ପୃଷ୍ଠା:Chha mana atha guntha.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁତ୍ରମାନେ ଭାତିଆ ପାଆନ୍ତି । 'ପଦା ଭୂଇଁରେ ଗବଦାରୁ' । ବାଘସିଂହ ବଂଶ କ୍ଷୁଦ୍ର ଜାୟଗିରିଦାର ଥିଲେ ମଧ୍ୟ ମଫସଲରେ ନାମ ଡାକ ଥିଲା । ରତନପୁର ମୌଜାରେ ଚୌପାଢ଼ୀ, ସେଟା ନିସ୍କର ଖଣ୍ତାଏତୀ ମାହାଲ, ତାକୁ ଛାଡ଼ି ତାଲୁକେ ଫତେପୁର ସରଷଣ୍ଢ ଏବଂ କେତେକ ଖଣ୍ତ ବାଜେ ରିପୋର୍ଟ ଜମିଦାରୀ ଥିଲା । ନଟବର ଘନଶ୍ୟାମ ବାଘସିଂହ ଜମିଦାରୀସବୁ ଉଡ଼ାଇଦେଇ ଯାଇଛନ୍ତି । ଲୋକଟା ବଡ଼ ସାହାଖର୍ଚ୍ଚୀ ଥିଲେ । ଖର୍ଚ୍ଚବେଳେ ଆଗପଛ ବିଚାର ଥାଏ ନାହିଁ । ଆଜି ପାଞ୍ଚ ବୋଇଲେ ନାହିଁ, ସାତ ବୋଇଲେ ନାହିଁ, ହାତରେ ପଡିଲା ଦେ ଖରଚ । ମୁଁହ ହରାଇ ଜିନିଷଟାଏ ମାଗିଦେଲେ ନା ପଦ ଶୁଣିବ ନାହିଁ । ଭାଟ ଭିକାରୀପାଇଁ ଦ୍ୱାର ମେଲା । ଭାତ ହାଣ୍ତି ବସାଇ ଟୋକାଇ ଘେନି ତାଙ୍କ ଆଗରେ ଛିଡ଼ାହେବାକୁ ଲୋକମାନଙ୍କର ଭରସା ଖଟୁଥିଲା । ଖାଇବା ଖୁଆଇବାକୁ ଷଣ୍ଢଟାଏ । ଗାଁଲୋକେ କହନ୍ତି, ବାଘ ସିଂହ ଆଗରେ ଯାହାକୁ ଥରେ ସରୁଚକୁଳି, ନଡ଼ିଆପୁର ମଣ୍ତା, ପାଳୁଅ-କ୍ଷୀରୀ ଖୁଆଇଛନ୍ତି, ବଞ୍ଚିଥିବାଯାଏ ତାହା ମନରୁ ଯିବ ନାହିଁ । ନଟବର ଘନଶ୍ୟାମଙ୍କ ଦେହକରେ ଋଣ ଥିଲା, ତାଙ୍କ ପଛେ ପଛେ ଜମିଦାରୀ ସବୁ ଯାଇଅଛି, ଥିବା ମଧ୍ୟରେ ଖଣ୍ତାଏତୀ ମାହାଲ । ନଟବର ଘନଶ୍ୟାମ ବାଘସିଂହଙ୍କର ଚାରି ପୁଅ । ଜ୍ୟେଷ୍ଠ ଭୀମସେନ, ଅନ୍ୟ ତିନି ପୁଅ ପହ୍ଲାଦ ମଲ୍ଲ, କୁଚୁଳି ମଲ୍ଲ, ବଳରାମ ମଲ୍ଲ । ପୁଅମାନେ ବାପା ପରି ଉଡ଼ାବାଜ ନୁହନ୍ତି, ଚାରିଆଡ଼କୁ ନଜର ରଖି ଚାଲନ୍ତି । ପୂର୍ବ ସମ୍ପତ୍ତି ନାହିଁ, ଏକରକମେ ଦୁଃଖେରାମ, ସୁଖେ ରାମ ଚଳିଯାଏ । ପାଟ ଚିରିଲେ ପାଟ କନା, ପୁରୁଣା ଘର ବୋଲି ଲୋକେ ମାନନ୍ତି, ଭୟ ଭକ୍ତି କରନ୍ତି । ରତନପୁର ମୌଜାରେ ବାଘସିଂହ ଘର ଛାଡ଼ି ଗଉଡ଼, ଭଣ୍ତାରୀ, ରାଢ଼ୀ ଗୁଡ଼ିଆ, ପୁଅଭାୟା ଅଠର ଘର । ଏମାନେ ବାଘସିଂହ ପୂର୍ବବଂଶ ଦିଆକ ଜାୟଗିରି ପୁରୁଷାନୁକ୍ରମେ ଭୋଗ କରି ଆସୁଅଛନ୍ତି । ଦରକାରବେଳେ ବାଘସିଂହ ଘରେ ବେଠି କରନ୍ତି । ପୁରୋହିତ ଘର ମଧ୍ୟ ଏହି ଗ୍ରାମରେ । ଏମାନଙ୍କୁ ଛାଡ଼ି ଡମ ଆଠ ଘର, ପର୍ବପର୍ବାଣୀରେ ବାଜା ବଜାଇବା ସକାଶେ ଏମାନଙ୍କର ଜାୟଗିରି ଅଛି । ବାଘସିଂହ ଘରେ ପହରାଦେବା ଏମାନଙ୍କର ଆଉଗୋଟିଏ କାର୍ଯ୍ୟ । ଆଜକୁ ତିନି ବରଷ ହେଲା ନାନା କାରଣରୁ ମଙ୍ଗରାଜଙ୍କ ସହିତ ବାଘସିଂହ ବଂଶର ଭାରି