ପଧାନଘର ଲୋଡ଼ା ନାହିଁ । ମାଆ ବୁଢ଼ୀ ତେଣେ ବିକଳ ହେଉଥିବ । ଆ- ଯିବା ।"
ଏତିକି ମାତ୍ର କହି ଦୂରରେ ସାପ ପଡ଼ିଥିବା ଥାନକୁ ଚାହିଁ ଦେଖିଲେ, ସାପ ବେକ ମୋଡ଼ି ରହିଲାଣି । ଆଉ ସେ କଥା କିଛି କହିଲେ ନାହିଁ, କାରଣ କାଳେ ପିଲା ଭୟ କରିବ ।
ଆଗରେ ବାଳିକା, ପଛରେ ଡିପୋଟି ଗୋଟିଏ ଗୋଟିଏ ଶ୍ରୀଧରପୁରକୁ ସଳଖିଲେ । ବାଟରେ ପଚାରିଲେ, "ଯେମା । ତମର ଜାତି କଣ ?" ଯେମା କହିଲା- "ବାବୁ ! ଆମର ଜାତି କ୍ଷତ୍ରିୟ । ମୋର ବାପା ପରା ମଲାଯାଏ ଖଣ୍ଡା ତରୁଆର ଧରୁଥିଲେ ?"
"ହେଉ ଚାଲ-"
ବୁଢ଼ୀର ବର୍ଷାହେଲା ବେଳୁଁ ଆଖିରୁ ଲୁହଧାର ବନ୍ଦ ହୋଇ ନାହିଁ । ଆଉ କେଉଁଥିପାଇଁ ନୁହେଁ, କେବଳ ସେହି କୁମାରୀ ମଣିଟି ପାଇଁ । ସେ କେବଳ ମନେ ମନେ ଭାବୁଥାନ୍ତି "ହାୟ ! ମୋର ଏଇ ପୋଡ଼ା ପେଟ ଚାଖଣ୍ଡକ ପାଇଁ ସିନା ଆଜି ନୟନର ମଣିକୁ ବିପଦ ନଈରେ ଭସାଇ ଦେଇଚି ! କେଉଁଠି ଥିବଟି ! ଆହା କରିବାକୁ ତ କେହି ପାଖରେ ନଥିବ । ଦୁଧରେ ଗୋଧୋଇ ଘିଅରେ ଆଞ୍ଚୋଉ ଥିଲା ଯେ, ତାରି କପାଳରେ ଏ ଦୁଃଖ ବିଧାତା ଲେଖିଥିଲା ! କର୍ମ ମନ୍ଦ ହେଲାବେଳେ ସବୁ ଅମଙ୍ଗଳଯାକ ଅଜାଡ଼ି ହୋଇପଡ଼େ । କାଲି ତାର ବାପ ଯେତେବେଳେ ଥିଲା, ସେ ଏଇ ଗାଁ ସାଇପଡ଼ିଶାଙ୍କୁ ଖୁଆଇ ପିଆଇ ସର୍ବସ୍ୱ ସାରିଥିଲା । ଆଜି ତାର ଗେଲବସର ଦଶବରଷର ଝିଅ ପାଞ୍ଚଟି ପଇସାକୁ ସର୍ବସ୍ୱ କରି ହାଟକୁ ଯାଇ ବିପଦ-ସମୁଦ୍ରରେ ପଡ଼ିଛି । ହାୟ ଭଗବାନ୍- କେତେଦିନ ଏ ହିନମାନ ଜୀବନକୁ ଏ ପାପ ଭିତରେ ସାଇତି ରଖିଥିବ । ପାଞ୍ଜିକଣ ଚିତ୍ରଗୁପ୍ତ ମୋର