"ଜ" - ଜଳଜନୟନା ଜାତି କେଡ଼େ କରକଶ ଗୋ

ଉଇକିପାଠାଗାର‌ରୁ
Jump to navigation Jump to search
ରତ୍ନାକର ଚମ୍ପୂ ଲେଖକ/କବି: ବଳଦେବ ରଥ
ଜଳଜନୟନା ଜାତି କେଡ଼େ କରକଶ ଗୋ

ଜଳଜନୟନା ଜାତି କେଡ଼େ କରକଶ ଗୋ
(ରାଗ: ତୋଡ଼ି)

ଜଳଜନୟନା ଜାତି କେଡ଼େ କରକଶ ଗୋ,
ଜୀଇ ଥାଇଁ ଯାହା ଜାଣି ପ୍ରିୟଜନକ୍ଳେଶ ଗୋ। ପଦ।

ଜମ୍ଭାରାତି ନୀଳଅଙ୍କ ଦୁଃଖଜଳେ ବୁଡ଼ି ଗୋ, ଜର୍ଜର ତମାଳଦଳ ପରି ଝଡ଼ି ପଡ଼ି ଗୋ,
ଯାଉଛି ଜମି ଧରା ପରାଗରେ, ଯା ଉଚିତ ତାହା ନ ଲଭିବାରେ,
ଜାଣିଶୁଣି କର୍ମେ ଲୋଚନେ ଚାହିଁ, ଜହର ଯାହା ଗିଳିଲାଇଁ ନାହିଁ । ୧ ।

ଜପିଲେ କୋଟିକଳପ ସୁରସର ତୀରେ ଗୋ, ଯା ଚରଣତଳେ ଚୁମ୍ବ ଦେବା ସୁରତିରେ ଗୋ,
ଜଗଦୀଶ କି ନ କରନ୍ତି ସତେ, ଜପିଲେ ହେଲେ ଆମ୍ଭଙ୍କୁ ନିରତେ,
ଜନ୍ମିଲେ ଚାଟୁ ନ ବିଚାରି ଊଣା, ଜନମୁ ନାହିଁ ମାନସେ କରୁଣା । ୨ ।

ଜଗତ ଜୀବାତୁ ସେ ଜଙ୍ଗମନୀଳମଣି ଗୋ, ଜଟାଧରପରଜ୍ଵରେ କମ୍ପୁଛନ୍ତି ପୁଣି ଗୋ,
ଯାଇ ଜାକି ଧରିବା କି ଯତନେ, ଜାଗରୂକ ହୋଇ ଜମାଇ ସ୍ତନେ,
ଜନେ ହସିଲେ ହସିବେ ଜଗତେ, ଜୀବନ କି ଦୁଃଖ ପାଇଲେ ସତେ । ୩ ।

ଜନ୍ମାନ୍ତରମାନଙ୍କର ସୁକର୍ମ ବଳରେ ଗୋ, ଜନ୍ମ ସିନା ମାତ୍ର ନନ୍ଦସୁନ୍ଦରୀ କୋଳରେ ଗୋ,
ଜୁରାଇ ଘର ଗୋରସ ସମ୍ପରି, ଜଞ୍ଜାଳିଲେ ଆମ୍ଭେ କରି ସମ୍ମତି,
ଜଳପିବାକୁ ଏବେ ନାହିଁ ବଳ, ଜଗି ପାରିଲାଇଁ ନାହିଁ ଏ କାଳ । ୪ ।

ଜ୍ୟାଗୀର୍ବାଣ କବିରବି ରାୟଗୁରୁ ଭଣେ ଗୋ, ଯାହା କଲେ ଗୋପକୁ ଦନୁଜ ଜନେ ଜନେ ଗୋ,
ଜୀବନଜନେତ୍ର ଥିବାରୁ ସିନା, ଜଣା ନୋହିଲା ସେ ଭୟବାସନା,
ଜିଣିବାକୁ ହେଲେ ସେ ଉପକୃତି, ଯାଇଁ ସୁଝିଲାଇଁ ନାହିଁ ଝଟତି । ୫ ।