ଗୋବର ଗୋଟେଇ
ରକ୍ଷଣାବେକ୍ଷଣ ତାର ହାତମୁଠାରେ ଥିଲେହେଁ ସେ ନିଜକୁ ପରିଚାଳିକା ଭାବିପାରେ ନାହିଁ । ତାର ଇଜ୍ଜା ଆସେ । କେବେ ଆମଘର ବୋଲି ସେ ଏହି ବଦ୍ମୁଖାମାନଙ୍କ ନିକଟରେ କହେ ନାହିଁ । ତଥାପି ତା ଉପରେ ପ୍ରହାର । ଏପରି କେତେ ଦିନଯାଏ ବାଳିକା ଉପବାସରେ ଦିନରାତି କଟାଇ ଦିଏ- ଏପରି କେତେଦିନ ଆସେ, ସେ ଚିନ୍ତାରେ ଜଡ଼ ହୋଇ ଶୋଇ ଶୋଇ କାନ୍ଦି କାନ୍ଦି ଦିନଟାକୁ କଟାଇଦିଏ । ରାତି ହେଲେ ଚାକର ଟୋକାଟିକୁ ଧରି ଶୋଇପଡ଼େ । ହାୟ ! ତାର ଏହି ଦୁଃଖମୟ ଜୀବନର କାହାଣୀ ଲେଖିବାକୁ ସହଜେତ ସେ ସଙ୍ଗୀହୀନ; ପୁଣି ଯେ ତାର ଭାଷା ଥିଲା ବ୍ୟକ୍ତ କରିବାକୁ, ତାହା ମଧ୍ୟ ପାଏ ନାହିଁ । କେବେ କେବେ ସରୋଜକୁ ଭାବିଭାବି, ଭବିଷ୍ୟତ ସୁଖ କଳ୍ପନାରେ ଦିନଟି କଟାଏ ।
ଅତିଶୟ ଯାତନା ମଧ୍ୟରେ ମଣି ତାର ପ୍ରେମମୟ ଚିନ୍ତାରେ ଦେଢ଼ମାସ କାଳ କାଟି ଦେଲା । ବୁଢ଼ୀ ସାଙ୍ଗ ସାଥୀ ହୋଇ ଘରର ପୁରୁଣା ଚାକରାଣୀ ଠାରୁ କେତେଗୁଡ଼ିଏ କଥା ସଂଗ୍ରହ କରିଥିଲେ ଯେ, ବାବୁ ଏଇ ମଣିଯୋଗେ ବିଭା ହେଉ ନାହାନ୍ତି ! ତାକୁ ବିଭା କଲେ ସେ ବିବାହ କରିବେ । ଆଉ ମଣିର ଇଚ୍ଛା ତାଙ୍କୁ ବିଭାହେବା ପାଇଁ ।
ବୁଢ଼ୀ ସେତିକି ଶୁଣି ଖଡ଼ ଖଡ଼ ହେଉଥିଲା । ଦେଖିଲା, ମଣି ତଳକୁ ଆସୁଚି; ତାକୁ ପାଖକୁ ଡାକି ପଚାରିଲା- "କିଲୋ ଝିଅ, କି ହୀନ କପାଳରେ ଜନ୍ମ ହୋଇଥିଲୁ- ଗୋଟିଏ ବଉଁଶ ଖାଇ ତ ଛତର ଯାଏ ଗଲୁ । ଆଉ କଣ ମୋ' ବାପଘରକୁ ସେମିତି କରିବୁ ଭାବିଚୁ କି ? କିଲୋ, ତୋର ଏତେ ମଗଦୁର ଯେ, ତୋର ସରୋଜଠେଇ ମନ ? ଯା, ଯା ଛି- ଛି- ଏକଥା ମନରେ ଧରନ୍ତି ଟିକି ? ସବୁକଥା ମୁଁ ବୁଝି ନାହିଁ । ତୁ ଏବେ ତୋ ବାଟ ଧ- ବୃଥାରେ ଏଠି ରହି ତୋର ଲାଭ କଣ ?"