ଧୀରେ ରାଧା କର ଧରି କହୁଛନ୍ତି ଦୂତୀକି

ଉଇକିପାଠାଗାର ରୁ
Jump to navigation Jump to search
Icono aviso borrar.png
             {ଧୀରେ ରାଧା କର ଧରି କହୁଛନ୍ତି}


ଧୀରେ ରାଧା କର ଧରି କହୁଛନ୍ତି ଦୂତି କି। ଜୀବନ ନେବାକୁ ଲଗାଇଛୁ ପାପ-ପ୍ରୀତିକି। ଦୂତି ଗୋ, ପ୍ରାଣବନ୍ଧୁଙ୍କୁ କହ ଯାଇ ଏତିକି। ଦୀକ୍ଷା କରିଛନ୍ତି ପରା ନାରୀ ମରା ରୀତି କି।(୧)


ଯାହା ସେ ବୋଇଲେ ତାହା ସତ ବୋଲି ହେବ କି? କିଣିଥିଲେ ପୁଣି ବିନାଶନ୍ତେ କେହି ସେବକୀ? ଦୂତି ଗୋ, ଦୟାନିଧିଙ୍କି ପଚାର ଏ ବିଧିକି। ଅବିଧିକି କଲେ ଅରଜିବେ କଉଁ ନିଧିକି।(୨)


ଶ୍ରୀଚରଣେ ଦେହ ପ୍ରାଣ ବିକି ଅଛି ମୁହିଁତ। ତାଙ୍କ ଅନୁଗ୍ରହ ସିନା ମୀ କପାଳେ ଲିହିତ। ଦୂତି ଗୋ, ଧନକୁ କହ ଆନ ଗତି ନାହିଁତ। ଦିବ୍ୟଚିତ୍ତେ ବିଚାରନ୍ତୁ ଯେ ଯାହାକୁ ବିହିତ।(୩)

ଚନ୍ଦ୍ର ବିନା ଚକୋରକୁ ଆନ ଗତି ନାହିଁ କି। ବନ ବିନା ମୀନ ଦିନ ନେବ ପୁଣି କାହିଁକି? ଦୂତି ଗୋ, କହିବୁ ଯାଇଁ ସେ ନାଗରମଣିକି। ଦାସୀକି ପକାଇଦେଲେ କାମସିନ୍ଧୁ ପାଣି କି।(୪)


ନିରବଧି ହୃଦୟକୁ କାମଦେବ ଦହିବ। ଅବଳା ମାତ୍ରକେ ଏତେ ଦାଉ କେହି ସହିବ। ଦୂତି ଗୋ, ଶ୍ୟାମବନ୍ଧୁଙ୍କୁ ଏତେ ମାତ୍ର କହିବ। ପୋଷିଲା ଦାସୀ ନାଶିଲେ କଉଁ ଯଶ ରହିବ।(୫)


ବିଦେହ ପଥ ସଙ୍ଖାଳି ପ୍ରାଣଧନ ହୋଇବ। କାହାକୁ କି ହେବ କହି ସବୁ କଲା ଦଇବ। ଦୂତି ଗୋ, କହିବୁ ଦାସୀ ଗୁଣକୁ ନ ଗାଇବ। ନିଲକ୍ଷଣୀ ପାଇଁ କିମ୍ପା ଏତେ ଦୁଃଖ ପାଇବ।(୬)


ସ୍ନେହ ପରାଧୀନେ ଗୁଣଗ୍ରାହୀ ତାପ ବଢିବ। ତା ଭାବି ଜୀବନ ଗଲେ ଦୁଃଖ ପଙ୍କେ ସଢ଼ିବ। ଦୂତି ଗୋ, କୃଷ୍ଣର ପ୍ରେମାଲୋଭରୀତି ଭାଙ୍ଗିବ। ନୋହିଲେ ମୋହରି ପରା ପ୍ରେମଭୂତ ଲାଗିବ।(୭)


ତାଙ୍କ ଶ୍ରୀଛାମୁରୁ ମୋହ ପାଇଁ ବିଦା ମାଗିବ। ପଦଧୂଳି ଦତ୍ତ କଲେ ସବୁ ପୁଣ୍ୟ ଜଗିବ। ଦୂତି ଗୋ, ପ୍ରାଣନାଥରେ ଥରେ ଏହା ଭାଷିବ। ଅଭାଗିନୀ କି ତାରିଲେ ଯଶ ସିନା ଦିଶିବ।(୮)


କହୁଥିଲୁ କହୁଥିଲେ ପରା ଏହା ନାଗର। ବିରହକୁ ତୁଳ ନୋହେ ଘାତ କୋଟି ନାଗର। ଦୂତି ଗୋ, ବନ୍ଧୁଙ୍କୁ କହ ଏ କି ଶଠ ଉତ୍ତର। ସତ ହୋଇଥିଲେ ମତେ କରନ୍ତେ କି ଅନ୍ତର।(୯)


କୁମୁଦୁନୀ ବିନା ବାଧା କି ହୁଅଇ ବିଧୁର। ସେ ପୁଣି ନୁହଇ ନିକି ତାଙ୍କ ବିନା ବିଧୂର। ଦୂତି ଗୋ, ବନ୍ଧୁଙ୍କୁ କହ ଦେଖ ପ୍ରୀତି ଶଶୀର। କାଳୀ ହେଲେହେଁ ଆଦର ନତେଜଇ ନିଶିର।(୧୦)

 × × × × × × × × × × × × × × ×

ହେଳା କଲେ ପ୍ରୀତି ଭେଳା ମୋର ବୁଡି ଯାଉଛି।

ବିଚାର କରନ୍ତୁ କେତେ ଅସୁନ୍ଦର ପାଉଛି।

ଦୂତି ଗୋ, କହ ବନ୍ଧୁଙ୍କୁ ଏ ବିଚାର ହେଉଛି।

ନାଥ ଥାଉଁ ଅନାଥିନୀ ଦଶା ପର ଦେଉଛି।(୧୧)


ବୁଣିଥିଲେ ପ୍ରେମ ବୀଜ ଅଙ୍କୁର ସେ ହୋଇଛି।

ଘନରସ ଆଶା କରି ଏତେ କାଳ ଜୀଇଛି।

ଦୂତି ଗୋ, କହ ବନ୍ଧୁଙ୍କୁ କାମ ଜାଳି ଦେଉଛି।

ତହୁଁ ଯେ ବାଳୁଛି ତାହା ମୂଳ ଖୋଳି ନେଉଛି।(୧୨)


ପ୍ରୀତି ପୁରନ୍ଦରକୁ ଏ ନିନ୍ଦା ନିକି ନୋହୁଛି।

ପଛେ ଦୋଷ ନବାଛିବେ ବାର ବାର କହୁଛି।

ଦୂତି ଗୋ, କହ ବନ୍ଧୁଙ୍କୁ କେହି ଦେହ ସହୁଛି।

ଵିଚାରନ୍ତୁ ସବୁ ଆଶ ଏହିଠାରୁ ରହୁଛି।(୧୩)


ଉଦେ ହେଲା ଘନଶ୍ୟାମ ରସ ବୃଷ୍ଟି ନୋହିଲା।

ଦୁର୍ଯୋଗ ବତାସ ପୁଣି କାହୁଁ ଆସି ବହିଲା।

ଦୂତି ଗୋ, କହ ବନ୍ଧୁଙ୍କୁ ସବୁ ଆଶ ରହିଲା।

ପିପାସୀ-ଚାତକୀ ଚିତ୍ତ ଚିନ୍ତା ଚିତା ଦହିଲା(୧୪)।


ଶଉରି-ଗତି ନୋହିଲେ ଘନରସ ନୋହିବ।

ଜ୍ୟେଷ୍ଠ ତାପରେ କି ଆଉ ପ୍ରେମକୃଷି ରହିବ।

ଦୂତି ଗୋ, ପ୍ରାଣବନ୍ଧୁଙ୍କୁ ଏହା ଯାଇ ଭାଷିବ।(୧୫)


ଆହୁରି କହିବୁ ଥରେ ମୋ ଦଇନି ଏତିକି।

ଆଉମାନଙ୍କୁ କରିବେ ନାହିଁ ମୋଠା ରୀତି କି।

ଦୂତି ଗୋ, କହ ବନ୍ଧୁଙ୍କୁ ଉଣା ହେବ ପ୍ରୀତି କି।

ଗୁଣ ବିଚକ୍ଷଣ ନ ଜାଣନ୍ତି କଉଁ ନୀତି କି।(୧୬)


କହିବୁ ଆହୁରି ଥରେ ଶ୍ରୀଛାମୁରେ ନାଥର।

କି ଉପାୟରେ ଏଥର ହୃଦ କଲେ ପଥର।

ଦୂତି ଗୋ, କହ ବନ୍ଧୁଙ୍କୁ ଯାଇଁ ମୋହୋ ଉତ୍ତର।

ରାଧା ମାଗିଛନ୍ତି ଦେବ ପ୍ରେମ ଛଡା ମନ୍ତର।(୧୭)


କହୁଁ କହୁଁ ମୁହୁର୍ମୂହୁ ଧନୀ ହେଲେ କାତର।

ହା ମୋହନ କହି ମୋହଗତି ହେଲା ଚିତ୍ତର।

ଦୂତି ଗୋ, ଏ ଜାତି ରୀତି ପୋଡ଼ୁ ପୋଡ଼ୁ ପ୍ରୀତିର।

ଦୀନ ଅଭିମନ୍ୟୁ ଭାବେ ପଦ ରସବତୀ ର।(୧୮)