Jump to content

ଓଡ଼ିଶା ଇତିହାସ/ଅଗଷ୍ଟ ବିପ୍ଳବ

ଉଇକିପାଠାଗାର‌ରୁ
ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଅଗଷ୍ଟ ବିପ୍ଳବ

ଅଗଷ୍ଟ ବିପ୍ଳବ


୧୯୪୨ ମସିହା ଅଗଷ୍ଟ ୯ ତାରିଖରୁ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହେଲା । ସେଥିପାଇଁ ଏହାକୁ ଅଗଷ୍ଟ ବିପ୍ଳବ ନାମରେ ଲୋକେ ଜାଣନ୍ତି । ଏହା ଥିଲା ଇଂରେଜ ସରକାର ବିରୁଦ୍ଧରେ ଜାତୀୟ କଂଗ୍ରେସର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟର ଗଣ ଆନ୍ଦୋଳନ । ଊନବିଂଶ ଶତାବ୍ଦୀର ଶେଷ ତିିନି ଦଶନ୍ଧିରେ ଶିକ୍ଷିତ ବୁଦ୍ଧିଜୀବୀଙ୍କ ମଧ୍ୟରେ ଏକ ରାଜନୈତିକ ସଚେତନତା ରୂପରେ ଆରମ୍ଭ ହୋଇଥିବା ଜାତୀୟତା ଆନ୍ଦୋଳନ, ୧୯୪୨ ମସିହା ବେଳକୁ ବ୍ୟାପକ ଗଣ ବିପ୍ଳବର ରୂପ ନେଲା । ଆଦିବାସୀ, ଚାଷୀ, ମୂଲିଆଙ୍କଠାରୁ ଆରମ୍ଭ କରି ସହରର ଶ୍ରମିକ, ଛାତ୍ର, ବୁଦ୍ଧିଜୀବୀ ଆଦି ସମସ୍ତ ବର୍ଗର ଲୋକ ଏଥିରେ ସାମିଲ ହୋଇଥିଲେ । ଆନ୍ଦୋଳନର ଏହି ସୁଦୂରପ୍ରସାରୀ ଭାବକୁ ଦୃଷ୍ଟିରେ ରଖି ଲୋକେ ଏହାକୁ ବିପ୍ଳବ ବୋଲି କହିଥାନ୍ତି । ସମଗ୍ର ଦେଶରେ ଏହା ଅଭୂତପୂର୍ବ ଆଲୋଡ଼ ସୃଷ୍ଟି କରିଥିଲା ଏବଂ ଆରମ୍ଭ ହେବାର ପାଞ୍ଚ ବର୍ଷ ଭିତରେ ଇଂରେଜ ସରକାରକୁ ଭାରତ ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲା ।

୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ଗୋଟିଏ ପକ୍ଷରେ ଇଂଲଣ୍ଡ ଓ ଫ୍ରାନ୍‍ସର ନେତୃତ୍ୱରେ ଥିଲେ ମିତ୍ରଶକ୍ତି ଏବଂ ଅନ୍ୟ ପକ୍ଷରେ ଥିଲେ ଜର୍ମାନୀ, ଇଟାଲି ଓ ଜାପାନର ଫାସୀବାଦୀ ଶକ୍ତିକୁ ନେଇ ଅକ୍ଷଶକ୍ତି । ଫାସୀବାଦୀ ଥିଲେ ଇଂରେଜ ସରକାର ଅପେକ୍ଷା ଅଧିକ ଧ୍ୱଂସାତ୍ମକ ଓ ମାନବତାବିରୋଧୀ । ଇଂରେଜମାନଙ୍କପାଇଁ ଅଧିକ ସମସ୍ୟା ସୃଷ୍ଟି କରିବା ଅର୍ଥ ଫାସୀବାଦକୁ ପ୍ରକାରାନ୍ତରେ ସହଯୋଗ କରିବା ହେବ ବୋଲି ମନେ କରି ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତୃତ୍ୱ ତୃତୀୟ ଓ ଅନ୍ତିମ ପର୍ଯ୍ୟାୟର ଗଣ ସଂଗ୍ରାମକୁ କିଛି ସମୟପାଇଁ ଟାଳିବାକୁ ଚାହୁଁଥିଲେ । ଅନ୍ୟ ପକ୍ଷରେ ଗଣସଂଗ୍ରାମର ଡାକରା ଦେବାପାଇଁ ନେତୃତ୍ୱ ଉପରେ ଲୋକଙ୍କର ଚାପ ପଡ଼ୁଥିଲା । ଲୋକଙ୍କ ଦୃଷ୍ଟିରେ ଶତ୍ରୁ ବିପଦରେ ପଡ଼ିଥିବା ବେଳେ ତାକୁ ପରାସ୍ତ କରିବା ସହଜ । ତେଣୁ ବଡ଼ ଧରଣର ଏକ ଆନ୍ଦୋଳନ ଆରମ୍ଭ ହେବା କଥା । କଂଗ୍ରେସ ନେତୃତ୍ୱ ମଧ୍ୟରେ ସୁଭାଷ ଚନ୍ଦ୍ର ବୋଷ ଏବଂ ବାମପନ୍ଥୀମାନେ ମଧ୍ୟ ଆନ୍ଦୋଳନ ଆରମ୍ଭ କରିବାକୁ ଯୁକ୍ତି ବାଢ଼ୁଥିଲେ । ଇଂରେଜ ସରକାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ପ୍ରତି ନମନୀୟ ହୋଇ ଭାରତୀୟମାନଙ୍କ ସହଯୋଗ ଲୋଡ଼ିବା କଥା । ମାତ୍ର ତାହା କରୁ ନଥିଲେ । ପ୍ରାଦେଶିକ ମନ୍ତ୍ରିମଣ୍ଡଳଗୁଡ଼ିକର ବିନା ପରାମର୍ଶରେ ଭାରତକୁ ଯୁଦ୍ଧରେ ମିତ୍ର ପକ୍ଷର ସମର୍ଥରେ ସାମିଲ୍‍ କରିଦେଲେ । ଏହାର ପ୍ରତିବାଦ କରି ୧୯୩୯ ନଭେମ୍ବରରେ କଂଗ୍ରେସର ମନ୍ତ୍ରିମଣ୍ଡଳଗୁଡ଼ିକ ସରକାରରୁ ଇସ୍ତଫା ଦେଲେ, ଯାହା ପୂର୍ବରୁ ଆଲୋଚିତ ହୋଇ ସାରିଛି । ଏହିଭଳି ପରିସ୍ଥିତିରେ ଜାତୀୟ କଂଗ୍ରେସ ଓ ତା'ର ନେତୃତ୍ୱରେ ଥିବା ମହାତ୍ମାଗାନ୍ଧୀଙ୍କ ପାଇଁ ଆନ୍ଦୋଳନକୁ ନେଇ ନିଷ୍ପତ୍ତି ନେବା କଠିନ ହୋଇ ପଡ଼ିଲା । ୧୯୪୦ ମସିହାରେ ଗାନ୍ଧି ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କଲେ । କର୍ମୀମାନଙ୍କ ମନୋବଳକୁ ଅତୁଟ ରଖିବା ସକାଶେ ଏହା ଥିଲା ଏକ ସୀମିତ ଆନ୍ଦୋଳନ । ୧୯୪୨ ଏପ୍ରିଲ୍‍ରେ ସରକାର ଯୁଦ୍ଧରେ କଂଗ୍ରେସର ସହଯୋଗପାଇଁ କ୍ରିପ୍‍ସ ମିଶନକୁ ଭାରତ ପ୍ରେରଣ କଲେ । ସାର ଷ୍ଟାଫୋର୍ଡ଼ କ୍ରିପ୍ପଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ମିଶନ ଭାରତର ସ୍ୱାଧୀନତାପାଇଁ କୌଣସି ଠୋସ୍‍ ପଦକ୍ଷେପକୁ ସ୍ୱୀକାର କଲା ନାହିଁ । ଫଳରେ କଂଗ୍ରେସ ତାକୁ ଅଗ୍ରାହ୍ୟ କଲା । ଏଥିରୁ ଆହୁରି ମଧ୍ୟ ସ୍ପଷ୍ଟ ହେଲା ଯେ, ଇଂରେଜମାନେ ଫାସୀବାଦର ଆକ୍ରମଣ ସତ୍ତ୍ୱେ ଭାରତର ଦାବିକୁ ମାନିନେଇ ପ୍ରକୃତ ସହଯୋଗ ପାଇବା ଲକ୍ଷ୍ୟରେ ନାହାନ୍ତି । ସରକାରର ଅନମନୀୟତା ଲୋକଙ୍କୁ ଅଧିକ ଉଗ୍ର କଲା । ଅନ୍ୟ ପକ୍ଷରେ ଯୁଦ୍ଧଯୋଗୁଁ ଦରଦାମ ବୃଦ୍ଧି ମଧ୍ୟ ଲୋକଙ୍କୁ ସରକାର ବିରୋଧୀ କଲା । ଏସବୁ ବ୍ୟତୀତ ଯୁଦ୍ଧରେ ଦକ୍ଷିଣ ପୂର୍ବ ଏସିଆରେ ଜାପାନର ଆଶୁ ସଫଳତା ଓ ବ୍ରିଟିଶ୍‍ର ତୀବ୍ର ବିଫଳତାରୁ ମନେ ହେଲା ଯେ ଇଂରେଜ ସରକାର ଯେ କୌଣସି ସମୟରେ ଭାରତରେ ଜାପାନ ଆକ୍ରମଣର ସମ୍ମୁଖୀନ ହେବ ଏବଂ ତାକୁ ପ୍ରତିହତ କରି ନପାରି ଜାପାନ ଭଳି ଏକ ଫାସୀବାଦୀ ଶକ୍ତି ହାତରେ ଦେଶକୁ ଛାଡ଼ି ପଳାଇବ । ମାଳୟ ଓ ବର୍ମାରେ ବ୍ରିଟିଶ୍‍ମାନେ ପରାଜୟର ସମ୍ମୁଖୀନ ହୋଇ ସାରିଥିଲେ । ୧୯୪୩ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ମଧ୍ୟ ବ୍ରିଟିଶ୍‍ ହାତରୁ ଜାପାନ ହାତକୁ ଚାଲିଗଲା । ଏହି ସ୍ଥିତିରେ ଉଭୟ ଇଂରେଜ ଉପନିବେଶବାଦ ଓ ଜାପାନୀ ସାମରିକ ଫାସୀବାଦରୁ ଦେଶକୁ ସୁରକ୍ଷିତ କରିବାନିମିତ୍ତ ଏକ ବ୍ୟାପକ ଗଣ ଆନ୍ଦୋଳନ ଆରମ୍ଭ କରିବାକୁ ଗାନ୍ଧୀ ନିଷ୍ପତ୍ତି ନେଲେ ।

୧୯୪୨ ଜୁଲାଇ ୧୪ ତାରିଖ ଦିନ ଓ୍ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହେଲା । ତହିଁରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କରିବାକୁ ସ୍ଥିର କରାଗଲା । ୧୯୪୨ ଅଗଷ୍ଟ ୮ ତାରିଖ ଦିନ ମୁମ୍ବାଇ(ବମ୍ବେ)ର ଗୋଓ୍ୱାଲିଆଟେଙ୍କଠାରେ ଅଖିଳ ଭାରତ କଂଗ୍ରେସ କମିଟିର ବୈଠକରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଗଲା । ବୈଠକସ୍ଥଳୀ ସମ୍ମୁଖରେ ଏକତ୍ରିତ ଜନ ସମାଗମରୁ ସ୍ପଷ୍ଟ ହେଲା ଯେ, ଆଗତ ଗଣ-ଆନ୍ଦୋଳନର ପ୍ରଭାବ ଦୀର୍ଘସ୍ଥାୟୀ ଓ ସୁଦୂରପ୍ରସାରୀ ହେବ ।

ଅଗଷ୍ଟ ବିପ୍ଳବକୁ ମୂଳରୁ ଦମନ କରିବା ସକାଶେ ସରକାର ସମସ୍ତ ବନ୍ଦୋବସ୍ତ କରିଥିଲେ । ବମ୍ବେରେ ଏକତ୍ରିତ କଂଗ୍ରେସର ନେତୃବର୍ଗଙ୍କୁ ୯ ତାରିଖ ବେଳକୁ ଗିରଫ କରାଗଲା ଏବଂ ଅଜଣା ସ୍ଥାନମାନଙ୍କରେ ଅଟକ ରଖାଗଲା । କଂଗ୍ରେସକୁ ନିଷିଦ୍ଧ ଘୋଷଣା କରାଗଲା । କଂଗ୍ରେସକୁ ବଦନାମ କରିବାପାଇଁ ତଥା ସରକାରୀ ଦମନକୁ ଯୁକ୍ତିସିଦ୍ଧ କରିବାପାଇଁ ସରକାର କଂଗ୍ରେସ ବିରୁଦ୍ଧରେ ନାନା ଅଭିଯୋଗ ଆଣିଲେ । ତହିଁରେ କଂଗ୍ରେସର ସମାନ୍ତରାଳ ସରକାର ଗଠନ କରିବା, ବ୍ରିଟିଶ୍‍ ବ୍ୟକ୍ତିମାନଙ୍କୁ ସାମାଜିକ ବାସନ୍ଦ କରିବା, ଗାନ୍ଧିଙ୍କର ନିଜକୁ ବିଦ୍ରୋହୀ ଓ ବ୍ରିଟିଶ୍‍ ନାଗରିକତାକୁ ତ୍ୟାଗ କରିବା ନେଇ ଘୋଷଣା କରିବା, ରାସ୍ତାର ପୋଲ ଭାଙ୍ଗିବା, ସରକାରୀ କର୍ମଚାରୀମାନଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପ୍ରବର୍ତ୍ତାଇବା, ରେଳ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି କରିବା, ଟେଲିଗ୍ରାଫ୍‍ ଯୋଗାଯୋଗରେ ବାଧା ଉତ୍ପନ୍ନ କରିବା, ବିନା ଟିକଟରେ ରେଳ ଯାତ୍ରା କରିବା ଆଦି ଉଲ୍ଲେଖ ଥିଲା । ସରକାରଙ୍କ ଅଭିଯୋଗ ଯେତେବେଳେ ଲୋକଲୋଚନକୁ ଆସିଲା, ଲୋକ ସେସବୁକୁ କଂଗ୍ରେସର ଉଦ୍ଦେଶ୍ୟ ମନେକରି କାର୍ଯ୍ୟକାରୀ କରିବାକୁ ଲାଗିଲେ । ଫଳରେ ଅଗଷ୍ଟ ବିପ୍ଳବ ହିଂସାତ୍ମକ ରୂପ ନେଲା । କଂଗ୍ରେସର ନେତୃବୃନ୍ଦ ଗିରଫ ହୋଇ ଥିବାରୁ ଲୋକଙ୍କୁ ଏସବୁ କାର୍ଯ୍ୟରୁ ବାରଣ ସୁଦ୍ଧା କରାଯାଇ ପାରିଲା ନାହିଁ । ଅଗଷ୍ଟ ପ୍ରସ୍ତାବର ଆଲୋଚନା ବେଳେ ବ୍ୟାପକ ଦମନର ଆଶଙ୍କା କରି ଗାନ୍ଧୀ ସୁସ୍ପଷ୍ଟ କରିଥିଲେ ଯେ 'କର ବା ମର' ହେବ ଏହି ବିପ୍ଳବର ମୂଳମନ୍ତ୍ର । ଦମନଯୋଗୁଁ ଯଦି କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବାକୁ ଅସମର୍ଥ ହୁଏ, ତେବେ ପ୍ରତ୍ୟେକ ସ୍ୱାଧୀନତାକାମୀ ନିଜେ ନିଜର ପଥ ପ୍ରଦର୍ଶକ ହେବେ । ଗାନ୍ଧୀଙ୍କର ଏହି ନିର୍ଦେଶ ଲୋକଙ୍କୁ ନିଜ ନିଜ ମତେ ଆନ୍ଦୋଳନର ପନ୍ଥା ନିର୍ଦ୍ଧାରଣ କରିବାକୁ ଅବସର ଦେଲା । ଏହା ଫଳରେ ଅଗଷ୍ଟ ବିପ୍ଳବ ଆଉ ଅହିଂସ ରହିପାରିଲା ନାହିଁ । ଲୋକ ପୋଷ୍ଟ ଅଫିସ୍‍ ଲୁଟି ନେଲେ, ରେଳଧାରଣା ଉପାଡ଼ି ଦେଲେ, ଟେଲିଗ୍ରାଫ୍‍ ତାର କାଟି ନେଲେ, ସରକାରୀ ଅଫିସ୍‍ଗୁଡ଼ିକ ଉପରେ ଆକ୍ରମଣ କଲେ ତଥା ବିଭିନ୍ନ ସ୍ଥାନରେ ସମାନ୍ତରାଳ ସରକାର ଗଠନ କଲେ । ଅଳ୍ପ ସମୟ ମଧ୍ୟରେ 'ଭାରତ ଛାଡ଼ ଆନ୍ଦୋଳନ' ଏକ ବ୍ୟାପକ ବିପ୍ଳବର ରୂପ ନେଲା । ଦେଶର ଅନ୍ୟ ପ୍ରଦେଶଗୁଡ଼ିକ ଭଳି ଓଡ଼ିଶାରେ ମଧ୍ୟ ୯ ଅଗଷ୍ଟ ପ୍ରତ୍ୟୂଷରେ ଅଧିକାଂଶ କଂଗ୍ରେସ ନେତାଙ୍କୁ ଗିରଫ କରାଗଲା । ଏହି ନେତାଙ୍କ ମଧ୍ୟରେ ଥିଲେ ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମାଦେବୀ, ଭାଗୀରଥି ମହାପାତ୍ର, ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନ୍‌ଗୋ, ରାଜକୃଷ୍ଣ ବୋଷ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ପ୍ରାଣକୃଷ୍ଣ ପଢ଼ିଆରୀ, ମଦନ ମୋହନ ପଟ୍ଟନାୟକ, ସଦାଶିବ ତ୍ରିପାଠୀ, ରାଧାକୃଷ୍ଣ ବିଶ୍ୱାସରାୟ, ମନମୋହନ ଚୌଧୁରୀ, ରାଧାନାଥ ରଥ, ଆଚାର୍ଯ୍ୟ ହରିହର ଦାସ, ଲୋକନାଥ ମିଶ୍ର, ସୁଧୀର ଘୋଷ, ନୀଳାମ୍ବର ଦାସ ଓ ମହମ୍ମଦ ଅଝର । ସେହିଦିନ (୯ ଅଗଷ୍ଟ ୧୯୪୨) ସରକାରୀ ଗେଜେଟରେ କଂଗ୍ରେସର ୩୮ଟି କାର୍ଯ୍ୟାଳୟକୁ ବେଆଇନ୍‍ ଘୋଷଣା କରାଗଲା ଏବଂ ସେଗୁଡ଼ିକର ସମସ୍ତ ଆସବାବପତ୍ରକୁ ବାଜ୍ୟାପ୍ତ କରାଗଲା । ଏହା ପରେ ଆନ୍ଦୋଳନ ଆଉ ବଡ଼ ନେତାଙ୍କ ନିୟନ୍ତ୍ରଣରେ ରହିଲା ନାହିଁ । ବିଶେଷକରି ଯୁବକର୍ମୀ ଓ ଛାତ୍ର, ଆଦିବାସୀ ଓ ସାଧାରଣ କର୍ମୀ ଏଣିକି ଆନ୍ଦୋଳନକୁ ପରିଚାଳନା କଲେ । ଫଳରେ ଅଗଷ୍ଟ ବିପ୍ଳବ ହିଂସ୍ର ହେବାକୁ ଅବସର ପାଇଲା ।

ବମ୍ବେର କଂଗ୍ରେସ ବୈଠକରେ ଓଡ଼ିଶାରୁ ହରେକୃଷ୍ଣ ମହତାବ, ମାଳତୀ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ପ୍ରହଲ୍ଲାଦ ରାୟ ଲାଠ ଓ ଲକ୍ଷ୍ମୀ ନାରାୟଣ ମିଶ୍ର ରାଜ୍ୟ ପ୍ରତିିନିଧି ଭାବେ ଯୋଗ ଦେଇଥିଲେ । ଅଗଷ୍ଟ ୧୧ ଓ ୧୨ ବେଳକୁ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ମାଳତୀ ଦେବୀ କଟକ ଫେରିଆସିବା ପରେ ଏକ ଗୁପ୍ତ ସଂଗଠନ ଭାବରେ ସେମାନେ କଂଗ୍ରେସର କାର୍ଯ୍ୟ ଆରମ୍ଭ କଲେ । କଂଗ୍ରେସ ବାର୍ତ୍ତା ଓ ସତ୍ୟ ସମ୍ବାଦ ନାମକ ବୁଲେଟିନ୍ ବାହାର କରି ସୁରେନ୍ଦ୍ରନାଥ ଦ୍ୱିବେଦୀ ସେଗୁଡ଼ିକୁ କଲେଜ ଛାତ୍ରମାନଙ୍କ ହାତରେ ବିଭିନ୍ନ ସ୍ଥାନକୁ ପ୍ରେରଣ କଲେ । ମଥୁରାନନ୍ଦ ସାହୁ ଓ ଗୌରଚନ୍ଦ୍ର ଦାସ ଥିଲେ ତାଙ୍କର ପ୍ରଧାନ ସହଯୋଗୀ । ବୁଲେଟିନ୍‍ ମାଧ୍ୟମରେ ଜିଲ୍ଲାମାନଙ୍କରେ ଗୁପ୍ତ ସଂଗଠନ ସ୍ଥାପନ କରିବାକୁ ତଥା ଗିରଫ ନ ହୋଇ 'ଅଣ୍ଡରଗ୍ରାଉଣ୍ଡ'ରେ ଥିବା କର୍ମୀମାନଙ୍କ ମଧ୍ୟରେ ସହଯୋଗ ରକ୍ଷା କରିବାକୁ ଉଦ୍ୟମ କରାଯାଉଥିଲା । ଏହାଛଡ଼ା ଛାତ୍ର, ବ୍ୟବସାୟୀ, ପୋଲିସ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ ବିପ୍ଳବରେ ଯୋଗଦେବାକୁ ପ୍ରେରଣା ଦିଆଯାଉଥିଲା । ଆଜାଦ ପଞ୍ଚାୟତ ଗଢ଼ି ତାହାରି ମାଧ୍ୟମରେ ଆପୋସରେ କଳି, ଗଣ୍ଡଗୋଳକୁ ସମାଧାନ କରିବାକୁ ତଥା ସରକାରୀ ତହସିଲ୍‍ରେ ଖଜଣା କିମ୍ବା ଜୋରିମାନା ନ ଦେବାକୁ ଏଥିରେ ପରାମର୍ଶ ଦିଆଯାଉଥିଲା । କେତେକ ସ୍ଥଳରେ ବିପ୍ଳବ-ବିରୋଧୀଙ୍କୁ ଗୁପ୍ତ ସଂଗଠନ ଧମକପୂର୍ଣ୍ଣ ଚିଠି ମଧ୍ୟ ଦେଉଥିଲା । ପୋଲିସକୁ ନିରସ୍ତ୍ର କରିବା ସକାଶେ ମଧ୍ୟ ଏଥିରେ ପରାମର୍ଶ ଦିଆ ଯାଉଥିଲା । 'ଭାରତର ସ୍ୱାଧୀନତାପାଇଁ ଶେଷ ବିପ୍ଳବ' ନାମକ ଏକ ବୁଲେଟିନ୍‌ରେ ଉଲ୍ଲେଖ ଥିଲା -

"ବନ୍ଧୁଗଣ ! ଇଂରେଜକୁ ଛାଡ଼ନାହିଁ । ଏତେ ଦିନ ଧରି ଯେ ଆମ ରକ୍ତ ଶୋଷି ଚାଲିଥିଲେ, ଅତି କମ୍‍ରେ ଥରୁଟିଏ ଭାରତରେ ସେମାନଙ୍କ ରକ୍ତପାତ ହେଉ । ଆଉ ସମୟ ନାହିଁ । ସମସ୍ତେ ଜାଗ୍ରତ ହୁଅ । ସବୁ ସରକାରୀ କାର୍ଯ୍ୟାଳୟକୁ ଜାଳିଦିଅ । ଟେଲିଫୋନ୍‍ ଓ ବିଜୁଳି ତାରକୁ କାଟି ପକାଅ । ରାଜକୋଷ ଲୁଟି ନେଇ ଗରିବଙ୍କ ମଧ୍ୟରେ ବାଣ୍ଟିଦିଅ । ...ରାତିରେ ଗୋରା ସାହେବଙ୍କ ଉପରେ ଅତର୍କିତ ଆକ୍ରମଣ କର ।"

କଟକବାସୀଙ୍କୁ ସଂବୋଧନ କରି ଅନ୍ୟ ଏକ ବୁଲେଟିନ୍‌ରେ ଲେଖାଥିଲା, "ହେ କଟକବାସୀ! ତୁମେ କ'ଣ ଏହି ମହାନ ସଂକଳ୍ପରୁ ଦୂରେଇ ରହିବ ? ଆଉ ବିଳମ୍ବ ନ କରି ସାହସ ଓ ଦମ୍ଭର ସହିତ ଏହି ପ୍ରବଳ ସ୍ରୋତରେ ଝାସ ଦିଅ । ସରକାରୀ କଳକୁ ଅଚଳ କରିଦିଅ । ପୋଲିସ୍‍ ଷ୍ଟେସନ, କଚେରି ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର କାଗଜପତ୍ରକୁ ପୋଡ଼ିଦିଅ । ଟେଲିଗ୍ରାଫ୍‍ ଓ ଟେଲିଫୋନ୍‍ ଖୁଣ୍ଟଗୁଡ଼ିକୁ ଉପାଡ଼ି ପକାଅ । ରେଳ ଷ୍ଟେସନକୁ ଧ୍ୱଂସ କର । ଶତ୍ରୁର ଦାସତ୍ୱର ବେଡ଼ିରୁ ପୋଲିସ୍‍, ଡେପୁଟି ମାଜିଷ୍ଟ୍ରେଟ୍‍ ଓ କିରାଣି ଭାଇମାନଙ୍କୁ ମୁକୁଳେଇ ଦିଅ । ସରକାରର ସାହାଯ୍ୟକାରୀମାନଙ୍କୁ କିଛି ବିକ୍ରୀ କରନାହିଁ । ମଫସଲରେ ଆନ୍ଦୋଳନକୁ ବିସ୍ତାରିତ କର ।"

ବୁଲେଟିନ୍‌ଗୁଡ଼ିକରେ ସରକାରୀ କର୍ମଚାରୀ, ପୋଲିସ ଏବଂ ଜନସାଧାରଣଙ୍କୁ ମଧ୍ୟ ବହୁ ସଂଖ୍ୟାରେ ବିପ୍ଳବରେ ଯୋଗ ଦେବାକୁ ଆହ୍ୱାନ କରାଯାଇଥିଲା । ବୁଲେଟିନ୍ ମାଧ୍ୟମରେ ବହୁ ଉତ୍ତେଜନାମୂଳକ ଲେଖା ପ୍ରକାଶିତ ହେଉଥିଲା । ଏସବୁ କାର୍ଯ୍ୟରେ ପରିଣତ ନହେଲେ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଓ କଟକ ଜିଲ୍ଲାର ଗୋବିନ୍ଦପୁର, ଏରସମା, ତିର୍ତ୍ତୋଲ୍‍ ଓ ଯାଜପୁରଠାରେ ଯେଉଁ ହିଂସାତ୍ମକ ଘଟଣାମାନ ଘଟିଥିଲା, ତହିଁରେ ତା'ର ଅନେକ ପ୍ରଭାବ ରହିଥିଲା । ସମଗ୍ର ପ୍ରଦେଶରେ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଆନ୍ଦୋଳନର ଶାଖା ଗଠନ କରିବାକୁ ପ୍ରୟାସ କରିଥିଲେ । ମାତ୍ର, ମୁଖ୍ୟତଃ କଟକ ଓ ବାଲେଶ୍ୱର ଜିଲ୍ଲା ଯାଏଁ ତାଙ୍କର ଗତିବିଧି ସୀମିତ ଥିବା ମନେହୁଏ । ଆନ୍ଦୋଳନକୁ ବିସ୍ତାରିତ କରିବାନିମିତ୍ତ ଯେଉଁ ସଂଖ୍ୟାରେ କର୍ମୀମାନଙ୍କର ଆବଶ୍ୟକତା ଥିଲା, ତା'ର ଘୋର ଅଭାବ ରହିଥିଲା । ନିଜେ ସୁରେନ୍ଦ୍ର ନାଥ ଦ୍ୱିବେଦୀ ମଧ୍ୟ ସେତେବେଳକୁ ଜଣେ ଆଗଧାଡ଼ିର ନେତା ନଥିଲେ । ଏହା ଗୁପ୍ତ ଆନ୍ଦୋଳନର ବ୍ୟାପ୍ତିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଏସବୁ ସତ୍ତ୍ୱେ କଂଗ୍ରେସ ସଂଗଠନକୁ ତିଷ୍ଠି ରହିବାରେ ତାଙ୍କର ଭୂମିକା ଖୁବ୍‍ ମହତ୍ତ୍ୱପୂର୍ଣ୍ଣ ଥିଲା । ଅକ୍ଟୋବର ୧୩ ତାରିଖରେ (୧୯୪୨) କଟକଠାରେ ତାଙ୍କୁ ପୋଲିସ ଗିରଫ କରିବା ପରେ 'ଅଣ୍ଡର ଗ୍ରାଉଣ୍ଡ' ବା ଭୂମିଗତ ଗୁପ୍ତ ଆନ୍ଦୋଳନ ଓଡ଼ିଶାରେ ଶେଷ ହୋଇ ଯାଇଥିଲା । ଓଡ଼ିଶାରେ ଅଗଷ୍ଟ ବିପ୍ଳବର ଏକ ବଡ଼ ବିଶେଷତ୍ୱ ହେଲା ଯେ, ୧୯୪୨ର ଅଗଷ୍ଟ ୯ରୁ ଆରମ୍ଭ ହୋଇ ସେହି ମାସ ଶେଷ ସୁଦ୍ଧା ଏହା ତୀବ୍ର ରୂପ ଧାରଣ କଲା ଏବଂ ତା' ସହିତ ଊଣାଅଧିକ ଅସ୍ତମିତ ମଧ୍ୟ ହେଲା । ସେପ୍ଟେମ୍ବର ମାସ ବେଳକୁ ଆନ୍ଦୋଳନାତ୍ମକ ଘଟଣାଗୁଡ଼ିକର ସଂଖ୍ୟା ଅନେକ ହ୍ରାସ ପାଇଥିଲା ଏବଂ ଅକ୍ଟୋବର ମାସରେ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ଭୂମିଗତ ଗୁପ୍ତ ଆନ୍ଦୋଳନକୁ କେବଳ ଦେଖିବାକୁ ମିଳିଥିଲା । କିନ୍ତୁ ସେହି ଗୋଟାଏ ମାସ ମଧ୍ୟରେ ବଣନିଆଁ ଭଳି ଏହା ଏତେ ତୀବ୍ର ଗତିରେ ଚାରିଆଡ଼କୁ ବିସ୍ତାରିତ ହେଲା ଯେ, ଇଂରେଜ ସରକାର ଯେତେ ଶୀଘ୍ର ସମ୍ଭବ ଦେଶ ଛାଡ଼ି ଯିବାକୁ ନିଷ୍ପତ୍ତି ନେଲେ ।

ରେଭେ୍‍ସା ମହାବିଦ୍ୟାଳୟରେ ଧର୍ମଘଟ ଓଡ଼ିଶାରେ ଅଗଷ୍ଟ ବିପ୍ଳବର ଆରମ୍ଭ ହେଲା କଟକ ସହରରେ ଏକ ଛାତ୍ର ଆନ୍ଦୋଳନ ରୂପରେ । ଅଗଷ୍ଟ ୯ ତାରିଖରେ ଶୀର୍ଷସ୍ତରୀୟ ନେତାମାନଙ୍କ ଗିରଫ ପରେ ଅଗଷ୍ଟ ୧୦,୧୧,୧୨ ତାରିଖରେ କଟକ ରେଭେନ୍‌ସା ମହାବିଦ୍ୟାଳୟର ଛାତ୍ରମାନେ ସଭା ଆୟୋଜନ କରି ତା'ର ପ୍ରତିବାଦ କଲେ । ଏହି ସଭାରେ ଭାଗୀରଥି ମିଶ୍ର, ଉପେନ୍ଦ୍ର ମହାନ୍ତି, ନୃସିଂହ ତ୍ରିପାଠୀ, ବୀରେନ୍ ମିତ୍ର, ଦୁର୍ଗାଚରଣ ମହାନ୍ତି, ମନମୋହନ ମିଶ୍ର, ରାମଚନ୍ଦ୍ର ଦାସ, ବିଜୟଚନ୍ଦ୍ର ଦାସ ଓ ବୈଦ୍ୟନାଥ ରଥ ଉଦ୍ୟୋକ୍ତା ତଥା ବକ୍ତା ଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଗିରଫ ମଧ୍ୟ କରାଗଲା । ସଭା ପରେ ରେଭେନ୍‌ସାରେ ଏବଂ ତା'ର ପ୍ରଭାବରେ ୧୩ ତାରିଖରୁ କଲିଜିଏଟ୍‍ ସ୍କୁଲ୍‍, ପ୍ୟାରୀମୋହନ ଏକାଡେମୀ ଓ ଭିକ୍ଟୋରିଆ ସ୍କୁଲ୍‍ରେ ଧର୍ମଘଟ ଆରମ୍ଭ ହେଲା । ପ୍ରାୟ ୨୦୦ କଲେଜ ଛାତ୍ର ୧୩ ଅଗଷ୍ଟ ଦିନ କଲେଜର କାର୍ଯ୍ୟାଳୟ ଓ ଲାବରେଟୋରୀରେ ଭଂଗାରୁଜା କଲେ । ଏହି ଘଟଣାରେ ବନମାଳୀ ପଟ୍ଟନାୟକ, ବୀରେନ ମିତ୍ର, ସୁରଜମଲ ଶାହ, ବିବୁଧେନ୍ଦ୍ର ମିଶ୍ର, ମାୟାଧର ମହାନ୍ତି ଓ ବିଜୟକେତନ ମଙ୍ଗରାଜ ଆଦି ସଂପୃକ୍ତ ବୋଲି ପୋଲିସ୍‍ ରିପୋର୍ଟ ଦେଲେ । ସୁରଜମଲ ଶାହ ଓ ବିବୁଧେନ୍ଦ୍ର ମିଶ୍ରଙ୍କୁ ଗିରଫ କରି ବ୍ରହ୍ମପୁର ସେଣ୍ଟ୍ରାଲ୍‍ ଜେଲ୍‍କୁ ପଠାଗଲା । ଧର୍ମଘଟଯୋଗୁଁ ରେଭେନ୍‌ସା ମହାବିଦ୍ୟାଳୟ ଦୀର୍ଘ ଦୁଇମାସ ପର୍ଯ୍ୟନ୍ତ ବନ୍ଦ ରହିଲା । କିଛି ଛାତ୍ର ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ସଂଯୋଜନାରେ ଚାଲିଥିବା ଭୂମିଗତ ଗୁପ୍ତ ଆନ୍ଦୋଳନରେ ମଧ୍ୟ ସଂପୃକ୍ତ ରହିଲେ । ରେଭେନ୍‌ସାରେ ସେମାନେ ସିକ୍ରେଟ୍‍ ନ୍ୟୁଜ୍‍ ସର୍ଭିିସେସ୍‍ (ଏସ୍‍ଏନ୍‍ଏସ୍‍) ନାମରେ ଏକ ସଂସ୍ଥା ଗଠନ କରି ତା' ମାଧ୍ୟମରେ ଆନ୍ଦୋଳନ ସଂପର୍କିତ ଖବରମାନ ପ୍ରସାର କରୁଥିଲେ । ଧର୍ମଘଟରେ ସଂଶ୍ଳିଷ୍ଟ ଛାତ୍ରନେତାଙ୍କୁ ପ୍ରିନ୍‌ସିପାଲ୍‍ କଲେଜରୁ ବହିଷ୍କାର କରି ତଥା ଅନ୍ୟ ଛାତ୍ରମାନଙ୍କଠାରୁ ସନ୍ତୋଷଜନକ ଆଚରଣପାଇଁ ମୁଣ୍ଡପିଛା୧୦ଟଙ୍କା ଲେଖା ଜାମିନ୍ ଆଦାୟ କରି ଶେଷରେ ଛାତ୍ର ଆନ୍ଦୋଳନକୁ ଦମନ କଲେ । କିନ୍ତୁ 'ଭାରତ ଛାଡ଼' ଆନ୍ଦୋଳନରେ ଛାତ୍ରମାନଙ୍କର ସଂପୃକ୍ତି ଏକ ନୂଆ ରାଜନୀତିର ସଂକେତ ଦେଲା ।

କୋରାପୁଟ ଆନ୍ଦୋଳନ ଅଗଷ୍ଟ ୯ ତାରିଖ ଦିନ କୋରାପୁଟ ଅଞ୍ଚଳର ପ୍ରମୁଖ କଂଗ୍ରେସ ନେତା ରାଧାକୃଷ୍ଣ ବିଶ୍ୱାସରାୟ, ରାଧାମୋହନ ସାହୁ ଏବଂ ସଦାଶିବ ତ୍ରିପାଠୀଙ୍କୁ ଗିରଫ କରାଯାଇଥିଲା ଏବଂ ଜିଲ୍ଲା କଂଗ୍ରେସ ଅଫିସ୍‍କୁ ବାଜ୍ୟାପ୍ତ କରି ଦିଆଯାଇଥିଲା । ଏହାପରେ ସୁଦୂର ଏବଂ ବଣଜଙ୍ଗଲଘେରା କୋରାପୁଟରେ ଯେ ଅଗଷ୍ଟ ବିପ୍ଳବ ଆରମ୍ଭ ହୋଇ ପାରିବ- ଏହି ଆଶଙ୍କା ସରକାର କରି ପାରୁ ନଥିଲେ । ମାତ୍ର କୋରାପୁଟରେ ଆନ୍ଦୋଳନ ଖୁବ୍‍ ତୀବ୍ର ରୂପ ନେଲା ଏବଂ ତା'ର ନେତୃତ୍ୱ ପୂର୍ଣ୍ଣତଃ ସ୍ଥାନୀୟ ଆଦିବାସୀମାନଙ୍କ ହାତକୁ ଚାଲିଗଲା ।

ଆନ୍ଦୋଳନର ଆରମ୍ଭ ହେଲା ଅଗଷ୍ଟ ୧୩ ତାରିଖରେ । ଜୟପୁରରେ ଦୁଇଜଣ କିଶୋର ବାଳକ କଂଗ୍ରେସ ପତାକା ଧରି 'ଗାନ୍ଧିଙ୍କ ବାର୍ତ୍ତା' ନାମରେ ଏକ ପ୍ରଚାର ପତ୍ର ବାଣ୍ଟିଲେ । ସେମାନଙ୍କ କହିବା କଥା ଯେ, ପତ୍ରଟିକୁ ଗାନ୍ଧୀ ବମ୍ବେରୁ ପଠାଇଛନ୍ତି । ପତ୍ରଟି ଲୋକଙ୍କ ମନରେ ଖୁବ୍‍ ଉତ୍ସାହ ସୃଷ୍ଟିକଲା ଏବଂ ସେହିଦିନ ଜୟପୁରରେ ହରତାଳ ଆରମ୍ଭ ହେଲା । ପତ୍ରରେ ଇଂରେଜ ସରକାର ଦେଶରୁ ବିତାଡ଼ିତ ହୋଇ ସାରିଛି ଏବଂ ଲୋକଙ୍କୁ ଏଣିକି ଖଜଣା ଦେବାକୁ ପଡ଼ିବ ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା । ଲୋକେ ଜେଲରୁ ଗାନ୍ଧୀଙ୍କ ମୁକ୍ତିଲାଗି ଶପଥ ନେଲେ ଏବଂ ସରକାରୀ କୋଠା ଘରଗୁଡ଼ିକ ଉପରେ ଆକ୍ରମଣ କଲେ । ସେମାନେ ଜୟପୁର ପୋଲିସ୍‍ ଷ୍ଟେସନର ପ୍ରବେଶ ପଥକୁ ମଧ୍ୟ ଗଛକାଟି ଅବରୁଦ୍ଧ କଲେ । ବିଦ୍ରୋହର ରୂପ ଧାରଣ କରିଥିବା ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାଲାଗି ପୋଲିସ ଲାଠି ଚାର୍ଯ କଲେ ଏବଂ କେତେକ ନେତାଙ୍କୁ ଗିରଫ କଲେ ।

୧୭ ଅଗଷ୍ଟ ଦିନ ଜିଲ୍ଲାର ଗୁଣପୁର, ଲକ୍ଷ୍ମୀପୁର, ସେମିଳିଗୁଡ଼ା ଓ ଦଶମନ୍ତପୁରରେ ଆନ୍ଦୋଳନ ଆରମ୍ଭ ହେଲା । ସେମିଳିଗୁଡ଼ାରେ ପ୍ରାୟ ୨୦୦ ଲୋକ ଜୟପୁର ଯାଇ ସେଠାକାର ରେଭିନ୍ୟୁ ଅଫିସ୍‍କୁ ଆକ୍ରମଣ କଲେ । ଦଶମନ୍ତପୁରରେ ଆଦିବାସୀମାନେ ଥାନାକୁ କବ୍‍ଜା କରିନେଲେ । କିନ୍ତୁ ସେମାନଙ୍କ ସରଳତାର ସୁଯୋଗ ନେଇ ଆଠ ଜଣ ଆଦିବାସୀଙ୍କୁ ଗିରଫ କରି ପୋଲିସ ଅଫିସର ଥାନାକୁ ମୁକ୍ତ କଲେ । ଲକ୍ଷ୍ମୀପୁର ଓ ଗୁଣପୁରରେ ଆଦିବାସୀ କଚେରି, ମଦ ଦୋକାନ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଆଗରେ ପିକେଟିଂ ଆରମ୍ଭ କଲେ । କୋରାପୁଟର ସଂରକ୍ଷିତ ଜଙ୍ଗଲକୁ ପଶି ଗଛଗୁଡ଼ିକୁ ମଧ୍ୟ ସେମାନେ କାଟି ପକାଇଲେ ଏବଂ କୋରାପୁଟ କଳାହାଣ୍ଡି ସୀମାନ୍ତରେ ଆମ୍ବପାଣିଠାରେ ଏକ ପୋଲକୁ ଭାଙ୍ଗି ଯୋଗାଯୋଗ ଧ୍ୱଂସ କଲେ । ଏହା ସେମାନଙ୍କ ପୁଂଜୀଭୂତ କ୍ରୋଧକୁ ପରିପ୍ରକାଶ କଲା । ଜଙ୍ଗଲ ଆଇନ ବଳରେ ସରକାର ଆଦିବାସୀମାନଙ୍କର ପାରଂପରିକ ଅଧିକାରକୁ ନେଇ ଯାଇଥିଲେ । ତା'ର ସେମାନେ ବିରୋଧ ମାତ୍ର କରୁଥିଲେ । 'ଗାନ୍ଧୀଙ୍କ ବାର୍ତ୍ତା' ନାମକ ସାମାନ୍ୟ ପ୍ରଚାରପତ୍ରଟି ସେମାନଙ୍କୁ ଖୋଲାଖୋଲି ବିଦ୍ରୋହ କରିବା ସକାଶେ ଦିଆସିଲି କାଠି ଭଳି ଉପଯୋଗୀ ସିଦ୍ଧ ହୋଇଥିଲା । ୨୧ ଅଗଷ୍ଟ ଦିନ ଜିଲ୍ଲାର ମାଥିଲିଠାରେ ଆନ୍ଦୋଳନ ଉଗ୍ର ରୂପ ନେଲା । ଜିଲ୍ଲାସ୍ତରର ଜଣେ କଂଗ୍ରେସ କର୍ମୀ ଲକ୍ଷ୍ମଣ ନାୟକ ସେଠାରେ ଆନ୍ଦୋଳନର ନେତୃତ୍ୱ ନେଲେ । ୧୯୩୬ ମସିହାରୁ ସେ କଂଗ୍ରେସର ପ୍ରାଥମିକ ସଭ୍ୟ ଥିଲେ ଏବଂ 'ଖଜଣା ଛାଡ଼' ଆନ୍ଦୋଳନ କରି ଗିରଫ ମଧ୍ୟ ହୋଇଥିଲେ । ୧୯୪୦ରେ ଯେତେବେଳେ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହେଲା, ତହିଁରେ ମଧ୍ୟ ଗିରଫ ହୋଇ ସେ ୯ମାସ ଜେଲ୍‍ରେ କାଟିଥିଲେ । ଅଗଷ୍ଟ ବିପ୍ଳବ ସମୟରେ ସହସ୍ରାଧିକ ଲୋକଙ୍କୁ ନେଇ ସେ ମାଥିଲି ଥାନାକୁ କବ୍‍ଜା କରିବାକୁ ବାହାରିଲେ । ରାସ୍ତାରେ କୋଙ୍ଗ୍ରାବେଡ଼ା, ଚନ୍ଦ୍ରବେଡ଼ା ଓ କୁଣ୍ଟିପାଲୁଠାରେ ମଦ ଦୋକାନଗୁଡ଼ିକ ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରି ପକାଇଲେ ।

ମାଥିଲି ଥାନାରେ କଂଗ୍ରେସର ପତାକା ଉତ୍ତୋଳନ କରିବା ଅବସରରେ ଉପସ୍ଥିତ ଜନତାକୁ ସଂବୋଧନ କରି ଲକ୍ଷ୍ମଣ ନାୟକ କହିଥିଲେ, "ଆମ୍ଭେମାନେ ହେଲେ ଯୋଦ୍ଧା । ମହାତ୍ମାଗାନ୍ଧୀ ଆମର ନେତା । ସେ କହିଛନ୍ତି, ଆଜିଠାରୁ ଦେଶ ଆମର । ଇଂରେଜ ସରକାର ଚାଲିଯାଇଛି । ମହାତ୍ମାଗାନ୍ଧୀ ଆମର ରାଜା । ଜୟପୁର ରାଜା ଆଉ ନାହିଁ । ଆମେ ସ୍ୱାଧୀନତା ପାଇ ସାରିଛୁ । ଥାନା ଆମର । ପୋଲିସ ଭାଇମାନେ ହେଲେ ଭାରତବାସୀ । ସେମାନେ ଆମ ସାଙ୍ଗରେ ମିଶିଯିବେ । ଆସ ଭାଇମାନେ ! ସମସ୍ତେ ଏହି ଯୁଦ୍ଧରେ ସାମିଲ୍‍ ହୁଅ । ମହାତ୍ମାଗାନ୍ଧୀଙ୍କର ଜୟ!" ଲକ୍ଷ୍ମଣ ନାୟକଙ୍କର ଭାଷଣରୁ ମନେହୁଏ ଯେ, ସେ ହିଂସା ଭିଆଇବାକୁ ଚାହୁଁ ନଥିଲେ । ମାତ୍ର ମାଲକାନଗିରିରୁ ପୋଲିସ ଆସିଲା ପରେ ମାଥିଲି ପୋଲିସ ନିଜକୁ ଅଜେୟ ମନେକଲେ ଏବଂ ସମବେତ ଆଦିବାସୀମାନଙ୍କ ଉପରେ ଗୁଳି ଚାଳନା କଲେ । ଏଥିରେ ପାଞ୍ଚ ଜଣ ଆଦିବାସୀଙ୍କର ମୃତ୍ୟୁ ହେଲା ଏବଂ ୧୭ ଜଣ ଗୁରୁତର ଆହତ ହେଲେ । ନିଜେ ଲକ୍ଷ୍ମଣ ନାୟକ ମଧ୍ୟ ଗୁରୁତର ଭାବେ ଆହତ ହୋଇ ସଂଜ୍ଞା ହରାଇଥିଲେ । ତାଙ୍କୁ ପରେ ଗିରଫ କରାଗଲା ଏବଂ ଘଟଣା ଦିନ ମୃତ୍ୟୁବରଣ କରିଥିବା ଜଣେ ଫରେଷ୍ଟ ଗାର୍ଡ଼କୁ ହତ୍ୟା କରିବା ଅଭିଯୋଗରେ ୨୯ ମାର୍ଚ୍ଚ ୧୯୪୩ ଦିନ ବ୍ରହ୍ମପୁର ଜେଲରେ ଫାଶୀ ଦିଆଗଲା । ଲକ୍ଷ୍ମଣ ନାୟକଙ୍କ ସାଙ୍ଗରେ ଥିବା ଅନ୍ୟ ୫୦ ଜଣ ଆଦିବାସୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ମାଥିଲିରେ ଲକ୍ଷ୍ମଣ ନାୟକ ଓ ତାଙ୍କ ସହଯୋଗୀମାନଙ୍କର ଆନ୍ଦୋଳନ ଏବଂ ସେମାନଙ୍କ ଉପରେ ପୋଲିସର ଦମନଲୀଳା ଇଂରେଜ ସରକାରର ମୁଖା ଖୋଲିଦେଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଗଷ୍ଟ ୨୪ ତାରିଖ ଦିନ କୋରାପୁଟ ଜିଲ୍ଲାର ନବରଂଗପୁର ନିକଟସ୍ଥ ପାପଡହାଣ୍ଡିଠାରେ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କଲା । ସେଠାରେ ଆଦିବାସୀମାନେ ସଭା କଲେ ଏବଂ ସଭା ପରେ ଜଗନ୍ନାଥ ତ୍ରିପାଠୀ, ସୀମାଞ୍ଚଳ ବେହେରା ଓ ଲକ୍ଷ୍ମଣ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ନବରଂଗପୁର ଥାନା କବ୍‍ଜା କରିବାକୁ ଶୋଭାଯାତ୍ରାରେ ବାହାରିଲେ । ରାସ୍ତାରେ ପାପଡହାଣ୍ଡିର ତୂରୀ ନଦୀ ଉପରେ ଥିବା ପୋଲରେ ସେମାନଙ୍କୁ ପୋଲିସ୍‍ ଅବରୋଧ କଲା । ପୋଲିସ ପକ୍ଷରୁ ପୋଲକୁ ଭାଂଗି ଦିଆଗଲା ଏବଂ ଲୋକଙ୍କ ଉପରକୁ ଗୁଳି ଚାଳନା କରାଗଲା । ଏଥିରେ ଅନ୍ୟୂନ ୧୫ ଜଣ ଲୋକ ପ୍ରାଣ ହରାଇଲେ ଏବଂ ୧୭ ଜଣ ଗୁରୁତର ଆହତ ହେଲେ । ଅନେକ ଲୋକ ପୋଲିସ ଗୁଳିରୁ ରକ୍ଷାପାଇବାପାଇଁ ନଦୀକୁ ଡେଇଁ ପଡ଼ିଲେ ।

ଏସବୁ ବାହାରେ ମଧ୍ୟ କୋରାପୁଟର ଅନ୍ୟ ଅଞ୍ଚଳଗୁଡ଼ିକରେ ଆନ୍ଦୋଳନ ହୋଇଥିଲା । କେବଳ ଏହି ଜିଲ୍ଲାରୁ ଅଗଷ୍ଟ ବିପ୍ଳବରେ ୧୯୭୦ ଜଣ ଗିରଫ ହୋଇଥିଲେ ଏବଂ ତନ୍ମଧ୍ୟରୁ ୫୭୦ ଜଣଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଜେଲରେ ୫୦ ଜଣ ଓ ପୋଲିସ୍‍ ଫାୟାରିଂରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଆହତଙ୍କ ମୋଟ ସଂଖ୍ୟା ଥିଲା ୨୧୪୭ । ପୋଲିସ ପକ୍ଷରୁ ମୋଟ ୨୪ ଥର ଏବଂ ୪୫୧ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ଏସବୁ ବ୍ୟତୀତ ପିଟୁଣି ଟିକସ ଓ ଅନ୍ୟାନ୍ୟ ଜୋରିମାନା ବାବଦରେ ଲୋକଙ୍କଠାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରାଯାଇଥିଲା । ଅଗଷ୍ଟ ମାସରେ ଆନ୍ଦୋଳନ ଆରମ୍ଭ ହୋଇ କୋରାପୁଟରେ ସେହି ମାସରେ ପ୍ରାୟ ଶେଷ ହୋଇ ଯାଇଥିଲା । ସେପ୍ଟେମ୍ବର ଓ ଅକ୍ଟୋବର ବେଳକୁ ସେଠାରେ ଆଉ ପ୍ରାୟ ଆନ୍ଦୋଳନ ନ ଥିଲା । ପୋଲିସ ଦମନଯୋଗୁଁ ସେଠାରେ ଅତି ଅଳ୍ପ ଅବଧି ମଧ୍ୟରେ ଆନ୍ଦୋଳନର ଅବସାନ ଘଟିଥିଲା ।

କଟକ ଜିଲ୍ଲାରେ ଆନ୍ଦୋଳନ ରାଜ୍ୟର ପ୍ରମୁଖ ସହର ଭାବରେ କଟକ ଓ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ଅଗଷ୍ଟ ବିପ୍ଳବ ସମୟରେ ଖୁବ୍‍ ଅଧିକ ମାତ୍ରାରେ ସକ୍ରିୟ ହୋଇଥିଲା । ରେଭେ୍‍ସା ମହାବିଦ୍ୟାଳୟର ଛାତ୍ର-ଆନ୍ଦୋଳନ କଥା ପୂର୍ବରୁ ଆଲୋଚିତ ହୋଇଛି । ଅଗଷ୍ଟ ମାସରେ ହିଁ ଜିଲ୍ଲାର ଅଭ୍ୟନ୍ତରରେ ମଧ୍ୟ ଆନ୍ଦୋଳନାତ୍ମକ ଘଟଣାମାନ ଦେଖିବାକୁ ମିଳିଲା । ଜିଲ୍ଲାର ଯାଜପୁର, ବରୀ, କାଇପଦା, ବଡ଼ଚଣା, ବିଂଝାରପୁର, ତିର୍ତ୍ତୋଲ୍‍, ଏରସମା, ବାଗଲପୁର ଓ ମାହାଙ୍ଗା ଅନ୍ତର୍ଗତ କୁଆଁପାଳ ଆଦି ସ୍ଥାନରେ ଲୋକେ ସକ୍ରିୟ ଭାବରେ ଆନ୍ଦୋଳନ କରିଥିଲେ ।

ବରୀଠାରେ ୧୯୩୪ରୁ ଗୋପବନ୍ଧୁ ଚୌଧୁରୀ ଏକ ଆଶ୍ରମ ସ୍ଥାପନ କରି ବରୀ ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ଗଠନମୂଳକ କାର୍ଯ୍ୟ କରୁଥିଲେ । ସେହି ପ୍ରକ୍ରିୟାରେ ସେଠାରେ କିଛି କଂଗ୍ରେସ କର୍ମୀ ସୃଷ୍ଟି ହୋଇଥିଲେ । ଅଗଷ୍ଟ ୯ ତାରିଖରେ ଗୋପବନ୍ଧୁ ଚୌଧୁରୀ, ତାଙ୍କ ପତ୍ନୀ ରମାଦେବୀ ଓ ପୁତ୍ର ମନମୋହନ ଚୌଧୁରୀଙ୍କୁ ଗିରଫ କଲା ପରେ ପୋଲିସ ଆଶ୍ରମକୁ ମଧ୍ୟ ଦଖଲ କଲା ଏବଂ ସେଠାରେ ଥିବା କାଗଜପତ୍ର ନଷ୍ଟ କରିଦେଲା । ଏହାର ପ୍ରତିକ୍ରିୟା ସ୍ୱରୂପ ୧୬ ଅଗଷ୍ଟରେ 'ରକ୍ତ ବାହିନୀ' ନାମରେ ଏକ ସଂଗଠନ ଗଢ଼ି କିଛି ଯୁବକ ଆଶ୍ରମକୁ ପୁନର୍ଦଖଲ କଲେ । ସେଠାରେ କିଶୋର ବୟସର ଯୁବକମାନେ ବାନର ସେନା ଗଢ଼ି ଆନ୍ଦୋଳନକୁ ପୁନର୍ଜୀବିତ କରି ରଖିଥିଲେ । କେତେକ ଲୋକ ବରୀ ଆଶ୍ରମର ବାଜ୍ୟାପ୍ତ ଜିନିଷପତ୍ର ଗଚ୍ଛିତ ଥିବା ପିଡବ୍ଲ୍ୟୁଡି କୋଠାରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ପରେ ପୋଲସ ଦୁଃଶାସନ ଜେନା ଓ ପ୍ରହଲ୍ଲାଦ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗୋବିନ୍ଦପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ବାଗଲପୁର ଗାଁରେ ଗୌରାଙ୍ଗ ଚରଣ ଦାସଙ୍କ ନେତୃତ୍ୱରେ କିଛି ଯୁବକ ସୁରକ୍ଷା ବାହିନୀ ଗଢ଼ିଥିଲେ । ପୋଲିସ ଦମନର ମୁକାବିଲାପାଇଁ ସେମାନେ ଲାଠି ଚାଳନା ଶିକ୍ଷା କରିଥିଲେ । ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ପରିଚାଳନାରେ ଚାଲିଥିବା ଭୂମିଗତ ଆନ୍ଦୋଳନ ସହ ସେମାନଙ୍କର ସଂପର୍କ ଥିଲା । ଏହି ବାହିନୀର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଥିଲେ ଚିତ୍ତରଂଜନ ଦାସ, ଜଗନ୍ନାଥ ଦାସ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, କମଳା ଚରଣ ଦାସ, କଳ୍ପତରୁ ଦାସ ଓ ଇନ୍ଦ୍ରମଣି ଦାସ । ଏହି ବାହିନୀ ବିଭିନ୍ନ ସରକାରୀ ଅଫିସ୍‍ ଓ ପୋଷ୍ଟ ଅଫିସ୍‍ ପୋଡ଼ା ଘଟଣାରେ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଥିଲେ । କଟକରୁ ଆସୁଥିବା ଗୁପ୍ତ ବୁଲେଟିନ୍‌କୁ ମଧ୍ୟ ସେମାନେ ବାଣ୍ଟିବା କାମ କରୁଥିଲେ । ସେମାନଙ୍କ ଗତିବିଧିରୁ ସ୍ପଷ୍ଟ ହେଉଥିଲା ଯେ, ଆନ୍ଦୋଳନ ସାମୟିକ ଘଟଣାରେ ସୀମିତ ନରହି ଦିନକୁ ଦିନ ଦୃଢ଼ ହେବାକୁ ଆରମ୍ଭ କରିଥିଲା । ଗୌରାଙ୍ଗ ଚରଣ ଦାସ ଆଦି କେତେକ କର୍ମୀ ସୁଦୂର ଗଡ଼ଜାତ ଅଂଚଳକୁ ମଧ୍ୟ ଯାଇ ଆନ୍ଦୋଳନ କାମ ଆରମ୍ଭ କଲେ ।

ଅଗଷ୍ଟ ୨୦ରୁ ୨୬ ତାରିଖ ମଧ୍ୟରେ ବରୀର ବାନରସେନା, କାଇପଦା, ସନ୍ନ୍ୟାସୀପୁର ଆଦି ଗ୍ରାମରେ ଅନେକ ସଭା ସମିତି ଓ ହିଂସାତ୍ମକ ଘଟଣା ଭିଆଇଲେ । ୨୦ ଅଗଷ୍ଟରେ ସେମାନେ କାଇପଦା ପୋଷ୍ଟ ଅଫିସ୍‍ରେ ନିଆଁ ଲଗାଇଦେଲେ ଓ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି ଅନେକ ଜିନିଷ ଭଙ୍ଗାରୁଜା କଲେ । ୨୫ ଓ ୨୬ ତାରିଖରେ ଅଧିକ ପୋଲିସ ଫୋର୍ସ ଆସିବା ପରେ ପୋଲିସ ଓ ଲୋକଙ୍କ ମଧ୍ୟରେ ଛକାପଂଝା ଚାଲିଲା । ଆଖପାଖରୁ ଲୋକ ଆସି ପୋଲିସର ବିରୋଧ କଲେ । ଯେତେବେଳେ ପୋଲିସ ଇନ୍ଦ୍ରମଣି ତ୍ରିପାଠୀ, ବିଦ୍ୟାଧର ରାୟ, ଡମ୍ବରୁଧର ରାୟ, ହୃଷୀକେଶ ରାୟ, ଅନାମ ଚନ୍ଦ୍ର ଦାସ ଓ ବେଣୁଧର ଦାସଙ୍କ ସମେତ ଅନ୍ୟ କେତେଜଣ କର୍ମୀଙ୍କୁ ଗିରଫ କରି ଦଉଡ଼ିରେ ବାନ୍ଧି କାଇପଦା ସେବାଶ୍ରମକୁ ନେଲା, ଲୋକ ଗିରଫ କର୍ମୀଙ୍କୁ ମୁକ୍ତ କରିବାପାଇଁ ପୋଲିସର ଅନୁଧାବନ କଲେ । କଳାମାଟିଆ ଛକରେ ସେମାନେ ଗୌରାଙ୍ଗ ପଣ୍ଡା ନାମକ ଜଣେ ଗିରଫ କର୍ମୀଙ୍କୁ ପୋଲିସ କବଳରୁ ଛଡ଼େଇ ଆଣିଲେ ଏବଂ ପୋଲିସର ଏକ ରାଇଫଲ୍‍ ମଧ୍ୟ ଲୁଟିନେଲେ । ଏହା ପରେ ପୋଲିସ ଫାୟାରିଂରେ ଚାରିଜଣ ଲୋକ ପ୍ରାଣ ହରାଇଲେ ଏବଂ ୧୯ ଜଣ ଲୋକ ଗୁରୁତର ଆହତ ହେଲେ । ଅନେକ ବାନରସେନା କର୍ମୀଙ୍କୁ ମଧ୍ୟ ଗିରଫ କରାଗଲା । ଗିରଫ କର୍ମୀମାନଙ୍କୁ ଅଧିକ ଗଣ୍ଡଗୋଳ ଆଶଂକାରେ ପ୍ରଥମେ ବିଂଝାରପୁର ଓ ଯାଜପୁର ଏବଂ ସେଠାରୁ କଟକ ଜେଲକୁ ପଠାଇ ଦିଆଗଲା । କାଇପଦା-କଳାମାଟିଆ ପୋଲିସ୍‍ ଫାୟାରିଂ ଘଟଣା ଜଣାପଡ଼ିବା ପରେ ୨୭ ଅଗଷ୍ଟ ଦିନ ଯାଜପୁରରେ ତା'ର ଖୁବ୍‍ ପ୍ରତିବାଦ ହେଲା । କାଇପଦାରେ ଗିରଫ କର୍ମୀମାନଙ୍କୁ ଯାଜପୁରରେ ରଖାଯାଇଥିବାରୁ ସେମାନଙ୍କୁ ମୁକ୍ତ କରିବାକୁ ହଜାର ହଜାର ଲୋକ ପୋଲିସ ଷ୍ଟେସନକୁ ଘେରାଉ କରିବାକୁ ଆସିଲେ । ପଦ୍ମନାଭ ରାୟ, ବୈଦ୍ୟନାଥ ଦାସ, ଗୋପୀନାଥ ସାହୁ ଓ ଦୁର୍ଯ୍ୟୋଧନ ରାଉତ ଥିଲେ ସେମାନଙ୍କର ନେତା । ପୋଲିସକୁ ସେମାନେ ଗିରଫ କଂଗ୍ରେସ କର୍ମୀମାନଙ୍କୁ ମୁକ୍ତ କରିବାକୁ ତଥା ଚାକିରିରୁ ଇସ୍ତଫା ଦେଇ ଆନ୍ଦୋଳନରେ ଯୋଗ ଦେବାକୁ ଦାବି କଲେ । ଉପସ୍ଥିତ ଭିଡ଼କୁ ନିୟନ୍ତ୍ରଣ କରିବା ସକାଶେ ପୋଲିସ ସହରରେ ୧୪୪ ଧାରା ଜାରିକଲେ ଏବଂ ହେଲିକପ୍‍ଟରରୁ ଲୁହବୁହା ଗ୍ୟାସ୍‍ ପକାଇଲେ । ଫଳରେ ଲୋକ ଇତସ୍ତତଃ ଦୌଡ଼ି ପଳାଇଲେ । ବାଟରେ କେତେକ କର୍ମୀ ରାମବାଗଠାରେ ପୋଷ୍ଟ ଅଫିସ୍‍ରେ ନିଆଁ ଲଗାଇ ଦେଲେ ।

୨୨ଅଗଷ୍ଟ ଦିନ ମାହାଙ୍ଗାର କୁଆଁପାଳ ପୋଷ୍ଟ ଅଫିସ୍‍ରେ ଏବଂ ବାଲିଚନ୍ଦ୍ରପୁର ତହସିଲ ଅଫିସ୍‍ରେ ଲୋକେ ନିଆଁ ଲଗାଇ ଦେଲେ । ଜଣେ କନେଷ୍ଟବଲ୍‍ ଓ ଦୁଇଜଣ ଚୌକିଦାରଙ୍କ ପୋଷାକ କାଢ଼ି ତହିଁରେ ମଧ୍ୟ ନିଆଁ ଲଗାଇ ଦିଆଗଲା । ଏହାପରେ ମାହାଙ୍ଗା ଗାନ୍ଧୀ ନାମରେ ପରିଚିତ ସଚ୍ଚିଦାନନ୍ଦ ଜେନା ଓ ବିରଜା ପ୍ରସାଦ ରାୟଙ୍କୁ ପୋଲିସ ଗିରଫ କରି ଜେଲ୍‍କୁ ପଠାଇଲେ । ବଡ଼ଚଣାର ଗୋପାଳପୁର ଡାକବଙ୍ଗଳାକୁ ଉତ୍ତ୍ୟକ୍ତ ଜନତା ୨୧ ତାରିଖ ଦିନ ପୋଡ଼ିଦେଲେ ଏବଂ ଚୌକିଦାରର ପୋଷାକ କାଢ଼ି ନେଲେ । ୨୬ ତାରିଖରେ କୃଷ୍ଣଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଅନେକ ଲୋକ ବଡ଼ଚଣା ଥାନା ଆକ୍ରମଣ କରି ସେଠାରେ କାର୍ଯ୍ୟରତ ଚୌକିଦାରଙ୍କ ପୋଷାକ କାଢ଼ି ତହିଁରେ ନିଆଁ ଲଗାଇ ଦେଇଥିଲେ । ୩୧ ତାରିଖ ଦିନ ତିର୍ତ୍ତୋଲ୍‍ର ବାଲିପାଟଣାଠାରେ ପ୍ରାୟ ୫୦୦ ଲୋକ ପୋଲିସ୍‍ ଉପରେ ଆକ୍ରମଣ କରି ଜଣେ କଂଗ୍ରେସ କର୍ମୀଙ୍କୁ ମୁକ୍ତ କରିଥିଲେ ।

କୋରାପୁଟ ପରି କଟକ ଜିଲ୍ଲାରେ ମଧ୍ୟ ଲୋକ ସମବେତ ହୋଇ ଥାନା ଓ ସରକାରୀ କୋଠାଘର ଉପରେ ଆକ୍ରମଣ କରିଥିଲେ । ଅନେକ ସ୍ଥାନରେ ସେମାନଙ୍କର ମୁଖ୍ୟ ଦାବି ଥିଲା ଗିରଫ କର୍ମୀଙ୍କର ମୁକ୍ତି । ପୋଲିସ ଓ ଚୌକିଦାରମାନଙ୍କ ୟୁନିଫର୍ମ କାଢ଼ି ତହିଁରେ ସେମାନେ ନିଆଁ ଲଗାଇ ଦେଉଥିଲେ । କେତେକ ସ୍ଥାନରେ ଉତ୍ତ୍ୟକ୍ତ ଜନତା ଗିରଫ କଂଗ୍ରେସ କର୍ମୀଙ୍କୁ ପୋଲିସ କବଳରୁ ମୁକ୍ତ କରିବାରେ ମଧ୍ୟ ସଫଳ ହୋଇଥିଲେ । ପୋଲିସ ବିରୁଦ୍ଧରେ ଏକତ୍ରିତ ଭିଡ଼କୁ ଇତସ୍ତତଃ କରିବାପାଇଁ ସରକାରଙ୍କ ପକ୍ଷରୁ ଗୁଳିଚାଳନା ସହିତ କେତେକ ସ୍ଥାନରେ ଆକାଶ ମାର୍ଗରୁ ହେଲିକପ୍ଟର ମାଧ୍ୟମରେ ଲୁହବୁହା ବାଷ୍ପ ମଧ୍ୟ ପ୍ରୟୋଗ କରାଯାଇଥିଲା । ଏହା ସରକାରଙ୍କ ଅସହାୟତାକୁ ଦର୍ଶାଉଥିଲା ।

ବାଲେଶ୍ୱର ଆନ୍ଦୋଳନ କଟକ ପରି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଅଗଷ୍ଟ ବିପ୍ଳବ ଗୁରୁତର ଆକାର ଧାରଣ କରିଥିଲା । ଅଗଷ୍ଟ ୧୭ ତାରିଖ ଦିନ ଏହି ଜିଲ୍ଲାର ଭଣ୍ଡାରିପୋଖରୀଠାରେ ଲୋକେ ଥାନା ଉପରେ ଆକ୍ରମଣ କଲେ, ଡାକଘର ପୋଡ଼ି ଦେଲେ ଏବଂ ରାସ୍ତାର ଏକ ପୋଲକୁ ଧ୍ୱଂସ କରିଦେଲେ । ଆନ୍ଦୋଳନକୁ ଦମନ କରିବାଲାଗି ପୋଲିସ ଜଗନ୍ନାଥ ଦାସ, ବୈଷ୍ଣବ ଚରଣ ନାୟକ, ମହନ୍ତ ଦୁର୍ଗାଚରଣ ଭାରତୀ ଏବଂ ଦ୍ୱାରିକାନାଥ ଦାସଙ୍କୁ ଗିରଫ କଲେ ଏବଂ ଆକ୍ରମଣରେ ଭାଗ ନେଇଥିବା ଭଣ୍ଡାରିପୋଖରୀ, ଉତ୍ତରବାଡ଼, ଦକ୍ଷିଣବାଡ଼, ଚନ୍ଦ୍ରଭାନପୁର, କୋହରାପୋଖରୀ, ରାଜେନ୍ଦ୍ରପୁର, ନଅଗାଁ, ପଟୌଲି, ପାଲଟ୍‍ ଓ ତୋରାଟ ଆଦିର ଗ୍ରାମବାସୀଙ୍କ ଉପରେ ଛଅ ହଜାର ଟଙ୍କା ପିଟୁଣି ଟିକସ ଲାଗୁ କଲେ ।

ସେପ୍ଟେମ୍ବର ୫ ତାରିଖରେ ଧାମନଗର ନିକଟସ୍ଥ ଧୁଷୁରୀଠାରେ ଲୋକେ ଚୌକିଦାର ଓ ଦଫାଦାରଙ୍କ ପୋଷାକ କାଢ଼ିନେଇ ତହିଁରେ ନିଆଁ ଲଗାଇ ଦେଲେ । ଧାମନଗର ଅଂଚଳର ପ୍ରମୁଖ ନେତା ଥିଲେ ମୁରଲୀଧର ପଣ୍ଡା । ସେ ପାଣ୍ଠିପାଇଁ ସ୍ଥାନୀୟ ଜମିଦାର ଓ ମହାଜନମାନଙ୍କଠାରୁ ଜବରଦସ୍ତି ଧାନ ଚାଉଳ ଆଦାୟ କରୁଥିବାର ଅଭିଯୋଗ ପାଇ ୨୨ ସେପ୍ଟେମ୍ବରରେ ପୋଲିସ ତାଙ୍କୁ ଗିରଫ କରିବାକୁ ଲୁଣିଆ-କାଟସାହି ଗଲେ । ତା' ପୂର୍ବରୁ ସେପ୍ଟେମ୍ବର ୨୦ ତାରିଖରେ ମୁରଲୀଧର ଜେନା ନାମକ ଜଣେ କର୍ମୀଙ୍କୁ ଗିରଫ କରିବା ପରେ ପୋଲିସ ଜାଣିପାରିଲା ଯେ, ୨୫ ସେପ୍ଟେମ୍ବରରେ ମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ଭଦ୍ରକ କଚେରି କବ୍‍ଜା କରିବାକୁ ଯୋଜନା ହୋଇଛି । ପୋଲିସ ଆସିବାର ଖବର ପାଇ ପାଞ୍ଚ-ଛଅ ହଜାର ଲୋକ ପୋଲିସର ବିରୋଧ କରିବାକୁ ସଂଗେସଂଗେ ଏକତ୍ରିତ ହେଲେ । ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ସଂସର୍ଗରେ ଆସିଥିବା ମୁରଲୀଧର ପଣ୍ଡା ସାଧାରଣ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ଜମିଦାର ଓ ମହାଜନମାନଙ୍କଠାରୁ ଶସ୍ୟ ଆଦାୟ କରି ସେ ଦରିଦ୍ର ଲୋକଙ୍କ ମଧ୍ୟରେ ତାକୁ ବଣ୍ଟନ କରୁଥିଲେ । ଇଂରେଜ ସରକାର ଅପସରି ଗଲେ ଜମିଦାରୀ ବ୍ୟବସ୍ଥା, ବେଠି, ବେଗାରି ଆଦି ଉଚ୍ଛେଦ ହେବ ବୋଲି ସେ ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିଲେ । ତାଙ୍କ ଗିରଫର ବିରୋଧ କରିବାଲାଗି ଲୋକ ନିକଟସ୍ଥ ଚଣ୍ଡିଆ ପୋଷି ପଡ଼ିଆରେ ପୋଲିସକୁ ଘେରିଗଲେ । ସେମାନେ ପୋଲିସର ରାଇଫଲ୍‍ ଓ ଗୁଳିଗୋଳା ମଧ୍ୟ ଲୁଟି ନେଇଗଲେ । ମାତ୍ର ଏହାଦ୍ୱାରା ପୋଲିସ ଦଳ ଚାକିରି ହରାଇବେ ଜାଣି ପୁଣି ସେଗୁଡ଼ିକୁ ଦୟାପରବଶ ହୋଇ ଫେରସ୍ତ ଦେଲେ । ଅସ୍ତ୍ରଶସ୍ତ୍ର ଫେରିପାଇ ପୋଲିସ ଗୁଳିଚାଳନା କଲେ ଏବଂ ତହିଁରେ ନଅଜଣ କର୍ମୀଙ୍କର ମୃତ୍ୟୁ ହେଲା । ଲୋକଙ୍କଠାରୁ ପିଟୁଣି ଟିକସ ବାବଦକୁ ୨୨୫୫ଟଙ୍କା ମଧ୍ୟ ଆଦାୟ କରାଗଲା । ଏହିଭଳି ଭାବେ ବିଶ୍ୱାସଘାତକତା କରି ପୋଲିସ ଲୁଣିଆ ଆନ୍ଦୋଳନକୁ ଦମନ କଲେ ।

ଛତ୍ର ଗାଁର ସମାନ୍ତରାଳ ସରକାର ବାଲେଶ୍ୱର ଜିଲ୍ଲାର ଖଇରା ପୋଲିସ ଷ୍ଟେସନ ଅନ୍ତର୍ଗତ ଛତ୍ର ଗାଁକୁ କେନ୍ଦ୍ର କରି ସେପ୍ଟେମ୍ବର ୧୯୪୨ରେ ଏକ ସମାନ୍ତରାଳ ସରକାର ଗଠିତ ହୋଇଥିଲା । ତୁଡିଗଡ଼ିଆ, ଖଇରାଡିହ, ହରେକୃଷ୍ଣପୁର, ପାଣି ସିଆଳି ଓ ମଲ୍ଲିକ୍‍ ପୁର ଆଦି ଗାଁର ଲୋକେ ଏହି ସରକାରର ପ୍ରମୁଖ ସହଯୋଗୀ ଥିଲେ । ଖଇରାଡିହର ଜଣେ ଯୁବକ ବୈଦ୍ୟନାଥ ରାଉତ, ଯିଏ ରେଭେନ୍‌ସା ମହାବିଦ୍ୟାଳୟର ଛାତ୍ର ଧର୍ମଘଟରେ ଜଣେ ସାଧାରଣ ଛାତ୍ରକର୍ମୀ ଭାବରେ ଭାଗ ନେଇଥିଲେ, ସମାନ୍ତରାଳ ସରକାରର କେନ୍ଦ୍ର ଥିଲେ । ଧାମନଗରର ସୂର୍ଯ୍ୟମଣି ତ୍ରିପାଠୀ ଓ ସୋରୋ ହାଇସ୍କୁଲ୍‍ର କେତେକ ଛାତ୍ର ମଧ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏମାନଙ୍କ ବ୍ୟତୀତ କୃଷ୍ଣଚନ୍ଦ୍ର ଜେନା, ଚିନ୍ତାମଣି ପଣ୍ଡା ଓ ପୁରୁଷୋତ୍ତମ ପାଢ଼ୀ ଆଦି କେତେକ ପୁରୁଖା କର୍ମୀ ମଧ୍ୟ ସମାନ୍ତରାଳ ସରକାର ଗଠନରେ ସକ୍ରିୟ ସହଯୋଗ କରିଥିଲେ । ସେପ୍ଟେମ୍ବର ୬ ତାରିଖରେ ଏକ କଂଗ୍ରେସ ସଭାର ଆୟୋଜନ ହେଲା ଏବଂ ସେହି ପ୍ରକ୍ରିୟାରେ ଅଗଷ୍ଟ ବିପ୍ଳବର ସେଠାରେ ଶୁଭାରଂଭ ହେଲା । ୧୨ ତାରିଖ ଦିନ ତୁଡିଗଡ଼ିଆ ଓ ତା'ର ଆଖପାଖର ୧୬ ବର୍ଗମାଇଲ୍‍ କ୍ଷେତ୍ରକୁ ସ୍ୱାଧୀନ ଓ ମୁକ୍ତ ଘୋଷଣା କରାଗଲା । ଛତ୍ର ଗାଁ ସ୍ଥିତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଘର ସମାନ୍ତରାଳ ସରକାରର ମୁଖ୍ୟ କେନ୍ଦ୍ର ହେଲା । ତହିଁରେ ସ୍ୱାଧୀନ ସରକାରର କଚେରି ଓ ଜେଲ ମଧ୍ୟ ରହିଲା । ସରକାରର ମୁଖ୍ୟ କୃଷ୍ଣଚନ୍ଦ୍ର ପଣ୍ଡା ତେଣିକି ଖଇରା ଥାନାର ପୋଲିସ ଓ ଚୌକିଦାରମାନଙ୍କୁ ତଲବ କଲେ । ସେପ୍ଟେମ୍ବର ୨୨ ତାରିଖରେ ପୋଲିସ ଛତ୍ର ଗାଁରେ ପହଞ୍ଚି ବୈଦ୍ୟନାଥ ରାଉତଙ୍କୁ ଗିରଫ କଲେ । ଖବର ପାଇ ହଜାର ହଜାର ଲୋକ ଏକତ୍ରିତ ହେଲେ । ପୋଲିସ ଓ ଜନତା ମଧ୍ୟରେ ଆରମ୍ଭ ହୋଇଥିବା ଖଣ୍ଡଯୁଦ୍ଧରେ ପୋଲିସ ସବ୍‍ ଇନ୍‍ସପେକ୍ଟର, ଚୌକିଦାର ଓ ଦଫାଦାରଙ୍କ ଉପରେ ପ୍ରବଳ ମାଡ଼ ହେଲା । କଂଗ୍ରେସ କର୍ମୀ ସୂର୍ଯ୍ୟମଣି ତ୍ରିପାଠୀ ମଧ୍ୟ ପୋଲିସ ମାଡ଼ରେ ଆହତ ହେଲେ । ବୈଦ୍ୟନାଥ ରାଉତଙ୍କୁ ପୋଲିସ କବଳରୁ ମୁକ୍ତ କରାଗଲା । ଭିଡ଼ ଅଧିକ ହେବାରୁ ଭୟରେ ପୋଲିସ ଦଳ ଛତ୍ରଭଙ୍ଗ ଦେଲେ । ଏହା ବିପ୍ଳବୀମାନଙ୍କର ମନୋବଳକୁ ବୃଦ୍ଧି କଲା ।

୨୪ ସେପ୍ଟେମ୍ବରରେ ଅଧିକ ସଂଖ୍ୟକ ପୋଲିସ ନେଇ ଜଣେ ଇନ୍‍ସପେକ୍ଟର କଂଗ୍ରେସ ନେତାମାନଙ୍କୁ ଗିରଫ କରିବାପାଇଁ ଖଇରାଡିହରେ ପହଞ୍ଚିଲେ । ଭିଡ଼କୁ ଇତସ୍ତତଃ କରିବାପାଇଁ ଗୁଳିଚାଳନା କରାଗଲା । ଫଳରେ ମାଗୁଣି ଜେନା ନାମକ ଜଣେ କର୍ମୀ ଗୁରୁତର ଆହତ ହେଲେ । ଏହା ସତ୍ତ୍ୱେ ଲୋକେ ପୋଲିସକୁ ବିରୋଧ କରିବାରୁ ପଛଘୁଞ୍ଚା ଦେଲେ ନାହିଁ । ବାଧ୍ୟ ହୋଇ ଶେଷରେ ପୋଲିସ ପୁଣି ଥରେ ଛତ୍ରଭଂଗ ଦେଲା । ସେପ୍ଟେମ୍ବର ୨୬ ତାରିଖରେ ତୃତୀୟ ଥରପାଇଁ ପୋଲିସ ବୈଦ୍ୟନାଥ ରାଉତଙ୍କୁ ଗିରଫ କରିବାକୁ ଆସି ଖଇରାଡିହରେ ସମବେତ ଜନତାର ସମ୍ମୁଖୀନ ହେଲା । ପୁଣି ଥରେ ପୁଲିସ ଗୁଳିଚାଳନା କଲା । ରଘୁ ବେହେରା ଓ ମକର ଜେନାଙ୍କର ପୋଲିସ ଗୁଳିରେ ମୃତ୍ୟୁ ହେଲା ଏବଂ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହେଲେ । ବୈଦ୍ୟନାଥ ରାଉତଙ୍କୁ ଗିରଫ କରିବାପାଇଁ ତାଙ୍କ ପୈତୃକ ଘର ଖାନତଲାସୀ କରାଗଲା ଏବଂ ଆସବାବପତ୍ରକୁ କୋରଖ କରାଗଲା । ମୃତ ଦେହ ଓ ଆସବାବପତ୍ରକୁ ସାଙ୍ଗରେ ନେଇ ତୁଡିଗଡ଼ିଆ କେମ୍ପକୁ ଫେରୁଥିବା ପୋଲିସ ବାହିନୀ ଉପରେ ପ୍ରାୟ ୩୦୦୦ ଲୋକ ଆକ୍ରମଣ କଲେ । ସେମାନଙ୍କ ନେତୃତ୍ୱ ନେଇଥିଲେ ବୈଦ୍ୟନାଥ ରାଉତ, ଚିନ୍ତାମଣି ପଣ୍ଡା, କୃଷ୍ଣଚନ୍ଦ୍ର ଜେନା ଓ ସୂର୍ଯ୍ୟମଣି ତ୍ରିପାଠୀ । ପୋଲିସ ପକ୍ଷରୁ ସେଠାରେ ପୁଣି ଥରେ ଗୁଳିଚାଳନା ହେଲା । ଅନେକ କର୍ମୀ ଗିରଫ ହେଲେ । ଲୋକଙ୍କ ଉପରେ ପିଟୁଣି ଟିକସ ଲାଗୁ ହେଲା । ଶେଷରେ ୩୦ ସେପ୍ଟେମ୍ବର ଦିନ ବୈଦ୍ୟନାଥ ରାଉତଙ୍କ ଗିରଫ ପରେ ଛତ୍ରଗାଁର ସମାନ୍ତରାଳ ସରକାରର ପତନ ହେଲା ।

ଇରମ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ଇରମଠାରେ ସେପ୍ଟେମ୍ବର ୧୯୪୨ରେ ଏକ ଅଭିନବ ସମାନ୍ତରାଳ ସରକାର ଗଠିତ ହୋଇଥିଲା । ତାକୁ ଦମନ କରିବାକୁ ଯାଇ ପୋଲିସ ଗୁଳିଚାଳନା କରିଥିଲା । ଯାହା ଫଳରେ ୨୯ ଜଣଙ୍କର ମୃତ୍ୟୁ ହେଲା ଏବଂ ଶହେରୁ ଅଧିକ ଗୁରୁତର ଆହତ ହେଲେ । ଅଗଷ୍ଟ ବିପ୍ଳବରେ ଏହା ଇରମ ହତ୍ୟାକାଣ୍ଡ ନାମରେ କୁଖ୍ୟାତ ।

ସ୍ୱାଧୀନତା ସଂଗ୍ରାମରେ ଇରମର ସଂପୃକ୍ତି ଅସହଯୋଗ ଆନ୍ଦୋଳନ ସମୟରୁ ରହି ଆସିଥିଲା । ଇରମର ବାଞ୍ଛାନିଧି ମହାନ୍ତି ଗୀତି କବିତା ଓ ଅଭିନୟ ମାଧ୍ୟମରେ ଅସହଯୋଗ ଓ ଆଇନ ଅମାନ୍ୟର ବାର୍ତ୍ତାକୁ ସମଗ୍ର ଓଡ଼ିଶାରେ ପ୍ରଚାରିତ ଓ ପ୍ରସାରିତ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଲୋକ ଇରମରେ ଜାତୀୟତା ଆନ୍ଦୋଳନ ଓ କଂଗ୍ରେସ ପ୍ରତି ଆକୃଷ୍ଟ ହୋଇଥିଲେ । ରାଧାକାନ୍ତ ପାଢ଼ୀ ନାମରେ ଜଣେ ସ୍ଥାନୀୟ ଜମିଦାର ମଧ୍ୟ କଂଗ୍ରେସକୁ ନିୟମିତ ସହଯୋଗ କରୁଥିଲେ । ଅବଶ୍ୟ ଏହି ଅଗଷ୍ଟ ବିପ୍ଳବରେ ତାଙ୍କର ଭୂମିକା ବିଶେଷ ନଥିଲା । ବିଶେଷକରି ସେଠାକାର ଯୁବପିଢି ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା । ତନ୍ମଧ୍ୟରେ ଥିଲେ ଗୌରାଙ୍ଗ ଚନ୍ଦ୍ର ମହାନ୍ତି, ଶ୍ୟାମସୁନ୍ଦର ପାଣିଗ୍ରାହୀ, କମଳା ପ୍ରସାଦ କର, ପ୍ରଭାକର ତ୍ରିପାଠୀ, ଅନିରୁଦ୍ଧ ମହାନ୍ତି ଓ ଗଣେଶ ପ୍ରସାଦ ତ୍ରିପାଠୀ । ଅଗଷ୍ଟ ୨୭ ତାରିଖରୁ ସେମାନେ ନିୟମିତ ଜନସଭା ଆୟୋଜନ କରୁଥିଲେ । ସେମାନଙ୍କ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ଲୋକେ ବାସୁଦେବପୁର ଥାନା ପୋଡ଼ିବାକୁ ଉଦ୍ୟମ କରିଥିଲେ । ସ୍କୁଲ୍‍ ଓ ବଜାରରେ ହରତାଳ ପାଳିତ ହୋଇ କେତେକ ଚୌକିଦାର ଓ ଦଫାଦାରଙ୍କ ୟୁନିଫର୍ମକୁ ମଧ୍ୟ ପୋଡ଼ି ଦିଆଯାଇଥିଲା । ଆନ୍ଦୋଳନକାରୀମାନଙ୍କ ଚାପରେ କେତେକ କଂଗ୍ରେସ ବିରୋଧୀ ଜମିଦାର ମଧ୍ୟ ଚୁପ୍‍ ରହିବାକୁ ବାଧ୍ୟ ହୋଇଥିଲେ, ଯାହା ଲୋକଙ୍କୁ ଅଧିକ ସଂଖ୍ୟାରେ ଅଗଷ୍ଟ ବିପ୍ଳବରେ ଯୋଗ ଦେବାକୁ ସାହସ ଓ ଅବସର ପ୍ରଦାନ କରିଥିଲା ।

ସେପ୍ଟେମ୍ବର ୧୭ ତାରିଖରେ ସ୍ଥାନୀୟ ନେତୃବର୍ଗ ଇରମରେ ଏକ ସମାନ୍ତରାଳ ସ୍ୱାଧୀନ ସରକାର ଗଠନ କଲେ । ବାଞ୍ଛାନିଧି ମହାନ୍ତିଙ୍କ ନାମରେ ଏହାର ନାମ ହେଲା 'ସ୍ୱାଧୀନ ବାଞ୍ଛାନିଧି ଚକଲା' । ଛଅଟି ପଞ୍ଚାୟତର ୨୬ଟି ଗ୍ରାମକୁ ନେଇ ଯେଉଁ ଅଞ୍ଚଳ, ତା'କୁ ଚକଲା କୁହାଗଲା । ଏହାର କ୍ଷେତ୍ରଫଳ ଥିଲା ୧୯ ବର୍ଗ ମାଇଲ । ଚକଲା ସରକାରର ପରିଚାଳନାନିମନ୍ତେ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଏକ ପରିଷଦ ଗଠିତ ହୋଇଥିଲା । ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଥିଲେ ସରକାରର ପ୍ରଧାନମନ୍ତ୍ରୀ ଓ କମଳା ପ୍ରସାଦ କର ଥିଲେ ନିର୍ଦ୍ଦେଶକ ଓ ମୁଖ୍ୟ ସେନାପତି । ପରିଷଦର ଅନ୍ୟ ସଦସ୍ୟମାନେ ଥିଲେ ଅନିରୁଦ୍ଧ ମହାନ୍ତି, ପ୍ରଭାକର ତ୍ରିପାଠୀ ଓ ଶ୍ୟାମସୁନ୍ଦର ପାଣିଗ୍ରାହୀ । ଅର୍ଜୁନ ବିଶ୍ୱାଳଙ୍କ ଘରେ 'ସ୍ୱାଧୀନ ସରକାର'ର ଅଫିସ୍‍ ସ୍ଥାପିତ ହେଲା । ପ୍ରତିଦିନ ସକାଳେ ଘର ଉପରେ କଂଗ୍ରେସ ପତାକା ଉଡ଼େ ଏବଂ ସନ୍ଧ୍ୟାରେ ତାକୁ ସାମରିକ କାଇଦାରେ ଅବତରଣ କରାଯାଏ । ସ୍ୱାଧୀନ ସରକାରର କଚେରିରେ କଂଗ୍ରେସକୁ ଅମାନ୍ୟ କରୁଥିବା ଲୋକଙ୍କର ବିଚାର ହୁଏ ଏବଂ ଦୋଷୀ ବ୍ୟକ୍ତିଙ୍କୁ 'ଜେଲ'ରେ ରଖାଯାଏ । ବିଶେଷକରି ଆନ୍ଦୋଳନର ବିରୋଧୀ ଓ ଇଂରେଜ ସମର୍ଥକ ଏବଂ ସେମାନଙ୍କ ଗୁପ୍ତଚରମାନଙ୍କୁ ଦଣ୍ଡ ବିଧାନ କରାଯାଏ । ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ସ୍ୱାଧୀନ ସରକାର କାର୍ଯ୍ୟ କରିଥିଲା । ଇରମ ସମାନ୍ତରାଳ ସରକାରର ସାମୟିକ ସଫଳତା ପଛରେ ଏକାଧିକ କାରଣ ରହିଥିଲା । ଭୌଗୋଳିକ ଦୃଷ୍ଟିରୁ ଏହା ଥିଲା ଏକ ଦ୍ୱୀପପ୍ରାୟ ଅଂଚଳ । ଏହାର ଗୋଟିଏ ପାଖରେ ସମୁଦ୍ର ଓ ଅନ୍ୟ ପାଖରେ ନଦୀ ରହିଥିଲା, ଯାହା ଫଳରେ ବିଚ୍ଛିନ୍ନ ପ୍ରାୟ ଏହି କ୍ଷେତ୍ର ସଂପର୍କରେ ପୋଲିସ କର୍ତ୍ତୃପକ୍ଷଙ୍କ ପାଖରେ ସୂଚନା ପହଞ୍ଚି ପାରୁ ନଥିଲା । ସମାନ୍ତରାଳ ସରକାର ପ୍ରତି ପ୍ରବଳ ଜନ ସମର୍ଥନ ରହିଥିଲା । ତୃତୀୟରେ, ଦଣ୍ଡ ଭୟରେ ସ୍ଥାନୀୟ ଚୌକିଦାର ଓ ସରକାରୀ କର୍ମଚାରୀମାନେ ସ୍ୱାଧୀନ ସରକାରକୁ ସହଯୋଗ କରୁଥିଲେ । ବିଶେଷକରି ଚୌକିଦାରମାନଙ୍କ ସହଯୋଗଯୋଗୁଁ ସମାନ୍ତରାଳ ସ୍ୱାଧୀନ ସରକାରର ଗଠନ ସଂକ୍ରାନ୍ତରେ ସୂଚନା ପୋଲିସ ପାଖରେ ଅନେକ ଦିନ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲା ।

ଶେଷରେ 'ସ୍ୱାଧୀନ ବାଞ୍ଛାନିଧି ଚକଲା' ଧନୀ ଜମିଦାରମାନଙ୍କ ଗୋଦାମ ଲୁଟ କଲା ଏବଂ ତଟ ନିରୀକ୍ଷଣ କେନ୍ଦ୍ର ଉପରେ ଆକ୍ରମଣ କଲା । ଜମିଦାରମାନଙ୍କ ଅଭିଯୋଗକ୍ରମେ ପୋଲିସ କାର୍ଯ୍ୟନୁଷ୍ଠାନପାଇଁ ୨୮ ତାରିଖରେ ଇରମ ଅଭିମୁଖେ ଯାତ୍ରା କଲେ । ପୋଲିସ ଆସିବାର ଖବର ପାଇ ଛଅ ସାତ ହଜାର ଲୋକ ଏକତ୍ରିତ ହେଲେ । ସେମାନେ ପୋଲିସ ବାହିନୀର ଜିିଷପତ୍ର ବୋହିଥିବା ଚୌକିଦାରମାନଙ୍କୁ ଲୁଟି ନେଲେ । ସ୍ଥାନୀୟ ମେଳଣ ପଡ଼ିଆରେ କଂଗ୍ରେସର ସଭା ଚାଲିଲା । ପୋଲିସ ସେଠାରେ ପହଞ୍ଚି ଗୁଳି ଚାଳନା କଲେ । ସଭାରେ ସମବେତ ଜନତାଙ୍କ ମଧ୍ୟରୁ କେତେକ ମହିଳାଙ୍କ ସମେତ ମୋଟ ୨୯ ଜଣ ଲୋକ ପୋଲିସ ଗୁଳିରେ ପ୍ରାଣତ୍ୟାଗ କଲେ; ଶହେରୁ ଅଧିକ ଲୋକ ଗୁରୁତର ଆହତ ହେଲେ । ଗୁଳିଚାଳନା ପରେ ପୋଲିସ ଗାଁ ଲୋକଙ୍କ ଘରବାଡ଼ି ଲୁଟି ନେଲେ । ଆନ୍ଦୋଳନର ପ୍ରମୁଖ ନେତା ଅନିରୁଦ୍ଧ ମହାନ୍ତି, କମଳା ପ୍ରସାଦ କର ଓ ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କୁ ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଗିରଫ କରାଗଲା । ଏହା ପରେ ଇରମର ଆନ୍ଦୋଳନ ଆଉ ମୁଣ୍ଡଟେକି ପାରିଲା ନାହିଁ ।

ନିମାପଡ଼ା ଗୁଳିକାଣ୍ଡ ଅସହଯୋଗ ଓ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଅପେକ୍ଷାକୃତ ଅଧିକ ସକ୍ରିୟ ଥିବା ପୁରୀ ଜିଲ୍ଲା, ଅଗଷ୍ଟ ବିପ୍ଳବରେ ବେଶି ସଂପୃକ୍ତ ଥିବା ଜଣା ପଡ଼ିଥିଲା । ଏହାର ଏକାଧିକ କାରଣ ମଧ୍ୟରେ ଏକ ପ୍ରଧାନ କାରଣ ହେଲା ଯେ, ଗୋପବନ୍ଧୁ ଦାସଙ୍କଦ୍ୱାରା ୧୯୦୯ରେ ସ୍ଥାପିତ ସତ୍ୟବାଦୀ ସ୍କୁଲ୍‍ ସେତେବେଳକୁ ସଂପୂର୍ଣ୍ଣ ରୂପେ ପତନର ଶିକାର ହୋଇ ସାରିଥିଲା । ନିଜେ ଗୋପବନ୍ଧୁ ଦାସ ମଧ୍ୟ ୧୯୨୮ରେ ମୃତ୍ୟୁବରଣ କରିସାରିଥିଲେ । ଦ୍ୱିତୀୟତଃ, ଆଚାର୍ଯ୍ୟ ହରିହର ଦାସଙ୍କୁ ବାଦ ଦେଲେ ସତ୍ୟବାଦୀର ଅନ୍ୟ ପ୍ରମୁଖ ପ୍ରତିଷ୍ଠାତାମାନେ, ଯଥା ନୀଳକଣ୍ଠ ଦାସ ଓ ଗୋଦାବରୀଶ ମିଶ୍ର କଂଗ୍ରେସରୁ ବାହରି ଯାଇ ସରକାରର ସମର୍ଥନରେ ଓଡ଼ିଶାରେ ମିଳିତ ସରକାର ଗଢ଼ିଥିଲେ । ସତ୍ୟବାଦୀ ନେତୃତ୍ୱର ଏହିଭଳି କଂଗ୍ରେସ ବିରୋଧୀ ଭୂମିକା ଯୋଗୁଁ ବୋଧହୁଏ ପୁରୀରେ ଅଗଷ୍ଟ ବିପ୍ଳବ ବିଶେଷ ଉଧେଇ ପାରି ନଥିଲା । ସେ ଯାହାହେଉ, ଅଗଷ୍ଟ ମାସରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅଗଷ୍ଟ ବିପ୍ଳବ ସଂଘଟିତ ହେବା ପରେ ତା'ର ପ୍ରଭାବ ପୁରୀରେ ମଧ୍ୟ ପଡ଼ିଲା ଏବଂ ପରିଣାମ ସ୍ୱରୂପ ନିମାପଡ଼ାଠାରେ ୧୬ ସେପ୍ଟେମ୍ବରରେ ଆନ୍ଦୋଳନ ଆରମ୍ଭ ହେଲା । ଆଖପାଖ ଗ୍ରାମାଞ୍ଚଳରୁ ପ୍ରାୟ ୫୦୦ ଲୋକ ସେଠାରେ ଏକ ସଭା ଆୟୋଜନ କଲେ ଏବଂ ନିମାପଡ଼ା ଥାନାକୁ କବ୍‍ଜା କରି ନେବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ସଭାର ନେତୃତ୍ୱ ନେଇଥିଲେ ପଦ୍ମଚରଣ ସାମନ୍ତସିଂହାର, ଭବାନୀ ଚରଣ ପଟ୍ଟନାୟକ, ଲୋକନାଥ ସେନାପତି, ଅଲେଖ ପାତ୍ର, ମହେଶ୍ୱର ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ସାହୁ । ସଭା ପରେ କଂଗ୍ରେସ ପତାକା ଧରି ଲୋକେ ଥାନାକୁ ପଟୁଆରରେ ଗଲେ ଏବଂ ପୋଲିସକୁ ଆନ୍ଦୋଳନରେ ଯୋଗ ଦେବାପାଇଁ ଆହ୍ୱାନ କଲେ । ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବାଧା ଦିଆଯିବାରୁ ଖଣ୍ଡଯୁଦ୍ଧ ଆରମ୍ଭ ହେଲା । ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ପୋଲିସ ଉପରକୁ ପଥର ମାଡ଼ ହେଲା । ଜଣେ କଂଗ୍ରେସ କର୍ମୀ ଉଚ୍ଛବ ମଲ୍ଲିକ୍‍ କଂଗ୍ରେସ ପତାକା ଧରି ପୋଲିସ ଥାନା ଭିତରକୁ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ଗୁଳିରେ ତାଙ୍କର ମୃତ୍ୟୁ ହେଲା । ଉଚ୍ଛବ ମଲ୍ଲିକ ଥିଲେ ଜଣେ ଦଳିତ ଜାତିର ବ୍ୟକ୍ତି । ପୋଲିସ ଗୁଳିରେ ଅଗଷ୍ଟ ବିପ୍ଳବରେ ତାଙ୍କର ସହିଦ ହେବା ଘଟଣା ଆନ୍ଦୋଳନର ବ୍ୟାପକତାକୁ ଦର୍ଶାଇଲା । ଗୁଳିଚାଳନାଯୋଗୁଁ ୧୬ ଜଣ କର୍ମୀ ଗୁରୁତର ଆହତ ମଧ୍ୟ ହୋଇଥିଲେ । ଏହି ଘଟଣା ପରେ ଉଚ୍ଛବ ମଲ୍ଲିକଙ୍କ ପୁଅ ଗଜେନ୍ଦ୍ର ମଲ୍ଲିକଙ୍କ ସହିତ ୪୧ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି ଜେଲକୁ ପଠାଗଲା । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଏକାଧିକ ଥିଲେ ଦଳିତ । ଏହାକୁ ନିମାପଡ଼ା ଆନ୍ଦୋଳନର ଏକ ବୈଶିଷ୍ଟ୍ୟ ଭାବରେ ଗ୍ରହଣ କରାଯାଇପାରେ । ୧୯୦୯ରେ 'ସତ୍ୟବାଦୀ'ର ଶୁଭାରମ୍ଭ ହୋଇ ପୁରୀରେ ଜାତୀୟତା ଆନ୍ଦୋଳନର ଯେମିତି ଭିତ୍ତି ପଡ଼ିଥିଲା । ସେତେବେଳେ ଆନ୍ଦୋଳନର ମୁଖ୍ୟ ଆଧାର ଥିଲେ ଉଚ୍ଚ ଜାତିର ବ୍ରାହ୍ମଣମାନେ । ୧୯୪୨ର ଅଗଷ୍ଟ ବିପ୍ଳବ ବେଳକୁ ଦଳିତମାନେ ଜିଲ୍ଲାରେ ଅଗ୍ରଣୀ ଭୂମିକା ନେଲେ ।

ସମ୍ବଲପୁର ଜିଲ୍ଳାରେ ଆନ୍ଦୋଳନ ବମ୍ବେ କଂଗ୍ରେସ ବୈଠକରେ ଯୋଗ ଦେଇ ସମ୍ବଲପୁର ଫେରିବା ବାଟରେ ଲକ୍ଷ୍ମୀନାରାୟଣ ମିଶ୍ର ଓ ପ୍ରହଲ୍ଲାଦ ରାୟ ଲାଠ ୯ ଅଗଷ୍ଟ ଦିନ ଗିରଫ ହେଲେ । ଜିଲ୍ଲାର ତିିନିଟି କଂଗ୍ରେସ ଅଫିସ୍‍ ଉପରେ ନିଷେଧାଜ୍ଞା ଜାରିହେଲା । ସମ୍ବଲପୁର ଜିଲ୍ଲାର ଅନ୍ୟ ଜଣେ ପ୍ରମୁଖ ନେତା ଭାଗୀରଥି ପଟ୍ଟନାୟକ, ତାଙ୍କ ପତ୍ନୀ ଜମ୍ବୁବତୀ ପଟ୍ଟନାୟକ ଓ ପୁତ୍ର ପ୍ରଫୁଲ୍ଲ ପଟ୍ଟନାୟକ ଅଗଷ୍ଟ ବିପ୍ଳବ ସମୟରେ ବିହାରରେ ଯାଇ କଂଗ୍ରେସ କାମ କରୁଥିଲେ । ଫଳରେ ସାଧାରଣ କଂଗ୍ରେସ କର୍ମୀମାନେ ହିଁ ଜିଲ୍ଲାରେ ଆନ୍ଦୋଳନକୁ ସକ୍ରିୟ କରିଥିଲେ । ଜିଲ୍ଲାରେ ଆନ୍ଦୋଳନର ଆରମ୍ଭ ହେଲା ୧୮ ଅଗଷ୍ଟ ଦିନ । ୧୭ ଅଗଷ୍ଟ ଦିନ ଜମ୍ବୁବତୀ ଦେବୀ ଏବଂ ପ୍ରେମାଦେବୀଙ୍କୁ ବିହାରର ଦୁମୁକାଠାରେ ଗିରଫ କରାଗଲା । ଏହାର ପ୍ରତିବାଦ କରି ୧୮ ଅଗଷ୍ଟ ଦିନ ଝାରସୁଗୁଡ଼ାରେ ଛାତ୍ରମାନେ ସହରରେ ହରତାଳ ପାଳନ କଲେ; ଶୋଭାଯାତ୍ରା କଲେ । ତା' ପରଦିନ ହରତାଳକୁ ସହଯୋଗ କରିବା ଅଭିଯୋଗରେ ନୃସିଂହ ଗୁରୁ, ତାଙ୍କ ଭାଇ ଦୁର୍ଗାପ୍ରସାଦ ଗୁରୁ, ଦୟାନିଧି ଶତପଥୀ, ଲକ୍ଷ୍ମୀନାରାୟଣ ଅଗ୍ରଓ୍ୱାଲ୍‍ ଓ ରାମରକ୍ଷା ଶୁକ୍ଳଙ୍କୁ ପୋଲିସ ଭାରତ ରକ୍ଷା ଆଇନ ବଳରେ ଗିରଫ କଲେ । ଏହାର ଦୁଇଦିନ ପରେ ୨୧ ଅଗଷ୍ଟ ଦିନ ସମ୍ବଲପୁର ଭୁଲିଆ ପଡ଼ାର ଯୁଧିଷ୍ଠିର ମେହେର, ପ୍ରେମାନନ୍ଦ ମେହେର, ଆନନ୍ଦ ମେହେର, ରାଧେଶ୍ୟାମ ମେହେର ଓ ପବିତ୍ର ଦାସ ଗିରଫ ହେଲେ । ତନ୍ତୀ ସଂପ୍ରଦାୟର ଏହି କଂଗ୍ରେସକର୍ମୀଗଣ ରେଭିନ୍ୟୁ ଅଫିସରଙ୍କୁ ସରକାରୀ ପଦବୀରୁ ଇସ୍ତଫା ଦେବାପାଇଁ ବାଧ୍ୟ କରିଥିଲେ । ଏହି ସମୟରେ ବରଗଡ଼ରେ ଫକୀର ବେହେରା, ରାଜେନ୍ଦ୍ର ପଣ୍ଡା ଓ ତୀର୍ଥବାସୀ ପୁରୋହିତଙ୍କୁ ଗିରଫ କରାଯାଇ ସମ୍ବଲପୁର ଜେଲରେ ରଖାଗଲା ।

ସମ୍ବଲପୁର ଆନ୍ଦୋଳନର ବିଶେଷତ୍ୱ ଥିଲା ନାରୀ ନେତୃତ୍ୱର ଉଦୟ । ଭାଗୀରଥି ପଟ୍ଟନାୟକଙ୍କ ପତ୍ନୀ ଜମ୍ବୁବତୀ ଦେବୀ ଆଇନ ଅମାନ୍ୟ ସମୟରୁ ସକ୍ରିୟ ରହି ଅଗଷ୍ଟ ବିପ୍ଳବ ବେଳେ ବିହାରରେ ଗିରଫ ହୋଇଥିଲେ । ତାଙ୍କଦ୍ୱାରା ଉଦ୍‍ବୁଦ୍ଧ ହୋଇ ବରଗଡ଼ ନିକଟସ୍ଥ ସମଲାଇପଦର ଗ୍ରାମର ପାର୍ବତୀ ଗିରି ଓ ତେଲିପଡ଼ାର ପ୍ରଭାବତୀ ଦେବୀ ବରଗଡ଼ରେ ମହିଳାମାନଙ୍କୁ ପଟୁଆରରେ ନେଇ ଶୋଭାଯାତ୍ରା କରିଥିଲେ । ସେମାନେ କେତେକ ମଦ ଦୋକାନକୁ ବନ୍ଦ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ପୋଲିସ ଉଭୟଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲେ ।

ବରଗଡ଼ ନିକଟସ୍ଥ ପାଣିମୋରା ଗ୍ରାମରେ ୩୨ଜଣ କର୍ମୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେମାନେ ସମସ୍ତେ ଥିଲେ ଚାଷୀ ଓ ମଜୁରିଆ ଶ୍ରେଣୀର । ସେମାନେ ଗିରଫ ହୋଇ କାରାଦଣ୍ଡ ଭୋଗିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଗଷ୍ଟ ବିପ୍ଳବର ବହୁ ପୂର୍ବରୁ ଭାଗୀରଥି ପଟ୍ଟନାୟକଙ୍କ ସହ ମିଶି କଂଗ୍ରେସର ଗଠନମୂଳକ କାର୍ଯ୍ୟରେ ସଂପୃକ୍ତ ଥିଲେ । ପାଣିମୋରାର କର୍ମୀମାନଙ୍କ ମଧ୍ୟରେ ଥିଲେ ଫୁଲଶର ପ୍ରଧାନ, ଦିବ୍ୟ କିଶୋର ସାହୁ, ଅଭିମନ୍ୟୁ ଭୋଇ, ଗୋକୁଳଚନ୍ଦ୍ର ନାୟକ, ଶ୍ରୀବତ୍ସ ନାୟକ, ମଦନ ମୋହନ ପ୍ରଧାନ, ଧନୁ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଧନଞ୍ଜୟ ପ୍ରଧାନ, ରାଘବଚନ୍ଦ୍ର ପରଡ଼ିଆ, ଚୈତନ୍ୟ ସରାଫ୍‍, ଶଙ୍କର ପ୍ରଧାନ, ଦୟାନିଧି ନାୟକ, ସୁଖଶରଣ ଭୋଇ, ଚନ୍ଦ୍ରଭାନୁ ପରଡ଼ିଆ, ଧନସିଂହ ପ୍ରଧାନ, ପ୍ରଭାକର ପ୍ରଧାନ, କହ୍ନେଇଲାଲ୍‍ ସାହୁ, ମଦନ ଭୋଇ, ରୁଷି ସରାଫ୍‍, ହରିହର ଭୋଇ, ଦାଶରଥି ନାୟକ ଓ କଏରା ସାହୁ । ସେମାନଙ୍କ ସଂପୃକ୍ତି ଅଗଷ୍ଟ ବିପ୍ଳବକୁ ବ୍ୟାପକ ପରିସରଭୁକ୍ତ କଲା । ସମ୍ବଲପୁର ଜିଲ୍ଲାରେ ମୋଟ ୧୫୫ ଜଣ କର୍ମୀ ଏଥିରେ ଜେଲଦଣ୍ଡ ଭୋଗି ଥିଲେ । ପୁଣି ଅନେକ କର୍ମୀ ଗିରଫ ନ ହୋଇ ଆନ୍ଦୋଳନ କାମରେ ସଂଶ୍ଳିଷ୍ଟ ଥିଲେ । ସମ୍ବଲପୁର ଜିଲ୍ଲା ଅଗଷ୍ଟ ବିପ୍ଳବର ବିଶେଷତ୍ୱ ହେଲା ଯେ, ସେଠାରେ କୌଣସି ବ୍ୟାପକ ହିଂସାକାଣ୍ଡ ବା ପୋଲିସ୍‍ ଗୁଳିଚାଳନା ପରିଦୃଷ୍ଟ ହୋଇ ନଥିଲା । କର୍ମୀମାନେ ସାଧାରଣତଃ ଶୋଭାଯାତ୍ରାରେ ଯାଇ କଂଗ୍ରେସ ଓ ଗାନ୍ଧୀଙ୍କ ନାମରେ ସ୍ଲୋଗାନ ଦେଉଥିଲେ ଏବଂ ସେହି ପ୍ରକ୍ରିୟାରେ ପୋଲିସ ସେମାନଙ୍କୁ ଗିରଫ କରୁଥିଲା । ଅଧିକାଂଶ ଗିରଫ କର୍ମୀ ପୂର୍ବରୁ ସ୍ୱାଧୀନତା ଆନ୍ଦୋଳନ ଓ ତା'ର ଗଠନମୂଳକ କାର୍ଯ୍ୟ ସହ ପରିଚିତ ଥିଲେ । ସେହି ଶୃଙ୍ଖଳା ଅଗଷ୍ଟ ବିପ୍ଳବରେ ଅଂଶଗ୍ରହଣ କଲା ସମୟରେ ମଧ୍ୟ ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ଉଦାହରଣ ସ୍ୱରୂପ, ନୃସିଂହ ଗୁରୁ ଅସହଯୋଗ ସମୟରୁ ଏବଂ ଦୟାନନ୍ଦ ଶତପଥୀ ବାମଣ୍ଡା ପ୍ରଜା ଆନ୍ଦୋଳନ (୧୯୨୮) ସମୟରୁ କଂଗ୍ରେସର କାର୍ଯ୍ୟ ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ ।

ଗଞ୍ଜାମରେ ଆନ୍ଦୋଳନ ୯ ଅଗଷ୍ଟ ୧୯୪୨ ଦିନ ଓଡ଼ିଶାର ଅନ୍ୟ ପ୍ରମୁଖ ନେତାମାନଙ୍କ ମଧ୍ୟରେ ଗଞ୍ଜାମର ଉମାଚରଣ ପଟ୍ଟନାୟକ ଗିରଫ ହୋଇଥିଲେ ଏବଂ ଗଞ୍ଜାମ ଜିଲ୍ଲା କଂଗ୍ରେସ ଅଫିସ୍‍ ସମେତ ଗୁରୁଣ୍ଡି ସେବାଶ୍ରମ ଓ କୁଲାଡ଼ୋ ଆଶ୍ରମକୁ ପୋଲିସ ବାଜ୍ୟାପ୍ତ କରି ଦେଇଥିଲେ । ଆନ୍ଦୋଳନ ଆରମ୍ଭ ହୋଇଥିବା କଥା ପ୍ରଚାର ହେବା ପରେ, ୧୦ ଅଗଷ୍ଟ ଦିନ ବିପି ବିହାରୀ ରଥ ନାମକ ଜଣେ କିଶୋର ଯୁବକଙ୍କ ନେତୃତ୍ୱରେ ପ୍ରାୟ ୧୦୦ ଜଣ ସ୍କୁଲ୍‍ ଛାତ୍ର ବ୍ରହ୍ମପୁର ମୁଖ୍ୟ ପୋଷ୍ଟ ଅଫିସ୍‍ ଆଗରେ ପିକେଟିଂ କଲେ । ପରଦିନ ଆସ୍କା ହାଇସ୍କୁଲ୍‍ରେ ଏବଂ ୧୪ ତାରିଖ ଦିନ ପାରଳାଖେମୁଣ୍ଡି କଲେଜର ଛାତ୍ର କଂଗ୍ରେସ ନେତୃବୃନ୍ଦଙ୍କ ଗିରଫ ପ୍ରତିବାଦରେ ହରତାଳ ହେଲା । ଅଗଷ୍ଟ ୧୫ ତାରିଖରେ ଗୁରୁଣ୍ଡିଠାରେ ଏକ ଜନସଭା ଆୟୋଜିତ ହେଲା । ଏଥିରେ ଜିଲ୍ଲା କୃଷକ ସଭାର ସଭାପତି ନାରାୟଣ ପାତ୍ର ବକ୍ତୃତା ଦେବା ପରେ ପୋଲିସଦ୍ୱାରା ଗିରଫ ହେଲେ । ପାରଳାଖେମୁଣ୍ଡିରେ ଏକ ସରକାରୀ ଡାକବଙ୍ଗଳାକୁ ଆଦିବାସୀମାନେ ଭାଙ୍ଗି ପକାଇଲେ । ଛତ୍ରପଡ଼ା, କେରୁଣା, କଣ୍ଟାପାରି ଆଦି ସ୍ଥାନରେ ମଧ୍ୟ ସେହି ଦିନ ହରତାଳ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ଦିନରେ ବିଭିନ୍ନ ସ୍ଥାନରେ ଗୋଟାଏ କାର୍ଯ୍ୟକ୍ରମ ସଂଘଟିତ ହେଉଥିବାରୁ ସିଦ୍ଧ ହୁଏ ଯେ, କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଆପୋସ ବୁଝାମଣା ରହିଥିଲା ଏବଂ ମିଳିତ ଭାବରେ ସେମାନେ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରୁଥିଲେ । ଅଗଷ୍ଟ ୧୮ ତାରିଖ ଦିନ ରସୁଲକୋଣ୍ଡାରେ ପ୍ରତିବାଦ ସଭା ଓ ହରତାଳ ଆୟୋଜିତ ହୋଇଥିଲା ।

ଗଞ୍ଜାମ ଜିଲ୍ଲାରେ ମୋଟ ୧୦୧ ଜଣ କଂଗ୍ରେସ କର୍ମୀ ଗିରଫ ହୋଇଥିଲେ । ତନ୍ମଧ୍ୟରେ ଥିଲେ କୁଲାଡ଼ା ଆଶ୍ରମର କର୍ମୀ ହରିହର ପତି, ଆପ୍ପା ରାଓ, ମହାଦେବ ପଣ୍ଡା, ଖଲି ସାହୁ, ଗୋପୀନାଥ ସାହୁ ଏବଂ ଫୁଲ ଦେଇ । ଜିଲ୍ଲାର ଅନ୍ୟ ପ୍ରମୁଖ ଗିରଫ କର୍ମୀଙ୍କ ମଧ୍ୟରେ ଥିଲେ ଶୀହର୍ଷ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଦୀନବନ୍ଧୁ ବେହେରା, ଅପନ୍ନା ପାତ୍ର, ବିଶ୍ୱନାଥ ଦାସ, ବନମାଳୀ ମହାରଣା ଏବଂ ମାଗୁଣି ଦାସ । ପୁରୁଷୋତ୍ତମପୁର ହାଇସ୍କୁଲ୍‍ର ଛାତ୍ର ରାମମୋହନ ଜେନା ଗୁଣ୍ଡାରି ଥାନାକୁ ପୋଡ଼ି ଦେବାକୁ ଉଦ୍ୟମ କରିବା ଅପରାଧରେ ଗିରଫ ହୋଇଥିଲେ । ଜିଲ୍ଲାର ଜଗନ୍ନାଥପ୍ରସାଦରେ ଲୋକ ଜଙ୍ଗଲ ଆଇନକୁ ଅମାନ୍ୟ କରିବା ଉଦ୍ଦେଶ୍ୟରେ ପଞ୍ଚବଟୀ ଜଙ୍ଗଲର ଗଛ କାଟି ନେଇଗଲେ । ଋଷିକୂଲ୍ୟା ନଦୀ ଉପରେ ଥିବା ଏକ ପୋଲକୁ ଡିାମାଇଟ୍‍ ଲଗାଇ ଧ୍ୱଂସ କରିବାକୁ ମାଗୁଣି ଦାସ, ଡକ୍ଟର ରାମମୂର୍ତ୍ତିି ଓ ନିରଞ୍ଜନ ପଟ୍ଟନାୟକ ଆଦି ଯୋଜନା କରିଥିଲେ । ଏଥିପାଇଁ ଡିନାମାଇଟ୍‍ ମଧ୍ୟ ସଂଗ୍ରହ କରାଯାଇଥିଲା । ମାତ୍ର ନେତାମାନେ ଗିରଫ ହେବାରୁ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ମୋଟ ଉପରେ ଦେଖିଲେ, ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ବିପ୍ଳବ ଖୁବ୍‍ ବେଶି ଧ୍ୱଂସାତ୍ମକ ହୋଇ ନଥିଲା । ହିଂସାତ୍ମକ ପଦକ୍ଷେପ ଗୃହୀତ ହେବା ପୂର୍ବରୁ ଅନେକ ସ୍ଥଳରେ ନେତାମାନଙ୍କୁ ଗିରଫ କରାଯାଇଥିଲା । ଦ୍ୱିତୀୟତଃ କାଁ ଭାଁ କେତୋଟି ଘଟଣାକୁ ବାଦ ଦେଲେ ସେଠାରେ ଆନ୍ଦୋଳନ କର୍ମୀମାନଙ୍କ ମଧ୍ୟରେ ସୀମିତ ଥିଲା । ବ୍ୟାପକ ସ୍ତରରେ ସାଧାରଣ ଜନତା ଆନ୍ଦୋଳନରେ ଭାଗ ନେଇ ନଥିଲେ, ଯଦିଓ ସେମାନଙ୍କର ଆନ୍ଦୋଳନ ପ୍ରତି ମୌନ ସମର୍ଥନ ରହିଥିଲା ।

ଗଡ଼ଜାତରେ ଆନ୍ଦୋଳନ ଅସହଯୋଗ ଓ ଆଇନ ଅମାନ୍ୟ ସମୟରେ ସାମାନ୍ୟ କେତୋଟି ଗଡ଼ଜାତରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ମାତ୍ର ହୋଇଥିଲା । ମାତ୍ର ୧୯୪୨ ବେଳକୁ ଗଡ଼ଜାତଗୁଡ଼ିକ ମୋଗଲବନ୍ଦି ଅପେକ୍ଷା ରାଜନୀତିକରଣରେ ଆଗୁଆ ରହିଲେ । ଶିକ୍ଷାଦୀକ୍ଷାରେ ପଛରେ ରହିବା ସତ୍ତ୍ୱେ ଗଡ଼ଜାତର ଏହି ପ୍ରତ୍ୟକ୍ଷ ରାଜନୀତିକରଣ ତାକୁ ମୋଗଲବନ୍ଦିର ସମତୁଲ କରିଦେଲା । ସେହି ଦୃଷ୍ଟିରୁ ଦେଖିଲେ, ଅଗଷ୍ଟ ବିପ୍ଳବ ଉଭୟ ଓଡ଼ିଶାର ସମନ୍ୱୟ ଦିଗରେ ଏକ ପ୍ରମୁଖ ଅନୁପୂରକ ପ୍ରମାଣିତ ହେଲା । ୧୯୩୮- ୩୯ରେ ଗଡ଼ଜାତମାନଙ୍କରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ହୋଇଥିବା କଥା ପୂର୍ବରୁ ଆଲୋଚିତ ହୋଇଛି । ୧୯୪୨ ଅଗଷ୍ଟ ଆନ୍ଦୋଳନରେ ମଧ୍ୟ ଏହି ପ୍ରଜାମାନେ ଅନୁରୂପ ଭାବରେ ଭାଗ ନେଲେ । ଫଳରେ ପ୍ରଜାମଣ୍ଡଳ ଓ ଅଗଷ୍ଟ ଆନ୍ଦୋଳନ ସେଠାରେ ସମ ରୂପ ହେଲା । ଗଡ଼ଜାତ ରାଜାମାନେ ଇଂରେଜଙ୍କ ସମର୍ଥନ ଓ କଂଗ୍ରେସର ବିରୋଧ କରୁଥିବାଯୋଗୁଁ ପ୍ରଜାମାନେ ପ୍ରତ୍ୟକ୍ଷ ରୂପରେ ରାଜାବିରୋଧୀ ହେଲେ ।

ତାଳଚେରରେ ଆନ୍ଦୋଳନ ଗଡ଼ଜାତଗୁଡ଼ିକ ମଧ୍ୟରେ ତାଳଚେରର ଅଗଷ୍ଟ ଆନ୍ଦୋଳନ ସର୍ବାଗ୍ରେ ରହିଥିଲା । ସେଠାରେ ପ୍ରଜାମଣ୍ଡଳର ଭିତ୍ତି ଉପରେ ଆନ୍ଦୋଳନ ତୀବ୍ର ରୂପ ନେଲା । ପବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ୱରେ ପ୍ରଜା ତାଳଚେରରେ ସ୍ୱାଧୀନ ସମାନ୍ତରାଳ ସରକାର ଗଠନ କଲେ ଏବଂ ତାକୁ ଦମନ କରିବାପାଇଁ ସରକାର ପକ୍ଷରୁ ହେଲିକେପ୍ଟରରେ ବୋମା ବର୍ଷଣ ମଧ୍ୟ କରାଗଲା । ସମଗ୍ର ଦେଶରେ ତାଳଚେରର ଆନ୍ଦୋଳନ ଅଭୂତପୂର୍ବ ବୋଲି ପ୍ରସିଦ୍ଧି ପାଇଲା । ନଭେମ୍ବର ୧୯୪୦ରେ ତାଳଚେରରେ ପବିତ୍ର ମୋହନ ପ୍ରଧାନ ଓ ତାଙ୍କ ସହଯୋଗୀମାନେ ପ୍ରଜାମଣ୍ଡଳ ଆନ୍ଦୋଳନଯୋଗୁଁ ଗିରଫ ହୋଇ ଜେଲରେ ଥିଲେ ମଧ୍ୟ ଅଗଷ୍ଟ ବିପ୍ଳବର ସୂଚନା ସେମାନଙ୍କୁ ମିଳିଥାଏ । ୧୯୪୨ ଅଗଷ୍ଟ ୩୧ ତାରିଖରେ ଜେଲ ଡେଇଁ ପବିତ୍ରବାବୁ ପଳାଇଯିବା ସହିତ ଗୋପନରେ ଆନ୍ଦୋଳନକୁ ନେତୃତ୍ୱ ଦେଲେ ।

ପବିତ୍ରବାବୁଙ୍କୁ ଧରାଇ ଦେବାପାଇଁ ରାଜାଙ୍କ ପକ୍ଷରୁ ୫୦୦୦ଟଙ୍କା, ୫୦୦ ଏକର ଜମି, ପାଞ୍ଚଟି ଗ୍ରାମର ସରବରାକାରୀ ଅଧିକାର (ରାଜସ୍ୱ ଅସୁଲିର ଅଧିକାର) ଏବଂ ପଦପଦବୀ ଘୋଷଣା କରାଗଲା । ଅନ୍ୟପକ୍ଷରେ, ପ୍ରଜାମାନେ ଧରିନେଲେ ଯେ ପବିତ୍ରବାବୁଙ୍କୁ ରାଜା ହତ୍ୟା କରିଛନ୍ତି । ଫଳରେ ଆନ୍ଦୋଳନ ଅଧିକ ତୀବ୍ର ଆକାର ଧାରଣ କଲା । ସେପ୍ଟେମ୍ବର ୩ ତାରିଖରେ କୁମୁଣ୍ଡା ଗ୍ରାମରେ ତାଳଚେର ପ୍ରଜାମଣ୍ଡଳର କର୍ମକର୍ତ୍ତାମାନଙ୍କର ବୈଠକ ବସି ରାଜ୍ୟରେ ଭାରତଛାଡ଼ ଆନ୍ଦୋଳନର ଉଦ୍ଦେଶ୍ୟ ଅନୁସାରେ ସମାନ୍ତରାଳ ସରକାର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଗଲା । ପବିତ୍ରବାବୁଙ୍କ ହତ୍ୟା ଗୁଜବ ଜନବିକ୍ଷୋଭକୁ ପ୍ରଜ୍ଜ୍ୱଳିତ କରିଦେଲା । ଲୋକେ ସରକାରଙ୍କୁ ଅବଜ୍ଞା କଲେ । 'ରାଜବଂଶ ଧ୍ୱଂସ କର', 'ଗଡ଼ଜାତ ସରକାରକୁ ଧ୍ୱଂସ କର', 'ଗାନ୍ଧିଜୀଙ୍କ ହୁକୁମ ଅନୁସାରେ ପଞ୍ଚାୟତ ସରକାର ଗଢ଼' ଏବଂ 'ଇଂରେଜକୁ ମାରି ତଡ଼' ବୋଲି ସ୍ଳୋଗାନ ଦେଲେ । ଜନବିକ୍ଷୋଭକୁ ନିୟନ୍ତ୍ରିତ କରିବାପାଇଁ ରାଜ୍ୟରେ ଅଫିସ୍‍, ଅଦାଲତ ଓ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଗଲା । ସେପ୍ଟେମ୍ବର ୩ ତାରିଖରୁ ବ୍ରିଟିଶ୍‍ ସରକାରଙ୍କ ପ୍ରତ୍ୟକ୍ଷ ସହାୟତାରେ ତାଳଚେରରେ ବୋମା, ହେଲିକେପ୍ଟର, ମେସିଗନ ଓ ସେନାବାହିୀ ଆଦି ପଇଁତରା ମାରିଲା । ପ୍ରଜାଙ୍କୁ ଦମନ କରିବାପାଇଁ ଧୂଆଁବାଣ ଓ ଲୁହବୁହା ବୋମାର ପ୍ରୟୋଗ ହେଲା ।

ସେପ୍ଟେମ୍ବର ୭ ତାରିଖରୁ ତାଳଚେରରେ 'ପ୍ରଜାସଭା'ର ନିୟନ୍ତ୍ରଣରେ ସ୍ୱାଧୀନ ସରକାର ଗଠିତ ହେଲା । ଆନ୍ଦୋଳନକାରୀଙ୍କ ଏକ ହିସାବ ଅନୁଯାୟୀ ତାଳଚେରରେ ସେଦିନ ୪୦ ହଜାର ପ୍ରଜା ଏକତ୍ରିତ ହୋଇ ସଭା କଲେ ଏବଂ ରାଜା ଓ ବ୍ରିଟିଶ ବିରୋଧୀ ସ୍ଳୋଗାନ ଦେଲେ । ଉତ୍ତ୍ୟକ୍ତ ଜନତା ସରକାରୀ ଡାକବଙ୍ଗଳା ଓ ଘରଗୁଡ଼ିକୁ ପୋଡ଼ିଦେଲେ । ପୋଲିସ ଥାନା ଓ ଜଙ୍ଗଲ ବିଭାଗର ଅଫିସ୍‍ ମଧ୍ୟ ଆକ୍ରମଣରୁ ରକ୍ଷା ପାଇଲା ନାହିଁ । ଟେଲିଫୋନ୍‍ ତାରକୁ କାଟି ପକାଇଲେ । ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାର ପୋଲଗୁଡ଼ିକୁ ନଷ୍ଟ କଲେ ଏବଂ ତାଳଚେର-ପୁରୀ ରେଳ ଲାଇନ୍‍କୁ ସ୍ଥାନେ ସ୍ଥାନେ ଉପାଡ଼ି ଦେଲେ । ରାଜ୍ୟରେ ସେହିଦିନଠାରୁ ଚାଷୀ ମୂଲିଆ ପଞ୍ଚାୟତ ସରକାରର ପ୍ରତିଷ୍ଠା ହେଲା । ରାଜ୍ୟର ଗ୍ରାମେ ଗ୍ରାମେ ଏହି ସରକାର କାର୍ଯ୍ୟକାରୀ ହୋଇଥିବାରୁ ରାଜାଙ୍କ ସରକାର ସଂପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିଲା । ଏଥିରେ ପବିତ୍ର ବାବୁଙ୍କ ବ୍ୟତୀତ ମାଗୁଣି ଚରଣ ପ୍ରଧାନ, ବନମାଳୀ ପ୍ରଧାନ, କାଳିନ୍ଦୀ ଚରଣ ପ୍ରଧାନ, ଦାଶରଥି ପାଣି, ଝୁଲୁଦାସ, କୃତ୍ତିବାସ ରଥ, ପବିତ୍ର ବେହେରା ଓ ଗୋବର୍ଦ୍ଧନ ସାହୁ ଆଦି ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଅନ୍ୟ ପକ୍ଷରେ ଆନ୍ଦୋଳନକୁ ଦମନ କରିବାପାଇଁ ସରକାରଙ୍କ ପକ୍ଷରୁ ତାଳଚେର ସହରରେ ହେଲିକେପ୍ଟର ଉପରୁ ମେସି୍‍ଗନ୍‍ରୁ ଗୁଳି ବର୍ଷଣ କରାଗଲା । ମାର୍ଚ୍ଚ ୧୯୪୩ ପର୍ଯ୍ୟନ୍ତ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଲା । ପବିତ୍ର ବାବୁ ପୋଲିସ୍‍ ହାତରେ ଧରା ନ ପଡ଼ିବେ ବୋଲି ତାଳଚେରରୁ ପ୍ରଥମେ ବିହାର, ବଂଗ ଓ ଆସାମ ଚାଲିଗଲେ । ସେ ସୁଭାଷ ଚନ୍ଦ୍ର ବୋଷଙ୍କ ଫରଓ୍ୱାର୍ଡ଼ ବ୍ଲକ୍‍ ଦଳ ସହ ମଧ୍ୟ ଯୋଗସୂତ୍ର ରକ୍ଷା କରି ସେମାନଙ୍କ ସହାୟତାରେ ଯୁଦ୍ଧ କରିବାକୁ ଉଦ୍ୟମ କରିଥିଲେ ।

ଢେଙ୍କାନାଳରେ ଆନ୍ଦୋଳନ
୧୯୩୮-୩୯ର ଢେଙ୍କାନାଳରେ ପ୍ରଜାମଣ୍ଡଳ ଆନ୍ଦୋଳନ ପରେ, ୧୯୪୨ର ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଏହାର ପରିବର୍ଦ୍ଧିତ ରୂପ ଦେଖାଗଲା, ଯାହା ଅଗଷ୍ଟ ବିପ୍ଳବ ନାମରେ ପରିଚିତ । ଅଗଷ୍ଟ ୧୬ ତାରିଖରେ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରଜାମଣ୍ଡଳର ନେତାମାନେ କୃତ୍ତିିବାସ ପ୍ରଧାନଙ୍କ ସଭାପତିତ୍ୱରେ ଖଣ୍ଡବନ୍ଧଠାରେ ବୈଠକ କଲେ । ଏହାର ସୂଚନା ପାଇ ପୋଲିସ ଆନ୍ଦୋଳନର ନେତା ମହେଶ୍ୱର ସୁବାହୁ ସିଂହ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବ୍ରଜକିଶୋର ଧଳ, ଶ୍ରୀକାନ୍ତ ରାଉତ ଓ ନରୋତ୍ତମ ଦାସ ଆଦିଙ୍କୁ ୧୮ରୁ ୨୩ ଅଗଷ୍ଟ ମଧ୍ୟରେ ଗିରଫ କଲା । ପ୍ରଜାମଣ୍ଡଳର ପ୍ରମୁଖ ନେତା ବୈଷ୍ଣବ ଚରଣ ପଟ୍ଟନାୟକ ପୂର୍ବରୁ ଜେଲ୍‍ରେ ଥାଇ ଏପ୍ରିଲ୍‍ ୧୯୪୨ରେ ଖଲାସ ହୋଇଥିଲେ । ସେ ଆନ୍ଦୋଳନର ନେତୃତ୍ୱ ନେଲେ । ତାଙ୍କ ଘର ତଲାସୀ ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇ ପାରିଲା ନାହିଁ । ବୈଷ୍ଣବଙ୍କ ନେତୃତ୍ୱରେ ଏକ ୧୯ ଜଣିଆ ଗରିଲା ବାହିନୀ ଗଠିତ ହେଲା ଏବଂ ଆନ୍ଦୋଳନପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଲା । ଗରିଲା ବାହିନୀର ଅନ୍ୟ ସଦସ୍ୟ ଥିଲେ ମୂଷା ମଲ୍ଲିକ, ବାଇଧର ସ୍ୱାଇଁ, ଆନନ୍ଦ ଚନ୍ଦ୍ର ସ୍ୱାଇଁ, କୁଳମଣି ପ୍ରଧାନ ଓ ପଦ୍ମନାଭ ସାହୁ ଆଦି । ଅଗଷ୍ଟ ୨୬ ତାରିଖ ଦିନ ପୂର୍ବ ନିଷ୍ପତ୍ତି ମତେ ରାଜ୍ୟର ମଢି (କାମାକ୍ଷାନଗର) ସ୍ଥିତ ଥାନା ସେମାନେ ଆକ୍ରମଣ କଲେ । ଥାନାର କାଗଜପତ୍ର ପୋଡ଼ିଦେବା ସହିତ ୪ଟି ବନ୍ଧୁକ, ୬୦ ରାଉଣ୍ଡ ଗୁଳି ଏବଂ ପ୍ରାୟ ୨୦୦୦୦ ଟଙ୍କା ସେମାନେ ଲୁଟ୍‍ କରିନେଲେ । ଏହା ପରେ ସେମାନେ ତହସିଲ, ଫରେଷ୍ଟ ଅଫିସ୍‍ ଓ ଥାନାବାବୁଙ୍କ ବସାଗୃହକୁ ପୋଡ଼ିଦେଲେ । ଦେଶୀ ବନ୍ଧୁକ, ଧନୁ, ତୀର, ବର୍ଚ୍ଛା ଓ ଲାଠି ଆଦି ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସେମାନେ ଏହି ଆକ୍ରମଣ କରିଥିଲେ । ଗରିଲା ବାହିନୀର ଏହି କାଣ୍ଡ ଦେଖି ହଜାର ହଜାର ଲୋକ ରୁଣ୍ଡ ହେଲେ ଓ ସମସ୍ତେ ମିଶି ରାଜାଙ୍କ କୋଠଘରକୁ ଲୁଟିନେଲେ । ତା'ପରଠାରୁ ମଢ଼ିଠାରେ ସ୍ୱାଧୀନ ସମାନ୍ତରାଳ ସରକାର ଗଠିତ ହେଲା ।

ସେପ୍ଟେମ୍ବର ୪ ତାରିଖରେ ଗରିଲା ବାହିନୀ ଚାନ୍ଦପୁର ଥାନା ଓ ତହସିଲ ଅଫିସ୍‍ରେ ନିଆଁ ଲଗାଇଦେଲେ । ଏହା ପରେ ସେମାନେ ପର୍ଜଙ୍ଗ ଥାନା ଆକ୍ରମଣପାଇଁ ଯାଉଥିବା ବେଳେ ପୋଲିସ ସହିତ ସେମାନଙ୍କର ଖଣ୍ଡଯୁଦ୍ଧ ହେଲା । ତେଣିକି ପୋଲିସ ଗୁଳିରେ ବାହିନୀର ପ୍ରମୁଖ ନେତା ବୈଷ୍ଣବ ଚରଣ ପଟ୍ଟନାୟକ ଆହତ ହେଲେ ଏବଂ ବୀର ସାହୁ ଓ ବେଣୁ ସାହୁ ନାମକ ଦୁଇଜଣ କର୍ମୀଙ୍କର ମୃତ୍ୟୁ ହେଲା । ଗରିଲା ବାହିନୀର ଅନ୍ୟ ନେତାମାନଙ୍କୁ ପୋଲିସ୍‍ ଗିରଫ କଲା । ଅଦାଲତରେ ବିଚାର ହୋଇ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ବୈଷ୍ଣବ ଧରାପଡ଼ିଲେ ନାହିଁ । ତାଙ୍କୁ ମୃତ ବା ଜୀବିତ ଅବସ୍ଥାରେ ଧରାଇଦେବାପାଇଁ ସରକାରଙ୍କ ପକ୍ଷରୁ ୨୦୦୦ଟଙ୍କାର ପୁରସ୍କାର ରାଶି ଘୋଷଣା କରାଗଲା । ଢେଙ୍କାନାଳରେ ଅଗଷ୍ଟ ବିପ୍ଳବରେ ଭାଗନେବା ଅପରାଧରେ ମୋଟ ୩୦୦ଜଣଙ୍କୁ ଗିରଫ କରାଗଲା ଏବଂ ଲୋକଙ୍କ ପାଖରୁ ପ୍ରାୟ ୮୦,୦୦୦ଟଙ୍କା ପିଟୁଣି ଟିକସ ଆଦାୟ କରାଗଲା । ଅନେକ ଗ୍ରାମବାସୀଙ୍କ ଘର ପୋଲିସ ତଲାସୀ କଲା ଏବଂ ସେମାନଙ୍କ ଆସବାବପତ୍ରକୁ ବାଜ୍ୟାପ୍ତ କଲା । ଢେଙ୍କାନାଳ ପୋଲିସର ଦମନ ଲୀଳା ସମଗ୍ର ଓଡ଼ିଶାରେ ଆତଙ୍କର ବାତାବରଣ ସୃଷ୍ଟି କଲା ।

ତାଳଚେର ପରି ଢେଙ୍କାନାଳରେ ମଧ୍ୟ ଆନ୍ଦୋଳନକାରୀ ଅନେକ ହିଂସାକାଣ୍ଡ ଭିଆଇଥିଲେ । ମାତ୍ର ସବୁଗୁଡ଼ିକୁ ଗରିଲା ବାହିନୀ କାର୍ଯ୍ୟକାରୀ କରିଥିଲେ । ତାଳଚେରରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଢେଙ୍କାନାଳରେ ଗରିଲା ବାହିନୀ ଅଧିକ ଶୃଙ୍ଖଳିତ ଢଙ୍ଗରେ ଓ ବିଶେଷକରି ଅତର୍କିତ ଭାବରେ ସରକାରୀ କଳ ଉପରେ ଆକ୍ରମଣ କରୁଥିଲେ । ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱଯୋଗୁଁ ଏସବୁ ସଂଭବପର ହୋଇ ପାରିଥିଲା । ଲୌକିକ ସ୍ତରରେ ତାଙ୍କୁ ବୀର' ବୋଲି କୁହାଯାଉଥିଲା ।

ନୟାଗଡ଼ରେ ଆନ୍ଦୋଳନ ଅଗଷ୍ଟ ମାସ ୯ ତାରିଖରେ ନୟାଗଡରେ ରାଜାଙ୍କ କଚେରି, କାର୍ଯ୍ୟାଳୟ ଓ ଥାନାକୁ କବ୍‍ଜା କରିବାନିମିତ୍ତ ପ୍ରଜାମଣ୍ଡଳ ପକ୍ଷରୁ ପ୍ରସ୍ତୁତି ଚାଲିଲା । ଏହାର ସୂଚନାପାଇ ବାଞ୍ଛାନିଧି ସେନାପତି, ଲକ୍ଷ୍ମଣ ମହାରଣା, ନାରାୟଣ ନନ୍ଦ, ଉଦୟନାଥ ପୃଷ୍ଟି, କୁବେର ସାହୁ ଆଦି ଅନେକ ପ୍ରଜାମଣ୍ଡଳ ନେତାଙ୍କୁ ପୋଲିସ ଗିରଫ କଲା । ଗୋଡ଼ିପଡ଼ା ଥାନା ଅନ୍ତର୍ଗତ ମହୁଲିଆରେ ପ୍ରଜାମଣ୍ଡଳର ସଭା ଭଣ୍ଡୁର କରିବାନିମିତ୍ତ ପୋଲିସ ଲାଠି ଚାର୍ଜ କଲା । ଫଳରେ ଲଡ଼ୁକେଶ୍ୱର ମିଶ୍ର, ଭୁବନେଶ୍ୱର ଭୂୟାଁ ଓ ଗୌରାଙ୍ଗ ମହଲା ଆହତ ହେଲେ । ଉଦୟନାଥ ପୃଷ୍ଟି, ବିନାୟକ ମିଶ୍ର ଓ ଭରତ ସାହୁ ଆଦି ୧୩ ଜଣ କର୍ମୀଙ୍କୁ ପୋଲିସ ଗିରଫ କରିନେଲା । ଏହା ପରେ ଓଡ଼ଗାଁ ଓ ଲାଠିପଦାରେ ମଧ୍ୟ ସଭା ଓ ଶୋଭାଯାତ୍ରା ଆୟୋଜିତ ହେଲା ଏବଂ ତାକୁ ଭଣ୍ଡୁର କରିବାନିମିତ୍ତ ପୋଲିସ ଲାଠି ଚାଳନା କଲା । ଭାଗବତ ଜାନି, କୁଶିଆ ପ୍ରଧାନ, ସୁଲି ପ୍ରଧାନ ଓ ଲକ୍ଷ୍ମୀଧର ପ୍ରଧାନ ଆଦି କେତେକ ଆଦିବାସୀ ନେତାଙ୍କୁ ମଧ୍ୟ ଗିରଫ କରି ନୟାଗଡ଼ ଜେଲରେ ରଖାଗଲା । । ପୋଲିସର ପ୍ରବଳ ଦମନ ସତ୍ତ୍ୱେ ୧୭ ଅଗଷ୍ଟ ୧୯୪୨ ଦିନ ନୟାଗଡ଼ ଓ ଓଡ଼ଗାଁରେ ହରତାଳ ପାଳିତ ହେଲା । ଓଡ଼ଗାଁର ମହାଜନ ଭଗବାନ ଚୌଧୁରୀଙ୍କ ଖମାରକୁ ଆନ୍ଦୋଳନକାରୀ ଲୁଟି ନେଲେ । ଏହା ପରେ ସେଠାରେ ପୋଲିସର ଅକଥନୀୟ ଦମନ ଲୀଳା ଆରମ୍ଭ ହେଲା । ରାଜା ବିରୋଧୀମାନଙ୍କ ଘର ଉପରେ ବାହାରୁ ଆସିଥିବା ଶିଖ ପୋଲିସ୍‍ ବାହିନୀ ଆକ୍ରମଣ କଲେ । ଦୋକାନଗୁଡ଼ିକୁ ଲୁଟିନେଲେ । ଏପରିକି ସେମାନଙ୍କ ଅତ୍ୟାଚାରରୁ ମହିଳାମାନେ ମଧ୍ୟ ତ୍ରାହି ପାଇଲେ ନାହିଁ । ଏହା ଫଳରେ ଆନ୍ଦୋଳନର ଦମନ ହେଲା ବୋଲି ବାହାରକୁ ଜଣାପଡ଼ୁଥିଲେ ସୁଦ୍ଧା ଗୋପନ ଭାବେ ତା'ପାଇଁ ପ୍ରସ୍ତୁତି ଚାଲିଥିଲା । ଅକ୍ଟୋବର ୮ ତାରିଖରେ ବାହାଡ଼ାଝୋଲା ଜଙ୍ଗଲରେ ପ୍ରଜାମଣ୍ଡଳର ବୈଠକ ବସି ରାଜାଙ୍କୁ ଗାଦିଚ୍ୟୁତ କରିବାକୁ ତଥା ସରକାରୀ ଅଫିସ୍‍ଗୁଡ଼ିକୁ କବ୍‍ଜା କରିବାକୁ ଗୁପ୍ତ ନିଷ୍ପତ୍ତି ନିଆଗଲା । ବୈଠକରେ ଆନନ୍ଦ ଚନ୍ଦ୍ର ସ୍ୱାଇଁ, ସଦାଶିବ ଷଡ଼ଙ୍ଗୀ, କଣ୍ଡୁରୀ ପରିଡ଼ା, ଲକ୍ଷ୍ମଣ ସାହୁ ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନେ ଚାରୋଟି ଦଳରେ ବିଭକ୍ତ ହୋଇ ଏକା ସାଙ୍ଗରେ ଗୋଡ଼ିପଡ଼ା, ଓଡ଼ଗାଁ, ବାହାଡ଼ାଝୋଲା ଓ ବରକୋଳା ଉପରେ ଆକ୍ରମଣ କରିବାକୁ ଯୋଜନା କଲେ । ୯ ଅକ୍ଟୋବର ଦିନ ସେମାନେ ବରକୋଳା ଡାକବଙ୍ଗଳାରେ ଡିମ୍ବିରିପଲ୍ଲୀ ଫରେଷ୍ଟ ଅଫିସ ଆକ୍ରମଣ କଲେ । ଅକ୍ଟୋବର ୧୦ ତାରିଖ ଦିନ ଆଦିବାସୀ କଂଧମାନେ ମିଶି ନୂଆଗାଁ ଥାନା ଉପରେ ଆକ୍ରମଣ କଲେ । ପୋଲିସ ପକ୍ଷରୁ ଗୁଳିଚାଳନା ହେଲା । ତହିଁରେ କାସ୍ତି ଡାକୁଆ ନାମକ ଜଣେ କନ୍ଧ ଯୁବକର ମୃତ୍ୟୁ ହେଲା । ପ୍ରାୟ ୫୦ ଜଣ ଲୋକ ଗୁରୁତର ଆହତ ହେଲେ । ଏହି ସମୟରେ ୨୦୦୦ ଲୋକ ନୟାଗଡ଼ ସହରକୁ କବ୍‍ଜା କରିବାକୁ ଏକତ୍ରିତ ହୋଇ ଗୋଟାଏ ଡାକବଙ୍ଗଳା ଏବଂ ହରେକୃଷ୍ଣପୁରର ସ୍କୁଲ୍‍ ଗୃହକୁ ଭାଂଗି ପକାଇଲେ ।

ଆନ୍ଦୋଳନକୁ ପ୍ରଶମିତ କରିବାପାଇଁ ପୋଲିସର ଦମନ ଲୀଳା ଚାଲିଲା । ଅନେକ ନେତାଙ୍କର ବାସଗୃହ କୋରଖ ହେଲା । ପ୍ରାୟ ୧୦୦୦ ଲୋକ ଗିରଫ ହେଲେ । ଏତେ ଅଧିକ ସଂଖ୍ୟକ ଆନ୍ଦୋଳନକାରୀ ୧୯୪୨ରେ ଅନ୍ୟ କେଉଁଠି ଗିରଫ ହୋଇ ନଥିଲେ । ୨୨ଟି ଗାଁରେ ପିଟୁଣି ଟିକସ ଲାଗୁ ହେଲା । ରାଜ୍ୟରେ ଯେହେତୁ ଏତେ ଅଧିକ ସଂଖ୍ୟକ ବନ୍ଦିଙ୍କୁ ରଖିବାପାଇଁ ଆବଶ୍ୟକ ମାତ୍ରାରେ ଜେଲ ଘର ନଥିଲା; ଅନେକ ଘୋଡ଼ାଶାଳ, ମଠଘର ଓ କଚେରିକୁ ଅସ୍ଥାୟୀ ଭାବେ ଜେଲରେ ପରିଣତ କରାଗଲା । ମାତ୍ର ୩୦ଜଣ ବନ୍ଦିଙ୍କ ଲାଗି ନିର୍ମିତ ନୟାଗଡ଼ ଜେଲରେ ୨୦୦ ରାଜବନ୍ଦିଙ୍କୁ ରଖାଗଲା । ଫଳରେ ଅସ୍ୱାସ୍ଥ୍ୟକର ପରିବେଶରେ ରହି ୨ ଜଣ ରାଜବନ୍ଦି ଜେଲ ଭିତରେ ମୃତ୍ୟୁବରଣ କଲେ ।

ନୟାଗଡ଼ ଆନ୍ଦୋଳନର ବିଶେଷତ୍ୱ ହେଲା ଯେ, ଅଗଷ୍ଟରୁ ଆରମ୍ଭ ହୋଇ ନାନା ପ୍ରତିଘାତ ସତ୍ତ୍ୱେ ଅନ୍ୟ ଅଞ୍ଚଳରେ ଆନ୍ଦୋଳନ ଅବଦମିତ ହେବା ପରେ ବି ଅକ୍ଟୋବରର ମଧ୍ୟ ଯାଏ ଏହା ଚାଲିଥିଲା । ଏଠାରେ ମଧ୍ୟ ପ୍ରଜାମଣ୍ଡଳ ଶୃଙ୍ଖଳିତ ଭାବରେ ବିଭିନ୍ନ ସ୍ଥାନରେ ଏକ ସମୟରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଉଭୟ ଅଣ-ଆଦିବାସୀ ଓ କଂଧ ଆଦିବାସୀ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ରାଜଧାନୀ ନୟାଗଡ଼ ଓ ମୁଖ୍ୟ ସହର ଓଡ଼ଗାଁ ବ୍ୟତୀତ ବାହାଡ଼ାଝୋଲା ଗାଁ ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ଥିଲା ।

ନୀଳଗିରି ଆନ୍ଦୋଳନ ନୀଳଗିରି ଗଡ଼ଜାତରେ ପ୍ରଜାମଣ୍ଡଳ ଆନ୍ଦୋଳନଯୋଗୁଁ ରାଜନୈତିକ ସଚେତନତା ଯଥେଷ୍ଟ ବୃଦ୍ଧି ପାଇଥିଲା । ପ୍ରଜାମଣ୍ଡଳର ନେତୃବର୍ଗ ଓଡ଼ିଶାର ବାମପନ୍ଥୀ ନେତାମାନଙ୍କ ସହ ସଂପର୍କ ରଖିଥିଲେ । ଅଗଷ୍ଟ ବିପ୍ଳବର ଖବର ପ୍ରସାରିତ ହେବା ପରେ ସେମାନେ ଆନ୍ଦୋଳନ କରିବାକୁ ଯୋଜନା ପ୍ରସ୍ତୁତ କଲେ । ଅଗଷ୍ଟ ୧୨ ତାରିଖ ଦିନ ନୀଳଗିରି ସହରରେ ଏକ ସାଧାରଣ ସଭା ଆୟୋଜନ କଲେ ଏବଂ ହରତାଳ ପାଳନ କଲେ । ଏହା ପରେ ପ୍ରଜାମଣ୍ଡଳର ସଭାପତି କୈଳାସ ଚନ୍ଦ୍ର ମହାନ୍ତି ଏବଂ ଉଦୟନାଥ ବୀରବର, ସାଧୁ ପ୍ରସାଦ ବିଦ୍ୟାଧର ମହାପାତ୍ର, ଶରତଚନ୍ଦ୍ର ମହାନ୍ତି, ଜଗନ୍ନାଥ ପଣ୍ଡା, ଗିରିଧର ପଣ୍ଡା ଓ ପ୍ରଭୁନାଥ ଅଗସ୍ତି ଆଦି କେତେକ ପ୍ରଜାମଣ୍ଡଳ ନେତାଙ୍କୁ ପୋଲିସ ଗିରଫ କଲା । ଏହି ଗିରଫଦାରିର ପ୍ରତିବାଦରେ ୧୩ ଅଗଷ୍ଟ ୧୯୪୨ ଦିନ ପୁଣି ଜନସଭା ଓ ହରତାଳ ଆୟୋଜିତ ହେଲା । ଯଦିଓ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଚାଲିଥିଲା, ସରକାର ତାକୁ ଦୃଢ଼ ହସ୍ତରେ ଦମନ କରିବାକୁ ପ୍ରୟାସ କଲେ । ଗାଁ ଗାଁରେ ପୋଲିସ ଘୂରିବୁଲିଲେ ଏବଂ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କଲେ । ଅତ୍ୟାଚାରରେ ଅତିଷ୍ଠ ଜନତା ରାଜକର୍ମଚାରୀମାନଙ୍କୁ ସାମାଜିକ ବାସନ୍ଦ କଲେ । କେତେକ କର୍ମଚାରୀଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପ୍ରଜାମଣ୍ଡଳ ଧମକ ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା । ପ୍ରଜା ରାସ୍ତା ଅବରୋଧ ଓ ରାଜାଙ୍କ ଅମାର ଆଦି ଲୁଟ୍‍ କରିଥିବାର ଖବର ପ୍ରଚାରିତ ହୋଇଥିଲା । ଦମନପାଇଁ ପିଟୁଣି ଟିକସ୍‍ ବ୍ୟତୀତ ହେଲିକପ୍‍ଟରରୁ ଫାୟାରିଂ ମଧ୍ୟ କରାଯାଇଥିଲା । ଫଳରେ ଦୁଇଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଅତ୍ୟାଚାର ଅସହ୍ୟ ହେବାରୁ ଅନେକ ଲୋକ ରାଜ୍ୟ ଛାଡ଼ି ମୋଗଲବନ୍ଦି ଅଂଚଳକୁ ପଳାଇଲେ । ନୀଳଗିରି ଆନ୍ଦୋଳନର ପ୍ରମୁଖ ନେତା ଥିଲେ ବନମାଳୀ ଦାସ । ସେ ମାର୍ଚ୍ଚ ୧୯୪୩ ପର୍ଯ୍ୟନ୍ତ ଆତ୍ମଗୋପନ କରି ଆନ୍ଦୋଳନ ପରିଚାଳନା କରିଥିଲେ । ସେ ଗିରଫ ହେବା ପରେ ଆନ୍ଦୋଳନ ଶିଥିଳ ପଡ଼ିଗଲା ।

ଅନ୍ୟାନ୍ୟ ଆନ୍ଦୋଳନ ଏସବୁ ଗଡ଼ଜାତକୁ ବାଦ ଦେଲେ ଆଠଗଡ଼, ବଡମ୍ବା, ବୌଦ, ଖଣ୍ଡପଡ଼ା, ମୟୂରଭଞ୍ଜ, ନରସିଂହପୁର, ରଣପୁର ଓ ସୋନପୁର ଆଦି ଗଡ଼ଜାତ ଓ ଜମିଦାରୀରେ ମଧ୍ୟ ଅଗଷ୍ଟ ବିପ୍ଳବ ଖିବାକୁ ମିଳିଥିଲା । ନରସିଂହପୁରରେ ଚକ୍ରଧର ଜେନାଙ୍କ ନେତୃତ୍ୱରେ ପଟୁଆରରେ ଯାଉଥିବା ଜନତା ଉପରେ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ।

ଉଭୟ ମୋଗଲବନ୍ଦି ଓ ଗଡ଼ଜାତରେ ଅଗଷ୍ଟ ବିପ୍ଳବ ବେଳେ ଲୋକ ଗିରଫଦାରିକୁ ବରଣ କରୁ ନଥିଲେ । ବରଂ ଆତ୍ମଗୋପନ କରିି ଆନ୍ଦୋଳନପାଇଁ କାମ କରିବାକୁ ପ୍ରୟାସ କରୁଥିଲେ । ସୁରେନ୍ଦ୍ର ନାଥ ଦ୍ୱିବେଦୀ, ମାଳତୀ ଚୌଧୁରୀ , ବୀର ବୈଷ୍ଣବ ପଟ୍ଟନାୟକ ଓ ନୀଳଗିରିର ବନମାଳୀ ଦାସ ଆଦି ପୋଲିସ ହାତରେ ଧରା ନ ପଡ଼ିବାକୁ ସର୍ବଦା ପ୍ରୟାସ କରୁଥିଲେ ଏବଂ ଗୋପନରେ ଆନ୍ଦୋଳନ ପରିଚାଳନା କରୁଥିଲେ । ତାଳଚେରର ପବିତ୍ର ମୋହନ ପ୍ରଧାନ ଜେଲ ପାଚେରି ଡେଇଁ ପଳାଇଥିଲେ । ଏହି ନେତୃବର୍ଗଙ୍କର ଦୁଃସାହସପୂର୍ଣ୍ଣ ପଦକ୍ଷେପ ଆନ୍ଦୋଳନକୁ ତୀବ୍ରତର କରିଥିଲା । ଅଗଷ୍ଟ ବିପ୍ଳବ ସେମାନଙ୍କୁ ନେତାର ମର୍ଯ୍ୟାଦା ପ୍ରଦାନ କରିଥିଲା ।

ଏକଥା ସର୍ବବିଦିତ ଯେ, ଅନେକ ସ୍ଥାନରେ ଆନ୍ଦୋଳନକାରୀ ହିଂସାତ୍ମକ ଘଟଣା ଭିଆଇଥିଲେ । ସରକାରୀ ଘରେ ନିଆଁ ଲଗାଇବା, ଥାନା ଉପରେ ଆକ୍ରମଣ କରିବା, ରାସ୍ତାଘାଟର ପୋଲ ଭାଂଗିବା ତଥା ଡାକବଙ୍ଗଳାକୁ ଭାଂଗିଦେବା ଥିଲା ସେତେବେଳର ସାଧାରଣ ଘଟଣା । ମାତ୍ର କୌଣସି ସ୍ଥାନରେ ସେମାନେ ସରକାରୀ ପକ୍ଷର ଲୋକଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରି ନଥିଲେ । ଏଭଳିକି ଲକ୍ଷ୍ମଣ ନାୟକଙ୍କୁ ଜଡ଼ିତ କରାଯାଇଥିବା ହତ୍ୟାରେ ମଧ୍ୟ ଆନ୍ଦୋଳନକାରୀ ଆଦିବାସୀ ଜନତା ସଂଶ୍ଳିଷ୍ଟ ନଥିଲେ । ଅନ୍ୟ ପକ୍ଷରେ, ସରକାର ପକ୍ଷରୁ ନିର୍ମମ ଭାବରେ ଗୁଳି ଚାଳନା ତଥା ହେଲିକେପ୍ଟରରୁ ମେସିନ୍ ଗନ୍‍ରେ ଗୁଳି ବର୍ଷଣ କରାଯାଇ ଲୋକଙ୍କୁ ହତ୍ୟା କରାଯାଇଥିଲା । ସରକାର ଓ ପୋଲିସ ସାମାନ୍ୟ ଧୈର୍ଯ୍ୟ ରଖିଥିଲେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇ ନଥାନ୍ତା । ପୁଣି ଯେଉଁ ସ୍ଥାନରେ ପୁରୁଖା କଂଗ୍ରେସ କର୍ମୀ ଆନ୍ଦୋଳନ ପରିଚାଳନା କରୁଥିଲେ, ସେଠାରେ ହିଂସାକାଣ୍ଡ ଘଟି ନଥିଲା । ପ୍ରଜାମଣ୍ଡଳର କେତେକ ନେତାଙ୍କୁ ବାଦ ଦେଲେ, କଂଗ୍ରେସର ପୁରୁଖା ନେତାମାନେ ସର୍ବଦା ହିଂସାକାଣ୍ଡ ଯେମିତି ନଘଟେ, ତା'ପାଇଁ ଅଗଷ୍ଟ ବିପ୍ଳବ ବେଳେ ପ୍ରୟାସ କରୁଥିଲେ । ଏହି ଦୃଷ୍ଟିରୁ ଦେଖିଲେ, ୯ ଅଗଷ୍ଟ ୧୯୪୨ ଦିନ କଂଗ୍ରେସର ତୁଙ୍ଗ ନେତାମାନଙ୍କୁ ସରକାର ଗିରଫ କରି ପ୍ରକାରାନ୍ତରେ ଆନ୍ଦୋଳନକୁ ବେ-ଲଗାମ ଓ ହିଂସାତ୍ମକ ହେବାକୁ ଅବସର ଦେଇଥିବା ସୁସ୍ପଷ୍ଟ । ଅଗଷ୍ଟ ବିପ୍ଳବ ସହରାଞ୍ଚଳ ଅପେକ୍ଷା ବିଶେଷ କରି ଗ୍ରାମାଞ୍ଚଳରେ ଅଧିକ ଉଗ୍ର ରୂପ ଧାରଣ କରିଥିଲା । ସମାନ୍ତରାଳ ସରକାର ମଧ୍ୟ ଯୋଗାଯୋଗରୁ ଅପେକ୍ଷାକୃତ ବିଚ୍ଛିନ୍ନାଞ୍ଚଳରେ କାର୍ଯ୍ୟ କରି ସଫଳ ହୋଇଥିଲା । ଲୋକ ସମ୍ମିଳିତ ଭାବେ ଥାନା, ପୋଷ୍ଟ ଅଫିସ୍‍ ଉପରେ ଆକ୍ରମଣ କରୁଥିଲେ । ଆକ୍ରମଣପାଇଁ ସେମାନେ ରାତିର ଅନ୍ଧକାରକୁ ବାଛୁ ନଥିଲେ । ଢେଙ୍କାନାଳର ଗରିଲା ବାହିନୀର କାର୍ଯ୍ୟକୁ ବାଦ ଦେଲେ, ଅନ୍ୟ ସମସ୍ତ ଘଟଣା ସର୍ବସମକ୍ଷରେ ଏବଂ ଦିନର ଆଲୋକରେ ସଂଘଟିତ ହୋଇଥିଲା । ଏହା ଆନ୍ଦୋଳନକାରୀଙ୍କ ନିର୍ଭୟ ଭାବ ଏବଂ ବ୍ୟାପକ ଜନ ସମର୍ଥନକୁ ଦର୍ଶାଏ । ଉପକୂଳ ଅଂଚଳରେ ଲୋକଙ୍କ ନିର୍ଭୟ ହେବା ପଛରେ ଗୋଟିଏ ବଡ଼ କାରଣ ହେଲା ଯେ, ସେତେବେଳେ ଏକ ଗୁଜବ ଉଠିଥିଲା, ଇଂରେଜ ସରକାରଙ୍କୁ ପରାଜିତ କରି ଜାପାନୀମାନେ ଓଡ଼ିଶାକୁ ମାଡ଼ିଆସିବେ ଏବଂ ସେମାନେ ଇଂରେଜଙ୍କୁ ବିରୋଧ କରିଥିବା ଲୋକଙ୍କୁ ଉପଯୁକ୍ତ ପୁରସ୍କାର ଦେବେ ! ଅର୍ଥାତ୍‍ ଯଦିଓ ଲୋକ ସ୍ୱାଧୀନତା ସଂଗ୍ରାମରେ ଭାଗନେଇ ଆନ୍ଦୋଳନ କରୁଥିଲେ, ସେମାନଙ୍କ ମନରେ ଶଙ୍କା ଥିଲା ଯେ ଓଡ଼ିଶାକୁ ଜାପାନର କବ୍‍ଜା କରିବା ନିଶ୍ଚିତ । ଓଡ଼ିଶାର ରାଜଧାନୀକୁ କଟକରୁ ସମ୍ବଲପୁରକୁ ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତି କରି ସରକାର ଲୋକଙ୍କ ଭିତରେ ବ୍ୟାପିଥିବା ଗୁଜବକୁ ବଳ ଦେଇଥିଲେ । ଜାପାନୀମାନେ ମାଡ଼ି ଆସିଲେ ଲୋକମାନେ ଅଯଥା ଇଂରେଜର ସମର୍ଥକ ହେବାର ଅଭିଯୋଗରେ ନୂଆ ସରକାରଦ୍ୱାରା ଦଣ୍ଡିତ ନ ହେବେ ବୋଲି ଆଶା କରି ଅଗଷ୍ଟ ବିପ୍ଳବରେ ଅଧିକ ସଂଖ୍ୟାରେ ଭାଗ ନେଇଥିଲେ । ଅଗଷ୍ଟ ବିପ୍ଳବ ଅଗଷ୍ଟ ମାସରେ ବଣନିଆଁ ଭଳି ଆରମ୍ଭ ହୋଇ ମୋଟାମୋଟି ଭାବରେ ଦେଖିଲେ ମାସର ଶେଷ ସୁଦ୍ଧା ପ୍ରଶମିତ ହୋଇଯାଇଥିଲା । ସେପ୍ଟେମ୍ବରରେ ଯେଉଁ କେତେକ ସ୍ଥାନରେ ଆନ୍ଦୋଳନର ବହ୍ନି ଜଳିଥିଲା, ତାହା ସମାନ୍ତରାଳ ସରକାରର ରୂପ ନେଇଥିଲା । ଅକ୍ଟୋବରର ଆରମ୍ଭ ବେଳକୁ ଆନ୍ଦୋଳନ ପ୍ରାୟ ନିଶ୍ଚିହ୍ନ ହୋଇ ଯାଇଥିଲା । ଏହି ମାସର ଦ୍ୱିତୀୟ ସପ୍ତାହରେ ସୁରେନ୍ଦ୍ର ନାଥ ଦ୍ୱିବେଦୀ କଟକରେ ଧରାପଡ଼ିବା ପରେ ଆନ୍ଦୋଳନ ଆଉ 'କାଗଜ'ରେ ମଧ୍ୟ ରହିଲା ନାହିଁ । ମାତ୍ର କେବଳ ଦୁଇ ମାସର ସ୍ୱଳ୍ପ ଅବଧିରେ ଏହା ଦୁଇ ଶହ ବର୍ଷର ଇଂରେଜ ଶାସନକୁ ଖଣ୍ଡିଆ ଖାବରା କରିଦେଲା । ଏହା ପରେ ଇଂରେଜମାନେ ଯେ ଭାରତ ଛାଡ଼ିବା ନିଶ୍ଚିତ- ତାହା ସମସ୍ତେ କଳନା କରିନେଲେ ।
ଅଗଷ୍ଟ ବିପ୍ଳବ ବେଳେ ଇଂରେଜ ସରକାରଙ୍କ କାର୍ଯ୍ୟକୁ ଔପଚାରିକ ଭାବରେ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗ କରୁଥିବା ଭାରତୀୟବର୍ଗକୁ ସାଧାରଣତଃ ବିଶ୍ୱାସଘାତକ ଆଖ୍ୟା ଦିଆଯାଏ । ମାତ୍ର ଅନେକ ସ୍ଥଳରେ ଏଭଳି ଅଭିଯୋଗ ଅମୂଳକ ବୋଲି ମନେହୁଏ । ଏହାର ଏକ ଉଦାହରଣ ହେଉଛନ୍ତି, ମିଳିତ ସରକାରର ପାର୍ଲ୍ୟାମେଣ୍ଟାରୀ ସେକ୍ରେଟାରୀ ଯଦୁମଣି ମଂଗରାଜ । ବିହାରର ନେତା ରାମନନ୍ଦନ ମିଶ୍ର ଆତ୍ମଗୋପନପାଇଁ ଓଡ଼ିଶାରେ କିଛି ଦିନ ରହିଥିଲେ । ପୋଲିସ ସନ୍ଦେହରୁ ଦୂରେଇ ରଖିବାପାଇଁ ଯଦୁମଣି ତାଙ୍କୁ ନିଜ ସରକାରୀ ଗାଡ଼ିରେ କଟକ ସହରରେ ଯିବା ଆସିବାପାଇଁ ବ୍ୟବସ୍ଥା କରିଦେଇଥିଲେ । ଏହି ସହଯୋଗଯୋଗୁଁ ରାମନନ୍ଦନ ମିଶ୍ର ଓଡ଼ିଶାର ଭୂମିଗତ ନେତାଙ୍କ ସହ ସାକ୍ଷାତ୍‍ କରି ପାରିଥିଲେ ତଥା ପୋଲିସର ସନ୍ଦେହ ଚକ୍ଷୁରେ ପଡ଼ି ନଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୧୯୪୧ ଜୁନ୍‌ରେ ନାଜି ଜର୍ମାନୀ ସୋଭିଏତ୍‍ ରୁଷ୍‍ ଉପରେ ଅତର୍କିତ ଆକ୍ରମଣ କଲା । ଫଳରେ ରୁଷ୍‍ ଓ ଇଂଲଣ୍ଡ ନେତୃତ୍ୱାଧୀନ ମିତ୍ରଶକ୍ତି ମଧ୍ୟରେ ମେଣ୍ଟ ହେଲା । ଏହାର ପରିଣାମ ସ୍ୱରୂପ ଭାରତର କମ୍ୟୁନିଷ୍ଟମାନେ ବିଶ୍ୱଯୁଦ୍ଧରେ ଇଂଲଣ୍ଡର ସମର୍ଥନ କଲେ , ଔପଚାରିକ ଭାବେ ଓଡ଼ିଶାର ରାଜ୍ୟଶାଖା, ଇଂରେଜ ବିରୋଧୀ ଅଗଷ୍ଟ ଆନ୍ଦୋଳନରୁ ଓହରିଗଲା ଏବଂ ଯୁଦ୍ଧକୁ 'ମୁକ୍ତିଯୁଦ୍ଧ' ଘୋଷଣା କଲା । ମାତ୍ର ପାର୍ଟି ନିର୍ଦେଶକୁ ଉପେକ୍ଷା କରି ରାଜ୍ୟରେ ଅନେକ କମ୍ୟୁନିଷ୍ଟ ଅଗଷ୍ଟ ବିପ୍ଳବରେ ସକ୍ରିୟ ଯୋଗଦାନ କରିଥିଲେ । ଉଦାହରଣ ସ୍ୱରୂପ, ଢେଙ୍କାନାଳର ବୈଷ୍ଣବ ପଟ୍ଟନାୟକ, ନୀଳଗିରିର ବନମାଳୀ ଦାସ ଓ ସମ୍ବଲପୁରର ଦୟାନନ୍ଦ ଶତପଥୀ ଆଦି ଥିଲେ କମ୍ୟୁନିଷ୍ଟ ବିଚାରର କର୍ମୀ । ସେମାନଙ୍କର ଅଗଷ୍ଟ ବିପ୍ଳବରେ ସଂପୃକ୍ତି ଥିଲା ଅପରିମିତ ।

ତଳ ସ୍ତରର ସରକାରୀ କର୍ମଚାରୀମାନେ ଆନ୍ଦୋଳନ ପ୍ରତି ଯଥେଷ୍ଟ ସହାନୁଭୂତିଶୀଳ ଥିଲେ ବୋଲି ପୋଲିସ୍‍ ରିପୋର୍ଟରେ ବାରମ୍ବାର ଅଭିଯୋଗ ହେଉଥିଲା । ବାଲେଶ୍ୱରର ଇରମରେ ସମାନ୍ତରାଳ ସରକାରର ସଫଳତା ପଛରେ ବଡ଼ କାରଣ ଥିଲା, ସ୍ଥାନୀୟ ସରକାରୀ କର୍ମଚାରୀ ଓ ଚୌକିଦାରମାନଙ୍କ ଆନ୍ତରିକ ସହଯୋଗ । ସେମାନେ ଉପର କର୍ତ୍ତୃପକ୍ଷଙ୍କୁ ସ୍ୱାଧୀନ ସରକାର ସମ୍ବନ୍ଧରେ ସୂଚନା ପ୍ରେରଣ କରି ନଥିଲେ । ଏହା ସମାନ୍ତରାଳ ସରକାରକୁ ଅଧିକ ଦିନ ଧରି ସୁସଂଗଠିତ କରିବାରେ ସହଯୋଗ କରିଥିଲା । ସରକାରଙ୍କ ରିପୋର୍ଟରେ ଉଲ୍ଲେଖ ଥିଲା, "...କେତେକ ସ୍ଥାନରେ ଅରାଜକତା ଦମନ କରିବାରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କଠାରେ ଅନାବଶ୍ୟକ ଭୀରୁତା ଓ ସ୍ୱେଚ୍ଛାପୂର୍ଣ୍ଣ ଅସହଯୋଗ ଦେଖାଯାଇଥିଲା । କଂଗ୍ରେସର ପ୍ରାଧାନ୍ୟ ଥିବା ଅଞ୍ଚଳରେ ଶିକ୍ଷକ ସମୁଦାୟର ଆଭିମୁଖ୍ୟ ଆମ ପ୍ରତି ଉପଯୋଗୀ ସିଦ୍ଧ ହୋଇନାହିଁ । ଡାକ କର୍ମଚାରୀମାନଙ୍କର ସହଯୋଗ ମିଳି ନାହିଁ । ଡାକଘରଗୁଡ଼ିକ ଭଂଗା ହେଲା ପରେ ଅନେକ ଜାଗାରେ ତା'ର ଅନୁସନ୍ଧାନ ସରିନାହିଁ । କାରଣ କର୍ମଚାରୀମାନେ ସାକ୍ଷ ଦେବାକୁ ଅମଙ୍ଗ ହେଉଛନ୍ତି । (ଆନ୍ଦୋଳନ ଦ୍ୱାରା)ଅଧିକ ପ୍ରଭାବିତ ଅଂଚଳରେ ଚୌକିଦାରମାନେ ପ୍ରାୟ ବେକାର ସିଦ୍ଧ ହେବାର ସୂଚନା ମିଳିଛି ।" ଏଥିରୁ ସିଦ୍ଧ ହୁଏ ଯେ, ଅନେକ ସ୍ଥଳରେ ରାଜକର୍ମଚାରୀମାନେ ସ୍ୱତଃପ୍ରବୃତ୍ତ ଭାବରେ ଆନ୍ଦୋଳନକୁ ବିରୋଧ କରି ନାହାନ୍ତି । ଉପର ଠାଉରିଆ ଭାବେ ସେମାନେ ସରକାରକୁ କେବଳ ସମର୍ଥନ କରିଛନ୍ତି । ଅନେକ କ୍ଷେତ୍ରରେ ସେମାନେ, ବିଶେଷକରି ଗାଁ ଚୌକିଦାରମାନେ ସାମାଜିକ ବାସନ୍ଦର ଭୟରେ ଆନ୍ଦୋଳନକୁ ମୌନ ସମର୍ଥନ ଦେଇଥିଲେ । ଉଦାହରଣ ସ୍ୱରୂପ, ନୀଳଗିରିରେ ୭୨ ଜଣ ଚୌକିଦାର ଅଗଷ୍ଟ ମାସରେ ଥାନାରେ ଯାଇ ଅଭିଯୋଗ କରିଥିଲେ ଯେ, ସରକାରଙ୍କୁ ସହଯୋଗ କରିଥିବାରୁ ସେମାନଙ୍କୁ ଗାଁରେ ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ିଛି । ଫଳରେ ଅନ୍ୟର ଜମିରେ ସେମାନଙ୍କ ଚାଲିବା ତଥା ପଶୁ ଚରାଇବାପାଇଁ ବି ମନା ହୋଇଛି । ପରୋକ୍ଷରେ ଏହିଭଳି ଅଭିଯୋଗ ଆଣି ସେମାନେ ଆନ୍ଦୋଳନର ଧମକ ଦେଇଥିଲେ । ଏଥିରୁ ପ୍ରମାଣିତ ହୁଏ ଯେ, ଜାତୀୟତାବାଦ ସବୁସ୍ତରକୁ ବିସ୍ତାରିତ ହୋଇ ସାରିଥିଲା । ଜାତୀୟତାବାଦର ଏଭଳି ବ୍ୟାପକ ବିସ୍ତାର ହେତୁ ଭବିଷ୍ୟତରେ ଦେଶ ପରାଧୀନ ରହିବା ଯେ ନୋହିବ- ଏକଥା ଲୋକ ଅନୁମାନ କରି ପାରୁଥିଲେ ।

...