ପୃଷ୍ଠା:Galpa swalpa.djvu/୧୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସପନା ଏକୁଟିଆ ଅଲଗା ପାଇଟି କରେ, ପାଞ୍ଚ ଜଣ ମୂଲିଆଙ୍କ ସାଙ୍ଗରେ ଥାଏ ନାହିଁ । କେହି ଦୁଷ୍ଟ ଲୋକ ଟାପରା କରି ପଦେ କହିଦେବ ପରା ! ଆଉ ଦୁଇ ଜଣ ମନ ଫିଟେଇ କଥା ଭାଷା ହୋଇ ପାରିବେ ନାହିଁ ।

ସପନା ପାଞ୍ଚ ମାଣ ଧାନ ମୂଲ ପାଏ । ବୁଢ଼ା ଅମଳରୁ ଘରେ ଗୋଟାଏ ଭଙ୍ଗା ମାଣ ଅଛି, ଚେମୀ ମାପି ପକାଏ । ଆଗେ ମାଣେ ମାପି ବୁଢ଼ା ଅମଳର ଗୋଟାଏ ଭଙ୍ଗାମୁଣ୍ଡି ମାଠିଆରେ ପୁରାଇ ରଖିଦିଏ । "ଏ ଖାଉନ୍ଦ ! ଦେହ ଅଛି, ପା ଅଛି, ଆଜି ପାଇଟି ନମିଳିଲା-କିଆଁ କାହାକୁ ମାଗିବା, ଘରେ ବସି ଖାଇବା । ମାଣେ ଧାନ ଦେଇ ତେଲ ପାହୁଲାକର, ଲୁଣ ପାହୁଲାକର, ଧୂଆଁପତ୍ର ଅଧପାହୁଲାଏ ହିସାବ କରି ଦେଇ ଶାମ ସାହୁ ତେଲୀ ମହାଜନ ଦୋକାନ କୁ ସପନାକୁ ପଠାଇଦିଏ । ଆଉ ତିନି ମାଣ ଧାନ ହାତ ପାହାରଣାରେ କୁଟି ପକାଏ । ଚାଉଳ ବାହାର କରି ନେଇ ତଷୁଗୁଡ଼ିକ ଗୋଟାଏ ଭଙ୍ଗା ଟୋକେଇରେ ଜମା କରି ରଖିଥାଏ, ଦୁଇ ଚାରି ଦିନ ବାଦ ସେହି ତଷୁ କୁଟି ସେଥିରୁ କୁଣ୍ଡା କାଢ଼ିନିଏ । ମୁଠାଏ ଚାଉଳ ପକାଇ ସେ କୁଣ୍ଡା ମିଶାଇ ପିଠଉ ବାଟି ଦେଇ ଗୋଟାଏ ପୋଡ଼ପିଠା କରିଦିଏ । ତଷୁରେ ଗୁବର ଲଗାଇ ଘଷି ପାରେ । ସପନା କହୁ, ଚେମୀ ସବୁ ଗୁଣରେ ଫରାକତ୍ । ତା ପରି ଚାଉଳ କୁଟିବ କିଏ ?"

ସପନା ଦୋକାନରୁ ବାହୁଡ଼ିବାବେଳକୁ ଚେମୀ ଭାତ ରାନ୍ଧି ରଖିଥାଏ । ଦୋକାନ ସଉଦା ଭଲକରି ଦେଖି ସାଇତି ରଖେ । ତାହା ବାଦ ଟୋପାଏ ତେଲ ପକାଇ ଶାଗଟା ଖରଡ଼ି ପକାଏ, କଙ୍କଡ଼ା ଛେଚି ଦେଇ ଟୋପାଏ ତେଲ ଲୁଣ ଗୋଳାଇ ଦିଏ, ମାଛ ଥିଲେ ଟୋପାଏ ତେଲ ପକାଇ ଅଣ କରିଦିଏ । ବୁଢ଼ା ଭଙ୍ଗା ପଥୁରୀରେ ସପନାକୁ ଭାତ ପରଷି ଦେଇ ପାଖରେ ବସେ । ରାଣ ନିୟମ ଦେଇ ବଳେଇ ବଳେଇ ଦୁଇ ଗୁଣ୍ଡା ଅଧିକ ଖୁଆଏ । ଚେମୀ ବଡ ଘରଣୀ । ଝୋଟ ଅମଳ ବେଳେ ସାନ୍ତମାନଙ୍କ ଦୁଆରୁ ନଳିତା କାଠି ଆଣି ବିଡ଼ା ବାନ୍ଧି ରଖିଛି, ଖାଉନ୍ଦ ଭାତ ଖାଇବାବେଳେ ଗୋଟାଏ କାଠି ଜାଳି ଆଲୁଅ ଦେଖାଏ । ସପନାର ଖିଆ ହୋଇଗଲେ ସେ ଅଇଣ୍ଠାପଥୁରୀରେ ଆପଣା ଭାତ ବାଢ଼ି ଖାଏ । ଭଲମନ୍ଦ ଘରକୁ ଯେ ପଦାର୍ଥ ଆସୁ, ସପନା ଆଗେ ନ ଖାଇଲେ ଚେମୀ ଖାଇବ ନାହିଁ । ଦି ଜଣଙ୍କ ଖିଆପିଆ ହୋଇଗଲେ ବାକି ଭାତଗୁଡ଼ାକ ପଖାଳି ତହିଁ ଆର ଦିନ କୁ ରଖିଦିଏ । ଓଳିଏ ରୋଷେଇ, ଦୁଇ ଓଳିକୁ ଜାଳ କାହିଁ ? ଆହିରୁ ଗୋଟାଏ କଥା, ସକାଳ ଉଳି ପାଇଟିରୁ ଆସିବାକୁ ଦିନ ଦିପହର, ଭୋକ ବେଳେ କଣ ରନ୍ଧାକୁ ତରଷିବ ? ବର୍ଷାଦିନେ ଜାଳ ମିଳିବ ନାହିଁ ବୋଲି ଖରାଦିନେ ଘସି ପାରି ଓଳି ପନ୍ଦାଡ଼ରେ ଟାଙ୍ଗି ରଖି ଦେଇଛି ।

ସପନା ଚେମୀ ଦୁଇଟି ପ୍ରାଣୀ ଖୁବ ମନ ଆନନ୍ଦରେ ଅଛନ୍ତି । ସାହୁର ଦେଣା ନାହିଁ, କି ରଜାର ଖଜଣା ନାହିଁ । ଦିନେ ସୁଦ୍ଧା ଘରେ ଅନ୍ନ ଛୁଟଣ ନାହିଁ । ମନରେ କିଛି ଭାବନା ନାହିଁ, ଖାଇବା କଥା ପଡ଼ିଲେ ଦିଜଣଯାକ କହନ୍ତି, ମୁଲକରେ ଏତେ ବିଲ ଗଡ଼ିଆ ପୋଖରୀ ଥାଉଁ ଥାଉଁ କଣ ଦିଟା ପ୍ରାଣୀ ପେଟ ପୂରିବ ନାହିଁ ? ଚେମୀ କହେ, "ଏ ଖାଉନ୍ଦ ! ତେମେ କାହିଁକି ପର ପାଇଟିକି ଯିବ, ବାଳୁଙ୍ଗା ଝାଡ଼ି ଆଣିଲେ ତ ଆମର ଛ ମାସ ମେଣ୍ଟିଯିବ ।" ବେଳ ଜାଣି ଚେମୀ କୁଲାଟାରେ କାଠି ଖଣ୍ଡେ ବାନ୍ଧି ଢ଼େର ବାଳୁଙ୍ଗା ଝାଡ଼ି ଆଣି ଘରେ ରକେ । ଖାଉନ୍ଦକୁ ବାଧିବ ବୋଲି ଚେମୀ ରୋଜ ରୋଜ ତାକୁ ପାଇଟିକୁ ପଠାଏ ନାହିଁ, ବାଳୁଙ୍ଗାରେ ଅନ୍ନ ଚଳାଏ । ଯେଉଁ ଦିନ ସପନା ସାନ୍ତ ଘର ପାଇଟିକୁ ନ ଯାଏ, ସେ ଦିନ ଦୁଇ ଜଣ ପୋଖରୀ ପୋଖରୀ ବୁଲି ବୁଲି କଛିମ, କଙ୍କଡ଼ା, ମାଛ ଧରି ଆଣନ୍ତି, ସେ ଦିନ ଚେମୀ ଢ଼େର ରକମ ତିଅଣ ରାନ୍ଧେ, ଦୁଇ ଜଣଙ୍କର ଭାରି ଆନନ୍ଦ ।