ଧୀରେ ରାଧା କର ଧରି କହୁଛନ୍ତି ଦୂତୀକି

ଉଇକିପାଠାଗାର‌ରୁ
ବିଦଗ୍ଧ ଚିନ୍ତାମଣି
ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର

ଧୀରେ ରାଧା କର ଧରି କହୁଛନ୍ତି ଦୂତୀକି

ଧୀରେ ରାଧା କର ଧରି କହୁଛନ୍ତି ଦୂତୀକି ।
ଜୀବନ ନେବାକୁ ଲଗାଇଛ ପାପ-ପ୍ରୀତିକି ।
ଦୂତୀ ଗୋ, ପ୍ରାଣବନ୍ଧୁ ଙ୍କୁ କହ ଯାଇ ଏତିକି।
ଦୀକ୍ଷା କରିଛନ୍ତି ପରା ନାରୀମରା ରୀତି କି ।୧।

ଯାହା ସେ ବୋଇଲେ ତାହା ସତ ବୋଲି ହେବ କି?
କିଣିଥିଲେ ପୁଣି ବିନାଶନ୍ତେ କେହି ସେବକୀ?
ଦୂତୀ ଗୋ, ଦୟାନିଧିଙ୍କି ପଚାର ଏ ବିଧି କି?
ଅବିଧିକି କଲେ ଅରଜିବେ କଉଁ ସିଦ୍ଧି କି? । ୨।

ଶ୍ରୀଚରଣେ ସେବି ପ୍ରାଣ ବିକିଅଛି ମୁହିଁ ତ।
ତାଙ୍କ ଅନୁଗ୍ରହ ସିନା ମୋ କରମ ଲିହିତ।
ଦୂତୀ ଗୋ, ବନ୍ଧୁଙ୍କୁ କହ ଆନ ଗତି ନାହିଁ ତ।
ଦିବ୍ୟଚିତ୍ତେ ବିଚାରନ୍ତୁ ଯେ ଯାହାକୁ ବିହିତ। ୩।

ଚନ୍ଦ୍ର ବିନୁ ଚକୋରକୁ ଆନଗତି ନାହିଁ କି।
ଜଳ ବିନୁ ମୀନ ଦିନ ନେବ ପୁଣି କାହିଁ କି?
ଦୂତୀ ଗୋ, କହିବୁ ଯାଇ ସେ ନାଗର ମଣିକି।
ଦାସୀକି ପକାଇ ଦେଲେ କାମସିନ୍ଧୁ ପାଣିକି। ୪।

ନିରବଧି ହୃଦୟକୁ କାମଦେବ ଦହିବ।
ଅବଳାମାତ୍ରକେ ଏତେ ଦାଉ କେହି ସହିବ।
ଦୂତୀ ଗୋ, ଶ୍ୟାମବନ୍ଧୁଙ୍କୁ ଏତେ ମାତ୍ର କହିବ।
ପୋଷିଲା ଦାସୀ ନାଶିଲେ କଉଁ ଯଶ ରହିବ। ୫।

ବିଦେହ ପଥ ସଙ୍ଖାଳୀ ପ୍ରାଣଧନ ହୋଇବ।
କାହାକୁ କି ହେବ କହି, ସବୁ କଲା ଦଇବ।
ଦୂତୀ ଗୋ, କହିବୁ ଦାସୀ ଗୁଣକୁ ନ ଗାଇବ।
ନିଲକ୍ଷଣୀ ପାଇଁ କିମ୍ପା ଏତେ ଦୁଃଖ ପାଇବ। ୬।

ସ୍ନେହ ପରାଧୀନେ ଗୁଣଗ୍ରାହୀ ତାପ ବଢ଼ିବ।
ତା ଭାବି ଜୀବନ ଗଲେ ଦୁଖପଙ୍କେ ସଢ଼ିବ।
ଦୂତୀ ଗୋ, କୃଷ୍ଣର ପ୍ରେମଲୋଭରୀତି ଭାଙ୍ଗିବ।
ନୋହିଲେ ମୋହରି ପରା ପ୍ରେମଭୂତ ଲାଗିବ। ୭।

ତାଙ୍କ ଶ୍ରୀଛାମୁରୁ ମୋହପାଇଁ ବିଦା ମାଗିବ।
ପଦଧୂଳି ଦତ୍ତ କଲେ ସବୁ ପୁଣ୍ୟ ଜାଗିବ।
ଦୂତୀ ଗୋ, ପ୍ରାଣନାଥରେ ଥରେ ଏହା ଭାଷିବ ।
ଅଭାଗିନୀକି ତାରିଲେ ଯଶ ସିନା ଦିଶିବ। ୮।

କହୁଥିଲୁ କହୁଥିଲେ ପରା ଏହା ନାଗର ।
ବିରହକୁ ତୁଳ ନୋହେ ଘାତ କୋଟି ନାଗର ।
ଦୂତୀ ଗୋ, ବନ୍ଧୁକୁ କହ ଏ କି ଶଠ ଉତ୍ତର ।
ସତ ହୋଇଥିଲେ ମୋତେ କରନ୍ତେ କି ଅନ୍ତର। ୯।

କୁମୁଦିନୀ ବିନା ବାଧା କି ହୁଅଇ ବିଧୁର ।
ସେ ପୁଣି ନୁହଇ ନିକି ତାଙ୍କ ବିନା ବିଧୁର ।
ଦୂତୀ ଗୋ, ବନ୍ଧୁକୁ କହ ଦେଖ ପ୍ରୀତି ଶଶୀର ।
କାଳୀ ହେଲେହେଁ ଆଦର ନ ତେଜଇ ନିଶୀର। ୧୦।