"ଝ" - ଝୁମୁଝୁମୁ ନାଦ ଲଳିତାଙ୍କ ପାଦ

ଉଇକିପାଠାଗାର‌ରୁ
ଚୌପଦୀ ରତ୍ନାକର ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଝୁମୁ ଝୁମୁ ନାଦ ଲଳିତାଙ୍କ ପାଦ

ଝୁମୁ ଝୁମୁ ନାଦ ଲଳିତାଙ୍କ ପାଦ
(ରାଗ: ବଙ୍ଗଳାଶ୍ରୀ)

ଝୁମୁ ଝୁମୁ ନାଦ ଲଳିତାଙ୍କ ପାଦମଣ୍ଡନର ଶୁଣି ତୋଷେ,
ଝୁମି ଝୁମି କାମ ଅମଳରେ ଶ୍ୟାମ ମିଳି କୁଞ୍ଜଦ୍ଵାରଦେଶେ । ୧ ।

ଝାଉଁଳିଲା ନବ ତମାଳ ପଲ୍ଲବ ଅବସ୍ଥା ଶ୍ରୀଅଙ୍ଗେ ରଖି,
ଝରିବାର ବାରି ନୟନୁ ନିବାରି ଜଳପିଲେ ପ୍ରିୟସଖୀ । ୨ ।

ଝିମିଟକ କଳ୍ପ ଶତରୁ ଅନଳ୍ପ ହୋଇଲାଣି ଝର ଝର,
ଝଷଧ୍ବଜ-ଧନଞ୍ଜୟ ଝାସ ଜ୍ଞାନଲତାକୁ ଦେଲାଣି ସାରି । ୩ ।

ଝାଙ୍କିନେଇ ମନ-ମଣିକି ଯା ସ୍ତନ ସମ୍ପୂଟରେ ରଖାଇଲୁ,
ଝଟତି ତା ରଦବାସରୁ ସୁଆଦ ମଧୁ ତ ନ ଚଖାଇଲୁ । ୪ ।

ଝାଳିଦେଲୁ ନାହିଁ ଝଳି ଚାନ୍ଦମୁହିଁ ଗଣ୍ଡକୁ ମୋ ଗଣ୍ଡେ ଥରେ,
ଝଲାଇ ନ ଦେଲି ରସକଳ୍ପବଲ୍ଲୀ ଊରୁମୂଳସ୍ଥଳ କରେ । ୫।

ଝୁମ୍ପା ଝାଲରିଆ ଅଳକ ତିଳକଶୋଭିନୀର କେଶବେଶେ,
ଝରା ଖଞ୍ଜି ବିମ୍ବଓଷ୍ଠେ ଶତ ଚୁମ୍ବ ରଚିବି କେବେ ହରଷେ । ୬।

ଝୁଣ୍ଟିଆ ବିଜୟ ବାଦ୍ୟେ ହରିହୟପଦବିଭୁତି ନିରତେ,
ଝୁଣ୍ଟି ଦେଇ ଯିବି କେବେ କବିରବି ରାୟଗୁରୁ ବୋଲେ ଗୀତେ । ୭।