ଗୋବର ଗୋଟେଇ
ମୁଁ କହିଲି- "ତାକୁ ଅଶୀ ବର୍ଷ । ସେମାନେ ଆମ ଘରକୁ ଆସି ମୋର ବୁଢ଼ୀ ମାଠୁ ସବୁ ବୁଝିସୁଝି ବିଲ ନିଲାମ ଯେପରି ନ ହେବ ସେଥିପାଇଁ ଟଙ୍କା ପଠାଇ ଦେବା ପାଇଁ କହି ଯାଇଥିଲେ । ସରୋଜ ବାବୁ ବୋଲି ଜଣେ ପିଲା ତାଙ୍କ ଭିତରେ ଏମିତି ଭଲ ଯେ ସେ ଆମକୁ ତାଙ୍କ ଘରକୁ ନେଇଯିବା ପାଇଁ କହୁଥିଲେ । ମାତ୍ର ମୋର ମା ତାଙ୍କୁ ଯିବାକୁ ନାହିଁ କଲେ ଆଉ ମଧ୍ୟ ଟଙ୍କା ନେବାକୁ ନାହିଁ କଲେ । କିଆଁ ନା ସେମାନେ ପିଲାଲୋକ । ତାଙ୍କ ବାପା ମା ଜାଣିଲେ ଗାଳି ଦେବେ । ମାତ୍ର ତାହା ହେଲା ନାହିଁ । ୩ଦିନ ପରେ ନିଜେ ସରୋଜ ବାବୁ ସାଇକେଲ୍ରେ ଆସି ମୋ ହାତରେ ୪ଖଣ୍ଡ ଦଶ ଟଙ୍କିଆ ନୋଟ ଧରାଇ ଦେଇ ଚାଲିଗଲେ । ସେଇଥିରେ ଆମର ଜମିଟା ରହିଗଲା । ସେ ବାବୁ ଏବେ ଏଠି ନାହାନ୍ତି- ସହରରେ କୁଆଡ଼େ ପଢ଼ୁଛନ୍ତି ପରା- ଇସ୍କୁଲ ପଢ଼ା ତାଙ୍କର ସଇଲାଣି ।
"ତାରନାଁ କଣ କହିଲ- ସରୋଜ- ସରୋଜ ।' ଓହୋ ! ସେଦିନ ମୋତେ କହିଥିଲା- ଠିକ୍ ଠିକ୍ କହିଥିଲା-ବାବା ! ଦୀନଦୁଃଖୀ-ମାନଙ୍କ ପାଇଁ ସରକାର କଣ କୌଣସି ବନ୍ଦୋବସ୍ତ କରିନାହାନ୍ତି ? ହାୟ, କହି ପୁଣି ଏକ ଦୀର୍ଘ ନିଶ୍ୱାସ ପକାଇଲେ ।
ତୁମେ କଣ ପାଠ ପଢ଼ି ଚ ମଣି ?
ହଁ ଆଜ୍ଞା, ପଢ଼ିଚି, ମୁଁ ୪ ବର୍ଷରେ ପଢ଼ା ଆରମ୍ଭ କରି ଆଗ ଘରେ ମା ପାଖରେ ପଢ଼ୁଥିଲି ତାପରେ ଚାଟଶାଳୀରେ ବର୍ଷେ ପଢ଼ି ଇସ୍କୁଲରେ ପଢ଼ିଲି । ୮ ବର୍ଷଯାଏ ମୁଁ ଇସ୍କୁଲରେ ପଢ଼ିଚି । ମୁଁ ଉଚ୍ଚପ୍ରାଇମେରି ପାଶ୍ କରିଥିଲି ।"
"ତୁମେ ଏତେ ଅଳ୍ପ ସମୟରେ ଏତେ ପଢ଼ି ପକେଇଲ ? ଆହା ବୁଦ୍ଧିମତୀ ବାଳିକାଟିକୁ ଦାରିଦ୍ର୍ୟ ସର୍ବନାଶ କରି ଦେଇଚି-" ।