"ଛ" - ଛଇଳା ମୋରେ ଛାଉଲି ଛାଡ଼

ଉଇକିପାଠାଗାର‌ରୁ
ଚୌପଦୀ ରତ୍ନାକର ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଛଇଳା ମୋରେ ଛାଉଲି ଛାଡ଼

ଛଇଳା ମୋରେ ଛାଉଲି ଛାଡ଼
(ରାଗ: ମୁଖାରୀ)

ଛଇଳା ମୋରେ ଛାଉଲି ଛାଡ଼,
ଛଦ୍ମ ନୀରେ ନିରନ୍ତର ନ ବୁଡ଼ । ପଦ ।

ଛାମୁରେ ଥିବା ସହଚରୀଗଣେ,
ଛାଇ ତୁ ପରା ମୋ ଅନୁସରଣେ । ୧ ।
 
ଛଣା ପୀୟୂଷ ପରି କହି ଆଣି,
ଛପାଇ ଦେଉଛୁ କାହିଁକି ପୁଣି । ୨ ।

ଛାପ ଦେଇ ଲଘୂ ନ କର ହେଳେ,
ଛତି ଟେକାଇ ଦେ ତରୁଣୀକୁଳେ । ୩ ।

ଛିଦ୍ରଭେଦ ଘେନିବାକୁ ମୋହର,
ଛକେ ଛକେ ଜଗି ଅଛନ୍ତି ଚର । ୪।

ଛୁଇଁ ଦେଇ ନୀଳଛବି ବାସନା,
ଛଟପଟ ହୋଇ ମରିବା ସିନା । ୫ ।

ଛାତି ଭିତରୁ ଧୃତି ଗଲା ସରି,
ଛଳ ଛାଡ଼ି କୋଳ କଲେ କିଶୋରୀ । ୬ ।

ଛୁଟିଲା ଶଙ୍କା ସଖୀ ହୃଦୟରୁ,
ଛ ଏକ ପଦେ କହେ ରାୟଗୁରୁ । ୭।