କପଟପାଶା (୧୯୪୦)/ଜୟ ଜୟ ବିଘ୍ନରାଜ ଗଉରୀ ନନ୍ଦନ

ଉଇକିପାଠାଗାର‌ରୁ
କପଟପାଶା ଲେଖକ/କବି: ଭୀମା ଧୀବର
ଜୟ ଜୟ ବିଘ୍ନରାଜ ଗଉରୀ ନନ୍ଦନ

ପ୍ରଥମ ଛାନ୍ଦ

ରାଗ—ନଳିନୀଗୌଡ଼ା

ଜୟ ଜୟ ବିଘ୍ନରାଜ ଗଉରୀ ନନ୍ଦନ ।
ପୃଥୁଳ ଉଦର ନାଟ ଇନ୍ଦୁର ବାହାନ ହେ ।।
ଗଜମୁଖ ଏକଦନ୍ତ କପାଳେ ସିନ୍ଦୁର ।
ଯୋଗେଶ୍ୱର ସ୍ୱରୂପକୁ କେ କରୁ ଗୋଚର ଯେ ।।
ଯଜ୍ଞବିଧି ଆରମ୍ଭେ ପ୍ରଥମେ ତୋର ପୂଜା ।
ଗଙ୍ଗାଧର ତାତ ତିର ଜନନୀ ଗିରିଜା ହେ ।।
କର ଅନୁଗ୍ରହ ମୋତେ ଅମ୍ବିକା ନନ୍ଦନ ।
କହିବାକୁ ଇଛା ମୋର ଭାରତ ବିଧାନ ହେ ।।
କୁରୁପତି ଯୁଧିଷ୍ଠିର ପଶାଖେଳ ରସ ।
କହିବାକୁ ଇଚ୍ଛା ଛାନ୍ଦ ପ୍ରତିବନ୍ଧ ଭାଷା[୧] ହେ ।।
ବନ୍ଦଇ ଗୋ ଶାରଳା ଝଙ୍କଡ଼ ପୁରବାସୀ ।
ତୋର ଆଜ୍ଞା ହେଲେ ମୂର୍ଖ ପଣ୍ଡିତରେ ମିଶି ଗୋ ।।
ତୋ ଚରଣେ ଦିଅ ମାଗୋ ସର୍ବଦା ଭକତି ।
ଭୀମ ଧୀବରକୁ ଦିଅ ଏହି ସଦଗତି ଗୋ ।।


  1. ୧ମ ଛାନ୍ଦର ୧୦ମ ପାଦ : ବୋଧ ହୁଏ ମୁଦ୍ରଣଜନିତ ତ୍ରୁଟିରୁ ଯାହା ଯୋଗୁଁ ପାଦଗୁଡ଼ିକର ଅନ୍ତିମ ଅକ୍ଷର ମିଶୁନାହିଁ ଏହି କବିତା ନଷ୍ଟ ହେଉଛି । ବିଜୟ ଚନ୍ଦ୍ର ମଜୁମଦାରଙ୍କ Typical Selections from Odia literature — 'ଭାଷା' ସ୍ଥାନରେ 'ଭାଷ' ଦିଆଯାଇଛି । (ଉଇକିପାଠାଗାର ବ୍ୟବହାରକାରୀଙ୍କ ଟିପ୍ପଣୀ)