ପୃଷ୍ଠା:Sarala Bhashatattwa.pdf/11

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅର୍ଥାତ୍ ଅନେକ ଭାଷାରେ 'ରାମ' ଶବ୍ଦଟିର ବ୍ୟବହାର ପ୍ରଥମରେ, ପରେ ତାହାର ଧ୍ୱନିମାନଙ୍କର ବିଶ୍ଳେଷଣ ଏବଂ ତାର ବହୁପରବର୍ତ୍ତୀ କାଳରେ ତାହାର ଅକ୍ଷର-ମାନଙ୍କର ଲିଖିତରୂପର ପ୍ରଚଳନ ହୋଇଥିଲା ବୋଲି ପଣ୍ତିତମାନଙ୍କର ମତ । କେତେକ ଭାଷାରେ ଏପର୍ଯ୍ୟନ୍ତ ଲିଖିତ ରୂପ ବା ଲିପି ପ୍ରଚଳିତ ହୋଇ ନାହିଁ । 'ବର୍ଣ୍ଣ' ଏହି ଶବ୍ଦଟି ବର୍ତ୍ତମାନ ଗୋଟିଏ ବ୍ୟାକରଣଗତ ସଂକେତ, ଏହାର ଅର୍ଥ ଲିପି ଓ ଉଚ୍ଚାରଣ ଯୁକ୍ତ ଶବ୍ଦର ସାଙ୍କେତିକ ବିଶ୍ଳିଷ୍ଟ ସତ୍ତା । ଅର୍ଥାତ୍ 'ର' ବର୍ଣ୍ଣ ଗୋଟିଏ ଧ୍ୱନିକୁ ପ୍ରକାଶିତ କରେ ଓ ଏହାର ଗୋଟିଏ ଲିଖିତ ରୂପ ମଧ୍ୟ ଅଛି । ମାତ୍ର ପ୍ରାଚୀନ କାଳରେ ବର୍ଣ୍ଣକୁ ଏପରି ଅର୍ଥରେ ବ୍ୟବହାର କରାଯାଉ ନଥିଲା । ସମ୍ଭବତଃ ଶବ୍ଦମାନଙ୍କର ଲିଖନ ପଦ୍ଧତି ଯେତେବେଳେ ପ୍ରଚଳିତ ହେଲା, ତେତେବେଳେ ପ୍ରଥମେ ସେମାନଙ୍କୁ ଚିତ୍ରିତ କରିବାର ପ୍ରକ୍ରିୟା ଉଦ୍ଭାବିତ ହୋଇଥିବ ଓ କାଠଫଳକ ବା ଅନ୍ୟ ସମଜାତୀୟ ପଦାର୍ଥରେ ଅଙ୍ଗାର ପ୍ରଭୃତି ଦ୍ୱାରା ରେଖାଙ୍କିତ କରିବାର ଚେଷ୍ଟା କରାଯାଇଥିବ ଓ ଏହି ରେଖାଙ୍କନ ଚେଷ୍ଟା ଓ ଚିତ୍ରଣ ବିଦ୍ୟାରେ ବ୍ୟବହୃତ ରଙ୍ଗର ସମାବେଶ ହେତୁରୁ ଏମାନଙ୍କୁ 'ବର୍ଣ୍ଣ' ଆଖ୍ୟା ଦିଆଯାଇଥିବ । 'ଲିପି' ଶବ୍ଦ ମଧ୍ୟ ଏହିପରି କ୍ରମ ବିକାଶକୁ ସମର୍ଥିତ କରୁଅଛି । କ୍ରମଶଃ ହତିଆରର ବ୍ୟବହାର ସୁପ୍ରଚଳିତ ହେବାରୁ ଓ ଲିପିମାନଙ୍କର ସ୍ଥାୟିତ୍ୱ ଆବଶ୍ୟକ ହେବାରୁ ପ୍ରସ୍ତରଫଳକରେ ବା କାଷ୍ଠଗାତ୍ରରେ ଅଥବା ଅନ୍ୟ ଧାତବ ପଦାର୍ଥରେ ଲିପିମାନଙ୍କୁ ଉତ୍କୀର୍ଣ୍ଣ କରିବାର ଚେଷ୍ଟା କରାଯାଇଥିଲା । ଏପରି ଉତ୍କୀର୍ଣ୍ଣ ଲିପିର ସ୍ଥାୟିତ୍ୱକୁ ଅବଲମ୍ବନ କରି ଏମାନଙ୍କୁ ଅକ୍ଷର ବୋଲାଯାଉଥିଲା, ଅର୍ଥାତ୍ ମୂଳତଃ ବର୍ଣ୍ଣ ଓ ଅକ୍ଷର ଏକ ପଦାର୍ଥ-ଗୋଟିଏ ଧ୍ୱନିର ଚିତ୍ରିତରୂପ ଓ ଅନ୍ୟଟି ତାହାର ଉତ୍କୀର୍ଣ୍ଣ ରୂପ । ବର୍ଣ୍ଣର ଏହି ଅର୍ଥ କିନ୍ତୁ ବର୍ତ୍ତମାନ ଲୁପ୍ତ ହୋଇ ଏହା ବର୍ତ୍ତମାନ ଗୋଟିଏ ସାଙ୍କେତିକ ଶବ୍ଦ ରୂପରେ ବ୍ୟବହୃତ ହେଉଅଛି । ବର୍ତ୍ତମାନ ଆମ୍ଭମାନଙ୍କୁ ଏହି କାରଣରୁ ବର୍ଣ୍ଣର ଉଚ୍ଚାରଣ ଓ ବର୍ଣ୍ଣମାନଙ୍କର ସ୍ୱର ଓ ବ୍ୟଞ୍ଜନ ଅନୁସାରେ ବିଭାଗ ବିଷୟ ପାଠ କରିବାକୁ ହୋଇଥାଏ ।

ବର୍ତ୍ତମାନ ଭାଷାରେ 'ବର୍ଣ୍ଣ'ର ଅର୍ଥ ଶବ୍ଦର ବିଶ୍ଳେଷିତ ମୂଳସତ୍ତା । ଉଚ୍ଚାରଣ ବର୍ଣ୍ଣର ଧ୍ୱନିଗତ ସତ୍ତା ଓ ଅକ୍ଷର ତାହାର ରୂପଗତ ସତ୍ତା ପ୍ରକାଶ କରିଥାଏ । ପ୍ରତ୍ୟେକ ବର୍ଣ୍ଣର ଉଚ୍ଚାରଣ ଓ ଅକ୍ଷର ବା ଲିପି ଭାଷାରେ ବ୍ୟବହୃତ ହୋଇଥାଏ । ବର୍ଣ୍ଣ ଯେ ଗୋଟିଏ ସାଙ୍କେତିକ ବସ୍ତୁ ତାହା ଅତି ସହଜରେ ପ୍ରମାଣିର ହୋଇପାରେ, କାରଣ ଅନେକ ଭାଷାରେ ଏକ ଉଚ୍ଚାରଣ ଥିଲେହେଁ ଲିଖନପ୍ରଣାଳୀ ଏକ ନୁହେଁ ଓ ଓଡ଼ିଆରେ 'ଠ' ଲେଖିଲେ ଯେଉଁ ଧ୍ୱନି ନିର୍ଦ୍ଦିଷ୍ଟ