ପୃଷ୍ଠା:Hada bagicha.pdf/୧୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୀଷଣ ଡରିଗଲା ସେ ଏବଂ ପଛକୁ ଓଲଟି ରୁବେନ ଛିଡା ହୋଇଥିବାର ଦେଖି ତା ଗୋଡ଼ହାତ ଅବଶ ହୋଇଗଲା । ରୁବେନ ତା ମାଲିକକୁ କିଛିସମୟ ଦେଖିଲା । କିଛି କହିଲା ନାହିଁ । ତା ମାଲିକ କବାଟ ନ ଦେଇ ଚାବି ପେଂଥାଟି ଆଣି ରୁବେନ ହାତରେ ଧରାଇଦେଲା ଓ "ଆସୁଛି' କହି କୁଆଡ଼େ ଚାଲିଗଲା । ରୁବେନ ଭିତରପଟୁ କବାଟ ବନ୍ଦ କରି ଘର ଭିତରକୁ ଗଲା । ରାତିଅଧ ବେଳକୁ ଘର ଭିତରୁ ଗୋଟିଏ ଗୁଳିଫୁଟା ଶବ୍ଦ ଶୁଭିଲା । ଭୋର ବେଳକୁ ରୁବେନ ଯେତେବେଳେ କବାଟ ଫିଟାଇଲା ଦି'ଜଣ ପୋଲିସ ବନ୍ଧୁ ଓ ଅନ୍ୟ ଚାରିଜଣ ମାଙ୍କଡ଼ ଟୋପି ପିନ୍ଧା ନିର୍ବୋଧ ପୁରୁଷ ଛିଡ଼ା ହୋଇଥିବାର ଦେଖିଲା । "ହତ୍ୟା ନା ଆତ୍ମହତ୍ୟା?' ସେମାନେ ତାଙ୍କ ବିଷ୍ଫାରିତ ଆଖିରେ ଜାଣିବାକୁ ଚାହିୁଁ ଥିଲେ । ରୁବେନ ସେମାନଙ୍କୁ ଭିତରକୁ ଡାକିଲା ଏବଂ ଦେଖାଇଲା ସେ ତା ମାଲିକର ଏକ କାଚବନ୍ଧା ସୁନ୍ଦର ଫଟୋକୁ କାନ୍ଥରୁ କାଢ଼ି ପାଇଖାନାର ପେନ ଭିତରେ ଥୋଇ ଖୁବ୍ପାଖରୁ ପିସ୍ତଲରୁ ଗୁଳି ଫୁଟାଇଛି ଠିକ୍ ଛାତିକୁ ଲକ୍ଷ୍ୟକରି, ଏବଂ ପରେ ସେ ଶୋଇ ଯାଇଛି । ପୋଲିସ ବନ୍ଧୁ ଦି'ଜଣ ନିଜକୁ ପ୍ରଖର ବୁଦ୍ଧି ସମ୍ପନ୍ନ ମନେକରି କିଛି କିଛି ପରୀକ୍ଷାନିରୀକ୍ଷାରେ ଲାଗି ପଡ଼ିଲେ । ରୁବେନକୁ ତା ପିସ୍ତଲ କଥା ପଚାରିଲେ । ରୁବେନ କହିଲା ସେ ରଖିଛି, କିନ୍ତୁ ସେମାନଙ୍କୁ ଦେବନାହିଁ । ଚୁମ୍କି ବି ଏତେ ବେଳକୁ ଆସି ପହଞ୍ଚିଲା । ଶୀତ ସକାଳର କଅଁଳ ଖରାପରି ସମସ୍ତଙ୍କୁ ଉଷୁମ କରିଦେଲା, ରୁବେନ ବ୍ୟତୀତ । ରାଗି ଯାଇଥିବା ପୋଲିସ ବନ୍ଧୁମାନେ ଏବେ ନରମି ଗଲେ । ଦୁଇଟି ଚୌକି ଟାଣିଆଣି ସେମାନେ ବସିପଡିଲେ ଏବଂ ପଚାରିଲେ, "ଏ ଝିଅଟି କିଏ?' ରୁବେନ କହିଲା ସେ ତାର ବନ୍ଧୁ, ଲାଲ ବସ୍ତିରୁ ଆସିଛି । ଏବଂ ସେ ଏଇ ଚା ଦୋକାନରେ କାମକରେ । ଏତକ କହିସାରି ସେମାନଙ୍କୁ ଚୌକିରୁ ଉଠିବା ପାଇଁ କହିଲା । ସେମାନେ ହଠାତ୍ କିଛି ବୁଝିପାରେଲେ ନାହିଁ । ରୁବେନ ପୁଣି କହିଲା, "ସେ ଚୌକି ଛାଡ଼, ଗେଟ୍ ଅପ୍' ୟୁ ସ୍କାଉଣ୍ଡ୍ରାଲ୍ସ୍' । ଏବଂ ପକେଟରୁ ପିସ୍ତଲ କାଢ଼ି ତାଙ୍କ ଆଡ଼କୁ ଲକ୍ଷ୍ୟକରି ଧରିଲା । ସେମାନେ ବା ଚୁମ୍କି ବା ଅନ୍ୟମାନେ କେହି କିଛି ବୁଝିପାରିଲେ ନାହିଁ । ରୁବେନ ପୁଣି ସହଜ ଗଳାରେ କହିଲା, "ଏଠି ମାତ୍ର ଦୁଇଟି ଚୌକି ଅଛି । ଗୋଟିଏ ଚୌକିରେ ମୁଁ ବସିବି ଓ ଅନ୍ୟଟିରେ ଈଶ୍ୱର । ଇଶ୍ୱରଙ୍କ ବ୍ୟତୀତ ମୋ ପାଖ ଚୌକିରେ ଆଉ କାହାରି ବସିବାର ଅଧିକାର ନାହିଁ ।' ଟିକିଏ ରହିଯାଇ ପୁଣି ଧୀରେ ଧୀରେ କହିଲା, "ମୁଁ ଏବେ ଇଶ୍ୱରଙ୍କ ପ୍ରିୟ ଖେଳ ଖେଳିବି ।' ନିଜେ ଏକ ଚୌକିରେ ବସିପଡିତ ଚୁମ୍କିକୁ ତା ପାଖକୁ ଡାକିଲା । ତା ପଛପଟେ ଛିଡା ହେବାପାଇଁ ନିର୍ଦେଶ ଦେଲା ଏବଂ ପୋଲିସ ବନ୍ଧୁ ଦ୍ୱୟଙ୍କୁ ପୋଷାକ ଖୋଲି ଉଲଗ୍ନ ହେବାକୁ ନିର୍ଦେଶ ଦେଲା । ତାଙ୍କୁ ପିସ୍ତଲ ଦେଖାଇଲା । ସେମାନେ ଡରିଗଲେ ଓ ସାର୍ଟ ପେଣ୍ଟ ଖୋଲିବାକୁ ଲାଗିଲେ । ଶୂନ୍ୟକୁ ଗୋଟିଏ ଗୁଳି ଫୁଟାଇ ତାଙ୍କୁ ଆହୁରି ଭୟଭୀତ କରିଦେଲା । ସେମାନେ ସବୁ ପୋଷାକ ଖୋଲି ଉଲଗ୍ନ ହେବାକୁ ବାଧ୍ୟ ହେଲେ । ସେ ପୁଣି ନିର୍ଦେଶ ଦେଲା, ""ସାବଧାନ, ବିଶ୍ରାମ, ସାବଧାନ, ବିଶ୍ରାମ, ସାବଧାନ, ବିଶ୍ରାମ, ମାର୍ଚ ଅନ୍, ୟୁ ସ୍କାଣ୍ଡ୍ରାଲ୍ସ୍ । ସେମାନେ ସମସ୍ତେ ବାହାରକୁ ଦୌଡି ଚାଲିଗଲା ପରେ ଭିତର ପଟୁ କବାଟ ଦେଇ ବିଛଣାରେ ଗଡ଼ିପଡ଼ିଲା । ଚୁମକି କୁ ପାଖକୁ ଡାକିଲା । ଚୁମ୍କି ପାଖକୁ ଆସି ଗୋଟେ ଖବର ଦେଲା ରୁବେନକୁ । କହିଲା, "ଜାଣ, ବାତ୍ୟାରେ ମରିଥିବା ଲୋକଙ୍କ ଆତ୍ମାର ସଦ୍ଗତି ପାଇଁ ଆଜି ସେ ପଡ଼ିଆରେ ଏକ ଦଶାହ ଶୁଦ୍ଧିର ଆୟୋଜନ କରାଯାଉଛି । ହଜାର ହଜାର ଲୋକ ସେ ପଟେ ଯାଉଛନ୍ତି ।’ ରୁବେନର ତାଳୁରୁ ତଳିପା ଯାଏ ବିଦ୍ୟୁତ ସ୍ରୋତଟିଏ ବହିଗଲା । ସଙ୍ଗେସଙ୍ଗେ ଘରେ ତାଲାପକାଇ ପିସ୍ତଲ ଓ ଚୁମ୍କି ସାଙ୍ଗରେ ବାହାରି ପଡ଼ିଲା । ପଡ଼ିଆ ମଝିରେ ଭିଡ଼କୁ ଠେଲି ହୋମକୁଣ୍ଡ ପାଖରେ ଯାଇ ଛିଡ଼ା ହେଲା । ହୋମକୁଣ୍ଡକୁ ଲକ୍ଷ୍ୟକରି ଦଶଟି ଗୁଳି ଫୁଟାଇଲା । ମାଇକ୍ରୋଫୋନ୍ ଆଗରେ ପ୍ରବଚନ ବାଢୁଥିବା ପ୍ରାୟ ପଚାଶ ସରିକି ଲଣ୍ଡା ମୁଣ୍ଡିଆ ତିଳ ତର୍ପଣକାରୀଙ୍କୁ ଦୁଇଟି ଧାଡ଼ିରେ ଛିଡ଼ା ହେବାକୁ ଆଦେଶ ଦେଲା । ମାଇକ୍ରୋଫୋନ ସାମନାରେ ଆହୁରି ଦଶଧର ଗୁଳି ଫୁଟାଇଲା । ସେମାନଙ୍କୁ ଉଲଗ୍ନ ହେବାକୁ ଆଦେଶ ଦେଲା ଏବଂ କହିଲା, "ସାବଧାନ, ବିଶ୍ରାମ, ସାବଧାନ, ବିଶ୍ରାମ, ରନ୍, ରନ୍, ରନ୍,' ଆହୁରି ଜୋରରେ କହିଲା "ରନ୍, ୟୁ ପାରାସାଇଟ୍ସ୍' । ନିଜେ ପିସ୍ତଲ ହାତରେ ଦୌଡ଼ି ସେମାନଙ୍କୁ ବିରାଟ ପଡ଼ିଆରେ ଦୁଇଘେରା ଦୌଡାଇ ଆଣିଲା । ଲୋକେ ତଟସ୍ଥ, ଛିନ୍ନ ଛତ୍ର, ଭୟଭୀତ, କିଂକର୍ତବ୍ୟ ବିମୂଢ଼ । ଦୌଡୁଥିବା ଅବସ୍ଥାରେ ସେମାନଙ୍କୁ ଧୀର ଗଳାରେ କହୁଥିବାର ଶୁଣାଗଲା, ""ବନ୍ଧୁଗଣ, ମୁଁ ଜଣେ ମୁକ୍ତ-ମଣିଷ । ମୋତେ ଈଶ୍ୱର ପଠାଇଛନ୍ତି, ତୁମମାନଙ୍କୁ ଦଣ୍ଡ ଦେବା ପାଇଁ । ଈଶ୍ୱର ତ ମଣିଷକୁ ବିଷାଦ, ଯନ୍ତ୍ରଣା ଓ ଦୁଃଖର ନ୍ୟୁନତମ ବିନ୍ଦୁରୁ ଜୀବନ ଆରମ୍ଭ କରିବାକୁ ଛାଡିଦେଇ ସେ କେମିତି କାଳ ଫାଶରୁ ମୁକ୍ତ ହେଉଛି, ମୁକ୍ତ ହୋଇ ପାରୁଛି ନା ନାହିଁ - ଏକଥା ପରୀକ୍ଷାନିରୀକ୍ଷା କରୁଛନ୍ତି । ତମେ ସବୁ ଛଳନାକରି ତା'ର ଦୁଃଖକୁ କାହିଁକି ବଢ଼ାଇବାରେ ଲାଗିଛ? ଈଶ୍ୱର ତ କିଛି ଧର୍ମ ବା ହିତୋପଦେଶ ମଣିଷକୁ ଦେଇ ନାହାନ୍ତି,