(12)
Sk. XI, Ch. V. (Same subject continued.)
ରାଜୋବାଚ
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ।
ରାଜା ବୋଲଇ ମନେ ଗୁଣି । ମୁନିଙ୍କ ତତ୍ତ୍ୱ ପରମାଣି ।
ନିର୍ଗୁଣ ନିରଞ୍ଜନ ହରି । ଧରଣୀତଳେ ଦେହ ଧରି ।
ଯେ କର୍ମ କଲେ ତ୍ରିଭୁବନେ । ଯେ ଅବତାର ଯେବାସ୍ଥାନେ ।
ସେ କଥା କହ ମୁନିଗଣ । ସନ୍ତୋଷ ନୁହେ ମୋ ଶ୍ରବଣ ।
ଏମନ୍ତେ ରାଜା ସାଧୁ-କଥା । ଶୁଣି ଦ୍ରବିଡ଼ ଶୁଦ୍ଧଚେତା ।
ରୋମ ପୁଲକ କଲା ତନୁ । ଅଶ୍ରୁ ଗଳଇ ତା ନୟନୁ ।
ଦ୍ରବିଡ଼ ଉବାଚ
ବୋଲଇ ଶୁଣ ମହୀନାଥ । ଅଶେଷ କୃଷ୍ଣର ଚରିତ ।
କେ ତାହା ଅନୁମାନ କରି । ମୁଖେ କହିବ ଚିତ୍ତେ ଧରି ।
ବାଳକ ସମ ବୁଦ୍ଧି-ହୀନ । ଜଗତେ ଅଛି କେବା ଜନ ।
ପଣ୍ତିତପଣେ ବାଦ କରି । ହୃଦରେ ଅହଙ୍କାର ଭରି ।
କହିବ କୃଷ୍ଣ-ଗୁଣ ବଳେ । କେ ଅଛି ଭୁବନ-ମଣ୍ତଳେ ।
ମୃତ୍ତିକାଖଣ୍ତ ଚୂର୍ଣ୍ଣ କରି । ଯେ ଗଣିପାରେ ମନେ ଧରି ।
ସେ କାହିଁ ହରିର ମହିମା । ମୁଖେ କହିବ ଗୁଣ-ସୀମା ।
ବ୍ରହ୍ମାଣ୍ତ ରଚି ପଞ୍ଚଭୂତେ । ଅଂଶେ ତାହାର ମଧ୍ୟଗତେ ।
ପଶେ ବିରାଟରୂପ ଧରି । ଆଦି ଅନନ୍ତ ନରହରି ।
ତିନିଭୁବନ ଦେହେ ଧରି । ସୃଷ୍ଟି-ପାଳନ-ଅନ୍ତ କରେ ।
ପ୍ରଥମେ ରଜୋଗୁଣ ଧରି । ବିଧାତାରୂପେ ଅବତରି ।
ସୃଷ୍ଟି କରଇ ନାନାମତେ । ବିଧି-ବିଧାନ ବେଦତତ୍ତ୍ୱେ ।
ପାଳଇ ଯଜ୍ଞପତିରୂପେ । ଜୀବ ଖେଳଇ ମୋହକଳ୍ପେ ।
ଈଶ୍ୱରରୂପେ ତମୋଗୁଣେ । ଦହଇ ସୃଷ୍ଟି ସଂହାରଣେ ।
ଯେ ଗୁଣମୟ ନିରାକାର । ଏଣୁ ତୃତୀୟ ରୂପ ତାର ।
ପୂର୍ବେ ଯେ ଦକ୍ଷ ପ୍ରଜାପତି । ତାର କୁମାରୀ-ନାମ ମୂର୍ତ୍ତି ।
ଧର୍ମ୍ମର ପତ୍ନୀ ଯେ ଯୁଗତେ । ବିଷ୍ଣୁ ଯାହାର ଗର୍ଭଗତେ ।
ଅରୂପ ହୋଇ ରୂପରାଶି । ସେ ନବନାରାୟଣ ଋଷି ।
ତପ ଆରାଧି ଘୋରବନେ । ବସିଲେ ବଦରୀଆଶ୍ରମେ ।
କଳ୍ପେ ପର୍ଯ୍ୟନ୍ତ ତପ କରି । ମନ ପବନ ହୃଦେ ଧରି ।
ଦେଖି ତାହାଙ୍କ ତପ ଘୋର । ସ୍ୱର୍ଗେ କମ୍ପିଲା ସୁନାସୀର ।
ଭୟେ ଚିନ୍ତଇ ପୁରନ୍ଦର । ନିଶ୍ଚେ ଘେନିବ ମୋର ପୁର ।
ମୋ ପଦ ହରିବ ଏ ବଳେ । ଏମନ୍ତ ଭାଳି ସେ ବିକଳେ ।