କପଟପାଶା (୧୯୪୦)/କର୍ଣ୍ଣମନ ଦେଇ ଶୁଚିମନ୍ତ ହୋଇ

ଉଇକିପାଠାଗାର‌ରୁ
Jump to navigation Jump to search
କପଟପାଶା ଲେଖକ/କବି: ଭୀମା ଧୀବର
କର୍ଣ୍ଣମନ ଦେଇ ଶୁଚିମନ୍ତ ହୋଇ

ଚତୁର୍ଥ ଛାନ୍ଦ

[ରାଗ-ରଣବିଜେ ହରିଚଉତିଶା ବାଣୀରେ]

କର୍ଣ୍ଣମନ ଦେଇ ଶୁଚିମନ୍ତ ହୋଇ ଶୁଣ ଜନେ କୃଷ୍ଣରସ ,
କଳାକର ମୟ ଅନ୍ଧାର ପରାୟ ଦ୍ରୌପଦୀ-ଦୁଃଖ ବିନାଶ ହେ ।
ଶୁଣ,ଭଜ ନିରତେ ପଦ୍ମଚରଣ ହେ ।
ଫେଡ଼ ଦ୍ରୌପଦୀର ଏ କଷଣ ହେ ।
ତୁମ୍ଭ ବିନା ନାହିଁ ପରିତ୍ରାଣ ହେ ।୧।

ରୋଷାଇ ଶାଳରେ ଦୁଃଶାସନ ବୀର
ଦ୍ରୌପଦୀ ଦେଖିଲେ ପାଇ ।
ତାହାଙ୍କର କେଶ ଧରିବ ବୋଲିଣ
ହସ୍ତକୁ ଦେଲା ବଢାଇ ସେ ବୀର ।
ଦେବୀ ଦ୍ରୌପଦୀ ଦେଲେ ଉତ୍ତର ରେ ।
ଦୁଃଶା ନ ଛୁଁଅ ଅଙ୍ଗ ମୋହର ରେ
ପାକାସ୍ପରଶ ମୋହ ଶରରୀ ରେ ।
ଏଥି ଛୁଁଇଲେ ଦୋଷ ଅପାର ରେ ।୨।

ମୂର୍ଖ ଦୁଃଶାସନ ବୋଲଇ
ବଚନ ନିର୍ଲ୍ଲଜ୍ଜି ହୋଇଲୁ ବାଇ ।
ମିଛେ ରଜୋବତୀ ବୋଲିଣ ଯୁବତୀ
ମୋତେ ଲୋଡ଼ୁଛୁ ଭଣ୍ତାଇ ଗୋ ।
କ‌ହ । କେଉଁ ଦୋଷ ଛୁଇଁଲେ ତୋ ଦେହ ଗୋ ।
ମୋତେ ଲାଗିଲା ବଡ ସନ୍ଦେହ ଗୋ ।
ଆଜ କାହିଁ ଯିବୁ ରହ ରହ ଗୋ ।୩।

ଦ୍ରୌପଦୀ ବୋଇଲେ ପ୍ରଥମ ଦିନରେ
ରଜୋବତୀ ଯେବେ ହୋଇ ।
ସେ ଦିନ ପୁରୁଷ ସ୍ତିରୀକି ଛୁଇଁଲେ
ଲିଙ୍ଗଭଗ୍ନ ଦୋଷ ପାଇ ରେ ,ବୀର ।
ଏବେ ଶୁଣ ଦ୍ୱିତୀୟ ଦିନର ।
ଅଙ୍ଗ ଛୁଇଁଲେ ରଜସ୍ୱଳାର ରେ।
ଗୁରୁହତ୍ୟା ଦୋଷ ହୁଏ ତାର ଯେ ।୪।

ତୃତୀୟ ଦିନରେ ନାରୀକି ଛୁଇଁଲେ ବ୍ରହ୍ମହତ୍ୟା ଦୋଷ ପାଇ ।

ଦିନରେ ବାଳହତ୍ୟା ଦୋଷ
ପଞ୍ଚମେ ମାତୃ ହରଇ ରେ ବୀର ।
ଷଷ୍ଠ ଦିନରେ ଏହି ପ୍ରକାର ରେ ।
ସପ୍ତମ ଦିନରେ ଶୁଦ୍ଧ ଶରୀରରେ ।
ଗନ୍ଧ ଅଏଁଳା ଲାଗି ସତ୍ୱରେ ।
ଦେହେ ଲେପି ଗୋମୟ ଅଗୁରରେ ।
ରାତ୍ର ପ୍ରହରରେ ଥାଉଁ ବାହାରରେ । ୫।

ନ‌ଦୀ ଜଳେ ପଶି ସ୍ନାନ କରିସାରି
ତଦନ୍ତରେ କୂଳେ ଉଠି ଓଦାବାସ ପିନ୍ଧି
କେଣିକି ନ ଚାହିଁ ଘରକୁ ଆସେ ଲେଉଟି ସେ, ନାରୀ ।
ଶାଶୁ ଶ୍ୱଶୁରଙ୍କ ସେବାକରି ସେ ।
ଗୁରୁ ବ୍ରାହ୍ମଣେ ପ୍ରଣାମ କରି ସେ ।
ଗୃହ କୁଟୁମ୍ବେ ଯାଇ ଆଦରି ସେ । ୬।

ଦିବସର ଶେଷ ରଜନୀ ପ୍ରବେଶ
ସୁବେଶ କରିଣ ଅଙ୍ଗ ।
ଶୟନ ଶ‌ଯ୍ୟାରେ କାନ୍ତ ଅଙ୍ଗ ସଙ୍ଗ
କରେ ରସକ୍ରୀଡ଼ା ରଙ୍ଗ ସେ । ଦିନ ।
ରଜ ବୀର୍ଯ୍ୟେ ହୁଏ ଏକ ସ୍ଥାନ ସେ ।।
ଜନ୍ମହୁଏ ଅପୂର୍ବ ନନ୍ଦନ ସେ,
ଲକ୍ଷେ ପ୍ରାଣୀ ପୋଷଣେ ଭାଜନ ସେ ।୭।

ଦୁଃଶାସନ କ‌ହେ ସ୍ତିରୀ ମାତ୍ର ତୁ
ତ ପୁଣ୍ୟକୁ ନାହିଁ ବିଶ୍ୱାସ ।
ତମ୍ବା ପ୍ରାୟ ବେନି ନୟନ‌କୁ କରି
ଧରିଲା ଦ୍ରୌପଦୀ କେଶ ସେ । କାଳ ।
ରାହୁଗ୍ରାସେ କି ଚନ୍ଦ୍ରମଣ୍ତଳ ସେ ।
ଖରେ ଘେନିଗଲା ଅନ୍ତରାଳ ସେ ।
ସତୀ ଚରଣ ନ ପଡ଼େ ତଳ ସେ ।
ବୋଲେ ରଖରଖଆଦିମୂଳ ସେ ।୮।

ରକ୍ଷାକର ପ୍ରଭୁ ଜଗତ ଈଶ୍ୱର କରୁଣା ସିନ୍ଧୁ ମୁରାରି ।
ତୁମ୍ଭେ ଦୀନବନ୍ଧୁ ନ ରଖିଲେ ମୋତେ ଅନାଥ ହୋଇଲି ନାରୀ ହେ । ହରି ।
ଦୁଃଶାବଳେ ନେଉଅଛି ଧରି ହେ ।
କାହା ଆଗେ କରିବି ଗୁହାରି ହେ ।
ଏହି ସଙ୍କଟରୁ କର ପାରି ହେ ।୯।

ପବନହୁଁ ଖରେ ଦୁଃଶାସନ ବୀର ହସ୍ତିନା ପ୍ରବେଶ ଯାଇଁ ।
ଦ୍ରୌପଦୀ ବୋଲଇ ସଭାକୁ ନ ନିଅ ପରିମୁଣ୍ତା ତୋର ଯାଇ ରେ । ବୀର ।
ତୋତେ ଶପଥ ଅଛି ମୋହର ରେ ।
ଭୀଷ୍ମ ଦ୍ରୋଣ ଅଛନ୍ତି ସଭାର ରେ ।
ଲଜ୍ଜା ହୋଇବ ମୋତେ ଅପାର ରେ ।୧୦।

ସଭା ନିକଟରେ ରଖି ଦୁଃଶାସନ ଦୁର୍ଯ୍ୟୋଧନ ପାଶେ ଗଲା ।
ଭୋ ଦେବ ନୃପତି ଆଜ୍ଞାରେ
ଦ୍ରୌପଦୀ ଆଣିଲି ବୋଲି ବୋଇଲା ସେ । କ‌ହ ।
କି କରିବି ଆଜ୍ଞାଦିଅ ।
ପାକାସ୍ଫରଣ ହୋଇଛି ଦେହ ହେ ।
ଦୁର୍ଯ୍ୟୋଧନ ହସେ ଟ‌ହ ଟ‌ହ ହେ ।୧୧।

ଶୁଣି କୁରୁପତି ଶକୁନିକୁ ଚାହିଁ ବୋଇଲା ହେ ମାମୁଁ ଶୁଣ ।
ପାକାସ୍ଫରଣ ହୋଇଛି ଦ୍ରୌପଦୀ ଆଣିବାର ଅକାରଣ ସେ । ନାରୀ ।
ଆଜ ହୋଇଅଛି ରଜୋନାରୀ ସେ ।
ତାକୁ ଛୁଇଁଲେ ତୁଟଇ ଶିରୀ ।
ଆଜ ମୁଖ ନ ଚାହିଁ ତାହାରି ସେ । ୧୨ ।

ଶକୁନି ବୋଇଲେ ଶୁଣ ନୃପସାଇଁ ଏଡେ ନିର୍ଲ୍ଲଜୀ ଯୁବତୀ ।
ଏକସ୍ତିରୀ ହୋଇ ପଞ୍ଚ ଭର୍ତ୍ତା ବହି ବୋଲାଉଛି ମହାସତୀ ସେ । ମୁଢ଼ୀ ।
ଆମ୍ଭଠାକୁ ଆଣ ଏହି ଘଡ଼ି ସେ ।
ପକା ପିନ୍ଧିଲା ବସନ ଫେଡ଼ି ସେ |
ଦୁଃଶା ଶୁଣି ଗଲା ତଡ଼ ତଡ଼ି ସେ । ୧୩ ।

ଦ୍ରଉପଦୀଙ୍କର କେଶ ଧରି ଦୁଃଶା ସଭା ଭିତରକୁ ନେଲା ।
ଦୁର୍ଯ୍ୟୋଧନ ବୋଲେ ପଞ୍ଚ ଭର୍ତ୍ତା ଥାଇ ଜଣେ ତୋତେ ନ ରଖିଲା ଗୋ । ଚିନ୍ତ ।
ତୋତେ ରଖନ୍ତୁ ପାଞ୍ଚ ଗେରସ୍ତ ଗୋ ।
ତୋର ପରମାନନ୍ଦ ଅଚ୍ୟୁତ ଗୋ ।
କିମ୍ପା ହେଉଛ ଏଡ଼େ ଆରତ ଗୋ ।୧୪।

ଅନବରତରେ ପଞ୍ଚପାଣ୍ଡବଙ୍କୁ ରଖନ୍ତି ନନ୍ଦକ‌ହ୍ନାଇ ।
କାହିଁ ଅଛି ତୋର ଦେବ ଚକ୍ରଧର ଚିନ୍ତା ନ କରୁ କମ୍ପାଇଁ ।
ତା ଶୁଣି ।
ଦେବୀ ଦୌପଦୀ ବୋଲନ୍ତି ବାଣୀ ।
ନିନ୍ଦା କରୁ କମ୍ପା ଚକ୍ରପାଣି ।
କହୁଅଛୁ ପୁରାତନ ବାଣୀ ।
ଭୀମା ଧୀବର ଏଣୁ ସେ ଭଣି । ୧୫ ।