କପଟପାଶା (୧୯୪୦)/କୁରୁ ସଭାରେ ଦ୍ରୌପଦୀ କହନ୍ତି

ଉଇକିପାଠାଗାର‌ରୁ
Jump to navigation Jump to search
କପଟପାଶା ଲେଖକ/କବି: ଭୀମା ଧୀବର
କୁରୁ ସଭାରେ ଦ୍ରୌପଦୀ କହନ୍ତି

ପଞ୍ଚମ ଛାନ୍ଦ

[ରାଗ-ଚକ୍ରକେଳି]

କୁରୁ ସଭାରେ ଦ୍ରୌପଦୀ କହନ୍ତି । ସାବଧାନ ହୋଇ ଶୁଣ ନୃପତି ॥
କିମ୍ପା ନିନ୍ଦୁଛ ପ୍ରଭୁ ନାରାୟଣ । ତାଙ୍କ ମହିମା ନାହିଁକି ଶୁଣିଣ ।
ସତ୍ୟଯୁଗ କଥା ଗୋଟି କହିବା । ତୁମ୍ଭ ମନରୁ ସଂଶୟ ଦହିବା ।
ସିଂହ, ଶୃଗାଳ ଏ ବେନି ଚରିତ । ଏକ ମନେ ଶୁଣ ହେ ନରନାଥ ।
ଏକ ବନ ମଧ୍ୟରେ ସିଂହ ଥାଇ । ତହିଁ ପୁଷ୍ପରିଣୀ ଏକ ଅଛଇ ।।
ଅତି ତୃଷାର୍ତ୍ତ ହୋଇ ଶଶା ଗଲା । ଜଳ ଘାଟରେ ସିଂହକୁ ଦେଖିଲା ।
ଯାହାଠାରୁ ସେ ବଳୀୟାର ହୋଇ । ତାକୁ ଦେଖିଲେ, ପ୍ରାଣେ ଡରୁଥାଇ ।।
ସିଂହ ନିକଟେ ଶଶାକୁ ଦେଖିଲା । ତାକୁ ଭକ୍ଷିବ ବୋଲି ଗୋଡ଼ାଇଲା ।
ଶଶା ପଳାଇ ପବନହୁଁ ଖରେ । ଭୟେ ପଶିଲା ଶୃଗାଳ ବିଲରେ ।
ତ‌ହିଁ ମଧ୍ୟରେ ଦେଖିଣ ଶୃଗାଳ । ଶଶା ଭାବିଲା ପୁରିଲା ମୋ କାଳ ।
ସିଂହ, ଭୟରେ ପଶିଲି ବିଲରେ । ଏବେ ପଡ଼ିଲି ଶୃଗାଳ ମୁଖରେ ।
ମୋର ନିଶ୍ଚୟ ହୋଇଲା ମରଣ । ଶଶା ଡାକିଲା ରଖ ନାରାୟଣ ।
ତୁମ୍ଭେ ନ ରଖିଲେ ହେଲି ଅନାଥ । ଏଥୁ ନାହିଁ ପ୍ରଭୁ ଆଉ ଆରତ ।
ଶଶା ଆରତ ଗୋବିନ୍ଦ ଶୁଣିଲେ । ରକ୍ଷା କଲୁ ଆଜ ବୋଇଲେ ।
ଶଶା କଣ୍ଠେ ବିଜେ କଲେ ଗୋବିନ୍ଦ । ତାକୁ ଦିଶିଲା ସବୁ କଥା ଛନ୍ଦ ।

ଶଶା କଣ୍ଠେ ବିଜେ କଲେ ଗୋବିନ୍ଦ । ତାକୁ ଦିଶିଲା ସବୁ କଥା ଛନ୍ଦ ।
ଯହୁଁ ଶୃଗାଳ ଦେଖିଲା ଶଶାକୁ । ବଡ଼ ହରଷ ହୋଇଲା ମନ‌କୁ ॥
ତାକୁ ଖାଇବା କଥାମୂଳ କଲା । ତୁରେ କାହିଁକି ଅଇଲୁ ବୋଇଲା ॥
ଶଶା ବୋଲେ ଦେବ ଶୁଣ ଉତ୍ତର । ସର୍ବଜନ୍ତୁ ପେଷିଲେ ତୁମ୍ଭ ପୁର ॥
ମୋତେ ବୋଇଲେ ଶଶା ବେଗେ ଯିବୁ । ଗର୍ତ୍ତ ମଧ୍ୟରୁ ଶୃଗାଳ ଆଣିବୁ ॥
ସେ ଯେ ନୃପତି ହୋଇବେ ବନରେ । ସର୍ବେ ସେବିବୁଁ ତାହାଙ୍କ ପୟରେ ॥
ସର୍ବଜନ୍ତୁଙ୍କ ପରେ ହେବେ ରାଜା । ଆମ୍ଭେ ହୋଇବା ତାହାଙ୍କ ପରଜା ॥
ତେଣୁକରି ଅଇଲି ତୁମ୍ଭ ପାଶ । ବନେ ନୃପତି ହେବ ବେଗେ ଆସ ॥
ଶୁଣି ଶୃଗାଳ ହରଷ ହୋଇଲା । ଶଶା ମୁଖକୁ ଅନାଇ ବୋଇଲା ॥
ଯେତେବେଳେ ରାଜାପଣେ ବସିବି । ତୋତେ ମନ୍ତ୍ରୀପଶେ ଶାଢ଼ୀ ବାନ୍ଧିବି ॥
ଚାଲ ଗର୍ତ୍ତରୁ ହୁଅସି ବାହାର । ଶଶା ବୋଲେ ଦେବ ହୁଅ ଆଗର ॥
ତୁମ୍ଭେ ନୃପତିପଣକୁ ଭାଜନ । ଛାର ସେବକ କି ଆଗେ ଗମନ ॥
ତୁମ୍ଭେ ବିଜେ କର ଦେବ ଆଗରେ । ମୁହିଁ ଯାଉଛି ତୁମ୍ଭର ପଛରେ ॥
ଶଶା କପଟ ଜାଣି ନ ପାରିଲା । ଗର୍ତ୍ତ ମଧ୍ୟରୁ ବାହାର ହୋଇଲା ॥
ସିଂହ ଜଗି ବସିଥିଲା ଦ୍ୱାରକୁ । ଶୀଘ୍ର ମାଡ଼ିବସିଲା ଶୃଗାଳକୁ ॥
ଶଶା ଗୋବିନ୍ଦ ଆଶ୍ରୟ ନେବାରୁ । ପ୍ରାଣ ପାଇଲା ଦୁହିଙ୍କ ମୁଖରୁ ॥
ତୁମ୍ଭେ ହରିନିନ୍ଦା କର ନୃପତି । ତାଙ୍କୁ ଚିନ୍ତିଲେ ନ ଥାଇ ଦୁର୍ଗତି ॥
ଶୁଣି ଦୁର୍ଯ୍ୟୋଧନ ରୋଷେ କ‌ହିଲା । ଦୁଃଶାସନ-ମୁଖ ଚାହିଁ ବୋଇଲା ॥
ଫେଡ଼ ଦ୍ରୌପଦୀ-ଅଙ୍ଗରୁ ବସନ । ସଭାଜନେ ଦେଖନ୍ତୁ ଯଉବନ ॥
ହରି କେମନ୍ତେ ଏହାକୁ ରଖିବ । ଫେଡ଼ ବସନ ମନୁ ପ୍ରତେ ଯିବ ॥
ଏହା ଶୁଣି ଦୁଃଶାସନ ଉଠିଲା । ଯାଇ ଦ୍ରୌପଦୀ ସନ୍ନିଧ୍ୟେ ମିଳିଲା ॥
ଦୁଃଶା ଅଙ୍ଗରୁ କାଢ଼ନ୍ତେ ବସନ । ସତୀ ବୋଲେ ରହ ରହ ବଚନ ॥
ଏଥେ ଅଛନ୍ତି ମୋ ପଞ୍ଚଭର୍ତ୍ତାଏ । ଏତେବେଳେ ମୁ କ‌ହିବି କଥାଏ ॥
ଦେବୀ ଚାହିଁ ଯୁଧିଷ୍ଠିର-ବଦନ । ଅତି ଆରତେ କରନ୍ତି ରୋଦନ ॥
ସତୀଯୁଧିଷ୍ଠି ଦେବଙ୍କ ଚରଣ । ଭୀମାଦୀନ ନିରନ୍ତରେ ଶରଣ ॥