ଗୋବର ଗୋଟେଇ
ମାନନୀୟା- ତୁମେ ବୃଦ୍ଧା ଲୋକ- ଏ କଣ ? ଉଠ ଉଠ, କହି ଉଠାଇ ପକାଇଲେ । ବୁଢ଼ୀ ଉଠିପଡ଼ି କହିଲେ- "ମା, ମଣି, ମୁଁ ଏଇ ଦେବତାଙ୍କ କଥା ତତେ କହୁଥିଲି । ଏଇ ତୋ ଭାଇକି ପୁଲିଶଚାକିରି ଦିଆଇଥିଲେ- ଦୈବ ତ ସହିଲା ନାହିଁ । ଆହା, ଆମର କି ଭାଗ୍ୟ ଆଜି ମଣି ! ଯା, ଯା, ଗଲୁ ଆଲୁଅଟା ଆଣିଲୁ । ଆହା, ବଡ଼ଲୋକ ବରଷାରେ କି କଷ୍ଟ ପାଇଚନ୍ତି । ଗରିବ ଦୁଆରେ ଆଜି ରାଜରାଜେଶ୍ୱର ଅତିଥି- ଆଉ ବୁଢ଼ୀ କହିପାରିଲେ ନାହିଁ ।
ଶ୍ୟାମବାବୁ ଆଶ୍ୱାସନା ଦେଇ କହିଲେ- "ମା, କିଛି ଚିନ୍ତା କର ନାହିଁ- ମୁଁ ତମର ବ୍ୟବହାରରେ, କଥାରେ ପରମତୃପ୍ତ । ତୁମର ଅବସ୍ଥା କଥା ଯଦି ମୁଁ ପୂର୍ବରୁ ଜାଣିଥାନ୍ତି, ହାୟ ତମେ ଏପରି ଦୁରବସ୍ଥା ଭୋଗି ନ ଥାନ୍ତ- ତେବେ-ମୋ ପାଇଁ କିଛି ମାତ୍ର ଚିନ୍ତା କର ନାହିଁ । ମୁଁ ତୁମର ପୁଅ ଜାଣ । ଏଇଗାଁରେ ଅନ୍ୟ କା ଦୁଆରକୁ ଗଲେ ମତେ ବିପୁଳ ସମ୍ବର୍ଦ୍ଧନା ମିଳିବ; ମାତ୍ର ମୁଁ ଆଦୌ ତାହା ଚାହେଁ ନାହିଁ । ମୋର ଦୁଃଖୀର ଖୁଦ କୁଣ୍ଡା ଅମୃତ । ମଣିଷ ହିସାବରେ ତୁମେ ବଡ଼ ମା, ମୁଁ ତ ପରର ଚାକର । ଛାଡ଼ ସେ କଥା ।"
ବୁଢ଼ୀ ଝଟକରି ଘରଭିତରେ ପଶି ଖଣ୍ଡିଆ ପେଡ଼ି ଖଣ୍ଡି ବାହାର କରି ତା ଭିତରୁ ଦୋସିଆଁ ଧୋତି ଖଣ୍ଡିଏ ଧରି ଆସି ପହଞ୍ଚିଲେ ଏବଂ କହିଲେ- "ହଜୁର ! ଗରିବର ଏ ଲୁଗାଖଣ୍ଡି ବଦଳାଇ ପକାନ୍ତୁ ।"
ଏ କଥାଟି ଶ୍ୟାମବାବୁଙ୍କୁ ଭଲ ଲାଗିଲା ନାହିଁ । ସେ ନିଜକୁ ମାଜିଷ୍ଟ୍ରେଟ ପରିଚୟ ଦେଇ ଭୁଲ କରିଛନ୍ତି, କାରଣ ବୁଢ଼ୀ ଲୁଗା ନ ଆଣିବା ପୂର୍ବରୁ ସେ ଧୀର ସ୍ୱରରେ କହୁଥିବା କଥା ଶୁଣିବାକୁ ପାଇଥିଲେ ଯେ; ସେ 'ମଣି'କୁ ଶିଖାଉଛନ୍ତି ମଣି! ସେ ଆମର ହାକିମ,