ଦେହରେ । ସମୟକୁ ଅନାଇ ଅନାଇ ନଖରେ ଉଖାରୁଥିଲା, ଯେମିତି ବ୍ଳାକ୍ହୋଲ୍କୁ କଷ୍ଟ ନ ହୁଏ । ଖୁବ୍ ଧୀରେ ଧୀରେ ଅପସରୁ ଥିଲା ଆପେକ୍ଷିକ ସମୟ । ବ୍ଳାକ୍ହୋଲ୍ର ଫିତାଟା କାଢ଼ି ଗୋଟାଏ ଆଙ୍ଗୁଠିରେ ଟେକି ଆଣି ଥୋଇଲା ଟେବୁଲ୍ ଉପରେ । ସେତେବେଳେ ସେ ମଲା କଳା ସାପକୁ ବି ମନେ ପକାଇଲା ନାହିଁ । ଅନ୍ୟ ରିବନ୍ଟି ଫିଟାଇବା ପାଇଁ ଗୋଡ଼ର ଅବସ୍ଥିତି ନ ବଦଳାଇ ତଳକୁ ନଇଁ ପଡ଼ିଲା । ତା ଛାଇଟା ଅନ୍ଧାରି ଦେଲା ଗୋଡ଼କୁ । କିଛି କଷ୍ଟରେ କିଛି ନ ଭାବି କାହାକୁ ମନେ ନ ପକାଇ ଅନ୍ୟ ଗୋଟାଏ ଆଙ୍ଗୁଠିରେ ଟେକି ଆଣିଲା । କାନ୍ଥର ଗ୍ରୀନ୍ହୋଲ୍କୁ ପହୁଞ୍ଚାଇବା ପାଇଁ ହାତଟାକୁ ପ୍ରସାରି ଦେଲା ଟେବୁଲ ଉପର ଦେଇ । ଅଧା ଛିଡ଼ା ହୋଇ ହାତଟା ଲମ୍ବିଗଲା ତା ଲମ୍ବଠାରୁ ଆହୁରି ଆଗକୁ, ଆହୁରି ଆହୁରି ଆଗକୁ । ଭ୍ରୁଲତାର ଛାଇରେ ଆଖି ଦିଟାକୁ ଢାଙ୍କି ଦେଇ ସମୁଦାୟ ମୁହଁଟାକୁ ଘୋଡ଼ାଇ ଦେଲା ଗ୍ରୀନ୍ହୋଲ୍ର ଖୋଳପାରେ । ଏବଂ ନିଜେ ହଜିଗଲା । ତା ଆଗରେ ଚିଲିକା ଚୌକିରେ ମରୁଭୂଇଁ ଘୋଡ଼ାଇ ବସି ନ ଥିଲା । ତା ଆଗରେ ଚୌକି ଟେବୁଲ ପଛରେ କାନ୍ଥରେ ରସେଲ ମାର୍କସ୍ କେହି ନଥିଲେ, ଝିଟିପିଟି ନ ଥିଲା । ନଥିଲା ବି କକ୍ରୋଚ । ଡାହାଣରେ କେକ୍ଟସ୍ ନ ଥିଲା, ବ୍ଳୁ୍ୟ ନୁଡ ନ ଥିଲା । ତଳେ ନଥିଲା ଚଟାଣ ବା ନିଜ ପାଦ ଦୁଇଟି ଚେରେଇ ଯାଇ ନ ଥିଲା । ଏତେ ଗୁଡ଼ାଏ ନ ଥିବା ବସ୍ତୁ ମଝିରେ ନିଜେ ବି ଲେପି ହୋଇ ମିଳେଇ ଯାଇଥିଲା । କ୍ରମଶଃ ଲିଭି ଲିଭି ଛିନ୍ନଛତ୍ର ହୋଇଗଲା । କ୍ରମିକ ପ୍ରତ୍ୟାବର୍ତିତ ହୋଇ ସେ ଏବେ ପହଞ୍ଚିଛି ଶୂନଠାରେ ଏବଂ ଠୋ । ତା ହୃଦୟ ବାଟିକାର ଶ୍ୱେତପଦ୍ମ ଏବେ ନିବୁଜ । ତା ମସ୍ତିସ୍କର ବର୍ଣାଢ୍ୟ ବେଲୁନ ଏବେ ବାୟୁ ବିହୀନ । ଅବକାଶ ଏବେ ‘କିଛି’ ସହ ସମ୍ପର୍କ ନ ଥିବା ‘ନୁହେଁ’ । ସେ ନିଜେ ଏକ ନୁହେଁ । ନାହିଁ ନାହିଁର ଅବକାଶ । ସେ ନାହିଁ । ନାହିଁ ସେ । ସେ ଏକ ଆବ୍ସଲୁ୍ୟଟ ନଥିଂଗ୍ । କେକ୍ଟସ୍ର ଅରଣ୍ୟ ଏବେ ବିଲିନ । ସମୟର ଶବ୍ଦ ଏବେ ମୃତ । ଫେନ୍ର ସୁଇଚ୍କୁ ଅଫ କରିଦେଲା ଅବକାଶ ଓ ଦେଖିଲା ଶୀତ ଆସିଛି । ହଠାତ୍ କେକ୍ଟସ୍ର ଅରଣ୍ୟରେ ବିଷ୍ପୋରଣ ହେଲା ଅମୃତାଂଜନ୍ର ଗନ୍ଧ । ପରେ ପରେ ପାଦ ଶବ୍ଦ । ପରେ ମରୁଭୂଇଁର ନସର ପସର । ଏବଂ ଅବକାଶ ଆଖି ଏ ଯାଏ ଖୋଲିନାହିଁ ଯେତେବେଳେ ସେ ଆଖି ମୁକୁଳା କଲା ସଙ୍ଗେ ସଙ୍ଗେ ସମସ୍ତ ବସ୍ତୁ ଏକା ଥରକୁ ଉଦ୍ଘୋଷଣା କଲେ ଯେ ସେମାନେ ସେଠି ଅଛନ୍ତି । ସେମାନେ ଅନାବନା ନୁହନ୍ତି । ଚାରିଆଡ଼େ ବସ୍ତୁ ଏବଂ ମଝିରେ ଅବକାଶ । ଶୃଙ୍ଖଳିତ, ନିଦା, ଓଜନିଆ ଓ ବୋଲକରା ବସ୍ତୁ ମଝିରେ ଅବକାଶ । ଚୌକି ଟେବୁଲ ପଲଙ୍କ ଚିଲିକା ଚୌକି ବିଛଣା ଅକ୍ଟୋପସ୍ ମଝିରେ ଅମୃତାଂଜନ୍ର ନଇ । ଚାରିଆଡ଼େ ଅସଂଖ୍ୟ ଉଛୁଳା ପ୍ରସ୍ରବଣ । ଅବକାଶ ଚାହିଁ ପାରିଲା ନାହିଁ, ଭାବି ପାରିଲା ନାହିଁ । ଉଲଗ୍ନ ବସ୍ତୁ ଓ ପ୍ରଧାବିତ ବସ୍ତୁତ୍ୱ । ଶୃଙ୍ଖଳିତ ବସ୍ତୁ ଓ ଉଶୃଙ୍ଖଳିତ ବସ୍ତୁତ୍ୱ । ହଠାତ୍ ଏଠି ଏବେ ବସ୍ତୁ । ହଠାତ୍ ଏବେ ନାହିଁ । ଅବକାଶ ଆଖି ବୁଜିଦେଲା । କିନ୍ତୁ ସବୁ ବସ୍ତୁତ୍ୱ ତା ଆଖିପତା ଠେଲି ମାଡ଼ି ବସିଲେ । ସେ ସମ୍ଭାଳି ପାରିଲା ନାହିଁ । ଅମୃତାଞ୍ଜନର ଲେପ ଥିବା ଅଶ୍ଳୀଳ ଭାବେ ଲଙ୍ଗଳା ବସ୍ତୁର ବସ୍ତୁତ୍ୱ ନିଜ ନିଜ ଚାରିତ୍ରିକ ଫଟୋସବୁ ଠେଲି ଆଖିପତା ଭିତରକୁ । ଅବକାଶକୁ ବାନ୍ତି ମାଡ଼ିଲା ପରି ଜଣାଗଲା । ବସ୍ତୁତ୍ୱର ଓକାଳ ଆଧିକ୍ୟରେ ସେ ଅ କଲା । ପ୍ରତି ମୁହୂର୍ତରେ ମୋଟେଇ ଯାଉଥିବା ବସ୍ତୁତ୍ୱ ସମୂହ ତା ଆଖି ଉପରେ ନେସି ହୋଇ ଯାଉଥିଲେ । ଟେବୁଲ୍ଟା ଖୁବ୍ ହୃଷ୍ଟପୁଷ୍ଟ ମୋଟାସୋଟା ହୋଇ ସମୁଦାୟ କେକ୍ଟସର ଅରଣ୍ୟକୁ ଦୋହଲାଇ ଦେଉଥିଲା, ଭସାଇ ଦେଉଥିଲା । ତାହା ଆଉ ଟେବୁଲ୍ ହୋଇ ନ ଥିଲା । ଚିଲିକା ବି ଏକ ବସ୍ତୁ ଏବଂ ସେ ବି ମୋଟେଇ ଯାଉଥିଲା ଗର୍ଭବତୀ ନଈ ପରି, ହାତୀ ପରି । ବେଙ୍ଗ ଛୁଆମାନେ ବେଙ୍ଗ ମାକୁ ପଚାରୁଥିଲେ ହାତୀଟା କିପରି? ଆଉ ତାଙ୍କର ମା’ଟି ପେଟଉଥିଲା ମୋଟଉଥିଲା । ଏପରି ଏପରି ଫୁଲି ଫୁଲି ଆହୁରି ଆହୁରି । ବେଙ୍ଗଫୁଲାମାନେ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ । ବେଙ୍ଗ ମା ଆହୁରି ଆହୁରି । ବେଙ୍ଗଫୁଲା ଓ ବେଙ୍ଗ ମା । ଶେଷରେ ଢ଼ୋ । ଏବଂ ଅବକାଶ ଚମକି ପଡ଼ିଲା । ଚିଲିକା ଫାଟି ଯାଇନି ତ? ମୋଟି ଚିଲିକା ହାତୀକୁ ମନେ ପକାଇ ପେଟକୁ ଫଟାଇ ଗର୍ଭାଶୟକୁ ଫିଙ୍ଗିଦେଇ ସ୍ତନ ଦୁଇଟିକୁ ଓହଳାଇ ପୁତନା କରି ଦେଇନି ତ ନିଜକୁ? ଚିଲିକା ଏକ ବସ୍ତୁ । ଏବଂ ତା ବସ୍ତୁତ୍ୱ ପୁତନା । ଚିଲିକା ଏକ ପୁତନାର ନାମ । ପୁତନା ସେଠି ମରି ପଡ଼ିଥିଲା ଗୋଟାଏ ବସ୍ତୁ ହୋଇ । ଏବଂ ଅବକାଶ ଏକ ଶିଶୁ ହୋଇ ପୁତନାର ଫଟାପେଟ ଉପରେ ହସ୍ତାକ୍ଷର ଲେଖିଲାପରି ଗୋଲ ଗୋଲ ଅକ୍ଷରରେ ଲେଖିଦେଲା ‘ଏହାକୁ ଚିଲିକା କୁହାଯାଏ’ । ଅକ୍ଷର ଉପରେ ଖଡ଼ି ବୁଲାଇଲା ପରି ଆଉଥରେ ବୁଲାଇ ଆଣିଲେ ଏ-ହା- କୁ-ଚି-ଲି-କା-କୁ-ହା-ଯା-ଏ । ଅବକାଶ ଶିଥିଳ ହୋଇପଡ଼ିଲା । ହାତ ଦୁଇଟି ଓ ଆଙ୍ଗୁଠି ମାନଙ୍କୁ ନେଇ ଚୌକି ତଳକୁ ଓହଳି ଚଟାଣକୁ ଛୁଇଁଗଲା । ଅଥଚ ସେ ସଚେତନ ସଯତ୍ନ ଭାବେ ଚଉତି ଆଣିଲା ତା ହାତକୁ । ଅମୃତାଂଜନ୍ ତା ନାକର ଗୁମ୍ଫା ଭିତରକୁ ମାଡ଼ି ଯାଉଥିଲା ସରିସୃପ ପରି । ପଛପଟ କାନ୍ଥରେ ଲମ୍ବ ବାର୍ଲାଇଟ୍ଟିଏ ଏକୋଇଶ ଘଡ଼ି ଜଳୁଥିବା ସତ୍ୱେ ଅବକାଶ ଟେବୁଲ ଲାଇଟର ସୁଇଚରେ ହାତ ଦେଲା । କିନ୍ତୁ ହଠାତ୍ ଟିକ୍ କଲା ନାହିଁ । ସେ ନିଜ ବିଶି
ପୃଷ୍ଠା:Hada bagicha.pdf/୩୫
ଦେଖଣା