କବିତା କଲ୍ଲୋଳିନୀ/ସେ ପୀରତୀ ସତେ
ସେ ପୀରତି ସତେ
[ସମ୍ପାଦନା]←ଚାହିଁଲା ତ ନାହିଁ | କବିତା କଲ୍ଲୋଳିନୀ ଲେଖକ/କବି: ସେ ପୀରତୀ ସତେ |
ଛୋଟ ଢୁମ୍ପା→ |
(ରାଗ: ଆଷାଢ଼ଶୁକ୍ଳ)
ସେ ପୀରତି ସତେ, କି ପଦାର୍ଥ କହ ପଣ୍ଡିତେ ମୋତେ। ଘୋଷା ।
ଶାରଦା ନୁହେ କରେ ବାବଦୂକ, ଅମଳ ନୋହେ ଅତି ଉନ୍ମାଦକ,
ହୋଇ ହୃଦୟ ଅଦୃଶ୍ୟ ପଦକ, ହଜାଇ ଦିଅଇ ବିବେକଯାକ।୧।
ସୁମ ନୋହି କରେ ଦିବ୍ୟ ସୁଗନ୍ଧ, ସମଜଇ ନାହିଁ ନୁହଁଇ କନ୍ଧ,
ପଟଳ ନୋହି ଚକ୍ଷୁ କରେ ଅନ୍ଧ, ଶୃଙ୍ଖଳ ନୋହେ ଦୃଢ଼େ କରେ ବନ୍ଧ।୨।
ନୋହେ ବଇରାଗ୍ୟ ତେବେ ସେ ଦେହେ, ତାହା ବିନା ଯତ୍ନ ଲବେ ନ ରହେ,
ଅଜ୍ଞାନ କରେ ମୂର୍ଖପଣ ନୋହେ, ଅନ୍ନ ନୋହି ଶୀର୍ଣ କରେ ବିରହେ।୩।
ନୋହେ ଚନ୍ଦ୍ରକର କରେ ଆହ୍ଲାଦ, ଅମୂତ ନୁହେଁ ସେ ତହୁଁ ସୁଆଦ,
ଚିନ୍ତା ନୁହେଁ ଜାତ କରେ ବିଷାଦ, ବଢ଼ାଏ ଗରବ ନୁହେଁ ସମ୍ପଦ।୪।
ନୁହଇ ଶରୀରରଖା ମନ୍ତର, ଦର ହେତୁରୁ ନ ଜନ୍ମାଏ ଦର,
ହୁଏ ନିଦାନଭୂତ ବିନାଦର, ପଲ୍ଲବାଏ ଅସଦୃଶେ ଆଦର।୫।
ନୋହେ ଘୂକନେତ୍ରଗୋଳା କଜ୍ଜଳ, ଦୃଶ୍ୟ କରାଏ ଗାଢ଼ତମ ସ୍ଥଳ,
ଲଙ୍ଘାଏ ଦୁର୍ଗ ନୋହେ ଜଙ୍ଘାବଳ, ବୁଡାଇ ଦିଅଇ ନୁହଇ ଜଳ।୬।
ଅତି ଚମତ୍କାରତର ତା ଲୀଳା, ନାହିଁ ଦେହ ନୁହେଁ ଚିତ୍ରକୁଶଳା,
ଲେଖେ ସଂସାରେ ନ ରଖି ତୁଳା, ପ୍ରତି ଦିଗେ ପ୍ରିୟଜନ ପିତୁଳା।୭।
ଅଭିପ୍ରେତ ଗଲେ ନୟନେ ପଡ଼ି, ଅଟକଇ ପଦ ନୁହଇ ହଡ଼ି,
ନ ଥାଏ ଭୁଜ ରହିଥାଏ ଭିଡ଼ି, ନୁହଇ ପରାଣ ନୁହଇ ଛାଡ଼ି।୮।
ପୁତ୍ର କଳତ୍ର ସମ୍ପତ୍ତି ଆବାସେ, ରୁଚି ବିନା ବିଷ ପରି ଆଭାସେ,
ଚିନ୍ତା ଜନ୍ମାଇ ଦିଅଇ ମାନସେ, ଆହା କି ବିଚିତ୍ର ରସନ୍ଦୀ ସେ।୯।
ବିଚ୍ଚେଦ କ୍ଷଣ କରଇ ବରଷେ, ସଙ୍ଗମେ ଅଶେଷ ସୁଖ ବରଷେ,
ବର ଆକର ସବ ଭାବର ସେ, ଅତି ବିଷମ ହୁଏ ନବ ରସେ।୧୦।
ସନ୍ତପ୍ତ କରେ ନୁହଇ ତପନ, ଅନ୍ତକ ନୁହେ ହରଇ ଜୀବନ,
ମନୁ ଜନମେ ନୁହଇ ମଦନ, ଦନୁଜ ନୋହେ ସେ ପିଶିତାଶନ।୧୧।
ନୁହଇ ପରଶୁ କେଦାର ପରି, ପାରଇ ଫଣୀଫଣାମଣି ହରି,
ମନୋରଥେ ପଥେ ନ ଥିବା ଶିରୀ, ହେଳେ ଦିଅଇ କରଗତ କରି।୧୨।
ନୋହେ ବହଳ ଉପାନହ ଯୋଡ଼ି, କଣ୍ଟକେ କଟାକ୍ଷ ନ କରେ ଅଡ଼ି,
ବୃଷ୍ଟିବାରଣ ଛତ୍ର ନ ପକଡ଼ି, ନମାନେ ନଭମାସ ନିଶା ଝଡ଼ି।୧୩।
ନୁହଇ ପାଷାଣ ମୂଷା ସମାନ, ନମାନେ ରାଢ଼ପଣେ ଦାଢ଼ ମୁନ,
ନୁହଇ ଖେଚର ସିଦ୍ଧସାଧନ, ଧନଦାଳୟକୁ ପେଷଇ ମନ।୧୪।
ଫଳେ ନାନାଫଳ ନୋହେ ବ୍ରତତୀ, ସ୍ମର ସହଚରୀ ନୁହେ କେଳତି,
ମର୍ମରେ ଭେଦଇ ନୁହଇ କାତି, ମଦିରା ନୋହି ଯା ହରଇ ଜାତି।୧୫।
ଅତ୍ରି ମୁନିଙ୍କର ଗୋତ୍ର ସମ୍ଭବୀ, ଭୂଦେବ ରାୟଗୁରୁ କବିରବି,
ସଂଶୟ ଧ୍ୱଂସ ନୋହିବାରୁ କିଛି, ବିଚାରୁ ମାନସେ ପଚାରୁଅଛି।
ସେ ପୀରତି ସତେ, କି ପଦାର୍ଥ କହ ପଣ୍ଡିତେ ମୋତେ।୧୬।