ସଙ୍ଗିନୀରେ ଚାହାଁ
ଦେଖଣା
←କି ଲାଜ ପାଇଲି ଆଜ | ବନମାଳୀ ପଦ୍ୟାବଳୀ ଲେଖକ/କବି: ସଙ୍ଗିନୀରେ ଚାହାଁ ବେଣୁପାଣିକି |
ମଣି ବିମାନେ ଗୋବିନ୍ଦ→ |
ରାଗ କଳାବତୀ, ଯତି ତାଳ
ସଙ୍ଗିନୀରେ ଚାହାଁ ବେଣୁପାଣିକି
ଚିତ୍ତ ବିତ୍ତ ଚୋରା ଚିନ୍ତାମଣିକି । ଘୋଷା ।
ବକୁଳ ସେବତୀ ମଲ୍ଲୀ ନିଆଳୀ ଗଭା
ନାନା କୁସୁମେ ମଣ୍ଡିତ ବାଙ୍କ ଟାହିଆ
ତହିଁ ଖଞ୍ଜିଅଛି ରଙ୍ଗ ଜାମୁଡାଳି
ସଙ୍ଗରେ ମୟୂର ଚନ୍ଦ୍ରିକା ପକ୍ଷୀ । ୧ ।
ଭଲା ତାର ଯେଉଁ ନୟନ ଠାର
ସେ କି ମାର ବୀର କାମ କୁଠାର
ଭୂରୁ ବାଙ୍କ ଛୁରୀ ଚାଲିବା ଚାତୁରୀ
ଚଉଦପୁରେ କେ ନ ଥିବେ ଦେଖି । ୨ ।
ଧନ୍ୟ ତାର ଯେଉଁ ମୁରୁକି ହସା
ସତେ କି ସେ ସୁଧା ନୀର ବରଷା
ଚାହିଁଦେଲେ ଥରେ ଥରି ମନ୍ମଥରେ
ଧଇର୍ଯ୍ୟ ଗୁମାନ କେ ପାରେ ରଖି । ୩ ।
ଦାସ ବନମାଳୀ ବୋଲେ ଗୋ ଶୁଣ
ଗୋପ ନନ୍ଦସୁତ ମୋହନ ଗୁଣ
କୁଳବତୀ ବ୍ରତ କରିବାକୁ ହତ
ନୂଆ ମଦନ ସେ ବରଜେଟିକି । ୪ ।