ପୃଷ୍ଠା:Hada bagicha.pdf/୧୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶବ୍ଦର ଆମୂଳ ଚୂଳ ବଂଶୀଧର ଏକମାସ ପରେ ସତ୍ୟବାଦୀ ବନ ବିଦ୍ୟାଳୟକୁ ଯିବ । ଗାଁଟା ସାରା ଲୋକଙ୍କ ମନ ଅସ୍ଥିର । ପଡିଂତ ନୀଳକଣ୍ଠ ଦାସଙ୍କ ଚିଠି ପହଞ୍ଚି ଯାଇଛି । ବଂଶୀଧର ଏବେ ବାହାର ବାରଣ୍ଡାରେ କାନ୍ଥକୁ ଲାଗି ବସିଛି ଓ ଅଦିନିଆ ବର୍ଷାକୁ ଦେଖୁଛି । ଅଗଣାରେ ବନ୍ଧା ତାର ଉପର ଦେଇ ବର୍ଷାପାଣି ବିନ୍ଦୁବିନ୍ଦୁ ହୋଇ ଗଡ଼ିଯାଉଛି ଓ ଥପ୍ଥପ୍ ହୋଇ ମାଟିରେ ପଡୁଛି, ଅଗଣାର ଜଳରେ ମିଳେଇଯାଉଛି । ଘଣ୍ଟାଏ ହେଲା ବଂଶୀଧର ସେଇ ଗୋଟାଏ ଦୃଶ୍ୟ ଦେଖୁଛି । ବର୍ଷା ଅଜାଡ଼ି ହେଉଛି, ପାଣିବିନ୍ଦୁର ଧାଡ଼ି ଲମ୍ବିଛି, ପଡୁଛି, ମିଳେଇଯାଉଛି । ଜଳବିନ୍ଦୁ ସବୁ ଶୂନ୍ୟରୁ ସୃଷ୍ଟିହୋଇ ଶୂନ୍ୟରେ ମିଳାଇ ଯାଉଛି । ଆବିର୍ଭାବ ହେଉଛି ଏବଂ ଅନ୍ତର୍ଧାନ ହେଉଛି । ମଲା ଛେଳିର ଆଖିପରି ଚକ୍ଚକ୍ କରୁଛି । ପିଲାଟି ଚୁପଚାପ ବସି ତାକୁ ଦେଖୁଛି । ଅନେକ କଥା ଭାବୁଛି । ତା’ ଓଠ ଦୁଇଟି ଥରି ଉଠୁଛି । କିଛି କହିବ କହିବ ପରି ହେଉଛି । ଜଳବିନ୍ଦୁ ଗଡ଼ିଗଡ଼ି ଯାଉଛି- ବିନ୍ଦୁ- ବିନ୍ଦୁ- ବିନ୍ଦୁ-ବିନ୍ଦୁ-ବିନ୍ଦୁ ବିନ୍ଦୁ ଅସରନ୍ତି ବିନ୍ଦୁ ଏବଂ ଖସୁଛି । କ’ଣ ଖସୁଛି? ଜଳ ନା ବିନ୍ଦୁ? ଜଳ ଖସି ଜଳରେ ମିଶୁଛି । ବିନ୍ଦୁ ଖସି କେଉଁଠି ମିଶୁଛି? "ବିନ୍ଦୁ' ଶବ୍ଦଟି ଖସୁଛି । ଶବ୍ଦ ଖସୁଛି । ଶବ୍ଦମାନେ ଧାଇଁଧାଇଁ ଖସୁଛନ୍ତି ଏବଂ ଉଭେଇ ଯାଉଛନ୍ତି, ଲୋପପାଇ ଯାଉଛନ୍ତି, ମରୁଛନ୍ତିି । ପିଲାଟି ଡାକିଲା, "ବାପା-ବାପା-ମା-ମା-ଆସ, ଶୀଘ୍ର ଆସ ।’ ତା’ ମା’ବାପା ଘର ଭିତରୁ ଦୌଡ଼ି ଆସିଲେ । ବଂଶୀଧର କହିଲା, "ଦେଖ, ଶବ୍ଦମାନେ ଦୌଡୁଛନ୍ତି । ଖସିପଡ଼ି ମରିଯାଉଛନ୍ତିି । ଦେଖ, ଶବ୍ଦମାନଙ୍କ ମୃତ୍ୟୁ ।’ ତା’ ମା’ ବାପା କିଛି ଦେଖିପାରିଲେ ନାହିଁ । ତାଙ୍କ ଆଖିକାନ ଅନ୍ଧାର ଦେଖାଗଲା । ତାଙ୍କ ପୁଅ କ’ଣ ହୋଇଯାଉଛି ଭାବି ସେମାନେ ବିମର୍ଷ ହୋଇଗଲେ । ମା’ ତାର କବାଟ ପାଖରେ ଠିଆହୋଇ କାନ୍ଦି ପକାଇଲେ । ବାପା ଆସି ପୁଅର ମୁଣ୍ଡ ଆଉଁସିଦେଲେ । କହିଲେ, "ଆ, ଘରକୁ ଆ ଖାଇବାବେଳ ହେଲା ।’ ତା’ ହାତ ଧରି ଏକପ୍ରକାର ଟାଣି ଆଣିଲେ । ପିଲାଟି ବିନା ପ୍ରତିବାଦରେ ଘରକୁ ଆସିଲା । ବାହାରେ ତଥାପି ବର୍ଷା । ପିଲାଟି ପିଢ଼ା ପକାଇ ବସିଲା । ମା’ ଆଖିପୋଛି ଭାତ ବାଢ଼ିଦେଲେ । ବଂଶୀଧର ଦେଖିଲା, ତା’ ଥାଳିରେ ଭାତ ରଖାହୋଇଛି । ସେ ଭାତ ଖାଇବ । "ଭାତ' ଶବ୍ଦକୁ ଖାଇବ । ସେ ଶବ୍ଦ ଖାଇବ । ଥାଳିଏ ଶବ୍ଦ ଖାଇବ । ଶବ୍ଦମାନେ ତା’ ପେଟ ଭିତରକୁ ଯିବେ । ପେଟ ତା’ର ଗୋଳମାଳ ହୋଇ ଯାଇପାରେ । ହଜାର ହଜାର "ଭାତ' ଶବ୍ଦ ତା’ ପେଟ ଭିତରେ ମରିଯିବେ । ଶବ୍ଦମାନଙ୍କ ମୃତ୍ୟୁକଥା ଭାବିଲେ ତା’ ମୁଣ୍ଡ କ’ଣ ହୋଇଯାଉଛି । ସେ ତା’ ମା’କୁ କହିଲା, "ମା ମୁଁ "ଭାତ’ ଶବ୍ଦମାନଙ୍କୁ ଚୋବାଇ ଚୋବାଇ ଖାଉଛି ।’ ମା’ ପୁଣି କାନ୍ଦି ପକାଇଲେ । କହିଲେ, "ତୁ ଖା’ରେ ପୁଅ, କିଛି କହନା, କିଛି କହନା ।’ ତାଙ୍କର ଏକମାତ୍ର ପୁଅ ବଂଶୀଧର ବର୍ଷେ ଉପରେ ହେବ ଏପରି ଅଖାଡୁଆ କଥା ସବୁ କହୁଛି । କେହି କିଛି ବୁଝିପାରୁନାହାନ୍ତି । ଜ୍ୟୋତିଷକୁ ପଚରା ହେଲାଣି । ଜାତକ ଦେଖାହେଲାଣି । ରାଜଜ୍ୟୋତିଷ କହୁଛନ୍ତି, "ସର୍ପ ନକ୍ଷତ୍ର ଅଶ୍ଲେଷାର ଦ୍ୱିତୀୟ ଚରଣ ଏକଘଣ୍ଟା ଗତେ ମଧ୍ୟରାତ୍ରରେ ତା’ର ଜନ୍ମ ହୋଇଥିବାରୁ ଏବଂ ରାଶିଚକ୍ରରେ ରାହୁକେତୁଙ୍କ ଗୋଟିଏ ପାଶ୍ୱର୍ରେ ସମସ୍ତ ଗ୍ରହ ଅବସ୍ଥାନ କରୁଥିବାରୁ ତା’ର କାଳସର୍ପ ଯୋଗ ରହିଛି । ରବି ନୀଚ ରାଶିଗତ ହୋଇଛି । ତେଣୁ ଏହାର ନିରାକରଣ ଉପାୟ ହେଉଛି ସୂର୍ଯ୍ୟୋପରାଗ ସମୟରେ ରୁଦ୍ରାଭିଷେକ କରି ମହାମୃତ୍ୟୁଂଜୟ ମନ୍ତ୍ର ଜପ କରିବା- ମାତାପିତା ଉଭୟେ । ପୂଜା ସାମଗ୍ରୀ ସହିତ ରୂପାରେ ତିଆରି ନାଗ-ନାଗୁଣୀ ଯୋଡ଼ି ସ୍ଥାପନା କରାହେବ । ପୂଜାଶେଷରେ ନାଗ-ନାଗୁଣୀ ଯୋଡ଼ିକୁ ତମ୍ବା ଢାଳରେ କ୍ଷୀରପୂର୍ଣ କରି ତହିଁରେ ବୁଡ଼ାଇ