ଓଡ଼ିଶା ଇତିହାସ/୧୯୩୦ ଦଶକର ରାଜନୀତି : ଆଇନ ଅମାନ୍ୟ ଓ ପ୍ରଜାମଣ୍ତଳ ଆନ୍ଦୋଳନ
←ଅସହଯୋଗ ଆନ୍ଦୋଳନ: ୧୯୨୦-୨୨ | ଓଡ଼ିଶା ଇତିହାସ (୨୦୧୧) ଲେଖକ/କବି: ୧୯୩୦ ଦଶକର ରାଜନୀତି : ଆଇନ ଅମାନ୍ୟ ଓ ପ୍ରଜାମଣ୍ତଳ ଆନ୍ଦୋଳନ |
ଅଗଷ୍ଟ ବିପ୍ଳବ→ |
୧୯୩୦ ଦଶକର ରାଜନୀତି:
ଆଇନ ଅମାନ୍ୟ ଓ ପ୍ରଜାମଣ୍ଡଳ ଆନ୍ଦୋଳନ
ଆଇନ ଅମାନ୍ୟ ଆନ୍ଦୋଳନ
ଅସହଯୋଗ ଆନ୍ଦୋଳନ ପରେ ୧୯୩୦ରେ ଜାତୀୟ କଂଗ୍ରେସ ଦେଶରେ ଆଇନ ଅମାନ୍ୟର ଡାକରା ଦେଲା । ଚୌରିଚୌରା ଘଟଣା ପରେ ଅସହଯୋଗ ପ୍ରତ୍ୟାହୃତ ହେବା ଉତ୍ତାରୁ ଆଠବର୍ଷର ଅନ୍ତରାଳରେ ଏହି ଦ୍ୱିତୀୟ ଗଣ ଆନ୍ଦୋଳନ ସଂଘଟିତ ହୋଇଥିଲା । ୧୯୨୨ ଓ ୧୯୩୦ର କାଳାଂଶରେ ଯଦିଓ ଗଣ ସଂଗ୍ରାମ ଶିଥିଳ ହୋଇ ପଡ଼ିଥିଲା, ଅନେକ ମହତ୍ତ୍ୱପୂର୍ଣ୍ଣ ଘଟଣା ଏହି ସମୟରେ ଘଟିଥିଲା । ଏହିସବୁ ଘଟଣାର ପ୍ରତିଫଳନ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଥିଲା ।
ଅସହଯୋଗର ପ୍ରତ୍ୟାହାର ପରେ ମଧ୍ୟ ଅନେକ କଂଗ୍ରେସ ନେତା ଗିରଫ ହୋଇ ଜେଲ୍ ଦଣ୍ଡ ଭୋଗିଲେ । ୧୯୨୨ରେ ମହାତ୍ମାଗାନ୍ଧୀଙ୍କୁ ଛଅ ବର୍ଷ ଜେଲ୍ ଦଣ୍ଡ ହେବା ପରେ ଦଳ ଯେ'ମିତି ନେତୃତ୍ୱବିହୀନ ହୋଇ ପଡ଼ିଲା । କଂଗ୍ରେସ ଦଳ ଦୁଇଟି ଗୋଷ୍ଠୀରେ ବିଭାଜିତ ହୋଇ ଗଲା । ବର୍ଷକ ମଧ୍ୟରେ ସ୍ୱରାଜ୍ୟ ପ୍ରାପ୍ତିର ଆଶା ପୂରଣ ହୋଇ ନପାରିବାରୁ ସାଧାରଣରେ ଯେଉଁ ନିରାଶା ବ୍ୟାପିଲା, ତାହା ଦଳର ଗୋଷ୍ଠୀ ବିବାଦକୁ ସହଯୋଗ କଲା । ଗୋଟାଏ ଗୋଷ୍ଠୀ ଯାହା ପରିବର୍ତ୍ତନବାଦୀ ( Pro-Changers) ନାମରେ ପରିଚିତ, ନିର୍ବାଚନକୁ ସ୍ୱୀକାର କରି ତା' ମାଧ୍ୟମରେ କଂଗ୍ରେସ ଲୋକେ କେନ୍ଦ୍ର ଆସେମ୍ବ୍ଲି ଓ ପ୍ରାଦେଶିକ କାଉନ୍ସିଲ୍କୁ ନିର୍ବାଚିତ ହେବା କଥା ବୋଲି ଯୁକ୍ତି କଲେ । ଜାତୀୟତାବାଦୀମାନେ ଆସେମ୍ବ୍ଲି, କାଉନ୍ସିଲ୍ରେ ଯୋଗଦେଇ ସରକାରଙ୍କ ଜନବିରୋଧୀ ନୀତିକୁ ପର୍ଦ୍ଦାଫାସ୍ କରିବା କଥା ବୋଲି ସେମାନେ ମତ ଦେଲେ । ମୋତିଲାଲ୍ ନେହେରୁ ଓ ଚିତ୍ତରଂଜନ ଦାସ ଆଦିଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ ସ୍ୱରାଜ ପାର୍ଟି ବା ସ୍ୱରାଜ୍ୟ ଦଳ ନାମରେ ଏକ ନୂତନ ଦଳ ଗଠନ କରି ୧୯୨୩ରେ ନିର୍ବାଚନରେ ଭାଗନେଲେ । ଦ୍ୱିତୀୟ ଗୋଷ୍ଠୀର ନେତୃତ୍ୱ ରହିଥିଲା ବଲ୍ଲଭଭାଇ ପଟେଲ୍ ଓ ରାଜେନ୍ଦ୍ର ପ୍ରସାଦ ଆଦି ନେତାଙ୍କ ହାତରେ । ଗାନ୍ଧିଜୀଙ୍କ ଅନୁପସ୍ଥିତିରେ (କାରଣ ଗାନ୍ଧୀ ଜେଲ୍ ଦଣ୍ଡ ଭୋଗୁଥିଲେ) କଂଗ୍ରେସର ଅସହଯୋଗ ନୀତିରେ କୌଣସି ପରିବର୍ତ୍ତନ ନହେବା କଥା ବୋଲି ସେମାନେ ମତ ଦେଲେ । ସେମାନଙ୍କୁ ଅପରିବର୍ତ୍ତନବାଦୀ ( No-Changers) ବୋଲି କୁହାଗଲା । ସେମାନଙ୍କ ଯୁକ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟର ଗଣସଂଗ୍ରାମର ପ୍ରସ୍ତୁତି ପର୍ବ ଭାବରେ କର୍ମୀ ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିବା କଥା । ଗଠନମୂଳକ କାର୍ଯ୍ୟ ମଧ୍ୟରେ ସେମାନେ ଅସ୍ପୃଶ୍ୟତା ନିବାରଣ, ନିଶା ନିବାରଣ, ଗ୍ରାମ ସଂଗଠନ, ପଞ୍ଚାୟତ ଗଠନ, ଖଦି ପ୍ରସାର ଆଦି ଉପରେ ମହତ୍ତ୍ୱ ଦେଲେ । କାଉନ୍ସିଲ୍ରେ କଂଗ୍ରେସ ଲୋକ ଯୋଗ ନଦେବା କଥା ବୋଲି ସେମାନେ କହିଲେ । କଂଗ୍ରେସ ଦଳ ମଧ୍ୟରେ ଏହି ବିଭେଦ ୧୯୨୬ ପର୍ଯ୍ୟନ୍ତ ଚାଲିଲା । ୧୯୨୬ରେ କାଉନ୍ସିଲ୍ପାଇଁ ଯେତେବେଳେ ପୁଣି ଥରେ ନିର୍ବାଚନ ହେଲା, କଂଗ୍ରେସ ଦଳ ତହିଁରେ ଭାଗନେଲା । ଅର୍ଥାତ୍ କାଉନ୍ସିଲ୍ରେ ପ୍ରବେଶ ପ୍ରଶ୍ନକୁ ନେଇ କଂଗ୍ରେସ ଦଳ ମଧ୍ୟରେ ୧୯୨୬ ପରଠାରୁ ନାନା ମତ ରହିଲା ନାହିଁ । ସ୍ୱରାଜ ଦଳ ପୁଣି କଂଗ୍ରେସର ଅବିଭାଜ୍ୟ ଅଂଶ ହୋଇ ପଡ଼ିଲା । ଓଡ଼ିଶାରେ ଅସହଯୋଗର ପ୍ରତ୍ୟାହାର ପରେ ପ୍ରାଦେଶିକ କଂଗ୍ରେସ କମିଟି ମଧ୍ୟ ଗୋଷ୍ଠୀ ବିବାଦର ଶିକାର ହେଲା । ୧୯୨୧ରେ ମଧୁସୂଦନ ଦାସ ବିହାର ଓ ଓଡ଼ିଶା ପ୍ରଦେଶର ମନ୍ତ୍ରୀ ପଦ ଗ୍ରହଣ କରିଥିଲେ ବୋଲି ଅସହଯୋଗୀମାନେ ତାଙ୍କର ତୀବ୍ର ବିରୋଧ କରିଥିଲେ । ଏହା ମଧୁସୂଦନଙ୍କୁ ଏକ ରକମର ରାଜନୈତିକ ଶୂନ୍ୟତା ମଧ୍ୟକୁ ଠେଲି ଦେଇଥିଲା । ସେ ଅସହଯୋଗକୁ ଗ୍ରହଣ କରି ପାରି ନଥିଲେ । ଇଂରେଜଙ୍କ ସହଯୋଗରେ ଜାତୀୟ ଉନ୍ନତି ହୋଇ ପାରିବ ବୋଲି ସେ ବିଶ୍ୱାସ କରୁଥିଲେ । ମାତ୍ର ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏବଂ ୧୯୨୪ରେ କଂଗ୍ରେସର ପ୍ରାଥମିକ ସଦସ୍ୟତା ମଧ୍ୟ ଗ୍ରହଣ କଲେ । ୧୯୨୩ରେ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ଆଦି ନିର୍ବାଚନ ଲଢ଼ିଲେ ଓ ଓଡ଼ିଶାରେ ସ୍ୱରାଜ୍ୟ ଦଳର ପ୍ରତିନିଧିତ୍ୱ କଲେ । ଓଡ଼ିଶାରେ ଅପରିବର୍ତ୍ତନବାଦୀ ଗୋଷ୍ଠୀର ନେତୃତ୍ୱ ନେଲେ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ଆଦି । ସେମାନଙ୍କୁ 'ଅସହଯୋଗୀ' ଏବଂ ଅନ୍ୟମାନଙ୍କୁ 'ସହଯୋଗୀ' ବୋଲି କୁହାଗଲା । ଉଭୟ ଗୋଷ୍ଠୀ ମଧ୍ୟରେ ପରିପୂରକତା ଥିଲା; ତୀବ୍ର ପ୍ରତିଯୋଗିତା ମଧ୍ୟ ରହିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଶିକ୍ଷାର ପ୍ରସାର, ନିଶା ନିବାରଣ, ଖଦିର ପ୍ରସାର, ବନ୍ୟାବାତ୍ୟା ବେଳେ ସରକାରୀ ରିଲ୍ଫ୍ ଆଦି ପ୍ରସଙ୍ଗକୁ ନେଇ ଯେତେବେଳେ ଅସହଯୋଗୀମାନେ ସଭାସମିତି କରୁଥିଲେ ବା ପତ୍ରପତ୍ରିକାରେ ଲେଖୁଥିଲେ, ସେତେବେଳେ ସହଯୋଗୀ ଗୋଷ୍ଠୀର ନିର୍ବାଚିତ ପ୍ରତିନିଧିମାନେ ଉକ୍ତ ବିଷୟଗୁଡ଼ିକୁ କେନ୍ଦ୍ର ଏସେଂବ୍ଲି ଓ କାଉନ୍ସିଲ୍ରେ ଉତ୍ଥାପନ କରୁଥିଲେ । ଉଭୟ ଗୋଷ୍ଠୀ ପରସ୍ପରକୁ ଦୋଷାରୋପ ମଧ୍ୟ କରୁଥିଲେ । କିନ୍ତୁ ୧୯୨୭-୨୮ ବେଳକୁ ପୁଣି ଯେତେବେଳେ ଗଣ ଆନ୍ଦୋଳନର ଜୁଆର ଦେଶରେ ପ୍ରବାହିତ ହେବାକୁ ଆରମ୍ଭକଲା, ସମସ୍ତେ ତହିଁରେ ସମ୍ମିଳିତ ହେଲେ । ୧୯୨୪ ଫେବ୍ରୁଆରି ମାସରେ ଅସୁସ୍ଥତାଯୋଗୁଁ ମହାତ୍ମାଗାନ୍ଧୀକୁ ଜେଲରୁ ମୁକ୍ତ କରି ଦିଆଗଲା । ସେହି ବର୍ଷ ଗୋପବନ୍ଧୁ ଦାସ ମଧ୍ୟ ଜେଲ୍ରୁ ମୁକ୍ତ ହେଲେ । ଏହା ଓଡ଼ିଶାରେ କଂଗ୍ରେସର କାର୍ଯ୍ୟକୁ ଚଳଚଞ୍ଚଳ କଲା । ୧୯୨୮ ଜୁନ୍ ୧୭ ତାରିଖରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଗୋପବନ୍ଧୁ ଦାସ ଏଣିକି ହେଲେ ଉତ୍କଳ କଂଗ୍ରେସ ଶାଖାର ସର୍ବୋଚ୍ଚ ନେତା । ୧୯୨୫ ଅଗଷ୍ଟ ମାସରେ ତାଙ୍କ ଅନୁରୋଧରେ ମହାତ୍ମାଗାନ୍ଧୀ ଓଡ଼ିଶା ଆସି କଟକରେ ମଧୁସୂଦନ ଦାସଙ୍କ ଅତିଥି ହୋଇଥିଲେ ଏବଂ ମଧୁସୂଦନ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସ୍ୱଦେଶୀ ଚମଡ଼ା ଉଦ୍ୟୋଗ ଉତ୍କଳ ଟେନେରୀକୁ ପତନରୁ ରକ୍ଷା କରିବାପାଇଁ ଲୋକଙ୍କୁ ନିବେଦନ କରିଥିଲେ । ୧୯୨୭ ଡିସେମ୍ବରରେ ଗାନ୍ଧୀ ପୁଣି ଥରେ ଓଡ଼ିଶା ଆସି ପ୍ରାୟ ତିିନି ସପ୍ତାହ କାଳ ବିଭିନ୍ନ ଅଂଚଳ ଗସ୍ତ କରିଥିଲେ । ଏହା ଗୋପବନ୍ଧୁଙ୍କ ସଂଯୋଜନାରେ ସଂଘଟିତ ହୋଇଥିବାରୁ ଗୋପବନ୍ଧୁ ଓ ଅସହଯୋଗୀ ଗୋଷ୍ଠୀଙ୍କ ମହତ୍ତ୍ୱକୁ ପ୍ରତିପାଦନ କଲା ।
୧୯୨୮ରେ ଯେତେବେଳେ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ କଲିକତାଠାରେ ଆୟୋଜିତ ହେଲା, ତହିଁରେ ୩୦୦ କର୍ମୀ ଓଡ଼ିଶାରୁ ଯୋଗ ଦେଲେ । ସେମାନେ ଦୃଢ଼ ଭାବରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିକୁ ମଧ୍ୟ ସମ୍ମିଳନୀରେ ରଖିଲେ । ଫଳରେ ପ୍ରାଦେଶିକତା ଓ ରାଷ୍ଟ୍ରୀୟତା ମଧ୍ୟରେ ଅନୁପୂରକତା ସୁସ୍ପଷ୍ଟ ହେଲା । ଏହା ପୂର୍ବରୁ ୧୯୨୮ ଫେବ୍ରୁଆରି ୩ ତାରିଖ ଦିନ ଭାରତର ଶାସନ ସଂସ୍କାର ପ୍ରସଙ୍ଗକୁ ଅନୁଧ୍ୟାନ କରିବାଲାଗି ଇଂଲଣ୍ଡରୁ ସାଇମନ କମିସନ ଆସି ପହଞ୍ଚିଲେ । ଦେଶର ଚାରିଆଡ଼େ ତା'ର ବିରୋଧ ହେଲା । ଓଡ଼ିଶାରେ ମଧ୍ୟ ଜାତୀୟତାବାଦୀମାନେ ଏକଜୁଟ ହୋଇ କମିସନଙ୍କୁ ବର୍ଜନ କଲେ, କାରଣ ତହିଁରେ କୌଣସି ଭାରତୀୟଙ୍କୁ ସଭ୍ୟ ଭାବରେ ରଖା ଯାଇ ନଥିଲା । ଏହି ସମୟରେ କନିକା ଜମିଦାର ରାଜେନ୍ଦ୍ର ନାରାୟଣ ଭଂଜଦେଓ, ଲକ୍ଷ୍ମୀଧର ମହାନ୍ତି ଓ ଶ୍ରୀକୃଷ୍ଣ ମହାପାତ୍ର ଆଦି କେତେକ ଇଂରେଜ ଅନୁଗତ ଓଡ଼ିଶା ଲିବରାଲ୍ ଲିଗ୍ ନାମରେ ଏକ ଅନୁଷ୍ଠାନ ଗଢ଼ି କମିସନଙ୍କୁ ସ୍ୱାଗତ କରିଥିଲେ । ସେମାନଙ୍କ ଯୁକ୍ତି ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ ଏହା ତ୍ୱରାନ୍ୱିତ କରିବ । ଅବଶ୍ୟ ମୁଷ୍ଟିମେୟ ଲୋକଙ୍କୁ ବାଦ ଦେଲେ ଏହି ଲିଗ୍ ନାମକ ସଂସ୍ଥାରେ କେହି ନଥିଲେ । ଏଭଳିକି ଲକ୍ଷ୍ମୀ ନାରାୟଣ ସାହୁ, ମଥୁରାନନ୍ଦ ମହାନ୍ତି, କୃତ୍ତିବାସ ନନ୍ଦ ଓ ଆନନ୍ଦ ଦାସ ଆଦି ନେତୃବୃନ୍ଦ, ଯେଉଁମାନେ ଆରମ୍ଭରୁ ଲିଗ୍ରେ ଥିଲେ, ପରେ ଲିଗ୍ରୁ ତ୍ୟାଗପତ୍ର ଦେଇ ସାଇମନ୍ କମିସନ୍ର ବିରୋଧ କରିଥିଲେ ।
୧୯୨୯ରେ କଂଗ୍ରେସର ଲାହୋର ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନପାଇଁ ନିଷ୍ପତ୍ତି ନିଆଗଲା । ସେ ଅନୁଯାୟୀ ଓଡ଼ିଶାରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲା । ୧୯୨୮ ଜୁନ୍ ୧୭ ତାରିଖରେ ଗୋପବନ୍ଧୁ ଦାସଙ୍କର ମାତ୍ର ୫୦ ବର୍ଷ ବୟସରେ ଦେହାନ୍ତ ହେବା ପରେ ଗୋପବନ୍ଧୁ ଚୌଧୁରୀ ଓଡ଼ିଶାରେ କଂଗ୍ରେସର ସଭାପତି ଅର୍ଥାତ୍ ସର୍ବୋଚ୍ଚ ନେତା ହେଲେ ।
୧୯୩୦ ଆଇନ୍ ଅମାନ୍ୟ ଆନ୍ଦୋଳନର ପ୍ରମୁଖ ଆକର୍ଷଣ ଥିଲା ଲବଣ ଆଇନକୁ ଉଲ୍ଲଙ୍ଘନ କରିବା । ମହାତ୍ମାଗାନ୍ଧୀ ୧୨ ମାର୍ଚ୍ଚ ୧୯୩୦ରେ ପ୍ରସିଦ୍ଧ ଦାଣ୍ଡିଯାତ୍ରା ଆରମ୍ଭ କରି ଏହାର ଶୁଭାରଂଭ କରିଥିଲେ । ୭୮ଜଣ ସହକର୍ମୀଙ୍କ ସହିତ ସେ ସାବରମତି ଆଶ୍ରମରୁ ପଦଯାତ୍ରା କରି ୩୭୫ କିଲୋମିଟର ଦୂର ସମୁଦ୍ର ତଟସ୍ଥିତ ଦାଣ୍ଡିରେ ପହଞ୍ଚିଲେ ଏବଂ ଆଇନ୍ ଅମାନ୍ୟ କରି ଲୁଣ ମାରିଲେ । ତାଙ୍କର ପଦଯାତ୍ରା ଓ ଆଇନ ଅମାନ୍ୟ ଦେଶର ଚାରିଆଡେ଼ ଉତ୍ସାହ ସୃଷ୍ଟି କଲା । ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତି ଅଭୂତପୂର୍ବ ଗଣ ସମର୍ଥନ ଦେଖିବାକୁ ମିଳିଲା । ଏହାର କାରଣ ଥିଲା ଓଡ଼ିଶାର ବିସ୍ତୃତ ସମୁଦ୍ର ତଟ । ସରକାରଙ୍କ ଲବଣ ନୀତିଯୋଗୁଁ ସ୍ଥାନୀୟ ଲୋକେ ଆଗ ଭଳି ଲୁଣ ମାରି ପାରୁ ନଥିଲେ । କଂଗ୍ରେସର ନୂଆ ଆନ୍ଦୋଳନ ଲୋକଙ୍କୁ ବିନା ଅପରାଧବୋଧରେ ଲୁଣ ମାରିବାନିମନ୍ତେ ସାହସ ଓ ସୁଯୋଗ ପ୍ରଦାନ କଲା । ଲୁଣ ମରା ବ୍ୟତୀତ ଆନ୍ଦୋଳନ; ବିଦେଶୀ ବସ୍ତ୍ର ବର୍ଜନ, ବ୍ରିଟିଶ୍ ପୋଲିସ ଓ ସରକାରଦ୍ୱାରା ଗ୍ରାମରେ ନିଯୁକ୍ତ ଚୌକିଦାର ପାଇଁ ଆଦାୟ ହେଉଥିବା ଟିକସକୁ ମଧ୍ୟ ବର୍ଜନ କରିବାକୁ ଆହ୍ୱାନ ଦେଲା ।
କଂଗ୍ରେସ କର୍ମୀ ସ୍ୱେଚ୍ଛାସେବୀ ସଂଗଠନ ଓ ବାନର ସେନା ଗଠନ କଲେ ଏବଂ ତା' ମାଧ୍ୟମରେ ବିଦେଶୀ ସାମଗ୍ରୀ ବିକ୍ରୀ ହେଉଥିବା ଦୋକାନଗୁଡ଼ିକ ଆଗରେ ପିକେଟିଂ କଲେ । ଗ୍ରାମେ ଗ୍ରାମେ ସଂକୀର୍ତ୍ତନ ଦଳମାନ ପୂର୍ଣ୍ଣ ସ୍ୱରାଜର ବାର୍ତ୍ତା ପ୍ରଚାର କଲେ । ସଂକୀର୍ତ୍ତନ ଦଳ ସାଧାରଣତଃ ମନ୍ଦିରମାନଙ୍କରୁ ବାହାରି ଶୋଭାଯାତ୍ରାରେ ଯାଉଥିଲେ । ଲବଣ ସତ୍ୟାଗ୍ରହରେ ଭାଗ ନେବାକୁ ଯାଉଥିବା ସତ୍ୟାଗ୍ରହୀମାନଙ୍କୁ ଉଦ୍ବୁଦ୍ଧ କରିବାଲାଗି ମନ୍ଦିରମାନଙ୍କରେ ପୂଜାର ଆୟୋଜନ କରାଯାଉଥିଲା । ଜଗନ୍ନାଥଙ୍କ ନାମରେ ଶପଥ ନେଇ ଲୋକେ ସତ୍ୟାଗ୍ରହରେ ଭାଗ ନେବାକୁ ଯାଉଥିଲେ । ଏହି ଦୃଷ୍ଟିରୁ ଦେଖିଲେ, ଓଡ଼ିଶାରେ ଆଇନ ଅମାନ୍ୟ ଏକ ରକମର ସାଂସ୍କୃତିକ ଆନ୍ଦୋଳନ ହେବାକୁ ପ୍ରୟାସ କରିଥିଲା । ଲୋକ ସ୍ତରରେ, ରାଜନୀତି ସ୍ଥାନୀୟ ଧର୍ମ ଓ ସଂସ୍କୃତି ସହ ଜଡ଼ିତ ହୋଇ ଯାଇଥିଲା ।
ଆଇନ ଅମାନ୍ୟ ସମୟରେ ଆନ୍ଦୋଳନ ବିବିଧ ରୂପ ନେଇଥିଲା । ସଂକୀର୍ତ୍ତନ ଦଳ ଖଦିର ପ୍ରସାର ଓ ନିଶା ନିବାରଣପାଇଁ ପ୍ରଚାର କାର୍ଯ୍ୟ କରୁଥିଲେ । ୧୪ ଜାନୁଆରି ୧୯୩୦ରେ କଲିକତାସ୍ଥ ଗୋବିନ୍ଦଚନ୍ଦ୍ର ସେନ ଅଂଚଳର ପ୍ରବାସୀ ଓଡ଼ିଆମାନେ 'ତ୍ରିନାଥ ମେଳା'ରେ ଗଂଜେଇ ସେବନକୁ ବାରଣ କରି ଆଇନ ଅମାନ୍ୟରେ ସହଭାଗୀ ହୋଇଥିଲେ । ଏହି ସମୟରେ କଟକରେ ଗଦାଧର ଦତ୍ତ ନାମକ ଜଣେ ଯୁବକ ବିବାହ ବେଳେ ଖଦି ବସ୍ତ୍ର ପିନ୍ଧିଥିଲେ ଏବଂ ମଣ୍ଡପକୁ ଖଦି ବସ୍ତ୍ରରେ ସଜେଇଥିଲେ । କଂଗ୍ରେସ ଓ ଜାତୀୟତା ସହ ନିଜକୁ ଯୋଡ଼ି ସେ ଯୌତୁକବିହୀନ ବିବାହ କରିଥିଲେ ।
ଗାନ୍ଧୀଙ୍କର ଦାଣ୍ଡିଯାତ୍ରା ସମୟରେ ବାଲେଶ୍ୱରର ଇଂଚୁଡ଼ିଠାରେ ଲୁଣ ମାରିବାକୁ ସ୍ଥିର କରାଗଲା । ଓଡ଼ିଶାର ବିଭିନ୍ନ ଅଂଚଳରୁ ସତ୍ୟାଗ୍ରହୀ ଇଂଚୁଡ଼ି ଅଭିମୁଖେ ଯାତ୍ରା କଲେ । ଇଂଚୁଡ଼ିର ଏହି ଲବଣ ସତ୍ୟାଗ୍ରହକୁ ସମ୍ବାଦପତ୍ରରେ 'ସତ୍ୟାଗ୍ରହ ଯୁଦ୍ଧ' ବୋଲି କୁହାଯାଉଥିଲା । ଲୋକେ କଂଗ୍ରେସର ସାହସ ପାଇ ସେଠାରେ ସରକାରୀ କର୍ମଚାରୀମାନଙ୍କୁ ଗୋଟେ ବୁନ୍ଦା ପାଣି ସୁଦ୍ଧା ପିଇବାକୁ ଦେବେ ନାହିଁ ବୋଲି କହୁଥିଲେ । କେତେକ ସ୍ଥାନରେ ଲୁଣରେ କାଚ ଓ କଣ୍ଟା ମିଶାଇ ଦିଆଯାଇଥିଲା । ପୋଲିସ୍ ଲୁଣକୁ ବାଜ୍ୟାପ୍ତ କଲେ ସେମାନଙ୍କ ହାତ ଏହାଦ୍ୱାରା କ୍ଷତାକ୍ତ ହେବ ବୋଲି ମନେ କରାଯାଉଥିଲା । ଇଂଚୁଡ଼ି ସତ୍ୟାଗ୍ରହରେ ସଂଗୃହୀତ ଲୁଣକୁ ଲୋକେ ଆଦରରେ ବଜାରରେ କିଣୁଥିଲେ ଏବଂ ଲୁଣ କିଣୁଥିବା ବ୍ୟକ୍ତିକୁ ପୋଲିସ୍ ଗିରଫ କଲେ ମିଳିମିଶି ତାକୁ ପୋଲିସ୍ କବଳରୁ ମୁକ୍ତ କରୁଥିଲେ । ଏହି ପ୍ରକ୍ରିୟାରେ ଲୁଣ ମାରିବା ପରି ଲୁଣ କିଣିବା ଏବଂ ପୋଲିସର ବିରୋଧ କରିବା, ଆଇନ ଅମାନ୍ୟ ଆନ୍ଦୋଳନର ପର୍ଯ୍ୟାୟଭୁକ୍ତ ହେଲା । ଲବଣ ସତ୍ୟାଗ୍ରହରେ ଭାଗ ନେଇଥିବା କର୍ମୀ ପରବର୍ତ୍ତୀ ସମୟରେ ଭାରତ ଛାଡ଼ ଆନ୍ଦୋଳନର ପ୍ରମୁଖ ନେତୃତ୍ୱ ନେଲେ । ଇଂଚୁଡ଼ି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ର ନାଥ ଦାସ ଆଦି କଂଗ୍ରେସ ନେତା । ଏଥିରେ ଶତାଧିକ ଲୋକ ଭାଗ ନେଇଥିଲେ । ଲୁଣ ମାରିବାର ପାରମ୍ପରିକ ଅଧିକାର ଫେରି ପାଇବା ଆଶାରେ ଅନେକ ସାଧାରଣ ଲୋକ ଏଥିରେ ସାମିଲ୍ ହେଲେ ଏବଂ ତା' ମାଧ୍ୟମରେ କଂଗ୍ରେସ ରାଜନୀତି ସହ ପରିଚିତ ହେଲେ । ଇଂଚୁଡ଼ି ଲବଣ ସତ୍ୟାଗ୍ରହରେ ରମାଦେବୀ ଓ ମାଳତୀଦେବୀଙ୍କ ନେତୃତ୍ୱରେ ଅନେକ ମହିଳାଙ୍କର ଅଂଶ ଗ୍ରହଣ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଥିଲା । ଜାତୀୟ ସଂଗ୍ରାମରେ ଏଣିକି ଅଧିକରୁ ଅଧିକ ମହିଳା ଭାଗନେଲେ । ଦ୍ୱିତୀୟତଃ, ମହିଳା ପୋଲିସର ଅଭାବରେ ସେମାନଙ୍କୁ ଗିରଫ କରାଯାଇ ପାରୁ ନଥିବାରୁ ମହିଳାମାନେ ଲୁଣ ମାରିବା, ଲୁଣ ବିକ୍ରୀ କରିବା ଆଦି ବିଭିନ୍ନ ଆଇନ ଅମାନ୍ୟ ସଂପର୍କିତ କାର୍ଯ୍ୟରେ ଅଧିକ ଉପଯୋଗୀ ପ୍ରମାଣିତ ହେଲେ । ଇଂଚୁଡ଼ି ବ୍ୟତୀତ କଟକର କୁଜଙ୍ଗ, ପୁରୀର କୁହୁଡ଼ି, ସିଂହେଶ୍ୱର ଓ ଲଟ୍ର ଏବଂ ଗଞ୍ଜାମ ଜିଲ୍ଲାର ହୁମାଠାରେ ଲବଣ ସତ୍ୟାଗ୍ରହ ଆୟୋଜିତ ହୋଇଥିଲା । ବର୍ଷାଋତୁ ଆରମ୍ଭ ପର୍ଯ୍ୟନ୍ତ ଲବଣ ସତ୍ୟାଗ୍ରହ ଅବ୍ୟାହତ ରହିଥିଲା । ସତ୍ୟାଗ୍ରହୀମାନେ ଶତାଧିକ ସଂଖ୍ୟାରେ ଗିରଫ ହେଲେ । ଲବଣ ସତ୍ୟାଗ୍ରହ, ବିଶେଷ କରି ଇଂଚୁଡ଼ି ଆନ୍ଦୋଳନଯୋଗୁଁ ସମଗ୍ର ଦେଶରେ ଓଡ଼ିଶା ଚର୍ଚ୍ଚାର ପରିସରକୁ ଆସିଲା । ଅନେକଙ୍କ ମତରେ ଦାଣ୍ଡି ପରେ ଇଂଚୁଡ଼ି ଥିଲା ଆଇନ ଅମାନ୍ୟ ସମୟର ସର୍ବବୃହତ୍ ଲବଣ ସତ୍ୟାଗ୍ରହ ।
ବର୍ଷା ଋତୁରେ ଲବଣ ସତ୍ୟାଗ୍ରହ ସ୍ଥଗିତ ହେଲା । ମାତ୍ର ଆନ୍ଦୋଳନକୁ ଅବ୍ୟାହତ ରଖିବା ନିମିତ୍ତ ଚୌକିଦାରୀ ଟିକସର ବିରୋଧକୁ ଏହି ସମୟରେ ମହତ୍ତ୍ୱ ଦିଆଗଲା । ଇଂରେଜମାନଙ୍କ ସମୟରେ ହିଁ ଲୋକଙ୍କ ଉପରେ ନୂଆକରି ଚୌକିଦାରୀ ଟିକସ ଲାଗୁ କରାଯାଇଥିଲା । ଟିକସ ନାମରେ ଏହି ବୋଝକୁ ଲୋକ ବିରୋଧ କରୁଥିଲେ । ଟିକସକୁ ବିରୋଧ କରିବା ପଛରେ ଅନ୍ୟ ଏକ କାରଣ ହେଲା ଯେ, ଚୌକିଦାରମାନେ ପୋଲିସ୍ ପ୍ରଶାସନପାଇଁ ଗ୍ରାମରେ ଗୁପ୍ତଚରର କାମ କରୁଥିଲେ ଏବଂ ସେମାନଙ୍କଯୋଗୁଁ ଅନେକ ସମୟରେ ବିନା କାରଣରେ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଥିଲା । ଆଇନ ଅମାନ୍ୟ ଆନ୍ଦୋଳନକୁ ଚଉକିଦାରୀ ଟିକସ ଉଚ୍ଛେଦ କରିବାଲାଗି ଏକ ଅବସର ମନେକରି ଲୋକ ଚାରିଆଡେ଼ ଏହି ଟିକସର ବିରୋଧ କଲେ । ବାଲେଶ୍ୱରର ଶ୍ରୀଜଙ୍ଗଠାରେ ଗ୍ରାମବାସୀ ଟିକସର ବିରୋଧ କରି ପୋଲିସ ଉପରେ ଆକ୍ରମଣ କରିଥିଲେ ।
ଆଇନ ଅମାନ୍ୟ ସମୟରେ କଟକରୁ ପ୍ରକାଶିତ 'ସମାଜ' ଓ ବାଲେଶ୍ୱରରୁ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ପ୍ରକାଶିତ 'ପ୍ରଜାତନ୍ତ୍ର' କଂଗ୍ରେସର ମୁଖପତ୍ର ଭଳି ସମାଚାରମାନ ପ୍ରକାଶ କରୁଥିଲେ । ଆନ୍ଦୋଳନ ବେଳେ ଏହି ଦୁଇ ପତ୍ରିକାକୁ ନିଷିଦ୍ଧ ଘୋଷଣା କରାଗଲା । ଏହି ସମୟରେ ଅନେକ କ୍ଷୁଦ୍ର ପୁସ୍ତିକା ମଧ୍ୟ କଂଗ୍ରେସର ବାର୍ତ୍ତା ପ୍ରଚାର କରୁଥିଲେ । 'ସ୍ୱରାଜ୍ୟ ପାଲା', 'ପଲାସୀ ଅବସାନେ', 'ବିଦ୍ରୋହ ବୀଣା', 'ବୀର ବିଦ୍ରୋହୀ', 'ଖଟାମିଠା ଚଟଣି, 'ଲୁଣମରା ଗୀତ' ଓ 'ଅରଟ ମହିମା' ଆଦି ହେଲେ ସେହି ଧରଣର କେତେକ ପୁସ୍ତିକା । ଏଗୁଡ଼ିକ ମଧ୍ୟରୁ ଅନେକେ ଇଂରେଜ ଶାସନ ପ୍ରତି ତୀବ୍ର ବ୍ୟଙ୍ଗ କରିବାକୁ ସାହସ କରିଥିଲେ ଏବଂ ଖୁବ୍ ଜନ ଆଦୃତି ମଧ୍ୟ ଲାଭ କରିଥିଲେ । ୧୯୩୦ରେ ଜାତୀୟ କଂଗ୍ରେସକୁ ସରକାର ବେଆଇନ୍ ଘୋଷଣା କଲେ । ଏହା ସହିତ କଂଗ୍ରେସ ଅଫିସ୍ ଓ ଆଶ୍ରମଗୁଡ଼ିକୁ ବାଜ୍ୟାପ୍ତ କରିନେଲେ ଏବଂ ସେଠାକାର କାଗଜପତ୍ରକୁ ନଷ୍ଟ କରିଦେଲେ । ବରୀରେ ସ୍ଥାପିତ ଆଶ୍ରମ, ସତ୍ୟବାଦୀ, ବାଲେଶ୍ୱରର 'ପ୍ରଜାତନ୍ତ୍ର' ଓ କଟକର 'ସମାଜ' ଅଫିସ୍ ପୋଲିସ ଆକ୍ରମଣର ଶିକାର ହେଲା । କଂଗ୍ରେସ ନିଷିଦ୍ଧ ଘୋଷଣା ହେବା ପରେ ବାଲେଶ୍ୱରର ଫରାସୀ ଡିଙ୍ଗାରୁ କଂଗ୍ରେସ କର୍ମୀମାନେ ଆନ୍ଦୋଳନକୁ ସଂଯୋଜନା କଲେ । ଫରାସୀ ଡିଙ୍ଗା ଥିଲା ଫରାସୀ ଶାସନାଧୀନ ଏବଂ ସେଠାରେ ବ୍ରିଟିଶର ପ୍ରବେଶ ନଥିଲା । କଂଗ୍ରେସ କର୍ମୀମାନେ ବାଲେଶ୍ୱର ଅଞ୍ଚଳରେ ସଭା ସମିତି ଆୟୋଜନ କରି ପୋଲିସଠାରୁ ରକ୍ଷାପାଇବାପାଇଁ ଫରାସୀ ଡିଙ୍ଗାକୁ ଚାଲି ଯାଉଥିଲେ । ଫରାସୀ ଡିଙ୍ଗାରୁ 'ରଣଭେରି' ନାମକ ଏକ ପୁସ୍ତିକା ପ୍ରକାଶିତ ହୋଇ ତହିଁରେ ଆନ୍ଦୋଳନର ଅଗ୍ରଗତି ସମ୍ବନ୍ଧରେ ନିୟମିତ ସୂଚନା ଦିଆଯାଉଥିଲା । 'ରଣଭେରୀ' ପୋଲିସ ଅତ୍ୟାଚାରର କାହାଣୀ ପ୍ରକାଶନ କରି ସରକାରଙ୍କ ଜନବିରୋଧୀ ରୂପକୁ ଦର୍ଶାଉଥିଲା ।
୧୯୩୧ ମାର୍ଚ୍ଚ ମାସରେ ଗାନ୍ଧୀ ଓ ବଡ଼ଲାଟ ଇରଓ୍ୱିନ୍ଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା । ଚୁକ୍ତି ଅନୁଯାୟୀ ରାଜନୈତିକ ବନ୍ଦୀମାନଙ୍କୁ ଜେଲରୁ ଖଲାସ କରି ଦିଆଗଲା । ଏହାକୁ ଲୋକେ ଗାନ୍ଧୀଙ୍କର ବିଜୟ ବୋଲି ମନେକଲେ । ପୋଲିସକୁ ଗ୍ରାମ ଛାଡ଼ି ଚାଲିଯିବାକୁ ଦାବିକରି ବାଲେଶ୍ୱରର ଶ୍ରୀଜଙ୍ଗଠାରେ ଲୋକେ ଥାନା ଉପରେ ଆକ୍ରମଣ କଲେ । ସାହସର ସହିତ ସେମାନେ ଲୁଣ ମଧ୍ୟ ମାରିଲେ । କେତେକ ସ୍ଥାନରେ ଚୌକିଦାରର ପୋଷାକକୁ କାଢ଼ି ଖଦି ପିନ୍ଧାଇ ଦେଲେ । ଡାକବାକ୍ସ ଓ ରେଭି୍ୟୁ ଅଫିସ୍ ଉପରେ ମଧ୍ୟ ଆକ୍ରମଣ ଦେଖିବାକୁ ମିଳିଲା ।
୧୯୩୧ରେ ଗାନ୍ଧୀ-ଇରଓ୍ୱିନ୍ଙ୍କ ଚୁକ୍ତି ପରେ ଆଇନ୍ ଅମାନ୍ୟ ଆନ୍ଦୋଳନର ତୀବ୍ରତା ଊଣା ହେଲା । ଏହି ସମୟରେ ରଚନାତ୍ମକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଗଲା । ଆଶ୍ରମ, ସେବାଦଳ, ସ୍ୱେଚ୍ଛାସେବୀ ସଂଗଠନ ଆଦିର ଗଠନ, ଖଦିର ପ୍ରଚାର-ପ୍ରସାର, ଜାତୀୟ ବିଦ୍ୟାଳୟ ସ୍ଥାପନ, ଅସ୍ପୃଶ୍ୟତା ଓ ନିଶା ବିରୁଦ୍ଧରେ ଆନ୍ଦୋଳନ, ନାରୀମୁକ୍ତି ଓ ବିଦେଶୀ ବସ୍ତ୍ର ବର୍ଜନ ଉପରେ କଂଗ୍ରେସ ଲୋକ ଗୁରୁତ୍ୱ ଦେଲେ । ୧୯୩୧ ଅଗଷ୍ଟ ୧ ତାରିଖରେ କୁନ୍ତଳା କୁମାରୀ ସାବତଙ୍କ ସଭାପତିତ୍ୱରେ ବାଲେଶ୍ୱରରେ ଏକ ନାରୀ କର୍ମୀମଣ୍ଡଳ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବକ୍ତାମାନେ ପର୍ଦ୍ଦା ଓ ଅସ୍ପୃଶ୍ୟତା ପରିତ୍ୟାଗ କରି ନାରୀମାନଙ୍କୁ କଂଗ୍ରେସରେ ଯୋଗ ଦେବାକୁ ପରାମର୍ଶ ଦେଲେ । ଦେଶର ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶରେ ଖାନ୍ ଅବଦୁଲ୍ ଗଫର ଖାନ୍ଙ୍କ ନେତୃତ୍ୱରେ ଏହି ସମୟରେ 'ରେଡ଼୍ ସାର୍ଟ' ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଏହାର ପ୍ରଭାବରେ ଗୋପବନ୍ଧୁ ଚୌଧୁରୀ ଓ ସୁରେନ୍ଦ୍ରାଥ ଦାସଙ୍କ ନେତୃତ୍ୱରେ ବାଲେଶ୍ୱରରେ 'ଲାଲ୍ ପାଇକ ବାହିନୀ' ଗଠନ କରାଯାଇଥିଲା । ବାହିନୀର ସଦସ୍ୟମାନେ ନାଲି ସାର୍ଟ ଓ ଗାନ୍ଧୀ ଟୋପି ପରିଧାନ କରୁଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକ ବେଳେ ଲୋକଙ୍କୁ ସେବା ପ୍ରଦାନ କରିବା ବାହିନୀର ଲକ୍ଷ୍ୟ ବୋଲି କୁହାଯାଉଥିଲା । ମାତ୍ର ସରକାରର ସନ୍ଦେହ, ଏହା ଇଂରେଜ ସାମରିକ ବାହିନୀର ସମାନ୍ତରାଳ ଦଳ । ୧୯୩୦ ସେପ୍ଟେମ୍ବରରେ କଟକଠାରେ 'ଗୋପବନ୍ଧୁ ସେବକ ବାହିନୀ' ଗଠନ କରି ତା' ମାଧ୍ୟମରେ କର୍ମୀମାନଙ୍କୁ ତାଲିମ ଦିଆଯାଉଥିଲା । ଏଭଳି ଏକ ତାଲିମ ଶିବିରରେ କଟକରେ ୧୯ଜଣ ପୁରୁଷ ଓ ୨ ଜଣ ମହିଳା କର୍ମୀ ପ୍ରଶିକ୍ଷଣ ପାଇଥିବାର ସଂବାଦ ପ୍ରକାଶିତ ହୋଇଥିଲା । ପୁରୀ ଓ ବାଲେଶ୍ୱରରେ ମଧ୍ୟ ଏହି ଧରଣର ତାଲିମ ଶିବିର ଆରମ୍ଭ ହୋଇଥିଲା ଯାହାକୁ ସରକାର ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ।
ଅସ୍ପୃଶ୍ୟତା ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନର ପ୍ରଭାବରେ ଅଗଷ୍ଟ ୧୯୩୨ରେ କଟକ ମ୍ୟୁନିସିପାଲିଟିରେ କାର୍ଯ୍ୟ କରୁଥିବା ମେହେନ୍ତରମାନେ ସେମାନଙ୍କ ଦାବି ପୂରଣପାଇଁ ଧର୍ମଘଟ କରିଥିଲେ । ଦାବିଗୁଡ଼ିକ ମଧ୍ୟରେ କାର୍ଯ୍ୟରୁ ନିଲମ୍ବିତ ମେହେନ୍ତରଙ୍କ ବାହାଲି, ସ୍ତ୍ରୀ ମେହେନ୍ତରମାନଙ୍କୁ ଗୃହଯୋଗାଣ ଓ ମାସିକ ଭତ୍ତାରୁ କଟାଯାଉଥିବା ଏକ ଟଙ୍କା ବ୍ୟବସ୍ଥାକୁ ବନ୍ଦ କରିବା ଆଦି ସାମିଲ୍ ଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧର୍ମଘଟ ଅବ୍ୟାହତ ରହିବ ବୋଲି ମେହେନ୍ତରମାନେ ଘୋଷଣା କରିଥିଲେ ।
୧୯୩୪ ବେଳକୁ ଆଇନ ଅମାନ୍ୟ ଆନ୍ଦୋଳନ ସଂପୂର୍ଣ୍ଣ ଭାବେ ଶିଥିଳ ପଡ଼ିଗଲା । ଗାନ୍ଧୀ ବା ଅନ୍ୟ କଂଗ୍ରେସ ନେତା ଏହାକୁ ପ୍ରତ୍ୟାହାର କରିନେବାକୁ କୌଣସି ନିଷ୍ପତ୍ତି ନେଇ ନଥିଲେ । ତା' ସତ୍ତ୍ୱେ ଆନ୍ଦୋଳନ ଆପେ ଆପେ ଶିଥିଳ ହୋଇଗଲା । ମାତ୍ର ୧୯୪୨ର 'ଭାରତ ଛାଡ଼' ଭଳି ଏକ ବୃହତ୍ତର ଆନ୍ଦୋଳନଲାଗି ପ୍ରସ୍ତୁତ ହେବାପାଇଁ ଏହା ଏକ ଅବସର ପ୍ରଦାନ କଲା । ଏହି ସମୟରେ ଗାନ୍ଧିଜୀ 'ହରିଜନ'ମାନଙ୍କର ମନ୍ଦିରରେ ପ୍ରବେଶ ଦାବିକରି ପଦଯାତ୍ରା ଆରମ୍ଭ କଲେ । ସେ ଓଡ଼ିଶାରେ ମଧ୍ୟ 'ହରିଜନ ଯାତ୍ରା' କରିଥିଲେ ।
୧୯୩୮ ସେପ୍ଟେମ୍ବରରେ ନବରଂଗପୁରରେ ଦଳିତ ବା 'ହରିଜନ'ମାନେ ମନ୍ଦିର ପ୍ରବେଶପାଇଁ ଉଦ୍ୟମ କଲେ । ଅନୁଗୁଳର କାଂଗୁଲା ଓ ପୋକଚୁଂଗା ଗ୍ରାମରେ ହରିଜନମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରବେଶ କଲେ । ଏଥିରେ ସବର୍ଣ୍ଣ କଂଗ୍ରେସ କର୍ମୀଙ୍କର ସହଯୋଗ ରହିଥିଲା । ୧୯୩୭ରେ ପ୍ରାଦେଶିକ ସ୍ତରରେ ଗଠିତ କଂଗ୍ରେସ ସରକାର ମଧ୍ୟ ଏହି ପ୍ରକାର ରାଜନୈତିକ ଆନ୍ଦୋଳନକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିଲେ । 'ହରିଜନ' ଓ ସବର୍ଣ୍ଣ କଂଗ୍ରେସ କର୍ମୀମାନେ ସାଧାରଣତଃ କଂଗ୍ରେସ ପତାକା ହାତରେ ଧରି ଓ ଦେଶାତ୍ମବୋଧକ ସଂଗୀତ ଗାନ କରି ମନ୍ଦିରରେ ପ୍ରବେଶ କରୁଥିଲେ । ଏହା ତତ୍କାଳୀନ ଅନ୍ୟ ମନ୍ଦିର ସତ୍ୟାଗ୍ରହଗୁଡ଼ିକରେ ମଧ୍ୟ ପରିଲକ୍ଷିତ ହୋଇଥିଲା । କୋରାପୁଟର ଶିବରଂଗପୁରରେ କଂଗ୍ରେସ କର୍ମୀମାନେ ଏହି ସମୟରେ ଆଦିବାସୀ ସମାଜରେ ସଂସ୍କାର ଆଣିବାପାଇଁ ଏକ ପୁସ୍ତିକା ବିତରଣ କରୁଥିଲେ । ପୁସ୍ତିକା ସ୍ଥାନୀୟ ସ୍ତରରେ ପ୍ରକାଶିତ ହୋଇଥିଲା । ଏଥିରେ ଆଦିବାସୀମାନଙ୍କୁ କେତେକ ପରାମର୍ଶ ଦିଆଯାଇଥିଲା । ତହିଁରେ ଭଗବାନଙ୍କୁ ସର୍ବଦା ସ୍ମରଣ କରି ପରର ମଙ୍ଗଳ ମନାସିବା, ପ୍ରାତଃକାଳରେ ସ୍ନାନ କରିବା, ଅଂଗାରରେ ଦାନ୍ତ ସଫା କରିବା ତଥା ପରିଷ୍କାର ଭାବେ ଶୌଚ ହେବା, କଂଗ୍ରେସର ପରାମର୍ଶ ଅନୁଯାୟୀ ଖଦି ବସ୍ତ୍ର ପିନ୍ଧିବା, ଅନ୍ୟର ଜମିରେ ବଳପୂର୍ବକ ଫସଲ ନ କରିବା, କଂଗ୍ରେସ ସଦସ୍ୟତା ଗ୍ରହଣ କରି ତାକୁ ପ୍ରତିବର୍ଷ ନବୀକରଣ କରିବା, ମଦ ଅଫିମ ତ୍ୟାଗ କରିବା ଏବଂ ପର୍ବପର୍ବାଣିରେ ଗାଈ, ମଇଁଷିଙ୍କୁ ବଳି ନଦେଇ ସେମାନଙ୍କୁ ପୂଜା କରିବାପାଇଁ କୁହାଯାଇ ଥିଲା । ଏଥିରୁ ଜଣାଯାଏ ଯେ, ହିନ୍ଦୁ କଂଗ୍ରେସକର୍ମୀ ନିଜ ସ୍ତରରେ ଆଦିବାସୀ ସମାଜରେ କଂଗ୍ରେସ ମାଧ୍ୟମରେ ନିଜ ରୀତି ନୀତିକୁ ପ୍ରବର୍ତ୍ତନ କରିବାକୁ ଉଦ୍ୟମ କରୁଥିଲେ । ସେମାନେ ଚାହୁଁ ନଥିଲେ ଯେ, ଆଦିବାସୀ ତା' ନିଜ ଜୀବନଶୈଳୀରେ ରହୁ । ଅର୍ଥାତ୍ ଉପନିବେଶବାଦର ବିରୋଧ ସହିତ ଆଦିବାସୀକୁ ତା' ନିଜ ଜୀବନ ଶୈଳୀକୁ ପରିହାର କରିବାକୁ ମଧ୍ୟ କୁହାଯାଉଥିଲା । ପ୍ରାଦେଶିକ କଂଗ୍ରେସ କମିଟି ତରଫରୁ ଏ ନେଇ କୌଣସି ଲିଖିତ ନିର୍ଦେଶ ଯଦିଓ ନଥିଲା, ଏ ପ୍ରକାର ସ୍ଥାନୀୟ ଉଦ୍ୟମକୁ ବିରୋଧ ନ କରିବାଦ୍ୱାରା କମିଟି ଯେ ତାକୁ ପରୋକ୍ଷ ସମର୍ଥ ଜ୍ଞାପନ କରୁଥିଲା- ଏହା ଅନୁମାନ କରିହୁଏ ।
୧୯୩୬ ଏପ୍ରିଲ୍ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା ସେତେବେଳକୁ ଭାରତ ସରକାର ଆଇନ-୧୯୩୫ ପ୍ରଣୀତ ହୋଇଥାଏ । ଏହି ଆଇନ ଅନୁସାରେ ୧୯୩୭ ଫେବ୍ରୁଆରି ମାସରେ ପ୍ରଦେଶଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେଲା । କଂଗ୍ରେସ ୧୯୩୫ ଆଇନର ବିରୋଧ କରୁଥିଲା । କାରଣ ଏହା ଲୋକଙ୍କ ହାତକୁ କ୍ଷମତା ହସ୍ତାନ୍ତର କରିବାଲାଗି ଉଦ୍ଦିଷ୍ଟ ନଥିଲା । ଏହା ସତ୍ତ୍ୱେ କଂଗ୍ରେସ ନିର୍ବାଚନରେ ଭାଗନେଲା । ଗାନ୍ଧିଜୀ ନିର୍ବାଚନରେ ପ୍ରଚାରପାଇଁ ସୁଦ୍ଧା ଯାଇ ନଥିଲେ । ନିର୍ବାଚନରେ ଅଧିକାଂଶ ପ୍ରଦେଶରେ କଂଗ୍ରେସକୁ ବିପୁଳ ସଫଳତା ପ୍ରାପ୍ତ ହେଲା । ଓଡ଼ିଶାରେ ମଧ୍ୟ କଂଗ୍ରେସ ଜୟ ଲାଭ କଲା । ଜୁଲାଇ ୧୯୩୭ରେ ଓଡ଼ିଶାରେ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଢ଼ିଲା ( ଏ ସଂପର୍କରେ ପରେ ଆଲୋଚନା ରହିଛି ) । କଂଗ୍ରେସର ମନ୍ତ୍ରିମଣ୍ଡଳ ଗଠନ ପରେ ଲୋକଙ୍କର କଂଗ୍ରେସଠାରୁ ଆଶା ବୃଦ୍ଧିପାଇଲା, ଲୋକ ନିର୍ଭୟ ଭାବନେଇ କଂଗ୍ରେସ କାର୍ଯ୍ୟକ୍ରମରେ ଭାଗ ନେଲେ । ୧୯୩୮ରେ କଂଗ୍ରେସ ପକ୍ଷରୁ ଆୟୋଜିତ କର୍ମୀ ପ୍ରଶିକ୍ଷଣ ଶିବିରକୁ ନିରୀକ୍ଷଣ କଲେ, ଏହା ସହଜରେ ଅନୁମିତ ହୁଏ ।
୧୯୩୮ରେ ଓଡ଼ିଶାର ବିଭିନ୍ନ ସ୍ଥାନରେ କର୍ମୀ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଗଲା । ସେହି ବର୍ଷ ନଭେମ୍ବର ମାସରେ କୋରାପୁଟର ଜୟପୁର ନିକଟବର୍ତ୍ତୀ ନୂଆପୁଟଠାରେ ୩୦୦ କର୍ମୀଙ୍କର ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଲା । ଶିବିରରେ ବ୍ୟାୟାମ, ହସ୍ତତନ୍ତ, ଖଦି ପ୍ରସାର, ଅସ୍ପୃଶ୍ୟତା ନିବାରଣ, ହୋମିଓପାଥି ଓ ପ୍ରାକୃତିକ ଚିକିତ୍ସା ତଥା ଗୋପାଳନ ବିଷୟରେ ବିଶେଷ ଚର୍ଚ୍ଚା ହୋଇଥିଲା । ଶିବିରାର୍ଥୀମାନେ ଜାତିଭେଦ ନମାନି ମିଳିମିଶି ଚଳୁଥିଲେ ବୋଲି ପରେ କେତେକ ସବର୍ଣ୍ଣ ଶିବିରାର୍ଥୀ ନିଜ ଗ୍ରାମରେ ସାମାଜିକ ବାସନ୍ଦର ଶିକାର ହୋଇଥିବା ସମାଚାର ପ୍ରକାଶ ପାଇଥିଲା । କଟକର ଅହିୟାସ ଗ୍ରାମରେ ଆୟୋଜିତ ଏକ କର୍ମୀ ପ୍ରଶିକ୍ଷଣ ଶିବିରରେ ନବକୃଷ୍ଣ ଚୌଧୁରୀ ସଂଯୋଜକର ଭୂମିକା ନେଇଥିଲେ । ଏଥିରେ ବିଶ୍ୱ ଇତିହାସ, ଭୂଗୋଳ, ସାମ୍ରାଜ୍ୟବାଦୀ ଶୋଷଣ, ୧୮୫୭ ଗଣସଂଗ୍ରାମ, ତିଳକ, ଗାନ୍ଧୀ, ନେହେରୁ ତଥା ମାର୍କସଙ୍କ ବିଚାର ଉପରେ ବିଶଦ ଆଲୋଚନା କରାଯାଇଥିଲା । ଶିବିରରେ ବିଭିନ୍ନ ଇଂରାଜୀ ଓ ଓଡ଼ିଆ ସଂବାଦପତ୍ର ମଧ୍ୟ ପାଠ କରାଯାଇଥିଲା । ଗଣ ଆନ୍ଦୋଳନପାଇଁ ଏହି ଧରଣର ରାଜନୈତିକୀକରଣର ବିଶେଷ ଆବଶ୍ୟକତା ରହିଥିବା କଥା ନେତୃତ୍ୱ ଅନୁଭବ କରୁଥିଲେ । ଖୋର୍ଦ୍ଧା ନିକଟବର୍ତ୍ତୀ ବାଂକୋଳଠାରେ ଆୟୋଜିତ ଏକ ଶିବିରରେ ନୟାଗଡ଼ ଓ ଦଶପଲ୍ଲା ଗଡ଼ଜାତରୁ ମଧ୍ୟ କିଛି ଲୋକ ଆସି ଭାଗ ନେଇଥିଲେ । ଏହାର ପରିଚାଳନା ଭାର ଭଗବତୀ ଚରଣ ପାଣିଗ୍ରାହୀ, ନବକୃଷ୍ଣ ଚୌଧୁରୀ ଓ ମୋହନ ଦାସ ଆଦି ଯୁବ ନେତାଙ୍କ ହାତରେ ରହିଥିଲା । ବାଲେଶ୍ୱରର ସୋର ଓ ଭୋଗରାଇ, ଖୋର୍ଦ୍ଧାର ଜଙ୍କିଆ ଓ ସମ୍ବଲପୁରର ବରଗଡ଼ଠାରେ ମଧ୍ୟ ୧୯୩୭ରୁ ୧୯୪୦ ମଧ୍ୟରେ କୃଷକ ଓ ଯୁବକ ଶିବିରମାନ ଆୟୋଜିତ ହୋଇଥିଲା । ଏକ ସ୍ୱେଚ୍ଛାସେବୀ ବର୍ଗ ଗଠନ କରି ତାହାରି ମାଧ୍ୟମରେ ବିଭିନ୍ନ ସାମାଜିକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ କଂଗ୍ରେସ ପ୍ରୟାସ କରୁଥିଲା । ଏହିସବୁ ପ୍ରଶିକ୍ଷଣ ଶିବିର ପଛରେ ମୁଖ୍ୟତଃ କଂଗ୍ରେସ ଭିତରେ ଥିବା ପ୍ରଗତିଶୀଳ ଯୁବଗୋଷ୍ଠୀର (କମ୍ୟୁନିଷ୍ଟ ଓ ସୋସିଆଲିଷ୍ଟ) ପ୍ରମୁଖ ଭୂମିକା ରହିଥିଲା । ସ୍ଥାନୀୟ ସହଯୋଗରେ ଅଳ୍ପ ଖର୍ଚ୍ଚରେ ସେମାନେ ଶିବିର ପରିଚାଳନା କରୁଥିଲେ । ପ୍ରାଦେଶିକ ସ୍ତରରେ କଂଗ୍ରେସ ସରକାର ରହିଥିବାରୁ ପୋଲିସ ସେମାନଙ୍କପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ଅଥବା ଶିବିରାର୍ଥୀମାନଙ୍କୁ ଧମକ ଚମକ ଦେଉ ନଥିଲା । ପୋଲିସ ଓ କର୍ତ୍ତୃପକ୍ଷଙ୍କ ନିରପେକ୍ଷତାଯୋଗୁଁ ଲୋକେ ନିର୍ଭୟରେ ଶିବିରରେ ଯୋଗଦେଇ ପାରୁଥିଲେ । କେତେକ କ୍ଷେତ୍ରରେ ଗଡ଼ଜାତରୁ ମଧ୍ୟ ପ୍ରଜା ଆସି ଶିବିରରେ ଯୋଗ ଦେଉଥିଲେ ।
ଏହିସବୁ ପ୍ରଶିକ୍ଷଣ ଆୟୋଜନ ପଛରେ ସଂଭାବିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟ ଏକ ପ୍ରମୁଖ କାରଣ ଥିଲା । ଜାପାନ ଫାସୀବାଦୀ ଶକ୍ତି ଜର୍ମାନୀ ଓ ଇଟାଲୀ ସହିତ ଯୋଗ ଦେବା ପରେ ଭାରତ ଏବଂ ବିଶେଷକରି ପୂର୍ବତଟରେ ଅବସ୍ଥିତ ଓଡ଼ିଶା ଭଳି ରାଜ୍ୟପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆଉ ଦୂର ଘଟଣା ହୋଇ ରହିଲା ନାହିଁ । ୧୯୩୯ ସେପ୍ଟେମ୍ବରରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ପରେ ଜାପାନ ପୂର୍ବତଟ ଦେଇ ଭାରତ ଆକ୍ରମଣ କରିପାରେ ବୋଲି ଆଶଙ୍କା ସୃଷ୍ଟି ହେଲା । ଉଭୟ ଇଂରେଜ ସରକାର ଓ ଭାରତର ଜାତୀୟତାବାଦୀ ନେତୃବୃନ୍ଦ ତୀବ୍ର ରୂପରେ ଫାସୀବାଦ ବିରୋଧୀ ଥିଲେ । ତେଣୁ ପ୍ରଶିକ୍ଷିଣ ଶିବିରରେ ଏକ ସ୍ୱେଚ୍ଛାସେବୀ ବର୍ଗ ନିର୍ମାଣ କରି ପାରିଲେ, ଆବଶ୍ୟକ ପଡ଼ିଲେ ତାହା ସମସ୍ୟାର ଯତ୍କିଞ୍ଚିତ୍ ମୁକାବିଲା କରିପାରିବ ବୋଲି ଆଶା ରହିଥିଲା । ଏହି କାରଣରୁ ପ୍ରତ୍ୟେକ ପ୍ରଶିକ୍ଷଣ ଶିବିରରେ ବିଶ୍ୱ ଇତିହାସ ଓ ବିଶ୍ୱଯୁଦ୍ଧ ଉପରେ ଆଲୋଚନା ହେଉଥିଲା । ସାଧାରଣତଃ କମ୍ୟୁନିଷ୍ଟ ଓ ସୋସିଆଲିଷ୍ଟ ବିଚାରରେ ବିଶ୍ୱାସ କରୁଥିବା ନେତା (ଯଥା: ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ମୋହନ ଦାସ ଆଦି) ଆଲୋଚନାକୁ ସଂଯୋଜନା କରୁଥିଲେ । ସ୍ୱେଚ୍ଛାସେବୀ ବର୍ଗ ପୋଲିସ୍ ଓ ଜମିଦାରମାନଙ୍କର ଯଥେଚ୍ଛାଚାରରୁ ମଧ୍ୟ ଲୋକଙ୍କୁ ସୁରକ୍ଷା ଦେବାରେ ସହାୟକ ହୋଇଥିଲା । ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ଭାରତର ଇଂରେଜ ସରକାର କଂଗ୍ରେସର ବିନା ସହମତିରେ ଭାରତକୁ ତହିଁରେ ପକ୍ଷଭୁକ୍ତ କଲେ । ଏହାର ପ୍ରତିବାଦ କରି ପ୍ରାଦେଶିକ କଂଗ୍ରେସ ସରକାରମାନେ ସରକାରରୁ ଓହରିଗଲେ । ଓଡ଼ିଶାରେ ବିଶ୍ୱନାଥ ଦାସ ସରକାର ମଧ୍ୟ ଇସ୍ତଫା ଦେଲେ । ପୁଣିଥରେ କଂଗ୍ରେସ ଓ ସରକାର ମଧ୍ୟରେ ଛକାପଂଝା ଚାଲିଲା । ଏହି ସମୟରେ (୧୯୪୦ରେ) କଂଗ୍ରେସ ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କଲା । ଏହା ଗଣ ଆନ୍ଦୋଳନ ନଥିଲା । କାରଣ ଫାସୀବାଦୀ ବିରୋଧୀ କଂଗ୍ରେସ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ସରକାର ଆଗରେ ବେଶି ସମସ୍ୟା ସୃଷ୍ଟି କରିବାକୁ ଇଚ୍ଛା କରୁ ନଥିଲା । କଂଗ୍ରେସ ନେତୃବୃନ୍ଦ ଯୁଦ୍ଧର ବିରୋଧ କରିବାପାଇଁ ଲୋକଙ୍କୁ ସଭାସମିତି ମାଧ୍ୟମରେ ବୁଝାଇଲେ । ସରକାର ଲୋକଙ୍କ ପାଖରୁ ଯୁଦ୍ଧ ପାଣ୍ଠି ସଂଗ୍ରହ କରୁଥିଲେ । ଗଡ଼ଜାତ ରାଜାମାନଙ୍କ ସାହାଯ୍ୟରେ ଯୁଦ୍ଧପାଇଁ ମଜୁରିଆ ମଧ୍ୟ ସଂଗ୍ରହ କରାଯାଉଥିଲା । କଂଗ୍ରେସ ଲୋକ ଏହାର ବିରୋଧ କଲେ ।
ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରଠାରେ 'ରଣଭେରୀ' ପତ୍ରିକା ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା । ତହିଁରେ ସରକାରକୁ ଖଜଣା ନଦେବା ସକାଶେ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିରେ ଯୁବକମାନଙ୍କୁ 'ଯୁବ ଶାନ୍ତି ସେନା' ଗଠନ କରିବାକୁ ଏବଂ ନାଲି ପଗଡ଼ି ପିନ୍ଧି ପୋଲିସର ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱ ନିର୍ବାହ କରିବାକୁ ମଧ୍ୟ କୁହାଯାଇଥିଲା ।
ଏହି ସମୟରେ ସରକାର ଓ ପୋଲିସ ପ୍ରତି ଲୋକଙ୍କ ମନରେ ଏକ ପ୍ରକାର ନିଡ଼ର ଭାବ ଜାତ ହୋଇଥିବାର ଅନେକ ପ୍ରମାଣ ମିଳେ । ଜଳେଶ୍ୱରରେ ନକୁଳ ଶତପଥୀ ନାମକ ଜଣେ ଯୁବକ ହାଟ ମଝିରେ ଏକ ଯୁଦ୍ଧ ବିରୋଧୀ ପ୍ରଚାରପତ୍ର ଲଗାଇ ବକ୍ତୃତା ଦେବା ସମୟରେ ପୋଲିସ ହାତରେ ଗିରଫ ହେଲେ । ପୋଲିସ ପଚାରିବାରୁ ସେ ନିଜ ଠିକଣା 'ଭାରତ' ବୋଲି ଉତ୍ତର ଦେଇଥିଲେ । ଭଦ୍ରକ ଅଗରପଡ଼ା ହାଇସ୍କୁଲ୍ର ଜଣେ ଛାତ୍ର ଯତୀନ୍ଦ୍ର ମୋହନ ମହାପାତ୍ର 'ଚଷାଭାଇ' ଶୀର୍ଷକ ଏକ ଗୀତ ପୁସ୍ତିକା ଲେଖି ତହିଁରେ ଇଂରେଜ ସରକାରର ଆର୍ଥିକ ଶୋଷଣ ସମ୍ବନ୍ଧରେ ଆଲୋଚନା କରିଥିଲେ । ଲୋକ ନିର୍ଭୟରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ସ୍ୱଦେଶୀ, ଅସହଯୋଗ, ଅସ୍ପୃଶ୍ୟତା ଓ ନିଶା ନିବାରଣ, ସାକ୍ଷରତା ଅଭିଯାନରେ ସାମିଲ ହୁଅନ୍ତୁ ବୋଲି ସେ ପୁସ୍ତିକାରେ ଆହ୍ୱାନ କରିଥିଲେ । କଂଗ୍ରେସ ସହିତ ସମ୍ବନ୍ଧ ଅତୁଟ ରଖିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ଓ ଜମିଦାରମାନଙ୍କୁ ଚାଷୀଶୋଷଣ ବନ୍ଦ କରିବାକୁ ସତର୍କ କରି ଦିଆଗଲା । ପୋଲିସ ପୁସ୍ତିକାକୁ ବାଜ୍ୟାପ୍ତ କରିଥିଲେ । ସତ୍ୟାଗ୍ରହୀମାନେ ହାଟ, ମନ୍ଦିର ଆଦି ସର୍ବ ସାଧାରଣ ସ୍ଥାନରେ ନିର୍ଭୀକ ଭାବରେ ଲିଖିତ ଭାଷଣମାନ ପଢ଼ୁଥିଲେ । ତହିଁରେ ଲୋକଙ୍କୁ କୌଣସି ମତେ ଯୁଦ୍ଧପାଇଁ ଆର୍ଥିକ ସହାୟତା ନ କରିବାକୁ ପରାମର୍ଶ ଦିଆଯାଇଥିଲା । ଯୁଦ୍ଧକୁ କୌଣସି ପ୍ରକାର ସହଯୋଗ ନଦେବାକୁ ମହାତ୍ମାଗାନ୍ଧୀଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି ବୋଲି ମଧ୍ୟ ପ୍ରଚାର କରାଯାଇଥିଲା । ଯୁଦ୍ଧରେ ବୋମାମାଡ଼ ହେଲେ ଗାନ୍ଧିଜୀ ସରକାରଙ୍କୁ ଗାଦିଚ୍ୟୁତ କରିବେ ବୋଲି ମଧ୍ୟ କେତେକ ସ୍ଥାନରେ ପ୍ରଚାର ହୋଇଥିଲା । ଇଂରେଜ ସରକାର ଅପେକ୍ଷା ଗାନ୍ଧିଜୀ ଅଧିକ ଶକ୍ତିଶାଳୀ, ଏହି ଧାରଣା ଲୋକଙ୍କୁ ଅଧିକ ଭୟଶୂନ୍ୟ କରିଥିଲା । କୋରାପୁଟରେ ରାଧାକୃଷ୍ଣ ବିଶ୍ୱାସରାୟ ଏକ ସଭାରେ ଲୋକଙ୍କୁ କହିଥିଲେ, "ପୂର୍ବରୁ ହୁଏତ ଆମ୍ଭେମାନେ ମେଣ୍ଢା ଥିଲେ, କିନ୍ତୁ ବର୍ତ୍ତମାନ ଆମେ ମଣିଷ । ତେଣୁ ବଳପୂର୍ବକ କୌଣସି ସରକାର ଆମକୁ ଯୁଦ୍ଧରେ ସାମିଲ ହେବାପାଇଁ ବାଧ୍ୟ କରିପାରିବ ନାହିଁ ।" ସରକାର ଲୋକଙ୍କୁ ପ୍ରତିରକ୍ଷା ଚୁକ୍ତି ଦଲିଲ୍କୁ କିଣି ଯୁଦ୍ଧ ପାଣ୍ଠିପାଇଁ ଆର୍ଥିକ ସହଯୋଗ କରିବାକୁ ସେତେବେଳେ ବିଜ୍ଞାପନ ଓ ପ୍ରଚାରପତ୍ର ବାଣ୍ଟୁ ଥିଲେ । ଯେଉଁ ସ୍ଥାନମାନଙ୍କରେ ପ୍ରଚାରପତ୍ର ଲଗାଯାଉଥିଲା, ସେଭଳି ସ୍ଥାନରେ ସମ୍ବଲପୁର ଜିଲ୍ଲା ଭେଡେନ୍ର ମଙ୍ଗଲୁ ପ୍ରଧାନ ନାମକ ଜଣେ କର୍ମୀ ନିଜ ଲିଖିତ ଏକ ପ୍ରଚାରପତ୍ର ଲଗାଇ ଦେଉଥିଲେ । ଏଥିରେ ସରକାରଙ୍କ ଯୁଦ୍ଧ ଦଲିଲ୍କୁ ନ କିଣିବାପାଇଁ ଆହ୍ୱାନ ଦିଆଯାଇଥିଲା । ମଂଗଲୁ ପ୍ରଧାନଙ୍କ ପ୍ରଚାରପତ୍ରରେ ଲେଖାଥିଲା: "କଂଗ୍ରେସର ଆଦେଶ, ୟୁରୋପରେ ହେଉଥିବା ଯୁଦ୍ଧପାଇଁ ଆମେ ସରକାରକୁ କୌଣସି ସାହାଯ୍ୟ କରିବା ନାହିଁ । ଖଦି ବୁଣିବା ସହ ଅହିଂସାତ୍ମକ ଉପାୟରେ ଆମେ ନିଜକୁ ପ୍ରସ୍ତୁତ କରିବା । ଆମ ଭାଇମାନେ ଜାଣିବା କଥା ଯେ, ବର୍ତ୍ତମାନ ଦେଶର ପରିସ୍ଥିତିରେ ଜଣେ ଯେତେବେଳେ ନିଜକୁ ରକ୍ଷା କରିବାରେ ଅସମର୍ଥ ସେ ଅନ୍ୟକୁ କିପରି ରକ୍ଷା କରିବ ?"
ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦାଳନ ସମୟରେ ଉତ୍କଳ ପ୍ରାଦେଶିକ ସ୍ତରୀୟ ନେତୃବୃନ୍ଦ ବିଭିନ୍ନ ସ୍ଥାନରୁ ପଦଯାତ୍ରାରେ ବାହାରି ଗାନ୍ଧୀଙ୍କର ଆଦର୍ଶ ଓ ଯୁଦ୍ଧ ପରିସ୍ଥିତି ସଂପର୍କରେ ସଭାସମିତିମାନ କରୁଥିଲେ । ଏହି କ୍ରମରେ ଗୋପବନ୍ଧୁ ଚୌଧୁରୀ ବରୀରୁ ଗଣେଶ୍ୱରପୁର ପଦଯାତ୍ରା କଲେ । ନୀଳାମ୍ବର ଦାସ ସୋରରୁ ଯାଜପୁର ପଦଯାତ୍ରା କଲେ । ଲକ୍ଷ୍ମୀନାରାୟଣ ସାହୁଙ୍କ ଉଦ୍ୟମରେ ବାଲେଶ୍ୱରର ଏକ ମଦ ଦୋକାନକୁ ସଂସ୍କୃତ ଟୋଲ୍ରେ ପରିଣତ କରାଗଲା । ପୋଲିସ ଓ ଗିରଫଦାରି ପ୍ରତି କର୍ମୀମାନଙ୍କ ମନରେ ସୃଷ୍ଟି ହୋଇଥିବା ନିଡର ଭାବର ଏକ ଉଦାହରଣ ହେଲା ଯେ, ବ୍ୟକ୍ତିଗତ ସତ୍ୟାଗ୍ରହରେ ସାଧାରଣ କର୍ମୀ ମଧ୍ୟ ଗିରଫ ହେବାକୁ ଚାହୁଁଥିଲେ, ମାତ୍ର ପୋଲିସ କେବଳ ପ୍ରମୁଖ ନେତାଙ୍କୁ ଗିରଫ କରୁଥିଲା । ଏହାଦ୍ୱାରା ଗିରଫ ହେଉ ନଥିବା କର୍ମୀ ହତାଶ ହେଉଥିଲେ । ଜେଲ୍ ଯିବା ଏଣିକି ଭୟ ପରିବର୍ତ୍ତେ ସାମାଜିକ ସମ୍ମାନର ପ୍ରଶ୍ନରେ ପରିଣତ ହେଲା । କଂଗ୍ରେସ କାମରେ ଏଣିକି ଅନେକ କର୍ମୀ ଆଗ୍ରହ ପ୍ରକାଶ କରୁଥିଲେ । ସେମାନଙ୍କୁ ଦାୟିତ୍ୱ ଓ କାର୍ଯ୍ୟ ଦେଇ ନପାରିଲେ ସେମାନେ ସଂଗ୍ରାମ ପ୍ରତି ବୀତସ୍ପୃହ ହେବେ ବୋଲି ନେତୃତ୍ୱ ବୁଝି ପାରିଥିଲେ । ଏଥିପାଇଁ ଗିରଫ ହୋଇ ନଥିବା ସତ୍ୟାଗ୍ରହୀମାନଙ୍କୁ ରାଜଧାନୀ କଟକକୁ ପଦଯାତ୍ରାରେ ଆସିବାପାଇଁ କଂଗ୍ରେସ ପକ୍ଷରୁ ନିର୍ଦେଶ ଦିଆଗଲା । ରାସ୍ତାରେ ସେମାନେ ସଭା ସମିତି କରି ତହିଁରେ ଯୁଦ୍ଧ ବିରୋଧୀ ସ୍ଲୋଗାନ ଓ ଭାଷଣ ଦେବେ ବୋଲି କୁହାଯାଇଥିଲା । ଏସବୁ ସତ୍ତ୍ୱେ ଯଦି ସେମାନେ ପୋଲିସ୍ଦ୍ୱାରା ଗିରଫ ନହୁଅନ୍ତି, ତେବେ ସରକାର ନିଜ ଯୁଦ୍ଧନୀତି ଭୁଲ ବୋଲି ସ୍ୱୀକାର କରି ସାରିଲେଣି ଏବଂ ସେଥିପାଇଁ କଂଗ୍ରେସ ଲୋକଙ୍କୁ ଯୁଦ୍ଧ ବିରୋଧୀ ସ୍ଲୋଗାନପାଇଁ ଗିରଫ କରୁ ନାହାନ୍ତି ବୋଲି ପ୍ରଚାର କରିବାକୁ ନିର୍ଦେଶ ଦିଆଗଲା । ସତ୍ୟାଗ୍ରହୀ ସାଧାରଣତଃ ହାଟ, ରେଳଷ୍ଟେସନ୍, କୋର୍ଟ ପରିସର, ମନ୍ଦିର ଓ ସହର ବଜାରରେ ଏକତ୍ରିତ ଲୋକଙ୍କୁ ଉଦ୍ବୋଧନ ଦେଉଥିଲେ ଏବଂ ତା' ମାଧ୍ୟମରେ ପୋଲିସ ଓ କର୍ତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରୁଥିଲେ । ୧୯୪୧ ଏପ୍ରିଲ୍ ମାସଠାରୁ ପ୍ରାଦେଶିକ କଂଗ୍ରେସ କମିଟି ସତ୍ୟାଗ୍ରହୀ ପ୍ରଶିକ୍ଷଣ ଶିବିରମାନ ମଧ୍ୟ ଆୟୋଜନ କରିଥିଲେ । ତହିଁରେ ଶାନ୍ତି ଦଳ ଗଠନ, ଯୁଦ୍ଧ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ତନ୍ତବୁଣା, ଖଦିପ୍ରସାର ଆଦି ଉପରେ ଗୁରୁତ୍ୱ ଦିଆଯାଉଥିଲା । ଭଦ୍ରକର ଗଦାଧରପୁର ଓ ଗଂଜାମର ଆସ୍କାଠାରେ ଏହିଭଳି ଦୁଇଟି ଶିବିର ସେହି ସମୟରେ ଅନୁଷ୍ଠିତ ହୋଇଥିଲା ।
୧୯୪୧ ସୁଦ୍ଧା ଆଉ ଏକ ଗଣ ଆନ୍ଦୋଳନପାଇଁ ଲୋକ ପ୍ରସ୍ତୁତ ହୋଇ ସାରିଥିଲେ । ବରଂ କଂଗ୍ରେସ ତରଫରୁ ଏ ନେଇ ନିଷ୍ପତ୍ତି ନିଆ ଯାଉନଥିବାରୁ ଲୋକଙ୍କ ମଧ୍ୟରେ ଧୈର୍ଯ୍ୟଚ୍ୟୁତି ଘଟୁଥିଲା । ଜାତୀୟ କଂଗ୍ରେସପାଇଁ ମଧ୍ୟ ଏହା ଏକ ସଂଧିକ୍ଷଣ ଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଫାସୀବାଦୀ ଶକ୍ତି ବିରୁଦ୍ଧରେ ଲଢ଼ୁଥିବା ଇଂରେଜ ସରକାରକୁ ସମର୍ଥନ ନଦେଲେ ବି ଖୋଲା ଖୋଲି ବିରୋଧ କରିବା ଅର୍ଥ ଫାସୀବାଦୀ ବିରୋଧୀ ମେଣ୍ଟକୁ ପ୍ରକାରାନ୍ତରେ ଦୁର୍ବଳ କରିବା । ଏହି କାରଣରୁ ଜାତୀୟ କଂଗ୍ରେସ ନୂଆ ଗଣ ଆନ୍ଦୋଳନ ଆରମ୍ଭ କରି ପାରୁଥିଲା । ଅନ୍ୟ ପକ୍ଷରେ, ବିନା ଗଣ ଆନ୍ଦୋଳନରେ ଲୋକ ସମ୍ଭାବିତ ଜାପାନର ଭାରତ ଆକ୍ରମଣକୁ କାଳେ ସ୍ୱାଗତ କରିଦେବେ ବୋଲି ଆଶଙ୍କା ପ୍ରକାଶ ପାଉଥିଲା । ୧୯୪୨ରେ 'ଭାରତ ଛାଡ଼' ଆନ୍ଦୋଳନର ଡାକରା ଏହି ସମସ୍ତ ଅନିଶ୍ଚିତତାକୁ ଦୂର କରିଦେଲା ।
ସ୍ୱତନ୍ତ୍ର ପ୍ରଦେଶ ଗଠନ :୧୯୩୬ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ତଦ୍ଜନିତ କାର୍ଯ୍ୟକ୍ରମମାନ ଚାଲିଥିବା ବେଳେ ସରକାର ଓଡ଼ିଆ ଭାଷା-ଭାଷୀ କ୍ଷେତ୍ରକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାକୁ ସ୍ଥିର କଲେ । ୧୯୩୬ ଏପ୍ରିଲ୍ ୧ ତାରିଖରେ ଓଡ଼ିଶା ପ୍ରଦେଶ ଗଠିତ ହେଲା । ଉଭୟ ବୌଦ୍ଧିକ ଓ ଲୌକିକ ସ୍ତରରେ ଏଥିପାଇଁ ବହୁ ଆଗରୁ ଆନ୍ଦୋଳନ ଚାଲିଥିଲା ।
୧୯୧୯ରେ ମଣ୍ଟେଗୁ-ଚେମସ୍ଫୋର୍ଡ଼ ଶାସନ ସଂସ୍କାର ଅନୁଯାୟୀ ଭାରତ ସରକାର ଆଇନ ଲାଗୁକଲେ । ଏଥିରେ ଓଡ଼ିଆ ଭାଷା-ଭାଷୀ ଅଂଚଳଗୁଡ଼ିକର ଏକତ୍ରୀକରଣ ହେବ ବୋଲି ଓଡ଼ିଶାର ବୁଦ୍ଧିଜୀବୀ ଓ ନେତୃବର୍ଗ ଆଶା କରିଥିଲେ । ୧୯୧୭ରେ ମଣ୍ଟେଗୁଙ୍କ ଆଗମନ ସମୟରେ 'ଦ ଓଡ଼ିଆ ମୁଭ୍ମେଣ୍ଟ' ନାମକ ଏକ ପୁସ୍ତକରେ ଓଡ଼ିଶାର ଦାବିକୁ ସମ୍ମିଳିତ କରି ତାକୁ ସ୍ମାରକପତ୍ର ରୂପେ ପେଶ୍ କରାଯାଇଥିଲା । ଏହି ପୁସ୍ତକ ପ୍ରସ୍ତୁତ କରିଥିଲେ ଗଂଜାମର ଚକ୍ରପାଣି ପ୍ରଧାନ, ନିରଂଜନ ପଟ୍ଟନାୟକ ଓ ହରିହର ପଣ୍ଡା ଆଦି । ମଣ୍ଟେଗୁ ଓଡ଼ିଶାର ବିହାର ପ୍ରଦେଶ ସହିତ ମିଳିତ ହୋଇ ରହିବାଟା ଅଯୌକ୍ତିକ ବୋଲି କହୁଥିଲେ । ଏକ ଉପ-ପ୍ରଦେଶ ଭାବରେ ଓଡ଼ିଶା ରହିବା କଥା ବୋଲି ସେ କହୁଥିଲେ । ମାତ୍ର ରିପୋର୍ଟରେ ସେ ନେଇ କୌଣସି ଠୋସ୍ ନିର୍ଦେଶ ଦେଇ ନଥିଲେ, ଯାହା ଓଡ଼ିଶାର ନେତୃବୃନ୍ଦଙ୍କୁ ନିରାଶ କରିଥିଲା । ୧୯୨୪ରେ ଗଂଜାମ ଓ ତତ୍ସଂଲଗ୍ନ କେତେକ ଅଂଚଳକୁ ଓଡ଼ିଶା ସହିତ ମିଶ୍ରଣ ପ୍ରଶ୍ନକୁ ଅନୁସନ୍ଧାନ କରିବାନିମିତ୍ତ 'ଫିଲିପ ଡଫ୍ ଅନୁସନ୍ଧାନ କମିଟି' ଗଠିତ ହେଲା । ସି.ଏଲ୍.ଫିଲିପ ଓ ଏ.ସି.ଡଫ୍. ନାମକ ଦୁଇଜଣ ଅଭିଜ୍ଞ ସିଭିଲ୍ ସର୍ଭିିସ ଅଧିକାରୀ କମିଟିର ସଂଯୋଜନା କଲେ । ଉଭୟେ ପୂର୍ବରୁ ଓଡ଼ିଶାରେ କାମ କରିଥିଲେ ଓ ଓଡ଼ିଶା ସମସ୍ୟା ସହିତ ପରିଚିତ ଥିଲେ । ୧୯୨୪ ଡିସେମ୍ବରରେ ଏହି କମିଟି ଗଂଜାମ ନିବାସୀ ଓଡ଼ିଆମାନେ ଓଡ଼ିଶାରେ ମିଶିବାପାଇଁ ଆଗ୍ରହୀ ବୋଲି ରିପୋର୍ଟ ଦେଇଥିଲେ । ମାତ୍ର ସରକାର ଚାହିଁଲେ ଉକ୍ତ ଅଂଚଳର ତେଲ୍ଗୁଭାଷୀଙ୍କ ମତାମତ । ଗଂଜାମର ଯଦି ଓଡ଼ିଶା ସହିତ ମିଶ୍ରଣ ହୁଏ, ତେଲ୍ଗୁଭାଷୀ ଲୋକଙ୍କର ସମସ୍ୟା ହେବ ବୋଲି ସରକାର ଚିନ୍ତା କଲେ । ଫଳରେ ଫିଲପ୍-ଡଫ୍ କମିଟିର ରିପୋର୍ଟକୁ ଲାଗୁ କରାଯାଇ ପାରିଲା ନାହିଁ ।
୧୯୨୮ ଫେବ୍ରୁଆରିରେ ଶାସନ ସଂସ୍କାର ସଂପର୍କୀୟ ନିଷ୍ପତ୍ତି ନେବାଲାଗି ସାଇମନ୍ କମିସନ ଭାରତକୁ ଆସିଲେ । ଜାତୀୟତାବାଦୀମାନଙ୍କ ପକ୍ଷରୁ କମିସନକୁ ତୀବ୍ର ବିରୋଧ କରାଗଲା । କାରଣ କମିସନରେ କେହି ଭାରତୀୟ ସଭ୍ୟ ନଥିଲେ । ମାତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଦାବି ନେଇ ଓଡ଼ିଶାର କିଛି ନେତୃସ୍ଥାନୀୟ ବ୍ୟକ୍ତି କମିସନକୁ ପାଟନାରେ ସାକ୍ଷାତ୍ କରିଥିଲେ । ଯଦିଓ ମଧୁସୂଦନ ଦାସ ନିଜେ କମିସନକୁ ସ୍ୱାଗତ କରିବାପାଇଁ ଯାଇ ନଥିଲେ, ତାଙ୍କ ସହମତିରେ ଏହା ହୋଇଥିଲା । ଏଥିପାଇଁ କଂଗ୍ରେସର ନେତୃବର୍ଗ ଓ ଅନ୍ୟ ଜାତୀୟତାବାଦୀମାନେ ମଧୁସୂଦନ ଓ ଅନ୍ୟ ସ୍ୱାଗତକାରୀଙ୍କର ତୀବ୍ର ସମାଲୋଚନା କରିଥିଲେ । ସାଇମନ କମିସନ ଓଡ଼ିଶା ପ୍ରଦେଶ ଗଠନ କଥା ନିଷ୍ପତ୍ତି ନେଲେ ନାହିଁ । ତା' ବଦଳରେ କ୍ଲିମେଣ୍ଟ ଅଟଲୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ପରାମର୍ଶ ଦେଲେ, ଯାହା ଓଡ଼ିଶାର ସମସ୍ୟାକୁ ବିଚାରକୁ ନେବ । କମିସନ୍ ଯଦିଓ ତାଙ୍କ ରିପୋର୍ଟରେ (ଏହା ୭ ଜୁନ୍ ୧୯୩୦ରେ ପ୍ରକାଶିତ ହେଲା) ବିହାର ଓ ଓଡ଼ିଶା ପ୍ରଦେଶର ଗଠନକୁ "କୃତ୍ରିମ' ଏବଂ 'ଜାତିଗତ', ଭାଷାଗତ ଓ ସାଂସ୍କୃତିକ ଦୃଷ୍ଟିରୁ ପୃଥକ୍ ତିନୋଟି କ୍ଷେତ୍ରକୁ ଗୋଟାଏ ଶାସନ ଅଧୀନରେ କେବଳ ଯୋଡ଼ି ଦିଆଯାଇଛି" ବୋଲି ଉଲ୍ଲେଖ କରିଥିଲେ, ତଥାପି ପ୍ରଦେଶ ଗଠନ ନେଇ ସ୍ପଷ୍ଟ ନିର୍ଦେଶ ପ୍ରଦାନ କଲେ ନାହିଁ । ଫଳରେ ସରକାରଙ୍କ ସହଯୋଗରେ ପ୍ରଦେଶ ଗଠନ କରିବାଲାଗି ଉଦ୍ୟମ କରୁଥିବା ନେତୃବର୍ଗ ତୀବ୍ର ସମାଲୋଚନାର ଶିକାର ହେଲେ ।
୧୯୨୮ରେ କଲିକତା କଂଗ୍ରେସରେ ସଭାପତି ମୋତିଲାଲ୍ ନେହେରୁ ଭାଷାଭିତ୍ତିକ ପ୍ରଦେଶ ଗଠନପାଇଁ ଆବଶ୍ୟକ ସମର୍ଥ ଦେଉ ନାହାନ୍ତି ବୋଲି ଅଭିଯୋଗ କରି ଓଡ଼ିଶାର ୩୦୦ ପ୍ରତିିନିଧି ଅଧିବେଶନ ତ୍ୟାଗ କଲେ ଓ କଲିକତାରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ସଭା ଓ ଶୋଭାଯାତ୍ରା କଲେ । ମୋତିଲାଲ ନେହେରୁ କ୍ଷମାପ୍ରାର୍ଥା କଲା ପରେ ପରିସ୍ଥିତି ଶାନ୍ତ ପଡ଼ିଲା । ମାତ୍ର ଭାଷା ଭିତ୍ତିରେ ପ୍ରଦେଶଗଠନ ଦାବିକୁ ଏହା ଦୃଢ଼ତର କଲା । ଜାତୀୟ କଂଗ୍ରେସର ଓଡ଼ିଶା ନେତୃତ୍ୱ ନିମନ୍ତେ ଭାଷାଭିତ୍ତିକ ପ୍ରଦେଶ ପ୍ରସଙ୍ଗ କଦାପି ଗୌଣ ହୋଇ ନପାରେ ବୋଲି ଜନମତ ସୃଷ୍ଟି ହେଲା । ସ୍ୱତନ୍ତ୍ର ପ୍ରଦେଶପାଇଁ ଜନମତ ବୃଦ୍ଧିପାଇଲା । ପରିଣାମ ସ୍ୱରୂପ ୧୯୩୧ରେ ସରକାର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରଶ୍ନକୁ ବିଧିବଦ୍ଧ ଭାବେ ସ୍ୱୀକାର କରି ପ୍ରଦେଶର ସୀମାରେଖା ନିର୍ଣ୍ଣୟ କରିବାଲାଗି ଏକ ସୀମା କମିସନ ଗଠନ କଲେ । ହରେକୃଷ୍ଣ ମହତାବଙ୍କ ସଭାପତିତ୍ୱରେ ପ୍ରାଦେଶିକ କଂଗ୍ରେସ କମିଟି ପ୍ରଦେଶ ଗଠନପାଇଁ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହେଲେ । ସୀମା କମିସନ ସହିତ ନୂତନ ପ୍ରଦେଶର ସୀମାରେଖା ନିର୍ଣ୍ଣୟ କରିବାକୁ କଂଗ୍ରେସ ପକ୍ଷରୁ ନୀଳକଣ୍ଠ ଦାସଙ୍କୁ ଦାୟିତ୍ୱ ଦିଆଗଲା । ସୀମା କମିସନର ଅଧ୍ୟକ୍ଷ ଥିଲେ ସାର ସାମୁଏଲ୍ ଓଡ଼ୋନେଲ୍ ଏବଂ ଅନ୍ୟ ଦୁଇଜଣ ସଦସ୍ୟ ହେଲେ ଏଚ୍.ଏମ୍.ମେହେଟା ଓ ଆସାମର ତରୁଣରାମ ଫୁକନ୍ । ପାରଳାଖେମୁଣ୍ଡି ରାଜା କୃଷ୍ଣଚନ୍ଦ୍ର ଗଜପତି, ସଚ୍ଚିଦାନନ୍ଦ ସିହ୍ନା ଓ ନରସିଂହ ରାଜୁ କମିସନର ସହଯୋଗୀ ସଦସ୍ୟ ଭାବରେ ଯଥାକ୍ରମେ ଓଡ଼ିଆ, ହିନ୍ଦୀ ଓ ତେଲ୍ଗୁ ଭାଷୀ ଲୋକଙ୍କର ପ୍ରତିିନିଧିତ୍ୱ କଲେ । କମିସନର ରିପୋର୍ଟରେ ନୂତନ ପ୍ରଦେଶରେ ସମଗ୍ର ଓଡ଼ିଶା ଡିଭିଜନ, ଅନୁଗୁଳ, ପଦ୍ମପୁର, ଖଡ଼ିଆଳ ଓ ଗଂଜାମ ଅଞ୍ଚଳ ମିଶିବ ବୋଲି ଉଲ୍ଲେଖ ରହିଲା । ଓଡେ଼ାନେଲ୍ କମିଟି ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଇବା ସପକ୍ଷରେ ନ ଥିଲେ । ଏହାର ପ୍ରତିବାଦରେ ଶତାଧିକ ସଂଖ୍ୟାରେ ସ୍ମାରକପତ୍ରମାନ ସରକାରଙ୍କ ନିକଟକୁ ପଠାଗଲା । ଶେଷରେ, ନୂତନ ପ୍ରଦେଶରେ ପୂର୍ବୋକ୍ତ ଅଂଚଳ ବ୍ୟତୀତ ଗଂଜାମର ଓଡ଼ିଆ ବହୁଳ ଅଂଚଳ, ବରହମ୍ପୁର ସହର, ଜୟପୁର ଜମିଦାରୀ, ପାରଳାଖେମୁଣ୍ଡି ସହର ଓ ପାରଳାଖେମୁଣ୍ଡି ଜମିଦାରୀର ଏକ ତୃତୀୟାଂଶ, ଘୁମୁସର, ଆସ୍କା, କୋଦଳା, ଛତ୍ରପୁର, ସୁରଙ୍ଗୀ, ବରଦା, ଚିକିଟି ଓ ବରହମ୍ପୁର ତାଲୁକର ଉତ୍ତରାଂଶ ମିଶ୍ରଣ ହେବ ବୋଲି ସ୍ଥିର ହେଲା । ଏହାଛଡ଼ା ଓଡ଼ିଶାପାଇଁ ସ୍ୱତନ୍ତ୍ର ଉଚ୍ଚ ନ୍ୟାୟାଳୟ ଗଠିତ ହେବ ଓ ତା'ର ଜଣେ ଗଭର୍ଣ୍ଣର ରହିବେ । ୧୯୩୬ ମାର୍ଚ୍ଚ ୩ ତାରିଖରେ ବ୍ରିଟିଶ୍ ପାର୍ଲ୍ୟାମେଣ୍ଟରେ 'କନ୍ଷ୍ଟିଚ୍ୟୁସନ୍ ଅଫ୍ ଓଡ଼ିଶା ଅର୍ଡ଼ର ବିଲ୍-୧୯୩୬' (Constitution of Orissa Order Bill-1936)ଆଗତ ହେଲା । ଏହା ପୂର୍ବରୁ ୧୯୩୪ ଫେବ୍ରୁଆରି ମାସ ୪ ତାରିଖରେ ମଧୁସୂଦନ ଦାସ, ଯାହାଙ୍କ ସ୍ୱପ୍ନ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଏହି ସ୍ୱପ୍ନକୁ ସାକାର କରିବାପାଇଁ ଯିଏ ସାରା ଜୀବନ କାର୍ଯ୍ୟ କରିଥିଲେ, ତାଙ୍କର ଦେହାନ୍ତ ହେଲା । ୧୯୩୬ ଏପ୍ରିଲ୍ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା । ଏହାର ପ୍ରଥମ ଗଭର୍ଣ୍ଣର ହେଲେ ସାର୍ ଜନ୍ ଅଷ୍ଟିନ୍ ହବାକ୍ ।
ପ୍ରଜାମଣ୍ଡଳ ଆନ୍ଦୋଳନ ୧୯୩୦-୪୦ କାଳାଂଶର ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଐତିହାସିକ ଘଟଣା ଥିଲା ଗଡ଼ଜାତମାନଙ୍କରେ ସଂଘଟିତ ପ୍ରଜାମଣ୍ଡଳ ଆନ୍ଦୋଳନ । ସମସାମୟିକ ଆଇନ ଅମାନ୍ୟ ଆନ୍ଦୋଳନ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଓଡ଼ିଶାରେ କଂଗ୍ରେସ ଦଳର ମନ୍ତ୍ରିମଣ୍ଡଳ ପରିଚାଳନା ଆଦି ଘଟଣାବଳୀ ସହିତ ଏହାର ବିଶେଷ ସମ୍ବନ୍ଧ ରହିଥିଲା ।
ଓଡ଼ିଶାର ଗଡ଼ଜାତ ଓ ଇଂରେଜ ଶାସନ କାଳରେ ସେଠାରେ ଚାଲିଥିବା ପ୍ରଜା-ଉତ୍ପୀଡ଼ନ ସମ୍ବନ୍ଧରେ ପୂର୍ବରୁ ଆଲୋଚିତ ହୋଇଛି । ଉତ୍ପୀଡ଼ନ ବିରୁଦ୍ଧରେ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧ ଓ ବିଂଶ ଶତାବ୍ଦୀର ଆରମ୍ଭରେ ପ୍ରଜାମାନେ ବିଦ୍ରୋହ କରିଥିଲେ । ରାଜାମାନେ ଇଂରେଜ ସରକାରର ପୋଲିସ ସାହାଯ୍ୟରେ ଗଡ଼ଜାତ ବିଦ୍ରୋହକୁ ଦୃଢ଼ ଭାବରେ ଦମନ କରୁଥିଲେ । ୧୯୨୦ ଦଶକରେ ସ୍ୱାଧୀନତା ସଂଗ୍ରାମ ଯେତେବେଳେ ଗଣ ଆନ୍ଦୋଳନର ରୂପ ନେଲା, ସେତେବେଳେ ଗଡ଼ଜାତ ପ୍ରଜା ଆସି ମୋଗଲବନ୍ଦି ଓଡ଼ିଶାର ଆନ୍ଦୋଳନରେ ଭାଗ ନେଇ ପାରୁ ନଥିଲେ । ଗଡ଼ଜାତ ତା'ପାଇଁ ପ୍ରତିବନ୍ଧକ ଥିଲା । କଂଗ୍ରେସ କର୍ମୀ ମଧ୍ୟ ଖୋଲାଖୋଲି ଗଡ଼ଜାତରେ କଂଗ୍ରେସ ସଂଗଠନ କରି ପାରୁ ନଥିଲେ; ଗଡ଼ଜାତ ଉତ୍ପୀଡ଼ନର ବିରୋଧ କରିବା କାଠିକର ଥିଲା । କଂଗ୍ରେସ ନେତୃବୃନ୍ଦ ଚାହୁଁଥିଲେ, ବିଦେଶୀ ଶକ୍ତି ବିରୁଦ୍ଧରେ ଚାଲିଥିବା ସଂଗ୍ରାମ ଦେଶୀୟ ରାଜା ବିରୋଧରେ ନହେଉ । ଏହାର ସୁଯୋଗ ନେଇ ଗଡ଼ଜାତ ରାଜାମାନେ କଂଗ୍ରେସର ବିରୋଧ କରୁଥିଲେ ଏବଂ ପ୍ରଜାଙ୍କ ମଧ୍ୟରେ ଗଣତାନ୍ତ୍ରିକ ବିଚାରବୋଧ କେମିତି ପ୍ରସାରିତ ନହେବ, ତା'ପାଇଁ ପ୍ରୟାସ କରୁଥିଲେ । ପ୍ରଜାଙ୍କର ରାଜନୈତିକୀକରଣକୁ ଅବରୁଦ୍ଧ କରି ପାରିଲେ ରାଜା ଶାସନ ଚାଲିପାରିବ ବୋଲି ସେମାନେ ମନେ କରୁଥିଲେ । ପରିଣାମ ସ୍ୱରୂପ, ମୋଗଲବନ୍ଦି ଓ ଗଡ଼ଜାତ ମଧ୍ୟରେ ଶିକ୍ଷା, ଦୀକ୍ଷା, ରାଜନୈତିକ ସଚେତନତା, ନାଗରିକ ଅଧିକାର ଆଦି ସବୁ କ୍ଷେତ୍ରରେ ଏକ ରକମର ଅଭେଦ୍ୟ ପ୍ରାଚୀର ସୃଷ୍ଟି ହୋଇଥିଲା । ୧୯୩୦ ଦଶକରେ ଏହି ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳିଲା । ଗଡ଼ଜାତ ଓ ମୋଗଲବନ୍ଦି ମଧ୍ୟରେ ସାମାଜିକ ବିଭେଦ ଅଧିକ ସମୟ ଧରି ରହି ପାରିଲା ନାହିଁ । ଉଭୟ ଲୋକଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଲାଏବଂ ତା' ସହିତ ଗଣତାନ୍ତ୍ରିକ ଓ ରାଜନୈତିକ ଚେତନା ଗଡ଼ଜାତକୁ ପ୍ରସାରିତ ହେଲା । ମୋଗଲବନ୍ଦି ଓଡ଼ିଶାରେ ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ଲିପ୍ତ ଥିବା କର୍ମୀ ଓ ନେତୃବୃନ୍ଦଙ୍କ ପକ୍ଷରେ ଗଡ଼ଜାତ ସମସ୍ୟା ପ୍ରତି ଉଦାସୀନ ରହିବା ଅସଂଭବ ହେଲା । ବିଶେଷ କରି ୧୯୩୦ ଦଶକର ରାଜନୀତିରେ କମ୍ୟୁନିଷ୍ଟ ଓ ସୋସିଆଲିଷ୍ଟ ଚିନ୍ତାଧାରାର ଭୂମିକା ବୃଦ୍ଧିପାଇଲା । କଂଗ୍ରେସ ଦଳ ମଧ୍ୟରେ କମ୍ୟୁନିଷ୍ଟ ଓ ସୋସିଆଲିଷ୍ଟ ବିଚାର ପ୍ରତି ଆକୃଷ୍ଟ ହୋଇଥିବା ପ୍ରଗତିଶୀଳ ଯୁବଗୋଷ୍ଠୀ, ଇଂରେଜ ସାମ୍ରାଜ୍ୟବାଦ ବିରୋଧରେ ସଂଗ୍ରାମ ବେଳେ ସାମନ୍ତବାଦୀ ଗଡ଼ଜାତ ରାଜାମାନଙ୍କ ଯଥେଚ୍ଛାଚାରକୁ ମଧ୍ୟ ବିରୋଧ କରାଯିବା ଉଚିତ ବୋଲି ମନେକଲେ । ପୁଣି ଆଇନ ଅମାନ୍ୟ ଆନ୍ଦୋଳନ ଉତ୍ତାରୁ ଏବଂ ବିଶେଷକରି ୧୯୩୭ରେ କଂଗ୍ରେସ ଦଳ ପ୍ରାଦେଶିକ ସ୍ତରରେ ମନ୍ତ୍ରିମଣ୍ଡଳ ଗଠନ କଲା ପରେ ଦେଶର ସ୍ୱାଧୀନତା ନିକଟ ଭବିଷ୍ୟତରେ ନିଶ୍ଚିତ ବୋଲି ଅନୁଭୂତ ହେଲା । ସେ କ୍ଷେତ୍ରରେ ଗଡ଼ଜାତର ଓ ଦେଶୀୟ ରାଜ୍ୟର ଲୋକ ସମାଜ ମଧ୍ୟରେ ଉଭୟ ସାମାଜିକ ଓ ରାଜନୈତିକ ସ୍ତରରେ ପୂର୍ଣ୍ଣ ଯୋଗାଯୋଗ ରହିବା କଥା ବୋଲି ମତପ୍ରକାଶ ପାଇଲା । ଏଥିପାଇଁ ଗଡ଼ଜାତର ପ୍ରଜା ଆନ୍ଦୋଳନରେ କଂଗ୍ରେସର ସକ୍ରିୟ ଭୂମିକା ଆବଶ୍ୟକ ହେଲା । ଅନ୍ୟ ପକ୍ଷରେ କଂଗ୍ରେସର ମନ୍ତ୍ରିମଣ୍ଡଳ ଗଠନଯୋଗୁଁ ଲୋକେ ଏକ ରକମର ନିଡର ଅନୁଭବ କଲେ ଏବଂ ରାଜା ଅତ୍ୟାଚାର ବିରୁଦ୍ଧରେ ଏକଜୁଟ ହେବାପାଇଁ ଅଧିକ ଉତ୍ସାହ ଦେଖାଇଲେ ।
୧୯୩୦ ଓ ୧୯୪୦ ଦଶକରେ ସଂଘଟିତ ଗଡ଼ଜାତ ପ୍ରଜା ଆନ୍ଦୋଳନକୁ ଉପରୋକ୍ତ ପୃଷ୍ଠଭୂମିରେ ଦେଖିବାକୁ ହେବ । ୧୯୩୧ ଅଗଷ୍ଟରେ ପ୍ରଥମ ଥରପାଇଁ ବିଭିନ୍ନ ଗଡ଼ଜାତର ଲୋକଙ୍କୁ ନେଇ ଏକ ଗଡ଼ଜାତ ସମ୍ମିଳନୀ ଆୟୋଜିତ ହେଲା । ଗଡ଼ଜାତ-ଗଡ଼ଜାତ ମଧ୍ୟରେ ଏହା ଲୌକିକ ସ୍ତରରେ ସମ୍ବନ୍ଧ ସ୍ଥାପନ କଲା । ଏହାର ଆୟୋଜକ ଥିଲେ କଂଗ୍ରେସର କେତେଜଣ ଯୁବନେତା ଯେଉଁମାନେ ଗଡ଼ଜାତର ଅତ୍ୟାଚାରୀ ସାମାଜିକ ପରିବେଶକୁ ନିକଟରୁ ଅନୁଭବ କରିଥିଲେ । ସେମାନେ ହେଲେ ଗୋବିନ୍ଦ ଚନ୍ଦ୍ର ମିଶ୍ର, ବାଲୁଙ୍କେଶ୍ୱର ଆଚାର୍ଯ୍ୟ, ମଧୁସୂଦନ ପଟ୍ଟନାୟକ ଓ ରାଧାନାଥ ରଥ । ଏମାନଙ୍କ ମଧ୍ୟରୁ ଗୋବିନ୍ଦ ଚନ୍ଦ୍ର ମିଶ୍ର ଦଶପଲ୍ଲା ଗଡ଼ଜାତର ଶରବ୍ୟ ହୋଇ ୧୯୧୮ ମସିହାରୁ ସାବରମତି ଆଶ୍ରମ ତଥା ସତ୍ୟବାଦୀ ଆଦି ସ୍ଥାନରେ ରହି ଜାତୀୟତାବାଦୀ କାର୍ଯ୍ୟରେ ସଂଶ୍ଳିଷ୍ଟ ହୋଇ ସାରିଥିଲେ । ମଧୁସୂଦନ ପଟ୍ଟନାୟକ କନିକା ଜମିଦାରୀରେ ୧୯୨୧-୨୨ରେ ସଂଘଟିତ ପ୍ରଜା ଆନ୍ଦୋଳନରେ ଭାଗ ନେଇ ଜେଲ୍ ଦଣ୍ଡ ଭୋଗିଥିଲେ । ସମ୍ମିଳନୀ କଂଗ୍ରେସ ସଂଗଠନ ବାହାରେ ଗଡ଼ଜାତ ପ୍ରଜାକୁଳକୁ ଗୋଟାଏ ମଞ୍ଚରେ ଆଣିବାକୁ ପ୍ରୟାସ କଲା । ୧୯୩୭ରେ ଅନ୍ୟ ଏକ ପ୍ରଜାମଣ୍ଡଳ ସମ୍ମିଳନୀ ବସିଥିଲା, ଯାହା ଗଡ଼ଜାତର ସାମାଜିକ ଅବସ୍ଥାକୁ ଅନୁଧ୍ୟାନ କରିବାଲାଗି ଏକ କମିଟି ଗଠନ କରିଥିଲା । ଏହା ପୂର୍ବରୁ ୧୯୨୦ ଦଶକରେ ହିଁ ଗୋପବନ୍ଧୁ ଦାସ ଗଡ଼ଜାତ ରାଜାମାନଙ୍କୁ ସତର୍କ କରି କହିଥିଲେ ଯେ, ଭବିଷ୍ୟତରେ ସେମାନେ ପ୍ରଜାଙ୍କ ପ୍ରତି ବିରୋଧୀ ଭାବ ରଖିଲେ ଫଳ ଭଲ ହେବ ନାହିଁ । ୧୯୨୮ରେ ଗୋପବନ୍ଧୁ ଲେଖିଥିଲେ, "ଦେଶୀୟ ରାଜା ମହାରାଜାମାନେ ପ୍ରଜାମାନଙ୍କ ପ୍ରତି ଏପରି ଦୁର୍ବ୍ୟବହାର କରିବାଦ୍ୱାରା ଆପଣା ସ୍ୱାର୍ଥ ଆପଣା ହାତରେ ଯେ ନଷ୍ଟ କରୁଛନ୍ତି, ଏହା ବୁଝି ପାରୁ ନାହାନ୍ତି । ଆଜିକାଲି ସମୟର ଗତି ବଦଳି ଗଲାଣି । ରାଜଶକ୍ତିର ସେ ପୂର୍ବ ଅପ୍ରତିଦ୍ୱନ୍ଦ୍ୱୀ କ୍ଷମତା ନାହିଁ । କେତେ ପ୍ରବଳ ପରାକ୍ରାନ୍ତ ରାଜଶକ୍ତି ପୃଥିବୀରେ ଲୋପ ପାଇଗଲାଣି । ପ୍ରଜାମାନେ ଅତ୍ୟାଚାର ସହି ସହି କ୍ରମେ ଉଗ୍ର ହୋଇ ଉଠୁଛନ୍ତି । ଅତି ଅନ୍ୟାୟ ଦେବତାକୁ ପାର ନାହିଁ ବୋଲି ଗୋଟିଏ କଥା ଅଛି । ପୃଥିବୀରେ ରାଜଶକ୍ତିର ଏବେ କ୍ରମେ ସେହି ଦଶା ହେଉଅଛି ।" ଗୋପବନ୍ଧୁଙ୍କ ଲେଖାରୁ ସୁସ୍ପଷ୍ଟ ଯେ, କଂଗ୍ରେସ ନେତୃବର୍ଗ ଭବିଷ୍ୟତରେ ଗଡ଼ଜାତ ଆନ୍ଦୋଳନରୁ ଅଲଗା ରହିବ ନାହିଁ ।
ଗଡ଼ଜାତମାନଙ୍କରେ ସଂଘଟିତ ଆନ୍ଦୋଳନକୁ ସଂଗଠିତ କରିବାରେ 'ପ୍ରଜା ମଣ୍ଡଳ'ର ମୁଖ୍ୟ ଭୂମିକା ରହିଥିଲା । ଏହା ଏକ ରାଜନୈତିକ ଅନୁଷ୍ଠାନ ଥିଲା । ୧୯୩୧ ଓ ୧୯୩୭ରେ କଂଗ୍ରେସର ସାହଚର୍ଯ୍ୟରେ ଆୟୋଜିତ ଗଡ଼ଜାତ ସମ୍ମିଳନୀରେ, ପ୍ରତ୍ୟେକ ଗଡ଼ଜାତରେ ଏହି ଅନୁଷ୍ଠାନ ଗଢ଼ିବାପାଇଁ ନିଷ୍ପତ୍ତି ହୋଇଥିଲା । ବିଭିନ୍ନ ଗଡ଼ଜାତରେ ସ୍ଥାପିତ ପ୍ରଜାମଣ୍ଡଳ ନିଖିଳ ଉତ୍କଳ ଗଡ଼ଜାତ ପ୍ରଜା ସମ୍ମିଳନୀ ସହିତ ଯୋଗାଯୋଗ ରଖିବେ ବୋଲି ନିର୍ଦେଶ ରହିଥିଲା । ଗଡ଼ଜାତ ସମ୍ମିଳନୀର ମୁଖ୍ୟ ଅଫିସ୍ କଟକରେ ଥିଲା । ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଏକ ଅନୌପଚାରିକ ଶାଖା ଭାବରେ ଏହା କାର୍ଯ୍ୟ କରୁଥିଲା । ସାରଙ୍ଗଧର ଦାସ, ରାଧାନାଥ ରଥ, ଭୁବନାନନ୍ଦ ଦାସ, ବାଲୁଙ୍କେଶ୍ୱର ଆଚାର୍ଯ୍ୟ, ମଧୁସୂଦନ ପଟ୍ଟନାୟକ ଓ ଗୋବିନ୍ଦଚନ୍ଦ୍ର ମିଶ୍ର ଆଦି କଂଗ୍ରେସ ନେତା ଓ କର୍ମୀମାନେ ଏହାର ମୁଖ୍ୟ ସଂଗଠକ ଥିଲେ । ସର୍ବଭାରତୀୟ ସ୍ତରରେ କଂଗ୍ରେସର ପରୋକ୍ଷ ସହଯୋଗରେ ସ୍ଥାପିତ ଅଲ୍ ଇଣ୍ଡିଆ ଷ୍ଟେଟସ୍ ପିପୁଲ୍ସ କନ୍ଫରେ୍ସ (All India States' Peoples Conference) ସହିତ ଏହା ସଂପର୍କ ରଖିଥିଲା । ଏସବୁ ସତ୍ତ୍ୱେ, ଗଡ଼ଜାତରେ ସ୍ଥାନୀୟ ନେତୃତ୍ୱ ହିଁ ପ୍ରଜାମଣ୍ଡଳର ପ୍ରମୁଖ କର୍ତ୍ତା ଥିଲେ । ସ୍ଥିତି ଅନୁଯାୟୀ ସେମାନେ ସ୍ୱାଧୀନ ଭାବରେ ନିଷ୍ପତ୍ତି ନେଉଥିଲେ । ଜାତୀୟ କଂଗ୍ରେସ ପ୍ରତ୍ୟକ୍ଷ ଭାବରେ ଗଡ଼ଜାତ ଆନ୍ଦୋଳନକୁ ନେତୃତ୍ୱ ପ୍ରଦାନ କରୁ ନଥିଲା । ଇଂରେଜ ବିରୋଧରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମ ଦେଶୀୟ ଲୋକଙ୍କ ବିରୋଧରେ ଉଦ୍ଦିଷ୍ଟ ହେବା ଉଚିତ ନୁହେଁ ବୋଲି ନେତୃବୃନ୍ଦ ମନେ କରୁଥିଲେ । ଗଡ଼ଜାତରେ ଏକ ପ୍ରଧାନ ସମସ୍ୟା ଥିଲା ଯେ, ଇଂରେଜଶାସିତ ଭାରତରେ ପ୍ରଚଳିତ ନିୟମ କାନୁନ ବହିର୍ଭୂତ ଅନେକ ଅଲିଖିତ ନିୟମ ସେଠାରେ ଚାଲିଥିଲା । ଏହାଦ୍ୱାରା ରାଜାମାନେ ଯଥେଚ୍ଛାଚାର କରିବାକୁ ସୁବିଧା ପାଉଥିଲେ । ଇଂରେଜ ସରକାର ଏ ସଂପର୍କରେ ଜାଣି ସୁଦ୍ଧା ଅଜଣା ରହୁଥିଲେ । ପ୍ରଜାଙ୍କପାଇଁ ଏହା ଅସହ୍ୟ ଥିଲା । ଉଦାହରଣ ସ୍ୱରୂପ, ପ୍ରତ୍ୟେକ ଗଡ଼ଜାତରେ ବେଠି ଓ ବେଗାରି ବ୍ୟବସ୍ଥା ରହିଥିଲା, ଯାହାର ଅର୍ଥ ହେଲା ବିନା ଦେୟରେ ପ୍ରଜାଠାରୁ ଶ୍ରମ ଦାବି କରିବା । ରାଜାମାନେ ପ୍ରଜାଠାରୁ ମୋଗଲବନ୍ଦି ତୁଳନାରେ ଅଧିକ ଖଜଣା ଅସୁଲ କରୁଥିଲେ । ଭୂ-ରାଜସ୍ୱ ବ୍ୟତୀତ ପ୍ରଜାକୁ ନାନା ବେନିୟମ କର ( ଯଥା ବିବାହ କର, ମଧୁଚନ୍ଦ୍ରିକା କର, ବାଳକଟା କର ଆଦି) ଦେବାକୁ ପଡ଼ୁଥିଲା । କନିକା ଯଦିଓ ମାତ୍ର ଏକ ଜମିଦାରୀ ଥିଲା , ସେଠାରେ ୬୪ ପ୍ରକାର କର ଅସୁଲି ହେଉଥିବା କୁହାଯାଉଥିଲା । ଏସବୁ ବ୍ୟତୀତ ଅନେକ ରାଜ୍ୟରେ ଅପହରଣ, ଧର୍ଷଣ, ଲୁଟତରାଜ ଆଦି ମଧ୍ୟ ରାଜାଙ୍କ ସମର୍ଥନରେ ଚାଲିଥିଲା । ମୌଳିକ ନାଗରିକ ଓ ମାନବିକ ଅଧିକାରରୁ ପ୍ରଜାମାନେ ବଞ୍ଚିତ ଥିଲେ ବୋଲି ଗଡ଼ଜାତକୁ 'ଅନ୍ଧାରି ମୁଲକ' ବୋଲି କୁହାଯାଉଥିଲା । ଏସବୁ ବିରୁଦ୍ଧରେ ପ୍ରତିବାଦ ନିମନ୍ତେ ରାଜନୈତିକ ସଂଗଠନ ଗଢ଼ିବାକୁ ଲୋକଙ୍କୁ କୌଣସି ଅଧିକାର ମଳୁ ନଥିଲା ।
୧୯୩୮ ଫେବ୍ରୁଆରିରେ ଜାତୀୟ କଂଗ୍ରେସର ହରିପୁରା ଅଧିବେଶନରେ ଦେଶୀୟ ରାଜ୍ୟବାସୀଙ୍କ ଦୁର୍ଦ୍ଦଶା ପ୍ରତି ସହାନୁଭୂତି ପ୍ରକଟ କରି ପ୍ରସ୍ତାବମାନ ଗୃହୀତ ହୋଇଥିଲା । ହରିପୁରା କଂଗ୍ରେସରେ ଓଡ଼ିଶାରୁ ଅନେକ ସଂଖ୍ୟାରେ ପ୍ରତିନିଧି ଯୋଗ ଦେଇଥିଲେ । ତନ୍ମଧ୍ୟରେ ହରେକୃଷ୍ଣ ମହତାବ, ଭାଗୀରଥି ମହାପାତ୍ର, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ଗୌରାଂଗ ଦାସ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ଲୋକନାଥ ମିଶ୍ର, ପ୍ରାଣକୃଷ୍ଣ ପଢ଼ିଆରୀ, ମନମୋହନ ଚୌଧୁରୀ, ଆଚାର୍ଯ୍ୟ ହରିହର ଦାସ ଓ ନିତ୍ୟାନନ୍ଦ ମହାପାତ୍ର ଆଦି ଓଡ଼ିଶାର ପ୍ରତିନିଧିମାନେ ପ୍ରସ୍ତାବ ଗୃହୀତ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଦେଶୀୟ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ନୀତିଗତ ଭାବେ ହସ୍ତକ୍ଷେପ ନ କରିବାପାଇଁ କଂଗ୍ରେସ ଯଦିଓ ନିଷ୍ପତ୍ତି ନେଇଥିଲା, ଏହି ପ୍ରସ୍ତାବ କଂଗ୍ରେସ ନେତାମାନଙ୍କୁ ଗଡ଼ଜାତ ଆନ୍ଦୋଳନ ସହିତ ଯୋଗାଯୋଗ କରିବାକୁ ଅବସର ପ୍ରଦାନ କଲା ।
୧୯୩୭-୩୯ରେ ନୀଳଗିରି, ଢେଙ୍କାନାଳ, ତାଳଚେର, ରଣପୁର, ଗାଙ୍ଗପୁର ଓ ଆଠଗଡ଼ ଆଦି ଗଡ଼ଜାତରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ରୂପ ନେଲା । ଏହା ପଛରେ କଂଗ୍ରେସ ମନ୍ତ୍ରିମଣ୍ଡଳର ସହାନୁଭୂତିପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଓ କଂଗ୍ରେସ ନେତୃବୃନ୍ଦଙ୍କ ଗଡ଼ଜାତ ସମସ୍ୟା ପ୍ରତି ସଂବେଦନଶୀଳତା ଅନେକାଂଶରେ ଦାୟୀ । ଏହି ସମୟରେ ବିଭିନ୍ନ ଗଡ଼ଜାତରେ ପ୍ରଜାମଣ୍ଡଳମାନ ଗଠିତ ହେଲା । ଗଡ଼ଜାତ ଅଂଚଳର ଶିକ୍ଷିତ ଯୁବକ ଓ ରାଜନୈତିକ ସଚେତନ ବ୍ୟକ୍ତିମାନେ ମୋଗଲବନ୍ଦି ଅଂଚଳରେ ଥିବା କଂଗ୍ରେସ ସଂଗଠନ ସହିତ ସଂପର୍କ ରକ୍ଷାକରି ଏହି ପ୍ରଜାମଣ୍ଡଳଗୁଡ଼ିକୁ ସଂଗଠିତ କରିଥିଲେ । କଂଗ୍ରେସର ବାମପନ୍ଥୀ ଓ ପ୍ରଗତିଶୀଳ ଯୁବକର୍ମୀମାନେ ମଧ୍ୟ ତହିଁରେ ଯଥାସଂଭବ ସକ୍ରିୟ ସହଯୋଗ କରୁଥିଲେ । ୧୯୩୭-୩୮ ମସିହାରେ କଂଗ୍ରେସର ପରୋକ୍ଷ ସହାୟତାରେ ଗଡ଼ଜାତ ରାଜ୍ୟଗୁଡ଼ିକରେ ଚାଲିଥିବା ଅତ୍ୟାଚାରର ସତ୍ୟାସତ୍ୟ ଜାଣିବା ନିମିତ୍ତ ଏକ ଅନୁସନ୍ଧାନ କମିଟି ଗଠିତ ହେଲା । ଏହା 'ଷ୍ଟେଟ୍ସ୍ ପିପୁଲ୍ସ ଏନ୍କ୍ୱାରି କମିଟି' ନାମରେ ପରିଚିତ । ଏହାର ଅଧ୍ୟକ୍ଷ ଥିଲେ ଓଡ଼ିଶାର ହରେକୃଷ୍ଣ ମହତାବ । ସଦସ୍ୟ ଥିଲେ ବଳବନ୍ତରାୟ ମେହେଟା ଓ ଓଡ଼ିଶାର ଲାଲମୋହନ ପଟ୍ଟନାୟକ । ତଦନ୍ତକୁ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ମହତାବ ସବୁ ଗଡ଼ଜାତଙ୍କୁ ନିଜ ନିଜ ପକ୍ଷ ରଖିବାପାଇଁ ଅନୁରୋଧ ପତ୍ର ପଠାଇଥିଲେ । ମାତ୍ର ଗଡ଼ଜାତ ରାଜାମାନଙ୍କ ତରଫରୁ ତଦନ୍ତକୁ ଏକ ରକମର ବାସନ୍ଦ କରାଗଲା । ଫଳରେ କମିଟି କେବଳ ଗଡ଼ଜାତ ପ୍ରଜାମାନଙ୍କ ପାଖରୁ ସତ୍ୟାସତ୍ୟ ବୁଝିଲେ ଏବଂ ସେହି ଆଧାରରେ ନିଜର ରିପୋର୍ଟ ପ୍ରସ୍ତୁତ କଲେ । ରିପୋର୍ଟରେ ଗଡ଼ଜାତର ଆଇନ ଶୃଙ୍ଖଳା ସୁଧାରିବାକୁ ଏବଂ ଶାସନ ବ୍ୟବସ୍ଥାକୁ ପଲିଟିକାଲ୍ ଏଜେଣ୍ଟଙ୍କଠାରୁ ସରକାରଙ୍କ ପାଖକୁ ହସ୍ତାନ୍ତର କରିବାକୁ ତଥା ଗଡ଼ଜାତବାସୀଙ୍କୁ ମୋଗଲବନ୍ଦି ପରି ନାଗରିକ ଅଧିକାର ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ କମିଟିର ରିପୋର୍ଟ ଗଡ଼ଜାତ ପ୍ରଜାମାନଙ୍କୁ ଆନ୍ଦୋଳନରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେବାକୁ ପ୍ରେରଣା ଯୋଗାଇଲା । କାରଣ, ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚିଛି ଏବଂ ରାଜା ଅତ୍ୟାଚାର ଆଉ ଲୁଚି ରହିବ ନାହିଁ ବୋଲି ଲୋକେ ଧାରଣା କରିନେଲେ ।
ଢେଙ୍କାନାଳ ୧୯୩୭ ଜୁନ୍ ମାସ ସୁଦ୍ଧା ଢେଙ୍କାନାଳରେ ପ୍ରଜାମଣ୍ଡଳ ଗଠିତ ହୋଇ ସାରିଥିଲା । ରାଜାଙ୍କ ଅତ୍ୟାଚାର ଓ ବିରୋଧୀ ମନୋଭାବଯୋଗୁଁ ଏହା ଏକ ଗୁପ୍ତ ଅନୁଷ୍ଠାନ ରୂପେ କାର୍ଯ୍ୟ କରୁଥିଲା । ଆର୍ତ୍ତତ୍ରାଣ ପାତ୍ର, କୃତ୍ତିବାସ ସୁବୁଦ୍ଧି, ଶ୍ୟାମସୁନ୍ଦର ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ତ୍ରିଲୋଚନ ପ୍ରଧାନ ଆଦି ଏହାର ନେତୃତ୍ୱ ନେଉଥିଲେ । ପ୍ରଜାମଣ୍ଡଳ ପକ୍ଷରୁ ଦାବିପତ୍ର ବଣ୍ଟା ହୋଇ ତହିଁରେ ନାଗରିକ ଅଧିକାରପାଇଁ ସ୍ୱୀକୃତି, ବେଆଇନ କରଗୁଡ଼ିକର ପ୍ରତ୍ୟାହାର ଓ ଜଂଗଲ ଆଇନର ସଂଶୋଧନ ଦାବି କରାଯାଇଥିଲା ।
୧୯୩୮ ସେପ୍ଟେମ୍ବର ମାସରେ ଜେନାପୁରଠାରେ ଏକ କୃଷକ ସମାବେଶ ହେଲା । ପ୍ରାଦେଶିକ କଂଗ୍ରେସ ଦଳରେ ଥିବା ସମାଜବାଦୀ ଓ ସାମ୍ୟବାଦୀ ଗୋଷ୍ଠୀ ଏହାର ସଂଯୋଜନା କରୁଥିଲେ । ଢେଙ୍କାନାଳର ଅନେକ ପ୍ରଜା ଏଥିରେ ଯୋଗ ଦେଲେ । ଏହାର ପରେ ପରେ ଢେଙ୍କାନାଳ ପ୍ରଜାମଣ୍ଡଳ ସମାଜବାଦୀ ଓ ସାମ୍ୟବାଦୀଙ୍କ ନିୟନ୍ତ୍ରଣକୁ ଚାଲିଆସିଲା । ମହେଶ୍ୱର ସୁବାହୁ ସିଂହ, ବ୍ରଜକିଶୋର ଧଳ ଏବଂ ବୈଷ୍ଣବଚରଣ ପଟ୍ଟନାୟକ ହେଲେ ପ୍ରଜାମଣ୍ଡଳର ନୂତନ ନେତୃତ୍ୱ । କଂଗ୍ରେସ ସମାଜବାଦୀ (ଏଥିରେ କମ୍ୟୁନିଷ୍ଟ ବା ସାମ୍ୟବାଦୀ ମଧ୍ୟ ସାମିଲ୍ ଥିଲେ) ଗୋଷ୍ଠୀର ସଂପୃକ୍ତି ପରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା । ଢେଙ୍କାନାଳ ରାଜା ପ୍ରଜାମଣ୍ଡଳକୁ ଦମନ କରିବା ସକାଶେ ମୋଗଲବନ୍ଦି ପୋଲିସର ସହାୟତା ନେଲେ । କର୍ମୀମାନେ ଗିରଫ ହେଲେ । ସେମାନଙ୍କ ଘର କୋରଖ ହେଲା । ପ୍ରଜାମାନେ ଅକଥନୀୟ ଅତ୍ୟାଚାରର ଶିକାର ହେଲେ । ସେମାନଙ୍କ ଘର ଖାନତଲାସୀ ହେଲା । ସେପ୍ଟେମ୍ବର ୨୨ତାରିଖ ଦିନ ପରିସ୍ଥିତି ଅସମ୍ଭାଳ ହେବାରୁ ପ୍ରଜାମଣ୍ଡଳକୁ ବେଆଇନ୍ ଘୋଷଣା କରାଗଲା । ଅନେକ ଗାଁ, ଯଥା-ଗଡ଼ପର୍ଜଙ୍ଗ, କୁଆଳୋ, ଖଡ଼୍ଗ ପ୍ରସାଦ, ମଂଗଳପୁର ଓ ଭୁବନ ଆଦିରେ ରାଜାଙ୍କ ଲୋକ ନିଆଁ ଲଗାଇ ଦେଲେ । ପ୍ରଜା ବାସହରା ହୋଇ ଗାଁ' ଛାଡ଼ି ଚାଲିଗଲେ । ପୁଣି ପୋଲିସର ତାଗିଦରେ ଫେରିଆସିଲା ପରେ ଭୀଷଣ ରାଜା ଅତ୍ୟାଚାରର ସମ୍ମୁଖୀନ ହେଲେ । ପ୍ରାୟ ଏକ ଲକ୍ଷ ଢେଙ୍କାନାଳ ପ୍ରଜା ରାଜ୍ୟ ଛାଡ଼ି ମୋଗଲବନ୍ଦି ଅଂଚଳକୁ ପଳାଇଲେ ।
୧୯୩୮ ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରଜାମଣ୍ଡଳ ଆନ୍ଦୋଳନ ଓ ପୋଲିସ ଅତ୍ୟାଚାର ସମପରିମାଣରେ ବୃଦ୍ଧିପାଇଲା । ଅନେକ କଂଗ୍ରେସ କର୍ମୀ, ଯେଉଁମାନେ ପରେ ସୋସିଆଲିଷ୍ଟ ଓ କମ୍ୟୁନିଷ୍ଟ ଦଳରେ ଯୋଗଦେଲେ, ଢେଙ୍କାନାଳକୁ ପ୍ରବେଶ କଲେ ଏବଂ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କଲେ । ଭଗବତୀ ଚରଣ ପାଣିଗ୍ରାହୀ, ଗୌରାଙ୍ଗ ଚରଣ ଦାସ, ଗୋକୁଳ ମୋହନ ରାୟ ଚୂଡ଼ାମଣି, ଅନନ୍ତ ପଟ୍ଟନାୟକ, ସାରଙ୍ଗଧର ଦାସ ଓ ମାଳତୀ ଚୌଧୁରୀ ଆଦି ହେଲେ ସେହି ଧରଣର କେତେକ କଂଗ୍ରେସ ନେତା । ୧୯୩୮ ଡିସେମ୍ବର ୩ ତାରିଖରେ ଢେଙ୍କାନାଳରେ ପୋଲିସ ଜୁଲମର ପ୍ରତିବାଦ କରି ବିଧାନସଭା ସଭ୍ୟ ପଦରୁ ନବକୃଷ୍ଣ ଚୌଧୁରୀ ତ୍ୟାଗପତ୍ର ଦେଲେ । ଆନ୍ଦୋଳନ ତୀବ୍ର ହେଲା ।
ଏହି ସମୟରେ ରାଜାଙ୍କ ନିର୍ଦେଶରେ ଭୁବନ, ନୀଳକଣ୍ଠପୁର, ହିନ୍ଦୋଳ, ତୁମୁଶିଙ୍ଗା ଓ ଶିରିମୂଳାଠାରେ ପୋଲିସ ଗୁଳି ଚାଳନା କଲେ । ଫଳରେ ୧୧ଜଣରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀ ନିହତ ହେଲେ ଏବଂ ୨୩ ଜଣ ଗୁରୁତର ଆହତ ହେଲେ । ନୀଳକଣ୍ଠପୁରରେ ବାଜିରାଉତ ନାମକ ଜଣେ ୧୨ ବର୍ଷର ବାଳକ ପୋଲିସ ବାହିନୀକୁ ନଦୀ ପାରି କରିବାରେ ଅସହଯୋଗ କରିବାରୁ ଗୁଳିର ଶିକାର ହେଲା । ବାଜି ରାଉତ ଓ ଅନ୍ୟ କେତେକ ନିହତ ବ୍ୟକ୍ତିଙ୍କୁ ଶଗଡ଼ରେ ନେଇ କଟକରେ ଶୋଭାଯାତ୍ରା ହେଲା । ଏହା ମୋଗଲବନ୍ଦି ଅଂଚଳରେ ଗଡ଼ଜାତ ଅତ୍ୟାଚାରକୁ ପ୍ରତ୍ୟକ୍ଷ କଲା । ଆନ୍ଦୋଳନର ମାତ୍ରା ଏତେ ତୀବ୍ର ହେଲା ଯେ, ରାଜା ପଞ୍ଚାୟତ ଓ ପ୍ରଜାସଭା ଗଠନ କରି ପ୍ରଜାମାନଙ୍କୁ କିଛି ଗଣତାନ୍ତ୍ରିକ ଅଧିକାର ଦେବାକୁ ଘୋଷଣା କଲେ । ମାତ୍ର ରାଜତନ୍ତ୍ରର ଉଚ୍ଛେଦ ଦାବି କରି ପ୍ରଜା ରାଜ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । ରଣପୁର
ଖୋର୍ଦ୍ଧା ପାଖରେ ରଣପୁର ଏକ କ୍ଷୁଦ୍ର ଗଡ଼ଜାତ । ୧୯୩୯ ଜାନୁଆରି ମାସରେ ଏଠାରେ ପ୍ରଜାମଣ୍ଡଳ ଆନ୍ଦୋଳନ ହିଂସାତ୍ମକ ରୂପ ନେଲା । ରଣପୁର ପ୍ରଜାମଣ୍ଡଳର ସଭାପତି ଥିଲେ ବନମାଳୀ ରାମ, ଉପ ସଭାପତି କୃପାସିନ୍ଧୁ ମିଶ୍ର, ସଂପାଦକ ରଘୁନାଥ ମହାନ୍ତି ଓ ସଂଗଠନ ସଂପାଦକ ଦିବାକର ପରିଡ଼ା । ରାଜା ପ୍ରଜାମଣ୍ଡଳକୁ ବେଆଇନ୍ ଘୋଷଣା କରି ନେତୃବର୍ଗଙ୍କୁ ଗିରଫ କଲେ । ଏହାର ପ୍ରତିବାଦ କରି ପ୍ରଜା ରାଜପ୍ରାସାଦ ଘେରାଉ କଲେ ଏବଂ ନେତାମାନଙ୍କର ମୁକ୍ତି ଦାବି କଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ରାଜା ପଲିଟିକାଲ୍ ଏଜେଣ୍ଟ ମେଜର ବେଜଲଗେଟ୍ଙ୍କ ସହଯୋଗ ଭିକ୍ଷା କଲେ । ସେହିଦିନ (୫ ଜାନୁଆରି) ବେଜଲଗେଟ ନିକଟସ୍ଥ ନୟାଗଡ଼ରେ ଅବସ୍ଥାନ କରୁଥିଲେ । ରଣପୁର ଆସି ସେ ଆନ୍ଦୋଳନକାରୀଙ୍କୁ ଭୟଭୀତ କରିବାକୁ ନିଜ ବନ୍ଧୁକରୁ ଗୁଳି ଚାଳନା କଲେ । ଏଥିରେ ଅର୍ଜୁନ ରାଉତ ନାମକ ଜଣେ କର୍ମୀଙ୍କର ମୃତ୍ୟୁ ହେଲା । ଏହା ପରେ ଉତ୍ତ୍ୟକ୍ତ ପ୍ରଜା ବେଜଲଗେଟଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ।
ପଲିଟିକାଲ୍ ଏଜେଣ୍ଟ ଭଳି ଜଣେ ଉଚ୍ଚ ପଦସ୍ଥ ଇଂରେଜ ଅଧିକାରୀଙ୍କ ହତ୍ୟା ପ୍ରଜାମଣ୍ଡଳ ଆନ୍ଦୋଳନକୁ ତତ୍କାଳୀନ ରାଜନୀତିକ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ କଲା । କଂଗ୍ରେସ ନେତୃବର୍ଗ ବିଶେଷକରି ହରେକୃଷ୍ଣ ମହତାବଙ୍କ ପରାମର୍ଶରେ ରଣପୁର ପ୍ରଜା ରାଜ୍ୟ ଛାଡି ପଳାୟନ କଲେ । ପୋଲିସ ଅତ୍ୟାଚାରରୁ ମୁକ୍ତି ପାଇବାଲାଗି ଏହା ହିଁ ଉଚିତ ବିକଳ୍ପ ବୋଲି ମନେ କରାଯାଉଥିଲା । ହତ୍ୟାପାଇଁ ପ୍ରଜାମଣ୍ଡଳର ଦୁଇଜଣ ପ୍ରମୁଖ ନେତା ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଫାଶୀଦଣ୍ଡ ଏବଂ ଅନ୍ୟ ୨୭ ଜଣ କର୍ମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ଜାତୀୟ କଂଗ୍ରେସ ବେଜଲଗେଟ ହତ୍ୟାର ନିନ୍ଦା କରି ସରକାରଙ୍କ କ୍ରୋଧକୁ ପ୍ରଶମିତ କରିବାକୁ ପ୍ରୟାସ କଲା । ରଣପୁର ଆନ୍ଦୋଳନକୁ କ୍ରୂର ଭାବେ ଦମନ କରାଗଲା ସତ, ମାତ୍ର ଏହା ଗଡ଼ଜାତ ସମସ୍ୟାର ଜଟିଳତାକୁ ବୁଝିବାଲାଗି ସରକାରଙ୍କୁ ବାଧ୍ୟ କଲା ।
ନୀଳଗିରି ୧୯୩୮-୩୯ରେ ବାଲେଶ୍ୱର ନିକଟବର୍ତ୍ତୀ ନୀଳଗିରି ଗଡ଼ଜାତରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା । ଏହା ପୂର୍ବରୁ ୧୯୨୭-୨୮ରେ ମଧ୍ୟ ନୀଳଗିରିରେ ପ୍ରଜା ବେଠି, ବେଗାରି ଉଚ୍ଛେଦ ଦାବି କରି ଆନ୍ଦୋଳନ କରିଥିଲେ । ରାଜା ସ୍ଥାନୀୟ ଜଙ୍ଗଲରେ ଉପଲବ୍ଧ ହାତୀ ଧରିବାକୁ ବେଗାରିରେ (ବିନା ଦେୟରେ) ଲୋକଙ୍କୁ ନିୟୋଜିତ କରୁଥିଲେ । ହାତୀ ବିକ୍ରୀ କରି ରାଜା ଅର୍ଥଲାଭ କରୁଥିଲେ । ହାତୀ ଧରାରେ ଯାଇ ଲୋକ ନିଜ ବିଲବାଡ଼ି କାମ କରି ପାରୁ ନଥିଲେ । ପୁଣି ହାତୀ ଧରା ବେଳେ ଶିକାରୀର ବନ୍ଧୁକରେ ଅନେକ ସମୟରେ ପ୍ରଜା ହତାହତ ହେଉଥିଲେ । ଏହାର ବିରୋଧ କରି ପ୍ରଜା ସମୟ ସମୟରେ ଆନ୍ଦୋଳନ କରୁଥିଲେ ଏବଂ ଦମନର ଶିକାର ହେଉଥିଲେ । ୧୯୩୮ ମେ' ମାସରେ ନୀଳଗିରିରେ ପ୍ରଜାମଣ୍ଡଳର ଗଠନ ହେଲା । କୈଳାସ ଚନ୍ଦ୍ର ମହାନ୍ତି ଓ ବନମାଳୀ ଦାସ ଥିଲେ ଏହାର ପ୍ରମୁଖ ନେତା । ପ୍ରଜାମଣ୍ଡଳ ନାଗରିକ ଅଧିକାର ଏବଂ ପ୍ରତିିଧିମୂଳକ ଶାସନ ବ୍ୟବସ୍ଥା ଦାବି କଲା । କଂଗ୍ରେସର ପରୋକ୍ଷ ସମର୍ଥନ ଥିବାରୁ ପ୍ରଜାମଣ୍ଡଳ ଏଣିକି ଅସଂଖ୍ୟ ପ୍ରଜାଙ୍କୁ ଆକୃଷ୍ଟ କଲା ।
ପ୍ରଜାମଣ୍ଡଳକୁ ଦମନ କରିବାକୁ ରାଜା କର୍ମୀମାନଙ୍କୁ ଗିରଫ କଲେ । ପ୍ରଜାମାନଙ୍କୁ ଅର୍ଥଦଣ୍ଡ ଓ ଶାରୀରିକ ଶାସ୍ତି ଦିଆଗଲା । ରାଜାନୁମତି ବିନା କୌଣସି ସଭା ସମିତି ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହେଲା । ୧୯୩୯ ଫେବ୍ରୁଆରି ୯ ତାରିଖରେ ରାଜା ପ୍ରଜାମଣ୍ଡଳକୁ ବେଆଇନ ଘୋଷଣା କଲେ ।
ତାଳଚେର ଢେଙ୍କାନାଳର ପଡେ଼ାଶୀ ଗଡ଼ଜାତ ହେଲା ତାଳଚେର । ୧୯୩୮ରେ ସେଠାରେ ମଧ୍ୟ ପ୍ରଜାମଣ୍ଡଳ ତୀବ୍ର ରୂପ ନେଲା । ତାଳଚେର ଆନ୍ଦୋଳନ ଭାରତଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ଲାଗି ରହିଲା । ୧୯୩୮ରେ ସେଠାରେ ଆନ୍ଦୋଳନ ଆରମ୍ଭ ହେଲା ଖଜଣାକୁ ନେଇ । ରାଜା ପ୍ରଜାମାନଙ୍କୁ ଏକାଥରକେ ଦୁଇ କିସ୍ତି ଖଜଣା ଦେବାକୁ ନିର୍ଦେଶନାମା ଜାରି କଲେ । ଖଜଣା ଦେଇ ପାରି ନ ଥିବା ପ୍ରଜାର ଜମି ବାଜ୍ୟାପ୍ତ ହେବ ବୋଲି ରାଜା ତାଗିଦ୍ କଲେ । କର୍ମଚାରୀମାନେ ପ୍ରଜାଙ୍କର ଅମଳ ହୋଇଥିବା ଧାନକୁ ବାଜ୍ୟାପ୍ତ କରିନେଲେ । ଅନନ୍ୟୋପାୟ ହୋଇ ସାଧାରଣ ପ୍ରଜା ରାଜ୍ୟ ଛାଡ଼ି ପଳାଇଲେ ।
ଉପରୋକ୍ତ ପୃଷ୍ଠଭୂମିରେ ୧୯୩୮ ସେପ୍ଟେମ୍ବର ମାସରେ ସେଠାକାର କୋଶଳା ଗ୍ରାମରେ ପବିତ୍ରମୋହନ ପ୍ରଧାନଙ୍କ ସଭାପତିତ୍ୱରେ ପ୍ରଜାମଣ୍ଡଳ ଗଠିତ ହେଲା । ତାଳଚେର ପ୍ରଜାମଣ୍ଡଳର ଢେଙ୍କାନାଳ ନେତୃବର୍ଗଙ୍କ ସହ ସଂପର୍କ ଥିଲା । ତାହାରି ପ୍ରଭାବରେ ଢେଙ୍କାନାଳ ପ୍ରଜାମଣ୍ଡଳ ପରି ତାଳଚେର ପ୍ରଜାମଣ୍ଡଳ ରାଜାଙ୍କୁ ଦାବିପତ୍ର ଦେଲା । ସେପ୍ଟେମ୍ବର ୧୬ ତାରିଖରେ ପ୍ରଜାମଣ୍ଡଳ ପକ୍ଷରୁ ଏକ ଜନସଭା ମଧ୍ୟ ଆୟୋଜିତ ହେଲା । ପରିଣାମ ସ୍ୱରୂପ ରାଜା ପ୍ରଜାମଣ୍ଡଳକୁ ବେଆଇନ୍ ଘୋଷଣା କଲେ ।
ପ୍ରଜାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରୁ ଲୋକ ମୋଗଲବନ୍ଦି ଅନୁଗୁଳ ଜିଲ୍ଲାକୁ ପଳାୟନ କଲେ । ରାଜ୍ୟ ଛାଡ଼ି ଅନୁଗୁଳରେ ଶରଣାର୍ଥୀ ସାଜିଥିବା ତାଳଚେର ପ୍ରଜାଙ୍କ ମୋଟ ସଂଖ୍ୟା ଗୋଟାଏ ସମୟରେ ୨୫,୦୦୦ ବୋଲି ହିସାବ କରାଯାଇଥିଲା । ଶରଣାର୍ଥୀ ଶିବିରରେ କଂଗ୍ରେସର ଗଠନମୂଳକ କାର୍ଯ୍ୟ ପରିଚାଳନାନିମିତ୍ତ ବାହାରୁ ଆସି ଅନେକ କଂଗ୍ରେସ କର୍ମୀ ସହଯୋଗ କରୁଥିଲେ । ଶିବିରରେ କଂଗ୍ରେସର ପତାକା ଉଡ଼ାଇ ପ୍ରଜା ଏକ ରକମର ସୁରକ୍ଷା ଅନୁଭବ କରୁଥିଲେ । କଂଗ୍ରେସ ନେତା ହରେକୃଷ୍ଣ ମହତାବ, ମାଳତୀ ଚୌଧୁରୀ, ଗିରିଜା ଭୂଷଣ ଦତ୍ତ ତଥା ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ତାଳଚେର ପ୍ରଜାଙ୍କୁ ଯଥା ସମ୍ଭବ ସହଯୋଗ କରୁଥିଲେ । ୧୯୩୯ରେ ମହାତ୍ମାଗାନ୍ଧୀଙ୍କ ହସ୍ତକ୍ଷେପଯୋଗୁଁ ସରକାର ରାଜାଙ୍କୁ ବେଠି ଉଚ୍ଛେଦ କରିବାକୁ ତଥା ପ୍ରଜାଙ୍କୁ ଜଙ୍ଗଲରେ ପ୍ରବେଶ ଅଧିକାର ଦେବାକୁ ନିର୍ଦେଶ ଦେଲେ । ଓଡ଼ିଶାର ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍ଗୋ ମଧ୍ୟ ରାଜାଙ୍କ ସହ ଆଲୋଚନା କଲେ । ଫଳରେ ୧୯୪୧ ପର୍ଯ୍ୟନ୍ତ ପ୍ରଜାଙ୍କ ଉପରେ ଦମନ ନୀତି କୋହଳ ହେଲା । ଅନେକ ସଂଖ୍ୟକ ପ୍ରଜା ଏହି ସମୟରେ ନିଜ ରାଜ୍ୟକୁ ଶରଣାର୍ଥୀ ଶିବିରରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ୧୯୪୧ ମସିହାର ଶେଷ ଆଡ଼କୁ ପୁଣି ରାଜାଙ୍କର ଉତ୍ପୀଡ଼ନ ବୃଦ୍ଧି ପାଇଲା, ଯାହାର ପରିଣାମ ସ୍ୱରୂପ ଭାରତଛାଡ଼ ଆନ୍ଦୋଳନ ସମୟରେ ତାଳଚେରରେ ସଂଗ୍ରାମ ଉଗ୍ର ରୂପ ଧାରଣ କଲା । ତାକୁ ଦମନ କରିବା ନିମିତ୍ତ ସରକାର ମେସିନ୍ ଗନ୍ ଓ ବୋମା ଏବଂ ହେଲିକପ୍ଟରର ପ୍ରୟୋଗ କରିଥିଲେ ।
ମୟୂରଭଞ୍ଜ ମୟୂରଭଞ୍ଜ ଥିଲା ଓଡ଼ିଶାର ସର୍ବବୃହତ ଗଡ଼ଜାତ । ଏହାର ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ଉତ୍କଳ ସମ୍ମିଳନୀର ଜଣେ ସମ୍ମାନନୀୟ ନେତା ଥିଲେ । ଆଧୁନିକ ଶିକ୍ଷା ଓ ଗମନାଗମନର ପ୍ରସାରପାଇଁ ସେ ରେଳପଥ ବିସ୍ତାର ଆଦି ଅନେକ ପଦକ୍ଷେପ ନେଇଥିଲେ । ରାଜ୍ୟରେ ଉଚ୍ଚ ନ୍ୟାୟାଳୟ, ପ୍ରଜାପରିଷଦମାନ ମଧ୍ୟ ଗଠିତ ହୋଇଥିଲା । ସେହି ଦୃଷ୍ଟିରୁ ଦେଖିଲେ, ରାଜତନ୍ତ୍ର ଉପରେ ପର୍ଯ୍ୟବସିତ ହେବା ସତ୍ତ୍ୱେ ମୟୂରଭଞ୍ଜର ଶାସନ ବ୍ୟବସ୍ଥା ଅନ୍ୟ ଗଡ଼ଜାତ ତୁଳନାରେ ପ୍ରଗତିଶୀଳ ଓ ସଂସ୍କାରୀ ଥିଲା ।
ମୟୂରଭଞ୍ଜ ଥିଲା ଏକ ଆଦିବାସୀ ବହୁଳ ରାଜ୍ୟ । ରାଜାଙ୍କର ସଂସ୍କାର ଓ ପ୍ରଗତିମୂଳକ କାର୍ଯ୍ୟଯୋଗୁଁ ସେଠାରେ ଅନେକ ବାହାର ଲୋକ ଚାକିରିଆ ଓ ବ୍ୟବସାୟୀ ଭାବରେ ଆସି ବସବାସ କଲେ । ସେମାନଙ୍କୁ ହାଟୁଆ ଏବଂ ନିଜକୁ ଦେଶଲୋକ ବୋଲି ଆଦିବାସୀମାନେ କହୁଥିଲେ । ଦେଶଲୋକଙ୍କର ଜମି ହାଟୁଆମାନଙ୍କ ପାଖକୁ ହସ୍ତାନ୍ତର ହେବାକୁ ଲାଗିଲା । ଏହାକୁ ଗଡ଼ଜାତର ପ୍ରାଶାସନିକ ବ୍ୟବସ୍ଥା ପ୍ରୋତ୍ସାହିତ କରୁଥିଲା । ତେଣୁ ହାଟୁଆମାନଙ୍କ ବିରୁଦ୍ଧରେ ଦେଶଲୋକ ଅନେକ ସମୟରେ ସଂଘର୍ଷ କରୁଥିଲେ ।
ରାଜ୍ୟରେ ବେଠି, ଭେଟି, ମାଗଣ ଆଦି ବ୍ୟବସ୍ଥା ପ୍ରଚଳିତ ଥିଲା । ରାଜା ଶିକ୍ଷିତ ଓ ସଂସ୍କାରୀ ହେବା ସତ୍ତ୍ୱେ ଏହିସବୁ ସାମନ୍ତବାଦୀ କର ଅସୁଲିକୁ ଉଚ୍ଛେଦ କରି ପାରି ନଥିଲେ । ୧୯୩୭- ୩୮ରେ ହରେକୃଷ୍ଣ ମହତାବଙ୍କ ସଭାପତିତ୍ୱରେ ଗଠିତ ଷ୍ଟେଟ୍ସ ପିପୁଲ୍ସ ଏନ୍କ୍ୱାରି କମିଟି ପାଖରେ ମୟୂରଭଞ୍ଜ ପ୍ରଜାମଣ୍ଡଳର ପ୍ରମୁଖ ନେତା ଶରତଚନ୍ଦ୍ର ଦାସ ରାଜ୍ୟରେ ଅସୁଲ୍ ହେଉଥିବା ବେନିୟମ କରର ଏକ ବିସ୍ତୃତ ତାଲିକା ପ୍ରଦାନ କରିଥିଲେ । ତା' ଅନୁଯାୟୀ :
{{center block|
ଜାଳେଣି କାଠ ପାଇଁ ମାସିକ କର ଚାରି ଅଣା;
ଗୋଚର ଜମି ବ୍ୟବହାର କରିବାପାଇଁ ପଶୁ ପିଛା ଦୁଇ ଅଣା;
ହାଟରେ ଗୋରୁଗାଈ ବିକିଲେ ମୁଣ୍ଡପିଛା କର ଚାରି ଅଣା;
ରାଜକର୍ମଚାରୀଙ୍କପାଇଁ ବିନା ମୂଲ୍ୟରେ ରସଦ ଯୋଗାଣ;
ରାସ୍ତାଘାଟର ମରାମତିପାଇଁ ବାଧ୍ୟତାମୂଳକ ବେଠି;
ପ୍ରତ୍ୟେକ ହଳ ଲଙ୍ଗଳ ଓ ଯୁଆଳିପାଇଁ ଚାରି ଅଣା ;
ଚୌକିଦାରୀ ଟିକସ;
ପଥକର ଓ ବିବାହ କର;
ଟସର ଚାଷପାଇଁ ବାର ଅଣା ।
ଏଥିରୁ ମନେହୁଏ ଯେ, ମୟୂରଭଞ୍ଜରେ ପ୍ରଜାଙ୍କ ଉପରେ କର ଭାର ଊଣା ନଥିଲା , ସର୍ଦ୍ଦାର, ତହସିଲଦାର ଓ ଲାଖରାଜଦାର ଆଦି ଖଜଣା ଅସୁଲକାରୀମାନେ ଅନେକ ସମୟରେ ଧାର୍ଯ୍ୟ ମାତ୍ରାଠାରୁ ଅଧିକ କର ଅସୁଲ କରୁଥିଲେ, ଯାହା ଗଡ଼ଜାତ ଶାସନକୁ ଅଧିକ ଲୋକବିରୋଧୀ କରୁଥିଲା । ୧୯୨୫ ମସିହାଠାରୁ ରାଜ୍ୟରେ ସାଧାରଣ ସଭା ନିଷିଦ୍ଧ ଥିଲା । ଏହା ପ୍ରଜାଙ୍କର ନାଗରିକ ଅଧିକାରକୁ କ୍ଷୁଣ୍ଣ କରୁଥିଲା ।
ଏହି ପୃଷ୍ଠଭୂମିରେ ୧୯୩୮ରେ ଶରତ ଚନ୍ଦ୍ର ଦାସ ଓ ପ୍ରସନ୍ନ କୁମାର ଦାସଙ୍କ ନେତୃତ୍ୱରେ ମୟୂରଭଞ୍ଜରେ ପ୍ରଜାମଣ୍ଡଳ ଗଠିତ ହେଲା । ସେହି ବର୍ଷ ଅକ୍ଟୋବର ମାସରେ ବଂଶୀଧର ବେହେରା ଏକ ଜନ ସଭା ଆୟୋଜନ କରି ତହିଁରେ ପ୍ରଚଳିତ ଶାସନ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ । କପ୍ତିପଦା ଓ ପଞ୍ଚପୀଢ଼ଠାରେ ମଧ୍ୟ ସଭାମାନ ଆୟୋଜିତ ହେଲା । ଶରତ ଚନ୍ଦ୍ର ଦାସଙ୍କର କଂଗ୍ରେସ ଦଳ ସହ ସଂପୃକ୍ତି ଓ ଲୋକପ୍ରିୟତାଯୋଗୁଁ ତାଙ୍କୁ ସେଠାକାର ଲୋକ 'ଶରତ ଗାନ୍ଧୀ' ବୋଲି କହୁଥିଲେ । ସେ ଗାନ୍ଧୀଙ୍କର ଅହିଂସା ମାର୍ଗକୁ ପ୍ରମୁଖତା ଦେଉଥିଲେ । ତାଙ୍କରି ପ୍ରଭାବରେ ମୟୂରଭଞ୍ଜ ପ୍ରଜାମଣ୍ଡଳ ଆନ୍ଦୋଳନ ଅନେକ ଗଠନମୂଳକ କାର୍ଯ୍ୟ ମଧ୍ୟ ହାତକୁ ନେଇଥିଲା । ପ୍ରଜାମାନଙ୍କ ଶ୍ରମଦାନରେ ମାନଗୋବିନ୍ଦପୁରଠାରେ 'ଶରତ ଚନ୍ଦ୍ର ବନ୍ଧ' ନାମରେ ଏକ ବନ୍ଧ ନିର୍ମାଣ କରାଯାଇଥିଲା । ପ୍ରଜାମଣ୍ଡଳକର୍ମୀ ଗ୍ରାମ ସଫେଇ, ଅସ୍ପୃଶ୍ୟତା ନିବାରଣ, ଖଦି ପ୍ରସାର, ସାକ୍ଷରତା ଅଭିଯାନ ଆଦିକୁ ଗୁରୁତ୍ୱ ଦେଉଥିଲେ ।
ପ୍ରଜାମଣ୍ଡଳ ଆନ୍ଦୋଳନକୁ ବଳପ୍ରୟୋଗ କରି ଦମନ କରିବା ପରିବର୍ତ୍ତେ ମୟୂରଭଞ୍ଜ ରାଜା 'ପ୍ରଜାମଙ୍ଗଳ' ନାମକ ଏକ ସଂଗଠନ ଗଢ଼ିଥିଲେ । ଏହି ସଂଗଠନ ରାଜାଙ୍କର କାର୍ଯ୍ୟକୁ ରାଜ୍ୟରେ ସ୍ୱୀକାର୍ଯ୍ୟ କରିବାପାଇଁ ଉଦ୍ୟମ କରୁଥିଲା । ଅନେକ ସମୟରେ ପ୍ରଜାମଣ୍ଡଳ ଓ ପ୍ରଜାମଙ୍ଗଳ କର୍ମୀମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଥିଲା । ୧୯୪୭ ଜୁନ୍ ୩୦ ତାରିଖରେ ପ୍ରଜାମଣ୍ଡଳ ରାଜାଙ୍କ ନିକଟରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା କରିବାକୁ ଦାବି ଉତ୍ଥାପନ କଲେ । ମହାରାଜା ଓ ପ୍ରଜାମଣ୍ଡଳ ମଧ୍ୟରେ ଶେଷରେ ରାଜିନାମା ସ୍ୱାକ୍ଷରିତ ହେଲା । ତା' ଅନୁଯାୟୀ ସ୍ୱାଧୀନତା ପରେ ମୟୂରଭଞ୍ଜ ସ୍ୱତନ୍ତ୍ର ରାଜ୍ୟ ହୋଇ ରହିବ ଓ ମହାରାଜା ତା'ର ସାମ୍ବିଧାନିକ ମୁଖ୍ୟ ହୋଇ ରହିବେ ବୋଲି ସ୍ଥିର ହେଲା ।
୧୯୪୭ ଅଗଷ୍ଟ ୧୫ ପରେ ମୟୂରଭଞ୍ଜରେ ଏକ ପ୍ରତିିନିଧିମୂଳକ ଶାସନ ବ୍ୟବସ୍ଥା ଲାଗୁ ହେଲା । ଶରତ ଚନ୍ଦ୍ର ଦାସ ପ୍ରଧାନମନ୍ତ୍ରୀ ଭାବରେ ମହାରାଜାଙ୍କଠାରୁ କ୍ଷମତା ଗ୍ରହଣ କଲେ । ୧୯୪୭ ଡିସେମ୍ବର ୧୦ ତାରିଖ ଦିନ ମହାରାଜା ଶରତ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଗଠିତ ତିିନିଜଣିଆ ମନ୍ତ୍ରିମଣ୍ଡଳ (ଅନ୍ୟ ଦୁଇ ମନ୍ତ୍ରୀ ହେଲେ ବିଦ୍ୟାଧର ମହାପାତ୍ର ଓ ମହେଶ୍ୱର ନାୟକ) ହାତରେ ଆନୁଷ୍ଠାନିକ ଭାବରେ ଶାସନ ଦାୟିତ୍ୱ ଅର୍ପଣ କଲେ । ରାଜା ନିଜେ ହେଲେ ଶାସନର ସାମ୍ବିଧାନିକ ମୁଖ୍ୟ । ଦେଶ ସହିତ ମୟୂରଭଞ୍ଜର ସମ୍ମିଶ୍ରଣ ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲିଲା । ମୟୂରଭଞ୍ଜ ପ୍ରଜାମଣ୍ଡଳର ସଫଳତା ପଛରେ ନିଶ୍ଚିତ ରୂପେ ନେତୃବର୍ଗଙ୍କର ପରିପକ୍ୱତା ଏବଂ ମହାରାଜାଙ୍କର ଆଚରଣ ଗୋଟାଏ ଗୋଟାଏ ପ୍ରମୁଖ କାରଣ । ଅଯଥା ରାଜା ଅନ୍ୟ ଗଡ଼ଜାତ ପରି ଦମନମୂଳକ ପନ୍ଥା ଅବଲମ୍ବ କରି ନଥିଲେ । ୧୯୪୭ରେ ପ୍ରଜାମଣ୍ଡଳର ସହଯୋଗରେ ମୟୂରଭଞ୍ଜ ନିଜର ଏକ ସ୍ୱତନ୍ତ୍ର ସ୍ଥିତି ରଖିପାରିବ ବୋଲି ସେ ଆଶା କରିଥିଲେ । ପରିବର୍ତ୍ତିିତ ପରିସ୍ଥିତିରେ ଅନ୍ତତଃ ସାମ୍ବିଧାନିକ ମୁଖ୍ୟ ହୋଇ ରହିବା ଏକ ବଡ଼ ଉପଲବ୍ଧି ହେବ ବୋଲି ସେ ବିଚାର କରୁଥିଲେ । ସେଥିପାଇଁ ପ୍ରଜାମଣ୍ଡଳକୁ କ୍ଷମତା ହସ୍ତାନ୍ତର କରିବାକୁ ସେ ସମ୍ମତ ହୋଇଥିଲେ ।
ଅନ୍ୟାନ୍ୟ ଗଡ଼ଜାତ ଖଣ୍ଡପଡ଼ା, ଆଠଗଡ଼, ଗାଙ୍ଗପୁର ଓ ନୟାଗଡ଼ ଆଦି ଗଡ଼ଜାତ ରାଜ୍ୟରେ ମଧ୍ୟ ଏହି ସମୟରେ ପ୍ରଜାମଣ୍ଡଳ ଆନ୍ଦୋଳନ ତେଜି ଉଠିଥିଲା । ଗାଙ୍ଗପୁରର ଆମ୍କୋ ସିମକୋଠାରେ ୨୫ ଏପ୍ରିଲ୍ ୧୯୩୯ ଦି ଖଜଣା ଛାଡ଼, ବେଠି-ବେଗାରିର ଉଚ୍ଛେଦ, ଜଙ୍ଗଲ ଜମିରେ ଅଧିକାର ଆଦି ଦାବି କରି ଏକତ୍ରିତ ହୋଇଥିବା ପ୍ରଜାଙ୍କ ଉପରେ ପୋଲିସ ପକ୍ଷରୁ ଗୁଳିଚାଳନା ହେଲା । ଫଳରେ ପଚାଶ ପ୍ରାୟ ଆଦିବାସୀ ନିହତ ହେଲେ ଏବଂ ୧୦୦ ପ୍ରାୟ ଆହତ ହେଲେ । କଂଗ୍ରେସ କର୍ମୀଙ୍କର ସଂପୃକ୍ତି ଓ ପ୍ରାଦେଶିକ ସ୍ତରରେ କଂଗ୍ରେସର ମନ୍ତ୍ରିମଣ୍ଡଳ, ଲୋକଙ୍କୁ ପ୍ରଜାମଣ୍ଡଳରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେବାକୁ ପ୍ରୋତ୍ସାହନ ଦେଇଥିଲା । ଅନ୍ୟ ପକ୍ଷରେ ପ୍ରଜାମଣ୍ଡଳ ଆନ୍ଦୋଳନର ବୃଦ୍ଧିଯୋଗୁଁ ଓଡ଼ିଶାରେ କଂଗ୍ରେସର ଜାତୀୟତା ସଂଗ୍ରାମ ପ୍ରକୃତ ଅର୍ଥରେ ଗଣାଭିମୁଖୀ ହେଲା । ୧୯୪୨ 'ଭାରତ ଛାଡ଼'ରେ ଏହାର ଫଳ ଦେଖିବାକୁ ମିଳିଲା । ପୋଲିସ ଓ ରାଜାଙ୍କର ଦମନଯୋଗୁଁ ଯେଉଁ ସବୁ ଗଡ଼ଜାତରେ ଆନ୍ଦୋଳନ ଶିଥିଳ ପଡ଼ିଯାଇଥିଲା, ୧୯୪୨ର ଡାକରା ତହିଁରେ ପୁନଃ ଅଗ୍ନି ସଂଯୋଗ କଲା ।
ସ୍ୱତନ୍ତ୍ର ପ୍ରଦେଶର ଶାସନ ୧୯୩୬ ଏପି୍ରଲ୍ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା । ସାର୍ ଜନ୍ ଅଷ୍ଟିନ୍ ହବାକ୍ ହେଲେ ଓଡ଼ିଶାର ପ୍ରଥମ ରାଜ୍ୟପାଳ । ୧୯୩୭ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ଗଠନ ହୋଇ ନଥିବା ହେତୁ ରାଜ୍ୟପାଳ ଏକ ୨୧ ଜଣିଆ ଉପଦେଷ୍ଟାମଣ୍ଡଳୀର ସହାୟତାରେ ପ୍ରଦେଶର ଶାସନ କାର୍ଯ୍ୟ କଲେ ।
୧୯୩୭ ଜାନୁଆରିରେ ପ୍ରଦେଶଗୁଡ଼ିକପାଇଁ ନିର୍ବାଚନ ହେଲା । ଓଡ଼ିଶା ବିଧାନସଭାପାଇଁ ମୋଟ ୬୦ଟି ଆସନ ରହିଥିଲା । କଂଗ୍ରେସ ତନ୍ମଧ୍ୟରୁ ୩୭ଟି ଆସନରେ ନିର୍ବାଚନ ଲଢ଼ି ୩୬ଟି ଆସନରେ ବିଜୟ ଲାଭ କଲା । କଂଗ୍ରେସ ବ୍ୟତୀତ କନିକା ରାଜାଙ୍କ (ଜମିଦାର) ନେତୃତ୍ୱରେ ୟୁନାଇଟେଡ଼୍ ପାର୍ଟି, ଖଲିକୋଟ ରାଜାଙ୍କ ନେତୃତ୍ୱରେ ନେଶନାଲ୍ ପାର୍ଟି ଏବଂ ପାରଳାଖେମୁଣ୍ଡି ରାଜାଙ୍କ ନେତୃତ୍ୱରେ 'ସ୍ୱାଧୀନ ଦଳ' ନିର୍ବାଚନ ଲଢ଼ିଥିଲେ । କଂଗ୍ରେସପାଇଁ ନିର୍ବାଚନ ଗସ୍ତରେ ଆସି ଜବାହରଲାଲ୍ ନେହେରୁ ୧୯୩୬ ନଭେମ୍ବର ମାସରେ ଅନେକ ସଭା ସମିତିରେ ଭାଷଣ ଦେଇଥିଲେ । ତାଙ୍କ ଭାଷଣରେ ଜମିଦାରୀ ପ୍ରଥାର ଉଚ୍ଛେଦ ଓ କୃଷି ସଂସ୍କାରପାଇଁ ପ୍ରାଥମିକତା ରହିଥିଲା । କଂଗ୍ରେସର ପ୍ରତିଦ୍ୱନ୍ଦ୍ୱୀ ଦଳ ଭାବରେ ଯେହେତୁ ରାଜା-ମହାରାଜାମାନେ ଦଳ ଗଢ଼ି ନିର୍ବାଚନ ଲଢ଼ୁଥିଲେ, ନେହେରୁଙ୍କ ବକ୍ତବ୍ୟ ସେମାନଙ୍କୁ ଲକ୍ଷ୍ୟ ରଖିଥିଲା । ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଓ ରାଜା ମହାରାଜା ବର୍ଗର ଦାରୁଣ ପରାଜୟରୁ ସୁସ୍ପଷ୍ଟ ହେଲା ଯେ, ଲୋକେ କଂଗ୍ରେସକୁ ସେମାନଙ୍କ ପ୍ରକୃତ ପ୍ରତିିନିଧି ମନେ କରୁଥିଲେ । କଂଗ୍ରେସର ଜନ ଆନ୍ଦୋଳନ ପ୍ରତି ଜନ ସମର୍ଥନ ରହିଥିବା କଥା ମଧ୍ୟ ଏଥିରୁ ପ୍ରମାଣିତ ହେଲା । ଓଡ଼ିଶା କଂଗ୍ରେସ ବିଧାୟକ ଦଳର ନେତା ଭାବରେ ବିଶ୍ୱନାଥ ଦାସ ମନୋନୀତ ହୋଇଥିଲେ । ସଂଖ୍ୟାଗରିଷ୍ଠ ଦଳ ହିସାବରେ ମନ୍ତ୍ରିମଣ୍ଡଳ ଗଠନ କରିବା ପୂର୍ବରୁ କଂଗ୍ରେସ ସରକାରଙ୍କ ପାଖରୁ ମନ୍ତ୍ରିମଣ୍ଡଳର ଦୈନନ୍ଦିନ କାର୍ଯ୍ୟରେ ରାଜ୍ୟପାଳ ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରତିଶ୍ରୁତି ମାଗିଲା । ସରକାର ଏଭଳି ପ୍ରତିଶ୍ରୁତି ନ ଦେବାରୁ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କଲା ନାହିଁ । ଫଳରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଆମନ୍ତ୍ରଣ ମିଳିଲା । ୧୯୩୭ ଏପ୍ରିଲ୍ ଓ ଜୁନା ଦୁଇ ମାସ ପ୍ରାୟ ପାରଳା ମହାରାଜା ପ୍ରଧାନମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳ ଗଠନ କଲେ । ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ ଓ ମୌଲବୀ ଲତିଫୁର ରହମାନ ଥିଲେ ତାଙ୍କର ଅନ୍ୟ ଦୁଇଜଣ ମନ୍ତ୍ରୀ ।
୧୯୩୭ ଜୁଲାଇରେ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କଲା । ନିତ୍ୟାନନ୍ଦ କାନୁନ୍ଗୋ ଓ ବୋଧରାମ ଦୁବେ ଥିଲେ ମନ୍ତ୍ରିମଣ୍ଡଳର ଅନ୍ୟ ଦୁଇଜଣ ସଦସ୍ୟ । ଏହି ମନ୍ତ୍ରିମଣ୍ଡଳ ୧୯୩୯ ନଭେମ୍ବର ମାସ ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ନିଜର ଦୁଇ ବର୍ଷ ଚାରିମାସର ସ୍ୱଳ୍ପ ଶାସନ କାଳରେ ପ୍ରଥମ କଂଗ୍ରେସ ମନ୍ତ୍ରିମଣ୍ଡଳ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲା । ତନ୍ମଧ୍ୟରେ ଓଡ଼ିଶା ମହାଜନ ପ୍ରସ୍ତାବ (Orissa Money Lender Bill) ହେଲା ଅନ୍ୟତମ । ୧୯୩୯ ଜୁନ୍ ମାସରେ ଗୃହୀତ ଏହି ପ୍ରସ୍ତାବ ଫଳରେ ମହାଜନମାନଙ୍କୁ ପଞ୍ଜୀକରଣ କରିବାକୁ ନିର୍ଦେଶ ଦିଆଗଲା । ଏଥିରେ ଋଣଗ୍ରହୀତାଙ୍କଠାରୁ ଅନ୍ୟାୟ ଭାବରେ ସୁଧ ଅସୁଲ କଲେ ସରକାର ଦଣ୍ଡବିଧାନ କରିବେ ବୋଲି ବ୍ୟବସ୍ଥା ରହିଲା । ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଆଇନ୍ 'ଓଡ଼ିଶା କ୍ଷୁଦ୍ରଚାଷୀ ରିଲିଫ୍ ଏକ୍ଟ୍' (Orissa Small Holders Relief) ଅନୁଯାୟୀ ଖଜଣା ଜମା କରି ପାରି ନଥିବା କ୍ଷୁଦ୍ରଚାଷୀର ଜମି ବାଜ୍ୟାପ୍ତ ହେବା ପୂର୍ବରୁ ସିଭିଲ୍ କୋର୍ଟର ସ୍ୱତନ୍ତ୍ର ଅନୁମତିକୁ ଜରୁରୀ କରାଗଲା । ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ତାଳ ଓ ଖଜୁରି ରସରୁ ଗୁଡ଼ ତିଆରି, ଶିଙ୍ଗ ନିର୍ମିତ ଉପକରଣ, ରୁପା ତାରକସି କାମ, ଚମଡ଼ା ଶିଳ୍ପ ଓ ହସ୍ତତନ୍ତକୁ ପ୍ରୋତ୍ସାହିତ କଲେ । ଇଂରେଜ ଶାସନରେ ବନ୍ଦ ହୋଇ ଯାଇଥିବା ଲବଣ ଶିଳ୍ପକୁ ପୁନଃସ୍ଥାପନ କରିବା ସକାଶେ ସରକାର କେତେକ ପଦକ୍ଷେପ ନେଲେ । ସରକାରଙ୍କ ପକ୍ଷରୁ ସ୍ୱଦେଶୀ ପଦାର୍ଥର ଅଧିକରୁ ଅଧିକ ମାତ୍ରାରେ ବ୍ୟବହାରପାଇଁ ବିଭିନ୍ନ ବିଭାଗକୁ ନିର୍ଦେଶ ଦିଆଯାଇଥିଲା । 'ଓଡ଼ିଶା ନିଶା ସଂଶୋଧନ ପ୍ରସ୍ତାବ-୧୯୩୯' (The Opium (Orissa) Ammendment Bill-1939) ଏବଂ 'ଓଡ଼ିଶା ନିଶା ନିବାରଣ ପ୍ରସ୍ତାବ' (The Orissa Prohibition Bill) ନାମକ ଦୁଇଟି ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ବିଧାନସଭାରେ ଗୃହୀତ କରି ସରକାର ନିଶାଦ୍ରବ୍ୟର ବିକ୍ରୀ ଉପରେ କଟକଣା ଜାରି କରିଥିଲେ । ୧୯୨୦ ଓ ୩୦ ଦଶକରେ ଓଡ଼ିଶାର ପତ୍ରପତ୍ରିକାରେ ମଠାଧିପତି ଓ ମହନ୍ତମାନଙ୍କ ଦୁର୍ନୀତି ବିରୁଦ୍ଧରେ ପ୍ରବଳ ଜନମତ ପ୍ରକାଶ ପାଇଥିଲା । ଜମିଦାରମାନଙ୍କ ପରି ମଠ ମହନ୍ତମାନେ ସରକାରର ସମର୍ଥନ କରୁଥିଲେ । ଦ୍ୱିତୀୟତଃ ଦେବୋତ୍ତର ସମ୍ପତ୍ତିକୁ ସେମାନେ ନିଜ ସ୍ୱାର୍ଥରେ ବ୍ୟବହାର କରୁଥିଲେ । ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳ ୧୯୩୮ରେ ଓଡ଼ିଶା ଦେବୋତ୍ତର ପ୍ରସ୍ତାବ (The Orissa Hindu Religions Endowment Bill)କୁ ବିଧାନସଭାରେ ଗୃହୀତ କରାଇଲେ । ଏହା ଫଳରେ ଦେବୋତ୍ତର ସମ୍ପତ୍ତି ଜଣେ କମିସନରଙ୍କ ତତ୍ତ୍ୱାବଧାନରେ ରହିବ ଏବଂ ଉନ୍ନତିମୂଳକ କାର୍ଯ୍ୟରେ ବିନିଯୁକ୍ତ ହେବ ବୋଲି ବ୍ୟବସ୍ଥା ରହିଲା । ଏହା କଂଗ୍ରେସ ମନ୍ତ୍ରିମଣ୍ଡଳର ଲୋକପ୍ରିୟତାକୁ ବୃଦ୍ଧି କଲା ।
ଶିକ୍ଷାର ଉନ୍ନତିପାଇଁ କଂଗ୍ରେସ ମନ୍ତ୍ରିମଣ୍ଡଳ କେତେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲା । ରାଜ୍ୟର ପ୍ରାୟ ୨୫ଟି ସ୍କୁଲ୍ରେ ମହାତ୍ମା ଗାନ୍ଧୀଙ୍କ ମୌଳିକ ଶିକ୍ଷାର ପ୍ରୟୋଗ କରାଗଲା । ଏଥିରେ ଧନ୍ଦାମୂଳକ ଶିକ୍ଷାର ବ୍ୟବସ୍ଥା ରହିଲା । ଓଡ଼ିଶାପାଇଁ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ପ୍ରାରମ୍ଭିକ ଯୋଜନା ପ୍ରସ୍ତୁତ କରାଗଲା, ଯାହା ପାରଳା ମହାରାଜାଙ୍କ ନେତୃତ୍ୱରେ ଗଠିତ ମିଳିତ ମନ୍ତ୍ରିମଣ୍ଡଳ ଦ୍ୱାରା ୧୯୪୪ରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାପନା ପରେ ମୂର୍ତ୍ତ ରୂପ ନେଲା । ପ୍ରକାଶଥାଉ କି, ଏ ସଂପର୍କିତ ଏକ ବିଲ୍ ୧୯୪୩ ବିଧାନସଭାରେ ଗୃହୀତ ହେବା ପରେ ଅସ୍ଥାୟୀ ଭାବରେ କଟକ ରେଭେ୍ସା କଲେଜରେ ଏହା ଆରମ୍ଭ ହୋଇଥିଲା ।
କଂଗ୍ରେସ ମନ୍ତ୍ରିମଣ୍ଡଳ ସମୟରେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରାଗଲା । ମନ୍ତ୍ରିମଣ୍ଡଳଯୋଗୁଁ ଲୋକ ନିଡ଼ର ହୋଇ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗ ଦେଉଥିଲେ । କଂଗ୍ରେସଯୋଗୁଁ ଗଡ଼ଜାତରେ ପୋଲିସର ଦମନ ଉପରେ ମଧ୍ୟ ନିୟନ୍ତ୍ରଣ ରହିଥିଲା । ଏହି କାରଣରୁ ୧୯୩୮-୩୯ କଂଗ୍ରେସ ମନ୍ତ୍ରିମଣ୍ଡଳ ସମୟରେ ପ୍ରାୟ ସମସ୍ତ ଗଡ଼ଜାତରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ସେହି ଦୃଷ୍ଟିରୁ ଦେଖିଲେ, କଂଗ୍ରେସ ମନ୍ତ୍ରିମଣ୍ଡଳ ସ୍ୱାଧୀନତା ସଂଗ୍ରାମକୁ ଗଡ଼ଜାତକୁ ବହୁଳ ଭାବେ ବିସ୍ତାରିତ ହେବାରେ ସହାୟକ ସିଦ୍ଧ ହେଲା । ଲୋକ କଂଗ୍ରେସକୁ ଇଂରେଜ ଶାସନର ବିକଳ୍ପ ରୂପରେ ଦେଖିଲେ । ମାତ୍ର ଦୁଇ ବର୍ଷର ଶାସନକାଳ ମଧ୍ୟରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଲୋକଙ୍କ ଭିତରେ ଇଂରେଜମାନଙ୍କ ପ୍ରତି ଏକ ନିର୍ଭୟ ଭାବ ସୃଷ୍ଟି କଲା । ବୋଧହୁଏ ଏହା ହିଁ ହେଉଛି ବିଶ୍ୱନାଥ ଦାସ ମନ୍ତ୍ରିମଣ୍ଡଳର ସବୁଠାରୁ ବଡ଼ ଉପଲବ୍ଧି ।
୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ଇଂରେଜ ସରକାର ଭାରତୀୟମାନଙ୍କ ବିନା ପରାମର୍ଶରେ ଭାରତକୁ ଯୁଦ୍ଧରେ ପକ୍ଷଭୁକ୍ତ କଲେ । ଏହି ନିଷ୍ପତ୍ତିର ବିରୋଧ କରି ଦେଶର ବିଭିନ୍ନ ପ୍ରଦେଶରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ଜାତୀୟ କଂଗ୍ରେସ ନିଜ ଲୋକଙ୍କୁ ନିର୍ଦେଶ ଦେଲା । ଫଳରେ ୪ ନଭେମ୍ବର ୧୯୩୯ରେ ବିଶ୍ୱନାଥ ଦାସ ମନ୍ତ୍ରିମଣ୍ଡଳ ଇସ୍ତଫା ପ୍ରଦାନ କଲେ । ଏହା ପରେ ଦୁଇବର୍ଷ ପର୍ଯ୍ୟନ୍ତ ଗଭର୍ଣ୍ଣର ଶାସନକାର୍ଯ୍ୟ ପରିଚାଳନା କଲେ । ୧୯୪୧ ନଭେମ୍ବରରେ ପାରଳାଖେମୁଣ୍ଡି ମହାରାଜାଙ୍କୁ ଦ୍ୱିତୀୟ ଥର ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଆମନ୍ତ୍ରଣ କରାଗଲା । କଂଗ୍ରେସର ଗୋଦାବରୀଶ ମିଶ୍ର ଓ ନୀଳକଣ୍ଠ ଦାସ ଆଦି ଏହାକୁ ସମର୍ଥନ କରି ଦଳରୁ ବହିଷ୍କୃତ ହେଲେ । ୧୯୪୧ରୁ ୧୯୪୪ ପର୍ଯ୍ୟନ୍ତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଧାନମନ୍ତ୍ରିତ୍ୱରେ ମନ୍ତ୍ରିମଣ୍ଡଳ ଗଠିତ ହେଲା । ପ୍ରାକ୍ତନ କଂଗ୍ରେସ ନେତା ଗୋଦାବରୀଶ ମିଶ୍ର ଓ ମୁସଲିମ୍ ଲୀଗ୍ ସଦସ୍ୟ ଅବଦୁର୍ ଶୋଭ ଖାଁ ଥିଲେ ମନ୍ତ୍ରିମଣ୍ଡଳର ଅନ୍ୟ ଦୁଇ ଜଣ ସଦସ୍ୟ । କଂଗ୍ରେସର ଅନ୍ୟ କେତେକ ନେତା ଯଥା: ନୀଳକଣ୍ଠ ଦାସ, ଅଟଳ ବିହାରୀ ଆଚାର୍ଯ୍ୟ, ଦିବାକର ପଟ୍ଟନାୟକ ଓ ଯଦୁମଣି ମଂଗରାଜ ମଧ୍ୟ ଏହି ସମୟରେ ଦଳ ତ୍ୟାଗ କରି ମିଳିତ ମନ୍ତ୍ରିମଣ୍ଡଳର ସମର୍ଥନ କରିଥିଲେ ।
ପ୍ରଗତିଶୀଳ ରାଜନୀତିର ଅଭ୍ୟୁଦୟ ୧୯୩୦ ଦଶକର ଜାତୀୟତାବାଦୀ ରାଜନୀତିର ଏକ ପ୍ରମୁଖ ବିଶେଷତ୍ୱ ହେଲା ପ୍ରଗତିଶୀଳ ରାଜନୈତିକ ବିଚାରଧାରାର ଅଭ୍ୟୁଦୟ । ଆଇନ ଅମାନ୍ୟ ଆନ୍ଦୋଳନର ଅବସାନ ପରେ ବିଶେଷକରି ଯୁବଗୋଷ୍ଠୀ ମଧ୍ୟରେ ଘୋର ନିରାଶା ଦେଖାଗଲା । କଂଗ୍ରେସ ନେତୃତ୍ୱରେ ସଫଳତା ମିଳିବ ବୋଲି ଯୁବଗୋଷ୍ଠୀର ଆସ୍ଥା ରହିଲା ନାହିଁ । ଏହି ସମୟରେ ବିଶ୍ୱ ସ୍ତରରେ ଯୁଦ୍ଧଖୋର ଓ ଧ୍ୱଂସକାରୀ ଫାସୀବାଦୀ ଶକ୍ତିର ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା । ସୋଭିଏତ୍ ରୁଷ୍ରେ କମ୍ୟୁନିଷ୍ଟ ନେତୃତ୍ୱ ଉଭୟ ଫାସୀବାଦ ଓ ସାମ୍ରାଜ୍ୟବାଦକୁ ସଫଳତାର ସହ ବିରୋଧ କରୁଛି ବୋଲି ଯୁବଗୋଷ୍ଠୀଙ୍କ ମଧ୍ୟରେ ବିଶ୍ୱାସ ଜାତ ହେଲା । ପୁଣି ଆଦିବାସୀ, କୃଷକ ଓ ଶ୍ରମିକମାନଙ୍କୁ ସ୍ୱାଧୀନତା ସଂଗ୍ରାମକୁ ଆଣିବାକୁ ହେଲେ କଂଗ୍ରେସ ନେତୃତ୍ୱ ବାହାରେ ଏକ ବିକଳ୍ପ ନେତୃତ୍ୱ ସୃଷ୍ଟି କରିବାକୁ ହେବ ବୋଲି ସେମାନେ ଅନୁଭବ କଲେ । ଜାତୀୟ କଂଗ୍ରେସର ନେତୃତ୍ୱ ପ୍ରତି ସେମାନଙ୍କ ଆସ୍ଥା ଊଣା ହେବାକୁ ଲାଗିଲା । ଏହାର ପରିଣାମ ସ୍ୱରୂପ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବାମପନ୍ଥୀ ପ୍ରଗତିଶୀଳ ରାଜନୀତିର ଅଭ୍ୟୁଦୟ ହେଲା । ଏଥିରେ ଉଭୟ ସୋସିଆଲିଷ୍ଟ ଓ କମ୍ୟୁନିଷ୍ଟମାନେ ସାମିଲ୍ ଥିଲେ । ଜାତୀୟ କଂଗ୍ରେସର ବିକଳ୍ପ ଭାବରେ ଏହି ଗୋଷ୍ଠୀ ପ୍ରତିଷ୍ଠିତ ହେବାକୁ ଉଦ୍ଦେଶ୍ୟ ରଖିଥିଲେ ସତ୍ୟ, ମାତ୍ର କଂଗ୍ରେସର ବିରୋଧୀ ହେବାକୁ ସେମାନେ ଚାହୁଁ ନଥିଲେ । ଅର୍ଥାତ୍ ଜାତୀୟ କଂଗ୍ରେସର ଛତ୍ରଛାୟା ତଳେ ସେମାନଙ୍କର ଅଭ୍ୟୁଦୟ ଘଟିଥିଲା ।
୧୯୩୩ ମସିହା ମେ' ମାସରେ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାରେ ପ୍ରଗତିଶୀଳ ଗୋଷ୍ଠୀର ମୂଳଦୁଆ ପଡ଼ିଲା । ମାଳତୀ ଚୌଧୁରୀ ଓ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଆଦି ଅଳ୍ପ କେତେ ଜଣ ମାତ୍ର ସେତେବେଳେ ଏହି ଗୋଷ୍ଠୀରେ ସାମିଲ୍ ଥିଲେ । ସେମାନେ ଓଡ଼ିଶା କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ ନାମରେ ଏକ ସଂଗଠନ ଗଢ଼ିଥିଲେ । ସଭ୍ୟମାନେ ବ୍ୟକ୍ତିଗତ ସମ୍ପତ୍ତି କରିବେ ନାହିଁ ଏବଂ ନିଜ ନାମରେ ଥିବା ସମ୍ପତ୍ତିକୁ ସଂଘକୁ ଦାନ କରିବେ ବୋଲି ଘୋଷଣା କଲେ । ସେହି ସୂତ୍ରରେ ନବକୃଷ୍ଣ ଓ ମାଳତୀ ଚୌଧୁରୀ ନିଜର ସମ୍ପତ୍ତି ଓ ଗହଣା ଦାନ କଲେ । ଏହି ପୁଞ୍ଜିରେ 'ସାରଥି' ଏବଂ ପରେ 'କୃଷକ' ନାମରେ ପ୍ରଗତିଶୀଳ ପତ୍ରିକା ପ୍ରକାଶିତ ହେଲା । ୧୯୩୪ ମସିହାରେ ବିହାରର ପାଟନାଠାରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ଗଠନ ହେଲା । ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଅଚ୍ୟୁତ ପଟ୍ଟବର୍ଦ୍ଧନ ଆଦି ଏହାର ପ୍ରମୁଖ ନେତା । ଓଡ଼ିଶାର ସାମ୍ୟବାଦୀ ସଂଘ ଏହି ପାର୍ଟିରେ ସାମିଲ୍ ହେଲା । ଏକ ସର୍ବଭାରତୀୟ ସ୍ତରର ସଂଗଠନ ସହ ଯୋଡ଼ି ନହେଲେ ରାଜନୀତିରେ ସଂଘର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ନେତୃବୃନ୍ଦ ଅନୁଭବ କରୁଥିଲେ । ଅନ୍ୟ ପକ୍ଷରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ନେତୃବୃନ୍ଦ ବିଭିନ୍ନ ପ୍ରଦେଶରେ ଆଞ୍ଚଳିକ ସ୍ତରରେ ଜନ୍ମ ନେଇଥିବା ସମାଜବାଦୀ ଗୋଷ୍ଠୀଗୁଡ଼ିକ ସହ ସମନ୍ୱୟ ସ୍ଥାପନ କରୁଥିଲେ ।
୧୯୩୪ରେ ଓଡ଼ିଶାର କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ପ୍ରାଣନାଥ ପଟ୍ଟନାୟକ, ଗୁରୁ ଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ଭଗବତୀ ଚରଣ ପାଣିଗ୍ରାହୀ ଆଦି ଯୋଗ ଦେଲେ । ପ୍ରାଣନାଥ ଓ ଗୁରୁ ଚରଣ କାଶୀ ବିଦ୍ୟାପୀଠରେ ଅଧ୍ୟୟନ କାଳରେ କମ୍ୟୁନିଷ୍ଟ ବିଚାରଦ୍ୱାରା ପ୍ରଭାବିତ ହୋଇଥିଲେ । ଭଗବତୀ ପାଟନା ବିଶ୍ୱବିଦ୍ୟାଳୟରେ କମ୍ୟୁନିଷ୍ଟ ଆନ୍ଦୋଳନ ସହ ସଂପୃକ୍ତ ହୋଇଥିଲେ । ଏମାନେ ସମସ୍ତେ ସୋସିଆଲିଷ୍ଟମାନଙ୍କ ସହ ମିଶି କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ କାର୍ଯ୍ୟ କଲେ । ସମସ୍ତେ ମିଶି କୃଷକ ଓ ପ୍ରଜାମଣ୍ଡଳ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ, ଯାହା ପୂର୍ବରୁ ଆଲୋଚନା ହୋଇ ସାରିଛି ।
'ସାରଥି' ଓ 'କୃଷକ' ଥିଲା ଏହି ଗୋଷ୍ଠୀର ମୁଖପତ୍ର । ୧୯୩୫ରେ ସେମାନେ ସଚ୍ଚି ରାଉତ ରାୟ, ଅନନ୍ତ ପଟ୍ଟନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ ଆଦିଙ୍କ ସାଙ୍ଗରେ 'ନବଯୁଗ ସାହିତ୍ୟ ସଂସଦ' ଗଠନ କଲେ । ସଂସଦର ଉଦ୍ଦେଶ୍ୟକୁ ସୁସ୍ପଷ୍ଟ କରି ୧୯୩୯ରେ 'ରକ୍ତଶିଖା' ପତ୍ରିକା ଲେଖିଥିଲା - "ଓଡ଼ିଶାରେ ଗଣ ଆନ୍ଦୋଳନ ତୀବ୍ରତର ହେଉଥିଲେ ହେଁ, ସେହି ତୁଳନାରେ ଗଣ ସାହିତ୍ୟର ପ୍ରଗତି ସାଧିତ ହୋଇପାରି ନାହିଁ । ଗଣ ଆନ୍ଦୋଳନକୁ ଆଗେଇ ନେବାରେ ଏକ ସ୍ପଷ୍ଟ ଆଭିମୁଖ୍ୟର ଆବଶ୍ୟକତା ରହିଛି । ନବଯୁଗର ସାହିତ୍ୟ କୃତିଗୁଡ଼ିକ ସମସ୍ତ ପ୍ରକାର ଅଣ-ସାମ୍ରାଜ୍ୟବାଦୀ ଶକ୍ତିପାଇଁ ଏକ ନୂତନ ଯୁଗର ସଂଦେଶ ବହନ କରିବା ସହିତ ସେମାନଙ୍କୁ ଏହି ଆନ୍ଦୋଳନର ଆଭିମୁଖ୍ୟ ବୁଝାଇବାନିମିତ୍ତ ଅଭିପ୍ରେତ ।"
ପ୍ରଗତିଶୀଳ ଗୋଷ୍ଠୀ ବା କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ଉପରକୁ ଏକ ଦେଖାଯାଉଥିଲା । ମାତ୍ର ତା' ଭିତରେ ଉଭୟ ସୋସିଆଲିଷ୍ଟ ଓ କମ୍ୟୁନିଷ୍ଟମାନେ ରହିଥିଲେ ଏବଂ ଉଭୟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ରହିଥିଲା । ଏହା ସର୍ବଭାରତୀୟ ସ୍ତରରେ ଯେମିତି ଥିଲା, ଓଡ଼ିଶା ସ୍ତରରେ ମଧ୍ୟ ସମ ରୂପରେ ରହିଥିଲା । ସୋସିଆଲିଷ୍ଟମାନଙ୍କ ଅଭିଯୋଗ ଯେ ମାର୍କସବାଦ ଦ୍ୱାରା ପ୍ରଭାବିତ କମ୍ୟୁନିଷ୍ଟମାନେ କଂଗ୍ରେସ ଓ ସୋସିଆଲିଷ୍ଟମାନଙ୍କୁ ନିଜ ଦଳର ପ୍ରଭାବ ବିସ୍ତାର ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ । ବୈଚାରିକ ଦୃଷ୍ଟିରୁ ଉଭୟ ଗୋଷ୍ଠୀ ମଧ୍ୟରେ ଘୋର ପାର୍ଥକ୍ୟ ରହିଥିଲା । କଂଗ୍ରେସର ଉପନିବେଶବାଦବିରୋଧୀ ନେତୃତ୍ୱ ଉପରେ କମ୍ୟୁନିଷ୍ଟମାନଙ୍କର ଆସ୍ଥା ନଥିଲା । ଗାନ୍ଧିଜୀଙ୍କ ଅହିଂସା ଓ ସତ୍ୟାଗ୍ରହ ମାର୍ଗରେ ମଧ୍ୟ ସେମାନଙ୍କର ଭରସା ନଥିଲା । ଭାରତ ବାହାରେ ଥିବା କମ୍ୟୁନିଷ୍ଟ ଆନ୍ଦୋଳନ ସହ ସେମାନଙ୍କର ସଂପୃକ୍ତି ଥିଲା । ସେହି ଦୃଷ୍ଟିରୁ ଦେଖିଲେ, କମ୍ୟୁନିଷ୍ଟମାନଙ୍କର ଜାତୀୟତାବାଦ ଦେଶ ମଧ୍ୟରେ ସୀମିତ ନଥିଲା । ସେମାନଙ୍କ ସ୍ଲୋଗାନ୍ ଥିଲା- "ଦୁନିଆଁର ସର୍ବହରା ଏକ ହୁଅ ।" ଇଂଲଣ୍ଡର ବିଶ୍ୱ ସ୍ତରରେ କମ୍ୟୁନିଷ୍ଟମାନଙ୍କ ପ୍ରତି ଶତ୍ରୁତା ଭାବ ରହିଥିଲା । ଇଂରେଜ ସରକାର ସେମାନଙ୍କୁ ନିଷେଧ କରିଥିଲେ । ତେଣୁ କଂଗ୍ରେସର ଆଢ଼ୁଆଳରେ ଭାରତରେ କମ୍ୟୁନିଷ୍ଟମାନେ କାର୍ଯ୍ୟ କରୁଥିଲେ । ସୋସିଆଲିଷ୍ଟମାନେ କଂଗ୍ରେସ ଓ ଗାନ୍ଧିଜୀଙ୍କ ସମାଲୋଚନା କରିବା ସତ୍ତ୍ୱେ ଶତ୍ରୁତା ରଖି ନଥିଲେ । କମ୍ୟୁନିଷ୍ଟମାନଙ୍କୁ ସେମାନେ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ଉଭୟ ସାମ୍ୟ ଓ ରାଷ୍ଟ୍ରୀୟତାକୁ ସେମାନେ ସମାନ ମହତ୍ତ୍ୱ ଦେଉଥିଲେ । ଓଡ଼ିଶାରେ କମ୍ୟୁନିଷ୍ଟମାନେ କଂଗ୍ରେସ ସୋସିଆଲିଷ୍ଟ ଦଳରେ ରହିବା ସତ୍ତ୍ୱେ ତା' ମଧ୍ୟରେ ଏକ ସ୍ୱତନ୍ତ୍ର ଗୋଷ୍ଠୀ କରିଥିଲେ । ନବଯୁଗ ସାହିତ୍ୟ ସଂସଦ ସେମାନଙ୍କ କର୍ତ୍ତୃତ୍ୱରେ ରହିଥିଲା । ଭଗବତୀ ଚରଣ ପାଣିଗ୍ରାହୀଙ୍କ ସଂପାଦନାରେ 'ଆଧୁିନିକ' ନାମକ ଏକ ମାସିକ ପତ୍ରିକା ମଧ୍ୟ ୧୯୩୬-୩୭ରେ ସେମାନେ ପ୍ରକାଶ କରୁଥିଲେ । ସେମାନେ ନିଖିଳ ଓଡ଼ିଶା ଛାତ୍ର ସମ୍ମେଳନ ଗଢ଼ି ତାହାରି ମାଧ୍ୟମରେ ଛାତ୍ରମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ସୃଷ୍ଟି କରୁଥିଲେ । ୧୯୩୭ରେ ସମ୍ମେଳନ ରାଜନୈତିକ ଦାବିମାନ ଉତ୍ଥାପନ କଲା । ୧୯୩୭ ଅଗଷ୍ଟ ୨୨ ତାରିଖରେ ଅନନ୍ତ ପଟ୍ଟନାୟକ ମହାତ୍ମାଗାନ୍ଧୀଙ୍କର ଦୃଢ଼ ସମାଲୋଚନା କରି ଲେଖିଥିଲେ ଯେ, "ଗାନ୍ଧୀବାଦ ଯୁବ ସମାଜକୁ ଦୁର୍ବଳ କରି ଦେଇଛି । ନଚେତ୍ ସ୍ପେନ୍ ତଥା ଜାପାନରେ ଯୁବ ସମାଜ ବର୍ତ୍ତମାନ ଯେପରି କାର୍ଯ୍ୟ କରୁଛି, ଆମେ ମଧ୍ୟ ସେପରି କରିପାରନ୍ତୁ । ଗୁଳିଗୋଳା ତଥା ରକ୍ତପାତ ବ୍ୟତୀତ କୌଣସି ଦେଶରେ ସ୍ୱାଧୀନତା ସମ୍ଭବ ନୁହେଁ ।" ସେ ଛାତ୍ର ସମାଜକୁ ଅସ୍ତ୍ର ଶିକ୍ଷା କରି ଏପରି ଏକ ପରିସ୍ଥିତି ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ, ଯଦ୍ଦ୍ୱାରା ଇଂରେଜ ସରକାରର ପତନ ନିଶ୍ଚିତ ହେବ । କମ୍ୟୁନିଷ୍ଟ ବିଚାରର ଏକ ପ୍ରମୁଖ ସ୍ଥଳୀ ଥିଲା କଟକର ରେଭେନ୍ସା କଲେଜ । 'ଦେଶକଥା' ଜୁଲାଇ ୧୯୩୮ରେ ତାଚ୍ଛଲ୍ୟ କରି ଲେଖିଥିଲା, "କିଛି ଦିନ ମଧ୍ୟରେ ରେଭେନ୍ସା ମହାବିଦ୍ୟାଳୟ ସୋଭିଏତ୍ ରାଷ୍ଟ୍ରରେ ପରିଣତ ହେବ । ତା'ପାଇଁ ପୁରୁଷ ଓ ନାରୀ ରୁଷୀୟମାନେ ଏବେଠାରୁ ପ୍ରଚାରରେ ଲାଗିଛନ୍ତି । ....ସେମାନଙ୍କ ମତକୁ ଯିଏ ବିରୋଧ କରନ୍ତି, ସେ ପ୍ରତିକ୍ରିୟାଶୀଳ ବୋଲି ଅଭିହିତ ହୁଅନ୍ତି ।"
୧୯୩୮ ମସିହା ବେଳକୁ କମ୍ୟୁନିଷ୍ଟ ଓ ସୋସିଆଲିଷ୍ଟଙ୍କ ମଧ୍ୟରେ ମତ ପାର୍ଥକ୍ୟ ଅଧିକ ହେଲା । କମ୍ୟୁନିଷ୍ଟମାନେ ଗାନ୍ଧିଜୀଙ୍କ ନେତୃତ୍ୱ, ଦେଶର ସ୍ୱାଧୀନତା ସଂଗ୍ରାମକୁ ଦୁର୍ବଳ କରୁଛି ବୋଲି ଅଭିଯୋଗ କଲେ । କଂଗ୍ରେସ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କୁ ଅନନ୍ତ ପଟ୍ଟନାୟକ ପୁଞ୍ଜିବାଦୀ ଆଖ୍ୟା ଦେଇ ସୋସିଆଲିଷ୍ଟମାନଙ୍କ ତୁଳନାରେ ଏକ ଉଗ୍ରତର କଂଗ୍ରେସ ବିରୋଧୀ ଚିନ୍ତାଧାରା ପ୍ରକଟ କଲେ । ସେମାନେ କଂଗ୍ରେସ ସୋସିଆଲିଷ୍ଟ ଦଳର ନେତା ଭାବରେ ନବକୃଷ୍ଣ ଚୌଧୁରୀଙ୍କ ସ୍ଥାନରେ ଜଣେ କମ୍ୟୁନିଷ୍ଟକୁ ସ୍ଥାପିତ କରିବାକୁ ପ୍ରୟାସ କରୁଥିଲେ । ୧୯୩୯ ମସିହା ମେ ମାସରେ କମ୍ୟୁନିଷ୍ଟ ଛାତ୍ର ନେତା ବୈଦ୍ୟନାଥ ରଥ ଏ ସଂପର୍କରେ ଚିଠି ମଧ୍ୟ ଲେଖିଥିଲେ । ୧୯୩୯ ମେ' ମାସରେ ମହାତ୍ମାଗାନ୍ଧୀଙ୍କ ସହ ମତ ପାର୍ଥକ୍ୟଯୋଗୁଁ ସୁଭାଷ ବୋଷ ଫରଓ୍ୱାର୍ଡ଼ ବ୍ଲକ୍ ନାମରେ ଏକ ନୂଆ ପାର୍ଟି ଗଠନ କଲେ । ଏହା ସ୍ୱାଧୀନତାପାଇଁ ଶୀଘ୍ର ଏକ ବଡ଼ ଧରଣର ଆନ୍ଦୋଳନ ହେବା କଥା ବୋଲି ଯୁକ୍ତି ବାଢ଼ୁଥିଲା । କଂଗ୍ରେସ ଦଳର ବାମପନ୍ଥୀ ପ୍ରଗତିଶୀଳ ଗୋଷ୍ଠୀ ଫରଓ୍ୱାର୍ଡ଼ ବ୍ଲକ୍ର ନିକଟତର ହେବାକୁ ଲାଗିଲେ । କମ୍ୟୁନିଷ୍ଟମାନେ ନିଜ ଗାନ୍ଧୀ ବିରୋଧୀ ସ୍ୱଭାବଯୋଗୁଁ ଏହି ଦଳକୁ ଆରମ୍ଭରେ ଦୃଢ଼ ସମର୍ଥନ ଜଣାଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଓଡ଼ିଶା କଂଗ୍ରେସର ଏକ ରକ୍ଷଣଶୀଳ ଗୋଷ୍ଠୀ ନୀଳକଣ୍ଠ ଦାସ ଓ ଗୋଦାବରୀଶ ମିଶ୍ରଙ୍କ ନେତୃତ୍ୱରେ ଏହି ଦଳକୁ ସମର୍ଥନ ଦେଲେ । ଜନ ସମର୍ଥନପାଇଁ ସୁଭାଷ ବୋଷ ପୁରୀକୁ ଆସିଥିଲେ । ତାଙ୍କୁ ନୀଳକଣ୍ଠ ଦାସ ଆଦି ଖୋଲାଖୋଲି ସାହାଯ୍ୟ କରୁଥିଲେ । ଫଳରେ କମ୍ୟୁନିଷ୍ଟମାନେ ଫରଓ୍ୱାର୍ଡ଼ ବ୍ଲକ୍ରୁ ଦୂରେଇ ରହିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୁଭାଷ ବୋଷ ପୁଣି ଭାରତରୁ ଚାଲିଯାଇ ନାଜୀ ଜର୍ମାନୀର ସମର୍ଥନ ଲୋଡ଼ିଲେ । ଅନ୍ୟ ପକ୍ଷରେ ଜୁନ୍ ୧୯୩୯ରେ ନାଜି ଜର୍ମାନୀ ପକ୍ଷରୁ ସୋଭିଏତ ରୁଷ ଉପରେ ଆକ୍ରମଣ ହେଲା । ଏହା ପରେ କମ୍ୟୁନିଷ୍ଟମାନେ ସୁଭାଷ ବୋଷ ଓ ଫରଓ୍ୱାର୍ଡ଼ ବ୍ଲକ୍କୁ ଆଉ ମିତ୍ର ମଣିଲେ ନାହିଁ ।
ଉପସଂହାରରେ ଏତିକି କହିବା ଯଥେଷ୍ଟ ହେବ ଯେ, ୧୯୩୦ ଦଶକର ଇତିହାସ ଓଡ଼ିଶାପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ପ୍ରଜାମଣ୍ଡଳ ଆନ୍ଦୋଳନ, ମନ୍ତ୍ରିମଣ୍ଡଳ ଗଠନ ଏବଂ ଆଇନ ଅମାନ୍ୟ ମାଧ୍ୟମରେ ଲବଣ ସତ୍ୟାଗ୍ରହ, ଆଦି ଘଟନା ଓଡ଼ିଶାର ଜନଜୀବନକୁ ରାଜନୈତିକ କଲା ଯେତିକି, ଇଂରେଜ ଉପନିବେଶବାଦର ବିରୋଧୀ କଲା ସେତିକି । ଏହି କାଳାଂଶରେ ଗୋଟିଏ ପଟେ ପ୍ରଗତିଶୀଳ ଗୋଷ୍ଠୀ ସାଧାରଣ ପ୍ରଜାର ପକ୍ଷ ନେଇ ବିଶ୍ୱସ୍ତରର ମାର୍କସବାଦୀ ଆନ୍ଦୋଳନ ସହ ନିଜକୁ ଯୋଡ଼ିବାକୁ ପ୍ରୟାସ କଲେ । ଅନ୍ୟ ପକ୍ଷରେ, ଅନେକ ପ୍ରାକ୍ତନ ଲଢ଼ୁଆ କଂଗ୍ରେସ ନେତା କ୍ଷମତା ଲୋଭର ଶିକାର ହୋଇ ଗୋଷ୍ଠୀ କନ୍ଦଳରେ ଜଡ଼ିତ ରହିଲେ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଶାସକ ଦଳଗୁଡ଼ିକ ଯେଉଁସବୁ ସ୍ତରରେ କ୍ଷମତା ରାଜନୀତିର ଶିକାର ହେଲେ, ତା'ର ଏକ ବୀଜ ରୂପ ପ୍ରଥମ କଂଗ୍ରେସ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିଲା । କଂଗ୍ରେସ ଦଳ ୧୯୩୯ ନଭେମ୍ବରରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲା । ପରେ କେତେକ କଂଗ୍ରେସ ନେତା ସରକାରର ପକ୍ଷ ନେଲେ ଏବଂ ମିଳିତ ମନ୍ତ୍ରିମଣ୍ଡଳ ଗଠନ କଲେ । ଅର୍ଥାତ୍ ଏହି ସମୟରେ ଯେତେବେଳେ କଂଗ୍ରେସ ଦଳ ଏକ ବ୍ୟାପକ ଗଣ ଆନ୍ଦୋଳନର ମୂର୍ତ୍ତ ରୂପ ନେଲା, ସେତେବେଳେ ଏହାର କେତେକ ନେତା ଦଳ ତ୍ୟାଗ କରି କ୍ଷମତାର ଅଂଶୀଦାର ହେବାକୁ ପ୍ରୟାସ କଲେ । ସାମନ୍ତବର୍ଗ ଓ ଇଂରେଜ ସରକାର ସହ ସେମାନଙ୍କର ଏଣିକି ମିତ୍ରତା ବୃଦ୍ଧି ପାଇଲା । ଏହା ବିଶ୍ଳେଷଣ କରି ଦେଖିଲେ ଜାତୀୟତାବାଦୀ ରାଜନୀତିର ଅନ୍ତର୍ଦ୍ୱନ୍ଦ୍ୱକୁ ଦେଖାଏ । ମାତ୍ର ଏହା ଥିଲା ସେତେବେଳର ରାଜନୈତିକ ବାସ୍ତବିକତା ।
...