ଓଡ଼ିଶା ଇତିହାସ/ଜାତୀୟତାର ଉନ୍ମେଷ

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ଇତିହାସ (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଜାତୀୟତାର ଉନ୍ମେଷ

ଜାତୀୟତାର ଉନ୍ମେଷ

ଜାତୀୟତାର ଅର୍ଥ ହେଲା ଦେଶ ଭକ୍ତି, ରାଷ୍ଟ୍ରପ୍ରୀତି; ଲକ୍ଷ୍ୟ ହେଲା ଦେଶ ଗଠନ । ରାଷ୍ଟ୍ରଭକ୍ତିର ବିଚାରଧାରାକୁ ଜାତୀୟତା ବୋଲି କୁହାଯାଏ । ଗୋଟାଏ ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ଏବଂ ତା' ଭିତରେ ଗଢ଼ି ଉଠିଥିବା ଭାଷା, ସଂସ୍କୃତି ଓ ପରଂପରାକୁ ଜାତୀୟତା ଏକ ବୋଲି ବିଚାର କରେ ଏବଂ ଉକ୍ତ ଭାଷାଭାଷୀ ଓ ସଂସ୍କୃତିର ଲୋକଙ୍କ ମଧ୍ୟରେ ବିଭେଦ ନାହିଁ ବୋଲି ଯୁକ୍ତି କରେ । ଜାତୀୟତାର ସ୍ଥାୟିତ୍ୱପାଇଁ ଜାତୀୟ ଏକତା ଜରୁରୀ । ଜାତିର ସାମୂହିକ ଉନ୍ନତି ନିମନ୍ତେ ବ୍ୟକ୍ତି ସ୍ୱାର୍ଥକୁ ବଳି ଦେବାକୁ ଜାତୀୟତା ପ୍ରତିଶ୍ରୁତିବଦ୍ଧ ହୁଏ । ଏହି କାରଣରୁ ସମୂହ ଉନ୍ନତିପାଇଁ ଆତ୍ମବଳି ଦେଇଥିବା ବ୍ୟକ୍ତି ଜାତୀୟତାର ମାନଦଣ୍ତରେ ଅନ୍ୟପାଇଁ ଆଦର୍ଶ ହୁଅନ୍ତି ।

ଜାତୀୟତାର ଅବଧାରଣା ବିଶ୍ୱ ଇତିହାସରେ ଜାତୀୟତାର ଉନ୍ମେଷ ବିଶେଷ ପୁରୁଣା ନୁହେଁ । ମଧ୍ୟଯୁଗର ଶେଷ ବେଳକୁ ଏହା ପ୍ରଥମେ ୟୁରୋପରେ ବିକାଶ ଲାଭ କଲା ଏବଂ ତାକୁ ଭିତ୍ତି କରି ଆଧୁନିକ ରାଜ୍ୟ ରାଷ୍ଟ୍ରମାନ ଗଠିତ ହେଲେ । ଯେତେବେଳେ ବିଭିନ୍ନ କାରଣରୁ ଲୋକ ବାହାରକୁ ଗଲେ, ସେମାନେ ଦେଖିଲେ ଭାଷା, ସଂସ୍କୃତି ଏବଂ ଭୌଗୋଳିକ ପରିସୀମା ଦୃଷ୍ଟିରୁ ଗୋଟାଏ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅନ୍ୟ ଅଞ୍ଚଳ ତୁଳନାରେ ଅନେକ ସମତା ରହିଥାଏ । ସେହି ଆଧାରରେ ସେମାନେ ନିଜକୁ ଗୋଟିଏ ଜାତି ଓ ଅନ୍ୟଠାରୁ ଅଲଗା ବୋଲି ପରିଚୟ ଦେଲେ । ନିଜ ଅଞ୍ଚଳ ବାହାରକୁ ଗଲା ପରେ ଯେଉଁ ଅସୁରକ୍ଷା ଭାବ ଓ ସଂକଟର ସ୍ଥିତି ଅନୁଭୂତ ହୁଏ, ତା'ର ସମ୍ମୁଖୀନ ହେବା ଲାଗି ସେମାନେ ଜାତି ନାଁରେ ଗୋଷ୍ଠୀଭୁକ୍ତ ହେଲେ । ଜାତି ପରିଚୟ ସେମାନଙ୍କୁ ସୁରକ୍ଷା ପ୍ରଦାନ କଲା । ଫରାସୀ ଭାଷାଭାଷୀ ଲୋକେ ନିଜକୁ ଫରାସୀ ଜାତି ବୋଲି ପରିଚୟ ଦେଲେ; ଇଂରାଜୀ ଭାଷା-ଭାଷୀ ଲୋକେ କହିଲେ, ସେମାନେ ଇଂରେଜ ଜାତି । ବିବାଦ ସୃଷ୍ଟି ହେଲେ, ଜିଣିବା ସକାଶେ ଜାତୀୟତା ଆଧାରରେ ପକ୍ଷମାନ ଗଠିତ ହେଲା । ପରେ ରାଜା ରାଜାଙ୍କ ମଧ୍ୟରେ କଳହ ହେଲେ ବି ତାକୁ ଜାତି କଳହର ରୂପ ଦିଆଗଲା । ଫଳରେ ରାଜାଙ୍କୁ ସ୍ୱଦେଶର ଲୋକ ସମର୍ଥନ ମିଳିବା ସହଜ ହେଲା । ସେହି ସମୟଠାରୁ ଆଜି ଏକବିଂଶ ଶତାବ୍ଦୀଯାଏ ଜାତୀୟତା ବିଶ୍ୱ ରାଜନୀତିର ପ୍ରମୁଖ ସ୍ୱର ହୋଇଛି । ଆଧୁନିକ ରାଜ୍ୟ-ରାଷ୍ଟ୍ରର କଳା, ଇତିହାସ, ବିଜ୍ଞାନ, ପ୍ରଯୁକ୍ତି, ସବୁଥିରେ ଜାତୀୟତାର ବ୍ୟାପକ ପ୍ରଭାବ ରହିଆସିଛି । ଅର୍ଥାତ୍‍ କଳାକାର ରାଷ୍ଟ୍ର ହିତକୁ ଉପେକ୍ଷା କରି କଳା କଥା ଚିନ୍ତା କରେ । ଅଥବା ବୈଜ୍ଞାନିକପାଇଁ ଜାତୀୟତାକୁ ଗୌଣ ବିଚାର କରିବା ସଂଭବ ହୁଏ ନାହିଁ । ଏପରିକି ଖେଳରେ ମଧ୍ୟ ଜାତୀୟତାବାଦର ପ୍ରଭାବ ପ୍ରଚ୍ଛନ୍ନ ଭାବରେ ରହିଥାଏ । ପ୍ରାୟତଃ ଦେଖାଯାଇଛି ଯେ, ଜାତୀୟତାର ସ୍ୱରୂପ ନେତୃତ୍ୱର ଦୃଷ୍ଟିକୋଣ ଉପରେ ନିର୍ଭରଶୀଳ ରହେ । ନେତୃତ୍ୱ ତାକୁ ଯେଉଁ ଦିଗରେ ବ୍ୟବହାର କରେ, ତାହା ସେହି ଦିଗରେ ବ୍ୟବହୃତ ହୁଏ । ଅର୍ଥାତ୍‍ ନେତୃତ୍ୱ ନାମକ ଏକ ଛୋଟ ଗୋଷ୍ଠୀ ଓ ତାର ସ୍ୱାର୍ଥକୁ ଜାତୀୟ ଗୋଷ୍ଠୀ ଓ ଜାତୀୟ ସ୍ୱାର୍ଥ ନାମରେ ଅଧିକ ମହତ୍ତ୍ୱ ମିଳିବାର ଆଶଙ୍କା ଜାତୀୟତାରେ ରହିଥାଏ । ଉଦାହରଣ ସ୍ୱରୂପ, ଇଉରୋପରେ ଊନବିଂଶ ଶତାବ୍ଦୀରେ ପୁଞ୍ଜିବାଦୀ ଓ ଉପନିବେଶବାଦୀ ବିକାଶ ସମ୍ଭବ ହେଲା ଏବଂ ତା'ପାଇଁ ଜାତୀୟତାକୁ ଅସ୍ତ୍ର ଭଳି ବ୍ୟବହାର କରାଯାଇଥିଲା । ଇଂରେଜମାନେ ନିଜ ଦେଶର ପୁଞ୍ଜିବାଦୀ ବିକାଶ ନିମନ୍ତେ ଏସିଆରେ ଏବଂ ବିଶେଷକରି ଭାରତବର୍ଷରେ ସାମ୍ରାଜ୍ୟ ବିସ୍ତାର କଲେ ଏବଂ ସେହି ପ୍ରକ୍ରିୟାରେ ଆର୍ଥିକ ଶୋଷଣ, ଅନ୍ୟାୟ ଓ ଅତ୍ୟାଚାର କଲେ । ଏ ସବୁ ପଛରେ ଇଂରେଜ ଜାତୀୟତାର ଆର୍ଥିକ ସମର୍ଥନ ରହିଥିଲା । ଏହି ଦୃଷ୍ଟିରୁ ଦେଖିଲେ, ସେତେବେଳେ ଇଂରେଜ ଜାତୀୟତା ପ୍ରାୟତଃ ଭାରତୀୟ ଜାତୀୟ ସ୍ୱାର୍ଥର ପରିପନ୍ଥୀ ପ୍ରମାଣିତ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀର ନାଜିବାଦ ଲକ୍ଷ ଲକ୍ଷ ଇହୁଦୀ ଏବଂ ଅନ୍ୟ ନାଜି ବିରୋଧୀମାନଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଲା । ନାଜିବାଦର ନେତୃତ୍ୱ ରହିଥିଲା ହିଟ୍‍ଲରଙ୍କ ହାତରେ । ଜର୍ମାନୀକୁ ବିଶ୍ୱର ଶ୍ରେଷ୍ଠ ରାଷ୍ଟ୍ର କରି ଗଢ଼ିବା ନାଁରେ ସେ ନାଜିବାଦକୁ ଯଥାର୍ଥ ବୋଲି କହୁଥିଲେ । ନାଜିବାଦର ହିଂସ୍ରତା ପଛରେ ଉଗ୍ର ଜାତୀୟତାବାଦ ଆହୁତି ପରି କାମ କରୁଥିଲା । ଅନ୍ୟଥା ଜଣେ ବ୍ୟକ୍ତି ଭାବରେ ହିଟଲର୍‍ ପାଖରେ ଏତେ ଅଧିକ ମାତ୍ରାରେ ଜଘନ୍ୟ କାମ କରିବାର ସାମର୍ଥ୍ୟ ବା ଆସନ୍ତା କେମିତି ?

ବିଶ୍ୱ ଇତିହାସରେ ଅନେକ ଉଦାହରଣ ରହିଛି, ଯେଉଁଠି ଜାତୀୟତା ଏକ ନକାରାତ୍ମକ ଭୂମିକା ଗ୍ରହଣ କରିଛି । ଆହୁରି ଅନେକ ଉଦାହରଣ ଅଛି, ଯେଉଁଠି ଜାତୀୟତାର ଭୂମିକା ମୋଟାମୋଟି ଭାବରେ ସକାରାତ୍ମକ । ତର୍ଜମା କଲେ ଜଣାପଡେ଼ ଯେ, ଉପନିବେଶବାଦ ଓ ସାମ୍ରାଜ୍ୟବାଦଦ୍ୱାରା ତ୍ରସ୍ତ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାର ଦେଶଗୁଡ଼ିକରେ ଜାତୀୟତାର ମୁଖ୍ୟ ସ୍ୱର ହେଲା ମାନବବାଦ । ଏହା ସକାରାତ୍ମକ । ଏହି ଦେଶଗୁଡ଼ିକରେ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଜାତୀୟତା ଆନ୍ଦୋଳନ ଆରମ୍ଭ ହେଲା । ଏହାର ଗୋଟିଏ ଚରିତ୍ର ହେଲା ସାମାଜିକ ମୁକ୍ତିକାମନା । ଭାରତରେ ଜାତୀୟତା ଆନ୍ଦୋଳନ ଇଂରେଜ ଶକ୍ତିର ବିରୋଧ କରିବା ସହିତ ସାମନ୍ତବାଦୀ ରୂଢ଼ିବାଦିତା, ସାମାଜିକ କୁସଂସ୍କାର, ନିରକ୍ଷରତା, ଜାତିବାଦ ଓ ପୁରୁଷତାନ୍ତ୍ରିକତା ଆଦି ଅନ୍ତରୀଣ ଜଡ଼ତାରୁ ବିମୁକ୍ତିପାଇଁ ସଂଗ୍ରାମ କଲା । ଭାରତର ଦୁର୍ଦ୍ଦଶାପାଇଁ ଇଂରେଜ ଶାସନ ପରି ସାମାଜିକ ରୂଢ଼ିବାଦିତା ଓ ଜଡ଼ତା ଦାୟୀ ବୋଲି ଆମ ଜାତୀୟତାବାଦୀ ନେତୃବୃନ୍ଦ ହୃଦବୋଧ କଲେ । ୧୯୪୭ରେ ଇଂରେଜ ଉପନିବେଶବାଦ କବଳରୁ ମୁକ୍ତି ପାଇ ଭାରତ ସ୍ୱାଧୀନ ହେଲା । ଏହା ପଛରେ ବଡ଼ କାରଣ ଥିଲା ଜାତୀୟତା ଆନ୍ଦୋଳନ । ସେଥିପାଇଁ ଭାରତରେ ଜାତୀୟତା ଆନ୍ଦୋଳନକୁ ସ୍ୱାଧୀନତା ସଂଗ୍ରାମ ମଧ୍ୟ କୁହାଯାଏ । ଜାତୀୟତା ଆଧାରରେ ଲୋକ ଏକତାବଦ୍ଧ ହେଲେ ଏବଂ ଜାତୀୟ ମୁକ୍ତିପାଇଁ ବିଦେଶୀ ଶାସକ ବିରୋଧରେ ସଂଗ୍ରାମ କଲେ । ଏହା ସହିତ, ଜାତୀୟତା ଆନ୍ଦୋଳନ ସମୟରେ ଭାରତରେ ଏକ ଆଧୁନିକ ରାଷ୍ଟ୍ରଗଠନର ପ୍ରକ୍ରିୟା ଆରମ୍ଭ ହେଲା । କେବଳ ସେତିକି ନୁହେଁ, ଆମ ନେତୃବୃନ୍ଦ ଜାତୀୟତାକୁ ବିଶ୍ୱମାନବିକତାର ପରିପୂରକ ବୋଲି ଦିଗ୍‍ଦର୍ଶନ ଦେଲେ । ଏହି କାରଣରୁ ମହାତ୍ମାଗାନ୍ଧୀଙ୍କ ଭଳି ଭାରତୀୟ ଜାତୀୟତାବାଦୀ ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକା ତଥା ଯୁକ୍ତରାଷ୍ଟ୍ର ଆମେରିକାରେ ରଂଗଭେଦବିରୋଧୀ ଆନ୍ଦୋଳନ ନିମନ୍ତେ ପ୍ରେରଣାର ସ୍ରୋତ ହୋଇଛନ୍ତି । କେବଳ ମହାତ୍ମାଗାନ୍ଧୀ କାହିଁକି, ଓଡ଼ିଶାର ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରୁଥିବା ଗୋପବନ୍ଧୁ ଦାସଙ୍କ ପରି ଜଣେ ଜାତୀୟତାବାଦୀଙ୍କ ବିଚାରକୁ ଯଦି ଆଜି ତର୍ଜମା କରାଯାଏ, ସିଦ୍ଧ ହେବ ଯେ ସର୍ବଦା ବିଶ୍ୱମାନବିକତା ହିଁ ତାଙ୍କର ଉପଜୀବ୍ୟ ଥିଲା ।

ମୋଟ କଥା ହେଲା, ଜାତୀୟତା ହେଉଛି ଆଧୁନିକ ବିଶ୍ୱ ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ବାସ୍ତବିକତା । ସମକାଳୀନ ପ୍ରତ୍ୟେକ ଇତିହାସରେ ତା'ର ପ୍ରଭାବ ଦେଖିବାକୁ ମିଳେ । ଦ୍ୱିତୀୟ, ସମାଜର ମଧ୍ୟବର୍ଗୀୟ ଶିକ୍ଷିତ ବୁଦ୍ଧିଜୀବୀ ହାତରେ ଜାତୀୟତାର ନିୟନ୍ତ୍ରଣ ରହିଥାଏ । ନେତୃବର୍ଗର ଦୃଷ୍ଟିକୋଣକୁ ଆଧାର କରି ଜାତୀୟତାର ସ୍ୱରୂପ ନିର୍ଦ୍ଧାରିତ ହୁଏ । ଯେଉଁ ନେତୃବର୍ଗ ଲୋକଙ୍କର ସମୂହ ସ୍ୱାର୍ଥକୁ ମହତ୍ତ୍ୱ ଦିଅନ୍ତି, ସେହି ସମାଜରେ ଜାତୀୟତା ଏକ ସୁସ୍ଥ, ସ୍ୱାବଲମ୍ବୀ ପରିବେଶ ନିର୍ମାଣରେ ଅଗ୍ରଣୀ ଭୂମିକା ନିଏ । ଭାରତରେ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ କତିପୟ ମଧ୍ୟ-ବର୍ଗୀୟ ଶିକ୍ଷିତ ଲୋକଙ୍କ ପ୍ରଚେଷ୍ଟାରେ ଯେଉଁ ଜାତୀୟତାର ଉନ୍ମେଷ ଘଟିଥିଲା; ତାହା ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନ ବେଳକୁ ଛାତ୍ର, ଯୁବକ, ଚାଷୀ, ମଜୁରିଆ,ସିପାହୀ, ମହିଳା ଭଳି ଅତି ସାଧାରଣ ସ୍ତରକୁ ବିସ୍ତାର ଲାଭ କଲା । ୧୮୮୫ ମସିହାରେ ଜାତୀୟ କଂଗ୍ରେସ ପ୍ରତିଷ୍ଠା ସମୟରେ ଭାରତୀୟ ଜାତୀୟତା, ଇଂରେଜ ସରକାର ଆଗରେ ହାରି ଗୁହାରି ହୋଇ ଜାତୀୟ ଉନ୍ନତି କରିବ ବୋଲି ଆଶା ପୋଷଣ କରିଥିଲା । ମାତ୍ର ୧୯୪୨ ମସିହା ବେଳକୁ ଗଣ ସମର୍ଥନଯୋଗୁଁ ଏହା ଋଦ୍ଧିମନ୍ତ ହେଲା ଓ ଇଂରେଜ ସରକାରକୁ 'ଭାରତ ଛାଡ଼' ବୋଲି କଡା ନିର୍ଦ୍ଦେଶ ଦେଲା । ଗଣ ସମର୍ଥନ ମିଳିବା ପଛରେ ଏକ ପ୍ରମୁଖ କାରଣ ଥିଲା ନେତୃତ୍ୱର ଦୂରଦୃଷ୍ଟି । ଜାତୀୟତାର ଉନ୍ମେଷଠାରୁ ଆରମ୍ଭ କରି ଗଣ ଆନ୍ଦୋଳନ ଏବଂ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଯେଉଁ ଦୀର୍ଘ କାଳାଂଶ, ଅଗଣିତ ଘଟଣାବଳୀ, ତାହା ହେଲା ଜାତୀୟତା ଆନ୍ଦୋଳନର ମେରୁଦଣ୍ତ । ତହିଁରେ ନା ଉନ୍ମେଷକାଳ କମ୍‍ ମହତ୍ତ୍ୱପୂର୍ଣ୍ଣ ନା ସ୍ୱାଧୀନତାପ୍ରାପ୍ତି ଅଧିକ ମହତ୍ତ୍ୱପୂର୍ଣ୍ଣ । ସବୁଗୁଡ଼ିକ ମିଶି ଆନ୍ଦୋଳନର ଦୈର୍ଘ୍ୟ ନିରୂପଣ କରିଛନ୍ତି; ସବୁଗୁଡ଼ିକ ଗୋଟାଏ ଆନ୍ଦୋଳନର ଅଂଶବିଶେଷ । ପ୍ରତ୍ୟେକ ଅଂଶର ପୁଣି ବିଶେଷ ମହତ୍ତ୍ୱମାନ ରହିଛି । ଆନ୍ଦୋଳନର ସାମଗ୍ରିକ ରୂପକୁ ଜାଣିବାକୁ ହେଲେ ଖଣ୍ତଗୁଡ଼ିକର ବୈଶିଷ୍ଟ୍ୟକୁ ବୁଝିବା ଆବଶ୍ୟକ । ପୁଣି, ଗୋଟାଏ ଖଣ୍ତକୁ ବୁଝିବା ନାଁରେ ଅନ୍ୟ ଖଣ୍ତଗୁଡ଼ିକୁ ଗୌଣ ପ୍ରତିପାଦନ କରାଯାଇ ନପାରେ । ଇତିହାସର ସେହିଭଳି ଖଣ୍ତିତ ଅଧ୍ୟୟନ ନା ଇତିହାସ ସମ୍ମତ, ନା ଆମୋଦଦାୟୀ ! ବରଂ ପ୍ରକାରାନ୍ତରେ ତାହା ଆମର ଦୂରଦୃଷ୍ଟିଶୂନ୍ୟତାକୁ ପରିସ୍ଫୁଟ କରେ ।
ଭାରତ ହେଲା ଏକ ବହୁ ଅଞ୍ଚଳବିଶିଷ୍ଟ କ୍ଷେତ୍ରର ସାମୂହିକ ନାମ । ତହିଁରେ ଅନେକ ଆଞ୍ଚଳିକ ଭାଷା, ଅନେକ ସଂସ୍କୃତି, ଅନେକ ଧର୍ମ ଏବଂ ଅନେକ ବର୍ଣ୍ଣ । ଜାତୀୟତାର ଚେର ଏହି ବିସ୍ତୃତ କ୍ଷେତ୍ରର କୋଣ ଅନୁକୋଣକୁ ପରିବ୍ୟାପ୍ତ । ଅନ୍ୟଥା ଆନ୍ଦୋଳନ ଗଣାଭିମୁଖୀ ହୋଇ ପାରିନଥାନ୍ତା । ଅର୍ଥାତ୍‍ ଜାତୀୟତାର ବିଚାରଧାରାକୁ ଲୋକଙ୍କ ଉପରେ ଲଦି ଦିଆଯାଇ ନାହିଁ । ସାଂପ୍ରତିକ ସ୍ଥିତିରେ ଲୋକ ଜାତୀୟତାକୁ ଆଦର୍ଶ ସମାଜ ଗଢ଼ିବା ଲାଗି ମାଧ୍ୟମ ମନେ କରୁଥିଲେ । ଏହା ଜାତୀୟତା ଆନ୍ଦୋଳନକୁ ବିସ୍ତାରିତ ହେବାଲାଗି ସହଯୋଗ କଲା ।

ଭାରତରେ ଜାତୀୟତା ଆନ୍ଦୋଳନ ବିବିଧତାପୂର୍ଣ୍ଣ । ଲୋକ ନିଜ ନିଜ ସ୍ତରରେ ତାକୁ ନେଇ ପରିକଳ୍ପନାମାନ କରିଛନ୍ତି । ଜାତୀୟତାର ମୁଖ୍ୟ ସ୍ୱର ବ୍ରିଟିଶ ଉପନିବେଶବାଦୀ ବିରୋଧୀ ହେଲା ପରେ ବି, ଆଞ୍ଚଳିକ ସ୍ତରରେ ତା'ର ବୈଶିଷ୍ଟ୍ୟ ଭିନ୍ନ ଭିନ୍ନ । ପ୍ରାନ୍ତୀୟ ସ୍ତରରେ ଆନ୍ଦୋଳନ ବା ଜାତୀୟତାର ବିଚାରଧାରାକୁ ଆଉ କାହାରି ନକଲ ବୋଲି କୁହାଯାଇ ନ ପାରେ । ଆଞ୍ଚଳିକ ସ୍ତରର ନେତୃବୃନ୍ଦ ରାଷ୍ଟ୍ର ଗଠନର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସୃଜନଶୀଳ ଢଙ୍ଗରେ ଆନ୍ଦୋଳନକୁ ବିସ୍ତାରିତ କରିବାପାଇଁ ପ୍ରୟାସ କରିଛନ୍ତି । ଆଞ୍ଚଳିକ ବୈଶିଷ୍ଟ୍ୟ ଜାତୀୟତାକୁ ରଂଗରୂପ ଦେଇଛି, ଶକ୍ତି ଦେଇଛି ତଥା ଋଦ୍ଧିମନ୍ତ କରାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଓ ବିସ୍ତାରକୁ ଦେଖାଯାଇପାରେ । ଏହା ଆଞ୍ଚଳିକ ବିବିଧତା ଓ ଜାତୀୟ ଏକତା ମଧ୍ୟରେ ରହିଥିବା ପାରସ୍ପରିକ ପରିପୂରକତାକୁ ଅନୁଭବ କରିବାରେ ସହାୟକ ହେବ ।

ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଯେତେବେଳେ ଓଡ଼ିଶାର ବିଭିନ୍ନ ଗଡ଼ଜାତ ଓ ଜମିଦାରୀ କ୍ଷେତ୍ରରେ ଆଦିବାସୀ ପ୍ରଜା ଓ ରୟତମାନେ ଇଂରେଜ ଶାସନ ବିରୋଧରେ ଏବଂ ସେହି ଶାସନର ଢାଲ ରୂପେ କାର୍ଯ୍ୟ କରୁଥିବା ରାଜା-ଜମିଦାରମାନଙ୍କ ବିରୋଧରେ ବିଦ୍ରୋହ କଲେ, ସେହି ସମୟରେ ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀ ମଧ୍ୟ ଔପନିବେଶିକ ବ୍ୟବସ୍ଥା ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କଲେ । ଏହି ପ୍ରତିକ୍ରିୟାରୁ ଜାତୀୟତାର ଉନ୍ମେଷ ଘଟିଲା । ବିଦ୍ରୋହ ଓ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା ମଧ୍ୟରେ ସମନ୍ୱୟ ନ ଥିଲା, କାରଣ ବୁଦ୍ଧିଜୀବୀର ପ୍ରତିକ୍ରିୟା ପାରମ୍ପରିକ ମାଧ୍ୟମଗୁଡ଼ିକୁ ବ୍ୟବହାର ନକରି ଏକ ନୂଆ ରାଜନୀତିକ ସଂଗ୍ରାମର ଅୟମାରମ୍ଭ କରୁଥିଲା । ଏହି ସଂଗ୍ରାମରେ ପାଶ୍ଚାତ୍ୟ ଚେତନାର ପ୍ରଭାବ ରହିଥିଲା । ଉପନିବେଶବାଦ ଭଳି ଏକ ନୂଆ ସମସ୍ୟାର ସମ୍ମୁଖୀନ ହେବାଲାଗି ଏହାର ଆବଶ୍ୟକତା ଥିଲା । ପାରମ୍ପରିକ ମାଧ୍ୟମଗୁଡ଼ିକ ଉପନିବେଶବାଦ ବିରୁଦ୍ଧରେ ଲଢ଼ିବାଲାଗି ଯଥେଷ୍ଟ ନୁହନ୍ତି ବୋଲି ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀବର୍ଗ ଅନୁଭବରୁ ବୁଝି ପାରିଥିଲେ । ଊନବିଂଶ ଶତାବ୍ଦୀରେ ସମଗ୍ର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳ ଏକ ଶାସନାଧୀନ ନଥିଲା । ଦକ୍ଷିଣାଞ୍ଚଳ ମାଡ଼୍ରାସ୍‍ ପ୍ରେସିଡେନ୍‍ସିରେ ଓ ପଶ୍ଚିମାଞ୍ଚଳ କେନ୍ଦ୍ର ପ୍ରଦେଶ (ସେଣ୍ଟ୍ରାଲ୍‍ ପ୍ରଭିନସ)ରେ ଏବଂ ଓଡ଼ିଶା ଡିଭିଜନ ନାମରେ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲା ବଂଗ ପ୍ରେସିଡେନ୍‍ସିରେ ଅନ୍ତର୍ଭୁକ୍ତ ହୋଇ ରହିଥିଲା । ଏହା ଫଳରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଲୌକିକ ସ୍ତରରେ ଓଡ଼ିଶା ବୋଲି କୁହାଯାଉଥିଲେ ସୁଦ୍ଧା, ଏହି ନାମକୁ ସରକାରୀ ମାନ୍ୟତା ମିଳି ନଥିଲା । ଶିକ୍ଷିତ ବୁଦ୍ଧିଜୀବୀ ବର୍ଗ ସମଗ୍ର ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ଏକତାବଦ୍ଧ କରିବାକୁ ସଂଗଠନମାନ କରୁଥିଲେ, ସଭାସମିତି ଆୟୋଜନ କରୁଥିଲେ ତଥା ପତ୍ରପତ୍ରିକାର ତଦ୍ରୂପ ବିଚାର ଆଲୋଚନା କରୁଥିଲେ । ବୁଦ୍ଧିଜୀବୀ ବର୍ଗର ଏହି ସମସ୍ତ କାର୍ଯ୍ୟାବଳୀକୁ ଓଡ଼ିଶାରେ ଜାତୀୟତାର ଉନ୍ମେଷ ପରିପ୍ରେକ୍ଷୀରେ ଦେଖାଯାଇପାରେ । ୧୯୦୫ ମସିହାରେ ସମ୍ବଲପୁର ନାମରେ ପରିଚିତ ପଶ୍ଚିମାଞ୍ଚଳ କେନ୍ଦ୍ର ପ୍ରଦେଶରୁ ଆସି ଓଡ଼ିଶା ଡିଭିଜନରେ ମିଶିଲା । ୧୯୧୨ରେ ବଂଗ ପ୍ରେସିଡେନ୍‍ସିରୁ ସ୍ୱତନ୍ତ୍ର ବିହାର ଓ ଓଡ଼ିଶା ପ୍ରଦେଶ ଗଠିତ ହେଲା । ୧୯୩୬ ଏପ୍ରିଲ୍‍ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ ହେଲା । ଏଥିରେ ମାଡ଼୍ରାସ୍‍ ପ୍ରେସିଡେନ୍‍ସିରୁ ଗଞ୍ଜାମକୁ କାଢ଼ିଆଣି ସଂଲଗ୍ନ କରାଗଲା । ଏବେ ବି ଷଢେଇକଳା, ଖରସୁଆଁ ଆଦି କିଛି ଓଡ଼ିଆ ଭାଷାଭାଷୀ କ୍ଷେତ୍ର ଓଡ଼ିଶାରେ ମିଶ୍ରିତ ହୋଇ ନାହାନ୍ତି । ଏହା ସତ୍ତ୍ୱେ ଓଡ଼ିଆ ଅସ୍ମିତାନିମନ୍ତେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଗ୍ରହଣ କରାଯାଏ ।

ଯେଉଁ କେତୋଟି ସାମାଜିକ ସଂକଟଯୋଗୁଁ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଏକ ଆବଶ୍ୟକତା ହୋଇ ପଡ଼ିଲା, ତନ୍ମଧ୍ୟରେ ପ୍ରମୁଖ ହେଲା ୧୮୬୫-୬୬ ମସିହାର ନଅଙ୍କ ଦୁର୍ଭିିକ୍ଷ । ଗଞ୍ଜାମ, ପୁରୀ, କଟକ ଓ ବାଲେଶ୍ୱର ଜିଲ୍ଲା ଏବଂ ତତ୍‍ସଂଲଗ୍ନ ଗଡ଼ଜାତ ମହଲରେ ଦୁର୍ଭିିକ୍ଷର କରାଳ ଛାୟା ଦେଖିବାକୁ ମିଳିଥିଲା । ଉକ୍ତ ଅଞ୍ଚଳରେ ଏହି ସମୟରେ ମୋଟ୍‍ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନି ଘଟିଥିଲା । ସେତେବେଳେ ଉଦ୍ଦିଷ୍ଟ କ୍ଷେତ୍ରର ମୋଟ ଜନସଂଖ୍ୟା ଥିଲା ପ୍ରାୟ ୩୭ ଲକ୍ଷ । କେବଳ କଟକ ଜିଲ୍ଲାରେ ମୋଟ ପନ୍ଦର ଲକ୍ଷ ଜନସଂଖ୍ୟାରୁ ପ୍ରାୟ ଚାରି ଲକ୍ଷ ଲୋକ ଅନାହାରରେ ମୃତ୍ୟୁବରଣ କଲେ ଏବଂ ୫୩ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟକ ଲୋକ ଉଦ୍‍ବାସ୍ତୁ ହେଲେ, ଯାହାଙ୍କର ପରେ ମଧ୍ୟ କୌଣସି ଖୋଜଖବର ରହିଲା ନାହିଁ । ଫକୀରମୋହନ ସେନାପତି (୧୮୪୩-୧୯୧୮) ଥିଲେ ନଅଙ୍କ ଦୁର୍ଭିିକ୍ଷର ପ୍ରତ୍ୟକ୍ଷଦର୍ଶୀ । ତାଙ୍କ ହିସାବ ଅନୁଯାୟୀ, ଦୁର୍ଭିିକ୍ଷରେ ଅନ୍ୟୂନ ତିରିଶ ଲକ୍ଷ ପ୍ରାଣୀଙ୍କର ଅନାହାରରେ ଅଥବା ଅଖାଦ୍ୟ ଖାଇ ପ୍ରାଣହାନି ଘଟିଥିଲା । ମୃତ୍ୟୁବରଣ କରିଥିବା ଗୋରୁ ଗାଈ ଆଦି ଇତର ପ୍ରାଣୀଙ୍କର ଯଦି ହିସାବ ନିଆଯାଏ, ଏହା ଆଦୌ ଅତିରଞ୍ଜିତ ମନେ ହୁଏ ନାହିଁ ।

ଦୁର୍ଭିିକ୍ଷ ପଛର ପ୍ରମୁଖ କାରଣ ହେଲା ଯେ, ୧୮୬୫ ପୂର୍ବରୁ ଛଅ ବର୍ଷ ଧରି ହାରାହାରି ୨୦,୦୦୦ଟନ୍‍ ଚାଉଳରୁ ଅଧିକ ଓଡ଼ିଶାରୁ ବ୍ୟବସାୟୀମାନେ ରପ୍ତାନି କରି ନେଉଥିଲେ । ୧୮୬୪ରେ ମଧ୍ୟ ଅନ୍ୟୂନ ୩୩,୦୦୦ଟନ୍‍ ଚାଉଳ ରପ୍ତାନି ହୋଇଥିଲା । ଅର୍ଥାତ୍‍ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାସକାଶେ ଓଡ଼ିଶା ବଜାରରେ ଚାଉଳର ଘୋର ଅଭାବ ରହିଥିଲା । ଏହି ସମସ୍ୟା ବହୁଗୁଣିତ ହେଲା, କାରଣ ଅନାବୃଷ୍ଟିଯୋଗୁଁ ଯେତେବେଳେ ସ୍ଥାନୀୟ ବଜାରରେ ଚାଉଳର ଆବଶ୍ୟକତା ପଡ଼ିଲା, ବାହାରୁ ଓଡ଼ିଶାକୁ ୟାତାୟାତର ଅସୁବିଧାଯୋଗୁଁ କିଛି ଆମଦାନୀ ହୋଇ ପାରିଲା ନାହିଁ । ଏହାକୁ କୁହାଯିବ ଉପନିବେଶବାଦୀ ଆର୍ଥିକ ଶୋଷଣ, ଯାହା ସାଧାରଣ ଲୋକଙ୍କୁ ନିଃସ୍ୱ, ଅନ୍ତଃସାରଶୂନ୍ୟ କରି ଦେଇଥିଲା । ଲୋକେ ଅନାବୃଷ୍ଟି କିମ୍ବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରିନେବାର ସାମର୍ଥ୍ୟ ରଖି ନଥିଲେ । ସରକାର ବଜାର ମାମଲାରେ ଉଦାରବାଦୀ ନୀତି ଅନୁସରଣ କରିଥିଲେ । ଅର୍ଥାତ୍‍ ଚାଉଳର ରପ୍ତାନିକୁ ବନ୍ଦ କରିବାକୁ କିମ୍ବା ଆମଦାନୀକୁ ପ୍ରୋତ୍ସାହନ ଦେବାକୁ କୌଣସି ପଦକ୍ଷେପ ନେଲେ ନାହିଁ । ଫଳରେ ଧାନ, ଚାଉଳର ଦାମ୍‍ ଆଶାତୀତ ଭାବରେ ବୃଦ୍ଧିପାଇଲା । ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ସମାଜ ପାଖରେ ଟଙ୍କା ପଇସା ବା କାହିଁ ଯେ ବଜାରରୁ ଚଢ଼ା ଦାମ୍‍ରେ ଚାଉଳ କିଣିବ ? ୧୮୬୫ ସେପ୍ଟେମ୍ବରରୁ ଆଉ ବର୍ଷା ହେଲା ନାହିଁ । ଲୋକେ ଦାରୁଣ ଦୁର୍ଭିିକ୍ଷର ଶିକାର ହେଲେ । ଦୁର୍ଭିିକ୍ଷ ସାଂଘାତିକ ରୂପ ନେବା ପଛରେ ଅନ୍ୟ ଏକ କାରଣ ହେଲା, ବିଦେଶୀ ସରକାରଙ୍କ ଉଦାସୀନତା ଓ ତଳତଳିଆ କର୍ମଚାରୀଙ୍କ ସ୍ଥାନୀୟ ସମସ୍ୟା ପ୍ରତି ସଂବେଦନଶୂନ୍ୟତା । ଓଡ଼ିଆ ଲୋକଙ୍କ ମଧ୍ୟରେ ଆଧୁନିକ ଶିକ୍ଷାର ଅଭାବଯୋଗୁଁ ପଡେ଼ାଶୀ ଭାଷା-ଭାଷୀ ବଙ୍ଗଳା ଲୋକ ଓଡ଼ିଶା ଡିଭିଜନରେ ଏବଂ ତେଲ୍‍ଗୁ ଲୋକ ଗଞ୍ଜାମ ଅଞ୍ଚଳରେ ସରକାରୀ ଅଫିସ୍‍ମାନଙ୍କରେ ତଳ-ତଳିଆ କର୍ମଚାରୀ ଭାବରେ ଚାକିରି କରୁଥିଲେ । ଜମିଦାରୀଗୁଡ଼ିକ ମଧ୍ୟ ସ୍ଥାନୀୟ ଜମିଦାରମାନଙ୍କ ହାତରୁ ଚାଲି ଯାଇଥିଲା । ଏହି ଅଣ-ଓଡ଼ିଆ ଅଧସ୍ତନ କର୍ମଚାରୀ ଓ ଜମିଦାରମାନେ ସ୍ଥାନୀୟ ସମାଜର ଦୁଃଖଦୁର୍ଦ୍ଦଶା ପ୍ରତି ଆବଶ୍ୟକ ମାତ୍ରାରେ ସଂବେଦନଶୀଳ ନଥିଲେ । ଫଳରେ ଅନାବୃଷ୍ଟିଜନିତ ସଂଭାବ୍ୟ ପରିସ୍ଥିତି ସରକାରଙ୍କ ପାଖରେ ଠିକ୍‍ ରୂପେ ଉପସ୍ଥାପିତ ହୋଇ ପାରିଲା ନାହିଁ । ବରଂ ବ୍ୟକ୍ତି ସ୍ୱାର୍ଥରେ ଜଡ଼ିତ ହୋଇ ସରକାରଙ୍କ ପ୍ରିୟ ପାତ୍ର ହେବା ସକାଶେ ଅଧସ୍ତନ କର୍ମଚାରୀମାନେ ଉପସ୍ଥିତ ପରିସ୍ଥିତିକୁ ସ୍ୱାଭାବିକ ବୋଲି ଯୁକ୍ତି ଉପସ୍ଥାପନ କଲେ । ଉପରିସ୍ଥ କର୍ତ୍ତୃପକ୍ଷ ଚାହିଁବା ସତ୍ତ୍ୱେ ଏଭଳି ଏକ ସାମାଜିକ ସଙ୍କଟ ଓ ବିପର୍ଯ୍ୟୟର ସ୍ଥିତିକୁ ଅନୁମାନ ସୁଦ୍ଧା କରିପାରିଲେ ନାହିଁ ।

ନଅଙ୍କ ଦୁର୍ଭିିକ୍ଷଜନିତ ସାମଜିକ ସଂକଟକୁ ପାଖରୁ ଦେଖିଲା ପରେ ଶିକ୍ଷିତ ବୁଦ୍ଧିଜୀବୀବର୍ଗ ଅନୁଭବ କଲେ ଯେ, ସ୍ଥାନୀୟ ଓଡ଼ିଆ ସମାଜ ଯଦି ଶିକ୍ଷିତ ହୋଇଥାନ୍ତା, ଲୋକଙ୍କୁ ଏହି ଦୁର୍ଗତିର ଶିକାର ହେବାକୁ ପଡ଼ି ନଥାନ୍ତା । ଲୋକେ ପୋକମାଛି ଭଳି ମରି ନଥାନ୍ତେ । ଶିକ୍ଷା ଲୋକଙ୍କୁ ନିଜ ଅବସ୍ଥାକୁ କର୍ତ୍ତୃପକ୍ଷଙ୍କ ଆଗରେ ଅଭିବ୍ୟକ୍ତ କରିବା ସକାଶେ ଭାଷା ଦେଇଥାନ୍ତା । ଶିକ୍ଷା ସମାଜରେ ଲୋକଙ୍କୁ ସମ୍ମାନ ଦେଇଥାନ୍ତା । ଶିକ୍ଷା ପାଇ ଓଡ଼ିଶାର ଲୋକ ସରକାରୀ ଚାକିରି କରୁଥିଲେ, ଓଡ଼ିଶା ସମସ୍ୟା କର୍ତ୍ତୃପକ୍ଷଙ୍କ ଦୃଷ୍ଟିରୁ ବାହାର ହୋଇ ନଥାନ୍ତା । ଶିକ୍ଷିତ ବୁଦ୍ଧିଜୀବୀ ବର୍ଗ ଥିଲେ ସଂଖ୍ୟାନ୍ୟୂନ । ତଥାପି ସାମାଜିକ ସଙ୍କଟର ଅନୁଭବ ସେମାନଙ୍କୁ ଏକ ଗୋଷ୍ଠୀ ରୂପରେ ଗଢ଼ି ହେବାଲାଗି ଅବସର ପ୍ରଦାନ କଲା । ଓଡ଼ିଆ ଭାଷା-ଭାଷୀ ଏବଂ ସଂସ୍କୃତିର ଲୋକ ସମୂହକୁ ଏକ ଜାତି ରୂପରେ ଦେଖିବା ସକାଶେ ମଧ୍ୟ ସୁଯୋଗ ଦେଲା । ଏଣୁ ଏଣିକି ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀବର୍ଗ ସାମୂହିକ ବିକାଶ ଏବଂ ସାମାଜିକ ସଂଗଠନକୁ ଜାତୀୟ କାର୍ଯ୍ୟର ଆଖ୍ୟା ଦେଲେ । ସାମାଜିକ କାର୍ଯ୍ୟକୁ ସେମାନେ ବୌଦ୍ଧିକ ଦାୟିତ୍ୱ ରୂପରେ ଗ୍ରହଣ କରିନେଲେ । ଜାତି, ଧର୍ମ, ବର୍ଣ୍ଣ ଏବଂ ଆଞ୍ଚଳିକ ଭେଦଭାବର ଊର୍ଦ୍ଧ୍ୱରେ ଏକ ସାମୂହିକ ଜାତି ପରିଚୟ ଖୋଜିବାର ଉଦ୍ୟମ ଆରମ୍ଭ ହେଲା ଯାହାକୁ ଜାତୀୟତାର ଉନ୍ମେଷ ବୋଲି ବ୍ୟାଖ୍ୟା କରାଯିବ । ଏଠାରେ ଦୁଇଟି କଥା ସ୍ପଷ୍ଟ ହେବା କଥା । ପ୍ରଥମ, ନଅଙ୍କ ଦୁର୍ଭିିକ୍ଷ ବ୍ୟତୀତ ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ ସଂପର୍କିତ ସମସ୍ୟା ମଧ୍ୟ ଉଲ୍ଲିଖିତ ସାମାଜିକ ସଂକଟକୁ ପ୍ରକଟ କରେ । ଦ୍ୱିତୀୟ, ଯଦିଓ ଜାତୀୟତାର ଉନ୍ମେଷକୁ ଏଠାରେ ଓଡ଼ିଶା ପରିପ୍ରେକ୍ଷୀରେ ଦେଖାଯାଉଛି, ତାହା ହେଲା ମହାଭାରତୀୟ ଜାତୀୟତାର ଏକ ଅଭିନ୍ନ ଅଂଗ । ଏହା ମହାଭାରତୀୟ ଜାତୀୟତାର ବିବିଧତା ଓ ସଂଘୀୟ ରୂପକୁ ଦର୍ଶାଏ । ଦୁର୍ଭିକ୍ଷ ଓ ତଜ୍ଜନିତ ସାମାଜିକ ସଂକଟକୁ ନେଇ ବୁଦ୍ଧିଜୀବୀର ମନୋସ୍ଥିତି ଏବଂ ସାମାଜିକ ସାମୂହିକ କାର୍ଯ୍ୟ ଏକ ବୌଦ୍ଧିକ ଦାୟିତ୍ୱ ବୋଲି ବୁଦ୍ଧିଜୀବୀ ମନରେ ଜନ୍ମ ନେଇଥିବା ଧାରଣାକୁ ବୁଝିବା ସକାଶେ ଏଠାରେ ଦୁଇଟି ଉଦାହରଣକୁ ନିଆଯାଇପାରେ । ଗୋଟାଏ ହେଲା ଫକୀର ମୋହନଙ୍କ ନଅଙ୍କ ଦୁର୍ଭିିକ୍ଷ ସଂପର୍କିତ ମତାମତ । ଏହା ତାଙ୍କର ଆତ୍ମଜୀବନ ଚରିତ (୧୯୧୭) ରେ ସ୍ଥାନିତ । ଦ୍ୱିତୀୟଟି ହେଲା, ଗୋପାଳଚନ୍ଦ୍ର ପ୍ରହରାଜ (୧୮୭୬-୧୯୫୬)ଙ୍କର ଭାଗବତ ଟୁଙ୍ଗୀରେ ସନ୍ଧ୍ୟା (୧୯୦୦)ଉପନ୍ୟାସର ଏକ ଉଦ୍ଧରଣ ।

ଫକୀର ମୋହନ ନଅଙ୍କ ଦୁର୍ଭିିକ୍ଷର ଏକ ବିସ୍ତୃତ ବର୍ଣ୍ଣନା କରିଛନ୍ତି ଏବଂ ତା'ର ସଂଭାବ୍ୟ କାରଣ ଦର୍ଶାଇ ଲେଖିଛନ୍ତି, "ସେ ସମୟର ଉତ୍କଳର ପରମବନ୍ଧୁ ପରମ ସହାୟ ରେଭେନ୍‌ସା ସାହେବ ବୋଧକରେ ନୂତନ କମିସନର ନିଯୁକ୍ତ ହୋଇ ଆସିଥାଆନ୍ତି । ସେପ୍ଟେମ୍ବର କି ଅକ୍ଟୋବର ମାସରେ ଗଭର୍ଣ୍ଣମେଣ୍ଟରୁ କମିସନଙ୍କ ପାଖକୁ ଚିଠି ଆସିଲା- ଅନାବୃଷ୍ଟି ହେତୁରୁ ଓଡ଼ିଶାରେ ଦୁର୍ଭିିକ୍ଷ ଉପସ୍ଥିତ ହେବାର ଖୁବ୍‍ ସମ୍ଭାବନା । ପ୍ରଜାମାନଙ୍କ ରକ୍ଷାନିମନ୍ତେ ଗଭର୍ଣ୍ଣମେଣ୍ଟଙ୍କ ପକ୍ଷରୁ କୌଣସି ଉପାୟ ବିଧାନ କରାଯିବା ଆବଶ୍ୟକ କି ନା ? ଯଦି ପ୍ରୟୋଜନ ହୁଏ, କି ପ୍ରକାର ଉପାୟ ବିଧାନ କରାଯାଇପାରେ ? ଗଭର୍ଣ୍ଣମେଣ୍ଟଙ୍କ ଚିଠିର ଉତ୍ତରଦେବା ସକାଶେ କମିସନର ସାହେବ କଚେରିର ସମସ୍ତ ଅମଲାଙ୍କୁ ବସାଇ ପରାମର୍ଶ କରିବାକୁ ଲାଗିଲେ । ସିରସ୍ତାଦାର ଦୁଇଜଣ କହିଲେ, "ଓଡ଼ିଶାରେ ଦୁର୍ଭିିକ୍ଷ ପଡ଼ିବ, ପଡୁ କିଛି ଚିନ୍ତା ନାହିଁ । ମଫସଲର ଜମିଦାର, ମହାଜନଙ୍କ ଘରେ ଯଥେଷ୍ଟ ଧାନ ମହଜୁଦ୍‍ ଅଛି । ସେଥିରେ ବର୍ଷକ ଚଳିଯାଇପାରେ ।"

"କମିସନର ସାହେବ ବଡ଼ ଭୁଲ କଲେ । ଓଡ଼ିଶାରେ ପ୍ରକୃତରେ ଏତେ ଧାନ ମହଜୁଦ ଅଛି କି ନାହିଁ, ପୁଣି ଯେଉଁମାନଙ୍କ ଘରେ ଧାନ ମହଜୁଦ ଅଛି, ସାଧାରଣ ସଂକଟ ସମୟରେ ସେମାନେ ସେହି ଧାନ ବିକ୍ରୟ ବା ବିତରଣ କରିବେ କି ନାହିଁ, କଥାଟା ଭଲ ରୂପେ ତଦନ୍ତ କରି ଗଭର୍ଣ୍ଣମେଣ୍ଟଙ୍କୁ ଜଣାଇବା ଉଚିତ ଥିଲା । ମାତ୍ର ଉତ୍କଳର ୩୦ ଲକ୍ଷ ପର୍ଯ୍ୟନ୍ତ ମହାପ୍ରାଣୀ ବିନାଶ ଯିବା ଏବଂ ଲଣ୍ତଭଣ୍ତ ହେବା ବିଧିର ବିଧାନ । ଏ ସ୍ଥଳେ କମିସନରଙ୍କୁ ସୁବୁଦ୍ଧି ଆସିବ କାହୁଁ ?" ଫକୀର ମୋହନଙ୍କ ଏହି ବର୍ଣ୍ଣନାରୁ ସିଦ୍ଧ ହୁଏ ଯେ, ଜଣେ ଶିକ୍ଷିତ ବ୍ୟକ୍ତି ଭାବରେ ସେ ତିରିଶ ଲକ୍ଷ ଓଡ଼ିଶାବାସୀଙ୍କ ମୃତ୍ୟୁକୁ ନେଇ ମର୍ମାହତ ହୋଇଛନ୍ତି । ଏହାର କାରଣ ଯଦିଓ ସେ ବିଧିର ବିଧାନ ବୋଲି ବ୍ୟଙ୍ଗାତ୍ମକ ଶୈଳୀରେ କହିଛନ୍ତି, ତାଙ୍କର ଆକ୍ଷେପ ରହିଛି ଅଣ-ଓଡ଼ିଆ ଉଦାସୀନ ଅଧସ୍ତନ ସରକାରୀ କର୍ମଚାରୀ ଏବଂ ଇଂରେଜ କର୍ତ୍ତୃପକ୍ଷଙ୍କ ପ୍ରତି । ତାଙ୍କ ମତରେ 'ପ୍ରଜାମାନଙ୍କ ରକ୍ଷା' ସରକାରଙ୍କ କର୍ତ୍ତବ୍ୟ ଏବଂ ସରକାର ମଧ୍ୟ କର୍ତ୍ତବ୍ୟ ପାଳନପାଇଁ ଇଚ୍ଛୁକ । ମାତ୍ର ତାଙ୍କୁ ସହଯୋଗ ମିଳୁନାହିଁ । ଅର୍ଥାତ୍‍ ସରକାର ଓ ପ୍ରଜାଙ୍କ ମଧ୍ୟରେ ପ୍ରକୃତ ଯୋଗସୂତ୍ରର ଅଭାବଯୋଗୁଁ ଜାତୀୟ ଉନ୍ନତି ସାଧିତ ହୋଇପାରୁ ନାହିଁ । ଜାତୀୟ ଉନ୍ନତିକୁ ନେଇ ବୁଦ୍ଧିଜୀବୀର ଏଭଳି ନୂତନ ଦୃଷ୍ଟିକୋଣ ଏକ ସାମାଜିକ ପରିବର୍ତ୍ତନକୁ ଇଙ୍ଗିତ କଲା । ରାଜା-ରାଜୁଡ଼ାଙ୍କ ବଦଳରେ ପ୍ରଥମ କରି ଏଣିକି ବୁଦ୍ଧିଜୀବୀଙ୍କ ହାତକୁ ସାମାଜିକ ନେତୃତ୍ୱ ଆସିଲା । ରାଜନୀତି ରାଜଦ୍ୱାରରୁ ଆସି ପ୍ରଥମକରି ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଜନପଥରେ ପହଞ୍ଚିବାର ପ୍ରକ୍ରିୟା ଆରମ୍ଭ ହେଲା । ଏହି ଦୃଷ୍ଟିରୁ ମଧ୍ୟ ଜାତୀୟତାର ଉନ୍ମେଷ ଓଡ଼ିଶା ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ହେଲା ।

ସାମାଜିକ ଓ ଜାତୀୟ ଉନ୍ନତି ଶିକ୍ଷିତ ବୁଦ୍ଧିଜୀବୀର ପ୍ରଥମ ଓ ପ୍ରଧାନ ଦାୟିତ୍ୱ । ଏହା ତତ୍‍କାଳୀନ ବୁଦ୍ଧିଜୀବୀ ଗୋପାଳଚନ୍ଦ୍ର ପ୍ରହରାଜ ୧୮୯୦ ଦଶକରେ ତାଙ୍କ ଲିଖିତ ଉପନ୍ୟାସ 'ଭାଗବତ ଟୁଙ୍ଗୀରେ ସନ୍ଧ୍ୟା' ଉପନ୍ୟାସରେ ସୁସ୍ପଷ୍ଟ କରିଛନ୍ତି । ଉପନ୍ୟାସର ଆଦର୍ଶ ଚରିତ୍ର 'ମସ୍ତରାମ' ଜଣେ ବାତୁଳପ୍ରାୟ ବ୍ୟକ୍ତିତ୍ୱ, କାରଣ ବ୍ୟକ୍ତିସ୍ୱାର୍ଥର ଊର୍ଦ୍ଧ୍ୱରେ ରହି ସମାଜପାଇଁ ଚିନ୍ତା କରିବା ହିଁ ତା'ର ପ୍ରମୁଖ କାର୍ଯ୍ୟ । ମସ୍ତରାମର 'ଜୀବନ ସାର୍ଥକ' କାରଣ ସେ ଜଗତପାଇଁ ପ୍ରେମବାୟା । ଲେଖକଙ୍କ ଭାଷାରେ-

"ଆମ୍ଭେମାନେ ଭାବିଲୁ ଯେ, ଦୃଢ଼ ଭାବରେ ସଂସାରର କୌଣସି ବିଷୟ ରାତ୍ରଦିନ ଭାବିଲେ ବାତୁଳ ନହୋଇ ଆଉ କ'ଣ ହେବ ? ଲୋକ ଯେ ପାଗଳ ନ ହୁଅନ୍ତି ଏହା ହିଁ ଆଶ୍ଚର୍ଯ୍ୟର ବିଷୟ । ପୃଥିବୀର ପନ୍ଦର ପଣ ଊଣେଇଶ ଗଣ୍ତା ତିିନିକଡ଼ା ଲୋକଙ୍କ ଦୃଢ଼ ଚିନ୍ତା ନାହିଁ, ଥିଲେ ସଂସାର ବାତୁଳାଶ୍ରମରେ ପରିଣତ ହୋଇଥାନ୍ତା । ପ୍ରକୃତିସ୍ଥ ମନୁଷ୍ୟ ଅନେକ ସମୟରେ ବାତୁଳଠାରୁ ହେୟ, ଘୃଣ୍ୟ, ଅପଦାର୍ଥ । ପାଠକ ! ଥରେ ଭାବି ଦେଖନ୍ତୁ, ମସ୍ତରାମ ଯେଉଁ ଚିତ୍ରଟି ଦେଖାଇଲା ତାହା କେମନ୍ତ ସ୍ୱାଭାବିକ ଓ ନିତ୍ୟ ପ୍ରତ୍ୟକ୍ଷ !"

'ମସ୍ତରାମ' ଚରିତ୍ରର ବାତୁଳତା ପଛରେ ସମାଜ ଚିନ୍ତାକୁ ପ୍ରଥମ କାରଣ ବୋଲି ଲେଖକ ଯୁକ୍ତି କରି ଦର୍ଶାଇଛନ୍ତି ଏବଂ ସଂସାରକୁ 'ସ୍ୱର୍ଗ' କରିବାକୁ ହେଲେ ଅର୍ଥାତ୍‍ ଏକ ଆଦର୍ଶ ସମାଜ ଗଠନ କରିବାକୁ ହେଲେ, ମସ୍ତରାମ ପରି ଅନେକ ବାତୁଳର ଆବଶ୍ୟକତା ରହିଥିବା କଥା କହିଛନ୍ତି । ଉପ୍ୟନ୍ୟାସରେ ମସ୍ତରାମ ହେତୁବାଦୀ, ବିବେକଶୀଳ, ସ୍ୱ-ପାର୍ଥିବ ଚିନ୍ତା ବଦଳରେ ସାମାଜିକ ଚିନ୍ତା ତା'ର ଲକ୍ଷ୍ୟ । ଏହି ଉପନ୍ୟାସର ଅନ୍ୟ ଦୁଇଟି ପ୍ରମୁଖ ଚରିତ୍ର ହେଲେ 'ପଣ୍ତିତ' ଓ 'ମାଷ୍ଟର' । ସେମାନେ ହୁଏତ ପ୍ରାଚ୍ୟ ବା ପାଶ୍ଚାତ୍ୟର ଅଂଧ ଅନୁକରଣ କରନ୍ତି କିମ୍ବା ମିଥ୍ୟା ଗୁଣଗାନ କରନ୍ତି । 'ମସ୍ତରାମ' ଉଭୟଙ୍କଠାରୁ ଊର୍ଦ୍ଧ୍ୱରେ । ଅର୍ଥାତ୍‍ ଲେଖକଙ୍କ ମତରେ, ଶିକ୍ଷିତ ବୁଦ୍ଧିଜୀବୀନିମନ୍ତେ ଏକ ଆବଶ୍ୟକୀୟ ଚରିତ୍ର ହେଲା ପ୍ରାଚ୍ୟ ବା ପାଶ୍ଚାତ୍ୟର ଅଂଧ ଅନୁକରଣ ବା ଅହେତୁକ ସମାଲୋଚନାରୁ ଊର୍ଦ୍ଧ୍ୱରେ ରହି ସ୍ୱ-ସମାଜର ହିତଲାଗି ସାଧନା କରିବା ଆଧୁିକ ଯୁଗରେ ବୁଦ୍ଧିଜୀବୀର ଦାୟିତ୍ୱ ପ୍ରଶ୍ନକୁ ନେଇ ଫକୀର ମୋହନ ଏବଂ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଉକ୍ତ ଅବଧାରଣାକୁ ସମକାଳୀନ ଅନ୍ୟ ବୁଦ୍ଧିଜୀବୀଙ୍କ ଅଭିବ୍ୟକ୍ତି ଓ କାର୍ଯ୍ୟରେ ମଧ୍ୟ ଦେଖିହେବ । ତତ୍‍କାଳୀନ ବୁଦ୍ଧିଜୀବୀମାନଙ୍କର କାର୍ଯ୍ୟପନ୍ଥା ମଧ୍ୟରେ ପାର୍ଥକ୍ୟ ଦେଖାଯାଇ ପାରେ, ମାତ୍ର ସମାଜ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ନେଇ ଦ୍ୱିମତ ହେବାର ନାହିଁ । ଆଧୁିନିକ ପାଶ୍ଚାତ୍ୟ ଶିକ୍ଷାରେ ଭୂଷିତ ଏବଂ ସମାଜ ବା ଜାତି ପ୍ରସଙ୍ଗକୁ ନେଇ ସଦା ଜାଗ୍ରତ ଏହି ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀକୁ ଆମେ ଜାତୀୟତାବାଦୀ ନେତୃତ୍ୱ ନାମରେ ନାମିତ କରିପାରିବା । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ଏକ କ୍ଷୁଦ୍ର ବର୍ଗ ଭାବରେ ଏହି ଗୋଷ୍ଠୀର ବିକାଶ ଆରମ୍ଭ ହେଲା । ଏହା ସହିତ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଘଟିଲା । ଜାତୀୟତାବାଦୀ ନେତୃତ୍ୱ ଓଡ଼ିଆ ଜାତିକୁ ଭାରତୀୟ ମହାଜାତିର ଏକ ଅଭିନ୍ନ ଅଂଶ ରୂପେ ଦେଖୁଥିଲା ଏବଂ ପ୍ରାନ୍ତୀୟ ଉନ୍ନତି ସର୍ବଦା ମହାଜାତି ଭାରତର ଗଠନରେ ପରିପୂରକ ହେବ ବୋଲି ଯୁକ୍ତି କରୁଥିଲା । ନେତୃତ୍ୱର ଏହି ଦୃଷ୍ଟିକୋଣ ଜାତୀୟତାର ଉନ୍ମେଷକୁ ଦିଗ୍‍ଦର୍ଶନ ଦେଲା ।

ଶିକ୍ଷା ଊନବିଂଶ ଶତାବ୍ଦୀର ଜାତୀୟତାବାଦୀ ବୁଦ୍ଧିଜୀବୀ ଦୃଷ୍ଟିରେ ସାମାଜିକ ଉନ୍ନତି ସକାଶେ ଶିକ୍ଷା ହେଲା ଏକ ଅତି ଆବଶ୍ୟକ ଉପାଦାନ । ଆଧୁନିକ ଶିକ୍ଷା ଲାଭ କରିବା ପରେ ବୁଦ୍ଧିଜୀବୀମାନେ ଭଲ ଭାବେ ବୁଝି ପାରିଲେ ଯେ, ଶିକ୍ଷାର ଅଭାବଯୋଗୁଁ ଜାତି ପଛେଇ ଯାଇଛି । ତେଣୁ, ସେମାନେ ଶିକ୍ଷାର ପ୍ରସାରଲାଗି ଆପ୍ରାଣ ଉଦ୍ୟମ କଲୋ ଏହି ପ୍ରକ୍ରିୟାରେ ସେମାନେ ସରକାର ଓ ଅନ୍ୟ ଧନାଢ଼୍ୟ ବର୍ଗକୁ ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା କରିବାକୁ ପ୍ରବର୍ତ୍ତାଇଲେ; ଅନେକ ସମୟରେ ନିଜେ ଶିକ୍ଷକ ହୋଇ ଶିକ୍ଷାଦାନ କଲେ; ପୁଣି କେତେକ ସ୍ଥଳରେ ବ୍ୟକ୍ତିଗତ ଉଦ୍ୟମରେ ସ୍କୁଲ୍‍ମାନ ଆରମ୍ଭ କଲେ । ଫକୀରମୋହନ ନିଜ ସାମାଜିକ ଜୀବନର ଆରମ୍ଭ କାଳରେ ଅନେକ ବର୍ଷ ଧରି ବାଲେଶ୍ୱରର ଏକାଧିକ ସ୍କୁଲ୍‍ରେ ଶିକ୍ଷକତା କରିଥିଲେ । ଶିକ୍ଷକ ଭାବରେ ସେ କେବଳ ଗାଁ ପିଲାଙ୍କୁ ନିୟମିତ ସ୍କୁଲ୍‍ ଆସିବାକୁ ପ୍ରେରଣା ଦେଉନଥିଲେ, ତା' ସହିତ କେତେକ ଦରିଦ୍ର ପିଲାଙ୍କର ସ୍କୁଲ୍‍ ଦରମା ମଧ୍ୟ ନିଜେ ବହନ କରୁଥିଲେ । ଆଧୁିନିକ ଓଡ଼ିଆ ସାହିତ୍ୟର ଅନ୍ୟ ଜଣେ କର୍ଣ୍ଣଧାର ମଧୁସୂଦନ ରାଓ (୧୮୫୩-୧୯୧୨) ଥିଲେ ଜଣେ ପ୍ରତିବଦ୍ଧ ଶିକ୍ଷକ । କଟକ ଥିଲା ତାଙ୍କ କର୍ମକ୍ଷେତ୍ର । ପ୍ରତିବଦ୍ଧ ଶିକ୍ଷକର ପିଢ଼ି ତିଆରି କରିବା ତାଙ୍କପାଇଁ ଥିଲା ଏକ ଜାତୀୟ କାର୍ଯ୍ୟ । ଏଥିପାଇଁ ସେ 'ଶିକ୍ଷାବନ୍ଧୁ' ନାମରେ ଏକ ପତ୍ରିକା ମଧ୍ୟ ପ୍ରକାଶନ କରୁଥିଲେ । ଅନ୍ୟ ଜଣେ ବିଶିଷ୍ଟ କବି ରାଧାନାଥ ରାୟ(୧୮୪୮-୧୯୦୮) ସ୍କୁଲ୍‍ ନିରୀକ୍ଷକ ରୂପେ କାର୍ଯ୍ୟକରି ଓଡ଼ିଶାରେ ଅନେକ ସ୍କୁଲ୍‍ ସ୍ଥାପନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ପ୍ୟାରିମୋହନ ଆଚାର୍ଯ୍ୟ (୧୮୫୧-୧୮୮୧), ଯିଏ ଓଡ଼ିଶା ଇତିହାସ ଲେଖି ଐତିହାସିକ ଖ୍ୟାତି ଅର୍ଜନ କରିଥିଲେ, ନିଜେ ଟ୍ୟୁସନ କରି ସେହି ଉପାର୍ଜନରେ ୧୮୭୦ ଦଶକର ପ୍ରାରମ୍ଭରେ 'କଟକ ଏକାଡେମୀ' ନାମରେ ଏକ ସ୍କୁଲ୍‍ ପ୍ରତିଷ୍ଠା କରିଥିଲେ । ପରେ ଏହି ସ୍କୁଲ୍‍ 'ପ୍ୟାରୀମୋହନ ଏକାଡେମୀ' ରୂପେ ବିଖ୍ୟାତ ହେଲା । ଏପରିକି ଓଡ଼ିଶା ଜାତୀୟତାର ସୂତ୍ରଧର ମଧୁସୂଦନ ଦାସ (୧୮୪୮-୧୯୩୪) ଉପାଧି ଶିକ୍ଷାପାଇଁ କଲିକତା ଯିବା ପୂର୍ବରୁ ଦୁଇବର୍ଷ କାଳ (୧୮୬୪-୬୬) ବାଲେଶ୍ୱରରେ ଶିକ୍ଷକତା କରିଥିଲେ । କଲିକତାରେ ଅଧ୍ୟୟନ କରୁଥିବା ବେଳେ ମଧ୍ୟ ସେ ଦରିଦ୍ର ପ୍ରବାସୀ ଓଡ଼ିଆଙ୍କପାଇଁ ନିଜ ଉଦ୍ୟମରେ ଖିଦିରପୁରଠାରେ ରାତ୍ରି ସ୍କୁଲ୍‍ ଆରମ୍ଭ କରିଥିଲେ । ସମାଜ ଗଠନରେ ଶିକ୍ଷାର ମହତ୍ତ୍ୱକୁ ପ୍ରତିପାଦନ କରିବାକୁ ଯାଇ ବିଶିଷ୍ଟ କବି ଗଙ୍ଗାଧର ମେହେର (୧୮୬୨-୧୯୨୪) ଶିକ୍ଷିତ ବ୍ୟକ୍ତି ହିଁ 'ମନୁଷ୍ୟ ପଦ ବାଚ୍ୟ' ବୋଲି ଯୁକ୍ତି ଦର୍ଶାଇଥିଲେ । ଶିକ୍ଷାର ପସ୍ରାରନିମନ୍ତେ ଉଦ୍ୟମ କରୁଥିବା ଗଡ଼ଜାତ ରାଜା-ଜମିଦାରଙ୍କ ପଶ୍ରଂସା ଓ ତାକୁ ଉପେକ୍ଷା କରୁଥିବା ଧନାଢ଼୍ୟ ବର୍ଗର ମୃଦୁ ସମାଲୋଚନା ଥିଲା ଜାତୀୟତାବାଦୀଙ୍କର ଏକ ମୁଖ୍ୟ କାମ । ଜାତୀୟତାବାଦୀ ମଞ୍ଚ ଭାବରେ ୧୯୦୩ରେ ପ୍ରତିଷ୍ଠିତ 'ଉତ୍କଳ ସମ୍ମିଳନୀ'ର ବାର୍ଷିକ ଅଧିବେଶନଗୁଡିକରେ ଆଧୁିନିକ ଶିକ୍ଷାର ପ୍ରସାରପାଇଁ ଉଦ୍ୟମ କରୁଥିବା ରାଜା-ଜମିଦାରମାନଙ୍କୁ ପ୍ରଶଂସା କରି ପ୍ରସ୍ତାବମାନ ଗୃହୀତ ହେଉଥିଲା । ଏହାର ଫଳ ସ୍ୱରୂପ, ଊନବିଂଶ ଶତାବ୍ଦୀର ଶେଷ ସମୟରେ ହିଁ ବାମଣ୍ଡା, ଢେଙ୍କାନାଳ ଓ ମୟୂରଭଞ୍ଜ ଆଦି ରାଜ୍ୟରେ ହାଇସ୍କୁଲ୍‍ମାନ ସ୍ଥାପିତ ହେଲା । କଟକ କଲେଜ (ଯାହା ପରେ ରେଭେନ୍‌ସା କଲେଜ ହେଲା) ଓ ମେଡ଼ିକାଲ୍‍ ସ୍କୁଲ୍‍ ପାଇଁ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ଟୋଲ୍‍ ଓ ଚାଟଶାଳିର ପାରମ୍ପରିକ ଶିକ୍ଷା ବଦଳରେ ସ୍କୁଲ୍‍, କଲେଜର ବିଜ୍ଞାନ, ଗଣିତ, ଆଦି ଆଧୁନିକ ଶିକ୍ଷା ଏବଂ ତା' ସହିତ ମାତୃଭାଷା ଶିକ୍ଷା ଉପରେ ଜାତୀୟତାର ଏହି ଉନ୍ମେଷ କାଳରେ ଅଧିକ ମହତ୍ତ୍ୱ ଦିଆଯାଇଥିଲା । 'ଉତ୍କଳ ଭ୍ରମଣଂ'(୧୮୯୨)ରେ ଫକୀରମୋହନ ଖେଦୋକ୍ତି ପ୍ରକାଶ କରିଥିଲେ, କାରଣ 'ବାବୁମାନେ' ଶିକ୍ଷାରେ 'ଲଜିକ୍‍' ଏବଂ 'ସାଇନ୍‍ସ'କୁ ମହତ୍ତ୍ୱ ଦେଉ ନାହାନ୍ତି । ମାତୃଭାଷା ଯେ ଶିକ୍ଷାପାଇଁ ସର୍ବୋତ୍କୃଷ୍ଟ ମାଧ୍ୟମ- ଏହା ବୁଦ୍ଧିଜୀବୀମାନଙ୍କପାଇଁ ଆଉ କଦାଚିତ ବିବାଦୀୟ ପ୍ରସଙ୍ଗ ହୋଇ ରହି ନଥିଲା । ଏହି ପରିପ୍ରେକ୍ଷୀରେ ଗଙ୍ଗାଧର ମେହେରଙ୍କ ଉକ୍ତି, 'ମାତୃଭୂମି ମାତୃଭାଷାରେ ମମତା ଯା' ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?" - ପ୍ରଣିଧାନ ଯୋଗ୍ୟ । ମାତୃଭୂମିର ଉନ୍ନତି ଚିନ୍ତା କରୁଥିବା ବ୍ୟକ୍ତି ମାତୃଭାଷାକୁ ଉପେକ୍ଷା କରି ପାରିବ ନାହିଁ ବୋଲି କବି ଯୁକ୍ତି ବାଢ଼ି ଥିଲେ । 'ଉତ୍କଳ ଦୀପିକା' (୧୮୬୬)ପତ୍ରିକା ତର୍କ ଦେଇ କହିଥିଲା ଯେ, କେବଳ ମାତୃଭାଷାରେ ହିଁ ଗଣଶିକ୍ଷା ସମ୍ଭବ । ଅର୍ଥାତ୍‍ ଦେଶକୁ ଶିକ୍ଷିତ କରିବାକୁ ହେଲେ ମାତୃଭାଷା ଶିକ୍ଷା ଅପରିହାର୍ଯ୍ୟ । ଫକୀର ମୋହନ ମାତୃଭାଷାକୁ ନଦୀର ନିଜସ୍ୱ ସ୍ରୋତ ଏବଂ ବହିର୍ଭାଷାକୁ ବଢ଼ିପାଣି ସଙ୍ଗେ ତୁଳନା କରିଛନ୍ତି । ବଢ଼ିପାଣିରେ ନଦୀ ହୁଏତ ସାମୟିକ ଭାବେ ଫୁଲି ଉଠିପାରେ, ମାତ୍ର ନିଜସ୍ୱ ସ୍ରୋତ ବିନା ତା'ର ବଳ ରହିବ ନାହିଁ । ଠିକ୍‍ ସେହିଭଳି ଫକୀର ମୋହନଙ୍କ ମତରେ ମାତୃଭାଷାର ଉନ୍ନତି ବିନା ଜାତି କିମ୍ବା ବ୍ୟକ୍ତିର ଉନ୍ନତି ସମ୍ଭବ ନୁହେଁ । ଧ୍ୟାନ ଦିଆଯିବା କଥା ଯେ, ବୁଦ୍ଧିଜୀବୀ ବର୍ଗ ଭାଷା-ସାହିତ୍ୟ ଭାବରେ ଇଂରାଜୀ ସାହିତ୍ୟ ଶିକ୍ଷାର ବିରୋଧ କରୁ ନଥିଲେ । ସେମାନେ କେବଳ ମାତୃଭାଷା ଶିକ୍ଷାକୁ ଉପେକ୍ଷା କରାଯିବା କଥା ନୁହେଁ ବୋଲି କହୁଥିଲେ । ସେମାନଙ୍କର ଅଭିଯୋଗ ଯେ, ପାଶ୍ଚାତ୍ୟର ଅଂଧ ଅନୁକରଣଯୋଗୁଁ ମାତୃଭାଷା ଶିକ୍ଷାକୁ ଆବଶ୍ୟକୀୟ ମହତ୍ତ୍ୱ ପ୍ରଦାନ କରାଯାଉ ନାହିଁ । ମାତୃଭାଷା ପରି ନାରୀ ଶିକ୍ଷାକୁ ମଧ୍ୟ ଜାତୀୟ ଉନ୍ନତିିନିମନ୍ତେ ଏକ ଆବଶ୍ୟକୀୟ ଉପାଦାନ ବୋଲି ଗ୍ରହଣ କରାଯାଇଥିଲା । ଫକୀର ମୋହନଙ୍କ ଭାଷାରେ ନାରୀ ଶିକ୍ଷା ହେଲା ସମଗ୍ର ଜାତିର ଶିକ୍ଷା, ଜନଗଣଙ୍କ ଶିକ୍ଷା ଏବଂ କୁସଂସ୍କାରରୁ ବିମୁକ୍ତିର ବାଟ । ତାଙ୍କର କାଳଜୟୀ ଗଳ୍ପ 'ରେବତୀ'ରେ ନୂଆ ପିଢ଼ିର ଝିଅ ମନରେ ଶିକ୍ଷାପାଇଁ ଥିବା ସ୍ୱାଭାବିକ ଆଗ୍ରହକୁ ସେ ଦର୍ଶାଇଥିଲେ । ୧୮୬୦ ଦଶକରେ ସେ ଯେତେବେଳେ ବାଲେଶ୍ୱରରେ ଶିକ୍ଷକତା କରୁଥିଲେ, ନାରୀ ଶିକ୍ଷା ନିମନ୍ତେ ସେ ସ୍କୁଲ୍‌ରେ ଏକ ସ୍ୱତନ୍ତ୍ର ବାଳିକା ବିଭାଗ ଆରମ୍ଭ କରିଥିଲେ । ଅନ୍ତତଃ କୁଳୀନ ବର୍ଗର କନ୍ୟାମାନଙ୍କୁ ସେମାନଙ୍କ ଅଭିଭାବକ ବର୍ଗ ବାଳିକା ବିଭାଗ ସ୍ଥାପନ ହେଲେ ସ୍କୁଲ୍‍ ପଠାଇବେ ବୋଲି ସେ ଆଶା କରିଥିଲେ । ମାତ୍ର ପରେ ସେ ଦୁଃଖ ପ୍ରକାଶ କରିଥିଲେ, କାରଣ କେତେକ ଖ୍ରୀଷ୍ଟିଆନ୍‍ ପରିବାର ବ୍ୟତୀତ ଅନ୍ୟମାନେ କନ୍ୟାମାନଙ୍କୁ ସ୍କୁଲ୍‍କୁ ପଠାଉ ନଥିଲେ । ୧୯୦୮ରେ ମଧୁସୂଦନ ଦାସ ନିଜ ପ୍ରଚେଷ୍ଟାରେ ଏକ କନ୍ୟା ବିଦ୍ୟାଳୟ ଆରମ୍ଭ କରିଥିଲେ, ଯାହାର ପରିଚାଳନା ଭାର ରହିଥିଲା ତାଙ୍କର ପୌଷ୍ୟ ପୁତ୍ରୀ ଶୈଳବାଳାଙ୍କ ହାତରେ । ସ୍କୁଲ୍‍ ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ସେ ଶୈଳବାଳାଙ୍କୁ ଇଂଲଣ୍ଡ ମଧ୍ୟ ପଠାଇଥିଲେ ।

ପତ୍ରପତ୍ରିକା ଜାତୀୟତାର ଉନ୍ମେଷ କାଳରେ ପତ୍ର-ପତ୍ରିକାର ପ୍ରକାଶନକୁ ଖୁବ୍‍ ଅଗ୍ରାଧିକାର ଦିଆଯାଉଥିଲା । ବୁଦ୍ଧିଜୀବୀ ବୁଝିଥିଲେ ଯେ, ସାମାଜିକ ସଂକଟର ଏକ ପ୍ରମୁଖ କାରଣ ହେଲା ସରକାର ଓ ସ୍ଥାନୀୟ ଲୋକ ସମାଜ ମଧ୍ୟରେ ଯୋଗାଯୋଗର ଅଭାବ । ପତ୍ର-ପତ୍ରିକା ଏହି ଅଭାବକୁ ପୂରଣ କରିପାରିବ ବୋଲି ମନେ କରାଯାଉଥିଲା । ନଅଙ୍କ ଦୁର୍ଭିିକ୍ଷ ପରିପ୍ରେକ୍ଷୀରେ ବୁଦ୍ଧିଜୀବୀର ଧାରଣା ଯେ, ଯୋଗାଯୋଗ ରହିଥିଲେ ସରକାର ବାସ୍ତବିକତାକୁ ଅକ୍ଲେଶରେ ଜାଣିପାରିଥାନ୍ତେ । ଫଳରେ ପ୍ରତିକାର ନିମନ୍ତେ ଯଥୋଚିତ ପଦକ୍ଷେପ ନେଇ ପାରିଥାନ୍ତେ । ଅସଲରେ ସେତେବେଳର ଜାତୀୟତାବାଦୀ ଇଂରେଜ ସରକାରଙ୍କ ମହନୀୟତାକୁ ସନ୍ଦେହ କରୁ ନଥିଲେ । ଅଥବା ଏହା ବି ହୋଇପାରେ ଯେ, ଦମନ ଭୟରେ ସରକାରର ସିଧା ସିଧା ସମାଲୋଚନା କରିବାକୁ ସାହସ କରୁ ନଥିଲେ, ଯାହା ଜାତୀୟତାର ଉନ୍ମେଷ କାଳରେ ସ୍ୱାଭାବିକ କଥାା ବରଂ ସରକାରଙ୍କ ମହନୀୟତା ସତ୍ତ୍ୱେ ଠିକ୍‍ କରି ଖବର ପହଞ୍ଚୁ ନ ଥିବାରୁ ପ୍ରଜା ପାଳନରେ ତ୍ରୁଟି ବିଚ୍ୟୁତି ହେଉଛି ବୋଲି କହୁଥିଲେ । ଗୋପାଳଚନ୍ଦ୍ର ପ୍ରହରାଜ ପୂର୍ବୋକ୍ତ ଉପନ୍ୟାସରେ ଇଂରେଜମାନଙ୍କର ପ୍ରଶଂସା କରି କହିଛନ୍ତି, "ଇତିହାସ ଦେଖ, ଇଂରେଜ ଜାତି କେବେ ହେଁ ଅତ୍ୟାଚାରର ସପକ୍ଷ ନୁହଁନ୍ତି । ଇଂରେଜ ଜାତି ସ୍ୱାଧୀନତା ପ୍ରିୟ, ଇଂରେଜ ଜାତି ଅନେକ ପଶୁଙ୍କୁ ମନୁଷ୍ୟ କରି ଅଛନ୍ତି, ଅଂଧଙ୍କୁ ଚକ୍ଷୁ ଦେଇଛନ୍ତି ।" ତେଣୁ "ଆମ୍ଭମାନଙ୍କ ଗୁହାରି ଗୋଟି ଗୋଟି କରି ରାଜାଙ୍କ କାନରେ ପକାଇବାକୁ ଆମ୍ଭମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ।" ଫକୀର ମୋହନ ମଧ୍ୟ ଦୁର୍ଭିିକ୍ଷ ବେଳେ ଇଂରେଜ କମିସନରଙ୍କ ଲୋକଙ୍କ ପ୍ରତି ରହିଥିବା ସଦ୍‍ଭାବନାକୁ ଅସ୍ୱୀକାର କରି ନାହାନ୍ତି । ବରଂ କମିସନର ଟି.ଇ. ରେଭେ୍‍ସାଙ୍କର ପ୍ରାଶାସନିକ ସମୟକୁ ଓଡ଼ିଶାର ସୁବର୍ଣ୍ଣ ଯୁଗ ବୋଲି ଘୋଷଣା କରିଛନ୍ତି । ତାଙ୍କ ମତରେ ଲୋକଙ୍କ ହାତରେ ବାସ୍ତବିକତାକୁ ଅଭିବ୍ୟକ୍ତ କରିବା ସକାଶେ ଯଦି ଆବଶ୍ୟକୀୟ ମାଧ୍ୟମ ରହିଥାଆନ୍ତା ଏବଂ ସରକାରଙ୍କ ପାଖରେ ସେହି ଅଭିବ୍ୟକ୍ତି ପହଞ୍ଚି ପାରିଥାନ୍ତା, ତେବେ ନିଶ୍ଚିତ ରୂପେ ଦୁର୍ଭିିକ୍ଷର ପ୍ରତିକାର ହୋଇ ପାରିଥାନ୍ତା । ଏହି ଅନୁଭୂତିରୁ ପତ୍ର-ପତ୍ରିକା ପ୍ରକାଶନକୁ ବୁଦ୍ଧିଜୀବୀ ପ୍ରଭୂତ ମହତ୍ତ୍ୱ ଦେଲେ । ନଅଙ୍କ ଦୁର୍ଭିିକ୍ଷ ସମୟରେ ୧୮୬୬ରେ ଗୌରୀ ଶଙ୍କର ରାୟ ଓ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକରୁ 'ଉତ୍କଳ ଦୀପିକା' ପ୍ରକାଶିତ ହେଲା । ମିଶନାରୀ ଉଦ୍ୟମରେ ପ୍ରକାଶିତ 'ପ୍ରବୋଧ ଚନ୍ଦ୍ର ପତ୍ରିକା'କୁ ବାଦ ଦେଲେ, ବୋଧହୁଏ 'ଉତ୍କଳ ଦୀପିକା' ହେବ ଜାତୀୟତାବାଦୀଙ୍କ ଉଦ୍ୟମରେ ପ୍ରକାଶିତ ପ୍ରଥମ ସାପ୍ତାହିକ ଓଡ଼ିଆ ପତ୍ରିକା । ତେଣିକି ବାଲେଶ୍ୱରରୁ ଫକୀରମୋହନ ଓ ଗୋବିନ୍ଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ୧୮୬୮ରେ 'ସଂବାଦ ବାହିନୀ' ପ୍ରକାଶିତ ହେଲା । ପ୍ୟାରୀମୋହନ 'ଉତ୍କଳ ପୁତ୍ର' (୧୮୭୩) ଓ ଚତୁର୍ଭୁଜ ପଟ୍ଟନାୟକ 'ସଂସ୍କାରକ'(୧୮୮୩) ପତ୍ରିକା ସଂପାଦନା କଲେ । ୧୮୭୧ରେ ଓଡ଼ିଆ ପତ୍ରିକାର ମୋଟ ସଂଖ୍ୟା ଥିଲା ଚାରି; ୧୮୭୯ରେ ହେଲା ୧୯ ଏବଂ ୧୯୦୦ ମସିହା ବେଳକୁ ଏହାର ସଂଖ୍ୟା ଯାଇ ପହଞ୍ଚିଲା ୩୪ରେ । ବୁଦ୍ଧିଜୀବୀଙ୍କ ଦୃଷ୍ଟିରେ ପତ୍ରିକା କେତେ ମାତ୍ରାରେ ଜାତୀୟତାମୂଳକ କାର୍ଯ୍ୟ ରୂପରେ ମହତ୍ତ୍ୱ ପାଇଲା, ତାହା ଏଥିରୁ ପ୍ରମାଣିତ ହୁଏ ।

ସେତେବେଳେ ପତ୍ରିକା ପ୍ରକାଶନ କଦାଚିତ ବ୍ୟବସାୟ ହୋଇ ନଥିଲା । ସାମ୍ବାଦିକତା ଏକ ପେସାଦାର ବୃତ୍ତି ନଥିଲା । ବୁଦ୍ଧିଜୀବୀ ଏହାକୁ ଜାତୀୟ କାର୍ଯ୍ୟ ଭାବରେ ଗ୍ରହଣ କରିଥିଲେ । ଫକୀର ମୋହନ ଖୁବ୍‍ କଷ୍ଟରେ କଲିକତାରୁ ଛାପାଖାନା କିଣି ତାକୁ ବାଲେଶ୍ୱରରେ ବସାଇଥିଲେ, ତା'ର ଏକ ମାର୍ମିକ ବର୍ଣ୍ଣନା ରହିଛି ତାଙ୍କ 'ଆତ୍ମଜୀବନ ଚରିତ'ରେ । "ପ୍ରେସ୍‍ ସ୍ଥାପନ ନଚେତ୍‍ ଜୀବନ ତ୍ୟାଗ" ବୋଲି ନେଇଥିବା ତାଙ୍କ ଶପଥ ପଛରେ ଉଦ୍ଦେଶ୍ୟ ଥିଲା, ଜାତୀୟ ସାହିତ୍ୟର ଉନ୍ନତି ଓ ପ୍ରଚାର । "ନିଃସ୍ୱାର୍ଥ ଭାବରେ ପ୍ରାଣପଣେ" ସେ ଏଥିରେ ଲାଗିଥିଲେ, କାରଣ ତାଙ୍କ ବିଚାରରେ ଏହା ଥିଲା ଏକ "ସାଧୁ କାର୍ଯ୍ୟ ।" ଉତ୍କଳ ଦୀପିକାର ପ୍ରକାଶନ ପଛରେ କିରାଣି କାମ କରୁଥିବା ଗୌରୀଶଙ୍କରଙ୍କର ସେହିଭଳି ତ୍ୟାଗ ରହିଥିଲା । ପ୍ୟାରୀମୋହନଙ୍କ 'ଉତ୍କଳ ପୁତ୍ର' ପ୍ରକାଶନର ଅନ୍ୟତମ ଉଦ୍ଦେଶ୍ୟ ଥିଲା, 'ଉତ୍କଳ ଦୀପିକା'କୁ ସମାଜ କାମରେ ସହଯୋଗ କରିବା । ତତ୍‍କାଳୀନ ପତ୍ର ପତ୍ରିକାର ଉଦ୍ଦେଶ୍ୟ ଥିଲା ଯେହେତୁ ସମାଜ ସେବା, ପରସ୍ପରକୁ ପତ୍ରିକାମାନେ 'ସହଯୋଗୀ' ବୋଲି ସଂବୋଧନ କରୁଥିଲେ । ସମାଜ କାମରେ ସହଯୋଗୀ, ଜାତୀୟ ସେବାରେସହଯୋଗୀ, ସରକାର ଓ ଲୋକଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା କାର୍ଯ୍ୟରେ ସହଯୋଗୀ । ଏହି ପାରସ୍ପରିକ ସହଯୋଗ ବିନା ଜାତୀୟ ଉନ୍ନତି ଅସମ୍ଭବ ବୋଲି ପତ୍ର-ପତ୍ରିକାମାନେ ବୁଝି ପାରିଥିଲେ । ପତ୍ର-ପତ୍ରିକାର ସାମାଜିକ ଦାୟିତ୍ୱକୁ ବ୍ୟାଖ୍ୟାକରି ୧୯୨୦ ଦଶକର ଆରମ୍ଭରେ ସମ୍ବଲପୁରରୁ ପ୍ରକାଶିତ 'ସାଧନା'ର ସଂପାଦକ ସ୍ୱପ୍ନେଶ୍ୱର ଦାସ କହିଥିଲେ, "ସଂପାଦକ ନିଜର ଖାଇ ଘୋଡ଼ା ପଛରେ ଦୌଡ଼ୁଥାଏ" । ଅର୍ଥାତ୍‍ ନାନା ପ୍ରତିବନ୍ଧକ ସତ୍ତ୍ୱେ ସଂପାଦକ ପତ୍ରିକା ପ୍ରକାଶନ କରେ । ଊନବିଂଶ ଶତାବ୍ଦୀରେ ସଂପାଦକ ଆଗରେ ଏହି ପ୍ରତିବନ୍ଧକର ପରିମାଣ ନିଶ୍ଚିତ ରୂପେ ଖୁବ୍‍ ଅଧିକ ହୋଇଥିବ- ଏହା ଅନୁମାନ କରାଯାଇପାରେ । ଜାତୀୟତାର ଉନ୍ମେଷରେ ସହାୟକ ହୋଇଥିବା ଓଡ଼ିଆ ପତ୍ର-ପତ୍ରିକା ମଧ୍ୟରେ ସେତେବେଳେ କେବଳ କେତୋଟି ସାପ୍ତାହିକ, ପାକ୍ଷିକ ଓ ମାସିକ ପତ୍ରିକା ହିଁ ରହିଥିଲେ । ଦୈିନିକ ସମ୍ବାଦପତ୍ର ନ ଥିଲା । ତନ୍ମଧ୍ୟରୁ ଆର୍ଥିକ କାରଣରୁ ଅଧିକାଂଶ ଥିଲେ ଅନିୟମିତ । ନିୟମିତ ପ୍ରକାଶ ପାଉଥିବା ପତ୍ରିକା ମଧ୍ୟରେ ଥିଲେ 'ଉତ୍କଳ ଦୀପିକା' ଓ 'ଉତ୍କଳ ସାହିତ୍ୟ' (୧୮୯୭) । ପରେ ସାପ୍ତାହିକ ଭାବରେ ପ୍ରକାଶ ପାଉଥିବା 'ଆଶା'(୧୯୧୩) ଏବଂ ସତ୍ୟବାଦୀ ସ୍କୁଲ୍‍ ସାକ୍ଷୀଗୋପାଳରୁ ପ୍ରକାଶ ପାଉଥିବା 'ସମାଜ'(୧୯୧୯) ଦୈିନିକ ପତ୍ରିକା ହେଲେ । 'ଆଶା' ଦୈିନିକ ହେଲା ୧୯୨୭ରେ; 'ସମାଜ' ହେଲା ୧୯୨୯ରେ । ୧୮୬୬ରୁ ୧୮୭୮ ମଧ୍ୟରେ ୧୨ଟି ପତ୍ରିକା ମଧ୍ୟରୁ ଆର୍ଥିକ ସଂକଟଯୋଗୁଁ ମାତ୍ର ଦୁଇଟିକୁ ବାଦ ଦେଲେ ଅନ୍ୟଗୁଡ଼ିକ ମଝିରେ ବନ୍ଦ ହୋଇ ଯାଇଥିଲେ ବୋଲି 'ଉତ୍କଳ ଦୀପିକା' କ୍ଷୋଭ ପ୍ରକାଶ କରିଥିଲା । ୧୯୧୪ରେ ମଧ୍ୟ ଫକୀର ମୋହନ ଦୁଃଖ ପ୍ରକାଶ କରି କହିଥିଲେ ଯେ, କେବଳ ଦୁଇଟିକୁ ବାଦ ଦେଲେ ଓଡ଼ିଶାରେ ନିୟମିତ ଭାବେ ପ୍ରକାଶିତ ହେଉଥିବା ପତ୍ରିକା ନାହିଁ । ଅବସୋସର କଥା ଯେ ନିୟମିତତା ରକ୍ଷା କରିଥିବା ପତ୍ରିକାଗୁଡ଼ିକର ସୁଦ୍ଧା ସ୍ଥିତି ସ୍ୱଚ୍ଛଳ ନ ଥିଲା । 'ଉତ୍କଳ ସାହିତ୍ୟ'ର ଉଦାହରଣରୁ ଏହା ସ୍ପଷ୍ଟ ବୁଝି ହୁଏ । ଆରମ୍ଭରେ ଦୁଇବର୍ଷ କାଳ ପ୍ରକାଶିତ ହୋଇ ଏହା କିଛି ସମୟ ବନ୍ଦ ରହିଲା ଏବଂ ୧୯୦୦ ମସିହାରେ ପୁନରାରମ୍ଭ ହୋଇ ୧୯୩୪ ପର୍ଯ୍ୟନ୍ତ ଚାଲିଲା । ଓଡ଼ିଆ ଜାତିର ସାମାଜିକ ଓ ସାହିତ୍ୟିକ ଉନ୍ନତିିନିମନ୍ତେ ପ୍ରତିବଦ୍ଧ ଏହି ପତ୍ରିକାର ସଂପାଦକ ବିଶ୍ୱନାଥ କରଙ୍କୁ ପ୍ରକାଶନର ମାନ ଓ ନିୟମିତତା ବଜାୟ ରଖିବା ସକାଶେ ସ୍ୱ ପରିବାର ପୋଷଣର ଏକମାତ୍ର ମାଧ୍ୟମ ଶିକ୍ଷକତାରୁ ଇସ୍ତଫା ଦେବାକୁ ପଡ଼ିଥିଲା; ଋଣ କରିବାକୁ ପଡ଼ିଥିଲା; ଗଡ଼ଜାତ ରାଜା ଓ ଜମିଦାରଙ୍କଠାରେ ସାହାଯ୍ୟ ଭିକ୍ଷା କରିବାକୁ ପଡ଼ିଥିଲା । ଶେଷରେ ପତ୍ରିକା ଓ ସଂପାଦକଙ୍କର ଏକା ବର୍ଷ (୧୯୩୪)ରେ ମୃତ୍ୟୁ ଘଟିଲା । ଜାତୀୟତାନିମିତ୍ତ ଉତ୍ସର୍ଗୀକୃତ ଏକ ପତ୍ରିକା ଓ ତା'ର ସଂପାଦକଙ୍କ ମଧ୍ୟରେ ରହିଥିବା ଆତ୍ମିକ ସଂବଧକୁ ଦେଖିବାପାଇଁ ଏଥିରୁ ବଡ଼ ପ୍ରତୀକାତ୍ମକତା ବା ଆଉ କ'ଣ ହୋଇପାରେ ?

ଏହାର ସଂପୂର୍ଣ୍ଣ ବିପରୀତ ସ୍ଥିତି ଦେଖିବାକୁ ମିଳିଥାଏ ଗଡ଼ଜାତ ରାଜା ଓ ଜମିଦାରମାନଙ୍କ ଆର୍ଥିକ ସହଯୋଗରେ ପ୍ରକାଶିତ ପତ୍ରପତ୍ରିକାରେ । 'ଉତ୍କଳ ଦର୍ପଣ' (୧୮୭୩: ଜମିଦାର ବୈକୁଣ୍ଠନାଥ ଦେ), 'ଉତ୍କଳ ହିତୈଷିଣୀ'(୧୮୬୮: ଜମିଦାର କାଳିପଦ ବାନାର୍ଜୀ), 'ସମ୍ବଲପୁର ହିତୈଷିଣୀ'(୧୮୮୯: ବାମଣ୍ଡା ରାଜା ବାସୁଦେବ ସୁଢ଼ଳ ଦେବ) ଏବଂ 'ଗଡ଼ଜାତ ବାସିନୀ' (୧୯୦୦: ତାଳଚେର ରାଜା) ଆଦି ହେଉଛି ସେହି ଧରଣର କେତେକ ପତ୍ରପତ୍ରିକା । ଏହି ପତ୍ରିକାଗୁଡ଼ିକର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଥିଲା; ପ୍ରକାଶନରେ ପ୍ରାୟ ନିୟମିତତା ବି ରହୁଥିଲା । ପ୍ରକାଶକମାନେ ସ୍ୱଚ୍ଛଳ ଥିଲେ; ପତ୍ରିକାର ସମ୍ପାଦନାପାଇଁ ବେତନଭୋଗୀ ସଂପାଦକଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ ପତ୍ରିକା ପ୍ରକାଶନ ପଛରେ ମଧ୍ୟ ସମାଜ ସଂସ୍କାରର ଲକ୍ଷ୍ୟ ରହିଥିଲା । ଅନେକ ବୁଦ୍ଧିଜୀବୀ ଏହି ପତ୍ରିକାଗୁଡ଼ିକ ସହିତ ସଂପୃକ୍ତ ଥିଲେ । ରାଧାନାଥ ରାୟ, ମଧୁସୂଦନ ରାଓ, ଗଙ୍ଗାଧର ମେହେର, ଫକୀରମୋହନ ଏବଂ ଗୋପୀନାଥ ନନ୍ଦଙ୍କ ଭଳି ବୁଦ୍ଧିଜୀବୀଙ୍କ ସାହିତ୍ୟ ପ୍ରକାଶନ ପଛରେ ମଧ୍ୟ ରାଜା-ଜମିଦାର ବା ସାମନ୍ତ ବର୍ଗର ଆର୍ଥିକ ସହଯୋଗ ରହିଥିଲା । ଏହି ଦୃଷ୍ଟିରୁ କେତେକ ରାଜା-ଜମିଦାର ଓ ସେମାନଙ୍କ ପତ୍ରପତ୍ରିକାକୁ, ଜାତୀୟତାର ଉନ୍ମେଷରେ ସେମାନେ ସହାୟକ ହୋଇଥିଲେ ବୋଲି କହିହେବ । ମାତ୍ର ପରବର୍ତ୍ତୀ ସ୍ତରରେ ଯେତେବେଳେ ଜାତୀୟତା ଆନ୍ଦୋଳନ ଅଧିକରୁ ଅଧିକ ବ୍ରିଟିଶ ବିରୋଧୀ ହେଲା, ସେତେବେଳେ ସାମନ୍ତ ବର୍ଗ ଜାତୀୟତାବାଦୀମାନଙ୍କ ସାଙ୍ଗଛଡ଼ା ହେଲେ, ସରକାରଙ୍କ ସମର୍ଥକ ସାଜିଲେ । ଏହି କାରଣରୁ ରାଜା-ଜମିଦାର ଗୋଷ୍ଠୀକୁ ଜାତୀୟତାବାଦୀ ବର୍ଗରେ ସାମିଲ୍‍ କରିବା ସହଜ ମନେହୁଏ ନାହିଁ । ଅନ୍ୟ ପକ୍ଷରେ, ଏହି ଗୋଷ୍ଠୀରେ କିଛି ଜାତୀୟତାବାଦୀ ଚରିତ୍ର ମଧ୍ୟ ରହିଥିବାରୁ, ଜାତୀୟତା ବିରୋଧୀ କହିବା ମଧ୍ୟ ସୁଖକର ହୁଏ ନାହିଁ । ସେ ଯାହାହେଉ, ସେତେବେଳର ସମସ୍ତ ପ୍ରମୁଖ ଜାତୀୟତାବାଦୀ ନେତା ପତ୍ରିକା ପ୍ରକାଶନ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ଥିଲେ । ଗୌରୀଶଙ୍କର ରାୟ, ଫକୀରମୋହନ ଓ ବିଶ୍ୱନାଥ କର ନିଜେ ପତ୍ରିକା ପ୍ରକାଶନ ଓ ସଂପାଦନା କରୁଥିଲେ । ମଧୁସୂଦନ ଦାସ ନିଜେ ପତ୍ରିକା ପ୍ରକାଶନ କରୁ ନଥିଲେ । ମାତ୍ର 'ଦି ଓଡ଼ିଆ' ଓ 'ଷ୍ଟାର୍‍ ଅଫ୍‍ ଉତ୍କଳ'ର ପ୍ରକାଶନ ସହ ସଂପୃକ୍ତ ଥିଲେ । ଏହା ବ୍ୟତୀତ 'ଉତ୍କଳ ଦୀପିକା'ର ଇଂରାଜୀ ଅଂଶର ସଂପାଦନା ଦାୟିତ୍ୱ ମଧ୍ୟ ତାଙ୍କ ହାତରେ ଥିଲା । ଓଡ଼ିଶାରେ ଜାତୀୟତା ଆନ୍ଦୋଳନକୁ ଏକ ଠୋସ ସ୍ୱରୂପ ଦେବାରେ ତାଙ୍କର ଦାନ ଅତୁଳନୀୟ । ବିଂଶ ଶତାବ୍ଦୀର ଆରମ୍ଭରେ ଜାତୀୟତାବାଦୀଙ୍କ ପତ୍ରପତ୍ରିକା ସହ ସଂପୃକ୍ତି ଆହୁରି ବୃଦ୍ଧିପାଇଲା । ଏହି ସମୟର ପ୍ରମୁଖ ନେତା ଗୋପବନ୍ଧୁ ଦାସ (୧୮୭୭- ୧୯୨୮), 'ଆଶା', 'ମୁକୁର'ର ପ୍ରକାଶନ ସହ ପରୋକ୍ଷ ଭାବରେ ଏବଂ 'ସତ୍ୟବାଦୀ' ଓ 'ସମାଜ' ସହ ପ୍ରତ୍ୟକ୍ଷ ଭାବରେ ସଂଶ୍ଳିଷ୍ଟ ଥିଲେ । ଏହା ଜାତୀୟତା ଓ ପତ୍ରିକା ପ୍ରକାଶନ ମଧ୍ୟରେ ଥିବା ନିବିଡ଼ତାକୁ ଦର୍ଶାଏ ।

ଜାତୀୟତାର ଉନ୍ମେଷ କାଳରେ ସାମାଜିକ ଓ ଧାର୍ମିକ ପ୍ରସଙ୍ଗକୁ ନେଇ ମଧ୍ୟ ବୁଦ୍ଧିଜୀବୀଙ୍କ ଦୃଷ୍ଟିଭଙ୍ଗୀରେ ଏକ ପ୍ରକାର ସମାନତା ଦେଖିବାକୁ ମିଳିଥାଏ । ସମାଜର ତଥାକଥିତ ନୀତିିନିୟମକୁ ସେମାନେ ଯୁକ୍ତି ଓ ହେତୁ ଆଧାରରେ ନିରୀକ୍ଷଣ କଲେ ଏବଂ ଅଯୌକ୍ତିକ ଓ ଅହେତୁକ ଚାଲିଚଳନକୁ କୁସଂସ୍କାର ତଥା ଜାତୀୟ ପ୍ରଗତିର ବାଧକ ବୋଲି ନିନ୍ଦା କଲେ । ଆଧୁିନିକ ରାଷ୍ଟ୍ରଗଠନ ବେଳେ ଏଭଳି ଚାଲିଚଳଣିର ସେମାନେ ଉଚ୍ଛେଦ କାମନା କଲେ । ଦେଶର ଦୁର୍ଗତି ଓ ଦୁର୍ବଳତାପାଇଁ ସେମାନେ ମୁଖ୍ୟତଃ କୁସଂସ୍କାର ଓ ରୂଢ଼ିବାଦିତାକୁ ଦାୟୀ କରୁଥିଲେ, କାରଣ ତା'ର ଫାଇଦା ନେଇ ବିଦେଶୀ ଶକ୍ତି ଭାରତକୁ ସହଜରେ କବ୍‍ଜା କରି ନେଉଥିଲେ । କୁସଂସ୍କାର, ରୂଢ଼ିବାଦିତା ଆଦିରୁ ଇଂରେଜ ସରକାର ଭାରତବାସୀଙ୍କୁ ବିମୁକ୍ତି ଦେବ ଏବଂ ତା' ସ୍ଥାନରେ ସଭ୍ୟତା, ସୁସଂସ୍କୃତି ଓ ଆଧୁିନିକତା ଆଣିଦେବ ବୋଲି ମଧ୍ୟ ସେମାନେ ବିଶ୍ୱାସ କରୁଥିଲେ । ଏହି ଆଶାରେ ଗଂଗାଧର ମେହେର ଇଂରେଜ ଶାସନର ପ୍ରଶଂସାରେ ୧୯୦୦ରେ 'ଭିକ୍ଟୋରିଆ ସ୍ତବ' ଲେଖିଥିଲେ; ଫକୀରମୋହନ ତାଙ୍କ ରଚିତ ଭାରତ ଇତିହାସରେ ଇଂରେଜ ଶାସନକୁ 'ସୁବର୍ଣ୍ଣ ଯୁଗ' ବୋଲି କହିଥିଲେ । ଗୋପାଳଚନ୍ଦ୍ର ପ୍ରହରାଜ, ଯିଏ ବ୍ୟଙ୍ଗାତ୍ମକ ଶୈଳୀରେ ନିଜ ସମାଲୋଚନାପାଇଁ ସୁପରିଚିତ ଥିଲେ, ଅତ୍ୟନ୍ତ ନମ୍ର ସ୍ୱରରେ ଲେଖିଛନ୍ତି, "ଶୁଭ କ୍ଷଣରେ ଆମ୍ଭେମାନେ ଇଂରେଜ ରାଜାଙ୍କୁ ପାଇଅଛୁ । ଇଂରେଜରାଜ ଆମ୍ଭମାନଙ୍କୁ ସଭ୍ୟତା ଦେଇ ଅଛନ୍ତି, ଶିକ୍ଷା ଦେଇ ଅଛନ୍ତି, ବଳ ଦେଇ ଅଛନ୍ତି, ଅଭାବ ବୁଝିବାର କ୍ଷମତା ଦେଇ ଅଛନ୍ତି ।" ମୋଟ କଥା ହେଲା ଯେ, ଏହି ସମୟରେ ଜାତୀୟତାବାଦୀ ନେତୃତ୍ୱ କୁସଂସ୍କାରର ବିରୋଧକୁ ଅଧିକ ମହତ୍ତ୍ୱ ଦେଉଥିଲେ ଏବଂ ଏହି କାର୍ଯ୍ୟରେ ଇଂରେଜ ସରକାରଙ୍କ ସହଯୋଗ କାମନା କରୁଥିଲେ । କୁସଂସ୍କାର ବିରୋଧରେ ଲଢ଼ିବାସକାଶେ, ସେମାନଙ୍କ ଦୃଷ୍ଟିରେ, ଜାତୀୟତାର ଆବଶ୍ୟକତା ରହିଥିଲା । ସାମୟିକ ଭାବରେ ଇଂରେଜ ସରକାରର ମଧ୍ୟ ଆବଶ୍ୟକତା ଥିଲା । ଏଠାରେ ଅବଶ୍ୟ ଏକଥା ସ୍ପଷ୍ଟ ହେବା ଉଚିତ ଯେ, ଜାତୀୟତାର ଜନ୍ମକାଳରେ ନେତୃତ୍ୱ ଇଂରେଜ ବିରୁଦ୍ଧରେ ଅଧିକ କଠୋର ହେବାର ସାହସ କରି ପାରିବ ନାହିଁ । ତେଣୁ ସାମାଜିକ କୁସଂସ୍କାରକୁ ଲକ୍ଷ୍ୟ କରି ଜାତୀୟ ଏକତା କାମନା କରାଯାଉଥିଲା । ମାତ୍ର ପ୍ରଚ୍ଛନ୍ନ ଭାବରେ ତହିଁରେ ସରକାର ପ୍ରତି ମଧ୍ୟ ସମାଲୋଚନା ରହିଥିଲା । ଏହାକୁ ନେତୃତ୍ୱର ପରିପକ୍ୱ ରଣ କୌଶଳ ରୂପରେ ଦେଖାଯାଇପାରେ ।

କୁସଂସ୍କାର ମଧ୍ୟରେ ବିପତ୍ନୀକ ବୃଦ୍ଧ ବିବାହ, ବାଲ୍ୟ ବିବାହ, ଅଂଧବିଶ୍ୱାସ ଏବଂ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଉପରେ ବ୍ରାହ୍ମଣର ଅହେତୁକ କର୍ତ୍ତୃତ୍ୱ ଆଦିକୁ ସାମିଲ୍‍ କରାଯାଇଥିଲା । ଫକୀରମୋହନଙ୍କ 'ମାଧ ମହାନ୍ତିଙ୍କ କନ୍ୟାସୁନା', 'ଧୂଳିଆ ବାବା' ଓ 'ଉତ୍କଳ ଭ୍ରମଣଂ' ଆଦି ରଚନାରେ ଏହି ସବୁ କୁସଂସ୍କାରର ବିଶଦ ଆଲୋଚନା କରାଯାଇଛି ଏବଂ ସେଗୁଡ଼ିକୁ ଜାତୀୟ ଦୁର୍ଗତିର କାରଣ ବୋଲି କୁହାଯାଇଛି । ଏହି ପରଂପରା ତତ୍‍କାଳୀନ ଅନ୍ୟ ସର୍ଜନାଗୁଡ଼ିକରେ ମଧ୍ୟ ପରିଲକ୍ଷିତ ହୁଏ । କୁସଂସ୍କାରର ବିରୋଧ କରିବା ପ୍ରକ୍ରିୟାରେ ଓଡ଼ିଶାର ଅନେକ ଜାତୀୟତାବାଦୀ, ଯଥା- ଫକୀରମୋହନ, ରାଧାନାଥ ରାୟ, ମଧୁସୂଦନ ରାଓ, ବିଶ୍ୱାଥ କର ଓ ପ୍ୟାରୀମୋହନ, ସଂସ୍କାରମୂଳକ 'ବ୍ରାହ୍ମ ସମାଜ'ରେ ସାମିଲ ହୋଇ ଯାଇଥିଲେ । ଏହାକୁ ସେମାନେ ହିନ୍ଦୁ ଧର୍ମଠାରୁ ଅଲଗା ଏକ ନୂତନ ଧର୍ମ, ବ୍ରାହ୍ମ ଧର୍ମ ବୋଲି ବିଚାର କରୁଥିଲେ । ହିନ୍ଦୁଧର୍ମର ରୂଢ଼ିବାଦୀ ଗୋଷ୍ଠୀ ସେମାନଙ୍କୁ ହିନ୍ଦୁଧର୍ମ ବିରୋଧୀ ବୋଲି ମଧ୍ୟ ମନେ କରୁଥିଲେ । ମଧୁସୂଦନ ଦାସ ଉଚ୍ଚ ଶିକ୍ଷାପାଇଁ କଲିକତାରେ ଅବସ୍ଥାନ କରୁଥିବା ସମୟରେ ଖ୍ରୀଷ୍ଟିଆନ୍‍ ଧର୍ମ ଗ୍ରହଣ କରି ନିଜ ସଂସ୍କାରବାଦିତାର ପରିଚୟ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ପୁରୀର ହରିହର ଦାସଶର୍ମା (୧୮୪୨-୧୮୭୧)ଙ୍କ ସଂବନ୍ଧରେ ସାମାନ୍ୟ ଚର୍ଚ୍ଚାର ଆବଶ୍ୟକତା ରହିଛି । ହରିହର ଥିଲେ ଜଣେ ସଂସ୍କୃତ ପଣ୍ଡିତ । ମାତ୍ର ଜାତୀୟ ବିକାଶନିମନ୍ତେ ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କାରର ମହତ୍ତ୍ୱକୁ ସେ ଭଲ ଭାବେ ବୁଝିଥିଲେ । ନିଜ ଗ୍ରାମ ଶ୍ରୀରାମଚନ୍ଦ୍ରପୁରରେ ସେ ୧୮୬୬ରେ ନିଜ ଉଦ୍ୟମରେ ଏକ ସ୍କୁଲ୍‍ ସ୍ଥାପନ କରିଥିଲେ । ପୁରୀରେ ତାଙ୍କ ଉଦ୍ୟମରେ ସ୍ଥାପିତ ସଂସ୍କୃତ ସ୍କୁଲ୍‍ରେ ଗ୍ରୀକ୍‍, ଲାଟିନ୍ ଆଦି ଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରାଯାଇଥିଲା । ସେ ତାଳପତ୍ର ଓ ଲୌହ ଲେଖନୀ ବଦଳରେ କାଗଜ ଓ କଲମର ବ୍ୟବହାରକୁ ଉତ୍ସାହିତ କରୁଥିବାରୁ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କର ଚକ୍ଷୁଶୂଳ ହୋଇଥିଲେ । ହରିହର ହୁଏତ ଧର୍ମ ପରିବର୍ତ୍ତନ କରି ନ ଥିଲେ । ତଥାପି ପୁରୀର ରକ୍ଷଣଶୀଳ ସାମାଜିକ ପରିବେଶରେ ତାଙ୍କର ଏହିସବୁ ପଦକ୍ଷେପ ସଂସ୍କାରବାଦିତାକୁ ଦର୍ଶାଇଥିଲା । ଦୁର୍ଭିିକ୍ଷର ଶିକାର ବ୍ୟକ୍ତିକୁ ଜାତିବାଦୀ ରକ୍ଷଣଶୀଳତାଯୋଗୁଁ ସମାଜ ତିରସ୍କାର କଲା । ଏହା ହରିହର ଏବଂ ଅନ୍ୟ ବୁଦ୍ଧିଜୀବୀଙ୍କୁ ଖୁବ୍‍ ବିଚଳିତ କରିଥିଲା । ଜାତୀୟତାର ଜନ୍ମଲଗ୍ନରେ ଆଧୁିନିକ ଓଡ଼ିଆଭାଷା ଓ ସାହିତ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ଯେତେବେଳେ ନଅଙ୍କ ଦୁର୍ଭିିକ୍ଷ, ସାମାଜିକ କୁସଂସ୍କାର ଆଦି ସ୍ଥାନୀୟ ସମାଜରେ ଏକ ସଂକଟର ସ୍ଥିତି ଉତ୍ପନ୍ନ କରିଥିଲା, ସେତେବେଳେ ଓଡ଼ିଆ ଭାଷା ଓ ସାହିତ୍ୟର ଅସ୍ମିତା ପ୍ରଶ୍ନ ମଧ୍ୟ ବୁଦ୍ଧିଜୀବୀ ବର୍ଗକୁ ବିଚଳିତ କରିଥିଲା । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧ ହେଲା ରୂଢ଼ିବାଦିତା ଓ ସାମନ୍ତବାଦୀ ଶୃଙ୍ଖଳରୁ ମୁକ୍ତ ହୋଇ ଆଧୁିନିକ ସାହିତ୍ୟ ବିକଶିତ ହେବାର କାଳ । ପ୍ରଥମ କରି ଏହି ସମୟରେ ଗଳ୍ପ-ଉପନ୍ୟାସ ଲେଖା ହେଲା; କାବ୍ୟ କବିତାର ପରିଧି ବିସ୍ତାରିତ ହେଲା । ଯଦିବା ଆଗ ଭଳି ପୌରାଣିକ କାବ୍ୟ ମଧ୍ୟ ଲେଖାଗଲା, ତହିଁରେ ଆଧୁିନିକ ମଣିଷର ସ୍ୱରକୁ ପ୍ରତିିନିଧିତ୍ୱ ମିଳିଲା । ଉଦାହରଣ ସ୍ୱରୂପ, ଗଙ୍ଗାଧରଙ୍କ 'ତପସ୍ୱିନୀ' ଏକ ପୌରାଣିକ କାବ୍ୟ । ମହାକାବ୍ୟ 'ରାମାୟଣ'ର ସୀତା ତହିଁରେ ନାୟିକା । ମାତ୍ର ଆଧୁନିକ ଗଣତାନ୍ତ୍ରିକ ବିଚାରର ପ୍ରଭାବରେ ପ୍ରଭାବିତ କବି ତହିଁରେ ଗାଇଛନ୍ତି : {{center block|

ମିଥ୍ୟା କଥା ଯେବେ ପ୍ରଜାଏ କହିବେ ମେଳି ହୋଇ ଶତଶତ
ମିଥ୍ୟା ଜାଣି ଜାଣି ତାକୁ ମାନି ମାନି ବୋଲାଯାଏ ସତ ସତ ।

ଅର୍ଥାତ୍‍ ରାଜା ସର୍ବଦା ପ୍ରଜାଙ୍କ ବିଚାରକୁ ଗ୍ରହଣ କରିନେବା ଉଚିତ । ଏଥିରୁ ମନେହୁଏ ଯେ, ପୌରାଣିକତା କବିଙ୍କର ଆଧୁିନିକ ବିଚାରକୁ ପ୍ରଘଟ କରିବାଲାଗି ଏକ ମାଧ୍ୟମ ମାତ୍ର । ଠିକ୍‍ ସେହିଭଳି 'ମହାଭାରତ' ଆଧାରିତ ଆଧୁିନିକ ଉତ୍କଳ ସାହିତ୍ୟର ପ୍ରଥମ ମହାକାବ୍ୟ 'ମହାଯାତ୍ରା'ରେ କବି ରାଧାନାଥ ରାୟ (୧୮୪୮-୧୯୦୮) ସ୍ୱାଧୀନତାର ବିଶଦ ଅର୍ଥ ଦେଇଛନ୍ତି । ସେ କହିଛନ୍ତି ଯେ, ଆନ୍ତରିକ ଦୁର୍ବଳତା ଓ କୁସଂସ୍କାର ଉପରେ ଜୟଲାଭ ନ କରି ସ୍ୱାଧୀନତା କଦାଚିତ ଲାଭ କରାଯାଇ ନ ପାରେ । କବିଙ୍କ ଉକ୍ତିରେ- {{center block|

ସ୍ୱାଧୀନତା ବୋଲି ଯାହା ବୋଇଲେ ଆପଣ
ସେ କେବଳ ଷଡ଼ରିପୁ ପ୍ରଭୁତାର ଛାୟା ।
ସେ ପ୍ରଭୁତା ଚାଲିଗଲେ କଳିର କୌଶଳେ

ବଳେ ଯିବ ସ୍ୱାଧୀନତା, ପିଣ୍ଡ ସଂଗେ ଯଥା
ଚାଲିଯାଏ, ପାଣ୍ଡୁନାଥ, ସେ ପିଣ୍ଡର ଛାୟା
ରିପୁ-ଅଧୀନତା ସଙ୍ଗେ ପର-ଅଧୀନତା ।

ମୋଟ କଥା ହେଲା, ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଆଧୁନିକ ଓଡ଼ିଆ ସାହିତ୍ୟର ଉନ୍ମେଷ ହେଲା । ଏହାର କେତେ ଜଣ ପ୍ରମୁଖ ସ୍ରଷ୍ଟାଙ୍କ ମଧ୍ୟରେ ଥିଲେ ଫକୀର ମୋହନ, ରାଧାନାଥ ରାୟ, ମଧୁସୂଦନ ରାଓ ଏବଂ ଗଙ୍ଗାଧର ମେହେର । ଉନ୍ମେଷର ଏକ ବଡ କାରଣ ହେଲା, ଆଧୁିନିକ ଶିକ୍ଷା ଓ ବିଶ୍ୱ ସାହିତ୍ୟ ସହ ସ୍ରଷ୍ଟାମାନଙ୍କର ପରିଚୟ । ସେମାନଙ୍କ ସମ୍ମୁଖରେ ଏଣିକି ବିଶାଳ ବିଶ୍ୱ ସାହିତ୍ୟ ଓ ଇତିହାସର ବ୍ୟାପକ ପରିଧି ରହିଥିଲା ଏବଂ ତା'ର ପ୍ରଭାବରେ ସେମାନଙ୍କ ଦୃଷ୍ଟିଭଙ୍ଗୀ ବିସ୍ତାରିତ ହେଲା, ସର୍ଜନାର ପ୍ରସଙ୍ଗ ବଦଳିଲା । 'ଛ ମାଣ ଆଠଗୁଣ୍ଠ' (୧୯୦୨) ଉପନ୍ୟାସରେ ଫକୀର ମୋହନ ସାରିଆ, ଭଗିଆ ପରି ସାଧାରଣ ଚାଷୀ, କର୍ମକାରଙ୍କୁ ସାହିତ୍ୟର ମୁଖପାତ୍ର ରୂପେ ନେଲେ ।

ଯେତେବେଳେ ଓଡ଼ିଆ ଭାଷା-ସାହିତ୍ୟ ନୂଆ ରଂଗ ରୂପ ପାଇଲା, ସେତେବେଳେ ତା'ର ଅସ୍ମିତା ଉପରେ ବାହାରୁ ଆକ୍ରମଣ ମଧ୍ୟ ଦେଖିବାକୁ ମିଳିଲା । ତେଣୁ ଓଡ଼ିଶାରେ ଜାତୀୟତା ଆନ୍ଦୋଳନର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଲା, ଭାଷା ଓ ସଂସ୍କୃତିର ସୁରକ୍ଷାପାଇଁ ଉଦ୍ୟମ । ତା' ପାଇଁ ପ୍ରଥମେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଗୋଟାଏ ପ୍ରଦେଶର ଶାସନାଧୀନ କରିବାକୁ ଦାବି କରାଗଲା । ପରବର୍ତ୍ତୀ ସ୍ତରରେ ଭାଷା-ସଂସ୍କୃତି ଭିତ୍ତିରେ ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶପାଇଁ ଆନ୍ଦୋଳନ ହେଲା ।

ଯେଉଁ ସଙ୍କଟଯୋଗୁଁ ଭାଷା ଆନ୍ଦୋଳନର ସୂତ୍ରପାତ ହେଲା, ତା'ର ଏକ ପ୍ରମୁଖ ବିନ୍ଦୁ ଥିଲା କାନ୍ତିଚନ୍ଦ୍ର ବନ୍ଦୋପାଧ୍ୟାୟଙ୍କ ୧୮୭୨ରେ ପ୍ରକାଶିତ ପୁସ୍ତିକା 'ଉଡ଼ିଆ ଏକ୍‍ଟି ସ୍ୱତନ୍ତ୍ର ଭାଷା ନୟ' । ବାଲେଶ୍ୱରରେ କାର୍ଯ୍ୟରତ ଏହି ବଂଗାଳୀ ଶିକ୍ଷକ ଜଣକ ପୁସ୍ତିକାରେ ଯୁକ୍ତି କରିଥିଲେ ଯେ, ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ । ଏହା ବଙ୍ଗଳା ଭାଷାର ଏକ ଉପଭାଷା ମାତ୍ର ! କାନ୍ତିଚନ୍ଦ୍ରଙ୍କ ଯୁକ୍ତିକୁ ତତ୍କାଳୀନ ଅନ୍ୟ ବଙ୍ଗୀୟ ସରକାରୀ କର୍ମଚାରୀ ଓ ବୁଦ୍ଧିଜୀବୀମାନେ ପ୍ରାୟତଃ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ସମର୍ଥନ କରୁଥିଲେ । ସରକାରୀ କର୍ମଚାରୀ ଭାବରେ ତଥା କୋର୍ଟ କଚେରିରେ ଓକିଲ-ସିରସ୍ତାଦାର ଭାବରେ ବଙ୍ଗୀୟମାନଙ୍କର ଓଡ଼ିଶାରେ ବହୁଳତା ରହିଥିଲା । ଓଡ଼ିଶା ପୁଣି ଖଣ୍ଡ ଖଣ୍ଡ ହୋଇ ବିଭିନ୍ନ ପ୍ରାଦେଶିକ ଶାସନାଧୀନ ହୋଇଥିଲା । ତେଣୁ, ପୁସ୍ତିକା ପ୍ରକାଶନଯୋଗୁଁ ଓଡ଼ିଶାର ବୁଦ୍ଧିଜୀବୀ ପ୍ରମାଦ ଗଣିଲେ । ସେମାନଙ୍କ ମନରେ ଓଡ଼ିଶାର ଭାଷା-ସଂସ୍କୃତି ଲୋପ ପାଇଯିବାର ଭୟ ସୃଷ୍ଟି ହେଲା । ଏହା ଜାତୀୟତାର ଉନ୍ମେଷକୁ ଓଡ଼ିଶାରେ ତ୍ୱରାନ୍ୱିତ କଲା ।

ଏହି ସଙ୍କଟ ତେଲ୍‍ଗୁ ଅଧ୍ୟୁଷିତ ଦକ୍ଷିଣ ଓଡ଼ିଶାରେ ଏବଂ ହିନ୍ଦୀ ଅଧ୍ୟୁଷିତ ପଶ୍ଚିମ ଓଡ଼ିଶାରେ ମଧ୍ୟ ଦେଖାଗଲା । ଫଳରେ ସମଗ୍ର ଓଡ଼ିଶାରେ ଭାଷା-ସଂସ୍କୃତିର ରକ୍ଷାନିମନ୍ତେ ବୌଦ୍ଧିକ ଆନ୍ଦୋଳନ ତୀବ୍ରତର ହେଲା । ସମ୍ବଲପୁରରେ ଭାଷା ଆନ୍ଦୋଳନ

ପଶ୍ଚିମ ଓଡ଼ିଶାରେ ରହିଥିବା ସମସ୍ତ ଗଡ଼ଜାତ ଏବଂ ଅନ୍ୟ ଅଞ୍ଚଳଗୁଡ଼ିକର ମୁଖ୍ୟାଳୟ ଥିଲା ସମ୍ବଲପୁର । ସେହି ଆଧାରରେ ପଶ୍ଚିମ ଓଡ଼ିଶାକୁ ସମ୍ବଲପୁର ଅଞ୍ଚଳ ବା ଲୌକିକ ସ୍ତରରେ ସମ୍ବଲପୁର ବୋଲି କୁହାଯାଉଥିଲା । ସମ୍ବଲପୁର ଇଂରେଜ ଶାସନର ଆରମ୍ଭରୁ କେନ୍ଦ୍ର ପ୍ରଦେଶରେ ରହିଥିଲା । ଇଂରେଜ ରେସିଡେଣ୍ଟ ସେଠାରେ ପ୍ରଥମେ ସରକାରୀ କାଗଜପତ୍ରରେ ପାର୍ସୀ ଓ ଉର୍ଦ୍ଦୁ ଭାଷାର ବ୍ୟବହାରକୁ ସ୍ୱୀକୃତି ଦେଇଥିଲେ । ୧୮୬୨ରୁ ଓଡ଼ିଆ ଭାଷାର ପ୍ରଚଳନ ହେଲା । କେନ୍ଦ୍ର ପ୍ରଦେଶର ଅନ୍ୟ ଅଂଶରେ ହିନ୍ଦୀ ଓ ସମ୍ବଲପୁରରେ ଓଡ଼ିଆର ପ୍ରଚଳନଯୋଗୁଁ ସରକାର ପ୍ରାଶାସନିକ ଅସୁବିଧାର ସମ୍ମୁଖୀନ ହେଲେ । ଫଳରେ ୧୮୯୫ରେ ପୁଣି ଥରେ ସେଠାରେ ଓଡ଼ିଆ ସ୍ଥାନରେ ହିନ୍ଦୀ ସରକାରୀ ଭାଷା ହେବ ବୋଲି ନିର୍ଦ୍ଦେଶନାମା ଜାରି ହେଲା । ହିନ୍ଦୀକୁ ପ୍ରୋତ୍ସାହନ ଦେବାଲାଗି ସ୍କୁଲ୍‍ରେ ତୃତୀୟ ଶ୍ରେଣୀରୁ ଏହାକୁ ବାଧ୍ୟତାମୂଳକ ବିଷୟ କରିବାଲାଗି ପ୍ରସ୍ତାବ ରହିଲା । ୧୮୯୬ରୁ ପ୍ରସ୍ତାବ କାର୍ଯ୍ୟକାରୀ ମଧ୍ୟ ହେଲା ।

ସରକାରୀ ଆଦେଶନାମାର ପ୍ରତ୍ୟାହାର ଏବଂ ସମ୍ବଲପୁରକୁ ବଂଗ ପ୍ରେସିଡେନ୍‍ସିର ଓଡ଼ିଶା ଡିଭିଜନ ସହ ମିଶ୍ରଣ ଦାବି କରି ସମ୍ବଲପୁରରେ ଆନ୍ଦୋଳନ ଆରମ୍ଭ ହେଲା । ଏହାର ପ୍ରମୁଖ ନେତା ଥିଲେ ଚନ୍ଦ୍ରଶେଖର ବେହେରା ଓ ବୈକୁଣ୍ଠନାଥ ପୂଜାରୀ । ଏହି ଆନ୍ଦୋଳନକୁ ଭାରତୀୟ ଜାତୀୟ କଂଗ୍ରେସର ମଡ଼ରେଟ୍‍ ବା ନରମପନ୍ଥୀ ରାଜନୀତିର ଏକ ପ୍ରତିଫଳନ ରୂପେ ଦେଖିହେବ । ଅବଶ୍ୟ ସେତେବେଳେ ଓଡ଼ିଶାରେ ଜାତୀୟ କଂଗ୍ରେସର ଶାଖା ସ୍ଥାପିତ ହୋଇ ନଥିଲା । ମାତ୍ର ନରମପନ୍ଥୀ ରାଜନୀତିର ଆଧାରରେ ସ୍ଥାନୀୟ ନେତୃତ୍ୱ ଲୋକ ସମର୍ଥନ ଉପରେ ଗୁରୁତ୍ୱ ଦେଲେ । ଜନଗଣନା ବେଳେ ଲୋକଙ୍କୁ ନିଜ ମାତୃଭାଷା ଓଡ଼ିଆ ବୋଲି ଜଣାଇବାକୁ ବୁଝାଇଲେ । ଯଦିଓ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହର ପରେ ପରେ ଏହି ଆନ୍ଦୋଳନ ସଂଘଟିତ ହୋଇଥିଲା, ନେତୃତ୍ୱ ଦାବି ପୂରଣପାଇଁ ହିଂସାତ୍ମକ ପନ୍ଥା ଆଚରଣ କରି ନ ଥିଲେ । ବରଂ ବାରମ୍ବାର ସଭା ସମିତି ଆୟୋଜନ କରି ତହିଁରେ ନିଜର ଯୁକ୍ତିକୁ ଥୋଇଲେ । ଉଭୟ ପ୍ରଶାସନ ଓ ଲୋକଙ୍କ ଅବଗତି ନିମନ୍ତେ ଓଡ଼ିଆ ଓ ଇଂରାଜୀରେ ପ୍ରଚାରପତ୍ରମାନ ବଣ୍ଟା ହେଲା । ଏହା ବ୍ୟତୀତ ଆନ୍ଦୋଳନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସହର ବାହାରେ ଗାଁଣ୍ଡାଗୁଡ଼ିକରେ ମଧ୍ୟ ସଭା ସମିତି ଆୟୋଜିତ ହେଲା । ରାଜନୀତିକ ଦାବିପୂରଣପାଇଁ ଲୋକଙ୍କର ସଂପୃକ୍ତି ଉପରେ ଗୁରୁତ୍ୱ ଦେଇ ସମ୍ବଲପୁରର ସ୍ଥାନୀୟ ନେତୃତ୍ୱ ଏକ ଜାତୀୟ କର୍ତ୍ତବ୍ୟ ନିର୍ବାହ କରିଥିଲେ ।

ସମ୍ବଲପୁରର ଭାଷା ଆନ୍ଦୋଳନର ଅନ୍ୟ କେତୋଟି ବୈଶିଷ୍ଟ୍ୟ ମଧ୍ୟରେ ସରକାରଙ୍କ ପାଖକୁ ସ୍ମାରକ ପତ୍ର ପ୍ରେରଣ କରାଯିବା, ସିମଲାରେ ବଡ଼ଲାଟଙ୍କୁ ଭେଟିବାସକାଶେ 'ଡେଲିଗେସନ୍‍'ରେ ଯିବା ଏବଂ ଆନ୍ଦୋଳନର ଖର୍ଚ୍ଚ ପୂରଣସକାଶେ ସାଧାରଣ ଲୋକଙ୍କ ପାଖରୁ ପାଣ୍ଠି ସଂଗ୍ରହ କରିବା ହେଲା ଅନ୍ୟତମ । ଏହି ସମୟରେ ଗଙ୍ଗାଧର ମେହେର 'ଭାରତୀ ରୋଦନ' ଏବଂ 'ଉତ୍କଳ ଭାରତୀଙ୍କ ନିବେଦନ' ଶୀର୍ଷକରେ କବିତା ଲେଖି 'ସମ୍ବଲପୁର ହିତୈଷିଣୀ'ରେ ପ୍ରକାଶ କରିଥିଲେ । ଏଥିରେ ଇଂରେଜ କମିସନର ଉଡ଼୍‍ବର୍ଣ୍ଣଙ୍କଠାରୁ ଆରମ୍ଭ କରି ରାଜନ୍ୟବର୍ଗ ଓ ସାଧାରଣବର୍ଗଙ୍କ ପାଖରେ ସମ୍ବଲପୁରରୁ ଓଡ଼ିଆର ଉଚ୍ଛେଦ ନିଷ୍ପତ୍ତିକୁ ଉଠାଇନେବା ଲାଗି ନିବେଦନ କରାଯାଇଥିଲା । ଫକୀର ମୋହନ ମଧ୍ୟ 'ଉତ୍କଳ ଭ୍ରମଣଂ'ରେ ଏହି ନିଷ୍ପତ୍ତିକୁ ଯୁକ୍ତିହୀନ ବୋଲି ଦର୍ଶାଇଥିଲେ । ରାଜନୈତିକ ଆନ୍ଦୋଳନର ପ୍ରଚାର ପ୍ରସାର ଦିଗରେ ଜାତୀୟତାବାଦୀ ସାହିତ୍ୟକୁ ମାଧ୍ୟମ ଭାବରେ ବ୍ୟବହାର କରାଯାଇପାରେ ବୋଲି ବୁଦ୍ଧିଜୀବୀ ସିଦ୍ଧ କରିଥିଲେ । ଶେଷରେ ୧୯୦୧ରେ ସରକାର ସମ୍ବଲପୁରରେ ଓଡ଼ିଆର ପୁନଃପ୍ରଚଳନ ହେବ ବୋଲି ନିର୍ଦ୍ଦେଶନାମା ଜାରି କଲେ । ୧୯୦୫ରେ ସମ୍ବଲପୁରକୁ ଓଡ଼ିଶା ଡିଭିଜନ ସହ ମିଶ୍ରଣ କରି ଦିଆଗଲା । ଏହା ଫଳରେ ସେଠାରେ ସରକାରୀ ସ୍ତରରେ ଓଡ଼ିଆର ବ୍ୟବହାର ଆଉ ସମସ୍ୟା ସୃଷ୍ଟି କଲା ନାହିଁ । ଭାଷା ଆନ୍ଦୋଳନର ଏହି ସଫଳତାକୁ ସର୍ବଭାରତୀୟ ନେତୃତ୍ୱର ପ୍ରତ୍ୟକ୍ଷ ସଂପୃକ୍ତି ବିନା, ସ୍ଥାନୀୟ ନେତୃତ୍ୱ ହାସଲ କରି ପାରିଥିଲେ । ପୁଣି, ଓଡ଼ିଶା ସ୍ତରରେ ଦେଖିଲେ ଏହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିକୁ ଦୃଢ଼ ଭିତ୍ତି ପ୍ରଦାନ କଲା । ଆନ୍ଦୋଳନକୁ ସମସ୍ତ ଓଡ଼ିଆ ପତ୍ର-ପତ୍ରିକା ଓ ବୁଦ୍ଧିଜୀବୀବର୍ଗ ସମର୍ଥନ ଜଣାଇଲେ । ଆନ୍ଦୋଳନଯୋଗୁଁ ଅନ୍ତତଃ ବୁଦ୍ଧିଜୀବୀ ସ୍ତରରେ ଏକତା ଆସିଲା । ଫଳସ୍ୱରୂପ, ୧୮୯୬ ମସିହାରେ କଟକ ନିବାସୀ ମଧୁସୂଦନ ଦାସଙ୍କୁ ବଙ୍ଗଲାଟ୍‍ସଭା ଲାଗି ପାର୍ଥୀ କରାଯିବ ବୋଲି ସମ୍ବଲପୁରରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା । ଓଡ଼ିଶା ସ୍ତରରେ ଏହି ଏକତା ଜାତୀୟତାର ଉନ୍ମେଷରେ ଖୁବ୍‍ ସହାୟକ ସିଦ୍ଧ ହେଲା ।

ଭାଷା ଆନ୍ଦୋଳନ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଥିଲା । ଗଂଜାମରୁ ପ୍ରକାଶିତ 'ସ୍ୱଦେଶୀ' (୧୮୭୫) ଏବଂ ପାରଳାଖେମୁଣ୍ଡିରୁ ପ୍ରକାଶିତ 'ଗଞ୍ଜାମ ଓଡ଼ିଆ ହିତବାଦିନୀ' (୧୮୯୯) ଆନ୍ଦୋଳନକୁ ପ୍ରତିିନିଧିତ୍ୱ ଦେଇଥିଲେ । ୧୮୮୧ରେ ଭାଷା ସୁରକ୍ଷା ତଥା ଅନ୍ୟାନ୍ୟ ପ୍ରସଙ୍ଗନିମନ୍ତେ ଉତ୍କଳ ହିତବାଦିନୀ ସଭା ଗଠିତ ହୋଇଥିଲା । ୧୮୯୦ ଦଶକରେ ମାଡ଼୍ରାସ୍‍ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗଂଜାମର ସ୍କୁଲ୍‍ମାନଙ୍କରେ ଓଡ଼ିଆ ଶିକ୍ଷାର ବ୍ୟବସ୍ଥା ହେଲା । ମାତ୍ର ଜାତୀୟତାବାଦୀଙ୍କ ଦାବି ସତ୍ତ୍ୱେ ଗଂଜାମକୁ ଓଡ଼ିଶା ଡିଭିଜନରେ ମିଶ୍ରଣ କରାଗଲା ନାହିଁ । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ପର୍ଯ୍ୟନ୍ତ ଗଞ୍ଜାମ ମାଡ଼୍ରାସ୍‍ ପ୍ରେସିଡେନ୍‍ସିର ଅଂଶ ହୋଇ ରହିଲା ।

ଓଡ଼ିଶା ଡିଭିଜନରେ ଭାଷା ଆନ୍ଦୋଳନ ଅଧିକ ତୀବ୍ର ଆକାର ଧାରଣ କଲା । ଇଂରେଜ ଶାସନ ପୂର୍ବରୁ ଏହି ଅଂଚଳ ଓଡ଼ିଶାର ରାଜନୈତିକ କେନ୍ଦ୍ର ରୂପେ ବିବେଚିତ ହୋଇ ଆସିଥିଲା । ଏଠାରେ ଆଧୁନିକ ଶିକ୍ଷିତ ବର୍ଗର ସଂଖ୍ୟା ଅନ୍ୟ ଓଡ଼ିଆ ଭାଷା-ଭାଷୀ ଅଂଚଳ ଅପେକ୍ଷା ଅଧିକ । ପୁଣି, ଏହି କ୍ଷେତ୍ରଟି ବଂଗ ପ୍ରେସିଡେନ୍‍ସିର ଅଂଶ ହୋଇ ରହିଥିଲା । ଏମିତିରେ କେନ୍ଦ୍ର ପ୍ରଦେଶ ବା ମାଡ଼୍ରାସ୍‍ ତୁଳନାରେ ବଙ୍ଗ ଭାଷୀ ଶିକ୍ଷିତ ଓ କର୍ମଚାରୀଙ୍କ ସଂଖ୍ୟା ବେଶୀ । ତେଣୁ ଉପକୂଳ ଅଂଚଳ ନାମରେ ପରିଚିତ ଓଡ଼ିଶା ଡିଭିଜନରେ ସଂଘାତ ଅଧିକ ଓ ଆନ୍ଦୋଳନ ଅଧିକ ବ୍ୟାପକ ମନେହେଲା ।

ଓଡ଼ିଆ ଭାଷା ଓଡ଼ିଶାରେ ଉଚ୍ଛେଦ ହେବାର ଭୟରେ ଫକୀର ମୋହନ କେତେକ ସ୍ଥାନୀୟ ଅମଲାମାନଙ୍କୁ ନେଇ ବାଲେଶ୍ୱରରେ ପ୍ରତିବାଦ ସଭା ଆୟୋଜନ କଲେ ଏବଂ ସରକାରଙ୍କୁ ସ୍ମାରକ ପତ୍ର ଦେଲେ । ସ୍କୁଲ୍‍ରୁ ଓଡ଼ିଆ ଉଚ୍ଛେଦ ହେବାର ଆଶଙ୍କା ପଛରେ ଆଞ୍ଚଳିକ ଭାଷାରେ ପାଠ୍ୟ ପୁସ୍ତକର ଅଭାବକୁ କାରଣ ବୋଲି କୁହାଯାଇ ପାରେ । ଏହି ଅଭାବକୁ ଦୂର କରିବାପାଇଁ ମଧୁସୂଦନ ରାଓ 'ବର୍ଣ୍ଣବୋଧ' ଓ ଫକୀର ମୋହନ 'ଅଙ୍କମାଳା' ତଥା 'ଭାରତ ଇତିହାସ' ପୁସ୍ତକ ରଚନା କଲେ । ଗଙ୍ଗାଧର ପ୍ରାଥମିକ ଛାତ୍ରମାନଙ୍କ ଆବଶ୍ୟକତାକୁ ଦେଖି କେତୋଟି ହିନ୍ଦୀ କବିତାର ଅନୁବାଦ କଲେ । ଗୌରୀଶଙ୍କର ଓ ବିଚ୍ଛଦ ଚରଣ ପଟ୍ଟନାୟକ ମଧ୍ୟ ସ୍କୁଲ୍‍ ପାଠ୍ୟ ପୁସ୍ତକ ଲେଖିଲ । କବି ରାଧାନାଥ ରାୟ ମଧ୍ୟ ଭୂଗୋଳଠାରୁ ଆରମ୍ଭ କରି ଗଣିତ ଯାକେ ପ୍ରତ୍ୟେକ ବିଷୟରେ ପୁସ୍ତକ ଲେଖିଥିଲେ । ପ୍ୟାରୀମୋହନ ଆଚାର୍ଯ୍ୟଙ୍କ 'ଓଡ଼ିଶା ଇତିହାସ' ସ୍କୁଲ୍‍ରେ ବ୍ୟବହାର ହେବା ଉଦ୍ଦେଶ୍ୟରେ ଲେଖା ଯାଇଥିଲା । ଏସବୁ ପ୍ରୟାସ, ମାତୃଭାଷା ଓଡ଼ିଆରେ ପାଠ୍ୟ ପୁସ୍ତକର ଅଭାବଜନିତ ଅସୁବିଧାକୁ ଅନେକ ମାତ୍ରାରେ ଦୂର କରିଥିଲା । ଓଡ଼ିଶାର ଭାଷା ଓ ଜାତୀୟତା ଆନ୍ଦୋଳନ ଏଠାକାର ଐତିହ୍ୟ ଓ ପୂର୍ବ ଗୌରବକୁ ନେଇ ଗର୍ବ କରିବାପାଇଁ ଶିକ୍ଷା ଦେଇଥିଲା । ପ୍ୟାରୀମୋହନଙ୍କ 'ଓଡ଼ିଶା ଇତିହାସ', ଫକୀର ମୋହନଙ୍କ 'ଭାରତ ଇତିହାସ' ଏବଂ ରାମଶଙ୍କର ରାୟଙ୍କର 'କାଞ୍ଚିକାବେରୀ' (ନାଟକ)କୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେବ ଯେ, ଓଡ଼ିଶାର ଇତିହାସକୁ ତହିଁରେ ମହିମାମଣ୍ଡିତ କରାଯାଇଛି ଏବଂ ଜାତିକୁ ନେଇ ଗର୍ବ କରିବାକୁ ଲୋକଙ୍କୁ ପ୍ରେରଣା ଦିଆଯାଇଛି । ଓଡ଼ିଶାର ଅତୀତ ଯେହେତୁ ଗୌରବମୟ ସେହି ପ୍ରେରଣାରେ ଅନୁପ୍ରେରିତ ହେଲେ ବର୍ତ୍ତମାନର ଦୁର୍ଦ୍ଦଶାକୁ ଦୂର କରିବା କାଠିକର ପାଠ ହେବ ନାହିଁ ବୋଲି ଜାତୀୟତାବାଦୀମାନେ ମନରେ ଆଶା ବାନ୍ଧିଥିଲେ । ଏହି ପରିପ୍ରେକ୍ଷୀରେ ଫକୀର ମୋହନଙ୍କ 'ଉତ୍କଳ ଭ୍ରମଣଂ'ର ନିମ୍ନୋକ୍ତ ପଙ୍‍କ୍ତିକୁ ଦେଖାଯାଇପାରେ-

{{center block|

ଭାରତର ସର୍ବଦେଶେ ଏମନ୍ତ ପ୍ରଚାର
ପବିତ୍ର ଉତ୍କଳଭୂମି ଅଟେ ସ୍ୱର୍ଗଦ୍ୱାର ।
ପ୍ରକୃତି ଯେମନ୍ତ ଶୋଭା ଏଠାରେ ମେଲିଛି
ଏମନ୍ତ ସୌନ୍ଦର୍ଯ୍ୟ ରାଶି ଭାରତେ କାହିଁଛି ?

'ମହାଯାତ୍ରା'ରେ କବି ରାଧାନାଥ ରାୟ ଉତ୍କଳର ଗୌରବ ଗାନ କରି ଲେଖିଛନ୍ତି- {{center block|

ପୁଷ୍ପକୁଣ୍ଡେ ଶ୍ରେଷ୍ଠ ତା'ର କେଶର ଯେସନ
ଶ୍ରେଷ୍ଠ ଏ ନୀଳାଦ୍ରି ଧାମ ସମଗ୍ର ଉତ୍କଳେ ।
ନିବସନ୍ତି ନାନା ସ୍ଥଳେ ଦେବଦେବୀ ଯେତେ
ଭାରତ, ଭାରତ ଖଣ୍ଡେ ଆସି ଏ ପ୍ରଦେଶେ
ବିହରିବେ ଠାବେ ଠାବେ ନିଜ ରୁଚିମତେ
ଠୁଳ ହେବ ଅବଶେଷେ ପୁଣି ଏ ପୁଳିନେ
ଅଖିଳ-ଭାରତ-ତୀର୍ଥ-ଭ୍ରମଣ ସୁକୃତ
ଲଭିବେ କଳିରେ ଲୋକେ ଏହି ସ୍ଥଳେ ଭ୍ରମି ।

ସେ କାଳର ଅନ୍ୟ ବୁଦ୍ଧିଜୀବୀମାନେ ମଧ୍ୟ ଓଡ଼ିଶାର ଅତୀତକୁ ନେଇ ଗର୍ବ କରିଛନ୍ତି ଏବଂ ଆଧୁିନିକତାର ପ୍ରେକ୍ଷାପଟରେ ସେହିଭଳି ଏକ ଆଦର୍ଶ ସମାଜ ଗଢ଼ିବାକୁ ପ୍ରେରଣା ଦେଇଛନ୍ତି । ମଧୁସୂଦନ ଦାସ ନିଜେ କବି ନହେବା ସତ୍ତ୍ୱେ 'ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ମହିମା ପଡିବ କି ତୋର ମନେ' ବୋଲି ଗୀତ ଲେଖିଛନ୍ତି । ଏହିସବୁ ରଚନା ଉପନିବେଶବାଦୀ ସାଂସ୍କୃତିକ କର୍ତ୍ତୃତ୍ୱଯୋଗୁଁ ସ୍ଥାନୀୟ ସମାଜରେ ବିସ୍ତାରିତ ହେଉଥିବା ହୀନମନ୍ୟତାକୁ ଦୂର କରିବାଲାଗି ଉଦ୍ଦିଷ୍ଟ ଥିଲା । ଅତୀତର ଉଦ୍ଧରଣ ଲୋକଙ୍କ ମନରେ ସ୍ୱାଭିମାନ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀମାନେ ଆଶା କରୁଥିଲେ ।

୧୮୮୦ ଦଶକ ଆଡ଼କୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଜାତୀୟତାବାଦୀ ବୁଦ୍ଧିଜୀବୀଙ୍କ ଉଦ୍ୟମରେ ସାମାଜିକ ଓ ରାଜନୈତିକ ସଂଗଠନଗୁଡ଼ିକର ସ୍ଥାପନା ହେଲା । ସଂଗଠନଗୁଡ଼ିକ ମଧ୍ୟରେ ପ୍ରମୁଖ ଥିଲେ ବାଲେଶ୍ୱରର 'ନେଶନାଲ୍‍ ସୋସାଇଟି' (୧୮୭୮), ପାରଳାଖେମୁଣ୍ଡିର 'ଉତ୍କଳ ହିତୈଷିଣୀ ସଭା' (୧୮୮୧) ଓ କଟକର 'ଉତ୍କଳ ସଭା'(୧୮୮୨) । ୧୯୦୩ ମସିହାରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ସ୍ଥାପିତ 'ଉତ୍କଳ ସମ୍ମିଳନୀ'ର ପୂର୍ବସୂରୀ ରୂପେ ଏହି ସଂଗଠନଗୁଡ଼ିକୁ ଦେଖିହେବ । ସେଗୁଡ଼ିକର କାର୍ଯ୍ୟପରିଧି ସ୍ଥାପିତ ସହରଯାକେ ସୀମିତ ଥିଲା; ସଂଖ୍ୟାନ୍ୟୂନ ବୁଦ୍ଧିଜୀବୀଙ୍କୁ ବାଦ ଦେଲେ ସେଗୁଡ଼ିକର କୌଣସି ଜନାଧାର ନଥିଲା । ଏ ସବୁ ସତ୍ତ୍ୱେ ବିଭିନ୍ନ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ସେଠାରେ ଆଲୋଚନା କରାଗଲା ଏବଂ ପତ୍ରିକା ପ୍ରକାଶନକୁ ଏହି ସଂଗଠନଗୁଡ଼ିକ ମହତ୍ତ୍ୱ ଦେଲେ । ଉଦାହରଣ ସ୍ୱରୂପ 'ନେଶନାଲ୍‍ ସୋସାଇଟି', 'ସଂବାଦ ବାହିକା'ର ପ୍ରକାଶନ ଓ ସଂପାଦନା ତଥା 'ଉତ୍କଳ ସଭା' ସଂସ୍ଥା 'ଉତ୍କଳ ଦୀପିକା'ର ପ୍ରକାଶନ ସହ ସଂପୃକ୍ତ ଥିଲେ । ସଂଗଠନମାନେ ୧୮୮୫ରେ କଂଗ୍ରେସର ସ୍ଥାପନା ପରେ ତା'ର ବାର୍ଷିକ ଅଧିବେଶନକୁ ପ୍ରତିନିଧି ପଠାଇଲେ । ଏହି କ୍ରମରେ ଜାତୀୟ କଂଗ୍ରେସ ଓ ଏହି ସ୍ଥାନୀୟ ସଂଗଠନଗୁଡ଼ିକ ମଧ୍ୟରେ ଯୋଗସୂତ୍ର ରକ୍ଷା ହେଲା । ଅନ୍ୟ ଶବ୍ଦରେ କହିଲେ, ଏହି ସଂଗଠନଗୁଡ଼ିକ ମାଧ୍ୟମରେ ଓଡ଼ିଶା ଓ ବାହାରର ଜାତୀୟତାବାଦୀଙ୍କ ମଧ୍ୟରେ ସଂପର୍କର ସୂତ୍ର ଗଠନ ହେଲା । ଫଳରେ, ଓଡ଼ିଶା ପ୍ରସଙ୍ଗ କଂଗ୍ରେସ ମଞ୍ଚରେ ଏବଂ କଂଗ୍ରେସ ବା ଜାତୀୟ ପ୍ରସଙ୍ଗ ଓଡ଼ିଶା ସ୍ତରରେ ଆଲୋଚିତ ହେଲା । ଏହି ପରିପ୍ରେକ୍ଷୀରେ ଦେଖିଲେ, ଏକ ବ୍ୟାପକ ଜାତୀୟ ଆନ୍ଦୋଳନ ଗଠନରେ ଉତ୍କଳୀୟ ବୁଦ୍ଧିଜୀବୀର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।

ଉତ୍ଥାପିତ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଦାରିଦ୍ର୍ୟ ଥିଲା ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ । ବୁଦ୍ଧିଜୀବୀ ଦୃଷ୍ଟିରେ, ଦାରିଦ୍ର୍ୟର କାରଣ ହେଲା କରବୃଦ୍ଧି, ସ୍ଥାନୀୟ ଶିଳ୍ପ ଯଥା ଲୁଣ ପ୍ରୋକ୍ତାନ ତଥା ଜାହାଜ ନିର୍ମାଣର ବିଲୋପ ଏବଂ ତଳିଆ କର୍ମଚାରୀଙ୍କ ନିମ୍ନ ବେତନ ଇତ୍ୟାଦି । ଦାରିଦ୍ର୍ୟଯୋଗୁଁ ଲୋକ ମାତୃଭାଷାରେ ଲିଖିତ ପୁସ୍ତକଟିଏ ମଧ୍ୟ କିଣି ପାରୁାହାନ୍ତି ବୋଲି ୧୯୧୩ରେ ଫକୀର ମୋହନ ଲେଖିଥିଲେ । 'ଓଡ଼ିଆ ଓ ନବସମ୍ବାଦ' ୧୮୯୫ରେ ଲେଖିଲା ଯେ, ବାଲେଶ୍ୱର ବଜାରରେ ଲୁଣର କାଟ୍‍ତି ଊଣା ହେବା ପଛରେ ବଡ଼ କାରଣ ହେଲା ଦରିଦ୍ର୍ୟ । ଗରିବୀଯୋଗୁଁ ଲୋକ ଭୋଜି ଆଦିରେ ହାତଖୋଲି ଖର୍ଚ୍ଚ କରି ପାରୁ ନାହାନ୍ତି । ଏଭଳିକି ସେମାନଙ୍କୁ ସାଧାରଣ ଖାଇବା ମଧ୍ୟ ଜୁଟୁ ନାହିିଁ । ଫଳରେ ଲୁଣର ବ୍ୟବହାର କମି କମି ଯାଉଛି । ୧୮୮୬ରେ 'ସେବକ' ମତବ୍ୟକ୍ତ କରିଥିଲା ଯେ, ବ୍ରିଟିଶ ସରକାର ଅଧୀନରେ ଲୋକଙ୍କର ଆର୍ଥିକ ପ୍ରଗତି ହେବାରେ କୌଣସି ପ୍ରମାଣ ମିଳୁ ନାହିିଁ । ତୀର୍ଥଯାତ୍ରୀ କରବୃଦ୍ଧିର ତୀବ୍ର ସମାଲୋଚନା କରି 'ଉତ୍କଳ ଦୀପିକା' ୧୮୬୮ରେ ଲେଖିଥିଲା ଯେ, ସବୁ ତୀର୍ଥଯାତ୍ରୀଙ୍କୁ ଧନିକ ଶ୍ରେଣୀର ବୋଲି ଧରି ନିଆଯାଇ ନପାରେ । ପୁଣି, ଯାତ୍ରାଜନିତ ସେମାନଙ୍କ ଦୁଃଖକଷ୍ଟ ଏମିତିରେ ବି କିଛି କମ୍‍ ନୁହଁ । ଏହି ସ୍ଥିତିରେ ତାଙ୍କଠାରୁ ଅଧିକ କର ଅସୁଲ କରାଯିବା ଉଚିତ ନୁହଁ । ଲୁଣ ପ୍ରୋକ୍ତାନ ବନ୍ଦ ହେବା ପରେ ଯେତେ ସଂଖ୍ୟାରେ ଲୋକ ଅନ୍ନ ସଂସ୍ଥାନର ପନ୍ଥା ହରାଇଲେ, ତାକୁ ଉଲ୍ଲେଖ କରି 'ଉତ୍କଳ ଦୀପିକା' ଲେଖିଥିଲା, ଲୁଣ ଟିକକପାଇଁ ଇଂଲଣ୍ଡର ଲିଭରପୁଲ ଉପରେ ଆଶ୍ରିତ ହେବା ସତେ କେତେ ପରିତାପର କଥା ! ୟା'ଠାରୁ ଭାରତର ଅଧିକ ଦୁର୍ଯୋଗ ଆଉ କ'ଣ ହୋଇପାରେ? 'ସଂସ୍କାରକ'ର ଭାଷାରେ ଲୋକଙ୍କ ପ୍ରତି ସମ୍ବେଦନଶୀଳ କୌଣସି ପ୍ରଶାସନ ଲୋକଙ୍କୁ ଏଭଳି ଭାବରେ ରୋଜଗାରଶୂନ୍ୟ କରିବେ ନାହିିଁ । ବୁଦ୍ଧିଜୀବୀଙ୍କ ଅଭିଯୋଗ ଯେ, ସ୍ଥାନୀୟ ଲବଣ ଶିଳ୍ପର ବିଲୋପ ପରେ କାମ ହରାଇଥିବା ଲୋକଙ୍କୁ ଲିଭରପୁଲରୁ ଲବଣ ଆମଦାନୀ କାମରେ ନିଯୁକ୍ତ କରାଯାଇ ପାରିବ ନାହିିଁ । କେବଳ ଲବଣ ପ୍ରସଙ୍ଗ ନୁହେଁ, ପ୍ରତିରକ୍ଷାରେ ଅଧିକ ଖର୍ଚ୍ଚ, ଭାଇସରାୟ ଓ ତାଙ୍କ କାର୍ଯ୍ୟପାଳିକା ସଭ୍ୟଙ୍କୁ ଅଧିକ ଦରମା ଏବଂ ଲୋକଙ୍କ ଉପରେ ଋଣଭାର ବୃଦ୍ଧିକୁ ନେଇ ମଧ୍ୟ ବୁଦ୍ଧିଜୀବୀ ପତ୍ର-ପତ୍ରିକା ମାଧ୍ୟମରେ ସେ ସମୟରେ ନିରନ୍ତର କ୍ଷୋଭ ପ୍ରକାଶ କରିଥିଲେ ଏବଂ ଭାରତର ସ୍ୱାର୍ଥ ବଦଳରେ ଇଂଲଣ୍ଡର ସ୍ୱାର୍ଥକୁ ଇଂରେଜ ସରକାର ପ୍ରମୁଖତା ଦିଅନ୍ତି ବୋଲି ଅଭିଯୋଗ କରୁଥିଲେ । ଠିକ୍‍ ସେହିଭଳି, ୧୮୭୮ରେ ଯେତେବେଳେ 'ଆର୍ମସ୍‍ ଏବ୍ଧ' କାର୍ଯ୍ୟକାରୀ ହେଲା, ତାର ବିରୋଧ କରି କୁହାଗଲା, ଏହାଦ୍ୱାରା ଲୋକେ ଅଧିକ ଅସୁରକ୍ଷିତ ହେବେ । 'ସେବକ' ପତ୍ରିକା ମତ ଦେଲା, ଯଦି ଏହି ଆଇନକୁ ପ୍ରତ୍ୟାହାର କରିନିଆ ନଯାଏ, ଲୋକଙ୍କଠାରେ ସରକାରଙ୍କର ଆସ୍ଥା ନାହିିଁ ବୋଲି ବୁଝାଯିବ । ପରିଣାମତଃ ଲୋକଙ୍କର ମଧ୍ୟ ସରକାରଙ୍କଠାରୁ ଆସ୍ଥା ତୁଟିଯିବ ।

ଏହି ସମୟରେ ବୁଦ୍ଧିଜୀବୀ ଇଂରେଜ ସରକାର ଉପରେ ଆସ୍ଥା ରଖିଥିଲେ । ଏଥିସହିତ ଆସ୍ଥା ହରାଇବାର ପ୍ରକ୍ରିୟା ମଧ୍ୟ କିଛି ମାତ୍ରାରେ ଆରମ୍ଭ ହୋଇଯାଇଥିଲା । ବାସ୍ତବିକତା ଆଧାରରେ ସରକାର ଯାହିଁ ଯେଉଁଠି ଭୁଲ କରୁଥିଲେ, ତାର ବିରୋଧ କରିବାକୁ ସେମାନେ ପଛାଉ ନଥିଲେ । ନରମପନ୍ଥୀ ରାଜନୀତିକୁ ଏହା ଖୁବ ସୁହାଉଥିଲା, କାରଣ ଜାତୀୟତାର ଉନ୍ମେଷ କାଳରେ ସରକାର ପ୍ରତି ଅତି କଠୋର ଆଚରଣ କରିବା ସମ୍ଭବ ନଥିଲା । ଦ୍ୱିତୀୟତଃ, ପତ୍ରପତ୍ରିକାରେ ବୁଦ୍ଧିଜୀବୀର ମତ-ବିମତ ପ୍ରକାଶ ପାଇବାଦ୍ୱାରା ଜନସଚେତନତା ବୃଦ୍ଧି ପାଉଥିଲା । ରାଜନୀତିକୁ ଗଣାଭିମୁଖୀ କରିବା ଦିଗରେ ପ୍ରତିବେଦନ ପ୍ରେରଣ, ଭାଷଣ, ଲେଖା, ସଭା, ସମିତି ଆୟୋଜନ ଆଦି ଖୁବ୍‍ ଉପଯୋଗୀ ସିଦ୍ଧ ହେଲା ।

ଓଡ଼ିଶାର ବୁଦ୍ଧିଜୀବୀ ଯେତେବେଳେ ବାହାରର ବୁଦ୍ଧିଜୀବୀଙ୍କ ସାଙ୍ଗରେ ଜାତୀୟ କଂଗ୍ରେସ ଆଦି ବିଭିନ୍ନ ମଞ୍ଚରେ ଏକତ୍ରିତ ହେଲେ; ଭାରତ ବିଷୟକ ସମସ୍ୟାଗୁଡ଼ିକ ସଂପର୍କରେ ପତ୍ରିକା ମାଧ୍ୟମରେ ମତବ୍ୟକ୍ତ କରି ଜାତୀୟତା କାର୍ଯ୍ୟକୁ ଆଗକୁ ନେବାକୁ ଉଦ୍ୟମ କରୁଥିଲେ । ଠିକ୍‍ ସେହି ସମୟରେ ୧୯୦୩ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ଜାତୀୟ କଂଗ୍ରେସର ପ୍ରତିଯୋଗୀ ସଂଗଠନ ଭଳି ପ୍ରତୀୟମାନ ହେଉଥିବା ଏକ ଅନୁଷ୍ଠାନ 'ଉତ୍କଳ ସମ୍ମିଳନୀ' କଟକଠାରେ ସ୍ଥାପିତ ହେଲା । ଠିକ୍‍ ଏହି ସମୟରେ ମାଡ୍ରାସଠାରେ କଂଗ୍ରେସର ବାର୍ଷିକ ଅଧିବେଶନ ଚାଲିଥିଲା ଏବଂ ସରକାର ପ୍ରତି କଂଗ୍ରେସ ନେତୃତ୍ୱ ପୂର୍ବାପେକ୍ଷା ଅଧିକ କଠୋର ମନୋଭାବ ପ୍ରକାଶ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ, 'ଉତ୍କଳ ସମ୍ମିଳନୀ' ସ୍ଥିର କଲା ଯେ, ଓଡ଼ିଶାର ଆଞ୍ଚଳିକ ସ୍ୱାର୍ଥକୁ ସମ୍ମିଳନୀ ପ୍ରମୁଖତା ଦେବ ଏବଂ 'ରାଜନୀତି' ଅର୍ଥାତ କଂଗ୍ରେସ ରାଜନୀତିରୁ ଦୂରରେ ରହିବ । ଅନ୍ୟ ଶବ୍ଦରେ କହିଲେ, ବିଂଶ ଶତାବ୍ଦୀର ଆରମ୍ଭରେ ଯେତେବେଳେ ରାଷ୍ଟ୍ର ସ୍ତରରେ ଜାତୀୟତା ଆନ୍ଦୋଳନ ଏକ ଠୋସ ସ୍ୱରୂପ ନେବା ଆରମ୍ଭ କଲା ଏବଂ ତା'ର ପ୍ରମାଣ ସ୍ୱରୂପ ସରକାର ପ୍ରତି ଜାତୀୟ କଂଗ୍ରେସର ବିରୋଧତା ବୃଦ୍ଧି ପାଇଲା, ଠିକ ସେତେବେଳେ 'ଉତ୍କଳ ସମ୍ମିଳନୀ' ନାଁରେ ଓଡ଼ିଶାର ବୁଦ୍ଧିଜୀବୀ ଏକ ସ୍ୱତନ୍ତ୍ର ସଂଗଠନ ଆରମ୍ଭ କଲେ ଏବଂ 'ରାଜନୀତି'ରୁ ଏହା ଦୂରରେ ରହିବ ବୋଲି ନିଷ୍ପତ୍ତି ନେଲେ, ଯାହାର ପ୍ରକୃତ ଅର୍ଥ ହେଲା ଜାତୀୟ କଂଗ୍ରେସଠାରୁ ଦୂରେଇ ଯାଇ ବ୍ରିଟିଶ ସରକାରର ନିକଟତର ହେବା । ମନେହେଲା, ଯେମିତି ବ୍ରିଟିଶ ଆନୁଗତ୍ୟ ଏବଂ କଂଗ୍ରେସ ରାଜନୀତି ମଧ୍ୟରେ ଉତ୍କଳୀୟ ବୁଦ୍ଧିଜୀବୀ ପ୍ରଥମଟିକୁ ବାଛିନେଇ ଦ୍ୱିତୀୟଟିକୁ ଦୂରେଇ ଦେଲେ । ପ୍ରଥମ 'ଉତ୍କଳ ସମ୍ମିଳନୀ'ରେ ସମଗ୍ର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳରୁ ପ୍ରାୟ ୩୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ସଭାପତିତ୍ୱ କରିଥିଲେ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଏବଂ ସମ୍ମିଳନୀର ସଫଳତା କାମନା କରି ବାର୍ତ୍ତା ପଠାଇଥିଲେ ଓଡ଼ିଶା ଡିଭିଜନର ଚିଫ୍‍ କମିସନର କେ.ଜି. ଗୁପ୍ତା । ସରକାରୀ କର୍ମଚାରୀମାନଙ୍କୁ ସମ୍ମିଳନୀରେ ଯୋଗଦେବାକୁ କାଳେ ସରକାର ବାସନ୍ଦ କରିବେ, ସେହି ଆଶଙ୍କାରେ ପାରିତ ହେବାକୁ ଥିବା ପ୍ରସ୍ତାବଗୁଡ଼ିକୁ ମଧ୍ୟ ସରକାରଙ୍କୁ ଆଗରୁ ଦେଖାଇ ଦିଆଯାଇଥିଲା, ଯାହାର ଅର୍ଥ ହେବ ସରକାରଙ୍କ ଅନୁମତି ନେଇ ପ୍ରସ୍ତାବ ପାସ କରାଯାଇଥିଲା । ୧୮୮୫ରେ ଜାତୀୟ କଂଗ୍ରେସର ଗଠନ ବେଳେ ସରକାର ପ୍ରତି ନେତୃବୃନ୍ଦ ଯେଉଁ ଆନୁଗତ୍ୟ ଦେଖାଇଥିଲେ, ୧୯୦୩ରେ 'ଉତ୍କଳ ସମ୍ମିଳନୀ'ର ଗଠନ ବେଳେ ଉତ୍କଳୀୟ ନେତୃତ୍ୱ ସେହି ଭାବ ପ୍ରଦର୍ଶନ କଲେ । ଏହି ଆଧାରରେ ମନେ ହୋଇପାରେ ଯେ, ଓଡ଼ିଶା ଅନ୍ତତଃ ଜାତୀୟତା ପ୍ରଶ୍ନରେ ଦେଶର ଅନ୍ୟମାନଙ୍କଠାରୁ ଦୁଇ ଦଶନ୍ଧି ପ୍ରାୟ ପଛରେ ଗଲା ! ଏହି ଆଧାରରେ ଏକଥା ବି ମନେ ହୋଇପାରେ ଯେ ଜାତୀୟ କଂଗ୍ରେସର ବିରୋଧ କରିବାସକାଶେ ହୁଏତ ଉତ୍କଳ ସମ୍ମିଳନୀର ଗଠନ କରାଯାଇଥିଲା । ଅର୍ଥାତ ଜାତୀୟ ସ୍ୱାର୍ଥ ଏବଂ ପ୍ରାଦେଶିକ ସ୍ୱାର୍ଥ ମଧ୍ୟରେ ପରିପୂରକତା ସମ୍ଭବ ନୁହେଁ । ମାତ୍ର ପ୍ରକୃତରେ ଦେଖିଲେ ଏହା ସତ ନୁହେଁ । ଜାତୀୟ କଂଗ୍ରେସର ପ୍ରତଯୋଗୀ ବା ବିରୋଧୀ ସଂଗଠନ ଭାବରେ ଉତ୍କଳ ସମ୍ମଳନୀକୁ ଦେଖିହେବ ନାହିିଁ । ଯଦିଓ କେତୋଟି ପ୍ରସଙ୍ଗକୁ ନେଇ ଉଭୟ ବିଚାରଧାରା ମଧ୍ୟରେ ମତ ପାର୍ଥକ୍ୟ ରହିଥିଲା, ତଥାପି କଂଗ୍ରେସର ଏକ ସହଯୋଗୀ ଭାବରେ ଏବଂ ଜାତୀୟତା ସଂଗ୍ରାମର ଏକ ଅଭିନ୍ନ ଅଂଶ ରୂପେ ହିିଁ 'ଉତ୍କଳ ସମ୍ମଳନୀ'କୁ ଦେଖିହେବ । ପ୍ରକୃତରେ ଦେଖିଲେ, ଉଭୟ ସଂଗଠନ ମଧ୍ୟରେ ରହିଥିବା ସମ୍ବନ୍ଧର ଜଟିଳତାକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା ନକରିବା ଯାକେ ପ୍ରସଙ୍ଗଟିକୁ ବୁଝିବା ସହଜ ନୁହଁ । ଏହା ପୂର୍ବରୁ ଉଲ୍ଲିଖିତ ଯେ, ଜାତୀୟ କଂଗ୍ରେସର ପ୍ରତିଷ୍ଠା ପରଠାରୁ ଓଡ଼ିଶାର ବିଭିନ୍ନ ସାମାଜିକ ସଂଗଠନ, ଯଥା- ଉତ୍କଳ ସଭା ଆଦି କଂଗ୍ରେସର ବାର୍ଷିକ ଅଧିବେଶନକୁ ପ୍ରତିନିଧି ପଠାଉଥିଲେ । ଓଡ଼ିଶାର ପତ୍ରପତ୍ରିକାରେ ମଧ୍ୟ ୧୮୭୮ର 'ଆର୍ମସ ଏକ୍ଟ', ଭାଇସରାୟଙ୍କ ଦରମା ଆଦି ପ୍ରସଙ୍ଗକୁ ନେଇ ଜାତୀୟତାଭିତ୍ତିକ ମତାମତ ପ୍ରକାଶ ପାଉଥିଲା । ତା' ସତ୍ତ୍ୱେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଭଳି ଆଞ୍ଚଳିକ ପ୍ରଶ୍ନର ଆଲୋଚନାନିମିତ୍ତ ଏକ ଆଞ୍ଚଳିକ ସଂଗଠନର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ବର୍ଗ ଅନୁଭବ କରୁଥିଲେ । ଏକତ୍ରୀକରଣ ପ୍ରଶ୍ନକୁ ନେଇ ଅଞ୍ଚଳ - ଅଞ୍ଚଳ ମଧ୍ୟରେ ମତୈକ୍ୟ ନ ଥିବାରୁ କଂଗ୍ରେସରେ ତାହା ଆଲୋଚିତ ହୋଇ ପାରୁ ନଥିଲା । ଆରମ୍ଭରେ ଜାତୀୟ କଂଗ୍ରେସ ସ୍ଥିର କରିଥିଲା ଯେ, ଯେଉଁ ପ୍ରସଙ୍ଗକୁ ନେଇ ଆପୋଷ ମତପାର୍ଥକ୍ୟ ରହିଛି, ସେହି ପ୍ରସଙ୍ଗକୁ ଜାତୀୟ କଂଗ୍ରେସର ଆଲୋଚନା ପରିସରକୁ ଅଣାଯିବ ନାହିିଁ । ସେ ପ୍ରଶ୍ନ ପ୍ରଥମେ ଅନ୍ୟ ମଞ୍ଚରେ ଆଲୋଚିତ ହେବ । ଏହି ଆଧାରରେ ମଧୁସୂଦନ ଦାସ ବା ମଧୁବାବୁ ବଙ୍ଗୀୟ ନେତା ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ସହ ଆଲୋଚନା କରି ଏକ ବଙ୍ଗ ପ୍ରାଦେଶିକ ସମ୍ମିଳନୀ ସ୍ଥାପନ କରିବାକୁ ମନସ୍ଥ କରିଥିଲେ । ଆଶା ଥିଲା, ତହିିଁରେ ଆଞ୍ଚଳିକ ପ୍ରସଙ୍ଗ ଆଲୋଚିତ ହେବ । ୧୮୮୮ରେ ଉତ୍କଳ ସଭା ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲା । ଯଦି ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସ୍ତରର ପ୍ରସଙ୍ଗକୁ ଆଲୋଚନା କରିବ, ତାହାହେଲେ ବଙ୍ଗ ପ୍ରାଦେଶିକ ସମ୍ମିଳନୀରେ ପ୍ରାଦେଶିକ ସ୍ତରର ସମସ୍ୟାର ବିଚାର ଆଲୋଚନା ହେବ । ଅର୍ଥାତ ଉଭୟ ସଂଗଠନ ପରସ୍ପରକୁ ସହଯୋଗ କରିବେ । ୧୮୮୮ରେ ସମ୍ମିଳନୀର ପ୍ରଥମ ଅଧିବେଶନ ମଧ୍ୟ ଆୟୋଜିତ ହେଲା, କିନ୍ତୁ ତହିିଁରେ ବଙ୍ଗ ପ୍ରଦେଶସ୍ଥ ଓଡ଼ିଶା ଡିଭିଜନ ବାହାରେ ରହିଥିବା ଓଡ଼ିଆ ଭାଷା-ଭାଷୀ ଲୋକ (ଯଥା ସମ୍ବଲପୁର ଓ ଗଞ୍ଜାମର) ଯୋଗ ଦେବାକୁ ଡକା ହୋଇ ପାରିଲେ ନାହିିଁ । କାରଣ ସେମାନେ ଔପଚାରିକ ଭାବରେ ବଙ୍ଗ ପ୍ରଦେଶର ନୁହନ୍ତି, ଯଦିଓ ଓଡ଼ିଆ ଭାଷା-ଭାଷୀ । ଫଳରେ ଏହି ପ୍ରାଦେଶିକ ସମ୍ମିଳନୀ , ଓଡ଼ିଆ ଭାଷା-ଭାଷୀ ସମସ୍ୟାର ଆଲୋଚନାପାଇଁ ଉପଯୁକ୍ତ ମଞ୍ଚ ପ୍ରମାଣିତ ହେଲା ନାହିିଁ । ଏହା କ'ଣ ଏକ ବିଡ଼ମ୍ବନା ନୁହେଁ ଯେ ଓଡ଼ିଶା ପ୍ରସଙ୍ଗ ଆଲୋଚନାପାଇଁ ଉଦ୍ଦିଷ୍ଟ ସଭାରେ ଗଞ୍ଜାମ ଓ ସମ୍ବଲପୁରବାସୀ ଓଡ଼ିଆ ଭାଗନେଇ ପାରିବେ ନାହିଁ ? ଏହା ଉତ୍ତାରୁ କେବଳ ଓଡ଼ିଶା ସ୍ତରରେ ଏକ ଆଞ୍ଚଳିକ ସମ୍ମିଳନୀର ଆବଶ୍ୟକତା ଅନୁଭୂତ ହେଲା ।

ମତ ପାର୍ଥକ୍ୟର ଅନ୍ୟ ଏକ କାରଣ ହେଲା ଯେ, ୧୯୦୩ରେ ସରକାର ସମସ୍ତ ଓଡ଼ିଆ ଭାଷା-ଭାଷୀ ଅଞ୍ଚଳକୁ, ମାଡ୍ରାସ ତଥା କେନ୍ଦ୍ର ପ୍ରଦେଶରୁ ଆଣି ବେଙ୍ଗଲ ପ୍ରେସିଡେନ୍‍ସି ଅଧୀନରେ ଏକତ୍ରୀକରଣ କରିବାକୁ ପ୍ରସ୍ତାବ ଦେଲେ । ଓଡ଼ିଶାର ବୁଦ୍ଧିଜୀବୀ ସରକାରଙ୍କର ଏହି ପ୍ରସ୍ତାବକୁ ସ୍ୱାଗତ କଲାବେଳେ, କଂଗ୍ରେସର ମାଡ୍ରାସ ଅଧିବେଶନରେ ତାକୁ ଅଗ୍ରାହ୍ୟ କରାଗଲା, କାରଣ ଏପରି ବିଭକ୍ତୀକରଣଦ୍ୱାରା ପ୍ରଦେଶଗୁଡ଼ିକର ଭିତ୍ତି ରହିବ ନାହିଁ । ମାଡ୍ରାସ କଂଗ୍ରେସ ଅଧିବେଶନରେ ଓଡ଼ିଶାର ପାଞ୍ଚଜଣ ପ୍ରତିିନିଧି ଉପସ୍ଥିତ ଥିଲେ । ସେମାନେ ସ୍ଥିର ନିଶ୍ଚିତ ହେଲେ ଯେ, ଆଞ୍ଚଳିକ ପ୍ରସଙ୍ଗପାଇଁ ଓଡ଼ିଶା ସ୍ତରରେ ସଙ୍ଗଠନ ଗଠନ କରାଯିବା ଉଚିତ । କଂଗ୍ରେସର ବିରୋଧୀ ଭାବରେ ନୁହେଁ, ମାତ୍ର ଏକ ଭିନ୍ନ ମଞ୍ଚର ଆବଶ୍ୟକତା ସେମାନେ ତୀବ୍ର ଭାବରେ ଅନୁଭବ କଲେ । ବଡ଼ କଥା ହେଲା ଯେ, ୧୯୦୩ରେ ଉତ୍କଳ ସମ୍ମିଳନୀର ଗଠନ ପରେ କଂଗ୍ରେସ ସହ ଓଡ଼ିଶା ବୁଦ୍ଧିଜୀବୀଙ୍କ ସଂପର୍କ ତୁଟିଯାଇ ନଥିଲା । ଏପରିକି 'ଉତ୍କଳ ସମ୍ମିଳନୀ'ର ଅଣ-ଆନୁଷ୍ଠାନିକ ମୁଖପତ୍ର ଭଳି କାମ କରୁଥିବା 'ଉତ୍କଳ ଦୀପିକା' କଂଗ୍ରେସର ମାଡ୍ରାସ ଅଧିବେଶନ ସଂପର୍କରେ ମନ୍ତବ୍ୟ ଦେଇ ଲେଖିଥିଲା ଯେ, ଦିନୁଦିନ କଂଗ୍ରେସ ଆନ୍ଦୋଳନ ଦୃଢ଼ରୁ ଦୃଢ଼ତର ହେଉଛି । କଂଗ୍ରେସର ବିରୋଧ କରି 'ଉତ୍କଳ ଦୀପିକା' କୌଣସି ମନ୍ତବ୍ୟ ଦେଇନଥିଲା । ଉତ୍କଳ ସମ୍ମିଳନୀରେ ମଧ୍ୟ କଂଗ୍ରେସ ବିରୁଦ୍ଧରେ କଦାଚିତ୍‍ ପ୍ରସ୍ତାବ ପାସ୍‍ ହୋଇ ନାହିଁ ! ଉତ୍କଳ ସମ୍ମିଳନୀର ସ୍ୱାଗତ ସଂଗୀତର ନାଁ ଥିଲା 'ଭାରତ ଗୀତିକା' । ରାଧାନାଥ ରାୟଙ୍କଦ୍ୱାରା ଲିଖିତ ଏହି ସଂଗୀତରେ 'ସର୍ବେଷାଂ ନୋ ଜନନୀ ଭାରତ' ଅର୍ଥାତ ଭାରତ ଆମ ସମସ୍ତଙ୍କର ମା' ବୋଲି କୁହାଯାଇଥିଲା । ୧୯୦୭ରେ ନିଜେ ମଧୁସୂଦନ ଦାସ, ୧୯୦୬ର କଲିକତା କଂଗ୍ରେସରେ ଯୋଗ ଦେଇଥିବା ଓଡ଼ିଶା ପ୍ରତିିନିଧିଙ୍କ ସମ୍ମାନାର୍ଥେ ଏକ ସ୍ୱାଗତ ସଭାର ଆୟୋଜନ କରି ଅଧିବେଶନକୁ ଏଯାଏ ଆୟୋଜିତ ସର୍ବ ବୃହତ ସମ୍ମିଳନୀ ବୋଲି ଉଲ୍ଲେଖ କରିଥିଲେ । ୧୮୮୬ ଓ ୧୯୧୨ ମଧ୍ୟରେ ସେ ୧୭ ଥର କଂଗ୍ରେସର ବାର୍ଷିକ ଅଧିବେଶନରେ ଯୋଗ ଦେଇଥିଲେ । ଏହା ମଧୁସୂଦନ ଦାସଙ୍କ ଜାତୀୟ କଂଗ୍ରେସ ପ୍ରୀତିକୁ ସୁସ୍ପଷ୍ଟ କରେ । ଭାରତର ମହିମା ଗାନ କରି ସେ ଲେଖିଥିଲେ:

ଏ ଭାରତ ଭୂମି ଆମ୍ଭର ଜନନୀ

ପୁଣ୍ୟଭୂମି ନାହିିଁ ସରି ଏହାର

ଅମୂଲ୍ୟ ଦୁର୍ଲ୍ଲଭ ରତନର ଖଣି

ସବୁ ଦେଶ ମଧ୍ୟେ ଏ ଦେଶ ସାର ।

ଠିକ୍‍ ସେହିଭଳି ମଧୁସୂଦନ ରାଓ 'ଜନ୍ମଭୂମି' କବିତାରେ କହିଥିଲେ:

ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି
ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ ।

ଫକୀର ମୋହନ ଭାରତ ଓ ତା'ର କ୍ଷେତ୍ରଗୁଡ଼ିକ ମଧ୍ୟରେ ଥିବା ନିବିଡ଼ ସମ୍ବନ୍ଧକୁ ବ୍ୟାଖ୍ୟା କରି ଏକ ନିବନ୍ଧରେ ଭାରତକୁ ଏକ ତାନପୁରା ଯନ୍ତ୍ର ଏବଂ ଅଞ୍ଚଳଗୁଡ଼ିକୁ ତାନପୁରାର ପିତ୍ତଳ ତାର ସହ ତୁଳନା କରିଥିଲେ । ପ୍ରତ୍ୟେକ ପିତ୍ତଳ ତାରର ସ୍ୱତନ୍ତ୍ର ଧ୍ୱନି ଏବଂ ସମସ୍ତେ ମିଶିଲେ ଯାଇ ତାନପୁରା ଯନ୍ତ୍ର । ତନ୍ମଧ୍ୟରୁ କୌଣସିଟି ବାଧାପ୍ରାପ୍ତ ହେଲେ ଯନ୍ତ୍ରଟି ନିଜର ସୁମଧୁରତା ହରାଏ । ଏହିଭଳି ଅନେକ ଉଦାହରଣ ମିଳିବ, ଯେଉଁଥିରୁ ସିଦ୍ଧ ହୁଏ ଯେ ଓଡ଼ିଶାର ଜାତୀୟତାବାଦୀମାନେ ରାଷ୍ଟ୍ରୀୟତାର ବିରୋଧ କରିାହାନ୍ତି, ବରଂ ଓଡ଼ିଶାର ଜାତୀୟତାକୁ ଭାରତୀୟତାର ଏକ ଅଭିନ୍ନ ଅଙ୍ଗ ବୋଲି ବିଚାର କରିଛନ୍ତି । 'ଉତ୍କଳ ସମ୍ମିଳନୀ'ର ମୁଖ୍ୟ କର୍ତ୍ତା ମଧୁସୂଦନ ଦାସ ଏ ସମ୍ବନ୍ଧରେ ଯାହା କହିଛନ୍ତି, ତାହା ବେଶ ପ୍ରଣିଧାନଯୋଗ୍ୟ: 'ଉତ୍କଳ ଜନନୀ' ଭାରତ ଜନନୀଙ୍କର ସପତ୍ନୀ କିମ୍ବା ଶତ୍ରୁ ନୁହନ୍ତି । ଭାରତ ଜନନୀଙ୍କର ପାଞ୍ଚ ଛଅ ଗୋଟି ପୁତ୍ର । ଭିନ୍ନ ଭିନ୍ନ ଶିଶୁଙ୍କପାଇଁ ବିଭିନ୍ନ ପ୍ରକାର ପରିଚର୍ଯ୍ୟା ଆବଶ୍ୟକ । ... ଯେଉଁ ମଧୁମୟୀ ମୂର୍ତ୍ତିି ରୂପରେ ଜନନୀ ଶିଶୁକୁ ସ୍ତନ୍ୟପାନ କରାନ୍ତି, ଉତ୍କଳ ଜନନୀ ଆଜି ସେହି ସ୍ନେହମୟୀ ମୂର୍ତ୍ତିିରେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଛନ୍ତି । ଏହି ମୂର୍ତ୍ତିି ଭାରତମାତାଙ୍କର ଗୋଟିଏ ମୂର୍ତ୍ତିି ବିଶେଷ । ଏହି ରୂପଟି ଭାରତମାତାଙ୍କର ଗୋଟିଏ ଅବତାର ।

ଓଡ଼ିଶାର ଜାତୀୟ ଅସ୍ମିତା ଲାଗି, 'ଉତ୍କଳ ସମ୍ମିଳନୀ' ବ୍ୟତୀତ ମଧୁବାବୁ ଆହୁରି ଅନେକ ଅନୁଷ୍ଠାନ ଗଢ଼ିଥିଲେ । ତନ୍ମଧ୍ୟରେ 'ଓଡ଼ିଶାସ୍ପୋର୍ଟସ ଏସୋସିଏସନ୍‍', 'ଓଡ଼ିଶା ଆର୍ଟ ୱେର୍‍ସ ଏଣ୍ଡ ଆର୍ଟ ସ୍କୁଲ୍‍', 'ଓଡ଼ିଶା ତାଳଗୁଡ଼ ସଂଘ', 'ଉତ୍କଳ ଟେନେରି' ତଥା କଟରେ ୧୯୦୮ରେ ସ୍ଥାପିତ ବାଳିକା ବିଦ୍ୟାଳୟ ଅନ୍ୟତମ । ଏସବୁ ସାଙ୍ଗକୁ ଭାରତର ରାଷ୍ଟ୍ରୀୟ ଉନ୍ନତିକୁ ମଧ୍ୟ ସେ କେବେ ଗୌଣ କରି ନଥିଲେ । ଓଡ଼ିଶା ଭଳି ଅଂଚଳର ସାମଗ୍ରିକ ବିକାଶରେ ହିଁ ରାଷ୍ଟ୍ରର ପ୍ରଗତି ସମ୍ଭବ ବୋଲି ସେ ସର୍ବଦା ତର୍କ କରୁଥିଲେ ।

ମାତ୍ର ଏହା ସହିତ ଏକଥା ମଧ୍ୟ ସ୍ୱୀକାର କରିବାକୁ ହେବ ଯେ, ୧୯୦୩ ପରେ ଜାତୀୟ କଂଗ୍ରେସ ସହ ଓଡ଼ିଶା ବୁଦ୍ଧିଜୀବୀଙ୍କ ସମ୍ବନ୍ଧରେ କିଛିଟା ଶିଥିଳତା ଦେଖାଯାଇଥିଲା । ପୂର୍ବରୁ ପ୍ରଦତ୍ତ କେତୋଟି ମନ୍ତବ୍ୟ ବାହାରେ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅନ୍ୟ ଏକ ଗୋଷ୍ଠୀ ରହିଥିଲେ ଯେଉଁମାନେ ଏଣିକି କଂଗ୍ରେସ ସହ ଓଡ଼ିଶାର ସମ୍ବନ୍ଧକୁ ପରୋକ୍ଷରେ ବିରୋଧ କରିବା ଆରମ୍ଭ କଲେ । ମୁଖ୍ୟତଃ ଗଡ଼ଜାତ ରାଜା ଓ ଜମିଦାର ବର୍ଗ ଓ ସେମାନଙ୍କ ସମର୍ଥକମାନେ ଏହି ଗୋଷ୍ଠୀରେ ସାମିଲ ଥିଲେ । ସେମାନେ ଜାତୀୟ କଂଗ୍ରେସର ବିରୋଧ କରିବାନିମିତ୍ତ ସମ୍ବେଦନଶୀଳ ଓଡ଼ିଆ ଭାଷା-ସଂସ୍କୃତିର ଅସ୍ମିତାକୁ ଯୋଡୁଥିଲେ ସତ, ମାତ୍ର ଅସଲ କାରଣ ଥିଲା ଯେ, କଂଗ୍ରେସର ଉଗ୍ର ବ୍ରିଟିଶ ବିରୋଧତା ସହ ସେମାନେ ତାଳ ଦେଇ ପାରୁ ନଥିଲେ । ଫଳରେ ଯଥାସମ୍ଭବ କଂଗ୍ରେସର ବିରୋଧ କରିବା ଆରମ୍ଭ କଲେ । ଓଡ଼ିଶାର ଆଧୁନିକ ରାଜନୀତିରେ ସେମାନଙ୍କର କର୍ତ୍ତୃତ୍ୱ ରହିଥିବା ଯାକେ 'ଉତ୍କଳ ସମ୍ମିଳନୀ' କଂଗ୍ରେସର ଏକ ସମାନ୍ତରାଳ ସଂଗଠନ ଭଳି ରହିଲା । ଏହି କଂଗ୍ରେସ ବିରୋଧୀ ମତ ପ୍ରାୟତଃ ରାଜା- ଜମିଦାରଙ୍କଦ୍ୱାରା ପ୍ରକାଶିତ ପତ୍ରପତ୍ରିକାରେ ଦେଖିବାକୁ ମିଳେ । ସେହି ଧରଣର ପତ୍ରିକା ମଧ୍ୟରେ ଥିଲେ 'ଗଡ଼ଜାତ ବାସିନୀ' ଏବଂ 'ସମ୍ବଲପୁର ହିତୈଷିଣୀ' ଆଦି । ବିଂଶ ଶତାବ୍ଦୀର ଆରମ୍ଭରୁ ଯେତେବେଳେ କଂଗ୍ରେସର ବ୍ରିଟଶ ବିରୋଧତା ତୀବ୍ର ହେବାକୁ ଆରମ୍ଭ କଲା, ଏମାନେ ବର୍ଗସ୍ୱାର୍ଥଯୋଗୁଁ ସରକାରଙ୍କ ବିରୋଧରେ ସାମିଲ ହୋଇ ପାରିଲେ ନାହିିଁ । ତେଣୁ, ଓଡ଼ିଶା ଜାତୀୟତା ଆନ୍ଦୋଳନକୁ କଂଗ୍ରେସରୁ ଦୂରରେ ରଖିବାକୁ ପ୍ରୟାସ କଲେ ।

'ଉତ୍କଳ ସମ୍ମିଳନୀ' ତଥା ଓଡ଼ିଶାର ଜାତୀୟତାବାଦୀମାନେ ଅନେକ ସମୟରେ ଗଡ଼ଜାତ ରାଜା-ଜମିଦାରମାନଙ୍କଠାରୁ ଆର୍ଥିକ ସହଯୋଗ ପାଉଥିଲେ । ତେଣୁ ଓଡ଼ିଶା ଆନ୍ଦୋଳନରେ କିଛି କାଳ ଯାଏଁ ସାମନ୍ତବର୍ଗର କର୍ତ୍ତୃତ୍ୱ ଜାରି ରହିଲା । ଏହା କେତେକାଂଶରେ ଓଡ଼ିଶାର କଂଗ୍ରେସ ସହ ସମ୍ବନ୍ଧକୁ ପ୍ରଭାବିତ କଲା । ଫଳତଃ ୧୮୮୫ରେ କଂଗ୍ରେସ ପ୍ରତିଷ୍ଠା ହେବାର ଦୀର୍ଘ ୩୫ ବର୍ଷ କାଳ ଧରି ଅର୍ଥାତ ୧୯୨୦ ଯାକେ ଓଡ଼ିଶାରେ ତାର ଶାଖା ସ୍ଥାପନ ହୋଇ ପାରି ନଥିଲା । ସେହି ସମୟରେ ଓଡ଼ିଶାର ବୁଦ୍ଧିଜୀବୀ ସମୂହ ଜାତୀୟତା ଆନ୍ଦୋଳନର ମୁଖ୍ୟ ସ୍ୱର ଜାତୀୟ କଂଗ୍ରେସର ମୁହାଁମୁହିିଁ ବିରୋଧ କରୁ ନଥିଲା ସତ, ମାତ୍ର ଏକା ଏକା ସମତାଳରେ ଚାଲିବାକୁ ପ୍ରୟାସ କରିଥିଲା । ଗୋଟାଏ ବାକ୍ୟରେ କହିଲେ, ଏହି ସମୟରେ ଓଡ଼ିଶା ବୁଦ୍ଧିଜୀବୀଙ୍କ ମଧ୍ୟରେ ଏକାଧିକ ମତ ଦେଖିବାକୁ ମିଳୋ ତନ୍ମଧ୍ୟରୁ ଗୋଟାଏ ପ୍ରଧାନ ମତ ଯଦି ସମ୍ମିଳନୀ ଓ କଂଗ୍ରେସ ମଧ୍ୟରେ ପରିପୂରକତା କାମନା କରୁଥିଲା; ଅନ୍ୟ ଏକ ଗୋଷ୍ଠୀ, ଯାହା ରାଜା- ଜମିଦାର ଓ ସାମନ୍ତବର୍ଗକୁ ନେଇ ଗଠିତ, କଂଗ୍ରେସରୁ ଦୂରରେ ରହି ବ୍ରିଟିଶ ପ୍ରତି ଆନୁଗତ୍ୟ ଦେଖାଇଲା । ଏ ଦୁଇଟିକୁ ବାଦ ଦେଲେ ବିଂଶ ଶତାବ୍ଦୀର ପ୍ରାରମ୍ଭ ଦଶକରେ ତୃତୀୟ ଗୋଷ୍ଠୀର ଉଦ୍‍ଗମ ହେଲା, ଯାହା ପରବର୍ତ୍ତୀ କାଳରେ 'ସତ୍ୟବାଦୀ ଗୋଷ୍ଠୀ' ନାମରେ ଭାଷା, ସାହିତ୍ୟ, ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚିତି ରଖିଲା । ମଧୁସୂଦନ ଦାସ, ଫକୀର ମୋହନ ଆଦିଙ୍କ ଗୋଷ୍ଠୀକୁ ଯଦି ଉଦାରପନ୍ଥୀ ବା 'ଲିବରାଲ' ବୋଲି କୁହାଯିବ, ରାଜା-ଜମିଦାର ଗୋଷ୍ଠୀର ବୁଦ୍ଧିଜୀବୀଙ୍କୁ ବ୍ରିଟିଶ ଅନୁଗତ ଗୋଷ୍ଠୀ ବୋଲି ନାମିତ କରାଯାଇ ପାରେ । ଅନ୍ୟ ପକ୍ଷରେ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ ଆଦିଙ୍କ ନେତୃତ୍ୱରେ ଗଠିତ ଯୁବ ଜାତୀୟତାବାଦୀ ସତ୍ୟବାଦୀ ଗୋଷ୍ଠୀକୁ 'ନରମପନ୍ଥୀ ଜାତୀୟତାବାଦୀ' ବୋଲି ନାମିତ କରାଯାଇପାରେ । ଏହି ନାମଗୁଡ଼ିକର ବ୍ୟବହାର ସୁବିଧା ଦୃଷ୍ଟିରୁ ଏବଂ କେବଳ ଓଡ଼ିଶା ରାଜନୀତି ପରିପ୍ରେକ୍ଷୀରେ କରାଯାଇଛି । ତେଣୁ, ତାକୁ ଅନ୍ୟଥା ନିଆଯିବା କଥା ନୁହେଁ ।

ଓଡ଼ିଶାରେ ଜାତୀୟତାର ଦୁଇ କାଳାଂଶ ଓଡ଼ିଶାରେ ଜାତୀୟତାର ଉନ୍ମେଷକୁ ଯଦି ଦୁଇ କାଳାଂଶରେ ବିଭକ୍ତ କରାଯାଏ, ତେବେ ଉତ୍କଳ ସମ୍ମିଳନୀର ଆରମ୍ଭ ଅର୍ଥାତ୍‍ ୧୯୦୩ ଯାକେ ହେବ ପ୍ରଥମ ପର୍ଯ୍ୟାୟ ଏବଂ ୧୯୦୩ରୁ ୧୯୨୦ ଯାକେ ହେବ ଦ୍ୱିତୀୟ ପର୍ଯ୍ୟାୟ । ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନର ଆରମ୍ଭ ହେଲା ଏବଂ ସମଗ୍ର ଭାରତରେ ସ୍ୱାଧୀନତା ସଂଗ୍ରାମର ସ୍ୱରୂପ ବଦଳିଲା । ସେହି ବର୍ଷ ଉତ୍କଳ ସମ୍ମିଳନୀ ଜାତୀୟ କଂଗ୍ରେସରେ ସାମିଲ ହେଲା । ଅର୍ଥାତ ଆନୁଷ୍ଠାନିକ ଭାବରେ କଂଗ୍ରେସର ଶାଖା ଭାବରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସ୍ଥାପନା ହେଲା । ୧୯୨୦ର ନାଗପୁର କଂଗ୍ରେସରେ ଭାଷା ଭିତ୍ତିରେ କଂଗ୍ରେସର ଶାଖା ଗଠନ କରିବାକୁ ନିଷ୍ପତ୍ତି ନିଆହେଲା ପରେ ଉତ୍କଳ ସମ୍ମିଳନୀର ପ୍ରମୁଖ ଲକ୍ଷ୍ୟ - ଭାଷାଭିତ୍ତିକ ପ୍ରଦେଶ ଗଠନକୁ - କଂଗ୍ରେସର ସମର୍ଥନ ମିଳିଲା । ଓଡ଼ିଶା ଜାତୀୟତା ଯେହେତୁ ଏକ ଓଡ଼ିଆ ଜାତିର ଅସ୍ମିତାନିମନ୍ତେ ଆନ୍ଦୋଳନ, ତାକୁ ସରକାରୀ ମାନ୍ୟତା ମିଳିବା ପୂର୍ବରୁ ସର୍ବଭାରତୀୟ ଲୋକ ସ୍ତରରେ ମାନ୍ୟତା ମିଳିଗଲା । ଅନ୍ୟ ଶବ୍ଦରେ କହିଲେ, ୧୯୦୩ରେ ମାଡ୍ରାସ କଂଗ୍ରେସରେ ଓଡ଼ିଆ ଭାଷା-ଭାଷୀ କ୍ଷେତ୍ରର ଏକତ୍ରୀକରଣକୁ ପ୍ରକାରାନ୍ତରେ ବିରୋଧ କରି କଂଗ୍ରେସ ନେତୃବର୍ଗ ଓଡ଼ିଶାର ଜାତୀୟତାବାଦୀଙ୍କ ସଂଗେ ଯେଉଁ ମନାନ୍ତର ସୃଷ୍ଟି କରିଥିଲେ, ତାହା ୧୯୨୦ରେ ଏକ ରକମରେ ଶେଷ ହେଲା, କାରଣ ନାଗପୁର କଂଗ୍ରେସ ଓଡ଼ିଶା ଭାଷାଭିତ୍ତିକ ପ୍ରଦେଶ ଗଠନର ଲକ୍ଷ୍ୟକୁ ସ୍ୱାଗତ କଲା ଏବଂ ସରକାରୀ ମାନ୍ୟତା ମିଳିବାର ୧୬ ବର୍ଷ ପୂର୍ବରୁ ତାକୁ ସ୍ୱୀକୃତି ଦେଇଦେଲା । ମାତ୍ର ଏହି ଯେଉଁ ପ୍ରାୟ ଦୁଇ ଦଶନ୍ଧି କାଳ (୧୯୦୩ରୁ ୧୯୨୦), ତାକୁ ଶାନ୍ତ ସମୟ ବୋଲି କୁହାଯାଇ ନପାରେ । ଗୋଟାଏ ଦୃଷ୍ଟିରୁ ଏହି କାଳାଂଶରେ ଜାତୀୟତାର ବିଚାରଧାରା ପରିପକ୍ୱ ହେଲା । କିନ୍ତୁ ଅନ୍ୟ ଦିଗରୁ ଦେଖିଲେ, ଏହି କାଳାଂଶରେ ତିନିଟି ଯାକ ଜାତୀୟତାବାଦୀ ଗୋଷ୍ଠୀ ସ୍ୱ-ସ୍ୱ ମତାଦର୍ଶକୁ ସ୍ଥାପନ କରିବା ସକାଶେ ତ୍ରିପକ୍ଷ ତିଆରିଲେ, ଯାହା ଫଳରେ ଓଡ଼ିଶା ଜାତୀୟତାବାଦୀ ରାଜନୀତିରେ ତୀବ୍ର ବୈଚାରିକ ସଂଘର୍ଷ ଆରମ୍ଭ ହେଲା । ୧୯୨୦ର ଘଟଣାବଳୀ ସିଦ୍ଧ କରିଦେଲା ଯେ, ଏଣିକି ନରମପନ୍ଥୀ ଜାତୀୟତାବଦୀ ଓଡ଼ିଶା ରାଜନୀତିର ନେତୃତ୍ୱ ନେବେ ଏବଂ ଅନ୍ୟମାନେ ତାଙ୍କ ନେତୃତ୍ୱକୁ ସ୍ୱୀକାର କରିବେ । ଶେଷରେ ଉଦାରପନ୍ଥୀ ମଧୁବାବୁ ମଧ୍ୟ୧୯୨୪ରେ କଂଗ୍ରେସର ସଭ୍ୟ ହେଲେ । ଅନ୍ୟ ପକ୍ଷରେ ବ୍ରିଟିଶ ଅନୁଗତ ରାଜା-ରାଜୁଡ଼ା ଗୋଷ୍ଠୀ ଜାତୀୟତାବାଦୀ ରାଜନୀତିରୁ ଦୂରେଇ ଗଲେ । ମଧୁସୂଦନ ଦାସ ଆଦିଙ୍କ ନେତୃତ୍ୱରେ ପରିଚାଳିତ ଲିବରାଲ ଗୋଷ୍ଠୀ ଥିଲେ ପ୍ରଥମ ପିଢ଼ିର ଆଧୁିନିକ ଜାତୀୟତାବାଦୀ । ସେମାନେ ଆଗରୁ ଦେଖିଥିବା ରାଜନୈତିକ ପରଂପରାରେ ରାଜା- ଜମିଦାରଙ୍କର ହିିଁ ପ୍ରଭୁତ୍ୱ ରହୁଥିଲା । ଉଦାହରଣ ସ୍ୱରୂପ, ସେମାନଙ୍କ ମଧ୍ୟରୁ ଅନେକ (ଯଥା- ଫକୀର ମୋହନ, ରାଧାନାଥ, ମଧୁସୂଦନ ଦାସ, ମଧୁସୂଦନ ରାଓ ଆଦି)ଙ୍କର ଜନ୍ମ ୧୮୫୭ର ଗଣ ବିଦ୍ରୋହ ବେଳକୁ ହୋଇ ସାରିଥିଲା, ଯେଉଁଥିରେ ସିପାହୀମାନେ ମୁଖ୍ୟକର୍ତ୍ତା ହେବା ସତ୍ତ୍ୱେ ନେତୃତ୍ୱ ରହିଥିଲା ରାଜା-ଜମିଦାରଙ୍କ ହାତରେ । ତେଣୁ, ଏହି ବୁଦ୍ଧିଜୀବୀ ବର୍ଗ ରାଜନୀତିକୁ ରାଜଦ୍ୱାରରୁ ଜନପଥକୁ ଆଣିବା ବେଳେ ଯେ ସାମନ୍ତବର୍ଗ ପ୍ରତି ଅତି ଉଦାସୀନ ହୋଇପାରିବେ ନାହିିଁ, ତାହା ଅନସ୍ୱୀକାର୍ଯ୍ୟ । ତା'ଛଡ଼ା, ଆନ୍ଦୋଳନର ସଂଯୋଜନାପାଇଁ ଆବଶ୍ୟକ ପାଣ୍ଠିିନିମିତ୍ତ ପ୍ରାୟତଃ ବୁଦ୍ଧିଜୀବୀ ଗୋଷ୍ଠୀ ସାମନ୍ତବର୍ଗ ପାଖରେ ହାତ ପତାଉଥିଲେ । ପୁଣି, ଫକୀର ମୋହନଙ୍କୁ ଗଡ଼ଜାତର ଦେଓ୍ୱାନ ଭାବରେ ନିଯୁକ୍ତି ଦେଇ ହେଉ ବା ମଧୁସୂଦନଙ୍କୁ ରାଜଓକିଲ ନିଯୁକ୍ତ କରି ହେଉ ବା ରାଧାନାଥଙ୍କ ପୁସ୍ତକ ପ୍ରକାଶନ ନିମନ୍ତେ ସାହାଯ୍ୟ ପ୍ରଦାନ କରି ହେଉ, ସାମନ୍ତବର୍ଗ ଲିବରାଲ ଗୋଷ୍ଠୀକୁ ନିଜ କର୍ତ୍ତୃତ୍ୱରେ ରଖି ପାରିଥିଲେ । ଜାତୀୟତାର ଏହି ଉନ୍ମେଷ କାଳରେ କଂଗ୍ରେସର ନେତୃତ୍ୱରେ ଥିବା କେତେକ ନେତା ମଧ୍ୟ ଆଞ୍ଚଳିକତାରୁ ଊର୍ଦ୍ଧ୍ୱକୁ ଉଠି ପାରି ନଥିଲେ । ଓଡ଼ିଶାର ଆଞ୍ଚଳିକ ଅସ୍ମିତା ପ୍ରଶ୍ନକୁ ଏହି ନେତାମାନେ ଯଥୋଚିତ ମହତ୍ତ୍ୱ ଦେଉ ନଥିଲେ । ଉଦାହରଣ ସ୍ୱରୂପ 'ବଙ୍ଗଭଙ୍ଗ' ହେଲେ ବଙ୍ଗ ପ୍ରଦେଶ ଭାଗ ଭାଗ ହୋଇଯିବାର ଯେଉଁ ଆଶଙ୍କା ସୃଷ୍ଟି ହେଲା, ତା'ର ବହୁ ପୂର୍ବରୁ ପ୍ରାକୃତିକ ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇ ସାରିଥିଲା । ଏବଂ ତା'ର ଏକତ୍ରୀକରଣଲାଗି 'ଉତ୍କଳ ସମ୍ମିଳନୀ' ପ୍ରୟାସ କରୁଥିଲା । ଏହି ପ୍ରୟାସକୁ ଉକ୍ତ ନେତାମାନେ ଆବଶ୍ୟକ ସମ୍ମାନ ଦେଉ ନାହାନ୍ତି ବୋଲି ମଧୁବାବୁ ଓ ଉତ୍କଳର ଅନ୍ୟାନ୍ୟ ଲିବରାଲ୍‍ ନେତୃବର୍ଗ ଅଭିଯୋଗ କରୁଥିଲେ । ଏହିସବୁ କାରଣରୁ ରାଜା-ରାଜୁଡ଼ାଙ୍କ ସରକାରୀ ଆନୁଗତ୍ୟ ରହିଛି ଜାଣି ସୁଦ୍ଧା ସେମାନଙ୍କଠାରୁ ଲିବରାଲମାନେ ବିଚ୍ଛିନ୍ନ ହୋଇ ଜାତୀୟତାବାଦୀ ରାଜନୀତିକୁ ଆଗେଇ ନେବା ନିମନ୍ତେ ସାହସ କରିପାରୁ ନଥିଲେ । ଫଳରେ ଓଡ଼ିଶା ଆନ୍ଦୋଳନରେ ସାମନ୍ତୀ ପ୍ରଭାବପାଇଁ ବାଟ ସହଜ ହେଲା । ସାମନ୍ତୀ ପ୍ରଭାବର ନିଦର୍ଶନ ସ୍ୱରୂପ ରାଜା-ଜମିଦାରଙ୍କୁ ବାଦ ଦେଲେ ଉତ୍କଳ ସମ୍ମିଳନୀର ସଭାପତି ପଦରେ ଅନ୍ୟ କାହାକୁ ଆରମ୍ଭରେ ମନୋନୀତ କରାଯାଉ ନଥିଲା । ୧୯୧୭ରେ ପ୍ରଥମ କରି ଫକୀର ମୋହନଙ୍କ ଭଳି ଜଣେ ମଧ୍ୟବର୍ଗୀୟଙ୍କୁ ସଭାପତି ମନୋନୀତ କରାଯାଇଥିଲା । ଲିବରାଲ ଗୋଷ୍ଠୀର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ଯେ, ଏହା ସତ୍ୟବାଦୀ ଗୋଷ୍ଠୀର ନରମପନ୍ଥୀ ଜାତୀୟତା ସହ ତାଳ ମିଳାଇ ପାରିଲା ନାହିିଁ । ଦ୍ୱିତୀୟ ପିଢ଼ିର ଆଧୁିନିକ ବୁଦ୍ଧିଜୀବୀ ଭାବରେ ଯେତେବେଳେ ନରମପନ୍ଥୀ ଜାତୀୟତାବାଦୀମାନେ ବ୍ରିଟିଶ ବିରୋଧତାକୁ ତୀବ୍ର କଲେ ବା ସାମନ୍ତୀ ପ୍ରଭାବକୁ ଅବଜ୍ଞା କଲେ, ଆଗ୍ରହ ଥିବା ସତ୍ତ୍ୱେ ତାକୁ ଲିବରାଲମାନେ ସହଜରେ ଗ୍ରହଣ କରିପାରିଲେ ନାହିିଁ । ଉଦାହରଣ ସ୍ୱରୂପ, ୧୯୧୨ରେ ବିହାର ଓ ଓଡ଼ିଶା ପ୍ରଦେଶ ଗଠନ ହେଲା ଉତ୍ତାରୁ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ହେବାର ଆଶା ମଉଳିଗଲା ଏବଂ ସରକାରଠାରେ ଓଡ଼ିଶା ଜାତୀୟତାବାଦୀଙ୍କ ଥିବା ଆସ୍ଥା ବହୁ ମାତ୍ରାରେ ହ୍ରାସ ପାଇଲା । ସେତେବେଳେ ମଧୁସୂଦନ ସରକାର ଉପରେ ଚାପ ପକାଇବାପାଇଁ ଗଣ ଆନ୍ଦୋଳନର ଲକ୍ଷ୍ୟ ନେଇ କଟକରେ 'ପ୍ରଜା ପ୍ରତିିନିଧି ସଭା' ଗଠନ କଲେ । ସଭା ଚଉକିଦାରୀ କର ଉଚ୍ଛେଦ ସମେତ ଗଞ୍ଜାମର ଓଡ଼ିଶା ସହ ଏକତ୍ରୀକରଣ ଦାବି କଲା । ମାତ୍ର ଗଣ ଆନ୍ଦୋଳନର ଲକ୍ଷ୍ୟ ନେଇ ଯେତେବେଳେ 'ଉତ୍କଳ ସମ୍ମିଳନୀ'ର ଜତୀୟ କଂଗ୍ରେସରେ ମିଳିତ ହେବାର କଥା ପଡ଼ିଲା, ମଧୁବାବୁ ତାହା ସହଜରେ ଗ୍ରହଣ କରି ପାରିଲେ ନାହିିଁ । ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ନରମପନ୍ଥୀ ଜାତୀୟତାବାଦୀମାନେ ଉତ୍କଳ ସମ୍ମିଳନୀର ୧୯୨୦ରେ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନକୁ ନିଜ ନିୟନ୍ତ୍ରଣାଧୀନ କରିନେବେ ବୋଲି ଆଶଙ୍କା କରି ମଧୁବାବୁ ତହିିଁରେ ଯୋଗ ସୁଦ୍ଧା ଦେଲେ ନାହିିଁ ।

ନରମପନ୍ଥୀ ଜାତୀୟତାବାଦୀଙ୍କୁ ଓଡ଼ିଶା ରାଜନୀତିରେ ବଳ ମିଳିଲା , ଯେତେବେଳେ ବଙ୍ଗରେ ୧୯୦୫-୦୬ରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହେଲା ଏବଂ ତାର ପ୍ରଭାବ ଅନ୍ୟ ଅଞ୍ଚଳମାନଙ୍କରେ ବି ପଡ଼ିଲା । ଓଡ଼ିଶାରେ ନୀଳକଣ୍ଠ ଦାସ, ଗୋପବନ୍ଧୁ ଦାସ ଆଦି ଯୁବଗୋଷ୍ଠୀ ତାର ସମର୍ଥନ କଲେ । ୧୯୧୨ରେ ସ୍ୱତନ୍ତ୍ର ବିହାର ପ୍ରଦେଶରେ ଓଡ଼ିଶାକୁ ସାମିଲ କରିଦିଆଗଲା ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବିକୁ ସରକାର ଉପେକ୍ଷା କଲେ ବୋଲି ପ୍ରତୀତ ହେଲା । ଏହି ଘଟଣା ଜାତୀୟତାବାଦୀଙ୍କ ମନରେ ସରକାରଙ୍କ ପ୍ରତି ଥିବା ମୋହ ଭାବକୁ ଅନେକ ମାତ୍ରାରେ ଭଙ୍ଗ କଲା । ଏହାର ଲାଭ ମିଳିଲା ନରମପନ୍ଥୀ ଜାତୀୟତାବାଦୀଙ୍କୁ । ବିହାର ଓ ଓଡ଼ିଶା ପ୍ରଦେଶ ଗଠନର ତିିନି ବର୍ଷ ପୂର୍ବରୁ ୧୯୦୯ରେ ସାକ୍ଷୀଗୋପାଳଠାରେ ସତ୍ୟବାଦୀ ପ୍ରତିଷ୍ଠା କରି ସେମାନେ ସିଦ୍ଧ କରି ସାରିଥିଲେ ଯେ, ଅନୁଷ୍ଠାନ ଗଢ଼ିବାରେ ଏବଂ ତାର ସଫଳତା ନିମିତ୍ତ ରାଜା-ରାଜୁଡ଼ାଙ୍କ ଅର୍ଥ ସାହାଯ୍ୟ ଏବଂ ସରକାରୀ ଅନୁଦାନ ବଦଳରେ ବେଶି ଆବଶ୍ୟକ ଆନ୍ତରିକ ଇଚ୍ଛାଶକ୍ତିର, ସମୂହପାଇଁ ବ୍ୟକ୍ତି ସ୍ୱାର୍ଥ ତ୍ୟାଗ କରିବାର ମନୋବୃତ୍ତିର । ୧୯୧୯ରେ ଯେତେବେଳେ ମଣ୍ଟେଗୁ ଚେମ୍‍ସଫୋର୍ଡ଼ ଶାସନ ସଂସ୍କାର ପରେ ମଧ୍ୟ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା ନାହିିଁ, ଲୋକଙ୍କ ମନରେ ସରକାର ପ୍ରତି ଥିବା ସମସ୍ତ ମୋହ ଭଙ୍ଗ ହେଲା । ଫଳରେ ଓଡ଼ିଶା ରାଜନୀତିରେ ଯୁବ ନରମପନ୍ଥୀ ଜାତୀୟତାବାଦୀଙ୍କ ପ୍ରଭାବ ବୃଦ୍ଧି ପାଇଲା । ଏହା ସହିତ ଓଡ଼ିଶା ଜାତୀୟତାର ଏକ ନୂଆ ସୋପାନକୁ ଚଢ଼ିବାର ପ୍ରକ୍ରିୟା ଆରମ୍ଭ ହେଲା । କେବଳ ରାଜନୀତି କାହିିଁକି; ସାହିତ୍ୟ, ସଂସ୍କୃତି, କଳା, ବିଜ୍ଞାନ ପ୍ରତିଟି କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ସମାହିତ ହେବାକୁ ପଡ଼ିବ ବୋଲି ପତ୍ର-ପତ୍ରିକାରେ ମତ ପ୍ରକାଶ ପାଇଲା । ଜାତୀୟ କଂଗ୍ରେସଠାରୁ ଦୂରତା ରଖିବା ବଦଳରେ ଓତପ୍ରୋତ ହେବା ହିିଁ ଓଡ଼ିଶାପାଇଁ ବିକଳ୍ପ ବୋଲି ବୁଦ୍ଧିଜୀବୀ ଗୋଷ୍ଠୀ ବୁଝି ପାରିଲେ । ଯେଉଁ କେତୋଟି ଘଟଣାଯୋଗୁଁ ୧୯୧୯-୨୦ ବେଳକୁ ବୁଦ୍ଧିଜୀବୀର ସରକାର ଏବଂ ସରକାରୀ ଆନୁଗତ୍ୟର ରାଜନୀତିଠାରୁ ପୂର୍ଣ୍ଣତଃ ମୋହଭଙ୍ଗ ଘଟିଲା, ତନ୍ମଧ୍ୟରେ ଏକ ପ୍ରମୁଖ ଘଟଣା ଥିଲା ପଞ୍ଜାବର ଜାଲିଆନାଓ୍ୱାଲା ବାଗ ହତ୍ୟାକାଣ୍ଡ । ଶାନ୍ତିପୂର୍ଣ୍ଣ ଉପାୟରେ ସଭା କରୁଥିବା ନିରୀହ ଜନତାଙ୍କ ଉପରେ ସେଠାରେ ଗୁଳିମାଡ଼ ହେଲା ଏବଂ ତହିିଁରେ ସହସ୍ରାଧିକ ଲୋକ ପ୍ରାଣତ୍ୟାଗ କଲେ । ତା'ଠାରୁ ବଡ଼ କଥା, ନିରୀହ ଲୋକଙ୍କର ହତ୍ୟାକାରୀଙ୍କୁ ନିନ୍ଦା କରିବା ପରିବର୍ତ୍ତେ ଅଦାଲତ ସହଯୋଗ ଦେବାପାଇଁ ଇଂଲଣ୍ଡରେ ପାଣ୍ଠି ସଂଗ୍ରହ ହେଲା । ସରକାରର ଏହି ବର୍ବରକାଣ୍ଡ ପରେ ବୁଦ୍ଧିଜୀବୀ ସ୍ଥିର ନିଶ୍ଚିତ ହେଲେ ଯେ, ବ୍ରିଟିଶମାନେ ପୈତୃକ ମନୋଭାବ ନେଇ ଭାରତରେ ଶାସନ କରୁ ନାହାନ୍ତି । ନୋହିଲେ ମା'-ବାପ ହୋଇ ସରକାର ଏଭଳି ନାରକୀୟ ଘଟଣା ଘଟିବାକୁ ଦେଇ ନଥାନ୍ତେ ବା ଦୁର୍ଭାଗ୍ୟରୁୁ ତାହା ଘଟିତ ହୋଇଥିଲେ ତାର ସମର୍ଥନ କରି ନଥାନ୍ତେ । ଏଯାଏ ସରକାର ପ୍ରତି କୋହଳ ମନୋଭାବ ରଖିଥିବା ଏବଂ ୧୯୧୮-୧୯୧୯ ପରେ ଆସ୍ଥା ହରାଇଥିବା ବୁଦ୍ଧିଜୀବୀର ବ୍ରିଟିଶ ବିରୋଧତା ଓ ଆତ୍ମବ୍ୟଥାକୁ କବି ଗଙ୍ଗାଧର ମେହେର 'ଭାରତୀ ଭାବନା'ରେ ଖୁବ୍‍ ଭଲ ଭାବେ ବ୍ୟାଖ୍ୟା କରିଛନ୍ତି । ଦ୍ୱି-ଅର୍ଥ ବୋଧକ ଏହି କବିତାରେ ସେ କୃଷ୍ଣଙ୍କୁ ସମ୍ବୋଧନ କରିବା ଆଳରେ ବ୍ରିଟିଶ ପ୍ରତି କଟୂକ୍ତି କରି କହିଛନ୍ତି:

{{center block|

ଗୋଲକ ମଣ୍ଡଳ ନାଥେ ଲକ୍ଷ୍ୟ କରି
କହନ୍ତି ଭାରତୀ କିଶୋରୀ,
ଭାରତ-ମଣ୍ଡଳେ ଯାହା କଲ ନାଥ
ମନୁ ହେଉ ନାହିିଁ ପାସୋରି
ଗୋପେନ୍ଦ୍ରେ, ଛଳେ ଜାତିକୁଳ ନାଶିଲ
ଯାହା ଥିଲା ଆମ୍ଭ ନିଜତ୍ୱ ତହିିଁରେ
ନିଜ ପ୍ରଭୁତା ପ୍ରକାଶିଲ ...
ଆମ୍ଭ କ୍ଷୀର ସର ଲବଣୀରେ ପୁଷ୍ଟ
ବଳକୁ ତୁମ୍ଭର ଅନାଇ
ଭୟ ଲଭି ସିନା ଜାରମଣି ବୀରେ

କରି ନ ପାରିଲେ ଲଢ଼ାଇ;

ଗୋପେନ୍ଦ୍ରେ, ଯେ କଥା କହିଥିଲ ଯାଇ,

ଜୟ ଗର୍ବେ ମାତି କେଉଁ କଥା କଲ
ପୂର୍ବ ପ୍ରତିଜ୍ଞା ଅନୁଯାୟୀ ।

ଗାନ୍ଧୀ ନିଜ କାଣ୍ଡ ଘଟାଇଲା ଦିନୁ

ସ୍ନେହ ଗଣ୍ଠି ହେଲା ଶିଥିଳ

ତହୁଁ ଜଣାଗଲା କିସ ହେଲ ତୁମ୍ଭେ

ତହିିଁ ପୂର୍ବେ ଅବା କି ଥିଲ;

ପାଞ୍ଚୋଳେ, ପରିଚୟ ହେଲା ଯାହାର,

ଯାହା ଲାଗି ହେଲା ସକଳ କଳହ
ମାନ ବଢ଼ାଇଲ ତାହାର ।

ଗଙ୍ଗାଧର ମେହେର ଯିଏ ଅତୀତରେ 'ଭିବ୍ଧୋରିଆ ସ୍ତବ' ଲେଖିଥିଲେ, ରାଣୀଙ୍କୁ 'ଚିରଜୀବିନୀ' ହୋଇ ଭାରତ ଉପରେ ଶାସନ କରିବାକୁ ସ୍ତବ କରିଥିଲେ, ସେହି କବି ପୁଣି ୧୯୨୦ ବେଳକୁ ଇଂରେଜ ସରକାରକୁ ଏତେ କଟୂକ୍ତି କରି ପାରିଲେ! ବୁଦ୍ଧିଜୀବୀଙ୍କର ଏହି ମାନସିକ ପରିବର୍ତ୍ତନ ପଛରେ କାରଣ ହେଲା ଯେ, ସରକାର ଭାରତୀୟ ମହାଜାତିର ସ୍ୱାର୍ଥକୁ ଉପେକ୍ଷା କରୁଛି । ତେଣୁ ସେମାନେ ସରକାରର ବିରୋଧ କରିବାକୁ ହେଳା କଲେ ନାହିିଁ । ତାଙ୍କ ଜାତୀୟତା ଥିଲା ଅନୁଭବ ଆଧାରିତ । ଏହି ଆଧାରରେ ୧୯୧୯-୨୦ ବେଳକୁ ନରମପନ୍ଥୀ ଜାତୀୟତାବାଦୀ ଗୋଷ୍ଠୀ ରାଜନୀତିର ମୁଖ୍ୟ ସ୍ରୋତ ହେଲୋ ଓଡ଼ିଶା ଜାତୀୟତା ଉଭୟ ଆଞ୍ଚଳିକ ପ୍ରଗତି ଏବଂ ରାଷ୍ଟ୍ରୀୟ ପ୍ରଗତିକୁ ସମପରିମାଣର ପ୍ରମୁଖତା ଦେଇ ଏଣିକି ଆନ୍ଦୋଳନ ପରିଚାଳନା କଲା । ୧୯୧୭ ମସିହା ପରଠାରୁ ଆଉ ରାଜା-ଜମିଦାରଙ୍କୁ ସମ୍ମିଳନୀର ସଭାପତି ଆସନ ସୁଦ୍ଧା ମିଳୁ ନଥିଲା । ୧୯୧୯ରେ ଚନ୍ଦ୍ରଶେଖର ବେହେରା, ଗୋପବନ୍ଧୁ ଦାସ ଏବଂ ୧୯୨୦ରେ ଜଗବନ୍ଧୁ ସିଂ ସମ୍ମିଳନୀର ସଭାପତି ଅଧିଷ୍ଠିତ ହୋଇ ଭାରତୀୟ ମହାସ୍ରୋତରେ ଓଡ଼ିଶାର ଜାତୀୟତାକୁ ମିଳିତ ହେବାକୁ ଆହ୍ୱାନ ଦେଲେ ।

ଅଧ୍ୟାୟର ଶେଷ ଦୃଶ୍ୟ ଥିଲା ଅଧିକ ନାଟକୀୟ । ଉତ୍କଳ ସମ୍ମିଳନୀର ୧୯୨୦ ମସିହାପାଇଁ ଅଧିବେଶନ ହେବାର ନିଷ୍ପତ୍ତି ହେଲା ବିଚ୍ଛିନ୍ନାଞ୍ଚଳ ଚକ୍ରଧରପୁରରେ । ଅଧିବେଶନର ବହୁ ପୂର୍ବରୁ ମଧୁବାବୁ ନରମପନ୍ଥୀ ଯୁବ ଜାତୀୟତାବାଦୀଙ୍କ ହାତରୁ ପରାଜୟ ସ୍ୱୀକାର କରି ସମ୍ମିଳନୀର ସଭାପତି ପଦ ଗ୍ରହଣ କରିବାକୁ ମନା କଲେ । ଶେଷରେ ଜଗବନ୍ଧୁ ସିଂଙ୍କ ସଭାପତିତ୍ୱରେ ଯେତେବେଳେ ଅଧିବେଶନ ଆରମ୍ଭ ହେଲା, ନାଗପୁର କଂଗ୍ରେସରେ ଅଂଶଗ୍ରହଣ କରିସାରି ଚକ୍ରଧରପୁରରେ ଯୋଗ ଦେଇଥିବା ଗୋପବନ୍ଧୁ ଦାସ ଏବଂ ତାଙ୍କର ବନ୍ଧୁମାନେ ସମ୍ମିଳନୀକୁ ଜାତୀୟ କଂଗ୍ରେସରେ ସାମିଲ କରିବାକୁ ପ୍ରସ୍ତାବ ଦେଲେ । ଉଦାରବାଦୀ ବା ଲିବରାଲ ବିଶ୍ୱନାଥ କର, ବ୍ରଜସୁନ୍ଦର ଦାସ ଏବଂ ଶ୍ରୀଚନ୍ଦନ ଘୋଷ ଆଦି ଗୋପବନ୍ଧୁଙ୍କ ପ୍ରସ୍ତାବର ବିରୋଧ କଲେ । ଆଲୋଚନା ପରେ ପ୍ରସ୍ତାବଟି ଉପରେ ଭୋଟ ନିଆଗଲା । ସପକ୍ଷରେ ମିଳିଲା ୧୨୭ଟି ମତ ଏବଂ ବିପକ୍ଷରେ ମିଳିଲା ମାତ୍ର ଷୋହଳଟି ମତ । ଆନୁଷ୍ଠାନିକ ଭାବରେ ଏଣିକି ଉତ୍କଳ ସମ୍ମିଳନୀ ଜାତୀୟ କଂଗ୍ରେସର ଅଙ୍ଗ ହେଲା ଏବଂ ଓଡ଼ିଶାରେ କଂଗ୍ରେସର ଶାଖା ଗଠନ ହେଲା । ଅସହଯୋଗର ଡାକରାକୁ ସାକାର କରିବା ହେଲା ଏଣିକି ଓଡ଼ିଶା ଜାତୀୟତାର ମୁଖ୍ୟ ଉଦ୍ଦେଶ୍ୟ । ଉପସଂହାରରେ ଏତିକି କହିବା ଯଥେଷ୍ଟ ହେବ ଯେ, ୧୮୬୫-୬୬ର ନଅଙ୍କ ଦୁର୍ଭିକ୍ଷଜନିତ ସାମାଜିକ ସଂକଟରୁ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଆରମ୍ଭ ହେଲା । ଆଧୁିନିକ ଶିକ୍ଷିତ ବୁଦ୍ଧିଜୀବୀ ଏହାକୁ ନେତୃତ୍ୱ ଦେଲେ । ସ୍ଥାନୀୟ ଭାଷାରେ ପତ୍ର-ପତ୍ରିକାମାନ ପ୍ରକାଶନ କରି ତଥା ଆଞ୍ଚଳିକ ସ୍ତରରେ ସଭା-ସମିତିମାନ ଆୟୋଜନ କରି ସେମାନେ ଜାତୀୟତାର ବିଚାରଧାରାକୁ ଏକ ଠୋସ ରଙ୍ଗରୂପ ଦେଲେ । ସେମାନଙ୍କ ଦୃଷ୍ଟିକୋଣରେ ଉଭୟ ରାଷ୍ଟ୍ରୀୟ ଓ ଆଞ୍ଚଳିକ ପ୍ରଗତି ପ୍ରମୁଖତା ପାଇଲା । ଗଞ୍ଜାମର ଓଡ଼ିଶା ଡିଭିଜନରେ ମିଶିବା ପ୍ରସ୍ତାବକୁ କଂଗ୍ରେସ ଅନ୍ୟ କାରଣରୁ ଅସ୍ୱୀକାର କରିବାରୁ ଓଡ଼ିଶାର ବୁଦ୍ଧିଜୀବୀ ସ୍ଥାନୀୟ ସମସ୍ୟାର ଆଲୋଚନା ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ କଥା ଚିନ୍ତା କଲେ । ଫଳରେ ୧୯୦୩ରେ 'ଉତ୍କଳ ସମ୍ମିଳନୀ' ଗଠିତ ହେଲା । ଏହା ଜାତୀୟତାଭିତ୍ତିକ ଆଞ୍ଚଳିକ ସଭା-ସମିତିଗୁଡ଼ିକୁ ଏକ ପ୍ରାଦେଶିକ ମଞ୍ଚ ପ୍ରଦାନ କଲା । ବିଂଶ ଶତାବ୍ଦୀର ଆରମ୍ଭ ଦଶକରେ ଓଡ଼ିଶାର ବୁଦ୍ଧିଜୀବୀଙ୍କ ମଧ୍ୟରେ ତିନିଟି ଗୋଷ୍ଠୀ ଦେଖିବାକୁ ମିଳେ । ପ୍ରଥମ ଗୋଷ୍ଠୀ ହେଲେ ପ୍ରଥମ ପିଢ଼ିର ମଧ୍ୟବର୍ଗୀୟ ବୁଦ୍ଧିଜୀବୀ, ଯାହାଙ୍କୁ ଉଦାରବାଦୀ ବୋଲି ଏଠାରେ ଉଲ୍ଲେଖ କରାଯାଇଛି; ଦ୍ୱିତୀୟ ଗୋଷ୍ଠୀ ହେଲେ ସାମନ୍ତବର୍ଗର ଆଧୁନିକ ଶିକ୍ଷିତ ବର୍ଗ । ସେମାନେ ସରକାରଠାରେ ପୂର୍ଣ୍ଣ ଆନୁଗତ୍ୟ ରଖି ସାମାଜିକ ପ୍ରଗତି କଥା କହୁଥିଲେ । ଇଂରେଜ ସରକାରର ଜନବିରୋଧୀ ସ୍ୱଭାବ ସ୍ପଷ୍ଟ ହେବା ସହିତ ଏହି ଗୋଷ୍ଠୀ ଜାତୀୟତାବାଦୀ ରାଜନୀତିରେ ନିଜ ପ୍ରାଧାନ୍ୟ ହରାଇବା ଆରମ୍ଭ କଲେ । ତୃତୀୟ ଗୋଷ୍ଠୀ ହେଲେ ଦ୍ୱିତୀୟ ପିଢ଼ିର ମଧ୍ୟ ବର୍ଗୀୟ ଶିକ୍ଷିତ ଯୁବ ସମାଜ । ଏହି ଗୋଷ୍ଠୀ ଇଂରେଜ ଆନୁଗତ୍ୟର ତୀବ୍ର ବିରୋଧ କଲେ ଏବଂ ଓଡ଼ିଶାର ଜାତୀୟତା ସ୍ୱଭାବକୁ ମହାଭାରତୀୟ ସ୍ରୋତ ଅର୍ଥାତ ଜାତୀୟ କଂଗ୍ରେସରେ ସମ୍ମିଶ୍ରିତ କରିବାକୁ ପ୍ରୟାସ କଲେ । ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଇତିହାସରେ ଏମିତି ଅନେକ ଘଟଣା ଘଟିଲା, ଯାହା ଇଂରେଜ ଉପନିବେଶବାଦର ଲୋକ ବିରୋଧୀ ସ୍ୱରୂପକୁ ଅଧିକରୁ ଅଧିକ ସ୍ପଷ୍ଟ କଲା । ଉଦାହରଣ ସ୍ୱରୂପ, ବିଶ୍ୱଯୁଦ୍ଧ ପରେ ଜାତୀୟତାବାଦୀ ଆଶା କରିଥିଲେ, ଇଂରେଜମାନେ ଜାତୀୟତାବାଦକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ତଥା ଗାଣତାନ୍ତ୍ରିକତାକୁ ପ୍ରାଧାନ୍ୟ ଦେଇ ଅନେକ ନୂଆ ସୁବିଧା ସୁଯୋଗ ଦେବେ । ମାତ୍ର ଯୁଦ୍ଧ ପରେ ଫଳ ଓଲଟା ହେଲା । ମଣ୍ଟେଗୁଚେମ୍‍ସଫୋର୍ଡ଼ ଶାସନ ସଂସ୍କାର ଓଡ଼ିଶାର ଭାଷା ଭିତ୍ତିରେ ପ୍ରଦେଶ ଗଠନ ଦାବିକୁ ସ୍ୱୀକୃତି ଦେଲା ନାହିଁ । ୧୯୧୯ରେ ଜାଲିଆନାଓ୍ୱାଲା ବାଗରେ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରୁଥିବା ନିରୀହ ଜନତା ଉପରେ ଗୁଳିମାଡ଼ ହେଲା । ଏହିସବୁ ଘଟଣାରୁ ସିଦ୍ଧ ହେଲା ଯେ, ଭାରତରେ ଗାଣତାନ୍ତ୍ରିକତାର ପ୍ରତିଷ୍ଠା ଇଂରେଜ ସରକାରର ଉଦ୍ଦେଶ୍ୟ ନୁହୋଁ ଏହା ଅନୁଭବ କଲା ପରେ ଇଂରେଜର ଆନୁଗତ୍ୟରେ ଆସ୍ଥା ରଖିଥିବା ସାମନ୍ତ ବୁଦ୍ଧିଜୀବୀ ଗୋଷ୍ଠୀ ଓଡ଼ିଶା ରାଜନୀତିରେ ନିଜ ପ୍ରଭୁତା ପୂର୍ଣ୍ଣ ରୂପେ ହରାଇଲେ । ଉଦାରବାଦୀ ଗୋଷ୍ଠୀର ଇଂରେଜ ପ୍ରତି ମୃଦୁ ସମାଲୋଚନାକୁ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିରେ ଲୋକ ସମର୍ଥନ ମିଳିଲା ନାହିିଁ । ଲୋକ ଚାହିିଁଲେ ବିରୋଧ ତୀବ୍ର ହେଉ । ଏହି କାରଣରୁ ୧୯୨୦ରେ ନରମପନ୍ଥୀ ଜାତୀୟତାବାଦୀ ଓଡ଼ିଶା ରାଜନୀତିର ମୁଖ୍ୟସ୍ରୋତ ହେଲେ ଏବଂ ସେମାନଙ୍କ ନେତୃତ୍ୱରେ 'ଉତ୍କଳ ସମ୍ମିଳନୀ' ଜାତୀୟ କଂଗ୍ରେସରେ ସାମିଲ ହେଲା । ଅନ୍ୟ ଦୁଇଗୋଷ୍ଠୀ ନିଜ ରାଜନୈତିକ ମହତ୍ତ୍ୱ ହରାଇଲେ । ଆଞ୍ଚଳିକ ଏବଂ ରାଷ୍ଟ୍ରୀୟ ଅସ୍ମିତାକୁ ମୂଳ ଉଦ୍ଦେଶ୍ୟ କରି ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଯେଉଁ ଜାତୀୟତାର ଉନ୍ମେଷ ଆରମ୍ଭ ହୋଇଥିଲା, ତାହା ୧୯୨୦ ମସିହା ଅସହଯୋଗ ଆନ୍ଦୋଳନର ଡାକରାରେ ପରିପକ୍ୱ ହେଲା । ଏଣିକି ଓଡ଼ିଶାରେ ଜାତୀୟତା ଆନ୍ଦୋଳନ ତୀବ୍ରରୁ ତୀବ୍ରତର ରୂପ ଧାରଣ କଲା ।

...