ପୃଷ୍ଠା:Gobar Gotei (C Mohapatra, 1930).pdf/୧୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବର ଗୋଟେଇ

"ହଇରେ ବାପ ! ତୁ କଥାଟା ବୁଝିଥିବୁ । ସରୋଜ ତ କଥାଟା ଖୋଲି କ‌ହିଲା ନାହିଁ, ଖାଲି କ‌ହିଲା- ପିଉସି ! ମୋର ବିବାହ ଆସନ୍ତା ଶୁକ୍ଳ ଦଶମୀକୁ ହେଉଛି- କଣ ପାଡ଼ୁଷୀଘରେ କଲେ ନାଁ ପୁରୋହିତଙ୍କ ଘରେ କଲେ ? ଶୁଣୁଚି ସବୁ ପରା ବାମନ ମିଶ୍ର କରୁଚି ? ଆଲୋ ମା, ଆଲୋ, ବାମନ ମିଶ୍ର ତ ମୋର ଛାଇ ଦେଖି ପାରେ ନାହିଁ । କଣ କଥାଟା କ‌ହିଲୁ ବାପ ?"

ବିନୋଦ ମୁରୁକିହସା ଦେଇ କ‌ହିଲା- "ନାଇଁ ଏଇ ପାଖରେ କେଉଁଠି ବିଭା ହେଉଛି । ସେ ସ୍କୁଲରେ ପାସ୍ କରିଚି-

"ଆରେ କଣ ଖିରସ୍ଥାନିଆ କିରେ- ଆଉ ପାଠ କିଏ ପଢ଼ିଚି ମ ? ଦୁଃଖୀ କି ଲାବ କେହି ତ ପାଠ ପଢ଼ିନାହାନ୍ତି ! ଆଉ କିଏ, କଥାଟା ଖୋଲି କ‌ହମ ? ଏତେ ଲୁଚାଲୁଚି କିଆଁ ? ଏଠି ଆଉ କିଏ ଅଛି କି ?"

ବିନୋଦ କ‌ହିଲା- "ହଁ, ଗୋଟିଏ ଅଛି- ସେ ଭାରି ସୁନ୍ଦରୀ, ଭାରି ବୁଦ୍ଧିମତି-ଭାରି ଶିକ୍ଷିତା । ତା'ଠୁ ବଳି ପିଲା ଏ ରାଜ୍ୟରେ କେହି ନାହିଁ ।"

ବୁଢ଼ୀ ଭାବି ଭାବି କିଛି ଥଳକୂଳ ପାଇଲା ନାହିଁ- "ଆଉ କିଏ ସେ ? କିଏ ତ ଗୋଟାଏ ଖିରସ୍ତାନିଆ ହୋଇଥିବ ? ସୁନ୍ଦରୀ- ମଲା ମୋର, ସୁନ୍ଦର ଆଉ ଦେଖା ନାହିଁ । ଏହି ମଣି ଅଛନ୍ତି ରେ ପୁଅ, ଏ ଘରେ ସେ ଯେମିତି ସୁନ୍ଦରୀ, ସେପରି ସୁନ୍ଦରୀ ହୋଇଥିବେ ?:

ଏତିକିବେଳେ ଖୁବ୍ ସରଳରେ ବିନୋଦ ଟିକିଏ କାଶୀ କ‌ହି ଦେଲା- "ପିଉସି ! ସରୋଜ ପରା ମଣିକୁ ବିଭା ହେଉଛି । ଦୋଷ କଣ ? ମଣିପରି ପିଲାକୁ ସରୋଜ ବିଭା ନ ହେଲେ ସାଜିବ ଟିକି ?"