ପୃଷ୍ଠା:Sarala Bhashatattwa.pdf/15

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିପରିଭାବରେ ଧ୍ୱନିର ବିଶ୍ଳେଷଣ ଓ ବିନ୍ୟାସରେ ରତ ହେଲା ଓ କିପରିଭାବରେ ନାନାପ୍ରକାର ଧ୍ୱନିକୁ ସୁବିନ୍ୟସ୍ତ କରି ଅର୍ଥଦ୍ୟୋତକ ପଦ ସୃଷ୍ଟି କଲା, ସେ ବିଷୟରେ ଇତିହାସ ନୀରବ । ଏକ ସମୟରେ ମନୁଷ୍ୟମାନଙ୍କ ମଧ୍ୟରେ ଭାଷାର ବ୍ୟବହାର ଅତ୍ୟନ୍ତ ସଂକୀର୍ଣ୍ଣ ଥିବ ଓ କୌଣସି ଅତିମାନବର ବୁଦ୍ଧିଦ୍ୱାରା ଭାଷାର ସାଙ୍କେତିକ ବ୍ୟବହାର ହୋଇଥିବ ଓ ଶବ୍ଦଗୁଡ଼ିକ ଅର୍ଥଦ୍ୟୋତକଭାବରେ ବ୍ୟବହୃତ ହୋଇଥିବ କିମ୍ବା ସହସ୍ର ସହସ୍ର ବର୍ଷର ବ୍ୟବହାରଫଳରେ ଶବ୍ଦଗୁଡ଼ିକ ମୂଳତଃ କଳ୍ପିତ ହୋଇ ପାରିଥିବ; ଏତିକି ମାତ୍ର ଆମ୍ଭେମାନେ ଅନୁମାନ କରି ପାରୁଁ । ପୃଥିବୀରେ ବ୍ୟବହୃତ ବିଭିନ୍ନ ଭାଷାର ବର୍ଣ୍ଣମାନଙ୍କର ଧ୍ୱନି ଓ ରୂପ ମଧ୍ୟରେ ଏତେ ପାର୍ଥକ୍ୟ ଦେଖାଯାଏ ଯେ, ସେମାନଙ୍କର ପର୍ଯ୍ୟାଲୋଚନାରୁ ବର୍ଣ୍ଣର ଉଦ୍ଭାବନର ପ୍ରଥମ ଅବସ୍ଥା ବିଷୟରେ ଆମ୍ଭେମାନେ କୌଣସି ସ୍ଥିରସମାଧାନରେ ଉପସ୍ଥିତ ହୋଇ ପାରୁ ନାହିଁ ।

ଧ୍ୱନି ଓ ଅକ୍ଷର: -ପୂର୍ବେ ବୋଲାଯାଇଅଛି ଯେ, ବର୍ଣ୍ଣ ଗୋଟିଏ ଧ୍ୱନିସୂଚକ ସାଙ୍କେତିକ ମାତ୍ରା ମାତ୍ର । ଏହା ଗୋଟିଏ ଚିହ୍ନ, ଏହାଦ୍ୱାରା ଗୋଟିଏ ଧ୍ୱନି ନିର୍ଦ୍ଧେଶିତ ହେଉଅଛି ଓ ଏହାର ଗୋଟିଏ ନିର୍ଦ୍ଦିଷ୍ଟ ରୂପ ଅଛି । ପ୍ରତ୍ୟେକ ଭାଷା ଅନ୍ୟଠାରୁ ଭିନ୍ନ ହେଲେହେଁ ସାଧାରଣତଃ ତହିଁରେ କେତେକ ଧ୍ୱନିସୂଚକ ବର୍ଣ୍ଣର ବ୍ୟବହାର ଦେଖାଯାଏ ଓ ଏହି କାରଣରୁ ଏକ ଭାଷାର ଶବ୍ଦମାନଙ୍କୁ ଅନ୍ୟ ଭାଷାରେ ଅନୁଲେଖ କରିବା ସମ୍ଭବପର ହୋଇଥାଏ । 'ଜିନ' ଏହି ଶବ୍ଦରେ ଯେତେଗୁଡ଼ିଏ ଧ୍ୱନି ଅଛି, ତାହା ଇଂରାଜୀ, ଓଡ଼ିଆ, ବଙ୍ଗଳା, ଆରବୀ, ଫାରସୀ, ରୁଷୀୟ, ଚୀନ ପ୍ରଭୃତି ସବୁ ଭାଷାରେ ଅନୁଲେଖ କରିବା ସମ୍ଭବପର । କାରଣ ସବୁ ଭାଷାରେ ଏହି ଶବ୍ଦରେ ଥିବା ଧ୍ୱନିମାନଙ୍କର ସାଙ୍କେତିକ ଅକ୍ଷରମାନଙ୍କର ବ୍ୟବହାର ଅଛି । ଯଦି ମନୁଷ୍ୟସମାଜରେ ବ୍ୟବହୃତ କୌଣସି ଭାଷା ସମ୍ପୂର୍ଣ୍ଣ ଓ ଆଦର୍ଶସ୍ଥାନୀୟ ହୋଇଥାନ୍ତା, ତେବେ ସେଥିରେ ସବୁପ୍ରକାର ଧ୍ୱନିକୁ ଯଥାଯଥଭାବରେ ଓ ପରସ୍ପରଠାରୁ ବିଭିନ୍ନ ରୂପରେ ପ୍ରକାଶ କରିବା ସମ୍ଭବପର ହୁଅନ୍ତା ଓ ସେଥିରେ କୌଣସି ଅନାବଶ୍ୟକ ବର୍ଣ୍ଣ ନ ଥାନ୍ତା । ଅର୍ଥାତ୍ ସେଥିରେ ଏକ ଧ୍ୱନିକୁ ସୂଚିତ କରିବା ନିମନ୍ତେ ଦୁଇ ଗୋଟି ବର୍ଣ୍ଣର ବ୍ୟବହାର ନଥାନ୍ତା କିମ୍ବା ଗୋଟିଏ ବର୍ଣ୍ଣଦ୍ୱାରା ଦୁଇ ଗୋଟି ଧ୍ୱନି ସୂଚିତ ହୋଇ ପାରନ୍ତା ନାହିଁ । ଇଂରାଜୀରେ ତ ଓ ଟ ଏହି ଦୁଇ ଗୋଟି ଧ୍ୱନିର ବିଭିନ୍ନତା ନିର୍ଦ୍ଦେଶିତ କରିବା ନିମନ୍ତେ ଦୁଇଗୋଟି ବର୍ଣ୍ଣ ନାହିଁ ଏବଂ 'ଥ' ଓ 'ଦ' ମଧ୍ୟ ପୃଥକ୍ ଭାବରେ ନିର୍ଦ୍ଦେଶିତ ହୋଇ ପାରିବ ନାହିଁ । ଅଥଚ ସେହି ଇଂରାଜୀରେ 'K', 'C', 'S' ଏହି ବର୍ଣ୍ଣମାନଙ୍କର ଧ୍ୱନି ସମ୍ବନ୍ଧରେ ନାନାପ୍ରକାର ବୈସାଦୃଶ୍ୟ ଲକ୍ଷିତ ହୋଇ