ପୃଷ୍ଠା:Hada bagicha.pdf/୧୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହା ଜଳଜଳ ବି ନୁହେଁ, ତେଣୁ ଜଳ । ‘ଜଳ’ ଶବ୍ଦଟି ତେଣୁ ଭିନ୍ନ ଏକ ଶବ୍ଦ । ପୃଥକ, ଅନନ୍ୟ, ସାର୍ବଭୌମ ଓ ସ୍ୱାଧୀନ । ଏହା ଅପରୂପ ଓ ନିରାକାର । କୌଣସି ଶବ୍ଦସାଙ୍ଗରେ ଏହା ଖାପ ଖାଉନାହିଁ । ଏହାର ଅର୍ଥ କିଛିନାହିଁ । ଫରାସୀ ଭାଷାରେ ଜଳକୁ ‘ଓ’ କୁହାଯାଏ, ଜର୍ମାନୀରେ ‘ୱାସର’, ଗ୍ରୀକରେ ‘ନିରୋ’, ଚୀନରେ ‘ଶୁଇ’, ସ୍ୱାହିଲୀରେ ‘ମାଜି’, ଚେକୋସ୍ଲୋଭାକିଆରେ ‘ବୋଡା’, ଫିଲିପାଇନ୍‌‌ରେ ‘ଟ୍ୟୁବିଗ’, ଜାପାନରେ ‘ମିଜୁ’ ଇଣ୍ଡୋନେସିଆରେ ‘ଏଆର’ ରୋମାନିଆରେ ‘ଡି-ଆପା. ସ୍ୱିଡିସ୍ ଭାଷାରେ ‘ବେଟେନ୍’ ଆରବରେ କୁହାଯାଏ ‘ମା’, ଆଜରବାଇଜାନ୍ରେ କୁହାଯାଏ ‘ସୁ’ । ଇଂରାଜିରେ କୁହାଯାଏ ‘ୱାଟର’ ହିନ୍ଦୀରେ କୁହାଯାଏ ‘ପାନି’, ତେଲୁଗୁରେ କୁହାଯାଏ ‘ନିଲୁ’ । ଉଚ୍ଚାରଣ ମାଧ୍ୟମରେ ବି କୌଣସି ଶବ୍ଦ ଅନ୍ୟ କୌଣସି ଶବ୍ଦସହିତ ସମ୍ପର୍କ ରଖୁନାଇଁ । ଜଳର ଦଶହଜାର ନାମ ଅଥଚ ଜଳ ନାମକ ବସ୍ତୁ ସାଙ୍ଗରେ ତାର କୌଣସି ନୀତିଗତ ସମ୍ପର୍କ ନାହିଁ । ତେବେ ଶବ୍ଦଟିଏ କେମିତି ତାର ଅର୍ଥ ପ୍ରକାଶ କରେ? ଅନ୍ୟ ଶବ୍ଦ ମାନଙ୍କର ସମ୍ପର୍କରୁ । ଅର୍ଥାତ ପ୍ରୟୋଗରୁ । ଗୋଟିଏ ଶବ୍ଦର ଜନ୍ମ ବୃତ୍ତାନ୍ତ ଥାଇପାରେ । ମାତ୍ର ସେ ଜନ୍ମ ହେବାକ୍ଷଣି ଭିନ୍ନ, ଅନନ୍ୟ, ସାର୍ବଭୌମ ଓ ସ୍ୱାଧୀନ । ଶବ୍ଦର ଏ ନିରାକାରପଣ ଯୋଗୁ ଏହା ଅଭିଧାନ ପୃଷ୍ଠାରୁ ଡେଇଁ, ବ୍ୟାକରଣ ବିଧି ବିଧାନରୁ ହୁଗୁଳିଯାଇ, ମୂଳ ବା ଉତ୍ସରୁ ଓହରିଯାଇ କାହିଁ କେଉଁଆଡ଼େ ଆଗେଇଯାଏ । ଗୋଟାଏ ଭିଡ଼ ମଧ୍ୟରୁ ବାଡ଼ିଆପିଟା ଦଳାଚକଟା ହୋଇ ଦ୍ରୁତଗତିରେ ବାହାରିଆସିବା ପରି ଶବ୍ଦଟିଏ ଧାଏଁ । ପାଠକକୁ ଧାଇଁବାକୁ ପଡ଼େ ତା ପଛେ ପଛେ । ବାହ୍ୟ ଜଗତରୁ ବା ବସ୍ତୁ ଜଗତରୁ ସାହିତ୍ୟର ଭାଷା ସୃଷ୍ଟି ହୁଏନାହିଁ । ବରଂ ଭାଷା ବାହ୍ୟ ଜଗତକୁ ସୃଷ୍ଟିକରେ । ଗୋଟିଏ ପରିବେଶ ବା ଗୋଟିଏ ଚରିତ୍ରର ଯାହା ତଥ୍ୟ ବା ଅବଧାରଣା ସାହିତ୍ୟରେ ଦିଆହୋଇଥାଏ ତାହା ଭାଷାର ଶୃଙ୍ଖଳାବୋଧ ଦ୍ୱାରା ନିୟନ୍ତ୍ରିତ । ବାସ୍ତବ ଜଗତରେ ଜଣେ ନାୟକକୁ ଦେଖି ଜଣେ ଲେଖକ ଦଶଟି ଗଳ୍ପ ଲେଖି ପାରେ ଏବଂ ଦଶଜଣ ଲେଖକ ଆହୁରି ଦଶଦଶଟି ଗଳ୍ପ ଲେଖିପାରନ୍ତି । ଏହା ସମ୍ଭବ । ତେବେ ସେମାନେ ଗୋଟିଏ ଗଳ୍ପ ଲେଖୁଛନ୍ତି ବୋଲି କୁହାଯାଇପାରେ । ମାତ୍ର ସେମାନେ ପରସ୍ପର ଠାରୁ ଭିନ୍ନ କିପରି? କେବଳ ଭାଷାର କାରୁକର୍ମ ମାଧ୍ୟମରେ । ସମସ୍ତେ ସେଇ ମଣିଷ କଥା ହିଁ ତ ଲେଖନ୍ତି । କିନ୍ତୁ ଲେଖନ୍ତି ନିଜ ନିଜ ଶୈଳୀରେ । ଆଗରୁ ଲେଖା ସରିଥିବା ଚରିତ୍ରକୁ ନେଇ ଆଗାମୀ ସମୟରେ ଆହୁରି ଅସଂଖ୍ୟ ସାହିତ୍ୟ ସମ୍ଭବ । ତେଣୁ କୌଣସି ଲେଖକ ଏଠି ଏକା ନୁହେଁ । କୌଣସି ସାହିତ୍ୟ ସୃଷ୍ଟି ବି ଏକା ନୁହେଁ । ତା ପଛରେ ହଜାରେ ଲେଖକଙ୍କ ସୃଷ୍ଟ ସାହିତ୍ୟର ପ୍ରଭାବ ରହିଥାଏ । ପୂର୍ବସୂରୀ ମାନଙ୍କର ପ୍ରଚ୍ଛନ୍ନ ଭୂମିକା ଅହରହ ଜଣେ ଲେଖକକୁ ଚରିଯାଉଥାଏ । ଏହା ହିଁ ଆନ୍ତର୍ଗ୍ରନ୍ଥିକତା । ଅନେକ ଲେଖକଙ୍କ ଉପାଦାନସମୂହକୁ ଜଣେଲେଖକ ବା ଜଣେପାଠକ ନିଜ ଗର୍ଭରେ ଧାରଣ କରିଥାଏ ନିରବଧି । ହଜାର ସାହିତ୍ୟ ସୃଷ୍ଟି ସମ୍ପର୍କରେ ଧ୍ୟାନଧାରଣା ନଥିବା ଲେଖକଙ୍କ ଦ୍ୱାରା ଗୋଟିଏ ବି ସାହିତ୍ୟ ଗ୍ରନ୍ଥ ସୃଷ୍ଟି କରିପାରିବା ସମ୍ଭବ ହୁଏନାହିଁ । ପାଠକପାଇଁ ମଧ୍ୟ ଗ୍ରନ୍ଥଟିଏ ଅବୁଝା ରହିଯାଏ । ସାହିତ୍ୟର ଶୈଳୀ, ଭାଷା ଓ ଦୃଷ୍ଟିକୋଣ କେବେ ପୁରୁଣା ହୁଏନାହିଁ । କାହାଣୀ ନୂଆ ପୁରୁଣା ହୋଇପାରେ । ମାତ୍ର ଭାଷାର କାରିଗରୀ ଓ ସୂକ୍ଷ୍ମ ଭାବଜଗତ କେବେ ଅଳୀକ ହୁଏନାହିଁ । ଛନ୍ଦରେ ଗତିକରୁଥିବା ଭାଷା, ଅତି ପରିଚିତ ଶବ୍ଦମାନଙ୍କୁ ନୂଆକରି ଦେଖାଇ ପାରୁଥିବା ଭାଷା ହିଁ ତ ସାହିତ୍ୟ । ସାଗୁଆ ଘାସବିଡ଼ାଏ ଧରି ଗାଈକୁ ଜଗତ ବୁଲାଇ ଅଣାଯାଇ ପାରିଲା ପରି ଶବ୍ଦ ଦେଖାଇ ଲେଖକ ପାଠକକୁ ଗଳ୍ପର ଆମୂଳଚୁଳ ଏକ ଶ୍ୱାସରେ ବୁଲାଇ ଆଣିପାରିବା ହିଁ ସାହିତ୍ୟ । ବଶଂବଦ ପ୍ରିୟଜନ ପରି ପାଠକ ଶବ୍ଦ ପଛେ ପଛେ ଧାଇଁବାକୁ ବାଧ୍ୟହେବା ହିଁ ସାହିତ୍ୟ । ପାଠକକୁ ଅଣନିଶ୍ୱାସୀ ଲାଗିବା, ତଣ୍ଟି ଅଠା ଅଠା ଲାଗିବା, ଦେହର ତାପମାତ୍ରା ବଢ଼ିଯିବା, ରକ୍ତ ଚାପ ବଢ଼ିଯିବା ହିଁ ସାହିତ୍ୟ । ସାହିତ୍ୟକୁ ସମସ୍ତେ ଆସନ୍ତି, ମାତ୍ର କେହି ଯାଆନ୍ତି ନାହିଁ । ସାହିତ୍ୟରେ ଉକ୍ରୃଷ୍ଟ ବା ନିକୃଷ୍ଟ ବୋଲି କିଛି ଥାଏନାହିଁ । ସୂକ୍ଷ୍ମ ଭାବ ଜଗତ ଓ ମୂଲ୍ୟବୋଧ ସହିତ ଏକାକାର ହେବାରେ ପୁରାତନ ସାହିତ୍ୟ ଓ ଆଧୂନିକ ସାହିତ୍ୟର ସଞ୍ଜ୍ଞା ବି ନିରର୍ଥକ ମନେହୁଏ । ସାହିତ୍ୟ ଜଗତରେ ‘ସାହିତ୍ୟର ଇତିହାସ’ ବୋଲି କିଛି ହୋଇପାରେନାହିଁ । ସାହିତ୍ୟ କେବେ ଇତିହାସ ହୋଇଥାଏ ନାହିଁ ଏବଂ ଯାହା ଇତିହାସ ହୋଇଯାଏ ତାହା ସାହିତ୍ୟ ନୁହେଁ । ପୁରାତନ ଆକାଶ ବା ପୁରାତନ ସମୁଦ୍ର ଯେମିତି ହୋଇପାରେନାହିଁ, ସେମିତି ପୁରାତନ ସାହିତ୍ୟ କହିବା ବି ନିଷ୍ପ୍ରୟୋଜନ । ସାହିତ୍ୟ ସବୁବେଳେ ସତେଜ । ତେବେ ଜଣକର ସାହିତ୍ୟକୃତି ଅନ୍ୟଜଣକର ସାହିତ୍ୟକୃତି ଠାରୁ କିପରି ଅଲଗା? ସମାନ୍ତରାଳ ଭାବରେ ଅଲଗା, ପ୍ରଲମ୍ବ ଭାବରେ ନୁହେଁ । ଅର୍ଥାତ୍ ଜଣକର ସାହିତ୍ୟକୃତି