ଗୋବର ଗୋଟେଇ
ମୁକ୍ତିପଥ ପ୍ରସ୍ତୁତ କରି ଦେଲା । ଅର୍ଥଲୋଭୀ ହରିଚନ୍ଦନା ବ୍ରାହ୍ମଣଗଣ ଚାରି ପଇସା ଠେଇଁ ଦିଅଣା ପାଇ ସୁଖୀ ହେଲେ ।
ପିତାଙ୍କର ଶୁଦ୍ଧିଶ୍ରାଦ୍ଧ ସରିଗଲା ପରେ ବନ୍ଧୁ ବାନ୍ଧବ ଯେ ଯୁଆଡ଼େ ଗଲେ, ବାକି ରହିଲେ ମଣି, ସରୋଜ, ଦାସିଆ ଆଉ ଅସ୍ଥାୟୀ ଚାକରାଣୀ ଓ ପୂଜାରୀ । ଏତେ ବଡ଼ ଘରଟା ତାଙ୍କୁ ମାଡ଼ି ମାଡ଼ି ପଡ଼ିଲା । ବାବା ନଥିଲା ବେଳେ ସେମାନେ ଏପରି ଭାବରେ ରହୁ ଥିଲେହେଁ ଆଜି କେଜାଣି କାହିଁକି ତାଙ୍କୁ ରହିବାକୁ ଭୟ ଲାଗିଲା ।
ଯଥା ତଥା ଭାବରେ ମାସେ ଦି ମାସେ ସେ ତା ମୁହଁକୁ ଚାହିଁ, ଏ ୟା ମୁହଁକୁ ଚାହିଁ ଦିନ କଟାଇଲେ । ମାତ୍ର ମହାକାଳ ବିପଦ, ମଣି ସରୋଜର ଶିରୀ ସହି ପାରିଲା ନାହିଁ । ଯୋଉ ବୁଢ଼ା ନିମକସଚ୍ଚା ଚାକରଟି ଯୋଗେ ସେମାନେ ସୁଖରେ ଅଚିନ୍ତାରେ କାଳ କଟାଉ ଥିଲେ, ଦିନେ ସେ ତା ସାଆନ୍ତଙ୍କୁ ଚିନ୍ତା କରି କରି ଆଖି ବୁଜି ଦେଲା । ଏପରି ଠକ ମକ ହୋଇ ଦାସିଆ ମରିଯିବ କିଏ ଜାଣିଚି ? ସରୋଜ ଏଥର ଚିନ୍ତାରେ ସଢ଼ିଗଲା । କଣ କରିବ କିଛି ଉପାୟ ପାଇଲା ନାହିଁ ।
ଏହି ସମୟରେ ତାର ବିବାହ ପାଇଁ କେତେ ଆଡ଼ୁ କେତେ ଲୋକ ନିଜ ନିଜ କନ୍ୟାମାନଙ୍କର ଗୁଣଗ୍ରାମ ନେଇ ତା ନିକଟରେ ହାଜର ହେବାକୁ ଲାଗିଲେ । ମାତ୍ର କେଜାଣି କାହିଁକି ତାର ସ୍ୱୀକୃତି କେହି ଜଣେ ମାତ୍ର ପାଇଲେ ନାହିଁ । ୧୦ ଲକ୍ଷ ଟଙ୍କା ସମ୍ପତ୍ତିର ମାଲିକ ଏଣେ ସୁଦର୍ଶନ ସୁଠାମ ସୁନ୍ଦର ଏପରି ବୁଦ୍ଧିମାନ୍ ଶିକ୍ଷିତ ଯେ, ତାର ସମକକ୍ଷ ଜଣେ ମାତ୍ର ପିଲା ଦେଖିବାକୁ ବିରଳ । ଏପରି ମହତ୍ ବାଳକକୁ କନ୍ୟା ଦେବାକୁ କିଏ ଇଚ୍ଛା ନ କରିବ ? ବିଶେଷରେ 'ଧନେନ ସର୍ବେ ବଶାଃ ।'