ଓଡ଼ିଶା ଇତିହାସ/ଅସହଯୋଗ ଆନ୍ଦୋଳନ: ୧୯୨୦-୨୨

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ଇତିହାସ (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଅସହଯୋଗ ଆନ୍ଦୋଳନ: ୧୯୨୦-୨୨

ଅସହଯୋଗ ଆନ୍ଦୋଳନ : ୧୯୨୦-୨୨


ବ୍ରିଟିଶ ସରକାର ବିରୁଦ୍ଧରେ ସଂଘଟିତ ଗଣଆନ୍ଦୋଳନ ମଧ୍ୟରେ ଅସହଯୋଗ ହେଲା ପ୍ରଥମ । ଏହା ପୂର୍ବରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମ କଦାଚିତ ଗଣଆନ୍ଦୋଳନର ରୂପ ନେଇ ନଥିଲା । ଲୋକଙ୍କ ସାଧାରଣ ସମସ୍ୟାକୁ ନେଇ ସ୍ୱାଧୀନତା ସଂଗ୍ରାମ ଗଢ଼ି ଉଠିଥିଲା ସତ, ହେଲେ ଅନେକ ବର୍ଷ ଧରି ତାର ନେତୃତ୍ୱ କେବଳ ମଧ୍ୟବର୍ଗ ଯାଏ ସୀମିତ ଥିଲା । ପ୍ରାରମ୍ଭିକ ସମୟରେ ଅନେକ ବର୍ଷ ଧରି ସଂଗ୍ରାମର ଭିତ୍ତି ପଡୁଥିଲା । ସେତେବେଳେ ଗଣଆନ୍ଦୋଳନ ଆରମ୍ଭ କରିବା ସମ୍ଭବ ନଥିଲା । କ୍ରମେ ନୂଆ ସାମାଜିକବର୍ଗମାନ ଆନ୍ଦୋଳନର ପରିସରଭୁକ୍ତ ହେଲେ । ଆନ୍ଦୋଳନ ଗଣାଭିମୁଖୀ ହେଲା । ୧୯୨୦ ମସିହାରେ ତାର ମଧ୍ୟବର୍ଗୀୟ ଆବଦ୍ଧତା ପ୍ରାୟତଃ ଦୂର ହେଲା ଏବଂ ଗଣ ଆନ୍ଦୋଳନର ଆରମ୍ଭ ହେଲା ।

ଅସହଯୋଗର ନେତୃତ୍ୱ ରହିଥିଲା ଭାରତୀୟ ଜାତୀୟ କଂଗ୍ରେସ ହାତରେ । ୧୯୨୦ ମସିହା ଅଗଷ୍ଟ ମାସରେ ଆରମ୍ଭ ହୋଇ ୧୯୨୨ ଫେବ୍ରୁଆରି ଯାଏ ଏହା ଚାଲିଲା । ଉତ୍ତର ପ୍ରଦେଶର ଚୌରିଚୌରାଠାରେ ଆନ୍ଦୋଳନ ହିଂସାତ୍ମକ ରୂପ ନେବାରୁ ୧୯୨୨ ଫେବ୍ରୁଆରିରେ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଏହା ପ୍ରତ୍ୟାହୃତ ହେଲା । ଦୁଇଟି ପ୍ରସଙ୍ଗକୁ ମୁଖ୍ୟ କରି ନେତୃବର୍ଗ ଆନ୍ଦୋଳନର ଡାକରା ଦେଇଥିଲେ । ଗୋଟାଏ ହେଲା, ପଞ୍ଜାବର ଜାଲିଆନାଓ୍ୱାଲାବାଗ (୧୯୧୯)ରେ ସଂଘଟିତ ଗଣହତ୍ୟା ଏବଂ ଦ୍ୱିତୀୟଟି ହେଲା ଖିଲାଫତ ଆନ୍ଦୋଳନ । ପଞ୍ଜାବରେ ନିରୀହ ଜନତାଙ୍କୁ ହତ୍ୟା କଲା ପରେ ବ୍ରିଟିଶ ସରକାର ହତ୍ୟାକାରୀକୁ ଦଣ୍ଡ ଦେବା ପରିବର୍ତ୍ତେ ଯେଉଁଭଳି ଭାବରେ ଦୋଷୀକୁ ଘଣ୍ଟ ଘୋଡ଼ାଇବାରେ ଲାଗିଲେ, ତାର ପ୍ରତିବାଦ ସ୍ୱରୂପ ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ଠିକ ସେହିଭଳି, ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀର ପରାଜୟ ପରେ ମୁସଲମାନ ଧର୍ମଗୁରୁ ଖଲିଫାଙ୍କୁ ବ୍ରିଟିଶ ସରକାର ଏକ ଅତି ଅପମାନଜନକ ଚୁକ୍ତିସ୍ୱାକ୍ଷର କରିବାକୁ ବାଧ୍ୟ କଲେ । ସମଗ୍ର ମୁସଲମାନ ସମାଜ ଏଥିରେ ଅପମାନିତ ବୋଧକଲେ । ଆନ୍ଦୋଳନ ମାଧ୍ୟମରେ ଏହାର ତୀବ୍ର ପ୍ରତିବାଦ ହେଲା । ଅସହଯୋଗ ଆନ୍ଦୋଳନର ମୁଖ୍ୟ ସ୍ଳୋଗାନ ଥିଲା ବର୍ଷକ ମଧ୍ୟରେ ସ୍ୱରାଜ୍ୟ ପ୍ରାପ୍ତି । ସ୍ୱରାଜ୍ୟ ପ୍ରାପ୍ତି ସମ୍ଭାବନାର ଆଧାର ଥିଲା ସରକାରଙ୍କ ସହିତ ଅସହଯୋଗ । ଯେହେତୁ ଭାରତୀୟଙ୍କ ସହଯୋଗ ବଳରେ ବ୍ରିଟଶ ସରକାର ଭାରତରେ ପ୍ରତିଷ୍ଠିତ, ସେହି ସହଯୋଗକୁ ପ୍ରତ୍ୟାହାର କରାଗଲେ ବିଦେଶୀମାନେ ଆପେ ଆପେ ଦେଶ ଛାଡ଼ି ଚାଲିଯିବେ ବୋଲି ଅନୁମାନ କରାଯାଉଥିଲା । ଆନ୍ଦୋଳନକାରୀ ନିଜ ନିଜ ସ୍ତରରେ ସ୍ୱରାଜର ଅର୍ଥ କଲେ ଏବଂ ସେହି ଆଶାରେ ଆନ୍ଦୋଳନରେ ସହଭାଗୀ ହେଲେ । ଅସହଯୋଗପାଇଁ ମନ୍ତ୍ର ହେଲା ସରକାରୀ ପଦପଦବୀ, ବିଦେଶୀ ବସ୍ତ୍ର, କୋର୍ଟ କଚେରି, ଅଫିସ ଏବଂ ସରକାରୀ ସ୍କୁଲ ଓ କାଉନ୍‍ସିଲ୍‍ ବର୍ଜନ । ଏହାର ବିକଳ୍ପ ଭାବରେ କଂଗ୍ରେସ ଲୋକ ଗାଁ ଗାଁରେ ପଞ୍ଚାୟତ ବସାଇଲେ, ଜାତୀୟ ସ୍କୁଲ ପ୍ରତିଷ୍ଠା କଲେ ଏବଂ ସ୍ୱଦେଶୀକୁ ପ୍ରୋତ୍ସାହିତ କଲେ । ଫଳରେ, ବ୍ରିଟଶ ଉପନିବେଶବାଦ ଯେଉଁ କର୍ତ୍ତୃତ୍ୱ ଲୋକଙ୍କ ଉପରେ ମାନସିକ ସ୍ତରରେ ଜାହିର କରିଥିଲା, ତାହା ଅନେକାଂଶରେ ଊଣା ହେଲା । ପଞ୍ଚାୟତ, ସ୍କୁଲ ପରିଚାଳନା ତଥା ଖଦିର ପ୍ରସାର କରିବା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସ୍ୱ-ଶାସନ ପାଇଁ ଆତ୍ମବିଶ୍ୱାସ ଜାଗ୍ରତ ହେଲା । ସ୍ୱଦେଶୀର ପ୍ରସାର ଫଳରେ ବିଦେଶୀ ଲୁଗାର ଆମଦାନୀ କିଛି ଅଂଶରେ ଊଣା ପଡ଼ିଲା । ଯଦି ଅସହଯୋଗ ଆନ୍ଦୋଳନର ଦୁଇଗୋଟି ପ୍ରମୁଖ ଉପଲବ୍ଧିକୁ ଗଣାଯାଏ, ତେବେ ବୋଧହୁଏ ଗୋଟାଏ ହେବ ଲୋକଙ୍କ ଭିତରେ ମାନସିକ ସ୍ତରରେ ଉପନିବେଶବାଦୀ କର୍ତ୍ତୃତ୍ୱ ହ୍ରାସପାଇବା । ଅର୍ଥାତ୍‍ ବିଦେଶୀ ଶାସନ ଉପରେ ଭୟ ଓ ନିର୍ଭରଶୀଳତା ଊଣା ହେବା । ଦ୍ୱିତୀୟଟି ହେବ ସ୍ୱାବଲମ୍ବ ଏବଂ ସ୍ୱ-ଶାସନ ପାଇଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ ହେବା । ଏହି ଉପଲବ୍ଧିର ପରିମାଣ ପରବର୍ତ୍ତୀ ସମୟରେ କ୍ରମଶଃ ବୃଦ୍ଧି ପାଇଲା, ଯାହାର ପରିଣାମ ସ୍ୱରୂପ ସ୍ୱାଧୀନତାର ଦିନ ନିକଟତର ହେଲା । ଅନ୍ୟ ଶବ୍ଦରେ କହିଲେ, ଗଣଆନ୍ଦୋଳନର କାଳାଂଶ (୧୯୨୦-୪୭)କୁ ଯଦି ସ୍ୱାଧୀନତା ସଂଗ୍ରାମର ଅନ୍ତିମ ପର୍ଯ୍ୟାୟ ବୋଲି କୁହାଯାଏ, ତେବେ ଅସହଯୋଗ ହେବ ସେହି ଅନ୍ତିମ ପର୍ଯ୍ୟାୟର ପ୍ରଥମ ପରିଚ୍ଛେଦ । ଏହି ସମୟରେ ଆନ୍ଦୋଳନ କେତେଗୋଟି ନିର୍ଦ୍ଦିଷ୍ଟ ବର୍ଗ ବା ସୀମିତ ଅଞ୍ଚଳରେ ଆବଦ୍ଧ ନ ରହି ବିଭିନ୍ନ ବର୍ଗ ଏବଂ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳକୁ ପ୍ରସାରିତ ହେଲା । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ଜାତୀୟତାର ଯେଉଁ ଉନ୍ମ୍ବେଷ ଦେଖା ଦେଇଥିଲା, ତାର ଏକ ତାର୍କିକ ପରିଣତି ହେଲା ଅସହଯୋଗ ଆନ୍ଦୋଳନ । ଜାତୀୟତା ଆନ୍ଦୋଳନର ଆରମ୍ଭ ହୋଇଥିଲା ବୈଚାରିକ ସ୍ତରରେ, ଶେଷ ହେଲା ଏକ ନୂଆ କିସମର ଅହିଂସା ସମ୍ମୁଖ ସମରରେ । ଅସହଯୋଗ ହେଲା ସେହି ସମ୍ମୁଖ ସମରର ଆଦି ପର୍ବ । ମହାତ୍ମାଗାନ୍ଧୀ ୧୯୧୫ରେ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରି ଆସିଥିଲେ । କଂଗ୍ରେସ ରାଜନୀତିରେ ପ୍ରତ୍ୟକ୍ଷ ଭାବେ ସଂଶ୍ଳିଷ୍ଟ ହେବା ପରେ ଅସହଯୋଗ ଥିଲା ତାଙ୍କ ନେତୃତ୍ୱରେ ପରିଚାଳିତ ପ୍ରଥମ ମହାଜାତୀୟ ସଂଗ୍ରାମ ।

ଓଡ଼ିଶାର ଅସହଯୋଗ ଆନ୍ଦୋଳନ ହେଲା ସର୍ବଭାରତସ୍ତରୀୟ ଆନ୍ଦୋଳନର ଏକ ଅଭିନ୍ନ ଅଂଶ । ମାତ୍ର ଓଡ଼ିଶା ଅସହଯୋଗ (ଆନ୍ଦୋଳନ)ର ଏକ ନିଜସ୍ୱ ସ୍ୱାତନ୍ତ୍ର୍ୟ ବା ବୈଶିଷ୍ଟ୍ୟ ମଧ୍ୟ ରହିଥିଲା । ଏକ ଅଞ୍ଚଳ ଭାବରେ ଓଡ଼ିଶା ଭିନ୍ନ; ଅନ୍ୟ ଅଞ୍ଚଳଠାରୁ ତାର ଜାତୀୟତାବାଦୀ ନେତୃତ୍ୱ ଓ ସ୍ଥିତି ଅଲଗା । ତା'ଛଡ଼ା ଆନ୍ଦୋଳନକୁ ଗଣାଭିମୁଖୀ କରିବାନିମିତ୍ତ ଆବଶ୍ୟକ ହେଉଥିବା କାରଣ, ଶୈଳୀ ଏବଂ ସ୍ଥାନୀୟ ଲକ୍ଷ୍ୟ ମଧ୍ୟ ବୈଶିଷ୍ଟ୍ୟପୂର୍ଣ୍ଣ । ଏହି ସବୁ କାରଣରୁ ସ୍ୱାଧୀନତା ସଂଗ୍ରାମ ବା ଜାତୀୟତା ଆନ୍ଦୋଳନରେ ଓଡ଼ିଶା ଅଧ୍ୟାୟର ଏକ ତାର୍କିକ ପର୍ଯ୍ୟାଲୋଚନା ଆଜି ଯେତିକି ପ୍ରାସଙ୍ଗିକ, ତତୋଽଧିକ ଆମୋଦଦାୟକ । ୧୯୨୦ ମସିହା ଡିସେମ୍ବର ମାସ ଶେଷ ସପ୍ତାହରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ଅନେକ ନରମପନ୍ଥୀ ଜାତୀୟତାବାଦୀ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନରେ ଯୋଗ ଦେଲେ । ସେଠାରୁ ଫେରି ସେମାନେ ଉତ୍କଳ ସମ୍ମିଳନୀର ଚକ୍ରଧରପୁର ଅଧିବେଶନରେ ଭାଗନେଲେ । ନାଗପୁର କଂଗ୍ରେସରେ ନିଷ୍ପତ୍ତି ହୋଇଥିଲା ଯେ, ଏଣିକି ଭାଷା ଭିତ୍ତିରେ ଜାତୀୟ କଂଗ୍ରେସର ପ୍ରାଦେଶିକ ଶାଖାମାନ ଗଠିତ ହେବ, ଇଂରାଜୀ ବଦଳରେ ବ୍ୟାବହାରିକ ହିନ୍ଦୁସ୍ତାନୀ କଂଗ୍ରେସର ଆନୁଷ୍ଠାନିକ ଭାଷା ହେବ ତଥା କଂଗ୍ରେସର ସଦସ୍ୟତା ଶୁଳ୍କ ହ୍ରାସ ପାଇ ମାତ୍ର ଚାରିଅଣା ରହିବ । ଅର୍ଥାତ କଂଗ୍ରେସ ଏଣିକି ଅଳ୍ପ କେତେକ ବୁଦ୍ଧିଜୀବୀଙ୍କ ସଂଗଠନ ନ ହୋଇ ସାଧାରଣ ଲୋକଙ୍କ ସଂଗଠନ ହେବ । ଓଡ଼ିଶାର ନରମପନ୍ଥୀ ଜାତୀୟତାବାଦୀ ଗୋଷ୍ଠୀକୁ କଂଗ୍ରେସର ଏହି ପରିବର୍ତ୍ତନ ଉତ୍କଳ ସମ୍ମିଳନୀରେ କଂଗ୍ରେସର ପକ୍ଷ ନେବାରେ ସାହାଯ୍ୟ କଲା । ଉତ୍କଳ ସମ୍ମିଳନୀକୁ ଜାତୀୟ କଂଗ୍ରେସରେ ମିଶାଇ ଦେବାକୁ ଯୁକ୍ତି କରି ଗୋପବନ୍ଧୁ ପ୍ରସ୍ତାବ ଦେଲେ:

"ସମ୍ମିଳନୀର ବର୍ତ୍ତମାନ ଯେ ଉଦ୍ଦେଶ୍ୟ ନିରୂପିତ ହୋଇଅଛି, ତାହା ସ୍ଥିର ରଖାଯାଇ, ଭାରତ ଜାତୀୟ ମହାସମିତିର ଯେ ଉଦ୍ଦେଶ୍ୟ ଓ ଆକାଂକ୍ଷା, ତାହା ଏହି ସମ୍ମିଳନୀର ଉଦ୍ଦେଶ୍ୟ ଓ ଆକାଂକ୍ଷା ରୂପେ ଗୃହୀତ ହେଉ ।

ପ୍ରସ୍ତାବ ବହୁ ମତରେ ଗୃହୀତ ହେଲା । ଏଣିକି ନରମପନ୍ଥୀ ଜାତୀୟତାବାଦୀ ହେଲେ ଓଡ଼ିଶାର ମୁଖ୍ୟ ନେତୃତ୍ୱ । ଓଡ଼ିଶା ଜାତୀୟତାର ରାଜନୀତିରେ ଉଦାରପନ୍ଥୀ ଏବଂ ସରକାରଙ୍କ ଅନୁଗତ ସାମନ୍ତ ବୁଦ୍ଧିଜୀବୀ ଗୋଷ୍ଠୀ ସଂଖ୍ୟାନ୍ୟୂନ ହେଲେ । ଫଳରେ ନରମପନ୍ଥୀ ଜାତୀୟତାବାଦୀ ନ କହି ଏଣିକି କଂଗ୍ରେସ ନେତୃତ୍ୱ ନାଁରେ ଏହି ଗୋଷ୍ଠୀକୁ ସ୍ୱାଧୀନତା ଇତିହାସରେ ଚିହ୍ନିବା ସହଜ ହେବ । ଅର୍ଥାତ୍‍ ୧୯୨୦ ପରେ ନରମପନ୍ଥୀ ଜାତୀୟତାବାଦୀ ନାଁର ଆଉ ଆବଶ୍ୟକତା ରହିବ ନାହିିଁ ।

ଚକ୍ରଧରପୁର ଅଧିବେଶନରେ ଅସହଯୋଗର ସଂଚାଳନ ପାଇଁ ଯେଉଁ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହେଲା, ଏହାର ସଭାପତି ହେଲେ ଗୋପବନ୍ଧୁ ଦାସ ଏବଂ ଉପ-ସଭାପତି ହେଲେ ଏକରାମ ରସୁଲ । ଖିଲାଫତ୍‍ ଆନ୍ଦୋଳନର ମହତ୍ତ୍ୱ ଓ ମୁସଲମାନ ସଂପ୍ରଦାୟର ସହଯୋଗକୁ ଧ୍ୟାନରେ ରଖି ଏକରାମ ରସୁଲ ନେତୃତ୍ୱର ଶୀର୍ଷ ସ୍ଥାନରେ ରହିଥିଲେ । ଓଡ଼ିଶାକୁ ଛଅଟି ଜିଲ୍ଲା କଂଗ୍ରେସକମିଟିରେ ଭାଗ କରାଗଲା । ସେଗୁଡ଼ିକ ହେଲେ ଗଂଜାମ, ବାଲେଶ୍ୱର, ପୁରୀ, କଟକ, ସମ୍ବଲପୁର ଏବଂ ସିଂହଭୂମ । ଜିଲ୍ଲା କମିଟିର ସଭାପତି ହେଲେ ଯଥାକ୍ରମେ ନିରଞ୍ଜନ ପଟ୍ଟନାୟକ, ହରେକୃଷ୍ଣ ମହତାବ, ଜଗବନ୍ଧୁ ସିଂ, ଭାଗୀରଥି ମହାପାତ୍ର, ଧରଣୀଧର ମିଶ୍ର ଏବଂ ଗୋଦାବରୀଶ ମିଶ୍ର । ଜିଲ୍ଲାଗୁଡ଼ିକ ମଧ୍ୟରୁ ଗଞ୍ଜାମ ଓ ସିଂହଭୂମ ଥିଲେ ବିଚ୍ଛିନ୍ନାଞ୍ଚଳ । ଉଭୟ ଜିଲ୍ଲା ପ୍ରାଦେଶିକ କମିଟିର ଅଂଶଭୁକ୍ତ ହେବାଯୋଗୁଁ ଓଡ଼ିଶାର ଭାଷା-ସଂସ୍କୃତି ଆନ୍ଦୋଳନକୁ ଜାତୀୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ ରହିଥିବା କଥା ସ୍ପଷ୍ଟ ହେଲା । ପ୍ରତିବଦଳରେ ଏହା ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ବଳ ଦେଲା । ଆନ୍ଦୋଳନର ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିବାପାଇଁ ପ୍ରାଦେଶିକ କମିଟି ଅଧୀନରେ ତିିନିଟି ନୂଆ ସଂଗଠନ ଗଢାଗଲା । ସେଗୁଡ଼ିକ ହେଲା, ସ୍ୱଦେଶୀ ପ୍ରଚାର ଓ ନିଶା ନିବାରଣପାଇଁ ଉତ୍କଳ ସ୍ୱରାଜ୍ୟ ସଂଘ, ପାଣ୍ଠି ସଂଗ୍ରହପାଇଁ ଉତ୍କଳ ସ୍ୱରାଜ୍ୟ ପାଣ୍ଠି ଏବଂ ଜାତୀୟ ଶିକ୍ଷାର ପ୍ରସାରପାଇଁ ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦ । ଜିଲ୍ଲା ସ୍ତରରେ ଏହି ସଂଗଠନଗୁଡ଼ିକର ଶାଖାଗୁଡିକ ମଧ୍ୟ ଗଠିତ ହେଲେ, ଯାହା ଜିଲ୍ଲା କଂଗ୍ରେସ କମିଟିର ତତ୍ତ୍ୱାବଧାନରେ କାର୍ଯ୍ୟ କଲେ ।

ଉତ୍କଳ କଂଗ୍ରେସ କମିଟିର ଗଠନ ପରେ ପରେ, ଜାନୁଆରି ୧୯୨୧ରେ ଅସହଯୋଗର ବାର୍ତ୍ତା ବିଭିନ୍ନ ସହର ଅଞ୍ଚଳମାନଙ୍କରେ ପହଞ୍ଚିଲା । ସହରଗୁଡ଼ିକ ମଧ୍ୟରେ ରହିଥିଲେ ସମ୍ବଲପୁର, କଟକ ଓ ପୁରୀ । ଜାନୁଆରି ପ୍ରଥମ ସପ୍ତାହରେ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ସ୍କୁଲ ବର୍ଜନ କଲେ ଏବଂ ପଟୁଆରରେ ଯାଇ ସ୍ଥାନୀୟ ଫ୍ରେଜର କ୍ଲବ୍‍ରେ ସଭା କଲେ । ସଭାରେ ସଭାପତିତ୍ୱ କରିଥିଲେ ଲଦାଭାଇ ଥୋରିଆ ନାମକ ଜଣେ ସ୍ଥାନୀୟ ମୁସଲମାନ ବ୍ୟବସାୟୀ । ଏହି ସଭାରେ ମୁଖ୍ୟତଃ ମୁସଲିମ ଛାତ୍ର ଏବଂ ହଷ୍ଟେଲରେ ରହୁଥିବା ଅନ୍ତେବାସୀମାନେ ସକ୍ରିୟ ଥିଲେ । ସକ୍ରିୟ ଛାତ୍ରଙ୍କ ମଧ୍ୟରେ ଥିଲେ ଅବଦୁଲ ମାଜିଦ, କୃତାର୍ଥ ଆଚାର୍ଯ୍ୟ, ଲକ୍ଷ୍ମୀନାରୟଣ ମିଶ୍ର, ଭବାନୀ ମିଶ୍ର ଇତ୍ୟାଦି । ସଭାରେ ଜାତୀୟ ସ୍କୁଲ ପ୍ରତିଷ୍ଠାପାଇଁ ନିଷ୍ପତ୍ତି ନିଆହେଲା । ଏଣିକି ପ୍ରତିଦି ସନ୍ଧ୍ୟାରେ ସଭା ଆୟୋଜିତ ହେଲା ଏବଂ କାନ୍ଥବାଡ଼ରେ ଅସହଯୋଗର ସ୍ଳୋଗାନ ଲେଖା ହେଲା । ଆନ୍ଦୋଳନକୁ ଆରମ୍ଭ କରିବାରେ ସ୍କୁଲ ଛାତ୍ରଙ୍କର ଏହି ଭୂମିକା ଯେତେବେଳେ ପତ୍ରପତ୍ରିକାରେ ପ୍ରକାଶ ପାଇଲା, କେବଳ ଓଡ଼ିଶା କାହିିଁକି, ଓଡ଼ିଶା ବାହାରେ କଲିକତା ଏବଂ ପାଟନାରେ ମଧ୍ୟ ଅନ୍ୟମାନଙ୍କପାଇଁ ତାହା ପ୍ରେରଣାଦାୟୀ ହେଲା ।

ସେତେବେଳେ ସତ୍ୟବାଦୀ ସ୍କୁଲର ଜଣେ ଅନ୍ୟତମ ସଂସ୍ଥାପକ ନୀଳକଣ୍ଠ ଦାସ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥାନ୍ତି । ୧୯୦୯ରେ ଏକ ଜାତୀୟ ବିଦ୍ୟାଳୟ ଭାବରେ ପ୍ରତିଷ୍ଠିତ ସତ୍ୟବାଦୀ ସ୍କୁଲ, ୧୯୧୭-୧୮ ବେଳକୁ ଅନେକ ଆର୍ଥିକ ତଥା ଅନ୍ୟାନ୍ୟ ସଂକଟର ସମ୍ମୁଖୀନ ହେଲା । ତାର ଶିକ୍ଷକମାନେ, ଅନ୍ୟତ୍ର ଅନ୍ନସଂସ୍ଥାନପାଇଁ ଯୋଗ ଦେବାକୁ ବାଧ୍ୟ ହେଲେ । ନୀଳକଣ୍ଠ ଦାସ ଗଲେ କଲିକତା, ଗୋଦାବରୀଶ ମିଶ୍ର ଗଲେ ବିଚ୍ଛିନ୍ନାଞ୍ଚଳ ଚକ୍ରଧରପୁର । ମାତ୍ର ୧୯୨୧ରେ ଜାତୀୟତାର ଜୁଆର ପୁଣି ଥରେ ସେମାନଙ୍କୁ ଅସହଯୋଗକୁ ଟାଣି ଆଣିଲା । ସମ୍ବଲପୁର ଛାତ୍ରମାନଙ୍କ ଉତ୍ସାହ ଦେଖି ନୀଳକଣ୍ଠ ଅଧ୍ୟାପକ ଚାକିରି ଛାଡ଼ିଲେ, କଲିକତାରେ ଆଇନ ଅଧ୍ୟୟ କରୁଥିବା ସମ୍ବଲପୁରର ଛାତ୍ର ଭାଗୀରଥି ମିଶ୍ର ମଧ୍ୟ କଲେଜ ବର୍ଜନ କଲେ । ଜାନୁଆରି ତୃତୀୟ ସପ୍ତାହରେ ଉଭୟେ ଗୋପବନ୍ଧୁଙ୍କ ସାଙ୍ଗରେ ମିଶି ସମ୍ବଲପୁର ଆସିଲେ ଏବଂ ସେଠାରେ ଆନ୍ଦୋଳନ ପରିଚାଳନା କଲେ । ତେଣିକି ଫ୍ରେଜର କ୍ଲବ୍‍ ପରିସରରେ ଆରମ୍ଭ ହୋଇଥିବା ଜାତୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେଲେ ନୀଳକଣ୍ଠ ଦାସ । ସମ୍ବଲପୁରରୁ 'ସେବା' ନାମରେ ଏକ ପତ୍ରିକା ପ୍ରକାଶିତ ହେଲା, ଯାହା ସମ୍ବଲପୁର ବାହାରେ ମଧ୍ୟ ଅସହଯୋଗକୁ ବିସ୍ତାରିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କଲା । କଂଗ୍ରେସ ସଭାସମିତି ଏବଂ ପଟୁଆରରେ ଯେଉଁ ଗୀତଟି ଅତ୍ୟନ୍ତ ଆଦୃତି ଲାଭ କରିଥିଲା, ସେ ହେଲା ନୀଳକଣ୍ଠ ଦାସଙ୍କ ରଚିତ 'ସ୍ୱରାଜ ଭାୟା ଅଲବତ ହୋଗା' । ତା'ର ଆବୃତ୍ତି ପଛରେ କାରଣ ହେଲା ଯେ, ତହିିଁରେ ଅତି ସରଳ ଭାଷାରେ ହିନ୍ଦୀ ମିଶା ଓଡ଼ିଆରେ ଅସହଯୋଗର ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ଉଲ୍ଲେଖ ରହିଥିଲା । ଗୀତଟିର କେତୋଟି ପଦ ନିମ୍ନରେ ଉଲ୍ଲିଖିତ ହେଲା:

ସ୍ୱରାଜ ଭାୟା ଅଲବତ ହୋଗା
ଛୋଡ଼କେ ଆଓ ଗୋଲାମୀ,
ଭାରତ ଲଡ଼କା ଗୋଲାମ ହୋକେ
କାହେ କରୋ ବଦନାମୀ ।
ଗୋଲାମ ହୋନେ ମାଲୁମ ନେହିିଁ କି
କୈସେ ହେଁ ରାଜ ବେପାରୀ
ସବକୁଛ ଯାଏ ଦରିଆପାରି
ଘରମେ ହାମଲୋଗ ଭିଖାରି ।
ସ୍କୁଲ କଚେରି କାଉନସିଲ କୋ
ଇୟାଦ ରଖୋ ବାବୁଜୀ
ମାୟା ଏ ସବ ଗୋଲାମୀକା
ଇସମେ ନାଇଁ ଭୁଲୋଜୀ ।
ଦିଲମେ ସ୍ୱାଧୀନ ଦିଲମେ ଗୋଲାମ
ଦିଲକା ବନ୍ଧନ ନୌକରୀ
ଦିଲକୋ ମଜା ରଖୋ ଭଇୟା
ଛୋଡ ଦୋ ସବ ସରକାରୀ ।

ସମ୍ବଲପୁର ସହରରୁ ଆନ୍ଦୋଳନ ପୁଣି ଆଖପାଖର ଗାଁ ଅଞ୍ଚଳକୁ ଗଲା । ତାର ମୁଖ୍ୟ ବାର୍ତ୍ତାବହ ହେଲେ ଜାତୀୟ ସ୍କୁଲର ଶିକ୍ଷକ ଓ ଛାତ୍ରମାନେ । ଆନ୍ଦୋଳନର ବାର୍ତ୍ତା ପ୍ରଚାର ଏବଂ ସେହି ପ୍ରକ୍ରିୟାରେ ଗ୍ରାମ ସଂଗଠନ, ଗ୍ରାମ୍ୟ ଅନୁଭୂତି ହେଲା ଜାତୀୟ ଶିକ୍ଷା । ଆନ୍ଦୋଳନକୁ ସେବାମୂଳକ କରିବା ସକାଶେ ନୀଳକଣ୍ଠ ହୋମିଓପାଥି ଚିକିତ୍ସା ଆରମ୍ଭ କଲେ ଏବଂ ମାନପୁର ଆଦି ଗ୍ରାମରେ ହଇଜା, ଝାଡ଼ାବାନ୍ତିର ଉପଚାରପାଇଁ ପିଲାଙ୍କୁ ନେଇ ସ୍ୱେଚ୍ଛାସେବୀ କାମ କଲେ । ମୋଟ ଉପରେ କହିଲେ, ସମ୍ବଲପୁର ଅସହଯୋଗ ଓଡ଼ିଶା ଓ ଓଡ଼ିଶା ବାହାରେ ମଧ୍ୟ ଜାତୀୟତାବାଦୀ ମନରେ ନୂଆ ଉତ୍ସାହ ଓ ସମ୍ଭାବନା ଆଣିଦେଲା । ଏଥିରେ ହିନ୍ଦୁ-ମୁସଲିମ ଏକତା ଭାବ ରହିଥିଲା; ବୁଦ୍ଧିଜୀବୀ ସ୍ତରରେ ଉପକୂଳ ଓ ପଶ୍ଚିମାଞ୍ଚଳର ମିଳିତ ନେତୃତ୍ୱ ରହିଥିଲା, ଅନ୍ୟଥା ଉପକୂଳ ଅଞ୍ଚଳବାସୀ ନୀଳକଣ୍ଠଙ୍କ ମହତ୍ତ୍ୱ ରହିପାରି ନଥାନ୍ତା । ତା'ଛଡ଼ା, ଉଲ୍ଲିଖିତ ଗୀତରୁ ଯାହା ପ୍ରତୀତ ହୁଏ; ହିନ୍ଦୀ, ଓଡ଼ିଆ, ବହିଭାଷା ଓ ଗାଁ ଭାଷାର ଏକ ମିଳିତ ସ୍ୱରୂପ ହିିଁ ଆଗାମୀ ଦିନରେ ଗଣଆନ୍ଦୋଳନର ସ୍ୱାଭାବିକ ଭାଷା ହେବ ବୋଲି ସୂଚନା ମିଳିଥିଲା । ୧୯୨୦ ନାଗପୁର କଂଗ୍ରେସରେ ରାଷ୍ଟ୍ରର ସଂପର୍କ ଭାଷା ଭାବରେ 'ହିନ୍ଦୁସ୍ତାନୀ'କୁ ନେଇ ଯେଉଁ ଜାତୀୟ ଦୃଷ୍ଟିକୋଣ ରହିଥିଲା, ତାର ପ୍ରତିଫଳନ 'ସ୍ୱରାଜ ଭାୟା ଅଲବତ ହୋଗା' ଗୀତରେ ଦେଖାଯାଇପାରେ । ଏହି ଦୃଷ୍ଟିକୋଣ ଅକ୍ଟୋବର ୧୯୧୯ରେ ଗୋପବନ୍ଧୁ ଦାସଙ୍କ ସଂପାଦନାରେ ଆରମ୍ଭ ହୋଇଥିବା 'ସମାଜ' ପତ୍ରିକା ଏବଂ ଅସହଯୋଗ ସମୟର ଅନ୍ୟାନ୍ୟ ଜାତୀୟତାବାଦୀ ପତ୍ରିକା ଯଥା ;ସେବା', 'ଉତ୍କଳ ସେବକ' ଏବଂ ୧୯୨୩ରୁ ପ୍ରକାଶିତ 'ପ୍ରଜାତନ୍ତ୍ର'ରେ ମଧ୍ୟ ପରିଲକ୍ଷିତ ହୋଇଥାଏ । ଜାତୀୟତାକୁ ଅନୁଭବ କରିବାଲାଗି କ୍ଲିଷ୍ଟତା ବଦଳରେ ଭାଷାର ସହଜତାକୁ ଜାତୀୟତାବାଦୀ ପତ୍ରପତ୍ରିକାମାନେ ମାଧ୍ୟମ କଲେ । ସମ୍ବଲପୁରରେ ଅସହଯୋଗର ଆରମ୍ଭ, ଅଗଷ୍ଟ ୧୯୨୦ର ଖିଲାଫତ ପ୍ରସଙ୍ଗରୁ ଦେଖିହେବ । ୧୪ ଅଗଷ୍ଟ ୧୯୨୦ ଦିନ ଦୁଇ ଶହରୁ ଅଧିକ 'କିଣିଖିଆ' ବା ସହରି ଗରିବ (ଅରବାନ୍‍ ପୁଅର), ଦାଶରଥି ମିଶ୍ର, ଜନାର୍ଦ୍ଦନ ସୂପକାର ଏବଂ ଲଦାଭାଇ ଥୋରିଆଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ କଲେ । ସଭାରେ ସ୍ଥାନୀୟ ବଜାରରେ ଚାଉଳର ଅଭାବ ଏବଂ ଖିଲାଫତ ପ୍ରସଙ୍ଗକୁ ନେଇ ବିସ୍ତୃତ ଚର୍ଚ୍ଚା ହେଲା ଏବଂ ଜିଲ୍ଲାପାଳଙ୍କୁ ରିହାତି ମୂଲ୍ୟରେ ଚାଉଳ ଯୋଗାଣପାଇଁ ଦାବିପତ୍ର ଦିଆଗଲା । ଏହାର ପରେ ପରେ ସ୍ଥାନୀୟ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଆଉ ଦୁଇଟି ସଭା ଆୟୋଜିତ ହେଲା; ତହିିଁରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଏବଂ ମୁସଲିମ ବ୍ୟବସାୟୀ ଲଦାଭାଇ ଥୋରିଆ ବକ୍ତବ୍ୟ ଦେଲେ । ହିନ୍ଦୁ-ମୁସଲିମ ଏକତା ସାଙ୍ଗକୁ ରାଷ୍ଟ୍ରୀୟ ଏବଂ ଆଞ୍ଚଳିକ ସମସ୍ୟାଗୁଡ଼ିକର ମଧ୍ୟ ସଭାରେ ବିସ୍ତୃତ ଚର୍ଚ୍ଚା ହେଲା । ଏକତା ରକ୍ଷା ଉଦ୍ଦେଶ୍ୟରେ ସେହି ସଭା ମଞ୍ଚରେ 'ଖିଲାଫତ ସଭା', 'ସ୍ୱରାଜ୍ୟ ସଭା' ଏବଂ "ଗୋରକ୍ଷଣୀ ସଭା'ର ମଧ୍ୟ ବୈଠକ ବସିଲା ଏବଂ ଆବଶ୍ୟକ ସମୟରେ ଜାତୀୟ ସ୍କୁଲ, ସ୍ୱରାଜ ପଞ୍ଚାୟତ ସ୍ଥାପନ ଏବଂ ସରକାର ଓ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନିଆଗଲା । ଏହି ସଂଯୋଜନାର ଫଳସ୍ୱରୂପ, ୧୯୨୦ ନଭେମ୍ବରରେ ବିହାର-ଓଡ଼ିଶା ପ୍ରାଦେଶିକ କାଉନସିଲ ନିର୍ବାଚନରେ ସମ୍ବଲପୁରରେ ମୋଟ ୨୮୦ରୁ ମାତ୍ର ୨୮ ଜଣ ଭୋଟ ଦେଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏହି ନିର୍ବାଚନରେ ଜଣେ ବି ମୁସଲମାନ ଭୋଟର ଭୋଟ ଦେଇ ନଥିଲେ । ୧୯୨୧ ଜାନୁଆରି ମାସ ଆରମ୍ଭରେ ଜିଲ୍ଲା ସ୍କୁଲ ଛାତ୍ରଙ୍କ ସ୍କୁଲ ବର୍ଜନ ଏବଂ ପରବର୍ତ୍ତୀ ପର୍ଯ୍ୟାୟର ଅସହଯୋଗକୁ ସେହି ପୂର୍ବ ସଙ୍ଗଠନ ପରିପ୍ରେକ୍ଷୀରେ ଦେଖିହେବ ।

ଅନୁରୂପ ଭାବରେ ୧୯୨୦ ମସିହା ଶେଷ ଆଡ଼କୁ ପୁରୀ ଜିଲ୍ଲାରେ ମଧ୍ୟ ଅସହଯୋଗର ସୂତ୍ରପାତ ହେଲା । ୧୯୧୬ ମସିହାରୁ ପୁରୀରେ ବିହାର କଂଗ୍ରେସ କମିଟିର ଶାଖା ଭାବରେ ଏକ ଜିଲ୍ଲା ସମିତି ଗଠିତ ହୋଇଥିଲା, ଯାହାର ନେତୃତ୍ୱ ରହିଥିଲା ଗୋପବନ୍ଧୁ ଦାସ, ଜଗବନ୍ଧୁ ସିଂ ଆଦିଙ୍କ ହାତରେ । ୧୯୨୦ ଅକ୍ଟୋବର ଓ ନଭେମ୍ବର ମାସରେ ଖଣ୍ଡଗିରି, ଜଟଣି ତଥା ପୁରୀଠାରେ ଜିଲ୍ଲା ସମିତି ତରଫରୁ ଜନସଭାମାନ ହୋଇ ତହିିଁରେ ସ୍ଥାନୀୟ ସମସ୍ୟା, ଯଥା ପ୍ରାଥମିକ ଶିକ୍ଷକଙ୍କ ଦରମା, ଖାସମାହାଲରେ ସରକାରଙ୍କ ତରଫରୁ ଖଜଣା ଆଦାୟ କରୁଥିବା ସରବରାକାରମାନଙ୍କ ଅବସ୍ଥା ଓ ଜଙ୍ଗଲ ଆଇନର ଜଟିଳତା ଆଦିର ଚର୍ଚ୍ଚା କରଗଲା ଏବଂ ସମସ୍ୟାର ସମାଧାନନିମନ୍ତେ ଅସହଯୋଗକୁ ପନ୍ଥା ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦିଆଗଲା । ଅସହଯୋଗକୁ ଏକ ସ୍ଥାନୀୟ ସମସ୍ୟା ଆଧାରିତ ଆନ୍ଦୋଳନ ରୂପେ ଗଢ଼ିବାରେ ଏହା ବେଶ ସାହାଯ୍ୟ କଲା । ଅସହଯୋଗର ଉଦ୍ଦେଶ୍ୟ ସ୍ୱରାଜପ୍ରାପ୍ତି ହେଲେ ସ୍ଥାନୀୟ ଲୋକଙ୍କର ହିିଁ ମଙ୍ଗଳ ହେବ, ତାହା ଜାତୀୟତାବାଦୀ ନେତୃତ୍ୱ ପ୍ରମାଣ କରିଦେଲେ । ଏହା ନେତୃତ୍ୱର ଦୂରଦୃଷ୍ଟିକୁ ସୁସ୍ପଷ୍ଟ କଲା । ଏହାର ପରିଣାମ ସ୍ୱରୂପ, ୧୯୨୦ ନଭେମ୍ବର କାଉନସିଲ ନିର୍ବାଚନରେ ପୁରୀ ମ୍ୟୁନିସିପାଲିଟିରେ ୮୦ ପ୍ରତିଶତ ପ୍ରାୟ ଭୋଟର ନିର୍ବାଚନ ବର୍ଜନ କଲେ । ଗ୍ରାମାଞ୍ଚଳରେ ଭୋଟ ବର୍ଜନ ସହର ଅପେକ୍ଷା ମଧ୍ୟ ଅଧିକ ଥିଲା । ପ୍ରାଦେଶିକ କମିଟି ଗଠିତ ହେବା ପରେ, ୧୯୨୧ ଜାନୁଆରିରେ ସତ୍ୟବାଦୀ ସ୍କୁଲକୁ ଏକ ଜାତୀୟ ବିଦ୍ୟାଳୟ ରୂପେ ଘୋଷଣା କରାଗଲା । ଏହି ଘୋଷଣା ପଛରେ ରହିଥିଲା ଛାତ୍ରମାନଙ୍କର ବିଶେଷ ଭୂମିକା । ସେମାନେ ଅଭିଭାବକମାନଙ୍କଠାରୁ ସମ୍ମତି ସଂଗ୍ରହ କରି ପରିଚାଳନା ସମିତି ଉପରେ ଚାପ ଦେଲେ ଯେ, ବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କରାଯାଉ । ୧୯୦୯ରେ ସତ୍ୟବାଦୀ ଏକ ମୁକ୍ତ ଜାତୀୟ ଅନୁଷ୍ଠାନ ଢାଞ୍ଚାରେ ଗଠିତ ହୋଇଥିଲା ସତ, ମାତ୍ର ୧୯୧୪-୧୫ ବେଳକୁ ବିଶ୍ୱବିଦ୍ୟାଳୟ ଡିଗ୍ରୀର ଆବଶ୍ୟକତା ଏବଂ ଆର୍ଥିକ ସଙ୍କଟଯୋଗୁଁ ଏହା ପାଟନା ବିଶ୍ୱବିଦ୍ୟାଳୟର 'ଏଫିଲିଏସନ' ଏବଂ ସରକାରୀ ଅନୁଦାନପାଇଁ ଆବେଦନ କରିଥିଲା । ଏବେ ଜାତୀୟ ବିଦ୍ୟାଳୟ ଘୋଷଣା ଫଳରେ ମିଳିଥିବା କୋଡ଼ିଏ ହଜାର ଟଙ୍କାର ସରକାରୀ ଅନୁଦାନକୁ ସ୍କୁଲ ଅଗ୍ରାହ୍ୟ କରିଦେଲା ।

କଟକରେ ଆନ୍ଦୋଳନ ଏହି ସମୟରେ କଟକଠାରେ ମଧ୍ୟ ଏକ ଜାତୀୟ ବିଦ୍ୟାଳୟ ନୂଆକରି ଆରମ୍ଭ ହେଲା । ଓଡ଼ିଶା ତଥା ଓଡ଼ିଶା ବାହାରେ କଲେଜ ବର୍ଜନ କରି ଆନ୍ଦୋଳନରେ ଯୋଗ ଦେଇଥିବା ଓଡ଼ିଆ ଛାତ୍ରମାନେ ତହିିଁରେ ଶିକ୍ଷକ ରୂପେ କାର୍ଯ୍ୟ କଲେ ଏବଂ ସହରରେ ନିୟମିତ ସଭା ସମିତିମାନ ଆୟୋଜନ କଲେ । ଧୀରେ ଧୀରେ କଟକ ହେଲା ଓଡ଼ିଶା ଅସହଯୋଗ ଆନ୍ଦୋଳନର ମୁଖ୍ୟ କେନ୍ଦ୍ର । ଏହାର ପ୍ରତିଫଳନ ଦେଖିବାକୁ ମିଳିଲା, ଯେତେବେଳେ ୧୯୨୦ ନଭେମ୍ବର ନିର୍ବାଚନରେ ବିହାର ଓ ଓଡ଼ିଶା ପ୍ରଦେଶର ନୂଆ କରି ମନ୍ତ୍ରୀ ପଦ ଗ୍ରହଣ କରିଥିବା ବର୍ଷୀୟା ନେତା କୁଳବୃଦ୍ଧ ମଧୁସୂଦନ ଦାସଙ୍କୁ ସମ୍ବର୍ଦ୍ଧନା ଦେବାପାଇଁ ତାଙ୍କ ସମର୍ଥକମାନେ ସଭା ଆୟୋଜନ କଲେ । ୯ ଜାନୁଆରି ୧୯୨୧ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାକୁ ଅସହଯୋଗୀମାନେ କେବଳ ବର୍ଜନ କରିବାକୁ ହିଲେ ନାହିଁ, ମଣ୍ଡପକୁ କବ୍‍ଜା କରି ସଭା ମଧ୍ୟ ଭଣ୍ଡୁର କଲେ । ଅସହଯୋଗରେ ସାମିଲ୍‍ ନ ହୋଇ ସରକାରଙ୍କ ମନ୍ତ୍ରୀ ପଦ ଗ୍ରହଣ କରିଥିବା ମଧୁବାବୁଙ୍କୁ ଅଶୀ ବର୍ଷର ବୃଦ୍ଧ ସରକାରୀ ଚାକିରିରେ ଯୋଗ ଦେଲେ ବୋଲି ବିଦ୍ରୂପ କଲେ । ସଭାରେ ଅସହଯେଗୀଙ୍କ ପକ୍ଷରୁ ପ୍ରଚାରପତ୍ର ବଣ୍ଟାଗଲା । ବାଲେଶ୍ୱରରେ ବ୍ୟାପିଥିବା ମେଲେରିଆ, ପୁରୀର ଦୁର୍ଭିକ୍ଷ ଏବଂ କଟକର ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଦୁର୍ଦ୍ଦଶା ଦୂରଲାଗି ଉଦ୍ଦିଷ୍ଟ ଅର୍ଥରୁ ମଧୁବାବୁ(ମନ୍ତ୍ରୀ)ଙ୍କ ବାର୍ଷିକ ଷାଠିଏ ହଜାର ଟଙ୍କାର ଦରମା ଭରଣା କରାଯିବ ବୋଲି ଏଥିରେ ବ୍ୟଙ୍ଗୋକ୍ତି କରାଯାଇଥିଲା । ପୁରୀରେ ମଧ୍ୟ ଆୟୋଜିତ ସମ୍ବର୍ଦ୍ଧନା ସଭା ଅସହଯୋଗୀଙ୍କ ବର୍ଜନ ଫଳରେ ଭଣ୍ଡୁର ହେଲା । ଏହି ଘଟଣା ଜାତୀୟତାର ଶକ୍ତିକୁ ପ୍ରତିବିମ୍ବିତ କଲା । ଅତୀତରେ ମଧୁସୂଦନ ଦାସ ଥିଲେ ଓଡ଼ିଶା ଜାତୀୟତାର କର୍ଣ୍ଣଧାର; ବ୍ୟକ୍ତି ଭାବରେ ପ୍ରଥମେ 'ଉତ୍କଳ ସଭା' ଏବଂ ପରେ 'ଉତ୍କଳ ସମ୍ମିଳନୀ'ର ଗଠନରେ ତାଙ୍କ ଭୂମିକା ନିଶ୍ଚିତ ରୂପେ ଅତୁଳନୀୟ । ତାଙ୍କ ଦୃଷ୍ଟିରେ ଜାତି ଗଠନନିମିତ୍ତ ସରକାରୀ ସହଯୋଗ ଏକ ଆବଶ୍ୟକୀୟ ଉପାଦାନ । ସେତେବେଳେ ଅନ୍ୟ ଜାତୀୟତାବାଦୀମାନେ ମଧ୍ୟ ତାହା ହିିଁ ଚିନ୍ତା କରୁଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଜତୀୟତାର ସଂଜ୍ଞା ବଦଳିଗଲା । ସହଯୋଗ ବଦଳରେ ଅସହଯୋଗ ହେଲା ଜାତୀୟତାର ଧର୍ମ । ଏହାକୁ ମଧୁବାବୁ ଅନୁଭବ କରି ପାରିଲେ ନାହିିଁ ବୋଲି ତାଙ୍କ ହାତଗଢ଼ା ଜାତୀୟତା ଆନ୍ଦୋଳନ ତାଙ୍କୁ ତିରସ୍କାର କଲା । ସାମଜିକ ତିରସ୍କାରର ମାତ୍ରା ଏତେ ଅଧିକ ହେଲା ଯେ, ସ୍ୱୟଂ ମଧୁବାବୁ ୧୯୨୩ରେ ମନ୍ତ୍ରୀ ପଦରୁ ତ୍ୟାଗପତ୍ର ଦେଲେ ଏବଂ ସିଦ୍ଧ କଲେ ଯେ; ବ୍ୟକ୍ତି ସ୍ୱାର୍ଥ ନୁହେଁ, ବରଂ ସାମାଜିକ ପ୍ରତିବଦ୍ଧତା ହେଲା ତାଙ୍କର ପ୍ରାଥମିକତା । ଜାତୀୟ କଂଗ୍ରେସରେ ଉତ୍କଳ ସମ୍ମିଳନୀର ବିଲୟ ହେଲା ବିଚ୍ଛିନ୍ନ ଚକ୍ରଧରପୁରରେ । ସେହିଠାରେ ହିିଁ ଦିଆଗଲା ଅସହଯୋଗର ପ୍ରଥମ ଡାକରା । ସେହି ରାଜନୈତିକୀକରଣର ପରିଣାମ ସ୍ୱରୂପ ୧୯୨୧ ଜାନୁଆରିରେ ଚକ୍ରଧରପୁରଠାରେ ମଧ୍ୟ ଏକ ଜାତୀୟ ବିଦ୍ୟାଳୟ ସ୍ଥାପିତ ହେଲା, ଯାହାର ଅନ୍ୟତମ ମୁଖ୍ୟ କର୍ତ୍ତା ଥିଲେ ଗୋଦାବରୀଶ ମିଶ୍ର । ଆଗରୁ, ୧୯୧୮ରେ ଏହି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ପ୍ରସାରପାଇଁ ସ୍ଥାନୀୟ ଉଦ୍ୟମରେ ସ୍କୁଲଟି ସ୍ଥାପିତ ହୋଇଥିଲା । ଅସହଯୋଗର ଡାକରାରେ ତାକୁ ଏବେ ଜାତୀୟ ବିଦ୍ୟାଳୟର ମର୍ଯ୍ୟାଦା ଦିଆଗଲା ।

ଅସହଯୋଗର ଆରମ୍ଭ ମାସରେ ଏ ଯେଉଁ ଜାତୀୟ ବିଦ୍ୟାଳୟମାନ ସ୍ଥାପିତ ହେଲା, ତା' ପଛରେ ରହିଥିଲା ବହୁ ବର୍ଷର ଜାତୀୟତାବାଦୀ ଉଦ୍ୟମ । ଆନ୍ଦୋଳନର ଡାକରା ଶୁଣି ହଠାତ କୌଣସି ଅନୁଷ୍ଠାନର ଆବିର୍ଭାବ ହୋଇ ନଥିଲା । ଉଦାହରଣ ସ୍ୱରୂପ, ସମ୍ବଲପୁର ଏବଂ ଚକ୍ରଧରପୁର ସ୍କୁଲ ଗଠନରେ ମୁଖ୍ୟ ଭୂମିକା ରହିଥିଲା ନୀଳକଣ୍ଠ ଏବଂ ଗୋଦାବରୀଶଙ୍କର; ଉଭୟେ ୧୯୦୯ ପରଠାରୁ ସତ୍ୟବାଦୀ ସ୍କୁଲ ସହ ଜଡ଼ିତ ଥିଲେ ଏବଂ ଆର୍ଥିକ ସଙ୍କଟଯୋଗୁଁ ବାଧ୍ୟହୋଇ ସାମୟିକ ଭାବେ ସତ୍ୟବାଦୀରୁ ବିଚ୍ଛିନ୍ନ ହୋଇଥିଲେ । ଜାତୀୟତାର ଜୁଆରରେ ପୁଣି ସେମାନେ ଆନ୍ଦୋଳନକୁ ଏବଂ ଏହାର ମାଧ୍ୟମ ଜାତୀୟ ସ୍କୁଲ ପ୍ରତି ଆକୃଷ୍ଟ ହେଲେ । ଠିକ ସେହିଭଳି କଟକ ସ୍କୁଲ ମଧ୍ୟ ଜାତୀୟତାରେ ଉଦ୍‍ବୁଦ୍ଧ କଲେଜ ଛାତ୍ରଙ୍କ ଉଦ୍ୟମରେ ଗଠିତ ହୋଇଥିଲା । ପୁଣି, ଏହିସବୁ ଅଞ୍ଚଳରେ ଜାତୀୟତାବାଦୀ ଅନ୍ଦୋଳନ ବିଭିନ୍ନ ରୂପରେ ଆଗରୁ ଚେର ମାଡ଼ି ସାରିଥିଲା, ତାହା ସମ୍ବଲପୁରର ଭାଷା ଆନ୍ଦୋଳନ ମାଧ୍ୟମରେ ହେଉ ବା ସତ୍ୟବାଦୀର ପ୍ରତିଷ୍ଠା ମାଧ୍ୟମରେ ହେଉ । ୧୯୧୮-୧୯ ମସିହା ବେଳକୁ କଟକରେ 'ଭାରତୀ ମନ୍ଦିର' ନାଁରେ ଏକ ନରମପନ୍ଥୀ ଜାତୀୟତାବାଦୀ ଗୋଷ୍ଠୀ ଆରମ୍ଭ ହୋଇଥିଲା । ଏହାର ପ୍ରମୁଖ କର୍ମୀ ଥିଲେ ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ଭାଗୀରଥି ମହାପାତ୍ର ଆଦି ଯୁବ ବୁଦ୍ଧିଜୀବୀ । ଏହା ମହାଭାରତୀୟତାର ପ୍ରବାହକୁ ତୀବ୍ର କରିଥିଲା । ଗୋଷ୍ଠୀର ନାଁରୁ ସିଦ୍ଧ ହୁଏ ଯେ, ଯୁବ ବୁଦ୍ଧିଜୀବୀଙ୍କପାଇଁ 'ଭାରତ' କଦାଚିତ ଗୌଣ ପ୍ରସଙ୍ଗ ନଥିଲା । ଏହିସବୁ ରାଜନୈତିକୀକରଣକୁ ଅନୁଧ୍ୟାନ କଲେ ମନେହୁଏ, ଅସହଯୋଗର ଡାକରାକୁ ଓଡ଼ିଶାର ଜାତୀୟତାବାଦୀ ଯେମିତି ଟାକି ରହିଥିଲେ । ତେଣୁ, ଡାକରା ନ ମିଳୁଣୁ ନିଜ ନିଜ ଅଞ୍ଚଳରେ ଜାତୀୟ ବିଦ୍ୟାଳୟ ଗଠନ କରି ଯେମିତି ସେମାନେ ଆନ୍ଦୋଳନର ଖୁଣ୍ଟ ପୋତିଦେଲେ । ପରବର୍ତ୍ତୀ ସମୟରେ ଆନ୍ଦୋଳନ, ସ୍କୁଲ ଏବଂ ପତ୍ର- ପତ୍ରିକା ଯେ ପରସ୍ପରର ପରିପୂରକ ହେଲେ, ଏହା ଅନସ୍ୱୀକାର୍ଯ୍ୟ । ଜାତୀୟ ସ୍କୁଲର ଶିକ୍ଷକ ଓ ଛାତ୍ର ଗାଁ ଗାଁକୁ ଯାଇ ଅସହଯୋଗର ସଭା ଆୟୋଜନ କଲେ; ବକ୍ତା ହେଲେ; ଶ୍ରୋତା ମଧ୍ୟ ହେଲେ । ଆନ୍ଦୋଳନର ଅନୁଭୂତି ସେମାନଙ୍କପାଇଁ ଜାତୀୟ ଶିକ୍ଷା ହେଲା । ସେମାନଙ୍କ ଉଦ୍ୟମରେ ମାତ୍ର କେତୋଟି ସହରାଞ୍ଚଳରେ ଆରମ୍ଭ ହୋଇଥିବା ଅସହଯୋଗ ଆଖପାଖର ଗାଁକୁ ବ୍ୟାପିଲା; କେବେ କେମିତି ଗଡ଼ଜାତମାନଙ୍କୁ ମଧ୍ୟ ପ୍ରସାରିତ ହେଲା । ବାଲିପାଟଣା (ପୁରୀ), ଗଂଜାମର ଦିଗପହଣ୍ଡି, ଭଦ୍ରକ, ସମ୍ବଲପୁର ପାଖ ଗ୍ରାମାଞ୍ଚଳରେ ସଭାମାନ ଆାୟୋଜିତ ହେଲା । ସ୍ୱରାଜ ପଞ୍ଚାୟତ ଗଠନ ଓ ନିଶା ନିବାରଣପାଇଁ ନିଷ୍ପତ୍ତି ନିଆହେଲା ତଥା କଂଗ୍ରେସର ସଭ୍ୟ ସଂଗ୍ରହ ହେଲା । ଆନ୍ଦୋଳନ ପ୍ରତି ବୃଦ୍ଧି ପାଉଥିବା ଜନ ଆଗ୍ରହର ନିଦର୍ଶନ ଦେବାକୁ ଯାଇ ଗୋପବନ୍ଧୁ ଗୋଟିଏ ଘଟଣାର ଉଲ୍ଲେଖ କରି ୧୯୨୧ ଜାନୁଆରିରେ ଲେଖିଥିଲେ ଯେ, ମାତ୍ର କେତେ ଘଣ୍ଟା ରହଣି ମଧ୍ୟରେ କଂଗ୍ରେସ ଲୋକ ଭଦ୍ରକରେ ପ୍ରାୟ ୧୫୦ ଜଣଙ୍କୁ ପ୍ରାଥମିକ ସଭ୍ୟଭୁକ୍ତ କଲେ । ଏହା ଅସହଯୋଗ ପ୍ରତି ବଢ଼ୁଥିବା ଲୋକଙ୍କର ଉତ୍ସାହ ଓ ଆଗ୍ରହକୁ ସୁସ୍ପଷ୍ଟ କଲା ।

ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଏହିଭଳି ଏକ ଉତ୍ସାହପୂର୍ଣ୍ଣ ପରିବେଶରେ ୧୯୨୧ ମାର୍ଚ୍ଚ ୨୨ରୁ ୨୫ ମଧ୍ୟରେ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଲେ ଏବଂ ଭ୍ରଦକ, କଟକ, ପୁରୀ ଏବଂ ବ୍ରହ୍ମପୁରଠାରେ ଆୟୋଜିତ ଅସହଯୋଗ ସଭାକୁ ସମ୍ବୋଧନ ଦେଲେ । ସ୍ୱରାଜନିମନ୍ତେ ହିନ୍ଦୁ-ମୁସଲିମ୍‍ ଏକତା ଏକ ଆବଶ୍ୟକତା ବୋଲି ଗାନ୍ଧୀ ନିଜ ବକ୍ତବ୍ୟରେ ପ୍ରକାଶ କଲେ । ସରକାରୀ ଦୁଷ୍ପ୍ରଭାବରୁ ମୁକ୍ତ ହେବାପାଇଁ ଛାତ୍ରମାନେ ସରକାରୀ ଶିକ୍ଷାନୁଷ୍ଠାନ ତ୍ୟାଗ କରନ୍ତୁ ବୋଲି ମଧ୍ୟ ସେ ପରାମର୍ଶ ଦେଲେ । ତା'ଛଡ଼ା, ଓଡ଼ିଶାର ଦୁର୍ଭିକ୍ଷ ଓ ଭାଷାଭିତ୍ତିକ ସମସ୍ୟାପାଇଁ ସେ ସରକାରଙ୍କ ଉପନିବେଶବାଦୀ ନୀତି ଦାୟୀ ବୋଲି ସମାଲୋଚନା କଲେ । ବ୍ରହ୍ମପୁରରେ ଭାଷା ଭିତ୍ତିରେ ତେଲୁଗୁ ଓ ଓଡ଼ିଆମାନଙ୍କ ମଧ୍ୟରେ ଦେଖା ଦେଇଥିବା ପ୍ରତିଯୋଗିତାକୁ ବୃହତ୍ତର ସ୍ୱରାଜ ପ୍ରାପ୍ତିର ଲକ୍ଷ୍ୟ ନେଇ ନେତୃବୃନ୍ଦ ଆପୋସରେ ସମାଧାନ କରି ନେବାକୁ ପ୍ରସ୍ତାବ ଦେଲେ । ନିଜର ସ୍ୱଳ୍ପ ରହଣି କାଳ ମଧ୍ୟରେ ଗାନ୍ଧୀ ଲକ୍ଷ୍ୟ କଲେ ଯେ, ଓଡ଼ିଶାରେ ଆନ୍ଦୋଳନର ବିସ୍ତାର ନିମନ୍ତେ ବଡ଼ ଆବଶ୍ୟକତା ହେଲା ପାଣ୍ଠି ଏବଂ ପରିପକ୍ୱ ନେତୃତ୍ୱ । ପାଣ୍ଠିପାଇଁ ସେ କଟକରେ ମାରଓ୍ୱାଡ଼ି ଏବଂ ଗୁଜରାଟୀ ବ୍ୟବସାୟୀଙ୍କ ସହ ସ୍ୱତନ୍ତ୍ର ଭାବେ ଭେଟି ପରାମର୍ଶ କଲେ ଏବଂ ନେତୃସ୍ଥାନୀୟ ଶିକ୍ଷିତ ବୁଦ୍ଧିଜୀବୀମାନେ ଆନ୍ଦୋଳନର ଦୂରରେ ରହୁଥିବାରୁ ସେମାନଙ୍କୁ ତୀବ୍ର ସମାଲୋଚନା କଲେ । ଗଡ଼ଜାତ ରାଜା ଓ ଜମିଦାର ବର୍ଗର ଅଯଥା ସରକାରୀ ଆନୁଗତ୍ୟକୁ ମଧ୍ୟ ସେ ନିନ୍ଦା କଲେ । ଗାନ୍ଧୀ ସଭାକୁ ନେଇ ଲୋକଙ୍କର ଉତ୍ସାହକୁ ଦେଖି ମନେହେଲା ଯେ, ଓଡ଼ିଶାର ପୁରପଲ୍ଲୀରେ ମଧ୍ୟ ଗାନ୍ଧୀ ଆଉ ଅପରିଚିତ ନୁହନ୍ତି । ଏଣିକି ଅସହଯୋଗ ଯଦି ହୁଏ ଉପନିବେଶବାଦ ବିରୋଧତାର ମୁଖ୍ୟ ପ୍ରତୀକ, ତେବେ ଗାନ୍ଧୀ ହେବେ ତାର ଅଘୋଷିତ ମୁଖ୍ୟ କର୍ତ୍ତା, ଏହା ସଭାଗୁଡ଼ିକରୁ ସୁସ୍ପଷ୍ଟ ହେଲା । ଗାନ୍ଧୀଙ୍କର ଓଡ଼ିଶା ଗସ୍ତ ଯେଉଁ ପରିମାଣରେ ଉତ୍ସାହ ଆଣିଦେଲା, ତାର ଏକ ନମୁନା ମିଳେ ଭଦ୍ରକରେ ଦିଆଯାଇଥିବା ଭବ୍ୟ ସମ୍ବର୍ଦ୍ଧନାରୁ । ଗାନ୍ଧୀଙ୍କୁ ସ୍ୱାଗତ ଜଣାଇ ୭୨ଟି ସଂକୀର୍ତ୍ତନ ଦଳ ରେଳ ଷ୍ଟେସନ୍‍ରୁ ସଭାସ୍ଥଳୀ ଯାଏ ପାଛୋଟି ନେଲେ । ତାଙ୍କ ପୁରୀ ସଭାରେ ଜନସମାଗମ ରଥଯାତ୍ରାର ଭିଡ଼ଠାରୁ ଅଧିକ ବୋଲି ସମ୍ବାଦ ପ୍ରକାଶିତ ହୋଇଥିଲା । କଟକ ସଭାରେ ଜଣେ ସାଧାରଣ ମଧ୍ୟବର୍ଗୀୟ ମହିଳା ଭାବରେ ଯୋଗ ଦେଇଥିଲେ ରମାଦେବୀ, ଯିଏ ପରେ ଓଡ଼ିଶାର ଜଣେ ମାତୃସ୍ଥାନୀୟା ନେତ୍ରୀ ହେଲେ । ସେଦିନ ଜନସମାଗମ ଓ ଗାନ୍ଧୀଙ୍କ ବକ୍ତବ୍ୟରେ ଏତେ ମାତ୍ରାରେ ସେ ଅଭିଭୂତ ହୋଇ ପଡ଼ିଲେ ଯେ, ନିଜ ଗହଣା ଗାଣ୍ଠି ସବୁ ସ୍ୱରାଜ ପାଣ୍ଠିପାଇଁ ଦାନ କରି ବସିଲେ । ପରବର୍ତ୍ତୀ ସମୟରେ ରମାଦେବୀ ଆଉ ବୋହୂଟିଏ ଭାବରେ ଘରକୋଣରେ ଆବଦ୍ଧ ହୋଇ ରହି ନାହାନ୍ତି । ସମାଜର ପୁରୁଷତାନ୍ତ୍ରିକତାକୁ ପ୍ରତ୍ୟାଖ୍ୟାନ କରି ସାମାଜିକ ଜୀବନକୁ ଆସିଛନ୍ତି, ଅସହଯୋଗ ଏବଂ ଅନ୍ୟାନ୍ୟ ଆନ୍ଦୋଳନରେ ସକ୍ରିୟ ଭାବରେ ଭାଗ ନେଇଛନ୍ତି; ବହୁବାର କାରାବରଣ କରିଛନ୍ତି । ଯଦିଓ ଅସହଯୋଗରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇ ନଥିଲେ, ରମାଦେବୀଙ୍କ ବ୍ୟକ୍ତିତ୍ୱର ଏହି ରାଜନୈତିକୀକରଣ, ଯାହା ଗାନ୍ଧୀ ସଭାରେ ସେ ଯୋଗ ଦେଲା ପରେ ଆରମ୍ଭ ହୋଇଥିଲା, ତାହା ପୂର୍ଣ୍ଣ ରୂପ ପାଇଲା । ସମାଜର ପୁରୁଷତାନ୍ତ୍ରିକତା ବିରୁଦ୍ଧରେ ମଧ୍ୟ ଜାତୀୟତା ଆନ୍ଦୋଳନ ଏକ ନୂଆ ଦିଗ୍‍ଦର୍ଶନ ଦେବ ବୋଲି ଏହି ଉଦାହରଣ ଏକ ସମ୍ଭାବନା ଭରିଦେଲା ।

ସ୍ୱରାଜ ଯେ ଏକ ଭୟବିମୁକ୍ତ ସମାଜ ଗଠନର ପ୍ରକ୍ରିୟା ଏବଂ ତା'ପାଇଁ ଅସହଯୋଗ ଏକ ଆଶୁ ଉପଚାର- ତାହା ଗାନ୍ଧୀଙ୍କ ଅଭିଭାଷଣରୁ ଲୋକ ଧାରଣା କରିନେଲେ । ମେ-ଜୁନ ୧୯୨୧ରେ ଦେଇଥିବା ଗୁପ୍ତଚର ବିଭାଗର ରିପୋର୍ଟ ଅନୁଯାୟୀ, ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପରେ ବ୍ରିଟିଶ ରାଜ ଯାଇ ଏଣିକି 'ଗାନ୍ଧିରାଜ' ଆସିବ ବୋଲି ଲୋକ ଧାରଣା କରିନେଲେ । ଏହାର ପ୍ରମାଣ ମିଳିଲା କଟକରେ, ଯେତେବେଳେ କେଣ୍ଟନମେଣ୍ଟ ଏରିଆରେ ପରିବା ଦୋକାନୀମାନେ ମାର୍ଚ୍ଚ ଶେଷ ସପ୍ତାହରେ ପୋଲିସ ଜୁଲୁମ ବିରୁଦ୍ଧରେ ପ୍ରତିବାଦ କରି ହରତାଳ କଲେ । ଫିଙ୍ଗା ମୂଲ୍ୟରେ ପରିବା ବଜାରରୁ ପୋଲିସମାନେ ବଜାରକରନ୍ତି ଏବଂ ଭୟଗ୍ରସ୍ତ ହୋଇ ପରିବା ଦୋକାନୀ ତାର ପ୍ରତିବାଦ କରନ୍ତି ନାହିିଁ । ମାତ୍ର ଗାନ୍ଧୀ ଗସ୍ତ ପରେ ସେମାନେ ସାହସ ପାଇଲେ । ପରିବା ଦୋକାନୀର ପ୍ରତିବାଦରେ ଅତିଷ୍ଠ ପୋଲିସ ଯେତେବେଳେ ସେମାନଙ୍କ ଉପରେ ଆକ୍ରମଣ କଲେ, ଦୋକାନୀମାନେ ସମ୍ମିଳିତ ହୋଇ ହରତାଳ କଲେ । ହରତାଳ ପରେ ଆୟୋଜିତ ସଭାରେ ନିଷ୍ପତ୍ତି ହେଲା ଯେ, ଏଣିକି ସଫେଇ କର୍ମଚାରୀ, ଖାନସମା, ଧୋବା ଏବଂ ଉଠାପରିବା ଦୋକାନୀଙ୍କୁ ନେଇ ଏକ ୟୁିନିଅନ ଗଠିତ ହେବ ଏବଂ ଏହି ଧରଣର ଅତ୍ୟାଚାରର ଦୃଢ଼ ପ୍ରତିବାଦ କରାଯିବ । ସବୁଠାରୁ ବଡ଼ କଥା, ପୋଲିସର ଏହି ଯଥେଚ୍ଛାଚାରର କାରଣ ରୂପେ ବିଦେଶୀ ସରକାରକୁ ଦାୟୀ କରାଗଲା ଏବଂ ତାର ବିକଳ୍ପ ରୂପେ ଅସହଯୋଗ ହିିଁ ପନ୍ଥା ବୋଲି ମତ ପ୍ରକାଶ ପାଇଲା । ଗାନ୍ଧୀ ଗସ୍ତ ପରେ ଅସହଯୋଗୀଙ୍କ ମଧ୍ୟରେ ଉତ୍ସାହ ଏତେ ମାତ୍ରାରେ ବୃଦ୍ଧି ପାଇଲା ଯେ, ଜୁନ୍ ୧୯୨୧ ସୁଦ୍ଧା କଂଗ୍ରେସର ସ୍ୱରାଜ ପାଣ୍ଠିପାଇଁ ତିନି ଲକ୍ଷ ଟଙ୍କା, ତିନି ଲକ୍ଷ ପ୍ରାଥମିକ ସଦସ୍ୟ ସଂଗ୍ରହ ଏବଂ ସ୍ୱଦେଶୀ ପ୍ରସାରପାଇଁ ଦୁଇଲକ୍ଷ ଅରଟ ପ୍ରଚଳନ କରାଯିବ ବୋଲି ପ୍ରାଦେଶିକ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତ୍ତି ନିଆଗଲା । ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧ରେ ଆୟୋଜିତ ବିଜୟଓ୍ୱାଡ଼ା ଅଖିଳ ଭାରତୀୟ କଂଗ୍ରେସ କମିଟି ବୈଠକରେ ଯୋଗ ଦେବା ପରେ ଗୋପବନ୍ଧୁ ସ୍ୱରାଜ ପାଣ୍ଠି ଏବଂ ପ୍ରାଥମିକ ସଦସ୍ୟ ସଂଗ୍ରହର ପରିମାଣ ତିିନି ଲକ୍ଷରୁ ପାଞ୍ଚ ଲକ୍ଷକୁ ବୃଦ୍ଧି ପାଇଛି ବୋଲି ଘୋଷଣା କଲେ । ପାଣ୍ଠି ଏବଂ ସଭ୍ୟ ସଂଗ୍ରହ ଅଭିଯାନ ଏପ୍ରିଲ ୬ରୁ ୧୩ ତାରିଖ ମଧ୍ୟରେ ପାଳିତ ହୋଇଥିବା ସତ୍ୟାଗ୍ରହ ସପ୍ତାହରେ ଖୁବ ମାତ୍ରାରେ ତ୍ୱରାନ୍ୱିତ ହେଲା ।

ଧାର୍ଯ୍ୟମତେ ସ୍ୱରାଜ ପାଣ୍ଠି ଆଦି ସଂଗ୍ରହ ଅଭିଯାନକୁ ସଫଳ କରିବା ସକାଶେ ଅସହଯୋଗୀମାନେ ରାଜ୍ୟର ଚାରିଆଡେ଼ ଗସ୍ତ କରି ସଭା ସମିତିମାନ ଆୟୋଜନ କଲେ, ବିଭିନ୍ନ ବର୍ଗର ସହଯୋଗ କାମନା କଲେ । ଆନ୍ଦୋଳନରେ ମୁସଲମାନ ବର୍ଗର ସହଯୋଗକୁ ବ୍ୟାପକ କରିବାପାଇଁ ବିହାରର ମଜହର ଉଲ୍‍ ହକ ଆସି କଟକ, ସମ୍ବଲପୁର ଏବଂ ବାଲେଶ୍ୱର ଆଦି ମୁସଲମାନବହୁଳ ଅଞ୍ଚଳରେ ସଭା କଲେ । ଗୋପବନ୍ଧୁଙ୍କ ସାଙ୍ଗରେ ମିଶି ହକ ସିଦ୍ଧ କଲେ ଯେ ଉଭୟ ହିନ୍ଦୁ ଓ ମୁସଲମାନ ବର୍ଗର ମିଳିତ ଲକ୍ଷ୍ୟ ହେଲା ସ୍ୱରାଜ ପ୍ରାପ୍ତି । ତେଣୁ ଅସହଯୋଗ ଓ ଖିଲାଫତ ଆନ୍ଦୋଳନ ଏକ ଓ ଅଭିନ୍ନ । ସାଧାରଣ ବର୍ଗର ସହଯୋଗ ପାଇବାପାଇଁ ଗୋପବନ୍ଧୁ ସ୍ପଷ୍ଟ କଲେ ଯେ ଓଡ଼ିଶାର ଲୋକ ଗରିବ । ମାତ୍ର ଜଣ ପିଛା ପଇସାଏ ଲେଖା ଦେଲେ ବି ଧାର୍ଯ୍ୟ ମତେ ପାଣ୍ଠି ଆଦାୟ ହୋଇଯିବ । ସ୍ୱରାଜର ଯେହେତୁ ଅଧିକ ଆବଶ୍ୟକତା ସାଧାରଣ ବର୍ଗପାଇଁ, ଏହି ମହାଯଜ୍ଞରେ ସେହି ବର୍ଗର ଅଧିକ ସଂପୃକ୍ତି ଦରକାର । ଅନ୍ୟଥା ପୁଣି ସ୍ୱରାଜ କେତେଜଣ ହାତଗଣନ୍ତା ଲୋକଙ୍କ ହାତରେ ହତିଆର ହୋଇଯିବ । ଆନ୍ଦୋଳନକୁ ଗଣଭିତ୍ତିକ କରିବା ସକାଶେ ଖୋର୍ଦ୍ଧାର ଖଜଣା ବୃଦ୍ଧି, ଚୌକିଦାରୀ କର ଆଦି ସ୍ଥାନୀୟ ସମସ୍ୟାଗୁଡ଼ିକୁ ସେ ଉତ୍‍ଥାପିତ କଲେ ଏବଂ ସମସ୍ୟାର ନିରାକରଣପାଇଁ ଅସହଯୋଗକୁ ପନ୍ଥା ବୋଲି ଯୁକ୍ତି କଲେ ।

ସ୍ୱାଧୀନତା ସଂଗ୍ରାମ ଯେ ମାତ୍ର ଗୋଟାଏ ବର୍ଗର ଆନ୍ଦୋଳନ ନୁହେଁ, ବରଂ ଉପନିବେଶବାଦ ବିରୋଧରେ ସବୁ ବର୍ଗର ଏକ ସାଧାରଣ ଆନ୍ଦୋଳନ, ତାହା ଗୋପବନ୍ଧୁ ତଥା ଓଡ଼ିଶାର ଅନ୍ୟାନ୍ୟ ନେତୃବୃନ୍ଦ ନିଜ ଅନୁଭବରୁ ଜାଣି ପାରିଥିଲେ । ତେଣୁ, ଅନ୍ତତଃ ସ୍ୱରାଜ ପାଣ୍ଠି ସଂଗ୍ରହ, ସ୍ୱରାଜ ପଞ୍ଚାୟତ ସ୍ଥାପନ, ନିଶା ନିବାରଣ, ଅରଟ ପ୍ରସାର ଭଳି ନିର୍ବିବାଦୀୟ ପ୍ରସଙ୍ଗରେ ରାଜନ୍ୟ ବର୍ଗକୁ କଂଗ୍ରେସର ସହଯୋଗ କରିବାକୁ ଅନୁରୋଧ କରାଯାଉଥିଲା । ସବୁ ବର୍ଗର ବ୍ୟାପକ ସହଯୋଗ ନମିଳିଲେ ସ୍ୱଳ୍ପ ସମୟ ମଧ୍ୟରେ ଧାର୍ଯ୍ୟ ମତେ ପାଣ୍ଠି ସଂଗ୍ରହ ଆଦି ସମ୍ଭବପର ହେବ ନାହିିଁ ବୋଲି ନେତୃତ୍ୱ ବୁଝି ସାରିଥିଲେ ।

ଏହି ପରିପ୍ରେକ୍ଷୀରେ, ଗଡ଼ଜାତର ରାଜା ଓ ଜମିଦାର ଏବଂ ଇଂରେଜ ସରକାର ମଧ୍ୟରେ ରହିଥିବା ଅନ୍ତର୍ବିବାଦକୁ ବିଶ୍ଳେଷଣ କରି ଗୋପବନ୍ଧୁ ଲେଖିଥଲେ ଯେ ଯୁଦ୍ଧପାଇଁ ପାଣ୍ଠି ଏବଂ ମଜୁରିଆ ଯୋଗାଡ଼ ବେଳେ କେବଳ ସରକାର ରାଜା-ରାଜୁଡ଼ାଙ୍କ ସହଯୋଗ ଲୋଡ଼ନ୍ତି । ଅନ୍ୟଥା ଅନ୍ୟ ଭାରତୀୟଙ୍କୁ ଉପେକ୍ଷା କଲାଭଳି ସେମାନଙ୍କୁ ମଧ୍ୟ ତୀବ୍ର ଉପେକ୍ଷା କରନ୍ତି । ଏହି ପରିସ୍ଥିତିରେ ରାଜନ୍ୟ ବର୍ଗ କଂଗ୍ରେସକୁ ବରଂ ନିଜର ବନ୍ଧୁ ଏବଂ ସରକାରକୁ ଶତ୍ରୁ ବିଚାରିବା ଉଚିତ । ଅନ୍ୟ ପକ୍ଷରେ କେଉଁଝର, ଢେଙ୍କାନାଳ ଭଳି କେତେକ ଗଡ଼ଜାତ ଏବଂ କନିକା, ରାଜପୁର (ଝାରସୁଗୁଡ଼ା) ଆଦି କେତେକ ଜମିଦାରୀରେ କଂଗ୍ରେସର କେତେକ ଉତ୍ସାହୀ କର୍ମୀ ପ୍ରବେଶ କରି ଲୋକଙ୍କ ମଧ୍ୟରେ ସଭ୍ୟ ସଂଗ୍ରହ ଆଦି ଅଭିଯାନ ମଧ୍ୟ ଜାରି ରଖିଲେ । ଗଡ଼ଜାତ- ଜମିଦାରୀ ପ୍ରଜାଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରିବାପାଇଁ ଗଡ଼ଜାତ ଓ ଜମିଦାରୀ ଶାସନ ଓ ବ୍ରିଟିଶ ପ୍ରଶାସନ ମଧ୍ୟରେ ରହିଥିବା ପ୍ରଜା ବିରୋଧୀ ଆପୋସ ସମ୍ବନ୍ଧକୁ ମଧ୍ୟ ଏତେବେଳେ ଦର୍ଶାଇ ଦିଆଗଲା । ଗୋପବନ୍ଧୁ ଅତ୍ୟାଚାରୀ ରାଜା-ଜମିଦାରଙ୍କୁ ବାଜପକ୍ଷୀ ଏବଂ ନିରୀହ ପ୍ରଜାଙ୍କୁ ପାରା ସାଙ୍ଗରେ ତୁଳନା କରିଥିଲେ । ସେ ଯୁକ୍ତି କରିଥିଲେ ଯେ ପ୍ରଜାକୁଳର ରାଜନୈତିକୀକରଣ ହିିଁ ପ୍ରଜା ଶାସନ ବା ଗଣତନ୍ତ୍ର ପ୍ରତିଷ୍ଠାପାଇଁ ଏକମାତ୍ର ବିକଳ୍ପ । ସାଧାରଣ ପ୍ରଜାର ପକ୍ଷ ନେବା ପ୍ରକ୍ରିୟାରେ ସେ ସୁଦୂର ବିଦେଶ ରୁଷରେ ସଂଘଟିତ ବଲସେଭିକ ବିପ୍ଳବକୁ 'ବଳସେବୀଙ୍କ ବିପ୍ଳବ' ବୋଲି ଅଭିହିତ କରିଥିଲେ ଏବଂ "ଟିଙ୍କ ଭଳି ପ୍ରଜାଙ୍କ ରକ୍ତ ଶୋଷୁଥିବା ମୁଷ୍ଟିମେୟ ରାଜା-ଜମିଦାରଙ୍କ" କୁଳକୁ ତୀବ୍ର ସମାଲୋଚନା କରିଥିଲେ । ପାଣ୍ଠି ଏବଂ ସଭ୍ୟ ସଂଗ୍ରହ ତଥା ଅରଟ ପ୍ରସାରପାଇଁ ଏତେ ସବୁ ପ୍ରୟାସ ସତ୍ତ୍ୱେ ୩୦ ଜୁନ ୧୯୨୧ ବେଳକୁ ଧାର୍ଯ୍ୟ ମତେ ସଫଳତା ମିଳିପାରିଲା ନାହିିଁ । ସମ୍ବାଦପତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାର ଜିଲ୍ଲା ସ୍ତରରେ କଂଗ୍ରେସର ସ୍ଥିତି ସେତେବେଳେ ନିମ୍ନ ପ୍ରକାର ଥିଲା:


ଜିଲ୍ଲା ମୋଟ ପ୍ରାଥମିକ ସଭ୍ୟ ସଂଗୃହୀତ ସ୍ୱରାଜ ପାଣ୍ଠି ବଣ୍ଟାଯାଇଥିବା ଅରଟର ସଂଖ୍ୟା
କଟକ ୧୫,୮୦୨ ୭,୦୦୦ ଟଙ୍କା ୧,୫୦୦
ପୁରୀ ୯,୦୦୦ ୬,୦୦୦ ଟଙ୍କା ୨,୦୦୦
ବାଲେଶ୍ୱର ୫,୦୦୦ ୩,୦୦୦ ଟଙ୍କା ୨,୦୦୦
ଗଞ୍ଜାମ ୨,୮୦୦ ୧,୨୦୦ ଟଙ୍କା ୧,୫୦୦
ସମ୍ବଲପୁର ୫,୯୩୫ ୨,୮୭୦ ଟଙ୍କା ୮,୦୦୦
ସିଂହଭୂମ ଏବଂ ଗଡ଼ଜାତ ରାଜ୍ୟ ୧,୫୦୦ ୨,୦୦୦ ଟଙ୍କା --
ମୋଟ ୪୦,୦୩୭ ୨୨,୦୭୦ ଟଙ୍କା ୧୫,୦୦୦

ଅସଫଳତା ପଛରେ ଏକ ବଡ଼ କାରଣ ହେଲା ଯେ, ଗଡ଼ଜାତରେ ଆନ୍ଦୋଳନ ପ୍ରାୟ ପ୍ରବେଶ କରି ନଥିଲା । ଯଦିଓ ଏହା କେଉଁଝର ଓ ଢେଙ୍କାନାଳରେ ସାମାନ୍ୟ ମାତ୍ରାରେ ଅନୌପଚାରିକ ଭାବରେ ଆରମ୍ଭ ହେଲା, ଆନ୍ଦୋଳନ ପ୍ରତି ଗଡ଼ଜାତ ରାଜାଙ୍କ ଅସୂୟା ଭାବଯୋଗୁଁ ତାହା ବଢ଼ିପାରିଲା ନାହିିଁ । ରାଜପୁର, ବାଙ୍କୀ ଆଦି ଜମିଦାରୀ ଅଞ୍ଚଳରେ ଯେଉଁଠି କଂଗ୍ରେସ କର୍ମୀ ପହଞ୍ଚିଲେ, ସବୁଠାରେ ଅସହଯୋଗ ପ୍ରତି ଜମିଦାରଙ୍କ ବିରୋଧର ପରିମାଣ ଖୁବ୍‍ ଅଧିକ ଥିଲା । ତା'ଛଡ଼ା ଗ୍ରାମାଞ୍ଚଳରେ ସାନ ସାନ ସ୍ତରର ଅଫିସର ମଧ୍ୟ ଲୋକଙ୍କୁ ଅସହଯୋଗରୁ ଦୂରରେ ରହିବାକୁ ତାଗିଦ କରିଥିଲେ । ଅନ୍ୟ ପକ୍ଷରେ, ମାତ୍ର କେତେ ଜଣଙ୍କୁ ବାଦ୍‍ ଦେଲେ ଓକିଲ ବର୍ଗ ଅସହଯୋଗର ପାଖ ମାଡ଼ିଲେ ନାହିିଁ । ଗୋପବନ୍ଧୁ ଦାସ ନିଜେ ଜଣେ ଓକିଲ ଏବଂ ଅସହଯୋଗରେ ସାମିଲ ହେଲା ପରେ ଭବିଷ୍ୟତରେ ଆଉ କେବେ ସେ ଓକିଲାତି କରି ନାହାନ୍ତି । ଅନ୍ୟମାନଙ୍କଠାରୁ ବହୁ ଆଗରୁ ସେ ବିହାର-ଓଡ଼ିଶା ପ୍ରାଦେଶିକ କାଉନସିଲକୁ ୧୯୧୬ରେ ନିର୍ବାଚିତ ହୋଇ ୧୯୧୯ରେ ତହିିଁରୁ ଇସ୍ତଫା ଦେଇଥିଲେ ଏବଂ ଭବିଷ୍ୟତରେ କେବେ କାଉନସିଲପାଇଁ ନିର୍ବାଚନ ସୁଦ୍ଧା ଲଢ଼ି ନଥିଲେ । ମାତ୍ର ଓକିଲ ବର୍ଗର ଏତାଦୃଶ ଭାବ ଦେଖି ସେ ଗଭୀର ଅବସୋସ ପ୍ରକାଶ କରିଥିଲେ, କାରଣ ଓଡ଼ିଶାରେ ଓକିଲମାନେ ହିିଁ ଜାତୀୟତା ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ରୂପେ ଭୂମିକା ନିର୍ବାହ କରିବେ ବୋଲି ସମସ୍ତେ ଆଶା ରଖିଥିଲେ । ସମ୍ବଲପୁରରେ ଓକିଲମାନଙ୍କ ଅସଂପୃକ୍ତିରେ ବୀତସ୍ପୃହ ହୋଇ ଲକ୍ଷ୍ମୀନାରାୟଣ ମିଶ୍ର ସେମାନଙ୍କୁ ଏକ ବିଶ୍ୱାସଘାତକ ଗୋଷ୍ଠୀ ବୋଲି କହିଥିଲେ । ଗୋପବନ୍ଧୁଙ୍କ ମତରେ ଓକିଲମାନେ ଯେହେତୁ ଆଇନଜ୍ଞ, ସ୍ୱରାଜ ପଞ୍ଚାୟତର ଉପଯୋଗିତା କଥା ସେମାନେ ବୁଝାଇଥିଲେ ଲୋକ ସହଜରେ ସେକଥା ବିଶ୍ୱାସ ଯାଇଥାନ୍ତେ । ଠିକ ସେହିଭଳି ଆଧୁିନିକ ଶିକ୍ଷିତ ଗୋଷ୍ଠୀ ଉପନିବେଶବାଦୀ ଶିକ୍ଷାର ଦୁଷ୍ପରିଣାମ ଏବଂ ଜାତୀୟ ଶିକ୍ଷାର ମହତ୍ତ୍ୱ କଥା ସହଜରେ କହିପାରିଥାନ୍ତେ, ଯାହାଦ୍ୱାରା ଅସହଯୋଗର ପ୍ରସାରଲାଭ କଷ୍ଟକର ହୋଇନଥାନ୍ତା । ଅନ୍ୟ ପକ୍ଷରେ, ଓଡ଼ିଶାର ଚାଷୀ, ଆଦିବାସୀ ମଧ୍ୟ ବିଶେଷ ସଂଖ୍ୟାରେ ଅସହଯୋଗରେ ଯୋଗ ଦେବାର ଉଦାହରଣ ନାହିିଁ । ଆଦିବାସୀମାନେ ଏମିତିରେ ବ୍ରିଟିଶ ଉପନିବେଶବାଦର ବିରୋଧ କରିବାରେ ଆରମ୍ଭରୁ ଧୁରନ୍ଧର । ମାତ୍ର ଜାତୀୟତାବାଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ବହୁ ଦୂରରେ ସେମାନେ ରହିଗଲେ । ବୋଧହୁଏ, ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ-ନେତୃତ୍ୱ ଆଦିବାସୀର ଆସ୍ଥାଭାଜନ ହୋଇ ପାରିଲା ନାହିିଁ । ଆଦିବାସୀ ନେତୃତ୍ୱ ଓ ଅସହଯୋଗୀଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇ ପାରିଲା ନାହିଁ । ମୋଟ ଉପରେ କହିଲେ, ସହରାଞ୍ଚଳର କେତେକ ଶିକ୍ଷିତ ଯୁବକ ଏବଂ ଛାତ୍ର ହିିଁ ଆନ୍ଦୋଳନର ନେତା ଥିଲେ; ସେମାନେ କର୍ମୀ ଭାବରେ ବି କାର୍ଯ୍ୟ କରୁଥିଲେ । ଆନ୍ଦୋଳନର ବୟୋଜ୍ୟେଷ୍ଠ ନେତା ଭାବରେ ଗୋପବନ୍ଧୁ ଦାସଙ୍କୁ, ଯାହାଙ୍କର ବୟସ ୪୫ ବର୍ଷକୁ ଟପି ନଥିଲା, ବାଦଦେଲେ କାହାର ବୟସ ବୋଧହୁଏ ଚାଳିଶକୁ ପାରି କରି ନଥିଲା ଏବଂ ଅଧିକାଂଶଙ୍କ ବୟସ ତିରିଶ ବର୍ଷରୁ ଊଣା ଥିଲା । ପ୍ରାଦେଶିକ କଂଗ୍ରେସର ଗଠନ ପରେ ମାତ୍ର କେତୋଟି ମାସ ମଧ୍ୟରେ ଅସହଯୋଗକୁ ଓଡ଼ିଶାର ଅଭ୍ୟନ୍ତରରେ ପହଞ୍ଚାଇ ପାରିବା ଭଳି ପରିପକ୍ୱ ନେତୃତ୍ୱର ସେମାନଙ୍କଠାରେ ଅଭାବ ରହିଥିଲା । ଅସହଯୋଗର ହର୍ତ୍ତାକର୍ତ୍ତା ଭାବରେ ସେମାନେ ସୃଜନଶୀଳ ଢଙ୍ଗରେ ଆନ୍ଦୋଳନ ସହ ଓତପ୍ରୋତ ହେବା ସତ୍ତ୍ୱେ ୧୯୨୧ ଜୁନ ମାସ ଶେଷ ସୁଦ୍ଧା ଆନ୍ଦୋଳନ ବହୁତ ବ୍ୟାପକ ହୋଇ ପାରିଲା ନାହିିଁ । ଅନ୍ୟଥା ଧାର୍ଯ୍ୟ ମତେ ପାଣ୍ଠି ସଂଗ୍ରହ ବା ସଭ୍ୟ ସଂଗ୍ରହ ବା ଅରଟ ପ୍ରସାର କାମ ନିଶ୍ଚୟ ପୂର୍ଣ୍ଣ ହୋଇ ପାରିଥାନ୍ତା । ସେ ଯାହା ହେଉ; ପାଣ୍ଠି, ସଭ୍ୟ ଆଦିର 'କୋଟା' ପୂରଣ କରି ନପାରିବାର ବ୍ୟର୍ଥତା ଓଡ଼ିଶା ନେତୃତ୍ୱକୁ ନିରାଶ କଲା ନାହିିଁ । ୧୯୨୧ ଜୁନ ପରେ ମଧ୍ୟ ପାଣ୍ଠି ସଂଗ୍ରହ, ସଭ୍ୟ ସଂଗ୍ରହ ଅଭିଯାନ ଆଦି ଜାରି ରହିବ ବୋଲି ଦଳ ଘୋଷଣା କଲା । ଜୁନ ୧୯୨୧ରେ 'କୋଟା' ପୂରଣ ନ ହେବାରୁ ଆନ୍ଦୋଳନରେ କିଛି ସମୟପାଇଁ ଶିଥିଳତା ଦେଖାଗଲା । ତା'ର ସୁଯୋଗ ନେଇ ଚିନ୍ତାମଣି ଆଚାର୍ଯ୍ୟ, ବ୍ରଜ ସୁନ୍ଦର ଦାସ, ବିଶ୍ୱନାଥ କର ଏବଂ କଳ୍ପତରୁ ଦାସ ଆଦି ପୂର୍ବୋଲ୍ଲିଖିତ ଉଦାରପନ୍ଥୀ ଗୋଷ୍ଠୀ ଅସହଯୋଗର ବିକଳ୍ପ ରୂପେ ଓଡ଼ିଆ ପ୍ରସଙ୍ଗର ଉତ୍‍ଥାପନ କଲେ । ୨୬ ଜୁନ ୧୯୨୧ରେ କଟକରେ ଏକ ସଭା ଆୟୋଜନ କରି ଅସହଯୋଗର 'ନକାରାତ୍ମକ' ଦିଗକୁ ଦୂର କରିବାକୁ ସେମାନେ ପ୍ରସ୍ତାବ ଦେଲେ ଏବଂ ତା'ପାଇଁ ପୁନର୍ବାର କଂଗ୍ରେସର ପରିଧି ବାହାରେ ସମ୍ମିଳନୀର ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଲେ । ଏହି ସତର୍କବାଣୀ ଅସହଯୋଗୀମାନଙ୍କୁ ପୁଣି ଥରେ ଏକଜୁଟ କରିଦେଲା । ସେମାନେ ନିଜ ନିୟନ୍ତ୍ରଣରେ ଉତ୍କଳ ସମ୍ମିଳନୀ ଝାରସୁଗୁଡ଼ାଠାରେ ଆୟୋଜନ କରିବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଲେ । ଏହି ପରିପ୍ରେକ୍ଷୀରେ ପ୍ରାଦେଶିକ କମିଟି ନିଜଆଡ଼ୁ ସମ୍ବଲପୁର ଜିଲ୍ଲା କମିଟିକୁ ଉତ୍କଳ ସମ୍ମିଳନୀକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଲା, କାରଣ 'ଉଭୟ ସଂଗଠନର ଲକ୍ଷ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିିଁ' ।

ଜୁଲାଇ ୧୯୨୧ରେ ବମ୍ବେଠାରେ ଅଖିଳ ଭାରତ କଂଗ୍ରେସ କମିଟିର ବୈଠକରେ ସ୍ଥିର ହେଲା ଯେ, ବିଦେଶୀ ବସ୍ତ୍ର ବର୍ଜନପାଇଁ ବିଦେଶୀ ବସ୍ତ୍ର ଦହ ଏବଂ ପିକେଟିଂକୁ ଗୁରୁତ୍ୱ ଦିଆଯିବ । ଏହି ବୈଠକରେ ଭାଗୀରଥି ମହାପାତ୍ର, ନିରଞ୍ଜନ ପଟ୍ଟନାୟକ, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଏବଂ ଗୋଦାବରୀଶ ମିଶ୍ର ଯୋଗ ଦେଇଥିଲେ । କଂଗ୍ରେସର ଏହି ନୂଆ ପ୍ରସ୍ତାବରେ ଯେଉଁ ଉଗ୍ରତା ରହିଥିଲା, ଓଡ଼ିଶାରେ ତାର ପ୍ରଚାର ହେବା ପରେ ଆନ୍ଦୋଳନ ପୁଣି ଥରେ ପତ୍ର-ପତ୍ରିକାରେ ଦୃଶ୍ୟମାନ ହେବାକୁ ବସିଲା । ଅନ୍ୟ ଅର୍ଥରେ କହିଲେ, କଂଗ୍ରେସର ଉଗ୍ରତା ଶିଥିଳହୋଇ ଆସୁଥିବା ଆନ୍ଦୋଳନକୁ ପୁଣି ଥରେ ସକ୍ରିୟ କରିଦେଲା ।

ଏହି ପର୍ଯ୍ୟାୟରେ ଅର୍ଥାତ୍‍ ୧୯୨୧ ଜୁଲାଇ ପରେ ବିଦେଶୀ ବସ୍ତ୍ର ଦହ, ସ୍ୱଦେଶୀ କୀର୍ତ୍ତନ, ସ୍ୱଦେଶୀ ମେଳା ଆୟୋଜନ ତଥା ଅରଟର ପ୍ରଦର୍ଶନୀ ଆଦି ଅସହଯୋଗର ଉଗ୍ରତାକୁ ପ୍ରତିଫଳିତ କଲା । କଟକରେ ଖିଲାଫତ ଓ କଂଗ୍ରେସ କର୍ମୀ ପରସ୍ପର ମଧ୍ୟରେ ରକ୍ଷାବନ୍ଧନ କରି ସାଂପ୍ରଦାୟିକ ସଦ୍‍ଭାବ ପ୍ରଶ୍ନକୁ ଉଜ୍ଜୀବିତ କଲେ । ବାଙ୍କୀରେ ସରକାରୀ ସ୍କୁଲ ଗୃହ ପୋଡ଼ିହେଲା । ଏଥିପାଇଁ ପୋଲିସ୍‍ ସ୍ଥାନୀୟ ଅସହଯୋଗୀଙ୍କ ଉପରେ ସନ୍ଦେହ ପ୍ରକାଶ କଲେ । ପ୍ରାଦେଶିକ କଂଗ୍ରେସର ଉଗ୍ରତା ଆଉ ଏକ ପ୍ରକାରେ ମଧ୍ୟ ଏହି ସମୟରେ ପରିଲକ୍ଷିତ ହେଲା । ଗୋପବନ୍ଧୁ ଦାସ ଗଡ଼ଜାତ ରାଜାଙ୍କୁ ସତର୍କବାଣୀ ଶୁଣାଇଲେ ଯେ ବେଠି, ବେଗାରି, ରସଦ ଆଦି ଅନ୍ୟାୟ ପ୍ରଥା ଯଦି ଶୀଘ୍ର ବନ୍ଦ ନହୁଏ, ସ୍ୱରାଜ ପରେ ତାର ଦୁଷ୍ପରିଣାମ ରାଜାମାନଙ୍କୁ ଭୋଗ କରିବାକୁ ପଡ଼ିବ । ଅନ୍ୟପକ୍ଷରେ କନିକା, ରାଜପୁର, ମଧୁପୁର ଆଦି ଜମିଦାରୀ ପ୍ରଗଣାରେ କଂଗ୍ରେସ କର୍ମୀ ଅନୌପଚାରିକ ଭାବରେ ପ୍ରବେଶ କଲେ ଏବଂ ପାଣ୍ଠି ତଥା ସଭ୍ୟ ସଂଗ୍ରହ ଆଦି କାର୍ଯ୍ୟ କଲେ । ମଧୁପୁରରେ କଂଗ୍ରେସ କର୍ମୀଙ୍କୁ ଆଶ୍ରୟ ଦେବା ଅପରାଧରେ ଜଣେ ପ୍ରାଥମିକ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରାଗଲା । କନିକାରେ ଅଗଷ୍ଟ୧୫ ତାରିଖ ଦିନ ଏକ ଜନସଭାକୁ ସମ୍ବୋଧିତ କରି ବାବାଜୀ ରାମଦାସ ଖଜଣା ବୃଦ୍ଧିପାଇଁ ଉଭୟ ଜମିଦାର (ଲୌକିକ ସ୍ତରରେ ରାଜା) ଓ ସରକାରଙ୍କୁ ଦୋଷୀ ସାବ୍ୟସ୍ତ କଲେ, ସେମାନଙ୍କର ତୀବ୍ର ସମାଲୋଚନା କଲେ । ଖଜଣା ବୃଦ୍ଧିକୁ ନେଇ କନିକାରେ ଆନ୍ଦୋଳନ ଗୁପ୍ତ ଭାବରେ ଆରମ୍ଭ ହେଲା । ସ୍ଥାନୀୟ କଂଗ୍ରେସ କର୍ମୀ ତହିିଁରେ ସକ୍ରିୟ ସହଯୋଗ କଲେ । କଂଗ୍ରେସର ପ୍ରାଥମିକ ସଭ୍ୟ ହୋଇ ଅସହଯୋଗରେ ରୟତ ପ୍ରଜା ଯୋଗ ଦେଲେ ସେମାନଙ୍କୁ ଆଉ ଖଜଣା ଦେବାକୁ ପଡ଼ିବ ନାହିିଁ ବୋଲି ଲୌକିକ ସ୍ତରରେ ଆଶା ସୃଷ୍ଟି ହେଲା । ବାବାଜୀ ରାମଦାସଙ୍କ ସଭା ପରେ ଛଅଜଣ ଛାତ୍ର କନିକା ସ୍କୁଲ ବର୍ଜନ କଲେ ଏବଂ ଆନନ୍ଦ ଜେନା, ଚକ୍ରଧର ବେହେରା ଆଦି କେତେକ ଜମିଦାର କର୍ମଚାରୀ ଚାକିରିରୁ ବରଖାସ୍ତ ହେଲେ । ପରବର୍ତ୍ତୀ ସମୟରେ ଏହା କନିକା ଆନ୍ଦୋଳନକୁ ଅଧିକ ତେଜୀୟାନ କଲା । ପ୍ରାଦେଶିକ କଂଗ୍ରେସର ଉଗ୍ରତାର ପ୍ରତିଫଳନ ପ୍ରବାସୀ ଓଡ଼ିଆ କୁଲି ମଜୁରିଆ ସଂଗଠନରେ ମଧ୍ୟ ଅନୁଭୂତ ହେଲା । ବର୍ମା ଓ ଇଜିପ୍ଟରେ ରହୁଥିବା ପ୍ରବାସୀଙ୍କ ପକ୍ଷରୁ ଯଥାକ୍ରମେ ମଧୁସୂଦନ ମହାନ୍ତି ଓ ଚକ୍ରଧର ପଟ୍ଟନାୟକ ପ୍ରାଦେଶିକ କଂଗ୍ରେସ ସହ ଯୋଗାଯୋଗ ସ୍ଥାପନ କଲେ । କଲିକତାର ପ୍ରବାସୀ ଓଡ଼ିଆଙ୍କୁ ସଂଗଠିତ କରିବାସକାଶେ କଟକ ଜିଲ୍ଲା ସମିତି ପ୍ରତିିନିଧି ମଧ୍ୟ ପଠାଇଲା ଏବଂ କଲିକତା ବଡ଼ବଜାରରେ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ଶାଖା ଗଠିତ ହେଲା । ଏହି ସଂଗଠନର ଫଳ ସ୍ୱରୂପ ୧୯୨୧ ଅଗଷ୍ଟ ଶେଷ ଆଡ଼କୁ ବଡ଼ବଜାରରେ ଓଡ଼ିଆ କୁଲି ବିଦେଶୀ ବସ୍ତ୍ରର ବୋଝ ଉଠାଇବେ ନାହିିଁ ବୋଲି ହରତାଳ କଲେ ।

ପୋଲିସର ଦମନଲୀଳା କଂଗ୍ରେସର ଉଗ୍ରତା ସହିତ ତାଳ ଦେଇ ଏହି ସମୟରେ ଅସହଯୋଗୀଙ୍କ ଉପରେ ପୋଲିସ ଦମନ ମଧ୍ୟ ବୃଦ୍ଧି ପାଇଲା । ନିଷେଧାଜ୍ଞା ଜାରି କରି ପୋଲିସ ପ୍ରାଦେଶିକ କଂଗ୍ରେସର ତୁଙ୍ଗ ନେତାମାନଙ୍କର 'ମୁଖବନ୍ଦ' କଲେ । ସେପ୍ଟେମ୍ବରରେ ଗୋପବନ୍ଧୁ ଦାସଙ୍କର କଟକ, ପୁରୀ ଏବଂ ସତ୍ୟବାଦୀରେ ଦୁଇମାସପାଇଁ ମୁଖବନ୍ଦ ହେଲା । ଭାଗୀରଥି ମହାପାତ୍ର ଏବଂ ଦିଗମ୍ବର ଶ୍ରୀଚନ୍ଦନଙ୍କର କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ମୁଖବନ୍ଦ ହେଲା । ଅଗଷ୍ଟରେ ବାବାଜୀ ରାମଦାସଙ୍କୁ ଗିରଫ କରି ଜେଲ୍‍ ପଠାଗଲା । ପୁଣି, ନାନା ଉପାୟରେ ସରକାର କଂଗ୍ରେସର ନିଶା ନିବାରଣ କାର୍ଯ୍ୟକ୍ରମକୁ ବିରୋଧ କରି ମଦ୍ୟପାନର ଆବଶ୍ୟକତା ଦର୍ଶାଇଲେ । ଏହା ସରକାରର ଜନ ବିରୋଧୀ ସ୍ୱଭାବକୁ ଅଧିକ ସୁସ୍ପଷ୍ଟ କଲା । ତା'ଛଡ଼ା, ନଭେମ୍ବରରେ ଗୋପବନ୍ଧୁଙ୍କ ନାଁରେ ଏକ ମିଥ୍ୟା ଅଭିଯୋଗ ଅଣାଗଲା ଏବଂ ଖୋର୍ଦ୍ଧା ଅଦାଲତରେ ତାର ବିଚାର ଚାଲିଲା । କଂଗ୍ରେସ ଏକ ପକ୍ଷରେ ପୋଲିସ ଦମନର ବିରୋଧ କଲା । ପୁଣି ଅନ୍ୟ ପକ୍ଷରେ ଜେଲ୍‍କୁ ସ୍ୱରାଜ ପ୍ରାପ୍ତିର ସ୍ୱର୍ଗଦ୍ୱାର ବୋଲି ଉଲ୍ଲେଖ କଲା । ଗିରଫ ବ୍ୟକ୍ତି ଜାମିନରେ ଗଲେ ନାହିିଁ । ଗୋପବନ୍ଧୁ ମୁଖବନ୍ଦ ଆଦେଶର ଅମାନ୍ୟ କଲେ ନାହିିଁ, କାରଣ ଆଇନ ଅମାନ୍ୟ ନିମନ୍ତେ କଂଗ୍ରେସ ନିର୍ଦ୍ଦେଶ ଦେଇ ନଥିଲା । ମାତ୍ର କଂଗ୍ରେସ ସଭାମାନଙ୍କରେ ସେ ଲିଖିତ ବକ୍ତବ୍ୟମାନ ଦେଲେ । ଗୋପବନ୍ଧୁଙ୍କ ଉପସ୍ଥିତିରେ ତାଙ୍କ ବକ୍ତବ୍ୟ ସଭାରେ ପାଠ କରାଗଲା । ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁଙ୍କଦ୍ୱାରା ଲିଖିତ 'ମୂକ ମିନତି'କୁ ଦେଖାଯାଇପାରେ । ଏହା ଲୋକଙ୍କ ମନରୁ ସରକାର ପ୍ରତି ଭୟ ଦୂର କଲା, ଅସହଯୋଗ ସମ୍ବନ୍ଧରେ ବିସ୍ତୃତ ସୂଚନା ମଧ୍ୟ ପ୍ରଦାନ କଲା । ପୁଣି, ଉପସ୍ଥିତ ସ୍ଥିତିରେ ଏହା ଆଇନ ଅମାନ୍ୟ ପରି ଦୃଢ଼ ବିରୋଧର କାମ କଲା । ଅର୍ଥାତ୍‍ ପ୍ରାଦେଶିକ ନେତୃତ୍ୱ ଦଳୀୟ ନିର୍ଦ୍ଦେଶକୁ ଅବମାନନା କଲେ ନାହିିଁ, ଅଥଚ ଲିଖିତ ବକ୍ତବ୍ୟ ପ୍ରଦାନ କରି ସରକାରଙ୍କ ଅପାରଗତାକୁ ସୁସ୍ପଷ୍ଟ କଲେ ।

ନିମ୍ନରେ 'ମୂକ ମିନତି'ରୁ କିଛି ଉଦ୍ଧୃତ କରାଗଲା ।

"ପୁରୀ ଆଉ କଟକର ଜିଲ୍ଲା ମେଜେଷ୍ଟର
ଏକଶ ଚୌରାଳିଶ ଦଫାରେ ଅଡ଼ର ॥
ଜାରିକରି ମୋର ମୁଖ କରିଛନ୍ତି ବନ୍ଦ
ସେଥିପାଇଁ ନୁହେଁ ମୁହିିଁ ତିଳେ ନିରାନନ୍ଦ ॥
ହୁକୁମ ନ ମାନି କାର୍ଯ୍ୟ କରିବାକୁ ଭାଇ
ମୋ ହୃଦେ ଶକତି ଦେଇଛନ୍ତି ବିଶ୍ୱ ସାଇଁ ॥
କିନ୍ତୁ କଂଗ୍ରେସର ନାହିିଁ ସେପରି ଆଦେଶ
ତେଣୁ ଏ ମୂକ ମିନତି କଲି ପରକାଶ ॥"

୧୯୨୧ ମସିହା ଶେଷ ବେଳକୁ ସରକାର ପକ୍ଷର ପ୍ରତିକ୍ରିୟାରୁ କେତେକ ଅଞ୍ଚଳରେ କଂଗ୍ରେସର ଲୋକାଧାର ବିପୁଳ ପରିମାଣରେ ବୃଦ୍ଧି ପାଇଥିବାର ପ୍ରମାଣ ମିଳେ । ଅକ୍ଟୋବର ୪ 'ସମାଜ'ରେ ପ୍ରକାଶିତ 'ସତ୍ୟହେଲେ ସାଂଘାତିକ' ଶୀର୍ଷକ ଏକ ସମ୍ବାଦକୁ ନେଇ ବେଗୁନିଆ ପୋଲିସ ଖୋର୍ଦ୍ଧା ଅଦାଲତରେ ପତ୍ରିକାର ସଂପାଦକ ଏବଂ ପ୍ରାଦେଶିକ କଂଗ୍ରେସର ସଭାପତି ଗୋପବନ୍ଧୁଙ୍କ ନାଁରେ ଏକ ମିଥ୍ୟା ମାନହାନି ମୋକଦ୍ଦମା ଦାୟର କଲେ । ସେହି ଆଧାରରେ ଗୋପବନ୍ଧୁ ଗିରଫ ହେଲେ ଏବଂ ଜାମିନରେ ନ ଯିବାରୁ ଖୋର୍ଦ୍ଧାରେ ତାଙ୍କର ବିଚାର ଚାଲିଲା । ବିଚାରର ଶୁଣାଣି ଦିନମାନଙ୍କରେ ଅଦାଲତ ପରିସରରେ ହଜାର ହଜାର ଲୋକଙ୍କର ସମାଗମ ହେଲା । ଅଦାଲତ କକ୍ଷରେ ଭିଡ଼ ଅସମ୍ଭାଳ ହେବାରୁ ଶୁଣାଣି ଅଦାଲତ ବାହାରେ ଖୋଲା ହତାରେ କରାଗଲା । ବିଚାରକୁ ନେଇ ଲୋକ ଉତ୍ସାହ ଏତେ ମାତ୍ରାରେ ବୃଦ୍ଧି ପାଇଲା ଯେ, ଦୁଇଜଣ ଓଡ଼ିଆ ମାଜିଷ୍ଟ୍ରେଟ ବାହାନା କରି ଛୁଟି ନେଇଗଲେ । ମିଥ୍ୟା ଅପରାଧରେ ଜଣେ ଜନନେତାଙ୍କୁ ଦଣ୍ଡ ଦେଇ ସେମାନେ ଲୋକଙ୍କ ନଜରରେ ଦୋଷୀ ହେବାକୁ ଚାହିିଁଲେ ନାହିିଁ । ଏ ଆଡ଼େ ସରକାର ଚାପ ଦେଉଥାନ୍ତି, ଲୋକଙ୍କ ମନରେ ଭୟ ସୃଷ୍ଟିପାଇଁ ଗୋପବନ୍ଧୁଙ୍କୁ ଯେନତେନ ପ୍ରକାରେଣ ଦଣ୍ଡ ଦିଆଯାଉ । ଦଣ୍ଡ ଦିଆଗଲେ ଲୋକେ ଯେ ବିଚାରପତିଙ୍କୁ କ୍ଷମା କରିବେ ନାହିିଁ - ଏକଥା ମାଜିଷ୍ଟ୍ରେଟମାନେ ମଧ୍ୟ ଅନୁଭବ କରୁଥାନ୍ତି । ଶେଷରେ ନୂତନ ଭାବେ ନିଯୁକ୍ତ ମାଜିଷ୍ଟ୍ରେଟ ସୁରେଶ ଚନ୍ଦ୍ର ବୋଷଙ୍କୁ, ଯିଏ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କର ଭାଇ, ବିଚାର ଦାୟିତ୍ୱ ଦିଆଗଲା । ଜାତୀୟତାରେ ଓତପ୍ରୋତ ସୁରେଶ ଚନ୍ଦ୍ର ସରକାରୀ ଚାପ ନମାନି ମୋକଦ୍ଦମାର ନିରପେକ୍ଷ ବିଚାର କଲେ ଏବଂ ଶେଷରେ ଗୋପବନ୍ଧୁଙ୍କୁ ନିର୍ଦୋଷରେ ଖଲାସ କଲେ । ଏହି ଐତିହାସିକ ବିଚାର ସମ୍ବନ୍ଧରେ ସେ ଯେଉଁ ବିସ୍ତୃତ ବିବରଣୀ ଦେଇଛନ୍ତି, ତହିିଁରୁ କଂଗ୍ରେସର ବିପୁଳ ଲୋକାଧାର (ତାଙ୍କ ମତରେ ଶୁଣାଣି ଶେଷ ଦିନ ପ୍ରାୟ ତିରିଶ ହଜାର ଜନସମାଗମ ହୋଇଥିଲା ଏବଂ ଶାନ୍ତିରକ୍ଷାନିମିତ୍ତ ପୋଲିସ ବଦଳରେ ମଝିରେ ମଝିରେ ବନ୍ଦୀ ଗୋପବନ୍ଧୁଙ୍କୁ ହସ୍ତକ୍ଷେପ କରିବାକୁ ପଡୁଥିଲା), ସହଯୋଗକୁ ନେଇ ସରକାରଙ୍କ ମନରେ ଜାଗ୍ରତ ହୋଇଥିବା ଭୟ ଏବଂ ଅନେକ ସରକାରୀ କର୍ମଚାରୀଙ୍କର ଆନ୍ଦୋଳନ ପ୍ରତି ରହିଥିବା ଦରଦ ତଥା ସରକାରୀ ତନ୍ତ୍ରର କ୍ରମ ବିଫଳତା କଥା ସୁସ୍ପଷ୍ଟ ହୁଏ । ମାତ୍ର କେତେଜଣ ଯୁବ - ଛାତ୍ରଙ୍କ ହାତରେ ୧୯୨୧ର ଜାନୁଆରିରେ ଆରମ୍ଭ ହୋଇଥିବା ଅସହଯୋଗ ଯେ ବର୍ଷର ଶେଷ ବେଳକୁ ଓଡ଼ିଶାର ଇତିହାସରେ ଏକ ସୁଦୃଢ଼ ସ୍ଥିତି ପାଇସାରିଥିଲା, ତାହା ଏହି ଐତିହାସିକ ବିଚାରରୁ ସିଦ୍ଧ ହୋଇଥିଲା । ଅସହଯୋଗର ଉଗ୍ରତା ଏବଂ କଂଗ୍ରେସର ବର୍ଦ୍ଧିଷ୍ଣୁ ଜନାଧାର ଏହି ସମୟରେ ଅନ୍ୟ ଅଞ୍ଚଳମାନଙ୍କରେ ମଧ୍ୟ ପରିଲକ୍ଷିତ ହେଲା । ୨୨ ନଭେମ୍ବର ୧୯୨୧ ଦିନ ଖୋର୍ଦ୍ଧାରେ ଗୋପବନ୍ଧୁଙ୍କ ବିଚାର ସରିଲା; ଗୋପବନ୍ଧୁ ନିର୍ଦୋଷରେ ଖଲାସ ହେଲେ; ତେଣିକି ଏକ ବିରାଟ ପଟୁଆରରେ ଲୋକେ ତାଙ୍କୁ ନେଇ ଏକ ସଭା କଲେ । ଗୋପବନ୍ଧୁଙ୍କ ଖଲାସ ହେବା, ସଭାର ଏବଂ ଲୌକିକ ସ୍ତରରେ ଅସହଯୋଗର ସଫଳତାକୁ ଇଙ୍ଗିତ କଲା । ଠିକ ସେହି ଦିନ ବାଲେଶ୍ୱରଠାରେ ହରେକୃଷ୍ଣ ମହତାବ ଏବଂ ଆଉ ଚାରି ଜଣ ଅସହଯୋଗୀ ବିଦେଶୀ ବସ୍ତ୍ର ବୋଝେଇ ଏକ ଶଗଡ଼ ଗାଡ଼ି ଆଗରେ ପିକେଟିଂ କରି ଗିରଫ ହେଲେ ଏବଂ ଜାମିନରେ ଯିବାକୁ ଅମଙ୍ଗ ହେଲେ । ସେଠାରେ ମଧ୍ୟ ଏକ ବିରାଟ ପଟୁଆରରେ ଲୋକେ ସେମାନଙ୍କୁ ଜେଲ୍‍ ଫାଟକ ଯାଏଁ ପାଛୋଟିନେଲେ । ପରଦିନ ଅଧିକ ସଂଖ୍ୟକ ଅସହଯୋଗୀ (ଦଶ ଜଣ) ପିକେଟିଂ ଜାରି ରଖିଲେ । ପରିଣାମ ସ୍ୱରୂପ, ଅନେକ ବ୍ୟବସାୟୀ ବିଦେଶୀ ବସ୍ତ୍ର ବିକ୍ରୀ ନ କରିବାକୁ ନିଷ୍ପତ୍ତି ନେଲେ । ଦୁଇଜଣ ବ୍ୟବସାୟୀ ଅସହଯୋଗର 'ନିର୍ଦେଶ' ଅମାନ୍ୟ କରି ବିଦେଶୀ ବସ୍ତ୍ରର କାରବାର କରିବାରୁ ସ୍ୱରାଜ ପଞ୍ଚାୟତରେ ସେମାନଙ୍କର ବିଚାର ହୋଇ ଦଣ୍ଡ ଦିଆଗଲା । ବାଲେଶ୍ୱର ଜିଲ୍ଲାର ବସ୍ତା, ସୋରୋ, ଜଳେଶ୍ୱର ଏବଂ ଭଦ୍ରକରେ ଅନେକ ବ୍ୟବସାୟୀ, ଅସହଯୋଗୀଙ୍କ ଚାପରେ ବିଦେଶୀ ବସ୍ତ୍ରର କାରବାର ନ କରିବାକୁ ସାମୂହିକ ଭାବେ ଶପଥ ନେଲେ । ପୁରୀରେ କୁଲି ଏବଂ ଶଗଡ଼ିଆମାନେ ବିଦେଶୀ ବସ୍ତ୍ର ବର୍ଜନ ଦାବି କରି ହରତାଳ କଲେ । ଫଳରେ କୋଚିନକୁ ଚାଉଳ ନେବାପାଇଁ ପ୍ରସ୍ତୁତ ଏକ ଜାହାଜ ତିିନିଦିନପାଇଁ ଅଟକି ରହିଲା । ଓଡ଼ିଶା କର୍ମୀଙ୍କ ଏହି ଉତ୍ସାହ କଂଗ୍ରେସର ଅହମଦାବାଦ ଅଧିବେଶନରେ ମଧ୍ୟ ପରିଲକ୍ଷିତ ହେଲା । ବର୍ଷକରେ ସ୍ୱରାଜ ପ୍ରାପ୍ତି ଯେହେତୁ ନିଶ୍ଚିତ, ଅହମଦାବାଦ ଅଧିବେଶନକୁ କଂଗ୍ରେସର ଶେଷ ଅଧିବେଶନ ମନେକରି ଓଡ଼ିଶାରୁ ରେକର୍ଡ଼ ସଂଖ୍ୟକ ୧୦୮ ଜଣ ପ୍ରତିିନିଧି ତହିଁରେ ଯୋଗ ଦେଇଥିଲେ । ତନ୍ମଧ୍ୟରୁ କେବଳ ଗଡ଼ଜାତରୁ, ଯେଉଁଠି ଆନୁଷ୍ଠାନିକ ଭାବରେ କଂଗ୍ରେସର କୌଣସି ଶାଖା ନଥିଲା, ଥିଲେ ଏଗାର ଜଣ । ଗୋପବନ୍ଧୁ, ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଓଡ଼ିଶାରୁ ବାରଜଣ ଜାତୀୟ କଂଗ୍ରେସର ବିଷୟ କମିଟି ସଦସ୍ୟ ମନୋନୀତ ହେଲେ । ଅଧିବେଶନରୁ ଫେରିଲା ପରେ ପ୍ରାଦେଶିକ କଂଗ୍ରେସରେ ଅସହଯୋଗର ପରବର୍ତ୍ତୀ ସୋପାନ ଆଇନ ଅମାନ୍ୟ ଆନ୍ଦୋଳନପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେଲା । ତହିିଁରୁ ମନେହେଲା ଯେ ଚୌରିଚୌରା ଘଟଣାଯୋଗୁଁ ୧୯୨୨ ଫେବ୍ରୁଆରିରେ ଆନ୍ଦୋଳନକୁ କେନ୍ଦ୍ରୀୟ ନେତୃତ୍ୱ ପ୍ରତ୍ୟାହାର କରି ନଥିଲେ, ପ୍ରାଦେଶିକ ସ୍ତରରେ ଆନ୍ଦୋଳନ ଆହୁରି ବ୍ୟାପକ ଓ ସୁଦୃଢ଼ ହୋଇଥାନ୍ତା । ଆଇନ ଅମାନ୍ୟପାଇଁ ସ୍ଥାନେ ସ୍ଥାନେ ସ୍ୱେଚ୍ଛାସେବୀ ନିଯୁକ୍ତ ହେଲେ । ଓଡ଼ିଶାରେ ମୋଟ ୩୦୦୦ ସ୍ୱେଚ୍ଛାସେବୀ ନିଯୁକ୍ତ କରିବାକୁ ଧାର୍ଯ୍ୟ କରାଗଲା । କେବଳ ସମ୍ବଲପୁରରେ ୬୦୦ ଜଣ ସ୍ୱେଚ୍ଛାସେବୀ ନିଯୁକ୍ତ ହୋଇଥିବାର ସମ୍ବାଦ ମିଳିଲା । ଏହା ଆଇନ ଅମାନ୍ୟ ପ୍ରତି ଲୋକ ଉତ୍ସାହକୁ ଇଙ୍ଗିତ କରେ । ଅହମଦାବାଦରେ ସ୍ଥିର ହୋଇଥିଲା ଯେ, ସମଗ୍ର ଦେଶରେ ଆଇନ ଅମାନ୍ୟର ଡାକରା ନ ଦେଇ ପ୍ରଥମେ ମନୋନୀତ ଏକ ଛୋଟିଆ କ୍ଷେତ୍ର ପ୍ରସ୍ତୁତ କରାଯାଉ ଏବଂ ସେଠି ଆଇନ ଅମାନ୍ୟ ହେଉ । ସେହି ଆଧାରରେ ଗୁଜରାଟର ବର୍ଦ୍ଦୋଳିକୁ ମନୋନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶା ନେତୃବୃନ୍ଦ ଦୁଇଟି କ୍ଷେତ୍ରକୁ ମନୋନୀତ କଲେ; ଗୋଟାଏ ହେଲା ବାଲେଶ୍ୱରର ସାର୍ଥା ଏବଂ ଦ୍ୱିତୀୟଟି ହେଲା ପୁରୀ ଜିଲ୍ଲାର ଖୋର୍ଦ୍ଧା । ଆଇନ ଅମାନ୍ୟପାଇଁ ସାର୍ଥାରେ ୨୫ ଏବଂ ଖୋର୍ଦ୍ଧାରେ ୨୪ ଜଣ ସ୍ୱେଚ୍ଛାସେବୀଙ୍କର ପ୍ରଶିକ୍ଷଣ ମଧ୍ୟ ଆରମ୍ଭ ହେଲା । ଖୋର୍ଦ୍ଧାରେ ୩ ଫେବ୍ରୁଆରି ୧୯୨୨କୁ ଆଇନ ଅମାନ୍ୟ ନିମନ୍ତେ ଦିନ ଧାର୍ଯ୍ୟ ହେଲା । ଆଇନ ଅମାନ୍ୟ ପ୍ରତି ସାଧାରଣ ରୟତ ଚାଷୀର ଉତ୍ସାହ ବଢ଼ିବା ପଛରେ ବଡ଼ କାରଣ ହେଲା ଯେ, ସେମାନଙ୍କ ଧାରଣା ସରକାରୀ ତହବିଲରେ ଜମିର ଖଜଣା ଆଉ ଜମା କରିବାକୁ ପଡ଼ିବ ନାହିିଁ । ଲୋକ ସ୍ତରରେ ବ୍ୟାପକ ସମର୍ଥନପାଇଁ କର୍ମୀମାନେ ସେହି ଆଧାରରେ ପ୍ରଚାର ମଧ୍ୟ କରୁଥିଲେ,ଯଦିଓ ପ୍ରାଦେଶିକ କଂଗ୍ରେସର ସେଭଳି କୌଣସି ଲିଖିତ ନିର୍ଦେଶ ନଥିଲା ।

୧୯୨୨ ମସିହା ଜାନୁଆରି ମାସରେ ଏହି 'ଆଇନ ଅମାନ୍ୟ' ପ୍ରସ୍ତୁତି ସରକାରକୁ ମଧ୍ୟ ବ୍ୟତିବ୍ୟସ୍ତ କରି ପକାଇଲା । ଆଇନ ଅମାନ୍ୟଯୋଗୁଁ ଅବକାରୀ ଠିକା କାଳେ ବାଧାପ୍ରାପ୍ତ ହୋଇପାରେ, ସେହି ଆଶଙ୍କାରେ ଠିକା ଆଗତୁରା କରି ଦିଆଗଲା । ଫେବ୍ରୁଆରି ବଦଳରେ ଷୋହଳ ଜାନୁଆରିରେ ଠିକା ହେବା ଧାର୍ଯ୍ୟ ହେଲା । ଏପଟେ ପନ୍ଦର ଜାନୁଆରିରୁ କଂଗ୍ରେସ କର୍ମୀ ଠିକା ସ୍ଥାନ ଆଗରେ ପିକେଟିଂ ଆରମ୍ଭ କରିଦେଲେ । ପିକେଟିଂ ପ୍ରତି ଜନଉତ୍ସାହ ବୃଦ୍ଧି ପାଇବା ଲକ୍ଷ୍ୟ କରି ସରକାର ଆକସ୍ମିକ ଭାବରେ ୧୬ ତାରିଖ ଦିନ ଠିକା ବାତିଲ କଲେ । କଂଗ୍ରେସ ମହଲରେ ଏହାକୁ ଏକ ବଡ଼ ସଫଳତା ବୋଲି ମନେ କରାଗଲା । ଫଳସ୍ୱରୂପ, ଭବିଷ୍ୟତରେ କଂଗ୍ରେସ ପ୍ରତି ଜନସମର୍ଥନ ଆହୁରି ବୃଦ୍ଧି ପାଇବାର ସଂଭାବନା ଦେଖାଦେଲା । ଲୋକଙ୍କ ଧାରଣାରେ କଂଗ୍ରେସ ଏଣିକି ହେଲା ସରକାରର ସମସ୍ତରୀୟ ପ୍ରତିପକ୍ଷ । ତେଣୁ ଅବକାରୀ ପ୍ରସଙ୍ଗରେ ସରକାରର ଦୁରବସ୍ଥା କଂଗ୍ରେସ ଓ ତା ସମର୍ଥକଙ୍କ ମନରେ ଅଧିକ ଆଶା ଜାଗ୍ରତ କଲା । ଧାର୍ଯ୍ୟ ମତେ ୩ ଫେବ୍ରୁଆରି ୧୯୨୨ରେ ଖୋର୍ଦ୍ଧାରେ ଆଇନ ଅମାନ୍ୟପାଇଁ ଜନସମାଗମ ହେଲା । ସରକାରୀ ପ୍ରତିବନ୍ଧକ ସତ୍ତ୍ୱେ ସଭାରେ ୨୫୦୦ ପ୍ରାୟ ଲୋକ ଜମା ହେଲେ । 'ମୁଖବନ୍ଦ' ଆଦେଶର ଅମାନ୍ୟ କରି ଗୋପବନ୍ଧୁ ସଭାରେ ବକ୍ତୃତା ଦେଲେ । ମାତ୍ର ଜାତୀୟ କଂଗ୍ରେସରୁ ଖଜଣା ବନ୍ଦପାଇଁ ନିର୍ଦେଶ ମିଳି ନଥିବାରୁ ଏବେ ଖଜଣା ବନ୍ଦ ଆନ୍ଦୋଳନପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ଦେଲେ । ସଭା ଶେଷରେ ଅନେକ ଲୋକ ସତ୍ୟାଗ୍ରହ କରି ଗିରଫ ହେଲେ । ସନ୍ଧ୍ୟାରେ ସେମାନଙ୍କୁ ପୋଲିସ୍‍ ଖଲାସ କରି ଦେଲା ।

ପିକେଟିଂ ଏବଂ ମୁଖବନ୍ଦ ଆଦେଶ ଅମାନ୍ୟ କରି ସମ୍ବଲପୁର, ପୁରୀ ଏବଂ ଗଞ୍ଜାମରେ ମଧ୍ୟ କଂଗ୍ରେସ କର୍ମୀ ଗିରଫ ହେଲେ । ମାତ୍ର ସବୁଠାରୁ ବେଶୀ ପ୍ରଭାବ ପଡ଼ିଲା ଜମିଦାରୀ କନିକାଠାରେ । ସେଠି ଆନ୍ଦୋଳନ ତୀବ୍ର ହେଲା , କାରଣ ଜମିଦାର, ଯିଏ 'ରାଜା' ନାମରେ ପରିଚିତ ଥିଲେ, ପ୍ରଜାଙ୍କଠାରୁ ଅନେକ ମନମୁଖୀ ଖଜଣା ଅସୁଲ କରୁଥିଲେ । କୁହାଯାଏ ଯେ, ମାଛଧରା କର, ଗୋରୁଚରା କର, ବାଳକଟା କର, ବିବାହ ପରେ ମଧୁଶଯ୍ୟା କର ଆଦି ଅନ୍ୟୂନ ୬୪ ପ୍ରକାର କର ପ୍ରଜାଙ୍କଠାରୁ ଆଦାୟ କରାଯାଉଥିଲା । କରଭାର ଅସହ୍ୟ ହେଲାବେଳେ ୧୯୨୦-୨୧ରେ କନିକାରେ ଜମିଜମାର ଘରୋଇ ବନ୍ଦୋବସ୍ତ ହୋଇ ଖଜଣା ଆହୁରି ବୃଦ୍ଧି ପାଇଲା । ଏଭଳି ଏକ ପରିସ୍ଥିତିରେ କଂଗ୍ରେସ ଯେତେବେଳେ ଖଜଣା ବନ୍ଦପାଇଁ ଆଇନ ଅମାନ୍ୟ କରିବ ବୋଲି ପ୍ରସ୍ତୁତି କଲା, କନିକା ପ୍ରଜା ତା' ପ୍ରତି ଆକୃଷ୍ଟହେବା ସ୍ୱାଭାବିକ କଥା । ପ୍ରଜାଙ୍କର ଧାରଣା ଯେ, କଂଗ୍ରେସର ସଭ୍ୟଭୁକ୍ତ ହେଲେ ଜମିଦାରଙ୍କ କଚେରିରେ ଜମିର ଖଜଣା ଦେବାକୁ ପଡ଼ିବ ନାହିିଁ, କାରଣ ସେମାନେ 'ସ୍ୱରାଜ ପ୍ରଜା' । ଏହି କାରଣରୁ ୧୯୨୨ ଜାନୁଆରିରେ ପ୍ରାୟ ୪୦୦ ପ୍ରଜା କଂଗ୍ରେସର ପ୍ରାଥମିକ ସଦସ୍ୟ ହେଲେ । ଆୟେତନ ଏବଂ ମାଧପୁର ଆଦି ଗାଁରେ ବିଶାଳ ଜନସଭାମାନ ଆୟୋଜିତ ହେଲା । ସେଠାକାର ସ୍ଥାନୀୟ କର୍ମୀଙ୍କ ସାଙ୍ଗରେ ବିଶେଷକରି କଟକ ଓ ବାଲେଶ୍ୱର ଜିଲ୍ଲା କଂଗ୍ରେସର କର୍ମୀ କନିକାରେ ସକ୍ରିୟ ହେଲେ । ଏହା ଆନ୍ଦୋଳନକୁ ଆହୁରି ବଳ ଦେଲା । କନିକା ପ୍ରଜା ଆନ୍ଦୋଳନର ବିଶେଷତ୍ୱ ହେଲା ଯେ, ସେଠାରେ ସ୍ଥାନୀୟ ପ୍ରଜାର ସମସ୍ୟା ସହ ଅସହଯୋଗକୁ ଯୋଡ଼ି ହେବାର ଅବସର ମିଳିଲା । ଆନ୍ଦୋଳନରେ ଯୋଗଦାନ ମାତ୍ରକେ ରୟତ ପ୍ରଜା ତାତ୍କାଳିକ ଲାଭ ପାଇପାରିବେ ବୋଲି ଧାରଣା ସୃଷ୍ଟି ହେଲା, କାରଣ ଖଜଣା ଦେବାକୁ ପଡ଼ିବ ନାହିିଁ । ଏହି ଅନୁଭୂତିରେ ଉତ୍ସାହିତ ହୋଇ କନିକା ଧରଣର ପ୍ରୟୋଗ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ଆରମ୍ଭ ହେବା କଥା ବୋଲି କଂଗ୍ରେସ ମହଲରେ ଧାରଣା ସୃଷ୍ଟି ହେଲା । ସେ ନେଇ ନିଷ୍ପତ୍ତି ନେବାକୁ ୧୨ ଫେବ୍ରୁଆରି ୧୯୨୨ରେ କଟକଠାରେ କଂଗ୍ରେସର ବୈଠକ ବସିବ ବୋଲି ମଧ୍ୟ ପ୍ରାଦେଶିକ କଂଗ୍ରେସ ସ୍ଥିର କଲା । ଚୌରିଚୌରା ଘଟଣା

କହିବା ବାହୁଲ୍ୟ ଯେ, ପ୍ରାଦେଶିକ କଂଗ୍ରେସର ଏହି ଉତ୍ସାହରେ ୫ ଫେବ୍ରୁଆରିର ଚୌରିଚୌରା ଘଟଣାଯୋଗୁଁ ପାଣି ପଡ଼ିଗଲା । ସଂଯୁକ୍ତ ପ୍ରଦେଶ (ଉତ୍ତର ପ୍ରଦେଶ)ର ଚୌରିଚୌରାଠାରେ ଉତ୍ତ୍ୟକ୍ତ ଜନତା ୨୨ ଜଣ ପୋଲିସ ସିପାହୀଙ୍କୁ ଥାନାରେ ଜାଳି ମାରିଦେଲେ । ହିଂସାକାଣ୍ଡଯୋଗୁଁ କଂଗ୍ରେସର ତୁଙ୍ଗ ନେତା ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଲେ । ଆନ୍ଦୋଳନକାରୀ ହିଂସାତ୍ମକ ପନ୍ଥା ଗ୍ରହଣ କଲେ ସରକାର ଅଧିକ ହିଂସ୍ର ହୋଇ ଆନ୍ଦୋଳନକୁ ଦମନ କରିଦେବେ ବୋଲି ସେ ବୁଝିଥିଲେ । ଗାନ୍ଧୀଙ୍କର ନିର୍ଦେଶକୁ ନେଇ କଂଗ୍ରେସରେ ପ୍ରବଳ ତର୍କ ବିତର୍କ ହେଲା । ଜବାହରଲାଲ ନେହେରୁ, ସୁଭାଷ ବୋଷ ଆଦି ଯୁବନେତା ଆନ୍ଦୋଳନ ପ୍ରତ୍ୟାହାର ବିରୁଦ୍ଧରେ ମତ ଦେଲେ । ତା' ସତ୍ତ୍ୱେ ଗାନ୍ଧି ନିଜ ନିଷ୍ପତ୍ତିରେ ଅଟଳ ରହିଲେ । ମୋଟ ଉପରେ କହିଲେ, ଫେବ୍ରୁଆରି ୧୨ ତାରିଖ (୧୯୨୨)ରେ ଅସହଯୋଗ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳପାଇଁ ନିଲମ୍ବିତ ହୋଇଗଲା ।

ଏହି ଆକସ୍ମିକ ଘଟଣା ପରେ ଓଡ଼ିଶା କଂଗ୍ରେସରେ ମଧ୍ୟ ତୁମୁଳ ହଟ୍ଟଗୋଳ ହେଲା । ଯୁବ ନେତାମାନେ ପ୍ରତ୍ୟାହାର ଆଦେଶର ନିନ୍ଦା କଲେ । ଅନ୍ୟପଟେ, 'ସମାଜ' ମତ ଦେଲା ଯେ, ଅସହଯୋଗୀପାଇଁ ଶାନ୍ତିରକ୍ଷା ହେଲା ପ୍ରଥମ ଦାୟିତ୍ୱ । ତା' ବିହୁନେ ସ୍ୱରାଜର କିଛି ଅର୍ଥ ନାହିିଁ । 'ସେବା' ପୋଲିସ ସିପାହୀଙ୍କ ଚୌରିଚୌରାଠାରେ ପୋଡ଼ିବା ଘଟଣାକୁ 'ଜନତାର ଶୟତାନି' ବୋଲି କହି ନିନ୍ଦା କଲା, କାରଣ ସ୍ୱରାଜ ଦାବି ହେଲା ଏକ 'ଶାନ୍ତିଯୁଦ୍ଧ' । ଗୋପବନ୍ଧୁ ମଧ୍ୟ ହିଂସାର ନିନ୍ଦା କଲେ । ଆନ୍ଦୋଳନ ନିଲମ୍ବନର ସମର୍ଥନ କରି ଚାରି ମାର୍ଚ୍ଚ ୧୯୨୨ରେ 'ସମାଜ' ପୃଷ୍ଠାରେ ସେ ଲେଖିଥିଲେ:

"ଯୁଦ୍ଧରେ କେତେବେଳେ ଆଗକୁ ବହକି ଯିବାକୁ ହୁଏ, କେତେବେଳେ ବା ପଛକୁ ଘୁଞ୍ଚି ଆସିବାକୁ ହୁଏ, ସାଧାରଣ ସୈନ୍ୟମାନେ ତାହା ଜାଣନ୍ତି ନାହିିଁ । ସେନାପତିଙ୍କୁ ତାହା ଜଣା । ପଛକୁ ଘୁଞ୍ଚି ଆସିଲେ ହାର ହୁଏ ନାହିିଁ । କେତେବେଳେ ପଛକୁ ଘୁଞ୍ଚି ଆସିଲେ ପୁଣି ପରେ ଆଗକୁ ଅଧିକ ଜୋର୍‍ରେ ଚଢ଼ି ବସିବାକୁ ହୁଏ । ଅସହଯୋଗ ଯୁଦ୍ଧ ତ ଶାନ୍ତି ଯୁଦ୍ଧ । ଦେଶର ଲୋକ ସାଧାରଣ ଏ ଯୁଦ୍ଧର ସୈନ୍ୟସାମନ୍ତ । ପୂର୍ଣ୍ଣ ଶାନ୍ତି ରଖିବାକୁ ସମର୍ଥ ନହେଲେ ଏ ଯୁଦ୍ଧରେ ଉପଯୁକ୍ତ ସିପାହୀ ହୋଇ ପାରିବେ ନାହିଁ । ସେପରି ସିପାହୀମାନଙ୍କୁ ନେଇ ଏ ଯୁଦ୍ଧ ଲଢ଼ିଲେ ଅନିଷ୍ଟ ଛଡ଼ା ଇଷ୍ଟ ନାହିିଁ । ଚୌରିଚୌରାଠାରେ ଲୋକେ ଯେ ବିତ୍ପାତ ଘଟାଇଲେ ସେଥିରୁ ମହାତ୍ମା ଗାନ୍ଧି ବେଶ ବୁଝିପାରିଲେ ଯେ ଆମ ଦେଶ ଲୋକେ ବର୍ତ୍ତମାନ ସମୂହ ଭାବରେ ଆଇନଭଙ୍ଗ କରିବାକୁ ସକ୍ଷମ ହୋଇ ନାହାନ୍ତି । ଏମାନଙ୍କର ଆହୁରି ଅଧିକ ଶିକ୍ଷା, ସାଧନା ଓ ଡ୍ରିଲ ଆବଶ୍ୟକ ।"

ଏଥିରୁ ଗୋଟାଏ କଥା ସିଦ୍ଧ ଯେ, ଅସହଯୋଗର ନିଲମ୍ବନ ବା ପ୍ରତ୍ୟାହାରକୁ ଜାତୀୟତା ଆନ୍ଦୋଳନର ଶେଷ ବୋଲି ସ୍ଥାନୀୟ ନେତୃତ୍ୱ କଦାଚିତ ମନେ କରିଥିଲେ । ଏକଥା ମଧ୍ୟ ସତ ଯେ, ପ୍ରତ୍ୟାହାର ନିଷ୍ପତ୍ତି ସମୟରେ ଅନ୍ତତଃ ଓଡ଼ିଶାରେ ଆନ୍ଦୋଳନ ଶିଥିଳ ପଡ଼ି ନଥିଲା । ତା' ସତ୍ତ୍ୱେ, ଏକ ସର୍ବଭାରତୀୟ ଆନ୍ଦୋଳନର ଅଂଶ ଭାବରେ ଜାତୀୟ ନେତୃତ୍ୱର ଅବମାନନା ନ କରି ଓଡ଼ିଶା ପ୍ରାଦେଶିକ ନେତୃତ୍ୱ ଆନ୍ଦୋଳନ ପ୍ରତ୍ୟାହାର କଲେ । ମାତ୍ର ଏହା ସହିତ ଆନ୍ଦୋଳନର ଉଗ୍ରତାକୁ ଯଥୋଚିତ ଢଙ୍ଗରେ ସଞ୍ଚାଳନ କରିବାକୁ ମଧ୍ୟ ପ୍ରୟାସ କଲେ । ଅନ୍ୟ ଅର୍ଥରେ କହିଲେ, ପ୍ରତିରକ୍ଷାମୂଳକ ପନ୍ଥା ଅନୁସରଣ କରି ଏଣିକି ଅସହଯୋଗ ଅବ୍ୟାହତ ରହିଲା, ଯାହା ଫଳରେ ଜାତୀୟ ନେତୃତ୍ୱର ଅବମାନନା ହେଲା ନାହିିଁ, ଅନ୍ୟପକ୍ଷରେ କଂଗ୍ରେସ ପ୍ରତି ଆକୃଷ୍ଟ ସାଧାରଣ ରାଜନୈତିକ କର୍ମୀ ଆନ୍ଦୋଳନରେ ଭାଗ ନେବାପାଇଁ କିଛିଟା ଅବସର ମଧ୍ୟ ପାଇଲେ । ଉଦାହରଣ ସ୍ୱରୂପ, କନିକା ଆନ୍ଦୋଳନକୁ ଏଣିକି କଂଗ୍ରେସର ଔପଚାରିକ କର୍ତ୍ତୃତ୍ୱରୁ ବାହାରେ ରଖାଗଲା । କଂଗ୍ରେସ କର୍ତ୍ତୃତ୍ୱ ବାହାରେ ଆନ୍ଦୋଳନ ଜାରି ରହିଲେ, ଜାତୀୟ କଂଗ୍ରେସ ଲାଗୁ କରିଥିବା ନିୟମ ଲାଗୁ ହେବ ନାହିିଁ । ଦ୍ୱିତୀୟରେ ଖଜଣା ବନ୍ଦ ବଦଳରେ ସେଠି ପୁରୁଣା ହାରରେ (ଘରୋଇ ବନ୍ଦୋବସ୍ତର ପୂର୍ବ ହାରରେ) ଖଜଣା ଦେବାକୁ ପ୍ରଜାଙ୍କୁ କୁହାଗଲା । ଅର୍ଥାତ ବର୍ଦ୍ଧିତ ହାରରେ ପ୍ରଜା ଜମିଦାରଙ୍କଠାରେ ଖଜଣା ଦେବେ ନାହିିଁ, ଅଥଚ ପୂର୍ବ ହାରରେ କେନ୍ଦ୍ରାପଡ଼ା ସରକାରୀ କଚେରିରେ ଯାଇ ଖଜଣା ଜମା କରିବେ । ଏପଟେ ଆନ୍ଦୋଳନପାଇଁ ପ୍ରସ୍ତୁତି ପର୍ବକୁ ଅବ୍ୟାହତ ରଖିବାପାଇଁ ଏପ୍ରିଲ୍‍ରେ କନିକାରେ ସତ୍ୟାଗ୍ରହ ସପ୍ତାହ ପାଳନ କରାଗଲା । ଗାଁମାନଙ୍କରେ ଗ୍ରାମସଭା ଏବଂ ଆନ୍ଦୋଳନ ପରିଚାଳନାପାଇଁ ଉପର ସ୍ତରରେ ଏକ ପ୍ରଜା ମହାସଭା ଗଠିତ ହେଲା । ଜଙ୍ଗଲ ଆଇନର ଅମାନ୍ୟ କରି ଲୋକେ କାଠ ମଧ୍ୟ କାଟିଲେ । ଶେଷରେ ପୋଲିସଦ୍ୱାରା ଗିରଫ ପାଞ୍ଚଜଣ ଖଜଣା ଖିଲାପି ରୟତ ପ୍ରଜାଙ୍କୁ ଯେଉଁଦିନ ଆନ୍ଦୋଳନକାରୀ ପୋଲିସ ହାତରୁ ମୁକ୍ତ କଲେ ଏବଂ ଜମିଦାର କଚେରିର ପିଅନକୁ ବାଧ୍ୟ କରି ଖଦି ପିନ୍ଧାଇଲେ, ଆନ୍ଦୋଳନର ସଫଳତା ନିଶ୍ଚିତ ବୋଲି ଲୋକଙ୍କର ଧାରଣା ହେଲା । ସେହିଦିନ (୧୩ ଏପ୍ରିଲ ୧୯୨୨) ଲୋକ ହରତାଳ କଲେ ଏବଂ ଭଜନ, କୀର୍ତ୍ତନ କରି ଉତ୍ସବ ପାଳନ କଲେ । ଅନ୍ୟ ଏକ ଘଟଣାରେ ଏପ୍ରିଲ ୧୮ ତାରିଖ ଦିନ ଅନ୍ୟ ଜଣେ ଗିରଫ ପ୍ରଜାକୁ ଲୋକେ ମୁକ୍ତ କରିନେଲେ । ଏହାର ପ୍ରତିକ୍ରିୟା ସ୍ୱରୂପ ୨୩ ଏପ୍ରିଲ ଦିନ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସକାଶେ ଅଧିକ ସଂଖ୍ୟକ ପୋଲିସ୍‍କୁ ପଠାଗଲା । ବିଜୟୀ ଭାବ ନେଇ ପ୍ରଜାମାନେ ଗଛକାଟି ପୋଲିସ୍‍ର ରାସ୍ତା ଅବରୋଧ କଲେ । ପରିଣାମ ସ୍ୱରୂପ, ପୋଲିସ ଗୁଳିଚାଳନା କଲେ ଏବଂ ତହିିଁରେ ବାସୁ ଏବଂ ବିସୁନି ନାମକ ଦୁଇଜଣ ପ୍ରଜା ନିହତ ହେଲେ । ଆହୁରି ଅନେକ ପ୍ରଜା ଆହତ ହେଲେ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ କନିକାର ଅନ୍ୟୂନ ଦେଢ଼ଶହ ପ୍ରଜା ଗିରଫ ହୋଇ ଜେଲକୁ ପଠାହେଲେ; ଆନ୍ଦୋଳନକାରୀଙ୍କ ଘର କୋରଖ ହେଲା; କଂଗ୍ରେସର ସମର୍ଥକ ହେବାର ସନ୍ଦେହରେ ଅନେକ ପ୍ରଜାଙ୍କୁ ନିସ୍ତୁକ ମାଡ଼ ଦିଆଗଲା । ଦମନ ଓ ଆତ୍ୟାଚାର, କନିକାର ପ୍ରଜା ଆନ୍ଦୋଳନକୁ ଏପ୍ରିଲ ଶେଷ ସପ୍ତାହରେ ଦଳି ଦେଇଗଲା । ଓଡ଼ିଶାର ପତ୍ରପତ୍ରିକା କନିକାରେ ପୋଲିସର ବର୍ବର କାଣ୍ଡକୁ ପଞ୍ଜାବର ଜାଲିଆନାଓ୍ୱାଲାବାଗ ଘଟଣା ସହ ତୁଳନା କରି ତୀବ୍ର ନିନ୍ଦା କଲେ । କନିକା ବାହାରେ ଓଡ଼ିଶାର ଚୌରିଚୌରା ଘଟଣା ପରେ କଂଗ୍ରେସ ଆନ୍ଦୋଳନ ଗଠନ ମୂଳକ କାର୍ଯ୍ୟରେ ହିିଁ ସୀମିତ ରହିଲା । ସେହି ଭିତ୍ତିରେ ଦଳ ଗ୍ରାମେ ଗ୍ରାମେ ସ୍ୱରାଜ ପଞ୍ଚାୟତ ଗଠନ, ନିଶା ନିବାରଣ, ଜାତୀୟ ବିଦ୍ୟାଳୟ ତଥା ସ୍ୱରାଜ୍ୟ ପାଣ୍ଠି ସଂଗ୍ରହ ଆଦି କାର୍ଯ୍ୟରେ ନିଜକୁ ନିଯୁକ୍ତ କରିବ ବୋଲି ନିଷ୍ପତ୍ତି ନେଲା । ମାତ୍ର ଏସବୁ କାର୍ଯ୍ୟକ୍ରମ କଂଗ୍ରେସକୁ ଶିଥିଳ ହେବାରୁ ରକ୍ଷା କରିପାରିଲା ନାହିିଁ । ମୋଟ ଉପରେ ଦେଖିଲେ, କନିକାରେ ଚାଲିଥିବା ଦମନ ଲୀଳା ପ୍ରାଦେଶିକ ସ୍ତରରେ କଂଗ୍ରେସକୁ ଖୁବ୍‍ ଆହତ କରିଦେଲା । ମେ ମାସ ୧୯୨୨ରେ ଗୋପବନ୍ଧୁ ଏବଂ ଭାଗୀରଥି ମହାପାତ୍ରଙ୍କୁ ଗିରଫ କରାଗଲା । ନେତା ଦ୍ୱୟଙ୍କ ଗିରଫଦାରି ପରେ ଦଳ ଏକ ରକମର ନେତୃତ୍ୱଶୂନ୍ୟ ହୋଇ ପଡ଼ିଲା । ଏହି ଶୂନ୍ୟତା ଯେ କିଛି କାଳପାଇଁ ଲାଗି ରହିଲା, ତାହା କହିବା ନିଷ୍ପ୍ରୟୋଜନ । ଓଡ଼ିଶା ଅସହଯୋଗ ଆନ୍ଦୋଳନକୁ ବିଶ୍ଳେଷଣ କଲେ ମନେହୁଏ ଯେ, ଛାତ୍ର ଓ ଯୁବକ ହିିଁ ଏହି ପ୍ରଥମ ଗଣ ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର । ମାତ୍ର ତା' ବାହାରେ ଖୁବ ସଂଖ୍ୟକ ନହେଲେ ବି କିଛି ଓକିଲ ଓ ସରକାରୀ କର୍ମଚାରୀ ମଧ୍ୟ ଏହି ସମୟରେ ଆନ୍ଦୋଳନରେ ସକ୍ରିୟ ହୋଇଥିଲେ । ଗୋପବନ୍ଧୁ ଦାସ, ଭାଗୀରଥି ମହାପାତ୍ର ଆଦି କେତେକ ଓକିଲ ତ ବୃତ୍ତି ଛାଡ଼ି ଆନ୍ଦୋଳନର ପୂର୍ଣ୍ଣକାଳୀନ କର୍ମକର୍ତ୍ତା ହେଲେ । ମାତ୍ର ଆହୁରି କେତେକ ଓକିଲ ଥିଲେ ଯେଉଁମାନେ ସାମୟିକ ଭାବେ ଏବଂ କଦାଚିତ ପରୋକ୍ଷ ଭାବରେ ଅସହଯୋଗରେ ସହଯୋଗ କରୁଥିଲେ । ଉଦାହରଣ ସ୍ୱରୂପ, ସଚ୍ଚିଦାନନ୍ଦ ଚାଟାର୍ଜୀ ନାମରେ ଜଣେ ଓକିଲ ଅସହଯୋଗୀଙ୍କ ବିରୁଦ୍ଧରେ ଅଦାଲତରେ ସରକାରଙ୍କ ଓକିଲ ହେବାପାଇଁ ନିଜର ନିୟମିତ ପ୍ରାପ୍ୟ ପନ୍ଦର ଟଙ୍କା ସ୍ଥାନରେ ପଚାଶ ଟଙ୍କା ଦାବି କଲେ । ଅନ୍ୟ ଜଣେ ଓକିଲ ଧନପତି ବାନାର୍ଜୀ ପୁରୀରେ କଚେରିକୁ ବାସନ୍ଦ କରି ନଥିଲେ ହେଁ ନିୟମିତ ଘରେ ଅରଟରେ ସୂତା କାଟୁଥିଲେ ଏବଂ ସ୍ୱଦେଶୀ ବ୍ୟବହାର କରୁଥିଲେ । ଏହି ଧରଣର ସାହାଯ୍ୟ ମଧ୍ୟ ଅସହଯୋଗକୁ ବ୍ୟାପକ ହେବାରେ ସାହାଯ୍ୟ କରିଥିଲା, ଏଥିରେ ଅତ୍ୟୁକ୍ତି ନାହିିଁ ।

ଠିକ ସେହିଭଳି ଗୋପବନ୍ଧୁ ଚୌଧୁରୀ, ମଧୁସୂଦନ ବିଶ୍ୱାଳ, ଶ୍ରୀବତ୍ସ ପଣ୍ଡା, ନୀଳକଣ୍ଠ ଦାସ, ଲିଙ୍ଗରାଜ ମିଶ୍ର ଆଦି କେତେ ଜଣ ସରକାରୀ କର୍ମଚାରୀ ପଦ ତ୍ୟାଗ କରି ଅସହଯୋଗରେ ମିଶିଥିଲେ । ଅସହଯୋଗ ପରେ ମଧ୍ୟ ସେମାନେ କଂଗ୍ରେସର କାର୍ଯ୍ୟକର୍ତ୍ତା ରହିଲେ । ଅନେକ ଓକିଲଙ୍କପାଇଁ ଇସ୍ତଫା ଦେଲା ପରେ କଚେରିରେ ପୁନର୍ବାର ଯୋଗଦାନ କରିବାର ଅବସର ରହିଥିଲା । ମାତ୍ର ସେଭଳି ଅବସର ସରକାରୀ ଚାକିରିରୁ ଇସ୍ତଫା ଦେଇଥିବା ଏହି କର୍ମଚାରୀଙ୍କ ହାତରେ ନଥିଲା । ସେମାନେ କଂଗ୍ରେସର ପୂର୍ଣ୍ଣକାଳୀନ କର୍ମୀ ଭାବରେ ରହିଲେ; ମନରେ ଜାତୀୟ କାମପାଇଁ ପ୍ରତିବଦ୍ଧତା ରହିଥିଲା । ସେହି କାରଣରୁ, ପରବର୍ତ୍ତୀ ପର୍ଯ୍ୟାୟରେ ଗୋପବନ୍ଧୁ ଚୌଧୁରୀ, ନୀଳକଣ୍ଠ ଦାସ, ବୀର କିଶୋର ଦାସ ଆଦି କଂଗ୍ରେସର ପ୍ରମୁଖ ନେତା ହେଲେ । ସେ ଯାହା ହେଉ, ଚାକିରିରୁ ଇସ୍ତଫା ଦେଇ ଅସହଯୋଗରେ ସାମିଲ କଂଗ୍ରେସ କର୍ମୀଙ୍କୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୁଏ ଯେ, ଅସହଯୋଗର ବହୁ ପୂର୍ବରୁ ସେମାନଙ୍କର ରାଜନୈତିକୀକରଣ ହୋଇ ଚାଲିଥିଲା । ଆନ୍ଦୋଳନର ଜୁଆର କେବଳ ବ୍ରିଟିଶ ସରକାର ପ୍ରତି ସେମାନଙ୍କ ମନରେ ରହିଥିବା ବୀତସ୍ପୃହ ଭାବକୁ ଏକ ତାର୍କିକ ପରିଣାମ ଯାଏ ନେଇଯିବାକୁ ସାହାଯ୍ୟ କଲା ।

ଏହାର ଏକ ଜ୍ୱଳନ୍ତ ଉଦାହରଣ ଗୋପବନ୍ଧୁ ଚୌଧୁରୀ । ଅସହଯୋଗ ସମୟରେ ସେ ବରୀ-ଯାଜପୁରରେ ଉପ-ଜିଲ୍ଲାପାଳ ପଦରେ ଅଧିଷ୍ଠିତ ଥିଲେ । ରିଲିଫ ଅଫିସର ଭାବରେ ତାଙ୍କୁ କୁହାଗଲା, ମିଳୁଥିବା ସରକାରୀ ବନ୍ୟା ରିଲିଫର ପରିମାଣ ଆବଶ୍ୟକତାଠାରୁ ଅଧିକ ବୋଲି ସେ ରିପୋର୍ଟ ଦିଅନ୍ତୁ । ଅର୍ଥାତ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କମ୍‍ ବୋଲି ମତ ଦିଅନ୍ତୁ । ଏଥିରେ ଚୌଧୁରୀ କ୍ଷୁଣ୍ଣ ହୋଇ ଚାକିରିରୁ ଇସ୍ତଫା ଦେଲେ ଏବଂ କଂଗ୍ରେସରେ ମିଶିଲେ । ତାଙ୍କର ସରକାର ପ୍ରତି ଏହି ବୀତସ୍ପୃହ ଭାବ ଏବଂ ଜାତୀୟତା ପ୍ରତି ଆକର୍ଷଣ ପଛରେ ତାଙ୍କ ପାରିବାରିକ ସଂସ୍କୃତି ରହିଥିଲା । ତାଙ୍କର ପିତା ଗୋକୁଳାନନ୍ଦ ଥିଲେ ଉତ୍କଳ ସମ୍ମିଳନୀର ଜଣେ ବଡ଼ ପକ୍ଷଧର, ଉଦାରପନ୍ଥୀ । ଅସହଯୋଗ ପୂର୍ବରୁ କଟକରେ ଯେଉଁ 'ଭାରତୀ ମନ୍ଦିର' ଗୋଷ୍ଠୀର ଛାତ୍ର ଯୁବକମାନେ ମହାଭାରତୀୟ ଜାତୀୟତାର ପକ୍ଷ ନେଇ ବିଚାର ବିମର୍ଶ କରୁଥିଲେ, ତହିିଁରେ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ରହିଥିଲା । ସାନଭାଇ ନବକୃଷ୍ଣ ଚୌଧୁରୀ ଥିଲେ ଗୋଷ୍ଠୀର ଜଣେ ବଡ଼ ଉଦ୍ୟୋକ୍ତା । ପୁଣି ଓଡ଼ିଶା ଜାତୀୟତା ଆନ୍ଦୋଳନର କୁଳବୃଦ୍ଧ ମଧୁସୂଦନ ଦାସ ଥିଲେ,ଗୋପବନ୍ଧୁ ଚୌଧୁରୀଙ୍କ କାକାଶ୍ୱଶୁର । ଉପ-ଜିଲ୍ଲାପାଳ ଭାବରେ ମଧ୍ୟ ଗୋପବନ୍ଧୁ ଚୌଧୁରୀ ଖଦି ପିନ୍ଧୁଥିଲେ, ସ୍ୱଦେଶୀ ବ୍ୟବହାର କରୁଥିଲେ ତଥା ଗାନ୍ଧିଙ୍କୁ ନିଜର ଆଦର୍ଶ ବୋଲି ଗ୍ରହଣ କରିଥିଲେ । ତେଣୁ, ତାଙ୍କର ଅସହଯୋଗ ଆନ୍ଦୋଳନରେ ଜଡ଼ିତ ହେବା ଆଦୌ ଆଶ୍ଚର୍ଯ୍ୟଜନକ ନଥିଲା । ବରଂ ଆନ୍ଦୋଳନର ଡାକରା ନାମରେ ଜୁଆର ନ ଆସିଥିଲେ, ଗୋପବନ୍ଧୁ ଚୌଧୁରୀଙ୍କ ଭଳି ଜାତୀୟତାବାଦୀ ନିରାଶ୍ରୟ ହୋଇ ପଡ଼ିଥାନ୍ତେ ବୋଲି ଅନୁମାନ କରିହୁଏ । ପୁଣି, ଆହୁରି କେତେକ ସରକାରୀ କର୍ମଚାରୀ ଥିଲେ, ଯେଉଁମାନେ ଚାକିରିରୁ ବିଭିନ୍ନ ବ୍ୟକ୍ତିଗତ କାରଣଯୋଗୁଁ ଇସ୍ତଫା ଦେଇ ପାରି ନଥିଲେ; ତା' ସତ୍ତ୍ୱେ ସେମାନେ ଯଥା ସାଧ୍ୟ କଂଗ୍ରେସର ସହଯୋଗ କରିଥିଲେ । ସମ୍ବଲପୁର ଛାତ୍ରଙ୍କ ରାଜନୈତିକୀକରଣ ପଛରେ ବିଶେଷ ଭୂମିକା ରହିଥିଲା ସେହିଭଳି ଜଣେ ଶିକ୍ଷକ ଦିବ୍ୟସିଂହ ମିଶ୍ରଙ୍କର, ଯିଏ, ସରକାରୀ ରିପୋର୍ଟ ଅନୁଯାୟୀ ଛାତ୍ରଙ୍କ ସାଙ୍ଗରେ ଶ୍ରେଣୀରେ ଖୋଲାଖୋଲି ବିବାଦୀୟ ରାଜନୀତି ପ୍ରସଙ୍ଗମାନ ଆଲୋଚନା କରୁଥିଲେ ଏବଂ ତା'ପାଇଁ ୧୯୧୮ରେ ଚାକିରିରୁ ସସ୍‍ପେଣ୍ଡ ମଧ୍ୟ ହୋଇଥିଲେ । ଠିକ ସେହିଭଳି, ୧୯୨୧ରେ ଯେତେବେଳେ ସମ୍ବଲପୁର ଜିଲ୍ଲା ସ୍କୁଲ ପିଲା ଅସହଯୋଗରେ ଯୋଗ ଦେଲେ, ତା' ପ୍ରତି ପ୍ରଧାନଶିକ୍ଷକ ମଧୁସୂଦନ ଦାସଙ୍କ ମୌନ ସହାନୁଭୂତି ରହିଥିଲା । ସେହିଭଳି, ଚକ୍ରଧରପୁରରେ ଅସହଯୋଗ ଆରମ୍ଭ କରିବାନିମିତ୍ତ ଗୋଦାବରୀଶ ମିଶ୍ରଙ୍କ ହାତରେ ଜଣେ ମୁସଲିମ ପୋଲିସ ଅଫିସର ନିଜ ଆଡୁ ଆଗଭର ହୋଇ ୪୧ ଟଙ୍କା ଅର୍ଥ ସାହାଯ୍ୟ ଦେଇଥିଲେ । ଗୋଦାବରୀଶ ମିଶ୍ର ଏ ସାହାଯ୍ୟରେ ଏତେ ଅଭିଭୂତ ହୋଇ ପଡ଼ିଥିଲେ ଯେ ଆନ୍ଦୋଳନର ଶୁଭାରମ୍ଭପାଇଁ ସେହିକ୍ଷଣି ସେ ମାନସିକ ସ୍ତରରେ ନିଷ୍ପତ୍ତି ନେଲେ । ଆନ୍ଦୋଳନକୁ ପ୍ରଖର କରିବାରେ ଏହି ଧରଣର ଛୋଟ ଛୋଟ ସାହାଯ୍ୟ ଯେ ମହତ୍ତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲା, ତାହା ନିଃସନ୍ଦେହରେ କୁହାଯାଇପାରେ ।

ଖିଲାଫତ ପ୍ରଶ୍ନଯୋଗୁଁ ଆରମ୍ଭରୁ ମୁସଲିମ ସମାଜର ଆନ୍ଦୋଳନପାଇଁ ସାମୂହିକ ସହଯୋଗ ରହିଥିଲା । ସମ୍ବଲପୁର, ଭଦ୍ରକ, କଟକ ଆଦି ସ୍ଥାନରେ ଅସହଯୋଗର ପ୍ରସାର ପଛରେ ମୁସଲମାନମାନଙ୍କର ବିଶେଷ ଭୂମିକା ରହିଥିଲା । ଏକରାମ ରସୁଲ ନାମରେ ଜଣେ ମୁସଲମାନ ନେତା ପ୍ରାଦେଶିକ କଂଗ୍ରେସ କମିଟିର ଉପସଭାପତି ଆସନ ମଧ୍ୟ ଅଳଂକୃତ କରିଥିଲେ । ମାତ୍ର ଅନ୍ୟ ପକ୍ଷରେ, ସମାଜର ଅନ୍ୟ ଏକ ପ୍ରମୁଖ ବର୍ଗ ମହିଳାମାନଙ୍କର ଉପସ୍ଥିତି ଆନ୍ଦୋଳନରେ ନଥିଲା ପ୍ରାୟ ସ୍ଥିତିରେ ରହିଥିଲା । ଆଦିବାସୀମାନଙ୍କୁ ମଧ୍ୟ ଆନ୍ଦୋଳନ ଆକୃଷ୍ଟ କରିପାରି ନଥିଲା, ଯଦିଓ ସେମାନଙ୍କର ଉପନିବେଶବାଦ ବିରୋଧତା କିଛି କମ୍‍ ନଥିଲା । ଊନବିଂଶ ଶତାବ୍ଦୀଯାକ ଆଦିବାସୀମାନେ ଉପନିବେଶବାଦର ଯଥେଚ୍ଛାଚାର ବିରୁଦ୍ଧରେ ବିଦ୍ରୋହ କରିଥିବା କଥା ପୂର୍ବରୁ ଆଲୋଚିତ । ତା' ସତ୍ତ୍ୱେ ଆଦିବାସୀଙ୍କର କଂଗ୍ରେସ ମଞ୍ଚରେ ଯୋଗ ନଦେବାର କାରଣ ଭାବରେ ଆଧୁିନିକ ଶିକ୍ଷିତ ବୁଦ୍ଧିଜୀବୀର ନେତୃତ୍ୱକୁ ଦେଖାଯାଇପାରେ । କଂଗ୍ରେସର ଶିକ୍ଷିତ ନେତୃତ୍ୱ ରାଜା- ପ୍ରଜା ମଧ୍ୟରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱକୁ ବୁଝିପାରି ପ୍ରଜାଙ୍କୁ ଆନ୍ଦୋଳନର ପକ୍ଷଭୁକ୍ତ କରିବା ସକାଶେ ରାଜା ବିରୋଧୀ ବା ସାମନ୍ତବାଦ ବିରୋଧୀ ସ୍ୱ-ଦୃଷ୍ଟିକୋଣକୁ ସୁସ୍ପଷ୍ଟ କରିଥିଲେ । (ଯାହାର ଫଳ ସ୍ୱରୂପ କନିକା ଆନ୍ଦୋଳନ ସଂଘଟିତ ହେଲା) ହେଲେ ସେହି ଢଙ୍ଗରେ ଆଦିବାସୀ ଓ ଅଣ-ଆଦିବାସୀ ମଧ୍ୟରେ ରହିଥିବା ସାଂସ୍କୃତିକ ଓ ସାମାଜିକ ଅନ୍ତର୍ଦ୍ୱନ୍ଦ୍ୱକୁ ବୋଧହୁଏ ନେତୃତ୍ୱ ବୁଝି ପାରି ନଥିଲେ । ଜାତୀୟତାବାଦୀ ନେତୃତ୍ୱ ଆଦିବାସୀର ପାରମ୍ପରିକ ଜୀବନ ଶୈଳୀ ଓ ଆଧୁିନିକ ସଭ୍ୟତା ନାମରେ ଔପନିବେଶିକ ଅନୁପ୍ରବେଶ ମଧ୍ୟରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱକୁ ମଧ୍ୟ ବୁଝି ପାରି ନଥିଲେ । ଫଳରେ ଆଦିବାସୀ ଅନ୍ତତଃ ଅସହଯୋଗରେ ସାମିଲ ହୋଇ ପାରିଲେ ନାହିିଁ । ଅସହଯୋଗ ସମୟରେ ଜଣେ ବି ଆଦିବାସୀ କଂଗ୍ରେସ କର୍ମୀର ନାମ ଶୁଣିବାକୁ ମିଳେ ନାହିିଁ । ଏହାକୁ ଅସହଯୋଗର ଏକ ବଡ଼ ଦୁର୍ବଳତା ଭାବରେ ଦେଖାଯାଇପାରେ । ଅନ୍ୟ ପକ୍ଷରେ ଯେମିତି ସରକାର ଆନ୍ଦୋଳନର ବିରୋଧୀ ପକ୍ଷ, ଗଡ଼ଜାତ ରାଜା ଓ ଜମିଦାର ମଧ୍ୟ ପ୍ରାୟ କ୍ଷେତ୍ରରେ ସେମିତି ବିରୋଧୀ ପକ୍ଷ ସାଜିଥିଲେ । ସେମାନଙ୍କ ଦୃଷ୍ଟିରେ ଅସହଯୋଗ ହେଲା ଏକ 'ରୋଗ', ଯାହା ସୌଭାଗ୍ୟକୁ ଗଡ଼ଜାତରେ ବ୍ୟାପୀ ନଥିଲା ! ସେମାନଙ୍କ ପତ୍ରପତ୍ରିକାରେ କୁହାଯାଇଥିଲା ଯେ, କେବଳ ନିଶା ନିବାରଣ କାର୍ଯ୍ୟପାଇଁ ଗାନ୍ଧି ପ୍ରଶଂସାର ପାତ୍ର ! ଅସହଯୋଗ ନୀତିକୁ ଯଦି ବାଦ ଦିଅନ୍ତି, ଗୋପବନ୍ଧୁ ଏବଂ ତାଙ୍କ ସହଯୋଗୀ ପ୍ରଶଂସାର ଯୋଗ୍ୟ ହେବେ ବୋଲି ତାଳଚେର ରାଜାନୁକୂଲ୍ୟରେ ପ୍ରକାଶିତ 'ଗଡ଼ଜାତ ବାସିନୀ' ଏକାଧିକ ଥର ମତ ବ୍ୟକ୍ତ କରିଥିଲା । କନିକା ଜମିଦାର ଥିଲେ ଉତ୍କଳ ସମ୍ମିଳନୀର ଜଣେ ପୁରୋଧା । ତାଙ୍କ ପ୍ରଜା ପୀଡ଼ନ ନୀତି ଓ 'ଉତ୍କଳ ସମ୍ମିଳନୀ'ରେ ସଂପୃକ୍ତି ମଧ୍ୟରେ କାହିିଁ କେଉଁଠି ଅନ୍ତର୍ଦ୍ୱନ୍ଦ୍ୱ ସେ ଦେଖି ପାରୁ ନଥିଲେ । ଅସହଯୋଗ ଆନ୍ଦୋଳନର ସେ ଜଣେ ବଡ଼ ନିନ୍ଦୁକ ଥିଲେ । ବ୍ୟବସାୟୀ ଓ ଅନ୍ୟ ଧନିକ ଶ୍ରେଣୀର ସହଯୋଗ ମଧ୍ୟ ଅସହଯୋଗକୁ ଯଥୋଚିତ ମାତ୍ରାରେ ମିଳି ନଥିଲା । ନିଜ କଟକ ଗସ୍ତ ସମୟରେ ୧୯୨୧ ମାର୍ଚ୍ଚ ମାସରେ ଗାନ୍ଧି ଗୁଜରାଟୀ ଓ ମାରଓ୍ୱାଡ଼ି ବ୍ୟବସାୟୀଙ୍କୁସ୍ୱତନ୍ତ୍ର ଭାବରେ ଭେଟି ପାଣ୍ଠିପାଇଁ ନିବେଦନ କରିଥିଲେ । ଏହା ସତ୍ତ୍ୱେ କଂଗ୍ରେସ, ତିଳକ ସ୍ୱରାଜ୍ୟ ପାଣ୍ଠିପାଇଁ ଧାର୍ଯ୍ୟ ମତେ ଟଙ୍କା ସଂଗ୍ରହ କରି ନପାରିବା ପଛରେ ଧନିକ ବ୍ୟବସାୟୀଙ୍କ ନିଷ୍କ୍ରିୟତା ଏକ ବଡ଼ କାରଣ ଥିଲା । ସଭା, ପଟୁଆର, ସ୍ଳୋଗାନ ତଥା ସ୍ୱରାଜ ପାଣ୍ଠି ସଂଗ୍ରହ, କଂଗ୍ରେସର ସଦସ୍ୟତା ସଂଗ୍ରହ ଅଭିଯାନ, ଅରଟ ବଣ୍ଟନ, ପଞ୍ଚାୟତ ସ୍ଥାପନ ଆଦି ହେଲା ଅସହଯୋଗ ଆନ୍ଦୋଳନର କେତୋଟି ମୁଖ୍ୟ କାର୍ଯ୍ୟକ୍ରମ । ତା' ବାହାରେ, ୧୯୨୧ର ଉତ୍ତରାର୍ଦ୍ଧରେ ବିଦେଶୀ ବସ୍ତ୍ର ବର୍ଜନ, ପିକେଟିଂ, ବିଦେଶୀ ବସ୍ତ୍ର ଦହନ ଆଦି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିଲା । ତା'ଛଡ଼ା ପରଂପରାରୁ ମଧ୍ୟ ଅନେକ କାର୍ଯ୍ୟକ୍ରମକୁ ଆନ୍ଦୋଳନକୁ ଜନାଭିମୁଖୀ କରିବା ଉଦ୍ଦେଶ୍ୟରେ ପ୍ରଥମ କରି ବ୍ୟବହାର କରାଗଲା । ଉଦାହରଣ ସ୍ୱରୂପ, ଭଜନ ଓ କୀର୍ତ୍ତନକୁ ଦେଖାଯାଇପାରେ । କଂଗ୍ରେସ ନେତାଙ୍କ ସ୍ୱାଗତପାଇଁ, ଜେଲ୍‍ ବରଣ କରିଥିବା ନେତାଙ୍କୁ ଜେଲ୍‍ଯାଏ ପାଛୋଟି ନେବାପାଇଁ ତଥା ସଭାସ୍ଥଳୀକୁ ପଟୁଆରରେ ଯିବାବେଳେ ପାରଂପରିକ ସଂକୀର୍ତ୍ତନର ଖୁବ୍‍ ବ୍ୟବହାର ଅସହଯୋଗ ସମୟରେ ଦେଖିବାକୁ ମିଳେ । ବାଞ୍ଛାନିଧି ମହାନ୍ତି, ବୀରକିଶୋର ଦାସ ଆଦି କବିଙ୍କ ସ୍ୱଦେଶ ପ୍ରୀତିମୂଳକ ଗୀତକୁ ସଂକୀର୍ତ୍ତରେ ମଧ୍ୟ ବ୍ୟବହାର କରାଗଲା ଏବଂ ସେହି ସଂକୀର୍ତ୍ତନକୁ ସ୍ୱଦେଶୀ କୀର୍ତ୍ତନ ବୋଲି କୁହାଗଲା । କେତେକ ସ୍ଥାନରେ ରଥଯାତ୍ରା ବେଳେ ରଥରେ ଖଦିର ମଧ୍ୟ ବ୍ୟବହାର ଦେଖିବାକୁ ମିଳିଲା । ଏହି ସମୟରେ କେତେକ ଜାତୀୟତାବାଦୀଙ୍କ ରଚନାରେ ଅରଟକୁ 'ସୁଦର୍ଶନ ଚକ୍ର' ସାଙ୍ଗରେ ମଧ୍ୟ ତୁଳନା କରାଯିବାର ନଜିର ରହିଛି । ସୁଦର୍ଶନ ଚକ୍ର ପରି ଅରଟ ସବୁ ପ୍ରକାର ଅନ୍ୟାୟ ଓ ଅତ୍ୟାଚାରରୁ ବିମୁକ୍ତି ଦେବ ବୋଲି କଳ୍ପନା କରାଗଲା । ପାରଂପରିକତାର ଉପଯୋଗ ଫଳରେ ଅସହଯୋଗ ପ୍ରକୃତ ଅର୍ଥରେ ଏକ ବୈଶିଷ୍ଟ୍ୟପୂର୍ଣ୍ଣ ଆଞ୍ଚଳିକ ଆନ୍ଦୋଳନ ଭଳି ପ୍ରତୀତ ହେଲା ।

ଅସହଯୋଗ ସମୟରେ ଓଡ଼ିଶାରେ ଅନେକ ନୂଆ ଅନୁଷ୍ଠାନ, ଆଶ୍ରମ, ଖଦି କେନ୍ଦ୍ର, ଜାତୀୟ ବିଦ୍ୟାଳୟ ଆଦି ନାମରେ ପ୍ରତିଷ୍ଠିତ ହେଲା । ପ୍ରାୟ କ୍ଷେତ୍ରରେ ଏହି ତିନିଟି ଯାକ ଅନୁଷ୍ଠାନ ପରସ୍ପରପାଇଁ ପରିପୂରକ ଥିଲେ । ଫଳସ୍ୱରୂପ ଗୋଟାକର ଉତ୍‍ଥାନରେ ଅନ୍ୟଗୁଡ଼ିକର ଉତ୍‍ଥାନ ଏବଂ ଗୋଟାକର ପତନରେ ଅନ୍ୟଗୁଡ଼ିକର ପତନ ଦେଖିବାକୁ ମିଳୁଥିଲା । ଅନୁଷ୍ଠାନ ଗୁଡ଼ିକୁ ସ୍ୱରାଜ୍ୟ ଆଶ୍ରମ, ସ୍ୱରାଜ୍ୟ ଆଳୟ, ସ୍ୱରାଜ ମନ୍ଦିର ଆଦି ନାମରେ ନାମିତ କରାଯାଇଥିଲା । ସେଠାରେ ଖଦିକାମ ଚାଲୁଥିଲା; କର୍ମୀମାନଙ୍କର ସାମୟିକ ରହଣି ଏବଂ ସଭାସ୍ଥଳ ଭାବରେ ମଧ୍ୟ ତାର ଉପଯୋଗ ହେଉଥିଲା । କଟକରେ ଏଥିପାଇଁ ନାମମାତ୍ର ଭଡ଼ାରେ ଘର ନିଆଯାଇଥିଲା । ଅନ୍ୟ ସ୍ଥାନରେ କଂଗ୍ରେସ କର୍ମୀ ନିଜ ଘରକୁ ହିିଁ ଆଶ୍ରମ ଘୋଷଣା କରିଥିଲେ ଏବଂ ସଂଗଠନ କାମପାଇଁ ତାର ଉପଯୋଗ କରୁଥିଲେ । ଯଦିଓ 'ସତ୍ୟବାଦୀ' ନାମରେ ଆଶ୍ରମ ଶବ୍ଦ ଯୋଡ଼ା ଯାଇ ନଥିଲା, ଏହା ଥିଲା ସେ ବେଳର ଏକ ଆଦର୍ଶ ଆଶ୍ରମ, ଯେଉଁଠି ଜାତୀୟ ସ୍କୁଲ ଚାଲିଥିଲା; କର୍ମୀ ପ୍ରଶିକ୍ଷଣ ଓ ଖଦିକାମ ଚାଲିଥିଲା; ପୁଣି ଆନ୍ଦୋଳନର ଏକ ମୁଖ୍ୟ କେନ୍ଦ୍ର ରୂପେ ତାହା କାର୍ଯ୍ୟ କରୁଥିଲା । 'ସତ୍ୟବାଦୀ' ମାସିକ ଏବଂ ୧୯୧୯ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଜାତୀୟତାବାଦୀ ସାପ୍ତାହିକ 'ସମାଜ'ର ପ୍ରକାଶନ ମଧ୍ୟ ସେଠାରେ ହେଉଥିଲା । ଏପରିକି ବନ୍ୟା ରିଲିଫ କାମପାଇଁ ମଧ୍ୟ ତାହା ଏକ ପ୍ରମୁଖ ରିଲିଫ କେନ୍ଦ୍ର ଥିଲା । ଅସହଯୋଗ ପରେ କଂଗ୍ରେସ ତରଫରୁ ମୋତିଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୧୯୨୨ରେ ସୁଦ୍ଧା ଓଡ଼ିଶାରେ ୨୫ଟି ଜାତୀୟ ଅନୁଷ୍ଠାନ କାର୍ଯ୍ୟ କରୁଥିଲା । ଆନ୍ଦୋଳନର ପ୍ରଖରତା ବେଳେ ତାର ସଂଖ୍ୟା ଯେ ନିଶ୍ଚିତ ରୂପେ ଅନେକ ବେଶୀ ହୋଇଥିବ - ଏହା ଅନୁମାନ କରିହୁଏ । ଅସହଯୋଗ ଆନ୍ଦୋଳନକୁ ସଂପ୍ରସାରିତ କରିବାରେ ଜାତୀୟତାବାଦୀ ପତ୍ର-ପତ୍ରିକାର ବିଶେଷ ଭୂମିକା ରହିଥିଲା । ଆନ୍ଦୋଳନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ 'ସମାଜ' (ଅକ୍ଟୋବର ୧୯୧୯), 'ଆଶା' (ବରହମପୁର) ଏବଂ ସମ୍ବଲପୁରରୁ 'ଉତ୍କଳ ସେବକ' (୧୯୨୦) ପ୍ରକାଶନ ଆରମ୍ଭ ହେଲା । ଆନ୍ଦୋଳନ ବେଳେ 'ସେବା' (ମେ ୧୯୨୧) ଏବଂ 'ସ୍ୱରାଜ୍ୟ ସମାଚାର' (୧୯୨୧) ପ୍ରକାଶିତ ହେଲେ । ତା'ଛଡ଼ା ଆଗରୁ ପ୍ରକାଶିତ ହେଉଥିବା 'ଉତ୍କଳ ଦୀପିକା', 'ପ୍ରଜାମିତ୍ର', 'ଶକ୍ତି', ଓ 'ପୁରୀବାସୀ', ଆଦି ଆନ୍ଦୋଳନର ବଡ଼ ପକ୍ଷଧର ଥିଲେ । ଆନ୍ଦୋଳନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଏହି ପତ୍ରିକାଗୁଡ଼ିକ ସମାଚାର ପ୍ରକାଶ କରୁଥିଲେ ଏବଂ ସୂଚନା ଦେଉଥିଲେ । ପତ୍ରିକାଗୁଡ଼ିକଯୋଗୁଁ ଅସହଯୋଗ ଏକ ପ୍ରକାଶ୍ୟ ଆନ୍ଦୋଳନର ରୂପ ପାଇଥିଲା । ଅନ୍ୟ ପକ୍ଷରେ ଆନ୍ଦୋଳନର ପ୍ରଭାବକୁ ପ୍ରତିହତ କରିବାପାଇଁ ତାଳଚେର ଗଡ଼ଜାତ ରାଜା ନିୟମିତ ଢଙ୍ଗରେ 'ଗଡ଼ଜାତ ବାସିନୀ' ନାମରେ ପତ୍ରିକା ପ୍ରକାଶନ କରୁଥିଲେ ।

ସରଳ ଭାଷା, ନିୟମିତତା, ସ୍ୱାଧୀନ ଚିନ୍ତା ଏବଂ ଜାତୀୟ ଉଦ୍ଦେଶ୍ୟ ଥିଲା ଜାତୀୟତାବାଦୀ ପତ୍ରିକାଗୁଡ଼ିକର ବୈଶିଷ୍ଟ୍ୟ । ଜାତୀୟ କଂଗ୍ରେସର ଅଣ-ଆନୁଷ୍ଠାନିକ ମୁଖପତ୍ର ହେବା ସତ୍ତ୍ୱେ କଂଗ୍ରେସର ଅନ୍ଧ ଅନୁକରଣ ସେମାନେ କରୁ ନଥିଲେ । ସେଗୁଡ଼ିକର ପ୍ରକାଶନରେ ଆନୁଷ୍ଠାନିକ ଭାବରେ କଂଗ୍ରେସଠାରୁ କୌଣସି ଆର୍ଥିକ ସାହାଯ୍ୟ ନିଆଯାଉ ନଥିଲା । ଆର୍ଥିକ ସାହାଯ୍ୟ ଦେବା ନିମିତ୍ତ କଂଗ୍ରେସର ସାମର୍ଥ୍ୟ ବି ନଥିଲା । ସେହି କାରଣରୁ ପତ୍ରିକାଗୁଡ଼ିକର ବିଚାର ଓ ଦୃଷ୍ଟିକୋଣ ଉପରେ କଂଗ୍ରେସ ଦଳର କର୍ତ୍ତୃତ୍ୱ ମଧ୍ୟ ନଥିଲା । ସଂପାଦକ ଏବଂ ପତ୍ରିକାଗୁଡ଼ିକର ସ୍ଥାନୀୟ ସହଯୋଗୀମାନେ ହିିଁ ପତ୍ରିକାର ନୀତି ନର୍ଦ୍ଧାରଣ କରୁଥିଲେ । ସେଥିପାଇଁ ୧୯୨୧ରେ 'ଉତ୍କଳ ସେବକ' ଯେତେବେଳେ ଲେଖିଲା ଯେ, କଂଗ୍ରେସରେ ଗାନ୍ଧୀ ବିଚାରର କେହି ସଚ୍ଚା ଅନୁଗାମୀ ନାହାନ୍ତି, କଂଗ୍ରେସ ଦଳ ପକ୍ଷରୁ କଦାପି ତାର ବିରୋଧ କରାଗଲା ନାହିିଁ । ନିଜ ନିଜ ସ୍ତରରେ ପତ୍ରିକାମାନେ ସ୍ୱାଧୀନ ଥିଲେ ଏବଂ ନିଜର ସ୍ୱାଧୀନ ବିଚାରକୁ ଅଭିବ୍ୟକ୍ତ କରୁଥିଲେ । ସେଗୁଡ଼ିକର ବୈଶିଷ୍ଟ୍ୟ ଥିଲା- ସରଳ ଭାଷା, ଗ୍ରାମ୍ୟ ସ୍ତରରେ ବୁଝିବା ଭଳି ଭାଷାା 'ସେବା'ରେ ବ୍ୟବହୃତ ଭାଷା ଏତେ ଗାଉଁଲି ଯେ ତାକୁ ଅନ୍ୟ ପତ୍ରିକାମାନେ ମଧ୍ୟ ସମାଲୋଚନା କରୁଥିଲେ । ମାତ୍ର 'ସେବା' ଲୋକ ସ୍ତରରେ ପହଞ୍ଚିବା ଲକ୍ଷ୍ୟରେ ଗାଉଁଲି ଭାଷା - ତା'ର ଏକ ବଡ଼ ସଂପତ୍ତି ବୋଲି ଗର୍ବ କରୁଥିଲା । 'ସମାଜ'ର ପ୍ରସାର ମୂଳରେ ମଧ୍ୟ ବଡ଼ କାରଣ ଥିଲା ତା'ର ସରଳ ଭାଷା । ପ୍ରକାଶନ ଆରମ୍ଭ ହେବାର ଛଅ ମାସ ମଧ୍ୟରେ ସରକାରୀ ରିପୋର୍ଟ ଅନୁଯାୟୀ ଏହା ବିହାର ଓ ଓଡ଼ିଶା ପ୍ରଦେଶର ଏକ ପ୍ରମୁଖ ପତ୍ରିକା ହୋଇପାରିଥିଲା ଏବଂ ତା'ର କାରଣ ଥିଲା, ତା'ର ନିର୍ଭୟ ଭାବ ଓ ସରଳ ଭାଷା । ଖୁବ ଅଳ୍ପ ସମୟ ମଧ୍ୟରେ 'ସମାଜ' ଏତେ ଲୋକପ୍ରିୟ ହୋଇପଡ଼ିଲା ଯେ, ଗାଁ ଗାଁରେ ତାକୁ ସମ୍ବାଦପତ୍ରର ଏକ ସମାନାର୍ଥକ ଶବ୍ଦ ରୂପେ ଲୋକ ବ୍ୟବହାର କଲେ । ପଢ଼ି ନଜାଣିଲେ ବି 'ସମାଜକୁ' ଶୁଣିଲେ ଜାତୀୟତାବାଦ ଓ ରାଜନୀତି ଅବୁଝା ରହିବ ନାହିଁ ବୋଲି ଲୋକେ କହୁଥିଲେ । ଜାତୀୟ ବିଦ୍ୟାଳୟ ବା ଖଦି କେନ୍ଦ୍ର ବା ସମ୍ବାଦପତ୍ର ଆଦି ଅନୁଷ୍ଠାନ ଗୁଡ଼ିକ ଯେ ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାର ସ୍ଥାନୀୟ ପରିବେଶରେ ସ୍ଥାପନ କଲେ, ତହିିଁରେ ସନ୍ଦେହ ନାହିିଁ । ଜାତୀୟତାର ବିଚାରକୁ ରଙ୍ଗ ରୂପ ଦେବାପାଇଁ ତଥା ଲୋକ ସ୍ତରରେ ପହଞ୍ଚାଇବାପାଇଁ ଅସହଯୋଗର ଡାକରା ଯେମିତି ସୁଯୋଗ ଦେଲା, ଆନ୍ଦୋଳନକୁ ମାଟି, ପାଣିରେ ଖୁଣ୍ଟ ଭଳି ପୋତି ରଖିବାପାଇଁ ଅନୁଷ୍ଠାନ ମାନେ ସେମିତି ସହଯୋଗ କଲେ । ଆଜି ଅସହଯୋଗ ଆନ୍ଦୋଳନର ପ୍ରାୟ ଏକ ଶତାବ୍ଦୀ ପରେ ସେ ନେଇ ଆଲୋଚନା କଲାବେଳେ ତଥା ତା ପଛରେ ଥିବା କାରଣଗୁଡ଼ିକୁ ବିଶ୍ଳେଷଣ କରିବା ପାଇଁ ସାମଗ୍ରୀ ଖୋଜିଲାବେଳେ, ସେହି ଅନୁଷ୍ଠାନ ଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼େ । ଐତିହାସିକ ଉପାଦାନ ଭାବରେ ସେତେବେଳର ପ୍ରକାଶିତ ପତ୍ର-ପତ୍ରିକା ଏବଂ ଜାତୀୟ ବିଦ୍ୟାଳୟର ଲିଖିତ ସ୍ମୃତି ବିନା ଆଜି ଆମ ଆଲୋଚନା ଓ ଅଧ୍ୟୟନ ଅତ୍ୟନ୍ତ କଠିନ ହୁଅନ୍ତା,ଏଥିରେ ଦ୍ୱିରୁକ୍ତି ନାହିିଁ । ସାମାଜିକତା ଦୃଷ୍ଟିରୁ ଦେଖିଲେ ଜାତୀୟତାବାଦୀ ଆଦର୍ଶର ଆଜି ରକ୍ଷଣାବେକ୍ଷଣ ଏବଂ ତାର ସମୀକ୍ଷା ହେବା ଯେତେ ଆବଶ୍ୟକ, ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ, ସେହି ଉପାଦାନଗୁଡିକର ରକ୍ଷଣାବେକ୍ଷଣ ଓ ସମୀକ୍ଷା ହେବା ମଧ୍ୟ ଅନୁରୂପ ମାତ୍ରାରେ ଆବଶ୍ୟକ ।

...