ଯେବେ ହେଉ ଯିବ ତ, କାନ୍ଦୁଛି କାହିଁକି? ନା ସେ କଦାପି ଯିବନି, କନିଷ୍କ ତା ବର ହେବ, ସେ ତା କନିଆଁ ହେବ, କେବଳ ଖରାବେଳ ନୁହେଁ, ଦିନତମାମ୍ ରାତି ତମାମ୍ ସେମାନେ ଲୁଚକାଳି ଖେଳିବେ, ସଂସାରକୁ ଖେଳଘର କରିବେ, ପ୍ରଜାପତି ହେବେ । ସେ କାନ୍ଦୁଥାଏ । ତା ପାଇଁ ହଳଗାଡ଼ିରେ ଲଦା ହୁଏ ବେଭାର, ପରାତରେ କିଛି ଚାଉଳ, ପନିବରିବା, ନଡ଼ିଆ, ସିନ୍ଦୂର, ଚୁଡ଼ି, ଶାଢ଼ି, ତା ବା’ ପାଇଁ ଧୋତି ଏବଂ ପାଞ୍ଚଶହ ଟଙ୍କା । କୁମାରୀ ପରିଚାରିକା କାନ୍ଦି କାନ୍ଦି ସଭିଂକୁ ମୁଣ୍ଡିଆ ମାରେ । କନିଷ୍କର ମଟାଳ ଦେହକୁ ତା ଛାତିର ପଞ୍ଜରା ପାଖରେ ସାଉଁଟି ଧରେ, ତା ହାତର କୋମଳ କିସଳୟରେ ରୋପିଦିଏ ଓଠ, ଶ୍ୱସାପ୍ରଶ୍ୱାସ ରୁନ୍ଧିଦିଏ କନିଷ୍କର, ତା ଆଁ ଭିତରେ ସାତ ସମୁଦ୍ରର ସର୍ଫ ନେଇ, ତା କଂଠର ରୁମାଲରେ ସତର ନଈର ଶୋଷ ନେଇ ହଳଗାଡ଼ିରେ ବସେ କୁମାରୀ ସାବାଳିକା ଝିଅ ଏବଂ ପୁଆଳ ଉପରେ ଶୋଇଯାଏ, ଶୋଇଯାଏ ଯେ ଆଉ ଉଠେନା । କନିଷ୍କ ଜାଣିପାରେନା ବିଧାତାଙ୍କ ସ୍ୱପ୍ନ-ଶୋଷ-କାନ୍ଦ ଓ ବିଦାୟ, ପ୍ରଜାପତିକୁ ପଥର ଧରି ଗୋଡ଼ାଉଥାଏ । ହଳଗାଡ଼ି ଚାଲିଯାଏ, ସ୍ୱପ୍ନପରି, ଆକାଶର କାନ୍ଭାସରେ ସୂର୍ୟ୍ୟାସ୍ତ ହେଉଥାଏ, ତୈଳଚିତ୍ର ପରି ।
ଏ ପୃଥିବୀ ସେ ପୃଥିବୀ ନୁହେଁ ପୋକ ଜୋକ ମାନଙ୍କୁ ଖୁବ୍ ଭୟ କରନ୍ତି ଗୋପା । କେବଳ ପୋକ ନୁହେଁ, ବହିରେ ପୋକ ମାନଙ୍କ ଚିତ୍ର, ଟି.ଭି.ରେ ପୋକମାନଙ୍କ ଛବି, କାନ୍ଥରେ ପୋକ ମାନଙ୍କର ଛାଇ, ଏପରିକି ପୋକ ମାନଙ୍କ ମେମୋରିକୁ ବି ସେ ଭୟ କରନ୍ତି । କୋବି କାଟୁ କାଟୁ ବା ଶାଗ ବାଛୁବାଛୁ ପୋକଟିଏ ଯଦି ବାହାରିଲା ତାଙ୍କର ପ୍ରଥମ କାମ ହେବ ଚିତ୍କାର କରିବା ତା ପରେ ପରେ ମସଲା ବାଟୁଥିବା ନରିଆଣୀ ପାଖ ପଡ଼ୋଶୀର ରାଜରାଣୀ ସ୍କୁଲରେ ପାଠ ପଢ଼ାଉଥିବା ତାଙ୍କ ବଡ଼ଦିଦି ଗାଁରେ ବ୍ୟସ୍ତ ଥିବା ତାଙ୍କ ମା କ୍ଷେତରେ ଚାଷ କରୁଥିବା ତାଙ୍କ ହଳିଆ ସଭିଏଁ ସ୍ଥିର ହୋଇଯାଆନ୍ତି । ଏପରିକି ନିଆଁଲିଭା ଅଫିସ୍ରେ ସାଇରନ୍ ବି ଥରେ ବାଜି ଯାଇଥିଲା । ପୋଲିସ୍ ଓ ପ୍ରଶାସକ ସଭିଙ୍କ ଟେଲିଫୋନ୍ ସବୁ ଝଣଝଣେଇ ଯାଇଥିଲା । ଏପରିକି ଘର ମାଲିକଙ୍କ ଦୁଇଟି କୁକୁଡ଼ା ତାଙ୍କ ରଡ଼ି ଶୁଣି ଶୁଣି ପୋକ ନିଶ୍ଚୟ ହୋଇଥିବ ବୋଲି ଜାଣି ଗଲେଣି । ତେଣୁ ସେମାନେ ପାହାଚ ଡେଇଁ ସିଧା ଗୋପାଙ୍କ ପାଖକୁ ଧାଇଁ ଆସନ୍ତି ତାଙ୍କୁ ପୋକ ଦାଉରୁ ରକ୍ଷା କରିବାପାଇଁ । ପୋକଙ୍କ ସହ ଏମିତି ଦୟନୀୟ ସମ୍ପର୍କ ଥିବା ଗୋପା ବି ଥରେ ଥରେ ଅଜବ ଇଚ୍ଛା ସବୁ ଦାବି କରନ୍ତି । ଯେମିତି ତାଙ୍କୁ ଲାଇଫ୍ ସାଇଜ୍ର ଖେଳନା ନାରୀଟିଏ ଦରକାର । ଏହା