କପଟପାଶା (୧୯୪୦)/ଏଥୁ ଅନନ୍ତରେ ବିଲଙ୍କା ଦେଶରେ

ଉଇକିପାଠାଗାର‌ରୁ
Jump to navigation Jump to search
କପଟପାଶା ଲେଖକ/କବି: ଭୀମା ଧୀବର
ଏଥୁ ଅନନ୍ତରେ ବିଲଙ୍କା ଦେଶରେ

ଦ୍ୱିତୀୟ ଛାନ୍ଦ

ରାଗ—ବଙ୍ଗଳାଶ୍ରୀ

ଏଥୁ ଅନନ୍ତରେ ବିଲଙ୍କା ଦେଶରେ ବୈବସୁତ ମନୁ ରାଜା ।
ଅଗସ୍ତ ଚରଣ ଧରି ନୃପରାଣ କଲେ ଧୂପଦୀପେ ପୂଜା ।।
ଉତ୍ତମ ପଦାର୍ଥ ଦେଇ ନୃପନାଥ ଚରଣେ ହୋଇ ବିନୟୀ ।
କରପତ୍ର ଯୋଡ଼ି ମୁନି ପାଦେ ପଡ଼ି ମଧୁର ବାଣୀ ଭାଷଇ ।।
ତୁମ୍ଭେ ବ୍ରହ୍ମବେତ୍ତା କର୍ତ୍ତା ମୋକ୍ଷଦାତା ସକଳ ଶାସ୍ତ୍ରର ଜ୍ଞାତା ।
ଭାରତ ଚରିତ ପରମ ପବିତ୍ର କହ ଫିଟୁ ମନ ବ୍ୟଥା ।।
ଯୁଧିଷ୍ଠିର ଦେବ ଦୁର୍ଯ୍ୟୋଧନ ସଙ୍ଗେ କପଟପାଶାରେ ହାରି ।
ତଦନ୍ତେ କି କଲା ଗାନ୍ଧାରୀର ବଳା କହ ମୋତେ ବ୍ରହ୍ମଚାରୀ ।।
ଅଗସ୍ତି ବୋଲନ୍ତି ଶୁଣ ମହୀପତି କହିବା ତହିଁ ଚରିତ ।
ରାଜ୍ୟଦଣ୍ଡ ସିଂହାସନ ସହିତରେ ହାରିଲେ ଧର୍ମଙ୍କ ସୁତ ।।
ଭୀମ ଅରଜୁନ ନକୁଳ ସହିତେ ସହଦେବ ମନ୍ତ୍ରୀବର ।
ଦ୍ରୁପଦକୁମାରୀ ସହିତରେ ହାରି ଅମୂଲ୍ୟ ରତ୍ନଭଣ୍ଡାର ।।

ଅତି ଲଜ୍ଜାଭରେ ନୃପତି ସଭାରେ ତଳେ ଛନ୍ତି ପାଞ୍ଚଭାଇ ।
ଭୀଷ୍ମ,ଦ୍ରୋଣ‌ଗୁରୁ,କର୍ଣ୍ଣ ସଙ୍ଗେ ମାନ‌ଗୋବିନ୍ଦ ବସି ଅଛଇ ।।
ଶୀଘ୍ର କରି ଦୁଃଶାସନ ମୁଖ ଚାହିଁ ଆଜ୍ଞାଦେଲା କୁରୁରାଣ ।
ବାରୁଣାବନ୍ତକୁ ଯାଇଁ ଦ୍ରୋପଦୀର କେଶ ଧରି ବେଗେ ଆଣ ।।
ହୋଇ ଏକନାରୀ ପଞ୍ଚଭର୍ତ୍ତା କରି ଦୋଲାଉଛି ମହାସତୀ ।
କେଡ଼େ ଶୋଭାବନ ଦେଖୁ ସର୍ବଜନ ଘେନିଆସ ମୋର କତି ।।
ଦୁର୍ଯ୍ୟୋଧନ ବାଣୀ ଦୁଃଶାସନ ଶୁଣି ଧାଇଁଲା ଅତି ପ୍ରଖର ।
ବୋଲେ ଭୀମା ହୀନ ପ୍ରବେଶ ହୋଇଲା ବାରୁଣାବନ୍ତ ନ‌ଗର ।।