ପୃଷ୍ଠା:Hada bagicha.pdf/୧୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେ ପ୍ରଣିପାତ କଲା ଏବଂ କେହି କିଛି ପଚାରିବା ପୂର୍ବରୁ କହିଲା, "ଘୋଡ଼ା' । ଗେରୁଆ ବସ୍ତ୍ର ପିନ୍ଧା ଲଣ୍ଡାମୁଣ୍ଡିଆ ମଣିଷ ଚାରିଜଣ ପ୍ରଚୁର ବାଳଥିବା ତାଙ୍କ ବାବାଙ୍କ ଉଭୟ କାନରେ ଫିସ୍ ଫିସ୍ କରି କିଛି କହିଲେ । ବାବା ମଧ୍ୟ ଫିସ୍ ଫିସ୍ କରି କିଛି କହିଲେ । ବାବା ଆଖି ବୁଜି ଚୁପ୍ ଚାପ୍ ଠିଆହେଲେ । ଜଣେ ଆସି ସ୍ୱପ୍ନ ଦେଖାଳିର କାନ ପାଖରେ କିଛି କହିଲା । ସ୍ୱପ୍ନ ଦେଖାଳି ଆଶ୍ଚର୍ଯ୍ୟ ହେଲା, "ପଚାଶ ହଜାର ଟଙ୍କା?' ବାବା ଆଖି ଖୋଲିଲେ ଏବଂ ହାତ ଉପରକୁ ଟେକି ମନ୍ତ୍ର ପଢ଼ିଲେ । "ଓଁ ତତ୍ସତ୍' ବୋଲି ଉଚ୍ଚାରଣ କଲେ । ହାତ ମୁଠାକରି ସ୍ୱପ୍ନ ଦେଖାଳିକୁ କିଛି ନେବା ପାଇଁ କହିଲେ । ସ୍ୱପ୍ନ ଦେଖାଳି ଆଞ୍ଜୁଳା ପାରିଦେଲା । ତା ହାତରେ ଅଣ୍ଡାଟିଏ ଆସି ପଡ଼ିଲା ବାବାଙ୍କ ହାତମୁଠାରୁ । ସେ ବିସ୍ମିତ ହେଲା । ବାବା କେମିତି ଶୂନ୍ୟରୁ ଅଣ୍ଡାଟିଏ ସୃଷ୍ଟିକରି ତାକୁ ଦେଲେ ସେ ଭାବିପାରିଲା ନାହିଁ । ତା ମୁଣ୍ଡ ଝାଇଁ ଝାଇଁ କଲା । ବାବା ସଂସ୍କୃତରେ ଶ୍ଲୋକଟିଏ ଉଚ୍ଚାରଣକଲେ ଆଖିବୁଜି । ଅନ୍ୟମାନଙ୍କୁ ଠାରରେ କିଛି କହିଲେ । ଚାରିଜଣ ଆସି ସ୍ୱପ୍ନ ଦେଖାଳିକୁ ତତ୍‌କ୍ଷଣାତ୍ ଭିଡ଼ି ନେଇଗଲେ ଅନ୍ୟ ଏକ କୋଠରିକୁ । ତା ପୋଷାକ ଅଣ୍ଡାଳି ପକାଇଲେ । ତା ପକେଟରେ ଥିଲା ଅନନ୍ୟ ଦ୍ରବ୍ୟ ଗୁଡ଼ାଏ--ବାଘନିଶ ଦୁଇଟି, ଶାମୂକା ଗୋଟିଏ, ବଜ୍ରକାପ୍ତାର କାତି ଗୋଟିଏ, ଛୋଟ ଶଂଖଟିଏ, କୌଣସି ଚଡ଼େÿଇର ପରଟିଏ, ନଦୀରୁ ଗୋଟା ଯାଇଥିବା ପଥର ଚାରିଟି, ରୁଦ୍ରାକ୍ଷଟିଏ, କସ୍ତୁରୀଟିଏ ଏବଂ ପିଲାଙ୍କ ଛୋଟଛୋଟ ଖେଳନା ଗୁଡ଼ାଏ । ତା ଛଡ଼ା କିଛି ବେଲୁନ, ଲୋଚାକୋଚା କାଗଜ ଡଙ୍ଗା ଦୁଇଟି, ଶୁଖାପତ୍ର, କିଛି ପାଖୁଡ଼ା ଏବଂ ଗୁଡ଼ାଏ ବାଲି ଗୋଡ଼ି ମାଟି ମଧ୍ୟ ବାହାରିଲା ତା ପକେଟରୁ । ଗେରୁଆଧାରୀ ମାନେ ଆଶ୍ଚର୍ଯ୍ୟ ହେଲେ । ସେମାନେ ହସିଲେ ଓ ସବୁ ପଦାର୍ଥକୁ ତା ପକେଟରେ ପୁଣି ପୁରାଇ ଦେଲେ । ଜଣେ ତା କାନକୁ ମୋଡ଼ି ଦେଲା । ଜଣେ ତା ବାଳ ଝିଂକି ଦେଲା । ସମସ୍ତେ ମିଶି ତାକୁ ବସାଇଲେ ଓ ଉଠାଇଲେ ଦଶଥର । ଜଣେ ପାଣିକଖାରୁ ଟିଏ ଆଣି ଆସିଲା ଏବଂ ତାକୁ ଦି'ଫାଳକରି କାଟି କହିଲା, ‘ଏ ପାଣି କଖାରୁର ଶସ ସବୁକୁ ଏଠି ବସି କାଢ଼ ।’ ଏକ ଘଣ୍ଟାକାଳ ପରିଶ୍ରମକରି ସ୍ୱପ୍ନ ଦେଖାଳି ସବୁ ଶସ କାଢ଼ି ପକାଇଲା । ଲଣ୍ଡା ମୁଣ୍ଡିଆ ଲୋକେ କହିଲେ ‘ତା ଭିତରେ ଅଣ୍ଡାଟି ରଖ ।’ ସେ ଅଣ୍ଡା ଥୋଇଲା । ଜଣେ ପୁଆଳ ଆଣି ପାଣିକଖାରୁ ଉପରେ ଗୁଡ଼ାଇ, ଚଉତା ଚଉତି କରି ସୁତାରେ ଭଲକରି ବାନ୍ଧି ପକାଇଲା । ସବୁକାମ ସରିବା ପରେ ଜଣେ କହିଲା, ‘ୟାକୁ ସାବଧାନରେ ଧର, ଭଲକରି ନିଅ । ପାଞ୍ଚ ଦିନକାଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ ଚୂଲି ମୁଣ୍ଡରେ ରଖିଥିବ । ଯେମିତି ଏହା ଉପରେ ନିଆଁ ଧାସ ପଡିବ । ଖବରଦାର, ଯେମିତି ମୂଷା କିମ୍ବା ବିରାଡ଼ି ଏହାକୁ ଗଡ଼ାଇ ନ ଦିଅନ୍ତି । ଜଗି ବସିଥିବ । ତମେ ସୂର୍ଯ୍ୟାସ୍ତ ପୂର୍ବରୁ ଗାଧୋଇ ସାରିଥିବ । ବାବାଙ୍କୁ ମନେପକାଇ ପ୍ରଣିପାତ କରିବ । ବିଭୂତି ମାଖିବ । ଦି'ଛାଟ ପିଟିହେବ ଦେହରେ । ପାଞ୍ଚଦିନ ଯେଉଁ ଦିନ ପୁରିବ ସେଦିନ ସୂର୍ଯ୍ୟାସ୍ତ ପରେ ଅନ୍ଧାରରେ ଧୀରେ ଧୀରେ ନେଇ କ୍ଷେତ ଭିତରକୁ ଯିବ ଏବଂ ଏହାକୁ ଆସ୍ତେ ଆସ୍ତେ ଖୋଲିବ । ତା ଭିତରୁ ଏକ ଘୋଡ଼ା ଛୁଆ ବାହାରିବ । ସାବଧାନ, ସେ ଉଠିବାକ୍ଷଣି ଦୌଡିବା ଆରମ୍ଭ କରିବ, ଡିଆଡେଇଁ କରିବ, ତାକୁ ସଙ୍ଗେ ସଙ୍ଗେ ଧରିବ, ନଚେତ କୁଆଡ଼େ ହଜିଯାଇ ପାରେ । ମନେରଖ, ଏହା ହେଉଛି ପକ୍ଷୀରାଜ ଘୋଡ଼ାଛୁଆ । ବାବାଙ୍କ ଆଶୀର୍ବାଦରୁ ଜନ୍ମ ହେଉଛି । ବିନା ମା'ର ଛୁଆହେବ । ତାକୁ କ୍ଷୀର ଖୁଆଇବ ଦଶଦିନ ଯାଏ । ତାପରେ ଘାସ ଖୁଆଇବ, କୋଳଥ ଦେବ, ତୋରାଣି ଦେବ । ଧୀରେ ଧୀରେ ତାର ଡେଣାହେବ ଛ'ମାସ ପରେ । ଡେଣା ଗଜୁରିବାର ଛ'ମାସ ପରେ ଯାଇ ଘୋଡ଼ା ପିଠିରେ ବସିବ । ତା ମାନେ ଘୋଡ଼ାକୁ ଏକ ବର୍ଷ ହେବାଯାଏ କେବେହେଲେ ତା ପିଠିରେ ବସିବ ନାହିଁ । କଅଁଳି ହାଡ଼, ଭାଙ୍ଗିଯାଇପାରେ । ତା ଡେଣାକୁ କ୍ଷୀର ପକାଇ ଧୋଇବ, ତା ପିଠିକୁ ବି କ୍ଷୀର ପକାଇ ଧୋଇବ । ମାଛି ବସାଇ ଦେବନାଇଁ । ପକ୍ଷୀରାଜ ଘୋଡ଼ାଟି ଧଳାରଙ୍ଗର ହେବ ।’ ସ୍ୱପ୍ନ ଦେଖାଳି ସଙ୍ଗେ ସଙ୍ଗେ କଥାକାଟି ପଚାରିଲା, ‘ଲାଲ ରଙ୍ଗର ହେବନାହିଁ?’ ସେମାନେ କହିଲେ, "ବାବାଙ୍କ ଆଶୀର୍ବାଦରୁ, ଯଦି ଘୋଡ଼ାଟି ଯଥେଷ୍ଟ ପରିମାଣରେ କୋଳଥ ଖାଇବ ତେବେ ଲାଲ ରଙ୍ଗର ନିଶ୍ଚୟ ହେବ ।' ସ୍ୱପ୍ନଦେଖାଳି ଖୁବ ଖୁସି ହୋଇଗଲା । ଉଠି ଯିବାକୁ ବସୁଥିଲା । ସେମାନେ ତାକୁ ପୁଣିଥରେ ବସ୍ ଉଠ କରାଇଲେ ଦଶଥର । ଏଥର ତାକୁ କାନଧରି ବସଉଠ୍ ହେବାକୁ ପଡ଼ିଲା । ଜଣେ ଆସି ତାକୁ ବେତଟିଏ ଧରି ତା ପିଠିରେ ଦି'ବେତ ପକାଇଲା । କହିଲା, "ଏହା ବାବାଙ୍କ ଆଶୀର୍ବାଦ । ଯାଅ, ଯଶସ୍ୱୀ ହୁଅ ।' ସ୍ୱପ୍ନ ଦେଖାଳି ମାଡ଼ ଖାଇ ଉଠିଲା । ଦେହଟା କଷ୍ଟ ହେଉଥିଲେ ବି ମନଟା ଖୁସି ଥାଏ । ପୁଆଳରେ ବନ୍ଧା କଖାରୁ ଧରିଲା । ତାକୁ ଘୋଡ଼ା କିଣିବାରେ ଆଉ ପଇସା ଖର୍ଚ କରିବାକୁ ପଡ଼ିବନାହିଁ ଭାବି ଆହୁରି ଖୁସି ହେଲା । ଧୀରେ ଧୀରେ ବାହାରକୁ ଆସି, ତା