ପୃଷ୍ଠା:Hada bagicha.pdf/୧୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇଗ୍ଲୁ ଭିତରେ ଦିନେ


ଆସନ୍ତା ପାଞ୍ଚଦିନ ଶତରୂପାଙ୍କ ପାଇଁ ଏକ ଅନିବାର୍ଯ୍ୟ ଆକର୍ଷଣ । ସାତବର୍ଷର ପ୍ରତୀକ୍ଷା ପରେ ତାଙ୍କର ଇପ୍ସିତ ପାଞ୍ଚଦିନ ଏବେ ପାଖେଇ ଆସୁଛି । ସେଥିପାଇଁ ତାଙ୍କ ମନରେ କେତେ ଉତ୍ସାହ ଏବଂ ଏଇ ଉତ୍ସାହ ଯୋଗୁ ହିଁ କେତେ ବିରାଟ ଆୟୋଜନ । ସ୍ୱୟଂଭୁବ କେବେବି ଭାବି ନ ଥିଲା ତା ଜୀବନରେ ଏମିତି ଏକ ବିରାଟ ଆୟୋଜନର ସମୟ ଆସିବ ବୋଲି । ସ୍ୱୟଂଭୁବ କିନ୍ତୁ ଆୟୋଜନ କରିବାରେ ଖୁବ୍ ଆଗ୍ରହୀ । କାରଣ ଏ ଶବ୍ଦ ଉପରେ ତା'ର ଗଭୀର ଆସ୍ଥା ଏବଂ ବିଶ୍ୱାସ । ତାର ପ୍ରତିଟି ଦିନ ଓ ପ୍ରତିଟି ଦିନର ପ୍ରତିଟି ମୁହୂର୍ତ, ପ୍ରତିଟି ଘଟନା ପୂର୍ବ ଆୟୋଜିତ ଥାଏ । ଆଜି ରାତିରେ ସେ କ'ଣ ଖାଇବ, କେତେ ପରିମାଣର କେଲୋରିଜ୍, କେଉଁ କେଉଁ ଭିଟାମିନ, କେତେ ପରିମାଣର କାର୍ବୋହାଇଡ୍ରେଟ ପାଇବ ସେ ସବୁ ତାର ପୂର୍ବ ନିର୍ଧାରିତ । ଖାଇଲା ବେଳକୁ କେଉଁ ରଙ୍ଗର ଲାଇଟ ଜଳିବ, କେତେ ଦୂରରେ ଜଳିବ, ଟେପ୍-ରେକର୍ଡରରେ କେଉଁ କେସେଟ୍ କେତେ ଭଲ୍ୟୁମ୍ରେ ବାଜିବ ତାହା ତାର ପୂର୍ବ ନିର୍ଧାରିତ । ଶୋଇଲା ବେଳକୁ କଣ ପିନ୍ଧି ଶୋଇବ, କେଉଁ ଆଲୁଅ ଜଳିବ, କେଉଁ କବାଟ - ଝରକା ଖୋଲା - ବନ୍ଦ ରହିବ, ଫେନ୍ଟି କେତେ ପରିମାଣରେ ଘୁରିବ, କେଉଁଥିରେ ତିଆରି ଚାଦର - ଉଲେନ୍, ସିଲ୍କ, ସୂତା - କେଉଁ ରଙ୍ଗର ଚାଦର ବିଛଣାରେ ପଡ଼ିବ ଏବଂ ସର୍ବୋପରି କେତେ ସମୟ ଶୋଇବ, ଏସବୁ ତାର ପୂର୍ବ ନିର୍ଧାରିତ । ସ୍ୱୟଂଭୁବ ବିଛଣାରେ ପଡ଼ିଲାକ୍ଷଣି ଦୁଇମିନିଟ ମଧ୍ୟରେ ଶୋଇପଡ଼େ ଏବଂ ଯେତେବେଳେ ଉଠିବାପାଇଁ ଭାବିଥିବ, ସେତେବେଳେ ନିଶ୍ଚୟ ଉଠିପଡ଼େ । ତା ପାଇଁ ଶୋଇବାଟା ଏକ ମାନସିକ ପ୍ରସ୍ତୁତି, ତେଣୁ ଦିନର ଯେ କୌଣସି ସମୟରେ ଯେତେ ସମୟ ପାଇଁ ଚାହିଁଲେ ସେ ଶୋଇପାରେ ଓ ଉଠିପାରେ । ଶତରୂପା ମୁଣ୍ଡ କୁଣ୍ଡାଇ, ଶାଢ଼ି ବଦଳାଇ ବାହାରିବା ମଧ୍ୟରେ ସ୍ୱୟଂଭୁବ ଯଦି ଇଚ୍ଛା କରେ ଦଶ ମିନିଟ୍ ଗଭୀର ନିଦରେ ଶୋଇ ଉଠିପାରେ । ସ୍ୱୟଂଭୁବର ପୋଷାକ ପିନ୍ଧିବା ବି ଏକ ଆୟୋଜନ । କେଉଁ ପେଣ୍ଟ ସାଙ୍ଗରେ କେଉଁ ସାର୍ଟ, କେଉଁ ଯୋତା, କେଉଁ ରଙ୍ଗର ଅଣ୍ଡରୱାୟାର ସେ ସବୁ ପୂର୍ବରୁ ଭାବି ନିଏ । କେଉଁ ପ୍ରକାର ପୋଷାକ ଲଗାଇଲେ ସ୍କୁଟର୍ରେ ଯିବ ବା ଚାଲିଚାଲି ଯିବ ବା କାର୍ ରେ ଯିବ ବା ବସ୍ରେ ଯିବ ସେ ସବୁ ତାର ପୂର୍ବ ଆୟୋଜିତ । କେବେ ବି ଅନ୍ୟଥା ହୁଏନା । ବସ୍ ରେ ଯିବାପାଇଁ ନିର୍ଧାରିତ ପୋଷାକ ପିନ୍ଧି ସେ କେବେବି ସ୍କୁଟର୍ରେ ଯାଏନା । କେଉଁଠାକୁ ଯାଉଛି, ସକାଳ ବେଳା ଯାଉଛି ନା ସଂଧ୍ୟା ସମୟରେ ଯାଉଛି, କେଉଁ ଋତୁରେ ଯାଉଛି, ବାହାରେ ଏବଂ ଭିତରେ କେତେ ଉତ୍ତାପ ଅଛି, କାହାକାହା ସାଙ୍ଗରେ ଯାଉଛି ନା ଏକା ଯାଉଛି, କେତେ ସମୟ ପାଇଁ ଯାଉଛି, ଏସବୁରେ ମଧ୍ୟ ତାର ପୋଷାକ ପିନ୍ଧିବାର ଆୟୋଜନ ନିର୍ଭର କରେ । ତାର ପୋଷାକ ସାଙ୍ଗରେ ଯଦି ସୂର୍ଯ୍ୟ ଚନ୍ଦ୍ର ମେଘ ଆକାଶ ଅନ୍ଧାର ଆଲୁଅ ପାଣିପବନ ଭିଡ଼ ନିକାଞ୍ଚନ ଜଙ୍ଗଲ ମରୁଭୂଇଁ ଏସବୁ ଖାପ ନ ଖାଇଲେ ତା ହେଲେ ସେ ଅଧବାଟରୁ ଫେରିଆସେ ଓ ତାର ପରବର୍ତୀ ଆୟୋଜନକୁ ବାତିଲ କରି ଶୋଇଯାଏ । ଆୟୋଜନ ଶବ୍ଦ ଉପରେ ଏପରି ବିଶ୍ୱାସ ରଖିଥିବା ସ୍ୱୟଂଭୁବ ବି ଏକ ମୁକ୍ତ ମଣିଷ । ତାର ଆୟୋଜନସବୁ ପୂର୍ବ ନିର୍ଧାରିତ ହେଲେ ବି ସେସବୁକୁ ଯେ କୌଣସି ମୁହୂର୍ତରେ ଭାଙ୍ଗି ଦେଇପାରେ, ବାତିଲ କରି ଦେଇପାରେ, ଘୁଞ୍ଚାଇ ଦେଇପାରେ । ଆୟୋଜନ ସରିଗଲା ପରେ ବି ତାକୁ ମନ ନ ଲାଗିଲେ ସଜଡ଼ା ସଜଡ଼ି କରିପାରେ । ସେଥିପାଇଁ ତାକୁ କଣ କଣ ସବୁ କ୍ଷତି ସହିବାକୁ ପଡ଼ିଲା ସେ ସବୁରେ ସେ ଆଦୌ ଗୁରୁତ୍ୱ ଦିଏନା । ସେ କହେ, କେବଳ କହେ ନୁହେଁ, ବଂର କୁହାଯାଉ ସେ ଆନ୍ତରିକ ଭାବେ ବିଶ୍ୱାସ କରେ ଯେ ଲକ୍ଷସ୍ଥଳରେ ପହଞ୍ଚିବା ଯେତିକି ଗୁରୁତ୍ୱପୂର୍ଣ, ତାପାଇଁ ପ୍ରସ୍ତୁତି ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ ଏବଂ ମାଧ୍ୟମ ମଧ୍ୟ ଏକାପରି ଗୁରୁତ୍ୱପୂର୍ଣ । ଏବଂ ଯେହେତୁ ଅନ୍ତିମ ଲକ୍ଷସ୍ଥଳ ବୋଲି କିଛି ଗୋଟେ ନାହିଁ, ତେଣୁ ପ୍ରସ୍ତୁତି ହିଁ ପ୍ରକୃତରେ ଆମର ଲକ୍ଷ୍ୟ ହୋଇପଡ଼େ । ପରୀକ୍ଷା ପାଇଁ ପ୍ରସ୍ତୁତି, ଶିଖର ପାଇଁ ପ୍ରସ୍ତୁତି, ବଞ୍ଚିବା ପାଇଁ ପ୍ରସ୍ତୁତିରେ ସମୂଦାୟ ଜୀବନ