କହିଲେ ତାହା କଲା । ବାଟଯାକ ତାକୁ ଯେ ଧମକା ଚମକା ପ୍ରଧାନେ କଲେ ତାହା ଲେଖିବା ଆଗରୁ କାନ୍ଦମାଡ଼େ । ତାକୁ ବିଧା ଗୋଇଠା ଦେବାକୁ କାନ ମୋଡ଼ି ଚାପୁଡ଼ା ଦେବାକୁ ସେ କେବେ ନିରସ୍ତ ହେଲେ ନାହିଁ ।
ଏଣେ ଗାଁରେ କଥାଟା ବ୍ୟାପ୍ତ ହେବାକୁ ତିଳେ ବିଳମ୍ବ ହେଲାନାହିଁ । ପଂଝା ପଂଝା ଲୋକ ଆସି ବୁଢ଼ୀଙ୍କ ଘରେ ଟେକା ପଥର ବୃଷ୍ଟି କଲେ ଏବଂ ବାର ଅଭାଷାରେ ଗାଳିଦେଇ କହିଲେ- "ରହ ରହ- ଆଜି ତୋ ଗୁଣ ଛଡ଼ାଉଚୁ ।" କେହି ବା କହିଲା "ଏ ରାଣ୍ଡିଟାକୁ ଦାଣ୍ଡକୁ ଝିଙ୍କି ଆଣ ହେ ?" ବୁଢ଼ୀଙ୍କର ଦେହ ଭାଙ୍ଗିପଡ଼ିଲା । ସେ ଲୋକଙ୍କ କଥାରୁ ଜାଣିଲେ ଯେ ସେ ଚୋରଣୀ ।
ହାୟରେ ବିଧାତା ଏ ଅଶୀବର୍ଷ ବୟସରେ ୧୦ ବର୍ଷର ଝିଅନେଇ କେଉଁଠିକି ଚୋରିକରି ଯାଇଥିଲି ? ପ୍ରାଣ ! ଆଉ କେତେଦିନ ଅଛୁ ? କେତେକଥା ଆଉ ଦେଖାଇବୁ ? ଏ ପୋଡ଼ା ସଂସାରରେ ଜନ୍ମ ହୋଇ ଏତେଦଣ୍ଡ ଭୋଗିଲି ତେବେ କଣ ତାହା ଶେଷ ହେଲା ନାହିଁ ।
ସେ କାନ୍ଦୁଚନ୍ତି- କିଏ ତାଙ୍କର ବାଡ଼ଖଣ୍ଡ ଭାଙ୍ଗି ଦେଉଚି- କିଏ ତାଙ୍କ କପାଗଛ ଗୁଡ଼ାକ ଉପାଡ଼ି ପକାଉଚି, କିଏ ଜଡ଼ାଗଛ ଗୁଡ଼ାକ ଭାଙ୍ଗି ପକାଉଚି । ଏହି ସମୟରେ ଗାଁର କୁଳବୃଦ୍ଧ ଧୋବେଇ ନିଶଙ୍କ ଆସି କହିଲେ "ମଣିମା ! ଏ ବୃଦ୍ଧକାଳରେ ଏ କି କୀର୍ତ୍ତି ଅର୍ଜିଲ । କାହାକୁ ଶିଖାଇ ମଣେଇ ଏ କାମଟି କରେଇଚ ? ପୁଣି ଦି ଦିନ ସମ୍ଭାଳି ପାରିଲ ନାହିଁ । ଯା- କଣ କହିବା । ବଡ଼ଘର ବୋହୂ ହୋଇଥିଲ ବଡ଼ଲୋକର ମା' ହୋଇଥିଲ, ପ୍ରାଣ ରଖିବାକୁ ଏ ଅଶୀବରଷରେ ଏଇଆ କଲ ? ବିଷଖାଇ ମରିବାକୁ କଣ କିଛି ଉପାୟ ମିଳିଲା ନାହିଁ ? ବଞ୍ଚିଥିଲେ କେତେକଥା