ଗୋବର ଗୋଟେଇ
ଖାଦ୍ୟ ଭିତରେ କି ମାଧୁରୀ ଥିଲା, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଥିଲା । ଆଜି ପର୍ଯ୍ୟନ୍ତ ସେ ଏପରି ତୃପ୍ତିକର ଖାଦ୍ୟ କେଉଁଠି ଖାଇ ନଥିଲେ । ତାଙ୍କୁ ଅମୃତ ପ୍ରାୟ ମନେ ହେଲା । ଏପରି ତୃପ୍ତିକର ଖାଦ୍ୟ ତାଙ୍କର ସ୍ତ୍ରୀ ମଲାଦିନୁ ସେ ଆଦୌ ଖାଇବାକୁ ପାଇ ନଥିଲେ । ତେବେ ସ୍ତ୍ରୀଙ୍କର ଖାଦ୍ୟ ତ ଅତି ଉଚ୍ଚ ଧରଣର; ମାତ୍ର ଏହି ଭଜା ଚାଉଳର ଭାତ ଅନାମନା । ଶାଗର ଖରଡ଼ା, ଆଉ କଦଳୀର ଭଜା ତାଙ୍କୁ ଯେ ପରମ ସନ୍ତୋଷ ଦେଇ ଥିଲା, ତାହା ଅପୂର୍ବ । ଏହି ଅନ୍ନ ମଧ୍ୟରେ ସେ ଯେପରି ସନ୍ତୋଷର ଜୀବନ୍ତ ମୂର୍ତ୍ତି ଅନୁଭବ କଲେ ଏବଂ କହିଲେ- "ମା, ଆଜି ତମେ ମତେ ଅମୃତ ଭୋଜନ ଦେଲ ?"
ବୁଢ଼ୀ ଲଜ୍ଜାରେ ମୁଣ୍ଡ ନୁଆଁଇ କହିଲେ- "ବାପ, ତୁ ରାଜ ରାଜେଶ୍ୱର, ମୋ ଦୁଆରେ ଅତିଥି । ତୋର ପାଦ ମୋ ଦୁଆରେ ପଡ଼ିଲା, ଏ ମୋର କେତେ ଜନ୍ମର ତପସ୍ୟା ।"
ଶ୍ୟାମ ବାବୁ ଏତିକି ବେଳେ ଭାବିଲେ- "ଆହା, ଗରିବ ଭିତରେ ପୁଣି ମାଧୁରୀ ନାହିଁ, ଗରିବ ଭିତରେ ପୁଣି ଦେବତା ନାହାନ୍ତି- ମହତ୍ତ୍ୱ ନାହିଁ କିଏ କହିଲା ? ବରଂ ଯଦି କେଉଁଠି ମହତ୍ତ୍ୱ, ଦେବତ୍ୱ, ମାଧୁରୀ ଅଛି, ତେବେ ଗରିବ ସମାଜରେ । ତାଙ୍କର ଧନୀ, ରାଜା ମହାରାଜା, କ୍ଷେମତାପନ୍ନ ଲୋକଙ୍କୁ କେଜାଣି କାହିଁକି ଘୃଣା ଅଇଲା । ଭାବିଲେ, "ହାୟ, ସେମାନେ ଯଦି ଏ ଗରିବ କୁଟୀର ଦେଖନ୍ତେ; ତେବେ ଜାଣନ୍ତେ କେଉଁଠି ସୁଖ-ଆନନ୍ଦ ଅଛି ? ସେଇଥିପାଇଁ ତାଙ୍କର ପୁରାତନ ବୈଦିକ ଆର୍ଯ୍ୟ ମହର୍ଷିମାନେ ବଣରେ ଶାନ୍ତିରେ କୁଟୀର ପ୍ରସ୍ତୁତ କରି ରହୁଥିଲେ । ଆଜି ସେଦିନ କାହିଁ ? ହୃଦୟ ଯାଇଚି, ଅଛି କେବଳ ଛାୟା । ଯେତେଦିନ ଯାଏ ଏହି ଧନୀ ଦରିଦ୍ରର ବୈଭିନ୍ନ ସମାଜରେ