ପୃଷ୍ଠା:Sashi Sena.pdf/୧୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶଶିସେଣା କାବ୍ୟ ଲେଖିବାର କଳ୍ପନା କରିବା ପୂର୍ବରୁ ଦେଶରେ ହଳାହଳକୁମର ବା ଶଶିସେଣା କଥା ଯେ ପ୍ରଚଳିତ ଥିଲା, ଏହା ତାଙ୍କର ନିମ୍ନଲିଖିତ ଉକ୍ତିରୁ ସ୍ପଷ୍ଟ ଜଣାପଡ଼େ :-

କରପତ୍ର ଯୋଡ଼ି ବୋଲେ ଶୁଣ ଭୋ ନାଥ!
ଶଶିସେଣା କଥା ମୋତେ କ‌ହ କେମନ୍ତ ।"

ପୁନଶ୍ଚ ଏଠାରେ କେହି କେହି ପଚାରି ପାରନ୍ତି ଯେ, ପୌରାଣିକ କୌଣସି ଏକ କଥା ବସ୍ତୁର ଅବଲମ୍ବନ ଗ୍ରହଣ ନ କରି ଦେଶପ୍ରଚଳିତ କଥାର ଅବଲମ୍ବନରେ କାବ୍ୟ ଲେଖିବାର ତାତ୍‌ପର୍ଯ୍ୟ କଣ? ଏହାର ଉତ୍ତରରେ ଆମ୍ଭେମାନେ କ‌ହିପାରୁ ଯେ, ସଂସ୍କୃତ ଆଳଂକାରିକମାନଙ୍କ ମତରେ ଇତିହାସ ଓ କଥା ପ୍ରଭୃତିରୁ କାବ୍ୟର ସୃଷ୍ଟି ହୋଇଥାଏ । ଦଣ୍ତାଚାର୍ଯ୍ୟ କ‌ହି ଅଛନ୍ତି - "ଇତିହାସ କଥୋଦ୍ଭୁତଂ । ଇତରଦ୍ ବା ସଦାଶ୍ରୟଂ ।" ତେଣୁ ଦେଶପ୍ରଚଳିତ କଥାର ଅବଲମ୍ବନରେ ଶଶିସେଣା କାବ୍ୟ ଲେଖିଥିବା କବି ପ୍ରତାପଙ୍କ ପକ୍ଷରେ ସ୍ୱାଭାବିକ । ଗୁଣାଢ଼ଯଙ୍କ ବୃହତ୍ କଥାର ବିଷୟ ଘେନି ବାଣ କାଦମ୍ବରୀ ଲେଖି ଅଛନ୍ତି ।

ଏପରି ହେଲେହେଁ ହଳାହଳକୁମର କଥାଠାରୁ ଶଶିସେଣା କାବ୍ୟର କଥା ଅଧିକତର ହୃଦୟଗ୍ରାହୀ ଏବଂ ମାନବୋଚିତ । ତାହାର କେଉଁ ସ୍ଥାନରେ କି ବିଶିଷ୍ଟ ମାଧୁରୀ ନିହିତ, ସେ ସକଳର ଅନୁଶୀଳନ କରି କବିଙ୍କ ପ୍ରତିଭାର ମୂଲ୍ୟ ନିର୍ଦ୍ଧାରଣ କରିବା ସର୍ବତୋଭାବେ ଯୁକ୍ତିସଙ୍ଗତ । କବି ପ୍ରତାପଙ୍କ ବର୍ଣ୍ଣନା ଅନୁସାରେ ଅମରାବତୀ ରାଜ୍ୟରେ ବିକ୍ରମକେଶରୀ ନାମରେ ଜଣେ ରାଜା ଥିଲେ । ତଦୀୟ ମନ୍ତ୍ରୀ କୁଶଳରମଣଙ୍କ ପତ୍ନୀ ଲୀଳାବତୀ ପୁତ୍ର କାମନାରେ ଦେବୀ ବିଦ୍ଧ୍ୟେଶ୍ୱରୀଙ୍କୁ ପ୍ରସନ୍ନ କରି ଶୂନ୍ୟରୁ ସନ୍ତାନ ଲାଭ କରିବାର ବର ପାଇଥିଲେ । ଦେବୀଙ୍କ ଆଦେଶରେ ତାଙ୍କର ପୁତ୍ର ଲୀଳାବତୀର ପୁତ୍ର