ଏଥର ସରୋଜ ମାଳଟିକୁ ପାଇ ହସି ହସି କହିଲା- "ବିନୋଦ, ଆମର ଭଉଣୀ କି କାରିଗର ଦେଖନାଁ- ଏଟା କି ସୁନ୍ଦର ହୋଇଚି ।" ଆଉ ଆତ୍ମପ୍ରଶଂସା ଶୁଣିବାକୁ ଦାସିଆ ଅବସର ନ ଦେଇ ସମସ୍ତଙ୍କୁ ଆଡ଼େଇ ଆଡ଼େଇ ଖାଇବା ଘରକୁ ଘେନିଗଲା ।
ଦିନଦିନ ହୋଇ ଏପରିଭାବରେ ସୁଖରେ ଛୁଟିତକ କଟିଗଲା । ଦାସିଆ ଆଖିରେ ଲୁହ ଧାରଦେଇ ତାକୁ ଏକୁଟିଆ ପକାଇ ଦେଇ ତିନୋଟି ଯାକ ଫୁଲକଢ଼ି ଯେଝା ସ୍କୁଲ କଲେଜକୁ ଚାଲିଗଲେ । ଶ୍ୟାମବାବୁଙ୍କର ପେନସନ କଥା ଆଜିପର୍ଯ୍ୟନ୍ତ କିଛି ଠିକ୍ ହୋଇ ନ ଥିଲା । ସେ ପୁଅକୁ ସୁବିଧାରେ ଚଳିବାପାଇଁ ମଣିକୁ ଯତ୍ନରେ ରଖିବାପାଇଁ ନାନା ଉପଦେଶ ବ୍ୟଞ୍ଜକ ଚିଠିପତ୍ର ଦେଉଥିଲେ ।
ଦିନ ଦିନ ହୋଇ ବର୍ଷ ମାସ କି ସନରେ କଟିଯାଉଛି ତାହା ମାନବର ଅଗୋଚର । ହେଇ ଗଲା ଗଲା- ସେ ଡକା ପାଡ଼ିଚି ମାତ୍ର ତାର କଥା କେହି ଶୁଣିବାକୁ ନାହିଁ । କାଳର ଗତି ରୋଧିବାକୁ କାହାର ବଳ କଳନାହିଁ । ଚନ୍ଦ୍ରାଲୋକକୁ ଯିବାକୁ- ମଙ୍ଗଳଗ୍ରହ ଆବିଷ୍କାର ପାଇଁ ବିଜ୍ଞାନ ପଥ କରି ପାରୁଚି, ମାତ୍ର ଏ ପଦାର୍ଥଟି ମନୁଷ୍ୟର ମନର ଅଗମ୍ୟ ଜଡ଼ ବିଜ୍ଞାନ ଏଥିରେ ପରାସ୍ତ, ମନସ୍ତତ୍ତ୍ୱ ଏଥିରେ ପରାଭୂତ ।
ଏହା ମଧ୍ୟରେ ଚାରିବର୍ଷ ସମୟ ଅକ୍ଳେଶରେ କଟିଯାଇଚି । ଏହି ସମୟ କାହାକୁ କିପରି ସୁଖ ଦେଇଚି ସେ ଜାଣିଥିବ- ମାତ୍ର ସରୋଜ ଆଉ ମଣିକୁ ଦୁଃଖସାଗରରେ ଭସାଇ ଦେଇ ଅଛି । ଆଜି ସରୋଜ ଏମ୍.ଏ.ବି.ଏଲ୍ ପାଶ କରିଅଛି । ମଣି ମାଟ୍ରିକୁଲେଶନ ପାଶ କରି ବାବା