ଗୋବର ଗୋଟେଇ
ରାତିରେ ଖିଆ ପିଆ ସରିଲା । ସମସ୍ତେ ଶୋଇବାକୁ ଯିବାକୁ ବାହାରିଲେ । ସରୋଜ ମଣିକୁ ପାଖକୁ ଡାକିଲା, ପଚାରିଲା-
"ମଣି ! କଣ କରିବି କହିଲୁ- ବହୁ ସ୍ଥାନ ବୁଲିଲି, ଗୋଟିଏ ସୁପାତ୍ର ମୋତେ ମିଳିଲା ନାହିଁ, ଯହିଁରେ ତୋର ଜୀବନ ସୁଖମୟ ହେବ । ସେପରି ପାତ୍ର ମୋ ଦୃଷ୍ଟିରେ ଆଦୌ ପଡ଼ିଲା ନାହିଁ । ଯେ ବା ପଡ଼ିଲେ, ବିନୋଦର ସେଥିରେ ତିଳେ ମତ ହେଲା ନାହିଁ । ବାପାଙ୍କର କଥା ରକ୍ଷା ନ କରି ମୁଁ ତ ରହି ପାରୁ ନାହିଁ- କଣ କରିବି ?" ଏପରି କେତେକ କଥା ଯୋଡ଼ିଯାଡ଼ି କହିଦେଲା ।
ମଣି ଆଖିରୁ ଲୁହ ଗଡ଼ିଲା । ସେ କିଛି ମାତ୍ର ଉତ୍ତର ଦେଲା ନାହିଁ, ଖଟ ତଳକୁ ଓହ୍ଲାଇ ପଡ଼ି ସରୋଜର ପାଦ ଦୁଇଟି ଧରି ଗୋଟିଏ ମୁଣ୍ଡିଆ ମାରିଦେଇ ତା କୋଠରୀକୁ ପଳାଇଲା । ସରୋଜ ସେଥିର ଅର୍ଥ ବୁଝିଲା କି ନାହିଁ, ସେ ଜାଣେ, ମାତ୍ର ନ ବୁଝିଲା ପରି ରହିଲା । ସେ କି ସାହସରେ ମଣିକୁ ସେ ଚିଠି କଥା କହିବ ? ଭାବିଲା, ଆଛା, ପୂନର୍ବାର ଚେଷ୍ଟା କରେ । ପ୍ରଫେସର କଣ ଲେଖୁଛନ୍ତି- ତାଙ୍କୁ ତ କହି ଆସିଛି । ଭାବି ଆଶ୍ୱସ୍ତ ହେଲା, ଶୋଇ ପଡ଼ିଲା ।
ମାତ୍ର ଚିନ୍ତାରେ ପଡ଼ିଲା- ମଣି । ତାର ଜୀବନର ପ୍ରତ୍ୟେକ ଚିତ୍ର ଆଜି ତା' ଆଖି ଆଗରେ ଉଦ୍ଭାସି ଉଠିଲା । ସରୋଜ କଣ ଏତେ ନିର୍ମମ- ତାଠି କଣ ଟିକିଏ ମାୟା ନାହିଁ ! ଏହି ନିବଶ୍ରୟାଟିକୁ ନିଜେ ଗ୍ରହଣ କଲେ ଏପରି କଣ ବା କ୍ଷତି ହୁଅନ୍ତା- ହାୟ, ନିଜେ ଏହା କିପରି କହିବ ? ନିଜର ସ୍ୱାର୍ଥ ପାଇଁ ନିଜେ କିପରି ପ୍ରସ୍ତାବନା ଆଣିବି ? ବିଧାତାର ଅନ୍ୟ କିଛି ତେବେ ସୃଷ୍ଟିର ରହସ୍ୟ ଅଛି । ଥିଲେ ବା ମୁଁ ତ ଗ୍ରହଣ କରିବି ନାହିଁ । ଯେଉଁ ପାଦପଲ୍ଲବରେ ମନପୁଷ୍ପଟିକୁ ଅର୍ପଣ କରିଚି, ତାହା