କପଟପାଶା (୧୯୪୦)/ଶୁଣ ଆହେ ସୁଜ୍ଞନର ବାରୁଣାବନ୍ତ ନଗର
←ଏଥୁ ଅନନ୍ତରେ ବିଲଙ୍କା ଦେଶରେ | କପଟପାଶା ଲେଖକ/କବି: ଶୁଣ ଆହେ ସୁଜ୍ଞନର ବାରୁଣାବନ୍ତ ନଗର |
କର୍ଣ୍ଣମନ ଦେଇ ଶୁଚିମନ୍ତ ହୋଇ→ |
ତୃତୀୟ ଛାନ୍ଦ
ରାଗ—ଚୋଖି
ଶୁଣ ଆହେ ସୁଜ୍ଞନର ବାରୁଣାବନ୍ତ ନଗର
ହସ୍ତିନାକୁ ଦ୍ୱାଦଶ ଯୋଜନ ଅଟଇ ।
ପବନହୁଁ ଖରତର ଧାଇଁଲା ସେ ଦୁଃଶା ବୀର
ପ୍ରବେଶ ହେଲା ବାରୁଣାବନ୍ତରେ ଯାଇ ।
ପାଦଘାତେ ମହୀ ଚମକେ ।
ଆରେ ଆରେ ପାଣ୍ତବାରେ ବୋଲିଣ ଡାକେ ।୧।
ଭୟ ପାଇ ନଗ୍ର ଲୋକେ ପଳାଇଣ ଗଲେ ଥୋକେ
ସିଂହହାରେ ଦୁଃଶାସନ ପଶିଲା ଠେଲି ।
ଦ୍ୱାରେ ଦ୍ୱାରୀମାନେ ଥିଲେ କୁନ୍ତୀଙ୍କ ଆଗେ କହିଲେ
ଦୁର୍ଯ୍ୟୋଧନ ଭ୍ରାତା ଦୁଃଶା ଆସୁଛି ପେଲି ।
ଶୁଣି କୋନ୍ତଭୋଜ କୁମାରୀ ।
ଯାଇଁ ସିଂହଦ୍ୱାର ମାଡି ବସିଲେ ନାରୀ ।୨।
କୁନ୍ତୀ ବୋଇଲେ ରେ ବାବୁ ରହ ରହ କଥା ସବୁ
ପଚାରିବା କିପାଁ ତୁହି ଭିତରେ ପଶୁ ।
ସିଂହର ଭୁବନେ ଆସି ଶୃଗାଳ ପଶଇ ଝାସି
କହ ଏ ଚରିତ ମନୁ ସଂଶୟ ନାଶୁ ।
ଦୁଃଶା କର ଯୋଡି ଜଣାଏ
ମନ୍ଦକୃତ୍ୟ କଲେ ମାଗୋ ତୁମ୍ଭର ପୋଏ ।୩।
ଯୁଧିଷ୍ଠି ହସ୍ତିନା ଗଲେ ମାନଗୋବିନ୍ଦର ତୁଲେ
ପଶାଖେଳ ରସେ ମାତି ହୋଇଲେ ଭୋଳ ।
ରାଜ୍ୟ ଦଣ୍ତସିଂହାସନ ନକୁଳ ଭୀମ ଅର୍ଜୁନ
ଦ୍ରୌପଦୀ ସହିତେ ପୀଢ଼ କଲେ ସକଳ ।
ହାରିଲେ ସେ ଧର୍ମଙ୍କ ସୁତ
ଜିଣିଲେ ମାନଗୋବିନ୍ଦ ଶୁଣ ଗୋ ମାତ ।୪।
ଆଜ୍ଞା ମୋତେ ଛନ୍ତି ଦେଇ ରାଜା ଭାନୁମତୀସାଇଁ
ଦ୍ରୌପଦୀର କେଶ ଧରି ଘେନି ମୁଁ ଯିବି ।
ଆଗୋ ମାତଃ ଛାଡ଼ ଦ୍ୱାର ଯିବଇ ଭିତର ପୁର
ଉଛୁର ହୋଇଲେ ପରାଭବ ପାଇବି ।
କୁନ୍ତୀଦେବୀ ପୁଛିଲେ ସବୁ ।
କେଉଁ ପୀଢ଼େ ଦୌପଦୀକି ହାରିଲେ ବାବୁ ।୫।
ଦୁଃଶାସନ ବୋଲେ ମାତ ପ୍ରଥମେ ଧର୍ମଙ୍କ ସୁତ
ହାରିଲେ ସପତଘର ଧନ ଭଣ୍ତାର ।
ଦ୍ୱିତୀୟରେ ପୀଢ଼ କରି ଦଣ୍ତସିଂହାସନ ହାରି
ତୃତୀୟେ ହାରିଲେ ତୁମ୍ଭ ଭୀମ କୁମର ।
ଚତୁର୍ଥେ ହାରିଲେ ଅର୍ଜୁନ ।
ପଞ୍ଚମେ ହାରିଲେ ମାଗୋ ମାଦ୍ରୀ ନନ୍ଦନ ।୬।
ଷଷ୍ଠବେଳେ ପୀଢ଼କରି ହାରିଲେ ଦ୍ରୋପଦୀ ନାରୀ
ସପ୍ତବେଳେ ହାରି ଅଙ୍ଗ ହେଲେ ମଉନ ।
କୁନ୍ତୀ ବୋଇଲେ ଦ୍ରୋପଦୀ ପ୍ରଥମ ବିବାହୀ ସତୀ
ପ୍ରଥମ ପୀଢେ ହାରିଲେ ନିଅନ୍ତ ପୁଣ ।
ଭାଇ ଭାଇ କରିଛ ଗୋଳ ।
ଏ ଛାର କଥାକୁ ଦୁଃଶା କରୁ କଟାଳ ।୭।
ସୋଦରେ ସୋଦରେ ପୂଣ ହେଉଛନ୍ତି ହଣାହଣି
କହ ଦ୍ରୋପଦୀ କି ଦୋଷ କରିଛି ତହିଁ ।
ଶୁଣି କରି ଦୁଃଶାସନ ବୁଲାଇ ବେନିନୟନ
ଆଡ଼ ହୁଅ ବୋଲି କୁନ୍ତୀ ଦେବୀଙ୍କୁ କହି ।
ଠେଲି କରେ ଦେଲା ପକାଇ ।
କବାଟ କଣରେ ଦେବୀ ପଡିଲେ ଯାଇଁ ।୮।
କୁନ୍ତୀ ଡାକ ଦେଲେ ହରି ଆହେ ଶଙ୍ଖ ଚକ୍ରଧାରୀ
ଦ୍ୱାରକା ଛାଡି କି ନିଜ ଧାମକୁ ଗଲ ।
କେତେ କେତେ ଶଙ୍କଟରୁ ରଖିଛ ମୋହ ପୁତ୍ରଙ୍କୁ
ଏବେ ଯୁଧିଷ୍ଠିରଠାରେ ଦୟା ଛାଡିଲ ।
ପଞ୍ଚପୁତ୍ର ମଲେ କି ମୋର ।
ଥିଲେ କିପାଁ ଦୁଃଶସନ ପଶନ୍ତା ଘର ।୯।
କୁନ୍ତୀ ଉଚ୍ଚେ କଲେ ହୁରି
ଦ୍ରୁପଦ ରାଜକୁମାରୀ ସୁଭଦ୍ରାଙ୍କୁ ଘେନି ଯାଇଁ ଭିତରେ ପଶ ।
ବଳତ୍କାରେ ଦୁଃଶାସନ ପଶିଲା ଆମ୍ଭ ଭବନ
ଗୁପତଭାବରେ ରହି ହୁଅ ଅଦୃଶ୍ୟ ।
ତାହା ଶୁଣି ସୁଭଦ୍ରାଦେଈ ।
ଚନ୍ଦ୍ରଶାଳା ପୁରେ ବେଗେ ଲୁଚିଲେ ଯାଇଁ ।୧୦।
ଦ୍ରଉପଦୀ ଭୟ ପାଇ ଆକୁଳେ ଅଙ୍ଗ ଥରଇ
ତରତର ହୋଇ ଉଠି ଗଲେ ପଳାଇ ।
କେଶପାଶ କଟିବାସ ଫିଟିବହେ ଖରଶ୍ୱାସ
ରୋଷାଇଶାଳ ମଧ୍ୟରେ ଲୁଚିଲେ ଯାଇଁ ।
ବ୍ୟାଧ ଭୟେ ଯେହ୍ନେ ମୃଗୁଣୀ ।
ଚଞ୍ଚଳନୟନ ମୁଖୁ ନ ସ୍ଫୁରେ ବାଣୀ ।୧୧।
ପୁରେ ପୁରେ ଦୁଃଶାସନ ଖୋଜଇ ସର୍ବଭୁବନ
ନେତ୍ରପୁର ବାସପୁର ଡାଳିମ୍ବପୁର ।
ଝୀନପୁର ରତ୍ନପୁର କଉସ୍ତୁଭ ମଣିପୁର
ଇନ୍ଦ୍ର ଅବକାଶପୁର ଖୋଜଇ ବୀର ।
ଯୁଧିଷ୍ଠିର ଶୁଅନ୍ତି ଯେ ପୁରେ ।
ଇନ୍ଦ୍ରପୁର ସମନୋହେ ତାକୁ ଲକ୍ଷରେ ।୧୨।
ଚାରି ତ୍ରୋଶ ଦୀର୍ଘ ପ୍ରତି ଅଟଇ ସେ ପୁର-ସ୍ଥିତି
ହୀରା ନୀଳା ଖଞ୍ଜାଅଛି ଅଷ୍ଟରତନ ।
କ୍ଷୁଦ୍ର ମୋତି କେରା ୨ ଲମ୍ବିଛି ମୁକୁତା ଝରା
ପ୍ରବାଳର ସ୍ତମ୍ଭ ହୋଇଅଛି ଶୋଭନ ।
ଦିବ୍ୟ ପାଟବସ୍ତ୍ର ଚାନ୍ଦୁଆ ।
ମର୍କତ ଚାମରମାନ ଲମ୍ବିଛି ନୂଆ ।୧୩।
ସେ ପୁରରେ ଦୁଃଶାସନ ନ ପାଇ ଦ୍ରୌପଦୀ ଚିହ୍ନ
ବିସ୍ମୟ ହୋଇ ବହନ ଲେଉଟି ଆସେ ।
ଖୋଜି ନ ପାଇଣ ଭେଟ ରୋଷାଇଶାଳ ନିକଟ
ଆଣ୍ଠୁ ଭରା ଦେଇ ଚାହେଁ ଚାରି ପାରୁଶେ ।
ପୂର୍ବଦିଗେ ଉଦେ କି ଭାନୁ ।
ସେହିମତେ ଦିଶୁଅଛି ଦ୍ରୌପଦୀ ତନୁ ।୧୪।
ଦେଖିଣ ଦୁଃଶା ଚକିତ ବୋଲଇ କି ଦୀନ ନାଥ
ଆକାଶକୁ ଛାଡ଼ି ଆସି ଏଥି ରହିଲା ।
କି ଅବା ରାହୁର ଭୟେ ଶଶଧର ଏଥି ରହେ
କେବଣ ଚରିତ ମୋତେ ଜଣା ନ ଗଲା ।
ପୁଣି ଗଲା ପହଣ୍ତେ ପେଲି[୧] ।
ନିକଟେ ଜାଣିଲା ବୀର ଦ୍ରୌପଦୀ ବୋଲି ।୧୫।
ଶୁଣ ହେ ସୁଜନ ଜନ ମୁଁ ଛାର ପାମର ହୀନ
କହିବାକୁ ଯୋଗ୍ୟ ନିକି ମହାଭାରତ ।
ଅର୍ଥକୁ ଅର୍ଥ ମିଶାଇ ପଦକୁ ପଦ ପକାଇ
ଛାନ୍ଦ ପ୍ରତିବନ୍ଧରେ ମୁଁ କଲଇଁ ଗୀତ ।
ସାଧୁଜନେ ନ ଘେନ ଦୋଷ ।
କହେ ଦୀନ[୨] ଭୀମା କୃଷ୍ଣ ଚରଣେ ଆଶ ।୧୬।