ସଙ୍ଗିନୀରେ ଚାହାଁ

ଉଇକିପାଠାଗାର‌ରୁ
ବନମାଳୀ ପଦ୍ୟାବଳୀ ଲେଖକ/କବି: ବନମାଳୀ ଦାସ
ସଙ୍ଗିନୀରେ ଚାହାଁ ବେଣୁପାଣିକି

ରାଗ କଳାବତୀ, ଯତି ତାଳ

ସଙ୍ଗିନୀରେ ଚାହାଁ ବେଣୁପାଣିକି
ଚିତ୍ତ ବିତ୍ତ ଚୋରା ଚିନ୍ତାମଣିକି । ଘୋଷା ।

ବକୁଳ ସେବତୀ ମଲ୍ଲୀ ନିଆଳୀ ଗଭା
ନାନା କୁସୁମେ ମଣ୍ଡିତ ବାଙ୍କ ଟାହିଆ
ତହିଁ ଖଞ୍ଜିଅଛି ରଙ୍ଗ ଜାମୁଡାଳି
ସଙ୍ଗରେ ମୟୂର ଚନ୍ଦ୍ରିକା ପକ୍ଷୀ । ୧ ।

ଭଲା ତାର ଯେଉଁ ନୟନ ଠାର
ସେ କି ମାର ବୀର କାମ କୁଠାର
ଭୂରୁ ବାଙ୍କ ଛୁରୀ ଚାଲିବା ଚାତୁରୀ
ଚଉଦପୁରେ କେ ନ ଥିବେ ଦେଖି । ୨ ।

ଧନ୍ୟ ତାର ଯେଉଁ ମୁରୁକି ହସା
ସତେ କି ସେ ସୁଧା ନୀର ବରଷା
ଚାହିଁଦେଲେ ଥରେ ଥରି ମନ୍ମଥରେ
ଧଇର୍ଯ୍ୟ ଗୁମାନ କେ ପାରେ ରଖି । ୩ ।

ଦାସ ବନମାଳୀ ବୋଲେ ଗୋ ଶୁଣ
ଗୋପ ନନ୍ଦସୁତ ମୋହନ ଗୁଣ
କୁଳବତୀ ବ୍ରତ କରିବାକୁ ହତ
ନୂଆ ମଦନ ସେ ବରଜେଟିକି । ୪ ।