ଶଶିସେଣା କାବ୍ୟ ଲେଖିବାର କଳ୍ପନା କରିବା ପୂର୍ବରୁ ଦେଶରେ ହଳାହଳକୁମର ବା ଶଶିସେଣା କଥା ଯେ ପ୍ରଚଳିତ ଥିଲା, ଏହା ତାଙ୍କର ନିମ୍ନଲିଖିତ ଉକ୍ତିରୁ ସ୍ପଷ୍ଟ ଜଣାପଡ଼େ :-
କରପତ୍ର ଯୋଡ଼ି ବୋଲେ ଶୁଣ ଭୋ ନାଥ!
ଶଶିସେଣା କଥା ମୋତେ କହ କେମନ୍ତ ।"
ପୁନଶ୍ଚ ଏଠାରେ କେହି କେହି ପଚାରି ପାରନ୍ତି ଯେ, ପୌରାଣିକ କୌଣସି ଏକ କଥା ବସ୍ତୁର ଅବଲମ୍ବନ ଗ୍ରହଣ ନ କରି ଦେଶପ୍ରଚଳିତ କଥାର ଅବଲମ୍ବନରେ କାବ୍ୟ ଲେଖିବାର ତାତ୍ପର୍ଯ୍ୟ କଣ? ଏହାର ଉତ୍ତରରେ ଆମ୍ଭେମାନେ କହିପାରୁ ଯେ, ସଂସ୍କୃତ ଆଳଂକାରିକମାନଙ୍କ ମତରେ ଇତିହାସ ଓ କଥା ପ୍ରଭୃତିରୁ କାବ୍ୟର ସୃଷ୍ଟି ହୋଇଥାଏ । ଦଣ୍ତାଚାର୍ଯ୍ୟ କହି ଅଛନ୍ତି - "ଇତିହାସ କଥୋଦ୍ଭୁତଂ । ଇତରଦ୍ ବା ସଦାଶ୍ରୟଂ ।" ତେଣୁ ଦେଶପ୍ରଚଳିତ କଥାର ଅବଲମ୍ବନରେ ଶଶିସେଣା କାବ୍ୟ ଲେଖିଥିବା କବି ପ୍ରତାପଙ୍କ ପକ୍ଷରେ ସ୍ୱାଭାବିକ । ଗୁଣାଢ଼ଯଙ୍କ ବୃହତ୍ କଥାର ବିଷୟ ଘେନି ବାଣ କାଦମ୍ବରୀ ଲେଖି ଅଛନ୍ତି ।
ଏପରି ହେଲେହେଁ ହଳାହଳକୁମର କଥାଠାରୁ ଶଶିସେଣା କାବ୍ୟର କଥା ଅଧିକତର ହୃଦୟଗ୍ରାହୀ ଏବଂ ମାନବୋଚିତ । ତାହାର କେଉଁ ସ୍ଥାନରେ କି ବିଶିଷ୍ଟ ମାଧୁରୀ ନିହିତ, ସେ ସକଳର ଅନୁଶୀଳନ କରି କବିଙ୍କ ପ୍ରତିଭାର ମୂଲ୍ୟ ନିର୍ଦ୍ଧାରଣ କରିବା ସର୍ବତୋଭାବେ ଯୁକ୍ତିସଙ୍ଗତ । କବି ପ୍ରତାପଙ୍କ ବର୍ଣ୍ଣନା ଅନୁସାରେ ଅମରାବତୀ ରାଜ୍ୟରେ ବିକ୍ରମକେଶରୀ ନାମରେ ଜଣେ ରାଜା ଥିଲେ । ତଦୀୟ ମନ୍ତ୍ରୀ କୁଶଳରମଣଙ୍କ ପତ୍ନୀ ଲୀଳାବତୀ ପୁତ୍ର କାମନାରେ ଦେବୀ ବିଦ୍ଧ୍ୟେଶ୍ୱରୀଙ୍କୁ ପ୍ରସନ୍ନ କରି ଶୂନ୍ୟରୁ ସନ୍ତାନ ଲାଭ କରିବାର ବର ପାଇଥିଲେ । ଦେବୀଙ୍କ ଆଦେଶରେ ତାଙ୍କର ପୁତ୍ର ଲୀଳାବତୀର ପୁତ୍ର