଳଙ୍କାର ତୁଲେ ୮୭
ଅମୂଲ୍ୟ ମାଳ ରତ୍ନପନ୍ତି । ଚନ୍ଦ୍ରକିରଣେ ଝଟକନ୍ତି ୮୮
ଅନ୍ନ ବ୍ୟଞ୍ଜନ ଷଡ଼ରସେ । ଭୋଜନ କରାଇ ହରଷେ ୮୯
ସୁବାସ ଜଳେ ଆଚମନ । କରାଇ ସୁମୁଖ ବାସନ ୯୦
ଉତ୍ତମ ଶଯ୍ୟାରେ ବସାଇ । ଦର୍ପଣ ସମର୍ପିଲେ ନେଇ ୯୧
ମୁକୁରେ ଚାହିଁ ମୁଖଶୋଭା । ଶିରେ ଖଞ୍ଜିଲେ ପୁଷ୍ପଗଭା ୯୨
କର୍ପୂର କୁଙ୍କୁମ ସୁଗନ୍ଧେ । ଅଙ୍ଗେ ଲେପିଲେ ସେ ଆନନ୍ଦେ ୯୩
ଦୂର୍ବା ଅକ୍ଷତ ଗନ୍ଧ ଆଣି । ଆଶିଷ କନ୍ୟାଗଣେ ଭଣି ୯୪
ଏମନ୍ତେ ସର୍ବ ପରିବାରୀ । ସୁଲଗ୍ନେ ଶୁଦ୍ଧସ୍ନାନ କରି ୯୫
ଗଳେ ଆରୋପି ରତ୍ନହାର । ଚରଣେ ବାଜେଣି ନୂପୁର ୯୬
କଟୀ ଶୋଭିତ କାଞ୍ଚୀ ଦାମ । ହୃଦେ କାଞ୍ଚଲା ଅନୁପମ ୯୭
ଅମୂଲ୍ୟ ହାର ହୃଦେ ଶୋହେ । ରୂପେ କାମିନୀ ମନ ମୋହେ ୯୮
ଦେଖିଲେ ଭ୍ରୂଦ୍ୱୟ ସୁନ୍ଦର । ଶୋଭନ ଦଶନ ନିକର ୯୯
ନୟନେ ପଦ୍ମ ପରାଜିତ । ସୁନ୍ଦର ଅପାଙ୍ଗ ସଂଯୁତ ୧୦୦
ସୁନୀଳ ଅଳକା କପୋଳେ । ଶୋଭିତ ବଦନ ମଣ୍ତଳେ ୧୦୧
ଦର୍ପଣେ ନିଜ ଶୋଭା ଦେଖି । ସ୍ୱାମୀ ସ୍ମରିଲା ଶଶିମୁଖୀ ୧୦୨
ରୂପ ମୋହନ ପ୍ରିୟ ଭାବେ । ବାକ୍ୟ କହନ୍ତି ପିକ ରବେ ୧୦୩
ତକ୍ଷଣେ କନ୍ୟାଗଣ ତୁଲେ । ପ୍ରଜାପତିର ପାଶେ ମିଳେ ୧୦୪
ସ୍ୱାମୀର ଯୋଗଗତି ଦେଖି । ସଂଶୟ ଚିତ୍ତେ ଅଧୋମୁଖୀ ୧୦୫
ସମସ୍ତ ହେଲା କି ପ୍ରକାରେ । ଭାବି ବିସ୍ମୟ ତା ମନରେ ୧୦୬
ସଂଶୟ ଦେଖି ତାର ମନେ । ମୁନି ଜାଣିଲେ ଯୋଗଧ୍ୟାନେ ୧୦୭
ଅପୂର୍ବ ଶୋଭା ଦେଖି ତାର । ପ୍ରେମ ଜନ୍ମିଲା କŸର୍ଦ୍ଦମର ୧୦୮
ଆବୃତ ତୁଙ୍ଗ ବେନିସ୍ତନ । ଦେଖି ସନ୍ତୋଷ ମୁନି ମନ ୧୦୯
ତକ୍ଷଣେ ଧରି କନ୍ୟା ହସ୍ତ । ମୁନି ଆରୋହୀ ଦିବ୍ୟରଥ ୧୧୦
ସହସ୍ରେ ନାରୀଗଣ ମଧ୍ୟେ । ଉର୍ଦ୍ଧ୍ୱେ ଗମନ ବିଷ୍ଣୁପଦେ ୧୧୧
ସ୍ୱର୍ଗେ ଦେଖନ୍ତି ସୁରଦେବା । କି ଅବା ପଟାନ୍ତର ଦେବା ୧୧୨
ଯେସନେ ତାରାଗଣ ମଧ୍ୟେ । ଚନ୍ଦ୍ର ବିରାଜେ ବିଷ୍ଣୁପଦେ ୧୧୩
ଦେଖନ୍ତି ଅଷ୍ଟଦିଗପାଳେ । ବିମାନ ଅତି ଅନ୍ତରାଳେ ୧୧୪
ଇନ୍ଦ୍ରାଦି ଅଷ୍ଟଲୋକସ୍ଥାନେ । ମେରୁ ପର୍ବତ ଘୋରବନେ ୧୧୫
ସିଦ୍ଧ କିନ୍ନର କ୍ରୀଡ଼ା ଦେଶେ । ଗିରି ଗହ୍ୱର ଅଧିବାସେ ୧୧୬
ଏମନ୍ତେ ନାନା କ୍ରୀଡ଼ା ସ୍ଥାନେ । ବିମାନେ ମୁନି ତୋଷମନେ ୧୧୭
କୁବେର ପ୍ରାୟ ଅଷ୍ଟଦିଗେ । ଗମି ଭ୍ରମନ୍ତି ଅତିବେଗେ ୧୧୮
ଦେବ ଉଦ୍ୟାନ ବନ ଯେତେ । ମାନସସରର ସମେତେ ୧୧୯
ଏମନ୍ତେ ସନ୍ତୋଷେ ବିହରି । କାମିନୀ ସଙ୍ଗେ ସଙ୍ଗ କରି ୧୨୦
ରତ୍ନ ବିମାନ କାମଗତି । ଯେ ଭାବେ ଯେବା ପ୍ରଚରନ୍ତି ୧୨୧
ପବନ ଯେହ୍ନେ ସର୍ବଦେଶେ । କାମଗ ବିମାନ ପ୍ରକାଶେ ୧୨୨
ବିଷ୍ଣୁ ସନ୍ତୋଷ ପ୍ରାଣୀଙ୍କର । କିବା ସମ୍ପଦ ଅଗୋଚର ୧୨୩
ଏମନ୍ତେ ଦଶଦିଗ ଭ୍ରମି । ପଥିକ ପ୍ରାୟେ ପଥ ଶ୍ରମି ୧୨୪
ପୁଣି ମିଳିଲେ ନିଜଘରେ । ଗୃହସ୍ଥ ଧର୍ମର ବେଭାରେ ୧୨୫
ସେ ମୁନି ତପେ ଅନର୍ଗଳା । ଆତ୍ମାକୁ ନବରୂପ କଲା ୧୨୬
ପତ୍ନୀ ସଂଯୋଗେ ହୋଇ କାମୀ । ଅନେକ ସମ୍ବ›ତ୍ସର ରମି ୧୨୭
କେବେହେଁ କାମ ନ ପୂରିଲା । ମୁହୂର୍ତ୍ତେ ପ୍ରାୟ ଦିନ ଗଲା ୧୨୮
ଏମନ୍ତେ ଯୋଗର ପ୍ରଭାବେ । ରମିଲେ ଦମ୍ପତି ସ୍ୱଭାବେ ୧୨୯
ଶତେବରଷ ଦେବ ମତେ । ସୁଚିତ୍ତେ ରମିଲେ ନିଶ୍ଚିନ୍ତେ ୧୩୦
ଏମନ୍ତେ ପ୍ରଜାପତି ରେତେ । ସେ ଦେବହୂତି ଗର୍ଭଗତେ ୧୩୧
ନବକୁମାରୀ ଉପୁଜିଲେ । ଶୁଭ ମଙ୍ଗଳ ଲଗ୍ନବେଳେ ୧୩୨
ସର୍ବେ ସୁରୂପା ରୂପ ମଧ୍ୟେ । ଶୋଣିତ ଉତ୍ପଳ ସୁଗନ୍ଧେ ୧୩୩
ଏମନ୍ତେ ନବକନ୍ୟା ଚାହିଁ । ସେ ଦେବହୂତି ବିଚାରଇ ୧୩୪
ଏ କି ଅଦ୍ଭୁତ କର୍ମ ମୋର । ଦଇବ ବଳେ ବଳିଆର ୧୩୫
ଏମନ୍ତ ସମୟେ ସେ ମୁନି । ସନ୍ନ୍ୟାସାଶ୍ରମ ମନେ ଗୁଣୀ ୧୩୬
ଗମନେ ହୋଇଲେ ପ୍ରବୃତ୍ତ । ତା ଦେଖି ଦେବହୂତି ଚିତ୍ତ ୧୩୭
ଅତୀବ ବ୍ୟାକୁଳିତ ହେଲା । ବାହ୍ୟେ ବିସ୍ମୟ ପ୍ରକାଶିଲା ୧୩୮
ବିକଳେ ପତି ପାଶେ ଯାଇ । ରହିଲା ଅଧୋମୁଖୀ ହୋଇ ୧୩୯
ଅଶ୍ରୁ ପୂରିତ ସେ ଲୋଚନେ । ବୋଲଇ ବିନୟ ବଚନେ ୧୪୦

ଦେବହୂତି ଉବାଚ

ଭୋନାଥ ତୁମ୍ଭର ପ୍ରସାଦେ । ସକଳ ସୁଖ ମୁଁ ଆନନ୍ଦେ ୧୪୧
ଭୁଞ୍ଜଇ ତବ ପାଦ ଧ୍ୟାୟି । ମୋହର ଚିତ୍ତେ ଚିନ୍ତା ନାହିଁ ୧୪୨
ଏବେ ମୋ ଗର୍ଭେ କନ୍ୟା ଦେଖି । ହୋଇଲି ମନଦୁଃଖେ ଦୁଃଖୀ ୧୪୩
ଯାହା ପ୍ରତିଜ୍ଞା ତୋର ଥିଲା । ତାହାତ ସମ୍ପୂର୍ଣ୍ଣ ହୋଇଲା ୧୪୪
ତୋ ପାଦେ ପଶିଲି ଶରଣ । ମୋତେ ଅଭୟ ଦିଅ ପୁଣ ୧୪୫
ସେବଇଁ ଚରଣେ ତୁମ୍ଭର । ମୋହର ମନଦୁଃଖ ହର ୧୪୬
ପୁତ୍ର ନୋହିଲା ମୋର ଗର୍ଭେ । ଏଣୁ ମୋ ମନ ଦୁଃଖେ ଭାବେ ୧୪୭
ଯେବା ହୋଇଲେ ନବନାରୀ । ଏ ଅନୁରୂପେ ବର ବରି ୧୪୮
ବିବାହ ଦିଅ ତୁମ୍ଭେ ସୁଖେ । ମୋ ଦୀନଭାବ ଯାଉ ସୁଖେ ୧୪୯
ତୁମ୍ଭେ ଯେ ବନେ ତପ କଲେ । ମୋ ମନ ନ ରହିବ ଭଲେ ୧୫୦
ଏଣୁ ମୋ ମନଦୁଃଖ ଭାବେ । ପୁତ୍ର ସମ୍ପାଦ ମୋର ଗର୍ଭେ ୧୫୧
ମୁଁ ଏତେ କାଳ ତୁମ୍ଭ ତୁଲେ । ବଞ୍ଚିଲି ନାନା ଭୋଗ ଭୋଳେ ୧୫୨
ଇନ୍ଦ୍ରିୟ ଭୋଗର ଲାଳସେ । ବଞ୍ଚିଲି ନାନା ଭୋଗ ରସେ ୧୫୩
ତୁମ୍ଭର ଅଙ୍ଗ ସଙ୍ଗ ମେଳେ । ଏ ଜନ୍ମ ଗଲା ମୋର ଭୋଳେ ୧୫୪
ଏ କର୍ମଭୂମି ମଧ୍ୟେ ମୁହିଁ । ଉତ୍ତମ-କୁଳେ ଜନ୍ମ ହୋଇ ୧୫୫
ଆତ୍ମାର ଗତି ନ ଜାଣଇଁ । ଏ ଦୁଃଖ ସୁଖ ମୁଁ ମଣଇଁ ୧୫୬
ତୁମ୍ଭ ସଙ୍ଗତେ ସଙ୍ଗ କରି । ହରି-ଭଜନ ମୁଁ ପାଶୋରି ୧୫୭
ହେ କାନ୍ତ ମୋତେ ଦୟା କର । ଏ ଭବସାଗରୁ ଉଦ୍ଧର ୧୫୮
ଭୟ ନିବାର ମୋର ଚିତ୍ତେ । ଏ ମାୟା ତରିବି ଯେମନ୍ତେ ୧୫୯
ବିଷୟା-ରସେ ଯାର ସଙ୍ଗ । ଆବୋରେ ସଂସାର-ତରଙ୍ଗ ୧୬୦
ତାର ନିସ୍ତାର ଆର କାହିଁ । କର୍ମ-ବନ୍ଧନେ ସେ ପଡ଼ଇ ୧୬୧
ବୁଡ଼ଇ ସଂସାର-ସାଗରେ । ସମ୍ଭବେ ଅଶେଷ ଉଦରେ ୧୬୨
ଏ ଭାବ ଜାଣି ଯାର ମନ । ବିଷ୍ଣୁ-ଭଜନେ ସାବଧାନ ୧୬୩
ସେ ଜୀବ ଆତ୍ମକୁ ଉଦ୍ଧରେ । ନ ବୁଡେ ସଂସାର-ସାଗରେ ୧୬୪
ଯେ ଇହଜନ୍ମ କର୍ମ-ଧର୍ମେ । ହରି ନ ଭଜେ ମାୟା ଭ୍ରମେ ୧୬୫
ଯେ ତୀର୍ଥପଦ ନ ସେବଇ । ଜୀବନ ଥାଉଁ ସେ ମରଇ ୧୬୬
ମୁଁ ଏ ଇନ୍ଦ୍ରିୟ ଭୋଗ ବଳେ । ବଞ୍ଚିଲି ବିଷ୍ଣୁମାୟା ଭୋଳେ ୧୬୭
ମୁଁ ତୁମ୍ଭ ପାଦେ ସେବା କରି । ମୋକ୍ଷେ ନୋହିଲି ଅଧିକାରୀ ୧୬୮
ଏବେ ଉପାୟ କହ ମୋତେ । ଏ ମାୟା ତରିବି ଯେମନ୍ତେ ୧୬୯

ମୈତ୍ରେୟ ଉବାଚ

ଏମନ୍ତେ କŸର୍ଦ୍ଦମ ସମ୍ମୁଖେ । ସେ ଦେବହୂତି ମନଦୁଃଖେ ୧୭୦
ଯେତେ କହିଲା ମନ-ତ୍ରାସ । ସୁଜନ ଜନେ ଏଥେଁ ରସ ୧୭୧
ତୃତୀୟସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ୧୭୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ କାପିଳେୟୋପଖ୍ୟାନେ ତ୍ରୟୋବିଂଶୋଽଧ୍ୟାୟଃ ।

ଚତୁବିଂଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ଏମନ୍ତ ପତ୍ନୀର ବଚନେ । କର୍ଦ୍ଦମ ଅତି ସାବଧାନେ । ୧
ଗୋବିନ୍ଦପାଦେ ମନଦେଇ । କହିଲେ ପତ୍ନୀ ମୁଖ ଚାହିଁ । ୨
ଶୁକ୍ଳ ବଚନ ସ୍ମରି ମନେ । କହନ୍ତି ଅମୃତ ବଚନେ । ୩

କର୍ଦ୍ଦମ ଉବାଚ

ହେ ପ୍ରିୟ ଶୁଣ ମୋ ଉତ୍ତର । ମନରେ ଖେଦ ତୁ ନ କର । ୪
ଏହି ନିକଟେ ତୋ ଉଦରେ । ଗୋବିନ୍ଦ ନର କଳେବରେ । ୫
ଜାତ ହୋଇବେ ତୋର ଭାବେ । ତୋ ବ୍ରତ ତପର ପ୍ରସ୍ତାବେ । ୬
ତୁ ବ୍ରତ ଦାନ ଧ୍ୟାନ କରି । ବିଷ୍ଣୁଚରଣ ହୃଦେ ଧରି । ୭
ଏ ମାୟାମୟ ସୁଖ ତେଜ । ତପେ ଗୋବିନ୍ଦପାଦେ ଭଜ । ୮
ସେ ଶୁକ୍ଳବର୍ଣ୍ଣ ତୋର ଭାବେ । ମୋହର ତପ ଫଳ ଲାଭେ । ୯
ସଂଶୟ ଗ୍ରନ୍ଥି ତୋର ଚିତ୍ତେ । ସେ ଦୃଢ଼ବନ୍ଧ କର୍ମଗତେ । ୧୦
ସେ ହରି ଜ୍ଞାନ ଉପଦେଶେ । ସର୍ବ ଛେଦିରେ ଅବଶେଷେ । ୧୧

ମୈତ୍ରେୟ ଉବାଚ

ସେ ପ୍ରଜାପତିର ସନ୍ଦେଶ । ବିଶ୍ୱାସ ଗୌରବ ପ୍ରକାଶ । ୧୨
କରି ଭଜିଲେ ଶ୍ରଦ୍ଧାଭାବେ । ଜଗତଗୁରୁ ହରିପାଦେ । ୧୩
ଏମନ୍ତେ ବହୁକାଳ ଗଲା । ହରିର ଅନୁଗ୍ରହ ହେଲା । ୧୪
ଏ ବେନିଭାବ ହୃଦେ ଧରି । ଅଶେଷ-ମଙ୍ଗଳ-ମୁରାରି । ୧୫
ପ୍ରବେଶ ପ୍ରଜାପତି ଅଙ୍ଗେ । ପତି କାମିନୀ ଅଙ୍ଗ ସଙ୍ଗେ । ୧୬
ଗର୍ଭ ସଂଯୋଗେ ଦେହଧରି । ଜନ୍ମ ହୋଇଲେ ନରହରି । ୧୭
ସଂସାର ନିସ୍ତାରଣ ସାଧେ । ଅନଳ ଯେହ୍ନେ ଦାରୁମଧ୍ୟେ । ୧୮
ଆକାଶେ ଶୁଭେ ନାନାବାଦ୍ୟ । ଶୁଭ ମଙ୍ଗଳ ବେଦନାଦ । ୧୯
ଗନ୍ଧର୍ବ ଗାନ ସୁଲଳିତ । ନାଚନ୍ତି ଅପସରା ଯୂଥ । ୨୦
ଦେବେ କରନ୍ତି ପୁଷ୍ପବୃଷ୍ଟି । ମହୀମଙ୍ଗଳ ଶୁଭସୃଷ୍ଟି । ୨୧
ପ୍ରସନ୍ନ ଦଶଦିଗ ଦିଶେ । ଜଳଧି ଉଲ୍ଲୋଳ ପ୍ରକାଶେ । ୨୨
ସକଳ ପ୍ରାଣୀଙ୍କର ମନ । ସ୍ୱଭାବେ ହୁଏ ସୁପ୍ରସନ୍ନ । ୨୩
କର୍ଦ୍ଦମ ଆଶ୍ରମ-ମଣ୍ତଳ । ବେଷ୍ଟିତ ସରସ୍ୱତୀ ଜଳ । ୨୪
ମରୀଚି ଆଦି ସପ୍ତଋଷି । ବ୍ରହ୍ମାର ତୁଲେ ସର୍ବେ ଆସି । ୨୫
ପରମବ୍ରହ୍ମ ସର୍ବବ୍ୟାପୀ । ସାତ୍ତ୍ବିକ ଅଂଶେ ସର୍ବରୂପୀ । ୨୬
ସେ ତତ୍ତ୍ବ ସାଂଖ୍ୟାଜ୍ଞାନ ଅର୍ଥେ । ବିରାଜ ରୂପ ଏ ଜଗତେ । ୨୭
ବିଶୁଦ୍ଧ ଚିତ୍ତ ନରହରି । କର୍ଦ୍ଦମ ଭକ୍ତି ହୃଦେ ଧରି । ୨୮
ପ୍ରବେଶ କର୍ଦ୍ଦମ ମନ୍ଦିରେ । ଅଶେଷଜନ ଉପକାରେ । ୨୯
କର୍ଦ୍ଦମ ମୁଖ ଚାହିଁ ଭଣି । ଆନନ୍ଦମନେ କୁଶପାଣି । ୩୦

ବ୍ରହ୍ମା ଉବାଚ

ତୁ ଯେ ମୋହର ଆଜ୍ଞା ଶିରେ । ଘେନି ଏ ସଂସାର-ସାଗରେ । ୩୧
ତପ ସାଧିଲୁ ଘୋରଦୁଃଖେ । ରମିଲୁ ଗୃହମେଧି ସୁଖେ । ୩୨
ପୁତ୍ରର ଧର୍ମଟି ଏମନ୍ତ । ଯାହା ବୋଲନ୍ତି ମାତା ତାତ । ୩୩
ଆଦରେ ସର୍ବଦା କରଇ । ତେବେ ସେ ବିଷ୍ଣୁଙ୍କୁ ତୋଷଇ । ୩୪
ତାହାର ଇହପରଲୋକେ । ସକଳ କାଳ ଯାଏ ସୁଖେ । ୩୫
ଏ ନବକୁମାରୀ ତୋହର । ପରମ ସୁଗୁଣ ସୁନ୍ଦର । ୩୬
ଏ ସୃଷ୍ଟି ସର୍ଜନ କାରଣ । ତୁ ଏବେ ମୋର ବୋଲ ଶୁଣ । ୩୭
ମରୀଚି ଆଦି ମୁନି ଯେତେ । ତାହାଙ୍କୁ ବରି ଶୁଦ୍ଧ ଚିତ୍ତେ । ୩୮
ଯଥା ଉଚିତେ କରି ଶୋଭା । ନିଗମମାର୍ଗେ ଦିଅ ବିଭା । ୩୯
ତୋହର ଯଶ ସର୍ବକାଳେ । ଅଶେଷ ଭୁବନ ମଣ୍ତଳେ । ୪୦
ଏବେ ତୋହର ଘରେ ହରି । ଅଂଶେ ଜନ୍ମିଲେ ଦେହ ଧରି । ୪୧
ଜୀବର ନିସ୍ତାରଣ ଅର୍ଥେ । କପିଳ ରୂପେ ଏ ଜଗତେ । ୪୨
ଏ ବାକ୍ୟ କର୍ଦ୍ଦମ‌କୁ କହି । ସେ ଦେବହୂତି ମୁଖ ଚାହିଁ । ୪୩
କହନ୍ତି ପ୍ରଭୁ ବେଦବର । ଧନ୍ୟ ଜୀବନ ମାତ ତୋର । ୪୪
ହେ ଦେବହୂତି ଶୁଣ ତୁହି । ତୋ ପୁତ୍ର ସାମାନ୍ୟ ନୁହଇ । ୪୫
ଏ ହରି ତୋହର ନନ୍ଦନ । ଛେଦିବ ହୃଦୟ-ବନ୍ଧନ । ୪୬
ଜ୍ଞାନ-ବିଜ୍ଞାନ ଯୋଗେ କର୍ମ । ନାଶିବ ଧରି ଯତିଧର୍ମ । ୪୭
ଶିରେ ଅରୁଣ ଜଟାଭାର । ସ୍ୱରୂପେ ଜଗତ ସୁନ୍ଦର । ୪୮
ନେତ୍ର ଚରଣେ ପଦ୍ମଚିହ୍ନ । ସୁନ୍ଦର ଜଗତ ମୋହନ । ୪୯
ଜ୍ଞାନେ ବିଜ୍ଞାନେ ଏହି ଦେବ । କର୍ମମୂଳକୁ ଉପାଡ଼ିବ । ୫୦
ପରମଜ୍ଞାନ ତୋତେ କହି । ଇଚ୍ଛାଏ ଭ୍ରମିବ ଏ ମହୀ । ୫୧
ଏ ସିନ୍ଧଗଣଙ୍କ ଈଶ୍ୱର । ସୁସାଂଖ୍ୟଯୋଗୀଙ୍କର ସାର । ୫୨
ତୋ ଯଶ କୀର୍ତ୍ତିର ବର୍ଦ୍ଧନ । ହୋଇବ କପିଳ ୟା ନାମ । ୫୩

ମୈତ୍ରେୟ ଉବାଚ

କର୍ଦ୍ଦମ ଦେବହୂତି ବେନି । ଆଶ୍ୱାସ କରି ପଦ୍ମଯୋନି । ୫୪
ନାରଦ ଆଦି ପୁତ୍ର ମେଳେ । ଅନେକ ମୁନିଙ୍କ ଗହଳେ । ୫୫
ସେ ହଂସମୟ ଦିବ୍ୟଯାନେ । ତକ୍ଷଣେ ଗଲେ ନିଜ ସ୍ଥାନେ । ୫୬
ବ୍ରହ୍ମା ଅନ୍ତରେ ସେ କର୍ଦ୍ଦମ । ହରଷ ଚିତ୍ତେ ସୁସଂଭ୍ରମ । ୫୭
ବ୍ରହ୍ମାର ଆଜ୍ଞା ଘେନି ଶିରେ । ଋଷିଙ୍କି ଆଣି ନିଜ ପୁରେ । ୫୮
ମଙ୍ଗଳ ଦୂର୍ବାସୂତ୍ର ରକ୍ଷେ । ବର ବରିଲେ ଏକେ ଏକେ । ୫୯
ମରୀଚି ମୁନି ହସ୍ତ ଧରି । କଳା କନ୍ୟାକୁ ବର ବରି । ୬୦
ଆନନ୍ଦ ମନେ କରି ବିଭା । କିଅବା ପଟାନ୍ତର ଦେବା । ୬୧
ତ୍ରିଦଶେ ଦେଖନ୍ତି ଆକାଶେ । ହରଗଉରୀ ପ୍ରାୟ ଦିଶେ । ୬୨
ଦ୍ୱିତୀୟ କନ୍ୟା ଅନସୂୟା । ଅତ୍ରି ମୁନିଙ୍କି ଦେଲା ତାହା । ୬୩
ଶ୍ରଦ୍ଧାକୁ ଅଙ୍ଗିରସ ମୁନି । ବରିଲା କରେ ଅର୍ଘ୍ୟ ଘେନି । ୬୪
ପୁଲସ୍ତ୍ୟେ ହବି ଦେଲା ଦାନ । ପୁଲହେ ଗତି ବିଦ୍ୟମାନ । ୬୫
କ୍ରତୁଙ୍କୁ ଦେଲା କ୍ରିୟା ସତୀ । ଭୃଭୁଙ୍କୁ ସମର୍ପିଲା ଖ୍ୟାତି । ୬୬
ବଶିଷ୍ଠେ ବରି ଅରୁନ୍ଧତୀ । ଅଥର୍ବେ ସମର୍ପିଲା ଶାନ୍ତି । ୬୭
ଏମନ୍ତେ ନବ-ବିପ୍ରବରେ । କନ୍ୟା ବିବାହେ ନିଜ ପୁରେ । ୬୮
ଧନେ ସନ୍ତୋଷୀ ତାଙ୍କ ମନ । ଗଲେ ସେ ଯେ ଯାହା ଭୁବନ । ୬୯
ମୁନିଙ୍କି କରି ଅନୁଯାନ । ସଂଭ୍ରମ କର୍ଦ୍ଦମ‌ର ମନ । ୭୦
ଗୃହେ ଯେ ପୁତ୍ର ଉପୁଜିଲା । କପିଳ ନାମେ ବିଷ୍ଣୁକଳା । ୭୧
ବେଗେ ମିଳିଲା ପୁତ୍ର ପାଶେ । ସ୍ୱଭାବେ ଜନକ ବିଶ୍ୱାସେ । ୭୨
ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେ । ସୁମରେ ଶୁକ୍ଳ-ବାକ୍ୟ ଭାବେ । ୭୩
ଏକାନ୍ତେ ପୁତ୍ର ପାଶେ ଯାଇ । ବୋଲେ କପାଳେ କରଦେଇ । ୭୪

କର୍ଦ୍ଦମ ଉବାଚ

ଦେଖ ମୋହର ଦୁଷ୍ଟପଣ । ନ ସେବି ତୁମ୍ଭର ଚରଣ । ୭୫
ଏ ଗୃହ-ଅନ୍ଧକୂପ ପଥେ । ପଡ଼ିଲି ଅମଙ୍ଗଳ ଯନ୍ତ୍ରେ । ୭୬
ଅନେକ ଜନ୍ମେ ଯୋଗସାଧ୍ୟେ । ଯୋଗସମ୍ପାଦି ଅନୁବାଦେ । ୭୭
ଯେ ପ୍ରାଣୀ ଗୃହବନ୍ଧ ତେଜେ । ବନସ୍ତେ ତୋ ଚରଣେ ଭଜେ । ୭୮
ପର୍ଣ୍ଣକୁଟୀର ମଧ୍ୟେ ଥାଇ । ବଞ୍ଚନ୍ତି ତୋ ଚରଣ ଧ୍ୟାୟି । ୭୯
ତୋ ପାଦ ଦେଖିବାର ଆଶେ । ସାଧନ୍ତି ଅନେକ ବରଷେ । ୮୦
ଏମନ୍ତ ପ୍ରଭୁ ତୁମ୍ଭେ ହରି । ମୋର ଭୁବନେ ଅବତରି । ୮୧
ତୋର ଭକତ ରକ୍ଷାଅର୍ଥେ । ତୋ ଅବତାର ଏ ଜଗତେ । ୮୨
ନିଜ ବଚନ ସତ୍ୟ କରି । ତୁ ମୋର ଗୃହେ ଅବତରି । ୮୩
ସ୍ୱଭାବେ ସର୍ବଭୂତେ ଥାଉ । ଭକତଜନେ ବଶ ହେଉ । ୮୪
ଭକତହିତେ ନାନାଯୋନି । ଉପୁଜୁ ନିଜତେଜ ଘେନି । ୮୫
ପଣ୍ତିତଜନେ ତୋ ବିଶ୍ୱାସେ । ତୋ ପାଦପଦ୍ମଗନ୍ଧାବାସେ । ୮୬
ସଂସାର ତେଜି ସେ ଭଜନ୍ତି । ଅନ୍ତେ ତୋ ଶରୀରେ ପଶନ୍ତି । ୮୭
ତୁ ପୂର୍ଣ୍ଣବ୍ରହ୍ମ ନରହରି । ପ୍ରକାଶୁ ଜ୍ୟୋତିରୂପ ଧରି । ୮୮
ଐଶ୍ୱର୍ଯ୍ୟ ବୀର୍ଯ୍ୟ ଯଶ ଜ୍ଞାନ । ତୁ ଶ୍ରୀ ବୈରାଗ୍ୟ ପରିପୂର୍ଣ୍ଣ । ୮୯
ତେଣୁ ଶରଣାଗତ ମୁହିଁ । ମୋ ଦୋଷ କ୍ଷମ ଭାବଗ୍ରାହୀ । ୯୦
ତୁ ନାଥ ପରମ-ପୁରୁଷ । ପ୍ରକୃତି ମଧ୍ୟେ ତୋ ପ୍ରକାଶ । ୯୧
ମହତଆଦି ରୂପ ତୋର । ଭୂତଙ୍କ ସୂକ୍ଷ୍ମ ଅହଙ୍କାର । ୯୨
ତ୍ରିଗୁଣମୟୀ କାଳରୂପୀ । ତୁ କବି ସର୍ବଭୂତେ ବ୍ୟାପି । ୯୩
ତୋ ରୂପ ଆତ୍ମାଜ୍ଞାନ ଅର୍ଥେ । କପିଳରୂପେ ଏ ଜଗତେ । ୯୪
ଶରଣାଗତ ତୋ ଚରଣେ । ମୋ ମନେ ରହ ଅନୁକ୍ଷଣେ । ୯୫
ତୁ ପ୍ରଜାପତିଙ୍କର ନାଥ । ତୁ ଯେ ହୋଇଲୁ ମୋର ସୁତ । ୯୬
ତୁ ଅବତୀର୍ଣ୍ଣ ହେଲା ମାତ୍ରେ । ମୋ ଋଣତ୍ରୟ ନାହିଁ ଗାତ୍ରେ । ୯୭
ପୂର୍ଣ୍ଣ ହୋଇଲା ମନୋରଥ । ସନ୍ନ୍ୟାସାମାର୍ଗେ ଏବେ ଚିତ୍ତ । ୯୮
ତେଣୁ ମାଗଇ ଆତ୍ମା ଅର୍ଥେ । ତୋ ପାଦଧ୍ୟାନ ହୃଦଗତେ । ୯୯
ଧରିଣ ବୁଲିବି ଜଗତେ । ଏମନ୍ତ ଆଜ୍ଞା ଦିଅ ମୋତେ । ୧୦୦
ଏମନ୍ତ କର୍ଦ୍ଦମ ବଚନ । ଶୁଣି କହନ୍ତି ଭଗବାନ । ୧୦୧

ଭଗବାନ ଉବାଚ

ତୋହର ତପ ତେଜ ବଳେ । ମୋ ଅବତାର ଏ ଶୟଳେ । ୧୦୨
ନିଜ ବଚନ ସତ୍ୟ କରି । ତୋ ପତ୍ନୀ-ଗର୍ଭେ ଅବତରି । ୧୦୩
କେ ଲଭିପାରେ ମୋର ଭାବ । ମୋ ରୂପ ଯୋଗୀଙ୍କି ଦୁର୍ଲ୍ଲଭ । ୧୦୪
ମୁଁ ଏବେ ସଂସାରର ଅର୍ଥେ । ଜ୍ଞାନପ୍ରକାଶି ଏ ଜଗତେ । ୧୦୫
ଏ ସିଦ୍ଧଦେହେ ଥିବି ମୁହିଁ । ଯାବତ ସୂର୍ଯ୍ୟ ଚନ୍ଦ୍ର ମହୀ । ୧୦୬
ଯେ ତତ୍ତ୍ବଜ୍ଞାନ ପୂର୍ବେ ଥିଲା । କାଳର ବଳେ ନାଶ ଗଲା । ୧୦୭
ସେ ତତ୍ତ୍ବ ପ୍ରକାଶିବା ଅର୍ଥେ । ମୋ ଅବତାର ଏ ଜଗତେ । ୧୦୮
ତୋହର ସାଧୁକ୍ରିୟା ଯେତେ । ସବୁ ସମର୍ପି ଦିଅ ମୋତେ । ୧୦୯
ମୋର ଚରଣେ ଭାବେ ବଢି । ଚଳ ତୁ ଗୃହବନ୍ଧ ଏଡ଼ି । ୧୧୦
ସୁହୃଢେ ମୋ ପଦ ଭଜିବୁ । ଦୁର୍ଜୟ-ମରଣୁ ତରିବୁ । ୧୧୧
ଅନ୍ତେ ପଶିବୁ ମୋ ଚରଣେ । ବେଗେ ଯା ତପ ସାଧ ବନେ । ୧୧୨
ମୁଁ ଆତ୍ମାନନ୍ଦଜ୍ୟୋତି ପଦେ । ପ୍ରକାଶ ସର୍ବଭୂତହୃଦେ । ୧୧୩
ଆତ୍ମାର ମଧ୍ୟେ ଆତ୍ମା ଦେଖ । ମୃତ୍ୟୁ ସକାଶୁ ଆତ୍ମା ରଖ । ୧୧୪
ଅଧ୍ୟାତ୍ମ-ବିଦ୍ୟା ସାଧ୍ୟ କର । ଏ ମାୟା-ବନ୍ଧନୁ ନିସ୍ତର । ୧୧୫
ଯେ ବିଦ୍ୟାବଳେ ଦେବହୂତି । ହେବ ପରମାନନ୍ଦ ପ୍ରାପ୍ତି । ୧୧୬

ମୈତ୍ରେୟ ଉବାଚ

ଏମନ୍ତ ହରି ଆଜ୍ଞା ପାଇ । ଅଭୟପଦେ ମନ ଦେଇ । ୧୧୭
ବିଷ୍ଣୁଙ୍କ ପ୍ରଦକ୍ଷିଣ କଲା । ମଉନବ୍ରତେ ବନ ଗଲା । ୧୧୮
ଅହିଂସାବ୍ରତ ଆଚରଣ । କେବଳ ଆତ୍ମାରେ ଶରଣ । ୧୧୯
ନିଃସଙ୍ଗ ଗୃହ ନିରପେକ୍ଷ । ଅନଳ ଛାଡ଼ି ସେ ପ୍ରତ୍ୟକ୍ଷ । ୧୨୦
ନିର୍ଗୁଣବ୍ରହ୍ମେ ମନ ଦେଇ । ସତ ଅସତ ପର ସେହି । ୧୨୧
ଏକାନ୍ତଭକ୍ତିରସେ ରସି । ଜିଣିଲା କାଳଦଣ୍ତଫାସି । ୧୨୨
ଭ୍ରମଇ ବନ ଘନ ଗିରି । ଦେଖଇ ସର୍ବଭୂତେ ହରି । ୧୨୩
ଇନ୍ଦ୍ରିୟଗଣଙ୍କୁ ନିରୋଧି । ଯେସନେ ନିଶ୍ଚଳ ଜଳଧି । ୧୨୪
ସର୍ବଜ୍ଞେ ସର୍ବ ଆତ୍ମାଭାବେ । ଯେ ଭଗବାନ ବାସୁଦେବେ । ୧୨୫
ଯେ ଭାବେ ରହି ଧୀରପଣେ । ନିର୍ବାଣମୁକ୍ତିର ଭିଆଣେ । ୧୨୬
ଦେଖଇ ସର୍ବଭୂତେ ହରି । ଆତ୍ମା ସ୍ୱରୂପେ ଅଛି ପୂରି । ୧୨୭
ହରିର ଦେହେ ଏ ଜଗତ । ଦେଖେ ଅଭେଦେ ଦୃଷ୍ଟିଗତ । ୧୨୮
ଅନ୍ତେ ଲଭିଲା ହରିଭାବ । ଯେ ହରି ଦେବଙ୍କୁ ଦୁର୍ଲଭ । ୧୨୯
ଏମନ୍ତ ବିଦୁରର ଆଗେ । ମୈତ୍ରେୟ କହେ ପ୍ରିୟଭାବେ । ୧୩୦
ନିର୍ମଳ-ଭାଗବତବାଣୀ । ଭାଷାପ୍ରବନ୍ଧେ ପରିମାଣି । ୧୩୧
ତୃତୀୟସ୍କନ୍ଧେ କୃଷ୍ଣରସ । କହିଲା ଜଗନ୍ନାଥ ଦାସ । ୧୩୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ କାପିଳେୟେ ଚତୁର୍ବିଂଶୋଽଧ୍ୟାୟଃ ।

ପଞ୍ଚବିଂଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ମୁନି ଅନ୍ତରେ ଦେବହୂତି । ସ୍ୱଭାବେ ସୁଗୁଣ ସୁମତି ୧
ତକ୍ଷଣେ ପୁତ୍ରପାଶେ ଯାଇ । କହଇ ଶିରେ କର ଦେଇ ୨
ଦେବହୂତି ଉବାଚ

ତୁ ଅଜ ନିର୍ଗୁଣ ନିର୍ଲକ୍ଷ୍ୟ । ତୋ ଭକ୍ତଜନେ ତୁ ପ୍ରତ୍ୟକ୍ଷ ୩
ଆଦିପୁରୁଷ ତୁ ଈଶ୍ୱର । ଯେ ଅନ୍ଧତମ ପ୍ରାଣୀଙ୍କର ୪
ଜୀବର ପରିତ୍ରାଣ ଅର୍ଥେ । ତୋ ଅବତାର ଏ ଜଗତେ ୫
ସ୍ତିରୀ ସ୍ୱଭାବ ମୁହିଁ ମନ୍ଦ । ନ ଜାଣେ ଆତ୍ମା ଭଲମନ୍ଦ ୬
କି ରୂପେ ସଂସାର ତୁଟଇ । ଜୀବନ-ବନ୍ଧନ ଫିଟଇ ୭
ମୁଁ ଯେ ଅଜ୍ଞାନ ମୂଢମତି । ସ୍ୱଭାବେ ଅଟଇ ଯୁବତୀ ୮
ତୁ ମୋତେ ଜ୍ଞାନଚକ୍ଷୁ ଦେଇ । ଉଦ୍ଧର ଦୁର୍ଗତି ଖଣ୍ତାଇ ୯
ତୁ ନାଥ ମୋତେ ଦୟାକର । ଏ ଘୋରସଂସାରୁ ଉଦ୍ଧର ୧୦
ମାତୃଭାବେ କର ଦୟା । ଯେମନ୍ତେ ତୁଟେ ତୋର ମାୟା ୧୧

ମୈତ୍ରେୟ ଉବାଚ

ମାତା ବଚନେ ହୃଷୀକେଶ । ଅଳପ ହୋଇ ହସହସ ୧୨
ଅଶେଷ ଜୀବ ଦେହବାସୀ । କହନ୍ତି ପ୍ରଭୁ ବ୍ରହ୍ମରାଶି ୧୩

ଭଗବାନ କପିଳ ଉବାଚ

ଶୁଣ ଜନନୀ କହୁଁ ତୋତେ । ଯେ ପ୍ରଶ୍ନ କଲୁ ତୁହି ମୋତେ ୧୪
ଯାହାର ଚିତ୍ତେ ଭକ୍ତିଯୋଗ । ଭଜଇ ମୋ ଚରଣଯୁଗ ୧୫
ତେବେ ବିଷୟେ ବଇରାଗ୍ୟ । ଉପୁଜେ ପୂର୍ବେ ଥିଲେ ଭାଗ୍ୟ ୧୬
ଏ ଆତ୍ମନିଷ୍ଠା ଯୋଗ ଜାଣ । ପୁରୁଷ ମୋକ୍ଷର କାରଣ ୧୭
ଭୋ ମାତ ତୁମ୍ଭେ ଏବେ ଶୁଣ । ନିର୍ଗୁଣଭକ୍ତିର କାରଣ ୧୮
ପୂର୍ବେ ମୁଁ ଋଷିଙ୍କର ମଧ୍ୟେ । ଯେ ଯୋଗ କହିଲଇଁ ସାଧ୍ୟେ ୧୯
ଯେତେଣ ଏ ମାୟା ଘୋରବନେ । ନିସ୍ତାର ଭକ୍ତି-କରଷଣେ ୨୦
ଶୁଣ ଜନନୀ ସେ ଲକ୍ଷଣ । କହିବା ଯେ ଭକ୍ତି ନିର୍ଗୁଣ ୨୧
ଚିତ୍ତ ସଂଯମ ବ୍ୟତିରେକେ । ଯୋଗର ସିଦ୍ଧି ନୋହେ ଲୋକେ ୨୨
ବନ୍ଧ-ମୋକ୍ଷର ହେତୁ ଚିତ୍ତ । ଏ ଆତ୍ମଜ୍ଞାନୀଙ୍କ ସମ୍ମତ ୨୩
ଜୀବର ଜନ୍ମ-ବନ୍ଧ-ପାଶ । ଯେ ଭାବେ ହୋଇବ ଉଶ୍ୱାସ ୨୪
ବିଷୟାରତ ଚିତ୍ତ ଯେବେ । ଜୀବର ବଦ୍ଧଭାବ ତେବେ ୨୫
ଈଶ୍ୱରେ ଦେଲେ ସେହି ଚିତ୍ତ । ବନ୍ଧନୁ ହୁଅଇ ମୁକତ ୨୬
ମୁହିଁ ମୋହର ଭାବୁଁ ଜାତ । କାମାଦି ତେଜେ ଯେବେ ଚିତ୍ତ ୨୭
ନିର୍ମଳ ହୁଅଇଟି ଜାଣ । ମଣଇ ସୁଖ ଦୁଃଖ ସମ ୨୮
ଏ ରୂପେ ଚିତ୍ତଶୁଦ୍ଧ ଯେବେ । ଜୀବ ଈଶ୍ୱର ଏକ ଭାବେ ୨୯
ଦେଖାଇ ପ୍ରକୃତିରୁ ଭିନ୍ନ । ସ୍ୱୟଂପ୍ରକାଶ ପରିପୂର୍ଣ୍ଣ ୩୦
ପ୍ରକୃତି ବଳ ହୋଏ ହତ । ଜ୍ଞାନ ବୈରାଗ୍ୟ ଭକ୍ତି ଜାତ ୩୧
ଅଖିଳ ଆତ୍ମା ପାଦଯୁଗେ । ଭଜିଲେ ଦୃଢ଼େ ଭକ୍ତିଯୋଗେ ୩୨
ଏଣୁ ସେ ଲଭେ ବ୍ରହ୍ମଜ୍ଞାନ । ଏଥହୁଁ ପଥ ନାହିଁ ଆନ ୩୩
ଏ ଭବ-ଜଳଧି-ତରଙ୍ଗ । ହରଇ ସାଧୁଙ୍କର ସଙ୍ଗ ୩୪
ଭଜଇ କୈବଲ୍ୟ କାରଣେ । ମନ ନ ଭ୍ରମେ ଭବବଣେ ୩୫
ଶୁଣ ଜନନୀ ସାଧୁଗୁଣ । ଯେ ଅବା ସାଧୁଙ୍କ ଲକ୍ଷଣ ୩୬
ପ୍ରାଣୀବିଷୟେ ଆତ୍ମାବତ । କରଇ ତ୍ୟାଗ ଦୟା ଚିତ୍ତ ୩୭
ଜଗତ ନିର୍ବଇର ଦେଖେ । ନିଶ୍ଚଳେ ରହେ ଆତ୍ମାସୁଖେ ୩୮
ନିରତେ ଗୋବିନ୍ଦ ଚରଣେ । ସ୍ତୁତି କୀର୍ତ୍ତନ ଅନୁକ୍ଷଣେ ୩୯
ଦାରା ସ୍ୱଜନ ସୁତ ଧନ । ଗୃହ ଉପେକ୍ଷି ଚଳେ ବନ ୪୦
ସକଳ କର୍ମ ତେଜି ଦୃଢେ ।ମୋ ଭାବେ ମଜ୍ଜେ ଅତି ଗାଢେ ୪୧
ମୋ ରୂପ ଗୁଣ କର୍ମ ଯେତେ । ଶ୍ରବଣ କୀର୍ତ୍ତନ ନିରତେ ୪୨
ଏମନ୍ତ ଭାବ ନିତ୍ୟେ କରି । ଏ ମାୟାଭବୁ ଯାନ୍ତି ତରି ୪୩
ଏ ରୂପେ ସାଧୁଙ୍କ ଚରିତ । ସମସ୍ତ ସଙ୍ଗ ବିବର୍ଜିତ ୪୪
ଏମନ୍ତ ଭକ୍ତଜନ ସଙ୍ଗ । କରି ତୁ ତର ଏ ତରଙ୍ଗ ୪୫
ଭକତଜନ ସଙ୍ଗ ଯେବେ । କରଇ ଭ୍ରମ ଖଣ୍ତେ ତେବେ ୪୬
ମୋର ଚରିତ ଗୁଣଗାଥା । ଏକ ଆନରେ କରେ ଚିନ୍ତା ୪୭
ଶୁଣି ଶୁଣାଇ ଅଶ୍ରୁଧାରେ । ଆନନ୍ଦେ ପୁଲକ ଶରୀରେ ୪୮
ନିରତେ ଶ୍ରଦ୍ଧାଭକ୍ତି ବଢେ । ଭବ-ବନ୍ଧନ-ପାଶ ଛିଡେ ୪୯
ଅଶେଷ ଜନ୍ମ ଭାଗ୍ୟୋଦୟେ । ଭକତଜନେ ଶ୍ରଦ୍ଧା ବହେ ୫୦
ତହୁଁ ଉପୁଜେ ରତି ଭକ୍ତି । ମୋହର ଲୀଳା କର୍ମ ଚିନ୍ତି ୫୧
ବୈରାଗ୍ୟ ହୁଅଇ ପ୍ରକାଶ । ପ୍ରକୃତି ଗୁଣ ଯାଇ ନାଶ ୫୨
ଜ୍ଞାନ ବୈରାଗ୍ୟ ଭକ୍ତିବଳେ । ସକଳ ସମର୍ପେ ମୋଠାରେ ୫୩
ତେବେ ଏ ଦେହେ ମୋତେ ପାଇ । ଶୁଣ ଜନନୀ ମନ ଦେଇ ୫୪
ମୋ ନାମ ନାବ କରି ଭାବେ । ବସି ତରିବୁ ଭକ୍ତିଭାବେ ୫୫
ଭକତ ସଙ୍ଗେ ନାବେ ବସି । ଏ ସିନ୍ଧୁ ତରଣେ ସାହସୀ ୫୬
ଯେଣୁ ଭକତପ୍ରିୟ ହରି । ତା ଭାବେ ଭବସିନ୍ଧୁ ତରି ୫୭

ମୈତ୍ରେୟ ଉବାଚ

ଏମନ୍ତେ ପୁତ୍ର ବାକ୍ୟ ଶୁଣି । ଆନନ୍ଦେ କର୍ଦ୍ଦମ ଘରଣୀ ୫୮
ଆନନ୍ଦରସେ ହରଷିତ । ତକ୍ଷଣେ ହୋଇ କୃତକୃତ୍ୟ ୫୯
ଆକୁଳେ ପୁତ୍ର ପାଦେ ପଡି । ପୁଣି ପଚାରେ କରଯୋଡି ୬୦

ଦେବହୂତି ଉବାଚ

କି ରୂପେ ଭକ୍ତିଯୋଗ ଜାଣି । ଭକତି କିରୂପେ ପ୍ରମାଣି ୬୧
ଯେ ଭକ୍ତିବଳେ ଅନାୟାସେ । ଜୀବ ନିର୍ବାଣପଦେ ପଶେ ୬୨
ଯେ ଯୋଗ ମୁଖ୍ୟ ପ୍ରୟୋଜନ । ଶୁଣିଲି ତୁମ୍ଭର ବଚନ ୬୩
ସେ ଯୋଗ କେମନ୍ତ ଅଟଇ । କେମନ୍ତ ସାଧନ ତା ହୋଇ ୬୪
ମୁଁ ସ୍ତିରୀ ଅଟେ ମନ୍ଦବୁଦ୍ଧି । ଦୁର୍ବୋଧ୍ୟ ଯୋଗ ଦୟାନିଧି ୬୫
ଏଣୁ ମୋ ଚିତ୍ତରେ ସଂଶୟ । କହ ହେ ପ୍ରଭୁ ଦୟାମୟ ୬୬

ମୈତ୍ରେୟ ଉବାଚ

ଏମନ୍ତ ମାତାବାକ୍ୟ ଶୁଣି । କପିଳ ବେଶେ ଚକ୍ରପାଣି ୬୭
କହନ୍ତି ଜନନୀର ଆଗେ । ପରମ-ଜ୍ଞାନ ସଂ।ଖ୍ୟଯୋଗେ ୬୮

କପିଳ ଉବାଚ

ଶୁଣ ଜନନୀ ବାକ୍ୟ ସାର । ଆଗମ ନିଗମ ପ୍ରକାର ୬୯
ଯେବା ଇନ୍ଦ୍ରିୟ ଦେବଗଣ । ଯାର ଯେ ସ୍ୱାଭାବିକ କର୍ମ ୭୦
ଯେ ଧର୍ମ କର୍ମ ଅଛି ବେଦେ । ତାହା ଇନ୍ଦ୍ରିୟ ଯେବେ ସାଧେ ୭୧
ଯେ ବର୍ଣ୍ଣେ ଯେବା ଧର୍ମ କର୍ମ । ଇନ୍ଦ୍ରିୟ କରେ ସେହି କର୍ମ ୭୨
ସେ ସର୍ବକର୍ମ ଯେବେ ମୋତେ। ଦେଇ ଭଜଇ ଏକଚିତ୍ତେ ୭୩
ଆପଣେ ଅକିଞ୍ଚନ ରୂପେ । ଭ୍ରମଇ ମାୟାମୟ କଳ୍ପେ ୭୪
ଭକତ ମଧ୍ୟେ ଏ ପ୍ରଧାନ । ଲଭଇ କଇବଲ୍ୟ-ସ୍ଥାନ ୭୫
ଜୀବ-ବାସନା-ବନ୍ଧ ହରେ । ନ ବୁଡେ ସଂସାର-ସାଗରେ ୭୬
ବ୍ୟାଧି ଯେସନେ ସ୍ଥାନେସ୍ଥାନେ । ହରଇ ଅଉଷଧ ପାନେ ୭୭
ଏ ଭାବେ ଯେ କରେ ବିଚାର । କୈବଲ୍ୟ କିବା ବସ୍ତୁ ତାର ୭୮
ନିତ୍ୟେ ଭକତଜନ ମଧ୍ୟେ । ହରିଚରିତ ନାନାଛନ୍ଦେ ୭୯
ନିରତେ କରେ ଅନୁପାନ । ଆନନ୍ଦ-ଅଶ୍ରୁ-ଜଳେ ସ୍ଥାନ ୮୦
ତାର ସମାନ ଆନ ଜନେ । ନ ଦେଖି ଏ ତିନିଭୁବନେ ୮୧
ଏମନ୍ତେ ବଞ୍ଚେ ଦୁଃଖ ସୁଖେ । ସେ ମୋର ନିଜରୂପ ଦେଖେ ୮୨
ସୁନ୍ଦର ପ୍ରସନ୍ନ ବଦନ । ବିକଚ କମଳ ଲୋଚନ ୮୩
ସର୍ବ ସୁନ୍ଦର ମନୋହର । ମୋ ଶ୍ୟାମସୁନ୍ଦର ଶରୀର ୮୪
ମୋର ଅମୃତମୟ ବାଣୀ । ତନୁ ରୋମାଞ୍ଚ କରେ ଶୁଣି ୮୫
ଏ ରୂପ ଛାଡି ତାର ମନ । କୈବଲ୍ୟେ କିବା ପ୍ରୟୋଜନ ୮୬
ଏ ରୂପ ଦେଖି ଚିତ୍ତ ହରେ । କୈବଲ୍ୟ ଲଭେ ଅଭ୍ୟନ୍ତରେ ୮୭
ଅଷ୍ଟ ଐଶ୍ୱର୍ଯ୍ୟ ଯାହା ଚିନ୍ତି । ଅନନ୍ତ ଅନନ୍ତ ବିଭୂତି ୮୮
ସେ ସର୍ବେ ଖଟନ୍ତି ତା ପାୟେ । ମୋ ଭକ୍ତଜନେ ଦୂର ନୋହେ ୮୯
ଏଣୁ ଭକତ ରଖେ ହରି । କାଳ ନ ପାରେ ଗ୍ରାସ କରି ୯୦
ମୁଁ ତାର ପ୍ରିୟ ଆତ୍ମା ସୁତ । ସଖା ସୁହୃଦ ଗୁରୁବତ ୯୧
ତାହାର ଗୁରୁଦେବ ମୁହିଁ । ଯେ ମୋତେ ଏ ଭାବେ ଭାବଇ ୯୨
ତାହାର ଈଷ୍ଟ ବନ୍ଧୁ ମୁହିଁ । ଯେ ମୋତେ ସର୍ବ ସମର୍ପଇ ୯୩
ନାହିଁ ତା ଇହ ପର ଲୋକ । ନମାନେ ଆତ୍ମା ଦୁଃଖ ସୁଖ ୯୪
ଏକାନ୍ତ ଭକ୍ତିବଳେ ମୋତେ । ମନ ବଚନେ ନିତ୍ୟେ ଚିନ୍ତେ ୯୫
ସର୍ବ ସମର୍ପି ଅବିରତେ । ପଶଇ ମୋର ପାଦଗତେ ୯୬
ମୁଁ ଈଶ ପୁରୁଷପ୍ରଧାନ । ମୋ ବିନୁ ବନ୍ଧୁ ନାହିଁ ଆନ ୯୭
ଦେଖ ମୋହର ମାୟାଗତେ । ଯନ୍ତ୍ରିତ ଅଛନ୍ତି ସମସ୍ତେ ୯୮
ମୋ ଆଜ୍ଞା କରୁଥାନ୍ତି ନିତ୍ୟେ । ନିତ୍ୟେ ଯନ୍ତ୍ରିତ ଭୟଚିତ୍ତେ ୯୯
ଦେଖ ପବନ ମୋର ଡରେ । ବହଇ ବାହ୍ୟ ଅଭ୍ୟନ୍ତରେ ୧୦୦
ମୋ ଭୟେ ଉଦେ ଦିନକର । ମୋ ଡରେ ବର୍ଷେ ସୁନାସୀର ୧୦୧
ମୋ ଭୟେ ଯମ ଦଣ୍ତ ଧରେ । ମୃତ୍ୟୁ ସକଳ ପ୍ରାଣ ହରେ ୧୦୨
ମୋ ଡରେ ଯେବା ଯାହା ଭକ୍ଷେ । ଅଗ୍ନି ଦହଇ ଅପ୍ରତ୍ୟକ୍ଷେ ୧୦୩
ଶଶାଙ୍କ ଦିଶଇ ଆକାଶେ । ପ୍ରାଣୀଙ୍କ ମନ ସେ ଆଶ୍ୱାସେ ୧୦୪
ଏମନ୍ତେ ମହାଯୋଗୀଜନେ । ଯନ୍ତ୍ରିତ ମୋହର ବଚନେ ୧୦୫
ସେବନ୍ତି ମୋହର ଚରଣେ । ସଂସାର ପାର ଇଚ୍ଛି ମନେ ୧୦୬
କରନ୍ତି ପ୍ରାଣୀହିତ ନିତ୍ୟେ । ଅନ୍ୟୋନ୍ୟାଭାବେ ଏ ଜଗତେ ୧୦୭
ଏବେ ତୁ ଭକ୍ତିଯୋଗ ଶୁଣ । ଯେତେ ଜୀବର ପରିତ୍ରାଣ ୧୦୮
ଯେ ଭାବେ ଏ ସଂସାର ତୁଟେ । ସୁଦୃଢ କର୍ମଗ୍ରନ୍ଥି ଫିଟେ ୧୦୯
ତ‌ତ୍ତ୍ବ-ତପନ-ତମ ନାଶେ । ନିର୍ମଳଜ୍ଞାନ ହିଁ ପ୍ରକାଶେ ୧୧୦
ଏଣୁ ଏ ତତ୍ତ୍ବଜ୍ଞାନ କହି । ଶୁଣ ଜନନୀ ମନଦେଇ ୧୧୧
ଏମନ୍ତ ତତ୍ତ୍ବଜ୍ଞାନ ଜାଣି । ଯେ ଭାବେ ଭଜେ ଚକ୍ରପାଣି ୧୧୨
ଯେ ଦୟାସାଗର ମୁରାରି । ମାତା ବିଷୟେ ଦୟାକରି ୧୧୩
ଯେତେ କହିଲେ ଉପଦେଶ । ସୁଜନ ଜନେ ଏଣେ ରସ ୧୧୪
ତା ପାଦେ ମନ କରି ସ୍ଥିର । ମୋକ୍ଷେ ଉଦୟ ଲଭେ ନର ୧୧୫
ତୃତୀୟସ୍କନ୍ଧେ ଭାଗବତେ । ଜୀବର ପରିତ୍ରାଣ ଅର୍ଥେ ୧୧୬
ହରିଚରିତ ସୁଧାରସ । କହଇ ଜଗନ୍ନାଥ ଦାସ ୧୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟୋପାଖ୍ୟାନେ ନାମ ପଞ୍ଚବିଂଶୋଽଧ୍ୟାୟଃ ।

ଷଡ଼୍‌ବିଂଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ଶୁଣ ବିଦୁର ତତ୍ତ୍ୱ ବାଣୀ । ଏ ଜୀବ ତରେ ଯାହା ଶୁଣି ୧
କପିଳରୂପେ ପ୍ରିୟଭାବେ । ଜନନୀ ପ୍ରବୋଧ ପ୍ରସ୍ତାବେ ୨
ଯାହା କହିଲେ ନାରାୟଣ । ନିଶ୍ଚଳଚିତ୍ତେ ଏବେ ଶୁଣ ୩
ବିଷ୍ଣୁ କହନ୍ତି ତୋଷମନେ । ମନୁତନୟା ସନ୍ନିଧାନେ ୪
କପିଳ ଉବାଚ
ଶୁଣ ଜନନୀ ମୋ ବଚନ । ଯେ ତତ୍ତ୍ୱଜ୍ଞାନର ଲକ୍ଷଣ ୫
ଏବେ ତୁ ତତ୍ତ୍ୱଜ୍ଞାନ ଶୁଣ । ଯେଣେ ଜୀବର ପରିତ୍ରାଣ ୬
ଏ ଜ୍ଞାନ ଜନ୍ମିଲେ ପୁରୁଷ । କାଟଇ ମୋହଗୁଣପାଶ ୭
ଯେ ଭାବେ ଏ ସଂସାର ତୁଟେ । ସୁଦୃଢ-ହୃଦଗଣ୍ଠି ଫିଟେ ୮
ତତ୍ତ୍ୱତପନ ତମ ନାଶେ । ନିର୍ମଳ ଜ୍ଞାନ ହିଁ ପ୍ରକାଶେ ୯
ଏଣୁ ଏ ତତ୍ତ୍ୱଜ୍ଞାନ କହି । ଶୁଣ ଜନନୀ ମନ ଦେଇ ୧୦
ଯେମନ୍ତ ତତ୍ତ୍ୱଜ୍ଞାନ ଜାଣି । ଯେ ଭାବେ ଲଭି ଚକ୍ରପାଣି ୧୧
ନିଶ୍ଚଳଭାବେ କରି ଧ୍ୟାନ । ଆତ୍ମାକୁ କରନ୍ତି ଦର୍ଶନ ୧୨
ଅଶେଷ-ବନ୍ଧନ ଫିଟାଇ । ବିବେକ ଜ୍ଞାନ ପ୍ରକାଶଇ ୧୩
ମାୟା ଯନ୍ତ୍ରିତ ଅହଙ୍କାର । ହୃଦରୁ ତାହା ହୁଏ ଦୂର ୧୪
କହିବା ଶୁଣ ମନଦେଇ । ଯେ ମାର୍ଗେ ସଂଶୟ ନ ଥାଇ ୧୫
ଯେ ଆତ୍ମା ଅନାଦି-ପୁରୁଷ । ପ୍ରକୃତି ପରେ ଯାର ବାସ ୧୬
ସ୍ୱଭାବେ ନିର୍ଗୁଣ ଅଟଇ । ଜ୍ୟୋତି-ସ୍ୱରୂପେ ପ୍ରକାଶଇ ୧୭
ବ୍ୟାପିଛି ଏ ବିଶ୍ୱ ସଂସାରେ । ପ୍ରାଣୀଙ୍କ ବାହ୍ୟ-ଅଭ୍ୟନ୍ତରେ ୧୮
ଏ ରୂପେ ପ୍ରକୃତି-ପୁରୁଷ । ସୂକ୍ଷ୍ମ ସ୍ୱରୂପରେ ପ୍ରକାଶ ୧୯
ସେ ବିଷ୍ଣୁ ସୃଷ୍ଟି ଇଚ୍ଛା କରି । ଆଦିପ୍ରକୃତି ରୂପ ଧରି ୨୦
ତ୍ରିଗୁଣ ଜାତ ସେ କରଇ । ରଜ ସା‌ତ୍ତ୍ୱକ ତମ ଦେହୀ ୨୧
ରଜେ ସର୍ଜଇ ପାଳେ ସତ୍ତ୍ବେ । ତମ ସ୍ୱରୂପେ ହରେ ନିତ୍ୟେ ୨୨
ଏ ରୂପେ ଲୀଳା ସେ କରଇ । ଦଇବୀ ମାୟା ଗୁଣମୟୀ ୨୩
ଜୀବର ନାନାରୂପ କରେ । ଚିତ୍ର ବିଚିତ୍ର ଏ ସଂସାରେ ୨୪
ପ୍ରଜା ସର୍ଜଇ ନାନାକଳ୍ପେ । ସ୍ଥାବର ଜଙ୍ଗମାଦି ରୂପେ ୨୫
ଅଜ୍ଞାନେ ଆବୃତ୍ତ ତା ଦେହୀ । ସାକ୍ଷୀ ସ୍ୱରୂପେ ସେ ଦେଖଇ ୨୬
ଏ ରୂପେ ପୂର୍ବରୁ ଭିଆଣ । ପ୍ରକୃତି କରଇ ନିର୍ମାଣ ୨୭
କର୍ମରେ ଗତାଗତ ହୋଇ । ଉଚ୍ଚ-ନୀଚକୁ ସେ ନିଅଇ ୨୮
ପ୍ରବୃତ୍ତିମାର୍ଗେ କରି କର୍ମ । ପ୍ରାଣୀ ଲଭନ୍ତି ପଥଶ୍ରମ ୨୯
ନିବତ୍ତିମାର୍ଗେ ମୋକ୍ଷ ହୋଇ । ଏ ବେନିମାର୍ଗ ସେ ଭିଆଇ ୩୦
ସାକ୍ଷୀ ସ୍ୱରୂପେ ସର୍ବଦେହୀ । ଦେଖଇ ହୃଦପଦ୍ମେ ରହି ୩୧
କାର୍ଯ୍ୟ-କାରଣେ କର୍ତ୍ତା ହୋଇ । ପ୍ରକୃତି ଯେତେକ ଅର୍ଜଇ ୩୨
ସୁକୃତ-ଦୁଷ୍କୃତାଦି ଯେତେ । ଜୀବ ଭୁଞ୍ଜଇ ତାହା ନିତ୍ୟେ ୩୩
ଏମନ୍ତ ଶୁଣି ଦେବହୂତି । ସଂଶୟେ ପୁଣି ପଚାରନ୍ତି ୩୪

ଦେବହୂତି ଉବାଚ

କହ ହେ ପୁରୁଷ-ଉତ୍ତମ । କି ରୂପେ ବିଶ୍ୱ ସ୍ଥୂଳ ସୂକ୍ଷ୍ମ ୩୫
କି ରୂପେ ପ୍ରକୃତି ପୁରୁଷ । ଜଗତେ ହୋଇଛି ପ୍ରକାଶ ୩୬
ଏମନ୍ତ ଶୁଣି ଭଗବାନ । କହନ୍ତି ଅମୃତ ବଚନ ୩୭

ଭଗବାନ ଉବାଚ

ଯେତେ ଏ ତ୍ରିଗୁଣ-ବନ୍ଧନେ । ସତ ଅସତ ଯେ ଯେମାନେ ୩୮
ଆତ୍ମା ଯେ ଜ୍ୟୋତିରୂପେ ଥାଇ। ଅବ୍ୟକ୍ତରୂପେ ପ୍ରକାଶଇ ୩୯
ପ୍ରଧାନରୂପରେ ପ୍ରକୃତି । ସମସ୍ତକର୍ମେ ଅଧିପତି ୪୦
ସମସ୍ତରୂପ ସେ ବହଇ । ମହତ ଆଦି ଯେତେ ଦେହୀ ୪୧
ଶୁଣ ଜନନୀ ଏକଚିତ୍ତେ । ଚତୁର୍ବିଂଶତି ତତ୍ତ୍ୱ ଯେତେ ୪୨
ପଞ୍ଚ ପଞ୍ଚ ଯେ ଚତୁର୍ଦ୍ଦଶ । ପ୍ରତ୍ୟେକେ କରିବା ପ୍ରକାଶ ୪୩
ପୃଥିବୀ ଆପ ତେଜ ବାତ । ଆକାଶ ଆଦି ପଞ୍ଚଭୂତ ୪୪
ଗନ୍ଧ ରୂପ ଯେ ରସ ଶବ୍ଦ । ସ୍ପର୍ଶାଦି ତନମାତ୍ର ଭେଦ ୪୫
ଜିହ୍ୱା ନାସିକା ଚକ୍ଷୁ କର୍ଣ୍ଣ । ଚର୍ମ ପାଣି ପାଦ ବଚନ ୪୬
ବୃଷଣ ପାୟୁ ଏ ଦଶମ । ଇନ୍ଦ୍ରିୟ ବୋଲି ଏହା ନାମ ୪୭
ମନ ବୁଦ୍ଧି ଯେ ଅହଂ ଚିତ୍ତ । ଚତର୍ବିଂଶତି ଏହୁ ତ ୪୮
ପଞ୍ଚବିଂଶତି କାଳ କହି । ଏ ରୂପେ ସଂଖ୍ୟାକ୍ରମ ହୋଇ ୪୯
ପ୍ରକୃତି ଏତେରୂପ ହୋଇ । କାର୍ଯ୍ୟ-କାରଣେ ପ୍ରବର୍ତ୍ତଇ ୫୦
କାଳସ୍ୱରୂପରେ ପୁରୁଷ । ସକଳ କରାଇ ପ୍ରକାଶ ୫୧
ଏ ଦେହୀ ମୁଗ୍ଧ ଅହଙ୍କାରେ । ସେ କାଳେ ଡରେ ନିରନ୍ତରେ ୫୨
ଏ ଦେହେ କର୍ତ୍ତା ସେ ହୁଅଇ । ସମସ୍ତ ଭୋଗ ସେ କରଇ ୫୩
ପ୍ରକୃତି ଯାର ଚେଷ୍ଟା ବଳେ । ସର୍ଜି ନାଶଇ ଭୂମିତଳେ ୫୪
କାଳ-ସ୍ୱରୂପୀ ଭଗବାନ । ଆତ୍ମା-ମାୟାରେ କରେ ଲୀନ ୫୫
ଏ ପଞ୍ଚବିଂଶରୂପ ହୋଇ । ଅପରେ ଶୁଣ ମନ ଦେଇ ୫୬
ପୁଣି ସେ ପରମ-ପୁରୁଷ । ପ୍ରକୃତି ମଧ୍ୟେ ତା ପ୍ରକାଶ ୫୭
ସେ ସର୍ବଭୂତେ ପରିପୂର୍ଣ୍ଣ । ଜଳରେ ଚନ୍ଦ୍ରମା ଯେସନ ୫୮
ପ୍ରକୃତି ତାର ତହୁଁ ଜାତ । ତା ତହୁଁ ହୋଏ ମହତ୍ତତ୍ତ୍ବ ୫୯
ହିରଣ୍ୟମୟ ତାର ଦେହୀ । ବ୍ରହ୍ମାଣ୍ତମଧ୍ୟେ ବିରାଜଇ ୬୦
ଏ ବିଶ୍ୱ ଆତ୍ମା ଯେ ଅଟଇ । ସୂକ୍ଷ୍ମ ସ୍ୱରୂପେ ଅଛି ରହି ୬୧
ଆତ୍ମାରେ ପ୍ରକାଶ ସେ ହୋଇ । ଏ ଘୋରତିମିର ନାଶଇ ୬୨
ଯେ ସ୍ଥାନେ ରାଗ ଦ୍ୱେଷ ନାହିଁ । ପର ଅପର ନ ଜାଣଇ ୬୩
ସ‌ତ୍ତ୍ବଗୁଣରେ ପ୍ରକାଶଇ । ନିର୍ମଳ-ଜ୍ୟୋତିର୍ମୟ ଦେହୀ ୬୪
ସେ ବିଷ୍ଣୁଭକ୍ତି ଲାଭ ସ୍ଥାନ । ବାସୁଦେବଟି ଯାର ନାମ ୬୫
ଅଧ୍ୟାତ୍ମରୂପୀ ସେ ଚୈତନ୍ୟ । ମହତ ବୋଲି ତାର ନାମ ୬୬
ପର ଅପରେ ବ୍ୟାପିଛଇଁ । ବିକାରଭାବ ଯାର ନାହିଁ ୬୭
ସ୍ୱଚ୍ଛ ସୁଶାନ୍ତ ଭାବ ବହି । ଅମୃତମୟ ତାର ଦେହୀ ୬୮
ମହତ ତହୁଁ ଜାତ ହୋଇ । ଯେ କ୍ରିୟାଶକ୍ତି ରୂପ ବହି ୬୯
ସେ ଅହଂକାର ରୂପ ତିନି । ଜନ୍ମଇ ଶୁଣ ଗୋ ଜନନି ୭୦
ସାତ୍ତ୍ବିକ ରାଜସ ତାମସ । ଏ ତିନି ହୁଅନ୍ତି ପ୍ରକାଶ ୭୧
ମନ ଇନ୍ଦ୍ରିୟ ପଞ୍ଚଭୂତ । ଏ ତିନିଗୁଣେ ହୋନ୍ତି ଜାତ ୭୨
ସହସ୍ର ଶିର ବାହୁ ହୋଇ । ସଙ୍କରଷଣ ଯାକୁ କହି ୭୩
ଅନନ୍ତ ବୋଲି ଯାର କାୟ । ଭୂତ ଇନ୍ଦ୍ରିୟ ମନୋମୟ ୭୪
କର୍ତ୍ତାରସ୍ବରୂପେ ଦେବେ ଜାତ । କାରଣେ ଇନ୍ଦ୍ରିୟ ସମ୍ଭୂତ ୭୫
କାର୍ଯ୍ୟସ୍ୱରୂପେ ଭୂତଦେହୀ । ତ୍ରିଗୁଣେ ପ୍ରାଣୀ ମୋହ ହୋଇ ୭୬
ସାତ୍ତ୍ବିକଅଂଶୁ ମନ ଜାତ । ସଙ୍କଳ୍ପ ବିକଳ୍ପରେସ୍ଥିତ ୭୭
ହୃଷୀକମାନଙ୍କ ଈଶ୍ୱର । ଶ୍ୟାମସୁନ୍ଦର କଳେବର ୭୮
ତା ଭକ୍ତି ସାଧି ଯୋଗୀ ସିଦ୍ଧ । ଯାହାର ନାମ ଅନିରୁଦ୍ଧ ୭୯
ରଜୋଗୁଣରୁ ବୁଦ୍ଧି ଜାତ । ଦ୍ରବ୍ୟ ବିଜ୍ଞାନ ଇନ୍ଦ୍ରିଯୁତ ୮୦
ସଂଶୟ ବିପର୍ଯ୍ୟସ ବେନି । ନିଶ୍ଚୟ ସ୍ମୃତି ନିଦ୍ରା ତିନି ୮୧
ଏ ପାଞ୍ଚବୁଦ୍ଧିର ଲକ୍ଷଣ । ଏବେ ତୁ ଜନନି ଗୋ ଶୁଣ ୮୨
ରାଜସ ଅହଙ୍କାରୁ ପୁଣ । ଜାତ ହୁଅନ୍ତି ଇନ୍ଦ୍ରିଗଣ ୮୩
କ୍ରିୟା ଜ୍ଞାନରେ ଇନ୍ଦ୍ରିଗଣ । ଯେ ଯାହା ମାର୍ଗେ ପ୍ରବର୍ତ୍ତନ ୮୪
ସେ ପ୍ରାଣ କ୍ରିୟାଶକ୍ତି ବଳେ । ଭୋଗ ଭଞ୍ଜଇ କୁତୂହଳେ ୮୫
ବୁଦ୍ଧି ବିଜ୍ଞାନ ଶକ୍ତିବଳେ । ଧାରଣା କରେ ସୁନିଶ୍ଚଳେ ୮୬
ତାମସ ଗୁଣେ ପଞ୍ଚମାତ୍ର । ବିଷ୍ଣୁର ଅଂଶେ ସେ ସମ୍ଭୂତ ୮୭
ଆକାଶ ଗୁଣୁ ଶ୍ରୋତ୍ର ହୋଇ । ଶବଦ ସଂଗ୍ରହ କରଇ ୮୮
ଶବଦ ତନ୍ମାତ୍ର ଗଗନ । ଅର୍ଥ ଆଶ୍ରୟ ଯେବା ସ୍ଥାନ ୮୯
ଆତ୍ମା ଲିଙ୍ଗକୁ ପ୍ରକାଶଇ । ସ୍ୱଭାବେ ଅଦୃଶ୍ୟ ଅଟଇ ୯୦
ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତର । ପ୍ରାଣ ଇନ୍ଦ୍ରିୟ ଯେ ମନର ୯୧
ଆଶ୍ରୟ ହୋଇ ନ ଦିଶଇ । ଆକାଶଗୁଣ ଏହୁ ହୋଇ ୯୨
ଆକାଶ ତହୁଁ ସ୍ପର୍ଶ ମାତ୍ର । କାଳର ଗତିବଳେ ଜାତ ୯୩
ସ୍ପର୍ଶମାତ୍ରାରୁ ବାୟୁ ହୋଇ । ଚର୍ମ ତା ସଂଗ୍ରହ କରଇ ୯୪
ମୃଦୁ କଠିନ ତ୍ୱଚ ହୋଇ । ଶୀତ ତପତି ସେ ଜଣାଇ ୯୫
ବୃକ୍ଷ-ଶାଖାଦି ତୃଣମାନ । ବାୟୁର ବଳେ ସେ ଚଳନ ୯୬
ଇନ୍ଦ୍ରିୟେ ସ୍ପର୍ଶ ଶବ୍ଦ ଗନ୍ଧ । ପ୍ରାଣୀଙ୍କି କରାଏ ଯେ ବୋଧ ୯୭
ସକଳଇନ୍ଦ୍ରିମାନଙ୍କର । ଆତ୍ମା ସ୍ୱରୂପେ ତା ବିହାର ୯୮
ପବନ ଦଇବ ପ୍ରେରିତ । ରୂପ ତନମାତ୍ର ସମ୍ଭୂତ ୯୯
ତହୁଁ ହୋଇଲା ତେଜ ଜାତ । ସେ ତେଜୁ ଚକ୍ଷୁ ଯେ ସମ୍ଭୂତ ୧୦୦
ଦ୍ରବ୍ୟ ଆକାର ଗୁଣଜ୍ଞାନ । ରୂପର ବୁତ୍ତି ଏ ଲକ୍ଷଣ ୧୦୧
ପ୍ରକାଶ ପାଚନ ଶୋଷଣ । କ୍ଷୁଧା ତୃଷାର ଉତପନ୍ନ ୧୦୨
ଭୋଜନ ପାନ ପରିପାକ । ଆବର ଶୀତ ନିବାରକ ୧୦୩
ତେଜର ବୃତ୍ତି ଅଟେ ଏତେ । ଶୁଣ ଜନନୀ ଶୁଦ୍ଧ ଚିତ୍ତେ ୧୦୪
ତେଜ ବିକାରେ ରସ ଜାତ । ରସରୁ ଜଳ ଯେ ସମ୍ଭୂତ ୧୦୫
ତହୁଁ ରସନା ଇନ୍ଦ୍ରି ହୋଇ । ଯେ ସର୍ବସ୍ୱାଦକୁ ଘେନଇ ୧୦୬
କଟୁ କଷାୟ ଯେ ଆମ୍ବିଳ । ତିକ୍ତ ଲବଣ ଯେ ମଧୁର ୧୦୭
ଏ ରୂପେ ଭେଦଭାବ କହି । ଏକଇ ରସ ନାନା ଥାଇ ୧୦୮
ତିନ୍ତା ଏ ମାଟି ପିଣ୍ତୁଳାଏ । ଜୀବନ ରଖେ ତୃପ୍ତି ଦିଏ ୧୦୯
ତାପ ନିବାରେ ମୃଦୁ କରେ । ବହନ୍ତେ ପୁଣ ପୃଣ ଭରେ ୧୧୦
ଜଳର ସାଧାରଣ ଗୁଣ । ଏବେ କହିବା ମାତ ଶୁଣ ୧୧୧
ରସ ବିକାରୁ ଗନ୍ଧ ଜାତ । ପୃଥିବୀ ଗନ୍ଧରୁ ସମ୍ଭୂତ ୧୧୨
ଗନ୍ଧ ଗ୍ରହଣେ ଇନ୍ଦ୍ରି ଘ୍ରାଣ । ତହୁଁ ହୋଇଲା ଉତପନ୍ନ ୧୧୩
ଦୁର୍ଗନ୍ଧ ମିଶ୍ରଗନ୍ଧ ହୋଇ । ସୌରଭ ଶାନ୍ତ ଉଗ୍ର ଯେହି ୧୧୪
ଏକଇ ଗନ୍ଧ ଭେଦ ଭାବ । ଦ୍ରବ୍ୟ ସଂଯୋଗେ ତା ସମ୍ଭବ ୧୧୫
ଭୋ ମାତ ଶୁଣ ଭୂମି ଗୁଣ । ଯେ ଭୂମି ବ୍ରହ୍ମାର ଭାବନ ୧୧୬
ବ୍ରହ୍ମପ୍ରତିମା ନିରୂପଣ । ସର୍ବ ଆଧାର ସର୍ବସ୍ଥାନ ୧୧୭
ସକଳଭୂତ ଭେଦକରେ । ଭୂମି ଲକ୍ଷଣ ଏ ବେଭାରେ ୧୧୮
ଆକାଶ ଗୁଣ ଯେ ବିଶେଷ । ଶବଦରୂପେ ସେ ପ୍ରକାଶ ୧୧୯
ସେ ଯାର ବିଷୟ ଅଟଇ । ତାହାକୁ କର୍ଣ୍ଣ ଇନ୍ଦ୍ରି କହି ୧୨୦
ପବନ ଗୁଣ ଯେ ବିଶେଷ । ସ୍ପରଶ ରୂପେ ସେ ପ୍ରକାଶ ୧୨୧
ସେ ଯାର ବିଷୟ ଅଟଇ । ତାହାକୁ ଚମ ଇନ୍ଦ୍ରି କହି ୧୨୨
ତେଜର ଗୁଣ ରୂପ ହୋଇ । ଚକ୍ଷୁର ବିଷୟଟି ସେହି ୧୨୩
ଜଳର ଗୁଣ ରସ ହୋଇ । ସେ ପୁଣି ଜିହ୍ୱାରେ ବସଇ ୧୨୪
ପୃଥିବୀ ଗୁଣ ଗନ୍ଧ ଜାଣ । ତାହାର ଇନ୍ଦ୍ରି ଅଟେ ଘ୍ରାଣ ୧୨୫
ଏ ଭୂତଗଣ ପରେ ପରେ । ପୂର୍ବର ଗୁଣମାନ ଧରେ ୧୨୬
ଏଣୁ ଭୂମିରେ ଶବ୍ଦ ସ୍ପର୍ଶ । ରୂପ ରସ ଗନ୍ଧ ପ୍ରକାଶ ୧୨୭
ଏ ମାର୍ଗେ ପ୍ରାଣୀଏ ଭ୍ରମନ୍ତି । ଦଣ୍ତେ ହେଁ ସ୍ଥିର ସେ ନୁହଁନ୍ତି ୧୨୮
ଏ ରୂପେ କାରଣ ଉତ୍ପତ୍ତି । ଏବେ ଗୋ ଶୁଣ କାର୍ଯ୍ୟୋତ୍ପତ୍ତି ୧୨୯
ଯେ କାଳେ ପ୍ରଳୟ ହୁଅଇ । ଏ ସର୍ବରୂପ ଭଙ୍ଗ ଯାଇ ୧୩୦
ଯାଠାରୁ ହୁଅଇ ଉତ୍ପନ୍ନ । ତାଠାରେ ହୁଅଇ ସେ ଲୀନ ୧୩୧
ସେକାଳେ ପ୍ରଭୁ ଭଗବାନ । ଯୋଗନିଦ୍ରାରେ ଅବଧାନ ୧୩୨
ପୁଣି ଏ ସୃଷ୍ଟି ଆଦି କାଳେ । ସ୍ୱଭାବ କାଳ କର୍ମ ବଳେ ୧୩୩
ସକଳେ ଉତ୍ପତ୍ତି ହୁଅନ୍ତେ । ଈଶ୍ୱର ତହିଁ ପ୍ରବେଶନ୍ତେ ୧୩୪
ଅନ୍ୟୋନ୍ୟେ ଏକତ୍ୱ ହୁଅନ୍ତି । ତକ୍ଷଣେ ରୂପକୁ ଲଭନ୍ତି ୧୩୫
ଜଳେ ହିରଣ୍ୟକୋଷ ପ୍ରାୟେ । ପଡି ଭାସନ୍ତି ମହାକାୟେ ୧୩୬
କେତେହେଁ କାଳେ ତହୁଁଜାତ । ସହସ୍ର-ଶିର ସେ ଅନନ୍ତ ୧୩୭
ଜଳେ ଶୟନ ସେ ଆନନ୍ଦେ । ବ୍ରହ୍ମା ଜନ୍ମିଲେ ନାଭିପଦ୍ମେ ୧୩୮
ସୃଷ୍ଟିର ଅଧିପତି ସେହି । ବିଷ୍ଣୁର ଆଦିରୂପ ଯେହି ୧୩୯
ଯେ ଅଂଶୁ ତାର ଯେବା ଜାତ । ବିରାଟରୂପ ଶୁଣ ମାତ ୧୪୦
ବଚନୁ ଅଗ୍ନି ଜାତ ହୋଇ । ନାସାରୁ ପ୍ରାଣ ଉପୁଜଇ ୧୪୧
ଘ୍ରାଣରୁ ବାୟୁ ଉତପନ୍ନ । ଚକ୍ଷୁରୁ ଜନ୍ମିଲା ତପନ ୧୪୨
କର୍ଣ୍ଣରୁ ଦିଗମାନ ହୋଇ । ଇନ୍ଦ୍ରାଦି ଦଶଦେବେ ଯହିଁ ୧୪୩
ଚର୍ମ ଉପରେ ଲୋମମାନ । ଔଷଧିଗଣ ତାକୁ ଜାଣ ୧୪୪
ତା ରେତ ଆପ ଯେ ଅଟଇ । ଗୁହ୍ୟ ତା ମୃତ୍ୟୁଲୋକ କହି ୧୪୫
ଭୁଜେ ତାହାର ଇନ୍ଦ୍ର ବସେ । ତା ସର୍ବଗତି ହୃଷୀକେଶେ ୧୪୬
ନାଭି ଆଶ୍ରିତ ଶିରାକୁଳ । ଏ ସର୍ବନଦୀଙ୍କର ମୂଳ ୧୪୭
ଉଦରେ ସମୁଦ୍ର ଅଛଇ । କ୍ଷୁଧା ପିପାସା ଅଗ୍ନି ବହି ୧୪୮
ମନ ହୃଦରୁ ଜାତ ହୋଇ । ବିଷୟ ଭେଦ ସେ କରଇ ୧୪୯
ମନର ପରେ ବୁଦ୍ଧିଜାତ । ସେ ବୁଦ୍ଧି ମହତୁଁ ସମ୍ଭୂତ ୧୫୦
ଏତେ ପ୍ରକାରେ ଜାତ ହୋଇ । ବିରାଟ ତେବେ ନ ଉଠଇ ୧୫୧
ଏ ଚତୁର୍ଦ୍ଦଶଲୋକ-ସ୍ଥିତି । ବିରାଟ ଅଙ୍ଗରେ ରହନ୍ତି ୧୫୨
ଯେ ସ୍ଥାନୁ ଯେବା ଜାତ ହୋଇ । ସେ ଅଙ୍ଗେ ସେହୁ ବିଶ୍ରାମଇ ୧୫୩
କ୍ଷେତ୍ରଜ୍ଞରୂପେ ଆତ୍ମା ଥାଇ । ଯେବେ ସେ ଶରୀରେ ପଶଇ ୧୫୪
ତେବେ ସେ ଚେତନାକୁ ପାଇ । ବିରାଟ ଜଳରୁ ଉଠଇ ୧୫୫
କାର୍ଯ୍ୟ କାରଣେ ଇନ୍ଦ୍ରିଗଣ । ଆତ୍ମାକୁ କରାନ୍ତି ଭ୍ରମଣ ୧୫୬
ଏ ଭାବେ ଜାଣି ମୋର ପାଦ । ଯେବା ଭଜଇ ଅପ୍ରମାଦେ ୧୫୭
ଏ ଭବଜଳକୁ ସେ ତରଇ । ଏ ମାୟା ତାକୁ ନ ଲାଗଇ ୧୫୮
ତୃତୀୟସ୍କନ୍ଧେ ଭାଗବତ । ଅମୃତ ରସମୟ ଗୀତ ୧୫୯
ସୁଜନଜନେ ଏଣେ ରସ । କହିଲା ଜଗନ୍ନାଥ ଦାସ ୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟେ ତତ୍ତ୍ବସମାମ୍ନାୟେ ଷଡ୍ବିଂଶୋଽଧ୍ୟାୟଃ ।

ସପ୍ତବିଂଶ ଅଧ୍ୟାୟ

[ସମ୍ପାଦନା]
ଭଗବାନ ଉବାଚ

ବିଷ୍ଣୁ କହନ୍ତି ତୋଷମନେ । ମନୁ ତନୟା ସନ୍ନିଧାନେ ॥୧
ଶୁଣି ଜନନୀ ଏକମନ । ଯେ ହରି ଅଜ-ନିରଞ୍ଜନ ॥୨
ନିର୍ଗୁଣ ନିର୍ବିକାରମୟେ । ବସଇ ଆତ୍ମାରୂପେ ଦେହେ ॥୩
ପ୍ରକୃତିଗୁଣେ ନୋହେ ସଙ୍ଗ । ଜଳ ଯେସନେ ଅର୍କବିମ୍ବ ॥୪
ସେ ଦେହଧର୍ମେ ବଦ୍ଧ ହୋଇ । ଆତ୍ମାଙ୍କୁ ଅହଙ୍କାର ବହି ॥୫
ଆତ୍ମାର ଦୁଃଖ ସୁଖ ମଣେ । କର୍ମକରତା ମୁଁ ପ୍ରମାଣେ ॥୬
ଆତ୍ମାର ବନ୍ଧ କର୍ମ ପାକେ । ନିତ୍ୟେ ଭ୍ରମଇ ଦୁଃଖ ସୁଖେ ॥୭
ଦେହକୁ କରେ ଅଭିମାନ । ଏଣୁ ହରଇ ନିଜ ଜ୍ଞାନ ॥୮
ନିରତେ ଅହଙ୍କାର ଘେନି । ଏମନ୍ତେ ଭ୍ରମେ ନାନା ଯୋନି ॥୯
ଯେସନେ ଜଳେ ପ୍ରାଣୀ ପଶେ । ପୁଣି ଉଠନ୍ତେ ଶିର ଦିଶେ ॥୧୦
ଜନ୍ମ ମରଣ ଏହି ମତ । ଅର୍ଜିଲା କର୍ମର ଆୟତ୍ତ ॥୧୧
ଆତ୍ମାର କର୍ମଫଳ ଘେନି । ଜୀବ ଭ୍ରମଇ ନାନା ଯୋନି ॥୧୨
ଅଜ୍ଞାନେ ଏ ଘୋର ସଂସାରେ । ଜୀବ ଭ୍ରମଇ ଅହଂକାରେ ॥୧୩
ଦୁଃଖ ଲଭଇ ବାରେବାରେ । ଆତ୍ମାର ଗତି ନବିଚାରେ ॥୧୪
ସ୍ୱପ୍ନେ ଅନର୍ଥ ଯେତେ ଦେଖି । ନାନା ପ୍ରପେଞ୍ଚେ ଉପଲକ୍ଷି ॥୧୫
ଦେଖନ୍ତେ ମଣେ ତା ପ୍ରତ୍ୟକ୍ଷ । ଯେହ୍ନେ ଜାଗରେ ହୋଏ ମିଛ ॥୧୬
ଏ ରୂପେ ଜୀବର ସଞ୍ଚାର । ଏମନ୍ତ ମାୟା ଏ ସଂସାର ॥୧୭
ଏ ଜୀବ ମୋହିତ ଅଜ୍ଞାନେ । ଏ ରୂପେ ପଡ଼ଇ ବନ୍ଧନେ ॥୧୮
ଏଣୁ ସଂଯମଚିତ୍ତ କରି । ବିଷୟ-ବିଷରୁ ଉଦ୍ଧରି ॥୧୯
ଭକ୍ତି-ବିରକ୍ତି ଯୋଗବଳେ । ମନକୁ ବଶ କରି ହେଳେ ॥୨୦
ନିୟମେ ମାପି ସୁନିଶ୍ଚଳେ । ଛାଡ଼ି ଇନ୍ଦ୍ରିୟ ସଙ୍ଗ ମେଳେ ॥୨୧
ବିଷ୍ଣୁ-ବିଷୟେ ମନ ଧରି । ସାଧିବ ଶରୀର ପାଶୋରି ॥୨୨
ଯତ୍ନେ ସାଧିବ ଯୋଗ ତପ । ସତ୍ୟ-ଶଉଚ-ଶ୍ରଦ୍ଧା କଳ୍ପ ॥୨୩
ମୋହର ଗୁଣ କର୍ମ ଯଶ । ଶ୍ରବଣ କୀର୍ତ୍ତନେ ହରଷ ॥୨୪
ସକଳଜୀବେ ନିଜ ପ୍ରାୟେ । ସମେ ଦେଖିବ ବିଷ୍ଣୁମୟେ ॥୨୫
ପ୍ରାଣୀଙ୍କ ହିତେ ଥିବ ନିତ୍ୟେ । ଚଞ୍ଚଳ-ଇନ୍ଦ୍ରିୟ ସଂଯତେ ॥ ୨୬
ଈଶ୍ୱରେ ସ୍ଥାପି କର୍ମଫଳ । ସ୍ୱଧର୍ମ ସାଧିବ ନିଶ୍ଚଳ ॥୨୭
ପ୍ରଥମ-ଆଶ୍ରମର ମତେ । ସ୍ୱଧର୍ମ ମୌନ ସତ୍ୟଯୁତେ ॥୨୮
କରି ଛାଡ଼ିବ ଗୃହ ସ୍ନେହ । ଯେ ଅହଙ୍କାର ମାୟାମୋହ ॥୨୯
ଆହାରେ ଭଲ ମନ୍ଦ ନାହିଁ । ଯେବା ମିଳିବ ଯାହା ଯହିଁ ॥୩୦
ଅଳ୍ପ ଭୋଜନେ ମତ ତୋଷି । ଏକାନ୍ତ ଜ୍ଞାନେ ନିତ୍ୟେ ବସି ॥୩୧
କରୁଣ ଶାନ୍ତ ଶିଷ୍ଟ ଗୁଣ । ସକଳ ଭୂତେ ମିତ୍ରପଣ ॥୩୨
ସୁହୃଦ ସୁତ ଗୃହ ନାରୀ । ଏ ଦେହେ ମମତା ନକରି ॥୩୩
ପ୍ରକୃତି ପୁରୁଷ ବିଚାର । ଜ୍ଞାନର ତ‌ତ୍ତ୍ବ ଅବଧାର ॥୩୪
ତେଣେ ନିବୃତ୍ତ ବୁଦ୍ଧିଭାବ । ଜାଗ୍ରତ ସ୍ୱପ୍ନ ଆଦିଭାବ ॥୩୫
ସମସ୍ତ ହୁଅଇ ନିବୃତ୍ତ । ବିଷୟ-ଚିନ୍ତା ଦୂରୀଭୂତ ॥୩୬
ଅନ୍ୟ ଦର୍ଶନ ତାର ନାହିଁ । ଆତ୍ମାରେ ଆତ୍ମାକୁ ଦେଖଇ ॥୩୭
ଚକ୍ଷୁର ଅର୍କେ ଅର୍କ ପ୍ରାୟେ । ଦେଖଇ ସର୍ବ ବ୍ରହ୍ମମୟେ ॥୩୮
ସେ ବ୍ରହ୍ମ ନିତ୍ୟ ଲିଙ୍ଗମୁକ୍ତ । ଆଭାସେ ଅହଙ୍କାରେସ୍ଥିତ ॥୩୯
ଏଣୁ ଯେ ଅହଙ୍କାରୀ ଜୀବ । କି ରୂପେ ବ୍ରହ୍ମଙ୍କୁ ଦେଖିବ ॥୪୦
ଭୋ ମାତ ସଂଶୟ ନକର । ପ୍ରମାଣ କହିବା ତାହାର ॥୪୧
ଯେସନେ ରବିବିମ୍ବ ଜଳେ । ଆଭାସୁ ପୁଣି ଲକ୍ଷି ସ୍ଥଳେ ॥୪୨
ପୁଣି ସେ ଜଳବିମ୍ବ-ବଳେ । ଆକାଶ-ରବି ଦେଖି ଡୋଳେ ॥୪୩
ତେସନେ ଦେହେନ୍ଦ୍ରିୟ ମନେ । ଏ ଜୀବ ଥାଇଣ ପ୍ରଚ୍ଛନ୍ନେ ॥୪୪
ଏ ଯେ ତ୍ରିଗୁଣ ଅହଙ୍କାର । ଆଭାସ ଯହିଁରେ ବ୍ରହ୍ମର ॥୪୫
ତହୁଁ ବ୍ରହ୍ମଙ୍କୁ ଉପଲକ୍ଷି । ପୁଣି ପତ୍ୟେକ୍ଷେ ତାକୁ ଦେଖି ॥୪୬
ଆତ୍ମା ଅଟଇ ଶୁଦ୍ଧଜ୍ଞାନ । ଅନୁଭବରେ ତା ପ୍ରମାଣ ॥୪୭
ସୁଷୁପ୍ତି ଅବସ୍ଥାରେ ଯେବେ । ଭୂତାଦି ରହେ ଲୀନ ଭାବେ ॥୪୮
ନିଦ୍ରାରେ ଅହଙ୍କାର ଶୂନ୍ୟ । ଆତ୍ମା ସ୍ୱରୂପେ ବର୍ତ୍ତମାନ ॥୪୯
ଦ୍ରଷ୍ଟାସ୍ୱରୂପେ ଥାଇ ଦେହେ । ନିଜକୁ ମଣେ ନଷ୍ଟ ପ୍ରାୟେ ॥୫୦
ଉପାଧି ନାଶ ହେବା ଜାଣି । ଆପଣା ନାଶ ପରିମାଣି ॥୫୧
ଧନବିନାଶେ ଲୋକ ଯେହ୍ନେ । ଆପଣ ନାଶ ପ୍ରାୟ ମଣେ ॥୫୨
ସୁଷୁପ୍ତି ଅବସ୍ଥାରେ ପୁଣ । ବିଷୟ ମାତ୍ର ନୁହେଁ ଜ୍ଞାନ ॥୫୩
ଏ ରୂପେ ସଂଶୟ ନକର । ଭୋ ମାତ ମନରେ ବିଚାର ॥୫୪
ସୁଷୁପ୍ତି ଭଙ୍ଗରେ ପୁରୁଷ । ଏ ରୂପ କରଇ ପ୍ରକାଶ ॥୫୫
ମୁଁ ଆଜି ସୁଖେ ନିଦ୍ରା ଗଲି । କିଛି ମାତ୍ର ହିଁ ନଜାଣିଲି ॥୫୬
ଯେଣୁ ଏ ରୂପେ ମନେ ଥାଇ । ଆତ୍ମ ନଥିଲେ ଜ୍ଞାନ କାହିଁ ॥୫୭
ପ୍ରକାଶେ ଯେ କାର୍ଯ୍ୟକାରଣ । ସେ ଦ୍ରଷ୍ଟାରୂପେ ବର୍ତ୍ତମାନ ॥୫୮

ଦେବହୂତି ଉବାଚ

ହେ ପ୍ରଭୁ ପୁରୁଷ ପ୍ରକୃତି । କେହି କାହାକୁ ନଛାଡ଼ନ୍ତି ॥୫୯
ଅନ୍ୟୋନ୍ୟ ଆଶ୍ରୟ ସେ ନିତ୍ୟ । କେବେହେଁ ନୁହଁନ୍ତି ସେ ଚ୍ୟୁତ ॥୬୦
ଯେମନ୍ତେ ଭୂମି ଗନ୍ଧ ଦୁଇ । କେହି କାହାକୁ ନଛାଡ଼ଇ ॥୬୧
ଅଥବା ଦେଖ ଜଳ ରସ । ଏକ ଅଭାବେ ଏକ ନାଶ ॥୬୨
ସେ ରୂପେ ପ୍ରକୃତି ପୁରୁଷେ । ବିୟୋଗ କି ରୂପେ ପ୍ରକାଶେ ॥୬୩
ଅକର୍ତ୍ତା ପୁରୁଷ ବିଚାର । ତ୍ରିଗୁଣେ ପ୍ରକୃତି ସଞ୍ଚାର ॥୬୪
ଏ କର୍ମବନ୍ଧ ଯେଣୁ ତାର । କେମନ୍ତେ ମୋକ୍ଷ ଏହାଙ୍କର ॥୬୫
କେହି ବିବେକ ଜ୍ଞାନ ତତ୍ତ୍ବେ । ସଂସାର ଯେବେ ବା ନିବର୍ତ୍ତେ ॥୬୬
ହେତୁ ତାହାର ଯେଣୁ ଥାଇ । କି ରୂପେ ମୋକ୍ଷ ବା ଘଟଇ ॥୬୭
ଏମନ୍ତ ଦେଖଇ ବହୁତ । ତୁ ମୋତେ କହ ଯଥା ତତ୍ତ୍ବ ॥୬୮

ଭଗବାନ ଉବାଚ

ଶୁଣ ଜନନି ଦେଇ ଚିତ୍ତ । ଯେବା ଜୀବର ବନ୍ଧ-ମୁକ୍ତ ॥୬୯
ନିଷ୍କାମେ ସ୍ୱଧର୍ମରେ ଥାଇ । ମନ ନିର୍ମଳେ ମୋତେ ଧ୍ୟାଇ ॥୭୦
ମୋହର ଦୃଢ଼ଭକ୍ତି ଯୋଗ । ସେ ତତ୍ତ୍ବଜ୍ଞାନ ସୁବୈରାଗ୍ୟ ॥୭୧
ଶ୍ରୀକୃଷ୍ଣ ଶ୍ରବଣ-କୀର୍ତ୍ତନେ । ଭକ୍ତିରେ ସାଧିବ ଯତନେ ॥୭୨
ତତ୍ତ୍ବ ଦର୍ଶନ ଜ୍ଞାନବଳେ । ଦୃଢ଼ବୈରାଗ୍ୟ ତପବଳେ ॥୭୩
ଆତ୍ମାର ପ୍ରାପ୍ତି ଉପାୟରେ । ଚିତ୍ତ ଏକାଗ୍ର ସମାଧିରେ ॥୭୪
ଏ ସର୍ବ ପ୍ରକାର ସାଧନ । ଖଣ୍ତଇ ଜୀବର ବନ୍ଧନ ॥୭୫
ପ୍ରକୃତି ପରାଭବ ପାଇ । ବିରହଭାବ ସେ ଲଭଇ ॥୭୬
ଯେସନେ ଅରଣୀରୁ ଅଗ୍ନି । ଜନମି ଦହଇ ଅରଣୀ ॥୭୭
ପ୍ରକୃତି ଭୋଗ ଶେଷ ହେଲେ । ତାହାର ଦୋଷ ଦିଶେ ଭଲେ ॥୭୮
କାଟିଣ ସବୁ ବନ୍ଧ ପାଶ । ଆନନ୍ଦେ ବିହରେ ପୁରୁଷ ॥୭୯
ଯେସନେ ସ୍ୱପନେ ଅନର୍ଥ । ଜାଗିଲେ ହୁଅଇ ଅସତ୍ୟ ॥୮୦
ତେସନେ ସଂସାର ଦିଶଇ । ମୋ ମାୟା ତାକୁ ନଲାଗଇ ॥୮୧
ବହୁତ ଜନ୍ମ ଭାଗ୍ୟବଳେ । ଅଧ୍ୟାତ୍ମଜ୍ଞାନ ହୁଏ କାଳେ ॥୮୨
ଏ ରୂପେ ଆତ୍ମାରାମମୁନି । ବ୍ରହ୍ମଲୋକକୁ ତୁଚ୍ଛ ମଣି ॥୮୩
ମୋ ଭକ୍ତ ହୋଇ ମୋ ପ୍ରସାଦେ । ଆତ୍ମାକୁ ଜାଣେ ଅପ୍ରମାଦେ ॥୮୪
କୈବଲ୍ୟଧାମ ମୋ ଆଶ୍ରୟ । ଲଭେ ମୁକତି ଆଦି ଶ୍ରେୟ ॥୮୫
ଲିଙ୍ଗ-ଶରୀର ନାଶ ଯାଇ । ଆଉ ଲେଉଟି ନ ଆସଇ ॥୮୬
ଯାହାର ଚିତ୍ତ ଯୋଗୁ ଆନ । ମାୟାରେ ନୁହଇ ବିଭ୍ରମ ॥୮୭
ସେ ଆତ୍ୟନ୍ତିକୀ ଗତି ପାଇ । ଯହିଁରେ ମୃତ୍ୟୁଭୟ ନାହିଁ ॥୮୮
ମୈତ୍ରେୟ ବିଦୁର ଅଗ୍ରତେ । ବହୁ ସାଧନ ଯୋଗମତେ ॥୮୯
କହିଲେ କପିଳଙ୍କ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୯୦
ସଂସାରଜନ ହିତ ଅର୍ଥେ । ତୃତୀୟସ୍କନ୍ଧେ ଭାଗବତେ ॥୯୧
ସୁଜନେ ଚିନ୍ତ ମନେ ଏହା । ଯେବେ ଖଣ୍ତିବ ଭବମାୟା ॥୯୨
ହରିଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥୯୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
କାପିଳାୟ ଉପାଖ୍ୟାନେ ସପ୍ତବିଂଶୋଽଧ୍ୟାୟଃ

ଅଷ୍ଟବିଂଶ ଅଧ୍ୟାୟ

[ସମ୍ପାଦନା]
ଭଗବାନ ଉବାଚ

ଶୁଣ ନୃପତିସୁତା ତୁମ୍ଭେ । ଯୋଗଲକ୍ଷଣ କହୁ ଆମ୍ଭେ ॥୧
ମନ ପ୍ରସନ୍ନ ଯେଣେ ହୋଇ । ସତ୍ପଥେ ସର୍ବଦା ଗମଇ ॥୨
ଏଣୁ ଏ ଗ୍ରାମ୍ୟଧର୍ମ ଛାଡ଼ି । ନିବୃତ୍ତିମାର୍ଗେ ଚିତ୍ତ ବଢ଼ି ॥୩
ନିଶ୍ଚଳ ସ୍ଥାନେ ଅବସ୍ଥାନ । କରିବ ପବିତ୍ର ଭୋଜନ ॥୪
ଅହିଂସା ସତ୍ୟମାର୍ଗେ ଭଜି । ଅଧିକ ପ୍ରତିଗ୍ରହ ତେଜି ॥୫
ଯେ ବ୍ରହ୍ମଚର୍ଯ୍ୟ ଆଚରଣ । ତପ ଶଉଚ ଅଧ୍ୟୟନ ॥୬
ପରମ-ପୁରୁଷ ଅର୍ଚ୍ଚନ । ତା ପାଦେ ଦେଇ ବାକ୍ୟମନ ॥୭
ନିଶ୍ଚଳେ ଆସନେ ବସିବ । ମଉନ ବ୍ରତ ଆଚରିବ ॥୮
ମନକୁ ନିର୍ବିକ୍ଷୟ କରି । ଇନ୍ଦ୍ରିୟ ସମୂହ ନିବାରି ॥୯
ଆହାର ଜିଣି ପ୍ରତ୍ୟାହାରେ । ପ୍ରାଣକୁ ସ୍ଥାପିବ ନିଶ୍ଚଳେ ॥୧୦
ଆତ୍ମାରେ ଆତ୍ମାକୁ ଚିନ୍ତିବ । ବୈକୁଣ୍ଠଲୀଳାକୁ ଭାବିବ ॥୧୧
ବୁଦ୍ଧିର ବଳେ କର୍ମସାଧି । ନିଶ୍ଚଳ ଯୋଗରେ ସମାଧି ॥୧୨
ଏ ବିନୁ ଅନ୍ୟ ମାର୍ଗ ନାହିଁ । ଶୁଣ ଗୋ ମାତ ମନ ଦେଇ ॥୧୩
ବିଶୁଦ୍ଧ ଦେଶରେ ଆସନ । କୁଶ କମ୍ବଳ କୃଷ୍ଣାଜିନ ॥୧୪
ସ୍ୱସ୍ତିକ ଆସନେ ବସିବ । ଆନନ୍ଦେ ଯୋଗ ଅଭ୍ୟାସିବ ॥୧୫
ଯେ ପ୍ରାଣମାର୍ଗ ବିଶୋଧକ । ପୂରକ କୁମ୍ଭକ ରେଚକ ॥୧୬
ଏ ମାର୍ଗେ ପ୍ରାଣକୁ ଶୋଧିବ । ନିଶ୍ଚଳ ଚିତ୍ତରେ ଚିନ୍ତିବ ॥୧୭
ଯେମନ୍ତେ ବାୟୁ ଅଗ୍ନି ଲାଗି । ଲୋହ ଦଗଧେ ମଳତ୍ୟାଗି ॥୧୮
ସେ ରୂପେ ପ୍ରାଣାୟମ କଲେ । ଆତ୍ମା ନିର୍ମଳ ହୁଏ ଭଲେ ॥୧୯
ସମସ୍ତ ଦୋଷ ଏଣେ ହରେ । ଯେବ ପାତକ ପୂର୍ବାପରେ ॥୨୦
ପ୍ରତ୍ୟାହାରର ବଳେ ମନ । ଧ୍ୟାନରେ ଜିଣଇ ତ୍ରିଗୁଣ ॥୨୧
ମନ ନିର୍ମଳ ଯେତେବେଳେ । ଯୋଗକୁ ସାଧିବ ନିଶ୍ଚଳେ ॥୨୨
କଳା କାଷ୍ଠା ବା ଦଣ୍ତ କ୍ଷଣେ । ନାସିକା ଅଗ୍ର ଦରଶନେ ॥୨
ଧ୍ୟାନେ ଚିନ୍ତିବ ଭଗବାନ । ଅନାଦି-ପରମ-କାରଣ ॥୨୪
ଶ୍ୟାମସୁନ୍ଦର କଳେବର । ବଚନ ଅମୃତ ମଧୁର ॥୨୫
ସୁନ୍ଦର ପ୍ରସନ୍ନ ବଦନ । ପଦ୍ମର ପ୍ରାୟେ ଯା ନୟନ ॥୨୬
ପଙ୍କଜ କିଞ୍ଜଳ୍କର ପ୍ରାୟେ । ପୀତବସନ କଟୀ ଶୋହେ ॥୨୭
ଯେ ଶଙ୍ଖଚକ୍ର ଗଦାଧର । ପଦ୍ମ ବିରାଜେ ଭୁଜେ ତାର ॥୨୮
ଶ୍ରୀବତ୍ସ› ଚିହ୍ନ ବକ୍ଷସ୍ଥଳେ । କିବା ଉପମା ଦେବା ଭଲେ ॥୨୯
ମୁକୁତା ଚାପସରି ଶୋହେ । କଣ୍ଠେ କୌସ୍ତୁଭମଣି ମୋହେ ॥୩୦
ଲମ୍ବିତ ତାର ପୃଷ୍ଠଦେଶେ । ପାଟଝୁମ୍ପାଏ ସେ ପ୍ରକାଶେ ॥୩୧
ଅମଳ ବନମାଳା ଗଳେ । ମତ୍ତ ଭ୍ରମର ମଧୁ ଭୋଳେ ॥୩୨
ମଧୁର ଧ୍ୱନି ସେ କରନ୍ତି । ଆନନ୍ଦେ ଉଡ଼ି ପନ୍ତି ପନ୍ତି ॥୩୩
କିରୀଟ ଅଙ୍ଗଦ ବିରାଜେ । ଅମୂଲ୍ୟ ହାର ହୃଦେ ସାଜେ ॥୩୪
ରତ୍ନ ନୂପୁର ପାଦେ ଶୋହି । କିବା ଉପମା ଦେବା ତହିଁ ॥୩୫
କଟିରେ କାଞ୍ଚିଗୁଣ ସାଜେ । ଭକ୍ତଙ୍କ ମନରେ ବିରାଜେ ॥୩୬
ତାହାଙ୍କ କର୍ଣ୍ଣରେ କୁଣ୍ତଳ । ଶୋଭିତ କରେ ଗଣ୍ତସ୍ଥଳ ॥୩୭
ଏମନ୍ତ ରୂପ ଭକ୍ତଜନେ । ହୃଦେ ଚିନ୍ତନ୍ତି ଅନୁକ୍ଷଣେ ॥୩୮
ଆନନ୍ଦେ ଦର୍ଶନ କରନ୍ତି । ନିର୍ମଳ ନୟନେ ଦେଖନ୍ତି ॥୩୯
କିଶୋର ତରୁଣ ବୟସ । ଅତି ସୁନ୍ଦର ସୁପ୍ରକାଶ ॥୪୦
ସର୍ବଲୋକଙ୍କ ନମସ୍କୃତ । ଅବ୍ୟୟ ସୁଶାନ୍ତ ମହତ ॥୪୧
ଭକ୍ତାନୁଗ୍ରହୀ ସେ ଅଟନ୍ତି । ଭକ୍ତର କଷ୍ଟ ନ ସହନ୍ତି ॥୪୨
କୀର୍ତ୍ତନ-ଯୋଗ୍ୟ ଯଶ ଯାର । ତୀର୍ଥ ସମାନ ପାପହର ॥୪୩
ଯାହାରକୀର୍ତ୍ତି ପୁଣ୍ୟଶ୍ଳୋକେ । ଗାୟନ କରୁଥାନ୍ତି ମୁଖେ ॥୪୪
ଏରୂପେ ତା ଅଙ୍ଗ ସମଗ୍ରେ । ମନରେ ଚିନ୍ତିବେ ଏକାଗ୍ରେ ॥୪୫
ଆସନେ ବସି ଏକାନ୍ତରେ । ଗମନ ଶୟନ ଗୁହାରେ ॥୪୬
ଅଙ୍ଗକୁ ଅଙ୍ଗପ୍ରତି ଧ୍ୟାନ । ଚିନ୍ତିବ ବିଷ୍ଣୁର ଚରଣ ॥୪୭
ଧ୍ୱଜ ଅଙ୍କୁଶ ବଜ୍ର ଚିହ୍ନ । ପଦ୍ମ ସହିତେ ଯେ ଲା‚ଞ୍ଛନ ॥୪୮
ତୁଙ୍ଗ ସୁରଙ୍ଗ ପାଦ ଦୁଇ । ନଖ ଚନ୍ଦ୍ରିକା ବିରାଜଇ ॥୪୯
ଖଣ୍ତଇ ହୃଦ ଅନ୍ଧକାର । ଧ୍ୟାନେ ଭଜିବ ନିରନ୍ତର ॥୫୦
ଯା ପାଦୋଦକ ଗଙ୍ଗାନୀର । ଶିରରେ ରହିଛନ୍ତି ହର ॥୫୧
ସେ ନୀରେ ବ୍ରହ୍ମାଣ୍ତ ମଧ୍ୟରେ । ସ୍ନାନେ ତରନ୍ତି ସୁରନରେ ॥୫୨
ପାପ-ଶଇଳ ବଜ୍ରପ୍ରାୟେ । ଯା ପାଦ ନାଶଇ ନିର୍ଭୟେ ॥୫୩
ସେ ପାଦପଦ୍ମେ ଧ୍ୟାନ କରି । ନିତ୍ୟେ ବାନ୍ଧିବ ଚିତ୍ତେ ଧରି ॥୫୪
ସେ ପାଦପଦ୍ମର ମହିମା । କେ କହିପାରେ ଗୁଣସୀମା ॥୫୫
ଯେ ପାଦଯୁଗ ମନୋହର । ଲକ୍ଷ୍ମୀ ସେବଇ ନିରନ୍ତର ॥୫୬
ସୁନ୍ଦର ଜାନୁଲମ୍ବମାନ । ଗରୁଡ଼ସ୍କନ୍ଧରେ ଶୋଭନ ॥୫୭
ଅତସୀ କୁସୁମର ପ୍ରାୟେ । ଅଙ୍ଗ ତାହାର ଶୋଭାପାଏ ॥୫୮
ତଡ଼ିତ ଜିଣି ପୀତମ୍ବର । କାଞ୍ଚି ନିତମ୍ବେ ମନୋହର ॥୫୯
ଏ ବିଶ୍ୱ ଯାହାର ଉଦର । ସପ୍ତସମୁଦ୍ର ଦ୍ୱୀପବର ॥୬୦
ଯା ନାଭିପଦ୍ମୁ ବ୍ରହ୍ମଜାତ । ଅଖିଳ-ବ୍ରହ୍ମାଣ୍ତର ନାଥ ॥୬୧
ଏମନ୍ତ ଭାବେ ଏହା ଚିନ୍ତି । ଅପରେ ହୃଦୟ ଆକୃତି ॥୬୨
ମର୍କତମଣି ପ୍ରାୟେ ଶୋଭା । ସ୍ତନଯୁଗଳ ଦିବ୍ୟପ୍ରଭା ॥୬୩
ତା ମଧ୍ୟେ ବିଶଦ ଯେ ହାର । ଅତ୍ୟନ୍ତ ଶୋଭା ସେ ହୃଦର ॥୬୪
ଲକ୍ଷ୍ମୀ ଭୂଷଣ ବକ୍ଷସ୍ଥଳେ । କୌସ୍ତୁଭମଣି ଶୋଭେ ଗଳେ ॥୬୫
ଅଖିଳଲୋକ ନମସ୍କୃତ । ରୂପ ଚିନ୍ତିବ ଜଗନ୍ନାଥ ॥୬୬
ମନ୍ଦରଗିରି ଶୃଙ୍ଖ ପ୍ରାୟେ । ତା ଭୁଜଦଣ୍ତ ଶୋଭାପାଏ ॥୬୭
ଯେ ଚକ୍ର ଧରିଛନ୍ତି କର । ଅତି ଅସହ୍ୟ ତେଜ ତାର ॥୬୮
ତା କରପଦ୍ମେ ଶଙ୍ଖ ପ୍ରଭା । ରାଜହଂସର ପ୍ରାୟେ ଶୋଭା ॥୬୯
ଦାନବ ରୁଧିରେଣ ଯୁକ୍ତ । ଗଦାଏ ଅଛି ତାର ହସ୍ତ ॥୭୦
ମାଳାରେ ତାକଣ୍ଠ ଶୋଭିତ । ଭ୍ରମର ଗୁଞ୍ଜନେ ଶବ୍ଦିତ ॥୭୧
ତା ମଧ୍ୟ୍ୟେ କୌସ୍ତୁଭ ଖଚିତ । ଯାହା ଅଟଇ ଜୀବତ‌ତ୍ତ୍ବ ॥୭୨
ଭୃତ୍ୟାନୁଗ୍ରହେ ତା ଶ୍ରୀମୁଖ । ସୁସ୍ମିତ ସୁରଙ୍ଗ ସୁରେଖ ॥୭୩
ସୁନ୍ଦର ବଦନାରବିନ୍ଦ । ପରେ ଚିନ୍ତିବେ ଯୋଗୀବୃନ୍ଦ ॥୭୪
ଶ୍ରବଣେ ମକର କୁଣ୍ତଳ । ଚଳନ୍ତେ ଶୋହେ ଗଣ୍ତସ୍ଥଳ ॥୭୫
ତୁଙ୍ଗନାସିକା ଦିବ୍ୟଶୋଭା । କୁଟିଳ ଅଳକ ସୁପ୍ରଭା ॥୭୬
ଲୋଚନଯୁଗ ପଦ୍ମପ୍ରାୟେ । ତହିଁରେ ଭୃଙ୍ଗ କିବା ଶୋହେ ॥ ୭୭
ଏମନ୍ତ ରୂପ ଯେବା ଧ୍ୟାନ । ଆନନ୍ଦେ କରେ ଅନୁକ୍ଷଣ ॥୭୮
ତାହାକୁ ପ୍ରଭୁ କୃପା କରେ । ଏ ଘୋର ତାପତ୍ରୟ ହରେ ॥୭୯
ଏଣୁ ଏ ରୂପ ଗୁଣ ଧ୍ୟାନେ । ନିତ୍ୟେ ଚିନ୍ତିବ ଦୃଢ଼ମନେ ॥୮୦
ଅଖିଳଲୋକ ତାପ ହରେ । ଯେ ମନ୍ଦହାସ ଶ୍ରୀମୁଖରେ ॥୮୧
ମକରଧ୍ୱଜ-ଚାପ ପ୍ରାୟେ । ଭ୍ରୁଜଙ୍ଗଯୁଗ ତାର ଶୋହେ ॥୮୨
କଟାକ୍ଷ ଶରପନ୍ତି ହୋଇ । ମୁନିଜନଙ୍କ ମନ ମୋହି ॥୮୩
ଏଣେ ମୋହିତ ମୁନିଜନେ । ଧ୍ୟାନ କରନ୍ତି ଅନୁକ୍ଷଣେ ॥୮୪
ତା ଉଚ୍ଚହାସ୍ୟ ଧ୍ୟାନ କର । ଅରୁଣବର୍ଣ୍ଣ ଓଷ୍ଠାଧାର ॥୮୫
କୁନ୍ଦ-କୋରକ ପ୍ରାୟେ ହୋଇ । ତା ଦନ୍ତପଙ୍‌କ୍ତି ବିରାଜଇ ॥୮୬
ପ୍ରେମାନୁବନ୍ଧେ ଏହା ଚିନ୍ତି । ସେ ଅନ୍ୟ କିଛି ନବାଛନ୍ତି ॥୮୭
ଏ ରୂପ ଧ୍ୟାନଯୋଗ ଭାବେ । ଭକ୍ତ ହୃଦୟ ଯହୁଁ ଦ୍ରବେ ॥୮୮
ଉତ୍କଣ୍ଠା ଅଶ୍ରୁ ପୁନଃ ପୁନଃ । ପୁଲକ ହୋଏ ତନୁଲୋମ ॥୮୯
ଆନନ୍ଦସାଗରେ ବୁଡ଼ଇ । ଆଉ ବା ଧ୍ୟାନ ତାର କାହିଁ ॥୯୦
ଏ ରୂପେ ନିର୍ବିଷୟ ହୋଇ । ନିଷ୍କାମମାର୍ଗେ ଯୋଗଧ୍ୟାୟି ॥୯୧
ପରମାନନ୍ଦ ରୂପ ଚିନ୍ତି । ବ୍ରହ୍ମ ନିର୍ବାଣ ସେ ଲଭନ୍ତି ॥୯୨
ଜ୍ୟୋତିସ୍ୱରୂପେ ଆତ୍ମା ଏକ । ସର୍ବତ୍ର ଦେଖଇ ପ୍ରତ୍ୟକ୍ଷ ॥୯୩
ଗୁଣ ପ୍ରବାହକୁ ନାଶଇ । ଅଗମ୍ୟ ଦିବ୍ୟସ୍ଥାନ ପାଇ ॥୯୪
ଏ ରୂପେ ଭକ୍ତିଯୋଗ ସାଧି । ତରଇ ସଂସାର ଜଳଧି ॥୯୫
ନ ଜାଣେ ସୁଖ ଦୁଃଖ ଭାବ । ଜନ୍ମ ମୃତ୍ୟୁର ପରାଭବ ॥ ୯୬
ମଦିରାପାନେ ଭୋଳ ହୋଇ । ଯେମନ୍ତ ବିବଶ ହୁଅଇ ॥୯୭
ବସନ କଟିତଟେ ଅଛି । ଅଥବା ଭୂତଳେ ପଡ଼ିଛି ॥୯୮
ଅଜ୍ଞାନେ କିଛି ନ ଜାଣନ୍ତି । ସେ ରୂପେ ଯୋଗୀ ଦେହବୃତ୍ତି ॥୯୯
ଏ ଦେହ କର୍ମବଶ ହୋଇ । ସର୍ବ ସଂକଳ୍ପ କରୁଥାଇ ॥୧୦୦
ଯାବତ ଯୋଗସିଦ୍ଧି ନୋହି । ତାବତ ବିଷୟେ ଭ୍ରମଇ ॥୧୦୧
ପୁତ୍ର କଳତ୍ର ଗୃହ ଧନ । ସ୍ନେହେ ବନ୍ଧନ ପ୍ରାଣୀ ମନ ॥୧୦୨
ସ୍ୱପ୍ନର ପ୍ରାୟ ତାହା ମଣି । ପୁରୁଷ ନ ମଜ୍ଜଇ ପୁଣି ॥୧୦୩
ଅତି ସ୍ନେହରେ ପୁତ୍ର ବିତ୍ତ । ଆତ୍ମ ସ୍ୱରୂପେ ହିଁ କଳ୍ପିତ ॥୧୦୪
ସ୍ୱଭାବେ ବିଭିନ୍ନ ଅଟଇ । ସେ ରୂପେ ଦେହେ ଆତ୍ମା ହୋଇ ॥୧୦୫
ଯେମନ୍ତେ ଅଗ୍ନି ଧୂମ ବଳେ । କେବେ ହେଁ ନଦିଶେ ନିର୍ମଳେ ॥୧୦୬
ସେ ରୂପେ ବିଷୟାରେ ପ୍ରାଣୀ । କେବେ ହେଁ ଆତ୍ମାକୁ ନ ଚିହ୍ନି ॥୧୦୭
କାଷ୍ଠରୁ ଧୂମ ଅଗ୍ନି ଜାତ । ସେ କାଷ୍ଠ ଦହଇ ଯେମନ୍ତ ॥୧୦୮
ଅଜ୍ଞାନୁ ଜ୍ଞାନ ଜାତ ହୋଇ । ବିଷୟ-ବାସନା ଦହଇ ॥୧୦୯
ଭୂତ ଇନ୍ଦ୍ରିୟଗଣ ଯେତେ । ପ୍ରଧାନ-ପୁରୁଷ ସହିତେ ॥୧୧୦
ଏକୁ ଅନେକ ରୂପ ହୋଇ । ବ୍ରହ୍ମାଣ୍ତେ ଲୀଳା ସେ କରଇ ॥୧୧୧
ଏମନ୍ତ ଭାବେ ବ୍ରହ୍ମଜ୍ଞାନ । ପ୍ରାଣୀ ଚିନ୍ତନ୍ତି ଅନୁକ୍ଷଣ ॥୧୧୨
ଏ ସର୍ବଭୂତ ତାର ଦେହି । ସେ ସର୍ବଭୂତ ମଧ୍ୟେ ଥାଇ ॥୧୧୩
ଏମନ୍ତ ଭାବେ ସର୍ବଭୂତେ । ଅନନ୍ୟଭାବେ ଦେଖେ ନିତ୍ୟେ ॥୧୧୪
ସେ ଜ୍ୟୋତିର୍ମୟ ଆତ୍ମଯୋନି । ଗୁଣ ପ୍ରବାହ ଭେଦ ଘେନି ॥୧୧୫
ଆଭାସେ ଯତା ଭିନ୍ନେ ଭିନ୍ନେ । ଆଧାର ଭେଦେ ଅଗ୍ନି ଯେହ୍ନେ ॥୧୧୬
ସତ୍ ଅସତ୍ ଆତ୍ମା ସେହି । ତା ବିନୁ ଅନ୍ୟ ନାହିଁ କେହି ॥୧୧୭
ପରମ ଭକ୍ତିଭାବ ଏହି । ଏ ଭାବେ ଚିନ୍ତ ମନ ଦେଇ ॥୧୧୮
ତେବେ ଏ ସଂସାରୁ ତରିବ । ଶ୍ରୀକୃଷ୍ଣ-ଚରଣ ଲଭିବ ॥୧୧୯
ଭୋ ମାତ ସାଧ ଏହି ଯୋଗ । ହେଳେ ତରିବ କର୍ମଭୋଗ ॥୧୨୦
ଏଣୁ ସଂସାରୁ ତରିଯିବ । ନାହିଁ ଯାତନା ପରାଭବ ॥୧୨୧
କହଇ ବିପ୍ର ଜଗନ୍ନାଥ । ସୁଜନେ ଚିନ୍ତ ଏହିପଥ ॥୧୨୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟେ ସାଧନାନୁଷ୍ଠାନଂ ନାମ
ଅଷ୍ଟାବିଂଶେଽଧ୍ୟାୟଃ ।

ଉନତ୍ରିଂଶ ଅଧ୍ୟାୟ

[ସମ୍ପାଦନା]
ଦେବହୂତି ଉବାଚ

ଭୋନାଥ ପ୍ରଭୁ ଭଗବାନ । କହ ତୁ ପରମାର୍ଥଜ୍ଞାନ ॥୧
ଯେ ଜ୍ଞାନେ ଭକ୍ତି ପ୍ରକାଶଇ । ଅଜ୍ଞାନ-ତିମିର ନାଶଇ ॥୨
ମହତ ଆଦି ଯେ ପ୍ରମାଣ । ପ୍ରକୃତି ପୁରୁଷ ଲକ୍ଷଣ ॥୩
ଯଥା ସାଂଖ୍ୟରେ ଅଛ କହି । ତୋ ଭକ୍ତିମାର୍ଗକୁ ଚିହ୍ନାଇ ॥୪
ବିସ୍ତାରି କହ ପ୍ରଭୁ ମୋତେ । ସଂଶୟ ନ ରହୁ ମୋ ଚିତ୍ତେ ॥୫
ଯାହା ଶୁଣିଲେ ପ୍ରାଣୀ-ପ୍ରାଣ । ବିରକ୍ତେ ଭଜେ ନାରାୟଣ ॥୬
ଜୀବର ଜନ୍ମ ମୃତ୍ୟୁ ଦୁଇ । ଏ ଲୋକମାନଙ୍କର ହୋଇ ॥୭
ତାହା କହିବା ମହାବାହୁ । କାଳସ୍ୱରୂପ ଆଦି କେହୁ ॥୮
କାଳସ୍ୱରୂପ ଯେ ଈଶ୍ୱର । ସମସ୍ତ ଆତ୍ମାରେ ଗୋଚର ॥୯
ମହାପ୍ରଭାବ ହିଁ ଯାହାର । ଯା ଭୟେ ପୁଣ୍ୟ କରେ ନର ॥୧୦
ସେ କଥା ନିର୍ଣ୍ଣୟ କରିଣ । କହିବା ହେଉ ନାରାୟଣ ॥୧୧
ଏ ଦେହ ମିଥ୍ୟା ବୋଲି ପୁଣି । ସ୍ତ୍ରୀ ପୁତ୍ର ସତ୍ୟପ୍ରାୟ ମଣି ॥୧୨
ଏ ଭବ-ସଂସାରର ତମେ । ଜ୍ଞାନଚକ୍ଷୁକୁ ଢାଙ୍କି ଭ୍ରମେ ॥୧୩
ଏ କର୍ମମାର୍ଗରେ ଆସକ୍ତ । ମିଥ୍ୟା-ସଂସାର ମଣି ସତ୍ୟ ॥୧୪
ଏ ଲୋକ ଉଦ୍ଧାର ନିମନ୍ତେ । ଆପଣ ସୂର୍ଯ୍ୟ ଏ ଜଗତେ ॥୧୫
କୃପାରେ ଉଦେ ହୋଇଅଛ । ଏ ଘେନି ଦିଶୁଛ ପ୍ରତ୍ୟକ୍ଷ ॥୧୬
କାଳରୁ ନିସ୍ତାର ଉପାୟ । କହ ହେ ପ୍ରଭୁ ଦେବରାୟ ॥୧୭
ତୋ ଜ୍ଞାନ ଦେଇ ନରହରି । ବିନାଶ ଅଜ୍ଞାନ-ତିମିରି ॥୧୮

ମୈତ୍ରେୟ ଉବାଚ

ଶୁଣ ବିଦୁର ମନଦେଇ । ମାତା ବଚନେ ଭାବଗ୍ରାହୀ ॥୧୯
କହନ୍ତି ଅମୃତ ବଚନ । ଯେଣେ ସନ୍ତୋଷ ମାତାମନ ॥୨୦

ଭଗବାନ ଉବାଚ

ଶୁଣ ଜନନି ସ୍ଥିରମନେ । ଯେ ଜ୍ଞାନ ଭକ୍ତିର ଲକ୍ଷଣେ ॥୨୧
ବହୁ ପ୍ରକାରେ ଭକ୍ତିଯୋଗ । ଜ୍ଞାନୀ ସାଧନ୍ତି ମୋକ୍ଷମାର୍ଗ ॥୨୨
ସ୍ୱଭାବଗୁଣେ ଯୁକ୍ତ ହୋଇ । ନାନା ସଂକଳ୍ପ ମନେ ଧ୍ୟାୟି ॥୨୩
ସା‌ତ୍ତ୍ବିକ ରାଜସ ତାମସ । ଗୁଣପ୍ରବାହେ ଯେ ପ୍ରକାଶ ॥୨୪
ଦମ୍ଭ ମ›ତ୍ସର ଭାବ ବହି । ପ୍ରାଣୀ ହିଂସାରେ ଯୁକ୍ତ ହୋଇ ॥୨୫
ପର ଅପର ଭେଦ ବୁଦ୍ଧି । ତାମସ ଗୁଣ ଏ ପ୍ରସିଦ୍ଧି ॥୨୬
ଏ ଭାବେ ମୋତେ ଯେ ଭଜଇ । ତାମସ ଭକ୍ତି ତାକୁ କହି ॥୨୭
ବିଷୟଭୋଗ ସେ ବାଞ୍ଛ‚ଇ । ଏ ଘେନି ଭୋଗାସକ୍ତ ହୋଇ ॥୨୮
ଯଶ ଐଶ୍ୱର୍ଯ୍ୟ ଯେ ବାଞ୍ଛ‚ଇ । ସେ ବୁଦ୍ଧି ଭେଦ ପର ହୋଇ ॥୨୯
ପ୍ରେମରେ ପ୍ରତିମାରେ ମୋତେ । ଯେ ପୂଜେ ଭକ୍ତିଭାବେ ନିତ୍ୟେ ॥୩୦
ସେ ଭକ୍ତି ରାଜସ ବୋଲାଇ । ଯେଣୁ ସେ ରାଜପଦ ପାଇ ॥୩୧
ବାହ୍ୟ ଅନ୍ତରେ ମାୟା ତେଜେ । କେବଳ ବିଷ୍ଣୁ ଭାବେ ଭଜେ ॥୩୨
ଫଳ ନବା‚ଞ୍ଛି କର୍ମ କରେ । ଭେଦଦରଶୀ ନୋହେ ପରେ ॥୩୩
ଈଶ୍ୱର ଅର୍ଥେ କର୍ମ କରେ । ଧର୍ମ ମାର୍ଗରେ ଯେ ପ୍ରଚରେ ॥୩୪
ସର୍ବତ୍ର ଦେଖଇ ସମାନ । ସା‌ତ୍ତ୍ବିକ ଭକ୍ତି ତାକୁ ଜାଣ ॥୩୫
ଅଧମ ମଧ୍ୟମ ଉତ୍ତମ । ଏଣେ ତ୍ରିବିଧ ଭକ୍ତି କ୍ରମ ॥୩୬
ଶ୍ରବଣ କୀର୍ତ୍ତନ ସ୍ମରଣ । ଚରଣସେବନ ଅର୍ଚ୍ଚନ ॥୩୭
ବଦନ ଦାସ୍ୟ ସଖ୍ୟଭାବ । ଆତ୍ମଅର୍ପଣ ଅଙ୍ଗ ନବ ॥୩୮
ଏହି ପ୍ରକାରେ ନବ ନବ । ସଗୁଣା ଏକାଅଶି ଭାବ ॥୩୯
ଏବେ କହିବା ମାତା ଶୁଣ । ନିର୍ଗୁଣ ଭକ୍ତିର ଲକ୍ଷଣ ॥୪୦
ବିଷ୍ଣୁର ଗୁଣ ଗୁଣି ଯେବେ । ରୋମ ପୁଲକେ ତନୁ ଦ୍ରବେ ॥୪୧
ଆନନ୍ଦେ ଅଶ୍ରୁ ନେତ୍ରୁ ବହେ । କଣ୍ଠ ଗଦ୍‌ଗଦେ ବାଣୀ କହେ ॥୪୨
ଚେତନା ବୁଦ୍ଧି ଅହଙ୍କାର । ଯେ ଭୂତ ଭବିଷ୍ୟ ଗୋଚର ॥୪୩
ମୋହର ଗୁଣ କୀର୍ତ୍ତିମାନ । ନିତ୍ୟେ ଯେ କରଇ ଶ୍ରବଣ ॥୪୪
ମୁହିଁ ଯେ ସର୍ବ ଗୁହାଶ୍ରୟ । ବିଚ୍ଛେଦ ନାହିଁ କିବା ମୋହ ॥୪୫
ଏମନ୍ତ ଭାବେ ଯେ ଭଜଇ । କର୍ମ-ବନ୍ଧନୁ ମୋକ୍ଷ ହୋଇ ॥୪୬
ଏ ସର୍ବ ହରିଭାବେମାନେ । ଗଙ୍ଗା ସମୁଦ୍ରେ ମିଳେ ଯେହ୍ନେ ॥୪୭
ସେ ରୂପେ ମୋର ଦେହେ ଲୀନ । ଭକ୍ତି ଭାବରେ ହୋନ୍ତି ଜନ ॥୪୮
ନିଷ୍କାମମାର୍ଗେ ଆତ୍ମଜ୍ଞାନ । ସର୍ବତ୍ର ଦେଖଇ ସମାନ ॥୪୯
ପୁରୁଷୋତ୍ତମ ଭାବେ ଭଜି । ପରମଆତ୍ମା ମନେ ହେଜି ॥୫୦
ନିର୍ଗୁଣ ଭକ୍ତି ଏହା କହି । ଅପରେ ଶୁଣ ମନଦେଇ ॥୫୧
ସାମୀପ୍ୟ ସାରୂପ୍ୟ ଏକତ୍ୱ । ସାଲୋକ୍ୟ ଅଇଶ୍ୱର୍ଯ୍ୟ ମତ ॥୫୨
ଏ ଆଦି ଯେତେମେତେ ମୁକ୍ତି । ତେଣେ ସନ୍ତୋଷ ନୋହେ ମତି ॥୫୩
ମୋର ସେବନ ବିନା କେହି । ଭକ୍ତ ସନ୍ତୋଷ ମୋର ନାହିଁ ॥୫୪
ଏତେ ପ୍ରକାରେ ଭକ୍ତି ଯୋଗ । ସାଧନ୍ତି ପ୍ରାଣୀ ମୋକ୍ଷମାର୍ଗ ॥୫୫
ଯେବେ ତ୍ରି‌ଗୁଣକୁ ଜିଣଇ । ମୋହର ଭାବକୁ ଲଭଇ ॥୫୬
କ୍ରି‌ୟାଯୋଗରେ ନିଷ୍କାମରେ । ମୋତେ ସେବନ୍ତି ଯେବା ନରେ ॥୫୭
ହିଂସା ବିହୀନ ଯେ ନିଷ୍କାମ । ନିତ୍ୟେ ଭଜଇ ମୋର ନାମ ॥୫୮
କେ ଅବା ମୋତେ ପୂଜା କରେ । ସ୍ତୁତି ବନ୍ଦନେ ନିରନ୍ତରେ ॥୫୯
ଦର୍ଶନ ସ୍ପର୍ଶନ ପ୍ରମାଣ । ମୋର ପ୍ରତିମା ଆରାଧନ ॥୬୦
ମିତ୍ରଭାବରେ ସର୍ବଜନ । ଦେଖଇ ଆତ୍ମାର ସମାନ ॥୬୧
ଯମ ନିୟମ ମାର୍ଗ ସାଧି । ମହତଜନେ ମାନ୍ୟ ବିଧି ॥୬୨
ଦୀନରେ ଅନୁକମ୍ପା ବହି । ମୋ ବିନୁ ଅନ୍ୟ ନ ଜାଣଇ ॥୬୩
ମୋହର ନାମ ସଂକୀର୍ତ୍ତନ । ଶ୍ରବଣ ଆଧ୍ୟାତ୍ମ ଦର୍ଶନ ॥୬୪
ଆର୍ଜବ ସାଧୁସଙ୍ଗ ପୁଣ । ଅହିଂସା ଧର୍ମ ପରାୟଣ ॥ ୬୫
ମୋହର ଧର୍ମ ଆଚରଣ । ଏ ରୂପେ ଚିତ୍ତ ଶୁଦ୍ଧ ଜାଣ ॥୬୬
ମୋହର ଗୁଣ ଶୁଣି କର୍ଣ୍ଣେ । ମୋତେ ଲଭନ୍ତି ପ୍ରାଣୀମାନେ ॥୬୭
ଯେମନ୍ତେ ପବନର ବଳେ । ଗନ୍ଧ ଆସିଣ ଘ୍ରାଣେ ମିଳେ ॥୬୮
ସେ ରୂପ ନିର୍ବିକାର ଚିତ୍ତ । ଆତ୍ମାକୁ କରଇ ଆୟତ୍ତ ॥୬୯
ମୁଁ ସର୍ବଭୂତର ଈଶ୍ୱର । ଆତ୍ମା ସ୍ୱରୂପରେ ଗୋଚର ॥୭୦
ଏମନ୍ତ ଭାବ ମୋର ଛାଡ଼ି । ଯେ ପୂଜେ ଅନ୍ୟଭାବେ ପଡ଼ି ॥୭୧
ଯେ ଜୀବେ ଦୟା ନକରଇ । ପ୍ରତିମା ପୂଜେ ମନେ ଧ୍ୟାୟି ॥୭୨
ଭସ୍ମରେ ହୋମ ସେ ଯେମନ୍ତ । ତାହାର ପୂଜା ସେହି ମତ ॥୭୩
ମୁଁ ସର୍ବବ୍ୟାପୀ ଯେ ଅଟଇ । ଏମନ୍ତ ଭାବ ନଜାଣଇ ॥୭୪
ଯେ ଜୀବେ ବଦ୍ଧ-ବୈର ହୋଇ । ସେ ଶାନ୍ତି କେବେ ନଲଭଇ ॥୭୫
ମୋତେ ପୂଜଇ ଯେବେ ସେହି । ତାର ପୂଜାରେ ତୋଷ ନୋହି ॥୭୬
ସର୍ବଭୂତରେସ୍ଥିତ ମୁହିଁ । ଯାବତ ପ୍ରାଣୀ ନଜାଣଇ ॥୭୭
ତାବତ ଥାଇ ସ୍ୱଧର୍ମରେ । ପୂଜିବ ପ୍ରତିମା ଆଦରେ ॥୭୮
ପର ଅପର ଏକ ଆତ୍ମା । ଅନ୍ତର କରେ ଯେ ଦୁରାତ୍ମା ॥୭୯
ସେ ମୃତ୍ୟୁ‌ପଥୁଁ ନ ତରଇ । ସଂସାରମାର୍ଗେ ଭ୍ରମୁଥାଇ ॥୮୦
ମୁଁ ଆତ୍ମା ସର୍ବଭୂତ ମଧ୍ୟେ । ଅର୍ଚ୍ଚନା କରେ ଯେ ସୁସାଧ୍ୟେ ॥୮୧
ମିତ୍ରଭାବରେ ସର୍ବ ଦେଖେ । ସଂସାରୁ ତରେ ସେ ପ୍ରତ୍ୟକ୍ଷେ ॥୮୨
ଅଜୀବ ତହୁଁ ଜୀବ ଶ୍ରେଷ୍ଠ । ଜୀବରେ ପ୍ରାଣ ଯେ ଗରିଷ୍ଠ ॥୮୩
ପ୍ରାଣରୁ ଚେତନା ବିଶିଷ୍ଟ । ତହୁଁ ଇନ୍ଦ୍ରି‌ୟ ବୃତ୍ତି ଶ୍ରେଷ୍ଠ ॥୮୪
ସ୍ପର୍ଶ ଗୁଣରେ ବୃକ୍ଷ ଆଦି । ରସ ଗ୍ରହଣେ ମ›ତ୍ସ୍ୟ ଆଦି ॥୮୫
ଗନ୍ଧ ଗ୍ରହଣେ ଭ୍ରମରାଦି । ତହୁଁ ସର୍ପାଦି ଶବ୍ଦଭେଦୀ ॥୮୬
ରୂପରେ କାକ ଆଦି ଯେତେ । ତହୁଁ ଉଦୟ ଦନ୍ତବନ୍ତେ ॥୮୭
ଅପାଦଠାରୁ ବହୁପାଦ । ବହୁ ପାଦରୁ ଚତୁଃଷ୍ପଦ ॥୮୮
ଦ୍ୱିପଦ ମନୁଷ୍ୟାଦି ଜାଣ । ଏକୁ ଆରେକ ଏ ପ୍ରଧାନ ॥୮୯
ମନୁଷ୍ୟ ମଧ୍ୟେ ଚାରିବର୍ଣ୍ଣ । ଏଥିରେ ବ୍ରାହ୍ମଣ ଉତ୍ତମ ॥୯୦
ବ୍ରାହ୍ମଣ ମଧ୍ୟରେ ବେଦଜ୍ଞ । ତହୁଁ ଅଧିକ ଯେ ଅର୍ଥଜ୍ଞ ॥୯୧
ତହୁଁ ସଂଶୟ-ଦୂରକାରୀ । ତହିଁରୁ ସ୍ୱଧର୍ମ-ଆଚାରୀ ॥୯୨
ତହୁଁ ଅଧିକ ଅଟେ ସେହି । ବିଷୟ-ସଙ୍ଗ ଯାର ନାହିଁ ॥୯୩
ମୋହର ପ୍ରିୟ କର୍ମ କରେ । ଆତ୍ମାରେ ଭାବ ନିରନ୍ତରେ ॥୯୪
ସକଳ କର୍ମ ସମର୍ପଇ । ମନ ସହିତେ ମୋର ତହିଁ ॥୯୫
ଏ ସର୍ବଭୂତେ ବିଜେ ମୁହିଁ । ବହୁ-ମାନନାରେ ନମଇ ॥୯୬
ଏମନ୍ତ ଭାବେ ଯେ ଭଜଇ । ତା ହୃଦେ ବିଜେ ଭାବଗ୍ରାହୀ ॥୯୭
ଆନନ୍ଦେ ଦର୍ଶନ ଦିଅନ୍ତି । ତା ଅଘତିମିର ନାଶନ୍ତି ॥୯୮
ହେ ମନୁତନୟା ଗୋ ଶୁଣ । ଯେ ଭକ୍ତିଯୋଗର ଲକ୍ଷଣ ॥୯୯
ଭକ୍ତିଯୋଗରେ ମୋତେ ଧ୍ୟାୟି । ଯେ ମୋତେ ହୃଦୟେ ଦେଖଇ ॥୧୦୦
ପରମବ୍ରହ୍ମକୁ ଲଭଇ । ତେଣୁ ଏକାଗ୍ରଭାବେ ଧ୍ୟାୟି ॥୧୦୧
ଈଶ୍ୱର ସର୍ବ-ଅନ୍ତର୍ଯ୍ୟାମୀ । ଏଭାବେ ପ୍ରାଣୀଙ୍କୁ ପ୍ରଣମି ॥୧୦୨
ମନରେ ବହୁମାନ କରି । ପ୍ରାଣୀ ତରିବେ ଭବବାରି ॥୧୦୩
ସେ ଯେ ପରମବ୍ରହ୍ମସାର । ପ୍ରଧାନପୁରୁଷଙ୍କ ପର ॥୧୦୪
ତାର ଉପରେ କେହି ନାହିଁ । ସୃଷ୍ଟିର ଆଦି ଅନ୍ତ ସେହି ॥୧୦୫
ତାହାଙ୍କ ପ୍ରେରିତ ସମସ୍ତ । ସେ ଦୈବ ବୋଲିଣ କଥିତ ॥୧୦୬
ବସ୍ତୁ ଭେଦର ଯେ କାରଣ । ତାହାଙ୍କୁ କାଳ ବୋଲି ଜାଣ ॥୧୦୭
ଅଦ୍ଭୁତ କାଳର ମହିମା । ଭୋ ମାତ ନିଶ୍ଚଳେ ଜାଣିମା ॥୧୦୮
ମହତ ଆଦି ଯେତେ ଭୂତେ । ଯେତେକ ଅଛନ୍ତି ଜଗତେ ॥୧୦୯
ସମସ୍ତ ଆତ୍ମା ମଧ୍ୟଗତ । ନିରତେ କରୁଅଛି ଗ୍ରସ୍ତ ॥୧୧୦
ତାହାର ତହୁଁ ଭୟପାଇ । ନିରତେ କମ୍ପୁଅଛି ଦେହୀ ॥୧୧୧
ବିଷ୍ଣୁର ନାମାନ୍ତର କାଳ । ସେହି ବିତରେ ଯଜ୍ଞଫଳ ॥୧୧୨
ହେ ମାତ କାଳର ମହିମା । କେ କହିପାରେ ଗୁଣ ସୀମା ॥୧୧୩
ଜଗତ ବଶ ଯେ କରନ୍ତି । ସେ ପୁଣି କାଳବଳେ ଥାନ୍ତି ॥୧୧୪
ପ୍ରିୟ ଅପ୍ରି‌ୟ ଯାର ନାହିଁ । ବିନାଶ କରେ ସର୍ବଦେହୀ ॥୧୧୫
ଯେ କାଳପୁରୁଷର ଭୟେ । ନିରତେ ପବନଟି ବହେ ॥୧୧୬
ଯେ କାଳଭୟେ ସୂର୍ଯ୍ୟ ତାପେ । ଭ୍ରମେ ବ୍ରହ୍ମାଣ୍ତ ମଧ୍ୟେ ଆପେ ॥୧୧୭
ଯାହାର ଭୟେ ମେଘଗଣ । ବୃଷ୍ଟି କରନ୍ତି ଯଥାକ୍ଷଣ ॥୧୧୮
ଯାହାର ଭୟେ ତାରାଗଣେ । ଉଦିତ ହୁଅନ୍ତି ଗଗନେ ॥୧୧୯
ଯାହାର ଭୟେ ବୃକ୍ଷଗଣ । ଲତା ଔଷଧି ଶସ୍ୟମାନ ॥୧୨୦
ଯଥାକାଳରେ ପୁଷ୍ପଫଳ । ଫଳନ୍ତି ଫୁଟନ୍ତି ନିର୍ମଳ ॥୧୨୧
ଯାହାର ଭୟେ ନଦୀଗଣ । ବହୁଅଛନ୍ତି ଅନୁକ୍ଷଣ ॥୧୨୨
ଉଦଧି ଯାହାର ଭୟରେ । ଅଦ୍ୟାପି କେବେ ନ ଉଛୁଳେ ॥୧୨୩
ଅଗ୍ନି ଯାହାର ଭୟେ ପୁଣ । ସମସ୍ତ କରଇ ଦହନ ॥୧୨୪
ଯାହାର ଭୟେ ଗିରିବର । ଧରା ସହିତେ ସେ ନିଶ୍ଚଳ ॥୧୨୫
ଯାହାର ଆଜ୍ଞା ପରିମାଣେ । ଆକାଶ ଭୟକରି ମନେ ॥୧୨୬
ସ୍ୱଦେହ ବିସ୍ତାର ସେ କଲା । ସପ୍ତଲୋକକୁ ଠାବ ଦେଲା ॥୧୨୭
ଯାର ଆଜ୍ଞାରେ ମହତ୍ତ‌ତ୍ତ୍ବ । ସପତାବରଣ ସମେତ ॥୧୨୮
ଦେହକୁ ବିସ୍ତାର କରିଛି । ପ୍ରାଣକୁ ଧରିଣ ବହିଛି ॥୧୨୯
ବ୍ରହ୍ମାଦି ଯେତେ ଦେବଗଣ । ସଚରାଚର ଯେ ଭିଆଣ ॥୧୩୦
ଯାହାର ଭୟେ ବାରେବାରେ । ସର୍ଜନା ହୁଅନ୍ତି ସତ୍ୱରେ ॥୧୩୧
ଯେ କାଳଭୟରେ ତ୍ରି‌ଗୁଣ । ସୃଷ୍ଟି ପାଳନ ସଂହାରଣ ॥୧୩୨
ସେ କାଳରୂପୀ ଯେ ଅନନ୍ତ । ଅନାଦି ଅବ୍ୟୟ ଅଚ୍ୟୁତ ॥୧୩୩
ସମସ୍ତ ଉପ୍ତତ୍ତି କରଇ । ଗୁଣ ପ୍ରବାହ ଭାବ ବହି ॥୧୩୪
ଯେ କାଳରୂପେ ଅନ୍ତ କରେ । ଏଣୁ ଅନନ୍ତ ନାମ ଧରେ ॥୧୩୫
ଏଣୁ ଏ କାଳର ମହିମା । କେ ଜାଣିପାରେ ଗୁଣସୀମା ॥୧୩୬
ମୋର ଭକତଜନେ ଯହିଁ । କାଳର ଅଧିକାର ନାହିଁ ॥୧୩୭
ସୁଜନେ ଏଣେ କର ମତି । ତୁଟିବ ସଂସାର ଦୁର୍ଗତି ॥୧୩୮
ଏ ମାତା-ପୁତ୍ରଙ୍କ ସମ୍ବାଦ । ଶୁଣନ୍ତେ ନଲାଗେ ପ୍ରମାଦ ॥୧୩୯
ପୁରାଣ ରସମୟ ଗୀତ । ହରିବ ସକଳ ଦୁରିତ ॥୧୪୦
କହଇ ଦାସ ଜଗନ୍ନାଥ । ତୃତୀୟ ସ୍କନ୍ଧେ ଭାଗବତ ॥୧୪୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟେ ସାଧନାନୁଷ୍ଠାନଂ ନାମ
ଉନତ୍ରିଂଶେଽଧ୍ୟାୟଃ ।

ତ୍ରିଂ‌ଶ ଅଧ୍ୟାୟ

[ସମ୍ପାଦନା]
ଭଗବାନ ଉବାଚ

କହନ୍ତି ପ୍ରଭୁ ଭଗବାନ । ଭୋ ମାତ ହୁଅ ସାବଧାନ ॥୧
ସେ କାଳ ପୁରୁଷପୁରାଣ । ସେ ପୁଣି ଅତି ବଳବାନ ॥୨
ସେ କାଳ ପରାକ୍ରମ ଯେତେ । କେ କହିପାରିବ ଜଗତେ ॥୩
ଏ ଯେତେ ଜୀବଲୋକେ ଛନ୍ତି । ତା ଗତି କେହି ନଜାଣନ୍ତି ॥୪
ସେ କାଳ ସକଳ ନାଶଇ । ଏଣୁ ତା ଗତି କେ ଜାଣଇ ॥୫
ଏ ଚରାଚର ଦେହଧାରୀ । ଯେ ସ୍ଥୂଳ ସୂକ୍ଷ୍ମ ଆଦି କରି ॥୬
ସକଳ କରଇ ଭକ୍ଷଣ । କ୍ଷୁଧାର୍ତ୍ତେ ଯେସନେ କୃପଣ ॥୭
ଯେହ୍ନେ ସମୀର ବଳୀୟାର । ଜୀମୂତ କରଇ ସଞ୍ଚାର ॥୮
ସେ ଘନ ତା ଗତି ନଜାଣେ । ତେସନେ ହୋଇ ଜୀବଗଣେ ॥୯
କାଳର ଗତି ନ ଜାଣନ୍ତି । ସେ କାଳବଶେ ଭ୍ରମୁଥାନ୍ତି ॥୧୦
ଏ ଜୀବ ସୁଖଭୋଗ ପାଇଁ । ଅର୍ଥ ଉପାର୍ଜନେ ଭ୍ରମଇ ॥୧୧
ବିବିଧ ଦୁଃଖେ ତା ସଞ୍ଚଇ । ସେ ଅର୍ଥ କାଳ ଯେ ହରଇ ॥୧୨
ତ୍ରିଲୋକ ଶୋଚେ ଯାହାପାଇଁ । ସେ ଅର୍ଥ କାଳ ବିନାଶଇ ॥୧୩
ସେ କାଳ ଅତି ବଳିୟାର । କେ ଜାଣିପାରେ ଗତି ତାର ॥୧୪
ସୂକ୍ଷ୍ମ ସ୍ୱରୂପେ ବିହରଇ । ମନ ବଚନେ ଭେଦ ନୋହି ॥୧୫
କୃଷକଜନ ପ୍ରାୟେ ହୋଇ । ସଂସାର ପାଳି ବିନାଶଇ ॥୧୬
ସେ କାଳମୁଖେ ଜୀବ ରହି । ନାନା ବିବାଦେ ହିଂସା ବହି ॥୧୭
କରନ୍ତି ନାନା ଛନ୍ଦ ମାୟା । ହୃଦେ ନ ବସେ ଜୀବେ ଦୟା ॥୧୮
ନିŸର୍ଦ୍ଦୟ ଭାବେ ମୂଢ଼ପଣେ । କାଳ ଗ୍ରାସଇ ପୂଣ୍ୟହୀନେ ॥୧୯
ତାହାର ନାହିଁ ପକ୍ଷାପକ୍ଷ । ସକଳ କରଇ ସେ ଭକ୍ଷ୍ୟ ॥୨୦
ଏ ଜୀବ ଅତି ମତିହୀନ । ଅର୍ଥ ସଞ୍ଚଇ ପ୍ରତିଦିନ ॥୨୧
ଯେ ଅର୍ଥେ ମୃତ୍ୟୁ ଉପଗତ । ନ ଜାଣେ ଏ ମୂଢ଼ ସମସ୍ତ ॥୨୨
ଅନିତ୍ୟ ଦେହ ନ ବୁଝଇ । ବ୍ୟାପାର କରେ ଦୁଃଖ ସହି ॥୨୩
ଗୃହ କଳତ୍ର ଧନ ଆଦି । ଏଣେ କରଇ ନିତ୍ୟ ବୁଦ୍ଧି ॥୨୪
ଏ ଦେହ ସୁତ ଦାରା ମୋହେ । ମୋହର ବୋଲି ନିତ୍ୟ କହେ ॥୨୫
ଏ ମାୟାମୋହେ ପଡ଼ିଅଛି । ଏଣୁ ନବୁଝଇ କିଛି ॥୨୬
ସଂସାର ମଧ୍ୟେ ଜୀବମାନେ । ନିରତେ ଭ୍ରମନ୍ତି ଅଜ୍ଞାନେ ॥୨୭
ଯାବତ ଯୋନିରେ ଭ୍ରମନ୍ତି । ସର୍ବତ୍ର ଫୁଟିଣ ମରନ୍ତି ॥୨୮
ଏ ଘୋର ଦୁଃଖ ସୁଖମନେ । ବୈରାଗ୍ୟ ନଜନ୍ମେ ଅଜ୍ଞାନେ ॥୨୯
ଯେବେ ନରକେ କୀଟ ହୋଇ । ଅତ୍ୟନ୍ତ ସୁଖ ତା ମଣଇ ॥୩୦
କରଇ ନରକ ଆହାର । ତଥାପି ଦୁଃଖ ନୋହେ ତାର ॥୩୧
ସେ ଦେହତ୍ୟାଗ ନ ଇଚ୍ଛଇ । ଅଜ୍ଞାନ ମୋହେ ସ୍ନେହ ବହି ॥୩୨
ଦେହ କଳତ୍ର ସୁତ ଘର । ପଶୁ ଭୃତ୍ୟାଦି ବନ୍ଧୁ ମୋର ॥୩୩
ମନକୁ ଏଣେ ଦୃଢ଼ କରେ । ସୁଖ ମଣଇ ଦୁଃଖ ଘୋରେ ॥୩୪
ମଣଇ କୃତାର୍ଥ ହୋଇଲି । ଅନେକ ସୁଖ ମୁଁ ଲଭିଲି ॥୩୫
ମୋ ତୁଲ୍ୟ ନାହିଁ ଭାଗ୍ୟବନ୍ତ । କେ ଅଛି ମୋ ସମ ମହତ ॥୩୬
ତହିଁରେ ଯେତେ ଦୁଃଖ ହୁଏ । ନ ବୁଝେ ପଡ଼ି ମାୟାମୋହେ ॥୩୭
ଘୋର-ଗହନ ମାର୍ଗେ ହୁଡ଼ି । ଅଜ୍ଞାନେ ଭ୍ରମେ ଦୁଃଖ ପଡ଼ି ॥୩୮
ସେ ସର୍ବ ସୁଖପ୍ରାୟେ ମଣେ । କୃଷ୍ଣ ନଭଜେ ଏକ କ୍ଷଣେ ॥୩୯
କୁଟୁମ୍ବ-ପୋଷଣ ଉପାୟେ । ନିରତେ ଆକୁଳ ହୃଦୟେ ॥୪୦
ତାଙ୍କ ପୋଷଣେ ଚିନ୍ତା କରେ । ଦଗଧି ମରେ ଦୁଃଖ ଘୋରେ ॥୪୧
କ୍ଷଣେ ନପାରେ ଗୃହେ ବହି । ବାଣିଜ୍ୟ-ନାବ ପ୍ରାୟେ ହୋଇ ॥୪୨
ସ୍ନେହ ବନ୍ଧନେ ଦିବା ନିଶେ । ସ୍ୱବଶ ନୋହେ ଅବକାଶେ ॥୪୩
କରେ ଦୁରିତ କର୍ମମାନ । ଏମନ୍ତ ଏ ମୂଢ଼ ଅଜ୍ଞାନ ॥୪୪
ଅସତୀ ଦୁଷ୍ଟା ନାରୀ ଘରେ । ବିବିଧ ଛନ୍ଦ ମାୟା କରେ ॥୪୫
ତାର ବଶରେ ନିତ୍ୟେ ଥାଇ । ସେବକ ଜନ ପ୍ରାୟ ହୋଇ ॥୪୬
ତା ବାକ୍ୟ ଶୁଣି ତୋଷମନେ । ଲଂଘି ନପାରେ ରାତ୍ର ଦିନେ ॥୪୭
ନୟନ ଥାଉଁ ନଦେଖଇ । ଅନ୍ଧ ଜଳକା ପ୍ରାୟ ହୋଇ ॥୪୮
ସେ ମନ-ଇନ୍ଦ୍ରି‌ୟ-ହାରିଣୀ । ତାର ସନ୍ତୋଷେ ନିତ୍ୟେ ପ୍ରାଣୀ ॥୪୯
ସେ ନାରୀ ସଙ୍ଗେ ବିହରଇ । ନିଶି ଦିବସେ ମନ ଦେଇ ॥୫୦
ତାହାଙ୍କ ସୁଖ ଭୋଗ ପ୍ରୀତି । ଓଟାରି ନରକେ ପକାନ୍ତି ॥୫୧
ନରକ ବୋଲି ଯାକୁ କହି । ସ୍ତ୍ରିରୀ ସମ୍ଭୋଗ ସୁଖ ଏହି ॥୫୨
ଏହା ନଜାଣି ମୂଢ଼ପ୍ରାଣୀ । ଦୁଃଖକୁ ସୁଖ ପରିମାଣି ॥୫୩
ବାଳକ କୋମଳ ବଚନ । ତା ଶୁଣି ଅତି ତୋଷମନ ॥୫୪
ବାଳକଗୀତେ ହୋଇ ପ୍ରୀତ । ତହିଁ ଅର୍ପିତ କରେ ଚିତ୍ତ ॥୫୫
ଏ ସର୍ବ ସୁଖ କରି ମଣେ । ଯେ ହିତ ଅଜ୍ଞାନେ ନ ଜାଣେ ॥୫୬
ଏ ଗୃହ ଅତି କୂଟ-ଧର୍ମ । କରାଏ ଅତି ଛନ୍ଦ-କର୍ମ ॥୫୭
କେବଳ ଦୁଃଖର ଏ ମୂଳ । ତହିଁ ପଡ଼ିଣ ସେ ବ୍ୟାକୁଳ ॥୫୮
ସେ ଦୁଃଖ ପ୍ରତିକାର ପାଇଁ । ନାନା ବ୍ୟାପାରେ ଦୁଃଖେ ଧାଇଁ ॥୫୯
ସେ କ୍ଳେଶ ଅତି ସୁଖ ମଣେ । କେବଳ ମୋହେ ନ ପ୍ରମାଣେ ॥୬୦
କୁଟୁମ୍ବ-ପୋଷଣରେ ଥାଇ । ବହୁତ ଧନ ଉପୁଜାଇ ॥୬୧
ବହୁତ ହିଂସା କର୍ମ କରେ । ଅର୍ଥ-ଅର୍ଜନେ ନିରନ୍ତରେ ॥୬୨
ତାହାଙ୍କୁ ପୋଷି ଦୁଃଖେ ନିତ୍ୟେ । ନରକ ଭୁଞ୍ଜେ ଦେହ ଅନ୍ତେ ॥୬୩
ତାହାଙ୍କୁ ସତତ ପୋଷଇ । ଆପଣା ସୁଖ ନବାଞ୍ଛ‚ଇ ॥୬୪
ଯେବେ କ୍ଷୁଧାରେ ମରୁଥାଇ । ତାହାଙ୍କୁ ଅଗ୍ରତେ ଭୁଞ୍ଜାଇ ॥୬୫
ତେବେ ଭୁଞ୍ଜଇ ଅବଶେଷ । ଏକର୍ମେ ଧର୍ମ ହୁଏ ନାଶ ॥୬୬
ଅନ୍ତେ ସେ ଲଭେ ଅଧୋଗତି । ଏହା ନ ବୁଝେ ମୂଢ଼ମତି ॥୬୭
ଜୀବିକା ଦଇବ ସଂଯୋଗେ । ବିନିଷ୍ଟ ହେଲେ କର୍ମଯୋଗେ ॥୬୮
ପୁଣି ଜୀବିକା ଆରମ୍ଭଇ । ସେହି ଯଦ୍ୟପି ନାଶ ପାଇ ॥୬୯
ପୁଣି ଆରମ୍ଭେ ବାରମ୍ବାର । କୁଟୁମ୍ବ ଅର୍ଥେ ମୂଢ଼ନର ॥୭୦
ସମର୍ଥପଣ ଥିବା ଯାଏ । ତାବତ କରଇ ଉପାୟେ ॥୭୧
ତହୁଁ ହୋଇଲେ ଅସମର୍ଥ । ଲୋଭେ ଚିନ୍ତଇ ପର-ବିତ୍ତ ॥୭୨
ଲୋଭ ବଢ଼ାଇ ପରଧନେ । ନରକ ଭୟକୁ ନମାନେ ॥୭୩
ନିନ୍ଦିତ-କର୍ମେ ହରେ ଦିନ । କୁଟୁମ୍ବ ଅର୍ଥେ ମୂଢ଼ଜନ ॥୭୪
କେବଳ ମନ୍ଦଭାଗ୍ୟ ହୋଇ । କୁଟୁମ୍ବ ପୋଷି ନପାରଇ ॥୭୫
ଏଣୁ ହରଇ ପରଧନ । ନାଶଇ ପୂର୍ବ-ଜନ୍ମ-ପୁଣ୍ୟ ॥୭୬
ଦରିଦ୍ର ଜୀବନେ ବଞ୍ଚଇ । ନାନା ଆପଦ ପୀଡ଼ା ପାଇ ॥୭୭
ବୃଥା ଉଦ୍ୟମେ ଫୁଟି ରହେ । ଆଉ ସମ୍ପଦ କେବେ ନୋହେ ॥୭୮
ସର୍ବଦା ହୁଅଇ କୃପଣ । କରଇ ନିତ୍ୟେ ଅର୍ଥଧ୍ୟାନ ॥୭୯
ଅର୍ଥ ବିହୀନେ ଚିନ୍ତାକୁଳ । ଶରୀର ଦୁଃଖେ ତା ନିର୍ବଳ ॥୮୦
ଶ୍ୱାସ ଉଠଇ ନିରନ୍ତର । ଏମନ୍ତେ ନାଶଇ ଶରୀର ॥୮୧
ଅତ୍ୟନ୍ତ ବୃଦ୍ଧଭାବ ପାଇ । କୁଟୁମ୍ପ ପୋଷି ନପାରଇ ॥ ୮୨
ସାମର୍ଥ୍ୟ ହୀନେ ନିଜଘରେ । ବଞ୍ଚଇ ଅତିଥି ବେଭାରେ ॥୮୩
ଭବବନ୍ଧନେ ଅଙ୍ଗ ଫୁଟେ । କଫ ନିରୋଧେ କଣ୍ଠତଟେ ॥୮୪
ସ୍ମରଣ ବିସ୍ମରଣ କରେ । ଶୋଏ ଶିଥିଳ କଳେବରେ ॥୮୫
ଉଠି ନ ପାରି ଅସମର୍ଥେ । ତା ଦେଖି ପୁତ୍ର ଦାରା ଭୃତ୍ୟେ ॥୮୬
କରନ୍ତି ଅତି ଅପମାନ । ବୋଲନ୍ତି ନିନ୍ଦିତ ବଚନ ॥୮୭
ତାହାକୁ କେହି ନଗଣନ୍ତି । ନାନା ବଚନେ ଗାଳିଦ୍ୟନ୍ତି ॥୮୮
ବନ୍ଦୀ ଚୌରର ପ୍ରାୟେ ହୋଇ । ପ୍ରାଭବ ଭ›ର୍ତ୍ସନା ସହଇ ॥୮୯
କିଛି ନ ପାରେ ତୁଣ୍ତେ କହି । ଅନ୍ତରେ ଅପମାନ ବହି ॥୯୦
ଦାରା ତନୟ ଆଦି ଯେତେ । ଆଦର ଛାଡ଼ନ୍ତି ତୁରିତେ ॥୯୧
ଯେବା ଆଦର ପୂର୍ବେ ଥିଲା । ସେ ପୂର୍ବ ସ୍ନେହ ସବୁ ଗଲା ॥୯୨
ତାହାଙ୍କୁ ଜ୍ଞାତି ବନ୍ଧୁଜନେ । ଦୂରେ ତେଜନ୍ତି ଦୁଃଖମନେ ॥୯୩
ଯେହ୍ନେ କୃଷକ ବୃଦ୍ଧ ଗାବେ । ମାରି ତେଜନ୍ତି ଅନ୍ୟଠାବେ ॥୯୪
ତେସନେ ଦାରାଦି ସକଳେ । ବୃଦ୍ଧକୁ ନ ସେବନ୍ତି ହେଳେ ॥୯୫
ତଥାପି ସ୍ନେହ ନଛାଡ଼ଇ । ଗୃହାଦି ବାରତ ପୁଛଇ ॥୯୬
ତଥାପି ଦୟା ନକରନ୍ତି । ନିଷ୍ଠୁର ବାକ୍ୟେ ଗାଳି ଦ୍ୟନ୍ତି ॥୯୭
ଦୁଃଖେଣ ପୋଷିଲା ଯାହାକୁ । ସେ ସର୍ବ ଛାଡ଼ିଲେ ତାହାକୁ ॥୯୮
ଜରା ହରନ୍ତେ ରୂପକାନ୍ତି । ତେବେ ନଛାଡ଼େ ସ୍ନେହ ଅତି ॥୯୯
ମରଣ ନିକଟ ହୋଇଲା । ବୈରାଗ୍ୟ କେବେ ନସ୍ଫୁରିଲା ॥୧୦୦
ଦାରା ତନୟ ଭକ୍ଷ୍ୟ ତାରେ । ଦିଅନ୍ତି ଅତି ହତାଦରେ ॥୧୦୧
କର୍ମ ଆୟତ୍ତେ ଯେବା ପାଇ । ସନ୍ତୋଷ ନେହେ ତାହା ଖାଇ ॥୧୦୨
ଭୁଞ୍ଜଇ ଗୃହାନ୍ତରେ ଯାଇ । ଶଙ୍କିତେ ଶ୍ୱାନ ପ୍ରାୟେ ହୋଇ ॥୧୦୩
ଚିନ୍ତା-ପ୍ରଜ୍ୱରେ ଦୁଃଖମନ । ରୋଗ ବଢ଼ଇ ପ୍ରତିଦିନ ॥୧୦୪
କ୍ଷୁଧାରେ କମ୍ପଇ ଶରୀର । ଭକ୍ଷଇ ଅଳପ ଆହାର ॥୧୦୫
କିଛି ନ ବୋଲେ ଅହଙ୍କାରେ । ଭିତରେ ପକ୍ଷୀ ପ୍ରାୟେ ଝୁରେ ॥୧୦୬
ଦିନକୁ ଦିନ ତନୁ କ୍ଷୀଣ । ଯେସନେ ପୁରୁଣା ବସନ ॥୧୦୭
ଆହାର ହୀନେ ଚିନ୍ତାଛନ୍ନେ । ନ ପଚେ ମନ୍ଦ-ହୁତାଶନେ ॥୧୦୮
ଆହାର ଅଳପ ଭକ୍ଷଇ । ଦୁର୍ବଳେ ଉଠି ନ ପାରଇ ॥୧୧୯
ଖର ପବନ ନାସାଦ୍ୱାରେ । ବହଇ ଅତି ଦୀର୍ଘତରେ ॥୧୧୦
ଶବଦ ଅତି ଭୟଙ୍କର । ଯେହ୍ନେ ଗଭୀର କମ୍ବୁସ୍ୱର ॥୧୧୧
ଗୃହ ବାହାରେ ଆସି ରହେ । କଫ ନିବାରେ ଶକ୍ତି ନୋହେ ॥୧୧୨
କଫେ ପୂରିତ ନାଡ଼ିମାନ । ଶ୍ୱାସ ନଚଳଇ ସମାନ ॥୧୧୩
କାଶରେ ବାୟୁ ଉର୍ଦ୍ଧ୍ୱଗତ । ତେଣୁ ନୟନ ବହିର୍ଗତ ॥୧୧୪
ଯେଣୁ ପବନ ମନ୍ଦ ହୋଇ । ବଚନ ନପାରଇ କହି ॥୧୧୫
ସର୍ବଦା ଉଠେ କାଶ ଶ୍ୱାସ । ଏଣେ ଲଭଇ ବହୁ କ୍ଳେଶ ॥୧୧୬
କଣ୍ଠ ହୁଅଇ ଘୁର-ଘୁର । ବଚନ ନୁହଇ ବାହାର ॥୧୧୭
ପ୍ରାଣ ହୁଅଇ କଣ୍ଠତଟ । ଜୀବନ ହୋଏ ଛଟପଟ ॥୧୧୮
କାନ୍ଦଇ ବନ୍ଧୁ ମୁଖ ଚାହିଁ । ବଦନୁ ବାକ୍ୟ ନ ସ୍ଫୁରଇ ॥୧୧୯
ଚିନ୍ତଇ କି ରୂପେ ମରିବି । କାହିଁ କେବଳ ମାର୍ଗେ ଯିବି ॥୧୨୦
ମୋର ମରଣେ ପୁତ୍ର ନାରୀ । କେମନ୍ତେ ଥିବେ ଗୃହ କରି ॥୧୨୧
ଦୁଃଖେ ସଞ୍ଚିଲି ଯେତେ ଧନ । ମୋ ମଲେ ଏହା ନେବ ଆନ ॥୧୨୨
ଏ ଯେ ହୋଇବେ ଅରକ୍ଷିତ । ଏଣୁ ବ୍ୟାକୁଳ ହୁଏ ଚିତ୍ତ ॥୧୨୩
ଭିତରେ ଆକୁଳେ କାନ୍ଦଇ । ତା ମନ କେହି ନ ଜାଣଇ ॥୧୨୪
ଜୀବନ ଦହେ ଦାରା-ଧନେ । ଗୋବିନ୍ଦ ନସ୍ଫୁରେ ଅଜ୍ଞାନେ ॥୧୨୫
ବାଲିଶଯ୍ୟାରେ ଶୋଇ ଦେଇ । ବନ୍ଧୁ ବାନ୍ଧବେ ବେଢ଼ି ତହିଁ ॥୧୨୬
ସକଳେ କରନ୍ତି ରୋଦନ । ଶ୍ରବଣେ ଡାକନ୍ତି ସଘନ ॥୧୨୭
ହେ ତାତ ବୋଲି କେ ଡାକଇ । ତା ଗୁଣ ଭାଳି କେ ରୋଦଇ ॥୧୨୮
କେହୁ ଡାକନ୍ତି ପୁତ୍ର ଭାଇ । ପତ୍ନୀ ଡାକଇ ହେ ଗୋସାଇଁ ॥୧୨୯
ନାନା ପ୍ରକାରେ ସେ ରୋଦନ୍ତି । ତା ଦୁଃଖ କେହି ନ ଘେନନ୍ତି ॥୧୩୦
ସେ କାଳପାଶେ ବନ୍ଦୀ ହୋଇ । କିଞ୍ଚିତେ ବାକ୍ୟ ନ ଭାଷଇ ॥୧୩୧
ପୀଡ଼ିତ ମୃତ୍ୟୁ ଦୁଃଖ-ଘୋରେ । କୁଟୁମ୍ବ ଭରଣ ବ୍ୟାପାରେ ॥୧୩୨
ଶୁଣ ଜନନୀ ଏକ ଚିତ୍ତେ । ସଂସାର ଦୁଃଖସୁଖ ଏତେ ॥୧୩୩
ମନ ନିବିଷ୍ଟ ତହିଁ କଲା । ଇନ୍ଦ୍ରି‌ୟ ଜିଣି ନପାରିଲା ॥୧୩୪
ତେଣୁ ହୋଇଲା ମୃତ୍ୟୁ ତାର । ଏ ଦଣ୍ତ ଅତି ଭୟଙ୍କର ॥୧୩୫
ବନ୍ଧୁ-ସ୍ୱଜନେ ସର୍ବେ ଥାଇ । ତା ଦୁଃଖଭାରୀ କେହି ନୋହି ॥୧୩୬
ବ୍ୟର୍ଥେ ପୋଷିଲା ତାଙ୍କୁ ଦୁଃଖେ । ଏବେ ସେ ତେଜିଲେ ବିମୁଖେ ॥୧୩୭
ପ୍ରାଣ ଯିବାର ବେଳେ ମାଏ । ଅତି ବେଦନା ଜୀବ ପାଏ ॥୧୩୮
ଘୋର ବ୍ୟଥାରେ ନଷ୍ଟ ମତି । ଚେତନା ରହିତ ହୁଅନ୍ତି ॥୧୩୯
ଏମନ୍ତେ ଜୀବନର ଅନ୍ତେ । ବେଗେ ମିଳନ୍ତି ଯମ ଦୂତେ ॥୧୪୦
ପ୍ରଚଣ୍ତ-ରୂପ ଭୟଙ୍କର । ଉଦ୍ଦଣ୍ତŸ ଦଣ୍ତ ପାଶଧର ॥୧୪୧
ତାହାଙ୍କ ରୂପକୁ ଅନାଇଁ । ଅଜ୍ଞାନେ ବିକଳେ କମ୍ପଇ ॥୧୪୨
ପାପୀଙ୍କି ଘେନି ଯିବା ପାଇଁ । ସକ୍ରୋଧ-ନୟନେ ଅନାଇ ॥୧୪୩
ତାଙ୍କୁ ଦେଖନ୍ତି ପାପୀଜନ । ହୃଦୟ ଭୟେ କମ୍ପମାନ ॥୧୪୪
ଆରତେ ଛାଡ଼େ ମଳମୂତ୍ର । ସର୍ବତ୍ର କମ୍ପମାନ ଗାତ୍ର ॥୧୪୫
ଯମ-ଡଗରେ ଆଗସରି । ଯାତନା-ପୁରୁଷକୁ ଧରି ॥୧୪୬
ବନ୍ଧନେ ନ କରନ୍ତି ଦୟେ । ତର୍ଜନ୍ତି ରାଜଭଟ୍ଟ… ପ୍ରାୟେ ॥୧୪୭
ବନ୍ଧନ କରି ଚର୍ମପାଶେ । ଦଣ୍ତ ପ୍ରହାରି ମହାରୋଷେ ॥୧୪୮
ସେ ରୂପ କେହି ନଦେଖନ୍ତି । ଅନ୍ଧାରପଥେ ଘେନିଯାନ୍ତି ॥୧୪୯
ପଥରେ ଗମନ୍ତି କୁକୁର । ରୋଷେ କାଟନ୍ତି ତା ଶରୀର ॥୧୫୦
ତାହାଙ୍କ ରୂପ ଦେଖି ଡରି । କାନ୍ଦଇ ଉଚ୍ଚ ନାଦ କରି ॥୧୫୧
ତୀକ୍ଷ୍‌ଣ ଦଂଶନେ ଖଣ୍ତ ଖଣ୍ତ । ବେଗେ କରନ୍ତି ତାର ପିଣ୍ତ ॥୧୫୨
ବିକ୍ରମି କରନ୍ତି ଭକ୍ଷଣ । କରଇ କାତରେ ରୋଦନ ॥୧୫୩
ସେ ଅତି କଷ୍ଟେ ପୀଡ଼ା ପାଇ । ନିଜ ପାତକ ସୁମରଇ ॥୧୫୪
ଉଠି ପଡ଼ଇ ସେ ଭୂତଳେ । ଘୋର ପ୍ରହାର ଭୟାକୁଳେ ॥୧୫୫
କ୍ଷୁଧା-ପିପାସା-ଦୁଃଖାକୁଳେ । ପଥରେ ନିଅନ୍ତି ସତ୍ୱରେ ॥୧୫୬
ବଇତରଣୀ ନଦୀକୂଳେ । ବାଲୁକା ଜଳଇ ଅନଳେ ॥୧୫୭
ତପ୍ତ ବାଲୁକାମୟ ପଥ । ସେ ଉଷ୍ଣବାୟୁ ସନ୍ତାପିତ ॥୧୫୮
ସୂର୍ଯ୍ୟକିରଣ ଦାବାନଳ । ସନ୍ତପ୍ତ କରେ ଅତିବେଳ ॥୧୫୯
ଜଳି ତାପଇ ଅତିଘୋରେ । ସେ ତାପ କେ ସହୁ ଶରୀରେ ॥୧୬୦
ତହୁଁ ତପତ ବାଲୁକାରେ । ପ୍ରବେଶ କରାନ୍ତି ସତ୍ୱରେ ॥୧୬୧
ଯେବେ ନ ପଶେ ଭୟ କରି । ତକ୍ଷଣେ ଶିରେ ଯଷ୍ଟି ମାରି ॥୧୬୨
କ୍ଷଣେ ବିଶ୍ରାମ ନ କରାନ୍ତି । ଅନେକ ଘୋର ଶାସ୍ତି ଦ୍ୟନ୍ତି ॥୧୬୩
ଯେ ମାର୍ଗେ ଜଳ ବୃକ୍ଷ ନାହିଁ । ପ୍ରାଣ ସମ୍ଭାଳିବ ସେ କାହିଁ ॥୧୬୪
ଆଶ୍ରୟ ଉଦକ ନ ମିଳେ । ସମର୍ଥ ହୀନେ ଭୟେ ଚଳେ ॥୧୬୫
ଏମନ୍ତ ପଥେ ନ୍ୟନ୍ତି ଧରି । ଏକାନ୍ତେ ନିଜ କର୍ମ ସ୍ମରି ॥୧୬୬
ପଡ଼ି ଉଠଇ ଦୁଃଖେ ଶ୍ରମେ । ମୂର୍ଚ୍ଛିତ ହୋଏ ଜ୍ଞାନ ଭ୍ରମେ ॥୧୬୭
ମାରନ୍ତେ ସତ୍ୱରେ ଉଠଇ । ଅଜ୍ଞାନେ ପୁଣି ସେ ପଡ଼ଇ ॥୧୬୮
ସେ ଦୂତେ ଦୟା ନକରନ୍ତି । ଦୁଃସହ ମାର୍ଗେ ଘେନିଯାନ୍ତି ॥୧୬୯
ଗହନ ଘୋର ଅନ୍ଧକାରେ । ନିଅନ୍ତି ପାପୀକୁ ଯତ୍ନରେ ॥୧୭୦
ପଥ ଅଦୃଶ୍ୟେ ହୁଡ଼ି ପଡ଼େ । ମୁଣ୍ତେ ପ୍ରହାରନ୍ତି ନିବିଡ଼େ ॥୧୭୧
ଏମନ୍ତ ଦୁଃଖେ ପାପୀଜନ । ପ୍ରବେଶ ଯମର ଭୁବନ ॥୧୭୨
ନବ ନବତି ପରିମିତ । ସହସ୍ର ଯୋଜନ ସେ ପଥ ॥୧୭୩
ବେନି ବା ତିନି ମୁହୂର୍ତ୍ତରେ । ପ୍ରବେଶ କରାନ୍ତି ସେଠାରେ ॥୧୭୪
ଯମ ନିକଟେ ତାକୁ ନେଇ । ବୋଲନ୍ତି ଶିରେ କରଦେଇ ॥୧୭୫
ଭୋ ଧର୍ମରାଜ ତୋ ବଚନେ । ଆଣିଲୁ ତୋର ସନ୍ନିଧାନେ ॥୧୭୬
ସେ ଯମ କରଣେ ହକାରି । ତା ପାପ ସୁକୃତ ବିଚାରି ॥୧୭୭
ସୁକୃତୀ ରହେ ସ୍ୱର୍ଗଲୋକେ । ନାରକୀ ପଡ଼ଇ ନରକେ ॥୧୭୮
କହନ୍ତି ପ୍ରଭୁ ନାରାୟଣ । ପାପୀ ଯାତନା ମାତା ଶୁଣ ॥୧୭୯
ଯେ ପ୍ରାଣୀ ନରକେ ପଡ଼ନ୍ତି । ଦୁର୍ଗମ ତାହାଙ୍କ ଦୁର୍ଗତି ॥୧୮୦
ତହିଁ ଦଣ୍ତନ୍ତି ଅନୁକ୍ଷଣ । ମସ୍ତାକ ସର୍ବାଙ୍ଗ ଚରଣ ॥୧୮୧
ତଦନ୍ତେ ଦହନ୍ତି ଅନଳେ । ରୋଦଇ ନିର୍ଘାତ ଚହଳେ ॥୧୮୨
ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳ । କ୍ଷୁଧାରେ ହୋଏ ଜ୍ଞାନଭୋଳ ॥୧୮୩
ଆପଣ ହସ୍ତେ ଦେହ ମାଂସ । କାଟିଣ କରୁଥାଇ ଗ୍ରାସ ॥୧୮୪
ଅଥବା କାଟି ଦ୍ୟନ୍ତି ପର । ତହା ଭକ୍ଷଇ ପାପୀ ନର ॥୧୮୫
ଗୃଧ୍ର କୁକୁର ଯମପୁରେ । ପାପୀଙ୍କି ବେଢ଼ିଣ ସତ୍ୱରେ ॥୧୮୬
ଓଟାରି ନ୍ୟନ୍ତି ନାଡ଼ିଗଣ । ତଥାପି ନ ଛାଡ଼ଇ ପ୍ରାଣ ॥୧୮୭
ମିଳନ୍ତି ମହା ମହା ସର୍ପେ । ଦଂଶନ୍ତି ତାର ଦେହେ କୋପେ ॥୧୮୮
ମ›ର୍ତ୍ସ କଚ୍ଛପ ତା ଶରୀର । ବେଢ଼ି ଭକ୍ଷନ୍ତି ନିରନ୍ତର ॥୧୮୯
କ୍ଷୁର ପ୍ରହାରେ ତାର ପିଣ୍ତ । କାଟି କରନ୍ତି ଖଣ୍ତ ଖଣ୍ତ ॥୧୯୦
ଉତ୍ତାନେ ପକାଇ ଧରଣୀ । ଗଜେ ମାରନ୍ତି ଦନ୍ତ ଆଣି ॥୧୯୧
ଦଶନେ ଶରୀର ଚିରନ୍ତି । ପର୍ବତ ଶିଖରୁ ପକାନ୍ତି ॥୧୯୨
ତଦନ୍ତେ ଖାତଖୋଳି ରୁନ୍ଧି । ଧୂମ ପୁରାନ୍ତି ନିରବଧି ॥୧୯୩
ବୁଡ଼ାଇ ରଖନ୍ତି ଜଳରେ । ପଥର ଲଦି ତା ଉପରେ ॥୧୯୪
ଆକୁଳେ ରୋଦଇ ବିକଳେ । ମୁଖେ ପିଟନ୍ତି କୋପାନଳେ ॥୧୯୫
ଏମନ୍ତେ କର୍ମର ଆୟତ୍ତେ । ନାନା ଯାତନା ଦଣ୍ତ ଯେତେ ॥୧୯୬
ଚତୁରଅଶୀତି ନରକେ । ନେଇ ଭୁଞ୍ଜାନ୍ତି ଏକେ ଏକେ ॥୧୯୭
ଏମନ୍ତେ ସଂସାର ଭ୍ରମଣେ । ବ୍ୟାକୁଳ କୁଟୁମ୍ବ ପୋଷଣେ ॥୧୯୮
ଅନ୍ତେ ଯମର ପୁରେ ଯାନ୍ତେ । କେହି ନଯାନ୍ତି ତାର ସାଥେ ॥୧୯୯
ବନ୍ଧୁବାନ୍ଧବ ପରିଜନେ । ଦହନ କରି ଶମଶାନେ ॥୨୦୦
ବିମୁଖେ ନିଜ ପୁରେ ଯାନ୍ତି । ତା ସଙ୍ଗେ କେହି ନ ରହନ୍ତି ॥୨୦୧
ଅର୍ଜିଲା ପାପପୁଣ୍ୟ ବେନି । ପଥେ ଗମନ୍ତି ତାକୁ ଘେନି ॥୨୦୨
ଏ ଦୁଇବଳେ ପରଲୋକେ । ଭୋଗ କରଇ ଏକେ ଏକେ ॥୨୦୩
ଅଧର୍ମେ ଧନାର୍ଜନ କରି । କୁଟୁମ୍ବ ପ୍ରପୋଷଣ କରି ॥୨୦୪
ଧର୍ମ ନ ସଞ୍ଚେ ରେଣୁ ମାତ୍ରେ । ନିତ୍ୟେ ମଜ୍ଜଇ ଦାରା-ସୁତେ ॥୨୦୫
ତାହାର ନାହିଁ ଇହପର । ଅନ୍ତେ ନରକ ମାତ୍ର ସାର ॥୨୦୬
ଏମନ୍ତେ କର୍ମର ଆୟତ୍ତେ । ଚଳନ୍ତି ସ୍ୱର୍ଗ-ନର୍କ ପଥେ ॥୨୦୭
ତାମିସ୍ର ଆଦି ଯେ ଯାତନା । କେତେ ତା କରିବି ବର୍ଣ୍ଣନା ॥୨୦୮
ପାତକୀ ସକଳ ଭୁଞ୍ଜଇ । ସ୍ୱକର୍ମ-ପାଶେ ବଦ୍ଧ ହୋଇ ॥୨୦୯
ଯେତେ ଅଛନ୍ତି ନରନାରୀ । ସର୍ବେ ଯାତନା ଅଧିକାରୀ ॥୨୧୦
ଉଭୟ ସଙ୍ଗେ ଏ ନରକ । ଭୁଞ୍ଜଇ ସଦା ପାପୀଲୋକ ॥୨୧୧
ଭୋ ମାତ ଦେଖ ସୁବିଚାରେ । ନରକ ସ୍ୱର୍ଗ ଏହିଠାରେ ॥୨୧୨
ନରକ ରାଜଦଣ୍ତ ଆଦି । ଏହା ବୋଲନ୍ତି ଶାସ୍ତ୍ରବାଦୀ ॥୨୧୩
ଯେ ଉପଭୋଗ ସ୍ୱର୍ଗସୁଖ । ଏଠାରେ ଦେଖ ତା ପ୍ରତ୍ୟକ୍ଷ ॥୨୧୪
ଏ ବେନି ବୁଝ ପରିମାଣି । ବିବେକ ମୁଖେ ଶାସ୍ତ୍ର ଶୁଣି ॥୨୧୫
ଏରୂପେ କୁଟୁମ୍ବ ଯେ ପୋଷେ । ନିଜ ଉଦର ପରିତୋଷେ ॥୨୧୬
ଏ ବେନି ସଙ୍ଗତେ ନଯାଇ । ଛାଡ଼ିଣ ଏକା ସେ ଚଳଇ ॥୨୧୭
ଭୂଞ୍ଜଇ ଆପେ କର୍ମଫଳ । ଯାଠାରୁ ନାହିଁ ବଳୀୟାର ॥୨୧୮
ତେଜିଣ ନିଜ କଳେବର । ଏକା ସେ ଗମେ ଯମପୁର ॥୨୧୯
ଅଧର୍ମେ ପ୍ରାଣୀ ହିଂସା କରି । ଯେ ଦେହ ପୋଷେ ସ୍ନେହ ଭରି ॥୨୨୦
ସେ ଦେହ ତେଜିଣ ସେ ଯାଇ । ପାପକୁ ପୃଷ୍ଠରେ ବସାଇ ॥୨୨୧
ଏକା ସେ ନରକ ଭୁଞ୍ଜଇ । ଦ୍ୱିତୀୟ ସଙ୍ଗତେ ନଯାଇ ॥୨୨୨
କୁଟୁମ୍ବ-ପୋଷଣର ଫଳ । ତାହାର ଯେତେକ ଶମଳ ॥୨୨୩
ସେ ଫଳ ଈଶ୍ୱର ଦିଅନ୍ତି । ପାପୀ ହିଁ ଏକାନ୍ତେ ଭୁଞ୍ଜନ୍ତି ॥୨୨୪
ଧନ ହରାଇ ଯେହ୍ନେ ନର । ମନରେ ହୁଅଇ ଆତୁର ॥୨୨୫
ତେସନ ପାପ କରେ ପ୍ରାଣୀ । ବ୍ୟାକୁଳେ ଭୁଞ୍ଜେ ପୁଣ ପୁଣି ॥୨୨୬
ସେ ଦୁଃଖ ନ ଭୁଞ୍ଜଇ ପର । ତେସନେ ନରକ ଆହାର ॥୨୨୭
କେବଳ ଅଧର୍ମ ଆଚରି । କୁଟୁମ୍ବ ପୋଷଣ ଯେ କରି ॥୨୨୮
ଗମଇ ଅନ୍ଧ-ତାମିସ୍ରକୁ । ଉଦ୍ଧାର ନାହିଁ କାହିଁ ତାକୁ ॥୨୨୯
ଅନ୍ଧ-ତାମିସ୍ର ଯାର ନାମ । ତାହା ହିଁ ନରମ ଚରମ ॥୨୩୦
ସେ ତହିଁ ଗମନ କରଇ । ବହୁତ କାଳ ତହିଁ ଥାଇ ॥୨୩୧
ତାର ନରକ ଭୋଗ ଅନ୍ତେ । ଆପଣା କର୍ମର ଆୟେତ୍ତେ ॥୨୩୨
ଯେତେକ ଯାତନା ଅଛଇ । କ୍ରମେଣ ସକଳ ଭୁଞ୍ଜଇ ॥୨୩୩
ସେ ପାପପୁଣ୍ୟ ଅବଶେଷ । କର୍ମେ ସେ ଉଦରେ ପ୍ରବେଶ ॥୨୩୪
ଶ୍ୱାନ ଶୂକର ଆଦି ଯୋନି । ପାପୀ ଲଭଇ କର୍ମ ଘେନି ॥୨୩୫
ଭୁଞ୍ଜନ୍ତି ପ୍ରାଣୀ ଦେହ ଘେନି । କହିବା ଶୁଣ ଗୋ ଜନନୀ ॥୨୩୬
କ୍ରମେ ତା ପାପ କ୍ଷୀଣ ହୋଇ । ପୁଣି ସେ ନରଜନ୍ମ ପାଇ ॥୨୩୭
ଏମନ୍ତେ ମାତାର ସମୀପେ । ଗୋବିନ୍ଦ କପିଳ ସ୍ୱରୂପେ ॥୨୩୮
ଯେତେ କହିଲେ ଜ୍ଞାନବାଣୀ । ସୁଜନଜନେ ଏହା ଶୁଣି ॥୨୩୯
ତରିବ ଭବବନ୍ଧ-ପାଶ । କହଇ ଜଗନ୍ନାଥ ଦାସ ॥୨୪୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ କର୍ମବିପାକୋ ନାମ
ତ୍ରିଂଶୋଽଧ୍ୟାୟଃ ।

ଏକତ୍ରିଂଶ ଅଧ୍ୟାୟ

[ସମ୍ପାଦନା]
କପିଳ ଉବାଚ

ଶୁଣ ଜନନୀ ତଦନ୍ତରେ । ପୁଣ୍ୟ ପାତକ ସୁବିଚାରେ ॥୧
ଏ ପୁଣ୍ୟ ପାପ ଅନୁସାରେ । ମନୁଷ୍ୟ ଦେହ ପ୍ରାଣୀ ଧରେ ॥୨
ମନୁଷ୍ୟ ଦେହ ଯେଣୁ ସ୍ଥିତି । ତେଣୁ ସେ ରାଜସିକ ମତି ॥୩
ଏହା କହିବା ତୋ ଆଗରେ । ସୁଜନେ ଶୁଣ ହେତୁଦ୍ୱାରେ ॥୪
ବୋଲନ୍ତି ପ୍ରଭୁ ଭଗବାନ । ଭୋ ମାତ ସାବଧାନେ ଶୁଣ ॥୫
ଏ ଜୀବ ଯେ କର୍ମ ଇଚ୍ଛଇ । ଈଶ୍ୱର ତହିଁ ନିଯୋଜଇ ॥୬
ଏ ଜୀବ ସ୍ୱକର୍ମ ବଶରେ । ପୁରୁଷ ରେତ ଆଶା କରେ ॥୭
ପୁଣି ଏ ଦେହ ଧରିବାକୁ । ପ୍ରବେଶ ଜନନୀ ଗର୍ଭକୁ ॥୮
ପୁରୁଷ ଦେହର ସ୍ୱରୂପେ । ପଶଇ ଆତ୍ମାର ସଙ୍କଳ୍ପେ ॥୯
ଯେ ଜନ୍ମେ ଯେ ଗର୍ଭ ସଂଯୋଗ । ପଶଇ ରଜ-ବୀର୍ଯ୍ୟ ଯୋଗ ॥୧୦
ସେ ରେତ ପ୍ରଥମ ଦିନରେ । ମିଶଇ ଶୋଣିତ ସଙ୍ଗରେ ॥୧୧
ତାହାକୁ ବୋଲିଟି କଲ୍ଲୋଳ । ପଞ୍ଚମ ଦିନେ ସେ ବର୍ତ୍ତୁଳ ॥୧୨
ସେ ପୁଣି ବଦରୀ ସମାନେ । କଠିନ ହୁଏ ଦଶଦିନେ ॥୧୩
ତା ପରେ ହୋଇ ମାଂସ ପିଣ୍ତ । ତଦନ୍ତେ ପ୍ରକାଶଇ ଅଣ୍ତ ॥୧୪
ମସ୍ତକ ପ୍ରଥମ ମାସରେ । ପ୍ରକାଶ ହୁଅଇ କନ୍ଧରେ ॥୧୫
ସମ୍ପୂର୍ଣ୍ଣ ବେନିମା ଯାଏ । କର ଚରଣ ଆଦି ହୋଏ ॥୧୬
ଅଙ୍ଗୁଳି ନଖ ତନୁ ରୋମ । ଅସ୍ଥି ହୃଦୟ ନାଡ଼ିମାନ ॥୧୭
ଲିଙ୍ଗ ଇନ୍ଦ୍ରିୟ ଛିଦ୍ର ଆଦି । ତୃତୀୟମାସେ ଏ ପ୍ରସିଦ୍ଧି ॥୧୮
ଚତୁର୍ଥମାସେ ଧାତୁ ହୋଏ । ପଞ୍ଚମେ କ୍ଷୁଧା ତୃଷା ବହେ ॥୧୯
ତଦନ୍ତେ ଷଷ୍ଠ ପରିମିତ । କ୍ଷୁଧା ତୃଷାରେ ସେ ପୀଡ଼ିତ ॥୨୦
ଗର୍ଭ ବେଷ୍ଟନେ ବଦ୍ଧ ହୋଇ । ଦକ୍ଷିଣ କୁକ୍ଷିରେ ଭ୍ରମଇ ॥ ୨୧
ଜନନୀ ଯେ ଦ୍ରବ୍ୟ ଭକ୍ଷଇ । ସେ ରସେ ତା ଧାତୁ ବଢ଼ଇ ॥୨୨
ମୂତ୍ର ପୁରୀଷ ରକ୍ତ ଲାଳେ । କୃମି ପୀଡ଼ିତ ସମାକୁଳେ ॥୨୩
ତହିଁ ଯନ୍ତ୍ରିତେ ଶୋଇ ଥାଇ । କୃମି ସଂକୁଳ ମଧ୍ୟେ ରହି ॥୨୪
ଅତି କୋମଳ କଳେବର । କୃମି ଭକ୍ଷଣେ ନୋହେ ସ୍ଥିର ॥୨୫
ଅଙ୍ଗ କାଟନ୍ତେ କୃମିମାନେ । ପ୍ରଜ୍ୱଳେ ଦେହ ପ୍ରତିକ୍ଷଣେ ॥୨୬
ବହୁତ କ୍ଳେଶ ତହିଁ ପାଇ । କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଇ ॥୨୭
ଉଷ୍ଣ ଲବଣ କଟୁ ତୀକ୍ଷ୍ଣ । କ୍ଷାର ଆମ୍ବିଳ ଯା ଭକ୍ଷଣ ॥୨୮
ଜନନୀ ଆହାର କରଇ । ସେ ରସେ ସର୍ବାଙ୍ଗ ପୀଡ଼ଇ ॥୨୯
କରଇ ବେଦନାକୁ ଜାତ । ତେଣେ ତା ସର୍ବାଙ୍ଗ ପୀଡ଼ିତ ॥୩୦
ନିବାସ ଜରାୟୁ ଭିତରେ । ନାଡ଼ିରେ ବେଷ୍ଟିତ ନିର୍ଭରେ ॥୩୧
କୁଟିଳ ଭାବେ ଶିରୋଧର । ପୃଷ୍ଠ କୁଟିଳ କଳେବର ॥୩୨
ମାତୃକୁକ୍ଷିରେ ଦେଇ ଶିର । ପଡ଼ି ଯେ ଥାଇ ନୋହେ ସ୍ଥିର ॥୩୩
ଶରୀର ଚାଲି ନପାରଇ । ପିଞ୍ଜର-ପକ୍ଷୀ ପ୍ରାୟ ହୋଇ ॥୩୪
ସେ ଗର୍ଭେ ପୂର୍ବକର୍ମ ବଶେ । ବହୁତ ଜନ୍ମ ତାକୁ ଦିଶେ ॥୩୫
ଶତେଜନ୍ମର କର୍ମ ଯେତେ । ସୁମରୁ ଥାଏ ଗର୍ଭଗତେ ॥୩୬
ସେ ପାପ ପୁଣ୍ୟ ମନେ ଧ୍ୟାଇ । ବହୁତ ନିଃଶ୍ୱାସ ଛାଡ଼ଇ ॥୩୭
ତା ଫେଡ଼ି ନ ପାରଇ କେହି । କର୍ମଆୟତ୍ତେ ବଶ ହୋଇ ॥୩୮
ସୁମରି ପୂର୍ବଜନ୍ମ ଦୁଃଖ । ସୁଖ ନ ଲଭି ସେ ବିମୁଖ ॥୩୯
ସପ୍ତମମାସ ଆଦି କରି । ତା ଦେହେ ଜ୍ଞାନ ଥାଇ ପୁରି ॥୪୦
ପ୍ରସୂତିବାତ ବଳୀୟାର । ତେଣେ କମ୍ପଇ ତା ଶରୀର ॥୪୧
ଦେହକୁ ଅସ୍ଥିର କରଇ । କୃମି ଯେସନେ ଭ୍ରମୁଥାଇ ॥୪୨
ସେ ରୂପେ ଗର୍ଭେ ତା ଭ୍ରମଣ । ଦୁଃସହ ସେ ଦୁଃଖ କଷଣ ॥୪୩
ତଦନ୍ତେ ଶୁଣ ଗୋ ଜନନୀ । ଭାଳଇ ଦିବସ ରଜନୀ ॥୪୪
ଅତି ବିମୁଖେ କଷ୍ଟ ସହି । ସେ ଗର୍ଭେ ଆତ୍ମାକୁ ଦେଖଇ ॥୪୫
ତା ରୂପ ଅତି ମନୋହର । ଧ୍ୟାନେ ଜାଣଇ ତା ଶରୀର ॥୪୬
ନିରତେ ଭାଳେ ଏକଚିତ୍ତେ । ଭକ୍ତିରେ ମନ ପ୍ରମୋଦିତେ ॥୪୭
ସପ୍ତଧାତୁରେ ବଦ୍ଧ ହୋଇ । ଅଞ୍ଜଳି କରିଣ ପ୍ରାର୍ଥଇ ॥୪୮
ଭୟେ ବିଚାରଇ ମନର । କେମନ୍ତେ ଏଥୁଁ ହେବି ପାର ॥୪୯
ଏଥୁଁ ନିସ୍ତାର ମୋ କେମନ୍ତେ । ଆତଙ୍କେ ଚିନ୍ତଇ ନିରତେ ॥୫୦
ଯେମନ୍ତେ ଆଉ ପୁନର୍ବାର । ଏ ଗର୍ଭ ଦୁଃଖ ନୋହୁ ମୋର ॥୫୧
ଶ୍ରୀକୃଷ୍ଣପାଦେ କରି ଧ୍ୟାନ । ଅତି ଆନନ୍ଦ ସୁଖେ ମଗ୍ନ ॥୫୨
ଏଥୁଁ ନିର୍ଗତ ମୋ କେମନ୍ତେ । ତାହାକୁ ଭାବେ ଅବିରତେ ॥୫୩
ସେ ଦୁଃଖ ନ ଘେନଇ ଚିତ୍ତେ । ଅନାଥ ମୁଁ ଯେ ଗର୍ଭଗତେ ॥୫୪
ବେଦନା ପାଉଅଛି ଯେତେ । ଏଥୁ ଉଦ୍ଧର ନାଥ ମୋତେ ॥୫୫
ଏ ଦୁଃଖ ଯେମନ୍ତେ ନୋହିବ । ଏମନ୍ତ କୃପା ମୋତେ ହେବ ॥୫୬
ଏ ରୂପେ ବ୍ୟାକୁଳେ କଷଣେ । ସ୍ତୁତି କରଇ ଅନୁକ୍ଷଣେ ॥୫୭

ଜୀବ ଉବାଚ

ତୁ ନାଥ ପୂର୍ଣ୍ଣଜ୍ଞାନମୟେ । ଆତ୍ମା ସ୍ୱରୂପେ ବସୁ ଦେହେ ॥୫୮
ସକଳ ହୃଦୟେ ପ୍ରକାଶ । ଗଗନେ ଯେହ୍ନେ ରବି ତ୍ରାସ ॥୫୯
ଏବେ ପ୍ରଣମୁଁ ତୋର ପାୟେ । ଭୋ ନାଥ କର ମୋତେ ଦୟେ ॥୬୦
ଏ ଗର୍ଭବାସ ଦୁଃଖ ମୋତେ । ଯେମନ୍ତେ ନଲାଗେ ଜଗତେ ॥୬୧
ନିର୍ଲେପ ନିରଞ୍ଜନ ତୁହି । ତୋ ରୂପ ନଜାଣନ୍ତି କେହି ॥୬୨
ତୋ ପାଦ ନଭଜିଲି ମୁହିଁ । ଅଶେଷ ଗର୍ଭେ ଦେହ ବହି ॥୬୩
ତେଣୁ ସକଳ ଗର୍ଭବାସ । ଜନ୍ମିଣ ପୁଣି ଯାଇ ନାଶ ॥୬୪
ତୁ ଏବେ ମୋତେ ଦୟାକର । ଏ ଗର୍ଭସଙ୍କଟୁ ଉଦ୍ଧର ॥୬୫
ଏ ମହାଗର୍ଭର କଷଣ । ଏଥୁ ଉଦ୍ଧର ନାରାୟଣ ॥୬୬
ଏ ଗର୍ଭୁ ହୋଇଲେ ନିସ୍ତାର । ତୋର ଚରଣେ ଚକ୍ରଧର ॥୬୭
ମୁଁ ପାପୀ ଭଜିବି ନିରତେ । ଏ ଦୁଃଖ ନ ଲଭି ଯେମନ୍ତେ ॥୬୮
ଭୋନାଥ ତୋହର ଚରଣ । ପଶିଲି ଆଜି ମୁଁ ଶରଣ ॥୬୯
ଜଗତ ରକ୍ଷାର ନିମିତ୍ତ । ଇଚ୍ଛାଏ ନାନା ତନୁଭୂତ ॥୭୦
ମୁହିଁ ତ ଅଟଇ ଅସତ । ଏ ଗର୍ଭକଷ୍ଟ ମୋ ଉଚିତ ॥୭୧
ତୋ ରୂପ ଦେଖାଇଲୁ ଦେବ । ଅପୂର୍ବ ଦୟାଳୁ ସ୍ୱଭାବ ॥୭୨
ଗର୍ଭକୁ ଆଣିଲା ଯେ ମୋତେ । ତା ପାଦେ ସ୍ତୁତି ମୋ ନିରତେ ॥୭୩
ତା ପାଦେ ପଶିଲି ଶରଣ । ସେ ମୋତେ କରୁ ପରିତ୍ରାଣ ॥୭୪
ସେବଇ ତାର ପାଦଗତେ । ଅଶେଷ କର୍ତ୍ତା ଯେ ଜଗତେ ॥୭୫
ଯେ ପ୍ରଭୃ ସୃଷ୍ଟି ରକ୍ଷା ପାଇଁ । ଇଚ୍ଛାରେ ଶରୀର ଧରଇ ॥୭୬
ଯେ କଲା ଏତାଦୃଶ ଗତି । ମୁଁ ପାପୀ ଅତୀବ ଦୁର୍ମତି ॥୭୭
ସେ ପ୍ରଭୁ ଏକଷ୍ଟୁ ରଖିବେ । ତା ବିନୁ ଆଶ୍ରା ନାହିଁ ଜୀବେ ॥୭୮
ତାହାଙ୍କ ଅଭୟ ଚରଣେ । ଶରଣ ଗଲି ଏ କଷଣେ ॥୭୯
ସେ ପାଦେ ଯେ ପ୍ରାଣୀ ପ୍ରପନ୍ନ । ନ ଲାଗେ ଏ ଦୁଃଖ ବୃଜିନ ॥୮୦
ମୁଁ କଷ୍ଟେ ଜନନୀ ଗର୍ଭରେ । ଅଛଇ ମାୟା କଳେବରେ ॥୮୧
ଜୀବ ସ୍ୱରୂପେ ଅଛି ମୁହିଁ । ମୋ ନିଜକମେ ବନ୍ଦୀ ହୋଇ ॥୮୨
ଅଛଇ ବନ୍ଧନ ପରାୟେ । ଏ ଗର୍ଭପୀଡ଼ା ଅତି ଭୟେ ॥୮୩
ନମଇଁ ତାହାଙ୍କ ପୟରେ । ଯେ ଦେବ ଛନ୍ତି ମୋ ହୃଦରେ ॥୮୪
ବିଶୁଦ୍ଧ ବିକାର-ବିହୀନ । ଅଖଣ୍ତବୋଧ ଅନୁଦିନ ॥୮୫
ତ୍ରିବିଧ ସନ୍ତାପେ ତାପିତ । ହୃଦୟେ ହୁଅଇ ପ୍ରତୀତ ॥୮୬
ନମଇଁ ତାହାଙ୍କ ଚରଣେ । ସେ ନାଥ ରଖୁ ଏ କଷଣେ ॥୮୭
ଏ ପଞ୍ଚଭୂତେ ବିରଚିତ । ଏମନ୍ତ ଦେହେ ମୁହିଁସ୍ଥିତ ॥୮୮
ମିଥ୍ୟାରେ ଆଚ୍ଛନ୍ନ ହୋଇଛି । ବୁଝିଲେ ସତ୍ୟ ନୋହେ କିଛି ॥୮୯
ଇନ୍ଦ୍ରିୟ ଅର୍ଥେ ଗୁଣେ ଚିତ୍ତ । ଏଥେଁ ମୁଁ ବଦ୍ଧ ଅବିରତ ॥୯୦
ବନ୍ଦଇ ସେ ପ୍ରଭୁ ଚରଣ । ଏ କଷ୍ଟୁ କରିବେ ତାରଣ ॥୯୧
ଅକୁଣ୍ଠ ମହିମା ତାହାର । କେବେ ହେଁ ନଥାଇ ବିକାର ॥୯୨
ଯେଣୁ ସେ ଆଦି ନିରଞ୍ଜନ । ପ୍ରକୃତି ପୁରୁଷହୁଁ ଭିନ୍ନ ॥୯୩
ସେ ପ୍ରଭୁ ପରମ-ପୁମାନ । ଦିଅନ୍ତୁ ମୋତେ ଦିବ୍ୟଜ୍ଞାନ ॥୯୪
ଯା ମାୟା ଆବୋରି ରହିଛି । ଏଣୁ ମୁଁ ସବୁ ବିସ୍ମରୁଛି ॥୯୫
ତେଣୁ ଭ୍ରମଇ ଏ ସଂସାରେ । ଶ୍ରମେ କାତର ନିରନ୍ତରେ ॥୯୬
ତାହାଙ୍କୁ ଭଜିବଇଁ ଯେବେ । ଏ ଦୁଃଖୁ ନିସ୍ତାରିବେ ତେବେ ॥୯୭
ଭଜିଲେ ନିଜରୂପ ପାଇ । ନ ଭଜି ପାରହେବି କାହିଁ ॥୯୮
ସେ ପ୍ରଭୁ ବିନୁ ଏହି ଜ୍ଞାନ । କେ ଦେଇ ପାରି ମୋତେ ଆନ ॥୯୯
ତା ତହୁଁ ଜ୍ଞାନ ମୁଁ ପାଇଛି । ଯେଣୁ ମୁଁ ତ୍ରିକାଳ ଦେଖୁଛି ॥୧୦୦
ଏଣୁ ଏ ଗର୍ଭଦୁଃଖ ଘୋର । ନ ଜାଣେ ଶରୀର ମୋହର ॥୧୦୧
ଏଣୁ ଯେ ତାହାଙ୍କୁ ଭଜିବି । ତେବେ ସେ କର୍ମକୁ ଜିଣିବି ॥୧୦୨
ଯାହାର ଅଂଶ ସ୍ଥିରଚରେ । ବ୍ୟାପିଛି ଭବନ ଭିତରେ ॥୧୦୩
ବନ୍ଦଇ ତାହାଙ୍କ ଚରଣ । ଭୋ ନାଥ ଦେବା ଦିବ୍ୟଜ୍ଞାନ ॥୧୦୪
ବାଳ ଚଞ୍ଚଳ ଭାବ ମୁହିଁ । ତୋ ପାଦ-କମଳେ ପୁଛଇ ॥୧୦୫
ଜନନୀ-ଉଦର-ଗୁହାରେ । ପୁରୀଷ ମୂତ୍ରାଦି କୁପରେ ॥୧୦୬
ଅବଶେ ତହିଁ ମୁଁ ପଡ଼ିଛି । ଜଠରଅଗ୍ନି ଦହୁ ଅଛି ॥୧୦୭
ତହୁଁ ବାହାର ହେବା ପାଇଁ । ସଭୟେ ମାସ ଗଣୁଛଇଁ ॥୧୦୮
କେବେ ସେ କରିବେ ବାହାର । ସେ ପ୍ରଭୁ କୃପା-ପାରାବାର ॥୧୦୯
ଯେ କଲା ଏତାଦୃଶ ଗତି । ଲଭିଲି ଦିବ୍ୟଜ୍ଞାନ ମତି ॥୧୧୦
ସେ ବଡ଼ କରୁଣାସାଗର । ଯେ ମୋତେ ଦେଲେ ଜ୍ଞାନପର ॥୧୧୧
ମୁଁ ତାଙ୍କୁ କିସେବା କରିବି । କି ଦ୍ରବ୍ୟ ଦେଇଣ ତୋଷିବି ॥୧୧୨
ସେ ନାଥ ଦୀନବନ୍ଧୁ ଯେବେ । ସ୍ୱଗୁଣେ ତୁଷ୍ଟ ହେବେ ତେବେ ॥୧୧୩
ଅଞ୍ଜଳି ବିନୁ ନାରାୟଣ । ମୋହର ଦ୍ରବ୍ୟ ନାହିଁ ଆନ ॥୧୧୪
ଏ ଯେତେ ଜୀବପଶୁ ଆଦି । ଅଜ୍ଞାନ ଦେହେ ନିରବଧି ॥୧୧୫
ଦେଖନ୍ତି ସୁଖ ଦୁଃଖ ମାତ୍ର । ଏଣୁ ହୁଅନ୍ତି କ୍ଳେଶପାତ୍ର ॥୧୧୬
ଯେ ଦିବ୍ୟଜ୍ଞାନ ଦେଲେ ମୋତେ । ଯେ ବୁଦ୍ଧି ଘେନି ଅବିରତେ ॥୧୧୭
ଏ ଦେହ ଭିତର ବାହାରେ । ପ୍ରତ୍ୟକ୍ଷ ଦେଖୁଛି ତାହାରେ ॥୧୧୮
ଏ ଘେନି ସୁଖେ ଆଶା ନାହିଁ । ଦୁଃଖକୁ ଭୟ ଅବା କାହିିଁ ॥୧୧୯
ଯେ ମୋତେ ଦେଲେ ଦିବ୍ୟଜ୍ଞାନ । ସେ ପାଦେ ମୋହର ବନ୍ଦନ ॥୧୨୦
ସେ ପ୍ରଭୁ ରୂପ ମନୋହର । ଦର୍ଶନେ ଲୋଭ ଚିତ୍ତ ମୋର ॥୧୨୧
ସେ ରୂପ-ସୁଧା ଆପ୍ୟାୟନେ । ତୃଷିତ ଲୋଚନ ସଘନେ ॥୧୨୨
କେବେ ହେଁ ନପାରଇ ଛାଡ଼ି । ଆନନ୍ଦେ ସୁଧାର୍ଣ୍ଣବେ ବୁଡ଼ି ॥୧୨୩
ବହୁତ ଦୁଃଖର ଆବାସ । ଏହି ମୋହର ଗର୍ଭବାସ ॥୧୨୪
ମୁଁ ଦୁଃଖେ ବଞ୍ଚିବି ଗର୍ଭରେ । କେବେ ହେଁ ନଯିବି ବାହାରେ ॥୧୨୫
ସଂସାର ଅନ୍ଧକୂପ ଅତି । ତହିଁକି ଯେ ଜୀବେ ଗମନ୍ତି ॥୧୨୬
ତୋ ମାୟା ଘୋଟଇ ତାହାକୁ । ସେ ସତ୍ୟ ମଣଇଁ ମିଥ୍ୟାକୁ ॥୧୨୭
ପଡ଼ଇ ସଂସାର-ଚକ୍ରରେ । ପୁତ୍ର କଳତ୍ର ମାୟା-ଘୋରେ ॥୧୨୮
ଏଣୁ ବାହାରେ ନ ଯିବଇଁ । ମୁଁ ଗର୍ଭେ ମୋକ୍ଷ ସାଧିବଇଁ ॥୧୨୯
ବ୍ୟାକୁଳ ନୋହି ଏ ଗର୍ଭର । ସହିବି ଦୁଃଖ ମହାଘୋର ॥୧୩୦
ଆତ୍ମାକୁ ତାରିବି ଏଠାରେ । ମନ ନିବେଶି ଆତ୍ମାଠାରେ ॥୧୩୧
ସାରଥି ବୁଦ୍ଧି ବିବେକକୁ । କରିଣ ତାରିବି ଆତ୍ମାକୁ ॥୧୩୨
ଗର୍ଭ ନିବାସ ଦୁଃଖ ଆର । ଯେମନ୍ତ ନୋହିବ ମୋହର ॥୧୩୩
ବିଷ୍ଣୁର ଚରଣେ ପଶିବି । ଅଶେଷ ଗର୍ଭେ ମୁଁ ନ ଯିବି ॥୧୩୪

ମୈତ୍ରେୟ ଉବାଚ

ଏମନ୍ତେ ନାନା ସ୍ତୁତି କରି । ଗର୍ଭ-ଯାତନା ଦୁଃଖେ ଡରି ॥୧୩୫
ସେ ଜୀବ ଅତି ଦୁଃଖେ ଛନ୍ନ । ଦୁର୍ଗନ୍ଧ ଆଘ୍ରାଣେ ଅଜ୍ଞାନ ॥୧୩୬
କହନ୍ତି କପିଳ ଗୋସାଇଁ । ସେ ଦେବହୂତି ମୁଖ ଚାହିଁ ॥୧୩୭

କପିଳ ଉବାଚ

ବିନୟ ଭାବେ ସ୍ତୁତି କରେ । ଏ ଜୀବ ଜନନୀ ଉଦରେ ॥୧୩୮
କେବେ ହେଁ ନୋହେ ତା ଉଶ୍ୱାସ । ଦୁଃଖେ ପୀଡ଼ିତ ଦଶମାସ ॥୧୩୯
ଏମନ୍ତ ଦୁଃଖ ଅବଶେଷେ । ଶରୀରୁ ପବନ ପ୍ରକାଶେ ॥୧୪୦
ତାହାକୁ ପ୍ରସବ ମାରୁତ । ପ୍ରେରଣ କରଇ ବହୁତ ॥୧୪୧
ତକ୍ଷଣେ ଅଧୋମୁଖ କରି । ପକାଇ ଯୋନିଦ୍ୱାର ଭରି ॥୧୪୨
ଗର୍ଭ ଭିତରୁ ତାକୁ ହେଳେ । ପବନ ଝାଙ୍କି ମହାବଳେ ॥୧୪୩
ସେ ଯୋନିଦ୍ୱାର ମାର୍ଗଗତେ । ବାହାର କରଇ ତୁରିତେ ॥୧୪୪
ଅତି ସଂକୀର୍ଣ୍ଣ ଜନ୍ମଦ୍ୱାର । କଷ୍ଟରେ ହୁଅଇ ବାହାର ॥୧୪୫
ସ୍ତମ୍ଭିତେ ଶ୍ୱାସ ନିରୋଧଇ । ସେ ଗର୍ଭଜ୍ଞାନ ପାଶୋରଇ ॥୧୪୬
ଅଜ୍ଞାନେ ପଡ଼ଇ ଭୂମିରେ । ରକ୍ତ-ଜର୍ଜର କଳେବରେ ॥୧୪୭
କୃମିର ପ୍ରାୟେ ଚେଷ୍ଟା କରେ । ରୋଦନ କରଇ କାତରେ ॥୧୪୮
ଲଭଇ ବିପରୀତ ଗତି । ସେ ଜ୍ଞାନ ଆଉ ନ ସ୍ମରତି ॥୧୪୯
ପାଳନ୍ତି ଜ୍ଞାତି ବନ୍ଧୁଜନେ । ତା ଅଭିମତ କେହୁ ଜାଣେ ॥୧୫୦
କ୍ଷୁଧାରେ ତକ୍ଷଣେ ରୋଦଇ । ତା କେହି ବୁଝି ନପାରଇ ॥୧୫୧
ବୋଲନ୍ତି ପେଟ ବଥାଇଲା । ଏଣୁ ଏ ବ୍ୟାକୁଳେ ରୋଦିଲା ॥୧୫୨
ମୁଖେ ଦିଅନ୍ତି ନିମ୍ବରସ । ଜୀବ ତ ପିଅଇ ଅବଶ ॥୧୫୩
ନିଷେଧି ତାହା ନ ପାରଇ । ଯାହା ଦିଅନ୍ତି ତାହା ଖାଇ ॥୧୫୪
ଅଶୁଚି ଶଯ୍ୟାରେ ଶୟନ । କରନ୍ତି ତାକୁ ପରିଜନ ॥୧୫୫
ତହିଁ ଅବଶେ ପଡ଼ିଥାଇ । ପିମ୍ପୁଡ଼ି ମାଛି କୀଟ ଖାଇ ॥୧୫୬
ନିବାରେ ନୋହଇ ସମର୍ଥ । ଯେଣୁ ନଚଳେ ପଦ ହସ୍ତ ॥୧୫୭
ଉଠି ବସିତେ ଶକ୍ୟ ନାହିଁ । ବନ୍ଧନ ଜୀବ ପ୍ରାୟ ହୋଇ ॥୧୫୮
କୋମଳ ଚର୍ମ ତା ଶରୀରେ । କାଟନ୍ତି ମଶକ ନିର୍ଭରେ ॥୧୫୯
ଦଶନ ବିକାଶି କାଟନ୍ତି । ଶୋଷିଣ ଶୋଣିତ ପିବନ୍ତି ॥୧୬୦
ତହୁଁ ସେ ଜ୍ଞାନହୀନ ହୋଇ । ସର୍ବଦା ରୋଦନ କରଇ ॥୧୬୧
ଏ ରୂପେ ପାଞ୍ଚବର୍ଷ ଯାଏ । ଶୈଶବେ ଦୁଃଖ ଭୋଗ ହୁଏ ॥୧୬୨
ପୌଗଣ୍ତ କାଳେ ମହା ଦୁଃଖ । ତହିଁ ନପାଇ କିଛି ସୁଖ ॥୧୬୩
ତଦନ୍ତେ ବିଦ୍ୟା ପ୍ରପଠନେ । ଭୟେ ତରସ୍ତ ପ୍ରତିଦିନେ ॥୧୬୪
ମରଣୁ ସେ ଦୁଃଖ ବଳଇ । ନିର୍ଭୟସ୍ଥାନେ ପଶେ ଯାଇ ॥୧୬୫
ଏମନ୍ତେ ଜୀବ ଲଭେ କ୍ଳେଶ । ନ ପାଇ ଜ୍ଞାନ ଉପଦେଶ ॥୧୬୬
ଯୌବନାବସ୍ଥା ପ୍ରବେଶେଷ । ତହିଁ ପୀଡ଼ିତ କାମବାଣ ॥୧୬୭
ମନେ କଳ୍ପିତ ଯା କରଇ । ସେ ଯେବେ ଆସି ନଘଟଇ ॥୧୬୮
ଶୋକରେ ହୁଅଇ ବାଧିତ । କ୍ରୋଧିତ ହୋଏ ଅବିରତ ॥୧୬୯
ଏମନ୍ତ ପ୍ରତି ସମ୍ବତ୍ସରେ । କାମ ବଢ଼ଇ ନିରନ୍ତରେ ॥୧୭୦
ଯେ ରୂପେ ଶରୀର ବଢ଼ଇ । ତା ସଙ୍ଗେ କାମାଦି ବଢ଼ଇ ॥୧୭୧
ପ୍ରକୋପ ବଢ଼େ କଳେବରେ । କାମିନୀ ସଙ୍ଗେ କେଳୀ କରେ ॥୧୭୨
ଅତ୍ୟନ୍ତ କାମେ ହୋଇ ବାଇ । ଆପଣା ନାଶ ନ ଜାଣଇ ॥୧୭୩
ନାନା ଯୋନିରେ ଆଶା କରେ । ଏ ଯୁବା ବୟସ ବେଭାରେ ॥୧୭୪
ଏମନ୍ତେ ବଢ଼େ ଦିନେ ଦିନେ । ଯେ ରୂପେ ପ୍ରୌଢ଼ ସେ ଯୌବନେ ॥୧୭୫
ବ୍ୟାକୁଳ ଧନ ଅରଜନେ । ଚିତ୍ତ ବ୍ୟାକୁଳ ଦୁଃଖମନେ ॥୧୭୬
ଦିନକୁ ଦିନ କାମ ଗାଢ଼େ । ନିରତେ ଅହଙ୍କାର ବଢ଼େ ॥୧୭୭
ସନ୍ତତି ଜନମ ବ୍ୟାକୁଳେ । କାମିନୀ ସଙ୍ଗେ ରତି ମେଳେ ॥୧୭୮
ବଞ୍ଚଇ ସୁଖ ପ୍ରାୟ ମଣି । ଆତ୍ମାର ଦୁଃଖ ନ ପ୍ରମାଣି ॥୧୭୯
ଏ ପଞ୍ଚଭୂତ କଳେବରେ । ଆପଣା ବୋଲି ଯା ଆଦରେ ॥୧୮୦
ମୁଁ ହର୍ତ୍ତା କର୍ତ୍ତା ସର୍ବଠାରେ । ଏ ମୋର ଛନ୍ତି ଯେତେ ଘରେ ॥୧୮୧
ଏହି କୁମତି ଭାବୁଥାଇ । ଆପଣା ହିତ ନଜାଣଇ ॥୧୮୨
ଚର୍ମ ଶୋଣିତ ଗାଢ଼ ଭିତ୍ତି । ଅଶେଷ ରୋଗ ଯହିଁ ସ୍ଥିତି ॥୧୮୩
ଏ ମୋ ଶରୀର ବୋଲି ଜାଣେ । କ୍ଷଣ-ବିଧ୍ୱଂସ ନ ପ୍ରମାଣେ ॥୧୮୪
ଏ ଦେହ ଅସତ୍ୟ ସ୍ୱଭାବେ । ଯେ ଆତ୍ମବୁଦ୍ଧି ଅନୁଭବେ ॥୧୮୫
ପରମହିଂସନେ କରେ ମତି । ନିଜ ଶରୀର ସୁଖ ଚିନ୍ତି ॥୧୮୬
ଅସାଧୁ ସଙ୍ଗେ ନିତ୍ୟେ ଥାଇ । ସୁସାଧୁ ସଙ୍ଗ ନ ଇଚ୍ଛଇ ॥୧୮୭
ନିତ୍ୟେ ବିଷୟା ସଙ୍ଗ ଚିନ୍ତି । ଏ ଯେ ନ ଭଲେ ଆତ୍ମଗତି ॥୧୮୮
ଆହାର ଶୃଙ୍ଗାର ଇଚ୍ଛଇ । ନିବେଦେ ନିତ୍ୟେ ମନଦେଇ ॥୧୮୯
ତାର ବିଶ୍ୱାସେ ନିତ୍ୟେ ମଜ୍ଜେ । ଜିହ୍ୱା ଇନ୍ଦ୍ରିୟ ରସେ ମଜ୍ଜେ ॥୧୯୦
ଭଜଇ ବିଷୟ ତରଙ୍ଗ । କେବେହେଁ ନୋହେ ସାଧୁ ସଙ୍ଗ ॥୧୯୧
ଆତ୍ମାକୁ ନକରେ ବିଚାର । ଏଣୁ ଏ ଦୁଃଖ ମହାଘୋର ॥୧୯୨
ଯେ ଦେହେ ନାନା କ୍ଳେଶ ଦେଇ । କର୍ମ କରଇ ତାର ପାଇଁ ॥୧୯୩
ଯେ କର୍ମେ ବଦ୍ଧ ପ୍ରାୟ ହୋଇ । ଅଜ୍ଞାନେ ପୁଣ ଜନ୍ମ ହୋଇ ॥୧୯୪
ଶିଶୁ ଉଦର ସୁଖାତୁରେ । ଉଦ୍ୟମ କରେ ନିରନ୍ତରେ ॥୧୯୫
ଏମନ୍ତ ଅସତ ଯେ ଜନ । ତାର ସଙ୍ଗତେ କରେ ମନ ॥୧୯୬
ତାଙ୍କ ସ୍ୱକର୍ମ ଆଚରଇ । ଯେ ମାର୍ଗେ ନରକେ ପଡ଼ଇ ॥୧୯୭
ଭୋମାତ ଶୁଣ ତଦନ୍ତରେ । ପୂର୍ବେ କହିଛୁ ଯେ ପ୍ରକାରେ ॥୧୯୮
ସେ ଭାବେ ପୁଣି ନର୍କେପାଇ । ଯାତନା ଅନେକ ଭୁଞ୍ଜଇ ॥୧୯୯
ଏଣୁ ଅସତ ସଙ୍ଗ କଲେ । ବିନାଶ ହୋଇ ଅବହେଳେ ॥୨୦୦
ଅସତ ସଙ୍ଗ ସତ୍ୟ ନାଶେ । ଶଉଚ ତପ ନ ପ୍ରକାଶେ ॥୨୦୧
ମଉନ ବ୍ରତାଦି ନ ରହେ । ବୁଦ୍ଧି-ବିବେକ ହୋନ୍ତି କ୍ଷୟେ ॥୨୦୨
ଲଜ୍ଜା ଛାଡ଼ଇ କାନ୍ତି ଯଶ । କ୍ଷମାଦି ଅଯଶେ ବିନାଶ ॥ ୨୦୩
ବିନାଶ ହୋନ୍ତି ସମ ଦମ । ଐଶ୍ୱର୍ଯ୍ୟ ହୋଏ ଉପଶମ ॥୨୦୪
ଅଶାନ୍ତ ଜନେ ସଙ୍ଗ ହୋଇ । ଯେ ମୂଢ଼ ଭାବେ ନିତ୍ୟେ ରହି ॥୨୦୫
ଜ୍ଞାନ ନ ବୁଝେ ଦମ୍ଭ ପଣେ । ମିଥ୍ୟା ଭାଷଇ ଅନୁକ୍ଷଣେ ॥୨୦୬
ଯେ ଦେହେ ଆତ୍ମବୁଦ୍ଧି କରେ । ସାଧୁଜନଙ୍କୁ ନ ଆଦରେ ॥୨୦୭
ବୋଲଇ ମୋ ତହୁଁ ଅପରେ । କେ ଭାଗ୍ୟବନ୍ତ ଏ ସଂସାରେ ॥୨୦୮
ମୁଁ ଧର୍ମ ଜାଣଇ ସକଳ । ଏଣୁ ପୂଜିତ ଏ ଶୟଳ ॥୨୦୯
ମୋ ତହୁଁ ଧନବନ୍ତ କେହି । ପ୍ରତୁଲ୍ୟ ନୋହିବ ଏ ମହୀ ॥୨୧୦
ମୋ ଧନ ଉପାୟେ ମିଳଇ । ଏଣୁ ମୋହର ଭୟ ନାହିଁ ॥୨୧୧
ଏମନ୍ତେ ଯେବା ଗର୍ବ କରେ । ଦେହାନ୍ତେ ନରକେ ସଞ୍ଚରେ ॥୨୧୨
ହୁଅନ୍ତି ନାରୀଙ୍କ ଅଧୀନ । ଖେଳିବା ହରିଣ ଯେସନ ॥୨୧୩
ଏମନ୍ତ ସଙ୍ଗ ନକରିବ । ଯେବେ ସୁଭାଗ୍ୟେ ଇଚ୍ଛା ଥିବ ॥୨୧୪
ଆବର ଶୁଣସି ଗୋ ମାଏ । ଯେମନ୍ତେ ପ୍ରାଣୀ ନାଶ ପାଏ ॥୨୧୫
ଯେଣୁ ଯୁବତୀ ସଙ୍ଗେ ମନ । ପ୍ରାଣୀର ହୋଏ ନିବନ୍ଧନ ॥୨୧୬
ଏମନ୍ତ ଅନ୍ୟ ସଙ୍ଗ ନାହିଁ । ଏଣୁ ଯୁବତୀ ସଙ୍ଗୀ ନୋହି ॥୨୧୭
ତାହାଙ୍କ ସଙ୍ଗୀ ଯେତେ ଜନ । ସେ ସଙ୍ଗ ନକରିବ ମନ ॥୨୧୮
ସେ ସର୍ବେ ମୋହିତ କରନ୍ତି । ସେ ସଙ୍ଗେ ପ୍ରାଣୀ ନାଶଯାନ୍ତି ॥୨୧୯
ପୂର୍ବେ ବିଧାତା କନ୍ୟା ଚାହିଁ । ତା ରୂପ ଦେଖି ବନ୍ଦୀ ହୋଇ ॥୨୨୦
ସେ କନ୍ୟା ପିତାର ଅଜ୍ଞାନେ । ପଳାଇ ଗଲା ଘୋରବନେ ॥୨୨୧
ହରିଣୀ ରୂପ ସେ ଧଇଲା । ଛଦ୍ରମେ ବନସ୍ତେ ପଶିଲା ॥୨୨୨
ବିଧାତା ତ ଗତି ବିଚାରି । ସେହି ହରିଣ ରୂପ ଧରି ॥୨୨୩
ଲଜ୍ଜା ଛାଡ଼ିଲେ ବେଦବ୍ରହ୍ମା । ନାରୀଙ୍କ ଏମନ୍ତ ମହିମା ॥୨୨୪
ଏଣୁ କେ ତା ମୁଖୁଁ ତରିବ । ଯହିଁ ମୋହିତ ବ୍ରହ୍ମାଶିବ ॥୨୨୫
ସେ ସଙ୍ଗ ଛାଡ଼ିବ ଯତନେ । ଶ୍ରେୟକୁ ବା‚ଞ୍ଛା ଥିଲେ ମନେ ॥୨୨୬
ସେ ବ୍ରହ୍ମା ଯାହାକୁ ସର୍ଜିଲା । ତା ହେତୁ ଆପେ ମୋହଗଲା ॥୨୨୭
ସେ ସଙ୍ଗ ଯେତେ ପ୍ରାଣୀ କଲେ । ଦେବ ମାୟାରେ ମୋହଗଲେ ॥୨୨୮
ଏମନ୍ତ କେହୁ ପ୍ରାଣୀ ଅଛି । ନାରୀମାୟାରେ ନ ପଡ଼ିଛି ॥୨୨୯
ବିନାଶେ ପ୍ରଭୁ ଭଗବାନ । ନାରୀଙ୍କି ନ ଜିଣିଲେ ଆନ ॥୨୩୦
ଦେଖ ମୋ ଯୋଗମାୟା ବଳ । ଯୁବତୀ ସ୍ୱରୂପେ ପ୍ରବଳ ॥୨୩୧
ସେ ଯାକୁ ଅପାଙ୍ଗେ ଇଚ୍ଛଇ । ସେ ପ୍ରାଣୀ ପଡ଼ି ମୋହଯାଇ ॥୨୩୨
ଦିଗ ବିଜୟୀ ଯେବେ ହୋନ୍ତି । ତଥାପି ନାରୀବଶେ ଥାନ୍ତି ॥୨୩୩
ସେବନ୍ତି ନାରୀଙ୍କ ପୟର । ଏମନ୍ତ ମାୟାବଳ ମୋର ॥୨୩୪
ଯେ ମୋକ୍ଷସାଧନ ଇଚ୍ଛିବ । ସେ ନାରୀସଙ୍ଗ ନକରିବ ॥୨୩୫
ସେବିଣ ସାଧୁ ସୁଜ୍ଞଜନ । ଲଭି ଯେ ଥାଇ ଆତ୍ମଜ୍ଞାନ ॥୨୩୬
ଏମନ୍ତ ଯୋଗୀ ସେବା ହୋନ୍ତି । ତାହାଙ୍କୁ ଯୁବତୀ ନାଶନ୍ତି ॥୨୩୭
ନାରୀ ଅଜ୍ଞାନ ତମଦ୍ୱାର । ଯୋଗୀ ଛାଡ଼ିବେ ସଙ୍ଗ ତାର ॥୨୩୮
କେବଳ ମାୟାରେ ଯୁବତୀ । ନିର୍ମାଣ କଲା ପ୍ରଜାପତି ॥୨୩୯
ସେ ସେବା କରିବାର ଛଳେ । ପାଶକୁ ଆସୁଥାଇ ବଳେ ॥୨୪୦
କପଟେ ବିନୟ ବଚନ । କହି ବୋଧଇ ପ୍ରାଣୀମନ ॥୨୪୧
ବ୍ୟାଧ ଯେସନେ ଛନ୍ଦ କରି । ଜୀବ ବିନାଶେ ପାଶେ ଭରି ॥୨୪୨
ତେସନ ନାରୀଙ୍କ ବଚନ । ବିଶ୍ୱାସୀ ହରେ ପ୍ରାଣୀ ମନ ॥୨୪୩
ତୃଣଆଚ୍ଛନ୍ନ କୂପେ ଥାଇ । ପ୍ରାଣୀ ବିନାଶ ଚିତ୍ତେ ଧ୍ୟାଇ ॥୨୪୪
ନିଶି ଦିବସେ କୂପଦ୍ୱାରେ । ଜାଗ୍ରତେ ରହେ ନିରନ୍ତରେ ॥୨୪୫
ସେ ପଥେ ଯେ ପ୍ରାଣୀ ଗମନ୍ତି । ସେ କୂପେ ପଡ଼ି ନାଶଯାନ୍ତି ॥୨୪୬
ସେ କୂପ ଅତି ତମଘୋର । ଦେଖି ଭ୍ରମନ୍ତି ସୁରନର ॥୨୪୭
ତାହାର ଅନ୍ତଃ ପାର ନାହିଁ । ଗଭୀର କେ ପାରିବ କହି ॥୨୪୮
ଯହିଁ ଅଶେଷ ଉଦେ ଅସ୍ତ । ପ୍ରାଣୀ ନଜାଣେ ତାର ତ‌ତ୍ତ୍ବ ॥୨୪୯
ସେ କୂପେ ପ୍ରାଣୀ ସୁଖଭରେ । ପଡ଼ି ବୃକ୍ଷାଦି ଯେବେ ଧରେ ॥୨୫୦
ସେ ସର୍ବେ ଉପୁଡ଼ି ପଡ଼ନ୍ତି । ସେ କୂପେ ପଡ଼ି ନବର୍ତ୍ତନ୍ତି ॥୨୫୧
ବୃକ୍ଷାଦି ଉପଲକ୍ଷ୍ୟ ଯେତେ । ଧର୍ମାଦି ପୁଣ୍ୟ ଏ ସମସ୍ତେ ॥୨୫୨
ସେ କୂପ ପୁଣ୍ୟ-ବିନାଶିନୀ । ନିର୍ମିତ କଲେ ପଦ୍ମଯୋନି ॥୨୫୩
ସେ ଜ୍ଞାନମାର୍ଗ ଆଚ୍ଛାଦଇ । ଅଜ୍ଞାନୀଜନେ ସୁଖମୟୀ ॥୨୫୪
ସେ ସଙ୍ଗେ ପୁଣ୍ୟକର୍ମ କଲେ । ସକଳ ନାଶ ଯାଇ ଭଲେ ॥୨୫୫
ଏ ଘେନି କୂପ ମାର୍ଗ ଗତେ । ଜ୍ଞାନୀ ନ ଗମେ ଭୟ ଚିତ୍ତେ ॥୨୫୬
ଦୁର୍ଗମ-ଦ୍ୱାର କୂପ କହି । ତୃଣ ଆଚ୍ଛାଦି ରୂପ ଯହିଁ ॥୨୫୭
ଯେବେ ଅଗ୍ୟାନେ ଭ୍ରମେ ଜୀବ । ତା ମୃତ୍ୟୁ ପ୍ରାୟେକ ଭାବିବ ॥୨୫୮
ମୋ ମାୟା ନାରୀରୂପ ହୋଇ । ପୁରୁଷ ପ୍ରାଣ ବିନାଶଇ ॥୨୫୯
ତାହାକୁ ବୋଲେ ମୋ ଯୁବତୀ । ତା ଶିରେ ଗୃହଧର୍ମ ଦ୍ୟନ୍ତି ॥୨୬୦
ଧନ ଜୀବନ ଆଦି ଯେତେ । ସମର୍ପି ଥାଇ ସ୍ନେହ ଚିତ୍ତେ ॥୨୬୧
ଗୁରୁଜନଙ୍କୁ ମାୟା କରେ । ତାର ବିଶ୍ୱାସେ ଦିନ ହରେ ॥୨୬୨
ସେବକଜନ ପ୍ରାୟ ହୋଇ । ନିରତେ ସେବେ ସୁଖ ପାଇ ॥୨୬୩
ଏ ଜୀବ ପ୍ରାଣ ଅନ୍ତଃକାଳେ । ତା ରୂପ ଧ୍ୟାନେ ସୁନିଶ୍ଚଳେ ॥୨୬୪
ସେ ନାରୀ ସ୍ୱରୂପ ଧରଇ । ପୁରୁଷଅଙ୍ଗ ପ୍ରତେଜଇ ॥୨୬୫
ସେ ମାୟାରୂପ ହୋଏ ପତି । ଗୃହ ତନୟ ସୁତା ନାତି ॥୨୬୬
ତାହାଙ୍କ ସ୍ନେହେ ବଶ ହୋଇ । ସେ ମୃତ୍ୟୁ ବୋଲି ନ ଜାଣଇ ॥୨୬୭
ଯେସନେ ବ୍ୟାଧ ଗୀତ ଗାଇ । ମୃଗ ତା ଶୁଣି ତୋଷ ହୋଇ ॥୨୬୮
ଗୀତରେ ଦେଇଥାଇ ମନ । ନ ଜାଣେ ଆତ୍ମା ବିନାଶନ ॥୨୬୯
ଏ ଜୀବ ରୂପ କଳେବର । କର୍ମ କରଇ ନିରନ୍ତର ॥୨୭୦
ଲୋକରୁ ଅନ୍ୟ ଲୋକ ଯାଇ । ସଞ୍ଚିତ କର୍ମ ସେ ଭୁଞ୍ଜଇ ॥୨୭୧
ସେ କର୍ମବଶେ ଗତାଗତ । କର୍ମ କରଇ ଅବିରତ ॥୨୭୨
କର୍ମର ସମାପତ ନାହିଁ । ଯେଣୁ ସନ୍ତତ କରଇ ॥୨୭୩
ଯେ ସୂକ୍ଷ୍ମଲିଙ୍ଗ କଳେବର । ସେହିଟି ଉପାଧି ଜୀବର ॥୨୭୪
ସ୍ଥୂଳ ଶରୀର ଭୋଗସ୍ଥାନ । ସେ ପଞ୍ଚଭୂତେ ସୁଘଟନ ॥୨୭୫
ଏ ବେନି କଳେବର ଯେବେ । କାର୍ଯ୍ୟକୁ କ୍ଷମ ଏ ନୋହିବେ ॥୨୭୬
ଜୀବର ଏହିଟି ମରର । ଜନ୍ମଟି ଦେହ ଦରଶନ ॥୨୭୭
ଏହାକୁ ବୋଲି ମୃତ୍ୟୁ ଜନ୍ମ । ମାୟା କରିଛି ଏତେ ଭ୍ରମ ॥୨୭୮
ଏଥକୁ ଦୃଷ୍ଟାନ୍ତ କହିବା । ଜନ୍ମ ମରଣେ ବୁଝାଇବା ॥୨୭୯
ନେତ୍ର ଗୋଲକ ଯେତେବେଳେ । ବ୍ୟାଧିରେ ପୀଡ଼ିତ ଆକୁଳେ ॥୨୮୦
ଦେଖିତେ ସମର୍ଥ ନୁହଇ । ଚକ୍ଷୁ ହିଁ ଅଯୋଗ୍ୟ ହୁଅଇ ॥୨୮୧
ସ୍ଥାନ ଇନ୍ଦ୍ରିୟ ଯେବେ ଦୁଇ । ଦେଖିତେ ସମର୍ଥ ନୁହଇ ॥୨୮୨
ଏଠାରେ ଦ୍ରଷ୍ଟାରୂପ ଜୀବ । କେମନ୍ତେ ରୂପ ସେ ଦେଖିବ ॥୨୮୩
ଏହି ପ୍ରକାରେ ସ୍ଥୂଳ ଦେହେ । କର୍ମଯୋଗ୍ୟତା ଯେବେ ନୋହେ ॥୨୮୪
ତେବେ ସେ ଲିଙ୍ଗ କଳେବର । କରି ନ ପାରଇ ବ୍ୟାପାର ॥୨୮୫
ଏହିଟି ଜୀବର ମରଣ । ଏ ଜୀବ ଜନ୍ମ ମୃତ୍ୟୁ ହୀନ ॥୨୮୬
ଯେବେ ତା ଜନ୍ମ ମୃତ୍ୟୁ ନାହିଁ । ଏବେନି ଭୟ ଆଉ କାହିଁ ॥୨୮୭
ମୃତ୍ୟୁକୁ ଭୟ ନକରିବ । ଜୀଇବା ବ୍ୟାପାର ଛାଡ଼ିବ ॥୨୮୮
ସାଧୁ ସଙ୍ଗତେ ଯାର ଚିତ୍ତ । କେବେ ହେଁ ନୋହେ ବିମୋହିତ ॥୨୮୯
ଏ କଥା ପୂର୍ବପୁଣ୍ୟ ଗାଢ଼େ । ଆନନ୍ଦେ ବଢ଼ଇ ନିବିଡ଼େ ॥୨୯୦
ଯାହାର ପୂର୍ବେ ତପ ନାହିଁ । ସୁସଙ୍ଗ ସେ ପାଇବ କାହିଁ ॥୨୯୧
ଅଚେତେ ଅସାଧୁ ସଙ୍ଗମ । ମିଳେ ଅନୀତି ଭାବପ୍ରେମ ॥୨୯୨
ଯେ ସଙ୍ଗେ ଭକ୍ତିଯୋଗ ମିଳେ । ଯତ୍ନ କରିବ ସଙ୍ଗ ମେଳେ ॥୨୯୩
ଭକ୍ତି ମିଳନ୍ତେ ମୁକ୍ତି ଭାବ । ଭବଜଳଧିତଟେ ନାବ ॥୨୯୪
ସେ ନାବେ ବସ ଦୃଢ଼ କରି । ମାୟା-ଜଳଧି ଯେଣେ ତରି ॥୨୯୫
ଏମନ୍ତ ଜୀବଗତି ଜାଣି । ଛାଡ଼ିବ ସବୁ ସଙ୍ଗ ପୁଣି ॥୨୯୬
ଗୋବିନ୍ଦପାଦେ ଦେଇ ଚିତ୍ତ । ଯେ ପ୍ରାଣୀ ଥିବ ଅବିରତ ॥୨୯୭
ମାୟାବନ୍ଧନେ ନପଡ଼ିବ । ତେବେ ସେ ମୁକତି ଲଭିବ ॥୨୯୮
ବୈରାଗ୍ୟ ଯୋଗାଭ୍ୟାସ କରି । ବୁଦ୍ଧି-ବିବେକ ସୁବିଚାରି ॥୨୯୯
ମାୟା ରଚିତ ଏ ସଂସାରେ । ସ୍ନେହ ଛାଡ଼ିବ କଳେବରେ ॥୩୦୦
କେବଳ ଶରୀର ରଖିବ । ଅଧିକ ଦ୍ରବ୍ୟ ପ୍ରତ୍ୟେଜିବ ॥୩୦୧
ହରିଚରଣେ କରି ଧ୍ୟାନ । ଲଭିବ ଏହୁ ତତ୍ତ୍ବଜ୍ଞାନ ॥୩୦୨
ଏମନ୍ତ କହି ନାରାୟଣ । ବନ୍ଦିଲେ ଜନନୀ ଚରଣ ॥୩୦୩
ସେ ହରି ଚରଣ ପଙ୍କଜ । ସୁଜନ-ଜନ ନିତ୍ୟେ ଭଜ ॥୩୦୪
ତୃତୀୟ ସ୍କନ୍ଧେ ଭାଗବତ । କପିଳଯୋଗବିଧି ଖ୍ୟାତ ॥୩୦୫
ହରି କହିଲେ ଜୀବଗତି । ଶୁଣି ତରିବେ ମୂଢ଼ମତି ॥୩୦୬
ଭଣଇ ଜଗନ୍ନାଥ ଦାସ । ସାଧୁଙ୍କ ହିତେ ଏ ପ୍ରକାଶ ॥୩୦୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ ଜୀବଗତି ର୍ନାମ
ଏକତ୍ରିଂଶୋଽଧ୍ୟାୟଃ ।

ଦ୍ୱାତ୍ରିଂଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ଶୁଣ ବିଦୁର ତୋଷମନ । କପିଳରୂପେ ଭଗବାନ ॥୧
କହନ୍ତି ମାତା ମୁଖ ଚାହିଁ । ଶୁଣ ଜନନୀ ମନ ଦେଇ ॥୨

କପିଳ ଉବାଚ

ଭୋ ମାତ ଶୁଣ ସାବଧାନେ । ସଂଶୟ ତେଜି ଶୁଦ୍ଧମନେ ॥୩
ପ୍ରାଣୀ ଯାତନା ଗତି ଯେତେ । କହିଲି ତୁମ୍ଭର ଅଗ୍ରତେ ॥୪
କାମୀର କର୍ମ ଗତି ଯେତେ । ବିଧି ନିଷେଧ ବେନି ମତେ ॥୫
ଯେ ପ୍ରାଣୀ ଗୃହଧର୍ମେ ଥାଇ । ସ୍ୱଧର୍ମ ନିତ୍ୟେ ଆଚରଇ ॥୬
ତହିଁ ସୁସିଦ୍ଧ କାମ ଅର୍ଥ । ଏ ଆଶେ ଭ୍ରମୁଥାଇ ବ୍ୟର୍ଥ ॥୭
ପୁଣି ସେ ଧର୍ମ ଆଚରଇ । ସେ ଧର୍ମେ କାମ ଅର୍ଥ ପାଇ ॥୮
କାମର ମୂଢ଼ମତି ନର । କୃଷ୍ଣଭକତି କରେ ଦୂର ॥୯
ଅର୍ଥ ସଞ୍ଚଇ ଅବିରତ । ଯଜ୍ଞରେ ଦେଇଥାଇ ଚିତ୍ତ ॥୧୦
କରଇ ଯଜ୍ଞ-ଅନୁଷ୍ଠାନ । ତହିଁ ପୂଜଇ ଦେବମାନ ॥୧୧
ତଦନ୍ତେ ପିତୃ ତୋଷ ଅର୍ଥେ । ପୂଜଇ ଶ୍ରାଦ୍ଧେ ଶୁଦ୍ଧଚିତ୍ତେ ॥୧୨
ଶ୍ରଦ୍ଧାରେ ସେ ଧର୍ମ ଆଚରେ । ପିତୃ-ଦେବତା ପୂଜା କରେ ॥୧୩
ସେ ପ୍ରାଣୀ ଗମେ ଚନ୍ଦ୍ରସ୍ଥାନ । ସେଠାରେ କରେ ସୋମପାନ ॥୧୪
ଭୋଗର ଅନ୍ତ ଯେବେ ହୋଇ । ଲେଉଟି ସେ ସ୍ଥାନୁ ଆସଇ ॥୧୫
ଯେ କାଳେ ଅନନ୍ତ ଶଯ୍ୟାରେ । ବିଜୟେ ହରି ସମୁଦ୍ରରେ ॥୧୬
ସେ ଯୋଗନିଦ୍ରାରେ ଶୟନ । ସକଳ ଚେଷ୍ଟା କରି ଲୀନ ॥୧୭
ଲୟ ହୁଅନ୍ତି ଲୋକ ତିନି । ଏ ମଧ୍ୟେ ଛନ୍ତି ଯେତେ ପ୍ରାଣୀ ॥୧୮
ସେ ସର୍ବେ ତାଙ୍କ ଦେହେ ଥାନ୍ତି । ସେହରି ଉଠିଲେ ଆସନ୍ତି ॥୧୯
କାମ୍ୟ-କର୍ମରୁ ଏହି ଗତି । କେବେ ନଯାଇ ଗତାଗତି ॥୨୦
ଯେ ପ୍ରାଣୀ ପଣ୍ତିତ ହୁଅନ୍ତି । ସେ କେବେ ଧର୍ମ ନ ଛାଡ଼ନ୍ତି ॥୨୧
କରନ୍ତି ସ୍ୱଧର୍ମ ଆଚର । ସଂସର୍ଗ ତେଜି ସର୍ବଠାର ॥୨୨
ସାଧନ୍ତି ନାହିଁ ଅର୍ଥ କାମ । ଦେଖନ୍ତି ସର୍ବ ମାୟାଭ୍ରମ ॥୨୩
କର୍ମାଦି କୃଷ୍ଣେ ସମର୍ପନ୍ତି । ସେ ବେଦ-ବିଧି ନଛାଡ଼ନ୍ତି ॥୨୪
ହୁଅନ୍ତି ଶାନ୍ତଧର୍ମେ ରତ । ନିଜ ଧର୍ମରେ ଶ୍ରଦ୍ଧାଚିତ୍ତ ॥୨୫
ନିବୃତ୍ତି ଧର୍ମପରାୟଣ । ହୁଅନ୍ତି ଅହଙ୍କାରହୀନ ॥୨୬
ମାୟାରୁ ସ୍ନେହ ଦୂର କରି । କୃଷ୍ଣ-ଭଜନେ ପ୍ରି‌ୟଭରି ॥୨୭
ଏ ଧର୍ମ ସ‌ତ୍ତ୍ବ-ଗୁଣମୟେ । ବିଶୁଦ୍ଧଚିତ୍ତ ତହୁଁ ହୋଏ ॥୨୮
ଏମନ୍ତ ଯେବା ପ୍ରାଣୀ ମନ । ତାଙ୍କ ପ୍ରୟାଣ ମାତ ଶୁଣ ॥୨୯
ସେ ସୂର୍ଯ୍ୟରଶ୍ମି ଦ୍ୱାରେ ଯାନ୍ତି । ପରମ-ପୁରୁଷ ଲଭନ୍ତି ॥୩୦
ପର ଅପର ଈଶ ଯେହି । ଏ ବିଶ୍ୱ ପ୍ରକୃତିଟି ସେହି ॥୩୧
ସେ ବିଶ୍ୱମୁଖ ନାରାୟଣ । ଯେ କରେ ସର୍ଜନ ପାଳନ ॥୩୨
ଏମନ୍ତ ଯେହୁ ଭଗବାନ । ତାଙ୍କୁ ଲଭନ୍ତି ଭକ୍ତଜନ ॥୩୩
ସେ ଇଚ୍ଛେ ମୁକ୍ତି ଲଭିବାକୁ । ଭଜଇ ହିରଣ୍ୟଗର୍ଭକୁ ॥୩୪
ସେ ମୋକ୍ଷ ଗୁଣ ଶୁଣ ମାୟେ । କହିବା ତୁମ୍ଭଙ୍କୁ ଥୋକାୟେ ॥୩୫
ବେନିପରାର୍ଦ୍ଧ କାଳ ଅନ୍ତେ । ବ୍ରହ୍ମପ୍ରଳୟ ଏ ଜଗତେ ॥୩୬
ତାବତ କାଳ ବ୍ରହ୍ମଲୋକେ । ହିରଣ୍ୟଗର୍ଭର ସାଧକେ ॥୩୭
ସୁଖେଣ ବିହାର କରନ୍ତି । ବ୍ରହ୍ମାର ସଙ୍ଗେ ଲୟ ଯାନ୍ତି ॥୩୮
ଭୂଆଦି ପଞ୍ଚ ମହାଭୂତ । ଏ ଦଶ ଇନ୍ଦ୍ରିୟ ସହିତ ॥୩୯
ପଞ୍ଚ ବିଷୟ ଅହଙ୍କାରେ । ଏ ସର୍ବ ବ୍ରହ୍ମାଣ୍ତ ଆକାରେ ॥୪୦
ଏମାନ୍ତେ ରହନ୍ତି ପ୍ରଧାନେ । ପରାର୍ଦ୍ଧକାଳ ଅବସାନେ ॥୪୧
ସେସ୍ଥାନେ ଯେତେ ଯୋଗୀଥାନ୍ତି । ବ୍ରହ୍ମାଙ୍କ ଶରୀରେ ପଶନ୍ତି ॥୪୨
ଆୟୁଷଶେଷେ ପ୍ରଜାପତି । ପରମଆତ୍ମାରେ ମିଳନ୍ତି ॥୪୩
ଯେଣୁ ତାହାଙ୍କ ଅଭିମାନ । ଦେହରେ ନୋହେ ଅବସାନ ॥୪୪
ଏଣୁ ସାକ୍ଷାତେ ମୁକ୍ତି ନୋହେ । ବ୍ରହ୍ମାସଙ୍ଗତେ ହୋନ୍ତି ଲୟେ ॥୪୫
ଯେମାନେ ହରିର ଭକତ । ହରି ଭଜନ୍ତି ଅବିରତ ॥୪୬
ସେ ସର୍ବ ହରିଙ୍କୁ ଲଭନ୍ତି । ଦେହାଦିଭାବ ନ ଜାଣନ୍ତି ॥୪୭
ସମ ଦେଖନ୍ତି ସର୍ବଜୀବ । ମିତ୍ର ଅମିତ୍ର ଏକ ଭାବ ॥୪୮
ଏଣୁ ଭୋ ମାତ ହରି ଭଜ । ଭୋଗ-ବାସନା ସର୍ବ ତେଜ ॥୪୯
ଏ ସର୍ବଭୂତଙ୍କ ହୃଦରେ । ହରି ଅଛନ୍ତି ସର୍ବଠାରେ ॥୫୦
ତାହାଙ୍କ ମହିମା ସୁମରି । ମନକୁ ଯୋଗେ ଦୃଢ଼ କରି ॥୫୧
ତାହାଙ୍କୁ ଭଜିଲେ ତରିବ । ଏ ଦେହ ପୁଣି ନହୋଇବ ॥୫୨
ଯେ ଆଦ୍ୟ ଚରାଚରଙ୍କର । ଯାହାଙ୍କୁ ବୋଲି ସୁରେଶ୍ୱର ॥୫୩
କୁମାରଆଦି ସିଦ୍ଧ ଯେତେ । ଯୋଗ କରନ୍ତି ଅବିରତେ ॥୫୪
ନିଃସଙ୍ଗ କର୍ମ ହିଁ କରନ୍ତି । ତଥାପି ଭେଦ ନଛାଡ଼ନ୍ତି ॥୫୫
ଯେଣୁ କରନ୍ତି ଅଭିମାନ । ଏଣୁ ନ ପାନ୍ତି ଶୁଦ୍ଧଜ୍ଞାନ ॥୫୬
ସେମାନେ ପ୍ରଳୟ କାଳରେ । ପଶନ୍ତି ଈଶ୍ୱର ଦେହରେ ॥୫୭
ହୋଇଲେ ସୃଷ୍ଟିର ଜାଗର । ପୁଣି ଘେନନ୍ତି ଅବତାର ॥୫୮
ଲଭନ୍ତି ନିଜ ନିଜ ସ୍ଥାନ । ଭୋଗ କରନ୍ତି କର୍ମମାନ ॥୫୯
ଯେମାନେ କାମ୍ୟକର୍ମେ ରତ । କର୍ମ କରନ୍ତି ଅବିରତ ॥୬୦
ନିନ୍ଦିତ କର୍ମ ନ କରନ୍ତି । ବେଦବିଧିରେ ଆଚରନ୍ତି ॥୬୧
ଇନ୍ଦ୍ରିୟ ନ ଜିଣିଲେ ଯେଣୁ । ସକାମ କର୍ମ କଲେ ତେଣୁ ॥୬୨
ରଜଗୁଣରେ ତାଙ୍କ ମନ । ଆସକ୍ତ ଥାଇ ଅନୁକ୍ଷଣ ॥୬୩
ଗୃହକର୍ମରେ ହୋଇ ରତ । ପିତୃଙ୍କୁ ପୂଜେ ଅବିରତ ॥୬୪
ବିମୁଖ ଶ୍ରୀକୃଷ୍ଣ କଥାରେ । ରହନ୍ତି ଗୃହାଦି ବ୍ୟାପାରେ ॥୬୫
ଛାଡ଼ି ଅମୃତ କୃଷ୍ଣ କଥା । ନିତ୍ୟେ ଗୁଣନ୍ତି ଗ୍ରାମ୍ୟଗାଥା ॥୬୬
ତାଙ୍କୁ ବିଧାତା ବାମ ହେଲା । ବିଅର୍ଥେ ତାଙ୍କ ଜନ୍ମଗଲା ॥୬୭
ସକଳ ଅନର୍ଥ ଯେତେକ । ଏକତ୍ୱେ କଲା ଅବିବେକ ॥୬୮
ଯେସନେ ବିଷ୍ଠା ଭୋଜୀମାନେ । ବିଷ୍ଠା ଭକ୍ଷନ୍ତି ହତ ଜ୍ଞାନେ ॥୬୯
ଏ ମୂଢ଼ଲୋକେ ସେହି ରୂପେ । ପଡ଼ି ଯନ୍ତ୍ରିତ ଭବକୂପେ ॥୭୦
ସେ ପୁଣ କର୍ମଭୋଗ ଅନ୍ତେ । ଚଳନ୍ତି ଶୁଣ ଯେଉଁ ପଥେ ॥୭୧
ସୂର୍ଯ୍ୟଙ୍କ ଦକ୍ଷିଣ ମାର୍ଗରେ । ବସନ୍ତି ସେ ପିତୃଲୋକରେ ॥୭୨
ସେ ଭୋଗଅନ୍ତେ ଗୋ ଜନନୀ । ସଂସାରେ ପଡ଼େ ଦେହ ଘେନି ॥୭୩
ପୁତ୍ରାଦି ଗୃହେ ଜାତ ହୋଇ । ପୂର୍ବବାସନା ନଛାଡ଼ଇ ॥୭୪
ଗର୍ଭ-ଆଧାନ ଆଦି କର୍ମ । ଦେହାନ୍ତେ ଶମଶାନଧର୍ମ ॥୭୫
ଏ କର୍ମମାନ କରୁଥାନ୍ତି । ସଂସାର ଛାଡ଼ି ନପାରନ୍ତି ॥୭୬
ଗମନ୍ତି ଦେବ-ପିତୃସ୍ଥାନ । ତହିଁ କରନ୍ତି ଭୋଗମାନ ॥୭୭
ପୁଣି ଲଭନ୍ତି ନରଦେହ । ଏମନ୍ତେ କାମ୍ୟକର୍ମସ୍ନେହ ॥୭୮
ଏଣୁ ସୁସ୍ଥିରେ ତୁମ୍ଭେ ମାଏ । ମନ ନିବେଶ କୃଷ୍ଣପାୟେ ॥୭୯
ଶ୍ରବଣେ ଶୁଣ ତାଙ୍କ ଗୁଣ । କୀର୍ତ୍ତନ କର ଅନୁକ୍ଷଣ ॥୮୦
ସ୍ମରଣ ଅର୍ଚ୍ଚନ ବନ୍ଦନ । ଯେ ନବଭକ୍ତିର ବିଧାନ ॥୮୧
ପାଦ ସେବନ ଦାସ୍ୟଭାବ । ସଖ୍ୟାଦି ଆତ୍ମା ନିବେଦିବ ॥୮୨
ଏତେ ପ୍ରକାରେ କୃଷ୍ଣପାଦେ । ଭକତି କର ଅପ୍ରମାଦେ ॥୮୩
କୃଷ୍ଣରେ କଲେ ଭକ୍ତିଯୋଗ । ତହୁଁ ଲଭଇ ବଇରାଗ୍ୟ ॥୮୪
ତେବେ ଲଭିବ ଦିବ୍ୟଜ୍ଞାନ । ପାଇବ ପରଂବ୍ରହ୍ମସ୍ଥାନ ॥୮୫
ଭକ୍ତିରେ ଚିତ୍ତ ଯେତେବେଳେ । ରହଇ କୃଷ୍ଣ ସୁନିଶ୍ଚଳେ ॥୮୬
ତେବେ ସେ ବିଷୟ ଛାଡ଼ଇ । ପ୍ରିୟ ଅପ୍ରିୟ ନ ଜାଣଇ ॥୮୭
ଇନ୍ଦ୍ରିୟ ବୃତ୍ତିଭେଦ ନାହିଁ । ସମ ବିଷମ ଆର କାହିଁ ॥୮୮
ଏମନ୍ତ ଭାବ ଜନ୍ମେ ଯେବେ । ଦେହେ ଆତ୍ମାକୁ ଦେଖେ ତେବେ ॥୮୯
ପରମାନନ୍ଦ ସୁଖ ପାଇ । ଆନନ୍ଦେ ସଂସାର ଭ୍ରମଇ ॥୯୦
ଛାଡ଼ଇ ସର୍ବ ସଙ୍ଗମାନ । ପରମାନନ୍ଦେ ରହେ ମନ ॥୯୧
ସେ ବ୍ରହ୍ମ ପରମପୁମାନ । ରୂପ ବିହୀନ ଦିବ୍ୟଜ୍ଞାନ ॥୯୨
ସେ ପରମାତ୍ମା ପରମେଶ । ତା ନାମ ପରମ-ପୁରୁଷ ॥୯୩
ସେ ଏକ ନାନା ରୂପ ଧରେ । ଭ୍ରମ ଜନ୍ମାଇଛି ସଂସାରେ ॥୯୪
ଯୋଗୀଙ୍କ ଯୋଗସାଧ୍ୟ ଏହି । ଏକାନ୍ତେ ସଙ୍ଗ ଯେ ଛାଡ଼ଇ ॥୯୫
ପରମପଦ ଲଭେ ତେବେ । ତାବିନୁ ଭ୍ରମୁଥାଇ ଭବେ ॥୯୬
ବ୍ରହ୍ମ ନିର୍ଗୁଣ ନିରାକାର । କେବଳ ଜ୍ଞାନରୂପ ତାର ॥୯୭
ଶବ୍ଦାଦି ଧର୍ମ ଯାର ମାଏ । ସେ ଧର୍ମେ ପ୍ରକାଶ ସେ ହୋଏ ॥୯୮
ଆଭାସ ଦିଶଇ ଭ୍ରାନ୍ତିରେ । ଏ ବାହ୍ୟ ଇନ୍ଦ୍ରି‌ୟଙ୍କ ଦ୍ୱାରେ ॥୯୯
ପ୍ରତ୍ୟକ୍ଷେ ଦେଖୁ ଯେତେ କିଛି । ଏକା ସେ ସବୁ ହୋଇଅଛି ॥୧୦୦
କହିବା ସେ ହେତୁ ପ୍ରକାର । ଯେ ରୂପେ ବ୍ରହ୍ମାଣ୍ତ ସଞ୍ଚାର ॥୧୦୧
ପ୍ରଥମେ ମହତ ହୋଇଲା । ତହୁଁ ସେ ଅହଙ୍କାର ହେଲା ॥୧୦୨
ତ୍ରିବିଧ ହୋଏ ଅହଙ୍କାର । ଏ ପଞ୍ଚଭୂତ ରୂପ ତାର ॥୧୦୩
ମନ ଇନ୍ଦ୍ରିୟ ଏକାଦଶ । ଏଥୁଁ ବ୍ରହ୍ମାଣ୍ତ ପରକାଶ ॥୧୦୪
ଜୀବରୂପରେ ସେହି ତହିଁ । ସ୍ୱରୂପ ତାହାରଟି ଏହି ॥୧୦୫
ଯେବେ କରଇ ଯୋଗାଭ୍ୟାସ । ଶ୍ରଦ୍ଧାରେ ଭଜଇ ବିଶେଷ ॥୧୦୬
ବୈରାଗ୍ୟେ ସଙ୍ଗ ତ୍ୟାଗ କରେ । ମନ ନିବେଶି କୃଷ୍ଣଠାରେ ॥୧୦୭
ତେବେ ସେ ପ୍ରପଞ୍ଚ ଲେଛଇ । ପରମଆତ୍ମାଙ୍କୁ ଚିହ୍ନଇ ॥୧୦୮
ଭୋ ମାତ ସାବଧାନେ ଘେନ । ତୁମ୍ଭଙ୍କୁ କହିଦେଲୁ ଜ୍ଞାନ ॥୧୦୯
ଏ ଜ୍ଞାନେ ବ୍ରହ୍ମ ଦରଶନ । ଏହା ବୁଝଇ ଯେଉଁଜନ ॥୧୧୦
ପ୍ରକୃତି ପୁରୁଷଙ୍କ ତତ୍ତ୍ବ । ସେ ପ୍ରାଣୀ ଦେଖଇ ବ୍ୟଜତ ॥୧୧୧
ଜ୍ଞାନଯୋଗରେ ତାଙ୍କୁ ପାଇ । ଭକ୍ତିଯୋଗରେ ଲଭ୍ୟ ସେହି ॥୧୧୨
କେବଳ ମାର୍ଗ ମାତ୍ର ଭେଦ । ନବୁଝି ପାଏ ବହୁ ଖେଦ ॥୧୧୩
ଜ୍ଞାନରେ ନିର୍ଗୁଣ ଭଜଇ । ଭକ୍ତିରେ ସଗୁଣ ଲଭଇ ॥୧୧୪
ସେ ଆତ୍ମା ଏକ ନାନା ହୋଏ । ଦୃଷ୍ଟାନ୍ତ କହେ ଶୁଣ ମାଏ ॥୧୧୫
ଦେଖ ଶାକର କ୍ଷୀର ଆଦି । ଧରନ୍ତି ନାନା ଗୁଣ ବିଧି ॥୧୧୬
କିନ୍ତୁ ପଦାର୍ଥ ଏକ ମାଏ । ଇନ୍ଦ୍ରି‌ୟଭେଦେ ଭିନ୍ନ ହୋଏ ॥୧୧୭
ଚକ୍ଷୁରେ ଶୁକ୍ଳବର୍ଣ୍ଣ ଦିଶେ । ରସନେ ମଧୁର ବିଶେଷେ ॥୧୧୮
ତ୍ୱଚରେ ଶୀତ ଉଷ୍ଣ ଭେଦ । ନାସାରେ ସୁବାସ ଆମୋଦ ॥୧୧୯
ଭୋ ମାତ ଆତ୍ମା ବ୍ରହ୍ମ ଏକ । ଗୁଣରେ ଦିଶଇ ଅନେକ ॥୧୨୦
ଯେ ତାକୁ ଯେ ରୂପେ ଭଜଇ । ସେ ତାକୁ ସେ ରୂପେ ଦିଶଇ ॥୧୨୧
ତାକୁ ଜାଣିବ ଏକ ବୋଲି । ନବୁଝି କରୁଥାନ୍ତି କଳି ॥୧୨୨
ଶାସ୍ତ୍ରମାର୍ଗରେ ନାନା କହେ । ସେ ପୁଣି ଏକ ନାନା ନୋହେ ॥୧୨୩
ଶୁଣ ଜନନୀ ଶାସ୍ତ୍ରଭେଦ । ଯେଣେ ଛାଡ଼ିବ ସର୍ବଖେଦ ॥୧୨୪
ଯେ କ୍ରିୟାପୂର୍ତ୍ତି ଆଦି କରି । ଯେ ଯାହା କରନ୍ତି ଆଦରି ॥୧୨୫
ତହୁଁ ଯେ ହୋଏ ଭୋଗମାନ । ସେ ସବୁ ରୂପ ଭଗବାନ ॥୧୨୬
ଯାଗକର୍ମରେ ପ୍ରାପ୍ୟ ସେହି । ଦାନରେ ଅନ୍ୟ ନାହିଁ କେହି ॥୧୨୭
କେହୁ କରନ୍ତି ତପମାନ । ସେ ସବୁ ତହୁଁ ନୋହେ ଆନ ॥୧୨୮
ସେହିଟି ବେଦ-ଅଧ୍ୟୟନେ । ମୀମାଂସାଶାସ୍ତ୍ର ତାହା ଭଣେ ॥୧୨୯
ନିଷିଦ୍ଧ କର୍ମ ତ୍ୟାଗ ଯେହି । ସେ ଧର୍ମ ଜାଣିଥିବ ସେହି ॥୧୩୦
ସନ୍ନ୍ୟାସ କାହାର ବା ଧର୍ମ । ଯହିଁ ଛାଡ଼ନ୍ତି କାମ୍ୟକର୍ମ ॥୧୩୧
ବିବିଧ ଅଙ୍ଗ ଯୋଗ ସେହି । ଭକ୍ତିଯୋଗରେ ପ୍ରାପ୍ୟ ଏହି ॥୧୩୨
ଜ୍ଞାନଯୋଗ ହିଁ ତାକୁ କହି । ସେ ଏକବସ୍ତୁ ସର୍ବମୟୀ ॥୧୩୩
ସକାମ ନିଷ୍କାମ ଯେ ଧର୍ମ । ସଗୁଣରୂପ ସବୁ ବ୍ରହ୍ମ ॥୧୩୪
ଆତ୍ମତ‌ତ୍ତ୍ବ‌ରେ ଗମ୍ୟ ଏହି । ବୈରାଗ୍ୟ ଧର୍ମେ ତାକୁ ପାଇ ॥୧୩୫
ଏମନ୍ତେ ନାନା ଶାସ୍ତ୍ରମତେ । ଯେ ପ୍ରାଣୀ ଭଜଇ ଯେମନ୍ତେ ॥୧୩୬
ସଗୁଣ ନିର୍ଗୁଣଟି ସେହି । ତା ବିନୁ ଅନ୍ୟ ନାହିଁ କେହି ॥୧୩୭
ଏ ଭକ୍ତିଯୋଗ ଚାରିମତ । ସ୍ୱରୂପ କରିଲୁଁ ବ୍ୟକତ ॥୧୩୮
ଯେ କାଳ ଅନ୍ତରେ ଧାବଇ । ସୃଜନ ଆଦି ଯେ କରଇ ॥୧୩୯
କହିଲୁଁ ସ୍ୱରୂପ ତାହାର । ଭୋ ମାତ କରତୁ ବିଚାର ॥୧୪୦
ଗତି ଏ ଜୀବମାନଙ୍କର । ଅବିଦ୍ୟାକର୍ମରେ ପ୍ରଚୁର ॥୧୪୧
ଏ ଆତ୍ମା ତହିଁ ପଶିଥାଇ । ଆପଣା ଗତି ନ ବୁଝଇ ॥୧୪୨
ଏମନ୍ତେ ଜୀବ ଗତାଗତି । କହିଲୁ ଛାଡ଼ ମନୁ ଭ୍ରାନ୍ତି ॥୧୪୩
ଏ ଯୋଗ ନ କରି ପ୍ରକାଶ । କହିଲେ ଧର୍ମ ହୋଏ ନାଶ ॥୧୪୪
କେବେହେଁ ଖଳେ ନ କହିବ । ବିନୟ ଯେ ପ୍ରାଣୀ ନୋହିବ ॥୧୪୫
ନ କହି ଦୁର୍ଜନ ଅଗ୍ରତେ । ଅପରେ ଧର୍ମଧ୍ୱଜୀ ଯେତେ ॥୧୪୬
ଦାମ୍ଭିକ ଅଗ୍ରତେ ନ କହି । ପ୍ରଲୋଭୀ ପ୍ରାଣୀ ଅଟେ ଯେହି ॥୧୪୭
ଯେ ଗୃହଧର୍ମେ ହୋଇ ରତ । ତାରେ ନ କହି କଦାଚିତ ॥୧୪୮
ନ ସହେ ଯେ ଭକତଜନେ । ନ କହ ଭକ୍ତିହୀନ ଜନେ ॥୧୪୯
ଏମନ୍ତ ଲୋକେ ନ କହିବ । ଗର୍ବିତ ଭାବ ଯାର ଥିବ ॥୧୫୦
ମୋ ଭକ୍ତିହୀନେ ନ କହିବ । ମୋ ଭକ୍ତେ ଦ୍ୱେଷ ଯାର ଥିବ ॥୧୫୧
ଯାହାର ଶ୍ରଦ୍ଧା ଏଥି ଥିବ । ତାହାକୁ ଏ ମାର୍ଗ କହିବ ॥୧୫୨
ଭକତଜନେ ଏହା କହି । ଯେ ଭକ୍ତଜନରେ ସେବଇ ॥୧୫୩
ଯେ ପ୍ରାଣୀ ଏଥେ ସ୍ପୃହା କରେ । ଏ ଧର୍ମ କହିବ ତାହାରେ ॥୧୫୪
ଯେ ପ୍ରାଣୀ ସର୍ବଭୂତେ ମିତ୍ର । ତାହାକୁ କହି ଏ ଚରିତ ॥୧୫୫
ଯେ ପ୍ରାଣୀ ଗୁରୁଙ୍କୁ ସେବଇ । ଏ ଦୀକ୍ଷା ତାରେ ଶିକ୍ଷା ଦେଇ ॥୧୫୬
ବିଷୟେ ବୈରାଗ୍ୟ ଯାହାର । ଯେ ପ୍ରାଣୀ ଶାନ୍ତଚିତ୍ତ ଧୀର ॥୧୫୭
ଯେ ପ୍ରାଣୀ ହୋଏ ନିର୍ମ›ତ୍ସର । ବିନୀତ ଶୁଚି ନିରନ୍ତର ॥୧୫୮
ପ୍ରି‌ୟମାନଙ୍କ ଅତିପ୍ରି‌ୟ । କରଇ ମୋରଠାରେ ସ୍ନେହ ॥୧୫୯
ଏମନ୍ତ ପ୍ରାଣୀଙ୍କି କହିବ । ଅଧର୍ମଠାରେ ଲୁଚାଇବ ॥୧୬୦
ଶ୍ରଦ୍ଧାରେ ଯେ ଏହା ଶୁଣନ୍ତି । ଅଥବା ଆଦରେ ଭଣନ୍ତି ॥୧୬୧
ମୋହର ପଦବୀ ସେ ପାଏ । ସତ୍ୟ କହିଲୁ ଏହା ମାଏ ॥୧୬୨
ତୃତୀୟସ୍କନ୍ଧେ ଭାଗବତ । କପିଳମୁନି ଯୋଗ ଖ୍ୟାତ ॥୧୬୩
ମାତାଙ୍କୁ ଦେଲେ ଜ୍ଞାନବାଣୀ । ସୁଜନେ ତର ଏହା ଶୁଣି ॥୧୬୪
କର୍ମବିପାକ ପ୍ରାଣୀଙ୍କର । ଦ୍ୱାତ୍ରିଂ‌ଶ ଅଧ୍ୟାୟ ସଞ୍ଚାର ॥୧୬୫
ଶ୍ରବଣ କର ସାଧୁଜନେ । ବ୍ରାହ୍ମଣ ଜଗନ୍ନାଥ ଭଣେ ॥୧୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟେ ଦ୍ୱାତ୍ରିଂ‌ଶୋଽଧ୍ୟାୟଃ ।

ତ୍ରୟତ୍ରିଂ‌ଶ ଅଧ୍ୟାୟ

[ସମ୍ପାଦନା]
ମୈତ୍ରେୟ ଉବାଚ

ବୋଲନ୍ତି ମୈତ୍ରେୟ ବ୍ରାହ୍ମଣ । ବିଦୁର ସାବଧାନେ ଶୁଣ ॥୧
କŸର୍ଦ୍ଦମ-ପତ୍ନୀ ଦେବହୂତି । ସ୍ୱଭାବେ ମନୁର ଦୁହିତୀ ॥୨
କପିଳ ବଚନ ଶୁଣିଲେ । ମୋହପଟଳ ପ୍ରତେଜିଲେ ॥୩
ତ‌ତ୍ତ୍ବବିଷୟ ସଂଖ୍ୟଜ୍ଞାନ । କହିଲେ ଯେଣୁ ଭଗବାନ ॥୪
ତାହାଙ୍କୁ କଲେ ପ୍ରଣିପାତ । ବିନୟ ଯୋଡ଼ି ବେନିହସ୍ତ ॥୫
ଚାହିଁଣ କପିଳ-ବଦନ । ଆନନ୍ଦେ କରନ୍ତି ସ୍ତବନ ॥୬

ଦେବହୂତି ଉବାଚ

ତୁ ନାଥ ଲୀଳା-ଅବସାନେ । କାଳକୁ ନିବେଶି ନୟନେ ॥୭
ଶୟନ ସଲିଳ ଭିତରେ । ସର୍ପଙ୍କ ବିରାଟ-ଶରୀରେ ॥୮
ଭୂତ ଇନ୍ଦ୍ରିୟ ମନୋମୟ । ଯହିଁରେ ଗୁଣଙ୍କ ପ୍ରବାହ ॥୯
ଅଶେଷ କାରଣ-କରଣ । ତୋ କଳେବର ନାରାୟଣ ॥୧୦
ଜଠର-ପଦ୍ମରୁ ଯାହାର । ଜାତ ହୋଇଲା ବେଦବର ॥୧୧
ତୋ ରୂପ ଦେଖିବା ନିମନ୍ତେ । ସେ ଅଜ ବିଚାରିଲା ଚିତ୍ତେ ॥୧୨
ଅନେକ ବ୍ୟାପାର ସେ କଲା । କେବେହେଁ ଦେଖି ନପାରିଲା ॥୧୩
କେବଳ ଧ୍ୟାନେ ସେ ଦେଖିଲା । ଏ ବିଶ୍ୱସୃଷ୍ଟି ତହୁଁ କଲା ॥୧୪
ତୁ ପ୍ରଭୁ ବହୁରୂପ ଧରି । ନିଜ ଶକ୍ତିରେ ମାୟା କରି ॥୧୫
କଲୁ ଏ ବିଶ୍ୱ ସରଜନ । ସ୍ୱଭାବେ ତୁ ଯେ କର୍ମ ଭିନ୍ନ ॥୧୬
ସତ୍ୟ-ସଂକଳ୍ପ ତୁମ୍ଭେ ହରି । ଜୀବଙ୍କ ଭୋଗ ଅନୁସରି ॥୧୭
ସୃଷ୍ଟ୍ୟାଦି କରିଛ ବିଧାନ । ଏ ତୁମ୍ଭ ମାୟାର ଭିଆଣ ॥୧୮
ଅନନ୍ତଶକ୍ତି ଏ ତୁମ୍ଭର । ତୋ ମାୟା କେ କରୁ ଗୋଚର ॥୧୯
ପ୍ରଳୟକାଳେ ତୁମ୍ଭେ ହରି । ଏ ବିଶ୍ୱ ଉଦରେ ସଂହରି ॥୨୦
ଶୟନ ବଟପତ୍ରେ ତୋର । ବାଳମୁକୁନ୍ଦ ରୂପଧର ॥୨୧
ଚରଣ ଅଙ୍ଗୁଳି ବଦନେ । ଭରି ଶୟନ ଶିଶୁ ଯେହ୍ନେ ॥୨୨
ଏ ବିଶ୍ୱ ଯାହାର ଉଦରେ । ମୁଁ ତାକୁ କେମନ୍ତେ ଜଠରେ ॥୨୩
ଧଇଲି ବୁଝି ନପାରଇ । କେବଳ ତୋ ମାୟା ଗୋସାଇଁ ॥୨୪
ତୁ ଦୁଷ୍ଟ ନିବାରିବା ପାଇଁ । ସାଧୁ ରକ୍ଷଣେ ତୋର ଦେହୀ ॥୨୫
ଏଣୁ ତୁମ୍ଭର କଳେବର । ଅନ୍ୟଥା କିକାର୍ଯ୍ୟ ତୋହର ॥୨୬
ତୁମ୍ଭେ କୋଳାଦି ରୂପଧରି । ଧର୍ମ ସ୍ଥାପିଲ ଦୁଷ୍ଟ ମାରି ॥୨୭
ଏ ତ‌ତ୍ତ୍ବଜ୍ଞାନ ଦେବା ପାଇଁ । ଏ ରୂପ ଧଇଲ ଗୋସାଇଁ ॥୨୮
ଏଣୁ କୃତାର୍ଥ ମୋତେ କଲ । ପୁତ୍ର ସ୍ୱରୂପେ ପ୍ରକାଶିଲ ॥୨୯
ଯା ନାମ କରିଣ ଶ୍ରବଣ । ଅଥବା କରି ସଂକୀର୍ତ୍ତନ ॥୩୦
ଯା ପାଦେ କରି ନମସ୍କାର । ସ୍ମରଣ କରି ନାମ ଯାର ॥୩୧
ଚଣ୍ତାଳ ସୋମଯୋଗ୍ୟ ହୋଏ । ଜାତି ବିଚାର ଭ୍ରାନ୍ତି ନୋହେ ॥୩୨
ଯେ ପ୍ରାଣୀ ନୟନେ ଦେଖିଲା । ସେ କିବା କୃତାର୍ଥ ନୋହିଲା ॥୩୩
ଏଣୁ ମୁଁ ସୁଗତି ଲଭିଲି । ନୟନେ ତୋ ରୂପ ଦେଖିଲି ॥୩୪
ମୋ ଭାଗ୍ୟ କେ କରୁ ପ୍ରମାଣ । ମୋତେ ଗୋଚର କାହିଁ ପୁଣ ॥୩୫
ଚଣ୍ତାଳ ଏଣୁ ଶ୍ରେଷ୍ଠ ହେଲା । ଜିହ୍ୱାରେ ତୋନାମ ଧଇଲା ॥୩୬
ଯେଣୁ ତୋ ନାମ ଉଚ୍ଚାରିଲା । ସକଳ ତପ ସେହୁ କଲା ॥୩୭
ହୋମାଦି କଲା ବେଦମନ୍ତ୍ରେ । ସ୍ନାନ ସେ କଲା ନାନା ତୀର୍ଥେ ॥୩୮
ଅପରେ ନାହିଁ ସଦାଚାର । ତୋନାମ ଜିହ୍ୱାରେ ଯାହାର ॥୩୯
ସମଗ୍ର ବେଦ ସେ ପଢ଼ିଲା । ଯେ ତୁମ୍ଭ ନାମ ଉଚ୍ଚାରିଲା ॥୪୦
ତୁମ୍ଭେ ଯେ ପୁରୁଷ ପୁରାଣ । ସକଳ-ଜଗତ ନିଦାନ ॥୪୧
ତୁମ୍ଭଙ୍କୁ ନିଶ୍ଚଳ ମନରେ । ଯୋଗୀ ଭାବନ୍ତି ନିରନ୍ତରେ ॥୪୨
ଗୁଣମାନଙ୍କୁ ନିଜ ତେଜେ । ବିନାଶ କରିଛ ସହଜେ ॥୪୩
ତୁ ବ୍ରହ୍ମ ପରମ-ପୁରୁଷ । ଯୋଗୀଙ୍କ ମନେ ତୁ ପ୍ରକାଶ ॥୪୪
ତୁମ୍ଭେ କପିଳ ବେଦଗର୍ଭ । ତୁ ବିଷ୍ଣୁ ବ୍ୟାପିଅଛୁ ସର୍ବ ॥୪୫
ବନ୍ଦଇ ତୁମ୍ଭର ଚରଣ । ତୋ ବିନୁ ନ ଜାଣଇ ଆନ ॥୪୬

ମୈତ୍ରେୟ ଉବାଚ

ବୋଲନ୍ତି ମୈତ୍ରେୟ ଗୋସାଇଁ । ଶୁଣ ବିଦୁର ମନଦେଇ ॥୪୭
ଏମନ୍ତେ ଦିବ୍ୟସ୍ତୁତି କରି । ଆନନ୍ଦ ମନେ ମୋଦଭରି ॥୪୮
ଶୁଣ ହେ ବିଦୁର ତଦନ୍ତେ । ଜନନୀ ସ୍ତବନ କରନ୍ତେ ॥୪୯
ଯେ ଯେ କପିଳ ଭଗବାନ । ସାକ୍ଷାତେ ପରମ ପୁମାନ ॥୫୦
ଗଭୀର ବଚନେ ସଧୀରେ । କହିଲେ ଜନନୀ ଛାମୁରେ ॥୫୧

କପିଳ ଉବାଚ

ଭୋ ମାତ ଘେନ ମୋ ବଚନ । ମୋହର ବାକ୍ୟେ ଦିଅ ମନ ॥୫୨
ଯେ ମାର୍ଗ ଭଜନ ପ୍ରକାର । କହିଲୁ ଅଗ୍ରତେ ତୁମ୍ଭର ॥୫୩
ଯେବେ ଏ ମାର୍ଗେ ତୁମ୍ଭେ ଯିବ । ଏକାନ୍ତେ କୃଷ୍ଣଙ୍କୁ ଲଭିବ ॥୫୪
ଅଚିରେ ଲଭିବ ମୁକତି । ପାଇଣ ନିଶ୍ଚଳ ଭକତି ॥୫୫
ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କର । ଲଭିବ ଗୋବିନ୍ଦ-ପୟର ॥୫୬
ଏମନ୍ତେ ବ୍ରହ୍ମବାଦୀମାନେ । ମୋତେ ଲଭନ୍ତି ସାବଧାନେ ॥୫୭
ଯହିଁରେ ମୃ‌ତ୍ୟୁ‌ଭୟ ନାହିଁ । ଶୁଣ ଜନନୀ ମନ ଦେଇ ॥୫୮
ତୁମ୍ଭେ ପାଇବ ସେହିମତେ । ଏଣୁ କହିଲି ତୁମ୍ଭ ହିତେ ॥୫୯
ଏମନ୍ତ ଯେହୁ ନ ଜାଣନ୍ତି । ସେ ପ୍ରାଣୀ ମୋତେ ନଭଜନ୍ତି ॥୬୦

ମୈତ୍ରେୟ ଉବାଚ

ଏମନ୍ତ ଭାବେ ଆତ୍ମାଗତି । ଦେଖାଇ ଦେଲେ ରମାପତି ॥୬୧
ମାତାଙ୍କ ଅନୁମତି ନେଲେ । ତପ ସାଧନେ ବନେ ଗଲେ ॥୬୨
ବ୍ରହ୍ମବାଦିନୀ ଦେବହୂତି । ଯୋଗମାର୍ଗରେ ଦେଲେ ମତି ॥୬୩
ଆଶ୍ରମ ସରସ୍ୱତୀତୀରେ । ଯୋଗ ସାଧିଲେ ସେ ନିଶ୍ଚଳେ ॥୬୪
ରହିଲେ ପୁତ୍ରବାକ୍ୟ ଘେନି । ସେ ସ୍ଥାନେ କŸର୍ଦ୍ଦମ-ଘରଣୀ ॥୬୫
ସେ କାଳତ୍ରୟେ ସ୍ନାନ କରି । ବିହିତ ସକଳ ଆଚରି ॥୬୬
କୁଟିଳ-ଅଳକ ସକଳ । ସେ ହେଲା କପିଳ ଜଟିଳ ॥୬୭
କୃଶିତ ଲାବଣ୍ୟ ଶରୀର । ପିନ୍ଧନ୍ତି ବକଳ ଅମ୍ବର ॥୬୮
ଏମନ୍ତେ ତପସ୍ୱିନୀ ବେଶେ । ସେ ଦେବହୂତି ରହେତୋଷେ ॥୬୯
ରେଚକ କୁମ୍ଭକ ପୂରକେ । ଉଗ୍ର ତପସ୍ୟା ଅତିରେକେ ॥୭୦
ଗୃହ ସମ୍ପଦ ଦୂର କରି । ତପସ୍ୱୀ ବେଶେ ବନଚାରୀ ॥୭୧
କŸର୍ଦ୍ଦମ ଅଚଳ ବିଭୂତି । ଚିତ୍ତୁ ତ୍ୟାଗିଲା ଦେବହୂତି ॥୭୨
ତା ଛାଡ଼ି ଚିତ୍ତ ବଇରାଗେ । ଭଜନମାର୍ଗେ ଅନୁରାଗେ ॥୭୩
ପୂର୍ବେ କŸର୍ଦ୍ଦମ ପ୍ରଜାପତି । ସମ୍ପାଦି ଥିଲେ ଯେ ସମ୍ପତ୍ତି ॥୭୪
ଗୃହସ୍ଥଧର୍ମ କରିଥିଲେ । ଉପମା ନାହିଁ ଭୂମଣ୍ତଳେ ॥୭୫
ସୁଦିବ୍ୟ-ବିମାନେ ବିହରି । ଉପମା ନାହିଁ ତିନିପୁରି ॥୭୬
ଯହିଁ କଳ୍ପିତ ବସ୍ତୁ ଯେତେ । ଅଶେଷ ରତ୍ନେ ସୁନିର୍ମିତେ ॥୭୭
ମନ୍ଦିରେ ସ୍ଫଟିକର କାନ୍ଥ । ଭୂମି ରଚିତ ମରକତ ॥୭୮
ରତ୍ନେ ଜଳନ୍ତି ଦୀପ ପ୍ରାୟେ । ଶୋଭନେ ଯୋଗୀମନ ମୋହେ ॥୭୯
ଲଳନା-କୁଳ-ଶିରୋମଣି । ସେ ଦିବ୍ୟପୁରେ ନିବାସିନୀ ॥୮୦
ଭୁବନ ବେଢ଼ି ଉପବନ । ତହିଁ କୁସୁମ ଦ୍ରୁମମାନ ॥୮୧
ସକଳଋତୁ ପୁଷ୍ପଫଳ । ମଣି ନିର୍ମିତ ସ୍ତମ୍ଭକୁଳ ॥୮୨
ଦେବଙ୍କ ଦିବ୍ୟଭୋଗ ଯହିଁ । ସର୍ବଦା କାଳ ସୁଖମୟୀ ॥୮୩
ବିଚିତ୍ର ଚିତ୍ର ହେମମୟେ । ଚିତ୍ର-ପତାକା-ଧ୍ୱଜ ଶୋହେ ॥୮୪
ସୁଗନ୍ଧପୁଷ୍ପ ମାଳେମାଳେ । ଯେ ରଥେ ଲମ୍ବେ ସୁଗହଳେ ॥୮୫
ଗଭୀର ଭୃଙ୍ଗନାଦ ଶୋହେ । ପାଟବସନ ମନ ମୋହେ ॥୮୬
ଉପରେ ନୀଳ ରତ୍ନମଣି । ବିରାଜେ ରବିତେଜ ଜିଣି ॥୮୭
ସେ ରଥେ ସୁବର୍ଣ୍ଣ ପଲଙ୍କ । ବିଚିତ୍ର ରଜ ପୁଣ୍ତରୀକ ॥୮୮
ତା ଶଯ୍ୟା ଦୁଗ୍‌ଧ-ଫେନ-ନିଭ । ଦେଖି ଦେବଙ୍କ ହୋଏ ଲାଭ ॥୮୯
ବିଶ୍ୱକର୍ମାର ଶିଳ୍ପୀପଣ । ଯେ ରଥେ ହୋଇଛି ଘଟଣ ॥୯୦
ମହାମର୍କତସ୍ଥଳୀ ଯହିଁ । ବିଦ୍ରୁମବେଦୀ ବିରାଜଇ ॥୯୧
ଯେ ଦ୍ୱାରେ ବିକ୍ରୁମ-ଦେହଳୀ । ହୀରା କବାଟ ଯହିଁ କିଳି ॥୯୨
ବାମ ଦକ୍ଷିଣେ ପୂର୍ଣ୍ଣକୁମ୍ଭ । ବିରାଜେ ଇନ୍ଦ୍ରନୀଳସ୍ତମ୍ଭ ॥୯୩
ଜଳନ୍ତି ପଦ୍ମରାଗ ଦୀପେ । ବିଚିତ୍ର ଶିଖେ ଚନ୍ଦ୍ରତପେ ॥୯୪
ମୌକ୍ତିକ ହେମମାଳା ଲମ୍ବେ । ପାଟଦୋଳିକା ରତ୍ନ‌ସ୍ତମ୍ଭେ ॥୯୫
ଶ୍ୱେତହଂସକ ପାରାବତ । ନାଦ କରନ୍ତି ଉନମତ୍ତ ॥୯୬
ବିମାନଶିଖେ ଜଳାରନ୍ଧ୍ରେ । ଧୂମ ନିର୍ଗତ ଧୂପ ଗନ୍ଧେ ॥୯୭
ବିହାର ସ୍ଥାନ ସୁମଣ୍ତନ । ସୁବର୍ଣ୍ଣ ନିର୍ମିତ ପ୍ରାଙ୍ଗଣ ॥୯୮
ନାନା ବିଶ୍ରାମ ସ୍ଥାନ ଶୋହେ । ଦେଖି ଯୋଗୀଙ୍କ ମନ ମୋହେ ॥୯୯
ବିମାନେ ଯେବେ ବିହରନ୍ତି । ସେ ସୁଖ ସେମାନେ ବା‚ଞ୍ଛନ୍ତି ॥୧୦୦
ନାନା ବିଚିତ୍ର କର୍ମମୟେ । ଦିବ୍ୟପୁରରେ ଶୋଭା ପାଏ ॥୧୦୧
ଶୋହେ ସୁବର୍ଣ୍ଣ ପୀଢ଼ମାନ । ସରସ ସୁଖ ଉପାଧାନ ॥୧୦୨
ଭୁବନ ବେଢ଼ିଣ ଉଦ୍ୟାନ । ଯହିଁ ଅମର ଦ୍ରୁମମାନ ॥୧୦୩
ଫଳପୁଷ୍ପରେ ପରିପୂର୍ଣ୍ଣ । ତହିଁ ଲମ୍ବିତ ଲତାମାନ ॥୧୦୪
ବିହଙ୍ଗ-ମିଥୁନେ କ୍ରୀଡ଼ନ୍ତି । ମତ୍ତ-ମଧୁପେ ଗୁଞ୍ଜରନ୍ତି ॥୧୦୫
ବିବୁଧ-ଅନୁଚରମାନେ । ବିହରୁଥାନ୍ତି ଉପବନେ ॥୧୦୬
ସେ ଦେବହୂତି ଯଶ-କୀର୍ତ୍ତି । ସୁସ୍ୱରେ ଗୀତ ସେ ଗାବନ୍ତି ॥୧୦୭
ଦିବ୍ୟ ବିଚିତ୍ର ବାପୀମାନ । କମଳ ଗନ୍ଧେ ସୁବାସନ ॥୧୦୮
କŸର୍ଦ୍ଦମ ତହିଁ ବିହରନ୍ତି । ସଙ୍ଗେ ସୁନ୍ଦରୀ ଦେବହୂତି ॥୧୦୯
ଏମନ୍ତ ରମ୍ୟ ସୁଖ ସ୍ଥାନ । ବା‚ଞ୍ଛନ୍ତି ଇନ୍ଦ୍ର ପତ୍ନୀମାନ ॥୧୧୦
ସେ ପୁର ତେଜି ଦେବହୂତି । ଯୋଗସାଧନେ କଲେ ମତି ॥୧୧୧
ପ୍ରତେଜି ସ୍ୱାମୀ ପୁତ୍ର ଗଲେ । ତେଣୁ ବିରହେ ନିମଜ୍ଜିଲେ ॥୧୧୨
ଶୋକରେ ବିଷର୍ଣ୍ଣ-ବଦନ । ତଥାପି ଯୋଗେ ଦୃଢ଼ମନ ॥୧୧୩
ପତି-ବିଚ୍ଛେଦ ଦୁଃଖାକୁଳେ । ପୁତ୍ର ସୁସଙ୍ଗେ ସୁଖେ ଥିଲେ ॥୧୧୪
ସେ ପୁତ୍ର ତେଜି ଗଲେ ବନ । ଏଣୁ ବିଚ୍ଛେଦେ ଦୁଃଖ ମନ ॥୧୧୫
ବ›ତ୍ସା ବିୟୋଗେ ଯେହ୍ନେ ଗାଈ । ଯେମନ୍ତେ ବ୍ୟାକୁଳେ ରୋଦଇ ॥୧୧୬
ସେ ରୂପେ ଆକୁଳ ହୋଇଲେ । ହା ପୁତ୍ର ବୋଲି ମୋହଗଲେ ॥୧୧୭
ଜନ୍ମିଲା ହୃଦେ ତ‌ତ୍ତ୍ବଜ୍ଞାନ । ତଥାପି ଶୋକ ବିଦ୍ୟମାନ ॥୧୧୮
ପୁତ୍ରର ଗୁଣ ଅନୁକ୍ଷଣେ । ସ୍ମରଣ କରନ୍ତି ରୋଦନେ ॥୧୧୯
ଦୁଃଖେ ତୃଷିତ ତଷାନନ । ଦେ ଦେହହୂତି ପ୍ରତିଦିନ ॥୧୨୦
ଧ୍ୟାନେ ନିରୋପି କପିଳଙ୍କୁ । ସନ୍ତତି ଡାକନ୍ତି ତାହାଙ୍କୁ ॥୧୨୧
ସ୍ନେହ ଛାଡ଼ିଲା ଧନାଗାରେ । ଚିତ୍ତ ରହିଲା ପୁତ୍ରଠାରେ ॥୧୨୨
ମନକୁ କ୍ରମେ ସ୍ଥିର କଲେ । ନିଶ୍ଚଳେ ସୁଦୃଢ଼େ ବସିଲେ ॥୧୨୩
ଯେ ଜ୍ଞାନ ପୁତ୍ର କହିଥିଲେ । ସେ ରୂପେ ନିତ୍ୟେ ଧ୍ୟାନ କଲେ ॥୧୨୪
ବିଶୁଦ୍ଧ ହୋଇଅଛି ମନ । ତେଣୁ ନିଶ୍ଚଳରୂପେ ଧ୍ୟାନ ॥୧୨୫
ଭକ୍ତିଯୋଗରେ ଦୃଢ଼ ହେଲେ । ଶାସ୍ତ୍ରବିଧିରେ ଆରାଧିଲେ ॥୧୨୬
ବୈରାଗ୍ୟଭାବେ ତ‌ତ୍ତ୍ବଜ୍ଞାନ । ତେଣୁ ଭାବନ୍ତି ଭଗବାନ ॥୧୨୭
ଆତ୍ମାକୁ ମାନସେ ଦେଖିଲେ । ତା ବିନୁ ଆନ ନ ଭାବିଲେ ॥୧୨୮
ଯେ ଆତ୍ମା ହୋଏ ବିଶ୍ୱମୁଖ । ବିନାଶି ମାୟାଗୁଣ ଦୁଃଖ ॥୧୨୯
ଏ ଜୀବ ଆଶ୍ରୟଯେ ବ୍ରହ୍ମ । ତହିଁ ରଖିଲେ ମତି ଧ୍ୟାନ ॥୧୩୦
ତାହାଙ୍କ ଗଲା ଜୀବଭାବ । ହୋଇଲା ଆତ୍ମତ‌ତ୍ତ୍ବ ଲାଭ ॥୧୩୧
ସଂସାର-କ୍ଳେଶ ନିବର୍ତ୍ତିଲା । ତା ଗୁଣଭ୍ରମ ଦୂରେ ଗଲା ॥୧୩୨
ଆପଣା ଦେହ ପାଶୋରିଲେ । ସେ ବ୍ରହ୍ମସ୍ୱରୂପେ ରହିଲେ ॥୧୩୩
ଯେସନେ ସ୍ୱପ୍ନ ଦେଖୁଥାଇ । ନିଦ୍ରା ପ୍ରବୋଧେ ନ ଦିଶଇ ॥୧୩୪
ସେ ରୂପେ ଦେହ ପାଶୋରିଲେ । କେବଳ ବ୍ରହ୍ମକୁ ଲଭିଲେ ॥୧୩୫
ସେ ଦେବହୂତି ଦପ-କ୍ଳେଶେ । ଶରୀର ମଳିନ ପ୍ରକାଶେ ॥୧୩୬
ଅମର-ଯୁବତୀ-ସକଳେ । ଯେ ଅଙ୍ଗ ସମ୍ମାର୍ଜୁଣ ଥିଲେ ॥୧୩୭
ସେ ଦେହ ମଳିନ ଦିଶିଲା । ତହିଁ ତା ଆଦର ନୋହିଲା ॥୧୩୮
ଯେଣୁ ତା ମନୁ ତାପ ଗଲା । ଏଣୁ ସେ ଅକୃଶ ହୋଇଲା ॥୧୩୯
ସଧୂମ-ପାବକର ପ୍ରାୟେ । ତେବେ ହେଁ ଅଙ୍ଗ ଶୋଭାପାଏ ॥୧୪୦
ମନ ନିବେଶି କୃଷ୍ଣଭାବେ । ବସି ରହିଲେ ଶାନ୍ତିଲାଭେ ॥୧୪୧
ଦେହ ହୋଇଲା ଯୋଗେ ଲୟ । ଆବର କାହିଁ ଲଜ୍ଜା ଭୟ ॥୧୪୨
ସୁକେଶ ବନ୍ଧନ ଫିଟିଲା । ଅଙ୍ଗେ ବସନ ନ ରହିଲା ॥୧୪୩
ପ୍ରାର୍‌ବଧ କର୍ମ ଭୋଗ ଯାଏ । ଏ ଦେହବନ୍ଧ ମାତ୍ର ଥାଏ ॥୧୪୪
ଏଣୁ ସେ ଦେହ ମାତ୍ର ଅଛି । ତା ପାଇଁ ନ ସ୍ମରଇ କିଛି ॥୧୪୫
ଶୁଣ ହେ ବିଦୁର ତଦନ୍ତେ । ସେ ଦେବୀ ଯୋଗରେ ରହନ୍ତେ ॥୧୪୬
ଲଭିଲେ ସେ ବ୍ରହ୍ମ-ନିର୍ବାଣ । ଯେସନେ ଜଳେ ଜଳ ଲୀନ ॥୧୪୭
ଶୁଣ ବିଦୁର ଯେଉଁସ୍ଥଳେ । ସେ ଦେବୀ ସୁସିଦ୍ଧି ଲଭିଲେ ॥୧୪୮
ସେ ସ୍ଥଳ ପୁଣ୍ୟକ୍ଷେତ୍ର ହେଲା । ଭୁବନେ ବିଦିତ ହୋଇଲା ॥୧୪୯
ତା ନାମ ସିଦ୍ଧପଦ କହି । ସିଦ୍ଧେ ସୁସିଦ୍ଧ ଯହିଁ ହୋଇ ॥୧୫୦
ସେ ଦେବହୂତି କଳେବର । ଯୋଗେ ସୁସିଦ୍ଧ ପୁଣ୍ୟତର ॥୧୫୧
କୃଷ୍ଣ ଭାବନା ଧ୍ୟାନ ନିତ୍ୟେ । ଆନନ୍ଦ ଭକ୍ତି ଯୋଗ ଯୁତେ ॥୧୫୨
ସେ ଧ୍ୟାନେ ଶରୀର ମିଳାଇ । ନଦୀ ସ୍ୱରୂପେ ଗଲେ ବହି ॥୧୫୩
ନଦୀଙ୍କ ଶ୍ରେଷ୍ଠ ସେ ହୋଇଲା । ସୁପୁଣ୍ୟ ତୀର୍ଥ ବୋଲାଇଲା ॥୧୫୪
ଯାହାଙ୍କୁ ସେବି ସିଦ୍ଧମାନେ । ସିଦ୍ଧି ଲଭନ୍ତି ସେହୁ ସ୍ଥାନେ ॥୧୫୫
ନାମ ତା ସିଦ୍ଧିକା ହୋଇଲା । ସ୍ପରଶେ ପାପ ବିନାଶିଲା ॥୧୫୬
ସେ ଯେ କପିଳ ମହାଯୋଗୀ । ବିଷୟେ ହୋଇ ବଇରାଗୀ ॥୧୫୭
ମାତାଙ୍କ ସ୍ନେହ ତ୍ୟାଗି ଗଲେ । ଐଶାନ୍ୟ-ଦିଗେ ପ୍ରବେଶିଲେ ॥୧୫୮
ସମୁଦ୍ର-ତୀରେ ଘୋରବନେ । ବସେ ନିର୍ମଳ ଯୋଗ ଧ୍ୟାନେ ॥୧୫୯
ସମୁଦ୍ର ତାହାଙ୍କୁ ଦେଖିଲେ । ଆନନ୍ଦମନେ ପୂଜା କଲେ ॥୧୬୦
ସେ ତାଙ୍କୁ ଦେଲେ ଦିବ୍ୟସ୍ଥାନ । ତହିଁ ରହିଲେ ଭଗବାନ ॥୧୬୧
ଯହିଁ ସକଳ ସୁରଗଣ । ସେବନ୍ତି ଯେଝା ନିଯୋଗଣ ॥୧୬୨
ସିଦ୍ଧ ଚାରଣ ମୁନିଜନେ । ଗନ୍ଧର୍ବ ଅପସରା ଗଣେ ॥୧୬୩
ସ୍ତୁତି କରନ୍ତି କପିଳଙ୍କୁ । ସଭୟେ ନିତ୍ୟେ ସେବି ତାଙ୍କୁ ॥୧୬୪
ଯୋଗେ ରହିଲେ ମହାମୁନି । ସାଂଖ୍ୟ ଆଚାର୍ଯ୍ୟମାନ ଘେନି ॥୧୬୫
ତ୍ରି‌ଲୋକଜନ ଶାନ୍ତି ପାଇଁ । ଯୋଗେ ରହିଲେ ଯୋଗସାଇଁ ॥୧୬୬
ରହିଲେ ବ୍ରହ୍ମକଳ୍ପ ଯାଏ । ଲୋକଶିକ୍ଷାରେ ଦେବରାଏ ॥୧୬୭
ବିଦୁର ପଚାରିଲୁ ଯାହା । ସମ୍ପାଦି କହିଲି ମୁଁ ତାହା ॥୧୬୮
କପିଳ-ଦେବହୂତିଙ୍କର । ପବିତ୍ର ସୁଜ୍ଞାନ ବିଚାର ॥୧୬୯
ଏହା ଯେ ଶ୍ରବଣ କରନ୍ତି । କି ଅବା ବଦନେ ଗୁଣନ୍ତି ॥୧୭୦
ଆନନ୍ଦେ ସଭାମଧ୍ୟେ କହେ । ଅଶେଷଜନ୍ମ ପାପ ଦହେ ॥୧୭୧
ସେ ସର୍ବେ ଗୋବିନ୍ଦ-ଚରଣେ । ଭକ୍ତି ଲଭନ୍ତି ଅନୁକ୍ଷଣେ ॥୧୭୨
ଅନ୍ତେ ଲଭନ୍ତି ହରି-ସ୍ଥାନ । କେ କରିପାରେ ତାହା ଆନ ॥୧୭୩
ତୃତୀୟସ୍କନ୍ଧେ ଭାଗବତ । କପିଳ-ଜ୍ଞାନ ଉପଗତ ॥୧୭୪
ତେତିଶଅଧ୍ୟା ସମାପତ । ମୈତ୍ରେୟ-ବିଦୁର ଚରିତ ॥୧୭୫
ଶ୍ରୀକୃଷ୍ଣ ମୁଖରୁ ସମ୍ଭୂତ । ଭାବେ ହୋଇଲା ଭାଗବତ ॥୧୭୬
ଏ ଭାବେ ରସ ସାଧୁଜନ । ତୁମ୍ଭ ଚରଣେ ମୋର ଧ୍ୟାନ ॥୧୭୭
କହଇ ଜଗନ୍ନାଥ ଦାସ । ତ୍ରାହି କରିବେ ପୀତବାସ ॥୧୭୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ
ତ୍ରୟତ୍ରିଂଶୋଽଧ୍ୟାୟଃ ।